ନଅ
୧୮୭୬–୧୯୩୮
- ସଂକଳନ: ଦର୍ପଚୂର୍ଣ୍ଣ
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୦୮୩
- ସ୍ଥିତି
- ସାର୍ବଜନୀନ (Public domain)
ସେ ଦିନ ସନ୍ଧ୍ୟାହେବା ସାଙ୍ଗେ ସାଙ୍ଗେ ସମଗ୍ର ଆକାଶରେ ମେଘ ଘୋଟି ଯାଇ ବର୍ଷା ହେବାକୁ ଲାଗିଲା । ଇନ୍ଦୁ କମଳାକୁ କୋଳରେ ଧରି ବିଛଣାରେ ଆସି ଶୋଇ ପଡ଼ିଲା । ଆଜି ତା ସାନ ଭଉଣୀର ସ୍ୱାମୀ ଆସିଥିବାରୁ ପାଖଘରେ ଖିଆପିଆ, ଗପ-ସପ ଲାଗିଥାଏ । ସେମାନଙ୍କ କଥାବାର୍ତ୍ତା, ହାସ ପରିହାସ ଶୁଣି ଇନ୍ଦୁର ଅନ୍ତର ଭିତରଟା କାହିଁକି ଯେମିତି ଲଜ୍ଜାରେ ଭରପୂର ହେଇଗଲା ।
ଇନ୍ଦୁ ମେଦିନୀପୁର ଆସିବାର ତିନି ମାସ ହେଇ ଗଲାଣି, ଦି ମାସ ହେଲା ତା ସାନ ଭଉଣୀ ବି ଆସିଅଛି । ଏଇ ଦି ମାସ ଭିତରେ ସାନ ଭଉଣୀର ସ୍ୱାମୀ ମଧ୍ୟ ଛ’ ସାତ ଥର ଆସିଲେଣି । କିନ୍ତୁ ନରେନ୍ଦ୍ର ଥରେ ହେଲେ ବି ଆସିନି, ଏମିତି କିଏ ତିନି ମାସ ଭିତରେ ଚିଠିଖଣ୍ଡେ ସୁଦ୍ଧା ଦେଇନି ।
ଏଇ କେତେଦିନ ହେଲା ବି ଏହାରି ଉପରେ ଘରେ କେହି କେହି ଟୁପ୍ଟାପ୍ ହେବା ଇନ୍ଦୁ ଶୁଣିଲାଣି, କାଳେ ସେ କଥାଟା ସମସ୍ତଙ୍କ ଆଗରେ ସାନ ଭଉଣୀର ସ୍ୱାମୀ କାନକୁ ଯିବ ଏଇ ଭୟରେ ଆତ୍ମ ଗୋପନ କରିବା ପାଇଁ ଇନ୍ଦୁ ଅସମୟରେ ପଳାଇ ଆସି ବିଛଣାରେ ଶୋଇ ପଡ଼ିଥିଲା ।
ସ୍ୱାମୀ ଆସୁନାହାନ୍ତି—ଏଥିପାଇଁ ଇନ୍ଦୁ ମନରେ ଦୁଃଖ ହୁଏ କି ନାହିଁ, ସେ ତ ଅଲଗା କଥା, କିନ୍ତୁ ଏଥିପାଇଁ ଲାଜରେ ଯେ ମୁଣ୍ଡ ଛିଣ୍ଡିଯାଏ, ଏକଥା ଇନ୍ଦୁ ଆଦୌ କଳ୍ପନା କରିନଥିଲା । ନରହତ୍ୟା କରି ମଣିଷ ଲୁଚି ବୁଲିଲାଭଳି, ଏଥିପାଇଁ ଯେ ଏମିତି ଲୁଚି ରହିବାକୁ ପଡ଼େ ଏହା ସେ ଭୁଲରେ ସୁଦ୍ଧା ଭାବିନଥିଲା । ସ୍ୱାମୀ ଭଲ ପାଉନାହିଁ—ଏ କଥା ଶୁଣିବା ଠାରୁ ମରିଯିବା ଭଲ, ଏହା ସେ ଆଜି ମର୍ମ୍ମେ ମର୍ମ୍ମେ ଅନୁଭବ କରିପାରିଲା ।
ଏତେଦିନ ଧରି ସ୍ୱାମୀ ଘରେ, ସ୍ୱାମୀ ପାଖରେ ରହି, ତାଙ୍କୁ ବହୁ ସମୟରେ ବହୁ ବ୍ୟଥା ଦେଇ ଆସିଛି, କଥା କଥାକେ ନିଜ ବାପଘରର ବଡ଼େଇ କରି ତାକୁ ଝିଙ୍ଗାସିଛି, ନିଜର ମାନ ମର୍ଯ୍ୟାଦା, ସମସ୍ତ ବଖାଣି ହେଉଛି, ପଦେ ପଦେ ତାକୁ ଅପଦସ୍ତ କରିଛି, କିନ୍ତୁ ତାର ଆଜି ଯେମିତି ମନେହେଲା ସେ ପର ଘରେ ଆସି ଆଶ୍ରୟ ନେଇଛି, ମୁହଁ ଟେକି ପଦେ କଥା କହିବାକୁ ତା’ର ଶକ୍ତି ନାହିଁ । ତା’ର ସବୁ ଆତ୍ମାଭିମାନ, ସବୁ ଅହଙ୍କାର ଧୂଳିସାତ୍ ହୋଇ ଯେମିତି ମାଟିରେ ମିଶି ଯାଇଛି-। ସେ ଆଜି ନିରାଶ୍ରୟ ନିଃସହାୟ ହୋଇ ପଡ଼ିଛି । ଅଣ୍ଟା ସଳଖି ଠିଆ ହେବା ପାଇଁ ତାର ବଳ ନାହିଁ-। ସ୍ୱାମୀ ପାଖକୁ ଫେରିଯାଇ ତାଙ୍କ ପାଦ ତଳେ ପଡ଼ି, ଗୋଡ଼ ହାତ ଧରି କ୍ଷମା ମାଗିନେବା ପାଇଁ ତାର ପ୍ରାଣ ଆକୁଳ ହୋଇ ଉଠିଲା । ତାକୁ ଜଣାପଡ଼ିଲା ତା ସ୍ୱାମୀ ଯେମିତି ଜଗତର ସବୁ କିଛି ଜିନିଷ ଠାରୁ ଅତି ଉଚ୍ଚରେ ।
ତାର ମନେ ହେଲା ଆଜି ଯେମିତି ସମସ୍ତଙ୍କ ପାଖରେ କରୁଣା ପ୍ରାର୍ଥିନୀ ମୁହଁକୁ ଚାହିଁବା ମାତ୍ରେ ସମସ୍ତେ ଯେମିତି ତାକୁ ମୁହଁ ବୁଲେଇ ଚାଲିଯାଉଛନ୍ତି । କମଳା ଯେମିତି ଆଜି ସଭିଙ୍କର ଦୟାର ପାତ୍ର ହୋଇଛି ।
ଏ ବିଷୟରେ ଇନ୍ଦୁ ଯେତିକି ଭାବିଲା ତା ଅନ୍ତର ସେତିକି କାନ୍ଦି ଉଠିଲା । ବାପ ଘରେ ଆଉ ମୁହୁର୍ତ୍ତେ ରହିବା ପାଇଁ ତାର ମନ ପଡ଼ିଲା ନାହିଁ ।
ଏ ଭିତରେ ଯେ କେତେ ବେଳେ କମଳା ମୁହଁ ଶୁଖେଇ ବସି କାନ୍ଦୁଛି ସେ ଆଡ଼ିକି ତାର ଲକ୍ଷ୍ୟ ନାହିଁ । ହଠାତ୍ ଦୃଷ୍ଟି ପଡ଼ିବା ମାତ୍ରେ କମଳାକୁ କୋଳକୁ ଟାଣି ନେଇ ପଚାରିଲା କାହିଁକି କାନ୍ଦୁଛୁ ମା ?
