ଶ୍ରୀ ଶୁକ ଉବାଚ (୫) — ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଏକତ୍ରିଂଶ ଅଧ୍ୟାୟକପିଳ ଉବାଚଶୁଣ ଜନନୀ ତଦନ୍ତରେ ।ପୁଣ୍ୟ ପାତକ ସୁବିଚାରେ ॥
ସେ ବେନି ପୁଣ୍ୟ ପାତକରେ ।ମନୁଷ୍ୟ ଅଙ୍ଗ ପ୍ରାଣୀ ଧରେ ॥
ମନୁଷ୍ୟ ଦେହ ଯେଣେ ସ୍ଥିତି ।ତେଣେ ସେ ରାଜୁସୀଙ୍କ ଗତି ॥
ଏହା କହିବା ଏ ଅଧ୍ୟାରେ ।ସୁଜନ ଶୁଣ ହେତୁ ଦ୍ୱାରେ ॥
କହନ୍ତି ପ୍ରଭୁ ଭଗବାନ ।ଭୋ ମାତ ହୁଅ ସାବଧାନ ॥
ଏ ଜୀବ ଯେ କର୍ମ ଇଚ୍ଛଇ ।ଈଶ୍ୱର ତହିଁ ନ ଯୋଗାଇ ॥
ଏ ଜୀବ ଯେ କର୍ମ ବଶରେ ।ପୁରୁଷ ରେତ ଆଶ୍ରେ କରେ ॥
ପୁଣି ଏ ଦେହ ଧରିବାକୁ ।ପ୍ରବେଶ ଜନନୀ ଗର୍ଭକୁ ॥
ସେ ଶୁକ୍ର ପ୍ରଥମ ଦିନରେ ।ମିଶଇ ଶୋଣିତ ସଙ୍ଗରେ ॥
ଏହାକୁ ବୋଲିଟି କଲ୍ଲୋଳ ।ପଞ୍ଚମେ ହୁଅଇ ବର୍ତ୍ତୁଳ ॥
ବଦରୀ ସମ ସେ କଠିନ ।ହୁଅଇ ଦଶ ଦିବସେଣ ॥
ଅପରେ ହୁଏ ମାରତଣ୍ଡ ।ତଦନ୍ତେ ପ୍ରକାଶଇ ଅଣ୍ଡ ॥
ମସ୍ତକ ପ୍ରଥମ ମାସରେ ।ପ୍ରକାଶ ହୁଏ ତା କନ୍ଧରେ ॥
ସମ୍ପୂର୍ଣ୍ଣ ବେନି ମାସ ଯାଏ ।କର ଚରଣ ଆଦି ହୁଏ ॥
ଅଙ୍ଗୁଳି ନଖ ତନୁ ଲୋମ ।ଅସ୍ଥି ହୃଦୟ ନାଡ଼ୀମାନ ॥
ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି ।ତୃତୀୟ ମାସେ ଏ ପ୍ରସିଦ୍ଧି ॥
ଚତୁର୍ଥେ ସପ୍ତଧାତୁ ହୁଏ ।ପଞ୍ଚମେ କ୍ଷୁଧା ତୃଷା ପାଏ ॥
ତଦନ୍ତେ ଅଷ୍ଟ ପରିମିତ ।କ୍ଷୁଧା ପିପାସାରେ ପୀଡ଼ିତ ॥
ଗର୍ଭେ ବେଷ୍ଟନେ ବଦ୍ଧ ହୋଇ ।ଦକ୍ଷିଣ କକ୍ଷରେ ଭ୍ରମଇ ॥
ଜନନୀ ଯେ ଦ୍ରବ୍ୟ ଭକ୍ଷଇ ।ସେ ରସେ ତା ଧାତୁ ବଢ଼ଇ ॥
ମୂତ୍ର ପୁରୀଷ କୃମି ନାଳେ ।ରକ୍ତ ପୀଡ଼ିତ ସନ୍ନିକୁଳେ ॥
ଯହିଁ ଯନ୍ତ୍ରିତ ଶୋଇ ଥାଇ ।କୃମି ସଂଙ୍କୁଳ ମଧ୍ୟେ ରହି ॥
ଅତି କୋମଳ କଳେବର ।କୃମି ଭକ୍ଷଣେ ନୁହେଁ ସ୍ଥିର ॥
ଅଙ୍ଗ କାଟନ୍ତି କୃମି ମାନ ।ପ୍ରଜ୍ୱଳେ ଦେହ ପ୍ରତି କ୍ଷଣ ॥
କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ ।ବହୁତ କ୍ଳେଶ ତହିଁ ପାଇ ॥
ଭକ୍ଷଣେ ତ୍ରିକଟୂକ କ୍ଷାର ।ତିକତ ଆମ୍ୱିକ ମଧୁର ॥
ଜନନୀ ଯାହା ତା ଭକ୍ଷଇ ।ସେ ରସେ ତା ଅଙ୍ଗ ବଢ଼ଇ ॥
କୁଟିଳ ଭାବ ଶିରେ ଧରେ ।ପୃଷ୍ଠ କୁଟିଳ କଳେବରେ ॥
ମାତ କୁକ୍ଷିରେ ଦେଇ ଶିର ।ପଡ଼ି ସେ ଧାଏଁ ଲୋଟେ ଶିର ॥
ଶରୀର ଚାଲି ନ ପାରଇ ।ପିଞ୍ଜରୀ ପକ୍ଷୀ ପ୍ରାୟ ହୋଇ ॥
ସେ ଗର୍ଭେ ପୂର୍ବ କର୍ମ ବଶେ ।ବହୁତ ଜନ୍ମ ତାକୁ ଦିଶେ ॥
ଶତେ ଜନ୍ମରୁ କର୍ମ ଯେତେ ।ସୁମରୁ ଥାଇ ଗର୍ଭଗତେ ॥
ସେ ପାପ ପୁଣ୍ୟ ଗର୍ଭେ ଥାଇ ।ବହୁତ ନିଃଶ୍ୱାସ ଛାଡ଼ଇ ॥
ତା ଫେଡ଼ି ନ ପାରଇ କେହି ।କର୍ମ ଆୟତ୍ତେ ବଶ ହୋଇ ॥
ସୁମରି ପୂର୍ବ ଜନ୍ମ ଦୁଃଖ ।ସୁଖ ନ ଲଭି ସେ ବିମୁଖ ॥
ସପତ ମାସ ଆଦି କରି ।ତା ଦେହେ ଜ୍ଞାନ ଥାଇ ପୁରି ॥
ତଦନ୍ତେ ଶୁଣ ଗୋ ଜନନୀ ।ଭାଳଇ ଦିବସ ରଜନୀ ॥
ଭୟେ କମ୍ପଇ କଳେବର ।କେମନ୍ତେ ଏଥୁ ମୋ ନିସ୍ତାର ॥
ଏଥୁ ନିର୍ଗତ ମୋ କେମନ୍ତେ ।ଆତଙ୍କେ ଚିନ୍ତଇ ନିରତେ ॥
ଏମନ୍ତେ ଭାବୁଁ ଭାଗ୍ୟେ ତାର ।ପ୍ରସୂତାନିଳ ବଳିୟାର ॥
ଦେହକୁ ଅସ୍ଥିର କରଇ ।କୃମିର ପ୍ରାୟେ ସେ ଭ୍ରମଇ ॥
ସେ ରୂପେ ଗର୍ଭ ତା ଭ୍ରମଣ ।ଦୁଃସହ ସେ ଦୁଃଖ କଷଣ ॥
ଅତି ବିମୁଖେ କଷ୍ଟ ସହି ।ସେ ଗର୍ଭେ ଆତ୍ମାକୁ ଦେଖଇ ॥
