ଶ୍ରୀମଦ୍ ଭାଗବତ (ଦ୍ୱିତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୨ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁକ କହନ୍ତି ସାଧୁଚିତ୍ତେ ।ପ୍ରସନ୍ନେ ନୃପତି ଅଗ୍ରତେ ॥
ଶୁଣ ରାଜନ ପୁଣ୍ୟଦେହା ।ତୁ ମୋତେ ପଚାରିଲୁ ଯାହା ॥
ମନୁଷ୍ୟ ମଧ୍ୟେ ସାଧୁବାଣୀ ।ମରଣ କାଳେ ତାହା ଜାଣି ॥
ଏବେ କହିବା ଜ୍ଞାନ ସାର ।ଭକତ ଜନଙ୍କ ବେଭାର ॥
ବ୍ରହ୍ମ ତେଜକୁ ଯାର ଇଚ୍ଛା ।ବ୍ରହ୍ମ ଭଜନେ ତାର ଦୀକ୍ଷା ॥
ଇନ୍ଦ୍ରିୟ ସୁଖ ଯାର ଭାବ ।ସେ ନର ଇନ୍ଦ୍ରଙ୍କୁ ପୂଜିବ ॥
ସନ୍ତତି ଅର୍ଥେ ଯାର ମତି ।ସେ ପ୍ରାଣୀ ପୂଜେ ପ୍ରଜାପତି ॥
ଶ୍ରୀକାମେ ଦୁର୍ଗାଦେବୀ ପୁଜେ ।ତେଜସ୍ୱୀ ସେବେ ଗ୍ରହରାଜେ ॥
ଧନାର୍ଥୀ ପୁଜେ ଧନସ୍ୱାମୀ ।ରୁଦ୍ରଙ୍କୁ ପୂଜେ ବୀର୍ଯ୍ୟକାମୀ ॥
ସେବେ ଅଦିତୀ ଦେବମାତା ।ଭକ୍ଷ ଅର୍ଜନେ ଯାର ଚିନ୍ତା ॥
ଦେବଙ୍କୁ ପୂଜେ ସ୍ୱର୍ଗକାମୀ ।ବିଶ୍ୱଦେବାଙ୍କୁ ରାଜାସ୍ୱାମୀ ॥
ସାଧ୍ୟଙ୍କୁ ପୂଜେ ପ୍ରଜାଅର୍ଥେ ।ଅଶ୍ୱିନୀସୁତେ ଆୟୁପଥେ ॥
ଯେ ପ୍ରାଣୀ ପୁଷ୍ଟିଅର୍ଥେ କାମୀ ।ଆନନ୍ଦେ ପୂଜିବ ସେ ଭୂମି ॥
ପ୍ରତିଷ୍ଠା ଯେବା ନର ଇଚ୍ଛେ ।ସେ ପୂଜେ ଭୂମି ଅନ୍ତରୀକ୍ଷେ ॥
ସୁନ୍ଦର ରୂପେ ଯାର ଭାବ ।ସେ ନର ପୂଜିବ ଗନ୍ଧର୍ବ ॥
ଯେ ନର ଇଚ୍ଛେ ଦିବ୍ୟନାରୀ ।ଭାବେ ଉର୍ବଶୀ ପୂଜାକରି ॥
ସର୍ବ ସମ୍ପଦେ ଯାର ଇଚ୍ଛା ।ସେ ନର ପୂଜିବ ବିଧାତା ॥
ଯଶ ଇଚ୍ଛଇ ଯେହୁ ନର ।ଯଜ୍ଞେ ପୂଜିବ ଯଜ୍ଞେଶ୍ୱର ॥
ରତ୍ନ ଭଣ୍ଡାର ଯେ ଅଛନ୍ତି ।ବରୁଣଦେବଙ୍କୁ ସେବନ୍ତି ॥
ଈଶ୍ୱର ପୂଜେ ବିଦ୍ୟାଅର୍ଥୀ ।ଦମ୍ପତ୍ୟ ଅର୍ଥେ ଉମାସତୀ ॥
ଧର୍ମାର୍ଥୀ ପୂଜେ ନାରାୟଣ ।ସନ୍ତାନ ପାଇଁ ପିତୃଗଣ ॥
ପକ୍ଷୀ ଗଣଙ୍କୁ ରକ୍ଷା କାମେ ।ବଳିଷ୍ଠ ପୂଜେ ପ୍ରଭଞ୍ଜନେ ॥
ସକଳେ ରାଜ୍ୟେ ରାଜପଣ ।ସେ ସେବା କରେ ମନୁଗଣ ॥
ଶତ୍ରୁ ମାରଣେ ଯାର ବାଞ୍ଛା ।ନିଋତି ଅଭିସାର ଇଚ୍ଛା ॥
ସୋମକୁ ପୂଜେ କର୍ମକାମୀ ।ଅକାମୀ ଆତ୍ମାରାମ ରମି ॥
ଅକାମେ ଅବା ସର୍ବକାମେ ।ଯେବା ବାଞ୍ଛନ୍ତି ମୋକ୍ଷକାମେ ॥
ପରମ ପୁରୁଷ ଚରଣେ ।ସେବା କରିବେ ଦାସପଣେ ॥
ଏଣୁ ସେ ତାହାଙ୍କ ଜୀବନ ।ଜନ୍ମ ମରଣେ ଧନ୍ୟ ଧନ୍ୟ ॥
ପରମପଦ ସେ ଲଭନ୍ତି ।ବିଷ୍ଣ ଚରଣେ ନିତ୍ୟେ ଚିନ୍ତି ॥
