ରାମଚନ୍ଦ୍ର
ଚିନ୍ତାମଣି ମହାନ୍ତି · ଭାଗ ୩ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ପରିଚ୍ଛେଦ
ରାଜକୁମାରମାନେ ରୂପଗୁଣବତୀ ସହଧର୍ମଣୀ ପାଇ ପରମ ପରିତୋଷ ଲାଭ କଲେ । ରାଜକୁମାରୀଗଣ ଉପଯୁକ୍ତ ଦେବସ୍ୱାମୀ ଲାଭ କରି ଜୀବନ ସାର୍ଥକ ମଣିଲେ । ରାମ ଓ ସୀତାଙ୍କ ହୃଦୟରେ ପବିତ୍ର ଦାମ୍ପତ୍ୟ-ପ୍ରେମ ଉଛୁଳିପଡ଼ି ଦୁଇ ହୃଦୟକୁ ମିଶାଇ ଦେଲା; ରାମ ଓ ସୀତାଙ୍କ ମଧ୍ୟରେ ପାର୍ଥକ୍ୟ ରହିଲାନାହିଁ । ଦୁହିଙ୍କର ପ୍ରାଣ, ମନ, ଆତ୍ମା ଏକ ହୋଇଗଲା । ସତେ ଯେପରି ବିଧାତା ଗୋଟିଏ ଫୁଲର ଅଧକରେ ରାମଙ୍କୁ ଓ ଅନ୍ୟ ଅଧକରେ ସୀତାଙ୍କୁ ଗଢ଼ିଥିଲା । ସୀତା ଯେପରି ରାମଙ୍କର ନୟନମଣି ହୋଇଉଠିଲେ, ରାମ ବି ସେହିପରି ସୀତାଙ୍କର ହୃଦୟ-ହାର ହୋଇଉଠିଲେ । ଜଳରେ ଜଳ ମିଶିଲା ପରି ଦୁଇଟି ହୃଦୟ ମିଶିଯାଇ ବାରିହେଲା ନାହିଁ । ଦର୍ପଣ ଭିତରେ ପ୍ରତିବିମ୍ୱ ପରି ଦୁହେଁ ଦୁହିଁଙ୍କ ପ୍ରାଣ ଭିତରେ ଅଲକ୍ଷ୍ୟ ଭାବରେ ପଶିଯାଉଥିଲେ । ଉଭୟେ ଉଭୟଙ୍କୁ ସ୍ୱ ସ୍ୱ ସୌଭାଗ୍ୟ-ଦେବତାଙ୍କର ଶୁଭାଶୀର୍ବାଦର ଫଳ ବୋଲି ମଣୁଥିଲେ । ସୀତା ସତୀତ୍ୱର ମୃର୍ତ୍ତିମତୀ ଦେବୀ । ସୁନ୍ଦରପଣରେ ତାଙ୍କର ତୁଳନା ବିଧାତା ସୃଷ୍ଟିରେ ଥିଲା ନାହିଁ । ତାଙ୍କର ପତି-ଭକ୍ତି ଜଗତର ଆଦର୍ଶ । ପତିଙ୍କୁ ସେ ଦେବତା ପରି ପୂଜା କରୁଥିଲେ । ସେ ରାଜକନ୍ୟା, ରାଜବଧୂ ଓ ଭାବୀ ରାଜରାଣୀ ହୋଇ ସୁଦ୍ଧା ମନରେ ଗର୍ବ ଅଭୁଭବ କରୁ ନ ଥିଲେ । ସତୀ-କୁଳେଶ୍ୱରୀ ସୀତା ମହାର୍ହ ମଣିମାଣିକ୍ୟଖଚୀ ଆସନ ଉପେକ୍ଷା କରି ପତିଙ୍କ ପାଦ ମୂଳରେ ନିଜର ଆସନ ବାଛି ନେଇଥିଲେ । ତାଙ୍କର ପବିତ୍ର ଶୁଭାଦର୍ଶ ଆର୍ଯ୍ୟଶାସ୍ତ୍ରପୁରାଣକୁ ଜ୍ୟୋତିର୍ମୟ କରି ରଖିଅଛି ।
ସୀତା ସ୍ୱୟଂ ଲକ୍ଷ୍ମୀଦେବୀଙ୍କର ଅବତାର । ସେ ଅଯୋଧ୍ୟାରେ ପାଦ ଦେଲା ଦିନୁ ଅଯୋଧ୍ୟାର ଶ୍ରୀସମ୍ପଦ ବହୁଗୁଣ ବଢ଼ିଉଠିଲା । ଶଶୁର ଓ ଶାଶୁମାନଙ୍କୁ ସେ ଝିଅ ପରି ସେବା ଶୁଶ୍ରୂଷା କରିବାକୁ ଲାଗିଲେ । ଗୁରୁଜନମାନେ ତାଙ୍କ ବ୍ୟବହାରରେ ପରମ ସନ୍ତୋଷ ଲାଭ କଲେ । ସଦୟ ବ୍ୟବହାରରେ ସେ ଦାସଦାସୀ ଓ ଆଶ୍ରିତ, ପୋଷିତବର୍ଗର ମନ କିଣିନେଲେ । ତାଙ୍କର ମହିମାମୟୀ ମୂର୍ତ୍ତି ନିକଟରେ ସମସ୍ତଙ୍କର ମସ୍ତକ ଭକ୍ତିରେ ସ୍ୱତଃ ଅବନତ ହୋଇଗଲା । ତାଙ୍କ କଥାରେ କି ମଧୁ ଥିଲା କେଜାଣି, ତାହା ଶୁଣିଲେ କ୍ଷୁଧାତୁରର କ୍ଷୁଧା ଓ ଶୋକାର୍ତ୍ତର ଶୋକ ହରିଯାଉଥିଲା । ତାଙ୍କର ସରଳ, ମଧୁର, ଶୀତଳ, ନିର୍ମାୟ ବ୍ୟବାହାରରେ ସମସ୍ତେ ମୁଗ୍ଧ ଓ ସନ୍ତୁଷ୍ଟ ହେଲେ । ଦୟାବତୀ ସୀତାଙ୍କ ହୃଦୟ-ଦ୍ୱାର ଦୀନ ଦୁଃଖୀମାନଙ୍କ ସକାଶେ ଚିର ଅବାରିତ ଥିଲା । ଦରିଦ୍ରଙ୍କ ପ୍ରତି ସେ ଯେପରି ଦୟା କରନ୍ତି, ମନୁଷ୍ୟ ସେପରି ଦୟା କରିପାରେ ନାହିଁ । ମନୁଷ୍ୟ କଥା କିଏ ପଚାରେ, ତାଙ୍କ ସ୍ନେହରେ ହିଂସ୍ର ପଶୁପକ୍ଷୀ ସୁଦ୍ଧା ବଶୀଭୂତ ହୋଇଥିଲେ । ଅନାଥ, ଅକ୍ଷମର ସେ ଜନନୀରୂପା । କାହାରି ଦୁଃଖ-କଷ୍ଟର କଥା ଶୁଣିଲେ ସେ କାନ୍ଦିପକାଉଥିଲେ ଏବଂ ତତ୍କ୍ଷଣାତ୍ ତାହାର ପ୍ରତିକାର କରୁଥିଲେ । ଅସହାୟା ଅବଳାମାନଙ୍କ ଉପରେ ତାଙ୍କର କରୁଣା ବହୁ ଧାରାରେ ବର୍ଷିତ ହେଉଥିଲା । ତାଙ୍କର ଚକ୍ଷୁ ଯେଉଁଠି ଯାହା ଅପୂର୍ଣ୍ଣ ଦେଖେ, ହସ୍ତ ସେହିକ୍ଷଣି ତାହା ପୂର୍ଣ୍ଣ କରିଦିଏ; ତାଙ୍କର ଶୁଭ କଳ୍ପନା ସଙ୍ଗେ ସଙ୍ଗେ ଆକାର ଧରିଯାଏ । ଦୁଃଖୀ ରଙ୍କୀମାନେ ତାଙ୍କୁ ମାତୃ ସମ୍ୱୋଧନ କରନ୍ତି । ସେମାନେ କହନ୍ତି–‘‘ଜଗତରେ ରାଜବଧୂ କେତେ ନାହାନ୍ତି; ମାତ୍ର ସୀତାଙ୍କ ପରି ଦୟାବତୀ ରାଜବଧୂ କୋଟିକେ ଗୋଟିଏ ଦୁର୍ଲ୍ଲଭ !’’ ବାସ୍ତବରେ ସବୁ ଫୁଲରେ ସୁବାସ ଥାଏ ନାହିଁ କିମ୍ୱା ସବୁ ଫଳରେ ମଧୁରତା ଥାଏ ନାହିଁ । ସୀତା ଆଦର୍ଶ ନାରୀ, ଆଦର୍ଶ ଗୃହିଣୀ ଓ ଆଦର୍ଶ ଦେବୀ । ସେ ବାହାରେ ରାଜରାଣୀ; କିନ୍ତୁ ଭିତରେ ତପସ୍ୱିନୀ । ଲୋକ ସେବାକୁ ସେ ଦେଶ ସେବାଠାରୁ ମହତ୍ତର ମଣୁଥିଲେ । କ୍ରୋଧ, ହିଂସା, ଗର୍ବ, ଅଭିମାନ ତାଙ୍କ ପବିତ୍ର ଅଙ୍ଗକୁ ସ୍ପର୍ଶ କରିପାରି ନ ଥିଲା । ପରିହାସରେ ସୁଦ୍ଧା ସେ କାହାରି ପ୍ରତି କୁବାକ୍ୟ ପ୍ରୟୋଗ କରୁ ନଥିଲେ । ସତ୍ୟ, ଧର୍ମ, ନ୍ୟାୟ, ପତିବ୍ରତ୍ୟ, ଦୟା, କ୍ଷମା, ପ୍ରଭୃତି ତାଙ୍କ ସ୍ୱଭାବ-ସୁନ୍ଦର ଅଙ୍ଗର ଅଳଙ୍କାରସ୍ୱରୂପ ଥିଲା । ତାଙ୍କର ଚରିତ୍ର ଅଗ୍ନିତୁଲ୍ୟ ସମୁଜ୍ଜ୍ୱଳ ଓ ଗଙ୍ଗାଜଳ ତୁଲ୍ୟ ନିର୍ମଳ ଥିଲା । ଦାନ ତାଙ୍କର ବ୍ରତ ଓ ତ୍ୟାଗ ତାଙ୍କର ତପସ୍ୟା । ଆଦର୍ଶ ନାରୀତ୍ୱର ପରିପୂର୍ଣ୍ଣ ବିକାଶ ତାଙ୍କରି ପବିତ୍ର ଜୀବନରେ ଏକା ସୁଲଭ ହୋଇଥିଲା । ଏତେ ସଦ୍ଗୁଣ ଥିଲା ବୋଲି ସେ ଅବଧି ବିଶ୍ୱପୂଜିତ ରହିଅଛନ୍ତି ।