ସେ ରୂପେ ଅତି ମନୋହର ।ଧ୍ୟାନେ ନ ଜାଣଇ ଶରୀର ॥
ନିରତେ ଭାବୁ ଏକଚିତ୍ତେ ।ଭକ୍ତ ହୃଦୟ ପ୍ରମୋହିତେ ॥
ସପ୍ତ ଧାତୁରେ ବଦ୍ଧ ହୋଇ ।ଅଞ୍ଜଳି କରିଣ ପ୍ରାର୍ଥଇ ॥
ଜୀବ ଉବାଚବୋଲଇ ଶୋକେ ଭୟଚିତ୍ତେ ।ଭୋ ନାଥ ମୁଁ ଯେ ଗର୍ଭଗତେ ॥
କଷ୍ଟ ମୁଁ ପାଉଅଛି ଯେତେ ।ଏଥୁ ଉଦ୍ଧର ପ୍ରଭୁ ମୋତେ ॥
ଏ ଦୁଃଖ ପୁନଶ୍ଚ ନୋହିବ ।ଏମନ୍ତ ଆଜ୍ଞା ମୋତେ ହେବ ॥
ଏ ରୂପେ ବ୍ୟାକୁଳେ କଷଣେ ।ସ୍ତୁତି କରଇ ଅନୁକ୍ଷଣେ ॥
ଗର୍ଭକୁ ଆଣିଲା ଯେ ମୋତେ ।ତା ପାଦ ସେବଇ ନିରତେ ॥
ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ ।ଇଚ୍ଛାରେ ଶରୀର ଧରଇ ॥
ଯେ କଲା ଏତାଦୃଶ ଗତି ।ମୁଁ ପାପୀ ଦୁଷ୍ଟ ଯେ ଦୁର୍ମତି ॥
ଏ ଦେହ ମିଥ୍ୟାରେ ଆଚ୍ଛନ୍ନ ।ଇନ୍ଦ୍ରିୟ ଆଦି କରି ଜାଣ ॥
ମୋହର ପ୍ରଭୁଙ୍କ ମହିମା ।ମୋର ଶରୀର ଅନୁପମା ॥
ଯେ ପ୍ରଭୁ ସର୍ବଜ୍ଞ ଅଟନ୍ତି ।ପ୍ରକୃତି ପୁରୁଷ ନିନ୍ଦନ୍ତି ॥
ତାହାଙ୍କୁ ବନ୍ଦୁଅଛି ମୁହିଁ ।ମୋତେ ରଖିବେ ଭାବଗ୍ରାହୀ ॥
ଏହି ସଂସାରେ ଯେତେ କର୍ମ ।ସେ ଅଟେ ବନ୍ଧନ ଆଶ୍ରମ ॥
ଯାହା ମାୟାରେ ଏ ଶରୀର ।ଭ୍ରମଇ ସ୍ମୃତି ଅଗୋଚର ॥
ତାହାଙ୍କ ଅନୁକମ୍ପା ବିନା ।କରି ନ ପାରେ ଉପାସନା ॥
ସେ ପ୍ରଭୁ ପରମ ଈଶ୍ୱର ।ତ୍ରିକାଳ ଜ୍ଞାନ ଦେଲେ ଆର ॥
ଅଧ୍ୟାତ୍ମ୍ୟ ଆଦି ତାପମାନ ।ବିନାଶେ ତାହାଙ୍କ ଭଜନ ॥
ସେ ପ୍ରଭୁ ମାତାର ଉଦରେ ।ବୁଡ଼ି ରହିଛି ବିସ୍ମତିରେ ॥
ଏ କଷ୍ଟୁ ଉଦ୍ଧରିବା ପାଇଁ ।ମାସ ଗଣୁଛି ଏଥେ ରହି ॥
ଦଶ ମାସରେ ଦେହୀ ଯେବେ ।ଏ ଜ୍ଞାନ ପାଇଲା ସ୍ୱଭାବେ ॥
ସେ ଉପକାର ସାଧିବାରେ ।ପ୍ରାର୍ଥନା କେବଳ ସଂସାରେ ॥
ବିବେକ ଜ୍ଞାନ ଯେହୁ ଦେଲା ।ଦେହେ ମୋ ଶମ ଦମ ହେଲା ॥
ଅନ୍ତର ବାହାରେ ଦେଖିବି ।ସେ ପରଂପୁରୁଷ ଜାଣିବି ॥
ଦୁଃଖ ଅଭାବ ଗର୍ଭେ ଥାଇ ।ଜନ୍ମଗ୍ରହଣ ନ ଇଚ୍ଛଇ ॥
ଜନ୍ମ ହୋଇଲା ପ୍ରାଣୀମନ ।ମାୟାରେ ହୁଅନ୍ତି ଆଚ୍ଛନ୍ନ ॥
ମୁଁ ଏହି ଗର୍ଭ ମଧ୍ୟେ ଥିବି ।ଆତ୍ମାକୁ ଆତ୍ମାରେ ତାରିବି ॥
ଆଉ ଯେପରି ଗର୍ଭବାସ ।କଷଣ ନୋହିବ ଅବଶ୍ୟ ॥
ଏହା ଶୁଣିବ ଭଗବାନ ।କହନ୍ତି କୋମଳ ବଚନ ॥
ଶ୍ରୀଭଗବାନୁବାଚଦଶ ମାସରେ ଜୀବ ଯାହା ।ମାତୃ ଗର୍ଭରେ ଭାବେ ଏହା ॥
ପ୍ରସବ ହେବାର କାରଣ ।ବାୟୁ ଅଟଇ ଏହା ଜାଣ ॥
ବାୟୁ ଯୋଗରେ ଜୀବ ଜାଣ ।ନିମ୍ନ ହୁଅନ୍ତି ଜୀବଗଣ ॥
ରକ୍ତାକ୍ତ ଦେହରେ ଜନମ ।ଯହୁଁ ହୁଅନ୍ତି ଜୀବଗଣ ॥
ପୂର୍ବ ଜ୍ଞାନକୁ ଛାଡ଼ିଦିଏ ।ଅଜ୍ଞାନେ ସେହୁ କାନ୍ଦୁଥାଏ ॥
ଅଙ୍ଗ ଚାଳନେ କ୍ଷମ ନୋହେ ।ଯେ ଯାହା ଦେଲେ ତା ନନିଏ ॥
କୃମିଏ ଯେପରି କୃମିକୁ ।ମଶକେ ଦଂଶନ୍ତି ଏହାକୁ ॥
ଗର୍ଭରେ ଈଶ୍ୱର ଡ଼ାକଇ ।ସଂସାରେ ସମର୍ଥ ନୁହଇ ॥
ଶରୀର ଦୁଃଖ ଏ ପ୍ରକାରେ ।ପାଞ୍ଚ ବର୍ଷ ଯେ ଭୋଗ କରେ ॥
ବଢ଼ିବା ଦୁଃଖ ଅନୁଭବ ।ପୌଗଣ୍ଡ କାଳେ ହୋଏ ଭୋଗ ॥
ଯୌବନ କାଳେ ଅର୍ଥ ଲବ୍ଧ ।ନୋହିଲେ ହୁଅନ୍ତି ସେ କ୍ରୋଧ ॥
ପରେ ତାହାର ଅଭିମାନ ।ବଢ଼ଇ କ୍ରୋଧ ଆଦି ଜାଣ ॥
ଅଜ୍ଞାନ ହେତୁ ଜୀବ ଜାଣ ।ମୁହିଁ ମୋହର କରେ ଜ୍ଞାନ ॥
ଯେ କର୍ମ କଲେ ପୁଣି ଜନ୍ମ ।ସଂସାରେ ହୁଅଇ ଜାଣିମ ॥
ସେ କର୍ମ ଅନୁରକ୍ତ ହୁଏ ।ଭଲ ମନ୍ଦର ଜ୍ଞାନ ନୁହେଁ ॥
ଏପରି ଈଶ୍ୱର କହିଲେ ।ନିଜ ମାତାକୁ ବୁଝାଇଲେ ॥
ସେ ପ୍ରଭୁ ଏ କଷ୍ଟୁଁ ରଖିବେ ।ତା ବିନୁ ଆଶ୍ରେ ନାହିଁ ଏବେ ॥
ତାହାଙ୍କ ଶ୍ରୀପଦ୍ମ ଚରଣେ ।ଶରଣ ଗଲି ମୁଁ କଷଣେ ॥
କହଇ ଜଗନ୍ନାଥ ଦାସ ।ସାଧୁଙ୍କ ହିତେ ଏ ପ୍ରକାଶ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୁତି ଜ୍ଞାନ କଥନେ ନାମଏକତ୍ରିଂଶୋଽଧ୍ୟାୟଃ ।
ଦ୍ୱାତ୍ରିଂଶ ଅଧ୍ୟାୟମୈତ୍ରେୟ ଉବାଚବିଦୂର ଶୁଣି ତୋଷ ମନ ।କପିଳ ରୂପେ ଭଗବାନ ॥
କହନ୍ତି ମାତା ମୁଖ ଚାହିଁ ।ଶୁଣ ଜନନୀ ମନ ଦେଇ ॥
ଶ୍ରୀଭଗବାନୁବାଚଭୋ ମାତ ହୁଅ ସାବଧାନ ।ସଂଶୟ ତେଜି ଶୁଦ୍ଧ ମନ ॥
ପାପୀଙ୍କ ଯାତନାଦି ଯେତେ ।କହିଲି ତୁମ୍ଭର ଅଗ୍ରତେ ॥
ଏ ଧର୍ମ ସତ୍ୟରୁ ଉଦୟେ ।ବିଶୁଦ୍ଧ ଚିତ୍ତ ତହୁଁ ହୁଏ ॥
ଏମନ୍ତେ ଯେବା ପ୍ରାଣୀ ଗଣେ ।ତାହାଙ୍କ ଗମିବା ପ୍ରୟାଣେ ॥
ସେମାନେ ସୂର୍ଯ୍ୟଦ୍ୱାରେ ଯାନ୍ତି ।ପରମ-ପୁରୁଷ ଲଭନ୍ତି ॥
ପର ଅପର ଇଚ୍ଛେ ସେହି ।ପ୍ରକୃତି ରୂପେ ସେଟି ହୋଇ ॥
ସେ ବିଶ୍ୱମୁଖ ନାରାୟଣ ।ସେ କରେ ସର୍ଜନ ପାଳନ ॥
ଏମନ୍ତ ଯେବା ଭଗବାନ ।ତାଙ୍କୁ ଲଭନ୍ତି ଭକ୍ତଜନ ॥
ଏ ନବ ପ୍ରକାରେ ଭକତି ।ବେଦ ବିଧାନେ ଆଚରନ୍ତି ॥
ନ କରି ବେଦମାର୍ଗେ ଦୂର ।ଏ ମାର୍ଗ ସମ୍ମତ ମୋହର ॥
ଯେ ପ୍ରାଣୀ ତାହା ପ୍ରତ୍ୟଜନ୍ତି ।ମୋର ଭଜନେ ନ ତରନ୍ତି ॥
ଯେବେ ବିଶ୍ରାମ ମୋର ବାଣୀ ।ତାହା ଲଘଂନ୍ତି ଯେ ବା ପ୍ରାଣୀ ॥
ମୋ ଆଜ୍ଞା ଦ୍ରୋହୀ ଯେ ହୁଅନ୍ତି ।ମୋ ବାକ୍ୟ ଏଡ଼ି ନାଶଯାନ୍ତି ॥
ଯେ ଭକ୍ତ ବୈଷ୍ଣବ ମୋହର ।ନୁହନ୍ତି ସତ୍ୟ ବାକ୍ୟ ମୋର ॥
ଯେ ଇଚ୍ଛେ ମୂକତି ଭାବକୁ ।ସେ ଭଜେ ହିରଣ୍ୟଗର୍ଭକୁ ॥
ସେ ମୁକ୍ତି କର୍ମ ଶୁଣ ମାଏ ।କହିବା ତୁମ୍ଭଙ୍କୁ ଥୋକାଏ ॥
ବ୍ରହ୍ମା ବେନି ପରାର୍ଦ୍ଧ ଅନ୍ତେ ।ପ୍ରଳୟେ ନାଶନ୍ତି ସମସ୍ତେ ॥
ତାବତ କାଳ ବ୍ରହ୍ମଲୋକେ ।ହିରଣ୍ୟ ଗର୍ଭର ସାଧକେ ॥
ସୁଖେଣ ବିହାର କରନ୍ତି ।ବ୍ରହ୍ମା ସଙ୍ଗତେ ଲୟ ପାନ୍ତି ॥
ସେ ଆଦି ପଞ୍ଚ ମହାଭୂତ ।ଏ ଦଶ ଇନ୍ଦ୍ରିୟ ସହିତ ॥
ପଞ୍ଚ ବିଷୟ ଅହଙ୍କାର ।ଏ ସର୍ବେ ବ୍ରହ୍ମାଣ୍ଡ ଆକାର ॥
ଏମାନେ ରହନ୍ତି ପ୍ରଧାନେ ।ପରାର୍ଦ୍ଧ କାଳ ଅବସାନେ ॥
ଯେ ସ୍ଥାନେ ଯେତେଯୋଗୀ ଥାନ୍ତି ।ବ୍ରହ୍ମାଙ୍କ ଶରୀରେ ପଶନ୍ତି ॥
ଯେଣୁ ତାହାର ଅପମାନ ।ଦେହରେ ଥାଇ ଅବସାନ ॥
ଏଣୁ ସାକ୍ଷାତେ ମୁକ୍ତି ନୁହେଁ ।ବ୍ରହ୍ମା ସଙ୍ଗତେ ହୋନ୍ତି ଲୟେ ॥
ଯେମାନେ ହରିଙ୍କ ଭକତ ।ହରି ଭାବନ୍ତି ଅବିରତ ॥
ସେମାନେ ହରିଙ୍କୁ ଭଜନ୍ତି ।ଦେହାଦି ଭାବ ନ ଜାଣନ୍ତି ॥
ଅଛି କି ନାହିଁ ନିଜ ଦେହୀ ।ନିଜ ଆସ୍ଥାନ ତାଙ୍କ ନାହିଁ ॥
ସମେ ଦେଖନ୍ତି ସର୍ବେ ଜୀବ ।ମିତ୍ର ବଇରୀ ଏକ ଭାବ ॥
ଏଣୁ ଗୋ ତୁମ୍ଭେ ହରି ଭଜ ।ଭୋଗ ବାସନା ସବୁ ତ୍ୟଜ ॥
ଏ ସର୍ବ ଭୂତଙ୍କ ହୃଦରେ ।ହରି ଅଛନ୍ତି ସର୍ବଠାରେ ॥
ଯାହାଙ୍କ ମହିମା ଶୁଣିଲ ।ମନକୁ ଯୋଗେ ଦୃଢ଼ କଲ ॥
ତାହାଙ୍କୁ ଭଜିଲେ ତରିବ ।ଦେହ ପୁନଶ୍ଚ ନୋହିବ ॥
ଯେ ଅର୍ଦ୍ଧ ସ୍ଥିର ଚରଙ୍କର ।ଯାହାକୁ ବୋଲି ସୁରେଶ୍ୱର ॥
କୁମାର ଆଦି ସିଦ୍ଧ ଯେତେ ।ଯୋଗ କରନ୍ତି ଅବିରତେ ॥
ନିଃସଙ୍ଗ କର୍ମ ହିଁ କରନ୍ତି ।ତଥାପି ଭେଦ ନ ଛାଡ଼ନ୍ତି ॥
କରନ୍ତି ବାର୍ତ୍ତା ଅଭିମାନ ।ଏଣୁ ନ ପାନ୍ତି ଶୁଦ୍ଧ ଜ୍ଞାନ ॥
ବୋଇଲେ ସୃଷ୍ଟି ରକ୍ଷାକର ।ପୁଣି ଘେନନ୍ତି ଅବତାର ॥
