ଶ୍ରୀରାଧିକା ସ୍ମରଣ ଚଉତିଶା
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୧୩ ମିନିଟ୍
- ଶବ୍ଦ
- ୨୦୯୦
- ସ୍ଥିତି
- ସାର୍ବଜନୀନ (Public domain)
କମଳନୟନ କଂସ କଟକରେ କରନ୍ତି ବିଚାରକି କରୁଥିବ ସେ କଳକଣ୍ଠ କଣ୍ଠୀ ରାଧିକା ମୋହୋର ।କଣ୍ଠର ଅମୂଲ୍ୟ ନକ୍ଷତ୍ରକଣ୍ଠୀ ମୋ ନୟନ ପ୍ରତିମାକି ବିଚାରୁଥିବ ସେହି ବଞ୍ଚୁଥିବ ଆହାରେ ମୋ ରାମା ।୧।ଖୋଜିଲେ ସକଳ ବ୍ରହ୍ମାଣ୍ଡେ ଯାହାକୁ ନ ପାଇ ସମାନଖଳ ଦଇବ ବଶରୁ ଛାଡ଼ି ତାକୁ କଲି ମୁଁ ଗମନ ।ଖଣ୍ଡ ଖଣ୍ଡ ହୋଇ ଫାଟିତ ନ ଯାଇ ହୃଦୟ ମୋହୋରଖଞ୍ଜନୀନେତ୍ରୀ ବିନୁ ଯାହା ରହିଛଇ ଧିକ ଏ ଶରୀର ।୨।ଗଜେନ୍ଦ୍ର ଗମନୀ ଗୋରୀ ସୁକୁମାରୀ ମୋ ପ୍ରାଣଈଶ୍ୱରୀଗାଉଥିବ ମୋର ଗୁଣ ନିରନ୍ତରେ ସୁମରି ସୁମରି ।ଗୁଣି କେତେବେଳେ ଅବଧିବଚନ ଛାଡ଼ିବ ନିଶ୍ୱାସଗୁଆଁର ଠାରୁ ଗୁଣବନ୍ତ ପରାୟେ ହେବନି ନିରାଶ ।୩।ଘନ ଘନ ହୋଇ ଘେନି ଉଠୁଥିବ ବିରହ ଅନଳଘେନିବାକୁ ମୋର ଅତିଶୟ ଘନ ସେନେହ ପ୍ରବଳ ।ଘର ବାହାର ସମାନ ମଣୁଥିବ ରମଣୀରତନଘେନୁଥିବ ନାହିଁ ସଜନୀମାନଙ୍କ ଶୀତଳ ବଚନ ।୪।ନବୀନ ବୟସୀ ପ୍ରାଣବାନ୍ଧବୀ ମୋ ପାଇଲା ବେଦନାନିର୍ଲଜ୍ଜ ଜୀବନ ନଯାଇ କିନା ତା କରୁଛୁ ଭାବନା ।ନାହିଁ ଯାହାକୁ ସପନେ ଦୁଃଖ ଭେଟ ତାହାକୁ ଏ ଦଶାନିଶ୍ଚେ ନାଶ ଯାଇ ନିଷ୍ଠୁର ନାହାକୁ କଲେ ହେଁ ଭରସା ।୫।
ଭାବାର୍ଥ- (୧-୫) ଧନୁଯାତ୍ରା ଉତ୍ସବ ଦେଖିବାକୁ କୃଷ୍ଣ ମଥୁରା ଯାଇଛନ୍ତି । ସେଠାରେ ରହି ଗୋପପୁର, ଗୋପାଙ୍ଗନା ଓ ରାଧାଙ୍କ କଥା ମନେ ପକାଉଛନ୍ତି । କଳକଣ୍ଠ କଣ୍ଠୀ ମୋର ରାଧିକା, କଣ୍ଠର ଅମୂଲ୍ୟ ନକ୍ଷତ୍ର କଣ୍ଠୀ, ମୋ ନୟନ ପ୍ରତିମା ଏବେ କ’ଣ କରୁଥିବ ? ସକଳ ବ୍ରହ୍ମାଣ୍ଡ ଖୋଜିଲେ ତା’ ସମାନ ରମଣୀଟିଏ ମିଳିବ ନାହିଁ । ଦୁଷ୍ଟ ଦଇବ ଯୋଗୁଁ ତାକୁ ଛାଡ଼ି ଚାଲି ଆସିଲି । ଖଣ୍ଡ ଖଣ୍ଡ ହୋଇ ମୋ ହୃଦୟ ଫାଟି ଯାଉନି କାହିଁକି ? ଖଞ୍ଜନ ନେତ୍ରୀ ବିନା ଏ ଶରୀର ଯାହା ରହିଛି, ତାକୁ ଧିକ୍ ।