ହରି ଭକତ ଜନ ସଙ୍ଗେ ।ତରଇ ଏ ଭବ ତରଙ୍ଗେ ॥
ଜ୍ଞାନ ପ୍ରସରେ ଭକ୍ତିବଳେ ।ତ୍ରିଗୁଣ ହରଇ ନିଶ୍ଚଳେ ॥
ଆତ୍ମ ପ୍ରସନ୍ନ ଅବିବେକ ।ଗୁଣ ଅସଙ୍ଗ ବେନି ଲୋକ ॥
କୈବଲ୍ୟ ଲଭିବାର ପଥ ।ଏ ଭକ୍ତି ଯୋଗୀଙ୍କର ମତ ॥
କେବା ନ ରସେ ଏହି ଭାବେ ।ଆତ୍ମାର କଇବଲ୍ୟ ଲାଭେ ॥
ଶୌନକ ଉବାଚଏମନ୍ତେ ଶୁକ ମୁଖୁଁ ଶୁଣି ।ସେ ନୃପକୁଳ ଚୂଡ଼ାମଣି ॥
ପୁଣି ସେ ଅଭିମନ୍ୟୁ ବଳା ।ଆନ୍ୟ କି ପ୍ରଶ୍ନ ପଚାରିଲା ॥
ସେ କଥା ଆମ୍ଭେ ଭଲେ ଜାଣି ।ତରିବୁ ଭବ ତରଙ୍ଗିଣୀ ॥
ତୁମ୍ଭର ଅଛି ଯେବେ ସ୍ନେହ ।ସଦୟ ଚିତ୍ତେ ସୁତ କହ ॥
ସେ ହରିକଥା ସଭାମଧ୍ୟେ ।ଭକତେ କହନ୍ତି ଆନନ୍ଦେ ॥
ସେ ପଣ୍ଡୁବଂଶେ ମହାରଥ ।ସ୍ୱଭାବେ ବିଷ୍ଣୁର ଭକତ ॥
ବାଳକ କ୍ରୀଡ଼ା ରସଭୋଳେ ।ଯେ ଭଜେ କୃଷ୍ଣ ପାଦତଳେ ॥
ବ୍ୟାସ କୁମର ସତ୍ତ୍ୱଗୁଣ ।ସ୍ୱଭାବେ ବିଷ୍ଣୁ ପରାୟଣ ॥
ପରମାନନ୍ଦ ଗୁଣଗାଥା ।ସତ ସଙ୍ଗମେ ଯେ ବକତା ॥
ଜୀବନ ବହି ଏ ଜଗତେ ।ସେ ହରି କଥାମୃତ ନିତ୍ୟେ ॥
ନ କରେ ଜୀବନ ନିଷ୍ଫଳ ।ହୀନ ତାହାର ଆୟୁବଳ ॥
ଏ ରବି ଉଦେ ଅନ୍ତଃକାଳେ ।ଜନ୍ତୁ ଜୀବନ ଘେନି ଚଳେ ॥
ଯେ ହରି ଭାବେ ଥାନ୍ତି ଜଡ଼ି ।ତାଙ୍କ ଜୀବନ ଦୂରେ ଏଡ଼ି ॥
ଏ ତରୂଗଣେ ଏ ସଂସାରେ ।ଜୀବନ ଅଜ୍ଞାନ ବେଭାରେ ॥
ଲୌହକାରକ ଗୃହେ ଭାତି ।କିବା ନିଃଶ୍ୱାସ ନ ଛାଡ଼ନ୍ତି ॥
ଗ୍ରାମ କାନନ ପଶୁଗଣ ।କି ନ ଭକ୍ଷନ୍ତି ଜନ ତୃଣ ॥
ମୂତ୍ର ପୁରୀଷ ଉତ୍ସର୍ଗନ୍ତି ।ଅଜ୍ଞାନ ସୁଖେ ସେ ବଞ୍ଚନ୍ତି ॥
ଶ୍ୱାନ ଶୂକର ଓଟ ଖର ।ଏହାଙ୍କ ସମାନ ସେ ନର ॥
କୃଷ୍ଣର ନାମ ଉଚ୍ଚାରଣ ।ନଶୁଣେ ଯାହାର ଶ୍ରବଣ ॥
ତାହାର କର୍ଣ୍ଣଯୁଗ କାନ୍ଥେ ।ବିବରେ ଦିଶନ୍ତି ଯେମନ୍ତେ ॥
ତୁଣ୍ଡର ମଧ୍ୟେ ଜିହ୍ୱା ବହି ।ଯେ ହରି ନାମ ନ ଭାଷଇ ॥
ଦର୍ଦ୍ଦୁର ବାଣୀ ବୋଲି ତାରେ ।ଯେ ହରି ନାମ ନ ଉଚ୍ଚାରେ ॥
ଯାର ଉତ୍ତମ ଶିର ସାଜେ ।ସୁବର୍ଣ୍ଣ ମୁକୁଟ ବିରାଜେ ॥
ପାଟ ବସନେ ବାନ୍ଧି ଚୂଳ ।ଶ୍ରବଣେ ବିରାଜେ କୁଣ୍ଡଳ ॥
ସେ ଯେବେ ହରିଙ୍କି ନ ନମେ ।ସେ ମୁଣ୍ଡଭାର ବହେ ଶ୍ରମେ ॥
ଯେବା ସୁନ୍ଦର ବେନିଭୂଜେ ।କାଞ୍ଚନ କଙ୍କଣ ବିରାଜେ ॥
ବିଷ୍ଣୁର କାର୍ଯ୍ୟ ଯେବେ ନୋହେ ।ଶ୍ମଶାନେ ଅସ୍ଥି ପ୍ରାୟ ଶୋହେ ॥
ଲୋଚନ ବେନି ଥାଉ ମୁଖେ ।ଯେ ହରି ମୁରତି ନ ଦେଖେ ॥
