ଶିକ୍ଷାପଦ୍ଧତି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୭୧
- ସ୍ଥିତି
- ସାର୍ବଜନୀନ (Public domain)
୧ । ଶିକ୍ଷାଦାନ ପଦ୍ଧତିର ଦୋଷକୁ ଅନେକ କୃତବିଦ୍ୟ ଶିକ୍ଷକ ସୁଦ୍ଧା ଅକୃତକାର୍ଯ୍ୟ ହୁଅନ୍ତି-। ଦେଖାଯାଏ କେତେକ ଶିକ୍ଷକ ଉଚିତ ପରିଶ୍ରମ କରି ସୁଦ୍ଧା ଆଶାନୂରୂପ ଫଳପ୍ରାପ୍ତ ହୁଅନ୍ତି ନାହିଁ । ଏଥିର କାରଣ ଅନୁସନ୍ଧାନ କଲେ ଦେଖାଯିବ ଯେ ଏହା କେବଳ ଶିକ୍ଷାଦେବା ଦୋଷରୁ ଘଟିଥାଏ । ସକଳ କାର୍ଯ୍ୟରେ ନିୟମ ଥିବାର ଆବଶ୍ୟକ; ନିୟମ ନଥିଲେ କୈାଣସି ବିଷୟ ସୁନ୍ଦର ହୁଏନାହିଁ । ଆମ୍ଭେମାନେ ଯେଉଁ ଜଗତ ସମ୍ମୁଖରେ ଦେଖୁଅଛୁଁ — ଯାହାର ଏକାଂଶରେ ଆମ୍ଭେମାନେ ପରିବାରବର୍ଗ-ବେଷ୍ଟିତ ହୋଇ ବାସ କରୁଅଛୁଁ, ନିୟମର ରାଜତ୍ୱ ସେଥିରେ ନଥିଲେ ଯେ ତାହାର କି ଦଶା ଘଟନ୍ତା, ତାହା କଳିବା ଏକାନ୍ତ କଠିନ । ଶିକ୍ଷାପଦ୍ଧତିର ଯେଉଁସବୁ ସୁନିୟମ ଅଛି ତାହା ଉପେକ୍ଷା କଲେ କଦାପି ଭଳଫଳ ଲାଭ କରାଯାଇନପାରେ । ସ୍କୁଲରେ ଶିକ୍ଷକ କେଉଁ କେଉଁ ବିଷୟପ୍ରତି ଦୃଷ୍ଟି ରଖିବେ ଏବଂ କି ନିୟମରେ ଶିକ୍ଷା ଦେବେ ତାହା ବୋଲିବାକୁ ହେଲେ ଖଣ୍ଡିଏ ବୃହତ୍ ପୁସ୍ତକ ରଚନା କରିବାକୁ ପଡ଼ିବ । ‘ଶିକ୍ଷାବନ୍ଧୁ’ ରେ ତେତେ ସ୍ଥାନ ନାହିଁ ଏବଂ ଲେଖକଙ୍କର ମଧ୍ୟ ସେପରି କ୍ଷମତା ନାହିଁ । ଏଠାରେ ଶିକ୍ଷାପଦ୍ଧତିର କେବଳ ଦୁଇଚାରିଗୋଟି ନିୟମର ଉଲ୍ଲେଖ କରାଯାଉଅଛି ।
୨ । ଯେଉଁ ଶ୍ରେଣୀର ଛାତ୍ରମାନଙ୍କୁ ଶିକ୍ଷା ଦେବେ, ଶିକ୍ଷକ ଉକ୍ତ ଶ୍ରେଣୀ ମଧ୍ୟରେ ପ୍ରବିଷ୍ଟ ହୋଇ କେଉଁ ବାଳକ ଉପସ୍ଥିତ ନାହିଁ ତାହା ପ୍ରଥମେ ଅନୁସନ୍ଧାନ କରି ଦେଖିବେ । ଏ କାର୍ଯ୍ୟ କିଛି କଷ୍ଟସାଧ୍ୟ ନୁହେଁ । ପ୍ରତ୍ୟେକ ଶ୍ରେଣୀରେ ପ୍ରାତ୍ୟହିକ ଉପସ୍ଥିତ-ବାଳକମାନଙ୍କର ସଂଖ୍ୟା ଚିହ୍ନିତ କରିବା ନିମନ୍ତେ ଖଣ୍ଡେ ଖଣ୍ଡେ ବହି ଥାଏ । ଏହି ବହିକୁ ଭାଷାରେ ‘ହାଜିରାବହି’ ବୋଲାଯାଏ । ଉକ୍ତ ବହିରେ ଶ୍ରେଣୀସ୍ଥ ବାଳକମାନଙ୍କର ନାମ ଲେଖାଥାଏ । ସମାନଙ୍କର ନାମ କ୍ରମାନ୍ୱୟରେ ଡ଼ାକିଗଲେ କେଉଁ ବାଳକ ଉପସ୍ଥିତ ନାହିଁ ତାହା ସହଜରେ ଜଣାପଡ଼ିବ । ଏପରି କଲେ କିଛି ଫଳ ଅଛି କି ? କେହି କେହି ପଚାରନ୍ତି,‘‘ଏପରି କରିବାର ଲାଭ କ’ଣ ? ଶିକ୍ଷକ ଅଳସ ନ ହୋଇ ପଢାଇଲେ ହେଲା— କେତେ ବାଳକ ଆସିଅଛନ୍ତି ପୁଣି କେତେ ଆସିନାହାନ୍ତି ତାହା ନିତ୍ୟ ତଦନ୍ତ କରିବାକୁ ହେଲେ କେବଳ ବୃଥାରେ ସମୟ ଅପବ୍ୟୟ କରିବାକୁ ହେବ । ବାସ୍ତବରେ ଏହି ନିୟମ ରକ୍ଷା କରିବାକୁ ହେଲେ କିଛି ସମୟ ବ୍ୟୟ କରିବାକୁ ହୁଏ; କିନ୍ତୁ ଉକ୍ତ ସମୟ ବ୍ୟୟକରି ଯେଉଁ ଫଳ ଲାଭ କରାଯାଏ ତାହା ଯେ ବ୍ୟୟିତ ସମୟାପେକ୍ଷା ମୂଲ୍ୟବାନ୍ ତାହା ବହୁଦର୍ଶୀମାନେ ଅବଶ୍ୟ ସ୍ୱୀକାର କରିବେ । ବାଳକମାନଙ୍କର ଉନ୍ନତି ଜାଣିବା ନିମନ୍ତେ ‘ହାଜିରା ବହି’ ଆବଶ୍ୟକ ହୁଏ । ମଧ୍ୟ ‘ହାଜିରା ବହି’ ଯୋଗୁଁ ସ୍କୁଲରେ ଉପସ୍ଥିତ-ସଂଖ୍ୟା ବୃଦ୍ଧିହେବାର ଦେଖାଯାଏ । ଯଦ୍ୟପି ବାଳକମାନଙ୍କର ଅନୁପସ୍ଥିତ ହେବାର କାରଣ ଅନୁସନ୍ଧାନ କରାନଯାଏ ଏବଂ ସେଥିରେ କୈାଣସି ହିସାବ ରକ୍ଷିତ ନ ହୁଏ ତାହାହେଲେ ସେମାନେ ଉପସ୍ଥିତ ହେବା ପକ୍ଷରେ ବିଶେଷ ମନୋଯୋଗୀ ହୁଅନ୍ତି ନାହିଁ । ଯେଉଁ ବାଳକମାନେ ଅନୁପସ୍ଥିତ ଥିବେ, ସେମାନଙ୍କର ଅନୁପସ୍ଥିତ ହେବାର କାରଣ ଶିକ୍ଷକ ଅନୁସନ୍ଧାନ କରି ବୁଝିବେ । ଯଦ୍ୟପି କୈାଣସି ବାଳକ ବୃଥାରେ ଅନୁପସ୍ଥିତ ହୋଇଥାଏ ତାହାହେଲେ ସେ ପୁନଃ ଉପସ୍ଥିତ ହେଲେ ଶିକ୍ଷକ ବିବେଚନାପୂର୍ବକ ଦଣ୍ଡବିଧାନ କରିବେ ।
