ଶ୍ରୀ ଶାରଦା ବନ୍ଦନା
୧୮୪୮–୧୯୧୮
- ସଂକଳନ: ଶୀତଳା ସ୍ତୋତ୍ରଂ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୬୫
- ସ୍ଥିତି
- ସାର୍ବଜନୀନ (Public domain)
ବନ୍ଦଇ ଯେ ଦେବି ମାଗୋ ସିଦ୍ଧ ଯେ ଶାରଦା ॥
ତୋହ ପଦ୍ମପାଦେ ମାଗୋ ଜଗଜ୍ମନ ପ୍ରଜା ॥
ବନ୍ଦଇ ଶାରଦା ମାଗୋ ଝଙ୍କଡ଼ ପୁରବାସୀ ॥
ବନ୍ଦଇ ଶାରଦା ମାଗୋ କୋଟି ତୋର ଦାସୀ ॥
ବନ୍ଦଇ ଶାରଦା ମାଗୋ ତୋହର ପୟର ॥
ଦର୍ଶନ ମାତ୍ରକେ ମାଗୋ ସର୍ବ ପାପହର ॥
ବନ୍ଦଇ ଶାରଦା ମାଗୋ ଜଗତଠାକୁରାଣୀ ॥
ଜଳ ସ୍ଥଳ ଅନଳେ ମାଗୋ ଦୁଷ୍ଟ ନିବାରିଣୀ ॥
ବନ୍ଦଇ ଶାରଦା ମାଗୋ ଜଗତମାତପୁଣି ॥
ଲକ୍ଷେ ଦେବୀଙ୍କ ଉପରେ ଅଟୁ ତୁ ପାଟରାଣୀ ॥
ବନ୍ଦଇ ଶାରଦା ମାଗୋ ଜଗା ଜଗଜ୍ମନମାତା ॥
ଦୁଖିଜନଙ୍କର ମାଗୋ ତୋହପାଦେ ଚିନ୍ତା ॥
ବନ୍ଦଇ ଶାରଦା ମାଗୋ ଜଗତ ତାରିଣୀ ॥
ତୋତେ ଚିନ୍ତା କରନ୍ତି ଯେ ସବୁ ଜନ ପୁଣି ॥
ବନ୍ଦଇ ଶାରଦା ମାଗୋ ତୋହର ମହିମା ॥
ଅନ୍ତ କରି ନ ପାରନ୍ତି ହରିହରବ୍ରହ୍ମା ॥
ବନ୍ଦଇ ଶାରଦା ମାଗୋ ତୋହରୂପ ଚାହିଁ ॥
ସ୍ୱର୍ଗ ମର୍ତ୍ତ୍ୟପାତାଳରେ କେହି ସମ ନାହିଁ ॥
ବନ୍ଦଇ ଶାରଦା ମାଗୋ ଜଗତଜନନୀ ॥
ଖଡ଼ଗ ଗଦା ମାଗୋ ଶୋହେ ଭୁଜବେନି ॥
ବନ୍ଦଇ ଶାରଦା ମାଗୋ କାଟି ବାହୁ ଦଣ୍ଡ ॥
ସର୍ବଜନମାନେ ମାଗୋ ତୋହପଦେ ରୁଣ୍ଡ ॥
ବନ୍ଦଇ ଶାରଦା ମାଗୋ ନାସା ଯେ ଶ୍ରବଣ ॥
ଦୁରିତ ବିନାଶ ଯାଏ କରନ୍ତେ ଦର୍ଶନ ॥
ବନ୍ଦଇ ଶାରଦା ମାଗୋ କଣ୍ଠ ଯେ ନୟନ ॥
କଟାକ୍ଷ ମାତ୍ରକେ ପାପ ହୋଇବ ଦହନ ॥
ବନ୍ଦଇ ଶାରଦା ମାଗୋ ତୋର ବକ୍ଷଃସ୍ଥଳ ॥
ଦୁଃଖିଜନଙ୍କର ଦୁଃଖ ବିନାଶ ଚଞ୍ଚଳ ॥
ତ୍ରିଭୁବନେ ତୋ ସମାନ କେ ହୋଇବେ କଛ ॥
ତୋହର ମହିମାକୁ କେ ଦେବା ଉପଲକ୍ଷ ॥
ସତ୍ୟ ତ୍ରେତା ଦ୍ୱାପର ଯେ ପୁଣି କଳିଯୁଗେ ॥
ଝଙ୍କଡ଼ଗ୍ରାମରେ ମାଗୋ ରହିଲୁ ପୂର୍ବଭାଗେ ॥
