ବାରାଣସୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧମାଳା
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୯୫
- ସ୍ଥିତି
- ସାର୍ବଜନୀନ (Public domain)
ସରିତକୁଳେଶ୍ୱରୀ ପୁଣ୍ୟମୟୀ ଗଙ୍ଗାତଟର୍ତ୍ତିନୀ ଭାରତର ସର୍ବଶ୍ରେଷ୍ଠ ତୀର୍ଥରୂପିଣୀ ଅତି ପ୍ରାଚୀନା ମହାନଗରୀ ବାରାଣସୀର ସନ୍ଦର୍ଶନାକାଙ୍କ୍ଷା ବାଲ୍ୟକାଳରୁ ମୋ ହୃଦୟ ମଧ୍ୟରେ ଜାଗ୍ରତ ଥିଲା । ସେହି ଚିରପୋଷିତ ବାଞ୍ଛାର ଭଗବତ୍ପ୍ରସାଦରୁ ଯେଉଁ ଦିନ ପୂର୍ଣ୍ଣ ହେଲା, ସେହି ଦିବସର ରହସ୍ୟମୟ ହୃଦୟାନନ୍ଦ ମୋହର ସ୍ମୃତିକୋଷା ଗୋଟିଏ ଅମୂଲ୍ୟ ସମ୍ପଦ । ରେଳମାର୍ଗଚାରୀ ବାଷ୍ପୀୟଯାନରେ ଆସୁ ଆସୁ ଜାହ୍ନବୀର ଶୁଭ ଗର୍ଭମଧ୍ୟରୁ ସମୁତ୍ଥିତା ସାୟାହ୍ନ ସୌରକିରଣସମ୍ପାତରେ ଈଷଦୁଦ୍ଭାସିତା ପ୍ରାସାଦମନ୍ଦିରକରୀଟିନୀ ବାରାଣସୀ ନଦୀର ଅପରପାରରୁ କୈଳାସଧାମବତ୍ ଦୃଷ୍ଟିପଥାରୂଢ଼ ହେଲାକ୍ଷଣି ଅନ୍ତରାତ୍ମା ଅପୂର୍ବ ପୁଲକ ଓ ବିସ୍ମୟରେ ଆନ୍ଦୋଳିତ ହେବାକୁ ଲାଗିଲା ।
ଆହୋ, କାଶୀକ୍ଷେତ୍ରର ଯୁଗ ଯୁଗାନ୍ତରବ୍ୟାପୀ କି ବିପୁଳ ପ୍ରଭାବ ! ଏହି ମହାନଗରୀର ଉତ୍ପତ୍ତିକାଳ ସମ୍ବନ୍ଧରେ ଇତିହାସ ନୀରବ । ଆଦିମ ବୈଦିକ ଯୁଗରୁ ଆଜିପର୍ଯ୍ୟନ୍ତ କାଶୀ ଭାରତର ସର୍ବଶ୍ରେଷ୍ଠ ଧର୍ମକ୍ଷେତ୍ରରୂପେ ବିରାଜିତ ରହିଅଛି । ଧର୍ମର ଅତୁଲ୍ୟ ମହିମାରେ ଚିରବିଭ୍ରାଜିତା ବାରାଣସୀ ମଧ୍ୟରେ ସଂଖ୍ୟା-ବେଦାନ୍ତାଦି ଷଡ୍ଦର୍ଶନରର ପୁଷ୍ଟି ଏବଂ ପ୍ରଚାର, ଏହିଠାରେ ବ୍ରାହ୍ମଣ୍ୟଧର୍ମର ଶାସ୍ତ୍ର ଓ କର୍ମକରଣ୍ଡାଦି ଅନୁଷ୍ଠାନର ଧାରାବାହିକ ବିକାଶ, ଏହିଠାରେ ମୃଗଦାବ କାନନରେ ବୌଦ୍ଧଦର୍ମର ଶାସ୍ତ୍ର ଓ କର୍ମକାଣ୍ଡାଦି ଅନୁଷ୍ଠାନର ଧାରାବାହିକ ବିକାଶ, ଏହିଠାରେ ମୃଗଦାବ କାନନରେ ବୌଦ୍ଧଧର୍ମର ପ୍ରଥମ ପ୍ରଚାର ଓ ପ୍ରତିଷ୍ଠା, ଏହି ସ୍ଥାନରୁ ବୁଦ୍ଧଦେବକର୍ତ୍ତୃକ ଅହିଂସା ମହାମନ୍ତ୍ରରେ ଦୀକ୍ଷିତ ବୋଧିସତ୍ୱମାନଙ୍କର ଧର୍ମପ୍ରଚାରାର୍ଥ ଦେଶଦେଶାନ୍ତରକୁ ପ୍ରଥମଯାତ୍ରା, ଏହିଠାରେ ଆବହମାନକାଳ ନାନା ଦିଗଦେଶରୁ ମୁମୂକ୍ଷୁ ଯାତ୍ରୀମାନଙ୍କର ସମାଗମ ଏବଂ ଏହିଠାରେ କାଶୀପ୍ରାପ୍ତି ବା ମୃତ୍ୟୁ ଲଭିବା ନିମିତ୍ତ ବ୍ୟାକୁଳ ସମଗ୍ର ଭାରତରୁ ସମାଗତ ନାନା ଜାତୀୟ ମନୁଷ୍ୟମାନଙ୍କର ଅନ୍ତିମ କାଳଯାପନ । ପ୍ରାଚୀନ ନିନେଭେ ଓ ବାବିଲନ୍, ପୁରାକାଳୀନ ଆଥେନ୍ସ ଓ ରୋମ୍, କାଳର ପୁରାତନ ମିଶର ଏମାନଙ୍କର ସଭ୍ୟତା ଓ ଧର୍ମ କାଳର ତମୋମୟ ଗର୍ଭମଧ୍ୟରେ କେଉଁଆଡ଼େ ବିଲୁପ୍ତ ହୋଇଗଲାଣି; କିନ୍ତୁ ପ୍ରାଚୀନ ଭାରତର ପ୍ରାଚୀନ ବାରାଣସୀ ଆଦ୍ୟାପି ସ୍ୱୀୟ ପୁରାଣ ମହିମାରେ ବିରାଜମାନ । ଅଦ୍ୟାପି ତାହା ହିନ୍ଦୁଜଗତ୍ର ହୃତ୍ପିଣ୍ଡରୂପେ, ବ୍ରାହ୍ୱଣ୍ୟ ଧର୍ମର ସନାତନ ରାଜଧାନୀରୂପେ ଏବଂ ଭାରତୀୟ ପାଣ୍ଡିତ୍ୟର ସୁଦୃଢ଼ ଦୁର୍ଗରୂପେ ପ୍ରତିଷ୍ଠତ ରହିଅଛି ।
କାଶୀରେ ଭୁବନେଶ୍ୱର ପରି ଅଭ୍ରଂକଷ ପ୍ରାଚୀନ ସୁବୃହତ୍ ଦେବମନ୍ଦିର ଏବେ ଆଉ ଦୃଷ୍ଟିଗୋଚର ହୁଅଇ ନାହିଁ; ସେ ସମସ୍ତ ମସଜିଦ୍ରେ ପରିଣତ କିମ୍ୱା ବିନଷ୍ଟ ହୋଇଅଛି । ତଥାପି ନୌକା ଆରୋହଣ କରି ଗଙ୍ଗାବକ୍ଷରୁ ପ୍ରଭାତକାଳୀନ ଶୁଭ୍ରାଲୋକ ବିଚ୍ଛୁରିତ ବାରାଣସୀର ଦୃଶ୍ୟ ଦେଖିଲେ ମନ କି ଏକ ଅପୂର୍ବ ପ୍ରଶାନ୍ତରସରେ ପ୍ଲାବିତ ହୁଏ । ସନାତନୀ ଗଙ୍ଗା ତାହାର ମୃଦୁଳ ଶୁଭ୍ର ତରଙ୍ଗମାଳା ବିସ୍ତାର କରି ସ୍ନିଗ୍ଧ ଗମ୍ଭୀର ଭାବରେ ପ୍ରଭାହିତ ହେଉଅଛି । ତାହାର ଗର୍ଭମଧ୍ୟରୁ କାଶୀଧାମ ମସ୍ତକ ଉତ୍ତୋଳନ କରି ଗୋଟିଏ ବିରାଟ ଶୁଭ୍ର ପାରିଜାତ ପରି ବିକଶିତ ରହିଅଛି । ଅନେକାନେକ ଦେବାଳୟ; ଅଟ୍ଟାଳିକା, ମର୍ମର ପ୍ରସ୍ତରଗଠିତ ପ୍ରାଚୀର, ସମୁଚ୍ଚ ପ୍ରଦେଶରୁ ନଦୀଗର୍ଭ ପର୍ଯ୍ୟନ୍ତ ପ୍ରସାରିତ ଶତ ଶତ ପ୍ରଶସ୍ତ ସୋପାନ ପରମ୍ପରା, ସ୍ନାନ-ପୂଜାଦି ପ୍ରାଭାତିକ ଧର୍ମାନୁଷ୍ଠାନ ବ୍ୟାପୃତ ସହସ୍ର ସହସ୍ର ନରନାରୀଙ୍କର ବିଚିତ୍ର ଲୀଳାତରଙ୍ଗ, ଭକ୍ତମାନଙ୍କର ସ୍ତୁତିବନ୍ଦନା ଧ୍ୱନି, ତଟୋପବିଷ୍ଟ ମୁଣ୍ଡିତ ମସ୍ତକ ନିଷ୍ଠାପର ବ୍ରାହ୍ମଣମାନଙ୍କର ତର୍ପଣ, ଶାସ୍ତ୍ରପାଠ ଏବଂ ନାନାପ୍ରକାର ମୁଦ୍ରାଭଙ୍ଗୀ ସହ ମନ୍ତ୍ରୋଚ୍ଚାରଣ ଏ ସମସ୍ତ ମଧ୍ୟରେ ଦର୍ଶକର ମନ କ୍ଷଣିକାଳ ନିମିତ୍ତ ନଶ୍ୱର ସଂସାରବିସ୍ମୃତ ହୋଇ କି ଗମ୍ଭିର ଭାବରେ ଅଭିଭୂତ ହୁଏ !
କାଶୀର ନଦୀତଟବର୍ତ୍ତୀ ପ୍ରଦେଶ ଦିବ୍ୟଶୋଭାନ୍ୱିତ ହେଲେହେଁ ନଗରର ଅଭ୍ୟନ୍ତର ତାହାର ଅନୁରୂପ ନୁହେଁ । ଅପ୍ରଶସ୍ତ ଆବର୍ଜନାପୂର୍ଣ୍ଣ ଗଳିମାନଙ୍କର ଉଭୟ ପାର୍ଶ୍ୱରେ ଚତୁସ୍ତଳ ପଞ୍ଚତଳ ଅଟ୍ଟାଳିକାମାନ ମସ୍ତକୋତ୍ତୋଳନ କରି ଆଲୋକ ଏବଂ ବାୟୁକୁ ପ୍ରତିରୋଧ କରୁଅଛି । ଗଳିଗୁଡିକ ଏପରି ସଂକୀର୍ଣ୍ଣ ଯେ ତହିଁ ମଧ୍ୟରେ ଯାନବାହନାଦିର ସଞ୍ଚାର ଏକାବେଳକେ ଅସମ୍ଭବ । ସେଥିମଧ୍ୟରେ ଯାନବାହନାଦିର ସଞ୍ଚାର ଏକାବେଳକେ ଅସମ୍ଭବ । ସେଥିମଧ୍ୟରେ ଜନତାର ପ୍ରବାହ ପିପିଲିକାଶ୍ରେଣୀ ପରି ଅବିରାମ ଭାବରେ ପ୍ରଭାହିତ । ଗୋଟିଏ ମାତ୍ର ପ୍ରଶସ୍ତ ରାଜପଥ ଦୃଷ୍ଟିଗୋଚରର ହେଲା । ତାହା ବକ୍ରଭେବରେ ନଗରର ଅଭ୍ୟନ୍ତରରେ ପ୍ରସାରିତ ରହିଅଛି ।