ସେମାନେ ପ୍ରଳୟ କାଳରେ ।ପଶନ୍ତି ଈଶ୍ୱର ଦେହରେ ॥
ଇନ୍ଦ୍ରିକି ନ ଜିଣିଲେ ଯେଣୁ ।କାମରେ କର୍ମ କଲେ ତେଣୁ ॥
ରଜୋ ଗୁଣରେ ତାଙ୍କ ମନ ।କଳ୍ପି ଯେ ଥାଇ ଅନୁକ୍ଷଣ ॥
ଗୃହ କର୍ମରେ ହୋଇ ରତ ।ପିତୃଙ୍କୁ ପୂଜି ଅବିରତ ॥
ବିମୁଖ ଶ୍ରୀକୃଷ୍ଣ କଥାରେ ।ରହନ୍ତି ଗୃହାଦି ବ୍ୟାପାରେ ॥
ତାହାଙ୍କୁ ବିଧାତା ନାଶିଲା ।ବିଅର୍ଥେ ତାଙ୍କ ଜନ୍ମ ଗଲା ॥
ସକଳ ଅନର୍ଥ ଯେତେକ ।ଏ ଜନ୍ମ କଲେ ଅବିବେକ ॥
ଛାଡ଼ି ଅମୃତ କୃଷ୍ଣ କଥା ।ନିତ୍ୟେ ଶୁଣନ୍ତି ଗ୍ରାମ ଗାଥା ॥
ଯେସନେ ଭକ୍ତହୀନ ଜନେ ।ବିଷ୍ଣୁ ଭଜନ୍ତି ହିତଜ୍ଞାନେ ॥
ସେ ପୁଣି କର୍ମଭୋଗ ଅନ୍ତେ ।ଗମନ୍ତି ପାପ ପୁଣ୍ୟ ପଥେ ॥
ସୂର୍ଯ୍ୟଙ୍କ ଦକ୍ଷିଣ ଭାଗରେ ।ବସନ୍ତି ସେ ପିତୃ ଲୋକରେ ॥
କେ ଭୋଗ ଅନ୍ତେ ଗୋ ଜନନୀ ।ସଂସାରେ ପଡ଼େ ଦେହ ଘେନି ॥
ପୁତ୍ରାଦି ଗୃହେ ଜାତ ହୋଇ ।ପୂର୍ବ ବାସନା ନ ଛାଡ଼ଇ ॥
ଗର୍ଭ-ଆଧାନ ଆଦି କର୍ମ ।ଦେହାନ୍ତେ ଶମଶାନ ଧର୍ମ ॥
ଏ କର୍ମମାନ କରୁଛନ୍ତି ।ସଂସାର ଛାଡ଼ି ନ ପାରନ୍ତି ॥
ପୁଣି ଯେ ଯାନ୍ତି ନିଜ ସ୍ଥାନ ।ତହିଁ କରନ୍ତି ଭୋଗମାନ ॥
ପୁଣି ଲଭନ୍ତି ନର ଦେହ ।ଯେମନ୍ତ କାମ୍ୟ କର୍ମ ସ୍ନେହ ॥
ଏଣୁ ସୃଷ୍ଟିରେ ତୁମେ ମାୟେ ।ମନ ନିବେଶ କୃଷ୍ଣ ପାୟେ ॥
ଶ୍ରବଣେ ତାଙ୍କ ଗୁଣ ଶୁଣ ।କୀର୍ତ୍ତନ କର ତା ଭାବିଣ ॥
ସ୍ମରଣ ଅର୍ଚ୍ଚନ ବନ୍ଦନ ।ଯେ ନବ ଭକ୍ତିର ବିଧାନ ॥
ପାଦ ସେବନ ଦାସ୍ୟ ଭାବ ।ସଂଖ୍ୟାଦି ଆତ୍ମାର ନିର୍ବେଦ ॥
ଏତେ ପ୍ରକାରେ କୃଷ୍ଣ ପାଦେ ।ଯେ ଭକ୍ତି କରେ ଅପ୍ରମାଦେ ॥
ତକ୍ଷଣେ ଲଭେ ବଇରାଗ୍ୟ ।ଛାଡ଼େ ବିଷୟ ଇନ୍ଦ୍ରିଭୋଗ ॥
ତେଣେ ସେ ଲଭେ ଦିବ୍ୟଜ୍ଞାନ ।ପାଇ ପରମ ବ୍ରହ୍ମସ୍ଥାନ ॥
ଭକ୍ତିରେ ଚିତ୍ତ ତାର ବଳେ ।ରହଇ କୃଷ୍ଣେ ସୁନିଶ୍ଚଳେ ॥
ତେବେ ସେ ବିଷୟ ଛାଡ଼ଇ ।ସେ ପ୍ରିୟାପ୍ରିୟ ନ ଜାଣଇ ॥
ଏମନ୍ତ ଭାବ ଜନ୍ମେ ଯେବେ ।ଦେହୀ ଆତ୍ମାକୁ ଦେଖେତେବେ ॥
ପରମାନନ୍ଦ ସୁଖ ପାଇ ।ଆନନ୍ଦେ ସଂସାରେ ଭ୍ରମଇ ॥
ଛାଡ଼ଇ ସର୍ବ ସଙ୍ଗମାନ ।ପରମାନନ୍ଦେ ରହେ ମନ ॥
ସେ ବ୍ରହ୍ମ ପରମ ସମାନ ।ରୂପ ବିହୀନେ ଦିବ୍ୟଜ୍ଞାନ ॥
ସେ ଏକ ନାନା ରୂପ ଧରେ ।ଭ୍ରମି ଜନ୍ମଇ ଏ ସଂସାରେ ॥
ଯୋଗୀଙ୍କ ଯୋଗ ସିଦ୍ଧ ଏହି ।ଏକାନ୍ତେ ସଙ୍ଗ ସେ ଛାଡ଼ଇ ॥
ପରମପଦ ଲଭେ ତେବେ ।ସେ ବିନା ଭ୍ରମୁଥାଇ ଭବେ ॥
ବ୍ରହ୍ମ ନିର୍ଗୁଣ ନିର୍ବିକାର ।କେବଳ ଜ୍ଞାନ ରୂପ ତାର ॥
ସର୍ବାଧି ଜ୍ଞାନ ଯେତେ ମାଏ ।ସେହିଟି ବ୍ରହ୍ମରେ ଦେଖାଏ ॥
ପ୍ରତ୍ୟକ୍ଷେ ଦେଖୁଛି ଯେ କିଛି ।ଏକ ସେ ସବୁ ହୋଇଅଛି ॥
କହିବା ସେ ହେତୁ ପ୍ରକାରେ ।ଯେ ରୂପେ ବ୍ରହ୍ମାଣ୍ଡ ସଞ୍ଚରେ ॥
ପ୍ରଥମେ ମହତ ହୋଇଲା ।ତାହାକୁ ଅହଙ୍କାର କଲା ॥
ତ୍ରିବିଧ ହୁଏ ଅହଙ୍କାର ।ଏ ପଞ୍ଚଭୂତ ରୂପ ତାର ॥
ମନ ଇନ୍ଦ୍ରିୟ ଏକାଦଶ ।ଏଥିରୁ ବ୍ରହ୍ମାଣ୍ଡ ପ୍ରକାଶ ॥
ସେ ବିଶ୍ୱରୂପେ ତହିଁ ସେହି ।ସ୍ୱରୂପ ଅଟେ ତାର ଏହି ॥
ଯେବେ ସେ କରେ ଯୋଗାଭ୍ୟାସ ।ଶ୍ରଦ୍ଧାରେ ଭଜଇ ପ୍ରକାଶ ॥
ବୈରାଗ୍ୟ ସଙ୍ଗ ତ୍ୟାଗ କରେ ।ମନ ନିବେଶି କୃଷ୍ଣଠାରେ ॥
ତେବେ ଏ ପ୍ରପଞ୍ଚ ଦେଖଇ ।ପରମ ଆତ୍ମାକୁ ଚିହ୍ନଇ ॥
ଭୋ ମାତ ସାବଧାନେ ଘେନ ।ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ॥