ଗଜଗମନୀ, ସୁକୁମାରୀ, ମୋ ପ୍ରାଣେଶ୍ୱରୀ, ମୋତେ ଝୁରି ଝୁରି ମୋ ଗୁଣକୁ ନିରନ୍ତର ଗାନ କରୁଥିବ । ପୁଣି କେତେବେଳେ ଗୁଣକୁ ଗୁଣି ଦୀର୍ଘଶ୍ୱାସ ଛାଡ଼ୁଥିବ । ମୂର୍ଖଠାରୁ ଗୁଣବନ୍ତଙ୍କ ପରି ସେ ନିରାଶ ହେବ ନାହିଁ । ତାକୁ ବାରମ୍ବାର ବିରହାନଳ ଜର୍ଜରିତ କରୁଥିବ । ମୋର ସ୍ନେହ କଥା ମନେ ପକାଇ ବ୍ୟତିବ୍ୟସ୍ତ ହେଉଥିବ । ମୋ ରମଣୀରତନ ଘରଟାକୁ ବଣ ବୋଲି ଭାବୁଥିବ-। ସଖୀମାନଙ୍କ କୋମଳ କଥାକୁ ବିଷତୁଲ୍ୟ ମନେ କରୁଥିବ । ମୋ ପ୍ରାଣବାନ୍ଧବୀ କେତେ କଷ୍ଟ ପାଇଲା । ମୋର ଏ ନିର୍ଲ୍ଲଜ ଜୀବନ ଯାଉନାହିଁ କାହିଁକି, ମୁଁ ଯାହା ଭାବନା କରୁଛି ! ସ୍ୱପ୍ନରେ ସୁଦ୍ଧା ଯିଏ ଦୁଃଖ ଦେଖିନାହିଁ, ତାକୁ ପୁଣି ଏ ଦଶା ଭୋଗିବାକୁ ପଡ଼ିଲା ? ନିଷ୍ଠୁର ଲୋକକୁ ଭରସା କଲେ ନାଶ ଯିବାଟା ନିଶ୍ଚିତ ।
ଚନ୍ଦ୍ରକର ଚନ୍ଦମଣିକି ଆରଦ୍ର କରଇ ଯେମନ୍ତଚଣ୍ଡକର ଚଣ୍ଡମଣିକି ଆଉ ଯେ ନକରେ ତେମନ୍ତ ।ଚନ୍ଦନ ଶୀତଳ ଦ୍ରବ୍ୟ ଘେନି ଦିବ୍ୟ ତାପକୁ ହରଇଚୂରି କର୍ପୂର ଅନଳେ ଦେଲେ ସବୁ ପ୍ରକାରେ ସରଇ ।୬।ଛାର କଂସନୃପ ବୋଲେଇ ଛାଡ଼ି ମୁଁ ଧଇଲି ତାହାକୁଛୁରୀ ମାରି ହେଲି ଆପଣା ଇଚ୍ଛାୟେ କହିବି କାହାକୁ ।ଛାଇ ପ୍ରାୟେ ହୋଇ ନିରନ୍ତରେ ଲାଗିଥାଇ ମୋ ସଙ୍ଗରେଛାଡ଼ିତାକୁ ଛାର ଜୀବନ ରହିଣ ଅଛି ମୋ ଅଙ୍ଗରେ ।୭।ଯେତେ ପ୍ରକାରେ ସୁଖ ମୋତେ ଦେଇଛି ମୋ ପ୍ରାଣବନିତାଜପାମାଳି କରି ଥାପିଲେ କେ ତାହା କରିବ ଗଣିତା ।ଜିଇଁଥିବା ଯାୟେ ଯିବ କି ମନରୁ ତାହାର ସେନେହଯାବତ ପ୍ରକାରେ ଜମ୍ବୁନଦଗୋରୀ କିଣିଛି ଏ ଦେହ ।୮।ଝୁରୁ ଯେ ଥିବ କୁରରୀ ପକ୍ଷୀ ପ୍ରାୟେ ହରାଇ ବିବେକଝର ପ୍ରାୟେ ଝର ଝର ବହୁଥିବ ନୟନୁ ଲୋତକ ।ଝାମ ଯାଉଥିବ ଝସକେତୁ ଶରେ ଝଲକ ବଦନୀଝାଳ ଅଙ୍ଗେ ଝଳି ଯାଇଥିବ ଝୀନ ସୁରଙ୍ଗ ପତନୀ ।୯।ନ କରୁଥିବ କର୍ପୂର ଚନ୍ଦନାଦି ଲେପନ ବିଧାନନାନାରତ୍ନ ଆଭରଣ ହୋଉଥିବ ଦୂଷଣ ସମାନ ।ନେତ୍ରନୀରେ ଭାସିଯିବା ଡରେ ନିଦ୍ରା ଆସିବ କାହିଁକିନକଲା ବିଧାତା ଆଉ କେହ୍ନେ ଗତି ବିରହୀ ଦେହୀକି ।୧୦।
ଭାବାର୍ଥ- (୬-୧୦) ଚନ୍ଦ୍ରକିରଣ ଯେମିତି ଚନ୍ଦ୍ରମଣିକୁ ଆର୍ଦ୍ର କରିଥାଏ, ତୀକ୍ଷ୍ଣ ସୁର୍ଯ୍ୟକିରଣ ସୂର୍ଯ୍ୟମଣିକି ସେମିତି କରି ନ ଥାଏ । ଚନ୍ଦନ ଶୀତଳ ଦ୍ରବ୍ୟ ଯୋଗୁଁ ଦିବ୍ୟତାପକୁ ହରଣ କରିଥାଏ । ସେ ସବୁକୁ ଚୂର୍ଣ୍ଣ କରି ନିଆଁରେ ଦେଲେ ସବୁ ପ୍ରକାରେ ସରିଯାଇଥାଏ । ଛାର କଂସର ବୁଦ୍ଧିରେ ପଡ଼ି ତାକୁ ଛାଡ଼ି ଆସିଲି । ନିଜକୁ ନିଜେ ଛୁରୀ ମାରିଲି, କାହାକୁ କହିବି ? ମୋ ସଙ୍ଗରେ ସର୍ବଦା ଛାଇପରି ଲାଗୁଥିଲା । ତାକୁ ଛାଡ଼ି ଛାର ଜୀବନ ମୋ ଦେହରେ ରହିଛି । ଯେତେ ପ୍ରକାର ସୁଖ ମୋ ପ୍ରାଣସଖୀ ମୋତେ ଦେଉଛି, ତାକୁ ଜପାମାଳି କରି ଥାପିଲେ କିଏ ବା ଗଣିପାରିବ ? ତା’ର ସ୍ନେହ ଜିଇଁଥିବା ଯାଏଁ ମନରୁ ପାସୋର ହେବ ନାହିଁ । ଯାବତ ପ୍ରକାରେ ମୋ ପ୍ରାଣପ୍ରିୟା ଗୋରୀ ଏ ଦେହକୁ କିଣିଛି ।
