ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୯
- ସ୍ଥିତି
- ସାର୍ବଜନୀନ (Public domain)
ଆହା ଫକୀର ମୋର ରଙ୍କୁଣୀ-ଧନ,କିପାଁ ରହିଲୁ ପଡ଼ି ମୁଦି ନୟନ,ଆକୁଳେ ଡାକୁଅଛି ମୁଁ, ତୋ’ ଜନନୀ,କିପାଁ ନ ଉଠୁ ଏ ତ ନୁହେଁ ରଜନୀ ରେ ।ଉଠ ମୋ’ ବାପ ପଦ୍ମନେତ୍ର ପ୍ରକାଶି,ମଧୁର କଥା ପଦେ କହି ଆଶ୍ୱାସି,ତୋ’ ବିନା ଆଉ କେ ବା ଅଛି ଜଗତେ,ପ୍ରାଣତୋଷିଣୀ କଥା କହିବ ମତେ ରେ ।ମୋ’ ଲାଗି ନ ଗଣୁ ତୁ ଖରା ବରଷା,ସେ ଘେନି ତୋ’ ଠାରେ ମୋ’ ସବୁ ଭରସା,ନିଶୀଥେ ଉଠିପଡ଼ୁ ଶୁଣି ମୋ’ ଡାକ,ଆଜି ତୋ’ ମୁଖୁଁ କିପାଁ ନ ସ୍ଫୁରେ ବାକ୍ୟ ରେ ।ନ ଗଣୁ ଜ୍ୱରତାପ ମୋହରି ପାଇଁ,ନ ଗଣି ଦୂର ଯାଉ ସତ୍ୱର ଧାଇଁ,ଆଜି ଯେ କାନ୍ଦୁଅଛି ବସି ତୋ’ ପାଶେ,କିପାଁ ନ ଚାହୁଁ ବାପ, ଉଠି ସତ୍ରାସେ ରେ ।ନିତି ରାତିରେ ତୁ ଯେ ନୟନ ମୁଦୁ,ଉଠାଇଥାଏଁ ତୋତେ ରବି ନ ଉଦୁ,ଶୁଣାଇବାକୁ ମୋତେ ସରସ ଗାନ,ଶିଖାଇବାକୁ ତୋର ଭାଇଙ୍କି ଜ୍ଞାନ ରେ ।ଦିବସେ ଥରେ ଥରେ ନୟନ ମୁଦି,ମୋ’ ଦୁଃଖ ହରିବାକୁ ଲୋଡ଼ୁ ଯେ ବୁଦ୍ଧି,ପୁଣି ନୟନ ଫେଡ଼ି କଲମ ଧରୁ,ଆଜି କିମ୍ପାଇ ବାପ, ତାହା ନ କରୁ ରେ ।ଦୀର୍ଘ ସମୟ ଅବା ମୁଦି ନୟନ,ଲୋଡ଼ୁଛି ମୋହୋ ପାଇଁ ସୁଖ-ଅୟନ,ତେବେ କାହିଁକି ଛାଡ଼ୁନାହିଁ ନିଶ୍ୱାସ,ଚାହିଁବୁ ବୋଲି ହେଉ ନାହୁଁ ବିଶ୍ୱାସ ରେ ।ଶିଖି ଯେ ଥିଲୁ ବାପ, ଯୋଗସାଧନ,ରୁଦ୍ଧ କି କରିଅଛୁ ପ୍ରାଣ-ପବନ,ଏଡ଼େ ଶୀତଳ କିପାଁ ତୋ’ ଅପଘନ,ସତେ କି ଛାଡ଼ିଗଲୁ ଜୀବର ଧନ ରେ ।ଏରୂପେ ରାଧୁ ମଧୁ ଗଲେ ତ କାହିଁ,ଯେତେ ଡାକିଲେ ପଦେ ଶୁଣିଲେ ନାହିଁ,ତୁ ଏବେ ମୋ’ ଡାକକୁ ହେଲୁ ବଧିର,କିଏ ପୋଛିବ ମୋର ନୟନନୀର ରେ ।କୋଳେ ବସାଇ ତିନି କୁମରମଣିନିଜକୁ ଥିଲି ଭାଗ୍ୟଶାଳିନୀ ମଣି,ମନରେ ବହିଥିଲି କେଡ଼େ ଗରବ,ଦଇବ ହରିନେଲାଆଜି ସରବ ରେ ।ଶେଷେ ତୁ ଶୂନ୍ୟ କରି ଜନନୀକୋଳ,ହୃଦେ ଉଠାଇଦେଲୁ ଶୋକକଲ୍ଲୋଳ,କୋଟିଏ ସୁତ ମଧ୍ୟେ ଗୋଟିଏ କାହିଁ,ଦେଖୁ ତ ନାହିଁ ଶାନ୍ତି ଭଜିବା ପାଇଁ ରେ ।ମୋ’ ରାଧୁ ମଧୁ ଗଲେ ଯେଉଁ ବିଦେଶ,ଦେଲେ ତ ନାହିଁ ଆଜିଯାଏ ସନ୍ଦେଶ,ତୁହି କି ସେହି ଦେଶେ ଗଲୁ ରେ ଚାଲି,ପାରିଲି ନାହିଁ ତୋର ପଥ ଓଗାଳି ରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର