ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୩ / ୬ · ଶ୍ରୀ ଶୁକ ଉବାଚ (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଅଧ୍ୟାୟମୈତ୍ରେୟ ଉବାଚଏବେ ବିଦୁର କହୁଁ ତୋତେ ।ଯେ ବ୍ରହ୍ମା କାଳ ଅନୁମତେ ॥
ବେଦ ପ୍ରଭାବେ କଲା ସୃଷ୍ଟି ।ତେଣୁ ଅମୋହ ତାର ଦୃଷ୍ଟି ॥
ଅନ୍ଧ ତାମସ ସୃଷ୍ଟି ଆଗେ ।ବିଶ୍ୱ ବିକାର ଯଥା ଲାଭେ ॥
ସର୍ଜିଲା ଆଗେ ମାୟା ମୋହେ ।ତମେ ଅଜ୍ଞାନାବୃତ ଦେହେ ॥
ପାପ ବହୁଳେ ସୃଷ୍ଟି ଏହି ।ତା ଦେଖି ବ୍ରହ୍ମା ବିଚାରଇ ॥
ଏ ନୁହେଁ ସୃଷ୍ଟି ଆଦିଭୂତ ।ଦୃଢ଼େ ଗୋବିନ୍ଦେ ଦେଇ ଚିତ୍ତ ॥
ଗୋବିନ୍ଦ ପାଦ ଜ୍ଞାନ ବଳେ ।ସଂଯୁକ୍ତ-ଭକତି ନିଶ୍ଚଳେ ॥
ବିଷ୍ଣୁର ଅଂଶେ ଚାରି ଭ୍ରାତ ।ବ୍ରହ୍ମାର ମନ ମଧ୍ୟୁଜାତ ॥
ସନକ ସନନ୍ଦ ଏ ବେନି ।କପିଳ ସନାତନ ଘେନି ॥
ଏ ଚାରି ମୁନି ସୃଷ୍ଟି ହେଲେ ।ଉର୍ଦ୍ଧ୍ୱରେତା ସେ ବୋଲାଇଲେ ॥
ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି ।ବିଷ୍ଣୁ ହୁଁ ଆନ ନ ଜାଣନ୍ତି ॥
ଏହାଙ୍କୁ ଚାହିଁ ବେଦବର ।ସ୍ୱଭାବେ କହଇ ମଧୁର ॥
ତୁମ୍ଭେ ହେଁ ଚାରିପୁତ୍ର ମୋର ।ବେଦ ପ୍ରମାଣେ ସୃଷ୍ଟି କର ॥
ନ ଜାଣି ବାସୁଦେବୁ ଭିନ୍ନ ।ସୃଷ୍ଟିରେ ନ ଦେଲେ ସେ ମନ ॥
ଆଜ୍ଞା ଅବଜ୍ଞା କଲେ ଜାଣି ।କୋପେ କମ୍ପିଲା କୁଶପାଣି ॥
ପୁଣି ବିଧିରେ ଚିତ୍ତ ଧରି ।ଧ୍ୟାନେ ସୁମରିଲା ମୁରାରୀ ॥
ଏକେ ଭ୍ରୁକୁଟି ତା କୁଟିଳ ।ବଦନ ଦିଶିଲା ପିଙ୍ଗଳ ॥
ଭ୍ରୂକୁଟି ମଧ୍ୟୁ ପୁତ୍ର ଜାତ ।ଦିଶଇ ସୁନୀଳ-ଲୋହିତ ॥
ଦେବଙ୍କ ପୂର୍ବେ ଜାତ ହୋଇ ।କାନ୍ଦଇ ବ୍ରହ୍ମା ମୁଖ ଚାହିଁ ॥
ବୋଲଇ ଶୁଣ ବେଦବର ।ମୋହର ନାମ ଆଗେ କର ॥
ନିଗମ ସ୍ଥାନେ ଛାଡ଼ ମୋତେ ।ଏମନ୍ତେ ରହିବି ନିଶ୍ଚିନ୍ତେ ॥
ଶୁଣି ସାନନ୍ଦ ପ୍ରଜାପତି ।ଚିନ୍ତିଲା ଯେବା ନାମ ସ୍ଥିତି ॥
ହେ ପୁତ୍ର ରୋଦନ ନ କର ।କରିବି ବଚନ ତୋହର ॥
ରୋଦନ କଲୁ ଆଗେ ଯେଣୁ ।ତୋ ନାମ ରୁଦ୍ର ହେଉ ତେଣୁ ॥
ଏମନ୍ତ କହି ତାର ଆଗେ ।ସ୍ଥାନ କଳ୍ପିଲା ଯଥା ଭାଗେ ॥
ମନ ଇନ୍ଦ୍ରିୟ ଦେହ ବ୍ୟୋମେ ।ବୟୁ ଅନଳ ଜଳସ୍ଥାନେ ॥
ମହା ମନ୍ଦିର ଚନ୍ଦ୍ରାତପ ।ଏମନ୍ତେ ଏକାଦଶ ରୂପ ॥
ଯେ ସ୍ଥାନେ ଯେ ରୂପ ତୋହର ।ହୋଇବ ଶୁଣରେ କୁମର ॥
ମନୁ ଉପରେ ମନୁ ନାମ ।ଇନ୍ଦ୍ରି ସମୂହେ ମନଧ୍ୟାନ ॥
ଦେହ ଉପରେ ମହୀ ନାଶେ ।ଆକାଶେ ମହାନୁ ପ୍ରକାଶେ ॥
ପବନେ ଶିବ ରୂପେ ବସେ ।ଅନଳେ ଋତୁ ଧ୍ୱଜ ନାଶେ ॥
ଉର୍ଦ୍ଧ୍ୱରେ ତା ସକଳ ଯୋଗେ ।ଭବ ବସିବ ଭୂମି ଭାଗେ ॥
ରବି ବିମାନେ କାଳ ଥିବ ।ଚନ୍ଦ୍ରେ ବସିବ ବାମଦେବ ॥
ତପେ ବସିବ ଧ୍ରୁବ ବ୍ରତ ।ଏମନ୍ତେ ଏକାଦଶ ମତ ॥
ଏହାଙ୍କ ପତ୍ନୀ ନାମ ଯେତେ ।ଶୁଣ କହିବା ତୋ ଅଗ୍ରତେ ॥
ଧୀ ଧୃତି ଆଉ ରସଲୋମା ।ଅପରେ ଶୁଣ ଯେତେ ବାମା ॥
ନିଉତି ସର୍ପା ଇଲାମ୍ୱିକା ।ଇରାବତୀ ଯେ ସୁଧା ଦୀକ୍ଷା ॥
ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି ।ଏହାଙ୍କ ଏକାଦଶ ପତି ॥
ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ।ସଂଶୟ ମନେ ବିଚାରଇ ॥
ଏ ସୃଷ୍ଟି ମହା ଭୟଙ୍କର ।ଦେଖି କମ୍ପିଲା ଚିତ୍ତ ମୋର ॥
ବୋଲନ୍ତି ରୁଦ୍ର ମୁଖ ଚାହିଁ ।ଭୋ ପୁତ୍ର ଏଣେ କାର୍ଯ୍ୟ ନାହିଁ ॥
ଏ ସୃଷ୍ଟି ଦଶଦିଗ ତୁଲେ ।ମୋହର ମନେ ତାପ କଲେ ॥
ଏବେ ତୁ ତପ ସାଧ୍ୟ କର ।ସର୍ବ ଜୀବଙ୍କ ଦୁଃଖ ହର ॥
ତପର ବଳେ ଏ ଜଗତେ ।ପ୍ରଜା ତୁ କର ପୂର୍ବ ମତେ ॥
ତପେ ତୁ ବିଷ୍ଣୁଙ୍କୁ ପାଇବୁ ।ଏ ଭାବେ ସର୍ବକାଳେ ଥିବୁ ॥
ମୈତ୍ରେୟ ଉବାଚଶୁଣ ବିଦୁର ସାବଧାନେ ।ସନ୍ତୋଷେ ପିତାର ବଚନେ ॥
ଏମନ୍ତେ ବ୍ରହ୍ମା-ଆଜ୍ଞା ପାଇ ।ନୀଳ ଲୋହିତ ତୋଷ ହୋଇ ॥
ବ୍ରହ୍ମାର ଚରଣେ ନମିଲା ।ତପ ସାଧନେ ବନେ ଗଲା ॥
ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ ।ସେ ବ୍ରହ୍ମା ଚିତ୍ତେ ବିଚାରଇ ॥
ଏ ତ ଅସଂଖ୍ୟ ରୁଦ୍ରଗଣେ ।ନୁହନ୍ତି ସୃଷ୍ଟିର କାରଣେ ॥
ତାହାଙ୍କୁ ଶିବଲୋକେ ଥୋଇ ।ପୁଣି ସଂଶୟେ ବିଚାରଇ ॥
ଏବେ କି କରିବି ଉପାୟ ।ନ ପୁଣ କୋପେ ଦେବରାୟ ॥
ଏମନ୍ତେ ବିଷ୍ଣୁ ପାଦ ଚିନ୍ତି ।ଧ୍ୟାନେ ବସିଲା ପ୍ରଜାପତି ॥
ତାର ଶରୀରୁ ଦଶ ସୁତ ।ତକ୍ଷଣେ ହୋଇଲେ ସମ୍ଭୂତ ॥
ଲୋଭ ବର୍ଜନ ହେତୁ ଅର୍ଥେ ।ନମିଲେ ବ୍ରହ୍ମା-ପାଦଗତେ ॥
ମରିଚି ଅତ୍ରି ଅଙ୍ଗିରସ ।ପୌଲସ୍ତ୍ୟ ପୁଲହ ପ୍ରକାଶ ॥
କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ ।ଦଶମେ ନାରଦ ପ୍ରତ୍ୟକ୍ଷ ॥
ଶୁଣ ବିଦୁର କହୁଁ ଭଲେ ।ଯେ ଅଙ୍ଗୁ ଯେବା ଉପୁଜିଲେ ॥
ନାରଦ ଉପୁଜିଲେ କୋଳେ ।ଦକ୍ଷ ଦକ୍ଷିଣାଙ୍ଗୁଷ୍ଠି ମୂଳେ ॥
ପ୍ରାଣୁ ବଶିଷ୍ଠ ମୁନି ଜାତ ।ଭୃଗୁ ତ୍ୱକରୁ ଉପଗତ ॥
ଅଙ୍ଗିରା ବଦନୁ ସମ୍ଭୁତ ।ପୌଲସ୍ତ୍ୟ କର୍ଣ୍ଣ ମୁଳୁଁ ଜାତ ॥
କ୍ରତୁ ଉପୁଜେ ଭୁଜମୁଳେ ।ପୁଲହ ଏ ନାଭି ମଣ୍ଡଳେ ॥
ଅତ୍ରି ଉପୁଜେ ଚକ୍ଷୁ ଯୁଗେ ।ମରିଚି ମନରୁ ସଂଯୋଗେ ॥
ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ ।ଯେ ଧର୍ମେ କରେ ଏ ଜଗତ ॥
ଅଧର୍ମ ପୃଷ୍ଠ ଦେଶୁଁ ହୁଏ ।ମୃତ୍ୟୁ ସଞ୍ଚରେ ତାର ଦେହେ ॥
କାମ ତା ହୃଦରୁ ସମ୍ଭୁତ ।ଭୂରୁ ମଣ୍ଡଳୁ କ୍ରୋଧଜାତ ॥
ଲୋଭ ହୋଇଲା ଓଷ୍ଠ ଦେଶେ ।ବଚନ ବଦନୁ ପ୍ରକାଶେ ॥
ମୃତ୍ୟୁ ଦେବତା ଗୁହ୍ୟଦେଶେ ।ସପତ ସିନ୍ଧୁ ନେତ୍ରେ ବସେ ॥
କର୍ଦ୍ଦମ ଛାୟାରୁ ସମ୍ଭୂତି ।ଯାହାର ପତ୍ନୀ ଦେବହୂତି ॥
ଏମନ୍ତେ ଅଶେଷ ଜଗତ ।ବ୍ରହ୍ମାର ମନୁ କଲେ ଜାତ ॥
ଯେ କନ୍ୟା ବଦନୁ ଜନ୍ମିଲା ।ବ୍ରହ୍ମାର ମନ ସେ ମୋହିଲା ॥
ସକାମେ ବ୍ରହ୍ମା ତାଙ୍କୁ ହସ୍ତେ ।ଧଇଲେ ରତି ଅଙ୍ଗ ଅର୍ଥେ ॥
ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ ।ପୁତ୍ରେ ମିଳିଲେ ତା ଅଗ୍ରତେ ॥
ମରିଚି ଆଦି ଯେତେ ଭାଇ ।କହନ୍ତି ପିତା ମୁଖ ଚାହିଁ ॥
ହେ ତାତ ସ୍ଥିର କରି ଚିତ୍ତ ।ଏ ତ ତୁମ୍ଭର ବିପରୀତ ॥
ଯେ କର୍ମ ପୂର୍ବାପରେ ନାହିଁ ।ଏବେ ସେ ସମ୍ଭବିବ କାହିଁ ॥
କାହିଁ ଦୁହିତା ରମେ ପିତା ।ଏଣୁ ଆମ୍ଭର ମନେ ଚିନ୍ତା ॥
ପୂର୍ବେ ଯଯାତି ଏଥେ ଥିଲେ ।ସତ୍ୟେ ସେ ଧର୍ମ ଆଚରିଲେ ॥
ସେ ନ କରନ୍ତି ଏଡ଼େ କର୍ମ ।ସ୍ୱଭାବେ ନୁହଇ ଏ ଧର୍ମ ॥
ଯେ କର୍ମ ଲୋକ କ୍ଷମା କରେ ।ଆନନ୍ଦେ ଆତ୍ମାକୁ ବିହରେ ॥
ଏଣୁ ସେ ବିଷ୍ଣୁ ସମାନର ।ଆମ୍ଭର ତାଙ୍କୁ ନମସ୍କାର ॥
ତୁ ଦେବ ଆତ୍ମାକୁ ସୁମର ।ଅଧର୍ମ ମନ କରି ସ୍ଥିର ॥
ଏମନ୍ତେ ଶିରେ କର ଦେଇ ।ପାଦେ ମିଳିଲେ ସର୍ବ ଭାଇ ॥
ଭୋ ତାତ ଧର୍ମେ କର ଚିତ୍ତ ।ଅଧର୍ମେ ନ ବୁଡ଼ୁ ଜଗତ ॥
ତୁ ଏଡ଼େ ପାପ ଆଚରିଲେ ।ସଂସାରେ କେବା ଥିବ ଭଲେ ॥