କମଳା କୋହକି ଉଠି କହିଲା—ବାପାଙ୍କ କଥା ମନେ ପଡ଼ି ମନଟା କାହିଁକି କେମିତି ହୋଇ ଯାଉଛି ମା ।
ଇନ୍ଦୁର ଛାତି ଉପରେ ଯେମିତି କେହି ହାତୁଡ଼ିର ପାହାର ବସେଇ ଦେଲା । ସେ ପ୍ରାଣ ପଣେ କମଳାକୁ ଛାତିରେ ଜାକି ଧରି କୋହକି କୋହକି କାନ୍ଦି ଉଠିଲା । ମା ଝିଅ ପରସ୍ପର କୁଣ୍ଢାଇ ଧରି କାନ୍ଦି ରାତି ପୁହାଇଲେ ।
ଇନ୍ଦୁ ବତେଇ ଦେଲାକି କଣ, ସକାଳେ ଉଠି କମଳା ବାପା ପାଖକୁ ଯିବାକୁ ଯିଦ୍ ଧରି ବସିଲା । ଯେତେ ପ୍ରକାର ବୁଝଇଲେବି ସେ ବୁଝିଲା ନାହିଁ । ଇନ୍ଦୁ ଶେଷରେ ଭାଇଙ୍କ ପାଖକୁ ଆସି କହିଲା—କମଳା ତା ବାପାଙ୍କ ପାଖକୁ ଯିବାପାଇଁ ଅଳି କରୁଛି ଯେତେ ବୁଝାଇଲେ ବୁଝୁନି । ମୁଁ ତାକୁ ଧରି ଆଜି ଦିପହର ଗାଡ଼ିରେ ଚାଲି ଯାଉଛି ।
ଭାଇ ଆପତ୍ତି କଲେନି, ବଳେଇଲେନି କହିଲେ—ହଉ ଯାଆ । ନରେନ୍ଦ୍ର ଚିଠିପତ୍ର କଣ ଦେଇଥିଲା ?
ଇନ୍ଦୁ ମୁଣ୍ଡ ହଲାଇ କହିଲା—ହଁ !
ଭଲ ଅଛି ତ ?
ହଁ ଅଛନ୍ତି ।
ଦଶ
ବିମଳା ଅବାକ ହୋଇ ପଚାରିଲା—କେତେ ବେଳେ ଆସିଲ ଭାଉଜ ?
ଏଇ ବର୍ତ୍ତମାନ ତ ଗାଡ଼ିରୁ ଓହ୍ଲାଇ ଆସୁଅଛି । ଗାଡ଼ିବାଲା ଗାଡ଼ି ଭିତରୁ ଜିନିଷ ପତ୍ର ବାହାର କରି ଆଣି ପିଣ୍ଡାରେ ରଖିଲା ।
ବିମଳା ତା’ ଦେଖି ମନେ ମନେ ଅତ୍ୟନ୍ତ ବିରକ୍ତ ହୋଇ କହିଲା—ଏ କଣ ଭାଉଜ ! ଘରକୁ ନଯାଇ ଏଠି ଓହ୍ଲେଇଲ କାହିଁକି ?
କମଳାକୁ ଘରପାଖରେ ଓହ୍ଲେଇ ଦେଇ ଆସିଛି । ସେ ବାପା ପାଖକୁ ଆସିବାକୁ ଜିଦ୍ ଧରିଲା ବୋଲି ଚାଲିଆସିଲି, ନହେଲେ ଏଇଲେ ଆସି ନଥାନ୍ତି ।
ବିମଳା ଦୀର୍ଘନିଶ୍ୱାସ ଛାଡ଼ି କହିଲା—ନ ଆସିଥିଲେ ଭଲ ହେଇଥାଆନ୍ତା ଭାଉଜ । ସେଠିକି ଯାଇ ତୁମର ଆଉ ଲାଭ କଣ ?
ଇନ୍ଦୁର ଛାତି ଭିତରଟା ଧଡ଼ାସ୍ କରି ହେଇଗଲା । ସେ ଭୀତ ଦୃଷ୍ଟିରେ ଚାହିଁ ରୁଦ୍ଧ ସ୍ୱରରେ ପଚାରିଲା—କାହିଁକି ବିମଳା ?
