ପାଞ୍ଚ
୧୮୭୬–୧୯୩୮
- ସଂକଳନ: ଦର୍ପଚୂର୍ଣ୍ଣ
- ପଢ଼ିବା ସମୟ
- ୨୮ ମିନିଟ୍
- ଶବ୍ଦ
- ୪୫୧୪
- ସ୍ଥିତି
- ସାର୍ବଜନୀନ (Public domain)
ଦି ଦିନ ପରେ କଥାବାର୍ତ୍ତା ହେଉହେଉ ଇନ୍ଦୁ ଅତ୍ୟନ୍ତ ବିରକ୍ତ ହୋଇ ଉଠି କହିଲା—ଯେବେ ସତ କଥା କହିଲେ ନ ରାଗିବ, ତେବେ ଏଇଟା ନିରାଟ ସତ ଯେ ତମ ଭାଇଙ୍କର ବିବାହ କରିବାଟା ଆଦୌ ଉଚିତ ହେଇନି, ଆଉ ଏଇ ଅମ୍ବିକା ବାବୁଙ୍କର ମଧ୍ୟ ।
ବିମଳା ବିସ୍ମିତ ହୋଇ ଚାହିଁ ପଚାରିଲା—କାହିଁକି ଭାଉଜ
କାରଣ ଯାହାର ପୋଷିବା ପାଇଁ ବଳ ନଥିବ ସେ ବିବାହ କରିବାଟା ଖାଲି ପାପ ନୁହେଁ, ମହାପାପ ।
ଉତ୍ତର ଶୁଣି ବିମଳା ଆଶ୍ଚର୍ଯ୍ୟ ହୋଇଗଲା । ଇନ୍ଦୁକୁ ସେ ଖୁବ୍ ଭଲପାଏ । ଟିକକ ପରେ କହିଲା—ଅମ୍ବିକା ବାବୁଙ୍କର ହୁଏତ ଅନ୍ୟାୟ ହୋଇ ପାରିଥାଏ, କିନ୍ତୁ ତା ବୋଲି ତା ସ୍ତ୍ରୀ ନିଜ କର୍ତ୍ତବ୍ୟ କରିବାରେ ହେଳା କରିବ ? ତାକୁ ତ ମଲାପର୍ଯ୍ୟନ୍ତ ନିଜ ସ୍ୱାମୀର ସେବା କରିବାକୁ ପଡ଼ିବ !
କାହିଁକ ପଡ଼ିବ ? ସେମାନେ ଅନ୍ୟାୟ କରିବେ, ଯାହା କରିବା କଥା ନୁହେଁ, ତା’ କରିବେ—ଆଉ ଫଳ ଭୋଗ କରିବା ଆମେ ? ତୁମେ ଇଂରେଜୀ ପଢ଼ିନ, ଆଉ ପାଞ୍ଚଟା ସଭ୍ୟ-ସମାଜ ବିଷୟରେ ତୁମର ଧାରଣା ନାହିଁ ବୋଲି ଏମିତି କହୁଛ । ନହେଲେ ତୁମକୁ ବୁଝେଇ ଦେବା ପାଇଁ ମତେ ବେଶୀ ବେଳ ଲାଗନ୍ତା ନାହିଁ ଯେ କର୍ତ୍ତବ୍ୟଟା କେବଳ ଗୋଟାଏ ପକ୍ଷର ନୁହେଁ—ହେବତ ଉଭୟ ପକ୍ଷର, ନାହିଁତ କାହାର ନୁହେଁ । ପୁରୁଷମାନେ ଆମକୁ ଏସବୁ କଥା ଶିଖିବାକୁ ଦିଅନ୍ତି ନାହିଁ ଏବଂ ସେଇ କାରଣରୁ କେବଳ ଆମେ ଅମ୍ବିକାବାବୁଙ୍କ ସ୍ତ୍ରୀ ଭଳି ଖାଲି ସେମାନଙ୍କର ସେବା କରି କରି ମଡ଼ା ପାଲଟୁ ।
ବିମଳା ମୁହୁର୍ତ୍ତକ ଯାଏଁ ଅବାକ୍ ହେଇ ଇନ୍ଦୁ ମୁହଁକୁ ଚାହିଁ ରହି କହିଲା—ନ ହେଲେ କରି ନଥାନ୍ତେ ! ସ୍ୱାମୀ ସେବା କରିବାଟା କଣ ସ୍ତ୍ରୀ ପକ୍ଷରେ ଦୁଃଖଦାୟକ ବୋଲି ତୁମେ ମନେକର ଭାଉଜ ? ଅମ୍ବିକାବାବୁଙ୍କ ସ୍ତ୍ରୀର ବାହାର କଷ୍ଟଟାକୁ ଖାଲି ଦେଖିଛ ନା ତା ଅନ୍ତରର ଆନନ୍ଦଟାକୁ ତା ସାଙ୍ଗେ ସାଙ୍ଗେ ଦେଖୁଛ ? ସେ କେତେ ଆନନ୍ଦ ଅନୁଭବ କରୁଛି ତା ଜାଣି ପାରୁଛ ତ !
ମୋର ଜାଣିବା ଦରକାର ନାହିଁ ।
ସ୍ୱାମୀ-ସୋହାଗ କଣ ତା ବୋଧହୁଏ ତୁମେ ଜାଣିବାକୁ ଚାହୁଁ ନାହଁ ?
ନା ବିମଳା, ମୋର ସେଥିରେ ଅରୁଚି ଆସିଯାଇଛି । ମୋ ମତରେ ତା’ ଠାରୁ ମୁଁ ଯେତିକି ଦୂରରେ ରହିବି, ମୋ ପକ୍ଷରେ ସେତିକି ମଙ୍ଗଳ ।
ବିମଳା ଠିଆ ହୋଇ କଥାବାର୍ତ୍ତା କରୁଥିଲା, ଗୋଟାଏ ଲମ୍ବା ନିଶ୍ୱାସ ଛାଡ଼ି ଆସ୍ତେ ଆସ୍ତେ ବସିପଡ଼ି କହିଲା—ଏ କଥା ତୁମେ ଆଜି ନୂଆ କହୁଛ ଭାଉଜ, ଆଉଦିନେ ବି ଏମିତି କହୁଥିଲ । ସେଦିନ ବୁଝିପାରିନଥିଲି, କି ଆଜି ବି ବୁଝି ପାରୁନାହିଁ । ତୁମ ନଜରରେ ମୋ ଭାଇ ସତେ କଣ ଏତେ ତଳକୁ ଚାଲିଯାଇଛି ! କଣ ଯେ କହୁଛ, ତା ତୁମେ କେବଳ ଜାଣ । ଅନେକ ବହି ପଢ଼ିଛ, ଅନେକ ଖବର ଜାଣିଛ—ତୁମ ସାଙ୍ଗରେ ଯୁକ୍ତିତର୍କ କରି ମୁଁ ପାରିବି ନାହିଁ ଜାଣେ । ତେବେ, ମୋର ଦୃଢ଼ ବିଶ୍ୱାସ ଯେ, ସ୍ୱାମୀ ନ୍ୟାୟ ଅନ୍ୟାୟ ଯାହା କିଛି କରୁ; ତା’ ର ସ୍ନେହ-ସୋହାଗକୁ ଅସ୍ୱୀକାର କରିବା ସ୍ପର୍ଦ୍ଧା କୌଣସି ଦେଶର ସ୍ତ୍ରୀର ନାହିଁ । ମୋର ତ ମନେହୁଏ ସ୍ୱାମୀର ସ୍ନେହସୋହାଗକୁ ଆଗ୍ରହ୍ୟ କରି ବଞ୍ଚିରହିବା ଅପେକ୍ଷା ମରିଯିବା ବରଂ ଭଲ ।
ମୁଁ କିନ୍ତୁ ସେକଥା ମାନିନେଇ ପାରିବିନି ବିମଳା ।
ତୁମେ ମାନିବନି କିଏ କହିଲା, ନିଶ୍ଚୟ ମାନିବ । କହି ବିମଳା ହସି ପକାଇଲା । ତା’ ର ମନେହେଲା, ଏ ସବୁ ଯେପରି କେବଳ ପରିହାସ । ପରିହାସ ନହେଲେ ନାରୀର ମୁହଁରେ ଏ ଆଉ କଣ ବା ହୋଇପାରେ ! କହିଲା—କିନ୍ତୁ କହିରଖିଛି ଭାଉଜ, ମୋ ଆଗରେ ମୁହଁକୁ ଯାହା ଆସୁଛି କହି ଯାଉଛି ସିନା, ଭାଇଙ୍କ ଆଗରେ କିନ୍ତୁ ଏସବୁ ଚାଲାକି ପଟିବ ନାହିଁ । କାହିଁକ ଜାଣ ? ପୁରୁଷ ଲୋକ ଯେତେ ବୁଦ୍ଧିମାନ ହୁଅନ୍ତୁ ନା କାହିଁକି ଅନେକ...
କଣ, ଅନେକ ସମୟରେ ?
ଥଟ୍ଟାଟାକୁ ହଠାତ ଧରି ପାରନ୍ତି ନାହିଁ ।
ସେଇଟା ତାଙ୍କର କାମ । ମୁଁ ସେଇଥି ପାଇଁ ଦୁର୍ଭାବନାକୁ ମାଳକରି ବୁଲିବି କାହିଁକି ?
କିନ୍ତୁ, ମୋର ଭାବନା କଥା କହିଲେ ନ ସରେ ଭାଉଜ ।
ଇନ୍ଦୁ ଅନିଚ୍ଛାସତ୍ତ୍ୱେ ହସିଉଠି କହିଲା—କାହିଁକି ଶୁଣେ ?
ବିମଳା ଟିକଏ ଭାବି କହିଲା—ରାଗିବନି ଭାଉଜ, ତୁମେ ଯାହା କହନା ପଛେ, ମୁଁ ବେଶ ଠଉରେଇ ପାରିଛି, ସେଇ ଦେହ-ଦୁଃଖବେଳେ ଭାଇ ତୁମକୁ ମନେ ମନେ ଭାରି ଖୋଜୁ ଥାଆନ୍ତି । ଦିନେ ତ ତୁମକୁ ଦେଖିବା ପାଇଁ ପାଗଳହୋଇ ଉଠିଥିଲେ । କଥାରେ ଅଛି ପରା, ଜଣକର ପାଦରେ କଣ୍ଟା ବୁଡ଼ିଲେ ଆଉ ଜଣକର ଛାତିରେ ଯାଇ ବାଜେ—ଏଇଟା ମୁଁ ଆଉ ବୁଝିନି ନା !