ମୟୂରପୁଚ୍ଛ ବୋଲି ତାରେ ।ସେ ଅନ୍ଧ ସଂସାର ସାଗରେ ॥
ଚରଣ ଯୁଗ ବହି ନରେ ।ଯେବେ ନ ଗମେ ବିଷ୍ଣୁପୁରେ ॥
ସେ ପାଦ ଭଗ୍ନ ବୃକ୍ଷ ଦୁଇ ।ସେ ଯେହ୍ନେ ପଦେ ନ ଚଳଇ ॥
କୃଷ୍ଣର ଭକ୍ତ ପଦ ରେଣୁ ।ସର୍ବଦା ନ ଲାଗେ ଯା ତନୁ ॥
ପବିତ୍ର ନୋହେ ତା ଶରୀର ।ସେ ଅଟେ ଶବର ଆକାର ॥
ତୁଳସୀଦଳ କୃଷ୍ଣ ଦେହେ ।ଶୁଦ୍ଧ ସୌରଭ ଗନ୍ଧ ବହେ ॥
ସେ ଗନ୍ଧ ଯାର ନାସା ଦ୍ୱାର ।ନ ପଶେ ଶବ ତା ଶରୀର ॥
ଦାରୁ ପାଷାଣ ଲୌହ ତାର ।ସେ ଅନ୍ତେ ପଡ଼େ ତମଘୋର ॥
ଗୋବିନ୍ଦ ନାମ ଯାର ହୃଦେ ।ନ ପଶେ ପୁଲକ ଆନନ୍ଦେ ॥
ଯେବେ ବା ପଶଇ ହୃଦରେ ।ନୟନୁ ଅଶ୍ରୁ ତା ନ ଝରେ ॥
ତାର ହୃଦୟ ଅଶ୍ମସାର ।ବହଇ ଲୌହମୟ ଭାର ॥
ହେ ସୁତ ଶୁଣ କୃଷ୍ଣଗୁଣ ।ଶୁଣାଅ ଆମ୍ଭର ଶ୍ରବଣ ॥
ଯେ ସାଧୁ ପ୍ରଶ୍ନ ପରୀକ୍ଷିତ ।ପୁଚ୍ଛିଲା ମୁନିଙ୍କ ଅଗ୍ରତ ॥
ଆତ୍ମା ବିଦ୍ୟାର ବଳେ କରି ।ଶୁକ ଯା କହିଲେ ବିସ୍ତାରି ॥
ସେ ଆତ୍ମ ମନ ଅନୁକୂଳ ।କହି ସଂସାରୁ କର ପାର ॥
ସେ ହରି ଚରଣ ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ ଭକ୍ତିଯୋଗପ୍ରାଧାନ୍ୟ ବର୍ଣ୍ଣନେ ନାମ ତୃତୀୟୋଽଧ୍ୟାୟଃ ॥
ଚତୁର୍ଥ ଅଧ୍ୟାୟ
ଶ୍ରୀସୁତ ଉବାଚଏମନ୍ତେ ଶୁକବାକ୍ୟ ଶୁଣି ।ଆତ୍ମାର ତତ୍ତ୍ୱ ମନେ ଗୁଣି ॥
କୃଷ୍ଣ ବିଷୟେ ଦୃଢ଼ମନ ।କଳ୍ପିଲା ଉତ୍ତରା ନନ୍ଦନ ॥
ଆତ୍ମା କଳତ୍ର ସୁତ ଗୃହେ ।ପଶୁ ଦ୍ରବଣ ବନ୍ଧୁ ସ୍ନେହେ ॥
ରାଜ୍ୟ ସମ୍ପଦ ଯେତେ ଆଶ ।ହୃଦୁ ଛାଡ଼ିଲା ସ୍ନେହପାଶ ॥
ତୁମ୍ଭେ ଯା ପଚାରିଲ ମୋତେ ।ଏ କଥା ରାଜା ଦୃଢ଼ ଚିତ୍ତେ ॥
କୃଷ୍ଣଙ୍କ ଭାବ ଜାଣିବାରେ ।ଶ୍ରଦ୍ଧା ବଢ଼ିଲା ନିର୍ବିକାରେ ॥
ଆତ୍ମା କଲ୍ୟାଣ ମନେ ସ୍ମରି ।ଦେବ ବଚନ ଅନୁସରି ॥
କୃଷ୍ଣ ବିଷୟେ ଦୃଢ଼ଚିତ୍ତ ।ନିଶ୍ଚୟ କରି ପରୀକ୍ଷିତ ॥
ରାଜୋବାଚହେ ଶୁକ ତୁମ୍ଭର ବଚନ ।କୃଷ୍ଣର ଯେତେ ଗୁଣକର୍ମ ॥
ଯାହା ଶୁଣନ୍ତେ ପାପ ହରେ ।ପବିତ୍ର ବାହ୍ୟ ଅଭ୍ୟନ୍ତରେ ॥
ପୁଣି ପଚାରେ ତୋଷଚିତ୍ତେ ।ଭୋ ମୁନି କହିବ ନିଶ୍ଚିନ୍ତେ ॥
ସେ ହରି ଆତ୍ମା ମାୟାବଳେ ।ସୃଷ୍ଟି ସଞ୍ଚିଲେ ଏ ଶୟଳେ ॥
ବିଷ୍ଣୁର ସର୍ଜିଲା ସଂସାର ।ଅନ୍ୟ ଦେବଙ୍କୁ ଅଗୋଚର ॥
ସେ କଥା ଜାଣିବାର ପାଇଁ ।ଭୋ ମୁନି ପୁଣି ମୁଁ ପୁଚ୍ଛଇ ॥
ସେ ବହୁ ଶକ୍ତି ମନ୍ତ୍ର ହରେ ।ଯେକାଳେ ଯେବା ଶକ୍ତି ଧରେ ॥