ସୀତା ଯେପରି ରାମଚନ୍ଦ୍ରଙ୍କର ମନ ଜାଣି ସେବା କରୁଥିଲେ, ରାମଚନ୍ଦ୍ର ମଧ୍ୟ ସେହିପରି ଅର୍ଦ୍ଧାଙ୍ଗିନୀ ସହଧର୍ମିଣୀର ଯାହା ପ୍ରାପ୍ୟ, ତାହା ବହୁଗୁଣ କରି ସୀତାଙ୍କୁ ପ୍ରଦାନ କରୁଥିଲେ । ସେ ସର୍ବଦା ଗୁଣବତୀ ଦେବୀ ପତ୍ନୀଙ୍କ ପ୍ରାଣରେ ପ୍ରଣୟର ମଧୁର ମହୋତ୍ସବ ଲଗାଇ ରଖିଥିଲେ । ରାମଚନ୍ଦ୍ର ସୀତା ଉଭୟଙ୍କ ମଙ୍ଗଳ ମିଳନ ଚନ୍ଦ୍ର ସଙ୍ଗେ ଜ୍ୟୋତ୍ସ୍ନା କିମ୍ୱା ଫୁଲ ସଙ୍ଗେ ସୌରଭ ମିଳନ ତୁଲ୍ୟ ସର୍ବାଂଶରେ ରାଜଯୋଟକ ହୋଇଥିଲା । ସେ ମହାମିଳନ ସୁବର୍ଣ୍ଣ ସଙ୍ଗରେ ଦୀପ୍ତିର, ଶୌର୍ଯ୍ୟ ସଙ୍ଗେ ଶକ୍ତିର ଅଥବା ଜ୍ଞାନ ସଙ୍ଗେ ପ୍ରତିଭାର ନତୁବା ପ୍ରେମ ସଙ୍ଗରେ ପ୍ରୀତିର ସଂଯୋଗ ପରି ଅମୃତମୟ । ସୀତା ରାମଚନ୍ଦ୍ରଙ୍କର ଖାଲି ସହଧର୍ମିଣୀ ନୁହନ୍ତି–ପ୍ରଧାନ ସଚିବ । ଜଟିଳ ରାଜକାର୍ଯ୍ୟ ଓ ସାଂସାରିକ ଅନେକ କାର୍ଯ୍ୟରେ ସ୍ୱାମୀଙ୍କୁ ସେ ଉପଯୁକ୍ତ ପରାମର୍ଶ ପ୍ରଦାନ କରୁଥିଲେ । ସୀତାଙ୍କ ଶୁଶ୍ରୂଷାରେ ରାମଚନ୍ଦ୍ର କଠୋର ରାଜକାର୍ଯ୍ୟର ଦୁଃସହ ଯନ୍ତ୍ରଣା ଭୁଲିଯାଉଥିଲେ । ଜଗତରେ ସୀତାଙ୍କ ପରି ସ୍ତ୍ରୀ ଧନ୍ୟ, ଆଉ ରାମଚନ୍ଦ୍ରଙ୍କ ପରି ସ୍ୱାମୀ ଧନ୍ୟ ! ପବିତ୍ର ଦାମ୍ପତ୍ୟ ପ୍ରେମର ଷୋଳ କଳାଯାକ ତାଙ୍କରିଠାରେ ପ୍ରକାଶ ପାଇଥିଲା ।
ରାଜନ୍ୟଭୂଷଣ ଅଯୋଧ୍ୟା-ସୁନ୍ଦର ରାମଚନ୍ଦ୍ରଙ୍କର ଅତୁଳ ପିତୃବାତ୍ସଲ୍ୟ ଜଗତକୁ ସ୍ତମ୍ଭିତ କରି ରଖିଅଛି । ବିନୟସୌଜନ୍ୟାଦି ଶୁଭଗୁଣରେ ସେହି ଏକା ତାଙ୍କର ତୁଳନା ଅଟନ୍ତି । ସେ ଭାବୀ ରାଜ୍ୟେଶ୍ୱର ହୋଇ ସୁଦ୍ଧା ତାଙ୍କର ଜଣେ ସାମାନ୍ୟ ପ୍ରଜାଠାରୁ ନିଜକୁ ଦୀନ ମଣୁଥିଲେ । ବିବାହ ପରେ ସେ ବୃଦ୍ଧ ପିତାମାତାଙ୍କ ସେବା ଓ ଜନ-ସେବାରେ ଆତ୍ମନିୟୋଗ କଲେ । ପିତାମାତଙ୍କ ଆଶୟରୁ ଅଭିପ୍ରାୟ ବୁଝି ସେ କାର୍ଯ୍ୟ କରୁଥିଲେ । ପିତାମାତାଙ୍କ ଆଦେଶକୁ ସେ ଅନୁଗ୍ରହ ବୋଲି ମଣୁଥିଲେ । ପୁତ୍ର ଓ ପୁତ୍ରବଧୂଙ୍କ ସେବାରେ ସନ୍ତୁଷ୍ଟ ହୋଇ ବୃଦ୍ଧ ରାଜାରାଣୀ ସେମାନଙ୍କ ପ୍ରତି ଅଜସ୍ର ଆଶୀର୍ବାଦ ବର୍ଷଣ କରୁଥିଲେ । ରାମଚନ୍ଦ୍ର ଓ ସୀତା ସୁଦ୍ଧା ବୃଦ୍ଧ ଗୁରୁଜନମାନଙ୍କ ସେବାର ସୌଭାଗ୍ୟ ଲାଭ କରି ନିଜକୁ କୃତାର୍ଥ ମଣୁଥିଲେ । ଦଶରଥ ଚାରିପୁତ୍ରଙ୍କୁ ସମାନ ଭାବରେ ସ୍ନେହାଦର କରନ୍ତି । ଅଧିକନ୍ତୁ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କଠାରେ ତରୁଣାବସ୍ଥାରେ ମହାଜନ ସୁଲଭ ବିଶିଷ୍ଟ ସଦ୍ଗୁଣାବଳୀର ଶୁଭ ସଙ୍କେତ ଦେଖି ଅପାର ଆନନ୍ଦ ଉପଭୋଗପୂର୍ବକ ଅନିର୍ବଚନୀୟ ଆତ୍ମଗୌରବ ଅନୁଭବ କରୁଥିଲେ । କେବଳ ଏତିକି ନୁହେଁ– ନିଜକୁ ସୌଭାଗ୍ୟଧର ମଣୁଥିଲେ । ସେ ସମୟ ସମୟରେ ରାଜକାର୍ଯ୍ୟର ଅନେକ ଗୁରୁଭାର ରାମଚନ୍ଦ୍ରଙ୍କ ହସ୍ତରେ ଅର୍ପଣ କରୁଥିଲେ । ସୁଚତୁର ରାଜନୀତି ବିଚକ୍ଷଣ ରାମଚନ୍ଦ୍ର ସେ ସମସ୍ତ କାର୍ଯ୍ୟ ନିର୍ଦ୍ଦୋଷ ଭାବରେ ନିର୍ବାହ କରି ପିତାଙ୍କୁ ଚମତ୍କୃତ କରି ଦେଉଥିଲେ । ସେ ଯେଉଁ କାର୍ଯ୍ୟ କରନ୍ତି, ସେଥିର ଚୂଡ଼ାନ୍ତ ନ କରି କ୍ଷାନ୍ତ ହୁଅନ୍ତି ନାହିଁ-। ତରୁଣ ରାମଚନ୍ଦ୍ର ରାଜନୀତି ସମ୍ପର୍କୀୟ ନାନା କାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ କରି ଏବଂ ପ୍ରତିକାର୍ଯ୍ୟରେ ତାଙ୍କୁ ସନ୍ତୁଷ୍ଟ କରି ପିତାଙ୍କର ଅଧିକତର ସ୍ନେହଭାଜନ ହୋଇ ଉଠିଲେ । ସେ ଦେବପଦ ମୂଳରେ ପୁଷ୍ପ ପ୍ରାୟ ପିତୃ-ପଦ ତଳେ ବସି ପ୍ରତ୍ୟହ ରାଜନୀତି ଶିକ୍ଷା କରିବାକୁ ଲାଗିଲେ-।
କେକୟ ରାଜ୍ୟର ରାଜା ଭରତଙ୍କର ମାତାମହ ଅଟନ୍ତି । ସେ ଦୌହିତ୍ରଙ୍କୁ ଦେଖିବା ସକାଶେ ଇଚ୍ଛା କରି ଭରତଙ୍କୁ ନେବା ପାଇଁ ସ୍ୱୀୟ ପୁତ୍ରଙ୍କୁ ପଠାଇଲେ । ଭରତ ପିତାଙ୍କଠାରୁ ଅନୁମତି ନେଇ ସ୍ୱୀୟ ମାତୁଳଙ୍କ ସହିତ କେକୟ ରାଜ୍ୟାଭିମୁଖରେ ଯାତ୍ରା କଲେ । ଶତ୍ରୁଘ୍ନ ତାଙ୍କର ଚିର-ଅନୁଗତ, ସୁତରାଂ ସେ ସୁଦ୍ଧା ପିତୃପଦ ବନ୍ଦନପୂର୍ବକ ଅଗ୍ରଜଙ୍କର ସହଯାତ୍ରୀ ହେଲେ ।
ଷଷ୍ଠ ପରିଚ୍ଛେଦ
ଦଶରଥ ନ’ସହସ୍ର ବର୍ଷ ରାଜତ୍ୱ କରି ବୃଦ୍ଧାବସ୍ଥା ହେତୁ ଅତି ଅବସନ୍ନ ହୋଇପଡ଼ିଲେ । ସକଳ ବିଦ୍ୟାବିଶାରଦ, ସର୍ବଗୁଣ-ବିଚକ୍ଷଣ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାର ରାଜସିଂହାସନରେ ବସାଇ ସେ ବିଶ୍ରାମ ନେବାକୁ ଇଚ୍ଛାକଲେ । ଦିନେ ସେ ପାତ୍ର, ମିତ୍ର, ମନ୍ତ୍ରୀ, ପାରିଷଦ, ପୁରୋହିତ, ଜ୍ଞାତି, କୁଟୁମ୍ୱ ଓ ରାଜ୍ୟର ବିଶିଷ୍ଟ ପ୍ରଜାମାନଙ୍କୁ ଆହ୍ୱାନ କରି ସମସ୍ତଙ୍କ ଆଗରେ ନିଜର ଅଭିପ୍ରାୟ ବ୍ୟକ୍ତ କଲେ । ରାମଚନ୍ଦ୍ରଙ୍କ ରାଜା ହେବା ପ୍ରସ୍ତାବ ଶୁଣି ସମସ୍ତେ ଅତୀବ ଆନନ୍ଦ ସହ ତାହା ଅନୁମୋଦନ କଲେ । ତହୁଁ ଅଭିଷେକର ଶୁଭଦିନ ଧାର୍ଯ୍ୟ ହେଲା । ଅଯୋଧ୍ୟା ଉତ୍ସବ ବେଶରେ ସଜ୍ଜିତ ହେଲା । ରାଜୋଚିତ ଆଡ଼ମ୍ବରରେ ସମସ୍ତ ଆୟୋଜନ ଲାଗିଲା । ରାଜ୍ୟରେ ଆନନ୍ଦର ଢେଉ ଖେଳି ବୁଲିଲା-। ଦେଖୁଁ ଦେଖୁଁ ଅଭିଷେକ ଦିବସ ନିକଟରୁ ନିକଟତମ ହୋଇ ଆସିଲା, ରାତି ପାହିଲେ ଅଭିଷେକ ହେବ । ରାମ ରାଜା ହେବେ, ସମସ୍ତଙ୍କ ମୁହଁରେ ଏହି କଥା ଘୂରି ବୁଲିଲା । ଯେ ଯାହାକୁ ଦେଖିଲା, କହିଲା- ରାମ ରାଜା ହେବେ । ପିଲାମାନେ କରତାଳି ଦେଇ ରାମ ରାଜା ହେବେ ବୋଲି ଗୀତ ସ୍ୱରରେ ଗାଇବୁଲିଲେ । ପଶୁ ପକ୍ଷୀମାନେ ରବ ଛଳରେ ରାମ ରାଜା ହେବେ ବୋଲି କହି ଆନନ୍ଦ ପ୍ରକାଶ କଲେ । ଦେବାଳୟର ବାଦ୍ୟ ଭିତରେ ରାମ ରାଜା ହେବେ, ଏହି ଶବ୍ଦ ଧ୍ୱନିତ ହେଲା । ପ୍ରତିଧ୍ୱନି ଛଳରେ ଦେଉଳ କହିଲା–ରାମ ରାଜା ହେବେ । ନଦୀ କଳ କଳ ଶବ୍ଦରେ ବାୟୁକମ୍ପିତ ବନସ୍ପତିର ପତ୍ର ମରମର ଶବ୍ଦରେ, ନିର୍ଝରିଣୀ ଝରଝର ଶବ୍ଦରେ କହିଲେ, ରାମ ରାଜା ହେବେ । ଅଯୋଧ୍ୟା ଆନନ୍ଦମୟ, ଗଗନ ଆନନ୍ଦମୟ, ପବନ ଆନନ୍ଦମୟ ! ଯହିଁ ଦେଖ, ତହିଁ ଆନନ୍ଦର ଉଚ୍ଛୁଳା ବନ୍ୟା ବହୁଧାରାରେ ବହିଯାଉଅଛି । କିନ୍ତୁ, ହାୟ, କିଏ ଜାଣିଥିଲା, ଏ ଆନନ୍ଦ ଏଡ଼େଚାଣ୍ଡେ ପୁଣି ବିଷାଦରେ ପରିଣତ ହେବ । କିଏ ଜାଣିଥିଲା, ଫୁଲଟି ଫୁଟି ଆସୁଁ ଆସୁଁ ଦୁଷ୍ଟ କୀଟର କାଳତୁଣ୍ଡରେ ତାହାର ବୃନ୍ତ କର୍ତ୍ତିତ ହେବ । କିଏ ଜାଣିଥିଲା ଉଷାର ମୁକୁଟ ଜ୍ୟୋତି ପ୍ରକାଶ ନ ପାଉଣୁ ସୂର୍ଯ୍ୟାସ୍ତର ତିମିର କାଳିମା ଘୋଟି ଆସିବ । ନିଷ୍ଠୁରା ନିୟତିର ଅସାଧ୍ୟ କଅଣ ? ସେ ଅସମ୍ଭବ ସମ୍ଭବ କରିପାରେ ।
କୈକେୟୀଙ୍କ ବାଲ୍ୟଧାତ୍ରୀ ମନ୍ଥରା କୈକେୟୀଙ୍କ ସଙ୍ଗରେ ଅଯୋଧ୍ୟାକୁ ଆସିଥିଲା । ସେହି ଦିନୁ ସେ କୈକେୟୀଙ୍କ ଅନ୍ତଃପୁରରେ ସ୍ୱାଧୀନା ଦାସୀରୂପେ ବାସ କରିଥିଲା । ମନ୍ଥରା ଅଜ୍ଞାତକୁଳଶୀଳା । ତାହାର ବୟସର କଳନା ନାହିଁ । ସେ ଏତେ ବୁଢ଼ୀ ଯେ, ତାହା ପିଠିରେ କୁଜ ପଡ଼ିଯାଇଥିଲା । ସଂସାରରେ ଯେତେ ଦୋଷ ଦୁର୍ଗୁଣ ଅଛି, ସେ ସବୁ ଏକତ୍ର କରି ବିଧାତା ସେହି ଉପାଦାନରେ ମନ୍ଥରାକୁ ଗଢ଼ିଥିଲା । ଦୁଷ୍ଟବୁଦ୍ଧିରେ ସେ ସ୍ୱୟଂ ମୂର୍ତ୍ତିମତୀ ଦୁଷ୍ଟା ସରସ୍ୱତୀଙ୍କର ଗୁରୁସ୍ଥାନୀୟା । ଗୁଣ ଯେଉଁପରି, ରୂପ ମଧ୍ୟ ସେହିପରି । ସ୍ଥୂଳରେ ଏତିକି କହିଲେ ଯଥେଷ୍ଟ ହେବ ଯେ ମନ୍ଥରା ମାନବସୃଷ୍ଟିର ବ୍ୟଙ୍ଗ ବିଦ୍ରୂପ ସଂସ୍କରଣ । ହଠାତ୍ ଦୃଷ୍ଟିରେ ସେ ସିଂହଳ ସୁନ୍ଦରୀ, କି କିଷ୍କିନ୍ଧ୍ୟାର ଅପ୍ସରା ସହଜରେ ବାରି ହୁଏ ନାହିଁ । ତାହା ସ୍ୱଭାବର ବୈଚିତ୍ର୍ୟ ଏହି ଯେ, ସେ କାହାରି ସୁଖ ସହିପାରେ ନାହିଁ । ଯେ କୌଣସି ଲୋକର ସୁଖ ଦେଖିଲେ ସେ ଅସହ୍ୟ ଯନ୍ତ୍ରଣାରେ କାନ୍ଦି ପକାଏ । ଜଗତରେ ସେ କେବଳ ନିଜର ଓ ନିଜ ଭର୍ତ୍ତ୍ରୀ କୈକେୟୀର ସୁଖ ବାଞ୍ଛାକରେ । କୁଟିଳତା, ପରଶ୍ରୀକାତରତା, ଈର୍ଷା, ଅଭିମାନ ପ୍ରଭୃତି ନାରକୀୟ କୁପ୍ରବୃତ୍ତି ସମୂହ ଗୋବରରେ ଅଂଶେଇ ପରି ତାହାର ଶିରା ପ୍ରଶିରା ଏବଂ ରକ୍ତକଣିକାରେ ସଲ ସଲ ହେଉଥିଲେ । ଦୁର୍ବୁଦ୍ଧି ଭାରରେ ସେ ନଇଁପଡ଼ିଥିଲା । ତାହାର କୁଜଟି ନିଖିଳ ଦୁଷ୍ଟବୁଦ୍ଧିର ପ୍ରକାଣ୍ଡ ବୁକୁଚା । ଘରଭଙ୍ଗା ବିଦ୍ୟାରେ ମନ୍ଥରା ଅସାଧାରଣ ପାରଦର୍ଶିନୀ । ସେ ବିନା ପଣରେ ବଳେ ବଳେ ବିଦ୍ୱେଷର ପରାମର୍ଶ ଯାଚିବୁଲେ । ଏ ଯୁଗରେ ବି ସେହିପରି ମନ୍ଥରା ସଂସାରରେ ପ୍ରଚୁର ଅଛନ୍ତି । ଅନ୍ୟର ଉନ୍ନତି ଦେଖିଲେ ସେମାନଙ୍କର ଆଖି ଫୁଟିଯାଏ–ଛାତି ଫାଟିଯାଏ । ପର ଘରର ଶାନ୍ତିସୁଖ ମନ୍ଥନ କରି ସେମାନେ ମନ୍ଥରା ବୋଲାନ୍ତି ।
ସେହି ମନ୍ଥରା ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ କଥା ଶୁଣି ଯନ୍ତ୍ରଣାରେ ଥରି ଉଠିଲା । ସତେ ଯେପରି କିଏ ତାହା କଲିଜାରେ ତତଲା ତେଲ ଢାଳିଦେଲା । ସେ ବ୍ରହ୍ମତାଳୁରେ ନାଗସାପ ଦଂଶନ କଲା ପରି ମଣିଲା । ତହୁଁ ଦୁଷ୍ଟା ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଧାଇଁ ଯାଇ କୈକେୟୀଙ୍କୁ ରାମଚନ୍ଦ୍ରଙ୍କ ରାଜା ହେବା କଥା ଜଣାଇଲା । ସେ ତାହା ଶୁଣି ଆନନ୍ଦରେ ଅଧୀର ହୋଇ କହିଲେ–‘‘ଆଜି ଶୁଭଯୋଗରେ ରାତି ପାହିଥିଲା । ମୋର ପ୍ରାଣର ପୁତ୍ର ରାମଚନ୍ଦ୍ର ରାଜା ହେବ, ଏହାଠାରୁ ବଳି ବାଞ୍ଛିତ ଶୁଭସମ୍ବାଦ ଆଉ କଅଣ ହୋଇପାରେ ? ରାମଚନ୍ଦ୍ର ତାହାର ଗର୍ଭଧାରିଣୀ ମା କୌଶଲ୍ୟାଠାରୁ ମୋତେ ଅଧିକ ଭକ୍ତି କରେ । ମୋର ଗର୍ଭଜାତ ପୁତ୍ର ଭରତ ମୋତେ ତାହା ପରି ସେବା କରିପାରେ ନାହିଁ । ଦୀର୍ଘଜୀବୀ ହେଉ ବତ୍ସ ମୋର । ମନ୍ଥରା, ତୁ ଯେଉଁ ପ୍ରିୟ ସମ୍ୱାଦ ଦେଲୁ, ତାହାର ଉପଯୁକ୍ତ ପୁରସ୍କାର ତୋତେ କଅଣ ଦେବି ? ବର୍ତ୍ତମାନ ଏହି ରତ୍ନହାର ଛଡ଼ାକ ନେଇଥା, ରାମ ରାଜା ହେଲେ ତୁ ଯାହା ମାଗିବୁ ମୁଁ ତାହା ଦେଇ ତୋତେ ଖୁସି କରିବି ।’’ କୈକେୟୀ ଏହା କହି କଣ୍ଠରୁ ମହାମୂଲ୍ୟ ରତ୍ନହାର ବାହାର କରି ମନ୍ଥରା ଉପରକୁ ଫିଙ୍ଗିଦେଲେ । ମନ୍ଥରା ଭାବିଥିଲା-କୈକେୟୀ ଏହି ଅପ୍ରିୟ ସମ୍ୱାଦ ଶୁଣି ଗୋଟାଏ ପ୍ରଳୟ କାଣ୍ଡ ଘଟାଇବ; ମାତ୍ର ଫଳରେ ସେଥିରେ ବିପରୀତ ଦେଖି ମୁଣ୍ଡରେ ବଜ୍ର ପଡ଼ିଲା ପରି ବ୍ୟଥା ଅନୁଭବ କଲା । ତାହାର ମ୍ଳାନ ମୁଖର ଛଳ ଛଳ ନେତ୍ରରେ ମନର ସେହି ଗୋପନ ବ୍ୟଥା ଫୁଟିଉଠିଲା । ସେ କାନ୍ଦୁ କାନ୍ଦୁ ସମ୍ଭାଳିଗଲା । କୈକେୟୀ ଉପରେ ତାହାର ଭାରୀ ରାଗ ହେଲା; ସେ ମନେ ମନେ କହିଲା, ‘‘ମର୍ ପୋଡ଼ାମୁହିଁ ସ୍ୱାନକପାଳି ।’’ ଅତଃପର କିଛିକ୍ଷଣ ଦୀନଦୃଷ୍ଟିରେ କୈକେୟୀଙ୍କ ମୁହଁକୁ ଚାହିଁରହି କହିଲା–‘‘ହାୟ ମୋ ଫଟା କପାଳ, ବିଧାତା ରଜାଘରେ ବି ଏଭଳି ହୁଣ୍ଡୀ ଅଲାଗୀ ଝିଅ ଜନ୍ମଦିଏ ! ପୋଡ଼ିଯାଉ ସେ ବିଧାତାର ବୁଦ୍ଧି ! ମୋତେ ତ ତାଟଙ୍କା ଲାଗୁଛି ଲୋ ମା, କୁମ୍ଭୀର ନେଇ ମଝି ନଈରେ କଲାଣି, ତୁମେ ପରା ପହଁରୁଛ ବୋଲି ଭାବିଛ ? କହନ୍ତି ପରା, ବିପଦବେଳେ ବିପରୀତ ବୁଦ୍ଧି ହୁଏ, ତୁମର ତାହାହିଁ ହୋଇଅଛି । ରାମ ରାଜା ହେଲେ ତୁମର ଲାଭ କଅଣ ? ତାହାର ମା କୌଶଲ୍ୟା ରାଜମାତା ହେବ, ଆଉ ତୁମେ ତାର ସେବାଦାସୀ ନ ହେଲେ କୃପାଦାସୀ ହୋଇ ରହିବ ସିନା ! ସଉତୁଣୀର ସୌଭାଗ୍ୟରେ ଖୁସି ହୁଏ କିଏ ? ମଞ୍ଜାରିର ବଢ଼ନ୍ତି ଦେଖି ମୂଷାର ଆନନ୍ଦ, ଏ କି ଅପୂର୍ବ କଥା ଗୋ ମାରାଣୀ ! ପୁଣି ସଉତୁଣୀ ପୁଅକୁ ବା କଲ୍ୟାଣ କିଏ କରେ ? ସେ ରାଜା ହେଲେ ଯେ ରାଜଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ ଦୁହେଁ ଏକାବେଳକେ ତୁମ୍ଭଙ୍କୁ ଛାଡ଼ପତ୍ର ଦେବେ, ଏହା କଅଣ ବୁଝିପାରୁ ନାହଁ ? ତୁମେ ସଉତୁଣୀର ଅନ୍ନପୋଷ୍ୟା ହେବ, ମାଇପି ଜନ୍ମ ପାଇ ଏ ଅପମାନ ତୁମ ଦେହ କିମିତି ସହିଛି ? ମୋ ଦେହ ତ ପିଣି ପିଣି ହୋଇ ବିନ୍ଧି ଫାଟିଯାଉଛି ଗୋ ! ଭୂତ ଡାଆଣୀ ଲାଗିଲା ପରି ତୁମ୍ଭେ କଅଣଗୁଡ଼ାଏ ବକିଯାଉଛ, ଟିକିଏ ଏଣିକି ତେଣିକି ଚାହୁଁ ନାହଁ କି ଆଗପଛ ଭାବୁ ନାହଁ–ଭିତରେ ଭିତରେ ତୁମର ଯେ ଅବନତିର ସୂତ୍ରପାତ ହେଉଛି, ତୁମ୍ଭେ ବୁଦ୍ଧିମତୀ ହୋଇ ଏହା କଅଣ ବୁଝିପାରୁ ନାହଁ ? ନିଜର ମଙ୍ଗଳ ଯେବେ ଚାହଁ, ତେବେ ମୋ କଥା ମାନ, କୌଶଳରେ ରାଜାଙ୍କୁ ମଙ୍ଗାଇ ଭରତକୁ ରାଜା କର ଆଉ ରାମକୁ ବଣକୁ ପଠାଅ ।’’ ମନ୍ଥରା, ପାପୀୟସୀ, ଛିଡ଼ିପଡ଼ୁ ତୋର ପାପ ଜିହ୍ୱା ! ତୁ ବିଶୁଦ୍ଧ ଗଙ୍ଗାଜଳକୁ କଳୁଷିତ କରୁଅଛୁ, ତୋର ଏ ପାପର ଉପଯୁକ୍ତ ଫଳ ତୁ ଭୋଗ କରିବୁ । ତୋ ପାଇଁ ଗୋଟାଏ କେଡ଼େ ବଡ଼ ସଂସାର ଛାରଖାର ହୋଇଯିବ, ଗୋଟାଏ ନିଷ୍କଳଙ୍କ ମହାବଂଶରେ କଳଙ୍କ-କାଳିମା ଲିପ୍ତ ହେବ । ତୋର ଏ ଦୁଷ୍କରଣୀ–ଏ ବୀଭତ୍ସ କଳଙ୍କ ଯୁଗେ ଯୁଗେ ରହିଥିବ । ଚନ୍ଦ୍ରସୂର୍ଯ୍ୟ ଆତଯାତ ହେଉଥିବାଯାଏ ତୋର ଏ କଳଙ୍କ ଅମର ହୋଇ ରହିବ । ଜଗତର ତିରସ୍କାର ଓ ଶାପାନଳ ଅଜସ୍ର ତୋର ମସ୍ତକରେ ବର୍ଷିତ ହେବ । ଆର୍ଯ୍ୟପୁରାଣ ତୋର କଳଙ୍କ-ଗାଥା ଚିରକାଳ ଗାଉଥିବ ।
କଥାରେ କହନ୍ତି–ସାତ କଥାରେ ସତୀ ବି ଭୁଲିଯାଏ । ସ୍ୱଭାବ-ମୁଖରା ମନ୍ଥରା ଏହିପରି ନାନା କୂଟ ବାକ୍ୟ-ଜାଲରେ କୈକେୟୀଙ୍କୁ ଆଛନ୍ନ କରି ପକାଇଲା । ଦୈବ ଯୋଗକୁ କୈକେୟୀଙ୍କୁ ଦୁର୍ବୁଦ୍ଧି ଘୋଟିଲା । ସେ ରାଜରାଣୀ ହୋଇ ସୁଦ୍ଧା ଛାର ଦାସୀଟାର କୁଶିକ୍ଷାରେ ପଡ଼ି ନିଜର ମହତ୍ତ୍ୱ ପାଶୋରିଗଲେ । ସେ ମନ୍ଥରାକୁ ହିତୈଷିଣୀ ଜ୍ଞାନ କରି ତାହା କଥାକୁ ବେଦବାକ୍ୟ ତୁଲ୍ୟ ବିଶ୍ୱାସ କଲେ । କି ଉପାୟରେ କାର୍ଯ୍ୟ ସାଧନ କରିବେ, ଏହି ଚିନ୍ତା ତାଙ୍କୁ ଘାରି ପକାଇଲା । ସେ ମନ୍ଥରାକୁ ପରାମର୍ଶ ମାଗିଲେ । କୁଟିଳ ଲୋକଙ୍କୁ କୂଟ କୌଶଳର ଅଭାବ ହୁଏ ନାହିଁ । ତହୁଁ ମନ୍ଥରା ଆନନ୍ଦରେ ଗଦ୍ଗଦ୍ ହୋଇ କହିଲା–‘‘କିଛି ଚିନ୍ତା ନାହିଁ, ସହଜରେ କାର୍ଯ୍ୟୋଦ୍ଧାର ହେବ । ରାଜା ଦଶରଥ ତସର କୀଟ ପରି ନିଜର କର୍ମଜାଲରେ ନିଜେ ବନ୍ଦୀ ହେବେ । ତୁମ୍ଭେ ଶମ୍ୱରାସୁର ଯୁଦ୍ଧରେ ଅସ୍ତ୍ର-ସଞ୍ଜୀବନୀ ବିଦ୍ୟାବଳରେ ଦଶରଥଙ୍କର ଅସ୍ତ୍ରବ୍ରଣ ଆରୋଗ୍ୟ କରିଥିଲ । ଆଉ ଥରେ ତାଙ୍କୁ ନଖବ୍ରଣରୁ ମୁକ୍ତ କରିଥିଲ । ସେଥିର ପୁରସ୍କାରସ୍ୱରୂପ ଦଶରଥ ତୁମ୍ଭଙ୍କୁ ଦୁଇଟି ବର ଯାଚିଥିଲେ । ବର୍ତ୍ତମାନ ତୁମ୍ଭେ ସେହି ବର ମାଗି ଏକ ବରରେ ଭରତକୁ ରାଜା କର ଆଉ ଅନ୍ୟ ବରରେ ରାମଙ୍କୁ ଚଉଦବର୍ଷ ବନକୁ ପଠାଅ ।’’ ଏ ପରାମର୍ଶ କୈକେୟୀଙ୍କର ମନୋନୀତ ହେଲା; ସୁତରାଂ ତାହାହିଁ କରିବା ଧାର୍ଯ୍ୟ ହେଲା ।