ହଠାତ୍ ଇନ୍ଦୁର ମୁହଁଟା ଫିକା ପଡ଼ିଗଲା, ସତେ ଯେମିତି କିଏ କାଳି ମେଞ୍ଚାଏ ତା ମୁହଁରେ ବୋଳି ଦେଲା । ତା’ ପରେ ଶୁଖିଲା ହସ ହସି କହିଲା—ତୁମକୁ ବହୁତ ଧନ୍ୟବାଦ ବିମଳା-! ଭାଇଙ୍କୁ ତମର କହିଦେବ, ମୁଁ କିନ୍ତୁ ଭ୍ରୂକ୍ଷେପ କରେନି । ଆଉ ତୁମେ ବି ମନେରଖ, ନିଜର ଭଲ ମନ୍ଦ ବୁଝିବା ପାଇଁ ମୋର ଯଥେଷ୍ଟ କ୍ଷମତା ଅଛି, ଅନ୍ୟ ଉପରେ ନିର୍ଭର କରିବାକୁ ମୋତେ ପଡ଼ିବନି । ଅନ୍ୟମାନେ ଏଥିପାଇଁ ମିଛରେ ମୁଣ୍ଡ ଖେଳେଇବା ଆଦୌ ଦରକାର ନାହିଁ ।
ଘରକୁ ଫେରିଆସି ଇନ୍ଦୁ ନରେନ୍ଦ୍ରର ଘର ଭିତରକୁ ପଶିଯାଇ ପଚାରିଲା—ମୁଁ ମେଦିନୀପୁରରେ ଥିଲାବେଳେ ତମର ବାନ୍ତି ହେଉଥିଲା ?
ନରେନ୍ଦ୍ର ଖାତା ଉପରୁ ମୁହଁ ଉଠାଇ ଇନ୍ଦୁକୁ ଚାହିଁ ଧୀରେ ଧୀରେ କହିଲା—ନା, ବାନ୍ତି ନୁହେଁ, ଛାତିର ସେଇ ପୁରୁଣା ବଥାଟା ବାହାରି ପଡ଼ିଥିଲା ।
ଖରଚ ଭୟରେ ଯାଇ ବିମଳା ଘରଠି ପଡ଼ିଥିଲା ନା ?
ସ୍ତ୍ରୀର ଏ କର୍କଶ ବାକ୍ୟରେ ନରେନ୍ଦ୍ର ମର୍ମାହତ ହୋଇପଡ଼ିଲା । ଟେବୁଲର ଖାତା ଉପରେ ପୁଣି ଝୁଙ୍କିପଡ଼ି କିଛିକ୍ଷଣ ମୌନ ରହି ଆସ୍ତେ ଆସ୍ତେ କହିଲା—ମୁଁ ମନକୁ ଯାଇ ନ ଥିଲି, ବିମଳା ନିଜେ ଆସି ଜୋର ଜବରଦସ୍ତି କରି ନେଇ ଯାଇଥିଲା ।
କିନ୍ତୁ ମୁଁ ହେଇଥିଲେ ଯାଇ ନଥାନ୍ତି । ଯେଉଁମାନେ ଅକ୍ଷମ, ଅପାରଗ ତାଙ୍କ ପାଇଁ ହସପିଟା୍ଲ ଖୋଲା ଯାଇଛି । ପର ମୁଣ୍ଡରେ ବୋଝ ନ ହେଇ ସେଇଠାକୁ ସେମାନଙ୍କର ଚାଲିଯିବା ଉଚିତ ।
ନରେନ୍ଦ୍ର ଆଉ ମୁଣ୍ଡ ଟେକିଲା ନାହିଁ କିଛି କି ପଦେହେଲେ କିଛି କହିଲା ନାହିଁ ।
ଇନ୍ଦୁ କିଛିକ୍ଷଣ ଠିଆ ହୋଇ ରହି ଦୁମ୍ଦୁମ୍ ହେଇ ପର୍ଦ୍ଦା ଆଡ଼େଇ ଘରୁ ବାହାରି ଚାଲିଗଲା । ତା ଧକ୍କା ବାଜି ଗୋଟାଏ ଛୋଟ ଫୁଲାଦାନୀ ଫୁଲ ସହିତ ଓଲଟି ପଡ଼ିଲା, କିନ୍ତୁ ସେ ଆଡ଼କୁ ମୁହଁ ବୁଲାଇ ଚାହିଁଲା ନାହିଁ ।
ଚାରି ପାଞ୍ଚ ମିନିଟ୍ ପରେ ପୁଣି ସେମିତି ଦୁମ୍ଦୁମ୍ ହେଇ ପର୍ଦ୍ଦା ଆଡ଼େଇ ଘର ଭିତରକୁ ପଶି ଆସି ପଚାରିଲା—ବିମଳା ତ ମୋ ପାଖକୁ ଖବର ପଠାଇବାକୁ କହୁଥିଲେ, ତୁମେ ମନାକଲ କାହିଁକି ? ବୋଧହୁଏ ଭାବିଲ ମୁଁ ଆସି ଔଷଧ ସାଥିରେ ବିଷ ମିଶେଇ ଦେଇ ଥାଆନ୍ତି !
ନରେନ୍ଦ୍ର ସେମିତ ତଳକୁ ମୁହଁ ପୋତି ଜବାବ ଦେଲା—ନା, ସେ କଥା ମୁଁ ଆଦୌ ଭାବିନି । ତୁମ ଦେହ ଭଲ ନ ଥିଲା, ସେଇଥିପାଇଁ—
କିଏ କହିଲା, ମୋ ଦେହ ଭଲ ନ ଥିଲା ? ଅବଶ୍ୟ ଏଇଟା ସତ ଯେ, ଖବର ପାଇଥିଲେ ବି ମୁଁ ଆସି ନଥାନ୍ତି । କିନ୍ତୁ ସେଠି ମୁଁ ରୋଗରେ ମରିଯାଉଥିଲି ଏ କଥା ତ ତୁମ ପାଖକୁ ମୁଁ ଲେଖି ନ ଥିଲି ? ମିଛ କଥା ଗୁଡ଼ାଏ କହି ତୁମେ ବିମଳାକୁ ମନା କଲ କାହିଁକି ଶୁଣେ ? କହି, ସେ ଯେମିତ ଭାବରେ ଆସିଲା, ଠିକ୍ ସେମିତି ଭାବରେ ଚାଲିଗଲା ।
ନରେନ୍ଦ୍ର ବି ମୁହଁଚାହିଁ ଟେକିଲା ନାହିଁ; ସେମିତି ମୁହଁପୋତି ବସି ରହିଲା । କିନ୍ତୁ ତା’ ଆଖିକୁ ଲେଖା ଅଲେଖା ସବୁ ଯେମିତି ଏକାକାର ଦେଖାଯାଉଥିଲା ।
ଇନ୍ଦୁ ଡାକ୍ତରଙ୍କ ଘରର ପର୍ଦ୍ଦା ଆଡ଼େଇ ଭିତରକୁ ପଶିଆସି ପଚାରିଲା—ଆପଣ ଗଗନ ବାବୁଙ୍କ ଘରଠି ମୋ ସ୍ୱାମୀଙ୍କର ଚିକିତ୍ସା କରୁଥିଲେ ?
ବୁଢ଼ା ଡାକ୍ତର ମୁହଁ ଟେକି ଇନ୍ଦୁର ଉଦବେଗ-ମଳିନ ମୁହଁକୁ ଚାହିଁ ରହିଲେ—ହଁ କରୁଥିଲି, କ’ଣ ହେଲା ?
ଇନ୍ଦୁ ଆସ୍ତେ ଆସ୍ତେ କହିଲା—କିନ୍ତୁ ମୋର ଯାହା ମନେହୁଏ, ସେ ସଂପୂର୍ଣ୍ଣ ଆରୋଗ୍ୟ ହେଇ ନାହାନ୍ତି । ଏଇ, ଆପଣଙ୍କର ଫିସ୍ ଟଙ୍କା—ଦୟାକରି ଆଜି ଟିକିଏ ଯାଇ ଆଉ ଥରେ ଯେବେ ତାଙ୍କୁ ଦେଖି ଆସନ୍ତେ, ବଡ଼ ଉପକୃତ ହୁଅନ୍ତି ।
ଡାକ୍ତର ବାବୁ ବିସ୍ମିତ ହୋଇ ତା ମୁହଁକୁ ଚାହିଁ ରହିଲେ । ଇନ୍ଦୁ ବୁଝାଇ ଦେଇ କହିଲା—ତାଙ୍କର ଏମିତି ସ୍ୱଭାବ ଯେ ଟଙ୍କା ଖର୍ଚ୍ଚ ଭୟରେ ନିଜର ଚିକିତ୍ସା କରିବାକୁ ବି ଚାହାନ୍ତି ନାହିଁ । ଔଷଧର ପ୍ରେସକ୍ରିପ୍ସନ୍ଟା ମୋତେ ଲୁଚେଇକରି ଦେବେ । ତାଙ୍କୁ ବି ଟିକିଏ ବୁଝେଇ ସୁଝେଇ କହିବେ ।
ଡାକ୍ତର ରାଜି ହୋଇ ତାକୁ ବିଦାୟ ଦେଲେ ।
ଇନ୍ଦୁ ଘରକୁ ଫେରି ଆସିବାର କିଛି ସମୟ ପରେ ଚାକର ରାମଟହଲ ଆସି କହିଲା—ମା, ବଲ୍ଲଭ ଜହୁରୀ ଆସିଛି ।
ଆସିଛି ? ତାକୁ ଏଠିକି ଡାକି ଆଣ ।
ମା, ମତେ ଡକାଇ ପଠାଇଥିଲ ?
ହଁ ବଲ୍ଲଭ, ଗୋଟିଏ ଜରୁରୀ କାମରେ ତୁମକୁ ଡକାଇ ପଠାଇଥିଲି । ତୁମେ ତ ଆମର ବିଶ୍ୱାସୀ ଲୋକ—ଏଇ କେତେ ପଟ ଚୁଡ଼ି ବିକ୍ରି କରେଇ ଦେଇ ପାରିବ ? ଏ ଗୁଡ଼ାକ ପୁରୁଣା ଧରଣର ଚୁଡ଼ି, ଆଉ ପିନ୍ଧିବାକୁ ଭଲ ଲାଗୁନି । ଭାବିଛି ୟାକୁ ବିକି ଆଉ ହଳେ ନୂଆ କରିବି ।
ହଉ ମା, ବିକ୍ରି କରିଦେବି ।
ଓଜନ କରିବା ପାଇଁ କିଛି ଆଣିଛ ? କେତେ ଓଜନ ଅଛି ଆଗେ ଦେଖିଲ ? ଦାମଟା କିନ୍ତୁ ମୋତେ କାଲି ଦେବାକୁ ପଡ଼ିବ । ଡେରି ହେଲେ ଚଳିବ ନାହିଁ ।
ହଉ ମା ।
ହାତରେ ଚୁଡ଼ି ଧରି ବଲ୍ଲଭ କହିଲା—ଏତ ଏକାବେଳକେ ନୂଆ ଜିନିଷ ମା ! ବିକିଲେ କିଣା ଦାମ ମିଳିବ ନାହିଁ । କିଛି ଲୋକସାନ୍ ହେବ ।
ହେଉପଛେ, ମୁଁ ୟାକୁ ବିକି ଦେବାକୁ ଚାହେଁ । ଏ ଗଢ଼ଣଟା ମୋ ମନକୁ ଆଦୌ ପାଉନି । ହଁ ଶୁଣ, ଏ କଥା ବାବୁଙ୍କ କାନକୁ ଯେମିତି ନ ଯାଏ ।
ବାବୁମାନଙ୍କ ଅଜଣାରେ ଜିନିଷ କିଣା ବିକା କଥା ବଲ୍ଲଭ ପକ୍ଷରେ ନୂଆ ନୁହେଁ । ଟିକିଏ ମୁରୁକେଇ ହସି ସେ ଚୁଡ଼ି ଧରି ଚାଲିଗଲା ।
ଛଅ
ଏତେଦିନ ହେଲା ତ ଔଷଧ ଖାଇଲେଣି, କାଇଁ ଏପର୍ଯ୍ୟନ୍ତତ ଛାତିର ବଥାଟା ଭଲ ହେଲାନି ଡାକ୍ତରବାବୁ ?