ଏମନ୍ତେ ପୁତ୍ରକୁ ଅନାଇଁ ।ବ୍ରହ୍ମା କହିଲେ ଲଜ୍ୟାପାଇ ॥
ତକ୍ଷଣେ ଛାଡ଼ି ତାର ହସ୍ତ ।ବିଷ୍ଣୁ ସୁମରେ ବେଦନାଥ ॥
ସେ କନ୍ୟା ମନେ ଲଜ୍ଜ୍ୟା କଲା ।ତକ୍ଷଣେ ଅଷ୍ଟ ଦିଗେ ଗଲା ॥
ଘୋର ଅନ୍ଧକାର ସୁରେଖା ।ନାମ ହୋଇଲା କୁଜ୍ଝଟିକା ॥
ଅଧର୍ମେ ଅନ୍ଧକାର ହୋଇ ।ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ ॥
ପୁଣି ଚଳଇ ଅଷ୍ଟଦିଶେ ।ସଂହରି ସମ୍ଭବି ଆକାଶେ ॥
ମେଘର ପ୍ରାୟେ ତାର ଦେହୀ ।ଶୁଣ ବିଦୁର ଏବେ କହି ॥
ବିଦୁର ଉବାଚଚିନ୍ତା ଆକୁଳେ ପ୍ରଜାପତି ।ସୃଷ୍ଟି ସଂଗ୍ରହେ କଲା ମତି ॥
ଶବଦ ବ୍ରହ୍ମ ପରମାଣେ ।ଧର୍ମ ଅଧର୍ମ ସେ ବଖାଣେ ॥
ଧ୍ୟାନ କରନ୍ତେ ମନେ ଖେଦ ।ମୁଖୁଁ ଜନ୍ମିଲା ଚାରି ବେଦ ॥
ଦେଖି ବିଚାରେ ପଦ୍ମ ଯୋନି ।ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି ॥
କରିବି ସତ୍ୟ ଅନୁସାରେ ।ଯେତେ ବିଦିତ ଏ ସଂସାରେ ॥
ବେଦ ବିଚାରେ ନାନା ମତେ ।କର୍ମ କରିବେ ଏ ଜଗତେ ॥
ଏ ଚାରି ଲୋକେ କର୍ମ ତତ୍ତ୍ୱ ।ଉପବେଦାନ୍ତ ତୁଲେ ମତ ॥
ସ୍ୱଭାବେ ଚତୁର୍ଦ୍ଦଶ କର୍ମ ।ଆଗତ ବୃତ୍ତି ଯଥା ଧର୍ମ ॥
ଯେ ଯୁଗେ ପ୍ରଚରିବ ଯେତେ ।ବ୍ରହ୍ମା ବିଚାରି ଅନ୍ତର୍ଗତେ ॥
ସେ ବିଶ୍ୱ ସବୁଙ୍କ ଈଶ୍ୱର ।ଅଶେଷ ଚିତ୍ତ ଶକ୍ତି ଧର ॥
ଯେ ମୁଖେ ଯେ ବେଦ ସର୍ଜିଲା ।ଯହୁଁ ସେ ଧର୍ମ ପ୍ରକାଶିଲା ॥
ସେ କଥା କହ ମୁନି ମୋତେ ।ସଂଶୟ ନରହୁ ମୋ ଚିତ୍ତେ ॥
ମୈତ୍ରେୟ ଉବାଚଶୁଣ ହୋ ବିଧାତାର ଲୀଳା ।ଯେ ମୁଖେ ଯେ ବେଦ ସର୍ଜିଲା ॥
ସାମ ପଶ୍ଚିମ ମୁଖୁ ଜାତ ।ଅଥର୍ବ ଉତ୍ତରୁ ସମ୍ଭୁତ ॥
ଦକ୍ଷିଣୁ ଯଜୁ ପ୍ରକାଶିଲା ।ପୂର୍ବ ମୁଖୁ ଋକ୍ ସ୍ରବିଲା ॥
ବେଦାଦି ଶାସ୍ତ୍ର ସ୍ମୃତି ସ୍ତୋତ୍ର ।ଯଜ୍ଞାଦି କୃତ ଅଗ୍ନି ହୋତ୍ର ॥
ଦେବଙ୍କ ଅଙ୍ଗ ଆଦି ଯେତେ ।ପ୍ରତ୍ୟକ୍ଷେ ଯଥା କର୍ମ ତନ୍ତ୍ରେ ॥
ଆୟୁର୍ବେଦ ଯେ ଧନୁର୍ବେଦ ।ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ ॥
ଦେବଙ୍କ ଅଙ୍ଗ ଆଦି ଯେତେ ।ଅସତ୍ୟ ଅଙ୍ଗାଦି ସମେତେ ॥
ପୂର୍ବାଭିମୁଖେ ଯେତେ କରି ।ପୁଣି ବିଧାତା ମନେ ସ୍ମରି ॥
ପଞ୍ଚମ ବେଦ ଇତିହାସେ ।ଚତୁର ମୁଖେ ସୁପ୍ରକାଶେ ॥
ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ ।ପଞ୍ଚମ ଅଗ୍ନି ସ୍ମୃତି ମୁଖେ ॥
ଗାୟତ୍ରୀ ଆଦି ସପ୍ତଛନ୍ଦ ।ମନ୍ତ୍ର ଦେବତା ଅନୁବନ୍ଧ ॥
ଉଷ୍ଣକ ଛନ୍ଦ ଲୋମୁ ଜାତ ।ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୁତ ॥
ମାତା ସଉର୍ଯ୍ୟେ ତ୍ରିଷ୍ଟୁପ ଛନ୍ଦ ।ଅନୁଷ୍ଠୁପ ଶିରେ ସମ୍ଭବ ॥
ଜଗତ ଉର୍ଦ୍ଧ୍ୱ ରକ୍ତ ହୁଏ ।ଯଜ୍ଞେ ଉଷ୍ଣିକ ଛନ୍ଦ ବହେ ॥
ବୃହତୀ ଛନ୍ଦ ଦଶ ପ୍ରାଣ ।ସ୍ପରଶ ଜୀବର କାରଣ ॥
ଶୁକ ବ୍ରହ୍ମା-ଶରୀରୁ ଜାତ ।ଶେଷେଣ ଇନ୍ଦ୍ରିୟେ ସମ୍ଭୁତ ॥
ବଳ ଉଦିତ ଅନ୍ତର୍ଦ୍ଦେଶେ ।ଯେ ବଳେ ଶରୀର ପ୍ରକାଶେ ॥
ବ୍ରହ୍ମା ଦେହରେ ସପ୍ତସ୍ୱର ।ଭକତି ଗୁଣେ ହେ ବିଦୁର ॥
ଏ ସପ୍ତ ବ୍ରହ୍ମା ତା ଶରୀର ।ସ୍ୱଭାବେ ବକ୍ତାବନ୍ତ ତାର ॥
ଏଣୁ ସଂସାର ବକ୍ତାମୟେ ।ସେ ବ୍ରହ୍ମା ନାନା-ଶକ୍ତି ବହେ ॥
ଏମନ୍ତେ ବ୍ରହ୍ମା ସର୍ବ କରି ।ଅପର ସୃଷ୍ଟି ମନେସ୍ମରି ॥
ଯେ ଋଷି ପୂର୍ବେ ସୃଷ୍ଟି କଲା ।ତାଙ୍କ ବିଶ୍ରାମ ନ ରଖିଲା ॥
ସ୍ୱଭାବେ ତେଜୋବନ୍ତ ହୋନ୍ତି ।ପ୍ରକାଶ ଯୋଜନ କରନ୍ତି ॥
ଏମନ୍ତେ ବିଚାରି ବିଧାତା ।ମନେ ପାଇଲା ଗୁରୁ ଚିନ୍ତା ॥
ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ ।ତପେ ହୋଇଲା ବେନିଖଣ୍ଡ ॥
ସେ ବେନିଖଣ୍ଡ ବ୍ରହ୍ମା ଦେହେ ।ନାରୀ ପୁରୁଷ ବେନି ହୁଏ ॥
ସେ ବେନିଖଣ୍ଡ ଅନୁମାନୁ ।ଜନ୍ମିଲା ସ୍ୱାୟମ୍ଭୁବ ମନୁ ॥
ସଂସାରେ ରାଜା ସେ ବୋଲାଇ ।ଶୁଣ ବିଦୁର ଏବେ କହି ॥
ଉତ୍ତର ଖଣ୍ଡ ନାରୀ ଜନ୍ମ ।ହୋଇଲେ ସତ୍ୟରୂପ ନାମ ॥
ମନୁର ପତ୍ନୀ ସେ ହୋଇଲା ।ମୈଥୁନେ ସୃଷ୍ଟି ଉପୁଜିଲା ॥
ପଞ୍ଚ ବାଳକ ତାଙ୍କ ତହୁଁ ।ହୋଇଲେ ଶୁଣ ନାମ କହୁ ॥
ଉତ୍ତାନପାଦ ପ୍ରିୟବ୍ରତ ।ଆଗେ ହୋଇଲେ ବେନି ସୁତ ॥
ଅପରେ ଜାତ ତିନି କନ୍ୟା ।ସୁନ୍ଦରୀ ସୁଲୋଚନା ବାମା ॥
ଆକୁତି ଦେବହୁତି ବେନି ।ପ୍ରସୂତି ନାମେ କନ୍ୟା ତିନି ॥
ସେ ମୁନି କନ୍ୟା ଦାନ କଲା ।ଆକୁତି ରୁଚି ବିପ୍ରେ ଦେଲା ॥
ତୋହର ଗର୍ଭୁ ନାନା ମତେ ।ସନ୍ତତି ପୂରିଲେ ଜଗତେ ॥
ଏମନ୍ତେ ଭାଗବତ ବାଣୀ ।ମୈତ୍ରେୟେ ବିଦୁରେ ବଖାଣି ॥
ଶୁଣ ସୁଜନେ ଶୁଦ୍ଧ ଚିତ୍ତେ ।ତୃତୀୟ ସ୍କନ୍ଧେ ଭାଗବତେ ॥
ମୈତ୍ରେୟ ବିଦୁର ସମ୍ବାଦ ।ଶୁଣନ୍ତେ ନ ଲାଗେ ପ୍ରମାଦ ॥
ଏଣେ ହରିଙ୍କି କରି ଲୟେ ।ବ୍ରାହ୍ମଣ ଜଗନ୍ନାଥ କହେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମାସୃଷ୍ଟି ସର୍ଜ୍ଜନେ ନାମଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟଶ୍ରୀ ଶୁକ ଉବାଚଏମନ୍ତେ ମୈତ୍ରେୟ ବଚନ ।ଶୁଣି ବିଦୁର ତୋଷ ମନ ॥
କୃଷ୍ଣ ଚରିତ ରସ ଭରି ।ଶୁଣି ବୋଲଇ ପାଦ ଧରି ॥
ବିଦୁର ଉବାଚସେ ସ୍ୱାୟମ୍ଭୁବ ବ୍ରହ୍ମା ସୁତ ।ସଂହାର-ପ୍ରିୟେ ପ୍ରିୟବ୍ରତ ॥
ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର ।ଯେ ସ୍ୱାୟମ୍ଭୁବ ନୃପବର ॥
ସେ ସତ୍ୟରୂପୀ ପତ୍ନୀ ତାର ।ସ୍ୱଭାବେ ବ୍ରହ୍ମାର ଶରୀର ॥
ନିର୍ମିତ ନର ନାରୀ କଳ୍ପେ ।ବିଷ୍ଣୁ ଆଦେଶେ ମୋହ କଳ୍ପେ ॥
ମିଥୁନ ଭାବେ ସେ ରହିଲେ ।କେମନ୍ତେ ସୃଷ୍ଟି ଭିଆଇଲେ ॥
ସେ ରାଜ ଋଷିଙ୍କ ଚରିତ ।କହି ସନ୍ତୋଷ କର ଚିତ୍ତ ॥
ଏ କୃଷ୍ଣ କଥା ପୁଣ୍ୟ ଯଶ ।ଶ୍ରବଣେ ଚିତ୍ତ କଲା ଆଶ ॥
ମୈତ୍ରେୟ ଉବାଚବ୍ରହ୍ମାର ଦେହରୁ ସମ୍ଭବ ।ପତ୍ନୀର ତୁଲେ ସ୍ୱାୟମ୍ଭୁବ ॥
କର ଅଞ୍ଜଳି ଶିରେ ଦେଇ ।କହଇ ବ୍ରହ୍ମା ମୁଖ ଚାହିଁ ॥
ତୁ ସର୍ବ ଜନ୍ତୁଙ୍କର ପିତା ।ଜନ୍ମ ସମ୍ପଦ ବୃତ୍ତି ଦାତା ॥
ଆମ୍ଭେ ତୋହର ଭୃତ୍ୟଗଣେ ।ଯେମନ୍ତେ ଖଟୁ ତୋ ଚରଣେ ॥
ସେ ଆଜ୍ଞା ଦିଅ ବେଦବର ।ତୋର ଚରଣେ ନମସ୍କାର ॥
ଯେ କର୍ମ ସାଧି ଏକେ ଏକେ ।ସର୍ଜଇ ଇହ ପରଲୋକେ ॥
ଲଭନ୍ତି ପ୍ରାଣୀ ଆତ୍ମା ସୁଖେ ।ସେ ଆଜ୍ଞା କହ ତାତ ମୁଖେ ॥
ବ୍ରହ୍ମା ଉବାଚଏମନ୍ତେ ପୁତ୍ରର ବଚନେ ।ବ୍ରହ୍ମା କହନ୍ତି ତୋଷ ମନେ ॥
ଶୁଣ କୁମର ସାଧୁ ଧୀର ।ତୁ ଏ ସଂସାରେ ନୃପବର ॥
ନିର୍ମଳ ହୃଦେ ତୁ ପଚାରୁ ।ଯେହ୍ନେ ସମ୍ପାଦି ଶିଷ୍ୟ ଗୁରୁ ॥
ପିତାର ଆଜ୍ଞା ଶିରେ ଧରି ।ସୁଦୂରେ ସର୍ବ ପରିହରି ॥
ସନ୍ତତି କରି ଆତ୍ମ ସୁଖେ ।ଶୋକ ନ କରେ ମନ ଦୁଃଖେ ॥
ଧର୍ମ ପାଳନ ତାକୁ କହି ।ବିଷ୍ଣୁଙ୍କୁ ପୂଜେ ଯଜ୍ଞବାହି ॥
ପ୍ରଜା ରକ୍ଷଣ ଧର୍ମ କଲେ ।ବିଷ୍ଣୁ ସନ୍ତୋଷ ହୋନ୍ତି ଭଲେ ॥