ସେ ନିଜ ବିବେକକୁ ହରାଇ କୁରରୀ ପକ୍ଷୀ ପ୍ରାୟ ମୋତେ ଝୁରୁଥିବ । ତା’ ଚକ୍ଷୁରୁ ଝରଣାର ଜଳ ପରି ଲୁହ ଝରୁଥିବ । ମୋ ଝଲକ ବଦନୀ କନ୍ଦର୍ପ ଶରରେ ଆଘାତ ପାଇ ଝାମ ଯାଉଥିବ । ଝାଳରେ ତା’ ଦେହ ଝଳି ଯାଉଥିବ । ଅଙ୍ଗରେ କର୍ପୂର ଚନ୍ଦନ ଲେପନ ବିଧିଠାରୁ ଦୂରେଇ ରହୁଥିବ । ତା’ ପାଇଁ ବିଭିନ୍ନ ଅଳଙ୍କାର ଦୂଷଣ ମନେ ହେଉଥିବ । ଚକ୍ଷୁଜଳରେ ଭାସି ଯିବା ଡର ଯୋଗୁଁ ତାକୁ ନିଦ ଆସିବ କାହିଁକି ? ବିରହୀ ଦେହୀକୁ ବିଧାତା କାହିଁକି ଏତେ କଷ୍ଟ ଦେଲା ? ତା’ ପାଇଁ ଅନ୍ୟ ଗତି କାହିଁକି କଲା ନାହିଁ ?
ଟଳଟଳ ହୋଇ ଟଳି ପଡ଼ୁଥିବ ଅନଙ୍ଗ ଅବଶେଟେକ ଲାବଣ୍ୟ ଟାଣ ମାତ୍ର ଥିବ ତା ସେ କୁଚ-କଳସେ ।ଟେକି କେତେବେଳେ ସଖୀମାନେ ସ୍ନେହେ ପକାଇ ଅଙ୍କରେଟେକ ସ୍ୱର ହୋଇ ଡାକୁଥିବେ ଟଙ୍କଧରକୁ ଉଚ୍ଚରେ ।୧୧।ଠାକୁରାଣୀ ପଣ ଲକ୍ଷଣ ତାହାର ଅପାରୁ ଅପାରଠାଠିକ କରି ତାହାଠାରେ କଲି ମୁଁ ଠକଙ୍କ ବେଭାର ।ଠିଆହୋଇ ଯେ ଚାହୁଁଥାଇ ଗୋଧନ ବାହୁଡ଼ା ସମୟେଠାଠିକ ଆଷାଢ଼ ମେଘକୁ ତୃଷିତ ଚାତକ ପରାୟେ ।୧୨।ଡେରିଥାଇ ନେତ୍ର ଶ୍ରବଣ ମୋହୋର ମୂରଲୀ ଧୂନିକିଡର ଲାଗେ ମୋତେ ଏ କଥା ଶୁଣିଣ କହିବି କାହିଁକି ?ଡେରି ଶ୍ରବଣ ନେତ୍ର ଏବେ କାହାକୁ କରିବି ଭରସାଡକାତ ହେଲା ମୋ ଡାଳିମ୍ବଦନ୍ତୀକି ଥିଲା ସେ ୟେଦଶା ।୧୩।ଢାଳି କରେ ଗଣ୍ଡପାଳୀ ଭାଳୁଥିବ ମୋହୋର ପ୍ରସଙ୍ଗଢଳିଥିବ ତାର ସୁରଙ୍ଗ-କୁରଙ୍ଗ-ନୟନ-ତରଙ୍ଗ ।ଢାଳେ ମୋର ଦୟା ଉପ୍ରୋଧ ନାହିଁ ମୁଁ ଅତି ହିଁ ଦାରୁଣଢୋକିଲା ଅମୃତ ଢାଳିଦେଇ ଏବେ କରୁଛି କାରଣ ।୧୪।ଆହାରେ ଆଜନ୍ମ ସୁଖୀ । ଶଶୀମୁଖୀ । ଆହାରେ ସଜନୀଏହା ଅରଜିଲି ତୋ ବିନୁ ବଞ୍ଚିଲି ଏ ମଧୁ ରଜନୀ ।ଏମନ୍ତେ କରି ମୋ କର୍ମରେ ହିଁ ଲେଖିଥିଲା ସେ ଦଇବଅଧା ପ୍ରାଣ ଯାଇ ଅଧା ପ୍ରାଣ ଥାଇ ଦେହ ସହିବ ।୧୫।