ଭଲ ହେଇନି ! ସେ ତ ମୋତେ କାହିଁ କିଛି କହିନାହାନ୍ତି ?
ସେମିତି ସ୍ୱଭାବ ତାଙ୍କର । ମୁଁ ଯାହା ଜାଣିପାରୁଛି, ତାଙ୍କର ସେ ବଥା ଭଲହେଇନି । ତା ଛଡ଼ା, ଦେହଟା ବି ତାଙ୍କର ବେଳୁବେଳ କେମିତି କାଇଲା ଦେଖାଯାଉଛି ?
ଡାକ୍ତର ଟିକିଏ ଚିନ୍ତାକରି କହିଲେ—ଦେଖନ୍ତୁ, ମୋର ବି ସନ୍ଦେହ ହେଉଛି, ଔଷଧ ଖାଇଲେ କିଛି ଲାଭ ନାହିଁ । ଜଳବାୟୁ ପରିବର୍ତ୍ତନ ଦରକାର ।
ତାଙ୍କୁ କାହିଁକି ସେଇ କଥା କହୁ ନାହାନ୍ତି ?
ଦିନେ ତାଙ୍କୁ ମଧ୍ୟ କହିଥିଲି । ସେ କିନ୍ତୁ ସେଥିପାଇଁ ଆଗ୍ରହୀ ଥିଲା ପରି ଜଣାପଡ଼ିଲେନି-।
ଇନ୍ଦୁ ସାମାନ୍ୟ ରୁଷ୍ଟ ହୋଇ କହି ପକାଇଲା—ସେ ଯାହା କହିବେ କଣ ସେୟା ହେବ-? ଆପଣ ଡାକ୍ତର, ଆପଣ ଯାହା କହିବେ ତା ତ ପୁଣି ହେବା ଦରକାର ।
ବୃଦ୍ଧ ଚିକିତ୍ସକ ସାମାନ୍ୟ ହସିଲେ ।
ଇନ୍ଦୁ ନିଜର ଉତ୍ତେଜନାରେ ଲଜ୍ଜିତ ହୋଇ କହିଲା—ଦେଖନ୍ତୁ, ମୁଁ ବଡ଼ ବ୍ୟାକୁଳ ହେଇ ପଡ଼ିଛି । ଆପଣ ଦୟାକରି ତାଙ୍କୁ ଟିକିଏ ଭୟ ଦେଖେଇ ଦିଅନ୍ତୁ ।
ଡାକ୍ତର ମୁଣ୍ଡ ହଲାଇ ସମ୍ମତି ଜଣାଇ କହିଲେ—ଭୟ ଦେଖେଇବି କଣ, ଏସବୁ ରୋଗରେ ତ ପ୍ରାୟ ଭୟ କରିବାର କଥା !
ଇନ୍ଦୁର ମୁହଁ ସାଙ୍ଗେ ସାଙ୍ଗେ ଫିକା ପଡ଼ିଗଲା । କହିଲା—ସତରେ ଭୟ ଅଛି ।
ତା ମୁହଁକୁ ଚାହିଁ ଡାକ୍ତର ହଠାତ୍ ଜବାବ ଦେଇ ପାରିଲେ ନାହିଁ ।
ଇନ୍ଦୁର ଆଖିରେ ଲୁହ ଢଳଢଳ ହୋଇ ଉଠିଲା । କହିଲା—ଡାକ୍ତରବାବୁ, ମୁଁ ଆପଣଙ୍କର ଝିଅଭଳି, ମତେ ଲୁଚାନ୍ତୁ ନାହିଁ, କଣ ହେଇଚି ଖୋଲିକରି କହନ୍ତୁ ।
ଠିକ୍ ଯେ କଣ ହେଇଥିଲା ଡାକ୍ତର ନିଜେ ବି ଜାଣିପାରୁ ନଥିଲେ । ସେ ଏଣୁ ତେଣୁ ଯାହାସବୁ କହିଲେ ସେଥିରେ ଇନ୍ଦୁର ଭୟ ଦୂର ହେଲାନି । ସେ ଘରକୁ ଫେରି ଆସି ବିଛଣାରେ ମୁହଁମାଡ଼ି ପଡ଼ି କାନ୍ଧିବାକୁ ଲାଗିଲା ।
ଉପରଓଳି ନରେନ୍ଦ୍ର ଖୋଲାଝରକା ପାଖରେ ବସି ଆକାଶ ଆଡ଼କୁ ଚାହିଁ କଣ ଭାବୁଥିଲା । ଏଇ ସମୟରେ ଇନ୍ଦୁ ଘର ଭିତରକୁ ପଶିଆସି ଗୋଟାଏ ଚୌକି ଟାଣିଆଣି ତା ପାଖରେ ବସିଲା । ନରେନ୍ଦ୍ର ମୁହଁ ବୁଲାଇ ଥରକ ପାଇଁ ତା ଆଡ଼କୁ ଚାହିଁ ଦେଇ ପୁଣି ଆକାଶ ଆଡ଼କୁ ଚାହିଁ ରହିଲା ।
ଏଇ କେତେଦିନ ହେଲା ଇନ୍ଦୁ ତାକୁ କିଛି ଟଙ୍କା ପଇସା ମାଗି ନଥିଲା । ଆଜି ସେ ଯେ କାହିଁକି ଆସି ବସିଛି ତା ନିଶ୍ଚିତ ଭାବରେ ଅନୁମାନ କରିନେଇ ନରେନ୍ଦ୍ରର ଛାତି ଭିତରଟା ଧଡ଼ଧଡ଼ ହେବାକୁ ଲାଗିଲା ।
ଇନ୍ଦୁ କିନ୍ତୁ ଟଙ୍କା ମାଗି ଆସିନଥିଲା । କିଛିକ୍ଷଣ ନୀରବରେ ବସି ଆସ୍ତେ ଆସ୍ତେ କହିଲା–ଶୁଣ, ଡାକ୍ତରବାବୁ କହିଲେ, ରୋଗ ଯେତେବେଳେ ଔଷଧରେ ଭଲ ନହେଉଛି, ଜଳବାୟୁ ପରିବର୍ତ୍ତନ ଦରକାର । ଚାଲ, କେଉଁଆଡ଼େ ଯାଇ ଘେରାଏ ବୁଲି ଆସିବା ।
ଏଥର ନରେନ୍ଦ୍ର ପ୍ରକୃତରେ ଚମକି ଉଠିଲା । ତା’ ର ମନେହେଲା, ବହୁଦିନ ହେଲା ହଜିଯାଇଥିବା ସ୍ନେହ-ଧନର ଯେପରି ସେ ଆଜି ସନ୍ଧାନ ପାଇପାରିଛି । ଇନ୍ଦୁର ଏଇ କଣ୍ଠସ୍ୱର ବହୁଦିନ ହେଲା ଶୁଣିବାକୁ ନପାଇ ତାକୁ ଏକ ପ୍ରକାର ଭୁଲି ଯାଇଥିଲା । ମୁହଁ ବୁଲାଇ ସେ ଇନ୍ଦୁ ମୁହଁକୁ ଚାହିଁ ରହିଲା, ସତେ ଯେପରି ସେ ମନେ ମନେ କିଛି ଖୋଜି ବୁଲୁ ଥିଲା ।
ଇନ୍ଦୁ ପୁଣି ପଚାରିଲା—କଣ କହୁଛ ? ତେବେ ମୁଁ ଯାଉଛି ଜିନଷ ପତ୍ର ସଜ କରିବି । କାଲି ବାହାରି ପଡ଼ିବା, ଆମର ବେଶିଦୂର ଯିବା ଦରକାର ନାହିଁ, ଏଇ ବୈଦ୍ୟନାଥଙ୍କଠି କିଛିଦିନ ରହି ଫେରି ଆସିବା । ଆମେ ଦି ଜଣ, କମଳା ଆଉ ଚାକରାଣୀ—ବେଶ୍ ଏତିକି, ବେଶିଲୋକ ବା କାହିଁକି ଯିବା । ରାମଟହଲତ ଆମର ପୁରୁଣା ବିଶ୍ୱାସୀ ଲୋକ, ସେ ଘର ଜଗି ରହିବ । ସେଠୁ ଗୋଟାଏ ଛୋଟ ଘରଭଡ଼ା ନେଲେ ଆମର ଚଳିଯିବ । ଆଜିଠୁ ଜିନିଷପତ୍ର ସଜାଡ଼ିନେବା ଭଲ, ଯିବାବେଳେ ଆଉ ଝିଞ୍ଜଟ ହେବାକୁ ପଡ଼ିବ ନାହିଁ ।
କୌଣସି ପ୍ରକାର ଖର୍ଚ୍ଚକଥା ଉଠିଲେ ନରେନ୍ଦ୍ରର ଛାତି ଭିତର ଥରି ଉଠୁଥିଲା । ଗୋଟାଏ ବଡ଼ ଧରଣର ଖର୍ଚ୍ଚର ବ୍ୟବସ୍ଥା ଦେଖି ତା ମୁଣ୍ଡ ଏକାବେଳକେ ବିଗିଡ଼ିଗଲା । କହିଲା—ସେ ଡାକ୍ତରକୁ ଡାକିବାକୁ ତମକୁ କିଏ କହିଲା ?
ଇନ୍ଦୁ ଜବାବ ଦେବା ପୂର୍ବରୁ, ସେ ପୁଣି କହିଲା—ବିମଳାକୁ କହିଦିଅ, ମୋ ପଛରେ ଅନବରତ ଏମିତି ଡାକ୍ତର ଲଗେଇ ମତେ ମିଛରେ ଏମିତି ବିରକ୍ତ କରିବା ଆବଶ୍ୟକ ନାହିଁ । ମୁଁ ବେଶ୍ ଭଲଅଛି ।
ଇନ୍ଦୁ ମନେ ମନେ ଆଘାତପାଇ ଭାବିଲା—ଯାହାକିଛି ହେଉଛି ସବୁ କଣ ବିମଳା ଯୋଗୁ, କିନ୍ତୁ ମନରଭାବ ଚାପି ଦେଇ କହିଲା—ତୁମେ ତ ପ୍ରକୃତରେ ଭଲ ହେଇନ, ବଥାଟା ପ୍ରାୟ ସେମିତି ଅଛି ।
କିଏ କହିଲା ? ମୋର ଦେହ ପୂରା ଭଲ ହେଇଗଲାଣି । ତା’ହେଲେ ତମ ଦେହ ଏମିତି ଦିନକୁ ଦିନ ଦୁର୍ବଳ ହେଇ ପଡ଼ୁଛି କାହିଁକି ? ମତେ ଭୁଲେଇବାକୁ ସେମିତି କହୁଛ । ହେଉ ଏବେ, ତମ ଦେହ ଭଲଅଛି, କୁଆଡ଼େ ଯାଇ ଘେରାଏ ବୁଲି ଆସିଲେ କ୍ଷତି ତ କିଛି ହେଇ ଯିବନି-?
