ପ୍ରକୃତି ପେଟିକା
୧୮୬୭–୧୯୪୩
- ପଢ଼ିବା ସମୟ
- ୧୭ ମିନିଟ୍
- ଶବ୍ଦ
- ୨୭୦୯
- ସ୍ଥିତି
- ସାର୍ବଜନୀନ (Public domain)
ବିଦିତ ଖେମଣ୍ଡୀ ରାଜ୍ୟ ପବିତ୍ର ଗଞ୍ଜାମେ,ସୁରମ୍ୟା ଅମରା ଯଥା ଶୋଭେ ସୁରଧାମେ ।ଅମରାର ଅଳଙ୍କାର ଯେସନ ଇନ୍ଦ୍ରାଣୀ,ତେସନ ଦିଗପହଣ୍ଡୀ ତାର ରାଜଧାନୀ ।ଚୌଦିଗେ ସୁନୀଳଗିରି-ମେଖଳା ସେ ଧରେ,ଦିବା ସେ କନକଲଙ୍କା ସାଗର ବୃକ୍ଷରେ ।ଅବା ଶରବଭ୍ର ଶଶୀ, ବିଶ୍ୱ-ବିଦ୍ୟୋତକ,ଅଥବା ଅନନ୍ତ ଅଙ୍କେ କୌସ୍ତୁଭ ପଦକ ।ତହିଁରେ ପ୍ରକୃତିରାଣୀ ପ୍ରଶାନ୍ତ ପାବନୀ,ବସାଇ ଅଛନ୍ତି ବହୁ ଶୋଭାର ବିପଣୀ ।ମନୋରମା ସେ ସୁଷମା କଳିବ ବା କିଏ,ଖସି ପଡ଼ିଛିକି ସ୍ୱର୍ଗୁଁ ଦେବକନ୍ୟାଟିଏ ।ଦେଉଳମାଳିନୀ ସେହୁ ହର୍ମ୍ୟ-କିରୀଟିନୀଂ,ନଗରୀ- ସୀମନ୍ତ ମଣି ଚିର ଯଶସ୍ୱିନୀ ।ଜାହ୍ନବୀ ବଂଶୀୟ ନୃପେ ସଦା ସୁପାଳିତ,ତେଣୁ ସେ ଜାହ୍ନବୀ ସମ ପବିତ୍ର ସ୍ୱଚ୍ଛିତ ।ଦାନର ମହାତ୍ମା କିଏ କରିବ କଳନୀ,ସେ ମହତ୍ୱେ ଆନରାଜ୍ୟ ତୁଳନା ଅଲଣା ।କମଳା ବିଳାସ ସ୍ଥଳୀ ବାଗ୍ଦେବୀ ମଣ୍ଡପ,ପୁଣ୍ୟ ପୂତତୀର୍ଥ, ଏହା ନୁହେଁ ମିଥ୍ୟାଗପ ।ଦୁର୍ମତିର ମତିପ୍ରାୟ କୁଟିଳ ଗତିରେ,କହେ ଅଶ୍ୱକୁନ୍ତ୍ରା ନଦୀ ଯାମ୍ୟେତରେ ଧୀରେ ।କଳ କଳ ଛଳେ ଭବେ ବିଏ ତତ୍ତ୍ୱ ଦୀକ୍ଷା,ଖେମଣ୍ଡୀ ରାଜ୍ୟର ସେହୁ ନିସର୍ଗ ପରିଖା ।ସ୍ପର୍ଶମଣି ପ୍ରାୟ ତାର ପାଥହରା ପାଣି,ଖେମଣ୍ଡି ମୃତ୍ତିକା ତାହାଯୋଗୁଁ ବାରବାନୀ ।ପଶ୍ଚିମେ ଚାଙ୍ଗୁଡ଼ିଦେଈ ଭୀମ ସାନୁମାନ,ଚାଙ୍ଗୁଡ଼ିଦେଈଙ୍କ ପ୍ରିୟ ଅଧିଷ୍ଠାନ ସ୍ଥାନ ।ଇନ୍ଦିବର ନିନ୍ଦୀ ନୀଳ ଦିଶେ ଚାରୁଶିରୀ,ଦିଶେ ଯଥା ମାରକଳୀ ଚାଙ୍ଗୁଡ଼ି ମେଗିରି ।ସ୍କନ୍ଦିଶାଳ ଖଣ୍ଡୋଯଳେ ବନ୍ଧୁର ସେ ନଗ,କରନ୍ତି ମୁଖର ତାକୁ ବିବିଧ ବିହଗ ।ସୃଷ୍ଟିକାଳୁ ଉପୁଜାଇ ପତନର ଭ୍ରମ,ଉଭା ସେ ବିଶାଳ ଶିଳା ଉପଗିରି ସମ ।ଗାଆନ୍ତି ସତତ ଗୀତ ସେ ପର୍ବତେ ଝିଅ,କଦାଚିତ ରୁକ୍ଷବ୍ୟାଘ୍ର ହୁଅନ୍ତି କୁଣିଆ ।ଝର ଝରେ ଝରେତହୁଁ କଣ୍ଟେଇ ନିର୍ଝରପ୍ରକ୍ଷାଳି ଚାଙ୍ଗୁଡ଼ି ଦେଈ ପର୍ବତ ପୟର ।ତଳକୁ ସେ ଝର ଆସେ ସ୍ରୋତରୂପେ ବହି,ଗିରିଟଙ୍କୁ ଓହ୍ଲାଏ କି ରୁଦ୍ରକାୟ ଅହି ।ରବି ଅସ୍ତକାଳେ ସେହି ଅଚଳ ଶିଖରେ,ରାହୁରବି ଗ୍ରାସଛବି ସେହୁ ଅନୁକରେ ।ଧରିଛି ଶରୀରେ ବହୁ ଗୁମ୍ଫା, ଧରାଧର,ପ୍ରକୃତି ରାଣୀର କିସେ ଗୁପ୍ତ ଗନ୍ତାଘର ।ଭେଷଜ ପରାଏ କେତେ କେତେ ମହୌଷଧିସମ୍ପାଦି ରଖିଛି ଦେହେଁ ନାହିଁ ତା ଅବଧି ।ଚୂଡ଼େ ଶୋଭେ ଦେବାଳୟ ଦିବ୍ୟ ପୁଣ୍ୟ ପୀଠ,ପିନ୍ଧିଛିକି ଶିରେ ଚାରୁ ହୀରକ-କିରୀଟ ।ନିର୍ଜନ ପ୍ରଦେଶ ଯୋଗୀ କବିଙ୍କ ବାଞ୍ଛିତ,ଲବ କୋଳାହଳ ତହିଁ ନପଶେ କିଞ୍ଚିତ ।ମହାଶାନ୍ତି ମନ୍ତ୍ର, ତହିଁ ସଦା ବିହ୍ୱଳତା,ପ୍ରଚାରେ ଭାବୁକ କର୍ଣ୍ଣେ ନୀରବେ ସର୍ବଥା ।ବୁଡ଼ାଏ ଯୋଗୀଙ୍କ ଯୋଗ-ସାଗରେ ସେ ସ୍ଥାନ,କବିଙ୍କୁ କରାଏ ଭାବ-ଜଳେ ସଜ୍ଜମାନ ।ଅତ୍ୟଦ୍ଭୁତ ଅପାର୍ଥିବ ସେ ସ୍ଥାନ ପ୍ରଭାବ,ଆଣି ମନେ ତତ୍ତ୍ୱଚିନ୍ତା ତଡ଼େ ଦ୍ୱୈଧଭାବ ।ନିରେଖିଲେ ଅଧୋଦେଶେ ସେ ସ୍ଥାନରେ ଥାଇ,ତଳ ତରୁ ଅସମାନ ଦେଖାଯାଏ ନାହିଁ ।ସଙ୍କେତେ କି କରେ ସେହୁ ଏତତ୍ତ୍ୱ ପ୍ରଚାର,କୀଟୁଁ ବ୍ରହ୍ମଯାଏଁ ଭବେ ସର୍ଦ୍ଧେ ଏକାକାର ।ଗୁହା ପରେ ଗୁହା ତାହା ପରେ ଗୁହା ପୁଣି,ଗୁହାମୟ ସେ ପର୍ବତ ସ୍ୱର୍ଗର ନିଶୁଣି ।