ଶିକ୍ଷା ଓ କଳ୍ପନା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୪୩
- ସ୍ଥିତି
- ସାର୍ବଜନୀନ (Public domain)
ମନୁଷ୍ୟ କଳ୍ପନାଶୂନ୍ୟ ହୋଇ ରହିନପାରିଲେ ହେଁ କଳ୍ପନା ବୃତ୍ତିର ଉତ୍କର୍ଷସାଧନ ନ କରି ଦିନାତିପାତ କରିପାରେ— ସାଂସାରିକ କାର୍ଯ୍ୟକଳାପ ନିର୍ବାହ କରିବାରେ ତାହାର କୈାଣସି ପ୍ରକାର କଷ୍ଟ ଉପସ୍ଥିତ ହୋଇନପାରେ ତାହାର କୈାଣସି ପ୍ରକାର କଷ୍ଟ ଉପସ୍ଥିତ ହୋଇନପାରେ । କିନ୍ତୁ ସୁନ୍ଦର ସୁସଜ୍ଜିତ ଗୃହ ତ୍ୟାଗ କରି କିଏ ଇଚ୍ଛାପୂର୍ବକ କଦର୍ଯ୍ୟ ଗୃହରେ ବାସ କରିବାକୁ ମନ ବଳାଇଥାଏ ? ଖଣ୍ଡିଏ ‘ଚାଳୀଘର’ ଅଛି; ତହିଁରେ ଆଲୋକ ପ୍ରବେଶ କରିପାରେ, ବାୟୁ ଗମନାଗମନ କରିପାରେ, ଜଳ ପ୍ରବେଶ କରିପାରେ ନାହିଁ; ଘରର ନିମ୍ନଭାଗ ମଧ୍ୟ ଓଦା ନୁହେଁ, ଏମନ୍ତ କି ଆମ୍ଭମାନଙ୍କର ଯାବତୀୟ କାର୍ଯ୍ୟ ଉକ୍ତ ଗୃହମଧ୍ୟରେ ନିର୍ବାହ କରାଯାଇପାରେ । କିନ୍ତୁ ଘରଟି ଦେଖିବାକୁ ସୁନ୍ଦର ନୁହେଁ,ଏହାର କାନ୍ଥଯାକ ମୋଟ ମୋଟ ଓ ସର୍ପାକୃତି ବିଶିଷ୍ଟ, କେଉଁଠାରେ ବା ଦୁଇହାତ ଗଭୀରର ଗର୍ଭ କାନ୍ଥଦେହରେ ରହିଅଛି । ଏହାର ବାତାୟନ ଗୁଡ଼ିକ ମଧ୍ୟ ଦେଖିବାକୁ ସୁନ୍ଦର ନୁହଇ । ପୁଣି ଏହି ଘର ପାଖରେ ଆଉ ଖଣ୍ଡିଏ ଘର ଅଛି । ଉକ୍ତ ଗୃହଟି ଦେଖିବାକୁ ସୁନ୍ଦର, ତାହାର କବାଟ, ଗବାକ୍ଷଗୁଡ଼ିକରେ ରଙ୍ଗ ଦିଆହୋଇଅଛି । ସମ୍ମୁଖରେ ସ୍ତମ୍ଭାବଳୀ ଗୃହର ଶୋଭାବର୍ଦ୍ଧନ କରୁଅଛି । କାନ୍ଥଗୁଡ଼ିକ ବେଶ୍ ସୁନ୍ଦର ଏବଂ କେତେଗୁଡ଼ିଏ ଭଲ ଭଲ ଛବି କାନ୍ଥଗୁଡ଼ିକ ବେଶ୍ ସୁନ୍ଦର ଏବଂ କେତେଗୁଡ଼ିଏ ଭଲ ଭଲ ଛବି କାନ୍ଥଦେହରେ ଲଟକା ହୋଇଅଛି । ପାଠକ ! କହ କେଉଁ ଗୃହଟି ତୁମ୍ଭର ମନୋମତ ହେବ ? ବୋଲିବା ବାହୁଲ୍ୟ ଯେ ଶେଷୋକ୍ତ ଗୃହଖଣ୍ଡିକ ପ୍ରାପ୍ତ ହେଲେ ତୁମ୍ଭେ ଚାଳୀଘରର ଅଗଣା ସୁଦ୍ଧା ମାଡ଼ିବ ନାହିଁ । ଏପରି ସ୍ଥଳରେ ତୁମ୍ଭଙ୍କୁ କଳ୍ପନାପ୍ରିୟ ନ ବୋଲି ଆଉ କିସ ବୋଲିବୁଁ ? ବର୍ତ୍ତମାନ ଦେଖାଯାଉ କଳ୍ପନାର ଉତ୍କର୍ଷ କି କି ଉପାୟରେ ଲାଭକରାଯାଇପାରେ ।
ଉପନ୍ୟାସ ଅଥବା ପରୀ ଇତ୍ୟାଦିର ଗଳ୍ପ ପାଠ କଲେ କଳ୍ପନାଶକ୍ତି ପରିବର୍ଦ୍ଧିତ ହୋଇପାରେ ସତ୍ୟ,କିନ୍ତୁ ଏହାର ପ୍ରକୃତ ଉପାୟ ଭିନ୍ନ ପ୍ରକାର । ମାନବଚରିତ୍ର ପାଠ କରିବା ନିମନ୍ତେ— ମାନବଚରିତ୍ର ସମ୍ବନ୍ଧରେ ଜ୍ଞାନଲାଭ କରିବା ନିମନ୍ତେ ଉପନ୍ୟାସ ପାଠର ଆବଶ୍ୟକତା କଣ ? ଯେଉଁ ମହାତ୍ମାମାନେ ଏହି ପୃଥିବୀକୁ ଆଗମନ କରି ସ୍ୱୀୟ କାର୍ଯ୍ୟକଳାପ ଦ୍ୱାରା ଏହି ସଂସାରକୁ ପବିତ୍ର କରିଅଛନ୍ତି— ଏ ସଂସାରର ଅତ୍ୟାଚାର, ଅପମାନ ଦୂର କରିଅଛନ୍ତି;ସେମାନଙ୍କର— ସେହି ମହାତ୍ମାମାନଙ୍କର ଜୀବନୀ ପାଠ କଲେ କି କଳ୍ପନାଶକ୍ତିର ଉତ୍କର୍ଷସାଧନ ହେବନାହିଁ ? ଏକ ବୁଦ୍ଧଦେବଙ୍କର ଜୀବନୀ ପାଠ କଲେ; ଏକ ଚୈତନ୍ୟଙ୍କର ଜୀବନୀ ପାଠ କଲେ; ଏକ ରାମମୋହନ ରାୟଙ୍କର ଜୀବନୀ ପାଠ କଲେ ଯେଉଁ ଫଳଲାଭ ହେବ ତାହା କୈାଣସି ଏକ ପ୍ରସିଦ୍ଧ ଉପନ୍ୟାସ ଲେଖକଙ୍କର ସମଗ୍ର ଉପନ୍ୟାସଗୁଡ଼ିକ ପାଠ କଲେ ହେବ କି ନାହିଁ ସନ୍ଦେହ । ଜୀବନଚରିତ ପାଠ କଲାରୁ ଆମ୍ଭେମାନେ ଦୁଇପ୍ରକାର ଫଳଲାଭ କରୁଁ । ପ୍ରଥମତଃ, ଆମ୍ଭେମାନେ ଜାଣିପାରୁଁ ଯେ ମନୁଷ୍ୟ ଏହି ରକ୍ତମାଂସ ଗଠିତ ଶରୀର ଧାରଣ କରି କି କି କାର୍ଯ୍ୟ ସମ୍ପାଦନ କରିପାରେ; ଦ୍ୱିତୀୟତଃ, ଉକ୍ତ ଜୀବନୀ ପାଠକରି ଆମ୍ଭମାନଙ୍କର କର୍ତ୍ତବ୍ୟ ସ୍ଥିର କରୁଁ । କିନ୍ତୁ କେବଳ କେତେଗୁଡ଼ିଏ ଜୀବନୀ ପଢିଲେ କୈାଣସି ଲାଭ ନାହିଁ: । ଯାହା ପଢିବ ତାହା ଆତ୍ମସାତେ କରିବାକୁ ହେବ; ପୁଣି ଯାହା ଆତ୍ମଗତ କରିବ ତାହା ନିଜ ଜୀବନରେ କାର୍ଯ୍ୟରେ ପରିଣତ କରିବାକୁ ହେବ । ଖଣ୍ଡିଏ ପୁସ୍ତକ ପଢି ଶେଷ କଲା ଉତ୍ତାରୁ ତାହା ମୁଦ୍ରିତ କରି କଳ୍ପନାଚକ୍ଷୁରେ ଦେଖିବ ‘‘କଣ ପାଠ କଲ—କଣ ଶିକ୍ଷା କଲ ।’’ ମନେକର ତୁମ୍ଭେ ବୁଦ୍ଧଙ୍କର ଜୀବନୀ ପାଠ କଲ । ପାଠ ସମାପ୍ତ ହେଲା; ତୁମ୍ଭେ ଏକାନ୍ତରେ ବସି ବୁଦ୍ଧଙ୍କର ଜୀବନୀର ପ୍ରତ୍ୟେକ ଘଟନା ଚିନ୍ତା କରିବାକୁ ଲାଗିଲ । ବୁଦ୍ଧଦେବ ରୋଗୀ, ଜରାଗ୍ରସ୍ତ ଓ ମୃତବ୍ୟକ୍ତି ଦେଖି ବିଗଳିତ ହୋଇଥିଲେ । ଜୀବନର ଏତେ ଦୁଃଖ କଳ୍ପନା କରି ତୁମ୍ଭର ହୃଦୟ ଉଛୁଳି ଉଠିବ । ସନ୍ନ୍ୟାସୀ ଦେଖି ବୁଦ୍ଧଙ୍କର ସଂସାରରେ ବିରକ୍ତି ଜାତ ହେଲା । ସଂସାରର ଅନିତ୍ୟତା ଦେଖି ସେ ସ୍ତମ୍ଭିତ ହେଲେ । ପାଠକ ! ତୁମ୍ଭ ମନରେ ଯଦି ଏହା ପାଠ କରି ବୈରାଗ୍ୟ ଉପସ୍ଥିତ ନ ହେଲା ତାହାହେଲେ ତୁମ୍ଭର ପୁସ୍ତକ ଅଧ୍ୟୟନ କରିବା ଅକାରଣ । ବୁଦ୍ଧଙ୍କର ପିତା ପୁତ୍ରର ତାଦୃଶ ବିରାଗ ଭାବ ଦେଖି ତାଙ୍କୁ ବିବାହିତ କରାଇଲେ, ତାହାଙ୍କୁ ନର୍ତ୍ତକୀ ବେଷ୍ଟିତ କରି ରଖିବାକୁ ଲାଗିଲେ; କିନ୍ତୁ ତହିଁରେ କଣ ହେବ ? ବୁଦ୍ଧ ଆମୋଦକୁ ଆମୋଦକୁ ଆମୋଦ ଜ୍ଞାନ କଲେନାହିଁ । ସୁଖସୈାଧ ତାହାଙ୍କଠାରେ କାରାଗାରବତ୍ ପ୍ରତୀୟମାନ ହେଲା । ମନୋହର ସୁଗନ୍ଧଦ୍ରବ୍ୟ ଓ ସ୍ନିଗ୍ଧକର ଚନ୍ଦନଲେପନ ତାହାଙ୍କର ଗାତ୍ରଦାହ ଉପସ୍ଥିତ କଲା । ସେ ଆଉ ସହ୍ୟ କରିପାରିଲେ ନାହିଁ । ତାହାଙ୍କର ଚତୁର୍ଦ୍ଦିଗରେ ବୀଭତ୍ସଚିତ୍ର ପ୍ରତିଫଳିତ ଦେଖିବାକୁ ଲାଗିଲେ । ପାଠକ ! ବୁଦ୍ଧଙ୍କର ସହିତରେ ତୁମ୍ଭେ ମଧ୍ୟ ଥରେ କଳ୍ପନାବଳରେ ପାପର ଦୃଶ୍ୟ, ନରକର ଚିତ୍ର ଅବଲୋକନ କର । ରାଜପୁତ୍ର ସୁଖକ୍ରୋଡ଼ରେ ପ୍ରତିପାଳିତ, ଅତୁଳ ଐଶ୍ୱର୍ଯ୍ୟର ଭାବି ଅଧିପତି, ପିତାମାତାଙ୍କର ସ୍ନେହର ଧନ, ଆଜି ସର୍ବତ୍ୟାଗୀ ହୋଇ ଚାଲିଲେ—ଧନ ସମ୍ପତ୍ତିକୁ ଉପେକ୍ଷା କରି ଭିକ୍ଷାବୃତ୍ତି ଅବଲମ୍ବନ କରିବାକୁ ଅଗ୍ରସର ହେଲେ । ପାଠକ ! ତୁମ୍ଭ କ୍ଷଣକାଳ ନିମନ୍ତେ କଳ୍ପନା ବଳରେ ତୁମ୍ଭର ସକଳପ୍ରକାର ବନ୍ଧନ ଛିନ୍ନ କରି ବୁଦ୍ଧଙ୍କର ପଶ୍ଚାଦ୍ବର୍ତ୍ତୀ ହୁଅ । ସ୍ନେହବନ୍ଧନ ଯାକ ଗୋଟି ଗୋଟି କରି ଛିନ୍ନ କର ।
ଏହା ଦେଖ, ମହାତ୍ମା ବୁଦ୍ଧ ସଦ୍ୟଜାତ ସନ୍ତାନର ମୁଖ ନିରୀକ୍ଷଣ କରି, ପ୍ରଣୟିନୀର ମୁଖପଦ୍ମ ଦେଖି ମାନବର ସ୍ୱାଭାବିକ ଦୁର୍ବଳତା କର୍ତ୍ତୃକ ଆକ୍ରାନ୍ତ ହେଲେ— ଅତର୍କିତ ଭାବରେ ଏକ-ବିନ୍ଦୁ ଅଶ୍ରୁ ତାହାଙ୍କର ଗଣ୍ଡସ୍ଥଳ ଉପରେ ରେଖା ଅଙ୍କିତ କରି ଭୂପୃଷ୍ଠ ଚୁମ୍ବନ କଲା । ପାଠକ ! ତୁମ୍ଭ ଚକ୍ଷୁରେ ଜଳ କିପାଁ ଦେଖାଗଲା ? ବୁଝିଅଛୁଁ, ତୁମ୍ଭର ସ୍ନେହମୟୀ ଜନନୀଙ୍କର କଥା ମନରେ ଉଦିତ ହୋଇଅଛି— ପ୍ରଣୟିନୀଙ୍କର ବଦନସୁଧାକର ମନେପଡ଼ିଅଛି, ନୟନାଭିରାମ ପୁତ୍ରଙ୍କ ମୁଖକମଳ ହୃଦୟରେ ଜାଗ୍ରତ ହୋଇଅଛି । କିନ୍ତୁ ଦେଖ, ବୁଦ୍ଧ ସେ ବନ୍ଧନ ସବୁ ଛିନ୍ନ କରି ରଜନୀର ଅନ୍ଧକାର ମଧ୍ୟରେ ଆପଣା ମୁଖ ଲୁକ୍କାୟିତ କରି ଆପଣା ଗନ୍ତବ୍ୟ ପଥରେ ଅନୁସରଣ କଲେ । ପାଠକ ! ତୁମ୍ଭେ କିପାଁ ଆଉ ବିଳମ୍ବ କରୁଅଛ ? ଦେଖ, ସାବଧାନ ହୁଅ ଏଠାରୁ ଯେପରି ଫେରି ନଯାଅ । ବୁଦ୍ଧ ପରମରତ୍ନ ଲାଭ କରିବା ନିମନ୍ତେ ବର୍ଷ ଉତ୍ତାରୁ ବର୍ଷ ବ୍ୟୟିତ କରିବାକୁ ଲାଗିଲେ— ଗୋଟିଏ ଉପାୟ ଉତ୍ତାରୁ ଆଉ ଗୋଟିଏ ଉପାୟ ଅବଲମ୍ବନ କରିବାକୁ ଲାଗିଲେ, କେତେ କଷ୍ଟ ସହ୍ୟ କଲେ, କେତେ ଥର ନିରାଶାର ଅତଳ-ସ୍ପର୍ଶସାଗର ମଧ୍ୟରେ ନିମଗ୍ନ ହେଲେ ଓ ସନ୍ଦେହରୂପ ଜଳରାଶି ଭେଦକରି ଉପରକୁ ଉଠିଲେ । ପାଠକ ! ତୁମ୍ଭେ ତାହାଙ୍କ ସହିତରେ କଷ୍ଟଭୋଗ କର, ଉତ୍ତେଜିତ କଳ୍ପନାର ଜଳରେ ତୁମ୍ଭେ ମଧ୍ୟ ଥରେ ନିମଗ୍ନ ହୁଅ ଏବଂ ଉଠ । ଅବଶେଷରେ ବୁଦ୍ଧଦେବ ପରମରତ୍ନ ଲାଭ କଲେ । ଆନନ୍ଦରେ ତାହାଙ୍କର ସର୍ବଶରୀର ରୋମାଞ୍ଚିତ ହେଲା,ବ୍ରହ୍ମତେଜୋଗ୍ନି ମୁଖମଣ୍ଡଳରେ ପ୍ରତିଫଳିତ ହେଲା; ପ୍ରାଣ ଆନନ୍ଦ ପ୍ରବାହରେ ପ୍ରବାହିତ ହେବାକୁ ଲାଗିଲା । ପାଠକ ! ସେହି ଆନନ୍ଦ ତୁମ୍ଭର ବଦନ ମଣ୍ଡଳରେ ପ୍ରତିଫଳିତ ହେଉ । ସେହି ବିମଳଜ୍ୟୋତି ତୁମ୍ଭର ମୁଖରେ ପ୍ରଭା ବିକୀର୍ଣ୍ଣ କରୁ— ସେହି ଆନନ୍ଦଲହରୀ ତୁମ୍ଭର ପ୍ରତ୍ୟେକ ଶିରାରେ ପ୍ରବାହିତ ହେଉ । ସେହି ଆନନ୍ଦ, ସେହି ପ୍ରେମ ଯେତେବେଳେ ତୁମ୍ଭଠାରେ ଦେଖିବୁଁ ତେତେବେଳେ କହିବୁଁ ଯେ ତୁମ୍ଭେ ବୁଦ୍ଧଚରିତ ‘ପାଠ’ କରିଅଛ । ତୁମ୍ଭେ ପୁସ୍ତକପାଠ ଶେଷକରିଅଛ । ମୁଦ୍ରିତ ନେତ୍ରରେ ଚିନ୍ତା କରୁଅଛ— ତୁମ୍ଭର ମୁଦ୍ରିତ ଚକ୍ଷୁର ସମ୍ମୁଖ ଦେଇ ସେହି ଜୀବନୀର ସମସ୍ତ ଘଟନା ସଜ୍ଜିତ ଯାତ୍ରାଦଳ ପରି ନାଚି ନାଚି ଯାଉଅଛି— ତୁମ୍ଭେ ଅଭିଭୂତ—କ୍ଷଣକାଳ ନିମନ୍ତେ ତୁମ୍ଭର ‘ନିଜତ୍ୱ’ ଭୁଲିଯାଇଅଛ; ବୋଧହେଉଅଛି ଯେ ତୁମ୍ଭେ ଏ ସଂସାରରେ କେହି ନୁହଁ । ତୁମ୍ଭେ ବୁଦ୍ଧଙ୍କ ସହିତରେ ଏକ ହୋଇଯାଇଅଛ—ପରମରତ୍ନ ଦୁଇ ହସ୍ତରେ ବିତରଣ କରୁଅଛ । ବୁଦ୍ଧଚରିତ ପାଠ କରୁ କରୁ ଯେତେବେଳେ ତୁମ୍ଭେ ଆତ୍ମବିସ୍ମୃତ ହୋଇପାରିବ ତେତେବେଳେ ବୁଝିବୁଁ ଯେ ତୁମ୍ଭର ପ୍ରକୃତ ପାଠ ଶେଷ ହୋଇଅଛି । ଉପନ୍ୟାସ ତୁମ୍ଭର କଣ କରନ୍ତା ? ପ୍ରକୃତ ଘଟନା ଯାହା ଶିକ୍ଷା ଦେଲା ଅପ୍ରାକୃତ ଘଟନା କି ତାହା ତୁମ୍ଭଙ୍କୁ ଶିକ୍ଷା ଦେଇପାରେ ? ବଙ୍କିମବାବୁଙ୍କର ପ୍ରଫୁଲ୍ଲ ପାଞ୍ଚବର୍ଷ ମଧ୍ୟରେ ବ୍ୟାକରଣ କଲେ । ଭଟ୍ଟି ଶେଷ କଲେ, ସମସ୍ତେ ଇନ୍ଦ୍ରିୟବୃତ୍ତିକୁ ଆୟତ୍ତାଧୀନ କଲେ; ପ୍ରଫୁଲ୍ଲ ଜଣେ ପ୍ରକୃତ ସାଧକ ହେଲେ । ଏହି ସକଳ ବୃଦ୍ଧା ଆଈଙ୍କର କାହାଣୀ କି ତୁମ୍ଭ ମନରେ ସାଧନାର ଭାବ ଜାତ କରାଇପାରେ ତ ? ତନ୍ନିମନ୍ତେ କହୁଥିଲୁଁ ଯେ ଯଦ୍ୟପି କଳ୍ପନାର ପ୍ରକୃତ ଉତ୍କର୍ଷ-ସାଧନ କରିବାକୁ ଇଚ୍ଛା କର ତାହା ହେଲେ ପ୍ରକୃତ ଜୀବନଚରିତ ପାଠ କର ।
ଶିଳ୍ପ ଓ ସଙ୍ଗୀତ ବିଦ୍ୟାଦ୍ୱୟ କଳ୍ପନାର ବିଶେଷ ଉତ୍କର୍ଷସାଧନ କରନ୍ତି । ସୈାନ୍ଦର୍ଯ୍ୟ କଳ୍ପନାର ପ୍ରକୃତ ଖାଦ୍ୟ । ଯେଉଁମାନଙ୍କର ସୈାନ୍ଦର୍ଯ୍ୟ ନିରୀକ୍ଷଣ କରିବାର କ୍ଷମତା ନାହିଁ, ସେମାନଙ୍କର ଜୀବନ ବୃଥା । କଳ୍ପନାର ଉତ୍କର୍ଷ-ସାଧନେଚ୍ଛୁ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହା ମନେରଖିବା ଉଚିତ ଯେ କୈାଣସି ବିଷୟରେ ଦୋଷ ବାଛିବା ପୂର୍ବରେ ତାହାର ଗୁଣ ଓ ସୈାନ୍ଦର୍ଯ୍ୟ ଗ୍ରହଣ କରିବା ପ୍ରକୃତ ମନୁଷ୍ୟର କାର୍ଯ୍ୟ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