ଜଗତଜନରେ ମାଗୋ ନାମ ତୋ ଶାରଦା ॥
ମାଡ଼ି ବସିଅଛୁ ମାଗୋ ତିନ୍ତୁଳିର ପଦା ॥
ନାନା ଯାତ୍ରା ତୀର୍ଥମାନ ଭିଆଇଅଛ ବସି ॥
ଜନ ମାନେ ସଦା ତୋର ଦରଶନେ ଆସି ॥
ତୋର ପାଦପଦ୍ମେ ମାଗୋ କରନ୍ତି ଗୁହାରି ॥
ସମସ୍ତ ଶୁଣୁଛୁ ମାଗୋ ହୃଦୟ ସ୍ଥିର କରି ॥
ଅପରାଧି ଜନଙ୍କୁ କରୁ ତୁ ପରିତ୍ରାଣ ॥
ଅପୁତ୍ରିକ ଜନକୁ ମାଗୋ ଦେଉ ପୁତ୍ର ଦାନ ॥
ନିଧନେ ଯେ ଦେଇ ଧନ ଦୁରିତ ବିନାଶୁ ॥
ମହିଷାସୁର ମର୍ଦ୍ଦିନି ଗୋ ତ୍ରିଭୁବନ ରଖୁ ॥
ଅବିଶ୍ୱାସୀ ଜନକୁ ମାଗୋ କରୁ ବିନାଶନ ॥
ଦଣ୍ଡ ଦେଇ ପୁଣି ତୁ ଯେ କରୁ ପରିତ୍ରାଣ ॥
ଯେ ଯେମନ୍ତ ଭାବେ ମାଗୋ ତେମନ୍ତ ତୁ ଦେଇ ॥
ଦୋଷୀଜନେ ଦଣ୍ଡ ପୁଣି ଦିଅ ମହାମାଇ ॥
ଶୁଣ ଆଦିମାତ ମାଗୋ ମୋହର ବଚନ ॥
ମୁଁ ତୋତେ ବନ୍ଦନା ମାଗୋ କରେ ମୂର୍ତ୍ତିମାନ ॥
ମନସ୍ଥିର କରି ମାଗୋ କହୁଅଛି ମୁହିଁ ॥
ଶରଧା ଚିତ୍ତରେ ମାଗୋ ଯେ ତୋତେ ଭାବଇ ॥
ଯେଉଁ ଜନମାନେ ମାଗୋ ନ କରନ୍ତି ମାୟା ॥
ତାଙ୍କ ଠାରେ ତୋର ମାଗୋ ବହୁତ ସେନେହା ॥
ତୋହ ପାଦପଦ୍ମ ମାଗୋ ଯେ କରେ ଭକତି ॥
ଧନ ପୁତ୍ର ଦେଉ ମାଗୋ ସେ ସୁଖ ସମ୍ପତ୍ତି ॥
ଶରଦାଙ୍କ ସ୍ତୁତି ଯେଉଁମାନେ ପଢ଼ିଛନ୍ତି ॥
ଲକ୍ଷେ ପ୍ରତିମା ଦାନର ଫଳ ସେହୁ ପାନ୍ତି ॥
ଏ ସ୍ତୁତିକି ଯେଉଁମାନେ ପଢ଼ନ୍ତି ଶୁଣନ୍ତି ॥
ଷଡ଼ମାସେ ଧନ ଜନ ହୁଅଇ ସମ୍ପତ୍ତି ॥
ତ୍ରିସନ୍ଧ୍ୟାରେ ପ୍ରାତଃକାଳେ ପଢ଼େ ଯେଉଁ ପ୍ରାଣୀ ॥
ସମ୍ୱତ୍ସରେ ବିଦ୍ୟା ଧନ ଲଭେ ସେହୁ ପୁଣି ॥
ଧନ ଜନ ପୁତ୍ର ଆଦି ତାହାଙ୍କୁ ମିଳଇ ॥
ଶାରଦା ପ୍ରସାଦେ ତାଙ୍କୁ କିଛି ଭୟ ନାହିଁ ॥
ମୋହ ନାମ ଗୋଟି ଯେ ସ୍ମରଣ କରୁଅଛି ॥
ବାଟରେ ଘାଟରେ ତାକୁ ଭୟ ନାହିଁ କିଛି ॥
କାଳବିକାଳକୁ ଯେହୁ ଦିଅଇ ଘଉଡ଼ି ॥
ଆଗେ ମୋ ଭକତ ପଛେ ଥାଇ ତାକୁ ବେଢ଼ି ॥