ଯେମନ୍ତେ ବ୍ରହ୍ମା ବିଷ୍ଣୁ ହର ।କ୍ରୀଡ଼ନ କରେ ଦାମୋଦର ॥
ବିବିଧ ରୂପ ଏ ଜଗତେ ।ଯେମନ୍ତେ କରେ କ୍ରୀଡ଼ା ଅର୍ଥେ ॥
ଅଦ୍ଭୁତ କର୍ମ ଏ ତାହାର ।କେ କରି ପାରିବ ଗୋଚର ॥
କେମନ୍ତେ ପ୍ରକୃତିର ଗୁଣେ ।ସୃଷ୍ଟି ସଞ୍ଚରେ ପୁଣ ପୁଣେ ॥
ସର୍ବ ସଞ୍ଚାରେ ଏକବାରେ ।କିଅବା ପୃଥକ ବେଭାରେ ॥
ଏକ ଅନେକ ରୂପ ଧରେ ।ଅଶେଷ ଜନ୍ମ କର୍ମ କରେ ॥
ପ୍ରାଣୀଙ୍କ ଆତ୍ମାରୂପେ ସ୍ଥିତି ।କି ରୂପେ ପୁରୁଷ ପ୍ରକୃତି ॥
ଏଣୁ ଶ୍ରବଣେ ଇଚ୍ଛା ମୋର ।କହ ହେ ବ୍ୟାସଙ୍କ କୁମର ॥
ଶବଦ ବ୍ରହ୍ମ ଗୁଣ ସାଧି ।ତୁମ୍ଭର ପରମ ସମାଧି ॥
ଶ୍ରୀସୁତ ଉବାଚଶୁଣି ସାନନ୍ଦ ବ୍ୟାସସୁତ ।ହରି ଚରଣେ ଦେଇ ଚିତ୍ତ ॥
ଆନନ୍ଦେ ଚିନ୍ତି ନାରାୟଣ ।କହନ୍ତି ପରୀକ୍ଷିତ ଶୁଣ ॥
ଶ୍ରୀଶୁକ ଉବାଚନମସ୍ତେ ପରମ ପୁରୁଷ ।ଅଶେଷ ଘଟେ ଯେ ପ୍ରକାଶ ॥
ଲୀଳା ବିହାରେ ସୃଷ୍ଟି କରେ ।ପାଳିଣ ପୁଣି ତା ସଂହାରେ ॥
ହେଳେ ଏ ତିନିଶକ୍ତି ଧରେ ।ଜନ୍ତୁର ଅନ୍ତରେ ବିହରେ ॥
ନମସ୍ତେ ଜଗତ ଜୀବନ ।ସାଧୁଙ୍କ ବୃଜିନ ଦହନ ॥
ଅଖିଳ ଜନ୍ତୁରୂପ ତୋର ।ସମ୍ଭବାସମ୍ଭବ ବେଭାର ॥
ପରମହଂସଙ୍କ ଆଶ୍ରମେ ।ଯେ ଅବା ସ୍ଥିତ ପ୍ରାଣୀମାନେ ॥
ତାହାଙ୍କ ଆତ୍ମତତ୍ତ୍ୱଦାତା ।ନିରତେ ତୋର ପାଦେ ଚିନ୍ତା ॥
ନମୋ ସାତ୍ତ୍ୱିକ ଗୁଣବର ।ତୁ ଯୋଗୀଜନେ ଅଗୋଚରେ ॥
ସମେ ପ୍ରକାଶୁ ସର୍ବ ପୁରେ ।ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ ॥
ନମସ୍ତେ ପରମ କାରଣ ।ଯେ ନିତ୍ୟ ସୁଧା ବରଷଣ ॥
ଯା ନାମ ଶ୍ରବଣ କୀର୍ତ୍ତନ ।ଯା ରୂପ ଦେଖିଣ ନୟନ ॥
ନମିଲେ ଯାହାର ଚରଣେ ।ସ୍ୱକର୍ମ ଫଳ ସମର୍ପଣେ ॥
ଜନ୍ତୁଙ୍କ କଳଙ୍କ ନାଶଇ ।ଶ୍ରବଣ ମଙ୍ଗଳ ବୋଲାଇ ॥
ପଣ୍ଡିତ ଜନେ ଯାର ପାଦେ ।ସେବା ସମ୍ପାଦି ଅପ୍ରମାଦେ ॥
ଆତ୍ମାର କଳ୍ମଷ ନାଶନ୍ତି ।ଜନ୍ମ ମରଣେ ନ ଡରନ୍ତି ॥
ଆତ୍ମାର ଶ୍ରମ କରି ଶାନ୍ତି ।ଅନ୍ତେ ଲଭଇ ବ୍ରହ୍ମଗତି ॥
ଯେ ପ୍ରାଣୀ ତପ ଦାନ କରେ ।ଯଶ ସମ୍ପାଦି ଏ ସଂସାରେ ॥
ସୁବୁଦ୍ଧି ପଣେ ମନ୍ତ୍ର ସାଧି ।ମଙ୍ଗଳ କର୍ମକୁ ଆରାଧି ॥
ଏଣୁ ଅର୍ଜିତ ଯେତେ ଫଳ ।ତୋତେ ନ ସମର୍ପି ନିଷ୍ଫଳ ॥
ଶୁଭଦଶ୍ରବା ନାମ ଯାର ।ତାହାଙ୍କୁ ମୋର ନମସ୍କାର ॥
କିରାତଗଣ ଆଦି ଯେତେ ।ପୁଳିନ୍ଦ ଚଣ୍ଡାଳ ସମେତେ ॥
