ଶ୍ରୀମଦ୍ ଭାଗବତ (ଦ୍ୱିତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୩ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଅଧ୍ୟାୟ
ବ୍ରହ୍ମୋବାଚଶୁଣ ନାରଦ ମହାଋଷି ।ବିରାଟ ରୂପେ ବ୍ରହ୍ମ ଆସି ॥
ବ୍ରହ୍ମାଣ୍ଡ ରୁପେ ପ୍ରବେଶିଲା ।ଯେ ଅଙ୍ଗୁ ଯେବା ପ୍ରକାଶିଲା ॥
ତାହା କହିବା ତୋତେ ଭଲେ ।ଇନ୍ଦ୍ରିୟ ଅର୍ଥେ ଇନ୍ଦ୍ରିତୁଲେ ॥
ବାକ୍ୟାର୍ଥ ବହ୍ନି ମୁଖେ ବସେ ।ଯେଣେ ତା ଶବଦ ପ୍ରକାଶେ ॥
ଜଳାଧିପତି ଯେହ୍ନେ ବସେ ।ରସନା ଷଡ଼ରସେ ରସେ ॥
ସପତ ଛନ୍ଦ ଧାତୁ ଯେତେ ।ଦେହରେ ବେଷ୍ଟିତ ବାହ୍ୟନ୍ତେ ॥
ପ୍ରାଣ ସହିତ ବସେ ଘ୍ରାଣ ।ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ ॥
ନାସା ବିବରେ ଆଶ୍ରା କରେ ।ଅଶ୍ୱିନୀ କୁମାରଙ୍କ ତୁଲେ ॥
ଚକ୍ଷୁ ଇନ୍ଦ୍ରିୟ ରୂପ ଅର୍ଥେ ।ସୂର୍ଯ୍ୟ ପ୍ରକାଶେ ଦୃଷ୍ଟଚିତ୍ତେ ॥
ଶବଦ ଅର୍ଥେ କର୍ଣ୍ଣ ବେନି ।ଦିଗ ବସନ୍ତି ତୀର୍ଥ ଘେନି ॥
ସେ ଦେବ ଦେହେ ଚର୍ମଦେଶେ ।ସ୍ପରଶ ପବନ ପ୍ରକାଶେ ॥
ଚର୍ମ ଉପରେ ଲୋମ ବେଢ଼ି ।କେଶ ପ୍ରକାଶ ଦେହେ ଜଡ଼ି ॥
ସେ ତିନି ମଧ୍ୟେ ତିନିଦେବା ।ପାଷାଣ ଲୌହ ମେଘପ୍ରଭା ॥
ତାର ବିକ୍ରମେ ଲୋକ ତିନି ।ଭୂଲୋକ ଭୂବ ସ୍ୱର୍ଗଘେନି ॥
ଯେ ମାର୍ଗ ଶୁକ୍ର ଘନରସେ ।ତା ମେଢ଼େ ପ୍ରଜାପତି ବସେ ॥
ମଳ ଉତ୍ସର୍ଗେ ମଳଦ୍ୱାରେ ।ମୃତ୍ୟୁ ଦେବତା ଅଧିକାରେ ॥
ଶିର ସଙ୍କୁଳେ ନଦୀନଦ ।ନାଡ଼ୀ ସମୁଦ୍ରେ ହୋଇ ଭେଦ ॥
ସପତ ସିନ୍ଧୁ ଗର୍ଭେ ରହି ।ଭୋଜନେ ତୁଷ୍ଟି ପୃଷ୍ଟି ବହି ॥
ସେ ଜୀବ ଦେହେ ପୃଷ୍ଠଦେଶେ ।ଅଧର୍ମ ସଙ୍ଗେ ତମ ବସେ ॥
ହୃଦୟ ମଧ୍ୟେ ଧର୍ମ ଦୃଶ୍ୟେ ।ସର୍ବ ବ୍ୟାପକ ମନ ବସେ ॥
ଆତ୍ମା ପୁରୁଷ ଦେହ ମଧ୍ୟେ ।ବସଇ ସକଳ ସମ୍ପଦେ ॥
ଧର୍ମ ସଙ୍ଗତେ ପଦ୍ମଯୋନି ।ତା ସଙ୍ଗେ କୁମରଙ୍କୁ ଘେନି ॥
ବିଜ୍ଞାନ ଶତରୁଦ୍ର ସଙ୍ଗେ ।ସର୍ବେ ଆଶ୍ରିତ ଆତ୍ମ ରଙ୍ଗେ ॥
ବ୍ରହ୍ମା ନାରଦ ଭବ ଆଦି ।ମୁନିଏ ପୂର୍ବ ବେଦବାଦୀ ॥
ସୁର ଅସୁର ନର ନାଗ ।ଉରଗ ଖଗ ପଶୁ ମୃଗ ॥
ଗନ୍ଧର୍ବ ଅପସରା ଯକ୍ଷ ।ଭୂତ ବେତାଳଗଣ ରକ୍ଷ ॥
ପିତର ସିଦ୍ଧ ବିଦ୍ୟାଧର ।ଚାରଣ ସୁଗୁଣ କିନ୍ନର ॥
ଦ୍ରୁମ ଔଷଧି ଲତା ଯେତେ ।ବିବିଧ ଅନ୍ୟ ଜୀବଭୂତେ ॥
ଯେ ଜଳ ସ୍ଥଳ ଅନ୍ତରୀକ୍ଷେ ।ଗ୍ରହ ଆଦିତ୍ୟ କେତୁ ଋକ୍ଷେ ॥
ତାରା ସମୂହେ ତେଜ ଝଳି ।ଜୀମୁତେ ପ୍ରକାଶେ ବିଜୁଳି ॥
ଯେ ସର୍ବ ହେତୁ ତାର ସ୍ଥାନେ ।ଭୂତ ଭବିଷ୍ୟ ବର୍ତ୍ତମାନେ ॥
ଯେ ରୂପେ ଏ ବିଶ୍ୱ ସଂସାରେ ।ପ୍ରକାଶେ ଯାହାର ଶରୀରେ ॥
ବିତସ୍ତି ମାତ୍ରେ ମଧ୍ୟେ ରହେ ।ଏକେ ଅନେକ ଜନ୍ତୁ ଦେହେ ॥
ଭିତରେ ରହେ ପ୍ରାଣ ତେଜେ ।ପ୍ରକାଶେ ଅନ୍ତର ବାହିଯ୍ୟେ ॥
ଅଭୟାମୃତ ମହେଶ୍ୱର ।ଅନ୍ନ ସ୍ୱରୂପେ ରସପୁର ॥
ତାହାର ଯେମନ୍ତ ମହିମା ।ଏଣୁ ସେ ଦୁରାତ୍ମୀୟ ସୀମା ॥
ପାଦେ ଅଶେଷ ଭୂତ ବସେ ।ଅମୃତମୟ ଯେ ବିକାଶେ ॥
ତ୍ରିପାଦେ ବହ୍ନିସ୍ଥାନେ ସ୍ଥିତି ।ପ୍ରଜା ଆଶ୍ରମେ ଧର୍ମ ଚିନ୍ତି ॥
ସ୍ୱଭାବେ ନାମ ଗ୍ରହପତି ।ବିଦ୍ୟା ଅବିଦ୍ୟା ଯହିଁ ସ୍ଥିତି ॥
ଭୂତ ଇନ୍ଦ୍ରିୟ ଗୁଣାଶ୍ରୟ ।ଯାହାର ଆଶେ ମାୟାମୟ ॥