୩। ଆପଣା ଶ୍ରେଣୀରେ ଯେପରି କୈାଣସି ଗୋଳମାଳ ନ ହୁଏ ସେଥିପ୍ରତି ଶିକ୍ଷକ ବିଶେଷ ଦୃଷ୍ଟିରଖିବେ । ଦେଖାଯାଏ କେତେକ ଶିକ୍ଷକଙ୍କର ସମୟ କେବଳ ଗୋଳମାଳ ବନ୍ଦ କରିବାରେ ବ୍ୟୟିତ ହୁଏ । ଯେଉଁ ଶିକ୍ଷକଙ୍କର ଏପରି ଘଟେ ସେ ଶିକ୍ଷକତା କାର୍ଯ୍ୟରେ ସମ୍ପୂର୍ଣ୍ଣ ଅନୁପଯୁକ୍ତ । କେଉଁ ବାଳକମାନେ ସର୍ବଦା ଗୋଳମାଳ କରନ୍ତି ତାହା ଜାଣିବା ଆୟାସସାଧ୍ୟ ନୁହେଁ । ଦୁଷ୍ଟ ବାଳକମାନଙ୍କ ପ୍ରତି ଦୃଷ୍ଟି ରଖିଥିଲେ ଶ୍ରେଣୀରେ ଗୋଳମାଳ ହେବାର ସମ୍ଭାବନା ନଥାଏ । ବାସ୍ତବରେ ଯଦି ବାଳକମାନେ ଜାଣିପାରନ୍ତି ଯେ ସେମାନଙ୍କର କାର୍ଯ୍ୟ ଶିକ୍ଷକଙ୍କର ଦୃଷ୍ଟି ଅତିକ୍ରମ କରୁନାହିଁ ତାହାହେଲେ ସେମାନେ ଗୋଳମାଳରୁ ବିରତ ହେବେ ।
୪। ଶିକ୍ଷକ ଯାହା ପଢାଇବେ ତାହା ତାହାଙ୍କର ସୁଚାରୁରୂପେ ଜାଣିଥିବା ଉଚିତ-। ଉକ୍ତ ପାଠ ତାହାଙ୍କର ଏପରି ଜଣାଥିବ ଯେ ସେ ଶ୍ରେଣୀରେ ପୁସ୍ତକ ବ୍ୟବହାର ନକରି ସୁଦ୍ଧା ଅଧ୍ୟାପନ କରାଇପାରିବେ । ଆମ୍ଭମାନଙ୍କର ଏକଥା ବୋଲିବାର ତାତ୍ପର୍ଯ୍ୟ ଏହି ଯେ ଯଦ୍ୟପି କୈାଣସି ଶ୍ରେଣୀରେ ଅଧିକସଂଖ୍ୟକ ବାଳକ ଥାନ୍ତି ତାହାହେଲେ ଶିକ୍ଷକ ପୂର୍ବରୁ ପ୍ରସ୍ତୁତ ହୋଇ ଆସିନଥିଲେ ବାଳକମାନଙ୍କ ମଧ୍ୟରୁ କିଏ କିପରି ମନୋଯୋଗୀ ହେଉଅଛି ତାହା ସେ ଜାଣିପାରିବେ ନାହିଁ, ହେତୁ କି ପୁସ୍ତକରେ ମନ ଦେବାରେ ତାହାଙ୍କର ଅଧିକ ସମୟ ବ୍ୟୟିତ ହେବ । ପୁଣି ସାଧାରଣତଃ ଅମନୋଯୋଗୀ ବାଳକମାନେ ସୁବିଧାପ୍ରାପ୍ତ ହୋଇ ଅଧିକ ଅମନୋଯୋଗୀ ହେବେ । ବୋଲିବା ବାହୁଲ୍ୟ ଯେ, ବାଳକମାନଙ୍କ ମଧ୍ୟରୁ କିଏ କିପରି ମନଲଗାଇ ପାଠ କରୁଅଛି ତାହା ଦେଖିବା ଶିକ୍ଷକଙ୍କର କର୍ତ୍ତବ୍ୟ-କର୍ମ ଅଟେ ।
୫ । କେତେକ ଶିକ୍ଷକ କ୍ରମାନ୍ୱୟରେ ଶ୍ରେଣୀର ଏକପାର୍ଶ୍ୱରୁ ପଢାଇବାକୁ ଆରମ୍ଭ କରନ୍ତି ଏବଂ ପ୍ରଥମ ଦିନ ଯେଉଁ ଛାତ୍ରମାନେ ପଢିଥାନ୍ତି ଦ୍ୱିତୀୟ ଦିନ ସେମାନଙ୍କୁ ଅଧିକ କିଛି ନ ପଚାରି ସେମାନଙ୍କ ପରବର୍ତ୍ତୀ ବାଳକମାନଙ୍କୁ ପଢାନ୍ତି ଏବଂ କ୍ରମାନ୍ୱୟରେ ଏହି ପଥକୁ ଅବଲମ୍ବନ କରି ଅଗ୍ରସର ହୁଅନ୍ତି । ଅନେକ ସୁବିଜ୍ଞ ଶିକ୍ଷକଙ୍କୁ ମଧ୍ୟକରିବା ଦେଖାଯାଇଅଛି । ଏ ପ୍ରଥା ଯେ ମନ୍ଦ ତାହା ବୋଲିବା ବାହୁଲ୍ୟ । ବିଶେଷତଃ ଯେଉଁ ଶ୍ରେଣୀରେ ଅଧିକ ବାଳକ ଥାନ୍ତି ସେଠାରେ ଉକ୍ତ ପ୍ରଥା ଅବଲମ୍ବନ କଲେ ଯେ କିପରି ଫଳ ଘଟିଥାଏ ତାହା ଅନୁଭବୀ ବିନା ଆଉ କେହି ବୁଝିବେ ନାହିଁ । ଏପରି ଭାବରେ ପଢାଇାବାକୁ ହେବ ଯେ ପ୍ରତ୍ୟେକ ବାଳକ ତାହାର ପାଠ ଅଭ୍ୟାସ କରି ସ୍କୁଲରେ ଉପସ୍ଥିତ ହେବ । ଯଦି ଶିକ୍ଷକ ଆପଣା ଇଚ୍ଛାନୁସାରେ ବାଳକମାନଙ୍କୁ ପଢିବାକୁ ବୋଲନ୍ତି ତାହା ହେଲଷ ପ୍ରତ୍ୟେକ ବାଳକ ପାଠାଭ୍ୟାସ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ପକ୍ଷାନ୍ତରରେ ବାଳକମାନେ ଯଦ୍ୟପି ଜାଣିପାରନ୍ତି ଯେ ଆଜି ଆମ୍ଭମାନଙ୍କୁ ପଢିବାକୁ ହେବ ନାହିଁ ତାହାହେଲେ ସେମାନେ ପାଠ୍ୟଭ୍ୟାସରେ ମନଯୋଗୀ ହୁଅନ୍ତି ନାହିଁ । ଏଠାରେ ଉଲ୍ଲେଖ କରିବା ଉଚିତ ଯେ ମନ୍ଦ ବାଳକମାନେ ସୁଦ୍ଧା ଉକ୍ତ ନିୟମ ଅବଲମ୍ବନ କଲାରୁ ସ୍ଥଳବିଶେଷରେ ଉନ୍ନତିଲାଭ କରିଥିବାର ଦେଖାଯାଏ ।
୬ । ଶିକ୍ଷକ ଭିନ୍ନ ଭିନ୍ନ ଛାତ୍ରକୁ ଯେତେ ପ୍ରଶ୍ନ ପଚାରି ପାରନ୍ତି ତେତେ ଭଲ । ଆମ୍ଭେମାନେ ଦେଖିଅଛୁଁ ଯେ ପ୍ରଶ୍ନ ପଚାରିବ । ଗୁଣରୁ ଛାତ୍ରମାନେ ଅମନୋଯୋଗୀ ହୋଇପାରନ୍ତି ନାହିଁ । ପୁଣି ନାନା ପ୍ରକାର ପ୍ରଶ୍ନ ଉଦ୍ଭାବନ କରି ବାଳକମାନଙ୍କୁ ପଚାରିଲେ ସେମାନଙ୍କର ଜ୍ଞାନବୃଦ୍ଧି ହୋଇଥାଏ; ଯେହେତୁ ଏହି ଉପାୟରେ ସେମାନଙ୍କୁ ଯେ ପରିମାଣରେ ଶିକ୍ଷା ଦିଆଯାଇପାରେ ଅନ୍ୟ କୌଣସି ଉପାୟରେ ତାହା ଦେବା କଷ୍ଟକର ।