ଏ ଜ୍ଞାନେ ବ୍ରହ୍ମ ଦରଶନ ।ଏ ଭାବ ବୁଝେ ଯେବା ଜନ ॥
ସେ ପ୍ରାଣୀ ଦେଖ ଅତି ସତ୍ୟ ।ପ୍ରକୃତି ପୁରୁଷର ତତ୍ତ୍ୱ ॥
ଜ୍ଞାନ ଯୋଗରେ ତାକୁ ପାଇ ।ଭକ୍ତି ଯୋଗରେ ଲଭେ ସେହି ॥
କେବଳ ମାର୍ଗ ମାତ୍ର ଭେଦ ।ନ ବୁଝି କରନ୍ତି ବିବାଦ ॥
ଜ୍ଞାନରେ ନିର୍ଗୁଣ ଭଜଇ ।ଭକ୍ତିରେ ସଗୁଣ ଲଭଇ ॥
ସେ ଆତ୍ମା ଏକ ନାନାମୟେ ।ଦୃଷ୍ଟାନ୍ତ ଯହିଁ ଶୁଣ ମାୟେ ॥
ଦେଖ ଶର୍କରା କ୍ଷୀର ଆଦି ।ଧରନ୍ତେ ନାନା ଗୁଣବିଧି ॥
କିନ୍ତୁ ପଦାର୍ଥ ଏକ ମାଏ ।ଇନ୍ଦ୍ରିୟ ଭେଦ ତିନି ନୁହେଁ ॥
ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ ।ରସନା ମଧୁରେ ପ୍ରତୋଷେ ॥
କର୍ଣ୍ଣରେ ମଧୁର ଶବଦ ।ନାସାରେ ସୁବାସ ଆନନ୍ଦ ॥
ତ୍ୱକରେ ଶୀତ ଉଷ୍ଣ ଦୁଇ ।ଏ ରୂପେ ଏକ ନାନା ହୋଇ ॥
ଭୋ ମାତ ଆତ୍ମା ବ୍ରହ୍ମ ଏକ ।ଗୁଣରେ ନିନ୍ଦଇ ଅନେକ ॥
ତାକୁ ଯେ ଯେରୂପେ ଭଜଇ ।ସେ ତାକୁ ସେ ରୂପେ ଦିଶଇ ॥
ତାକୁ ଜାଣିବ ଏକ ବୋଲି ।ନ ବୁଝି କରୁଥାନ୍ତି କଳି ॥
ଶାସ୍ତ୍ର ମାର୍ଗରେ ଏକ ହୁଏ ।ସେ ପୁଣି ଏକୁ ନାନା ହୁଏ ॥
ଶୁଣ ଜନନୀ ଶାସ୍ତ୍ର ଭେଦ ।ଯେବେ ଛାଡ଼ିବ ସବୁ ଖେଦ ॥
ପ୍ରିୟା ଯେ ପୁତ୍ର ଆଦିକରି ।ଯେ ଏହା କରନ୍ତି ଆଦରି ॥
ତହୁଁ ସେ ହୁଏ ଭୋଗବାନ ।ସେ ସବୁ ଦ୍ୟନ୍ତି ଭଗବାନ ॥
ଯଜ୍ଞାଦି କର୍ମେ ପ୍ରାପ୍ୟ ସେହି ।ଦାନ ବ୍ରତରେ ଆନ ନାହିଁ ॥
କେହି କରନ୍ତି ତପମାନ ।ସେ ସର୍ବଠାରେ ଭଗବାନ ॥
ସେହିଟି ବେଦ-ଅଧ୍ୟୟନେ ।ମୀମାଂସା ଶାସ୍ତ୍ର ତାହା ଭଣେ ॥
ନିଷେଧ କର୍ମ ତ୍ୟାଗ ଯେହି ।ସେ ଧର୍ମ ଜାଣିବେଟି ସେହି ॥
ସନ୍ନ୍ୟାସ ତାହାଙ୍କର ଧର୍ମ ।କେହି ଛାଡ଼ଇ କାମ୍ୟ କର୍ମ ॥
ବିବିଧ ଅଂଶେ ଯୋଗ୍ୟ ଯେହି ।ଭକ୍ତି ଯୋଗରେ ପ୍ରାପ୍ୟ ସେହି ॥
ଜ୍ଞାନ ଯୋଗହିଁ ତାକୁ କହି ।ସେ ଏକ ବସ୍ତୁ ସର୍ବମୟୀ ॥
ସକାମ ନିଷ୍କାମ ଯେ ଧର୍ମ ।ସେ ଗୁଣ ରୂପ ସବୁ ଭ୍ରମ ॥
ଆତ୍ମା ଗୁଣରେ ବୋଧ ସେହି ।ବୈରାଗ୍ୟ ଧର୍ମ ତାକୁ କହି ॥
ଏମନ୍ତ ନାନା ଶାସ୍ତ୍ର ମତେ ।ଯେ ପ୍ରାଣୀ ଭଜଇ ଯେମନ୍ତେ ॥
ସଗୁଣ ନିର୍ଗୁଣଟି ସେହି ।ତା ବିନୁ ଅନ୍ୟ ନାହିଁ କେହି ॥
ଏ ଭକ୍ତି ଯୋଗ ଚାରି ମତ ।ସ୍ୱରୂପେ କରିଲି ବ୍ୟକତ ॥
ସେ କାଳ ଯନ୍ତ୍ରରେ ଧାବଇ ।ସୁଜ୍ଞାନ ଆଦି ଯେ କରଇ ॥
କହିଲୁ ସ୍ୱରୂପ ତାହାର ।ଭୋ ମାତ କର ହେ ବିଚାର ॥
ଗତି ଏମାନ ଜୀବଙ୍କର ।ଅବିଦ୍ୟା କର୍ମରେ ପ୍ରଚାର ॥
ଏ ଆତ୍ମା ଯହିଁ ପଶିଥାଇ ।ଆପଣା ଗତି ନ ବୁଝଇ ॥
ଏମନ୍ତେ ନାନା ଜୀବ ଗତି ।କହିଲୁ ମାତ ଫେଡ଼ି ପ୍ରୀତି ॥
ଏ ଯୋଗ ନ କରି ପ୍ରକାଶ ।କହିଲେ ଧର୍ମ ହୁଏ ନାଶ ॥
କଦା କର୍ଣ୍ଣରେ ନ କହିବ ।ବିନୟ ଯେ ପ୍ରାଣୀ ନୋହିବ ॥
ନ କହି ଦୁର୍ମତି ଅଗ୍ରତେ ।ଅପର ଦୁରାତ୍ମାଦି ଯେତେ ॥
କାମୁକ ପ୍ରଲୋଭୀ ଦୁର୍ମତି ।ଯେ ଗୃହ ଧର୍ମେ ଦୃଢ଼ମତି ॥
ଏମନ୍ତ ଲୋକେ ନ କହିବ ।ସର୍ବତ୍ରେ ଭାବ ଯେ ହୋଇବ ॥
ନ କହି ଅଭକତ ମାନେ ।ନ କହି ଯେହୁ ଭକ୍ତିହୀନେ ॥
ଯାହାର ଶ୍ରଦ୍ଧା ଏଥେ ଥିବ ।ତାହାକୁ ଏ ମାର୍ଗ କହିବ ॥
ଭକତ ଜନେ ଏହା କହି ।ଯେ ଭକ୍ତଜନଟି ସେବଇ ॥
ଯେ ପ୍ରାଣୀ ଏତେ ଶ୍ରଦ୍ଧା କରେ ।ଏ ଧର୍ମ କହିବା ତାହାରେ ॥
ଯେ ପ୍ରାଣୀ ସର୍ବ ଭାବେ ମିତ୍ର ।ତାହାକୁ କହି ଏ ଚରିତ ॥
