ରାମଚନ୍ଦ୍ର
ଚିନ୍ତାମଣି ମହାନ୍ତି · ଭାଗ ୧୦ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ପରିଚ୍ଛେଦ
ବିଭୀଷଣ ଦୂରରେ ରହି ମନ୍ତ୍ରୀ ପଠାଇ ରାମଚନ୍ଦ୍ରଙ୍କର ଶରଣ ପ୍ରାର୍ଥନା କଲା । ଏ ବିଷୟ ଘେନି ନରବୀରମାନେ ତୁମୁଳ ଆନ୍ଦୋଳନରେ ପ୍ରବୃତ୍ତ ହେଲେ । ସମୁଦ୍ରବେଳାରେ ମନ୍ତ୍ରଣା-ସଭା ବସିଲା । ମନ୍ତ୍ରିବର ଜାମ୍ଭୁବାନ କହିଲେ–‘‘ନ ବୁଝି ନ ଶୁଝି ହଠାତ୍ ଅଜ୍ଞାତ କୁଳଶୀଳକୁ ଆଶ୍ରୟ ଦେବା ମୋ ବିବେଚନାରେ ନିରାପଦ ନୁହେଁ ।’’ କେହି କହିଲା-ବିଭୀଷଣର ନିଶ୍ଚୟ କିଛି ଦୁରଭିସନ୍ଧି ଅଛି । କେହି କହିଲା–ରାକ୍ଷସ ଜାତିକୁ ବିଶ୍ୱାସ ନାହିଁ, ମାୟାବୀର ମାୟା ଭେଦ କରିବା ଅନ୍ୟର ଅସାଧ୍ୟ । ଶେଷରେ ହନୁମାନ କହିଲା–ବିଭୀଷଣ ଆକୃତିରେ ଅସୁର; ମାତ୍ର ଚରିତ୍ରରେ ଋଷି ! ସେଭଳି ସାଧୁ, ସଜ୍ଜନ ବ୍ୟକ୍ତିଙ୍କ ହୃଦୟରେ କୁଉଦ୍ଦେଶ୍ୟ ଥାଇପାରେ ନାହିଁ । ବିଭୀଷଣ ଉଦାର, ଉଚ୍ଚମନା, ଧର୍ମଭୀରୁ ଓ ନୈତିକ ସାହସୀ । ସ୍ପଷ୍ଟବାଦିତା ତାହା ସ୍ୱଭାବର ଅଳଙ୍କାର । ଏହି ବିଭୀଷଣ ହେତୁ ମୁଁ ପ୍ରାଣଦଣ୍ଡରୁ ନିସ୍ତାର ପାଇଛି । ନଚେତ୍ ଦୁରାତ୍ମା ରାବଣ ନିଶ୍ଚୟ ମୋର ଶିରଚ୍ଛେଦନ କରିଥାନ୍ତା ।’’ ରାମଚନ୍ଦ୍ର ଏହା ଶୁଶି କହିଲେ–‘‘ଯେ ଶରଣ ପଶିବ, ମୁଁ ତାକୁ ରକ୍ଷା କରିବି, ଏହା ମୋର ବ୍ରତ ।’’ ତହୁଁ ସୁଗ୍ରୀବ ଯାଇ ବିଭୀଷଣକୁ ପାଛୋଟି ଆଣିଲା । ବିଭୀଷଣ ରାମଚନ୍ଦ୍ରଙ୍କର ବିଶ୍ୱମୋହନ ମୂର୍ତ୍ତି ଓ ଈଶ୍ୱର ଲକ୍ଷଣ ଦେଖି ଭକ୍ତିପ୍ରେମରେ ବିହ୍ୱଳ ହୋଇ ତାଙ୍କ ଗୋଡ଼ ତଳେ ପଡ଼ିଗଲା । ରାମଚନ୍ଦ୍ର ତାକୁ ସ୍ନେହରେ ଉଠାଇ ସାଦର ଆଲିଙ୍ଗନ କଲେ । ବିଭୀଷଣ ହାତ ଯୋଡ଼ି କହିଲା–‘‘ପ୍ରଭୋ, ଶତ୍ରୁର ଭାଇ ବୋଲି ମୋତେ ଅବିଶ୍ୱାସ କରନ୍ତୁ ନାହିଁ । ଆପଣ ଅନ୍ତର୍ଯାମୀ, ଅନ୍ତରର ଭାବ ଜାଣନ୍ତି । ରାବଣର ସୀତାଚୋରୀ ଲଙ୍କାବାସୀ ଶିଷ୍ଟ ରାକ୍ଷସମାନଙ୍କର ଅନୁମୋଦିତ ନୁହେଁ । ଏଭଳି ପାପକାର୍ଯ୍ୟକୁ ସେମାନେ ଅନ୍ତରର ସହିତ ଘୃଣା କରନ୍ତି । କିନ୍ତୁ କଅଣ କରିବେ, ପ୍ରବଳକୁ କିଏ ତିଆରିବାକୁ ସାହାସୀ ହେବ ? ସୀତାଙ୍କୁ ଫେରାଇଦେବା ପାଇଁ ମୁଁ ରାବଣର ଗୋଡ଼ ଧରି ପ୍ରାର୍ଥନା କଲି; ମାତ୍ର ମୋର ଭଲ କଥାକୁ ସେ ସଲ ମଣି ମୋତେ ତିରସ୍କାର କରି ରାଜ୍ୟକୁ ଘଉଡ଼ିଦେଲା । ତହୁଁ ମୁଁ ଆପଣଙ୍କ ଶ୍ରୀଚରଣରେ ଶରଣ ପଶିବାକୁ ଆସିଛି ।’’ ରାମଚନ୍ଦ୍ର ବିଭୀଷଣର କଥାରେ ପ୍ରୀତ ହୋଇ ତାକୁ ଆଲିଙ୍ଗନ କରି କହିଲେ–‘ଆଜିଠାରୁ ତୁମ୍ଭେ ମୋର ମିତ୍ର ହେଲ, ମୁଁ ରାବଣକୁ ମାରି ତୁମ୍ଭଙ୍କୁ ଲଙ୍କାର ରାଜା କରିବି ।’’ ରାମଚନ୍ଦ୍ର ଆଉ ବିଳମ୍ବ ନ କରି ସେହିକ୍ଷଣି ସମୁଦ୍ରଜଳରେ ବିଭୀଷଣକୁ ଲଙ୍କାର ରାଜାପଦରେ ଅଭିଷିକ୍ତ କରି ତାହା ମୁଣ୍ଡରେ ଶାଢ଼ୀ ବାନ୍ଧିଦେଲେ । ବିଭୀଷଣ ରାମଚନ୍ଦ୍ରଙ୍କ ପଦରେଣୁ ମସ୍ତକରେ ବୋଳିହୋଇ କହିଲା ପ୍ରଭୋ, ମୁଁ ଆପଣଙ୍କ ଭୃତ୍ୟର ଯୋଗ୍ୟ ନୁହେଁ, ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ମୋ ପ୍ରତି ଯେଉଁ ଅସାଧାରଣ କୃପା ପ୍ରଦର୍ଶନ କରିଅଛନ୍ତି, ତାହା ଆପଣଙ୍କର ସ୍ୱାଭାବିକ ମହତ୍ତ୍ୱର ପରିଚାୟକ-। ସେଥିପାଇଁ ମୁଁ ଆପଣଙ୍କ ଶ୍ରୀଚରଣରେ ଚିରଋଣୀ ଓ ଚିରକୃତଜ୍ଞ ହୋଇ ରହିଲି । ସୀତାଙ୍କ ଉଦ୍ଧାରରେ ମୁଁ ପ୍ରାଣପଣରେ ଆପଣଙ୍କୁ ସାହାଯ୍ୟ କରିବି । ରାକ୍ଷସମାନଙ୍କର ଗୁପ୍ତ ରହସ୍ୟ ଓ ମୁତ୍ୟୁର ଉପାୟ ସବୁ ମୋତେ ଜଣା । ତାହା ମୁଁ ଆପଣଙ୍କୁ କହିଦେବି ।’’ ରାମଚନ୍ଦ୍ର ଏହା ଶୁଣି ବିଭୀଷଣକୁ ବିଶେଷ କରି ଅମର ବର ପ୍ରଦାନ କଲେ ।
ଅନନ୍ତର ରାମଚନ୍ଦ୍ର ଲଙ୍କାବାସୀ ବୀରମାନଙ୍କର ବଳବିକ୍ରମ ବିଷୟ ପଚାରନ୍ତେ ବିଭୀଷଣ କହିଲା–‘‘ରାବଣ ତପସ୍ୟା ଦ୍ୱାରା ଜଗତରେ ଅଜେୟ ହୋଇଅଛି । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତାହାର ଅଧିକାରଭୁକ୍ତ । ତାହାର ପ୍ରଥମ ପୁତ୍ର ଇନ୍ଦ୍ରଜିତ ଅଗ୍ନିଦତ୍ତ ବରରେ ଅବଧ୍ୟ । ସେ ମାୟା ପ୍ରଭାବରେ ମେଘ ଅନ୍ତରାଳରେ ଥାଇ ଯୁଦ୍ଧ କରେ । ମୋର ମଧ୍ୟମ ସହୋଦର କୁମ୍ଭକର୍ଣ୍ଣ ବ୍ରହ୍ମାଣ୍ଡକୁ ଅକ୍ଳେଶରେ ଗିଳିଦେଇପାରେ, ମାତ୍ର ସେ ସର୍ବଦା ଶୋଇଥାଏ–ଛମାସରେ ଥରେ ଉଠେ । ସେଦିନ ତ୍ରିଭୁବନ ଭୟରେ କମ୍ପମାନ ହୁଏ । ଅତିକାୟ ନାମକ ରାକ୍ଷସ ବଡ଼ ବଡ଼ ପର୍ବତକୁ ହାତରେ ଚିପି କର୍ପୂର ଗୁଣ୍ଡା ପରି ଧୂଳି କରିଦେଇପାରେ । ଭସ୍ମଲୋଚନ ଯାହାକୁ ଚାହିଁଦେବ ସେ ଭସ୍ମ ହୋଇଯିବ-। ବଜ୍ରଦଂଷ୍ଟ୍ରକୁ ସ୍ୱୟଂ ଯମ ଭୟ କରେ । ସେ ଦାନ୍ତ ରଗଡ଼ିଲେ ଘଡ଼ିଘଡ଼ି ମାରିଲା ପରି ଶୁଭେ । ତାହା ଶୁଣି ଶତ୍ରୁ ମୁର୍ଚ୍ଛିତ ହୋଇ ପଡ଼ିଯାଏ । ଏହିପରି ଆହୁରି ଅନେକ ପ୍ରତାପୀ ରାକ୍ଷସ ଅଛନ୍ତି । ସେହି ବୀରମାନଙ୍କର ଶକ୍ତିରେ ରାବଣର ବିଜୟ-ମୁକୁଟ ଗଢ଼ା ହୋଇଅଛି । ରାବଣର ଆସୁରିକ ବଳ ଅସୀମ; କିନ୍ତୁ ଧର୍ମବଳ ଆଦୌ ନାହିଁ । ଜୀବନକୁ ସର୍ବଦା ସେ ପାପକାର୍ଯ୍ୟରେ ଖଟାଇ ରଖିଛି-। ଧର୍ମରେ ଜୟ, ପାପରେ କ୍ଷୟ-ଏହା ଚିରନ୍ତନ ସତ୍ୟବାଣୀ । ଆତ୍ମକୃତ ପାପ ତାକୁ ପୂର୍ବରୁ ମାରି ସାରିଅଛି, ଆପଣ ଖାଲି ଉପଲକ୍ଷ୍ୟ ହେବେ । ତାହାର ଜୀବନ-ତରଣୀ ଆଉ ପାପଭାର ସହିପାରିବ ନାହିଁ–ଅଦୂର ଦିବସରେ ଅତଳ ସମୁଦ୍ର-ଗର୍ଭରେ ବୁଡ଼ିଯାଇ ଅଦୃଶ୍ୟ ହୋଇଯିବ ।’’
ରାମଚନ୍ଦ୍ର ସୈନ୍ୟ ସେନାପତି ସହ ସମୁଦ୍ରକୂଳରେ ଅବସ୍ଥାନ କରୁଛନ୍ତି, ରାବଣ ଏ ସମ୍ବାଦ ଅବଗତ ହୋଇ ବାନର-ସୈନ୍ୟ କଳିବା ସକାଶେ ଶୁକ ସାରଣ ନାମକ ଦୁଇଜଣ ଦୂତ ପ୍ରେରଣ କଲା । ସେ ଦୁହେଁ ଛଦ୍ମବେଶରେ ଆସି ରାମଚନ୍ଦ୍ରଙ୍କ ସୈନ୍ୟ ମଧ୍ୟରେ ପ୍ରବେଶ କରନ୍ତେ ବିଭୀଷଣ ସେମାନଙ୍କୁ ଚିହ୍ନିପାରି ବିଚାର ସକାଶେ ସୁଗ୍ରୀବ ପାଖକୁ ଧରି ନେଇଗଲା । ସୁଗ୍ରୀବ ତାଙ୍କୁ ବନ୍ଦୀ କରି ରଖିବାକୁ ଆଦେଶ ଦେଲା; ମାତ୍ର ରାମଚନ୍ଦ୍ର, ତାଙ୍କୁ ଛାଡ଼ିଦେଲେ । ସେ ଦୁହେଁ ଯାଇ ରାବଣକୁ କହିଲେ–‘‘ରାମଚନ୍ଦ୍ରଙ୍କର ସୈନ୍ୟ ଅସଂଖ୍ୟ । ସମୁଦ୍ରର ବାଲି ଗଣିବା ସମ୍ଭବ ହୋଇପାରେ, ମାତ୍ର ବାନର ସେନାଙ୍କୁ ଗଣି ଶେଷ କରିହେବ ନାହିଁ ।’’ ରାବଣ ଏ କଥାକୁ ହସରେ ଉଡ଼ାଇଦେଇ କହିଲା–‘‘ତୁମ୍ଭେ ଦୁଇଟା ନିରାଟ ହୁଣ୍ଡା, ଜଟାଧାରୀର ମାୟା ଭେଦ କରିପାରିଲ ନାହିଁ–ଏତେ ବାନର ପୁଣି କେଉଁଠୁ ଆସିଲେ ? ଏ ଅସମ୍ଭବ କଥା କହିବାକୁ ତୁମ୍ଭଙ୍କୁ ଲାଜ ମାଡ଼ିଲା ନାହିଁ ? ଶୁକ ସାରଣ ଏହି ଭର୍ତ୍ସନାକୁ ରାଜପ୍ରସାଦରୂପେ ଗ୍ରହଣ କରି ଶୁଷ୍କମୁଖରେ ପ୍ରସ୍ଥାନ କଲେ ।
ଏଣେ ରାମଚନ୍ଦ୍ର, ବାନର ମନ୍ତ୍ରୀ, ପାରିଷଦମାନଙ୍କ ସହ ସମୁଦ୍ର ପାରିହେବାର ଉପାୟ ଉଦ୍ଭାବନ କରିବାକୁ ଲାଗିଲେ । ଅନେକ ଯୁକ୍ତିତର୍କ ପରେ ସିଦ୍ଧାନ୍ତ ହେଲା–‘‘ସମୁଦ୍ର ରାମଚନ୍ଦ୍ରଙ୍କର ବଂଶୀୟ କୀର୍ତ୍ତି, ରାମଚନ୍ଦ୍ର, ସାଗର ମନ୍ତ୍ର ଜପକଲେ ସମୁଦ୍ର ନିଜେ ଆସି ପାର ହେବାର ଉପାୟ କହିଦେବ ।’’ ତହୁଁ ରାମଚନ୍ଦ୍ର କୁଶାସନରେ ବସି ମନ୍ତ୍ର ଜପ କରିବାକୁ ଲାଗିଲେ । ସମୁଦ୍ରର ଅଧିଷ୍ଠାତା ବରୁଣଦେବ ଆସି କର ଯୋଡ଼ି ରାମଚନ୍ଦ୍ରଙ୍କୁ କହିଲେ–‘‘ପ୍ରଭୋ, ତୁମ୍ଭେ ଅନନ୍ତ କୋଟି ଜୀବଙ୍କୁ ଅସୀମ ସଂସାର-ସିନ୍ଧୁର ସେପାଖ ଏପାଖକୁ ନେବା ଆଣିବା କରୁଅଛ, ସେ ସିନ୍ଧୁ ତୁଳନାରେ ଏ ସିନ୍ଧୁ ଗୋଟାଏ ବିନ୍ଦୁ ପରି–ବାନର ବାହିନୀକୁ ଏ ସାମାନ୍ୟ ବିନ୍ଦୁ ପାରି କରିଦେବା କି ତୁମ୍ଭର ଅସାଧ୍ୟ ? ତାହା କଦାଚ ନୁହେ ଦୟାମୟ । ସେବକ ପ୍ରତି ଅନୁଗ୍ରହ କରି ମୋତେ ଗୋଟାଏ ସୁଖ୍ୟାତି ଦେବାକୁ ତୁମ୍ଭର ଇଚ୍ଛା ବଳିଅଛି । ହେଉ ପ୍ରଭୁ, ତୁମର ମଙ୍ଗଳ ଇଚ୍ଛା ପୂର୍ଣ୍ଣ ହେଉ-। ସାଗର ପାରହେବାର ଉପାୟ ମୁଁ କହିଦେଉଛି । ତୁମ୍ଭ ସୈନ୍ୟ ମଧ୍ୟରେ ବିଶ୍ୱକର୍ମାର ପୁତ୍ର ନଳ ନାମରେ ଯେଉଁ ବାନର ବୀର ଅଛି, ସ୍ଥାପତ୍ୟ ବିଦ୍ୟାରେ ସେ ଅସାଧାରଣ ପାରଦର୍ଶୀ । ବାନରମାନେ ବୃକ୍ଷ ପର୍ବତ ଉପାଡ଼ି ଆଣନ୍ତୁ, ନଳ ସେଥିରେ ଅଦ୍ଭୁତ ସୁଦୃତ ସେତୁ ପ୍ରସ୍ତୃତ କରିଦେବ-। ବାନର ବାହିନୀ ସେଥିରେ ଅବଲୀଳାକ୍ରମେ ସମୁଦ୍ର ପାରହୋଇ ଯିବେ ।’’ ସାଗର ଏହା କହି ବିଦାୟ ହୋଇଗଲା । ଅନନ୍ତର ସୁଗ୍ରୀବ ଆଦେଶରେ ବାନରବୀରମାନେ ପର୍ବତ ଚୂଡ଼ା ଭାଙ୍ଗି, ବଡ଼ ବଡ଼ ଗଛ ଉପାଡ଼ି ଆଣି ସମୁଦ୍ରରେ ପକାଇଲେ । ନଳ ଅଦ୍ଭୁତ କୌଶଳରେ ବନ୍ଧ ପ୍ରସ୍ତୃତ କଲା । ଏହି ସେତୁ ବନ୍ଧନରେ ଗୁଣ୍ଡୁଚିମୂଷା ସୁଦ୍ଧା ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲା । ସେ ପାଣିରେ ବୁଡ଼ି ଧୁଳିରେ ଗଡ଼ି ବନ୍ଧ ଉପରେ ଆସି ଦେହ ଝାଡ଼ିହୁଏ । ତାହା ଦେହରୁ ଓଦା ଧୂଳି ଝଡ଼ିପଡ଼ି ପଥର ଯୋଡ଼ ମଧ୍ୟରେ ଥିବା ଫାଙ୍କ ବୁଜିଯାଏ । ରାମଚନ୍ଦ୍ର କ୍ଷୁଦ୍ର ଜୀବର ଏପରି ଭକ୍ତି, ପରୋପକାରିତା ଦେଖି ମୁଗ୍ଧ ହୋଇ ସ୍ନେହରେ ତାହାର ପିଠି ଆଉଁସିଦେଲେ । ତାଙ୍କ ଅଙ୍ଗୁଳି ଚିହ୍ନ ଗୁଣ୍ଡୁଚି ମୂଷା ପିଠିରେ ଶୁକ୍ଳରେଖା ହୋଇ ରହିଲା କ୍ଷୁଦ୍ର ଜୀବ ନିଜ ଗୁଣରେ ପୁରାଣ-ପ୍ରସିଦ୍ଧ ହୋଇ ରହିଲା । ଆକୃତିଦ୍ୱାରା ସାନ ବଡ଼ ନିରୁପିତ ହୁଏ ନାହିଁ-କାର୍ଯ୍ୟଦ୍ୱାରା ହୁଏ । କ୍ଷୁଦ୍ର ପ୍ରାଣୀଟି ବଡ଼ କାର୍ଯ୍ୟ କରି ବଡ଼ ହେଲା । କାନ୍ୟକୁମାରୀଠାରୁ ଲଙ୍କାପର୍ଯ୍ୟନ୍ତ ସୁନ୍ଦର ସୁଦୃଢ଼, ସୁପ୍ରଶସ୍ତ ବନ୍ଧ ପାଞ୍ଚଦିନ ମଧ୍ୟରେ ପୁସ୍ତୁତ ହେଲା । ସମୁଦ୍ର ମଧ୍ୟରେ ତାହା ଆକାଶର ଛାୟାପଥ ପରି ଦିଶିଲା । ରାମଚନ୍ଦ୍ର ବନ୍ଧର ଆରମ୍ଭ ସ୍ଥାନରେ ରାମେଶ୍ୱର ନାମକ ଶିବଲିଙ୍ଗ ସ୍ଥାପନ କଲେ । ସେହି ସ୍ଥାନକୁ ସେତୁବନ୍ଧ ରାମେଶ୍ୱର କହନ୍ତି । ତାହା ଭାରତର ଅନ୍ୟତମ ପ୍ରସିଦ୍ଧ ପବିତ୍ର ଧାମ–ହିନ୍ଦୁମାନଙ୍କର ମହା ତୀର୍ଥକ୍ଷେତ୍ର ରାମଚନ୍ଦ୍ର ଶିବପୁଜା କରି ସେହି ବନ୍ଧ ଉପରେ ସୈନ୍ୟବାହିନୀ ଏବଂ ଭ୍ରାତୃମିତ୍ର ସମରିବ୍ୟାହାରରେ ଲଙ୍କା ଅଭିମୁଖରେ ଅଭିଯାନ କଲେ । ସମସ୍ତେ ସେତୁ ପାରି ହୋଇଯାଇ ଲଙ୍କାର ପୂର୍ବୋକ୍ତ ସୁବଳୟ ପର୍ବତରେ ରହିଲେ ।
ଊନବିଂଶ ପରିଚ୍ଛେଦ
ସୀତା ସରମାଠାରୁ ରାମଚନ୍ଦ୍ରଙ୍କର ଆଗମନ-ବାର୍ତ୍ତା ଶୁଣି ଆନନ୍ଦରେ ଅଶ୍ରୁବର୍ଷଣ କଲେ ଏବଂ ହନୁମାନଙ୍କୁ ତୁହାକୁ ତୁହା ଆଶୀର୍ବାଦ କରିବାକୁ ଲାଗିଲେ । ସୀତାଙ୍କୁ ଯେଉଁ ଅସୁରୂଣୀମାନେ ଜଗିଥିଲେ, ସେଥି ମଧ୍ୟରେ ବିଭୀଷଣ-ପତ୍ନୀ ସରମା ଓ ତ୍ରିଜଟା ସୀତାଙ୍କୁ ଖୁବ୍ ଭଲ ପାଉଥିଲେ । ସେ ଦୁହେଁ ରାକ୍ଷସୀ; ମାତ୍ର ତାଙ୍କର ପ୍ରକୃତି ଠିକ୍ ମାନବୀ-ପ୍ରକୃତି ପରି କୋମଳ ଥିଲା । ତାଙ୍କର ଦୟା, ମାୟା, ସ୍ନେହ, ପ୍ରୀତି, ସହାନୁଭୂତି ଓ ଧର୍ମବିଶ୍ୱାସ ଅତି ପ୍ରବଳ ଥିଲା । ସେ ଦୁହେଁ ସଖି ପରି ସାଧୁ, ସରଳ, ପ୍ରିୟ ବ୍ୟବହାରରେ ସୀତାଙ୍କର ମନ କିଣିନେଇଥିଲେ । ସୀତା ତାଙ୍କରି ଆଶ୍ୱାସନାରେ ବଞ୍ଚିରହିଥିଲେ ।
ରାମଚନ୍ଦ୍ର ସୁବଳୟ ଗିରି ଉପରୁ ଲଙ୍କା ନଗରୀର ଅପୂର୍ବ ଶୋଭା ଦେଖି ଯୁଗପତ୍ ହର୍ଷବିଷାଦରେ ମଗ୍ନ ହୋଇଗଲେ । ତ୍ରିକୂଟ ପର୍ବତ ଉପରେ ସୁନ୍ଦରୀ ଲଙ୍କାନଗରୀ ପର୍ବତର ରତ୍ନମୁକୁଟ ପ୍ରାୟ ସୁନ୍ଦର ଦିଶୁଅଛି । ରତ୍ନଜ୍ୟୋତିରେ ନଗରୀ ହସିଲା ପ୍ରାୟ ବୋଧ ହେଉଅଛି । ବିଭବର ତ କଳନା ନାହିଁ, ସର୍ବତ୍ର ବିଭବ ଉପରେ ବିଭବ ଢଳିପଡ଼ିଅଛି । ରାମଚନ୍ଦ୍ର ତାହା ଦେଖି କହିଲେ, ‘‘ରାବଣ କେତେ କାଳରେ, କେତେ ଅଧ୍ୟବସାୟରେ ଏ ଦେବଦୁର୍ଲଭ ଅତୁଳ ବିଭବ ସଂଗ୍ରହ କରିଅଛି । ଯାହା ସ୍ୱର୍ଗରେ ନାହିଁ, ତାହା ଏହି ଲଙ୍କାରେ ଅଛି; ମାତ୍ର ରାବଣ ଏହାସବୁ ଭୋଗ କରିପାରିବ ନାହିଁ । ତାହାର ଧନ, ଜନ, ପ୍ରଭୃତ୍ୱ, ଏଶ୍ୱର୍ଯ୍ୟ, ଶକ୍ତି, ଦୀର୍ଘ ପରମାୟୁ–ସବୁ ଅଛି, ନାହିଁ କେବଳ ସୁମତି । କୁମତି ପିଶାଚି, ତୁ ରାବଣ ଦେହରୁ ଅନ୍ତର ହୋଇଯା, ଆଉ ସୁମତି ଦେବି, ତୁମ୍ଭେ ଆସି ରାବଣକୁ ଆଚ୍ଛନ୍ନ କରି ରଖ । ଏଡ଼େ ବଡ଼ ପଣ, ଏ ମହାବିଭୂତି ସେ ହରାଇ ନ ବସୁ-।’’ ଏଣେ ରାବଣ ଶତ୍ରୁ-ଆଗମନ ଦେଖି ଦୁର୍ଗର ଚାରିଦ୍ୱାର ବନ୍ଦ କରିଦେଇ ଭିତରେ ରଣସଜ୍ଜା କରିବାକୁ ଲାଗିଲା । କେତେ ଜଣ ନ୍ୟାୟପ୍ରାଣ ବୃଦ୍ଧମନ୍ତ୍ରୀ, ରାବଣର ଅଜା ମାଲ୍ୟବାନ, ମାତା ନିକଷା ରାମଚନ୍ଦ୍ରଙ୍କୁ ସୀତା ଫେରାଇଦେବା ସକାଶେ ଅନେକ ବୁଝାଇ କହିଲେ; କିନ୍ତୁ ଅଭଙ୍ଗପ୍ରତିଜ୍ଞ ରାବଣ ଦର୍ପ ପ୍ରକାଶ କରି କହିଲା, ‘‘ତାହା କଦାଚ ହେବ ନାହିଁ, ମୁଁ ଭାଙ୍ଗିଯିବି ପଛକେ; ମାତ୍ର ସୁତାଏ ନଇଁବି ନାହିଁ ।’’ ରାବଣ ଆଉ ଅଧିକ ବାକ୍ୟବ୍ୟୟ ନ କରି ସେନାପତିଙ୍କୁ ଡାକି ଦୁର୍ଗ ରକ୍ଷା କରିବାକୁ ଆଦେଶ ଦେଲା । ପ୍ରଧାନ ସେନାପତି ପ୍ରଶସ୍ତକୁ ଦକ୍ଷିଣ ଦ୍ୱାର, ବଜ୍ରଦଂଷ୍ଟ୍ରକୁ ପୂର୍ବ ଦ୍ୱାରା, ଇନ୍ଦ୍ରଜିତକୁ ପଶ୍ଚିମ ଦ୍ୱାରା ରକ୍ଷା ସକାଶେ ପଠାଇ ନିଜେ ଉତ୍ତର ଦ୍ୱାର ଜଗି ରହିଲା । ସେନାପତିମାନେ ବହୁକୋଟି ଦୁର୍ଦ୍ଧର୍ଷ ରାକ୍ଷସ ସେନା ସହ ସଶସ୍ତ୍ର ହୋଇ ନିଜ ନିଜର ନିର୍ଦ୍ଦଷ୍ଟ ଦ୍ୱାର ରକ୍ଷା କରିବାକୁ ଲାଗିଲେ ।
ଏଣେ ରାମଚନ୍ଦ୍ର ଛତ୍ରିଶ କୋଟି ବାନର ଯୂଥପତି ଓ ଅସଂଖ୍ୟ ବାନର ସୈନ୍ୟ ଘେନି ଲଙ୍କା ଅବରୋଧ କରିବାକୁ ବାହାରିଲେ । ରୁକ୍ଷ ବାନର ବୀରମାନେ ଚତୁର୍ମାସ୍ୟାରେ ଝଡ଼ି ପୋକ ପରି ବାହାରି ଜୟ ରାମଚନ୍ଦ୍ର ଶବ୍ଦରେ ଧାବିତ ହେଲେ । ବୀର ନାଦ ଓ ବୀର ପଦ ଭାରରେ ଲଙ୍କାନଗରୀ ମୁହୁର୍ମୁହୁ କମ୍ପିତ ହେବାକୁ ଲାଗିଲା । ବାନରମାନେ କିଳିକିଳା ଶବ୍ଦ କରି ଦୁର୍ଗପ୍ରାଚୀର ଚାରି ପାଖରେ ନିବିଡ଼ ଭାବରେ ଘେରିଗଲେ । ରାମଚନ୍ଦ୍ର, ଲକ୍ଷ୍ମଣ ଉତ୍ତର ପାଖରେ ରହିଲେ । ହନୁମାନକୁ ପଶ୍ଚିମ ପାଖକୁ ପଠାଇଲେ । ଅଙ୍ଗଦ ପୂର୍ବ ପାଖକୁ ପ୍ରେରିତ ହେଲା । ସ୍ୱୟଂ କପି-ସମ୍ରାଟ ଅମିତତେଜା ସୁଗ୍ରୀବ ଦକ୍ଷିଣ ପାଖ ଅବରୋଧ କରିରହିଲା । ରାମଚନ୍ଦ୍ରଙ୍କ ଆଜ୍ଞାରେ ବାଳକ, ବୃଦ୍ଧ ଓ ସ୍ତ୍ରୀଜାତି ପ୍ରତି ଅତ୍ୟାଚାର ନ କରିବା ସକାଶେ ସୈନ୍ୟମାନଙ୍କୁ ବାରମ୍ବାର ଚେତାଇ ଦିଆଗଲା । ବିଭୀଷଣ ଚାରିପାଖରେ ପହରା ଦେଇ ବୁଲିଲା । ସୈନ୍ୟ-କୋଳାହଳରେ ଗଡ଼ର ପ୍ରାଚୀର ଭୟରେ ଆର୍ତ୍ତ ଚିତ୍କାର ଛାଡ଼ିଲା ପରି ପ୍ରତିଧ୍ୱନି କରି ଉଠିଲା । ବୀରମାନେ ଅଦମ୍ୟ ଉତ୍କଣ୍ଠାରେ ସମର ପ୍ରତୀକ୍ଷାରେ ରହିଲେ । କେତେ ବୀର ବିଳମ୍ବ ସହି ନ ପାରି ବୀର ମଦରେ ଆତ୍ମବିସ୍ମୃତ ହୋଇ ନିଜକୁ ଶତ୍ରୁ ଭାବି ପ୍ରହାର କରିବାକୁ ଲାଗିଲେ । କେତେ ହୁମ୍ପାମାରି ପ୍ରାଚୀର ଉପରକୁ ଉଠିଲେ; କେହି ପ୍ରାଚୀର ଦେହରେ ଭୀଷଣ ପଦାଘାତ କରିବାକୁ ଲାଗିଲା । କେହି ବିକଟ ଶବ୍ଦରେ ଦାନ୍ତ ରଗଡ଼ି ହେଲା । ଦୁର୍ଗ ମଧ୍ୟସ୍ଥ ଭୀରୁ ରାକ୍ଷସମାନେ ତାହାକୁ ବଜ୍ରଶବ୍ଦ ମଣି ବଜ୍ରବାରକ ଜୈମିନି ଋଷିଙ୍କ ନାମ ଆବୃତ୍ତି କଲେ । କେହି ରାକ୍ଷସ ଦେଖି ଦାନ୍ତ ନିଫିଡ଼ି ଗଭୀର ଭୀଷଣ ହୁଙ୍କାର ଧ୍ୱନି କରି ଉଠିଲା । ସେହି କଲିଜା ଥରା ଶବ୍ଦ ଶୁଣି ଗର୍ଭିଣୀ ରାକ୍ଷସୀମାନଙ୍କର ଗର୍ଭସ୍ରାବ ହୋଇଗଲା । ବୀରମାନେ ଏହିପରି ବିଚିତ୍ର ବୀର ଲୀଳା-କୌତୁକରେ ନିଜକୁ ଆନନ୍ଦ ଦାନ କରିବାକୁ ଲାଗିଲେ ।