ଭାବାର୍ଥ- (୧୧-୧୫) ମୋ ପ୍ରାଣପ୍ରିୟା ଶରୀର ଅବଶରେ ଟଳଟଳ ହୋଇ ଟଳିପଡ଼ୁଥିବ । ତା’ ବକ୍ଷୋଜ-କଳସରେ କିନ୍ତୁ ଲାବଣ୍ୟଟାଣ ବଜାୟ ରହିଥିବ । କେତେବେଳେ ସଖୀମାନେ ତାକୁ ଟେକି ସ୍ନେହରେ କୋଳରେ ପକାଉଥିବେ ଓ ଉଚ୍ଚ ସ୍ୱରରେ ମହାଦେବଙ୍କୁ ଡାକୁଥିବେ । ତା’ ରି ପାଖରେ ଠାକୁରାଣୀ ପଣ ଲକ୍ଷଣ ଅଧିକରୁ ଅଧିକ ରହିଛି, ତା’ରିଠାରେ ମୁଁ ଠକଙ୍କ ବେଭାର କରିଛି । ମୁଁ ଗୋଠରୁ ଗୋପଲ ବାହୁଡ଼ାଇ ଆଣିବା ବେଳେ ଦାଣ୍ଡରେ ଠିଆ ହୋଇ ସେ ମୋତେ ଆଷାଢ଼ ମେଘକୁ ତୃଷାତୁର ଚାତକ ଚାହିଁ ରହିଲା ଭଳି ଚାହିଁଥାଏ । ମୋ ମୁରଲୀ ଧ୍ୱନିକୁ ତା’ କାନ, ଆଖି ଡେରି ରହିଥାଏ । ଏବେ ତ ସିଏ ନାହିଁ, କାହାକୁ ଭରସା କରିବି ? ମୋ ଡାଳିମ୍ବଦନ୍ତୀକୁ ଏମିତି ଅବସ୍ଥା ଭୋଗିବାକୁ ଥିଲା ।
ମୋ ବିଷୟ ଦିନରାତି ସେ ଭାବୁଥିବ । ତା’ର କୁରଙ୍ଗ ନୟନ ଲହରୀ ଭାଙ୍ଗିଥିବ । ମୁଁ ଅତି ହୀନ ଯୋଗୁଁ ମୋ ପ୍ରତି ତା’ର ଦୟା କିମ୍ବା ଉପ୍ରୋଧ ନାହିଁ । ଢୋକିଲା ଅମୃତ ଢାଳି ଦେଇ ଏବେ ତା’ର କାରଣ କରୁଛି । ଆହାରେ ଆଜନ୍ମସୁଖି, ଚନ୍ଦ୍ରମୁଖି, ଆହାରେ ସଜନି, ଏହା ମୁଁ ଅର୍ଜିବାର ସାର ହେଲା ଯେ, ତୋ ବିନା ମୁଁ ଏ ମଧୁରଜନୀରେ ବଞ୍ଚିଲି । ସେ ବିଧାତା ଏମିତି ମୋ କର୍ମରେ ଲେଖିଥିଲା । ଅଧା ପ୍ରାଣଥାଇ ଅଧାପ୍ରାଣ ରହିଛି । ତାହା ଏ ଦେହ କିମିତି ସହିବ ?
ତାପ-ତଟିନୀ ତଟ ତରୁ ହୋଇଛି ହୃଦୟ ମୋହରତହିଁ ପୁଣି କାମ କରୁଅଛି ଶର ବରଷା ପ୍ରଖର ।ତାହା ଦୁଖେ ଦୁଃଖୀ ତାହା ସୁଖେ ସୁଖୀ ସିନା ଏ ଶରୀରତଥାପି ତରୁଣୀମଣି କଥାକୁ ମୋ ହେଉଛି ବିଚାର ।୧୬।ଥରୁ ଯେ ଥିବ ମଦନ ପଶଞ୍ଚରେ ଥବିର ହୃଦୟାଥରେ ଥରେ ବୋଲୁଥିବ ପ୍ରାଣବନ୍ଧୁ ଅତି ହିଁ ନିର୍ଦ୍ଦୟା ।ଥିବନି କି ତାର ସେ ଚନ୍ଦ୍ର ବଦନେ ସେ କାଳ ପ୍ରସନ୍ନଥିବାକାଳେ ତାହା ପାଶେ ଯାହା ଦେଖିଥିଲା ଏ ନୟନ ।୧୭।ଦୂର କରିଥିବ ଦରହାସକୁ ସେ ବନ୍ଧୁକ-ଅଧରଦଇବେ ବିଶ୍ୱାସ ରଖି ନଥିବ ତା ସୁରଙ୍ଗ ବେଭାର ।ଦିବ୍ୟକନକ କେତକୀ ଦେହ ଛାଡ଼ିଥିବ ତା ଝଳିକିଦୁର୍ବଳ ଭାବରୁ ବହୁନଥିବ ସେ ମୁକୁତା ମାଳିକି ।୧୮।ଧୀରେ ସଖୀମାନେ ଅନାଇଁ ଧରଣୀ ମଣ୍ଡନୀ ମୂର୍ତ୍ତିକିଧଇର୍ଯ୍ୟ ହରାଇ ଧିକ୍କାରୁ ଥିବେ ମୋ ପ୍ରମାଦ ପ୍ରୀତିକି ।ଧ୍ରୁବ ହୋଇ ଧ୍ରୁବ ଲୋକେ ଯଇଁ ପ୍ରୀତି କରିଛି ପ୍ରକଟଧାତା ହଟ ଦେଖ ତହିଁ ପୁଣି କଲା ଏମନ୍ତ କପଟ ।୧୯।ନ କରଇ ଜଳ କେତେବେଳେ କାହା କି ନୋହେ ଏଦେହନେତ୍ର ପଲକ ଯେ ନ ସହେ ସହିଲା ସେ ଏତେ ବିରହ ।ନୃପତି ସମ୍ପତ୍ତି କେତେବେଳେ କେତେବେଳେ ହେଁ ଦୀନତାନଥିବା ଥିବା ଥିବା ନଥିବା କରେ ଦଇବ ବିଧାତା ।୨୦।ପ୍ରାଣବାନ୍ଧବୀ ମୁଖ କାହିଁ ଚାହିଁବି, କାହିଁ ଏ ସନ୍ତାପପଡ଼ିଲା ଅମୃତ ଦୃଷ୍ଟିରେ ବରଷା ପାଷାଣ କଳାପ ।