ଯେ ଯଜ୍ଞ ଲିଙ୍ଗ ଜନାର୍ଦ୍ଦନ ।ଯାହାକୁ ହୁଏ ସୁପ୍ରସନ୍ନ ॥
ଆଶ୍ରମେ ତାରେ କାର୍ଯ୍ୟ ଭଲେ ।ବ୍ରହ୍ମା ସମ୍ପାଦେ ଆତ୍ମା ତୁଲେ ॥
ମନୁରୁବାଚଭୋ ନାଥ ତୋହର ଆଦେଶେ ।ସୃଷ୍ଟି କରିବି ମୁଁ ବିଶ୍ୱାସେ ॥
ମୁଁ ସୃଷ୍ଟି ସରଜିବି କାହିଁ ।ଏ ଜଳେ ଧରଣୀ ତ ନାହିଁ ॥
ତାର ଉଦ୍ଧାରେ କର ଜନ୍ମ ।ସୃଷ୍ଟି ଆଗମେ ବେଦ କର୍ମ ॥
ମହାପ୍ରଳୟ ଜଳ ରାଶି ।ପବନ ସଙ୍ଗେ ମୁହିଁ ଗ୍ରାସି ॥
ପୃଥିବୀ ନିବେଶିଲେ ଜଳେ ।ପ୍ରଜା କଳ୍ପିବି ଯୋଗବଳେ ॥
ଦେବତା ସୁର ପିତୃନର ।ପଶୁ ପତଙ୍ଗ ମହାଧୀର ॥
ପନ୍ନଗ ଆଦି ଉଚ୍ଚ ନୀଚେ ।ଧରଣୀ ସ୍ଥାପିବି ଏ ମଞ୍ଚେ ॥
ଏବେ ତ ଜଳେ ପୂର୍ଣ୍ଣ ମହୀ ।ଏମନ୍ତ ମନେ ବିଚାରଇ ॥
ମୈତ୍ରେୟ ଉବାଚଜଳେ ନ ଦେଖି ବସୁନ୍ଧରୀ ।ବିଧାତା ମନେ ଧ୍ୟାନ କରି ॥
ମହୀ ବୁଡ଼ିଲା ମହାଜଳେ ।କେମନ୍ତେ ଉଦ୍ଧରିବି ବଳେ ॥
ଯାର ଆଦେଶେ ଅବତରି ।ମୁଁ ଏ ସଂସାରେ ଅଧିକାରୀ ॥
ସେ ହରି ଯେବେ ଦୟାକରେ ।ଧରଣୀ ଆପଣେ ଉଦ୍ଧରେ ॥
ନୋହିଲେ ମୋର ଶକ୍ତି କାହିଁ ।ଏମନ୍ତେ ବିଷ୍ଣୁ ପାଦେ ଧ୍ୟାୟି ॥
ବ୍ରହ୍ମା ରହିଲା ସ୍ତମ୍ଭୀଭୂତେ ।ଶୁଣ ବିଦୁର ଏକଚିତ୍ତେ ॥
ତକ୍ଷେଣେ ପ୍ରଭୁ ନରହରି ।ବାଳ ଶୂକର ରୂପଧରି ॥
ଅଙ୍ଗୁଷ୍ଠି ପ୍ରମାଣ ଶରୀରେ ।ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ ॥
ପୁଣି କ୍ଷଣକେ ଗଜ ପ୍ରାୟେ ।ଅଦ୍ଭୁତେ ବଢ଼େ ଦେବରାୟେ ॥
ମରିଚି ଆଦି ମୁନି ଯେତେ ।ସନତ କୁମାର ସହିତେ ॥
ଅଦ୍ଭୁତ ବରାହ ଶରୀର ।କ୍ଷଣ କ୍ଷଣକେ ଅଗୋଚର ॥
ଅଙ୍ଗୁଷ୍ଠି ପ୍ରାୟ ଜନ୍ମ ହୋଇ ।ପର୍ବତ ସଂଖ୍ୟାରେ ବଢ଼ଇ ॥
ଋଷିଙ୍କୁ ଚାହିଁ ବେଦବର ।କହିଲାନ୍ତି ଦେଖି ତା ଶରୀର ॥
ଶୁଣ ସକଳ ମୁନିଜନେ ।ଏ ରୂପ ଦେଖି ମୋର ମନେ ॥
ଏମନ୍ତେ ପୁତ୍ର ଗଣ ଘେନି ।ବିଚାର କଲେ ପଦ୍ମ ଯୋନି ॥
ଅବା ଅନାଦି-ଭଗବାନ ।ଅଭୁତେ ଦେଖ ମୋର ମନ ॥
ଏ ବାକ୍ୟ ଶୁଣି ବେଦବର ।ଗର୍ଜିଲେ ଗଜେନ୍ଦ୍ର ଆକାର ॥
ବ୍ରହ୍ମାଙ୍କୁ ଋଷିଙ୍କ ସମେତେ ।ତଟସ୍ଥ କଲେ ସର୍ବଚିତ୍ତେ ॥
ଦିଗ ପୂରିଲା ସ୍ୱର୍ଗଜିତେ ।ଅଦ୍ଭୁତ ଶରୀର ସହିତେ ॥
ସେ ମାୟାମୟ ରୂପ ହରି ।ଛଳେ ଶୁକର ରୂପ ଧରି ॥
ଦେଖି ଚକିତ ମୁନିଜନେ ।ସଖେଦେ ବିଚାରନ୍ତି ମନେ ॥
ଜନ ତପସ୍ୱୀ ଅନ୍ୟବାସୀ ।ମିଳି ସକଳ ବ୍ରହ୍ମଋଷି ॥
ସ୍ତୁତି କରନ୍ତି ମନ ତୋଷେ ।ଧରଣୀ ଉଦ୍ଧରିବା ଆଶେ ॥
ତାହାର ଗୁଣ ଅନୁବାଦେ ।କ୍ଷମ ନୁହନ୍ତି ଚାରିବେଦେ ॥
ଯା ରୂପ ମନ ଜ୍ଞାନେ ଚିନ୍ତି ।ଅଶେଷ ଶାସ୍ତ୍ରେ ନ ଜାଣନ୍ତି ॥
ମୁନିଙ୍କ ସ୍ତୁତି ବାକ୍ୟଶୁଣି ।ତକ୍ଷଣେ ପ୍ରଭୁ ଚକ୍ରପାଣି ॥
ଦେବଙ୍କ ହିତ ଅର୍ଥେ ହରି ।ପୁଣି ଶୂକର ରୁପଧରି ॥
ଗଜେନ୍ଦ୍ର ଲୀଳା କରି ହେଳେ ।ବିଷ୍ଣୁ ପଶିଲେ ମହାଜଳେ ॥
କ୍ଷୁର-ଲାଙ୍ଗୁଳ ମୁଖ ତାଡ଼ି ।ଶବଦ କଲେ ଘଡ଼ ଘଡ଼ି ॥
ବରାହ ଦେହ ବଳ କୋଣେ ।ଶୂନ୍ୟେ ଚିନ୍ତିଲେ ଦେବଗଣେ ॥
ସ୍ୱର୍ଗ ବିଧୌତ ଜଳ ଲାଗି ।ଧ୍ୱଜେ ହୋଇଲେ ସଉଭାଗୀ ॥
ତକ୍ଷଣେ କ୍ଷୁରକ୍ଷିପ୍ତ ଜଳେ ।ସମୁଦ୍ର ଉଛୁଳେ ଉଲ୍ଲୋଳେ ॥
ପର୍ବତ ପ୍ରାୟେ ଦେହ କାନ୍ତି ।ଜ୍ୟୋତି ସମୂହେ ଝଟକନ୍ତି ॥
ମହି ଖୋଜନ୍ତେ ଘ୍ରାଣ ବଶେ ।ଧରଣୀ ଉଦ୍ଧରିବା ଆଶେ ॥
କରାଳ ଦଂଷ୍ଟ୍ର ଦନ୍ତ ପାଟି ।ଉର୍ଦ୍ଧ୍ୱେ ଚାହାନ୍ତି ଘୋରଦୃଷ୍ଟି ॥
ଅଙ୍ଗ ନିର୍ଘାତ ବ୍ରଜ ପ୍ରାୟେ ।ଦେଖି ଜଳଧି କଲା ଭୟେ ॥
ଉଲ୍ଲୋଳ କର ଉଚ୍ଚେ କରି ।ଡାକଇ ରଖ ଦଇତ୍ୟାରି ॥
ହେ ଯୋଗେଶ୍ୱର ତ୍ରାହିକର ।ମୁଁ ତୁମ୍ଭ ଚରଣେ କିଙ୍କର ॥
ସମୁଦ୍ର ମୁଖରାବଗୋଳେ ।ହରି ପଶିଲେ ରସା ତଳେ ॥
ଜଳେ ନିମଗ୍ନ ବସୁନ୍ଧରୀ ।ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି ॥
ଜଳୁଁ ଆସନ୍ତେ ଊର୍ଦ୍ଧ୍ୱ ମୁଖେ ।ଅସୁର ମିଳିଲା ପ୍ରତ୍ୟକ୍ଷେ ॥
ଆଦି ଅସୁର ସେ ପ୍ରତ୍ୟକ୍ଷ ।ନାମ ତାହାର ହିରଣାଷ ॥
ଗଦା ବୁଲାଇ ଅତିରେକେ ।ମିଳିଲା ଯଜ୍ଞନାଥ ପାଶେ ॥
ମତ୍ତ ମାତଙ୍ଗ ଯେହ୍ନେ ମହୀ ।କର୍କଶ ଦନ୍ତେ ବିଦାରଇ ॥
ତମାଳ ନୀଳବର୍ଣ୍ଣ ଦେହୀ ।ଶୁଭ୍ର ତୀକ୍ଷଣ ଦନ୍ତ ଦୁଇ ॥
ଦନ୍ତର ଅଗ୍ରେ ମହୀ ରହେ ।ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ ॥
ଏମନ୍ତ ରୂପ ଦେଖି ବେଗେ ।ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ॥
ସଙ୍ଗତେ ମୁନିଗଣ ଘେନି ।ସ୍ତୁତି କରଇ ପଦ୍ମଯୋନି ॥
ବ୍ରହ୍ମା ଉବାଚହେ ଯଜ୍ଞ ରୂପୀ ଜନାର୍ଦ୍ଦନ ।ତୋର ବିହାର ତ୍ରିଭୁବନ ॥
ଯଜ୍ଞ ମୂରତି ନିଜ ପିଣ୍ଡେ ।ଯେ ଯଜ୍ଞ ଧର୍ମ କର୍ମକାଣ୍ଡେ ॥
ତୋର ଶରୀର ଲୋମ କୂପେ ।ସମୁଦ୍ର ଲୁଚିଲା ସ୍ୱରୂପେ ॥
ନମୋ ଗୋବିନ୍ଦ ମହୀଧର ।ଅଶେଷ-ମହିମା-ସାଗର ॥
ଯେ କାଳରୂପୀ ତୋ ଚରଣ ।ନିର୍ଭୟେ ପଶିଲୁ ଶରଣ ॥
ଯଜ୍ଞାଦି ଆତ୍ମା ତୋ ଶରୀର ।ଦୁଷ୍କୃତ ଜନେ ଅଗୋଚର ॥
ତୋ ଦେହ ଚର୍ମେ ବେଦ ବସେ ।ଅନଳ ଲୋମକୂପ ବସେ ॥
ଘୃତ ଆହୁତି ନେତ୍ର ଯୁଗେ ।ଚତୁର ହୋତ୍ର ପାଦ ଭାଗେ ॥
ଏ ଶ୍ରୁତବନ୍ତ ତୋର ତୁଣ୍ଡ ।ସ୍ୱରେ ନିର୍ମିତ ନାସାଖଣ୍ଡ ॥
ଓଁ କାର ଉଦରାନୁବନ୍ଧେ ।ଚମସା ରହେ କର୍ଣ୍ଣରନ୍ଧ୍ରେ ॥
ଶଶୀ ଯେ ରହେ ତେଜ ଆଶେ ।ଗ୍ରହେ ବସନ୍ତି ତୋର ପାଶେ ॥
ଶ୍ରବଣେ ଅଗ୍ନି ହୋତ୍ର ରହେ ।ଦୀକ୍ଷାରେ ବେନି ଘଟି ବହେ ॥
ଦନ୍ତେ ବସନ୍ତି ଉଦୟିନୀ ।ମସ୍ତକେ ଯଜ୍ଞଭାବ ଘେନି ॥
ପ୍ରାଣେ ବସଇ ଚନ୍ଦ୍ରଗଣ ।ସମୁଦ୍ରେ ରହେ ଆବରଣ ॥
ପବନ ବସେ ପଞ୍ଚଭୂତେ ।ସତ୍ୱ ଶରୀର ସନ୍ଧି ଗତେ ॥
ମନ୍ତ୍ର ଦେବତା ରୂପେ ତୁହି ।ତୁ ଦେବ ପ୍ରିୟା ଆତ୍ମା ଦେହୀ ॥
ବୈରାଗ୍ୟ ଭକ୍ତି ଆତ୍ମାଜାତ ।ତୁ ନାଥ ଯୋଗେଶ୍ୱର କାନ୍ତ ॥
ତୁ ବିଦ୍ୟା ଗୁରୁଜ୍ଞାନ ଦାତା ।ଜୀବ ଧାରଣେ ପିତା ମାତା ॥
ତୋ ଦନ୍ତ ଅଗ୍ରେ ବସୁନ୍ଧରୀ ।ବିରାଜେ ନିଜ ରୂପ ଧରି ॥
କି ଅବା ଦେବା ପଟ୍ଟାନ୍ତର ।ଜଳେ ଯେସନେ କରୀବର ॥
ପଦ୍ମ ବସନ୍ତ ଅବଗାହେ ।ତୋ ଦନ୍ତଅଗ୍ରେ ଯେହ୍ନେ ଶୋହେ ॥
ଏ ଯେ ଶୂକର ତୋର ଦେହ ।ଅଶେଷ ଯଜ୍ଞ ବେଦମୟ ॥
ଦନ୍ତେ ଧରଣୀ କରେ ଶୋଭା ।କିବା ଉପମା ଆମ୍ଭେ ଦେବା ॥
ପର୍ବତ ଶୃଙ୍ଗେ ଜଳଧର ।ଯେମନ୍ତେ ଦିଶଇ ସୁନ୍ଦର ॥
ଏବେ ଧରଣୀ ସ୍ଥାପ ଜଳେ ।ଭୋ ନାଥ ତୋର ମାୟା ବଳେ ॥
ଏ ଭୂମି କୋଷ ଲୋକଦାତା ।ତୁନାଥ ଜୀବ ଲୋକପିତା ॥
ତୋ ବିନୁ ଅନ୍ୟ କେବା ଜଳେ ।ମହୀ ଉଦ୍ଧାରେ ମହାବଳେ ॥
ଏଣୁ ବିଷୟ ଆର କାହିଁ ।ତୁ ଯେ ଈଶ୍ୱର ବିଶ୍ୱଦେହୀ ॥
ଜଳେ ପଶନ୍ତେ ତୋ ଶରୀର ।ଜଳଧି ଦିଶେ ଭୟଙ୍କର ॥
ତୋ ଲୋମ ଅଗ୍ରେ ଜଳରାଶି ।ଧ୍ୱନି ତୋ ଗଗନ ପ୍ରକାଶି ॥
ଜଳେ ତପସ୍ୟା ତୋ ଭୁବନେ ।ବରାହ ରୂପୀ ତୋଷ ମନେ ॥
ତୋ ନାମ ଜଳେ କରି ସ୍ନାନ ।ଆନନ୍ଦେ କରି ତୋଷମନ ॥
ପବିତ୍ର କଲୁ ପିଣ୍ଡ ପ୍ରାଣ ।ତୋର ଚରଣେ ଭଗବାନ ॥
ତୋ ଗୁଣ ମାୟା ଯୋଗବଳେ ।ଆମ୍ଭେ ମୋହିତ ଏ ଶୟଳେ ॥