ବିରାଜି ରୂପେ ଜାତ ହୁଏ ।କିରଣ ଯେହ୍ନେ ସୂର୍ଯ୍ୟ ଦେହେ ॥
ଯାହାର ନାଭିପଦ୍ମୁ ଜାତ ।ମୁଁ ବ୍ରହ୍ମା ବ୍ରହ୍ମାଣ୍ଡର ନାଥ ॥
ଯଜ୍ଞ ସମ୍ଭାର ନ ଜାଣଇ ।ଯାହାର ହୃଦେ ଦୟା ନାହିଁ ॥
ଯାର ଶରୀରେ ଯଜ୍ଞ ବିଧି ।ଆଗମ ନିଗମ ପ୍ରସିଦ୍ଧି ॥
ପଶୁ ବନ୍ଧନ କୁଶ ଆଦି ।ଯେମନ୍ତେ ଯେ ଅବା ସମ୍ପାଦି ॥
ଯେ ଜନ ଦେବ ପିତୃ ତୋଷେ ।ଯେ କାଳେ ଯେବା ପୂଣ୍ୟଦେଶେ ॥
ଯେତେ ପ୍ରକାର ଯଜ୍ଞ କରି ।ମନ୍ତ୍ର ଔଷଧି ଯେ ସଞ୍ଚାରି ॥
ସ୍ନେହ ବିଷୟ ଲୋଭ ଆଦି ।ମୃତ୍ତିକା ଜଳ ଫଳ ବିଧି ॥
ଋକ ଯେ ଯଜୁ ସାମ ତିନି ।ଚତୁର ହୋତା ଅଗ୍ନି ଘେନି ॥
ଯେ ନାମ ଯେବା ଧରି ମନ୍ତ୍ରେ ।ଯେବା ଦକ୍ଷିଣା ଯେବା ଯନ୍ତ୍ରେ ॥
ଦେବତା ଅନୁକ୍ରମେ କଳ୍ପ ।ଯେ ଭାବେ ଯେ ଅବା ସଙ୍କଳ୍ପ ॥
ଯେ ଗତି ଯଜ୍ଞ ଯେବା ମତି ।ଯେବା ଅର୍ପଣେ ଯେବା ସ୍ଥିତି ॥
ଯଜ୍ଞ ସମ୍ଭାର ତା ଶରୀର ।ଲଭିଲି ଜନ ଉପକାର ॥
ଆଉ ବିଭୂତି ତାର ଅଙ୍ଗେ ।ଯଜ୍ଞ ଆରାଧି ହବିର୍ଭାଗେ ॥
ସକଳ ଯଜ୍ଞଭାବେ ଚିନ୍ତି ।ମୋ ସଙ୍ଗେ ନବ ପ୍ରଜାପତି ॥
ଯଜ୍ଞ ପୁରୁଷ ସ୍ଥାପି କୁଣ୍ଡେ ।ଯେମନ୍ତ ବିଧି କର୍ମକାଣ୍ଡେ ॥
ପୂଜିଲା ତାହାର ଚରଣେ ।ଯେ ବିଧି ମନ୍ତ୍ର ଉଚ୍ଚାରଣେ ॥
ଏହି ପ୍ରକାରେ ସର୍ବଋଷି ।ପିତୃ ଦେବତା ଜନେ ତୋଷି ॥
ଦାନବ ମାନବ ସହିତେ ।ଯଜ୍ଞେ ପୂଜିଲେ ବେଦମତେ ॥
ସେ ହରି ଅଙ୍କେ ଏ ଜଗତେ ।ଯଜ୍ଞେ ପୂଜଲେ ସମାହିତେ ॥
ଯେ ସ୍ୱୟଂ ନିର୍ଗୁଣ ଅନନ୍ତ ।ମାୟା ଗୃହୀତ ଗୁଣବନ୍ତ ॥
ଯଜ୍ଞେ ତାହାଙ୍କୁ ପୂଜାକରି ।ମୁଁ ହେଲି ବିଶ୍ୱ ଅଧିକାରୀ ॥
ସେ ହରି ଆଜ୍ଞା ଶିରେ ବହି ।ମୁଁ ଯେ ସଂସାରକୁ ସର୍ଜଇ ॥
ପାଳଇ ପ୍ରଭୁ ଚକ୍ରଧର ।ଅନ୍ତେ ବିନାଶଇ ଶଙ୍କର ॥
ସୃଷ୍ଟି ପାଳନ ସଂହାରଣ ।ଏ ଆଦି କାରଣ ତ୍ରିଗୁଣ ॥
ତୁ ଯେ ପଚାରିଲୁ ପ୍ରସ୍ତାବେ ।ସଂକ୍ଷେପେ କହିଲି ମୁଁ ଏବେ ॥
ସଦୟ ସଦଗୁରୁ ଯେତେ ।ମାୟା କଳ୍ପିତ ଏ ଜଗତେ ॥
ଏ ସର୍ବରୂପ ନାରାୟଣ ।ଅନାଦି ପରମ କାରଣ ॥
ମୋର ବଚନ ହେ ନାରଦ ।କେବେହେଁ ନୁହଇ ସମ୍ପଦ ॥
ମୋହର ମନ ସତ୍ୟେ ସ୍ଥିତି ।କେବେହେଁ ନୁହେ ମିଥ୍ୟାଗତି ॥
ମୋହର ଇନ୍ଦ୍ରିଗଣ ଦେବେ ।ନ ଯାନ୍ତି ଅମାତ୍ୟ ଅମାର୍ଗେ ॥
ଯେଣୁ ମୋ ଚିତ୍ତେ ନାରାୟଣ ।ଉତ୍କଣ୍ଠା ଭାବେ ସୁମରଣ ॥
ତପ ସମାଧି ମୋର ସ୍ଥିତି ।ଯେଣୁ ବନ୍ଦିଲି ପ୍ରଜାପତି ॥
ନିର୍ଗୁଣ ଯୋଗେ ସମାହିତ ।ଏଣୁ ମୁଁ ଆତ୍ମତନ୍ତ୍ରେ ଜାତ ॥
ତାର ଚରଣେ ନମସ୍କାର ।ଯେ ଭାବେ ତୁଟଇ ସଂସାର ॥
ଶୁଭ ଯେ ମଙ୍ଗଳ ସ୍ପର୍ଶନ ।ଆନନ୍ଦମୟ ମୂଳ ଧ୍ୟାନ ॥
ଆତ୍ମରେ ଆତ୍ମା ମାୟା କରେ ।ଲୀଳାରେ ସଂସାରେ ବିହରେ ॥
ବ୍ରହ୍ମାଦି ଦେବେ ଅଗୋଚର ।ଅକୁଣ୍ଠ ମହିମା ଯାହାର ॥
ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପି ।ଗଗନେ ଯେହ୍ନେ ବିଶ୍ୱରୂପୀ ॥
ମୁଁ ଯାର ଗତି ନ ଜାଣଇ ।ତୁ ତାହା ପ୍ରକାଶିବୁ କାହିଁ ॥
ଭବ ନ ପାରେ ଯାହା ଚିନ୍ତି ।ଦେବେ ଜାଣିବେ କାହିଁ ଗତି ॥
ଯାର ମାୟାରେ ମୋହ ହୋଇ ।ତା ରୂପ ତାକୁ ନ ଜାଣଇ ॥
ଆତ୍ମାର ଅଂଶ ଆମ୍ଭେ ଯେଣୁ ।କେ ତାକୁ ରୂପ ପରିମାଣୁ ॥