ନରେନ୍ଦ୍ର ଏମିତି ଅବସ୍ଥାରେ ଆସି ପହଞ୍ଚିଥିଲା, ଆଉ ସହ୍ୟ କରିବା ପାଇଁ ଯେପରି ତା’ ର ଧୈର୍ଯ୍ୟ ନଥିଲା । ତଥାପି, କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇ କହିଲା—କୁଆଡ଼େ ଯାଇ ବୁଲାବୁଲି କରିବା ପାଇଁ ମୋ’ଠି ଆଉ ବଳ ନାହିଁ । ମତେ ଆଉ ବେଶି ବଳାନା ଇନ୍ଦୁ ।
ଇନ୍ଦୁ କିନ୍ତୁ ଜିଦ୍ ଧରି କହିଲା—ସେ କଥା ହେବନି, ପ୍ରାଣଟା ତ ଫେର୍ ବଞ୍ଚି ରହିବା ଦରକାର ।
ଏଇ ଜିଦ୍ଟା ଇନ୍ଦୁ ପକ୍ଷରେ ଏତେ ନୂଆ ଯେ, ନରେନ୍ଦ୍ର ସାଙ୍ଗେ ସାଙ୍ଗେ ଭୁଲ କରି ବସିଲା । ତାର ମନେହେଲା, ତାକୁ କ୍ଳେଶ ଦେବା ଉଦ୍ଦେଶ୍ୟର ହିଁ ଇନ୍ଦୁ ଆଉ ଗୋଟାଏ ନୂଆ କୌଶଳର ସୂତ୍ରପାତ କରୁଛି । ଏତେ ଦିନର ଧୈର୍ଯ୍ୟର ବନ୍ଧ ତା’ର ନିମିଷକ ମଧ୍ୟରେ ଭାଙ୍ଗିଗଲା । ପାଟିକରି ଉଠି କହିଲା—କିଏ କହିଲା ତମକୁ, ମୋ ପ୍ରାଣ ବଞ୍ଚିବା ଦରକାର ବୋଲି ? ତୁମ ଗୋଡ଼ତଳେ ପଡ଼ୁଛି ଇନ୍ଦୁ, ମୋତେ ଶାନ୍ତିରେ ଟିକିଏ ନିଃଶ୍ୱାସ ମାରିବାକୁ ଦିଅ । ମୋତେ ଆଉ ଜାଳି ପୋଡ଼ି ମାରନା ।
ସ୍ୱାମୀ ମୁହଁରୁ ଏକଥା ଶୁଣିବ ବୋଲି ଇନ୍ଦୁ କଳ୍ପନାରେ ସୁଦ୍ଧା ଭାବିନଥିଲା । ସେ ଯେପରି ଲାଜରେ ଜଡ଼ସଡ଼ ହୋଇଗଲା । କିନ୍ତୁ ନରେନ୍ଦ୍ର ତା ଠଉରାଇ ପାରିଲା ନାହିଁ, କହିଲା—ତୁମେ ଭଲଭାବରେ ଜାଣ ମୁଁ ଆଜି କାଲି କେମିତି ସଙ୍କଟ ଭିତର ଦେଇ ଦିନ କାଟୁଛି । ସବୁ ଜାଣିଶୁଣି ମତେ କଷ୍ଟ ଦେବା ଉଦ୍ଦେଶ୍ୟରେ ଦିନରାତି ଏମିତି ଖେଞ୍ଚାମାରୁଛ କାହିଁକି କହିଲ ? ମୁଁ ତମ ପାଖରେ ବା କି ଦୋଷ କରିଛି । କଣ ତମ ଇଚ୍ଛା ?
ଇନ୍ଦୁ କିଛି ଭାବି ପାରିଲା ନାହିଁ, ଭୟରେ ଶିହରି ଉଠି କାବା ହେଇ ନରେନ୍ଦ୍ରର ମୁହଁକୁ ଚାହିଁ ରହିଲା । ପଦେ ହେଲେ କଥା ବି ତା ମୁହଁରୁ ବାହାରିଲା ନାହିଁ ।
ଏ ପ୍ରକାର ଉତ୍ତେଜନା ନରେନ୍ଦ୍ର ପକ୍ଷରେ ସମ୍ପୂର୍ଣ୍ଣ ନୂଆ ଏବଂ ଅସ୍ୱାଭାବିକ ମଧ୍ୟ । ସେ ନିଜେ ମଧ୍ୟ ତା ହୃଦୟଙ୍ଗମ କରିପାରି ମନେ ମନେ ଅତ୍ୟନ୍ତ ଲଜ୍ଜିତ ହୋଇ ପଡ଼ିଲା, କଣ୍ଠସ୍ୱର ନରମ କରି କହିଲା—ବେଶ୍ ମୁଁ ସ୍ୱୀକାର କରୁଛି ଯେ ମୋ ପକ୍ଷରେ ଜଳବାୟୁ ପରିବର୍ତ୍ତନ ନିତାନ୍ତ ଦରକାର, କିନ୍ତୁ କେମିତି ଯିବା କହିଲ ? ଏତେ ଟଙ୍କା ବା ହଠାତ୍ ପାଇବି କୋଉଠୁ ? ଯିଏ ନିଜର ଘର ଚଳାଇବାକୁ ଟଙ୍କା ପାଇଁ ଧନ୍ଦି ହେଉଛି, ତା ପକ୍ଷରେ ଏତେ ଟଙ୍କା ପାଇବା କଣ କେବେ ସମ୍ଭବ ହେଇ ପାରେ !
ଧୈର୍ଯ୍ୟ କଣ, ତା ଇନ୍ଦୁ କେବେ ଜାଣିନି । ଏମିତି ନତମସ୍ତକରେ ନରେନ୍ଦ୍ରର କଥା ସହି ଯିବାଟା ତା ପକ୍ଷରେ ମୁଣ୍ଡ କାଟି ଦେଲା ଭଳି । କିନ୍ତୁ ଆଜି ସେ ମନେ ମନେ ଏମିତି ଭୟଭୀତ ହୋଇ ପଡ଼ିଥିଲା ଯେ ମୁହଁ ଖୋଲିବା ପାଇଁ ତା’ ର ସାହସ ହେଉନଥିଲା । ନମ୍ର ସ୍ୱରରେ କହିଲା–ନଗଦ ଟଙ୍କା ନାହିଁ ସତ, ହେଲେ ମୋର ତ ଅନେକ ଗୁଡ଼ାଏ ଗହଣାଗାଣ୍ଠି ଅଛି—
ଅଛି, କିନ୍ତୁ ମୋର ନୁହେଁ, ସେ ସବୁ ତମର । ତୁମ ବାପା ତୁମକୁ ଦେଇଛନ୍ତି । ସେଥିରେ ମୋର କି ଅଧିକାର ଅଛି ? ଏକଥା ମୋ ଅପେକ୍ଷା ତୁମକୁ ତ ଖୁବ୍ ଭଲ ଭାବରେ ଜଣା ।
ହେଲା ଏବେ, ତୁମେ ସେ ଗହଣା ନ ନିଅ । ମୁଁ ତୁମକୁ ନଗଦ ଟଙ୍କା ଦେବି ।
ନଗଦ ଟଙ୍କା ! ପାଇଲ କୋଉଠୁ ? ଘର ଖରଚରୁ ବଳେଇ ରଖିଥିଲ ନା କଣ ?
ଏ ଚୁଡ଼ି ବିକ୍ରି ଟଙ୍କା । ଇନ୍ଦୁ ସହଜେ ମିଥ୍ୟା କହେନା । ଅନ୍ୟ ଦିନ ହେଇଥିଲେ ହୁଏତ ସେ ଅପମାନ ବୋଧ କରିଥାଆନ୍ତା । କିନ୍ତୁ, ଆଜି ସେ ଜାଣି ଶୁଣି ମିଛ କହିଲା । ଇନ୍ଦୁ କଥା ଶୁଣି ନରେନ୍ଦ୍ର ମୁହଁର ଭାବ କଠିଣ ଏବଂ ଭୟାନକ ହୋଇ ଉଠିଲା । ଧୀରେ ଧୀରେ କହିଲା—ତା ହେଲେ ସେ ଟଙ୍କା ରଖି ଦେଇ ଥାଅ, ନୂଆ ଗହଣା ଗଢ଼େଇବ । ମୋ ଦେହର ରକ୍ତକୁ ପାଣି ଫଟେଇ ଯାହା ଜମା ହେଇଛି, ତାକୁ ମୁଁ ଏମିତି ଭାବରେ ଅପବ୍ୟୟ କରିଦେବାକୁ ଚାହେଁନା । ତୁମକୁ କେଉଁଦିନ ହେଲେ କଟୁ କଥା କହିନି ଇନ୍ଦୁ, ସବୁ ଦିନ କେବଳ ଶୁଣି ଆସିଛି । ଆଜି କିନ୍ତୁ କହିବାବୁ ବାଧ୍ୟ ହେଉଛି । ସେ ଦିନ ତୁମେ ଦମ୍ଭକରି କହୁଥିଲ ନା, ତୁମେ କେବେ ମିଛ କଥା କହନି-? ଛି ଆଜି କେମିତି ସେଇ ମୁହଁରେ—
ଏତିକିବେଳେ ବିମଳା ହଠାତ୍ ପର୍ଦ୍ଦା ଆଡ଼େଇ ଘର ଭିତରକୁ ପଶି ଆସି କହିଲା—ମା ପିଇସୀ ଆସିଛନ୍ତି ।
ପଛେ ପଛେ ବିମଳା ବି ଘର ଭିତରେ ପଶି ପଚାରିଲା—କଣ କରୁଛ ଭାଉଜ ?
ଇନ୍ଦୁ ଝିଅକୁ ଟାଣିଆଣି ତା ବେକରୁ ହାରଟାକୁ ଦି ହାତରେ ଛିଣ୍ଡାଇ ସ୍ୱାମୀର ସାମନାକୁ ଫୋପାଡ଼ି ଦେଇ କହିଲା—ମୁଁ ମିଛ କହିବା ଜାଣେନି, ଏବେ ତା ତୁମରି ପାଖରୁ ଶିଖିଛି । ପିତଳକୁ ସୁନା ବୋଲି କହିବାକୁ ମୁଁ କେବେ ଶିଖିନି । ଯିଏ ନିଜ ସ୍ତ୍ରୀ କୁ ଠକିଛି, ନିଜର ଝିଅକୁ ଠକିଛି, ତାର ଆଉ ବାକି କଣ ଅଛି ? ସିଏ ବା କେଉଁ ମୁହଁରେ ଅନ୍ୟକୁ ମିଥ୍ୟାବାଦୀ ବୋଲି କହିବାକୁ ସାହାସ କରେ କେଜାଣି ?