ପୀତ ବସନୀ ମତ୍ତପିକ ବଚନୀ ଚମ୍ପକ ବରନୀପୁଷ୍ପକାଳ ପ୍ରାୟେ ସୁଖଦ ପଲ୍ଲବ ଦଶନବସନୀ ।୨୧।ଫୁରୁଣାରେ ଫୁଲ କୁସୁମ ଦେଖି ଯେ ହୁଅଇ ଅଧିରଫୁଲୁଥାଇ ଫୁଲ କଦମ୍ବ ପରାୟେ କେତକୀ ଶରୀର ।ଫାଟିଯାଉଥିବ ହୃଦୟ ଏବେ ଯେ ଅନାଇଁ ଏ ମାନଫୁଲଶର ଶରେ ଫୁଟୁଥିବ ମୋର ଜୀବନର ଜୀବନ ।୨୨।
ଭାବାର୍ଥ-(୧୬-୨୨) ମୋର ହୃଦୟ ତାପ-ନଦୀ ତଟର ବୃକ୍ଷ ପରି ହୋଇଛି । ସେଥିରେ ପୁଣି କାମ ପ୍ରଖର ଭାବେ ଶର ବର୍ଷା କରୁଛି । ତା’ର ଦୁଃଖର ଦୁଃଖୀ, ସୁଖରେ ସୁଖୀ ସିନା ଏ ଶରୀର । ତଥାପି ସେ ରମଣୀ ମଣି ମେ । କଥାକୁ ବିଚାର କରୁଛି । କନ୍ଦର୍ପର ପଞ୍ଚଶରରେ ପ୍ରିୟାର ହୃଦୟ ଥରୁଥିବ, ଥରେ ଥରେ କହୁଥିବ- ପ୍ରାଣବନ୍ଧୁ ଅତି ନିର୍ଦ୍ଦୟ । ମୋ ପାଶରେ ଥିବାବେଳେ ସେଇ ପ୍ରସନ୍ନ ଭାବ ଦେଖିଥିଲି । ସେହି ପ୍ରସନ୍ନତା ପ୍ରିୟାର ଚନ୍ଦ୍ରବଦନରେ ନ ଥିବ କି-? ସେ ବନ୍ଧୁକ ଅଧରୀ ବିରହ ଦୁଃଖରେ ତା ମୁଖର ଦରହାସକୁ ଦୂର କରିଦେଇଥିବ । ଦଇବ ଯୋଗରେ ତା’ ସୁରଙ୍ଗ ବେଭାର ନିଶ୍ୱାସ ରଖି ନ ଥିବ । ତା’ର ଦିବ୍ୟକେତକୀ କନକ ଦେହ ତେଜକୁ ଛାଡ଼ି ଦେଇଥିବ । ଏତେ ଦୁର୍ବଳ ହୋଇଥିବ ଯେ, ମୁକୁତାମାଳି ମଧ୍ୟ ତାକୁ ଭାରୀ ଲାଗୁଥିବ-।
ସଖୀମାନେ ଧୀର ଭାବରେ ଧରଣୀ ମଣ୍ଡନୀକୁ ଚାହିଁ ମୋ ସହିତ ତା’ର ପ୍ରୀତିଭାବକୁ ଧୈର୍ଯ୍ୟ ହରାଇ ଧିକ୍କାର କରୁଥିବେ । ଧ୍ରୁବ ଲୋକରେ ବିଧାତା ଯେଉଁ ପ୍ରୀତିକୁ ପ୍ରକାଶ କରନ୍ତି, ସେଥିରେ ପୁଣି ଏତେ କପଟ ରହିଛି । ଯିଏ ନେତ୍ରର ପଲକ ସହିପାରେ ନାହିଁ, ସିଏ ପୁଣି ଏତେ ବିରହ ସହିଲା ? ରାଜ ସମ୍ପତ୍ତି କେତେବେଳେ ତ କେତେବେଳେ ଦରିଦ୍ରତା, ନଥିବା ଥିବା ଥିବା ନ ଥିବା ହାତରେ ଦଇବ ଧନ ଦେଇଥାଏ । ଏହା ସଂସାରର ନିୟମ ।
ପ୍ରାଣବାନ୍ଧବୀ ମୁଖ କାହିଁକି ଚାହିଁବି, କାହିଁକି ଏ ଦୁଃଖ ? ଅମୃତ ଦୃଷ୍ଟିରେ ବର୍ଷାପାତ ହେଲା । ପୀତବସନୀ, ମତ୍ତପିକ ବଚନୀ ଚମ୍ପକ ବରନୀ ପୁଷ୍ପକାଳ ପରି ସଦାସର୍ବଦା ସେ ପଲ୍ଲବ ଦଶନବସନୀ ହୋଇଥାଏ । ଆନନ୍ଦରେ ଫୁଲ ଦେଖି ଯିଏ ଅଧିର ହୋଇଥାଏ, ଯାହାର କେତକୀ ଶରୀର କଦମ୍ବଫୁଲ ପରି ଫୁଲୁଥାଏ, ଏ ସବୁକୁ ଦେଖି ଏବେ ତା’ର ହୃଦୟ ଫାଟିଯାଉଥିବ । ମୋ ପ୍ରାଣ ପ୍ରିୟାର ଜୀବନ ଫୁଲଶରରେ ଫୁଟୁଥିବ ।