ଅତଃପର ରାମଚନ୍ଦ୍ର ଅଙ୍ଗଦକୁ ଡାକି କହିଲେ–‘‘ଅଙ୍ଗଦ, ତୁ ଥରେ ଦୁର୍ଗ ଭିତରକୁ ଯା, ରାବଣକୁ କହିବୁ ସେ କବାଟ କିଳି ଘର ଭିତରେ ଲୁଚିରହିଛି କାହିଁକି ? କତରା ଘୋଡ଼ିହୋଇ ଶୋଇଲେ କି ଯମ ଛାଡ଼ିବ ? ଯଦି ତାହାର ବିଶାଳ ବଂଶ, ଅତୁଳ ବିଭବ ଓ ନିଜର ଜୀବନ ପ୍ରତି ମମତା, ଥାଏ, ତେବେ ସେ ସୀତାଙ୍କୁ ଆଣି ମୋ କତିରେ ସମର୍ପଣ କରୁ, ନ ହେଲେ ତାହା ସବୁ ଯେବେ ତାକୁ ପିତା ଲାଗୁଥାଏ, ତେବେ ଶୀଘ୍ର ଆସି ଯୁଦ୍ଧରେ ପ୍ରବୃତ୍ତ ହେଉ ।’’ ଅଙ୍ଗଦ ’ଯେ ଆଜ୍ଞା’ କହି ରାବଣ ପାଖକୁ ଗଲା । ଏଣେ ରାବଣ ବିଦ୍ୟୁଜିହ୍ନ ନାମକ ମାୟାବୀ ରାକ୍ଷସଦ୍ୱାରା ରାମଚନ୍ଦ୍ର-ଲକ୍ଷ୍ମଣଙ୍କର ମାୟାମୁଣ୍ଡ ପ୍ରସ୍ତୃତ କରାଇ ସୀତାଙ୍କୁ ଦେଖାଇ କହିଲା–‘‘ଏହି ଦେଖ, ତୁ ଯେଉଁ ସ୍ୱାମୀ ଦିଅରଙ୍କ ବଡ଼ାଇ କରୁ, ମୁଁ ତାଙ୍କୁ ଯୁଦ୍ଧରେ ଜୟ କରି ତାଙ୍କ ମୁଣ୍ଡ ହାଣି ଆଣିଛି ।’’ ସୀତା ସ୍ୱାମୀ ଓ ଦେବରଙ୍କ ସଦ୍ୟ ଛିନ୍ନ ମସ୍ତକ ଦେଖି ମୂର୍ଚ୍ଛିତ ହୋଇ ପଡ଼ିଲେ । ପୁଣି କେତେକ କ୍ଷଣ ପରେ ଚେତନା ପାଇ ପାଷାଣ-ତରଳା କରୁଣ ବାଣୀରେ ବିଳାପ କରିବାକୁ ଲାଗିଲେ । ରାକ୍ଷସ ଜାତିର ମାୟାର ସନ୍ଧି ସେହି ରାକ୍ଷସ ଜାତି ଏକା ଭେଦ କରିପାରେ । ସରମା ରାବଣର ମାୟା ବୁଝିପାରି ସୀତାଙ୍କୁ ଗୋପନରେ କହିଲା–‘‘ଦେବି, ତୁମ୍ଭେ ଅଧୈର୍ଯ୍ୟ ହୁଅ ନାହିଁ । ଏ ତୁମ୍ଭ ସ୍ୱାମୀ ଦେବରଙ୍କର ପ୍ରକୃତ ମୁଣ୍ଡ ନୁହେଁ–ମାୟାମୁଣ୍ଡ । ତୁମ୍ଭଙ୍କୁ ଛଳନା କରିବା ପାଇଁ ଦୁଷ୍ଟ ରାବଣ ଏ କୌଶଳ ଫାନ୍ଦିଅଛି-।’’ ସୀତା ଏହା ଶୁଣି ଆଶ୍ୱସ୍ତ ହେଲେ । ଏହି ସମୟରେ ବାନରମାନେ ପ୍ରାଚୀର ଡେଇଁ ଦୁର୍ଗ ମଧ୍ୟରେ ପଶି ଉପଦ୍ରବ କରିବାରୁ ଗଡ଼ରେ କାନ୍ଦବୋବାଳି ପଡ଼ିଗଲା । ରାବଣ ତାହା ଶୁଣି ମାୟା ମୁଣ୍ଡ ଫିଙ୍ଗିଦେଇ ଭୟରେ ପଳାଇଯାଇ ରାଜସଭାରେ ବସିଲା । ତେତିକିବେଳେ ଅଙ୍ଗଦ ଆସି କହିଲା–‘‘ ରାବଣ, ମୋତେ ଚିହ୍ନିପାରୁଛୁ ତ ? ଶୂଳିଆପଦାକୁ ଅନା, ମୁଁ ସେହି ଅଙ୍ଗଦ ସିନା ! ତୁ ବଞ୍ଚି ରହିଲେ ମୋର ଲାଭ, ତୁ ଜୀଇଥିବାଯାଏ ମୋ ବାପର କୀର୍ତ୍ତି ଉଜ୍ଜ୍ୱଳ ହୋଇ ରହିଥିବ । ତେଣୁ ତୋତେ କିଛି ହିତୋପଦେଶ ଦେବାକୁ ଆସିଲି । ପୁଣି ମୁଁ ରାମଚନ୍ଦ୍ରଙ୍କ ଶ୍ରୀମୁଖ-ଆଜ୍ଞା ଆଣିଅଛି; ତାହା କହୁଛି, ଏବେ ମତି ସ୍ଥିର କରି ଶୁଣ । ରାମଚନ୍ଦ୍ର କହିଛନ୍ତି–ତୁ ସୀତାଙ୍କୁ ଦେଇ ତାଙ୍କଠାରେ ଶରଣ ପଶ, ନଚେତ୍ ସବଂଶ ନଷ୍ଟ ହେବୁ ।’’ ରାବଣ ଏ କଥାକୁ ହସରେ ଉଡ଼ାଇଦେଇ କହିଲା–‘‘ରେ ବାନର, ତୋର ଗୁରୁ ସେହି ଜଟାଧାରୀକୁ କହିବୁ ଯା-ସେ ବୀର ହୋଇ ମାଗି ପଠାଇଛି କାହିଁକି ? ମାଗିବାଟା ବୀର ପକ୍ଷରେ ମାନହାନିକର । ବୀର ବିକ୍ରମ ପ୍ରକାଶ କରେ, ଆଉ ତାହାରି ପରି ଯେ କାପୁରୁଷ, ସେହି ସିନା ଅନୁଗ୍ରହ ମାଗି ବୁଲେ ।’’ ଅଙ୍ଗଦ ଏହା ଶୁଣି କହିଲା–ଧିକ୍ ନିର୍ଲଜ୍ଜ, କେଉଁ ବେହିଆ ମୁହଁରେ ତୁ ରାମଚନ୍ଦ୍ରଙ୍କୁ ନିନ୍ଦୁଛୁ ରେ ଚୋର ? ତୋଠାରୁ ବଳି ଭୀରୁ, କାପୁରୁଷ କିଏ ? ତୁ ଯେବେ ଏଡ଼େ ବୀର, ଭୟରେ ଭିକାରୀ ବେଶ ଧରି ସୀତାଙ୍କୁ ଚୋରି କରି ଆଣିଲୁ କାହିଁକି ? ପ୍ରଭୁଙ୍କର ଆଜ୍ଞା ନାହିଁ, ନଚେତ୍ ଏକା ଚାପୁଡ଼ାରେ ତୋର ଦଶମୁଣ୍ଡ ଛିଣ୍ଡାଇପକାନ୍ତି ।’’ ରାବଣ ଏହା ଶୁଣି କ୍ରୋଧରେ ଗର୍ଜିଉଠି କହିଲା–‘‘କିଏ ସେ ଅଛ ରେ, ଏ ପୋଡ଼ାମୁହାଁ ମାଙ୍କଡ଼ଟାକୁ ମୋଦକ ଗୋଳା ପରି କେହି ପାଟିରେ ପକାଇଦିଅ ।’’ ତହୁଁ ମଲ୍ଲମାନେ ଆସି ଅଙ୍ଗଦକୁ ଘେରିଗଲେ । ଅଙ୍ଗଦ ଟିକିଏ ମୁରୁକି ହସି ଭୀଷଣ ପଦାଘାତରେ ସେହି ଦୁର୍ଦ୍ଦାନ୍ତ ମଲ୍ଲମାନଙ୍କୁ ବିନାଶ କରି ରାବଣର ଜଗତିଚାଳକୁ ଭାଙ୍ଗିପକାଇ ଏକ ଲମ୍ଫରେ ରାମଚନ୍ଦ୍ରଙ୍କ ଥିବା ସ୍ଥାନରେ ଆସି ପଡ଼ିଲା । ରାମଚନ୍ଦ୍ର ତାହାଠାରୁ ସମସ୍ତ ଶୁଣି ତାହାର ବିକ୍ରମକୁ ବିସ୍ତର ପ୍ରଶଂସା କରି ତାକୁ ପୁରସ୍କୃତ କଲେ ।
ରାବଣ ଅଙ୍ଗଦଠାରୁ ଅପମାନ ପାଇ ରାଗରେ ଦାନ୍ତ ରିସିମି ହୋଇ ଦୁର୍ଗଦ୍ୱାରା ଖୋଲି ଯୁଦ୍ଧ କରିବା ପାଇଁ ଯୋଦ୍ଧାମାନଙ୍କୁ ଆଦେଶ ଦେଲା । ରାକ୍ଷସବୀରମାନେ ରାଜାଦେଶ ପାଇ ନାନା ପକାର ଭୀଷଣ ଅସ୍ତ୍ରଶସ୍ତ୍ର ଧରି ଗର୍ଜି ଗର୍ଜି ଧାବିତ ହେଲେ । ସମସ୍ତଙ୍କର ରୂପ ବିକୃତ, ବୀଭତ୍ସ । କାହାର ବେହେଡ଼ା ଦାନ୍ତ ଓଠ ଫୁଟାଇ ହାତୀଦାନ୍ତ ପରି ବାହାରି ପଡ଼ିଛି–କାହାର ନାକ ଦିପଖା ଚୁଲି ପରି ବେଢ଼ଙ୍ଗିଆ–କାହାର ଆଖି ଚିଲା, କାନ ଝୁଲା, ବାଳ କହରା, ମୁଣ୍ଡ ଗୋଜିଆ । କାହାର ଦେହ ଅସ୍ତ୍ରଲେଖାରେ ପୂର୍ଣ୍ଣ । କାହା ଦେହରେ ଅସଂଖ୍ୟ ଅସ୍ତ୍ରଫଳା ଭାଙ୍ଗି ରହିଅଛି । ରାବଣର ଅନ୍ତଃସୁରିକାମାନେ କିଙ୍କରା-ପରିବୃତା ହୋଇ ସର୍ବୋଚ୍ଚ ପ୍ରାସାଦ ଉପରେ ବସି ଯୁଦ୍ଧ ଦେଖିବା ଅପେକ୍ଷାରେ ରହିଲେ । ଭୟଙ୍କରୀ ତେଡ଼ିମାନଙ୍କ ମଧ୍ୟରେ କେହି କୁଲାକାନୀ କେହି ମୂଳାଦାନ୍ତୀ–କେହି ବା ଡହୁକବେକୀ । କାହା ମୁହଁ ରାତିରେ ପକ୍ଷିବିଶେଷର ଉପମା ଧାରଣ କରିଅଛି । ଏହାଛଡ଼ା ଫାଲୁଆଗାଲୀ, ଓଳିଆ ପେଟୀ, ମାଣ୍ଡିଆ ମୁଣ୍ଡୀ, ହାଣ୍ଡି ଆତୁଣ୍ଡୀ ବି ଊଣା ନ ଥିଲେ ।