ନରେନ୍ଦ୍ର ଛିଣ୍ଡା ହାରଟାକୁ ଉଠାଇ ନେଇ ଆଶ୍ଚର୍ଯ୍ୟ ହେଇ ଇନ୍ଦୁ ମୁହଁକୁ ଚାହିଁ ପଚାରିଲା–ଏଇଟା ପିତଳ ବୋଲି ତମକୁ କିଏ କହିଲା ଇନ୍ଦୁ ? କୋଉଠି କେବେ ପରୀକ୍ଷା କରିଛ ?
ତୁମ ଭଉଣୀକୁ ପରୀକ୍ଷା କରି ଦେଖିବାକୁ କହ । କହି, ଦି ଆଖି ରଙ୍ଗା କରି ବିମଳା ଆଡ଼କୁ ଚାହିଁଲା ।
ବିମଳା ଦି ପାଦ ପଛକୁ ଘୁଞ୍ଚିଯାଇ କହିଲା—ଏମିତ କାମ ମୋ ଦ୍ୱାରା ହୁଏନା ଭାଉଜ । ମୁଁ ଏମିତି ନୀଚ ନୁହେ ଯେ ଭାଇର ଦେବା ଗହଣାକୁ ନେଇ ବଣିଆ ପାଖରେ ପରୀକ୍ଷା କରି ଦେଖିବି ।
ନରେନ୍ଦ୍ର ଗମ୍ଭୀର ସ୍ୱରରେ କହିଲା—ଇନ୍ଦୁ, ତୁମକୁ ଯେଉଁ ଖଣ୍ଡେ ଦିଖଣ୍ଡ ଗହଣା ମୁଁ ଦେଇଛି, ତାକୁ କେବେ କୋଉ ବଣିଆ ପାଖକୁ ନେଇ ପରୀକ୍ଷା କରି ଦେଖିଛ ?
କେବେ ଦେଖିନି ଅବଶ୍ୟ, କିନ୍ତୁ ଏଥର ନେଇ ଦେଖିବି ।
ହଁ ଦେଖିନିଅ । ସେ ଗୁଡ଼ାକ ପିତଳ କି ଖାଣ୍ଟି ସୁନା ଜାଣିପାରିବ ।
ତା’ପରେ ବିମଳା ଆଡ଼କୁ ଚାହିଁ ହାରଟା ଦେଇ ଭଙ୍ଗାସ୍ୱରରେ କହିଲା—ଏଇଟା ସତରେ ସୁନା ନୁହେଁ ଭଉଣୀ, ପିତଳ । କି ଅଭାବରେ ପଡ଼ି ବାପ ହୋଇ ନିଜର ଏକମାତ୍ର ଝିଅର ଜନ୍ମରେ ପିତଳକୁ ସୁନା କହି ଠକିଛି, ତା ତୁ ଅନୁମାନ କରି ପାରୁଥିବୁ । ତେବେ ଏକଥା ସତ ଯେ, ଝିଅକୁ ସିନା ଠକି ଦେଇ ପାରିଲି, କିନ୍ତୁ ନିଜ ସ୍ତ୍ରୀକୁ ଠକିବା ପାଇଁ କେବେ ସାହସ କରିନି ।
ସାତ
ଇନ୍ଦୁକୁ ଘର ଭିତରୁ ଡାକି ନେଇ ବିମଳା କହିଲା—ମୋ କଥା ଶୁଣ ଭାଉଜ, ଯାଇ ଗୋଡ଼-ହାତ ଧରି କ୍ଷମା ମାଗିନିଅ ।
କାହିଁକି, ମୁଁ କି ଦୋଷକରି ପକେଇଛି ? ମୋ ମୁଣ୍ଡ କାଟି ଦେଲେ ବି ମୁଁ ସେ କଥା କରି ପାରିବି ନାହିଁ, ବିମଳା ।
କାହିଁକି ପାରିବ ନାହିଁ ? ନିଜ ସ୍ୱାମୀର ଗୋଡ଼ ଧରି କ୍ଷମା ମାଗି ନେଲେ କଣ ମହତ ସରିଯିବ ? ଧର ଏବେ, ତମର କିଛି ଦୋଷ ନାହିଁ, କେବଳ ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବା ପାଇଁ ତମେ ଯାଇ କ୍ଷମା ମାଗିନେବ, ଏଥିରେ ଲାଜ ବା ଅପମାନର କଥା କଣ ଅଛି ? ସ୍ୱାମୀ ମନ ଖୁସି ରଖିବାଠୁଁ ବଳି ବଡ଼ କାମ ସ୍ତ୍ରୀ ପକ୍ଷରେ ଆଉ କଣ ଅଛି ?
ନା, ତା ଆଉ କା ପକ୍ଷରେ ବଡ଼ ହେଇ ପାରେ, ମୋ ପକ୍ଷରେ କିନ୍ତୁ ନୁହେଁ । ଭଗବାନଙ୍କ ପାଖରେ ସଚ୍ଚୋଟ ହୋଇ ରହିବା ମୋ ପକ୍ଷରେ ସବୁଠାରୁ ବଡ଼ କାମ । ଯେତେଦିନ ଯାଏ ସେଥିରୁ ନ ହୁଡ଼ିଛି ସେତେଦିନ ଯାଏ ମୁଁ ଆଉ କେଉଁଥିକି ଖାତିର କରେନା କି କାହାରିକୁ ଭୟ କରେନା ।
ବିମଳା ଏଥର ବାସ୍ତବିକ୍ ରାଗି ଉଠିଲା । କହିଲା—ଭାଉଜ, ଏଇ ସଚ୍ଚୋଟ ପଣିଆ ମତେ ବେଶ୍ ମାଲୁମ୍ ଅଛି । କିନ୍ତୁ କହି ରଖୁଛି, ଏ ସବୁ ସେତେବେଳେ କୌଣସି କାମରେ ଆସିବ ନାହିଁ—ଲେଡ଼ି ଗୁଡ଼ କହୁଣୀକି ବହି ସାରଥିବ । ଆଖି ବୁଜି ଦେଲେ ବିପଦ ଘୁଞ୍ଚିଯାଏ ନାହିଁ । ବେଳହୁଁ ସତର୍କ ହୁଅ । ଭାଇ ପ୍ରକୃତରେ ତମ ଉପରେ ଖୁବ୍ ବିରକ୍ତ ହୋଇ ଉଠିଛନ୍ତି । ତାଙ୍କ ମନରେ ଭାରି କଷ୍ଟ ହେଇଛି ।
ଇନ୍ଦୁ ଉଦାସ ଭାବରେ କହିଲା—ସେଇଟା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ ।
ବିମଳା ମନେମନେ ରାଗରେ ଜଳି ଉଠି କହିଲା—ସେଇ ଇଚ୍ଛାର ଟେରପାଇବ ସେ ଦିନ, ଯେତେବେଳେ ଭାବିବା ପାଇଁ ଆଉ ବେଳ ନଥିବ । ବୁଝିଲ ? ମୋ କଥା ମାନି ନିଜର ସର୍ବନାଶ କରିବାକୁ ଚେଷ୍ଟା କରନି । ଭାଇ ଯେମିତି ନିରୀହ, ସେମିତ କଠୋର ମଧ୍ୟ । ତାଙ୍କର ଗୋଟାଏ ପାଖ ତୁମେ ଦେଖିଛ ସିନା, ଆରପାଖଟା ଏ ପର୍ଯ୍ୟନ୍ତ ଦେଖିନ । ସେ ସମୟ ଏଇଲେ ଆସିନି; ଆସିଲେ—
ହେଉ, ଆସିଲେ ତମକୁ ଖବର ଦେବି ।
ବିମଳା ଆଉ କିଛି କହିଲା ନାହିଁ । କିଛି ସମୟ ଚୁପ୍ ରହି ଗୋଟାଏ ଲମ୍ବା ନିଃଶ୍ୱାସ ଛାଡ଼ି ଆସ୍ତେ ଆସ୍ତେ କହିଲା—ହେଉ, ଭଲ କଥା । ଭଗବାନ କରନ୍ତୁ ସେମିତି ଅଘଟଣ ନ ଘଟୁ । ସ୍ୱାମୀ ସ୍ନେହରୁ ବଞ୍ଚିତ ହେବାଟା ବେଶି ବେଳ ନୁହେଁ ଭାଉଜ; କିନ୍ତୁ ମୋ ଭାଇ ସେ ଧରଣର ଲୋକ ନୁହନ୍ତି । ସେ ବେମାରରେ ପଡ଼ିଥିବାବେଳେ ମୁଁ ତାଙ୍କୁ ଖୁବ୍ ଭଲ ଭାବରେ ଚିହ୍ନି ପାରିଛି । ଦେଖ, ତାଙ୍କ ହୃଦୟର କବାଟ ଥରେ ବନ୍ଦ ହୋଇଗଲେ, ତାକୁ ଆଉ ଖୋଲିବା ମୁସ୍କିଲ ।
ଇନ୍ଦୁର ମୁହଁ ଗମ୍ଭୀର ହୋଇଗଲା, କହିଲା—ନ ଖୋଲିଲେ ବାହାରେ ରହି ବି ସିନା, କିନ୍ତୁ ଖୋଲିବା ପାଇଁ ଗୋଡ଼ହାତ ଧରି ମୁଁ ଅନୁରୋଧ କରିବି ନାହିଁ । ତୁମକୁ ବି ସେତେବେଳେ ମଧ୍ୟସ୍ଥ ହେବା ପାଇଁ ଖୋସାମତ୍ କରିବାକୁ ମୁଁ ଯିବିନି । ଏ କଣ ! ରାଗରେ ଚାଲି ଯାଉଛ ନା କଣ-?