ବିମଳା ଗମ୍ଭୀର ସ୍ୱରରେ କହିଲା—ପରେ ଶୁଣିବ, ଆଗେ ଲୁଗାପଟା ପାଲଟି ମୁହଁ ହାତ ଧୁଅ । ଯାହା ହେବାର ହୋଇ ଯାଇଛି—ଆଜି, ଏଇଲାଗେ ଶୁଣିଲେ ଯାହା, ଆଉ ଦି ଦିନ ପରେ ଶୁଣିଲେ ସେୟା ।
ଇନ୍ଦୁ ଥକ୍କାମାରି ବସି ପଡ଼ିଲା । ମୁହଁଟା ଫିକା ପଡ଼ିଗଲା, ଗୋଡ଼ ହାତ ଭାଙ୍ଗି ପଡ଼ିଲା ପରି ଲାଗିଲା । ଅଜଣା ଭୟରେ ତା ଛାତି ଭିତରଟା ଥରି ଉଠିଲା । ରୁଦ୍ଧ ସ୍ୱରରେ କହିଲା—ତମ ଗୋଡ଼ତଳେ ପଡ଼ୁଛି ବିମଳା, ମତେ ଏଇଲାଗେ କହ । ନହେଲେ ପାଣି ଟୋପେ ବି ମୁହଁରେ ଦେବି ନାହିଁ । ଆସିଲା ବେଳେ ସେ ବାରଣ୍ଡାରେ ବସିଥିଲେ, ଦେଖି ଆସିଛି । ତେବେ ମୋର ଆଉ ସେଠିକି ଯିବା କାହିଁକି ଦରକାର ନାହିଁ, ମତେ କହ ।
ବିମଳା କିଛିକ୍ଷଣ ନୀରବ ରହି, ଦୀର୍ଘନିଶ୍ୱାସ ଛାଡ଼ି କହିଲା—ପ୍ରକୃତରେ ସେ ଘରେ ତମର ଥାଉ ଜାଗା ନାହିଁ ଭାଉଜ । ଏଇଲେ ସେଠିକି ତୁମର ଯିବା ଯାହା ନ ଯିବା ସେୟା । ବରଂ ବାପ ଘରକୁ ଫେରିଯାଅ । ସେଠିକି ଗଲେ ତୁମେ ରହି ପାରିବ ନାହିଁ ।
ଇନ୍ଦୁ କୋହ ଚାପି କହିଲା—ମୁଁ ଆଉ ଧୈର୍ଯ୍ୟଧରି ରହି ପାରୁନି ବିମଳା, କଣ ହୋଇଚି ମତେ ସବୁ ଖୋଲି କରି କହ । ସେ ଆଉ ଥରେ ବିବାହ କରିଚନ୍ତି ?
ତମର ବିଶ୍ୱାସ ହେଉଚି ?
ନା, ମୋର ଆଦୌ ବିଶ୍ୱାସ ହେଉନି । ମୋର ଅପରାଧ ଯେତେ ବଡ଼ ହେଉନା କାହିଁକି ସେ ଯେ ଏତେ ବଡ଼ ଅନ୍ୟାୟ କେବେହେଲେ କରିବେନି ତା ମୁଁ ଜାଣେ । ତେବେ, ମୋର ସେ ଘରେ କାହିଁକି ଆଉ ସ୍ଥାନ ନାହିଁ ମତେ କହିବ ନାହିଁ ?
କହୁ କହୁ ତା ଆଖିରୁ ଝର ଝର ହୋଇ ଲୁହ ଝରିପଡ଼ିଲା ।
ବିମଳା ଆଖିରେ ବି ଲୁହ ସମ୍ଭାଳିଲା ନାହିଁ । ସେ ଲୁଗା କାନିରେ ଆଖିପୋଛି କହିଲା–ମୁଁ କଣ କହି ତୁମକୁ ବୁଝେଇବି ଯେ ସେ ଘରେ ତୁମର ଆଉ ସ୍ଥାନ ନାହିଁ, ଭାବି ପାରୁନି ଭାଉଜ-। ଶମ୍ଭୁବାବୁଙ୍କ ଟଙ୍କା ସୁଝିନପାରି ଭାଇଙ୍କୁ ଜେଲ—
ବିମଳା ଆଉ କହି ପାରିଲା ନାହିଁ । ଇନ୍ଦୁର ସର୍ବାଙ୍ଗ ଶରୀର କଣ୍ଟାରେ ଫୋଡ଼ି ହେଇଗଲା ପରି ଲାଗିଲା । ସେ ରୁଦ୍ଧ ସ୍ୱରରେ ପଚାରିଲା—ତା’ ପରେ ?