ବଡ଼କରି ଲୋକେ ଗ୍ରୀଷମେ ଘେନନ୍ତି କର୍ପୂର ଚନ୍ଦନବିଧୁ ବଦନା ଅଙ୍ଗ ସଙ୍ଗୁ ଲୋଡ଼ା ମୋ ନଥାଇ ସେମାନ ।ବଞ୍ଚାଇବ କଉଁ ପ୍ରକାରେ ବିରଞ୍ଚି ଅଇଲେ ସେ କାଳବିରହ ଅଗ୍ନିରେ ଘୃତ ସମ ଦେଲେ ଜଳଇ ପ୍ରବଳ ।୨୩।ଭାବିଲା ସବୁ ଭରସା ଏକା ଭୂରୁଶୋଭନୀ ବିହୁନେଭୂପତି ନଥିଲେ ସମ୍ପତ୍ତି ଯେମନ୍ତ ସୁଖକୁ ନ ଘେନେ ।ଭାବଗ୍ରାହୀ ଭରସାରେ ଭାବେ ମତେ ଭଜିଲା କମଳାଭାସିଲା ଅଗାଧ ଜଳଧିରେ ଭେଳା ଲଗାଅ ଅବଳା ।୨୪।ମୋତେ ମେଘ କରି ବିଜୁଳି ହୋଇ ଯେ ଝଟକେ କୋଳରେମରାଳ-ଗମନୀ କିରୂପେ ବଞ୍ଚିବ ଏ ଘନକାଳରେ ।ମୟୂର ଡାକରେ ମେଘ ଦମକରେ ପଡ଼ିବ ଚମକମଲିତ ନାହିଁ ମୋ ପ୍ରାଣ ବନ୍ଧୁ କେତେ ସହିବ ଆତଙ୍କ ।୨୫।ଜୀବ ଥିବ ନିକି ଶରଦଶଶୀର ହେମନ୍ତ ସରିକିଯାବତ ପ୍ରକାରେ ଦୁଃଖ ଦେଲା ବିହି କନଗୋରୀକି ।ଜାଣିଲି ସଂସାରେ ନାହିଁ ନାହିଁ ଧାତା ସମାନେ ଦାରୁଣଯାହାକୁ ଦେଖିଲେ ପଶୁ ବଶ ହୋଏ ତାକୁ ଏ କଷଣ ।୨୬।ରତିପତିକି କି ବୋଲିବା ଗତି ଯେ ନ କଲେ ବିଚ୍ଛେଦେରଖିଛି ସେ ଏବେ ଜୀବନେ ତାହାକୁ ସେନେହ ପ୍ରମାଦେ ।ରସବତୀ ରସେ ରସିକ ହୋଇ ମୁଁ ରହିଲି ନିଶ୍ଚିନ୍ତେରହିଲେ ଯେମନ୍ତେ ଜଳରେ ଉତ୍ପଳ ହୃଦୟ ନ ତିନ୍ତେ ।୨୭।ଲୋକେ ତାହାକୁ ଯେ ଲେଖନ୍ତି ଆଗରେ ଉତ୍ତମ ବିଚାରଲୋଡ଼ା ଏହି କଥା ଲାଗିଛି ବାରତା ପଛରେ ମୋହୋର ।ଲକ୍ଷେ ପ୍ରକାରେ ଅପରାଧ କଲେ ସେ ନୋହଇ ବିମନାଲଳିତଲପନୀ କ୍ଷମା-ଜଳନିଧି ଦୟାରେ ସୁମନା ।୨୮।
ଭାବାର୍ଥ- (୨୩-୨୮) ବଡ଼ବଡ଼ିଆ ଲୋକମାନେ ଗ୍ରୀଷ୍ମ ସମୟରେ ତାପରୁ ରକ୍ଷା ପାଇବା ପାଇଁ ଦେହରେ କର୍ପୂରଚନ୍ଦନ ବୋଳି ହୁଅନ୍ତି । ଚନ୍ଦ୍ରବଦନୀ ମୋ ସଙ୍ଗ ପାଇଲେ ସେ ସବୁକୁ ଚାହିଁବ ନାହିଁ । ସେ କାଳ ଆସିଲେ ବିଧାତା ତାକୁ କିମିତି ବଞ୍ଚାଇବ ? ବିରହ-ଅଗ୍ନିରେ ଘିଅ ଢାଳିଲେ ପ୍ରବଳ ଜଳେ । ସେମିତି ଏକେ ତ ଗ୍ରୀଷ୍ମୠତୁ, ସେଥିରେ ପୁଣି ବିରହ-ଅଗ୍ନି । ଭୀଷଣ କଷ୍ଟ ହେବ । ରାଜା ନଥିଲେ ସମ୍ପତ୍ତି ଯେମିତି ସୁଖ କାମରେ ଲାଗେ ନାହିଁ, ସେମିତି ବାଳା ବିନା ସବୁ ଭରସା ମୂଲ୍ୟହୀନ । ଭାବଗ୍ରାହୀ ଭରସାରେ ଭାବରେ ଲକ୍ଷ୍ମୀ ମୋତେ ଆଦରିନେଲା । ଅଗାଧ ସମୁଦ୍ରରେ ଭାସିଗଲା । ମୁଁ ତା’ରା ଭେଳା ହେଲି । ମୋତେ ମେଘ କରି ମୋ ଦେହରେ ସେ ବିଜୁଳି ହୋଇ ଝଟକିଲା । ଏ ବର୍ଷାକାଳରେ ସେ ହଂସଗମନୀ କିପରି ବଞ୍ଚିବ ? ମୟୂରର ଡାକ, ମେଘର ଗର୍ଜନରେ ସେ ଚମକି ପଡ଼ିବ । ସେ ଦୁଃଖକୁ ମୋ ପ୍ରାଣବନ୍ଧୁ କିମିତି ସହିବ ?