ବିମଳା ଚାଲି ଯାଉଯାଉ ଠିଆ ହୋଇ ପଡ଼ି କହିଲା—ରାଗରେ ନୁହେଁ, ଭାଉଜ, ମନ ଦୁଃଖରେ ଯାଉଛି । ତୁମକୁ ନିଜର ଭଉଣୀ ଠାରୁ ବଳି ବେଶୀ ଭଲପାଏ ବୋଲି ମୋ ଅନ୍ତର ଭିତରଟା ତମ କଥା ଭାବି କାନ୍ଦି ଉଠୁଛି । ଭାଇଙ୍କ ମୁହଁରୁ ଯେ ଏମିତି କଥା ବାହାରିବ, ମୁଁ କେବେ ହେଲେ ବିଶ୍ୱାସ କରି ନଥିଲି । ଆଉ, ଆଜି ନିଜେ ନଶୁଣିଥିଲେ, କେବେହେଲେ ବି ବିଶ୍ୱାସ କରିନଥାନ୍ତି ।
ଇନ୍ଦୁ ହସି ଉଠି କହିଲା—ଏତେ ବକ୍ତୃତା ତାଙ୍କ ମୁହଁରୁ ତୁମେ କେବେ ଆଉ ଶୁଣିବନି ।
ତୁମେ ମଧ୍ୟ କମ ବକ୍ତୃତା କରନି ଭାଉଜ । ତେବେ ସେ ଯେ ଆଉ କେବେହେଲେ ଏ ବିଷୟରେ ପାଟି ଫିଟାଇବେନି ତା’ ମୁଁ ଜାଣେ । ଗୋଟାଏ କଥାକୁ ବାରମ୍ବାର ଘୋଷିହେବା ଲୋକ ସେ ନୁହଁନ୍ତି ।
ଇନ୍ଦୁ ଆହୁରି ଥରେ ହସି ଉଠି କହିଲା—ସେଇଟା ସତ, ତେବେ ଆଉ ଗୋଟାଏ ତାର ବଡ଼ କାରଣ ଅଛି ବିମଳା, ଯା ଫଳରେ ସେ ଆଉ କୋଉଦିନ ହେଲେ ସ୍ୱପ୍ନରେ ସୁଦ୍ଧା ପାଟି ଖୋଲିବେ ନାହିଁକି ନାଲି ଆଖି ଦେଖାଇବାକୁ ସାହସ କରିବେନି ବାପା ଚିଠି ଦେଇଛନ୍ତି, ସେ ମୋ ନାଁରେ ଦଶହଜାର ଟଙ୍କାର ଗୋଟାଏ ଉଇଲ୍ କରି ଦେଇଛନ୍ତି ଏ ଭିତରେ । କଣ କହୁଛ ବିମଳା, ତାଙ୍କ ଗୋଡ଼ ଧରିବାକୁ ମତେ ଆଉ ପଡ଼ିବ ବୋଲି ମନେ କରୁଛ ?
ବିମଳାର ମୁହଁ ଆହୁରି ଗମ୍ଭୀର ହୋଇ ଉଠିଲା । କହିଲା—ଭାଉଜ, ଏହା ପୂର୍ବରୁ ବି ସେ ତମକୁ କେବେ ହେଲେ ନାଲି ଦେଖାଇ ନାହାନ୍ତି । ତାଙ୍କୁ ଯେମିତି ଅବସ୍ଥାରେ ଛାଡ଼ି ଦେଇ ତୁମେ ମେଦିନୀପୁର ଚାଲି ଯାଇଥିଲ, ତା’ ମୁଁ ଜାଣେ । କିନ୍ତୁ ଥରେ ହେଲେ ସେ ତୁମ ଉପରେ ରାଗି ନାହାନ୍ତି କି ତମ ନିନ୍ଦା କରି ନାହାନ୍ତି । ତୁମର ସବୁ ଦୋଷ ସେ ମୋ ପାଖରେ ଲୁଚାଇ ରଖିଛନ୍ତି, ଭୁଲ ସୁଦ୍ଧା କରି ନାହାନ୍ତି । ସେ କଣ ତା’ କେବଳ ଟଙ୍କା ଲୋଭରେ କରିଥିଲେ ବୋଲି ଭାବୁଛ ? ଯା ହୃଦୟରେ ଯା ପ୍ରତି ସ୍ନେହ ନାହିଁ, ତା ପ୍ରତି ବି ପ୍ରେମ ନାହିଁ । ସ୍ନେହ ବିହୁନେ ପ୍ରେମ ଅସମ୍ଭବ ଏ କଥା ଜାଣ ତ ଭାଉଜ ? ସେଇ ଜିନିଷକୁ ତୁମେ ଜାଣି ଜାଣି ହେଳା କରୁଛ । ମନେରଖ, ତାର ଟେର୍ ତୁମେ ସେଇ ଦିନ ପାଇବ, ଯେଉଁ ଦିନ ତାକୁ ପ୍ରକୃତରେ ହରାଇ ବସିବ । କିନ୍ତୁ ତମର ପରମ ଭାଗ୍ୟ ଯେ ମୋ ଭାଇଙ୍କର ପ୍ରକୃତି ସେମିତି ନୁହଁ । ହଉ ଥାଅ, ସନ୍ଧ୍ୟା ହୋଇଗଲାଣି ମୁଁ ଯାଉଛି । କାଲି ପଅର ଦିନ ଆଡ଼କୁ ସମୟ ହେଲେ ଥରେ ଥରେ ଆମ ଘର ଆଡ଼କୁ ଯିବ ଭାଉଜ-। ମୁଁ ଚାଲିଲି ।
ହଉ ଚେଷ୍ଟା କରିବି, କହି ଇନ୍ଦୁ ପଛେ ପଛେ ଆସି ସଦର ଦରଜା ପାଖରେ ଠିଆ ହେଲା । ତା ଆସିବା କଥା ବିମଳା ଜାଣି ବି ଜାଣିଲା ନାହିଁ ଏହା ଇନ୍ଦୁ ବୁଝିପାରିଲା । ଏ ଦୁଇ ସଖୀ ସବୁବେଳେ ପରସ୍ପର ଠାରୁ ବିଦାୟ ନେଲାବେଳେ ପରସ୍ପରକୁ ନିଜ ଘରକୁ ଯିବାପାଇଁ ନିମନ୍ତ୍ରଣ ଜଣାଇ ଥାଆନ୍ତି, କିନ୍ତୁ ଆଜି ତା ହେଲାନି । ବିମଳା ଯେ ଘରୁ ବାହାରି ଚାଲିଗଲା, ଆଉ ପଛକୁ ଫେରି ଚାହିଁଲାନି ।
ଇନ୍ଦୁର ମନରେ ଅଭିମାନ ଭରିଗଲା । ସେ ଫେରି ଆସି କମଳାକୁ ଛାତିରେ ଜାକି ଶୋଇ ପଡ଼ିଲା ।
ବିମଳା ସିନା ଚାଲିଗଲା, କିନ୍ତୁ ତା’ର ସେଇ ଖରତପ୍ତ ମର୍ମଭେଦୀ କଥା ଗୁଡ଼ାକ ଯେମିତି ଛାଡ଼ି ଦେଇଗଲା । ତା’ର ଉତ୍ତାପ ଯେ କେତେ ତୀବ୍ରତା ଇନ୍ଦୁ ଅନୁଭବ କରି ପାରିଲା । ସେଇ ଉତ୍ତାପରେ ତା’ ଅହଙ୍କାରର ଅଭ୍ରଭେଦୀ ତୁଷାରସ୍ତୁପ ତରଳି ଯେତିକି ବହି ଯିବାକୁ ଲାଗିଲା, ଗୋଟାଏ ନୂଆ ଜିନିଷ ତା ଆଖି ଆଗରେ ସେତିକି ନାଚି ଉଠିଲା । ଏତେ ପଙ୍କ, ଏତେ ଆବର୍ଜ୍ଜନା, ଏତେ କର୍କଶ-କଠିନ ଶିଳାଖଣ୍ଡ ଯେ ଏଇ ଘନୀଭୂତ ଜଳତଳେ ଜମି ରହିଥିଲା ତା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।
ହଠାତ ତା’ର ମନେହେଲା, ତା ଅନ୍ତର ଭିତରୁ ଯେମିତି କିଏ ଡାକି କହୁଛି—ଯେବେ ସତକୁ ସତ ସେ ତତେ ପରିତ୍ୟାଗ କରି ଚାଲିଯାଆନ୍ତି, ତୋ ଅବସ୍ଥା ତେବେ କଣ ହେବ ଜାଣି ପାରୁଛୁ ଇନ୍ଦୁ ? ତୁ ଯେବେ ଯାଇ ତାଙ୍କ ପାଖରେ ବସିଲେ ସେ ଘୃଣାରେ ତତେ ପାଦରେ ଠେଲି ଦିଅନ୍ତି; ସେତେବେଳେ ତୋ ମନର ଅବସ୍ଥା କଣ ହେବ ଭାବି ପାରୁଛୁ ?
ଇନ୍ଦୁର ଦେହସାରା କଣ୍ଟା ଫୋଡ଼ି ଦେଇଗଲା ପରି ଲାଗିଲା । ସେ ଭୟରେ ଚିତ୍କାର କରି ଉଠିଲା ।
କମଳା ଆହୁରି ପାଖକୁ ଘୁଞ୍ଚିଯାଇ ପଚାରିଲା—କଣ ହେଲା ମା ?
ଇନ୍ଦୁ ତାହାକୁ ଜୋରରେ ଜାକି ଧରି ତା ମୁହଁରେ ଚୁମା ଦେଇ କହିଲା—କିଛି ନୁହେଁ ମା, ତୋ ପିଇସା ମତେ ଆଜି ଭାରି ଭୟ ଦେଖେଇ ଯାଇଛି କି ନା ସେଇଥିପାଇଁ—
କି ଭୟ ମା ?
ଇନ୍ଦୁ ଆଉଥରେ ଚୁମାଖାଇ କହିଲା—କିଛି ନୁହେଁ ମା, ସବୁ ମିଛ—ସବୁ ମିଛ । ଗଲୁ ମା ଦେଖି ଆସିବୁ ତୋ ବାପା କଣ କରୁଛନ୍ତି ?
କମଳା ମା କୋଳରୁ ଉଠି ଧାଇଁ ଚାଲିଗଲା ।
ଆଜିକି ଦି ଦିନ ହେଲା ସ୍ୱାମୀ-ସ୍ତ୍ରୀ ଭିତରେ ପଦେହେଲେ କଥା ବାର୍ତ୍ତା ହେଇନି । କମଳା କ୍ଷଣକ ପରେ ଫେରି ଆସି କହିଲା—ବାପା ଚୁପ୍ ହୋଇ ଶୋଇ ପଡ଼ିଛନ୍ତି ମା ।
ଚୁପ୍ ହୋଇ ? ଆଚ୍ଛା, ତୁ ଏଇଠି ଶୋଇଥା, ମୁଁ ଯାଇ ଟିକିଏ ଦେଖି ଆସେ କହି ଇନ୍ଦୁ ଉଠି ଚାଲିଗଲା । ପର୍ଦ୍ଦା ଫାଙ୍କରେ ଚାହିଁ ଦେଖିଲା–ପ୍ରକୃତରେ ସେ ଚୁପ୍ଚାପ୍ ହୋଇ ଉପରକୁ ଚାହିଁ ଶୋଇଛନ୍ତି । ପାଞ୍ଚ ଛ ମିନିଟ୍ ଯାଏ ନୀରବରେ ଠିଆ ହୋଇ ରହି ଇନ୍ଦୁ ପୁଣିଥରେ ଫେରି ଆସିଲା-। ଘରଭିତରକୁ ପଶିଯିବା ପାଇଁ ତାର ଆଜି ସାହାସ ହେଲାନି ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହେଇଗଲା ।
ଆସି ଖଟ ଉପରେ ବସି ଆସ୍ତେ ଆସ୍ତେ ଡାକିଲା—କମଳା ?