ସେ ଆଦି ପୁରୁଷ ମୁରାରି ।କଳ୍ପ କଳ୍ପାନ୍ତେ ସୃଷ୍ଟି କରି ॥
ଆତ୍ମାରେ ଆତ୍ମାରୂପେ ମିଳି ।ଆତ୍ମାକୁ ଆପେ ପ୍ରତିପାଳି ॥
କେବଳ ଶୁଦ୍ଧ ଜ୍ଞାନମୟେ ।ସତ୍ୟ ସ୍ୱରୂପ ସର୍ବଦେହେ ॥
ଆଦ୍ୟା ବତାରେ ତନୁଧରି ।ଲୀଳାରେ ଜଗତେ ବିହରି ॥
କାଳ ସ୍ୱରୂପେ ସ୍ୱ ଗମନ ।ଯେ ନିତ୍ୟ ଶୁଦ୍ଧ ଚଇତନ ॥
ଦ୍ରବ୍ୟ ବିକାରେ ତିନିଗୁଣ ।ବେଦମତେ ଇନ୍ଦ୍ରିୟଗଣ ॥
ବିରାଜ ରୂପେ ମହୀ ମାଝେ ।ସ୍ଥାବର ଆଦି ମହାତେଜେ ॥
ବ୍ରହ୍ମା ଶଙ୍କର ପ୍ରଜାପତି ।ଯକ୍ଷାଦି ଯେହ୍ନେ ଦିଗପତି ॥
ତୋ ଆଦି ସନକ ସହିତେ ।ସ୍ୱର୍ଗେ ଦେବତା ଛନ୍ତି ଯେତେ ॥
ଗନ୍ଧର୍ବ ବିଦ୍ୟାଧରଗଣ ।ଯେ ଯକ୍ଷ କିନ୍ନର ଚାରଣ ॥
ରାକ୍ଷସ ସରୀସୃପ ଭାଗେ ।ବାସୁକୀ ଆଦି ମହାନାଗେ ॥
ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ ।ସେ ପିତୃଗଣଙ୍କ ସମେତେ ॥
ଦୈତ୍ୟ ଦାନବ ସିଦ୍ଧକୁଳ ।ପ୍ରେତ ପିଶାଚ ଭୂତବଳ ॥
କୁଷ୍ମାଣ୍ଡ ଜଳଜନ୍ତୁଗଣେ ।ଯେ ନାନାବିଧ ପଶୁଗଣେ ॥
ତା ଅନ୍ୟୁ ନାହିଁ ଯେତେ ଯେତେ ।ସେ ବିକ୍ରମର ବଳଯୁତେ ॥
ଅଣିମା ଆଦି ଅଷ୍ଟନିଧି ।ଯେ ଗୁଣେ ଯେ ଅବା ପ୍ରସିଦ୍ଧି ॥
ପ୍ରଧାନ ଗୁଣେ ଯେବା ଭୂତେ ।ଅଛନ୍ତି ଭକ୍ତ ମଧ୍ୟେ ଯେତେ ॥
ସେ ସର୍ବ ତାହାର ଶରୀରେ ।ସେ ବିଷ୍ଣୁଲୀଳା ଅବତାରେ ॥
ଏ ସର୍ବ କଥା ଗୀତା ସ୍ୱରେ ।ପଶଇ ଯାର କର୍ଣ୍ଣଦ୍ୱାରେ ॥
ସର୍ବ ଦୁରିତ କର୍ମ ନାଶେ ।ଯେବା ବଦନେ ନିତ୍ୟ ଘୋଷେ ॥
ତାହାଙ୍କ ଚରଣେ ବିଶ୍ୱାସ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେସୃଷ୍ଟ୍ୟାଦି ବର୍ଣ୍ଣନେ ନାମ ଷଷ୍ଠୋଽଧ୍ୟାୟଃ ॥
ସପ୍ତମ ଅଧ୍ୟାୟ
ବ୍ରହ୍ମୋବାଚଶୁଣ ନାରଦ ମୁନିବର ।ଭବିଷ୍ୟ ଲୀଳା ଅବତାର ॥
ଅଶେଷ ଜନଙ୍କର ହିତେ ।ଶୁଣ କହିବା ତୋ ଅଗ୍ରତେ ॥
ପଦ୍ମ କଳ୍ପର ଅନ୍ତେ ହରି ।ଶୁକର ରୂପେ ଅବତରି ॥
ସେ ସର୍ବ ଯଜ୍ଞମୟ ପାତ୍ରେ ।ଧରଣୀ ଉଦ୍ଧରିବା ଅର୍ଥେ ॥
ଆଦି ଅସୁର ଅବତାର ।ପ୍ରଚଣ୍ଡ ହିରଣ୍ୟାକ୍ଷ ବୀର ॥
ତାହାକୁ ମହାର୍ଣ୍ଣବ ଜଳେ ।ଦନ୍ତେ ବିଦାରିଲେ ପାତାଳେ ॥
ବଜ୍ରେ ଯେସନେ ମହୀଧର ।ହେଳେ ବିନାଶିଲେ ଅସୁର ॥
ସେ ପୁଣି ଋଷି ରୁଚି ଘରେ ।ଜନ୍ମିଲେ ଆକୂତି ଉଦରେ ॥
ସେ ଜନ୍ମ ଯଜ୍ଞରୂପେ ହରି ।ଦକ୍ଷିଣା ଗର୍ଭେ ବୀର୍ଯ୍ୟ ଭରି ॥
ସର୍ବ ଦେବଙ୍କୁ ଜାତ କଲେ ।ତ୍ରିଲୋକ ଭୟ ନିବାରିଲେ ॥
ଯେ ମନୁ ବ୍ରହ୍ମାର ନନ୍ଦନ ।ହରଷେ ଦେଲେ ହରିନାମ ॥
କର୍ଦ୍ଦମ ଋଷି ଘରେ ପୂର୍ବେ ।ଜନ୍ମିଲେ ଦେବହୁତୀ ଗର୍ଭେ ॥
ଜନ୍ମିଣ ଜନନୀର ଦୁଃଖ ।ଜ୍ଞାନେ ହରିଲେ ପଦ୍ମମୁଖେ ॥
ତାର ସଙ୍ଗତେ ନରନାରୀ ।ଜନ୍ମିଲେ ଦିବ୍ୟରୂପ ଧରି ॥
ଆତ୍ମାର ଗତି ମାତା ଆଗେ ।କହିଲେ ତତ୍ତ୍ୱ ଅନୁରାଗେ ॥
ତାହାକୁ ମାୟାରୁ ଉଦ୍ଧରି ।କପିଳ ରୂପେ ନରହରି ॥
ଅତ୍ରି ମାଗିଲେ ତାଙ୍କୁ ବର ।ହୋଇବ ଆମ୍ଭର କୁମର ॥
କହନ୍ତି ଦେବୁଁ ନିଶ୍ଚେ ବର ।ହୋଇବୁଁ ତୁମ୍ଭର କୁମର ॥
ସେହି ହେତୁର ତାଙ୍କ ନାମ ।ଦତ୍ତାତ୍ରେୟ ଯେ ହେଲା ଜାଣ ॥
ତତ୍ତ୍ୱ ବଚନେ ବର୍ତ୍ତମାନ ।ସୁନ୍ଦର କାମ ନୁହେଁ ସମ ॥
ଧରଣୀ ପର୍ଯ୍ୟଟନ କଲେ ।ଅନେକ ତପ ଆଚରିଲେ ॥