ହେମନ୍ତ ୠତୁ ଆସିଲାବେଳେକୁ ସେ ଶରଦ ଶଶୀମୁଖୀର ଜୀବନ ଥିବ କି ନାହିଁ କେଜାଣି ? ନିଷ୍ଠୁର ବିଧାତା ମୋ କନକଗୋରୀକୁ ସମସ୍ତ ପ୍ରକାର ଦୁଃଖ ଦେଲା । ଏଇଥିରୁ ମୁଁ ଜାଣିଲି, ସଂସାରରେ ବିଧାତା ସମାନ ନିଷ୍ଠୁର କେହି ନାହାନ୍ତି । ଯାହାକୁ ଦେଖିଲେ ପଶୁର ବି ହୃଦୟ ତରଳିଯାଏ, ତାକୁ ଏ ଦଣ୍ଡ ? ଆମର ବିଚ୍ଛେଦ ଯନ୍ତ୍ରଣା । ସେଥିପାଇଁ କନ୍ଦର୍ପକୁ ଦୋଷ ଦେଇ ଲାଭ କ’ଣ ? ସେ ଏବେ ବାଳାକୁ ସ୍ନେହପ୍ରମାଦ ଦେଇ ଜୀବନରେ ରଖିଛି । ଜଳ ମଧ୍ୟରେ ପଦ୍ମର ଭିତର ଅଂଶ (ହୃଦୟ) ରହିଲେ ମଧ୍ୟ ଯେମିତି ତାହା ତିନ୍ତେ ନାହିଁ, ସେମିତି ରସବତୀର ରସରେ ରସିକ ହୋଇ ମୁଁ ନିଶ୍ଚିନ୍ତ ରହିଲି । ଆମ ଦୁହିଁଙ୍କ ମଧ୍ୟରୁ ଲୋକେ ତାକୁ ବେଶି ଭଲ ପାଆନ୍ତି । ତେଣୁ ତା’ ନାଁଟାକୁ ଆଗରେ ଲେଖନ୍ତି ଓ ପଛରେ ମୋ ନାଁ ଯୋଡ଼ନ୍ତି । ଏହା ଉତ୍ତମ ବିଚାର । ମୁଁ ଲକ୍ଷେ ପ୍ରକାର ଅପରାଧ କଲେ ମଧ୍ୟ ସେ କେବେ ହେଲେ ବିମନା ହୁଏ ନାହିଁ । ସେ କ୍ଷମାର ବାରିଧି, ଉତ୍ତମମନା ।
ବଳା କୋମଳା ସୁଶୀଳା ଯେ ଲେଶେ ହେଁ ନ ଛାଡ଼େ ଲୀଳାକୁବଡ଼ ଆଭରଣ କରିଥିବ ଏବେ ଲୋତକମାଳାକୁ ।ବାହୁଡ଼ି ଆଉ ଦେଖିବି ନିକି ବିଧୁବଦନୀ ବଦନବିଧାତା ଏହା ସତେ କରିବ ଯିଏ ମଦନ କଦନ ।୨୯।ସବୁ ସହଇ ହରଇ ଏ ଦେହ ବସୁମତୀ ପରାୟେ ପ୍ରମାଣଶଶୀମୁଖୀକି ଦୁଃଖ ସୁଖ ଦେବାକୁ ମୁଁ ଆଗ କାରଣ ।ଶୀର୍ଣ୍ଣ ହୋଇବ ପୂର୍ଣ୍ଣମୀ ଚନ୍ଦ୍ରକଳା ପରାଏ ଏଣିକିଶିବ ଶିବ ଶିବ ରଖ ରଖ ରଖ ମୋ ପ୍ରାଣ ମଣିକି ।୩୦।ସକଳ ଚନ୍ଦ୍ରମା ହେଲେ ତୁମ୍ଭଶିର ମଣ୍ଡନ ଯେମନ୍ତସକଳ ରୂପେ ସକଳ ଚନ୍ଦ୍ରମୁଖୀ ମୋହୋର ତେମନ୍ତ ।ଶେଷ ନୋହେ ମନୋଭାବ ନବଦଶା ଭିତରେ ଥିଲେ ହେଁଶଙ୍ଖଚକ୍ରପାଣି ରଖିବେ ମୋ ଗୁଣମଣିକି ଭଲେ ହେଁ ।୩୧।ସୁମରି ଏହି ପ୍ରକାରେ ସୁନ୍ଦରୀକି ପକାଇ ନିଶ୍ୱାସସଜଳ ନୟନା ହୋଇ ହେଲେ ସେହି କଥାରେ ପ୍ରବେଶ ।ସୁମରି ସୁମରି ସୁପୁରୁଷେ ଯଦି ହୁଅଇ ଦୀନତାସୁମନସ ଶର ସରସ୍ୱତୀ ଧିକ ଧିକ ସେ ବିଧାତା ।୩୨।ହୃଦୟେ ଏହା ବିଚାରି ଉଦ୍ଧବକୁ କହିଲେ ସନ୍ଦେଶହଂସଗମନୀ ଗୋପୀଙ୍କି ତୁମ୍ଭେ ଯାଇ କରାଅ ସନ୍ତୋଷ ।