କଣ ମା ?
ତୋ ବାପାଙ୍କର ବୋଧହୁଏ ଖୁବ୍ ମୁଣ୍ଡ ଧରିଛି । ଗଲୁ ମା, ବାପା ପାଖରେ ବସି ଆସ୍ତେ ଆସ୍ତେ ମୁଣ୍ଡ ଚିପି ଦେବୁ ।
କମଳା ଉଠି ଧାଇଁ ଧାଇଁ ଚାଲିଗଲା ।
ଇନ୍ଦୁ ପଛେ ପଛେ ଯାଇ ପର୍ଦ୍ଦା ଆଢ଼ୁଆଳରେ ଠିଆ ହେଇ ବାପ ଝିଅଙ୍କର କଥା ବାର୍ତ୍ତା ଶୁଣିବାକୁ ଲାଗିଲା ।
କମଳା ପଚାରିଲା—ତମ ମୁଣ୍ଡ ଏତେ ଧରୁଛି କାହିଁକି ବାପା ?
କାହିଁ, ମୋ ମୁଣ୍ଡ ଧରିନି ତ ମା ?
ମା ତ କହିଲା, ତୁମ ମୁଣ୍ଡ କୁଆଡ଼େ ଭାରି ଧରିଛି ?
ନରେନ୍ଦ୍ର କିଛିକ୍ଷଣ ଯାଏ କମଳା ମୁହଁକୁ ନୀରବରେ ଚାହିଁ ରହିଲା । ତାପରେ କହିଲା—ତୋ ମା ଜାଣେନି ।
ପର୍ଦ୍ଦା ଆଡ଼େଇ ଧୀରେ ଧୀରେ ଘର ଭିତରକୁ ପଶି ଆସିଲା । ଟେବୁଲ ଉପରେ ଆଲୁଅଟା ଟିକିଏ କମେଇ ଦେଇ, ନରେନ୍ଦ୍ର ପାଖରେ ବସି ପଡ଼ି ତା ଦେହରେ ହାତ ଲଦି ପଚାରିଲା–ରୋଗା ଦେହରେ ଏତେ ପରିଶ୍ରମ କରୁଛ କାହିଁକି କହିଲ ? ଗଲୁ ମା, ଆର ଘରୁ ଓଡ଼ିକୋଲେନ୍ ଶିଶିଟା ନେଇ ଆସିବୁ—ଆଉ, ରାମଟହଲକୁ ଡାକି କହି ଦେ, ସେ ଯାଇ କିଛି ବରଫ କିଣି ଆଣିବ-।
କମଳା ଚାଲିଗଲା ପରେ ଇନ୍ଦୁ ଉଠି ଆସି ନରେନ୍ଦ୍ରର ମୁଣ୍ଡ ପାଖରେ ବସିଲା । ମୁଣ୍ଡରେ ହାତ ମାରି କହିଲା—ନିଆଁ ବାହାରୁଛି ଯେ !
ନରେନ୍ଦ୍ର ଆଖିବୁଜି ସେମିତି ଚୁପ୍ଚାପ୍ ପଡ଼ି ରହିଲା—କିଛି କହିଲା ନାହିଁ ।
ଇନ୍ଦୁ ନୀରବରେ ବସି ମୁଣ୍ଡରେ ହାତ ବୁଲାଉ ବୁଲାଉ ନରେନ୍ଦ୍ରର ମୁହଁ ଉପରକୁ ଝୁଙ୍କି ପଡ଼ି ମୁହଁକୁ ଟିକିଏ ହଲେଇ ଦେଇ କଅଁଳ ସ୍ୱରରେ ପଚାରିଲା—ଖୁବ୍ ରାଗି ଯାଇଛ ନା ? ଛାତିର ବଥାଟା ଆଜି କେମିତି ଅଛି ?
ନରେନ୍ଦ୍ର ଇନ୍ଦୁ ମୁହଁକୁ ଚାହିଁ ଆସ୍ତେ ଆସ୍ତେ କହିଲା—ସେମିତି ।
ଏ ଦି ଦିନ ହେଲା, ବୋଧହୁଏ ଔଷଧ ଖିଆ ବନ୍ଦ କରିଦେଇଛ । ରୋଗଟା ଯେବେ ବଢ଼ିଯାଏ, କଣ ହବ କହ ତ ?
ନରେନ୍ଦ୍ର ଶାନ୍ତ କଣ୍ଠରେ କହିଲା—ଦେହଟା ଭଲ ନାହିଁ, ଦୁର୍ବଳ ଲାଗୁଛି, ଟିକିଏ ଚୁପ୍ ହୋଇ ବସ, ଇନ୍ଦୁ ?
ଇନ୍ଦରୁ ମନ ମରିଗଲା । ଏମିତି ଉତ୍ତର ସେ କେବେ ଆଶା କରି ନ ଥିଲା । ବସିବା ସ୍ଥାନରୁ ଉଠିପଡ଼ି ମୁହଁ ଫଣ ଫଣ କରି କହିଲା—ମୁଁ ଏଠି ବସିବାଟା ଯେବେ ଭଲ ଲାଗୁନି, ତେବେ ଥାଅ, ମତେ ବାଇ ଝାଙ୍କିଥିଲା ଯେ ମୁଁ ତମ ପାଖକୁ ଆସିଥିଲି କହି ସେ ଚାଲି ଆସିଲା । ଆସୁ ଆସୁ ଦ୍ୱାରବନ୍ଧ ପାଖରେ ଠିଆ ହୋଇ ଯାଇ କହିଲା—ଏମିତି ନିଜର ପ୍ରାଣଟାକୁ ନଷ୍ଟ କରି ମତେ ଶାସ୍ତି ଦେବ ବୋଲି ଭାବିଛ, ନୁହେଁ ? ଏଇ ନେଇ ପଢ଼ି ଦେଖ, ବାପା ମୋ ନାଁରେ ଦଶ ହଜାର ଟଙ୍କାର ଉଇଲ କରି ଦେଇଛନ୍ତି କହି ଚିଠିଟାକୁ ନରେନ୍ଦ୍ରର ବିଛଣା ଉପରକୁ ଫିଙ୍ଗି ଦେଇ ଘରୁ ବାହାରି ଚାଲି ଆସିଲା । ତମ ତମ ହେଇ ନିଜର ଶୋଇବା ଘରକୁ ପଳାଇ ଯାଇ କବାଟ କିଳି ଖଟ ଉପରେ ମୁହଁ ମାଡ଼ି ଶୋଇ କଇଁ କଇଁ ହୋଇ କାନ୍ଦି ଉଠିଲା ।
କଥା ସହିବା କି ହାର ମାନିବା ତା ଜାତକରେ ନାହିଁ । ପିଲାଦିନୁ ସେ ତା ଶିଖିନି—ଅନେକ ସ୍ତ୍ରୀ ବି ଶିଖି ନ ଥାନ୍ତି । ସେଇ ହେତୁ ଆଉ ସେ ଯେଉଁ ସାଧୁ ସଂକଳ୍ପ ନେଇ ନରେନ୍ଦ୍ର ପାଖରେ ଯାଇ ବସିଥିଲା, ତା ନିମିଷକ ମଧ୍ୟରେ ବ୍ୟର୍ଥ ହେଇଗଲା । ସେ ଗୋଟାଏ କାମ କରିବାକୁ ଯାଇ, ଆଉ ଗୋଟାଏ କାମ କରି ଫେରି ଆସିଲା ।
ଆଠ
ଏ କଣ ବିମଳା, ତୁମେ କାନ୍ଦୁ ଥିଲ ନା କ’ଣ ? ଆଖି ଦିଟା ମନ୍ଦାର ଫୁଲପରି ଲାଲ ପଡ଼ିଯାଇଛି ଯେ !
ଅମ୍ବିକା ବାବୁଙ୍କ ସ୍ତ୍ରୀ ପାଖରେ ବସି ଶୁଣୁଥିଲେ, ବିମଳା ଚିତ୍ ହେଇ ଶୋଇ ଗୋଟାଏ ବହି ପଢ଼ୁଥିଲା । ଇନ୍ଦୁ ସ୍ୱର ଶୁଣି ଧଡ଼ପଡ଼ ହେଇ ଉଠି ବସି ଆଖି ପୋଛି ଇନ୍ଦୁକୁ ବସିବା ପାଇଁ କହି ହସି ହସି କହିଲା—ସତରେ ଭାଉଜ, ଦୁର୍ଗାମଣିର ଦୁଃଖରେ ଛାତି ଫାଟି ଯାଉଛି ।
ଇନ୍ଦୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା—ଦୁର୍ଗାମଣି କିଏ ?
ଦୁର୍ଗାମଣି କିଏ, ତୁମେ ଜାଣନି ଭାଉଜ ? ଯାହାର ସୁଖ୍ୟାତି ଚାରିଦିଗରେ ଚହଟୁଛି, ତା କଥା ତୁମେ ଶୁଣିନ ?
ଇନ୍ଦୁ ବୁଝି ପାରିଲା, ଦୁର୍ଗାମଣି ହେଉଛି ବିମଳା ଧରିଥିବା ବହିର ନାୟିକା । ହାତ ବଢ଼ାଇ କହିଲା—ଦେଖେ, ସେଇଟା କି ବହି ?
ବହିନେଇ ଖୋଲି ଦେଖିଲା—ବହିର ଲେଖକ ହେଉଛନ୍ତି ତା’ ସ୍ୱାମୀ । ଆଉ ଗୋଟାଏ ପୃଷ୍ଠା ଲେଉଟାଇ ଦେଖିଲା—ବହିଟି ବିମଳା ନାଁରେ ଉତ୍ସର୍ଗ ହେଇଛି । ଏମୁଣ୍ଡୁ ସେମୁଣ୍ଡୁ ଯାଏ ଥରେ ଦେଖିନେଇ ଇନ୍ଦୁ ବିମଳା ହାତକୁ ପୁଣି ବହିଟି ବଢ଼ାଇ ଦେଲା ।
ଇନ୍ଦୁର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବହି ଲେଖାହେଲା, ଛପା ହେଲା, ଉପହାର ଦିଆଗଲା, ହୁଏତ ସେ ଏ ବିଷୟରେ ବିନ୍ଦୁ ବିସର୍ଗ ସୁଦ୍ଧା ଜାଣି ପାରିଲା ନାହିଁ ! ତା’ ମୁହଁର ଚେହେରା ବଦଳି ଗଲା । ସେ ଗମ୍ଭୀର ହୋଇ ବସି ରହିଲା । ବିମଳା ତା ମୁହଁକୁ ଚାହିଁ କିଛି ପଚାରିବାକୁ ସାହସ କଲାନି । କିଛି ସମୟ ଗମ୍ଭୀର ହୋଇ ବସି ରହିବା ପରେ ଇନ୍ଦୁ ନିଜେ ମୁହଁ ଖୋଲିଲା । କହିଲା—ମତେ ଏ ନାଟକ, ନଭେଲ ସବୁ ପଢ଼ିବାକୁ ଭଲଲାଗେନା, କେବେ ପଢ଼େନି-। ବହି ଖଣ୍ଡି ଭଲ ହେଇଚି ଶୁଣି ଖୁସି ଲାଗୁଛି ।
ଏତିକିବେଳେ ଅମ୍ବିକାବାବୁଙ୍କ ଚାକର ଆସି କହିଲା—ମା, ବାବୁ ପଚାରୁଛନ୍ତି; ଆଜି ତାଙ୍କର ମିଉଜିୟମ ଦେଖିଯିବା ପାଇଁ କଥା ଥିଲା—ଯିବେ ?