ନହୁଷ ଯଦୁ ଆଦି ରାଜା ।ଯାର ଚରଣେ କଲେ ପୂଜା ॥
ଯୋଗ ସମାଧି ସମ୍ପାଦିଲେ ।ଜନ୍ମ ମରଣୁ ନିସ୍ତରିଲେ ॥
ସୃଷ୍ଟି ଉଦ୍ଧାରେ ମନ କରି ।ଲୋକଙ୍କ ହିତେ ଅବତରି ॥
ତପର ଛଳେ ଭଗବାନ ।ହୋଇଲେ ଚତୁଃସନାତନ ॥
ଯେ ଯୋଗ ପୂର୍ବକାଳେ ଥିଲା ।ଅଳ୍ପ ସକଳ୍ପେ ନାଶ ଗଲା ॥
ତାହା ଉଦ୍ଧରେ ଯୋଗବଳେ ।ସଂସାର ଭିଆଇଲେ ଛଳେ ॥
ଦକ୍ଷ କୁମାରୀ ଗର୍ଭେ ହରି ।ଧର୍ମର ବୀର୍ଯ୍ୟେ ଅବତରି ॥
ସେ ଦକ୍ଷ କନ୍ୟା ମୂର୍ତ୍ତିନାମ ।ସର୍ବ ସୁନ୍ଦର ଗୁଣଧର୍ମ ॥
ତାର ଉଦରେ ପୂର୍ବ କଳ୍ପେ ।ଜନ୍ମିଲେ ନାରାୟଣ ରୂପେ ॥
ନର ଶରୀର ହରି ନାମ ।ସର୍ବ ସମ୍ପଦ ପୂର୍ବଧାମ ॥
ନିଶ୍ଚଳ ଯୋଗ ତପ ଧ୍ୟାନେ ।ବସିଲା ବଦରିକାଶ୍ରମେ ॥
ଦିବ୍ୟ ସୁବେଶ ନାନାରଙ୍ଗେ ।ଆସି ମିଳିଲେ ତପଭଙ୍ଗେ ॥
ତହିଁ ଉର୍ବଶୀ ରୂପ ଦେଖି ।ଲାଜେ ହୋଇଲେ ଅଧୋମୁଖୀ ॥
କାହୁଁ କରିବେ ତପନାଶ ।ବାହୁଡ଼ି ଅଇଲେ ନିରାଶ ॥
କୋପ ନୟନେ ମୁନିଜନ ।କାମକୁ କରନ୍ତି ଦହନ ॥
କୋପକୁ ନ ପାରନ୍ତି ଦହି ।କୋପ ପ୍ରବେଶ ଯହିଁ ନାହିଁ ॥
ଉତ୍ତାନ ପାଦ ରାଜା କୋଳେ ।ଧ୍ରୁବ ବାଳକ ସ୍ନେହ ଭୋଳେ ॥
ବସିବ ବୋଲି ବିଚାରିଲା ।ମାତା ସପତ୍ନୀ ଗାଳିଦେଲା ॥
ସେ ନିଜେ ଜନନୀ ବଚନେ ।ଅରଣ୍ୟେ ଗଲା ଦୁଃଖ ମନେ ॥
ଅତି କଠୋର ତପ କଲା ।ତାହାକୁ ଧ୍ରୁବ ପଦ ଦେଲା ॥
ମୁନି ଯେ ତାର ତଳେ ଥାଇ ।ଧ୍ରୁବ ତପସ୍ୟା ଫଳ ଚାହିଁ ॥
ସ୍ତୁତି କରନ୍ତି ତାର ତପେ ।ଜନନୀ ଦେଖ ତା ସମୀପେ ॥
ବେଣୁ ଯେ ସତ୍ୟଯୁଗେ ରାଜା ।ଅଧର୍ମେ ପାଳେ ଜନ ପ୍ରଜା ॥
ହରିଙ୍କି ନ ସ୍ଥାପଇ ଭଲେ ।ବ୍ରାହ୍ମଣ କୋପେ ତା ମାଇଲେ ॥
ରାଜା ମରଣେ ଅରାଜକେ ।ପ୍ରଜା ନାଶିଲେ ଦୁଷ୍ଟଲୋକେ ॥
ତା ଦେଖି ଦ୍ୱିଜ ସ୍ତୁତି କରେ ।ତକ୍ଷଣେ ପୁତ୍ର ରୂପ ଧରେ ॥
ହରି ଜନ୍ମିଲେ ରାଜାକୂଳେ ।ପୃଥିବୀ ଦୁହିଁ ବାହୁବଳେ ॥
ପ୍ରଜାଙ୍କୁ ଶସ୍ୟବୀଜ ଦେଲେ ।ଅନେକ କଷ୍ଟୁ ନିସ୍ତାରିଲେ ॥
ନାଭିର ବୀର୍ଯ୍ୟେ ସେ ଅନନ୍ତ ।ସୁବେଦୀ ଉଦରେ ସମ୍ଭୁତ ॥
କପଟେ ଜଡ଼ରୂପ ଧରି ।ସକଳ ଯୋଗ ସାଧ୍ୟ କରି ॥
ପରମହଂସ ମୁନିଗଣେ ।ନମନ୍ତି ଯାହାର ଚରଣେ ॥
ଶାନ୍ତ ପ୍ରଶାନ୍ତ ଅନ୍ତର୍ଗତ ।ଅଶେଷ ସଙ୍ଗରୁ ବିମୁକ୍ତ ॥
ପୁଣି ମୋହର ଯଜ୍ଞଶାଳେ ।ସେହୁ ଉପୁଜିଲେ ଅନଳେ ॥
ନର ଶରୀର ଅଶ୍ୱ ଶିର ।ସୁବର୍ଣ୍ଣ ବର୍ଣ୍ଣ ଜଟାଭାର ॥
ସକଳ ବେଦ ଯଜ୍ଞମୟେ ।ଅଖିଳ ଆତ୍ମା ନିଜ ଦେହେ ॥
ତାର ନିଃଶ୍ୱାସୁ ବେଦ ତିନି ।ଜନ୍ମିଲେ କର୍ମକାଣ୍ଡ ଘେନି ॥
ଯୁଗାନ୍ତ କାଳେ ମହାଜଳେ ।ରାଜା ତର୍ପଣ କରି ଗଲେ ॥
ମିଳିଲେ ମତ୍ସ୍ୟ ରୂପ ଧରି ।ରାଜା ତାରଣେ ନରହରି ॥
ଯୋଗ ବିପ୍ଳବେ ଜଳରାଶି ।ଥିଲା ଯେ ମହାଜଳେ ମିଶି ॥
ସେ ବେଦ ସଲିଳୁ ଉଦ୍ଧାରି ।ମନୁଙ୍କୁ ଦେଲେ ନରହରି ॥
ବାସବ ସମ୍ପଦ ଉଦ୍ଧାରେ ।କ୍ଷୀର ସମୁଦ୍ର ମନ୍ଥିବାରେ ॥
ମିଳି ସକଳ ଦେବାସୁର ।ସମୁଦ୍ରେ ସ୍ଥାପିଲେ ମନ୍ଦିର ॥
ଅଗାଧ ଜଳେ ମଧୁଅରି ।ମିଳିଲେ କୂର୍ମରୂପ ଧରି ॥
ପୃଷ୍ଠେ ଧଇଲେ ଗିରିବର ।ମନ୍ଥନ କଲେ ଦେବାସୁର ॥
ଗିରି ଘର୍ଷଣେ କଣ୍ଡୁ ସୁଖେ ।ନିଦ୍ରା ଶୟନେ ଉର୍ଦ୍ଧ୍ୱମୁଖେ ॥
ପୁଣି ନୃସିଂହ ରୂପ ଧରି ।ହିରଣ୍ୟକଶିପୁ ବିଦାରି ॥