ସେ ଗୁହାରେ ପ୍ରବେଶିଣ ବସନ୍ତ ପବନ,ଉଠାଏ ପୃଥୁଳ କରେ ଶତବଂଶୀ ସ୍ୱନ ।ଆହା ସେ ମଧୁର ସ୍ୱର ଛଣା ସୁଧାକୀଣା,ସାରସ୍ୱତ କୁଞ୍ଜେ କିବା ବାଜୁଅଛି ବୀଣା ।କିମ୍ବା ସେ ଶାଶ୍ୱତ ଗିରି ଶତ ବଦନରେ,ଗଜପତି ନୃପତିଙ୍କ ଜୟଧ୍ୱନି କରେ ।ଦେବବାସ ଯୋଗ୍ୟ ଗିରି ଅତୀବ ପବିତ୍ର,ପବିତ୍ର ଗଞ୍ଜାମେ ଧାମେ ଅନ୍ୟତମତୀର୍ଥ ।ଧନ୍ୟ ଗଙ୍ଗବଂଶୀ ରାଜା ଖେମଣ୍ଡି-ମଣ୍ଡନ,ତାଙ୍କ ରାଜ୍ୟେ ସ୍ଥିତ ଏହି ତୀର୍ଥ ସନାତନ ।ନଥାଇ ପଛକେ ରାଜ୍ୟେ ବିନ୍ଧ୍ୟଗୋବର୍ଦ୍ଧନନଥାଉ ମୈନାକ ଗିରି ଅବା ମେଘାସନ ।ମାତ୍ର ଅଛି ଯେଉଁକ୍ଷୁଦ୍ର ପର୍ବତ ଖଣ୍ଡକ;ନିଶ୍ଚେ ତାହା ଖେମଣ୍ଡୀର ଗୌରବ ପଦକ ।ଶୁଣରେ ଚାଙ୍ଗୁଡ଼ିଗିରି ମୋ ଭବିଷ୍ୟ ବାଣୀ,ଅବନତି କାଳ ରାତି ପାହି ଆସିଲାଣି ।ଖେମଣ୍ଡିର ବର୍ତ୍ତମାନ ଯୋଗଜନ୍ମା ରାଜା,ବାଜୁଛି ଉତ୍କଳେ ଯାଙ୍କ ନାମେ ଉଚ୍ଚେ ବାଜା ।ଉଇଁଲେଣି ଉନ୍ନତିର ନବରବି ସମ,କ୍ଷୟ ହୁଏ ଖେମଣ୍ଡିରୁ ଅବନତି ତମଃ ।ଦେଶବ୍ୟାପୀ ତାହାଙ୍କର ସୁକୀର୍ତ୍ତି ପୌରୁଷ,ଦାନଜଳେ ଆର୍ଦ୍ରସଦା ଦକ୍ଷିଣ ଗଣ୍ଡୁଷ ।ବହୁଦେଶାଗତ ବହୁ ସୁକବି ପଣ୍ଡିତ,ହେଉଛନ୍ତି ନିତ୍ୟ ତାଙ୍କ ରାଜ୍ୟେ ସୁପୂଜିତ ।ଗାଇବେ ସେମାନେ ତୋର ଗୁଣଗର୍ବ ଗୀତ,ଧାଇଁବେ ତା’ ଶୁଣି ଜନେ ହୋଇ ହୃଷ୍ଟଚିତ୍ତ ।ପୂଜିବେ ତୋତେ ରେ ଗିରି ମଣି ତୀର୍ଥସାର,ପଡ଼ିବ ପ୍ରସିଦ୍ଧ ଗ୍ରନ୍ଥେ ତୋହ ନାମେ ଗାର ।ବିରାଜେ କେରାଣ୍ଡି ମାଳ ଯାମ୍ୟେ ସ୍ତରେ ସ୍ତରେ,ତ୍ରିବଳୀ ଚିତା କି ତାହା ଦିଗ ଲଲାଟରେ ।ପ୍ରାଚୀଦିଗେ ସୁଦ୍ଧା ସେହି ଅଭ୍ରଂକଷ ଗିରି,ବିସ୍ତାରିଛି ରମଣୀୟ ଭୟଙ୍କର ଶିରୀ ।ପୌରାଣିକ ପର୍ବତ ସେ ଅମର ନିବାସଅଙ୍କିତ ତାଦେହେଁ କେତେ ବିଶ୍ୱ ଇତିହାସ ।ପଶୁକ୍ଷତ୍ରି-ମହାବଳ-ଶାର୍ଦ୍ଦୁଳ-ସଙ୍କୁଳ,ଘନ ବନସ୍ପତି ପୂର୍ଣ୍ଣ ସୁନୀଳ ଚଟୁଳ ।ଝିଲ୍ଲିଝଙ୍କାରିତ ସଦା ଝର-ଝର୍ଝରିତ,ବନକବି-ପକ୍ଷିକୁଳ ଗାବନ୍ତି ସଙ୍ଗୀତ ।ମାଡ଼ିଅଛି ତରୁଶାଖେ ବିବିଧ ବଲ୍ଲରୀ,ଫୁଟିଅଛି ନାନାଫୁଲ-କାନନ ସୁନ୍ଦରୀ ।ହେରିଲେ ସେ ଗିରିବନେ ଶାନ୍ତହୁଏ ମନ,ସତ୍ପ୍ରସଙ୍ଗପରାୟଣ ପୁଣି ସତ୍ପବ୍ରଣ ।ପୁରାଣ-ପ୍ରଥିତ ଏହି ପୂତ ଗିରିବର,ତତ୍ତ୍ୱଦର୍ଶୀ ନେତ୍ରେ ମହାତତ୍ତ୍ୱର ଆକର ।ଅଜ୍ଞାନ ମଣଇ ସିନା କେବଳ ପଥର,ତେଣୁ ହେୟଜ୍ଞାନେ ତାକୁ ନକରେ ଆଦର ।ନକରୁ ଆଦର ପଛେ ହୀନ ଜ୍ଞାନହତ,ମାତ୍ର ଯେ ମହତ ସେହୁ ସତତ ମହତ ।କପିଳେନ୍ଦ୍ର ଦେବ ନାମେ ଉତ୍କଳ ସମ୍ରାଟ,ବସାଇଲେ ଉତ୍କଳରେ ପୁଣ୍ୟକୀର୍ତ୍ତି ହାଟ ।ତାହାଙ୍କର ଅଷ୍ଟାଦଶ ପୁତ୍ର–ମଧ୍ୟୁଁଜଣେ,ବସାଇଲେ ଏଖେମଣ୍ଡୀ ରାଜ୍ୟ ଶୁଭକ୍ଷଣେ ।ଭାଗୀରଥୀ ବଂଶଧର ସେନୃପ ନନ୍ଦନ,ଗଜପତି ଆଖ୍ୟାଧରି କଲେ ଭୂ-ପାତନ ।ଘେନିଯାନ୍ତେ ଯଥାକାଳେ ସେ ଭୂପାଳେ କାଳ,ଅଭିଷିକ୍ତ ହେଲେ ରାଜ୍ୟେ ତାହାଙ୍କ ଦୁଲାଳ ।ଏହିକ୍ରମେ କେତେ ଜଣ କଲେ ରାଜପଣ,ପରେ ରାଜାହେଲେ ବୀର ଲକ୍ଷ୍ମୀନାରାୟଣ ।ପରମ ପଣ୍ଡିତ ସେହୁ ଗୁଣ-ବିଚକ୍ଷଣ,ନ୍ୟାୟେ ଧର୍ମେ କଲେ ରାଜ୍ୟ ଶାସନ ପାଳନ ।ପ୍ରଜାସୁଖ ବିବର୍ଦ୍ଧକ ଦାତା ସଦାଶୟ,ଖୋଳାଇଲେ ସ୍ଥାନେ ସ୍ଥାନେ ରାଜ୍ୟେ ଜଳାଶୟ ।ତୋଳାଇଲେ ଚାରୁକାରୁ-ଖଚୀ ଧ୍ୱତବାନ,ସୁନ୍ଦର ମନ୍ଦିର କେତେ ମନ୍ଦର ସମାନ ।ବାହାରେ ନୃପତି ସେହୁ, ବ୍ୟବହାରେ ଯତି,ସତ୍ୟଶୀଳ ବୟାଶୀଳ ଦେବଭକ୍ତ ଅତି ।