ସ୍ଥାନେ ନ ପାରୁ ଆମ୍ଭେ ରହି ।ଆମ୍ଭଙ୍କୁ କର ନାଥ ତ୍ରାହି ॥
ମୈତ୍ରେୟ ଉବାଚବ୍ରହ୍ମାଦି ମୁନିଙ୍କ ବଚନେ ।ବରାହରୂପୀ ତୋଷମନେ ॥
ଜଳେ ବସାଇ ବସୁନ୍ଧରୀ ।ଅଦୃଶ୍ୟ ହୋଇଲେ ମୁରାରୀ ॥
ସେ ହରି ବିଚିତ୍ର ଚରିତେ ।ବିଦୁର ଶୁଣ ଏକ ଚିତ୍ତେ ॥
ସଂସାରୁ ତରିବ ଯେମନ୍ତେ ।ସୁଜନେ ଶୁଣ ତୋଷ ଚିତ୍ତେ ॥
ଯାର ପ୍ରସନ୍ନେ ମାୟା ଘୋର ।ନଳିନୀ ଦଳେ ଯେହ୍ନେ ନୀର ॥
ନ ଲାଗେ ସେ ନୀର ସିଞ୍ଚନ୍ତେ ।ବିଷ୍ଣୁ ପ୍ରବେଶ ଅନ୍ତର୍ଗତେ ॥
କର୍ଣ୍ଣେ ପଶନ୍ତେ ହରିବାଣୀ ।ସୁଧା-ସଦୃଶ୍ୟ ପରିମାଣି ॥
ଆନନ୍ଦେ କର ସୁଧାପାନ ।ଯେଣେ ନୋହିବ ହତଜ୍ଞାନ ॥
ତୃତୀୟ ସ୍କନ୍ଧେ ଭାଗବତ ।ଅଦ୍ଭୁତ ଗୋବିନ୍ଦ ଚରିତ ॥
ଏଣେ ନିବେଶି ବୁଦ୍ଧି-ଚିତ୍ତ ।କହିଲା ଦାସ ଜଗନ୍ନାଥ ॥
ଏ ଅଧ୍ୟା ପୃଥିବୀ ଚରିତ ।ସୁଜନ ଜନଙ୍କର ହିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ପୃଥିବୀ ବର୍ଣ୍ଣନେ ନାମତ୍ରୟୋଦଶୋଽଧ୍ୟାୟଃ ।
ଚତୁର୍ଦ୍ଦଶ ଅଧ୍ୟାୟଶ୍ରୀଶୁକ ଉବାଚମୈତ୍ରେୟ ବାଣୀ ଶୁଣି କର୍ଣ୍ଣେ ।ହରଷ ବିଦୁରର ମନେ ॥
କୃଷ୍ଣ ଶୂକର ରୂପ କଥା ।ଅମୃତ ପଦ ଏହୁ ଗାଥା ॥
ଆନନ୍ଦେ ଶିରେ କର ଦେଇ ।ସନ୍ତୋଷ ଚିତ୍ତେ ପଚାରଇ ॥
ବିଦୁର ଉବାଚଯଜ୍ଞବରାହ ରୂପ ଧରି ।ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥
ଜଳେ ଆସନ୍ତେ ଊର୍ଦ୍ଧ୍ୱ ଦନ୍ତେ ।ଆଦି ଅସୁରର ଅଗ୍ରତେ ॥
ମିଳିଲା ଗଦା ହସ୍ତେ ଧରି ।ତା ଦେହ ଦନ୍ତାଗ୍ରେ ବିଦାରି ॥
ଶୁଣି ଏ କଥା ତୁମ୍ଭ ମୁଖେ ।ଏବେ ପଚାରେ ମନସୁଖେ ॥
ଏ ଦୈତ୍ୟ ତେଜ ଅନର୍ଗଳା ।କି ହେତୁ ଗଦାଯୁଦ୍ଧ କଲା ॥
ତାହାର ଜନ୍ମ କର୍ମ ଯେତେ ।ବିସ୍ତାରି କହ ମୋ ଅଗ୍ରତେ ॥
ପରମ କୁତୁହଳ ବାଣୀ ।ଜୀବ ତରଇ ଏହା ଶୁଣି ॥
ତୁ ଧନ୍ୟ ସାଧୁ କୁରୁବୀର ।ସ୍ୱଧର୍ମ ପ୍ରଶ୍ନ ଏ ତୋହର ॥
ହରି ଚରିତ ଗୁଣଗାଥା ।ଅମୃତ ରସମୟ କଥା ॥
ଯାହା ଶୁଣନ୍ତେ ମୃତ୍ୟୁ ପାଶ ।ସୁତପ୍ତ ଚକ୍ରେ ହୋଇ ନାଶ ॥
ହେ ସ୍ୱାୟମ୍ଭୁବ ମନୁ ସୁତ ।ଶାନ୍ତନୁ ତନୟ ବିଖ୍ୟାତ ॥
ତପର ବଳେ ସେ ପ୍ରଚଣ୍ଡେ ।ଚରଣ ଦେଇ ମୃତ୍ୟୁପିଣ୍ଡେ ॥
ସ୍ୱଭାବେ ତେଜ ଅନର୍ଗଳା ।ପରମ ପଦେ ସେ ପଶିଲା ॥
ତୁ ଏବେ ପଚାରିଲୁ ମୋତେ ।ଶୁଣ ବିଦୁର ଏକ ଚିତ୍ତେ ॥
ପ୍ରସ୍ତାବେ ଇତିହାସ ବାଣୀ ।ଦେବଙ୍କ ସଭା ମଧ୍ୟେ ଶୁଣି ॥
ଜାଣାଇ ଏଥିର କାରଣ ।କହିବି ଏକଚିତ୍ତେ ଶୁଣ ॥
ଦକ୍ଷ ଦୁହିତା ଦିତି ନାମା ।କଶ୍ୟପ ଋଷିଙ୍କର ବାମା ॥
ସେ ଏକଦିନେ ଯଜ୍ଞଶାଳେ ।ଏକେ ପଶିଲା ସନ୍ଧ୍ୟାକାଳେ ॥
ବସିଲା ନିଜ ପତି ପାଶେ ।କାମେ ଜଡ଼ିତ ରତି ଆଶେ ॥
ସେ ମହାମୁନି ତାହାପରେ ।ମନ୍ତ୍ର ଆହୁତି ଦେବାଠାରେ ॥
ଯଜ୍ଞ ପୁରୁଷ ପ୍ରୀତି ଅର୍ଥେ ।ଅସ୍ତ ଅଚଳ ସୂର୍ଯ୍ୟଗତେ ॥
ନିବିଡ଼ ସନ୍ଧ୍ୟା ଆଗମନେ ।ମିଳିଲା ସ୍ୱାମୀ ସନ୍ନିଧାନେ ॥
କର ପଲ୍ଲବ ଶିରେ ଦେଇ ।କହେ କଶ୍ୟପ ମୁଖ ଚାହିଁ ॥
ଦିତି ଉବାଚଭୋ ନାଥ ଶୁଣ ତପୋଧନ ।କନ୍ଦର୍ପ ଘେନି ଶରାସନ ॥
ଅନଙ୍ଗ ବାଣେ ମୋର ମନ ।କହଇ ଶୁଣ ସାବଧାନ ॥
କଦଳୀ ବନେ ଯେହ୍ନେ ଗଜ ।ଦନ୍ତେ ବିଦାରେ ଅତି ତେଜ ॥
ମୋ ପିତା ଦକ୍ଷ ପ୍ରଜାପତି ।ଯାର ସହିତେ ତାର ମତି ॥
ଆମ୍ଭର ଘରେ ପୁତ୍ର ଯେତେ ।ଧର୍ମ ପାଳିବେ ସେ ଜଗତେ ॥
ଏ କଥା ମନେ ବିଚାରିଲା ।ଯାନ୍ତେ ଆମ୍ଭଙ୍କୁ ପଚାରିଲା ॥
ସମ୍ମତି ଦେଖିଲା ଆମ୍ଭର ।ତେଣୁ ବରିଲା ତୋତେ ବର ॥
ଆମ୍ଭେ ଯେ ଭଗ୍ନି ତୋର ପାଶେ ।ତୁମ୍ଭର ଚରଣ ବିଶ୍ୱାସେ ॥
ଆମ୍ଭର ଶୀଳରୂପ ଗୁଣ ।ତୁମ୍ଭେ ତ ପ୍ରତ୍ୟକ୍ଷେ ପ୍ରମାଣ ॥
ଭୋ ନାଥ ନଳୀନ ବଦନ ।ଏବେ ତୁ କର ମୋ ବଚନ ॥
ମୋର ସଙ୍ଗତେ କର ରତି ।ସୁଭୋଗେ ହେଉ ମୋର ଶାନ୍ତି ॥
ଏମନ୍ତ ଶୁଣିଣ ବଚନ ।କଶ୍ୟପ ଋଷି ଦୁଃଖ ମନ ॥
ଏ ସନ୍ଧ୍ୟାକାଳେ ମୋର ପାଶେ ।ତୁ ଯେ ମିଳିଲୁ ରତି ଆଶେ ॥
ଯେ ଧର୍ମ-ପ୍ରମାଣେ ତୋହର ।ଅନ୍ୟଥା କେ କରୁ ତାହାର ॥
ଏଣୁ ତୋହର ପ୍ରିୟ ଯେତେ ।କରିବି ତୋହର ଆୟତେ ॥
ସଂସାର ବେଭାରଟି ଏହି ।ଏ ଧର୍ମ କର୍ମେ ରହେ ଗୃହୀ ॥
ସର୍ବ ଆଶ୍ରୟ ମଧ୍ୟେ ସାର ।ପୁତ୍ର କଳତ୍ର ଧନ ଘର ॥
ଏଣୁ ମୋହର ଚିତ୍ତ ରସେ ।ବୋଇତ ଯେହ୍ନେ ଜଳେ ଭାସେ ॥
ଆମ୍ଭର ଅଙ୍ଗ ମଧ୍ୟ ନାରୀ ।ଅନ୍ୟଥା କେବା କରିପାରି ॥
ତାହାର ତହିଁ ଗୃହକାର ।ଦେଇ ନିରତେ ଥାନ୍ତି କର ॥
ଯାହାର ଆଶ୍ରେ ପ୍ରାଣୀ ଥାଇ ।ଇନ୍ଦ୍ରିୟ ଚିତ୍ତକୁ ଜିଣଇ ॥
ଏ କଥା କେ କରିବ ଆନ ।ଯାହା ସଞ୍ଚିଲେ ଭଗବାନ ॥
ଏବେ ଉଦ୍ଧର ଆତ୍ମା ମନେ ।ଶୁଭେ ନ ରହ ମୋ ଚରଣେ ॥
ଦେଖ ଏ ଭୟଙ୍କର ବେଳା ।ପ୍ରେତ-ପିଶାଚଗଣ ମେଳା ॥
ଭୂତ-ବେତାଳଗଣ ରଙ୍ଗେ ।ଭବାନୀଗଣ ଘେନି ସଙ୍ଗେ ॥
ଭୁତରେ ବସି ଭୂତପତି ।ଦେଖଇ ସର୍ବଜନ ଗତି ॥
ମୋହର ଦେହେ ସେ ସ୍ୱଭାବେ ।କେ କହିପାରୁ ଏହି ଭାବେ ॥
ପର ଅପର ଯାର ନାହିଁ ।ବଦନେ ନିନ୍ଦା ସ୍ତୁତି କାହିଁ ॥
ଆମ୍ଭେ ସକଳ ଯା ଚରଣେ ।ସେବୁଛୁଁ ବ୍ରହ୍ମ ଆଚରଣେ ॥
ଯାହାର ପ୍ରସନ୍ନେ ସୌଭାଗୀ ।ଯେ ନର ଆତ୍ମା ଗୁଣେ ଭୋଗୀ ॥
ଯାର ନିର୍ମଳ ଗୁଣ ଚିନ୍ତି ।କିବା ପଟଳେ ସର୍ବେଛନ୍ତି ॥
ଚିନ୍ତନ୍ତି ନିର୍ଲ୍ଲେପ ଶରୀର ।ଦେବ ମାନବେ ଅଗୋଚର ॥
ଏମନ୍ତେ ସ୍ୱାମୀ ମୁଖୁ ଶୁଣି ।ସ୍ୱଭାବେ ଲଜ୍ଜିତ ତରୁଣୀ ॥
ପିଶାଚ ଚେଷ୍ଟା ଦେଖି ତାର ।ସୁମନେ କରନ୍ତି ବିଚାର ॥
ଅଭାଗୀ ପ୍ରାଣୀ ଏହି ମତି ।ଯେ ତା ମହିମା ନ ଜାଣନ୍ତି ॥
ନିର୍ମଳ ଚିତ୍ତେ ଯୋଗୀ ଜନେ ।ଧ୍ୟାନେ ଚିନ୍ତନ୍ତି ତା ଚରଣେ ॥
ତପ ପ୍ରସନ୍ନେ ଯୋଗେ ଚିନ୍ତି ।ଅଶେଷ ସମ୍ପଦ ଭୁଞ୍ଜନ୍ତି ॥
ଘୋର ଗହନେ ମୁନିଗଣେ ।ଯାର ପ୍ରସନ୍ନେ ଯୋଗ ଧ୍ୟାନେ ॥
ବ୍ରହ୍ମାଦି ଦେବେ ଯା କିଙ୍କର ।ଯା ମାୟାବଳେ ଏ ସଂସାର ॥
ସୃଷ୍ଟି ପାଳନ ସଂହାରଣ ।ଯେ ବିଶ୍ୱ ପରମ-କାରଣ ॥
ପିଶାଚ ଚେଷ୍ଟା ତାର ଦେଖି ।ସାଧବ ଜନେ ହୋନ୍ତି ଦୁଃଖୀ ॥
ଚରିତ ବିଡ଼ମ୍ବନ ତାର ।ଦେବ ମାନବେ ଅଗୋଚର ॥
ଏମନ୍ତ ସ୍ୱାମୀ ମୁଖୁଁ ଶୁଣି ।ସ୍ୱଭାବେ ଉନ୍ମତ୍ତ ତରୁଣୀ ॥
ମଦନ ବାଣେ ଭୋଳ ଚିତ୍ତ ।ବେଗେ ଧଇଲା ସ୍ୱାମୀ ହସ୍ତ ॥
ବସ୍ତ୍ର ଆକର୍ଷି ବାମକରେ ।କଟାକ୍ଷେ ଚାହେଁ ରୋଷଭରେ ॥
ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି ।ରମଣ ରସେ ଚିତ୍ତେ ବୁଡ଼ି ॥
ବଳେ ଫେଇଲା ତାର ଅଙ୍ଗ ।ଆକର୍ଷେ ସ୍ୱକାମ ଅନଙ୍ଗ ॥
ପତ୍ନୀ ରମଣ ସଙ୍ଗ ବରି ।ତକ୍ଷଣେ ଆଚମନ କରି ॥
କର ଚରଣ ଧୋଇ ଜଳେ ।ମଉନେ ବସିଲେ ନିଶ୍ଚଳେ ॥
ଗାୟତ୍ରୀ ମନ୍ତ୍ର ପ୍ରଣିଧାନ ।କରି ଚିନ୍ତିଲେ ବ୍ରହ୍ମଧାମ ॥
ନିର୍ମଳ ଜ୍ୟୋତିରୂପେ ମନ ।ନିବେଶି ହୋଇଲେ ମଉନ ॥
ତକ୍ଷଣେ ଦିତି ଉଠି ବେଗେ ।ବସ୍ତ୍ର ଆଚ୍ଛାଦି ସର୍ବ ଅଙ୍ଗେ ॥
ସଲଜେ ଅଧୋମୁଖ ହୋଇ ।କହେ କଶ୍ୟପ ମୁଖ ଚାହିଁ ॥