ଅତି ପ୍ରାଚୀନକାଳରୁ ଆଜି ପର୍ଯ୍ୟନ୍ତ କାଶୀ ହିନ୍ଦୁମାନଙ୍କର ଜ୍ଞାନାଲୋଚନା ଓ ଧର୍ମାଲୋଚନାର ସର୍ବପ୍ରଧାନ କେନ୍ଦ୍ରସ୍ଥଳରୂପେ ସମାଦୃତ ହୋଇ ଆସୁଅଛି । ହିମାଦ୍ରିଠାରୁ କୁମାରୀ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ପ୍ରଦେଶରୁ ଶତ ଶତ ବ୍ରାହ୍ମଣ ସମାଗତ ହୋଇ ଏଠାରେ ବିବିଧ ବିଦ୍ୟା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ବାରାଣସୀର ପ୍ରସ୍ତରରଚିତ ନାନା ରହସ୍ୟମୟ ଯନ୍ତ୍ରରେ ପରିପୂର୍ଣ୍ଣ ପ୍ରାଚୀନ ମାନମନ୍ଦିର ପ୍ରାଚ୍ୟ ବିଜ୍ଞାନାନୁଶୀଳନର ମୂକସାକ୍ଷୀରୂପେ ଅଦ୍ୟାପି ବର୍ତ୍ତମାନ ।
ଏବେ ସୁଦ୍ଧା ବନାରସ ବା କାଶୀରେ ବିଦ୍ୟାଚଚ୍ଚାର ଏତେ ଆଦର ଯେ, କେହି କେହି କାଶୀକୁ ଭାରତର ଅକ୍ସଫୋର୍ଡ଼ ଏହି ଆଖ୍ୟା ପ୍ରଦାନ କରିଅଛନ୍ତି । ଶତ ଶତ ଦେଶୀୟ ପ୍ରାଚୀନ ପ୍ରଣାଳୀର ସଂସ୍କୃତ ପାଠଶାଳା ଛଡ଼ା ଏଠାରେ ଗୋଟିଏ ଗବର୍ଣ୍ଣମେଣ୍ଟ ପ୍ରତିଷ୍ଠିତ ବିଖ୍ୟାତ ସଂସ୍କୃତ କଲେଜ ବା ବିଶ୍ୱବିଦ୍ୟାଳୟ ଅଛି । ଏହି ବିଦ୍ୟାଳୟଟି ଅତି ସୁଦୃଶ୍ୟ । ଏହାର ଚୂଡ଼ା, ତୋରଣ, ସ୍ତମ୍ଭ, ଖିଲାଣ ପ୍ରଭୃତି ସମସ୍ତ ପ୍ରକୃଷ୍ଟ ଇଉରୋପୀୟ ପ୍ରଣାଳୀରେ ନିର୍ମିତ ହେଇଅଛି । ଏଠାରେ ସଂସ୍କୃତ ଦର୍ଶନ, ବିଜ୍ଞାନ, ଗଣିତ ଓ ସାହିତ୍ୟର ଅଧ୍ୟାପନା ଅତି ସୁଚାରୁରୂପେ ସମ୍ପାଦିତ ହେଉଅଛି । ସହସ୍ର ସହସ୍ର ଦେବମନ୍ଦିର ଏବଂ ଲକ୍ଷ ଲକ୍ଷ ଦେବମୂର୍ତ୍ତିରେ ବାରାଣସୀ ପରିପୂରିତ । ଏହା ହିନ୍ଦୁ ଦେବତାମାନଙ୍କର ମହାମିଳନକ୍ଷେତ୍ର ଅଟେ । ଏଠାରେ ଶିବ, ବିଷ୍ଣୁ, ଗଣେଶ, ଅନ୍ନପୂର୍ଣ୍ଣା, ପାର୍ବତୀ, ସୂର୍ଯ୍ୟ ପ୍ରଭୃତି ଦେବତାମାନଙ୍କର