ଇଷ୍ଟଦେବ ରାଧାକୃଷ୍ଣ ସେବାରେ ସତତ,କାୟ ମନୋବାକ୍ୟ ସହ ଥିଲେ ରାଏ ରତ ।କ୍ଷତ୍ରିୟ-ସୁଲଭ ଶୌର୍ଯ୍ୟ ସତ୍ତ୍ୱେ ସେ ରାଜନ,କରୁଥିଲେ ମନେ ପ୍ରାଣେ କ୍ଷମା ଆଚରଣ ।କ୍ଷମାସିନା ଶୂରିତ୍ୱର ପ୍ରଗୌରବ ଭୂଷା,ପ୍ରାଚୀବିଗ୍ଯୋଷାର ଯଥା ଖୋଷା-ଭୂଷା ଭଷା ।କଲେକ ଅନେକ ସେହୁ ଶାସନ ପ୍ରତିଷ୍ଠା,ହେବ ତୁଲେ ଦ୍ୱିଜେ ତାଙ୍କ ଥିଲା ଭକ୍ତିନିଷ୍ଠା ।ନଥିଲେ ସେ ବଡ଼ ଖାଲି କୁଳେ ମାନେଧନେ,ଥିଲେ ସୁଦ୍ଧା ସେ ମହାତ୍ମା ବଡ଼ଅଭିମନେ ।ମନର ମହତ୍ୱ ଏକା ପ୍ରକୃତ ମହତ୍ୱ,ମନସ୍ୱୀ ବ୍ୟତୀତ କିଏ ବୁଝିବ ଏତତ୍ତ୍ୱ ।ଅଶ୍ୱ ଗାଭୀ ରତ୍ନ ଧନ ବସ୍ତ୍ର ଭୂସମ୍ପତ୍ତି,ଅକାତରେ କରୁଥିଲେ ଦାନ ସେ ନୃପତି ।କେବଳ ଦାନରେ ରାଏ କରୁଥିଲେ ତୋଷ,ଦରିଦ୍ରଙ୍କ ପାଇଁ ମୁକ୍ତ ଥିଲା ରାଜକୋଷ ।ତାଙ୍କ ଦାନ ଧର୍ମବଳେ ତାଙ୍କ ଅଧିକାରେ,ରହୁଥିଲେ ନାହିଁ ଦୀନ ଦୁଃଖୀ ଅନାହାରେ ।ରାଜନୀତି ଆଦି ସର୍ବ ନୀତି ସୁନିପୁଣ,ଆଶ୍ରିଥିଲେ ତାଙ୍କୁ ଦେବ-ଦୁର୍ଲ୍ଲଭ ସୁଦ୍ଗୁଣ ।କର୍ମବୀର କର୍ମେ ତାଙ୍କ ନଥିଲା ବିଶ୍ରାମ,ମାତ୍ର ନଧରନ୍ତି ମନେ ଅଭିମାନ ନାମ ।କର୍ମକ୍ଷେତ୍ରେ କରୁଥିଲେ ଯେକର୍ମ ସାଧନ,କରୁଥିଲେ ରାଧାକୃଷ୍ଣେ ତାହା ସମର୍ପଣ ।କୀର୍ତ୍ତି-କଳ୍ପତରୁ ସେହି ନରବରଙ୍କର,ବେନିରାଣୀ ଗର୍ଭୁଜାତ ଚାରୋଟି କୁମର ।ଦିବ୍ୟସିଂହ ଦେବ ତାଙ୍କପ୍ରଥମ ସନ୍ତତି,ଭୂସ୍ୱର୍ଗ-ନୀଳାଦ୍ରି ଧାମେ ହେଲେ ଛତ୍ରପତି ।ଦ୍ୱିତୀୟ ଶ୍ରୀରାଧାକୃଷ୍ଣ ସୁନୀତି-ପଣ୍ଡିତ,ଅକାଳରେ ହେଲେ ଆହା କାଳ କବଳିତ ।ଶ୍ରୀ ବ୍ରଜକିଶୋର ଦେବ ତୃତୀୟ କୁମର,ସାନଖେମଣ୍ଡି-ମଣ୍ଡଳେ ହେଲେ ଦଣ୍ଡଧର ।କନିଷ୍ଠ ଶ୍ରୀ ଗଜପତି କୃପାମୟ ଦେବ,ନୁହନ୍ତି ସେ ନର,-ନିଶ୍ଚେ କୃପାମୟ ଦେବସମ୍ପ୍ରତି ସେ ପୁଣ୍ୟଶ୍ଳୋକ, ବୃହତଖେମଣ୍ଡି–,ରାଜସିଂହାସନ ମୁଦେ ଅଛନ୍ତି ବିମଣ୍ଡି ।ଧର୍ମ-ତୁଳାଦଣ୍ଡ ଧରି ପାଳୁଛନ୍ତି ଧରା,ବିସ୍ତାରି ଅଛନ୍ତି ରାୟେ ଦାନର ପସରା ।ଦୟା କ୍ଷମା ପ୍ରୀତି ନଭି ଶାନ୍ତି ସୌଜନ୍ୟାଦି,ଅଗ୍ରାମ୍ୟ ଭୂଷଣେଛନ୍ତି ଶ୍ରୀଅଙ୍ଗ ଆଚ୍ଛାଦି ।ସାହିତ୍ୟପ୍ରେମିକ ଯେଣୁ, ତେଣୁ ନିତ୍ୟନିତ୍ୟକରୁଛନ୍ତି ଚର୍ଚ୍ଚା ନବ ନବ ସୁସାହିତ୍ୟ ।ନବୀନ ପ୍ରାଚୀନ ଗ୍ରନ୍ଥ ଆଲୋଚନା ଫଳେ,ବାମଣ୍ଡା ସମାନ ଦିଗପହଣ୍ଡୀ ଉତ୍କଳେ ।ସ୍ୱଦେଶୀ ବିଦେଶାଗତ କବି ପଣ୍ଡିତରେ,ରାଜସଭା ପରିପୂର୍ଣ୍ଣ ଥାଏ ନିରନ୍ତରେ ।ଗୁଣଗ୍ରାହୀ ନରସାଇଁ ବୀର କୃପାମୟ,କବି ପଣ୍ଡିତଙ୍କ ସେହୁ ମହତ ଆଶ୍ରୟ ।ନିତ୍ୟ କେତେ କେତେ ପ୍ରାଜ୍ଞ କବି ଗ୍ରନ୍ଥକାର,ଲଭନ୍ତି ତାଙ୍କ ଛାମୁରୁ ଯୋଗ୍ୟ ପୁରସ୍କାର ।କେହି ଲଭେ ପଦ କେହି ଲଭେ ବା ପଦକ,କେହି ପଟ୍ଟବସ୍ତ୍ର, କେହି କନକ-କଟକ (୧) ।‘‘ସଙ୍ଗୀତ ମକରନ୍ଦ’’ର ମକରନ୍ଦ ପାନେ,ଚିହ୍ନିଲି ସେ କଳକଣ୍ଠପିକ କାବ୍ୟୋଦ୍ୟାନେ ।‘‘ପ୍ରତିଭାବିନୋଦ’’ ଆଖ୍ୟା ସାର୍ଥକ ତାଙ୍କର,ଗୁରୁଭକ୍ତି ଗୁଣେ ସେହୁ ତାଙ୍କୁ ପଟାନ୍ତର ।ଧର୍ମ ପାଳନେ ସେ ନୃପ ଧର୍ମ୍ମର ଦାୟାଦ,କରନ୍ତି ସତତ ଧ୍ୟାନ ଇଷ୍ଟଦେବ ପାଦ ।ପାଳନ୍ତି ସେ ଯଥାଶାସ୍ତ୍ର ବ୍ରତ ଉପବାସସଂସାରରେ ବାହ୍ୟେଲିପ୍ତ, ଅନ୍ତରେ ଉଦାସ ।ଅଟେ ସିନା ମହାଜନ ଲକ୍ଷଣ ଏସନ,ସବୁକରି ନମିଶନ୍ତି କାହିଁ କଦାଚନ ।ହୋମ ଧୂମେ ଅମୋଦିତ ସତତ ନବର,ମୁଖର ଉତ୍ସର୍ଗମନ୍ତ୍ରେ ପ୍ରାଙ୍ଗଣ ତାଙ୍କର ।ଅନାଥ ପାଳନ ତାଙ୍କ ଅନ୍ୟତମ ବ୍ରତ,ପ୍ରଶଂସ୍ୟ ସେ ବ୍ରତ ଅତି ପବିତ୍ର ମହତ ।ଅତିଥି ବ୍ରାହ୍ମଣ ସେବା, ତପ, ହୋମ, ଦାନ,ଏ ସକଳ ତାହାଙ୍କର ଦୈନିକ ବିଧାନ ।ସଜଇ ଉନ୍ନତି ମୂଳ କୃଷିର ଉନ୍ନତି,ବୁଝିଛନ୍ତି ଦୃଢ଼େ ଏହା ସେ ବିଜ୍ଞ ନୃପତି ।ରାଜ୍ୟରେ ଆଦର୍ଶ କ୍ଷେତ୍ର ଅଛି କେତେ ସ୍ଥାନେ,ଶିଖନ୍ତି ସହଜେ କୃଷିବିଦ୍ୟା ପ୍ରଜାମାନେ ।ଅନାବୃଷ୍ଟି ଉପଦ୍ରବୁ ଶସ୍ୟରକ୍ଷା ପାଇଁ,ଖୋଳାଇଲେ ବହୁନଳୀ ରାଜ୍ୟେ ନରସାଇଁ ।ଅର୍ଥକରୀ ଶ୍ରମଶିଳ୍ପ ଅନ୍ତର୍ବାଣିଜ୍ୟର–ପ୍ରବୃଦ୍ଧିରେ ଅଛି ତାଙ୍କ ଦୃଷ୍ଟି ନିରନ୍ତର ।ଶିକ୍ଷାକାର୍ଯ୍ୟେ ମୁକ୍ତହସ୍ତ ଦେବ କୃପାମୟ,କରୁଛନ୍ତି ଛାତ୍ରବୃତ୍ତି ଦାନେ ବହୁବ୍ୟୟ ।ସେ ବୃତ୍ତିବଳରେ କେତେ ଦରିଦ୍ର ସନ୍ତାନ,ହେଉଛନ୍ତି ସୁବିହାନ ମାନ୍ୟ ଧନବାନ ।ସ୍ୱରାଜ୍ୟରେ ବହୁସ୍ଥାନେ ସ୍ଥାପି ଶିକ୍ଷାଗାର,କିହ୍ୱାଟିଲେ ପ୍ରଜାଙ୍କର ଉନ୍ନତିର ହାର ।ପରମ ଗୌରବ ମୟୀ ଦେବଭାଷା ପ୍ରତି,ଅଛି ତାଙ୍କ ସମାବର ପୁଣି ଆସ୍ଥା ଅତି ।ରାଜ୍ୟେ ସ୍ଥାପି ଚତୁଷ୍ଠାଠୀ, ସଂସ୍କୃତ ଶିକ୍ଷାର–ପ୍ରବୃଦ୍ଧିରେ ଅର୍ଥବ୍ୟୟ କରନ୍ତି ଅପାର ।ସୁନୟନେ ରାଜ୍ୟ ରାୟେ କରନ୍ତି ପାଳନ,ଘେନିଣ ସୁମନ୍ତ୍ରୀ ମିତ୍ର ପାରିଷଦଗଣ ।ଆନ ପ୍ରତି ରାଜକାର୍ଯ୍ୟେ ନକରି ନିର୍ଭର,ତନ୍ନ ତନ୍ନ କରି ସର୍ବ ଦେଖନ୍ତି ନୃବର ।ବୁଝନ୍ତି ସେ ମୂଳବାନ କିପରି ସମୟ,ତେଣୁ ନକରନ୍ତି ଲବେ ତାହା ଅପବ୍ୟୟ ।କୃପାମୟ କୃପାବଳେ ପୁଣି ସୁପାଳନେ,କ୍ଷେପୁଛନ୍ତି କାଳ ସୁଖେ ମୁଦେ ପ୍ରଜାଗଣେ ।କ୍ଷତ୍ରିୟ-ସୁଲଭ-ଶୌର୍ଯ୍ୟ ଅତୀବ ପ୍ରଖର,ମୃଗୟାରେ ଗୁରୁ ସେହୁ ମୃଗୟୁ କୁଳର ।ଧନୁର୍ବେଦେ ସେହିଏକା ତାଙ୍କରି ସମାନ,ତଳ ଲକ୍ଷ୍ୟ ଭେଦେ ତାଙ୍କ ଅବ୍ୟର୍ଥ ସନ୍ଧାନ ।ବହୁ ଭୂ-ସମ୍ପତ୍ତି କରି ବିପ୍ରଗଣେ ଦାନ,ବସାଇ ଅଛନ୍ତି କେତେ ବ୍ରାହ୍ମଣ ଶାସନ ।ଭୋଗ ପୂଜା ନିର୍ବ୍ବାହାର୍ଥେ ବହୁ ଦେବଙ୍କର,ଖଞ୍ଜିଛନ୍ତି ରାୟେ କେତେ କେତେ ଦେବୋତ୍ତରକରାଇଲେ ରାଜ୍ୟେ କେତେ ଦେଉଳ ନିର୍ମାଣ,ଜୀର୍ଣ୍ଣ ଦେଉଳର ଯୋଗ୍ୟ ସଂସ୍କାର ସାଧନ ।ନାନାଭାବେ ସାଧୁଛନ୍ତି ସ୍ୱରାଜ୍ୟ ଉନ୍ନତି ।ସ୍ୱଦେଶ ବାତ୍ସଲ୍ୟେ ସେହୁ ଆଦର୍ଶ ନୃପତି ।ତାଙ୍କ ସୁବ୍ୟବସ୍ଥା ଫଳେ ତାଙ୍କ ରାଜଧାନୀ,ହସୁଅଛି ଦେଖାଇଣ ନବ ଚାରୁଠାଣି ।ଶ୍ରେଣିବଦ୍ଧ ଭାବେ ଗୃହ ହେବାରୁ ପ୍ରସ୍ତୁତ,ଗ୍ରାମମାନ ଦିଶେ କେଡ଼େ ସୁନ୍ଦର ସଜ୍ଜିତ ।ଏସନ ପ୍ରତୀତ ହୁଏ, ସେହି ଜନପଦ,ବେନିପାଶେ ତଟ ଯଥା ମଧ୍ୟେ ଶୁଷ୍କନଦ ।ମଧ୍ୟେ ସୁପ୍ରଶସ୍ତ ପଥ ବେନିପାଶେ ଗ୍ରାମ,ମଧ୍ୟେ ମଧ୍ୟେ ଅଛିକେତେ ଦୃଶ୍ୟ ଅଭିରାମ ।ସୁଧା-ଶୁଷ୍କ ଦେବାଳୟ ଗର୍ବେ ଉଭାକାହିଁ,ଉତ୍କଳ ପ୍ରାଚୀନ ଶିଳ୍ପ ବଡ଼ିମା ଦେଖାଇ ।ସେ ଦେଉଳେ ହେରି ହୁଏ କଳ୍ପନା ଏରୂପ,ଖେମଣ୍ଡି-ମଣ୍ଡନଙ୍କର କିସେ କୀର୍ତ୍ତିସ୍ତୂପ ।ଉଡ଼ୁଅଛି ଦେବାଳୟ ଚୂଡ଼େ ଚାରୁବାନା,ବାଜୁଅଛି ତୁରୀ ଭେରୀ ଆଦି ବାଦ୍ୟନାନା ।ପ୍ରତି ଦେବାଳୟେ ଏବେ ଦେବକୃପାମୟ,ଖଞ୍ଜିଛନ୍ତି ଅତିରିକ୍ତ ପୂଜା ଭୋଗଚୟ ।ପାଇଣ ପ୍ରସାଦ ତହୁଁ ଦୁଃଖୀ ରଙ୍କି ଗଣ,ଚିରକାଳ ଭୁଲିଛନ୍ତି ଉଦର କଷଣ ।ପଡ଼େ ଏଥି ନିତ୍ୟ କେତେ ଆଗନ୍ତୁକ ପତ୍ର,ପ୍ରତି ଦେବାଳୟ ଏକ ଏକ ଅନ୍ନଛତ୍ର ।ଆପଣେ ବିପଣୀ ଶ୍ରେଣୀ ହୋଇ ସୁସଜ୍ଜିତଲକ୍ଷ୍ମୀ ଗନ୍ତାଘର ପ୍ରାୟ ଦିଶେ ବିଛୁରିତ ।