ଦିତି ଉବାଚଏ ଗର୍ଭ ହୋଇବ ମୋହର ।ସ୍ୱଭାବେ ମହା ଭୟଙ୍କର ॥
ପ୍ରାଣୀଙ୍କ ତେଜ ସେ ହରିବ ।ଦୁର୍ବୁଦ୍ଧି ପଣେ ଦୁଷ୍ଟ ଭାବ ॥
ଅବଜ୍ଞା କରି ନିଜ ପତି ।ମୁଁ ଯେ ଆଚରିଲି ଅନୀତି ॥
ଯୋଗୀନ୍ଦ୍ର ନମୁ ତୋ ଚରଣେ ।ତୋର ବିହାର ଭୂତଗଣେ ॥
ସର୍ବ ବିନାଶ ଦଣ୍ଡଧର ।ତୁ ଦଣ୍ଡୁ ଦୁର୍ଦ୍ଦଣ୍ଡ କ୍ରୋଧର ॥
ତୁ ଭୀମ ରୂପ କ୍ଷମା ପତି ।ନମୋ ନମସ୍ତେ ପ୍ରଭୁ ଗତି ॥
ଗର୍ଭ ଆମିଷ ମନ ଦେଇ ।କହେ କଶ୍ୟପ ମୁଖ ଚାହିଁ ॥
ତକ୍ଷଣେ ଧ୍ୟାନ ଛାଡ଼ି ବେଗେ ।ମୁନି କହନ୍ତି ପତ୍ନୀ ଆଗେ ॥
କଶ୍ୟପ ଉବାଚଭୋ ସଖି ଶୁଣ ଶୁଦ୍ଧ ଚିତ୍ତେ ।ଏ କର୍ମ ତୋହର ଆୟତେ ॥
ମୁହୂର୍ତ୍ତ ଦୋଷ ଭୟଙ୍କର ।ଦେହ ହେଳନ କର୍ମ ତୋର ॥
ଏ ଦୋଷ ତୋର କର୍ମ ଗତେ ।କର୍ମ ହୋଇବ ବିନା ସୂତ୍ରେ ॥
ସୁଷ୍ଟି ହୋଇବ ଏ ଶୟଳେ ।ତପ ସାଧନେ କର୍ମ ଫଳେ ॥
ଏ ତିନି ପୁରେ ରାଜା ଗଣେ ।ସକଳ ଖଟିବେ ଚରଣେ ॥
ଧନ ଜୀବନ ସେ ହରିବେ ।ପ୍ରାଣୀଙ୍କ ଦୁଃଖ ସୁଖ ଦେବେ ॥
ନିର୍ଦ୍ଦୋଷ ପ୍ରାଣୀଙ୍କ ମାରଣେ ।ପର ରମଣୀ କରଷଣେ ॥
ମହାନ୍ତ ଜନେ କୋପ ଜାତ ।ବଳେ ହରିବେ ବେନି ଭ୍ରାତ ॥
ତାହାଙ୍କ ଦେଖି ଦୁଷ୍ଟ ପଣ ।କୋପିବେ ଦେବ ନାରାୟଣ ॥
ଏ ଭୂମି ମଧ୍ୟେ ରୂପ ବହି ।ବିଷ୍ଣୁ ମାରିବେ ବେନି ଭାଇ ॥
ଇନ୍ଦ୍ର ଯେସନେ ବ୍ରଜ ଧରେ ।ଘୋର ପର୍ବତ ଦର୍ପ ହରେ ॥
ଦିତି ଉବାଚଭୋ ନାଥ ମୋର ପୁତ୍ର ଯେବେ ।ସମ୍ଭବ ଦୁଷ୍ଟ କର୍ମ ଭାବେ ॥
ବିଷ୍ଣୁର ଶସ୍ତ୍ରେ ହେବେ ନାଶ ।ଏଣେ ମୋହର ନାହିଁ ରୋଷ ॥
ତହିଁକି ଡର ମୋର ନାହିଁ ।ବ୍ରାହ୍ମଣ ଶାପକୁ ଡରଇ ॥
ବ୍ରାହ୍ମଣ କୋପେ ଯେ ମରନ୍ତି ।ପ୍ରାଣୀଙ୍କ ବଧ ଆଚରନ୍ତି ॥
ତାହାଙ୍କୁ ନାହିଁ ସୁଖ ଲେଶ ।ନରକେ ହୁଅନ୍ତି ପ୍ରବେଶ ॥
କଶ୍ୟପ ଉବାଚକର୍ମ ଅବଳେ ବୀର୍ଯ୍ୟ ଯୋନି ।ଜନ୍ମ ଲଭନ୍ତି ଦେହ ଘେନି ॥
ଅଶେଷ ଦୁଃଖ ପଳ ଭୋଗେ ।ଭୁଞ୍ଜନ୍ତି ଜୀବନ ସଂଯୋଗେ ॥
ସଂସାର ଶୋକ ଅନୁତାପେ ।ଯେବା ଅର୍ଜିବ ବଳଦର୍ପେ ॥
ବିଷ୍ଣୁର ହସ୍ତେ ପ୍ରାଣ ଦେଇ ।ସମ୍ଭୁତ ରୂପେ ବେନି ଭାଇ ॥
ତାହାଙ୍କ ପୁତ୍ରଙ୍କର ମଧ୍ୟେ ।ବିଷ୍ଣୁର ଭକ୍ତ ଅନୁବାଦେ ॥
ହୋଇବେ ବିଷ୍ଣୁ ଭକ୍ତ ସାର ।ଅତୁଲ୍ୟ ସୁଖ ସୁବିଚାର ॥
ତାହାର ଶତ ଇହଲୋକେ ।ବିଷ୍ଣୁ ଭକତି ମନ ସୁଖେ ॥
ତା ଯଶ ଗାଇ ନିରନ୍ତରେ ।ତରିବେ ଏ ଭବ ସଂସାରେ ॥
ଯାର ପ୍ରସନ୍ନେ ଏ ସଂସାର ।ହୋଇବେ ମାୟାବନ୍ଧୁ ପାର ॥
ସେ ମହାଭାଗବତ ବାଣୀ ।ଯା ଯଶ ଗାଇ ତରେ ପ୍ରାଣୀ ॥
ସେ ବିଷ୍ଣୁ ଭାବ ଅତିରେକେ ।ଅନ୍ତେ ମିଳିବେ ବିଷ୍ଣୁ ଲୋକେ ॥
ତୁ ପୁଣି ଦେଖିବୁ ତା ମୁଖ ।ଲଭିବୁ ଅତିଶୟ ସୁଖ ॥
ସୁକର୍ମ କରି ସୁକୁମାର ।କର୍ଣ୍ଣେ କୁଣ୍ଡଳ ହୃଦେ ହାର ॥
ମୈତ୍ରେୟ ଉବାଚପୁତ୍ର ପୁତ୍ରର ଗୁଣ ଗୁଣି ।ବୈଷ୍ଣବ-ଗୁଣେ ଶିରୋମଣି ॥
ଅନ୍ତର ଆତ୍ମା ଅତି ଦୋଷେ ।ସ୍ୱାମୀଙ୍କୁ ନମିଲା ହରଷେ ॥
ଦିତି-କଶ୍ୟପର ସମ୍ବାଦ ।ଶୁଣ ସୁଜନେ ଜ୍ଞାନ ଭେଦ ॥
ତୃତୀୟ ସ୍କନ୍ଧେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।
ପଞ୍ଚଦଶ ଅଧ୍ୟାୟମୈତ୍ରେୟ ଉବାଚଦିତି ଉଦରେ ଶୂନ୍ୟମାର୍ଗେ ।ସେ ପ୍ରଜାପତି ତେଜ ବୀର୍ଯ୍ୟେ ॥
ଶତେ ବରଷ ବେଦ ମତେ ।ଗର୍ଭେ ଧଇଲା ଭୟଚିତ୍ତେ ॥
ଦେବ ଦଳନ ତେଜ ଶୁଣି ।ଅନ୍ତରେ ଭାଳଇ ତରୁଣୀ ॥
ନ ଜାଣି କଲି ଏଡ଼େ କର୍ମ ।କାମେ ହୋଇଲି ମତି ଭ୍ରମ ॥
ଦଇବ ଯୋଗେ ବଳୟାର ।କି କରିପାରେ ସୁରନର ॥
ଏବେ ହୋ ଶୁଣ କୁରୁବୀର ।ସଂସାରେ ହୁଏ ଅନ୍ଧକାର ॥
ଏ କାଳ ମହିମା ଯେ ଜାଣେ ।ଆଗମ ନିଗମ ପ୍ରମାଣେ ॥
ଦେବ ଉଚୁଃତୁ ଦେବ ଦେବ ଜଗନ୍ନାଥ ।ଆମ୍ଭେ ସକଳ ତୋର ଭୃତ୍ୟ ॥
ତୁ ପରାତ୍ପର ଭାବଗ୍ରାହୀ ।ଜଗତେ ମାୟାବଳେ ମୋହି ॥
ଗୃହସ୍ଥଭାବେ ଗୁଣ ବହି ।ତୋ ରୂପ ନ ଜାଣନ୍ତି କେହି ॥
ମନ ପବନ ହୃଦେ ଛନ୍ଦି ।ଇନ୍ଦ୍ରିୟ ସମୂହେ ନିରୋଧି ॥
ତୋର ପ୍ରସନ୍ନେ ଯେ ଲଭନ୍ତି ।ତାହାଙ୍କୁ ନାହିଁ ଭୟଭୀତି ॥
ତାର ବଚନେ ରାଜାଗଣେ ।ଭାବେଣ ଥାନ୍ତି ଅନୁକ୍ଷଣେ ॥
ତରନ୍ତି ଭବ ଭୟ ତ୍ରାସ ।ତୁ ନାଥ ଅନାଦି-ପୁରୁଷ ॥
ଆମ୍ଭର ସୁଖ ଲାଭ ଜୟେ ।ଭୋ ନାଥ କର ତୁ ଉପାୟେ ॥
ନିଗମ ମାର୍ଗେ ତାଙ୍କ ଗତି ।ତ୍ରିଦଶ ଭୋଗେ କଲା ରତି ॥
ଦିତିର ଗର୍ଭେ ପୁତ୍ର ହେଲା ।ସେ ଭୟେ ଭୁବନ କମ୍ପିଲା ॥
ଏ ସର୍ବ ଦିଶେ ଅନୁତେଜେ ।ଦହିବା ପ୍ରାୟେ ସେ ବିରାଜେ ॥
ଏମନ୍ତ ଦେବେ ସ୍ତୁତି ଶୁଣି ।ସମ୍ଭ୍ରମ ଚିତ୍ତେ କୁଶପାଣି ॥
ଶବଦ ଭେଦେ ବ୍ରହ୍ମା ବର ।ଦେବଙ୍କୁ କହନ୍ତି ମଧୁର ॥
ବ୍ରହ୍ମୋ ଉବାଚଶୁଣ ସକଳ ଦେବଗଣ ।କହିବା ଏଥିର କାରଣ ॥
ତୁମ୍ଭର ପୂର୍ବ ସୃଷ୍ଟି ଭାବେ ।ମୁଁ ଯେ ବସିଲି ଧ୍ୟାନ ଭାବେ ॥
ସନକ ଆଦି ଚତୁର୍ଭ୍ରାତେ ।ଜନ୍ମିଲେ ମୋର ଶୁଦ୍ଧ ଚିତ୍ତେ ॥
ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା ।ଏଣୁ ହୋଇଲା ଊର୍ଦ୍ଧ୍ୱ ରେତା ॥
ଗଗନ ମାର୍ଗେ ତାଙ୍କ ଗତି ।ସକଳ ଭୁବନେ ମିଳନ୍ତି ॥
ଏକା ବିଖ୍ୟାତ ମୋର ଶିକ୍ଷା ।ନିଶ୍ଚେ ପରମହଂସ ଦୀକ୍ଷା ॥
ଧୂଳି ଧୂସର ଦିଗମ୍ବର ।ନିତ୍ୟେ ନିର୍ଭୟେ ଅଗୋଚର ॥
ଏ ମୁନିଗଣ ଏକ ଦିନେ ।ମିଳିଲେ ବିଷ୍ଣୁର ଭୁବନେ ॥
ଅଚ୍ୟୁତ ବୈକୁଣ୍ଠ ବିହିତ ।ସର୍ବ ଦେବତା ନମସ୍କୃତ ॥
ଯହିଁ ପୁରୁଷେ ଯାହା ସୁଖେ ।ବସନ୍ତି ବିଷ୍ଣୁର ସମ୍ମୁଖେ ॥
ସର୍ବେ ବସନ୍ତି ବିଷ୍ଣୁ ରୂପେ ।ବିନାଶ ନାହିଁ କାଳକଳ୍ପେ ॥
ନିମିଷେ ନିମିଷ ଆଚାରେ ।ହରିଙ୍କୁ ଭଜନ୍ତି ବେଭାରେ ॥
ଯହିଁ ଆଦି ପୁରୁଷ ହରି ।ଭକ୍ତ ବତ୍ସଳ ରୂପ ଧରି ॥
ସର୍ବ ଗୋଚର ଦୃଷ୍ଟି ପାତେ ।ବିଷ୍ଣୁଙ୍କ ସଙ୍ଗ ଅବିରତେ ॥
ନିର୍ମଳ ସତ୍ୟ ଯୁଗେ ହରି ।ସୁଜନେ ସମ୍ଭବ ବିସ୍ତାରି ॥
ଯହିଁ ବିମଳ ନାମେ ବନ ।ଆନନ୍ଦେ କଳ୍ପବୃକ୍ଷ ସ୍ଥାନ ॥
ସକଳ ଋତୁ ଯହିଁ ବସେ ।ଅନ୍ୟ ସେ ରହି କଳ୍ପପାଶେ ॥
ଯହିଁ ବିମାନ ଶତ ଶତ ।ଦିବ୍ୟ କାମିନୀ ଯୂଥ ଯୂଥ ॥
କୋଟି ଶଶାଙ୍କ ରୂପ କାନ୍ତି ।ବିଷ୍ଣୁର ରୂପ ଗୁଣ ଜ୍ୟୋତି ॥
ବିଶ୍ରାମ ପୁଣ୍ୟଜଳ ସ୍ଥଳେ ।ମଧୁ ମାଧବ ଗନ୍ଧ ଭୋଳେ ॥
ନାନା ପକ୍ଷୀଏ ରସ ଭରେ ।କୋକିଳେ ଡାକନ୍ତି ସୁଖରେ ॥
ଚକ୍ରବାକ ଆଦି ସାରସ ।ଭୃଙ୍ଗ ଭୃଙ୍ଗୁଣୀ ସୁପ୍ରକାଶ ॥
ସର୍ବେ କରନ୍ତି ହରି ଗାଥା ।ଯେ ଭାବେ ଖଣ୍ଡେ ଭବ ବ୍ୟଥା ॥
କୁନ୍ଦ କୁରୁବକ ମନ୍ଦାର ।ଉତ୍ପଳ ଚମ୍ପକ ବକୁଳ ॥
ପୁନ୍ନାଗ ଅଗ୍ର ପାରିଜାତ ।ତୁଳସୀ ବନ ସୁଲଳିତ ॥
ନାନା କୁସୁମେ ପରିମଳ ।ସୁଗନ୍ଧ ସମୀର ଶୀତଳ ॥
ମୁକୁତା ବୈଦୁର୍ଯ୍ୟେ ଯେ ହେମ ।ସହସ୍ର ସମୂହ ବିଧାନ ॥
ସୁଦତୀ ଶତ ଶତ ଯହିଁ ।ବସନ୍ତି କୃଷ୍ଣ କଥା ଗାଇ ॥
ପରମ ଲକ୍ଷ୍ମୀ ଯହିଁ ନିତ୍ୟେ ।ନୀଳ ଲୋହିତ ପଦ୍ମ ହସ୍ତେ ॥
ସୃଷ୍ଟି କଳ୍ପଇ ପୁରେ ବସି ।ବାଦନ ପୂରି ବାଦ୍ୟ ଘୋଷି ॥
ସୁବର୍ଣ୍ଣାଶ୍ୱତ୍ଥ ଗୃହ ମଧ୍ୟେ ।ବିରାଜେ ଭୁବନ ଆନନ୍ଦେ ॥
ପଦ କଳ୍ପିତ ସେ ରଜନୀ ।ପାବନୀ ପଦ୍ମକରେ ଘେନି ॥
ବିଷ୍ଣୁର ଅନୁଗ୍ରହ ଆଶେ ।ତୁଳସୀ ବନ ପୁଷ୍ପ ବାସେ ॥
ସେ ବନେ ପଶେ ପୁଷ୍କ ଗନ୍ଧ ।ତୀରେ ପ୍ରବଳ ତଟ ସ୍କନ୍ଧ ॥
ଏ ପୁରେ ଶତ ପାପୀଜନ ।ପ୍ରବେଶେ ନୁହନ୍ତି ଭାଜନ ॥
ସେ ଅନ୍ୟ ଆତ୍ମା ରତି କରେ ।ଗୋବିନ୍ଦ ଗୁଣ ନ ସୁମରେ ॥
ଦୁଷ୍କୃତେ ଯେ ଜନ ରମନ୍ତି ।ନରକ ମାର୍ଗେ ତାର ଗତି ॥
ସେ କାହିଁ ମଣିବେ ସେ ପୁରେ ।ନରକେ ପଡ଼ନ୍ତି ନିର୍ଭରେ ॥
ଯେ ଯୋଗମାର୍ଗ ଅନୁବାଦେ ।ଦମ୍ଭେ କଠୋର ତପ ସାଧେ ॥
ମନ-ପବନ ହୃଦେ ଛନ୍ଦି ।ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥
ଯେଣେ ଗୋବିନ୍ଦ ଭାବ ନାହିଁ ।ସେ ପୁରେ ପଶିବେ ସେ କାହିଁ ॥
ବିଷ୍ଣୁର ମାୟାବଳେ ବୁଡ଼ି ।ଜନ୍ମ-ମରଣେ ଥାନ୍ତି ପଡ଼ି ॥
ବ୍ରହ୍ମାଦି ଦେବତା ଚରଣେ ।ଏ ଯେ ଖଟନ୍ତି ଅନୁକ୍ଷଣେ ॥
ନିଗମ ମାର୍ଗେ ଗାଥା ଗାଇ ।ପାଦେ ଖଟନ୍ତି ବଳିଆଇ ॥
ବିଷ୍ଣୁର ଯଶ ଗୁଣ ଗାଥା ।ନିତ୍ୟେ କରନ୍ତି ମନେ ଚିନ୍ତା ॥
ଆନନ୍ଦେ ଅଶ୍ରୁ ବହେ ନେତ୍ରେ ।ଲୋମ ହରଷ ସର୍ବ ଗାତ୍ରେ ॥
ଏମନ୍ତେ ବିଷ୍ଣୁର ଭୁବନେ ।ପଶିଲେ ବ୍ରହ୍ମାର ନନ୍ଦନେ ॥
ଯହିଁ ପୁରାଣ ଇତିହାସ ।ଆଗମ ନିଗମେ ପ୍ରକାଶ ॥
ତହିଁ ବେଦାନ୍ତ ଯୋଗ ମାର୍ଗେ ।ଶ୍ରୁତିଏ ଥାନ୍ତି ସାଂଖ୍ୟଯୋଗେ ॥
ସ୍ତୁତି କରନ୍ତି ଅନୁଧ୍ୟାନେ ।କୃଷ୍ଣ ଚରିତ ଗୁଣଗାନେ ॥
ଏମନ୍ତେ ଶାସ୍ତ୍ର ମୂର୍ତ୍ତିମନ୍ତେ ।ଯହିଁ ସେବନ୍ତି ଅବିରତେ ॥
ଯେ ପୁରେ ପଶି ମନସୁଖେ ।ଆନନ୍ଦେ କୃଷ୍ଣପାଦ ଦେଖେ ॥
ନିରତେ ହରି ଗୁଣ ଚିନ୍ତି ।ବିଷ୍ଣୁ ମାୟାରେ ନ ପଡ଼ନ୍ତି ॥
ଚାରି କୁମର ଏକମେଳେ ।ଆନନ୍ଦେ ପଶିଲେ ସେ ଦ୍ୱାରେ ॥
ସପ୍ତମ ଦ୍ୱାରେ ଯାନ୍ତେ ବଳେ ।ଆଗେ ମିଳିଲେ ଦ୍ୱାରପାଳେ ॥
ଦିଶନ୍ତି ବିଷ୍ଣୁ ରୂପ ତେଜ ।ସୁବର୍ଣ୍ଣ ବେତ ଘେନି ତେଜ ॥
ସେ ବ୍ରହ୍ମ ପୁତ୍ରେ ଚତୁର୍ଜନେ ।ମିଳିଲେ ବିଷ୍ଣୁ ସନ୍ନିଧାନେ ॥
ଦ୍ୱାର କବାଟ ହେମମୟେ ।ପ୍ରାଣୀ ନୟନ ମନ ମୋହେ ॥
ସେ ଦ୍ୱାରେ ମିଳି ଚତୁଃଭାଇ ।ଦ୍ୱାର ରୁନ୍ଧିଲେ ବେନି ଭାଇ ॥
ସେ ଚତୁଃଭାଇ ବ୍ରହ୍ମାସୁତ ।ଦେବଙ୍କ ପରେ ସୂର୍ଯ୍ୟ ଜାତ ॥
ସ୍ୱଭାବେ ସର୍ବ ସେ ଅଟନ୍ତି ।ବାଳକ ପ୍ରାୟେ ତାଙ୍କ ଗତି ॥
ପଞ୍ଚ ବରଷେ ପୁତ୍ର ପ୍ରାୟେ ।ଦିଶନ୍ତି ବସ୍ତ୍ର ନାହିଁ ଦେହେ ॥
ଭଲ ନ ଦେଖି ତାଙ୍କ ରୂପ ।ହୃଦେ ବସିଲା ମହାକୋପ ॥
ତକ୍ଷଣେ ଅତି କୋପଭରେ ।ନିରୋଧ କଲେ ଚତୁର୍ଦ୍ୱାରେ ॥
ଖେଳନ୍ତି ଅନ୍ୟୋଅନ୍ୟେ ଚାହିଁ ।ଏ ଭାବ ଏ ପୁରେ ତ ନାହିଁ ॥
ମୁନୟ ଉଚୁଃଏ ଦ୍ୱାରପାଳ ବେଗେ ଯାଇ ।କୁହୁକ ଜନ ପ୍ରାୟ ହୋଇ ॥
ଯେବେ ବୈକୁଣ୍ଠ ପୁରେ ଥାନ୍ତି ।ତାକୁ ନ ଲାଗେ ରିପୁ ଭ୍ରାନ୍ତି ॥
କାମାଦି ମତ ବେନି ଭାଇ ।ଏ ପୁରେ ଦମ୍ଭେ ଥିବେ କାହିଁ ॥
ସ୍ୱଭାବେ ସର୍ବ ପ୍ରାଣୀ ହୃଦେ ।ହରି ବସନ୍ତି ଆତ୍ମା ପଦେ ॥
ସର୍ବ ଅନ୍ତରେ ବିଷ୍ଣୁ ରୂପୀ ।ଘଟ ଆକାଶ ପ୍ରାୟେ ବ୍ୟାପି ॥
ସମ ଅସମ ଯହିଁ ନାହିଁ ।ଅନ୍ୟାୟ କଲେ ବେନି ଭାଇ ॥
ବିଷ୍ଣୁର ଦ୍ୱାରପାଳ ପଦେ ।ଗର୍ବ ଯେ କଲେ ହୃଦ ଭେଦେ ॥
କପଟ ଧର୍ମ ବେନି ଭାଇ ।ଏ ପୁରେ ଥିବା ନ ଯୋଗାଇ ॥
ଏବେ ହୋ ପଡ଼ ମହା ତଳେ ।ଜନ୍ମିବ ଅସୁରର କୋଳେ ॥
ତୃତୀୟ ଜନ୍ମ ଭୋଗସାରି ।ପୁଣି ଲଭିବ ବିଷ୍ଣୁ ପୁରୀ ॥
ପୁଣି କହିଲେ ଦୟାଚିତ୍ତେ ।ସ୍ୱଭାବେ ମହା ଦୃଢ଼ଚିତ୍ତେ ॥
ଏହାଙ୍କ ମଧ୍ୟେ ବିଷ୍ଣୁଭାବ ।କଳାଏ ମାତ୍ର ଅଂଶ ଥିବ ॥
ଅର୍ଜିଲା କର୍ମର ଆୟତେ ।ଜନ୍ମ ମରଣ ଏ ଜଗତେ ॥
ଏ ବ୍ରହ୍ମ ଦଣ୍ଡ ଅନିର୍ବାର ।କେବେହେଁ ନାହିଁ ପ୍ରତିକାର ॥
ଏବେ ହୋ ଶୁଣ ସୁରଗଣ ।ତାହା ଜାଣିଲେ ନାରାୟଣ ॥
ଦେବ ଦଳନ କର୍ମ ଶୁଣି ।ପୁରୁ ବାହାର ଚକ୍ରପାଣି ॥
ଦ୍ୱାରପାଳଙ୍କୁ ଦୟା ବହି ।ଭକ୍ତ ବତ୍ସଳ ଭାବଗ୍ରାହୀ ॥
ଲକ୍ଷ୍ମୀର କରେ ଦେଇ କର ।ଗୋବିନ୍ଦ ହୋଇଲେ ବାହାର ॥
ଗୋବିନ୍ଦ ଚଳନ୍ତି ଚରଣେ ।ଯହିଁ ଅଛନ୍ତ ମୁନି ଜନେ ॥
ପରମହଂସ ଦୀକ୍ଷା ବହି ।ତେଜେ ପ୍ରଚଣ୍ଡ ଚତୁର୍ଭାଇ ॥
କୋପ କରନ୍ତି ମହାତପେ ।ଗୋବିନ୍ଦ ମିଳିଲେ ସମୀପେ ॥
ଯାହାର ଦରଶନ ଅର୍ଥେ ।ଯୋଗ ସାଧନ୍ତି ମୁନି ମତେ ॥
ଲକ୍ଷ୍ମୀ ଯାହାର ପରିବାରୀ ।କରେ ଚାମର ଛନ୍ତି ଧରି ॥
ବକ୍ଷରେ ମୁକ୍ତାମାଳା ଶୋହେ ।ହେମାଦି ରତ୍ନେ ଶୋଭା ପାଏ ॥
ପ୍ରାଣାନୁମୁଖ ଭଗବାନ ।କିବା ସୁନ୍ଦର ଅନୁପମ ॥
ସ୍ନେହ ଦୟାରେ ସର୍ବଜନ ।ରୂପେ ମୋହିଲେ ଆତ୍ମାମନ ॥
ଶ୍ୟାମ ସୁନ୍ଦର ପୃଥୁଭାରେ ।ସୁସଞ୍ଚ ମନୋହର ଘରେ ॥
କୌସ୍ତୁଭମଣି କର୍ଣ୍ଣ ଶୋହେ ।ଅଶେଷ ଜନ ମନ ମୋହେ ॥
ପୀତ ବସନ କଟି ମାଝେ ।କନକ ମେଖଳା ବିରାଜେ ॥
ଉରେ ଲମ୍ୱଇ ବନମାଳ ।ସୁନ୍ଦର ଅଳକା କପୋଳ ॥
କେୟୁର କଙ୍କଣ ବିରାଜେ ।ରୂପେ କୋଟିଏ କାମ ଗଞ୍ଜେ ॥
ବ୍ରହ୍ମା-ଶଙ୍କର-ଦେବ ମନ ।ମୋହନ ରୂପେ ହୋଇ ଛନ୍ନ ॥
ସ୍ଥିରେ ଲୋଚନ ସ୍ତମ୍ଭୀଭୂତ ।ଦେଖି ତୃପତ ହୋଇ ଚିତ୍ତ ॥
ସେ ହରି ଚରଣାରବିନ୍ଦେ ।ସକଳ ତୁଳସୀ ଆନନ୍ଦେ ॥
ପବନ ନାସା ଦ୍ୱାରେ ସ୍ପୁରେ ।ଚିତ୍ତ ସ୍ଫୁରଣେ କ୍ଷୋଭ କରେ ॥
କୃଷ୍ଣ ସୁନ୍ଦର ସୁଖ ତ୍ରାସ ।ଯେହ୍ନେ ଅଶିତ ପଦ୍ମ କୋଷ ॥
ବିମ୍ବ ଅଧରେ ମନ୍ଦହାସ ।ଅଶେଷ ପ୍ରାଣୀ ମନ ତୋଷ ॥
ସେ ରୂପ ଦେଖି ପୁଣ୍ୟ ଚିତ୍ତେ ।ଆନନ୍ଦ ହୋଇ ପାଦଗତେ ॥
ଅରୁଣ ଦେଖି ନଖପନ୍ତି ।ନିଶ୍ଚଳ ଲୋଚନ ଧରନ୍ତି ॥
ଯାହାର ଗତି ଯୋଗ ମାର୍ଗେ ।ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ ॥
ସେ ରୂପ ପ୍ରତ୍ୟକ୍ଷ ଗୋଚରେ ।ଦେଖିଲେ ମୋହର କୁମରେ ॥
କୁମାର ଉଚୁଃତକ୍ଷଣେ ଶିରେ କରଦେଇ ।କହନ୍ତି କୃଷ୍ଣ ମୁଖ ଚାହିଁ ॥
ସେ ହରି ପ୍ରାଣୀଙ୍କ ଶରୀରେ ।ଅନ୍ତର ହୃଦୟ ବାହାରେ ॥
ସାଧୁ ଅସାଧୁ ଯାର ନାହିଁ ।ତା’ର ମହିମା କେବା କହି ॥
ସେ ହରି ଆମ୍ଭ ଦୃଷ୍ଟି ପଥେ ।ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ ॥
ଯାହାର ଗୁଣ କର୍ମ ଗାଥା ।ଏକାନ୍ତେ ବସି ଆମ୍ଭ ପିତା ॥
କହିଲେ ଯେ ମନ ଆନନ୍ଦେ ।ବ୍ରହ୍ମାଦି ଗ୍ରନ୍ଥ ଅନୁବନ୍ଧେ ॥
ସେ ପଶି ଆମ୍ଭ କର୍ଣ୍ଣଦ୍ୱାରେ ।ରହିଲା ହୃଦୟ-ବିବରେ ॥
ତୁ ନାଥ ତତ୍ତ୍ୱ ପରମାର୍ଥ ।ଧ୍ୟାନେ ଚିନ୍ତନ୍ତି ମୁନିଶାନ୍ତ ॥
ତୋ ଧ୍ୟାନ ଅତିଶୟ ଗୁଣେ ।ଯେବା ଚିନ୍ତନ୍ତି ଅନୁକ୍ଷଣେ ॥
ସଂସାର ଅନୁତାପେ ଛନ୍ତି ।ସୁହୃଦ ମାର୍ଗେ ଭକ୍ତି ଚିନ୍ତି ॥
ହୃଦେ ଯେ ସ୍ଥାପି ତାଙ୍କ ରୂପ ।ବେଗେ ଛାଡ଼ନ୍ତି ତିନି ତାପ ॥
ତାର ପ୍ରସାଦେ ଅନ୍ୟ ଏକେ ।ଯେ ପ୍ରାଣୀ ତରନ୍ତି ନରକେ ॥
ଭୋ ଦେବ ତୋହର ଚରଣେ ।ଯେ ପ୍ରାଣୀ ପଶନ୍ତି ଶରଣେ ॥
ତୋର ପ୍ରସାଦେ କରି ଭ୍ରାନ୍ତି ।ଘୋର ସଂସାରୁ ତରନ୍ତି ॥