ହୋଇଛନ୍ତି ସେ ମୋ ସଙ୍ଗ ବିହୁନେ ସାରସ ସଦୃଶହରଷ କରାଇ ତାଙ୍କୁ ତୁମ୍ଭେ ଯାଇ ହୋଇବ ଦିବସ ।୩୩।କ୍ଷମାସାଗର ଆଜ୍ଞା ଘେନି ଉଦ୍ଧବ ଗୋକୁଳେ ପ୍ରବେଶକ୍ଷମାକର ମୁଖୀ କ୍ଷିତିମଣ୍ଡନୀକି କହିଲେ ସନ୍ଦେଶ ।କ୍ଷୋଭ ଛାଡ଼ି ଗୋପୀ ନ ଛାଡ଼ିଲେ କେତେ ବେଳେହେଁ ଆଶକୁକ୍ଷେମେ ଦୀନକୃଷ୍ଣ ବୋଲେ ବଚନ କି ଦରିଦ୍ର ନାଶକୁ ।୩୪।
ଭାବାର୍ଥ- (୨୯-୩୪) ସେ ଅବଳା, କୋମଳା, ସୁଶୀଳା ହେଲେ ହେଁ ପ୍ରେମ ଲୀଳାକୁ କ୍ଷଣେ ମଧ୍ୟ ଛାଡ଼େ ନାହିଁ । ହସିଖୁସିରେ ସମୟ କାଟୁଥିଲା । ଏବେ ଲୁହକୁ ଆଭରଣ ବା ନିଜର କରିଥିବ । ସତରେ କ’ଣ ମୁଁ ଗୋପପୁରକୁ ବାହୁଡ଼ି ତା’ ଚନ୍ଦ୍ରବଦନକୁ ଦେଖିବି ? ବିଧାତା କ’ଣ ସତରେ ଏହା କରିବ । ମଦନର କଷଣ ଦୂର ହେବ ? ମାଟି ପରି ଏ ଦେହ ସବୁ ସହିଛି । ଚନ୍ଦ୍ରବଦନୀକୁ ସୁଖ ଦୁଃଖ ଦେବାରେ ମୁଁ ମୁଖ୍ୟ କାରଣ । ଏଣିକି ତା ପୂର୍ଣ୍ଣମୀ ପରାୟ ଦେହ ଶୀର୍ଣ୍ଣ ହୋଇଯିବ । ହେ ଭଗବାନ ଶିବ, ମୋ ପ୍ରାଣମଣିକୁ ରକ୍ଷା କର । ତୁମ ମସ୍ତକ ଦେହରେ ଚନ୍ଦ୍ରମା ଯେପରି ଶୋଭିତା, ସେମିତି ଚନ୍ଦ୍ରମୁଖୀ ସକଳ ରୂପରେ ମୋ ପାଇଁ ଶୋଭିତା । ସେ ଯେତେ କଷ୍ଟରେ ଥିଲେ ହେଁ ପ୍ରଭୁ ଭଗବାନ ତା’ ଦୁଃଖ ଦୂର କରିବେ । ମୁଁ ଏହି କଥା ଭାବି ତାକୁ ସୁମରଣା କରୁଛି । ଯଦି ଏହିଭଳି ସୁମରଣା କରି କରି ପୁରୁଷର ଦୀନତା ଭାବ ଆସିଯିବ । ଧିକ୍ ସେ ବିଧାତା-।
ହୃଦୟରେ ଏହା ବିଚାର କରି କୃଷ୍ଣ ଉଦ୍ଧବଙ୍କୁ କହିଲେ- ହେ ଉଦ୍ଧବ, ତୁମ୍ଭେ ଗୋପପୁରକୁ ଯାଇ, ହଂସଗାମିନୀ ଗୋପୀଙ୍କୁ ସନ୍ତୋଷ କରାଅ । ମୋ ବିନା ସେମାନେ ସାରସପକ୍ଷୀ ସଦୃଶ ହୋଇ ପଡ଼ିଛନ୍ତି । ତୁମ୍ଭେ ସେମାନଙ୍କୁ ସବୁ କଥା କହି ସନ୍ତୋଷ କରାଅ । କ୍ଷମାସାଗର ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଉଦ୍ଧବ ଗୋପପୁରକୁ ଚଳିଗଲେ ଓ ରାଧାଙ୍କୁ ସମସ୍ତ ସନ୍ଦେଶ ଜଣାଇଲେ । ଏହା ଶୁଣି ରାଧା ଖୁସି ହୋଇ ମନ ଭିତରେ ଥିବା ଆଶାକୁ ଉଜ୍ଜୀବିତ କଲେ ।
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