ଅମ୍ବିକା ବାବୁଙ୍କ ସ୍ତ୍ରୀ ବିମଳା ଓ ଇନ୍ଦୁ ଠାରୁ ବୟସରେ ସାନ । ଲାଜରେ ଜଡ଼ସଡ଼ ହୋଇ ମୁଣ୍ଡ ନୁଆଁଇ ଆସ୍ତେ ଆସ୍ତେ କହିଲା—ଯା କହିଦେବୁ, ତାଙ୍କ ଦେହ ତ ଏ ପର୍ଯ୍ୟନ୍ତ ପୂରା ଭଲ ହେଇନି, ଆଜି ଥାଉ, ଆଉ ଦିନେ ଯିବେ ।
ଚାକର ଚାଲିଗଲା । ଇନ୍ଦୁ ଅବାକ୍ ହେଇ ଚାହିଁ ରହିଲା । ତା’ର ମନେ ହେଲା ସେ ଏମିତି କଥା ଯେପରି ଆଉ କେବେ ଶୁଣି ନାହିଁ ।
କିଛି ସମୟ ପରେ ଭୋଳା ଆସି ବିମଳାକୁ ପଚାରିଲା—ବାବୁ ଲୋକ ପଠାଇ ପଚାରିଛନ୍ତି, ତାଙ୍କ ଅଫିସର ଗୋଟାଏ ବଡ଼ ଆଲମିରା ନିଲାମ ହେଉଛି, କିଣିବେ କି ?
ବିମଳା କହିଲା—ନା, ଯା କହିଦେବୁ, ଏତେ ବଡ଼ ଆଲମିରା ଆମର କଣ ହେବ, ଗୋଟାଏ ଛୋଟ ବୁକ୍ ସେଲ୍ଫ ହେଲେ ଚଳିବ । ସେଇଟା କିଣିବା ଦରକାର ନାହିଁ ।
ଭୋଳା ଚାଲିଗଲା । ଇନ୍ଦୁ ଅବାକ୍ ହେଇ କେବଳ ସେଇ କଥା ଭାବି ଲାଗିଲା । ଏଇ ସ୍ୱାମୀ ଦୁଇଟି ଯାହା ପଚାରି ପଠାଇଥିଲେ ସେଥିରେ ସେ ପ୍ରଭୁତ୍ତ୍ୱର ସୂଚନା ପାଇଲା ନାହିଁ କି, ଏ ସ୍ତ୍ରୀ ଦୁଇଟି ଯାହା ଜବାବ ଦେଲେ ସେଥିରେ ସେ ଦାସତ୍ୱର ଲକ୍ଷଣ ପାଇଲା ନାହିଁ । ଅଥଚ ତା ନିଜର ମନ ଭିତରେ ସେ ଯେମିତି ଗୋଟାଏ ବ୍ୟଥା ଅନୁଭବ କରିବାକୁ ଲାଗିଲା । ତା’ର ମନେ ହେଲା, ସେ ଯେମିତି ଏ ସ୍ତ୍ରୀ ଦୁଇଟି ପାଖରେ ଅତି ଛୋଟ ହେୟ ହେଇ ଯାଇଛି ।
କିଛି ସମୟ ପରେ ଇନ୍ଦୁ ଉଠି ଯିବା ପାଇଁ ବାହାରିଲା । ବିମଳା ତା’ର ଗୋଟାଏ ହାତ ଧରି ଆସ୍ତେ ଆସ୍ତେ ପଚାରିଲା—ସତରେ କଣ ଭାଇ ତୁମକୁ ଏ ବହି ବିଷୟ କିଛି ହେଲେ କହି ନାହାନ୍ତି ଭାଉଜ ?
ତମେ କେମିତି ଜାଣିଲ ?
ତମ ମୁହଁରୁ ମୁଁ ତା ଠଉରେଇ ପାରିଛି ।
ନା, ମତେ କିଛି ହେଲେ କହି ନାହାନ୍ତି ! ମୋର ବି ବେଳ ନାହିଁ ଏସବୁ କଥା ବୁଝିବା ପାଇଁ । ଦିନ ସାରା ତ ବସି ଲେଖନ୍ତି, କଣ ଲେଖନ୍ତି କିଏ ଜାଣେ । ହଁ ବିମଳା ଗୋଟାଏ ଖବର ଦେବାକୁ ଆସି ଭୁଲି ଯାଇ ଥିଲି । ମୁଁ କାଲି ଆମ ଗାଁକୁ ଯାଉଛି ।
ବିମଳା ଉଦ୍ବିଘ୍ନ ହୋଇ କହିଲା—ଗାଁକୁ ଯିବ ? ଭାଇଙ୍କର ଏମିତି ଅବସ୍ଥାରେ ତୁମେ ଗାଁକୁ ଯିବ ବୋଲି କେମିତି କହୁଛ ଭାଉଜ ? ନା, ତମେ ଯାଅନି ଭାଉଜ ।
କାହିଁକ ?
କାହିଁକି ତା କଣ ମତେ ତମକୁ ବୁଝେଇ ଦେବାକୁ ପଡ଼ିବ ? ଭାଇ କୌଣସି ଦିନ ହେଲେ ତାଙ୍କ ସୁଖ ଦୁଃଖର ବୋଝ ତୁମ ଉପରେ ଲଦି ଦେବାକୁ ଚାହାନ୍ତି ନାହିଁ—ତା କ’ଣ ତୁମେ ନିଜେ ଜାଣି ପାରୁନ ? ସ୍ୱାମୀ ସ୍ନେହ ଥରେ ହରେଇଲେ ତା ଆଉ ସହଜେ ମିଳେନା ଭାଉଜ । ତମେ ମନେ ମନେ ମୋ କଥା ଟିକେ ଭାବି ଦେଖ ।
ଇନ୍ଦୁ ବିରକ୍ତରେ ନାକ ଫୁଲେଇ କହିଲା—ତୁମକୁ ଅନେକ ଥର କହିଛି ବିମଳା, ମୋର ତ ଦରକାର ନାହିଁ-ନାହିଁ-ନାହିଁ । ମୋ ଭାଇଙ୍କ ପାଖରେ ମୁଁ ନିଶ୍ଚନ୍ତରେ ରହିପାରିବି । ୟାଙ୍କ ସ୍ନେହ ସୋହାଗ ୟାଙ୍କର ପାଖରେ ଥାଉ, ମୋର ଦରକାର ନାହିଁ ।
ଏଥର ବିମଳା ରାଗଉଠି କହିଲା—ଏ ସବୁ ବଡ଼େଇ ପୁରୁଷ ଲୋକଙ୍କର ପାଖରେ ଯାଅ କରିବ ଭାଉଜ; ମୁଁ ତ ମାଇପିଲୋକ, ମୋ ପାଖରେ କରି ଲାଭ ନାହିଁ । ତୁମ ବାପା ବଡ଼ ଲୋକ, ଭାଇ ବଡ଼ଲୋକ, ଧନ ସମ୍ପତ୍ତିର ଅଭାବ ନାହିଁ—ଏଇ ତ ତମର ଅହଙ୍କାର ? ହଉ, ଯାଉଛ ତ ଯାଅ, କିନ୍ତୁ ଦିନେ ଜାଣି ପାରିବ, ଆଜି ଯାହାକୁ ହରେଇବାର ତମର ଖାତିର ନାହିଁ, ଦୁଃଖ ନାହିଁ ତା ତୁଳନାରେ ଜଗତର ସବୁ ଜିନିଷ ଛୋଟ । ଭାଉଜ, ତମେ ଯାହାପାଇଛ, ତା ଖୁବ୍ କମ ଝିଅ ପାଆନ୍ତି, କିନ୍ତୁ ମନେରଖ ତାର ଅପବ୍ୟବହାର କଲେ ତାକୁ ଆଉ ଫେରି ପାଇବ ନାହିଁ ।
ସେଇ ବହି ଖଣ୍ଡକ ବିମଳା ହାତରେ ଥିଲା । ତା ଉପରେ ଦୃଷ୍ଟି ପଡ଼ିବାମାତ୍ରେ ଇନ୍ଦୁର ଅନ୍ତଭିତରଟା ଏକାବେଳକେ ହୁ ହୁ ହେଇ ଜଳି ଉଠିଲା । କହିଲା—ଅହଙ୍କାର କରିବାକୁ ଥିଲେ ଲୋକେ କରନ୍ତି । ଏଇଟା ନୂଆକଥା ନୁହେଁ । କିନ୍ତୁ ମୋର ସର୍ବନାଶ ହେବାର ଥିଲେ ହେବ, ଯାହା ଯିବାର ଥିବ ଯିବ ସେଥିପାଇଁ ତୁମେ ମିଛରେ କାହିଁକି ମୁଣ୍ଡ କାଡ଼ୁଛ ବିମଳା ? ଆଉ ମୁଁ ଠିଆ ହୋଇ ତା ଶୁଣିବା ବା ଦରକାର କଣ ? ମୋର ଧରି ରଖିବାକୁ ଇଚ୍ଛା ନାହିଁ, ମୁଁ ରଖିବି ନାହିଁ । ମୋ କପାଳରେ ଯାହା ଭୋଗିବାକୁ ଥିବ ଭୋଗିବି । ସେଥିପାଇଁ ମୁଁ କାହାରି ପରାମର୍ଶ ଚାହେଁନି, କି କା ସାଥିରେ ଝଗଡ଼ା କରିବାକୁ ଚାହେଁନି ।
ବିମଳା ଆଉ କିଛି କହିଲା ନାହିଁ । ତା ଅନ୍ତରର ବ୍ୟଥା ଅନ୍ତର୍ଯ୍ୟାମୀଙ୍କ ଛଡ଼ା ଆଉ କେହି ଜାଣିଲେ ନାହିଁ । ଏ ଅପମାନ ପରେ ସେ ଆଉ ଇନ୍ଦୁ ସହିତ ଯୁକ୍ତିତର୍କ କରିବାକୁ ଚାହିଁଲା ନାହିଁ—ଚୁପ୍ ରହିଲା ।
ଇନ୍ଦୁ ଚାଲିଯିବାକୁ ବାହାରିବାରୁ ବିମଳା କହିଲା—ତୁମେ ସମ୍ପର୍କରେ ମୋ ଠାରୁ ବଡ଼, ଭାଉଜ । ପ୍ରଣାମ କରୁଛି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ
ଆକବର
ମଧୁସୂଦନ ରାଓ