ଆଭୀର କଙ୍କ ଯେ ଯବନ ।ଏ ଆଦି ଯେତେ ଅନ୍ତ୍ୟଜନ ॥
ଦୂଷ୍କର କର୍ମ ଯେ କରନ୍ତି ।ଯା ପାଦ ଆଶ୍ରିତେ ତରନ୍ତି ॥
ଯେ ହରି ଜଗତଜୀବନ ।ଆତ୍ମଜ୍ଞାନୀର ଆତ୍ମଧନ ॥
ଏ ତିନିବେଦ ଯାର ଦେହ ।ଧର୍ମମୟ ଯେ ତପେ ଦେହ ॥
ନିର୍ମଳ ଚିତ୍ତେ ଯୋଗୀଜନେ ।ବ୍ରହ୍ମା ଶଙ୍କର ଅନୁମାନେ ॥
ନାନା ପ୍ରକାରେ ଧ୍ୟାନ ଚିନ୍ତି ।ଯା ରୂପ କେହି ନ ଦେଖନ୍ତି ॥
ସେ ଲକ୍ଷ୍ମୀପତି ଯଜ୍ଞପତି ।ଯାଦବବଂଶ ପତି ଗତି ॥
ଯାହାର ଅନ୍ତମଧ୍ୟେ ସ୍ଥିତି ।ଯାଦବଗଣ ଯାହା ଚିନ୍ତି ॥
ଯାର ଚରଣ ଧ୍ୟାନବଳେ ।ନିଶ୍ଚଳ ସୁନିଷ୍ଠୁର ଜଳେ ॥
ବୁଦ୍ଧିକି ପ୍ରକ୍ଷାଳନ କରି ।ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥
ସତ୍ୟ ବଚନେ ମୁନିଯୁଥେ ।ସେବନ୍ତି ଯାର ପାଦଗତେ ॥
ଯାହାର ଆଜ୍ଞା ପରମାଣେ ।ଭାରତୀ ଆସି ତତକ୍ଷଣେ ॥
ପ୍ରକାଶି କଳ୍ପ ଆଦିକାଳେ ।ବ୍ରହ୍ମାର ହୃଦୟ କମଳେ ॥
ସୃଷ୍ଟି ବିଷୟ ଲୀନ ହେଲା ।ମୁଖେ ଗାୟତ୍ରୀ ଉଚ୍ଚାରିଲା ॥
ପୃଥିବୀ ଆଦି ପଞ୍ଚଭୂତେ ।ଜନ୍ତୁ ଭିଆଇ ଏ ଜଗତେ ॥
ଜନ୍ତୁଙ୍କ ହୃଦୟ କମଳେ ।ଯାର ଶୟନ ସୁଖଭୋଳେ ॥
ଗୁଣ ସମୂହେ ସୁଖେ ଭୁଞ୍ଜେ ।ଷୋଡ଼ଶୀ ଆତ୍ମରୂପେ ରାଜେ ॥
ସେ ହରି ବସୁ ମୋର ହୃଦେ ।ବାକ୍ୟ ଆବୋରି ପଦେ ପଦେ ॥
ଯା ପାଦ ପଦ୍ମ ଜ୍ଞାନରସେ ।ମୁନିଏ ପୂଜନ୍ତି ହରଷେ ॥
ଯେ ହରି କଥା ପୂର୍ବକାଳେ ।ନାରଦ ଋଷି ମୁନିମେଳେ ॥
ବ୍ରହ୍ମାଙ୍କୁ ପଚାରିଲେ ଯେତେ ।ପ୍ରସଙ୍ଗେ କହିବି ମୁଁ କେତେ ॥
କହଇ ଦାସ ଜଗନ୍ନାଥ ।ଦ୍ୱିତୀୟ ସ୍କନ୍ଧେ ଭାଗବତ ॥
ଏ ବାଣୀ ଶୁଣି ସୁଖଭୋଳେ ।ପ୍ରାଣୀ ନିସ୍ତରେ ଭବଜଳେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକପରୀକ୍ଷିତ ସମ୍ୱାଦେ ଭକ୍ତିଯୋଗପ୍ରାଧାନ୍ୟ ବର୍ଣ୍ଣନେ ନାମ ଚତୁର୍ଥୋଽଧ୍ୟାୟଃ ॥
ପଞ୍ଚମ ଅଧ୍ୟାୟ
ନାରଦ ଉବାଚଆନନ୍ଦ ଚିତ୍ତେ ସେ ନାରଦ ।ପୁଚ୍ଛନ୍ତି ବ୍ରହ୍ମାଙ୍କର ପାଦେ ॥
ହେ ଦେବଦେବ ନମୋଽସ୍ତୁତେ ।ଭୂତ ଭାବନ ଏ ଜଗତେ ॥
ସୃଷ୍ଟିର ଅଗ୍ରେ ତୋର ଦେହୀ ।ତୋ ଭାବ ନ ଜାଣନ୍ତି କେହି ॥
ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣ ।ଯେ ବେଦ ପୁରାଣେ ପ୍ରମାଣ ॥
ଯେରୂପ ଯହିଁ ତୋର ବାସ ।ଯହୁଁ ଏ ଜଗତ ପ୍ରକାଶ ॥
ଯାହାର ଆଶ୍ରୟେ ବର୍ତ୍ତଇ ।ପ୍ରକାଶି ଯହିଁ ଲୀନ ହୋଇ ॥