ମୋହର ଭକ୍ତକୁ ପୁଣି ଚିନ୍ତଇ ଯେ ମନ୍ଦ ॥
ଖଡ଼ଗ ବୁଲାଇ ଯେ ଛେଦଇ ତାର କନ୍ଧ ॥
ଏ ସ୍ତୁତି ପଢ଼ିଣ ମୋତେ କରି ନମସ୍କାର ॥
ମହାଗୋଳ ସଂଗ୍ରାମକୁ ହୁଏ ଯେ ବାହାର ॥
ମୋହର ପ୍ରସାଦେ ତାର ତିନି ପୁର ଜୟ ॥
ଚିତ୍ତରେ ନ ଥାଏ ଚିନ୍ତା ନ ଉପୁଜେ ଭୟ ॥
ଏ ସ୍ତୁତି ପଢ଼ିଣ ସୁମରଇ ଯେଉଁ ନର ॥
ରାଜଦଣ୍ଡ ବନ୍ଧନରୁ କରଇ ଉଦ୍ଧାର ॥
ଏ ସ୍ତୁତି ଶୁଣିଣ ଯେ କରେ ଉପହାସ ॥
ବଂଶ ନାଶ ଯାଇ ତାର ନ ରହଇ ଅଂଶ ॥
ଶରଦାଙ୍କ ସ୍ତୁତିର ଯେ ଏମନ୍ତ ମହିମା ॥
ଜଗତରେ ନାହିଁ କିଛି ଦେବାକୁ ଉପମା ॥
ସାତଦିନ ସାତରାତି ପଢ଼ନ୍ତି ଯେଉଁମାନେ ॥
ଲଭନ୍ତି ସର୍ବଦା ଫଳ ବାଞ୍ଛନ୍ତି ଯା ମନେ ॥
ପ୍ରପାତ କରାଇ ମୁହିଁ ତାଙ୍କୁ ବହୁଫଳ ॥
ଦୁରିତମାନଙ୍କୁ ସବୁ ହରେ ତତକାଳ ॥
ଶୁଣ ଗୋ ଅଭୟ ବରରାତ୍ରି ଶାରଦାଇ ॥
ଅପରାଧୀ ଭୃତ୍ୟକୁ ଗୋ କେ ରଖନ୍ତା ନାହିଁ ॥
ମୁଁ ଛାର ମାନବ ମାଗୋ କିଛି ନ ଜାଣଇ ॥
ଆଜ୍ଞା ଦିଅ ମାଗୋ ତୋ ଚରଣେ ରହିଥାଇ ॥
ମୁହିଁ ମୁର୍ଖଜନ ମାଗୋ ମାଗୁଛି କାରଣ ॥
ଯମର ଦଣ୍ଡରେ ମୁଁ ଯେ ନୋହିବି କଷଣ ॥
ତୋହର ଆଜ୍ଞାରେ ମାଗୋ ତୋର ପଦା ବନ୍ଦି ॥
ପାଇବି ଅଶେଷ ସୁଖ ହୋଇବି ଆନନ୍ଦି ॥
ଦୟା କର ଆଦିମାତା ସିଦ୍ଧ ଠାକୁରାଣୀ ॥
ନମଇଁ ଶାରଦା ମାଗୋ ଅପରାଧଭଞ୍ଜନି ॥
ନମଇଁ ଶାରଦା ମାଗୋ ତୋର ପାଦ ଦୁଇ ॥
ତୋର ପାଦପଦ୍ମେ ମାଗୋ ଶରଣ ପଶଇ ॥
ବନ୍ଦଇ ଶାରଦା ମାଗୋ ତୋର ଅଳଂକାର ॥
ଶରଣ ସମ୍ଭାଳି ତୋ ଚରଣେ ଦାସ କର ॥
ବନ୍ଦଇ ଶାରଦା ମାଗୋ ପତନୀର ବେଶ ॥
ସିନ୍ଦୁର ଚିତାରେ ମୋର ରହିଅଛି ଆଶ ॥
ବନ୍ଦଇଁ ଶାରଦା ମାଗୋ ଜଗତପାଳଣି ॥
ବନ୍ଦଇଁ ଶାରଦା ମାଗୋ ଶିରେ ଶୋହେ ବେଣୀ ॥
ତ୍ରାହି କର ମତେ ମାଗୋ ଶଙ୍କଟତାରିଣି ॥
ଦାସ ପଦେ ରଖ ମା ଶାରଦା ଠାକୁରାଣୀ ॥
ନମଇଁ ଶାରଦା ମାଗୋ କୋଟି ଦେବଗଣ ॥
ରାମଦାସ ଶ୍ରୀପୟରେ ପଶିଲା ଶରଣ ॥