ଭ୍ରମଇ ଭ୍ରୁକୁଟି କୁଟୀଳ ।ଦିଶେ ଶ୍ରୀମୁଖ ବିକରାଳ ॥
ଗଦା ବୁଲାଇ ଅତି ବେଗେ ।ଦୈତ୍ୟ ମିଳିଲା ସିଂହ ଆଗେ ॥
ଦକ୍ଷିଣେ ଉରୁ ମଧ୍ୟେ ଧରି ।ନଖାଗ୍ରେ ହୃଦୟ ବିଦାରି ॥
ମହା ଦୈତ୍ୟକୁ ନାଶ କଲେ ।ସଂସାର ସଙ୍କଟୁ ତାରିଲେ ॥
ଅଗାଧ ସରୋବର ମଧ୍ୟେ ।କୁମ୍ଭୀର ଗଜ ଇନ୍ଦ୍ରପଦେ ॥
ଧଇଲା ଅତି ଦକ୍ଷବଳେ ।ହସ୍ତୀର ଚରଣେ ନିଶ୍ଚଳେ ॥
ଚଳି ନ ପାରି ଯୂଥପତି ।ଆରତେ ଭଜିଲା ଶ୍ରୀପତି ॥
ହସ୍ତ କମଳ ଉର୍ଦ୍ଧ୍ୱେ ତୋଳି ।ନୟନୁ ଅଶ୍ରୁ ଜଳ ଗଳି ॥
ଆଦି ପୁରୁଷ ଲୋକନାଥ ।ତୀର୍ଥ ପବିତ୍ର ତୋର ଚିତ୍ତ ॥
ଶ୍ରବଣ ମଙ୍ଗଳ ତୋ ନାମ ।ପୁଣ୍ୟ ପୁରୁଷ ଗୁଣଧାମ ॥
ମୁଁ ଅନ୍ତଃସାରେ ଉରୁବଳେ ।ଗ୍ରାହ ପୀଡ଼ନେ ଶୀତ ଜଳେ ॥
ତୋ ବିନା ଆଉ ଗତି ନାହିଁ ।ମୋ ପ୍ରାଣ ରଖ ଭାବଗ୍ରାହୀ ॥
ରଖ ନ ରଖ ତୋ ଶରଣ ।ତୁ ଯେଣୁ ଅଖିଳ କାରଣ ॥
ସେ ହରି ସ୍ଥିତି ଅନୁସ୍ୱନେ ।ଗଜ ବିକଳ ଯୋଗଧ୍ୟାନେ ॥
ମରଣ କାଳେ ସୁମରିଲା ।ବିଷ୍ଣୁର ସମାଧି ଭାଜିଲା ॥
ଯାର ମହିମା ଅପ୍ରମେୟ ।ନିମିଷେ ବହେ ନାନା ଦେହ ॥
ଦକ୍ଷିଣ ଭୂଜେ ଚକ୍ର ଧରି ।ଗରୁଡ଼ କନ୍ଧେ ବିଜେ କରି ॥
ଚକ୍ର ପ୍ରହାରେ ଗ୍ରାହମାରି ।ହସ୍ତୀର ହସ୍ତ କରେ ଧରି ॥
ଜଳୁ ଉଦ୍ଧାରି ନାରାୟଣ ।ଅନ୍ତର କଲେ ତତକ୍ଷଣ ॥
ଅଦିତି ପୁତ୍ରଙ୍କର ମାନ ।ନିର୍ଗୁଣ ଶରୀରେ ବାମନ ॥
ବଳିକି ଛଳିବାର ଆଶେ ।ଇନ୍ଦ୍ରାଦି ଦେବଙ୍କ ବିଶ୍ୱାସେ ॥
କପଟେ ଦ୍ୱିଜ ରୂପ ଧରି ।ଦାନେ ସମ୍ପଦ ତାର ହରି ॥
ତ୍ରିପାଦେ ତିନିଲୋକ ଜିଣି ।ଏ ଅଧିଯଜ୍ଞ ନାମଭଣି ॥
ସେ ବଳି ଦୃଢ଼ ସତ୍ୟ ମନେ ।କୃଷ୍ଣ ଚରଣେ ଆରାଧନେ ॥
ଶୁକ୍ରର ବୋଲ ନ ଶୁଣିଲା ।ତ୍ରିପାଦ ଭୂମି ଦାନ ଦେଲା ॥
ବିଷ୍ଣୁର ପଦତଳେ ଇଚ୍ଛା ।ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା ॥
ସର୍ବ ସମ୍ପଦ ଆତ୍ମା ତୁଲେ ।ଅର୍ପିଲେ ବିଷ୍ଣୁପାଦ ମୂଳେ ॥
ତୁ ଯେ ନାରଦ ତାର ଅଂଶେ ।ଶରୀର ବହୁ ମୋର ବଂଶେ ॥
ତପେ ଲଭିଲୁ ଦିବ୍ୟଜ୍ଞାନ ।ଯୋଗେ ହୋଇଲୁ ଯୋଗୀଜନ ॥
ମନୁଙ୍କ ମଧ୍ୟେ ମନୁବଂଶେ ।ସମ୍ଭବ ଚକ୍ରବର୍ତ୍ତୀ ଅଂଶେ ॥
ଦୁଷ୍ଟ ରାଜାଙ୍କୁ ଦଶଦିଗେ ।ଜିଣି ସ୍ଥାପିଲେ ସାଧୁମାର୍ଗେ ॥
ସେ ଧନ୍ୱନ୍ତରୀ ରୂପଧରି ।ବ୍ରହ୍ମାଣ୍ଡ ମଧ୍ୟେ ଅବତରି ॥
ହରିଲେ ପ୍ରାଣୀଙ୍କର ବ୍ୟାଧି ।ଭିଆଇ ମନ୍ତ୍ର ମହୌଷଧି ॥
ଯଜ୍ଞେ ସ୍ୱଭାଗ ଭୋଗକଲା ।ପ୍ରାଣୀଙ୍କୁ ଆୟୁର୍ବଳ ଦେଲା ॥
ବ୍ରାହ୍ମଣ ଦ୍ରୋହୀ ଦେଖି କୋପେ ।କ୍ଷତ୍ରୀଙ୍କୁ ପର୍ଶୁରାମ ରୂପେ ॥
ପରଶୁ ଦକ୍ଷ ଭୂଜେ ଧରି ।ଅବନୀ ପର୍ଯ୍ୟଟନ କରି ॥
କ୍ଷତ୍ରିୟ ରୁଧିର ତର୍ପଣେ ।ତୋଷିଲେ ନିଜ ପିତୃଗଣେ ॥
ମୋହର ବଚନେ ଦୈତାରି ।ଇକ୍ଷ୍ୱାକୁ ବଂଶେ ଅବତରି ॥
ପିତୃ ବଚନେ ଗଲେ ବନେ ।ସପତ୍ନୀ ସୁମିତ୍ରାନନ୍ଦନେ ॥
ସୀତା ରାବଣ ହରିନେଲା ।ସେ କୋପେ ତା ବଂଶ ମାରିଲା ॥
ବିଭୀଷଣକୁ ଲଙ୍କା ଦେଲେ ।ଦେବଙ୍କ ଭୟ ନିବାରିଲେ ॥
ଜଳଧିପତି ଭୟ କରି ।ନାରାଚେ ଫଳରୂପେ ଧରି ॥
ଚରଣେ ଶରଣ ପଶିଲା ।ଲଙ୍କା ଗମନେ ମାର୍ଗ ଦେଲା ॥
ଦିଗ ବିଜୟେ ଲଙ୍କପତି ।ଐରାବତ ନାମରେ ହସ୍ତୀ ॥