ଭୂତ ଭବିଷ୍ୟ ବର୍ତ୍ତମାନ ।ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ ॥
ହସ୍ତ ଅଏଁଳା ଫଳ ପ୍ରାୟେ ।ତୁମ୍ଭ ଗୋଚରେ ଜ୍ଞାନ ରହେ ॥
ଯେଣୁ ତୁମ୍ଭଙ୍କୁ ଜ୍ଞାନ ସ୍ଫୁରେ ।ଯେବା ତୁମ୍ଭଙ୍କୁ ହୃଦେ ଧରେ ॥
ତାହାର ବସେ କାର୍ଯ୍ୟ କର ।ସ୍ୱରୂପ କିସ ବା ତୁମ୍ଭର ॥
ବୃତେ ସଞ୍ଚରି ଭୂତ କରୁ ।ଯାହାର ମାୟାରେ ବିହରୁ ॥
ଏ ଭୂତଗଣଙ୍କୁ ଯେ ପାଳେ ।ଅପରା ରବି ଆତ୍ମା ତୁଲେ ॥
ଆପଣା ଶକ୍ତି ବଳେ ଭାବି ।ଆଶ୍ରୟେ ଯେହ୍ନେ ଉର୍ଣ୍ଣନାଭି ॥
ଏ ସୃଷ୍ଟି କର୍ମ ଅଗୋଚର ।ଯେ ରୂପ ନାମ ଗୁଣ ତାର ॥
ଜାଣେ ମୁଁ ନାହିଁ ତୋ ବାହାରେ ।ଅନ୍ୟ ବା କେ ଅଛି ବେଭାରେ ॥
ତୁମେ ଯେ ଘୋର ତପକରି ।ଆତ୍ମା ସମାଧି ଅନୁସରି ॥
ଏ ମାୟା ସୃଜିଲ କେମନ୍ତେ ।ଏଣୁ ସଂଶୟ ମୋର ଚିତ୍ତେ ॥
ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର ।ମୋର ସଂଶୟ ଦୂର କର ॥
ଭକ୍ତ ଭାବରେ ପଚାରଇ ।ସ୍ୱଭାବେ ପୁତ୍ର ମୁଁ ଅଟଇ ॥
ଯେମନ୍ତେ ମୋର ଚିତ୍ତେସ୍ମରେ ।ଏ ବିଶ୍ୱ ସମାଧି ଗୋଚରେ ॥
ଏଣେ ନାରଦ ବାକ୍ୟ ଘେନି ।ହରଷେ କହେ ପଦ୍ମଯୋନି ॥
ବ୍ରହ୍ମୋବାଚଧନ୍ୟ ନାରଦ ମୁନିବର ।ସୁସାଧୂ ପ୍ରସ୍ତାବ ତୋହର ॥
ତୁମ୍ଭେ ପଚାର ଜନହିତେ ।ଏ ବ୍ରହ୍ମ ଭାଗବତ ଗ୍ରନ୍ଥେ ॥
ବିଷ୍ଣୁ ମହିମା ଦରଶନେ ।ପୁଚ୍ଛିଲ ବିନୟ ବଚନେ ॥
ତୁମ୍ଭେଯେ ପଚାରିଲ ମୋତେ ।ଏ ମିଥ୍ୟା ନୁହଇ ଉଚିତେ ॥
ଯେଣୁ ଈଶ୍ୱର ପ୍ରାୟ ହୋଇ ।ଏ ସୃଷ୍ଟି ମୋହର ଅଟଇ ॥
ପରମେଶ୍ୱର ଜ୍ଞାନ ଯେଣୁ ।ନାହିଁ ତୋହର ଭ୍ରାନ୍ତି ତେଣୁ ॥
ଏ ଆଦି ମଧ୍ୟ ଅନ୍ତର୍ଗତେ ।ଶୁଣ କହିବା ତାହା ତୋତେ ॥
ବିଷ୍ଣୁର ଆଜ୍ଞା ଘେନି ଚିତ୍ତେ ।ବ୍ରହ୍ମାଣ୍ଡ ସଜିଲି ଯେମନ୍ତେ ॥
ଯେମନ୍ତେ ଅର୍କ ଅଗ୍ନି ଶଶୀ ।ଗ୍ରହ ନକ୍ଷତ୍ର ତାରାରାଶି ॥
ତାହା କହିବା ତୋ ସମୀପେ ।ବିଷ୍ଣୁର ଆଜ୍ଞା ବଳ ଦର୍ପେ ॥
ଯେ ହରି ଜଗତ ଈଶ୍ୱର ।ତାହାଙ୍କୁ ମୋର ନମସ୍କାର ॥
ଯାର ମହିମା ମହାମେରୁ ।ମୁଁ ଯେ ବୋଲାଇ ଶିଷ୍ୟଗୁରୁ ॥
ଯାହାର ଇଚ୍ଛା ମାର୍ଗେସ୍ଥିତି ।ଲାଜେ ଶଙ୍କିତ ଭଗବତୀ ॥
ସେ ମାୟା ବଳେ ଏ ଜଗତ ।ଅଜ୍ଞାନ ମଦେ ବିମୋହିତ ॥
ମୁହିଁ ମୋହର ଏ ଶରୀର ।ଦାରା ସମ୍ପଦ ବନ୍ଧୁ ମୋର ॥
ଅଜ୍ଞାନ ଜନଙ୍କ ଏ ଭାବ ।ସର୍ବ ସମ୍ପଦ ପଦ୍ମନାଭ ॥