ଆଲୋକର ସ୍ତମ୍ଭ ପୋତା ପ୍ରତି ଶୃଙ୍ଗାଟକେ,କାଚ ଦୀପାଧାର ତହିଁ ଉଜ୍ଜ୍ୱଳେ ଝଟକେ ।ଚକବୀରେ ହୁଏ ସେହୁ ନୟନରବାରୀ,ଖସି ଆସୁଛିକି ଉର୍ଦ୍ଧ୍ୱୁ ଜ୍ୟୋତିର୍ମ୍ମୟୀ ତାରା ।କାହିଁ ନୈଶବିଦ୍ୟାଳୟ କାହିଁ ପାଠାଗାରକାହିଁ ରଙ୍ଗାଳୟ କାହିଁ ପାନ୍ଥାଗାର ବାର ।ପ୍ରାନ୍ତେ ସ୍ଥିତ ସ୍ୱଚ୍ଛ ନୀରା ପୁଷ୍କରିଣୀଗଣ,ଶୋଭେ ଯଥା ନଗରୀର ବିଶାଳ ଦର୍ପଣ ।ସଂସ୍ଥାପିଣ ରାଜଧାନୀ ମଧ୍ୟେ ମୁଦ୍ରା ଯନ୍ତ୍ର,ଗଞ୍ଜାମେ ପ୍ରଚାରୁଛନ୍ତି ଉନ୍ନତିର ମନ୍ତ୍ର ।ସେ ଯନ୍ତ୍ରୁ ‘‘ଗୁଖଦର୍ପଣ’’ ହୋଇ ପ୍ରକାଶିତ,ଘରେ ଘରେ ଗାଇବୁଲେ ଦେଖବାର୍ତ୍ତା ଗୀତ ।ବଖାଣୁଅଛି ସେ କେତେ ହିତ ଉପଦେଶ,ଭଜି ହେଉଅଛି ପୁଣି ସଦା ଦେଶ ଦେଶ ।ଗଞ୍ଜାମର ଏକମାତ୍ର ସେହୁ, ଦେଶଦୂତ,କର୍ତ୍ତବ୍ୟରୁ କଦାଚିତ ନହୁଏ ବିଚ୍ୟୁତ ।ସ୍ପଷ୍ଟବାଦୀ ବିଚକ୍ଷଣ ବିଜ୍ଞ ଦୃଢ଼ବ୍ରତ,ଅକାଳରେ କ୍ଷୁଦ୍ରସିନା ଗୁଣରେ ମହତ ।ରାଜାଙ୍କର ସୁମନ୍ତ୍ରୀ ସେ ପ୍ରଜାଙ୍କର ମିତ,ଜୀବନ-ପାଞ୍ଜିରେ ଅଙ୍କା ତାର ପରହିତ ।ସ୍ୱଦେଶର ସୁଶିକ୍ଷକ ସାହିତ୍ୟ-ରସିକ,ଉତ୍କଳ-ଜନନୀ କଣ୍ଠେ ସେ କଳାମାଣିକସତ୍ୟଶୀଳ କର୍ମବୀର ଶାନ୍ତ ସଦାଶୟ,କର୍ମମୟ ଜୀବନଟି ତାର କର୍ମମୟ ।କି ବର୍ଣ୍ଣିବି ବାହୁଲ୍ୟ ତା ସୁଖ୍ୟାତି ପୌରୁଷ,ହରିପଦେ ଏ ଭିକ୍ଷା ସେ ଲଭୁ ଦୀର୍ଘାୟୁଷ ।ଉନ୍ନତିଦାୟିନୀ ନାମେ ଅଛି ଏକ ସଭା,ଆଶା ଅଛି କାଳେ ସେହୁ ବଢ଼ାଇବ ପ୍ରଭା ।କରେ ସେ ସମିତି ଦେଶ ଉନ୍ନତି ବିଚାର,ଶିକ୍ଷାବୃଦ୍ଧି କାଳୋଚିତ ସମାଜ ସଂସ୍କାର ।ମହାରାଜ କୃପାମୟ ମୋର ଏବିନତିସାଧନ୍ତୁ ସେ ସମିତିର ଆଶୁ ସମୁନ୍ନତି ।କାର୍ଯ୍ୟକରୀଭାବେ ସେହୁ ହେଲେ ସୁଗଠିତ,ଗାଇବ ସତତ ଆତ୍ମ-ନିର୍ଭରତା ଗୀତ ।ଦେଖାଇବ ପ୍ରଜାପୁଞ୍ଜେ ବିବିଧ ସୁପଥ,ଶିଖାଇବ ସର୍ବ୍ବବିଧ୍ୟ ଉନ୍ନତିର ସନ୍ଥ ।ଅନେକ ପ୍ରାଚୀନଦୃଶ୍ୟ ଖେମଣ୍ଡି ରାଜ୍ୟରେ,ପ୍ରକୃତି ଭୂଷଣ ପେଡ଼ି ପ୍ରାୟ ଶୋଭାଧରେ ।ରାଜଦୁର୍ଗ ପଶ୍ଚିମରେ କୁଞ୍ଜରେଖା (୨) ଗିରି,ଖଣ୍ଡୋପଳ ସ୍ତୂପପ୍ରାୟ ଦିଶେ ତାର ଶିରୀ ।ସୁବିଶାଳ ସମତଳ ପିଚ୍ଛଳ ପାଷାଣ,ଗିରି ଉପକଣ୍ଠ ବନେ ଅଛି ଲମ୍ବମାନ ।ଆସନରୂପେ ସେ ପାନ୍ଥେ କରେ ପରିଚର୍ଯ୍ୟା,କାନନ-ସୁନ୍ଦରୀଙ୍କର କିସେ ସୁଖ-ଶର୍ଯ୍ୟା ?ଚଉପାଶେ ଘୋରବନ ମଧ୍ୟେ ଗିରିବର,ନୀଳନଭେ, ଶୋଭେ ଯଥା ନୀଳନୀରଧର ।ସେଗିରି ଗରଭେ ଶୋଭେ ହନୁମାନଗୁମ୍ଫା,ମୁଖ ସାନ ପେଟ ବଡ଼ ଯଥା ମାଟିକୁମ୍ପା ।ସାନୁମାନେ ହନୁମାନ ଦର୍ଶନ ଆଶ୍ରୟେ,ଉଠିଲି ସେ ଗିରିପରେ ଆନନ୍ଦେ ନିର୍ଭୟେ ।ନିମ୍ନଦେଶୁ କ୍ରମଉର୍ଦ୍ଧ୍ୱେ ଉଠିବା କାଳରେ,ଧରି ଧରି ଉଠୁଥିଲି ପାଦପ ନିକରେ ।ଆଗନ୍ତୁକ ଜାଣି ମୋତେ ଧରିମୋର ହାତ,ଶିଷ୍ଟାଚାରେ ପାଛୋଟି ବା ନେଲେ ତରୁବ୍ରାତ ।ଧନ୍ୟ ତାଙ୍କ ହୃଦଅତି ପବିତ୍ର ମହତ,ଧରିଛନ୍ତି ଦୃଢ଼େ ସଦା ପ୍ରାଣୀହତ ବ୍ରତ ।ଯାଉଛି ନିବିଡ଼େ କେତେ ଶୈବାଳ ବଲ୍ଲରୀ,ଶୋଭେ ତାହା ଅଚଳର ଲୋମକେଶ ପରି ।ହସୁଛନ୍ତି ବୃନ୍ତେ ବସି କେତେ ଫୁଲ୍ଲ-ଫୁଲ,ପରକାଶି ଋଷିମୋହୀ ସୁଷମା ଅତୁଳ ।ବୃକ୍ଷବୃକ୍ଷାନ୍ତରେ ଲମ୍ବି ମଖମଲକୁଆଁ (୩)ସ୍ମୃତିଅଛି ଠାବେ ଠାବେ ନିସର୍ଗ ଚାନ୍ଦୁଆ ।ଇଟଳା ଗୁଳ୍ମ-ଗଣିକା ପ୍ରକାଶିଛି ପ୍ରଭା,ଶୋଭାରାଣୀ ରଚିଛନ୍ତି ତହିଁକେଳି ସଭା ।ହେରିଲେ ସେ ଶୋଭାହେବ ମୂକ ବାବଦୁକ,ସନ୍ତରିବ ପ୍ରେମ-ଜଳେ ପ୍ରେମିକ ଭାବୁକ ।ବିବିଧ ସୁକଣ୍ଠ ପକ୍ଷୀ ସ୍ୱର ନିତି ନିତି,ବଳେ ବଳେ ହୁଏ ତହିଁ ଶ୍ରବଣ-ଅତିଥି ।ଦେଖି ଦେଖି ନାନାଶୋଭା ହେଲି ଅଗ୍ରସର,ରୁକ୍ଷ କଣ୍ଟକିତ ମାର୍ଗେ କର୍କରା ଜର୍ଜର ।ଧର୍ମପଥେ ବିଘ୍ନପ୍ରାୟ କେତେ ଖଣ୍ଡ ଶିଳା,ଗମନ ପଥରେ ମୋର ହେଲେ ବଜ୍ରକିଳା ।ବହୁକଷ୍ଟେ ଗୁମ୍ଫାଦ୍ୱାରେ ପ୍ରବେଶିଲି ଯାଇ,ମାତ୍ର କିଛି ବାଟଚଲା ଅବସାଦ ନାହିଁ ।ଉତ୍କଣ୍ଠା ହୃଦୟ ରାଜ୍ୟ କଲେ ଅଧିକାର,ବାଧେକି କାହାକୁ କେବେ ପଥକ୍ଳେଶଛାର ।ଅତି ଅପ୍ରଶସ୍ତ ପଥ ଅନ୍ଧକାର ବସା,ପଶିବାକୁ କେହି ତହିଁ ନକରେ ଭରସା ।ଦୀଦୃକ୍ଷାର ପ୍ରରୋଚନେ ନିର୍ଭୀକ ମନରେ,ପଶିଲି ମୁଁ ସେ ବିକଟସଂକଟ ଗହ୍ୱରେ ।ଚିରଦୀପ୍ତ ଧାମୁ ଆସି ଜୀବାତ୍ମା ଯେଭୂପେ,ପ୍ରାକ୍ତନ ନିୟମେ ପଶେ ଭବ-ଅନ୍ଧକୂପେ ।ଉର୍ଦ୍ଧ୍ୱେ ମହାଶୈଳ, ବେନି ପାର୍ଶ୍ୱେ ଶିଳାକାନ୍ଥଅଣ୍ଡାଳି ଅଣ୍ଡାଳି ଗଲି ନୋହି ପଥଭ୍ରାନ୍ତ ।ମନେ ମନେ ଭାବିଲି ମୁଁ ଅଟେ କେଡ଼େବୀର,ଗିରି-ଗୁରୁଭାଇ ଅହୋ ସହିଲା ମୋଶିର ।କେତେକ୍ଷଣେ ଅତିକ୍ରମି ଅନ୍ଧକାର ସ୍ଥଳୀ,ଅଲୋକେ ଦେଖିଲି ଅତ୍ତୋ ପାବଚ୍ଛ ଆବଳି ।ଆରୋହଣ ସେ ପାବଚ୍ଛେ ଉଠିଲି ଉପରେ,ଦେଖିଲି ପ୍ରଶସ୍ତ କ୍ଷେତ୍ର ଦୀପ୍ତ ଆଲୋକରେ ।ଗିରି ଦେବତାଙ୍କ କିସେ ବେହରଣ ମେଲା,ତା’ ଦର୍ଶନେ ଏକଳ୍ପନା ମନେ ଜାତ ହେଲା ।ଅବା ଗିରି-ମନ୍ଦିରର ପୂତ ମଖଶାଳା,ଅଙ୍କିତ ତା’ଦେହେ କେତେ ମେହେରାବିମାଳାଖସିଆସ ଗିରିଶିଖୁ ଶିଳା ଭୀମକାୟ,ହୋଇଛି ସେ ମଖଶାଳା ଚଳଛବି (୪) ପ୍ରାୟପାର୍ଶ୍ୱ ଭାଗେ ଅଛି ତାର କ୍ଷୁଦ୍ର ଏକଦ୍ୱାର,ତହିଁ ପଛେ ଗୁମ୍ଫାରମ୍ୟ ଅଟ୍ଟାଳି ପ୍ରକାର ।ବାହାରିଛି ଦେହୁଁତାର ଉପଗୁମ୍ଫା ଏକ,ଝୁଲୁଛନ୍ତି ତମପ୍ରିୟ ଚିମଣୀ ଅନେକ ।ଅତିଥି ସତ୍କାର ତାଙ୍କ ବଚନକୁ ବଳେ,ପକ୍ଷବାତେ ବିଞ୍ଚନ୍ତି ସେ ଶ୍ରାନ୍ତ ପାନ୍ଥବଳେ ।ସେ ଗୁମ୍ଫା ମଧ୍ୟରେ ଅଛି ଗମ୍ଭୀର-ଗହ୍ୱର,ଉରା ତହିଁ ହନୁମାନ ମହା କପିବର ।ବେନିକରେ ଶୋଭେ ତାଙ୍କ ବେନି ସାନୁମାନ,ବୀର ଭଙ୍ଗିରେ ସେ ଉଭା ବହିଣ ଗୁମାନ ।ଦିବ୍ୟହିଙ୍ଗୁଳିତ ମୂର୍ତ୍ତି ପବିତ୍ର ପ୍ରଶାନ୍ତ,ଦର୍ଶନ ମାତ୍ରକେ ହୁଏ ହୃଦେ ଭ୍ରାନ୍ତିଜାତ ।ପାର୍ଶ୍ୱଭାଗେ ବିରାଜନ୍ତି ଲକ୍ଷ୍ମୀ ନାରାୟଣ,ମଧୁର ମୋହନ ମୂର୍ତ୍ତି ନୟନ ରଞ୍ଜନ ।ସେ ଗୁମ୍ଫାର ଉର୍ଦ୍ଧ୍ୱତଳ ନୀଚ, ପଡ଼ାଣିଆ,ଉପାୟ ନାହିଁ ତା ମଧ୍ୟେ ହୋଇବାକୁଠିଆ ।ବସି ବସି ପ୍ରବେଶିଲି ଗହ୍ୱର ଭିତରେ,ପ୍ରଣମିଲି ତ୍ରିଦେବତା ପଙ୍କଜ ପଚାରେ ।ପୂର୍ଣ୍ଣ ସେ ଗହ୍ୱର ପୂତ ଧୂପ ପୂତ ଗନେ,ପୂରାଏ ଅନ୍ତର ସେହୁ ଅପୂର୍ବ ଆନନ୍ଦେ ।ଘୁଞ୍ଚାଇ ଦେଇ ସେ ମନୁ ପାର୍ଥିବ ବିକାର,ଅବିଳମ୍ବେ କରେ ତାକୁ ଶାନ୍ତି ସୁଖାଗାର ।ତା’ଦର୍ଶନେ ମହାଭାବ ହୁଏ ଅଭ୍ୟୁଦୟ,ଖେମଣ୍ଡି ରାଜ୍ୟର ସେହୁ ଭୂସ୍ୱର୍ଗ ନିଶ୍ଚୟ ।ଥାଏ ଯହିଁ ଚିରଶାନ୍ତି ଚିର ପବିତ୍ରତାସେହି ତ ସାକ୍ଷାତ ସ୍ୱର୍ଗ ଅଟଇ ସର୍ବଥା ।ଗିରିଭାଲେ ଅକ୍ଷର ମୁଁ ଅଙ୍କିଛି ଅଙ୍ଗାରେ,ନିଭିଯିବ ଅଇଦିନେ କାକର ବର୍ଷାରେ ।ମାତ୍ର ଯା’ ଅଙ୍କିଲା ଗିରି ମୋଦ ହୃଦପଟେ,ରହିବ ତା’ ଯେତେଦିନ ପ୍ରାଣଥିବ ଘଟେ ।ଯଥାକାଳେ ଫେରିଲି ସେ ଗିରିଶୋଭାହେରି,ମାତ୍ର ମନ ନେତ୍ର ବେନି ନଆସିଲେ ଫେରି ।ଦକ୍ଷିଣ ପଶ୍ଚିମ କୋଣେ ବିଜୟ ନଗର,ପୂର୍ବ୍ବ ରାଜଧାନୀ ସେହୁ ଖେମଣ୍ଡି ରାଜ୍ୟର ।