ନିୟତି-ପୀଡ଼ନ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୩
- ସ୍ଥିତି
- ସାର୍ବଜନୀନ (Public domain)
ନିୟତି−ଗତି ଆହା କୁଟିଳା ଅତି,ପ୍ରାଣୀ−ପୀଡ଼ନେ ତାର ଉତ୍କଟ ରତି ।ଆଜିର ମିତ୍ର କାଲି ବିଷମ ଅରି,କାଳଚକ୍ରର କ୍ରୂର ଗତି ଏପରି ।ଧନ−ଜନ−ଯୌବନ−ବଂଶାଭିମାନ,ରାଜ୍ୟ−ଗୌରବ, ରୂପଲାବଣ୍ୟ, ଜ୍ଞାନ,ଆଜି ଯେ ସୁଖ ସୁଧା କରେ ବର୍ଷଣ,କାଲି ସେ ଦୁଃଖକାଳକୂଟ−କାରଣ ।ବିକଚ କୁସୁମକୁ କଣ୍ଟକ ସରିସୁଖକୁ ଦୁଃଖ ସଦା ଅଛି ଆଦରି ।ଅଜ୍ଞାନ ତିମିରରେ ଆଚ୍ଛନ୍ନ ପ୍ରାଣିପ୍ରକୃତ ତତ୍ତ୍ୱପଥ ନ ପାରେ ଜାଣି ।ପରମୁହୂର୍ତ୍ତ−କଥା ନାହିଁ ତା ଜ୍ଞାନ,ଭବ−ଅନ୍ଧକୂପରେ ଘୋର ଅଜ୍ଞାନ ।ସୃଷ୍ଟିର ତତ୍ତ୍ୱ ତାକୁ ରହସ୍ୟମୟ,ବିଷମ ସମାସ୍ୟାହିଁ ନିଜ ହୃଦୟ ।ଧନ−ଯୌବନ−ଜ୍ଞାନ ଗର୍ବରେ ଭରାଅଜ୍ଞାନ ନର ଧରା ମଣଇ ସରା ।ଅପ୍ରେମେ ଜରଜର ବିକୃତରୁଚିନରକୁ ଛୁଇଁ ନର ହୁଏ ଅଶୁଚି ।ବିଳାସେ ଭାସି ଏକ କାଟେ ଜୀବନ,ନିରନ୍ନ ହୋଇ ଆନ ଭଜେ ମରଣ ।ଅତୃପ୍ତ ପ୍ରେମେ କେହି ଚିର ତୃଷିତ,ସନ୍ତାନହୀନ କେହି ଘୋର ଦୁଃଖିତ ।‘କାହାର ପୌଷମାସ କାହାର ବଂଶନାଶ’ହା ହନ୍ତି କି ବିଷମ ଅସାମଞ୍ଜସ୍ୟ !ନିଜ ସୁଖରେ ସର୍ବେ ଅଛନ୍ତି ଧାଇଁ,ପ୍ରେମ, ସ୍ନେହ, ତିତିକ୍ଷା ମିଳିବ କାହିଁ ?ଏତେ କଷଣ ସହି ସଂସାରୀ ନରଆଶାତରୁତଳରେ ତୋଳଇ ଘର ।ସହସା କାହୁଁ ଆସି ବିପଦ ଘନବରଷି ତା ସଂସାର କରେ ଉଚ୍ଛନ୍ନ ।ଦୁଃଖ−ଦାରିଦ୍ର୍ୟେ କ୍ଳିଷ୍ଟ ନିଖିଳ ଧରା‘ତ୍ରାହି ତ୍ରାହି’ ନିନାଦେ ସତତ ଭରା ।ଶାନ୍ତଶିଷ୍ଟ ମନୁଷ୍ୟ ପ୍ରବଳ ପାଶେଅପମାନିତ ହୋଇ ଫେରେ ନିରାଶେ ।ଶକ୍ତି ଯାହାର ଭବେ ରାଜ୍ୟ ତାହାର,ନୁହନ୍ତି ଏ ସଂସାରେ କେହି କାହାର ।ଧର୍ମ−ଆସନେ ବସି ନୀତିଜ୍ଞ ପ୍ରଭୁ,କୂଟ ତର୍କେ ଦଣ୍ଡନ୍ତି ନିର୍ଦ୍ଦୋଷସବୁ ।ଦୁର୍ଭାଗ୍ୟ−ପ୍ରପୀଡ଼ିତ ନିରାଶ ଜନ,ଆତ୍ମାଘାତୀ ହେବାକୁ ବଳାଏ ମନ ।ତଥାପି ହେ ମନୁଷ୍ୟ, ବିଚାର କର,ମୃତ୍ୟୁ ତ ନୁହେଁ ପରିଣାମ ଜୀବର ।ପର କାଳର ଚିନ୍ତା ନ ଥାନ୍ତା ଯେବେ,ସହଜେ ପ୍ରାଣ−ଦୁଃଖ ଫେଡ଼ନ୍ତ ତେବେ ।ଅଚିନ୍ତା−ନିଦ୍ରା ସିନା ଲୋଡ଼ୁଛ ଭାଇ,ସେ ଶେଷ−ନିଦ୍ରାରେ କି ଦୁଃସ୍ୱପ୍ନ ନାହିଁ ?ଯେବେ ସେ ନିଦ୍ରା କେହି ଭଙ୍ଗାଇ ଦେବ,ଦୁଃଖ ଏଡ଼ିବା ଯତ୍ନ ବିଫଳ ହେବ ।କୃତ କର୍ମର କାଳେ ବିଚାର ହେବ,ଦ୍ୱିଗୁଣ ଯନ୍ତ୍ରଣା ତ ନିୟତି ଦେବ ।କ୍ଷାନ୍ତ ହୁଏ ଏ କର୍ମୁଁ ହେ ପ୍ରିୟ ଭାଇ !ଧୂମରୁ ଅଗ୍ନିକୁଣ୍ଡେ ଡେଇଁବ ନାହିଁ ।ନିରାଶ୍ରୟ−ଆଶ୍ରୟ ଶ୍ରୀ ଭଗବାନଦୁଃଖର ମହୌଷଧି ଶ୍ରୀହରି ନାମ ।ଯୁଗକୁ ଯୁଗ ସାଧୁ ମହାତ୍ମାମାନଦେଶେ ଦେଶେ ଜନମି ଦେଲେ ପ୍ରମାଣ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