ଏ ଦ୍ରବ୍ୟକାଳ କର୍ମଜୀବ ।ଜୀବର ଯେ ଅବା ସ୍ୱଭାବ ॥
ଯେତେ ଦେଖଇ ଭିନ୍ନ ଭିନ୍ନ ।ଏକଇ ଆତ୍ମା ସର୍ବଜନ ॥
କାର୍ଯ୍ୟ କାରଣ କର୍ତ୍ତାଅର୍ଥେ ।ଦ୍ରବ୍ୟଜ୍ଞାନ କ୍ରିୟା ସମେତେ ॥
ଗୁଣେ ରହନ୍ତି ଆଶ୍ରେ କରି ।ନିର୍ଗୁଣ ପୁରୁଷ ଆବୋରି ॥
ଏ ତିନିଗୁଣେ ଲିଙ୍ଗ ଯେତେ ।ମଧ୍ୟେ ବର୍ତ୍ତଇ ଅଲକ୍ଷିତେ ॥
ମାୟା ଈଶ୍ୱର ମାୟା ବଳେ ।ସୃଜେ ସ୍ୱଭାବେ କର୍ମକାଳେ ॥
ସେ କାଳ ଗୁଣ ବ୍ୟତୀତରେ ।ସୃଜଇ ପାଳଇ ସଂସାରେ ॥
ତାର ସ୍ୱଭାବ କର୍ମ ଯୋଗେ ।ମହତ ଉପୁଜିଲା ବେଗେ ॥
ମହତ ବିକାରୁ ତକ୍ଷଣେ ।ତ୍ରିଗୁଣ ଲିଙ୍ଗ ଆଭରଣେ ॥
ତମ ପ୍ରଧାନ ଅତିରେକେ ।ଯେ ଦ୍ରବ୍ୟେ ଜ୍ଞାନୀ କ୍ରିୟାତ୍ମକେ ॥
ସ୍ୱଭାବେ ଶକ୍ତି ମହାଘୋର ।ତମ ତାମସ ଅଳଙ୍କାର ॥
ଗୁଣ ପ୍ରକାଶ ତିନି ତିନି ।ବିକାର ତମ ତେଜ ଘେନି ॥
ଯେ ଶକ୍ତିଦ୍ରବ୍ୟ କ୍ରିୟାଜ୍ଞାନ ।ଏ ଭାବେ ଭେଦ ଭିନ୍ନ ଭିନ୍ନ ॥
ସେ ଅହଙ୍କାର ଭୂତ ଆଦି ।ତାମସ ଶକ୍ତି ଯହିଁ ଭେଦି ॥
ଶବଦ ପୁଣି ମାତ୍ରା ସଞ୍ଚେ ।ନଭ ପ୍ରକାଶେ ଅନ୍ତରୀକ୍ଷେ ॥
ଶବଦ ଗୁଣେ ସେ ପ୍ରଧାନ ।ଦୃଶ୍ୟଦୃଶକ ଭେଦ ସ୍ଥାନ ॥
ଶବଦ ଗୁଣ ନଭୁଁ ହୋଇ ।ଚତୁର୍ଥ ମାତ୍ରା ସଙ୍ଗେ ଲଇଁ ॥
ନଭ ବିକାରୁ ବାୟୁ ଜାତ ।ସ୍ମରଣ ଶବ୍ଦଗୁଣେ ସ୍ଥିତ ॥
ସ୍ପରଶ ଗୁଣେ ତା ପ୍ରବଳ ।ଯେ ପ୍ରାଣ ମହାତେଜ ବଳ ॥
ପବନ ବିକାର ତକ୍ଷଣେ ।ସ୍ୱଭାବେ କାଳ କର୍ମ ଗୁଣେ ॥
ସ୍ପର୍ଶ ଯେ ଗୁଣ ତହିଁ ଥାଇ ।ତୃତୀୟ ମାତ୍ରା ଲାଭ ହୋଇ ॥
ଶବଦ ସ୍ପର୍ଶ ରୂପ ତାର ।ପ୍ରଚଣ୍ଡ ତେଜ ମହାଘୋର ॥
ତେଜ ବିକାରେ ସେ ଉଦକ ।ଯାର ସ୍ୱଭାବ ରସାତ୍ମକ ॥
ଶବ୍ଦ ସ୍ପରଶ ରୂପ ତିନି ।ଏ ତିନିରସ ସଙ୍ଗେ ଘେନି ॥
ଆପ ବିକାରୁ ମହୀ ଜାତ ।ସେ ପଞ୍ଚ ମାତ୍ରାଗୁଣେ ଯୁକ୍ତ ॥
ସତ୍ତ୍ୱ ବିକାର ତହୁଁ ମନ ।ଏ ରୂପେ ପ୍ରକାଶ ଗଗନ ॥
ମନର ସଙ୍ଗେ ଦେବ ବଳ ।ଦଶଇନ୍ଦ୍ରିୟ ଦିଗପାଳ ॥
ଦିଗ ବାତର୍କ ଜଳପତି ।ଅଶ୍ୱିନୀ ବହ୍ନି ସୁରପତି ॥
ଉପେନ୍ଦ୍ର ମିତ୍ର ପ୍ରଜାପତି ।ଏ ରୂପେ ନବ ପ୍ରଜାପତି ॥
ତେଜସ ବିକାରୁ ତକ୍ଷଣେ ।ଜନ୍ମିଲେ ଦଶଇନ୍ଦ୍ରି ଗଣେ ॥
ଯେ କ୍ରିୟାଜ୍ଞାନ ବୁଦ୍ଧି ପ୍ରାଣ ।ତୈଜସ ଶକ୍ତି ଏ ପ୍ରମାଣ ॥
ଶ୍ରୁତି ଯୁଗଳ ଚର୍ମ ଘ୍ରାଣ ।ନୟନ ଜିହ୍ୱା ପଞ୍ଚଜ୍ଞାନ ॥
ବଚନ ପ୍ରାଣି ଅଘ୍ରିଂ ବେନି ।ଉପର ମୂଳାଧାର ଘେନି ॥