ଭୋ ନାଥ କମଳା ରମଣ ।ଅନାଦି ପରମ କାରଣ ॥
ଯେ ଜନ ଶୁଣେ କର୍ଣ୍ଣମାର୍ଗେ ।ତୋ ନାମ ଗୁଣେ ଜିହ୍ୱା ଅଗ୍ରେ ॥
ତୋର ଚରଣେ ଲୋଭ ଭ୍ରାନ୍ତି ।ଆତ୍ମାରେ ଜଡ଼ ବୁଦ୍ଧିମତି ॥
ଏମନ୍ତ ମୋର ଚାରି ପୁତ୍ରେ ।ନମିଲେ ବିଷ୍ଣୁ ପଦାଗ୍ରତେ ॥
ତୃତୀୟ ସ୍କନ୍ଧେ ଭାଗବତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂତୃତୀୟ ସ୍କନ୍ଧେ ଶ୍ରୀକୃଷ୍ଣ ବିଜୟେ ବ୍ରହ୍ମା କୁମାର ଦର୍ଶନେନାମ ପଞ୍ଚଦଶୋଽଧ୍ୟାୟଃ ।
ଷୋଡ଼ଶ ଅଧ୍ୟାୟବ୍ରହ୍ମା ଉବାଚଏମନ୍ତେ ମୁନିଙ୍କ ବଚନ ।ଶୁଣି ସନ୍ତୋଷ ଭଗବାନ ॥
ମୁନିଙ୍କ ମୁଖ ଚାହିଁ ଭଣି ।ମଞ୍ଜୁ କୋମଳ ସୁଧାବାଣୀ ॥
ଶ୍ରୀ ଭଗବାନୁବାଚଜୟ ବିଜୟ ବେନି ଭ୍ରାତେ ।ମୋ ଦ୍ୱାରେ ଥାନ୍ତି ଅବିରତେ ॥
ମୋ ରୂପାସନ ମାନ ମନ ।ଦ୍ୱାରୀ ଅଟନ୍ତି ବେନି ଜନ ॥
କଳ୍ପନା କରି ଏବେ ମୋତେ ।କୋପ ଦଂଶିଲା ତୁମ୍ଭ ଚିତ୍ତେ ॥
ଏ ବ୍ରହ୍ମ ଦଣ୍ଡ ଏ ପାଇଲେ ।ଅନ୍ୟଥା ନୁହେଁ କାର ବୋଲେ ॥
ଏ ପ୍ରଶ୍ନ ମନ୍ତ୍ର କଲି ଚିତ୍ତେ ।ଦେବ ଦଳନ ଅନୁମତେ ॥
ଅସାଧୁ କର୍ମ ଯେ କରନ୍ତି ।ମୋ ଅପରାଧ ଦଣ୍ଡ ପାନ୍ତି ॥
ତା ଜୟ ସଂସାରେ ପ୍ରକାଶି ।ବ୍ୟାଧି ଯେସନେ ରୂପ ନାଶି ॥
ଯାହାର ଗୁଣ ଏ ସଂସାରେ ।ଯେହ୍ନେ ନିର୍ମଳ ସାଧୁ ଧୀରେ ॥
ଶ୍ରବଣ ପୁଟେ କରି ପାନ ।ସଂସାରୁ ତରେ ସର୍ବଜନ ॥
ସେ ବଇକୁଣ୍ଠ ନାଥ ମୁହିଁ ।ତୁମ୍ଭର ଭାବ ହୃଦେ ବହି ॥
ତୁମ୍ଭର କୋପେ ଅତିରେକେ ।ମିଳିଲୁ ତୁମ୍ଭର ସମୀପେ ॥
ତୁମ୍ଭର ଭାବ ଦୂର କରି ।ଅତ୍ୟନ୍ତ କୋପ ହୃଦେ ଧରି ॥
ବହିଲେ ଦ୍ୱାରପାଳ ଦଣ୍ଡେ ।ବ୍ରାହ୍ମଣ ତେଜରୁ ପ୍ରଚଣ୍ଡେ ॥
ଯା ପାଦ ରେଣୁ ଆଶ୍ରେ କରି ।ସେବନ୍ତି ଯହିଁ ବ୍ରହ୍ମଚାରୀ ॥
ମନ ପ୍ରାଙ୍ଗଣେ ମନ ହରେ ।ସକଳ ପ୍ରାଣୀଙ୍କି ନିସ୍ତରେ ॥
ମୋ ରୂପେ କମଳା ନିରତେ ।ପ୍ରେମାନୁଜାତ ହୃଦଗତେ ॥
ମୋତେ ବ୍ରାହ୍ମଣ ବେଦମାର୍ଗେ ।ଯଜ୍ଞେ ପୂଜନ୍ତି ହବିର୍ଭାଗେ ॥
ଦଧି ଓ ଦନେ କୃତ ପଥେ ।ମଧୁ ସଂଯୁକ୍ତେ ବେଦ ମତେ ॥
ଏଣେ ମୋହର ତୋଷ ନାହିଁ ।ବ୍ରାହ୍ମଣ ଦେହେ ମୁଁ ବସଇ ॥
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ।ମୁହିଁ ଭକ୍ଷଇ ତା ପ୍ରତ୍ୟକ୍ଷେ ॥
ବ୍ରାହ୍ମଣ ପାଦରଜ ବଳେ ।ମୁଁ ଏ ସଂସାର ଜନମେଳେ ॥
ବ୍ରାହ୍ମଣ ପାଦରେଣୁ ବହି ।ସଂସାର ହିତେ ମୋର ଦେହୀ ॥
ବ୍ରାହ୍ମଣ ଦୋଷ ଯେ ବା ସହେ ।ତା ପାଦ ଜଳ ଅର୍ଘ୍ୟଦହେ ॥
ଚନ୍ଦ୍ର ସହିତେ ଅତିରେକେ ।ପବିତ୍ର ହୋନ୍ତି ତିନିଲୋକେ ॥
ବିପ୍ର ଶରୀର ମୋର ତନୁ ।ଏଣୁ ଦୁଃସହ ବିପ୍ର ମନୁ ॥
ଯେ ଭେଦ ବୁଦ୍ଧି ନ ବିଚାରି ।ମୋତେ ଚିନ୍ତନ୍ତି ଜ୍ଞାନ କରି ॥
ବ୍ରାହ୍ମଣ ଅପରାଧ କଲେ ।କେବେହେଁ ସଂସାରୁ ନ ତରେ ॥
ବ୍ରାହ୍ମଣ ଗାଭୀ ଦୁଗ୍ଧବତୀ ।ରକ୍ଷକ ହୀନ ପ୍ରାଣୀ ଚିନ୍ତି ॥
ଏ ଯେ ଅଟନ୍ତି ମୋ ଶରୀର ।ଏ କଥା ନିଶ୍ଚୟ ଆମ୍ଭର ॥
ଏହାଙ୍କୁ ଭେଦ ଦୃଷ୍ଟି କଲେ ।ପାପ ନାଶଇ ଦୃଷ୍ଟି ଭଲେ ॥
ଯମର ଗୃଧ୍ରରୂପୀ ଦୂତ ।ଚଞ୍ଚୁରେ ନାଶେ ଦୃଷ୍ଟି ପଥ ॥
ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି ।ଏ ଭବସିନ୍ଧୁ ନ ତରନ୍ତି ॥
ତୁମ୍ଭର ଗତି ଭଜି ନିତ୍ୟେ ।ଭ୍ରମନ୍ତି ଘୋର ମାୟା ପଥେ ॥
ତୁମ୍ଭେ ଏ ବ୍ରହ୍ମ ଶାପ ଫଳେ ।ତୃତୀୟ ପାପ ଦୁଷ୍ଟ କୁଳେ ॥
ଦୁଷ୍ଟ ଆଚାର କର୍ମ କରି ।ଧର୍ମ ଅଧର୍ମ ନ ବିଚାରି ॥
ଏବେ ଏ ବିପ୍ରଙ୍କର ତୋଷେ ।ପୁଣି ମିଳିବ ମୋର ପାଶେ ॥
ପୁଣି ମୁଁ ତୁମ୍ଭ ଉପକାରେ ।ବହିବି ଶରୀର ସଂସାରେ ॥
କରିବି ତୁମ୍ଭଙ୍କୁ ନିସ୍ତାର ।ଏମନ୍ତେ କହି ଚକ୍ରଧର ॥
ଏମନ୍ତେ ବିଷ୍ଣୁ ମୁଖୁବାଣୀ ।ସନ୍ତୋଷେ ବିପ୍ରବର ଶୁଣି ॥
ବିଷ୍ଣୁର ଭକ୍ତି ହୃଦେ ବହି ।କହନ୍ତି ଶିରେ କର ଦେଇ ॥
ଦ୍ୱାରପାଳ ଉବାଚଭୋ ଦେବ ଦେବ ଲକ୍ଷ୍ମୀପତି ।ଆମ୍ଭେ ନଜାଣୁ ତୋର ଗତି ॥
ଆମ୍ଭଙ୍କୁ ଅନୁଗ୍ରହ କରି ।ଯାହା କହିଲ ନରହରି ॥
ବ୍ରହ୍ମଣ ଦେବତା ମହିମା ।ତୋ ଗତି ନ ଜାଣନ୍ତି ବ୍ରହ୍ମା ॥
ତୁ ପୁଣି ବିପ୍ର ଦେବଙ୍କର ।ଆତ୍ମା ସହୃଦ ଶକ୍ତିଧର ॥
ସକଳ ଘଟେ ତୋର ବାସ ।ତୁ ନାଥ ସର୍ବଜ୍ଞ ପୁରୁଷ ॥
ଧର୍ମ ତୋ ଶରୀରୁ ପ୍ରକାଶ ।ଯେ ଧର୍ମେ ସୃଷ୍ଟି ପାପ ନାଶ ॥
ତୁ ନାଥ ନିର୍ବିକାର ବ୍ରହ୍ମ ।ଯେ ଦେବ ଦେବ ବୁଦ୍ଧି କର୍ମ ॥
ତାହାଙ୍କ ଅନୁଗ୍ରହେ ଜନ୍ମ ।ଧନ ସଞ୍ଚୟେ ଦେଇ ମନ ॥
ତୋ ପାଦପଦ୍ମ ସେବା ଫଳେ ।ମୃତ୍ୟୁ ଜିଣଇ ଭବୁ ହେଳେ ॥
ତୁ ଅଟୁ ଏମନ୍ତ ପୁରୁଷ ।ଅନ୍ୟର ଅନୁଗ୍ରହେ ଆଶ ॥
ଅନ୍ୟାନ୍ୟ ଅର୍ଥକାମୀ ଜନ ।ଲକ୍ଷ୍ମୀ ସେବନ୍ତି ଅନୁଦିନ ॥
ସେ ଲକ୍ଷ୍ମୀ ତୋହର ସେବାରେ ।ଲିପ୍ତ ଥାଆନ୍ତି ସଦାକାଳେ ॥
ଏମନ୍ତ ମୁନିଙ୍କ ବଚନ ।ଶୁଣି ସନ୍ତୋଷ ଭଗବାନ ॥
ବ୍ରାହ୍ମ ସ୍ୱଭାବ ଚିତ୍ତେ ବହି ।କହନ୍ତି ବିପ୍ରଙ୍କୁ ଅନାଇ ॥
ଜୟ ବିଜୟ ବେନି ଭାଇ ।ତୁମ୍ଭ ଚରିତେ କ୍ରୋଧ ହୋଇ ॥
ଅସୁର ଯୋନି ଏ ପାଇବେ ।ସୁହୃଦ କର୍ମ ଆଚରିବେ ॥
ପୁଣି ଯେମନ୍ତେ ମୋର ପୁରେ ।ସୁବର୍ଣ୍ଣ ବେତ ଧରି କରେ ॥
ପୁଣି ଏ ବୈକୁଣ୍ଠର ପାଶେ ।ଯେବେ ତୁମ୍ଭର ମନ ତୋଷେ ॥
ସେ ଚାରି ମୋହର ନନ୍ଦନ ।ତକ୍ଷଣେ ଆନନ୍ଦ ବଚନ ॥
ବିଷ୍ଣୁର ମୁଖୁ ଶୁଣି ତୋଷେ ।ବେଗେ ମିଳିଲେ ବିଷ୍ଣୁ ପାଶେ ॥
ସ୍ୱଭାବେ ବିଷ୍ଣୁର ଭୁବନେ ।ଯହିଁ ନ ଯାନ୍ତି ଦୁଷ୍ଟ ଜନେ ॥
ବିଷ୍ଣୁର ପାଦେ ସେ ନମିଲେ ।ଆନନ୍ଦେ ନିଜ ସ୍ଥାନେ ଗଲେ ॥
ଦ୍ୱାରପାଳଙ୍କ ମୁଖ ଚାହିଁ ।କହନ୍ତି ପ୍ରଭୁ ଭାବଗ୍ରାହୀ ॥
ତୁମ୍ଭେ ଯେ ଧରଣୀ ମଣ୍ଡଳେ ।ଜନ୍ମିବ ଅସୁରଙ୍କ କୋଳେ ॥
ତୁମ୍ଭ କୁଶଳ ମୁଁ କରିବି ।ତୃତୀୟ ଜନ୍ମେ ଉଦ୍ଧାରିବି ॥
ଏଥକୁ ଶୋଚନା ନ କର ।ମୋର ବଚନ ଦୃଢ଼େ ଧର ॥
ମୁଁ ଅବା ସମର୍ଥ ଅଟଇ ।ବ୍ରାହ୍ମଣ କୋପକୁ ଡରଇ ॥
ସେ କଥା କମଳା ସମୀପେ ।କହି ମୁଁ ଅଛି ପୂର୍ବକଳ୍ପେ ॥
ବ୍ରହ୍ମ ହେଳନ ଯେ କରନ୍ତି ।ମୋହ ଦୋଷରେ ସେ ଭ୍ରମନ୍ତି ॥
ତୁମ୍ଭର ଧାରଣ ନିମନ୍ତେ ।ମୁଁ ଦେହ ବହିବି ଜଗତେ ॥
ଯେ କୀର୍ତ୍ତି ରହିବ ମୋ ଯଶ ।ଶୁଣନ୍ତେ ପାପ ଯିବ ନାଶ ॥
ମୋ କଥା ଭୁବନ-ପାବନୀ ।ଯେ ଭୂମି ମଧ୍ୟେ ଦେହ ଘେନି ॥
କରିବେ ଶ୍ରବଣ କୀର୍ତ୍ତନ ।ଶୁଣି ତରିବେ ସର୍ବଜନ ॥
ଏମନ୍ତ ଦ୍ୱାରପାଳେ କହି ।ନିଜ ଭୁବନେ ଭାବଗ୍ରାହୀ ॥
ବସିଲେ କମଳାର ମେଳେ ।ଆବୃତ ବିମାନ ସଙ୍କୁଳେ ॥
ସେ ଦ୍ୱାରପାଳ ବେନି ଭାଇ ।ଭାଳନ୍ତି ଚାରିଦିଗେ ଚାହିଁ ॥
ତକ୍ଷଣେ ଅଧର ଶୁଖିଲା ।ଆତ୍ମାରୁ ବିଷ୍ଣୁ ତେଜ ଗଲା ॥
ତକ୍ଷଣେ ହତଗର୍ବ ହୋଇ ।ଅଧୋ ବଦନେ ବେନିଭାଇ ॥
ବିଷ୍ଣୁର ଭୁବନୁ ପଡ଼ନ୍ତେ ।ଆହା ଶବଦ ଶୂନ୍ୟପଥେ ॥
ସେ ବେନି ବୀର ଏକଭାବେ ।ତକ୍ଷଣେ ପଶି ଦିତି ଗର୍ଭେ ॥
କଶ୍ୟପ ବୀର୍ଯ୍ୟେ ଆଶ୍ରେ କରି ।ଏଣୁ ଭୁବନ ଲୋକେ ଡରି ॥
ସେ ବେନି ଅସୁରଙ୍କ ଦର୍ପେ ।ଦିତି ଭୁବନ ଦିଶେ କଳ୍ପେ ॥