ଯେ ପ୍ରାଣୀ ଗୁରୁଙ୍କୁ ସେବଇ ।ଏ ଦୀକ୍ଷା ଭାବେ ଶିକ୍ଷା ଦେଇ ॥
ବିଷୟେ ବୈରାଗ୍ୟ ଯାହାର ।ଯେ ପ୍ରାଣୀ ଶାନ୍ତ ଚିତ୍ତ ଧୀର ॥
ଯେବେ ସେ ହୁଏ ନିର୍ମତ୍ସର ।ଶୁଚି ପବିତ୍ର ନିରନ୍ତର ॥
ପ୍ରିୟାକୁ ପ୍ରିୟ ଅତି ପ୍ରିୟ ।କରଇ ମୋରଠାରେ ସ୍ନେହ ॥
ଏମନ୍ତ ପ୍ରାଣୀଙ୍କି କହିବ ।ଅଧର୍ମୀ ଠାରେ ଲୁଚାଇବ ॥
ଶ୍ରଦ୍ଧାରେ ଏହା ଯେ ଶୁଣଇ ।ଅଥବା ଆଦରେ ଗାବଇ ॥
ମୋହର ପଦବୀ ନ ପାଏ ।ମୁଁ ସତ୍ୟ କହିଲି ଗୋ ମାଏ ॥
ତୃତୀୟ ସ୍କନ୍ଧେ ଭାଗବତ ।କପିଳ ମୁନି ନିଜ ଖ୍ୟାତ ॥
ଶ୍ରବଣ କର ସାଧୁଜନେ ।ବ୍ରାହ୍ମଣ ଜଗନ୍ନାଥ ଭଣେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କାପିଳ ଦେବହୂତି ବୋଧନେନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ।
ତ୍ରୟୋତ୍ରିଂଶ ଅଧ୍ୟାୟମୈତ୍ରେୟ ଉବାଚକହନ୍ତି ମୈତ୍ରେୟ ବ୍ରାହ୍ମଣ ।ବିଦୁର ସାବଧାନେ ଶୁଣ ॥
କର୍ଦ୍ଦମ ପତ୍ନୀ ଦେବହୂତି ।ସ୍ୱଭାବେ ମନୁର ଦୁହିତି ॥
କପିଳ ବଚନ ଶୁଣିଲେ ।ମୋହ ପଟଳ ଦୂର କଲେ ॥
ଦେବହୁତିରୁବାଚତତ୍ତ୍ୱ ବିଷୟ ସାଂଖ୍ୟ ଜ୍ଞାନ ।କହିଲେ ଯେଣୁ ଭଗବାନ ॥
ଶୟନ ସଲିଳ ଭିତରେ ।ପ୍ରସନ୍ନ ବିରାଟ-ଶରୀରେ ॥
ଭୂତ ଇନ୍ଦ୍ରିୟ ମନୋମୟ ।ଯହିଁରେ ଗୁଣଙ୍କ ପ୍ରବାହ ॥
ଅଶେଷ କରଣ କାରଣ ।ତୋ କଳେବର ନାରାୟଣ ॥
ଜଠର-ପଦ୍ମରୁ ଯାହାର ।ଜାତ ହୋଇଲା ବେଦବର ॥
ତୋ ରୂପ ଦେଖିବା ନିମନ୍ତେ ।ସେ ଆଜ ବିଚାରିଲା ଚିତ୍ତେ ॥
ଅନେକ ବ୍ୟାପାରାଦି କଲା ।କେବେହେଁ ଦେଖି ନ ପାରିଲା ॥
କେବଳ ଧ୍ୟାନେ ସେ ଦେଖିଲା ।ଏ ବିଶ୍ୱ ସୃଷ୍ଟି ତେଣୁ କଲା ॥
ତହିଁ ସେ ବ୍ରହ୍ମରୂପ ଧରି ।ନିଜ ଶକ୍ତିରେ ମାୟା କରି ॥
କଲେ ସେ ବିଶ୍ୱର ସର୍ଜନ ।ସ୍ୱଭାବେ ତୁମ୍ଭ କର୍ମହୀନ ॥
ପ୍ରଳୟ କାଳେ ତୁମ୍ଭେ ହରି ।ଏ ବିଶ୍ୱ ଉଦରେ ସଂହରି ॥
ଶୟନ ବଟର ପୁଟରେ ।ଧରିଣ ବାଳକ ଶରୀରେ ॥
ଚରଣ ଅଙ୍ଗୁଳି ବଦନେ ।ଦେଇ ଶୟନ ଶିଶୁ ଯେହ୍ନେ ॥
ଏ ବିଶ୍ୱ ଯାହାର ଉଦରେ ।ମୁଁ ତାକୁ କେମନ୍ତେ ଜଠରେ ॥
ଧଇଲି ବୁଝି ନ ପାରଇ ।କେବଳ ମାୟା ତୋ ଗୋସାଇଁ ॥
ତୁ ଦୁଷ୍ଟ ନିବାରଣ ପାଇଁ ।ତୁ ସାଧୁ ରକ୍ଷଣେ ଗୋସାଇଁ ॥
ଏଣୁ ତୁମ୍ଭର କଳେବର ।ଅନ୍ୟଥା କି କାର୍ଯ୍ୟ ତୁମ୍ଭର ॥
ତୁମ୍ଭେ ବାଳାଦି ରୂପ ଧରି ।ଧର୍ମ ସ୍ଥାପିଲ ଦୁଷ୍ଟ ମାରି ॥
ଏବେ ଏ ଶରୀରେ ଗୋସାଇଁ ।ଏ ଭାବ ଜ୍ଞାନ ଦେବା ପାଇଁ ॥
ଏଣୁ କୃତାର୍ଥ ମୋତେ କଲ ।ପୁତ୍ର ସ୍ୱରୂପେ ପ୍ରକାଶିଲ ॥
ଯା ନାମ ଶ୍ରବଣ କୀର୍ତ୍ତନ ।ଅଥବା କଲେ ସଂକୀର୍ତ୍ତନ ॥
ଯା ପାଦେ କରି ନମସ୍କାର ।ସ୍ମରଣ କରି ନାମ ଯାର ॥
ପାପାତ୍ମା ଯେହୁ ଯୋଗ୍ୟ ହୁଏ ।ଜାତି ବିଚାରେ ଭ୍ରାନ୍ତି ରହେ ॥
ଯେ ପ୍ରାଣୀ ନୟନେ ଦେଖିଲା ।ସେ କିମ୍ପା କୃତାର୍ଥ ନୋହିଲା ॥
ଯାହାର ନାମ ଉଚ୍ଚାରିଲେ ।ସକଳ ତପ ସେହି କଲେ ॥
ହୋମାଦି କଲା ବିଧିମତେ ।ତୀର୍ଥ ବ୍ରତାଦି ଜ୍ଞାନ ନିତ୍ୟେ ॥
ତୋ ପରେ ନାହିଁ ସଦାଚାର ।ତୋ ନାମ ଜିହ୍ୱାରେ ମୋହର ॥
ସମଗ୍ର ସେ ବେଦ ପଢ଼ିଲା ।ସେ ତୁମ୍ଭ ନାମ ଉଚ୍ଚାରିଲା ॥
ତୁମ୍ଭେ ଯେ ପରମ ପୁରାଣ ।ତୁ ବ୍ରହ୍ମ ଜଗତ ବିଧାନ ॥
ତୁମ୍ଭଙ୍କୁ ନିଶ୍ଚଳ ମନରେ ।ଯୋଗୀ ଭାବନ୍ତି ନିରନ୍ତରେ ॥
ଗୁଣ ମହିମା ନିଜ ତେଜ ।ବିକାଶ କରିଛି ସହଜ ॥