ତାହାର ସଙ୍ଗେ ବାଦ କରି ।ବାହୁ ପ୍ରହାରେ ଗିରି ଚୂରି ॥
ଦେଖି ଭାଜିଲା ଗଜଶ୍ରେଷ୍ଠ ।ରାବଣ ସଙ୍ଗେ କାହିଁ ହଟ ॥
ସେହି ରାବଣ ଦର୍ପରଣେ ।ସେ ରାମ ସଂହାରିଲେ ବାଣେ ॥
ଭୂମିର ଭାରା ନିବାରଣେ ।କ୍ଷୀର ସମୁଦ୍ରେ ଦେବଗଣେ ॥
ଈଶ୍ୱର ଘେନି ଦେବ ବଳେ ।ନମିଲେ ବିଷ୍ଣୁ ପାଦତଳେ ॥
ଅନେକ ମତେ ସ୍ତୁତି ଭଣି ।ବିଷ୍ଣୁ ସନ୍ତୋଷ ତାହା ଣୁଣି ॥
ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ ।ଉରୁ ଉପାଡ଼ି ହୃଷିକେଶ ॥
ସେ ବେନି ଲୋମ ମହୀତଳେ ।ଅସୁର ବଳ ସଂହାରିଲେ ॥
ତରିଲେ ଅବନୀର ଭାର ।ମହା ମହିମ ଚକ୍ରଧର ॥
ତୃତୀୟ ଦିନେ ନାରାୟଣ ।ଶୋଷିଲେ ପୁତନାର ପ୍ରାଣ ॥
ମାସକେ ନନ୍ଦ ଘରେ ହରି ।ପାଦେ ଶକଟା ଚୂର କରି ॥
ପୁଣି ଦଧି ମନ୍ଥନେ ଧରି ।ରୋଳେ ବାନ୍ଧିଲା ନନ୍ଦ ନାରୀ ॥
ସେ ରୋଳ ଘେନି ନନ୍ଦବଳା ।ବେନି ଅର୍ଜ୍ଜୁନ ମଧ୍ୟେ ଥିଲା ॥
ଅତି ଉତ୍ସର୍ଗ ବେନି ବୃକ୍ଷେ ।ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ ॥
ସେ ପୁଣି ଗୋବତ୍ସା ରକ୍ଷଣେ ।କାଳିନ୍ଦୀ ତଟେ କୁଞ୍ଜବନେ ॥
ବତ୍ସା ବାଳକ ବିଷଜଳେ ।ପଶିଲେ ତୃଷାର ଆକୁଳେ ॥
ସକଳ କଲେ ଜଳପାନ ।ତକ୍ଷଣେ ହାରିଲେ ଚେତନ ॥
ଅଦ୍ଭୁତ ଦେଖି ଭାବଗ୍ରାହୀ ।ଅମୃତ ନୟନେ ଅନାଇ ॥
ତାହାଙ୍କୁ ଜୀବଦାନ ଦେଲେ ।ସେ ଜଳେ ସର୍ପକୁ ଦେଖିଲେ ॥
ଦୂରେ ନିରେଖି ନାଗକୁଳ ।ଅମୃତ କଲେ ବର୍ଷାଜଳ ॥
ଜନ୍ତୁଙ୍କୁ କରାଇଲେ ପାନ ।ଅଦ୍ଭୁତ ଗତି ଭଗବାନ ॥
ଅମ୍ବିକା ବନେ ଗୋପୀଜନେ ।ଶୟନେ ନିଶି ଅର୍ଦ୍ଧମାନେ ॥
ଅଗ୍ନି ବେଢ଼ିଲା ବନେ ଆସି ।ପ୍ରଳୟାନଳ ପ୍ରାୟେ ଗ୍ରାସି ॥
ଅନଳ ଦେଖି ନନ୍ଦବଳା ।ବଦନ ଲୁଚାଅ ବୋଇଲା ॥
ଡରେ ଲୁଚାଇଲେ ବଦନ ।ଗୋବିନ୍ଦ କଲେ ଅଗ୍ନିପାନ ॥
ମାତାର କୋଳେ ବସିଥିଲେ ।ଚୁମ୍ୱନେ ମୁଖ ବିସ୍ତାରିଲେ ॥
ଗୋପୀ ଚାହିଁଲେ ତା ବଦନ ।ଉଦରେ ଅଶେଷ ଭୁବନ ॥
ବରୁଣପୁର ଦଇତ୍ୟାରି ।ନନ୍ଦର ବନ୍ଦୀ ମୋକ୍ଷ କରି ॥
ସେ ପୁଣି ବଳଦେବ ସଙ୍ଗେ ।ବନ ବିହାର ଶିଶୁ ରଙ୍ଗେ ॥
ବ୍ୟୋମା ଅସୁର ମାୟା କଲା ।ଗୋପାଳ ପୁଅଙ୍କୁ ହରିଲା ॥
ଗିରି ଗହ୍ୱରେ ନେଇ ଥୋଇ ।ଦ୍ୱାର ରୁନ୍ଧିଲା ଶିଳାଦେଇ ॥
ତାହା ଜାଣିଲେ ଚକ୍ରପାଣି ।ବନ୍ଦିରୁ ଗୋପସୁତ ଆଣି ॥
ଅସୁର ଜୀବନ ହରିଲେ ।ପୁଣି ଅଦ୍ଭୁତ କର୍ମ କଲେ ॥
ବରୁଣପୁର ଯେତେବଳେ ।ନନ୍ଦକୁ ଆଣିଲେ ଗୋକୁଳେ ॥
ଗୋପାଳେ ବରୁଣ ଭୁବନ ।ଦେଖିବା ଅର୍ଥେ କଲେ ମନ ॥
ତାହାଙ୍କୁ ନିଦ୍ରାବଳେ ନେଇ ।ବରୁଣ ଭୁବନ ଦେଖାଇ ॥
ପୁଣି ଦୟାରେ ଭଗବାନ ।ଦେଖାଇ କୁବେର ଭୁବନ ॥
ଗୋପାଳେ ନନ୍ଦ ଗୋପମେଳେ ।ଇନ୍ଦ୍ର ଉତ୍ସବ ଯଜ୍ଞକାଳେ ॥
ଗୋବିନ୍ଦ ବାକ୍ୟେ ଯଜ୍ଞ ଭାଜି ।ପର୍ବତ ଗୋବର୍ଦ୍ଧନ ପୂଜି ॥
ଇନ୍ଦ୍ର ବରଷେ କୋପ କରି ।ପ୍ରଳୟ କାଳେ ଯେହ୍ନେ ବାରି ॥
ତା ଦେଖି କୃଷ୍ଣ ଦୟା ଚିତ୍ତେ ।ଗୋରୁ ଗୋପାଳଙ୍କ ସହିତେ ॥
ସପ୍ତ ବରଷର କୁମର ।ହସ୍ତେ ଉପାଡ଼ି ଗିରିବର ॥
ଛତ୍ର ଆକାରେ ବାମ କରେ ।ଧଇଲେ ଅଙ୍ଗୁଳି ଉପରେ ॥
ସପତ ଦିନ ବୃଷ୍ଟି କଲା ।ଶ୍ରୀକୃଷ୍ଣ କରେ ଗିରି ଥିଲା ॥
ଭୟେ ଚିନ୍ତଇ ସୁରରାୟେ ।ଶରଣ ଗଲା କୃଷ୍ଣ ପାୟେ ॥
ଗୋରୁ ବାଳକ ଘେନି ସଙ୍ଗେ ।ପୁଜିଲା କୃଷ୍ଣ ପାଦଯୁଗେ ॥
ଗୋବିନ୍ଦ ନାମ ଦେଇ ଗଲା ।ସନ୍ତୋଷେ ପୁରେ ପ୍ରବେଶିଲା ॥
ପୁଣି ଶରତ ଋତୁକାଳେ ।ଗୋବିନ୍ଦ ମାୟା ଯୋଗବଳେ ॥
ରାତ୍ରେ ଶଶାଙ୍କ ଛବି ଚାହିଁ ।ରାସ ଉତ୍ସବେ ଭାବଗ୍ରାହୀ ॥
ମଧୁର ବେଣୁନାଦ ଗୀତେ ।ମନ ମୋହିଲେ କାମାରତେ ॥
ଅନଙ୍ଗ ମୋହେ ବ୍ରଜନାରୀ ।ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି ॥
ଶୁଣି ଗୋବିନ୍ଦ ବେଣୁସ୍ୱନ ।ମିଳିଲା କୁବେର ନନ୍ଦନ ॥
ଗୋପୀଙ୍କି ଗିଳିବାର ଆଶେ ।ସର୍ପ ଯେ ଥିଲା ବନଦେଶେ ॥
ତାହାଙ୍କୁ ଦେଖି ବେଣୁଧର ।ପାଦ ପ୍ରହାରେ କଲେ ଚୂର ॥
ମଣି ହରିଲେ ତାର ଶିରୁ ।ଅଶେଷ ଜନ ପିତାଗୁରୁ ॥
ଦର୍ଶନେ ସର୍ପ ଦେହ ଗଲା ।ବ୍ରାହ୍ମଣ ଶାପୁଁ ନିସ୍ତରିଲା ॥
ପ୍ରଳମ୍ବା ଅଘା ବକାସୁର ।କେଶୀ ଧେନୁକା ଷଣ୍ଢାବୀର ॥
ମୁଷ୍ଟିକ ମଲ୍ଲ କୁବଳୟା ।କଂସ ଯବନ ଘୋରମାୟା ॥
ନାରକା ଶାଲୁ ପୁଣ୍ଡରୀକ ।କପି ବୈଖାଳ ଦନ୍ତବକ୍ର ॥
ସପତ ଷଣ୍ଢା ବିଦୁରଥ ।ସମ୍ବର ରୁକ୍ମିଣୀର ଭ୍ରାତ ॥
କାଳ ଦମନ କୁରୁବୀରେ ।ଦୁଷ୍ଟ ଦୁର୍ଜୟ ସେ ଅସୁରେ ॥
ଏହାଙ୍କୁ ସମରେ ନିବାରି ।ଭୀମ ଅର୍ଜ୍ଜୁନ ସଙ୍ଗେ କରି ॥
ପରମପଦେ ଦେଲେ ସ୍ଥାନ ।ମାୟା ମନୁଷ୍ୟ ଭଗବାନ ॥
ଏ କଳିକାଳ ସର୍ପ ବଳେ ।ପ୍ରାଣୀଏ ଚେତନା ଚଞ୍ଚଳେ ॥
ଭକ୍ତି ଯେ ନ ପାରନ୍ତି ଧରି ।ଚଞ୍ଚଳ ଚିତ୍ତ ଦେଖି ହରି ॥
ଜନ୍ମିଲା ବ୍ୟାସ ରୂପ ଧରି ।ଅଶେଷ ସ୍ତୃତି ଶ୍ରୁତି କରି ॥
ବେଦ ବୃକ୍ଷକୁ ଶାଖା କଲେ ।ଏକୁ ଅନେକ ବୁଦ୍ଧି ବଳେ ॥
ଅସୁରେ ତେଜି ବେଦ ମାର୍ଗେ ।ମାୟା ବିମାନେ କଳିଯୁଗେ ॥
ତାହାଙ୍କ ନିସ୍ତାର ଯେମନ୍ତେ ।ଦୃଶ୍ୟ ଅଦୃଶ୍ୟ ଶୂନ୍ୟ ପଥେ ॥
କରିଲେ ବହୁ ଜନହିତ ।ସେ କଥା ଜାଣି ଜଗନ୍ନାଥ ॥
କପଟେ ମାୟା ମୋହପାଶେ ।ପାଷାଣ୍ଡ ମାର୍ଗ ଉପଦେଶେ ॥
ଅଜ୍ଞାନୀ ମଦେ ନ ବୁଝିବେ ।ସୁଜନ ଜନଙ୍କୁ ହିଂସିବେ ॥
ବିଷ୍ଣୁ ସ୍ମରଣ ଗୁଣ କଥା ।ନ କରି ଅନ୍ୟମାର୍ଗେ ଚିନ୍ତା ॥
ଦ୍ୱିଜେ ପାଷଣ୍ଡ ଆଚରିବେ ।ସ୍ୱଧର୍ମ ଯଜ୍ଞ ନ କରିବେ ॥
ରାଜା ହୋଇବେ ଶୂଦ୍ର ଜନେ ।ପ୍ରଜା ପାଳିବେ କର ଧନେ ॥
ଯେ ସ୍ୱାହା ସ୍ୱଧା ବଷଟ୍କାର ।ଛାଡ଼ି କରିବେ ଦୂରାଚାର ॥
ଏ କର୍ମ ଦେଖି କଳ୍କୀ ରୂପେ ।ଅଶ୍ୱ ଆରୋହି ମହାକୋପେ ॥
ଖଡ଼୍ଗେ ସଂହାରି ବେନି ହସ୍ତେ ।ପାଷାଣ୍ଡ ଜନ ଏ ଜଗତେ ॥
ଶେଷେ ସ୍ଥାପିବେ ଧର୍ମ ପଥେ ।ସେବକ ଜନ ଏ ଜଗତେ ॥
ଯେ ସ୍ୱାର୍ଥ ତପ ବ୍ରହ୍ମ ଗତି ।ନବ ଋଷି ଯେ ପ୍ରଜାପତି ॥
ଯେ ଜ୍ଞାନ ଅର୍ଥ ତପ କାମ ।ଯଜ୍ଞ ସମ୍ଭାର ଅନୁପମ ॥
ଅମରଗଣେ ରାଜାଗଣ ।ସଂହାରେ ଅଧର୍ମ କାରଣ ॥
ହର ହରଇ ତିନିପୁର ।ଯେ ସର୍ବ ବିଷ୍ଣୁର ଶରୀର ॥
ଏଣୁ ସେ ମାୟାରୂପ ଧରେ ।କଳ୍ପ କଳ୍ପାନ୍ତେ ସୃଷ୍ଟିକରେ ॥
ସେ ବିଷ୍ଣୁ ମହିମା ସଂସାରେ ।କେ ପୁଣ ସଂଖ୍ୟା କରିପାରେ ॥
ଯେ କବି ଭୂମି ରେଣୁ ଗଣି ।ସେହୁ ନ ପାରିବେ ପ୍ରମାଣି ॥
ସେ ବିଷ୍ଣୁ ପଦ୍ମପାଦ ଘାତେ ।ବ୍ରହ୍ମାଣ୍ଡ ଫାଟିଲା ତୁରିତେ ॥
ସ୍ୱର୍ଧୁନି ଛାଡ଼ି ଭୂମିଗତେ ।ଆକାଶୁ ପଡ଼ନ୍ତେ ତୁରିତେ ॥
ନିଜ ଶରୀରେ ତା ରଖିଲା ।ସେ ଘୋଷେ ପ୍ରକୃତି କମ୍ପିଲା ॥
ଏମନ୍ତ ହରିର ମହିମା ।କେ ଜାଣିପାରେ ଗୁଣ ସୀମା ॥
ତୋର ଅଗ୍ରଜ ମୁନି ଶାନ୍ତ ।ସେ କାହିଁ ପାଇବ ତା ଅନ୍ତ ॥
ବ୍ରହ୍ମ ଶଙ୍କର ନ ପ୍ରମାଣେ ।ଅପରେ କେବା ତାହା ଜାଣେ ॥
ବାସୁକୀ ଅୟୁତ ବଦନେ ।ସମତା ନୁହେଁ ଗୁଣଗାନେ ॥
ଏବେ ନାରଦ ଶୁଣ ଧୀରେ ।ଯେବା ତରିଲେ ମାୟାଘୋରେ ॥
ତା ମାୟା ଜାଣି ଚିତ୍ତ ଡ଼ରେ ।ସେ ଯେ ସଂସାରୁ ତରିଗଲେ ॥
ମୁହିଁ ଜଣାଇ ମାୟା ତାର ।ତୁ ଜାଣୁ ଜାଣଇ ଶଙ୍କର ॥
ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ ।ମନୁ ଯେ କୁଟୁମ୍ବ ସହିତେ ॥
ପ୍ରାଚୀବରହି ଚତୁରଙ୍ଗ ।ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ ॥
ବିଧେୟ ସୋମପୁତ୍ର ଗାଧି ।ରଘୁ ଅମ୍ବରୀଷ ସୁବୁଦ୍ଧି ॥
ଗୟା ନହୁଷ ଆଦି ଯେତେ ।ଶୁଣ ନାରଦ କହୁ ତୋତେ ॥
ମାନ୍ଧାତା ନହୁସୁତ ଧନୁ ।ଶିରେ ତରନ୍ତି ଗଙ୍ଗାସୂନୁ ॥
ଯେ ବେଦମତୀ ବଳି ରାଜା ।ରାୟ ଦିଲ୍ଲୀପର ତନୁଜା ॥
କେବଳ ପିପଲାଦ ଶିବ ।ସାରସ୍ୱତ ସଙ୍ଗେ ଉଦ୍ଧବ ॥
ଯେ ପରାଶର ଭୁରିଶେଣ ।ରାବଣ ଭ୍ରାତା କୁମ୍ଭକର୍ଣ୍ଣ ॥
ବାମନ ବିପ୍ର ଦେବଦତ୍ତ ।ବିଦୁର ସୁତ ସେ ବିପଥ ॥
ବ୍ରାହ୍ମଣ ଶୂଦ୍ର ଦେବ ତୁଲେ ।ବିଷ୍ଣୁ ମାୟାରୁ ତରିଗଲେ ॥
ଶୁଣ ସୁଜନେ ଶୂଦ୍ରନାରୀ ।ଶବଦ ତୁଲେ ଗଲେ ତରି ॥
ଅଦ୍ଭୁତ କର୍ମ ତାହାଙ୍କର ।ଯେ ଭାବେ ନାହିଁ ପରାପର ॥
ନିତ୍ୟ ପ୍ରଶାନ୍ତ ସେ ନିର୍ଭୟେ ।ପ୍ରବୋଧି ମାତ୍ର ତାର ଦେହେ ॥
ସେ ସୂକ୍ଷ୍ମ ସର୍ବ ଘଟେ ସମ ।ରୂପ ଅରୂପ ସର୍ବଧାମ ॥
ଶିବ ନ ପାରେ ଯାହା କହି ।ଅନ୍ୟାନ୍ୟ କ୍ରିୟାଯୋଗେ ନାହିଁ ॥
ଯାର ସମ୍ମୁଖେ ଭଗବତୀ ।ଲାଜେ ପଳାଇ ଶିର ପୋତି ॥
ନିଜ ସ୍ୱରୂପ ତାର ଚିନ୍ତି ।ପରମ ପୁରୁଷ ବୋଲାନ୍ତି ॥
ଅଜସ୍ର ସୁଖ ସେ ବିଶୋକ ।ନାହିଁ ତାହାର ରୂପରେଖ ॥
ଯାହାର ପାଦ ଦୃଢ଼ ଚିତ୍ତେ ।ଯୋଗଧାରଣେ ଅନ୍ତର୍ଗତେ ॥
ଭାବି ଛାଡ଼ନ୍ତି ସର୍ବ ତାପ ।ସମୁଦ୍ର ତଟେ ଯେହ୍ନେ କୂପ ॥
ସେ ହରି କୈବଲ୍ୟର ନାଥ ।ଭାବ ସ୍ୱଭାବେ ଏ ଜଗତ ॥
କହଇ ସର୍ବ ଦେହେ ବସେ ।ସମିଧ ସ୍ୱଭାବେ ପ୍ରବେଶେ ॥
ଦେହ ବିଯୋଗେ କାଳ ଦେହୀ ।ଗଗନ ପ୍ରାୟ ଶୂନ୍ୟେ ରହି ॥
ହେ ପୁତ୍ର କହିଲି ମୁଁ ତୋତେ ।ହରି ମହିମା ଭାଗବତେ ॥
ସତ ଅସତ ରୂପ ସେହି ।ମାୟା ଅଶେଷ ଦେହ ବହି ॥
କରଇ ଆତ୍ମ ଖେଳା ଲୀଳା ।ତାର ଚରିତ ଭବଭେଳା ॥
ଏ ଭାଗବତ ଧର୍ମ ଯେତେ ।ଗୋବିନ୍ଦ କହିଲେ ଯେ ମୋତେ ॥
ସର୍ବ ସମ୍ପଦର ଏ ମୂଳ ।ଅଶେଷ ଧର୍ମ ଯଜ୍ଞଫଳ ॥
ଏହା ବିସ୍ତାରି କହ ମୁଖେ ।ସଂସାରୁ ତରିବେ ତା ସୁଖେ ॥
ଯେମନ୍ତେ ପ୍ରାଣୀଙ୍କର ଚିତ୍ତ ।ବିଷ୍ଣୁ ବିଷୟେ ଅବିରତ ॥
ଯେମନ୍ତେ ନାଶେ ଶୋକ ମୋହ ।ଇତି ସଙ୍କଳ୍ପେ ତାତ କହ ॥
ମାୟା ନ ଲାଗେ ତାର ଚିତ୍ତ ।ସେ ଦୃଢେ ସୁଖେ ଅବିରତ ॥
ବର୍ଣ୍ଣଇ ଈଶ୍ୱରର ମାୟା ।ସେ ଶୁଣେ ଯାରେ ତାର ଦୟା ॥
ଏମନ୍ତ ଭାଗବତ ବାଣୀ ।ନାରଦ ବ୍ରହ୍ମା ମୁଖୁଁ ଶୁଣି ॥
ମନ ଆନନ୍ଦେ କୃତକୃତ୍ୟ ।କହଇ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ବ୍ରହ୍ମା ନାରଦ ସମ୍ୱାଦେନାମ ସପ୍ତମୋଽଧ୍ୟାୟଃ ॥