ସେ ବିଷ୍ଣୁ ସୃଷ୍ଟିର କାରଣ ।ଅନାଦି ପ୍ରଭୁ ନାରାୟଣ ॥
ଯା ମାୟା ନ ଜାଣନ୍ତି କେହି ।ସଂସାର ମଧ୍ୟେ ଦେହ ବହି ॥
ଆମ୍ଭେ ସକଳେ ଯା ଚରଣେ ।ଆଶ୍ରୟ କରି ଭୃତ୍ୟ ପଣେ ॥
ଏ ଭବ ଘୋର ଭୟଙ୍କର ।ଖଣ୍ଡିବେ ପ୍ରଭୁ ଚକ୍ରଧର ॥
ଏମନ୍ତେ ଦେବଗଣ ମଧ୍ୟେ ।ବିଧାତା କହିଲେ ଆନନ୍ଦେ ॥
ସେ ହରି ବ୍ରାହ୍ମଣ-ବତ୍ସଳେ ।ସୃଜନେ ଚିନ୍ତ ଧ୍ୟାନ ବଳେ ॥
ସେ କୃଷ୍ଣ ଚରଣ-ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ ଜୟ ବିଜୟ ଶାପ ବର୍ଣ୍ଣନେ ନାମଷୋଡ଼ଶୋଽଧ୍ୟାୟଃ ।
ସପ୍ତଦଶ ଅଧ୍ୟାୟମୈତ୍ରେୟ ଉବାଚବ୍ରହ୍ମା ବଚନ ଦେବଗଣ ।ଶୁଣିଲେ କଳ୍ପିତ କାରଣେ ॥
ବିଧାତା ପାଦେ ପ୍ରଣମିଲେ ।ଆନନ୍ଦେ ନିଜ ପୁରେ ଗଲେ ॥
ଦିତିଙ୍କ ଶାପ ଆଜ୍ଞା ପାଇ ।ପୁତ୍ରଙ୍କ ଜନ୍ମେ ସେ ହୁଅଇ ॥
ଶତେ ବରଷ ପୂର୍ଣ୍ଣ ହେଲା ।ବେନି ବାଳକ ପ୍ରସବିଲା ॥
ସେ ବେନି ପୁତ୍ର ଜନ୍ମକାଳେ ।ନିଗମ ଦ୍ୱନ୍ଦ ଅନ୍ତରାଳେ ॥
ଘୋର ଉତ୍ପାତ ଭୟଙ୍କର ।ଦେଖି କମ୍ପିଲେ ସୁରନର ॥
ଚଳ ଅଚର ଅଙ୍ଗେ ମହୀ ।କମ୍ପିଲା ମହାଭୟ ପାଇ ॥
ଦହିବା ପ୍ରାୟେ ଅଷ୍ଟ ଦିଗେ ।ଦିଶନ୍ତି ଅନଳ ସଂଯୋଗେ ॥
ଭୂମି ଉଲ୍ଲୁକ ବ୍ରଜ ସଙ୍ଗେ ।ସମୁଦ୍ର କମ୍ପିଲା ତରଙ୍ଗେ ॥
ଏ କିସ ବହଇ ପବନ ।ଉଚ୍ଚେ କରଇ ଘୋର ସ୍ୱନ ॥
ଘୋର ପ୍ରଚଣ୍ଡେ ବାତବଳେ ।ବୃକ୍ଷେ ଉଡ଼ିଲେ ଅନ୍ତରାଳେ ॥
ଧ୍ୱନି ପୂରିଲା ଦଶ ଦିଶ ।ନିବିଡ଼ ଅନ୍ଧାର ଆକାଶ ॥
ଗଗନେ ଯେତେ ଜ୍ୟୋତି ଥିଲେ ।ଘୋର ତିମିର ପ୍ରକାଶିଲେ ॥
ଗଗନେ ନ ଦିଶଇ ପଥ ।ତେଜେ ଆକାଶ ଗଲା ଗ୍ରସ୍ତ ॥
ନଦୀଙ୍କ ଜଳ ଶୁଖିଗଲା ।ନଦୀ ତା ପଙ୍କ ପ୍ରକାଶିଲା ॥
ଆକାଶେ ଚନ୍ଦ୍ର ଦିବାକର ।ମଣ୍ଡଳ ଦିଶେ ଅନ୍ଧକାର ॥
ନିର୍ଘାତେ ରଥଘୋଷ ଦେଲେ ।ଯେହ୍ନେ ଗର୍ଜ୍ଜଇ ଅନ୍ତରାଳେ ॥
ଭୈରବଗଣ ପୂର୍ବ ମୁଖେ ।ନାଦ କରନ୍ତି ଅତି ଦୁଃଖେ ॥
କରନ୍ତି ଅତି ଘୋର ସ୍ୱନ ।ତୁଣ୍ଡେ କି ଜଳ ହୁତାଶନ ॥
ଶୃଗାଳ ଶ୍ୱାନ ଆଦି ଖରେ ।ନାଦ କରନ୍ତି ଅତି ଘୋରେ ॥
ଗନ୍ଧର୍ବେ ସୂର୍ଯ୍ୟ ମୁଖେ ମିଳି ।କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି ॥
ବୃକ୍ଷୁ ପଡ଼ନ୍ତେ ପକ୍ଷୀଗଣେ ।ଅରଣ୍ୟେ ପଶୁ ଘୋର ସ୍ୱନେ ॥
ମୂତ୍ର ପୁରୀକ୍ଷ ଉତ୍ସର୍ଗନ୍ତି ।ପତି ପତିନୀ ମହାଭୀତି ॥
ଗାବ ଦୁହନ୍ତେ ରକ୍ତସ୍ରାବେ ।ଗଗନେ ଘୋର ନାଦ ଶୁଭେ ॥
ଆକାଶେ ପୂରି ମେଘମାଳେ ।ପ୍ରତ୍ୟହ ବର୍ଷନ୍ତି ଗହଳେ ॥
ଭୃଙ୍ଗେ ରାବନ୍ତି ଶକ୍ତି ଯୁକ୍ତେ ।ବୃକ୍ଷେ ପଡ଼ନ୍ତି ବିନା ବାତେ ॥
ଆକାଶେ ଗ୍ରହଗଣ ମିଳି ।ଶୂନ୍ୟେ ଚାହାଁନ୍ତି ତାରାବଳୀ ॥
ଗ୍ରହେ କରନ୍ତି ଘୋର ରଣ ।ପ୍ରଖର ଦିଶେ ଅଗ୍ନି କୋଣ ॥
ଉତ୍ପାତ ଦିଶେ ଗୁରୁତରେ ।ପ୍ରଜାଏ କମ୍ପିଲେ ନିର୍ଭରେ ॥
ଶୌନକ ଆଦି ଚାରିଭାଇ ।ଦେଖନ୍ତି ଶୂନ୍ୟମାର୍ଗେ ରହି ॥
ବିଶ୍ୱ-ସଂସାରେ ମହାକ୍ରାସେ ।ସୃଷ୍ଟି ପ୍ରଳୟ ପ୍ରାୟ ଦିଶେ ॥
ଏମନ୍ତ କଶ୍ୟପ ଭୁବନେ ।ପୁତ୍ରେ ବଢ଼ନ୍ତି ଦିନେ ଦିନେ ॥
ସ୍ୱଭାବେ କଶ୍ୟପ ଶରୀର ।ଦିଶଇ ମହା ଭୟଙ୍କର ॥
ପର୍ବତ ପ୍ରାୟେ ଦିନେ ଦିନେ ।ବଢ଼ିଲେ କଶ୍ୟପ ଭୁବନେ ॥
ଶିରେ କିରୀଟ ହେମମୟେ ।ଉଚ୍ଚେ ଭୁବନେ କିବା କ୍ଷୟେ ॥
ରଙ୍ଗ ବସନେ କଟୀ ମାଝେ ।ସୁରଙ୍ଗ ମେଖଳା ବିରାଜେ ॥
ସର୍ବ ସୁମନ ଗଦା ହସ୍ତେ ।ନିତ୍ୟେ ଆସନ୍ତି ନାନା ପଥେ ॥
ଗୃହେ ମିଳନ୍ତି ଘୋର ନାଦେ ।ଭୂମି କମ୍ପଇ ବାଜି ପାଦେ ॥
ଏମନ୍ତ ପୁତ୍ରଙ୍କର ଗତି ।ଦେଖି କଶ୍ୟପ ପ୍ରଜାପତି ॥
ନାମ କରଣ ହୋମ କଲା ।ବେନି ପୁତ୍ରଙ୍କ ନାମ ଦେଲା ॥
ବଜ୍ର-କଠିନ ଦେଖି ବପୁ ।ଏ ବଡ଼ ହିରଣ୍ୟକଶିପୁ ॥
ଅନୁଜ ଚାହିଁ ଦେଖି ଦକ୍ଷ ।କଳ୍ପିଲା ନାମ ହିରଣାକ୍ଷ ॥
ଦିନକୁ ଦିନ ମହାବପୁ ।ବଢ଼ିଲା ହିରଣ୍ୟ କଶିପୁ ॥
ତପେ ବ୍ରହ୍ମାଙ୍କୁ ସେବା କଲା ।ସ୍ୱଭାବେ ତେଜ ଅନର୍ଗଳା ॥
ଗଦା ବୁଲାଇ ମହାରୋଷେ ।ବେଗେ ଧାଇଁଲା ସେ ହରଷେ ॥
ଚାଲନ୍ତେ ରୁଣୁ ଝୁଣୁ ବାଜେ ।କୁସୁମ ମାଳା ଗଳେ ସାଜେ ॥
କନ୍ଧେ ପକାଇ ଗଦାବର ।କି ଅବା ଦେବା ପଟ୍ଟାନ୍ତର ॥
ତାର ଗମନ ମନୋପମ ।ଦେଖି ପଳାନ୍ତି ରିପୁ ଯମ ॥
ନିର୍ଭୟେ ବୁଲନ୍ତି ଜଗତେ ।ଦେବ ଦାନବ ଭୂମିଗତେ ॥
ଦେବତା ରିପୁ ପୂରି ଦେଖି ।ଭାଜିଲେ ତ୍ରିଦଶ ଉପେକ୍ଷି ॥
ଆକାଶ ମାର୍ଗେ ଦେବମାନେ ।ଛାଡ଼ି ପଶିଲେ ଘୋର ବନେ ॥
ବନେ ଲୁଚିଲେ ତାର ଦର୍ପେ ।ଗରୁଡ଼ ଭୟେ ଯେହ୍ନେ ସର୍ପେ ॥
ସ୍ୱର୍ଗେ ବସିଲା ବେଗେ ଯାଇଁ ।ଦେଖଇ ସ୍ୱର୍ଗେ ଲୋକ ନାହିଁ ॥
ଦେବତା ଇନ୍ଦ୍ର ରାଜା ତୁଲେ ।ସ୍ୱର୍ଗ ସମ୍ପଦ ଛାଡ଼ିଗଲେ ॥
ଦେଖିଣ ଇନ୍ଦ୍ରର ସମ୍ପଦ ।ଅନେକ କଲା ଘୋରନାଦ ॥
ମୁହୂର୍ତ୍ତେ ସ୍ୱର୍ଗପୁରେ ରହି ।ପୁଣି ମିଳିଲା ମଞ୍ଚେ ଯାଇ ॥
ଅସୁର ବିଚାରଇ ମନେ ।ପଶିବି ବରୁଣ ଭୁବନେ ॥
ମୋହର ପ୍ରାୟ ପଦ ବଳେ ।କେ ଅବା ଅଛନ୍ତି ପାତାଳେ ॥
ଏମନ୍ତ ମନେ ବିଚାରିଲା ।ଜଳଧି ମଧ୍ୟରେ ପଶିଲା ॥
ସ୍ୱଭାବେ ବିଶ୍ୱରୂପ କାୟେ ।ହସ୍ତୀର ପ୍ରାୟେ ଅବଗାହେ ॥
ଜଳେ ପଶନ୍ତେ ମହାସୁର ।କମ୍ପିଲା ବରୁଣର ପୁର ॥
ଭାବିଲେ ଜଳଜନ୍ତୁ ମାନେ ।କେବା ମିଳିବ ତାର ରଣେ ॥
ଏମନ୍ତ କହି ପଳାଇଲେ ।ଗଭୀର-ଜଳେ ସେ ପଶିଲେ ॥
ଏମନ୍ତ ବରୁଣ-ଭୁବନେ ।ବହୁ ବରଷ କୋପମନେ ॥
ଭ୍ରମଇ କରେ ଗଦା ଧରି ।କେ ତାରେ ସମର ଉଭାରି ॥
ରାତ୍ରେ ଗମନ ଏକଦିନେ ।ମିଳିଲା ବରୁଣ ଭୁବନେ ॥
ବୁଲଇ କରେ ଗଦା ଧରି ।ଘୋର ଶବଦେ ମହାବଳୀ ॥
ମୁଁ ଏବେ ତୋର ଭୁବନରେ ।ରହିଲି ବହୁ ସମ୍ବତ୍ସରେ ॥
ତୁ ମୋତେ ଗଦାଯୁଦ୍ଧ ଦେବୁ ।ନ ଦେଲେ ଭୁବନେ ନଥିବୁ ॥
ଏମନ୍ତ ଶୁଣି ତା ବଚନ ।ଜଳଧିପତି ମହାଚ୍ଛନ୍ନ ॥
ନିରକ୍ଷଜନ ପ୍ରାୟ ହୋଇ ।କହଇ ଶିରେ କର ଦେଇ ॥
ଭୋ ବୀର ରହି ଦିନାକେତେ ।ଶୁଣି ଦାନବ କୋପ ଚିତ୍ତେ ॥
ତୁ ଯୁଦ୍ଧ କର ମୋର ତୁଲେ ।ନୋହିଲେ ନଥା ଭୁବନରେ ॥
ତୁ ଲୋକପାଳ ଶିରୋମଣି ।ତୋହର ମହିମା ମୁଁ ଜାଣି ॥
ମିଳିଲି ତୋହର ସମ୍ମୁଖେ ।ସମର କର ଆତ୍ମା ସୁଖେ ॥
ଧର୍ମଧାତାଙ୍କ ମଧ୍ୟେ ମେରୁ ।ବୀରମାନଙ୍କ ଦର୍ପ ଚୂରୁ ॥
ମୋହର ଦର୍ପ ଏବେ ହର ।ସୁଖେ ରାଜୁସୀ ଯାଗ କର ॥
ଏମନ୍ତ ତାର ବାକ୍ୟ ଶୁଣି ।କୋପେ କହଇ ସାଧୁବାଣୀ ॥
ତୁ ବୀର କହୁ ମୋର ହିତେ ।ମୁଁ ତୋତେ ବୁଝାଇ କେମନ୍ତେ ॥
ତୁ ମହାବୀରଙ୍କର ବୀର ।ମୋ ବୋଲେ କୋପତୁ ନକର ॥
ଯେ ତୋର ତୁଲେ ଯୁଦ୍ଧ କାରି ।ମିଳିବ ତୋତେ ଦୟା କରି ॥
ତୋତେ ମାରିବ ସେ ସମରେ ।ତୁ ଶୁଣି ସଂଗ୍ରାମ ଭୂମିରେ ॥
ଏ ରୂପ ବହିବୁ ଜଗତେ ।ତୋହର ପ୍ରାୟେ ଦୁଷ୍ଟ ଚିତ୍ତେ ॥
କହଇ ବିପ୍ର ଜଗନ୍ନାଥ ।ତୃତୀୟ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଅସୁର ବରୁଣ ପୁରେଯୁଦ୍ଧ ଆରମ୍ଭ ନାମ ସପ୍ତଦଶୋଽଧ୍ୟାୟଃ ।