ଅଟବି-ଶ୍ୟାମଳା ପୁଣି ଅଚଳ-କୁନ୍ତଳା,ସୌଭାଗ୍ୟ ସମ୍ପଦେ ପୂର୍ବ୍ବେ ଥିଲା ସେ ପ୍ରବଳା ।ଏବେ ତାହା ଭାଗ୍ୟ-ଲକ୍ଷ୍ମୀ ଭାସି କାଳ-ନୀରେ,ନେଇଛନ୍ତି ଅଶ୍ରା ଯାଇ ଦିଗପହଣ୍ଡିରେ (୫) ।ଶୋଭାରେ ସେ ଗ୍ରାମ ଥିଲା ଅଳକା ସଙ୍କାଶ,ହୋଇଅଛି ଏବେ ବ୍ୟାଘ୍ର ଭଲ୍ଲୁକର ବାସ ।ସେକାଳେ ସେ ଥିଲା ସିନା ବିଜୟ ନଗର,ମାତ୍ର ଏବେ ହୋଇଅଛି ବିଜନ ନଗର ।ରାଜଦୁର୍ଗ ଭଗ୍ନ ଭିତ୍ତି ରହି ବିଦ୍ୟମାନ,ଦେଖାଏ ପ୍ରତ୍ୟେକ୍ଷେ ଭାଗ୍ୟ ପର୍ଯ୍ୟାୟ ପ୍ରମାଣ ।ଝଳୁଥିଲା ଯେଉଁଦ୍ୱାରେ ରତନର ଝାଲି,ଛନ୍ଦିଛି ସେ ଦ୍ୱାରେ ଏବେ ଉର୍ଣ୍ଣନାଭ ଜାଲି ।ସେ ସ୍ଥାନ କୃତ୍ରିମଶୋଭା ଯାଇଅଛି ସରି,ଅଛି ଏବେ ନୈସର୍ଗିକ ମାଧୁରୀ ଆବୋରି ।ପୂର୍ବ୍ବେ ଉଠୁଥିଲା ତହୁଁ ଗୀତ ବାଦ୍ୟସ୍ୱରଏବେ ବନକବି-ପକ୍ଷୀ ରବରେ ମୁଖର ।ରାଜପଥ ହୋଇଅଛି କଣ୍ଟକେ ଦୁର୍ଗମ,ଭଗ୍ନ ଭିର୍ତ୍ତି ଖଣ୍ଡେ ତାହା ବିକଟ ବିଷମ ।ଦେବଶୂନ୍ୟ ଦେବାଳୟ ହୋଇଅଛି ହେୟ ।ଜନଶୂନ୍ୟ ଗୃହ ଯଥା ଜୀବଶୂନ୍ୟ ଦେହ ।ଦିବ୍ୟଛବିମୟ ସେହି ଛବିଳ ଦେଉଳ,ହୋଇଛି ପାଷାଣ ଭେଦୀ ଶୈବାଳସଙ୍କୁଳ ।ଏକାଳେ ସେ ଚିମଣୀଙ୍କ ଚିରପ୍ରିୟବାସ,ଆଚ୍ଛାଦିଛି ସିଂହାସନ ଘନେ ମାଡ଼ି ଘାସ ।ରୁଚିର ବିଳାସଗୃହ ନତକରି ମଥା,ଶିଖାଏ ନୀରବେ ପାନ୍ଥେ ରବଭଙ୍ଗୁରତା ।ଭଗ୍ନଭିତ୍ତି ସୂକ୍ଷ୍ମଶିଳ୍ପ ବିସ୍ମୃୟୋତ୍ପଦକ,ହେରିଲେ ତା’ ନରନେତ୍ର ହେବ ଅପଲକ ।ଉତ୍କଳଦେଶର ପୂର୍ବ୍ବ ଶିଳ୍ପ ଗୌରବର,ମୂକସାକ୍ଷୀ ସମ ଆହା ସେ ଶିଳ୍ପ ନିକର ।ପ୍ରକାଶଇ କିମ୍ବଦନ୍ତୀ ଚୌଦ୍ୱାର ଶୋଭିତ–ପ୍ରସ୍ତର ପ୍ରାଚୀରେ ଥିଲା ନୃବର ବେଷ୍ଟିତ ।ଦିଶୁନାହିଁ ଏବେକାହିଁ ସେ ପ୍ରାକାର ଚିହ୍ନ,କେଉଁକାଳୁ ହେଲାଣି ସେ କାଳଗର୍ଭେ ଲୀନ ।ପ୍ରାଚୀର ଚୌପାଶେ ରାଜେ ବୃତ୍ତାକାରେ ଜଳୀ,ନେଉଥିଲା ନାହିଁ ପୂର୍ବ୍ବେ ଜଳ ତାର ବଳୀଏକାଳେ ସେ ଆସୁଅଛି ପୋତିହୋଇ କ୍ରମେ,ସୁରମ୍ୟ ପାବଚ୍ଛ ଏବେ ପଙ୍କିତ କର୍ଦ୍ଦମେ ।ନିର୍ମଳ ସୁନୀଳ ନୀଚେ ପୂର୍ଣ୍ଣ ବକ୍ଷ ତାର,ରାଜ ଦୁର୍ଗ କଣ୍ଠେ କିସେ ଇନ୍ଦ୍ରନୀଳ ହାର ।ତହିଁପାଶେ କିଚକର ଘନ ମଞ୍ଜୁ କୁଞ୍ଜ,ଓହଳିଛି ତହିଁ ବାୟା ବସା ପୁଞ୍ଜ ପୁଞ୍ଜ ।ଲତାଗହଳେ ସେ କୁଞ୍ଜ ନିରନ୍ଦ୍ର ରୁଚିର,ନପାରିବ ଭେଦିତ କୁ କ୍ଷୁର ଧାର ତୀର ।ରହି ସେ ଦୁର୍ଭେଦଂ ଲୌହ ପ୍ରାକାର ସମାନ,କରୁଥିଲା ଦିଚୂର୍ଣ୍ଣିତ ଶତ୍ରୁର ସୁମାନ ।ତା’ ଯୋଗୁ ଅଜେୟ ହୋଇ ବିଜୟ ନଗର,ରଖିଥିଲା ଅକ୍ଷୂର୍ଣ୍ଣ ସେ ଗୌରବ ନିଜର ।ଉତ୍ତର ପଶ୍ଚିମବ୍ୟାପି ବହେ ଅଶ୍ୱକୁଳ୍ପା ।ପୂତ ପୟସ୍ୱିନୀ ଧନୀ ଗୁଣରେ ଅତୁଳ୍ପା ।ପିୟୁଷପ୍ରତିମ ତାର ନିର୍ମଳ ଜୀବନ,କୃପାମୟ ରାଜ୍ୟେ କିସେ କୃପା ପ୍ରସ୍ରବଣଂ ।ରଜତର ଦ୍ରବଧାରା ଉପମା ସେ ଧରେ,କିମ୍ବା ମଲ୍ଲିମାଳା ସେହୁ ଖେମଣ୍ଡି ବକ୍ଷଭେ ।ଅବା କୃପାମୟଙ୍କର ଶୁଭ୍ର, ଯଶୋରାଶି,ବହେ ନଦୀରୂପେ ଦିବ୍ୟ ଶୋଭା ପରକାଶି ।ବେନିତୀରେ ଶସ୍ୟକ୍ଷେତ୍ର କ୍ଷୁଦ୍ର କ୍ଷୁଦ୍ର ବନ,ନିସର୍ଗ ଶୋଭାରେ ହରେ ଦର୍ଶକ ନୟନ ।କାଳଠାରୁ ବଳି ଆଉ ନାହିଁ ମହାବଳୀ,ଗ୍ରାସଇ ସେ ଲୌହେ ଯଥା ସୁପକ୍ୱ କବଳୀ ।ଅନୁକୂଳେ କରେକାଳ ସକଳ ସୃଜନ,ପ୍ରତିକୂଳେ କରେ ପୁଣି ତାହାକୁ ଭୋଜନ ।କାଳର ଏଲୀଳା କିଏ କରିବ କଳନ,‘‘କାଳସ୍ୟ କୁଟିଳା ଗତି’’ ସାର୍ଥ ଏବଚନ ।ସେ ସ୍ଥାନୁ ଦୂରସ୍ଥ ଗିରିମାନେ ଦେଲେଚାହିଁ,ସହଜରେ ଦୃଷ୍ଟିରେଖା ତହୁଁ ଫେରେନାହିଁ ।