ଏ କର୍ମ ଇନ୍ଦ୍ରିୟ ପ୍ରକାର ।ଦଶଦେବଙ୍କ ଅଧିକାର ॥
ଭୂତ ଇନ୍ଦ୍ରିୟ ଗଣମାନ ।ଏ ଯେଣୁ ନ ଲଭିଲେ ସ୍ଥାନ ॥
ବ୍ରହ୍ମାଣ୍ଡ ହେତୂ ଏ ପ୍ରତ୍ୟକ୍ଷେ ।ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ ॥
ସ୍ଥାନ ନପାଇ ଅନ୍ୟୋଅନ୍ୟେ ।ସ୍ଥକିତେ ରହିଲେ ଗଗନେ ॥
କେତେହେଁ କାଳ ଶୂନ୍ୟେ ରହି ।ଏ ସର୍ବେ ବିଷ୍ଣୁ ଆଜ୍ଞା ପାଇ ॥
ସେ ମହାଭୂତେ ସୂକ୍ଷ୍ମଭୂତେ ।ଘଟିତ ଅନ୍ୟେଅନ୍ୟ ଯୂତେ ॥
ସେ ହରି ଆଜ୍ଞା ଭକ୍ତିବେଳେ ।ସେ ସର୍ବେ ହୋଇ ଏକମେଳେ ॥
ସୁବର୍ଣ୍ଣ ଅଣ୍ଡ ଉପୁଜିଲା ।ତକ୍ଷଣେ ଉଦକ ପଡ଼ିଲା ॥
ଅନେକ ସହସ୍ର ବରଷେ ।ସେ ଅଣ୍ଡ ମହାଜଳେ ଭାସେ ॥
ସେ ଅଣ୍ଡ ମଧ୍ୟେ ଜୀବ ଜାତ ।କାଳକର୍ମ ସ୍ୱଭାବେ ସ୍ଥିତ ॥
ସେ ସର୍ବଗୁଣ ସର୍ବସିଦ୍ଧି ।କେତେହେଁ କାଳେ ଅଣ୍ଡଭେଦି ॥
ପୁରୁଷେ ହୋଇଲା ବାହାର ।ଏବେ ହୋ ଶୁଣ ନୃପବର ॥
ସହସ୍ର ଉରୁ ଅଘ୍ରିଂ ବକ୍ଷ ।ସହସ୍ର ନୟନ ପ୍ରତ୍ୟକ୍ଷ ॥
ସହସ୍ର ଶିର ସସ୍ରଭୁଜ ।ଆନନ୍ଦ ଅପ୍ରମିତ ତେଜ ॥
ଯାହାର ଦେହ ଶୂନ୍ୟ ଦେଖ ।ଲୋକର ସ୍ଥାନ ଉପଲେଖ ॥
ଦ୍ୱିସପ୍ତ ଲୋକ ତାର ଅଙ୍ଗେ ।କଳ୍ପିତ ଅଧଉର୍ଦ୍ଧ୍ୱ ଭାଗେ ॥
ମୁଖୁଁ କଳ୍ପିତ ବ୍ରହ୍ମକୁଳଁ ।କ୍ଷତ୍ରିୟଜାତ ବାହୁ ମୁଳୂଁ ॥
ଉରୁ ଯୁଗଳୁଁ ବୈଶ୍ୟଗଣେ ।ଶୂଦ୍ର ଉପୁଜିଲା ଚରଣେ ॥
ଭୂଲୋକ କଟୀଭାଗେ ସ୍ଥିତ ।ନାଭିରୁ ଭୁବଲୋକ ଜାତ ॥
ହୃଦରେ ସ୍ୱର୍ଲୋକ ନିଶ୍ଚଳେ ।ମହଲ୍ଲୋକ ଯେ ଉରସ୍ଥଳେ ॥
ଏ ଜନଲୋକ ଗ୍ରୀବାତଟେ ।ତପ ବସଇ ବେନି ଓଷ୍ଠେ ॥
ମୁର୍ଦ୍ଧନୀ ମଧ୍ୟେ ବ୍ରହ୍ମଲୋକ ।ଯେ ସନାତନ ସତ୍ୟଲୋକ ॥
ସପ୍ତ ପାତାଳ ଅଧୋଭାଗେ ।ଶୁଣ କହିବା ଅନୁରାଗେ ॥
ଅତଳ ବସେ ଜଘଂ ଦେଶେ ।ଉରୁରେ ବିତଳ ପ୍ରକାଶେ ॥
ସୁତଳ ବସେ ଜାନୁମୁଳ ।ଜଘଂର ମୂଳେ ତଳାତଳ ॥
ସେ ମହାତଳ ଗୁଳ୍ଫଦେଶେ ।ପଦାର୍ଦ୍ଧେ ରସାତଳ ବସେ ॥
ପାତାଳ ପାଦତଳେ ରହେ ।ଏଣୁ ଭୁବନ ବିଶ୍ୱଦେହେ ॥
ସ୍ୱର୍ଲୋକ କଳ୍ପିତ ମୁର୍ଦ୍ଧନୀ ।ବିଶ୍ୱଶରୀରେ ବିଶ୍ୱମାନି ॥
ନାରଦ ଆଗେ ବେଦବର ।ଯାହା କହିଲେ ବେଦସାର ॥
ସୁଜନ ଜନଙ୍କ ଶ୍ରବଣେ ।ବ୍ରାହ୍ମଣ ଜଗନ୍ନାଥ ଭଣେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେସୃଷ୍ଟ୍ୟାଦିବିଭୂତି ବର୍ଣ୍ଣନେ ନାମ ପଞ୍ଚମୋଽଧ୍ୟାୟଃ ॥