ତା’ ପରେ ଆଉ କଣ ! ଆମେ ସେତେବେଳକୁ ଯାଇ କାଶୀରେ । ଶମ୍ଭୁବାବୁ ଟଙ୍କା ଯୋଗାଡ଼ କରିବା ପାଇଁ କୁଆଡ଼େ ଦି ଦିନ ସମୟ ଦେଲେ । କିନ୍ତୁ ଚାରିହଜାର ଟଙ୍କା ଦି ଦିନ ଭିତରେ ଯୋଗାଡ଼ କରିବା ତ ସହଜ ନୁହେଁ ! ଶେଷରେ ଭାଇଙ୍କୁ ଜେଲ ଯିବାକୁ ପଡ଼ିଲା । ଯିବାପୂର୍ବରୁ ସେ ମୋ ପାଖକୁ ଭୋଳା ହାତରେ ଖବର ଦେଇ ପଠାଇଲେ । କିନ୍ତୁ ସେତେବେଳକୁ ଆମେ କାଶୀରୁ ଏହ୍ଲାବାଦ ଚାଲି ଆସିଥିଲୁ । ଭୋଳା ଖୋଜି ଖୋଜି ଯାଇ ଦଶଦିନ ପରେ ମତେ ଖବର ଦେଲା । ଖବର ପାଇ ମୋ ଦେହରୁ ପ୍ରାଣ ଛାଡ଼ି ଗଲାପରି ଲାଗିଲା, ଗୋଡ଼ ହାତ ଚଳିଲା ନାହିଁ । ମୁହୁର୍ତ୍ତେ ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ଘରକୁ ଫେରି ଆସିଲୁ । ମୋ ପାଖରେ ତ ନଗଦ ଟଙ୍କା ନଥିଲା, ଗହଣା ଗାଣ୍ଠି ଯାହାଥିଲା, ସବୁ ବନ୍ଧା ପକେଇ ଟଙ୍କା ଯୋଗାଡ଼ କରି, ଶମ୍ଭୁବାବୁଙ୍କ ଟଙ୍କା ସୁଝି ଏଗାର ଦିନ ପରେ ଭାଇଙ୍କୁ ଜେଲରୁ ମୁକୁଳେଇ ଆଣିଲି ।
ଇନ୍ଦୁ ଆଖିପୋଛି କହିଲା—ମେଦିନୀପୁର ତ ବେଶି ଦୂର ନୁହେଁ । ମୋର ତ ଗହଣାଗାଣ୍ଠି ଥିଲା, ମତେ ଖବର ଦେଇ ଥିଲେ କଣ—
କିନ୍ତୁ କୋଉ ମୁହଁରେ ସେ ଆଉ ତୁମ ପାଖକୁ ଖବର ଦେଇଥାଆନ୍ତେ ! ସେ ଦମ୍ଭ ତ ତାଙ୍କର ଆଉ ନଥିଲା । ଜେଲ ଭୋଗିବାକୁ ସ୍ଥିର କରିନେଲେ ସିନା, କିନ୍ତୁ—
ଇନ୍ଦୁ ଆଉ କିଛି କହି ପାରିଲା ନାହିଁ । ଗୋଟିକ ପରେ ଗୋଟିଏ ଗହଣା ନିଜ ଅଙ୍ଗରୁ ବାହାର କରି ବିମଳାର ପାଦତଳେ ଥୋଇ କହିଲା—ଏସବୁ ଗହଣା ବଦଳରେ ତମର ଅଳଙ୍କାରତକ ଫେରାଇ ଆଣ; ମୁଁ ତାଙ୍କ ପାଖକୁ ଚାଲିଲି । ତମେ କହୁଛ ନା ତାଙ୍କ ନିକଟରେ ଯୋଗ୍ୟ....ଯେଉଁ ପ୍ରାଚୁର୍ଜ୍ୟର ଅହମିକା ମୋତେ ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ଦୂରେଇ ରଖିଥିଲା ସେ ସବୁ ଏବେ ତମ ପାଦତଳେ ଫୋପାଡ଼ି ଦେଇ ମୁଁ ମୋ ସ୍ଥାନ ଦଖଲ କରିବାକୁ ଯାଉଛି । ହଁ, ଆସନ୍ତା କାଲି ଅନ୍ତତଃ ଥରଟିଏ ପାଇଁ ଆସିବ ନିଜ ଭାଇ—ଭାଉଜଙ୍କୁ ଦେଖିବା ପାଇଁ....ନିଶ୍ଚେ ଆସିବଟି.....ମୁଁ ଚାଲିଲି !!’’ ଇନ୍ଦୁ ଏହା କହି କହି ଦ୍ରୁତ ପଦକ୍ଷେପରେ ବାହାରିଗଲା, ବାରଣ୍ଡାରେ ଠିଆ ହୋଇ ଲୁହ ପୋଛୁ ପୋଛୁ ବିମଳା କହୁଥିଲା—
‘‘ଆ’ରେ ଭୋଳା ! ମା’ ଙ୍କ ସାଙ୍ଗରେ ଯାଆରେ.....’’
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ
ଆକବର
ମଧୁସୂଦନ ରାଓ