୭। ଦେଖାଯାଏ କେତେକ ଶିକ୍ଷକ ପଢାଇଲାବେଳେ ଛାତ୍ରମାନଙ୍କୁ ବୁଦ୍ଧି ପରିଚାଳନା କରିବାର ଅବସର ଦିଅନ୍ତି ନାହିଁ । କୌଣସି ପାଠ ବୁଝାଇବାବେଳେ ସେ ଚତୁର୍ମୁଖ ହୋଇ ବୁଝାଇବାକୁ ଆରମ୍ଭ କରନ୍ତି । ଶିକ୍ଷକମାନେ ଯେ ବାଳକମାନଙ୍କୁ ବିଷୟଗୁଡ଼ିକ ଉତ୍ତମରୂପେ ବୁଝାଇଦେବେ, ତାହା ଅବଶ୍ୟ ବାଞ୍ଛନୀୟ; କିନ୍ତୁ ବାଳକମାନେ ଯେପରି ତାହାଙ୍କ ମୁଖନିସୃତ ବାକ୍ୟଗୁଡ଼ିକ ନ ବୁଝି ନ ସୁଝି କଣ୍ଠସ୍ଥ ନ କରନ୍ତି ତାହା ସର୍ବାଗ୍ରେ ଦେଖିବା କର୍ତ୍ତବ୍ୟ । ବାଲ୍ୟକାଳରୁ ମାନସିକବୃତ୍ତିନିଚୟରେ ପରିଚାଳନା ନ ହେଲେ ମନୁଷ୍ୟ କ୍ରମେ ସ୍ଥୂଳଧୀ ହୋଇଯାଏ । ଆମ୍ଭମାନଙ୍କ ମତରେ ଶିକ୍ଷକ ନିଜେ ବୁଝାଇାବକୁ ଚେଷ୍ଟା ନ କରି ବାଳକମାନଙ୍କୁ ବୁଝାଇବାକୁ ଦେବେ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିବେ । ଯେଉଁଠାରେ ସେମାନଙ୍କର ଭୁଲ ହେଉଥିବ ତାହା ସା ସଂଶୋଧନ କରିଦେଇ ଭାବାର୍ଥ ଓ ତାତ୍ପର୍ଯ୍ୟଗୁଡ଼ିକ ଉତ୍ତମରୂପେ ବୁଝାଇଦେବେ । ଏହି ଉପାୟରେ ଶିକ୍ଷା ଦେଲେ ବାଳକମାନଙ୍କର ବିଶେଷ ଉନ୍ନତି ହେବ ।
୮ । ଶିକ୍ଷକଙ୍କୁ ସ୍କୁଲରେ ଯେ କେବଳ ଶିକ୍ଷକତା (ପ୍ରକୃତ ଅର୍ଥରେ) କରିବାକୁ ହୁଏ ଏମନ୍ତ ନୁହେଁ । ତାହାଙ୍କର କ୍ଲାସ ଗୋଟିଏ ରାଜ୍ୟତୁଲ୍ୟ ଏବଂ ସେ ସେଠାରେ ରାଜା ସଦୃଶ । ତାହାଙ୍କୁ ଶାସନକାର୍ଯ୍ୟ ନିର୍ବାହ କରିବାକୁ ହୁଏ–ବିଚାରକାର୍ଯ୍ୟ ସମାଧାନ କରିବାକୁ ହୁଏ । ଛାତ୍ରମାନେ ତାହାଙ୍କର ପ୍ରଜା । ପ୍ରଜାମାନଙ୍କ ମଧ୍ୟରେ ଅମେଳ ହେଲେ ତାହାଙ୍କୁ ସେମାନଙ୍କ ମଧ୍ୟରେ ସଖ୍ୟଭାବ ଓ ସୌହାର୍ଦ୍ଦ ସ୍ଥାପନ କରିଦେବାକୁ ହୁଏ । ତାହାଙ୍କର ବିଚାରକାର୍ଯ୍ୟରେ ପକ୍ଷପାତିତ୍ୱ ଲକ୍ଷିତ ହେଲେ ମନ୍ଦଫଳ ଘଟିବାର ସମ୍ଭାବନା । ଏଣୁକରି ଶିକ୍ଷକମାଡ଼ଙ୍କର ସାବଧାନ ହୋଇ କାର୍ଯ୍ୟ କରିବା କର୍ତ୍ତବ୍ୟ ।
୯ । ଶିକ୍ଷକତା କାର୍ଯ୍ୟର ଦାୟିତ୍ୱ ଗୁରୁତ୍ୱ ଇତିପୂର୍ବେ ଅନେକଥର ଶିକ୍ଷାବନ୍ଧୁରେ ବୁଝାଇବାକୁ ଚେଷ୍ଟା କରାଯାଇଅଛି । ଏଠାରେ ଆଉ ସେ ବିଷୟରେ ପୁନରୁଲ୍ଲେଖ କରିବା ନିଷ୍ପ୍ରୟୋଜନ । ଶିକ୍ଷକ ଏକଥା ମନେରଖିଥିବେ ଯେ ଯେଉଁ ବାଳକମାନେ ଆଜି ତାହାଙ୍କ ଚାରିଆଡ଼ରେ ବସି ବଦ୍ୟାଧ୍ୟୟନ କରୁଅଛନ୍ତି ସେମାନେ ସମୟରେ ମନୁଷ୍ୟ ହେବେ ଏବଂ ସମାଜର ପୁଷ୍ଟିସାଧନ କରିବେ । ଯେପରି ବୃକ୍ଷ ଦେହରେ ଏକପ୍ରକାର କୀଟ ଲାଗିଲାରୁ ବୃକ୍ଷ ନଷ୍ଟ ହୋଇଯାଏ, ଅଥବା ବୃକ୍ଷର ବିଶେଷ କ୍ଷତି ହୁଏ, ଏହିପରି ଏମାନେ ଅସଚ୍ଚରିତ୍ର ହେଲେ ସମାଜର କ୍ଷତି ହୋଇଥାଏ । ଅତଏବ ବାଳକମାନେ ଯେପରି ସଚ୍ଚରିତ୍ର ହୁଅନ୍ତି ସେଥିପ୍ରତି ଶିକ୍ଷକ ଦୃଷ୍ଟି ରଖିବାକୁ ଭୁଲିବେ ନାହିଁ । ବାଲ୍ୟକାଳ ଅପ୍ରଷ୍ପୁଟିତ ପୁଷ୍ପ ସଦୃଶ । ଅପ୍ରଷ୍ପୁଟିତ ପୁଷ୍ପ ମଧ୍ୟରେ କୀଟ ପ୍ରବେଶ କରି ଯେପରି ତାହାର ସୌନ୍ଦର୍ଯ୍ୟ ବିନଷ୍ଟ କରିଦିଏ ସେହିପରି କୁତ୍ସିତଭାବ ଓ ମନ୍ଦଅଭ୍ୟାସ ବାଲ୍ୟକାଳରୂପେ କୁସୁମ ମଧ୍ୟରେ ଏକାବେଳେକେ ଖରାପ ହୋଇଯାଏ । ଶିକ୍ଷକ ଏହା ସ୍ମରଣ ରଖି ଶିକ୍ଷା ଦେଲେ ସମାଜର ଉନ୍ନତି, ସୁତରାଂ ଦେଶର ଉନ୍ନତି ହେବ ବୋଲି ଆଶା କରାଯାଇପାରେ ।
ଅଳଙ୍କାର ବୋଧୋଦୟ
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