ତୁମ୍ଭେ କପିଳ ଦେବ ଗର୍ଭେ ।ତୁ ବିଶ୍ୱ ବ୍ୟାପିଅଛୁ ସର୍ବେ ॥
ବନ୍ଦଇ ତୁମ୍ଭର ଚରଣ ।ତୋ ବିନୁ ନାହିଁ ମୋ କାରଣ ॥
ସେ ଯେ କପିଳ ଭଗବାନ ।ସାକ୍ଷାତେ ପରମ ପୁରାଣ ॥
ଗଭୀର ବଚନ ସଧୀରେ ।ପ୍ରକାଶି ଜନନୀ ଛାମୁରେ ॥
କପିଳ ଉବାଚଭୋ ମାତ ଘେନ ମୋ ବଚନ ।ଏ ମୋର ବାକ୍ୟେ ଦିଅ ମନ ॥
ଏ ମାର୍ଗ ବଚନ ପ୍ରକାର ।କହିଲୁ ତୁମ୍ଭର ଆଗର ॥
ଯେବେ ଏ ମାର୍ଗେ ତୁମ୍ଭେ ଯିବ ।ଏକାନ୍ତେ କୃଷ୍ଣଙ୍କୁ ଦେଖିବ ॥
ଅଳପେ ଦେଖିବ ମୁକତି ।ପାଇବ ନିଶ୍ଚଳ ଭକତି ॥
ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର ।ଲଭିବ ଗୋବିନ୍ଦ-ପୟର ॥
ଯେମନ୍ତେ ବ୍ରହ୍ମ ଆଦିମାନେ ।ମୋତେ ପାଇଲେ ସାବଧାନେ ॥
ତୁମ୍ଭେ ପାଇବ ସେହି ମତେ ।ଏଣୁ କହିଲି ତୁମ୍ଭ ହିତେ ॥
ଏମନ୍ତେ ଯେହୁ ନ ଜାଣନ୍ତି ।ଯେ ପ୍ରାଣୀ ମୋତେ ନ ଭଜନ୍ତି ॥
ମୈତ୍ରେୟ ଉବାଚସେ ବ୍ରହ୍ମବାଦୀ ଦେବହୂତି ।ଯୋଗ ମାର୍ଗରେ ଦେଲେ ମତି ॥
ଆଶ୍ରମ ସରସ୍ୱତୀ କୁଳେ ।ଯୋଗ ଅଭ୍ୟାସେ ସେ ନିଶ୍ଚଳେ ॥
ରହିଲେ ପୁତ୍ର ବାକ୍ୟ ଶୁଣି ।ସେ ସ୍ଥାନେ କର୍ଦ୍ଦମ-ଘରଣୀ ॥
ସ୍ନାନ ମାର୍ଜନା କ୍ରିୟାକାଳେ ।ବିଧିରେ କରନ୍ତି ସକଳେ ॥
କୃଶିତ ଲାବଣ୍ୟ ଶରୀରେ ।ପରିଧାପନ ବକ୍ଳାମ୍ୱରେ ॥
ଏମନ୍ତେ ତପସ୍ୱିନୀ ବେଶ ।ସେ ଦେବହୂତି ଧରି ତୋଷ ॥
ଗୃହ ସମ୍ପଦ ଦୂର କରି ।ତପସ୍ୱୀ ବେଶେ ବନଚାରୀ ॥
ଗୃହସ୍ଥ ଧର୍ମ କରିଥିଲେ ।ଉପମା ନାହିଁ ଭୂମଣ୍ଡଳେ ॥
ନାନା ବିଶ୍ରାମ ସ୍ଥାନ ଶୋହେ ।ଦେଖି ଦେବଙ୍କ ମନ ମୋହେ ॥
ବିମାନେ ଯେବା ବିହରନ୍ତି ।ସେ ସୁଖ ସେମାନେ ଜାଣନ୍ତି ॥
ନାନା ବିଚିତ୍ର କର୍ମମୟେ ।ସେ ଦିବ୍ୟପୁରେ ଶୋଭାପାଏ ॥
ଦିବ୍ୟ ଘଟନ ପୀଡ଼ାମାନ ।ସୁରସେ ସୁଖ ଉପାଦାନ ॥
ମନ୍ଦିର ସ୍ଫଟିକର ମତ ।ଭୂମି ରଚିତ ମରକତ ॥
ରତ୍ନେ ଜଡ଼ିତ ଦୀପ୍ତି ପ୍ରାୟେ ।ଶୋଭନେ ଯୋଗୀଜନ ମୋହେ ॥
ଯୁବତୀ ରତ୍ନ ଶିରୋମଣି ।ସେ ଦିବ୍ୟପୁର ନିବାସିନୀ ॥
ଭୁବନେ ବେଢ଼ିଣ ଉଦ୍ୟାନେ ।ଯହିଁ ଶୋଭନ୍ତି ଦ୍ରୁମମାନେ ॥
ଫଳ କୁସୁମେ ପରିପୂର୍ଣ୍ଣ ।ଲମ୍ବିତେ ଶୋହେ ନାନା ବର୍ଣ୍ଣ ॥
ବିହଙ୍ଗେ ମିଥୁନ ଇଚ୍ଛନ୍ତି ।ମତ୍ତ-ମଧୁପେ ଗୁଞ୍ଜରନ୍ତି ॥
ବିବିଧ-ଅନୁଚରମାନେ ।ବିହରୁ ଥାନ୍ତି ଉପବନେ ॥
ସେ ଦେବହୂତି ଯଶ-କୀର୍ତ୍ତି ।ସୁସ୍ୱର ରାଗେ ଗୀତ ଗାନ୍ତି ॥
ଦିବ୍ୟ ବିଚିତ୍ର ପାପୀମାନ ।ଉତ୍ପଳ ଶୋହେ ସୁବାସନ ॥
ସେ ପୁର ତେଜି ଦେବହୂତି ।ଯୋଗ ସାଧନେ କଲେ ମତି ॥
ପ୍ରତେଜି ସ୍ୱାମୀ ସଙ୍ଗ କଲେ ।ତହିଁ ବିହାରେ ନିମଜ୍ଜିଲେ ॥
ଶୋକରେ ବ୍ୟାକୁଳ ବଦନ ।ତଥାପି ଯୋଗେ ଦୃଢ଼ ମନ ॥
ପତି-ବିଚ୍ଛେଦ ଦୁଃଖେ ଯାଇ ।ପୁତ୍ରକୁ ସଙ୍ଗତରେ ନେଇ ॥
ରହି ଆନନ୍ଦ ଧରି ଚିତ୍ତେ ।ଶୋକ ବିଧ୍ୱଂସିଣ ତ୍ୱରିତେ ॥
ସେ ପୁତ୍ର ତେଜି ଗଲେ ବନେ ।ପତି ବିଚ୍ଛେଦ ଦୁଃଖ ମନେ ॥
ବତ୍ସା ବିହୀନେ ଗାବ ଯେହ୍ନେ ।ବ୍ୟାକୁଳେ ରାବଇ ତେସନେ ॥
ସେ ରୂପେ ଆକୁଳେ ରୋଦିଲେ ।ହା ପୁତ୍ର ବୋଲି ମୋହ ଗଲେ ॥
ଜନ୍ମିତ ହେଲେ ତତ୍ତ୍ୱଜ୍ଞାନ ।ତଥାପି ଶୋକେ ମୁହ୍ୟମାନ ॥
ପୁତ୍ର ଲାବଣ୍ୟ ରୂପ ଗୁଣି ।ଆକୁଳେ ରୋଦେ ସୁଲକ୍ଷଣୀ ॥
ଧ୍ୟାନେ ନିରୋପି କପିଳଙ୍କୁ ।ସଚେତେ ଡାକନ୍ତି ତାହାଙ୍କୁ ॥
ରାଗ ଉପେକ୍ଷି ଧନ୍ୟ ତାରେ ।ଧ୍ୟାନ ରହିଲା ପୁତ୍ରଠାରେ ॥