ଯେ ଦିଗେ ଚାହିଁଲେ ଦିଶେଁ ନୀଳଗିରିମାଳତୋଳିଛନ୍ତି ତୁଙ୍ଗଗିରି ଭେଦି ଚକ୍ରବାଳ ।ଧବଳ କୁଞ୍ଚିତ ଘନେ ଶୋହେ ସାନୁଦେଶ,କିବା ସେ ସ୍ଥବୀର ଗିରି ଶିରେ ପକ୍ୱକେଶ ।ଅଦୂରେ ଶିଖରୀ-ଶିଖେ ଦିଶଇ ରୁଚିର,ଶ୍ରୀ ଉଜ୍ୱଳେଶ୍ୱରଙ୍କର ଧବଳ ଯବର ।ମହାପ୍ରତାପି ସେ ଶିବ ବାଞ୍ଛାବରଦାତା,ରକତବତ୍ସଳ ପ୍ରଭୁ ପାପୀ ପରିତ୍ରାତା ।ଦୂରଦୂରାନ୍ତରୁ ନିତି ଆସି ରୋଗୀଗଣେ,ଧାରଣା ପଡ଼ନ୍ତି ତାଙ୍କ ପୂତ ଆୟତନେ ।ବିଜୟ ନଗର ପୂର୍ବ୍ବେ ଗୌରବ କିଞ୍ଚିତ,ହୋଇଅଛି ସେ ଶିବଙ୍କ ସକାଶୁ ରକ୍ଷିତ ।ଏହିପରି କେତେ ଦୃଶ୍ୟ, ବୃହତଖେମଣ୍ଡି–ସୁବିଶାଳ କଳେବରେ ଅଛନ୍ତି ବିମଣ୍ଡି ।ବର୍ଣ୍ଣିଲେ ତା’ ବଢ଼ିଯିବ ପୁସ୍ତକ ଆକାରେ,ତେଣୁ ଜଳାଞ୍ଜଳୀଦେଲି ଦୁଃଖେ ସେ ଆଶାରେ ।କୃପାମୟ-କୃପାମୟ ହେ ଖେମଣ୍ଡି ପତି,ଘେନାହେଉ ଛାମୁରେ ମୋ ବିନତି ପ୍ରଣତି ।ଦେଶୋନ୍ନତି ସର୍ବ୍ବକାର୍ଯ୍ୟେ ପକାଇଛ ହାତ,ସାମାନ୍ୟ ଗୌରବ କଥା ନୁହଇ ଏହା’ତ ।ଜାତିହିତେ ଅଛି ସଦା ପୂର୍ଣ୍ଣ ଅନୁକୂଲ୍ୟ,ସୁକୀର୍ତ୍ତି ସଦ୍ଗୁଣ ତବ ଅତୁଲ୍ୟ ଅମୂଲ୍ୟ ।ଉତ୍କଳର ଆଂଶାକାଶେ ଶଶାଙ୍କ ପ୍ରକାର–ଉଇଁଅଛ ହର ଖରେ ଅଜ୍ଞାନ-ଅନ୍ଧାର ।ଅତି ଦୀନା ହୀନା ଏବେ ଉତ୍କଳଜନନୀ,ଦୁଃଖ-ଦୁଷ୍ଟ ରକ୍ତଧାରେ ପୂର୍ଣ୍ଣତା ଧମନୀ ।ରୋଗ, ପୀଡା, ଅବଗ୍ରହ, ଅକାଳମରଣଂ–ଆକ୍ରମଣ କୁଞ୍ଜୁଅଛି ଅପରେ କଷଣ ।ବାରମ୍ବାର ଦୁର୍ଭିକ୍ଷର କଠୋର ଶାସନେ,ଶୋଇଅଛି ଅଭାଗିନୀ ଶୋକେ ଅଚେତନେ ।ନୈରାଶ୍ୟେ ଆଳସ୍ୟେ ତନୁ ହୋଇଛି ଅସାତ,ତେଦିଛି ଜଡ଼ତା ତାର ଚର୍ମୁ ମାଂସ ହାଡ଼ ।ଲୋକ ନେତ୍ରେ ବିଘ୍ନ ଶିଳା ଅତୀବ ଅସାର,ତା ନାମେ ଉନ୍ନତି ଗ୍ରନ୍ଥେ ପଡ଼ିନାହିଁ ଗାର ।ଦିବା ଶିକ୍ଷା କି ପ୍ରାଧାନ୍ୟ ସଭ୍ୟତା ଏକତା,ସକଳ ବିଷୟେ ସେହୁ ପୋତିଅଛି ମଥା ।କୃଷି ବାଣିଜ୍ୟରେ ସୁଦ୍ଧା ଏବେ ହୀନବତା,ପାସୋରି ଆସୁଛି କ୍ରମେ ଚାରୁ ଚିତ୍ରକତା ।ସମାଜରେ ଘୃଣରୂପେ ପଶି କୁସଂସ୍କାର,କରିଦେଇଅଛି ରୁଦ୍ଧ ଉନ୍ନତିର ହାର ।ଚାହିଁଛି ଉତ୍କଳମାତା ସକଳ ନେତ୍ରରେ,କଷଣ ଫେଡ଼ିବ ବୋଲି ତୁମ୍ଭେ ତାର ଖରେ ।ଅଟ ତୁମ୍ଭେ ତ ତାଙ୍କର ଯେ ଗୌତମ ପୁଅପୋଛିଦିଅ ନୃପଶଶି ଜନନୀର ଲୁହ ।କରୁଅଛି ବହୁକାର୍ଯ୍ୟ କର୍ତ୍ତବ୍ୟ-ରସିକ,ତଥାପି କହୁଛି କର ଆହୁରି ଅଧିକ ।ଦେଲେହେଁ ଚାତକେ ବହୁ ଜଳ ଜଳଧର,ନମାଗେ କି’ ଅଧିକ ସେ କରି ଉଚ୍ଚସ୍ୱର ?ଶିକ୍ଷାସିନା ମୂଳଭିତ୍ତି ସର୍ବ୍ବ ଉନ୍ନତିର,ନାହିଁତ ଅଜଣା ଏହା ତୁମ୍ଭର ହେ ବୀର !ଉନ୍ନତି ସେ ଭିତ୍ତିପରେ ପ୍ରତିଷ୍ଠିତ ହେଲେ,ହସ୍ତପଦ ପ୍ରସାରିଣ ଖେଳେ ଅବହେଳେ ।ଶିକ୍ଷାକାର୍ଯ୍ୟେ କରୁଅଛ ତୁମ୍ଭେ ବହୁବ୍ୟୟ ।ଆହୁରି ଅଧିକ କଲ ଦେବ କୃପାମୟ ।ଘେନୁଛି ବିଦାୟ ଏବେ ଘେନ ମୋ ବିନତି,ଅନ୍ତରର କୃତଜ୍ଞତା ବିନତି-ଭକତି ।ଭାଗ୍ୟ ହୋଇଥିଲେ ମୋର ମନ ଅନୁକୂଳ,ଦେଖିଥାନ୍ତି ତବରାଜ୍ୟେ ଭ୍ରମି ତୀର୍ଥକୁଳ ।ସେ ସୌଭାଗ୍ୟ ଆଶାସିନା କଳ୍ପନା-ଜଳ୍ପନା,ମାଗୁଛି ବିଦାୟ ଏବେ ଘେନନ୍ତୁ ବନ୍ଦନା ।(୧) ବଳୟ ବା କଙ୍କଣ । (୨) ସ୍ୱନାମ ପ୍ରସିଦ୍ଧ ପର୍ବତ । (୩) ଡଙ୍କ ।(୪) ଚାଳ । (୫) ବର୍ତ୍ତମାନ ରାଜଧାନୀ ।
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି
ପ୍ରଣୟ-ଚିଟାଉ
ଚିନ୍ତାମଣି ମହାନ୍ତି
ଶେଷବ୍ରତ
ଚିନ୍ତାମଣି ମହାନ୍ତି