ଅନେକାନେକ ମନ୍ଦିର ଗଙ୍ଗାତୀରରେ ବିରାଜିତ; କିନ୍ତୁ ବିଶ୍ୱେଶ୍ୱର ବା ଶିବ ହିଁ ବାରାଣସୀର ଆଦ୍ୟା ଏବଂ ଅଧିଷ୍ଠାତ୍ରୀ ଦେବତା । ମନ୍ଦିର ଛଡ଼ା ଜ୍ଞାନବାପୀ, ମଣୀକର୍ଣ୍ଣିକା ପ୍ରଭୃତି ଅନେକଗୁଡ଼ିଏ ଜଳପୂର୍ଣ୍ଣ କୂପରେ ମଧ୍ୟ ଦେବତାମାନଙ୍କର ବାସ ନିର୍ଦ୍ଦିଷ୍ଟ ହୋଇଅଛି ।
ଏହି ପ୍ରାଚୀନ ତୀର୍ଥ ଆଦିମ କାଳରୁ ନାନା ଧର୍ମ ସମ୍ପ୍ରଦାୟର ନାନା ଧର୍ମମତ ଏବଂ ନାନା ଧର୍ମଶାସ୍ତ୍ରର ସଙ୍ଗମ କ୍ଷେତ୍ରରୂପେ ଏବଂ ଦାର୍ଶନିକ ମତବାଦିମାନଙ୍କର ସମନ୍ୱୟ ଭୂମି ରୂପେ ସମଗ୍ର ଆସିୟା ମହାଦେଶ ମଧ୍ୟରେ ଆପଣାର ସୁବିଶାଳ ପ୍ରଭାବ ବିସକ୍ତାର କରି ଆସୁଅଛି । ବୌଦ୍ଧଧର୍ମର ଆଦିସ୍ଥାନ ବୋଲି ଜାପାନ୍, ଚୀନ୍, ତିବ୍ଦତ, ପୂର୍ବୋପଦ୍ୱୀପ ଓ ସିଂହଳ ପ୍ରଭୃତି ଦୂର ଦେଶର ଅଧିବାସୀମାନେ ସୁଦ୍ଧା ଏହାକୁ ତୀର୍ଥ ବୋଲି ସମାଦାର କରନ୍ତି ।
ବ୍ରହ୍ମାଣ୍ଡ କି ପ୍ରକାଣ୍ଡ !
ସାର୍ଦ୍ଧ-ତ୍ରିହସ୍ତ ମାତ୍ର ପରିମିତ କ୍ଷୁଦ୍ର ଧରଣୀବାସୀ ମନୁଷ୍ୟ, ଶରୀର ସମ୍ବନ୍ଧରେ ଇତର ଜୀବମାନଙ୍କ ପରି କ୍ଷୁଦ୍ର ହେଲେହେଁ ମନଃ ସମ୍ବନ୍ଧରେ କ୍ଷୁନ୍ଧ୍ର ନୁହେଁ । ତାହାର ବୁଦ୍ଧି ଓ ବିବେକ କ୍ଷୁଦ୍ର ସଂସାରର ସୀମା ଲଙ୍ଘନ କରି ଅନନ୍ତ ଏବଂ ଅସୀମର ଅଭିମୁଖରେ ନିରନ୍ତର ଅଗ୍ରସର ହେବା ନିମିତ୍ତ ଉନ୍ମଖୁ ରହିଅଛି । ଅସୀମକୁ ଧାରଣୟତ୍ତ କରିବା ଆମ୍ଭମାନଙ୍କ ପକ୍ଷରେ ଅସମ୍ଭବ ହେଲେହେଁ ତାହାକୁ ହିଁ ଅନ୍ୱେଷଣ କରିବା ଏବଂ ତାହାରି ଆଲୋଚନା କରିବା ଆମ୍ଭମାନଙ୍କର ସ୍ୱଭାବସିଦ୍ଧ ଧର୍ମ ଅଟେ । ତେଣୁ ପୃଥିବୀପୃଷ୍ଠରେ ଆବିର୍ଭୂତ ହେଲାଦିନୁ ମନୁଷ୍ୟ ଉର୍ଦ୍ଧ୍ୱଶୋଭୀ ତାରକାଖଚିତ ଅସୀମ ନୀଳାକାଶ ପ୍ରତି ଶିଷ୍ୟୋଚିତ ଜିଜ୍ଞାସୁନୟନର ଅବହିତ ଦୃଷ୍ଟି ନିକ୍ଷେପ କରିଆସୁଅଛି ଏବଂ ତତ୍ତ୍ୱାମୃତ ଲଭିବାପାଇଁ ବ୍ରହ୍ମାଣ୍ଡ ରୂପ ଅଗାଧ ସମୁଦ୍ର ମନ୍ଥନରେ ଆପଣାକୁ ବ୍ୟାପୃତ କରୁଅଛି ।
ବ୍ରହ୍ମାଣ୍ଡ - ଏହି ଶବ୍ଦ ଉଚ୍ଚାରଣ କଲାକ୍ଷଣି କି ଅନିର୍ବଚନୀୟ ଗାମ୍ଭୀର୍ଯ୍ୟ ଏବଂ ମହିମାର ଭାବ ହୃଦୟକୁ ଅଧିକାର କରେ । ଅନନ୍ତ ମହାକାଶ ମଧ୍ୟରେ ଅନନ୍ତ ମହାକାଳବ୍ୟାପୀ ଯେଉଁ ଅସଂଖ୍ୟ ଜଗତ୍ଯନ୍ତ୍ର ପରମ୍ପରା ନିୟମ-ଚକ୍ରରେ ନିତ୍ୟ ଆବର୍ତ୍ତମାନ ହେଉଅଛି, ତାହାର ମହୀରୟସୀ ସମଷ୍ଟିକୁ ବ୍ରହ୍ମାଣ୍ଡ ବୋଲାଯାଏ । କୋଟି କୋଟି ଜଗତ୍ ମାଳମାଳ ହୋଇ ବ୍ରହ୍ମାଣ୍ଡର ଗର୍ଭ ମଧ୍ୟରେ ବିରାଜିତ ରହିଅଛି । ଜ୍ୟୋତିଷ୍କଜଗତ୍ର ସମ୍ରାଟରୂପେ ଅସୀମ ଅତଳ ସ୍ପର୍ଶ ବ୍ରହ୍ମାଣ୍ଡୋଦର ମଧ୍ୟରେ ବିଚରଣ କରୁଅଛନ୍ତି, ତାହା କିଏ ଗଣନା କରିପାରିବ ? ଆମ୍ଭେମାନେ ତମୋମୟୀ ରଜନୀରେ ଯେଉଁ ନଭୋମଣ୍ଡଳ ଦର୍ଶନ କରି ତାହାର ମହିମାର ବିଷୟ ଚିନ୍ତା କଲାମାତ୍ରକେ ବିସ୍ମୟରେ ସ୍ତବ୍ଧ ହୋଇଯାଉଁ, ତାହା ଅନନ୍ତ ମହାକାଶର ଅତି କ୍ଷୁଦ୍ର ଅଂଶ ମାତ୍ର । ପୁଣି ସେହି କ୍ଷୁଦ୍ର ଅଂଶରେ ଯେଉଁ ନକ୍ଷତ୍ରବୃନ୍ଦ ଦୃଷ୍ଟଗୋଚର ହୁଏ, ତାହାହିଁ ଅଗଣ୍ୟ ବୋଲି ଆମ୍ଭମାନଙ୍କ ନିକଟରେ ପ୍ରତୀୟମାନ ହୁଏ । ପରିଦୃଶ୍ୟମାନ ଆକାଶର ଯେଉଁ କ୍ଷୁଦ୍ରାଦପିକ୍ଷୁଦ୍ର ଅଂଶକୁ ଛାୟାପଥ ବୋଲାଯାଏ, କେବଳ ସେହି ଛାୟାପଥ ମଧ୍ୟରେ ଆଧୁନିକ ଜ୍ୟୋତିଷୀମାନେ ଦୂରବୀକ୍ଷଣ ସାହାଯ୍ୟରେ ଦୁଇଶତ ଲକ୍ଷ ନକ୍ଷତ୍ର ଆବିଷ୍କାର କରିଅଛନ୍ତି । ଏହି ନକ୍ଷତ୍ରମାନେ ପ୍ରତ୍ୟକେ ଗୋଟିଏ ଗୋଟିଏ ସୂର୍ଯ୍ୟ ଏବଂ ପ୍ରତ୍ୟେକେ ଆମ୍ଭମାନଙ୍କ ସୌରଜଗତ୍ ସଦୃଶ ଗୋଟିଏ ଗୋଟିଏ ସୁବିଶାଳ ଜ୍ୟୋତିଷ୍କଜଗତ୍ର କେନ୍ଦ୍ର । ପୁଣି ଆକାଶର ଦୂରତର ପ୍ରଦେଶରେ ଏମନ୍ତ କୋଟି କୋଟି ମହାସୂର୍ଯ୍ୟରୂପୀ ନକ୍ଷତ୍ର ଅଛନ୍ତି, ଯେଉଁମାନେ ଦୂରବୀକ୍ଷଣ ଯନ୍ତ୍ରର ସଂପୂର୍ଣ୍ଣ ଅନଧିଗମ୍ୟ ଏବଂ ଯାହାଙ୍କର ଜ୍ୟୋତି ଲକ୍ଷ କୋଶ ଲେଖାଏଁ ଭ୍ରମଣ କରି ସୁଦ୍ଧା ଅଦ୍ୟାପି ଅବନୀମଣ୍ଡଳରେ ଉପନୀତ ହୋଇପାରିନାହିଁ । ଆମ୍ଭମାନଙ୍କର କଳ୍ପନା ଏତେଦୁର ଆସି ଏକାନ୍ତ ପରାସ୍ତ ଓ ପ୍ରତିହତ ହେଲା ।
ଗୋଟିଏ କ୍ଷୁଦ୍ର ସମୁଦ୍ରର ଭୀଷଣ, ବିରାଟ, ବିକଟ ଓ ଉଦାର ଦୃଶ୍ୟ ଦେଖି କବି ଅପାର ବିସ୍ମୟ-ବିହ୍ୱଳ ହୋଇ କହୁଅଛନ୍ତି–
‘ଚିତ୍ତବୃତ୍ତି ଗଲା ନିଜ ପଥ ହୁଡି,
ସତ୍ତା ଗଲା ସେହି ମହାଭାବେ ବୁଡି ।
ଖର ସୌରକରେ ତାରକା ଯେସନ,
ଅସ୍ମିତା ବିସ୍ମୟେ ହେଲା ନିଗମନ ।’
କିନ୍ତୁ ସମୁଦ୍ର ଆମ୍ଭମାନଙ୍କ ଅଧିଷ୍ଠାନଭୂତା । ପୃଥିବୀର ତୁଳନାରେ କି ସାମାନ୍ୟ ! ପୁଣି ଏହି ପୃଥିବୀ ଯେଉଁ ଶତ ଗ୍ରହୋପଗ୍ରହ ଧୂମକେତୁମୟ ସୌରଜଗତ୍ର ଅନ୍ତର୍ଗତ ଏବଂ ଯାହା ଆୟତନରେ ପୃଥିବୀର ଚତୁର୍ଦ୍ଦଶ ଲକ୍ଷ ଗୁଣ ଅଟେ, ତାହା ସଙ୍କରେ ତୁଳନା କଲେ ପୃଥିବୀ କି ଅକିଞ୍ଚିତକର ! ଏହିପରି ବା ଏତଦପ୍ରକ୍ଷା ବୃହତ୍ତର କୋଟି କୋଟି ସୌରଜଗତ୍ ଯେଉଁ ଅସଂଖ୍ୟ ଜୀବଲୋକମୟ ବ୍ରହ୍ମାଣ୍ଡର ଅନ୍ତର୍ଗତ, ତାହା କିଏ ଧାରଣା କରିପାରେ ? ଏଥିରୁ ବ୍ରହ୍ମାଣ୍ଡ କି ଅନୁଭବନୀୟ ପ୍ରକାଣ୍ଡ ବ୍ୟାପାର, ତାହା ସହଜରେ ଉପଲବ୍ଧ ହେବ ।
ଧନ୍ୟ ଧନ୍ୟ ମହିମାର୍ଣ୍ଣବ ବ୍ରହ୍ମାଣ୍ଡପତି ! ଅନନ୍ତ ଅଶେଷ ଅପାର ତୁମ୍ଭର ମହିମା !
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