ନିଶ୍ଚଳେ ସୁଦୃଢ଼େ ବସିଲେ ।ଏମନ୍ତେ ତପ ଆରମ୍ଭିଲେ ॥
ଯେ ଧ୍ୟାନ କହିଥିଲେ ହରି ।ସେ ରୂପେ ନିତ୍ୟେ ଧ୍ୟାନ କରି ॥
ଭକ୍ତି ଯୋଗରେ ଦୃଢ଼ ହେଲେ ।ଶାସ୍ତ୍ର ବିଧିରେ ଆଚରିଲେ ॥
ହୋଇ ଯେ ଅଛି ତତ୍ୱଜ୍ଞାନ ।ଯେଣୁ ଭାବିଲେ ଭଗବାନ ॥
ଆତ୍ମାର ମାନସ ଦେଖିଲେ ।ତା ବିନୁ ଅନ୍ୟ ନ ଭାବିଲେ ॥
ସେ ଆତ୍ମା ହୁଏ ବିଶ୍ୱ ମୁଖ ।ବିନାଶି ମାୟା ଗୁଣ ଦୁଃଖ ॥
ଏ ଜୀବ ଆଶ୍ରେ ଗତି ବ୍ରହ୍ମ ।ତହିଁ ରଖିଲେ ମତି ଭ୍ରମ ॥
ତାହାଙ୍କ ଗଲା ନିଜ ଭାବ ।ପାଇଣ ଆତ୍ମା ତତ୍ତ୍ୱ ଲାଭ ॥
ସଂସାର-କ୍ଳେଶ ବିନାଶିଲା ।ଯେ ଗୁଣେ ଭ୍ରମାଦି ରହିଲା ॥
ଆପଣା ଦେହ ପାଶୋରିଲା ।ସେ ବ୍ରହ୍ମ ସ୍ୱରୂପେ ରହିଲେ ॥
ଶୁଣ ହେ ବିଦୁର ତଦନ୍ତେ ।କପିଳ ଯୋଗରେ ରହନ୍ତେ ॥
ଲଭିବେ ସେ ବ୍ରହ୍ମ-ନିର୍ବାଣ ।ଯେସନେ ଜଳେ ଜଳ ସ୍ଥାନ ॥
ଶୁଣ ବିଦୁର ଯେଉଁ ସ୍ଥଳେ ।ସେ ଦେବୀ ପ୍ରସିଦ୍ଧି ପାଇଲେ ॥
ସେ ସ୍ଥଳେ ପୁଣ୍ୟ କ୍ଷେତ୍ର ହେଲା ।ଭୁବନେ ବିଦିତ ରହିଲା ॥
ତା ନାମ ସିଦ୍ଧ ପଦ କହି ।ସିଦ୍ଧେ ସୁସିଦ୍ଧ ଯହିଁ ରହି ॥
ସେ ଦେବହୂତି କଳେବର ।ଯୋଗେ ସୁସିଦ୍ଧ ପୁଣ୍ୟକର ॥
କୃଷ୍ଣ ଭାବନା ଧ୍ୟାନ ନିତ୍ୟେ ।ଯୋଗ ସାଧନ୍ତି ସେହି ମତେ ॥
ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା ।ସେ ପୁଣ୍ୟ କ୍ଷେତ୍ର ବୋଲାଇଲା ॥
ସେ ଯେ କପିଳ ମହାଯୋଗୀ ।ବିଷୟେ ହେଲେ ବଇରାଗୀ ॥
ମାତାଙ୍କ ସ୍ନେହ ତ୍ୟାଗ କଲେ ।ଈଶାନ ଦିଗକୁ ସେ ଗଲେ ॥
ପୟୋଧି ତାହାଙ୍କୁ ଦେଖିଲା ।ବିଧାନେ ତାହାଙ୍କୁ ପୂଜିଲା ॥
ତକ୍ଷଣେ ଦିବ୍ୟ ସ୍ଥାନ ଦେଇ ।ତହିଁ ବିଜୟେ ଯୋଗ ଧ୍ୟାୟି ॥
ସେଠାରେ ସର୍ବ ସୁରଗଣ ।ସେବିଲେ ଯେଝା ନିଯୋଗେଣ ॥
ସିଦ୍ଧ ଚାରଣ ମୁନିଜନେ ।ଗନ୍ଧର୍ବ ଅପସରମାନେ ॥
ସ୍ତବ ଯେ ନିତ୍ୟ କପିଳଙ୍କୁ ।ସଭୟେ ସେବନ୍ତି ତାହାଙ୍କୁ ॥
ନାନା ବିଧାନେ ସେବା କରି ।ଦେବେ ସନ୍ତୋଷେ ଦେବହରି ॥
ସେଠାରେ ରହି ଯୋଗେ ମୁନି ।ସାଂଖ୍ୟ ଆଶ୍ଚର୍ଯ୍ୟମାନ ଘେନି ॥
ତ୍ରିଲୋକ୍ୟ ଜନେ ଶାନ୍ତି ପାଇ ।ଯୋଗେ ଆପଣା ରୂପ ଧ୍ୟାୟି ॥
ରହିବେ ବ୍ରହ୍ମ କଳ୍ପ ଯାଏ ।ଲୋକ ଶିକ୍ଷାରେ ଦେବରାୟେ ॥
ଶୁଣ ବିଦୁର ପୁଣ୍ୟ ଦେହା ।ତୁ ମୋତେ ପଚାରିଲୁ ଯାହା ॥
କପିଳ-ଦେବହୂତିଙ୍କର ।ପବିତ୍ର ସୁଜ୍ଞାନ ବିଚାର ॥
ଏହା ଯେ ଶ୍ରବଣେ ଶୁଣନ୍ତି ।ଆନନ୍ଦେ ବଦନେ ଗୁଣନ୍ତି ॥
ସେ ସାଧୁ ସଭାଜନ ମଧ୍ୟେ ।ନିତ୍ୟେ ଗାବନ୍ତି ମନ ଶୁଦ୍ଧେ ॥
ସକଳ ପାପ ବିନାଶନ୍ତି ।ଜନ୍ମ ମରଣୁ ନିସ୍ତରନ୍ତି ॥
ଅଶେଷ ଜନ୍ମ ପାପ ଦହେ ।ନିର୍ଭୟ ଚିତ୍ତେ ସୁଖେ ରହେ ॥
ସେ ସର୍ବ ଗୋବିନ୍ଦ-ଚରଣେ ।ଭକ୍ତି ଲଭନ୍ତି ପ୍ରତିକ୍ଷଣେ ॥
ଅନ୍ତେ ଲଭଇ ହରି-ସ୍ଥାନ ।କେ କରିପାରୁ ଏହା ଅନ୍ୟ ॥
ତୃତୀୟ ସ୍କନ୍ଧେ ଭାଗବତ ।କପିଳ-ଜ୍ଞାନ ଉପାଖ୍ୟାତ ॥
ମୈତ୍ରେୟ-ବିଦୁର ଚରିତ ।ତେତିଶ ଅଧ୍ୟା ସମାପତ ॥
ଏ ଯେ ପୂରାଣ ଭାଗବତ ।ପ୍ରାକୃତେ କଲି ଏହା ଗୀତ ॥
କହଇ ଜଗନ୍ନାଥ ଦାସ ।ମୁଁ ତୁମ୍ଭ ଦାସଙ୍କର ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ପ୍ରାକୃତବନ୍ଧେ କପିଳଦେବହୂତି ଜ୍ଞାନପ୍ରବୋଧନେ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ।