କ୍ଷିତି ମଣ୍ଡଳେ ଚଉତିଶା — ଭୀମ ଭୋଇ · ସ୍ୱର୍ଣ୍ଣଲିପିକ୍ଷିତି ମଣ୍ଡଳରେ ଦେହ ବହି,କ୍ଷୀରସିନ୍ଧୁ ବାସୀଙ୍କି ମୁଁ ଧ୍ୟାୟୀ ।କ୍ଷୟ ଯାଉଅଛି ଘୋର କଳିଯୁଗେ, କ୍ଷମା ସାଗର ପୁରୁଷ ଥାଇଁ ହେ ଶ୍ରୀଗୁରୁ ।୧।ହିତକାରୀ ପ୍ରଭୁ ଅଟ ପରା,ହରଣ କର ବିପତ୍ତି ଭାରା ।ହତ ହେଉଅଛି ପିଣ୍ଡ ପ୍ରାଣ ମୋର, ହାକିମ ଛାମୁରେ ପଡ଼ି ଧରା ହେ ଶ୍ରୀଗୁରୁ ।୨।ସକ୍ଷ୍ୟ ନାହିଁ ନା ମୋହରି ଦେହେଁ,ଶଙ୍କି ଟଳି ପଡ଼ୁଅଛି କାୟେ ।ସମ୍ଭାଳି ନୋହୁଛି ଅକାଳ ବିପତ୍ତି ସ୍ୱାମୀ ନିବାର ହୃଦରୁ ଭୟ ହେ ଶ୍ରୀଗୁରୁ ।୩।ଶବ୍ଦ ତିନିପୁର ତ୍ରୟଲୋକ,ଶୁଭୁନାହିଁ କି କର୍ଣ୍ଣକୁ ଡାକ ।ଶୁଖିଲା ନାବରେ ପାଣି ପଶୁଅଛି, ଶୂନ୍ୟ ପୁରୁଷ କର ବିବେକ ହେ ଶ୍ରୀଗୁରୁ ।୪।ଶିରୋମଣି ଠାକୁରଙ୍କୁ ଭଜି,ସର୍ବ କର୍ମ ହୃଦୟରୁ ତେଜି ।ଶରଣ ଶରଣ ବୋଲୁ ବୋଲୁ ମୁଖେ, ଶିରୀଚ୍ୟୁତ ହୋଇଲାଣି ଆସି ହେ ଶ୍ରୀଗୁରୁ ।୫।ବାହାର ହୋଇ ହୁଅ ପ୍ରକାଶ,ବ୍ରହ୍ମତେଜ ପଡ଼ୁ ଦଶଦିଶ ।ବୁଝାମଣା କରି ଗୁରୁଦେବ ସ୍ୱାମୀ, ବ୍ରହ୍ମାଣ୍ଡରେ ଦିଅ ସ୍ଥିତି ବାସ ହେ ଶ୍ରୀଗୁରୁ ।୬।
ଭାବାର୍ଥ- (୧-୬) ହେ କ୍ଷୀରସିନ୍ଧୁ ବାସୀ, ଧରା ଭାରା ନିବାରଣ ପାଇଁ ତୁମେ ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି । ମୁଁ ହୀନ ଅକିଞ୍ଚନ ତୁମକୁ ସର୍ବଦା ଧ୍ୟାନ କରୁଛି । ହେ ଶ୍ରୀଗୁରୁ, ତୁମଭଳି କ୍ଷମା ସାଗର ପୁରୁଷ ଥାଉଁ ଥାଉଁ ଏ ଘୋର କଳିଯୁଗରେ ମୁଁ ନାଶ ଯାଉଛି । ତୁମେ ମୋର ହିତକାରୀ ପ୍ରଭୁ, ମୋ ବିପତ୍ତି ଭାରାକୁ ଉଦ୍ଧାର କର । ପିଣ୍ଡରୁ ମୋର ପ୍ରାଣ ଚାଳିଯାଉଛି । ହେ ଶ୍ରୀଗୁରୁ, ମୋ ଦେହରୁ ଶକ୍ତି ଅନ୍ତର୍ହତ ହୋଇଯାଉଛି । ଶରୀର ଶଙ୍କାରେ ଟଳି ପଡ଼ୁଛି । ମୋ ଉପରେ ଯେଉଁ ଅକାଳ ବିପତ୍ତି ପଡ଼ିଛି, ତାକୁ ସହି ପାରୁନାହିଁ । ହୃଦୟ ମଧ୍ୟରୁ ଭୟକୁ ଦୂର କର ।
ହେ ଶ୍ରୀଗୁରୁ, ଶୂନ୍ୟ ପୁରୁଷ । ତୁମେ ଏ ତିନିଲୋକରେ ପରିବ୍ୟାପ୍ତ ରହିଛି । ମୋ ଜୀବନ ଶୁଖୁଲା ନାବରେ ବିପଦ ରୂପ ଜଳ ପଶିଛି । ଉଦ୍ଧାର ପାଇଁ କେତେ ବିକଳରେ ଡାକୁଛି, କର୍ଣ୍ଣକୁ କ’ଣ ଶୁଭୁନାହିଁ ? ହେ ଶ୍ରୀଗୁରୁ, ହୃଦୟରୁ ସକଳ ଚିନ୍ତାକୁ ତ୍ୟାଗକରି ଠାକୁରଙ୍କୁ ଭଜନ କରୁଛି । ମୁଖରେ ଶରଣ ଶରଣ ବୋଲି ଡାକୁଛୁ, ଏଣେ ମସ୍ତକ ଚ୍ୟୁତ ହେବାକୁ ବସିଲାଣି । ହେ ଶ୍ରୀଗୁରୁ ପ୍ରକାଶିତ ହୁଅ । ତୁମର ବ୍ରହ୍ମତେଜ ଦଶଦିଗରେ ବିସ୍ତାରିତ ହେଉ । ହେ ଗୁରୁଦେବ ସ୍ୱାମୀ, ବ୍ରହ୍ମାଣ୍ଡରେ ଆମକୁ ଆଶ୍ରା ଦିଅ ।
ଲୋକ ନିନ୍ଦାରେ ନୋହୁଛି ରହି,ଲୁଚି ଦିନ ଯାଉଅଛି ବହି ।ଲଜ୍ଜା ହେଉଅଛି ଜଗତରେ ମୋତେ, ଲାଜେ ନୋହୁଛି ମୁଖ ଦେଖାଇ ହେ ଶ୍ରୀଗୁରୁ ।୭।ରାଜା ବିପ୍ରେ ହୋଇଲେଣି ମେଳି,ରହ ପରୀକ୍ଷା ଦେଖିବା ବୋଲି ।ରୋଷ କରୁଛନ୍ତି ଅନ୍ତର୍ଗତେ ମୋତେ, ରଇରବଗଦେ ମରୁଛି ଭାଳି ହେ ଶ୍ରୀଗୁରୁ ।୮।ଯତନରେ ପାରୁଶକୁ ଡାକି,ଯାବତ କଥା ତୁଣ୍ଡରେ ଭାକି ।ଜଗିଥିବୁ ଆମ୍ଭେ ନ ଯାଉ ବୋଲନ୍ତେ, ଯାଅ ଯାଅ ବୋଲି ଦେଲେ ଫିଙ୍ଗି ହେ ଶ୍ରୀଗୁରୁ ।୯।ମନେ ବଡ଼ିମା ବହି ଅକଲେ,ମିଛ ପରୀକ୍ଷା ନେବୁ ବୋଇଲେ ।ମନ୍ଦ ଜାତି କନ୍ଧ ଅଟେ ଭୀମ ଭୋଇ, ମହା ଅଜ୍ଞାନୀ ବୋଲି କହିଲେ ହେ ଶ୍ରୀଗୁରୁ ।୧୦।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ଭାରା ହୋଇଲାଣି ବେଳୁବେଳ,
ଭାସି ଡାକୁଛି ହୋଇ ବିକଳ ।
ଭରସା କରିଛି ଗୁରୁ ପାଦ ତଳେ, ଭୟ ନିବାର ଅନାଦି ମୂଳ ହେ ଶ୍ରୀଗୁରୁ ।୧୧।
ବହିଗଲାଣି କେତେ ଦିବସ,
ବ୍ରହ୍ମ ଏତେବେଳେ ହୁଅ ଦୃଶ୍ୟ ।
ବାଧି ଯାଉଅଛି ଜୀବନରୁ ମୋର, ବାନା ଉଦେ କର ଦଶଦିଶ ହେ ଶ୍ରୀଗୁରୁ ।୧୨।
ଭାବାର୍ଥ- (୭-୧୨) ହେ ଶ୍ରୀଗୁରୁ, ଲୋକନିନ୍ଦା ମୋତେ ଘାରୁଛି । ଶାନ୍ତିରେ ରହିପାରୁନାହିଁ । ଜଗତରେ ମୋତେ ଲଜ୍ଜା ହେଉଛି, ଲାଜରେ କାହାକୁ ମୁହଁ ଦେଖାଇ ପାରୁନାହିଁ । ହେ ଶ୍ରୀଗୁରୁ, ରାଜା ବ୍ରାହ୍ମଣ ସବୁ ମେଳି ବାନ୍ଧିଲେଣି । ମୋ ପ୍ରତି ରୋଷ କରୁଛନ୍ତି । ସେ କଥାକୁ ଭାଳି ଭାଳି ମୁଁ ମରୁଛି । ହେ ଶ୍ରୀଗୁରୁ, ସେମାନେ ଆମକୁ ସ୍ନେହରେ ପାଖକୁ ଡାକି, ଅନେକ ଗାଳି ଦେଲେ । ଯାଅ ଯାଅ ବୋଲି ଆମକୁ ଜିଙ୍ଘାସ କଲେ । ମନରେ ଗର୍ବ ବହି କନ୍ଧ ଜାତି ମନ୍ଦ ଜାତି, ଭୀମ ଭୋଇ ମହାଅଜ୍ଞାନ ବୋଲି ଗାଳି ଦେଲେ ।
ହେ ଶ୍ରୀଗୁରୁ, ବେଳକୁ ବେଳ ଦୁଃଖ ମୋର ବଢ଼ୁଛି । ଦୁଃଖ ସାଗରରେ ଭାସି ଥଳକୂଳ ପାଉନି । ବିକଳ ହୋଇ ତୁମକୁ ଡାକୁଛି । ହେ ଅନାଦି ମୂଳ, ଗୁରୁଙ୍କ ପାଦ ତଳେ ଭରସା କରିଛି । ଭୟ ନିବାରଣ କର । ହେ ଶ୍ରୀଗୁରୁ, ସମୟ ଗଡ଼ିଯାଉଛି, ହେ ବ୍ରହ୍ମ, ଏତିକି ବେଳେ ତୁମେ ଦୃଶ୍ୟ ହୁଅ । ମୋର ଜୀବନକୁ ବହୁତ ବାଧିଲାଣି । ଦଶଦିଗରେ ତୁମ ବାନା ପରିବ୍ୟାପ୍ତ ହେଉ । ଏ ଅସଦ୍ୟ ଦୁଃଖରୁ ମୋତେ ଉଦ୍ଧାର କର ।
ଫେଡ଼ ଅକାଳ ବିପତ୍ତି ଦଶା,ଫୁକା ବନ୍ଧ ଫଣି ମଣି ଭରସା ।ଫସାଦ ବଚନ କହୁଛନ୍ତି ସର୍ବେ, ଫାନ୍ଦେ ପଡ଼ିଣ କରିଛି ଆଶା ହେ ଶ୍ରୀଗୁରୁ ।୧୩।ପିତାମାତା ଅଟ ଶୂନ୍ୟ ଦେହୀ,ପାପ ଜାଲେ ପଡ଼ିଅଛି ମୁହିଁ ।ପରୀକ୍ଷା ନ ଦେଲେ ରାଜା ବ୍ରାହ୍ମଣକୁ, ପିଣ୍ଡ ପ୍ରାଣରେ ମୋ ଆଶା ନାହିଁ ହେ ଶ୍ରୀଗୁରୁ ।୧୪।ନବଖଣ୍ଡ ମେଦିନୀରେ ଯେତେ,ନୟନରେ ଦେଖନ୍ତୁ ସାକ୍ଷାତେ ।ନିଶି ଦିବସରେ ପରୀକ୍ଷ ପରୀକ୍ଷ, ନରେ ମାଗୁଅଛନ୍ତି ସମସ୍ତେ ହେ ଶ୍ରୀଗୁରୁ ।୧୫।ଧର୍ମ ଚାରିଯୁଗେ ଯେବ ସତ୍ୟ,ଧରଣୀରେ ରହୁ ସତ୍ୟକୃତ ।ଧରତୀ ଆକାଶେ ପୂରି ରହିଅଛ, ଧର୍ମ ଅଣାକାର ଅବଧୂତ ହେ ଶ୍ରୀଗୁରୁ ।୧୬।ଦୁଃଖ ଜଣାଣ କରିବି କେତେ,ଦଇବ ଅଟ ତୁମ୍ଭେ ସାକ୍ଷାତେ ।ଦୟାବନ୍ତ ପ୍ରଭୁ ନ ବୁଝିବ ଯେବେ, ଦରିଆରେ ଭାସିଲି ନିରତେ ହେ ଶ୍ରୀଗୁରୁ ।୧୭।ଥାନ ଭ୍ରଷ୍ଟକରି ଖେଦୁଛନ୍ତି,ଥିତି ବସା ନଦେଉ ଅଛନ୍ତି ।ଥର ଥର ହେଉଅଛି ପିଣ୍ଡେ ପ୍ରାଣ, ଥୟେ ନ ରହୁଛି ମୋର ମତି ହେ ଶ୍ରୀଗୁରୁ ।୧୮।ତିନି ତ୍ରୈଲୋକ୍ୟ କର୍ତ୍ତା ଆପଣ,ତ୍ରାହି ବୋଲି ମାଗୁଛି ଶରଣ ।ତତ୍ତ୍ୱଚିତ୍ତେ ସ୍ୱାମୀ ଦୟାକର ମୋତେ, ତୁମ୍ଭେ ଅଟ ଅଲେଖ ଅବର୍ଣ୍ଣ ହେ ଶ୍ରୀଗୁରୁ ।୧୯।ଅଣାକାର ଅଲେଖ ଅରୂପୀ,ଅନନ୍ତ ସ୍ୱରୂପ ଅଛ ବ୍ୟାପୀ ।ଅନ୍ତର୍ଯ୍ୟାମୀ, ସ୍ୱାମୀ ଅଣହେଳା କଲେ, ଆନେ କେହି ନ ପାରିବେ ରଖି ହେ ଶ୍ରୀଗୁରୁ ।୨୦।
ଭାବାର୍ଥ- (୧୩-୨୦) ହେ ଶ୍ରୀଗୁରୁ, ମୁଁ ଅକାଳ ବିପତ୍ତି ଦଶାରେ ପଡ଼ି ଘାଣ୍ଟି ହେଉଛି । ଫଣି ମଣିକୁ ଭରସା କରିଛି । ସମସ୍ତେ କପଟ କଥା କହୁଛନ୍ତି । ଏ ବିପତ୍ତି ବେଳେ ତୁମକୁ ଆଶ୍ରା କରିଛି, ଏଥିରୁ ଉଦ୍ଧାର କର । ହେ ଶ୍ରୀଗୁରୁ, ଶୂନ୍ୟଦେହି । ତୁମେ ହିଁ ମୋର ପିତାମାତା । ମୁଁ ପାପ ଜାଲରେ ପଡ଼ି କଷ୍ଟ ପାଉଛି । ପିଣ୍ଡପ୍ରାଣରେ ମୋ ଆଶା ନାହିଁ । ହେ ଶ୍ରୀଗୁରୁ, ନବଖଣ୍ଡ ମେଦିନୀରେ ଯେତେ ପ୍ରାଣୀ ଅଛନ୍ତି, ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖ । ରାତିଦିନ ସେମାନେ ତୁମର କୃପାଭିକ୍ଷୁ ରହୁଛନ୍ତି । ହେ ଶ୍ରୀଗୁରୁ, ହେ ଧର୍ମ, ଅଣାକାର ଅବଧୂତ, ପୃଥିବୀ ଆକାଶରେ ତୁମେ ପୂରି ରହିଛି । ଧର୍ମ ଯଦି ଜଗତରେ ସତ୍ୟ, ତେବେ ପୃଥିବୀରେ ସତ୍ୟ ବିରାଜମାନ କରୁ ।
ହେ ପ୍ରଭୁ, ହେ ଶ୍ରୀଗୁରୁ, ତୁମେ ସାକ୍ଷାତରେ ଦଇବ ବିଧାତା, କେତେ ବା ତୁମକୁ ଦୁଃଖ ଜଣାଇବି ? ଦୟାବନ୍ତ ପୁରୁଷ ହୋଇ ତୁମେ ଯଦି ଦୁଃଖ ନ ବୁଝିବ, ଦରିଆରେ ଭାସିବାଟା ମୋର ସାର ହେବ । ଦୁଷ୍ଟ ଲୋକମାନେ ଆମ୍ଭମାନଙ୍କ ରହିବା ସ୍ଥାନକୁ ଭାଙ୍ଗି ଆମକୁ ଘଉଡ଼ାଉଛନ୍ତି । କେଉଁଠି ରହିବା ପାଇଁ ବସା ଦେଉନାହାନ୍ତି । ପିଣ୍ଡରେ ପ୍ରାଣ ଥର ହର ହେଉଛି । ମୋର ମତି ଥୟ ରହୁନାହିଁ । ହେ ଶ୍ରୀଗୁରୁ, ତିନିଲୋକର କର୍ତ୍ତା ତୁମେ । ମୁଁ ଶରଣ ମାଗୁଛି, ମୋତେ ଉଦ୍ଧାର କର । ହେ ଅଲେଖ, ଅବର୍ଣ୍ଣ, ତତ୍ତ୍ୱଚିତ୍ତରେ ବିଚାର କରି ମୋତେ ଦୟା କର । ହେ ଅଣାକାର, ଅଲେଖ, ଅରୂପୀ । ତୁମେ ଅନନ୍ତ ସ୍ୱରୂପ । ଚତୁର୍ଦ୍ଦିଗରେ ବ୍ୟାପି ରହିଛି । ଅନ୍ତର୍ଯ୍ୟାମୀ ସ୍ୱାମୀ ହୋଇ ମୋ ପ୍ରତି ଅଣହେଳା କଲେ, ଆଉ କିଏ ରକ୍ଷା କରିବ ?
ଢେଙ୍କାନାଳେ ବିଜେ କରିଥିଲ,ଢାଳେ ବାନା ପରକାଶ କଲ ।ଢଳି ପଡ଼ିଲା ବେଳକୁ ଗୁରୁସ୍ୱାମୀ, ଢାଙ୍କୁଣୀରେ କି ଗୋପ୍ୟାନ ହେଲ ହେ ଶ୍ରୀଗୁରୁ ।୨୧।ଡକାୟତ ହସ୍ତେ ପଗଡ଼ାଇ,ଡାକ ନ ଶୁଣୁଛ କାହିଁ ପାଇଁ ।ଦାଣ୍ଡେ ପଡ଼ିଅଛି ଭୀମ ଅରକ୍ଷିତ, ଡୋଳେ ଆକାଶକୁ ଅଛି ଚାହିଁ ହେ ଶ୍ରୀଗୁରୁ ।୨୨।ଠିଆ ହୋଇ ଜଣାଣ କରୁଛି,ଠାକୁରଙ୍କ ଆଜ୍ଞାକୁ ଟାକିଛି ।ଠାବ ମିଳୁଅଛି କେତେ ଦିବସରେ, ଠିକେ ଯୁଗ ଶେଷ ହେଲା ଆସି ହେ ଶ୍ରୀଗୁରୁ ।୨୩।ଟେଢ଼ା ବଚନ କହୁ ଅଛନ୍ତି,ଟମାଳିଆ ପ୍ରାୟେ ମଣୁଛନ୍ତି ।ଟଳ ଟଳ ହେଉଅଛି ପିଣ୍ଡପ୍ରାଣ, ଟିକେ ନ ମିଳୁଛି ଥୟ ସ୍ଥିତି ହେ ଶ୍ରୀଗୁରୁ ।୨୪।ନିନ୍ଦା କର୍ଣ୍ଣରେ ନୋହୁଛି ଶୁଣି,ନିରନ୍ତରେ ଅପଖ୍ୟାତି ଧ୍ୱନି ।ନାରୀ ପୁରୁଷ ବାଳକ ବୃଦ୍ଧଜନ, ନରେ ହୃଦରେ ଅହନ୍ତା ଘେନି ହେ ଶ୍ରୀଗୁରୁ ।୨୫।ଝଟତିରେ ବୁଝାମଣା ହେଉ,ଝିମିଟିକେ କଳି କ୍ଷୟ ଯାଉ ।ଝାଉଁଲତା ବନୁ ପାରିକର ମୋତେ, ଝୁଙ୍କି ପଡ଼ୁଅଛି ମହାବାହୁ ହେ ଶ୍ରୀଗୁରୁ ।୨୬।ଯାଅ ବୋଲନ୍ତେ ଫେରି ନ ଯାଇ,ଜଗି ବସିଥିବି ପଥେ ମୁହିଁ !ଜଗତ କରତା ବୁଝିବା ପର୍ଯ୍ୟନ୍ତେ, ଯାନଜୀବନେ ମୋ ଆଶା ନାହିଁ ହେ ଶ୍ରୀଗୁରୁ ।୨୭।
ଭାବାର୍ଥ- (୨୧-୨୭) ହେ ଶ୍ରୀଗୁରୁ, ଢେଙ୍କାନାଳରେ ବିଜେ କରିଥିଲ, ମହିମା ବାନା ପ୍ରକାଶ କଲା । ହେ ଗୁରୁସ୍ୱାମୀ, ମଲା ବେଳକୁ କେଉଁଠାରେ ଗୋପନ ହୋଇଗଲ ? ଡକାୟତର ହାତରେ ପଡ଼ି ଦୁଃଖକଷ୍ଟ ଭୋଗୁଛି । କେତେ ପରି ଡାକୁଛି, ମୋ ଡାକ ଶୁଣୁନାହିଁ । ଅର୍କ୍ଷିତ ଭୀମ ଦାଣ୍ଡରେ ପଡ଼ି ଶୂନ୍ୟ ଆକାଶକୁ ଚାହିଁ ରହିଛି, ତଥାପି ମୋ ପ୍ରତି ଦୟା କରୁନାହିଁ ? ହେ ଶ୍ରୀଗୁରୁ, ଠିଆ ହୋଇ ତୁମକୁ ଜଣାଣ କରୁଛି । ଠାକୁରଙ୍କ ଆଜ୍ଞାକୁ ଚାହିଁ ରହିଛି । ଯୁଗ ଶେଷ ହୋଇ ଆସିଲାଣି, ମୋ ଡାକ ପ୍ରଭୁ କେବେ ଶୁଣିବେ କେଜାଣି ? ହେ ଶ୍ରୀଗୁରୁ, ଲୋକମାନଙ୍କ ଟେଢ଼ା (ନିଷ୍ଠୁର) କଥା ଶୁଣି ସହି ହେଉନାହିଁ । ଟମାଳିଆ (ପରିହାସ) ପ୍ରାୟ ଆମକୁ ମନେ କରୁଛନ୍ତି । ପିଣ୍ଡପ୍ରାଣ ଟଳଟଳ ହେଉଛି । ସାମାନ୍ୟ ଶାନ୍ତି ମଧ୍ୟ ଏଠାରେ ମିଳୁନାହିଁ ।
ହେ ଶ୍ରୀଗୁରୁ, ଲୋକମାନଙ୍କ ନିଷ୍ଠୁର କଥା, ନିନ୍ଦା ଶୁଣି ହେଉନାହିଁ । ନିରନ୍ତର ସେମାନେ ଆମର ଅପଖ୍ୟାତି କରୁଛନ୍ତି । ନାରୀ, ପୁରୁଷ, ବୃଦ୍ଧ ଲୋକମାନେ ଆମ ପ୍ରତି ହୃଦୟରେ ଅହନ୍ତା (ଶତ୍ରୁଭାବ) ଭାବ ଧରିଛନ୍ତି । ହେ ଶ୍ରୀଗୁରୁ, କଳିଯୁଗର ଏ ଦୁଃଖକଷ୍ଟରୁ ମୋତେ ପାରି କର । ଜଗତରେ ଝାଉଁଲତା ବନମଧ୍ୟରୁ ମୋତେ ପାରିକର । ହେ ମହାବାହୁ, ମୁଁ କ୍ଳନ୍ତ ହୋଇଗଲିଣି । ପଥରେ ମୁଁ ଜଗି ବସିଛି । ତୁମେ ଜଗତ କରତା ହୋଇ ଯଦି ମୋ ଦୁଃଖ ନ ବୁଝିବ, ତେବେ ମୋ ଜୀବନ ପ୍ରତି ଆଉ ଆଶା ନାହିଁ ।
ଛାତିରୂପୀ ଅଛ କଳିକାଳେ,ଛଡ଼ ବେଦ ବାସୀ ଧର୍ମ ବଳେ ।ଛନ୍ନ ଛନ୍ନ ହେଉଅଛି ପିଣ୍ଡେ ପ୍ରାଣ, ଛନ୍ଦେ ପଡ଼ି ଡାକୁଛି ବିକଳେ ହେ ଶ୍ରୀଗୁରୁ ।୨୮।ଚିହ୍ନଟ ଦିଅ ଏ କଳିକାଳେ,ଚନ୍ଦ୍ର ପରାୟେ ମହୀମଣ୍ଡଳେ ।ଚିଦାନନ୍ଦ ସ୍ୱାମୀ ବିଳମ୍ବ ନ କରି, ଚାହିଁ ଦୟାକର ଏତେବେଳେ ହେ ଶ୍ରୀଗୁରୁ ।୨୯।ଅନନ୍ତ ମୂରତି ଅଣାକାର,ଅନ୍ତର୍ଗତରେ ବିଚାର କର ।ଅନ୍ୟଥା ନ କର ଭୃତ୍ୟର ବଚନ, ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡଠାକୁର ହେ ଶ୍ରୀଗୁରୁ ।୩୦।ଘର ବାହାରେ ନୋହୁଛି ବାସ,ଘାରି ହୋଇ ରଜନୀ ଦିବସ ।ଘଡ଼ିକି ଘଡ଼ି ଚେତା ହଜିଯାଉଛି, ଘୋର କଳିକାଳେ ହୁଅ ଦୃଶ୍ୟ ହେ ଶ୍ରୀଗୁରୁ ।୩୧।ଗୁରୁସ୍ୱାମୀ ପରା ବୋଲାଉଛ,ଗୁପତରେ କାହିଁକି ଲୁଚିଛ ।ଗରବ ଗଞ୍ଜନ ବାନା ଥାଉଁ ଥାଉଁ, ଗୁଡ଼େ ଦିନ କିମ୍ପାଇ ରଞ୍ଚୁଛ ହେ ଶ୍ରୀଗୁରୁ ।୩୨।କ୍ଷିତି ମଣ୍ଡଳେ ମହିମା ରଖ,ଖ୍ୟାତ ହେଉ ତିନି ତ୍ରଇଲୋକ ।କ୍ଷୟ ଯାଉଅଛି ଘୋର କଳିଯୁଗେ, କ୍ଷମା ସାଗର ପୁରୁଷ ରଖ ହେ ଶ୍ରୀଗୁରୁ ।୩୩।କିସ ଜଣାଣ କରିବି ମୁହିଁ,କରତାଙ୍କ ପଦ୍ମପାଦ ଧ୍ୟାୟି ।କରଯୋଡ଼ି ବୋଲେ ଅରକ୍ଷିତ ଭୀମ, କର୍ତ୍ତା ଛାମୁରେ ବିନୟ ହୋଇ ହେ ଶ୍ରୀଗୁରୁ ।୩୪।
ଭାବାର୍ଥ- (୨୮-୩୪) ହେ ଶ୍ରୀଗୁରୁ, କଳିକାଳରେ ମୂର୍ତ୍ତି ରୂପରେ ରହିଛି । ପିଣ୍ଡରେ ପ୍ରାଣ ଛନ୍ନ ଛନ୍ନ ହେଉଛି । ଦୁଃଖରେ ପଡ଼ି ମୁଁ ତୁମକୁ ବିକଳରେ ଡାକୁଛି । ହେ ପ୍ରଭୁ, ଏ କଳିକାଳରେ ଜଗତ ବକ୍ଷରେ ଚନ୍ଦ୍ର ପରି ଉଭା ହୁଅ । ହେ ଚିଦାନନ୍ଦ ସ୍ୱାମୀ କୃପାଦୃଷ୍ଟିରେ ଚାହିଁ ଆମକୁ ରକ୍ଷା କର । ହେ ଅନନ୍ତ ମୂର୍ତ୍ତି ଅଣାକାର, ଅନ୍ତର୍ଯ୍ୟାମୀ, ବ୍ରହ୍ମାଣ୍ଡ ଠାକୁର, ଏ ଭୃତ୍ୟକୁ ଅନାଥ କର ନାହିଁ । ଦିବସରଜନୀ ଦୁଃଖ କଷ୍ଟରେ ଘାଣ୍ଟି ହୋଇ ଘର ବାହାରେ ରହିପାରୁ ନାହିଁ । ଘଡ଼ି ଘଡ଼ିକେ ଚେତା ହଜି ଯାଉଛି । ହେ ଶ୍ରୀଗୁରୁ, ଏ ଘୋର କଳିକାଳରେ ଦୃଶ୍ୟ ହୁଅ ।
ହେ ପ୍ରଭୁ, ଗୁରୁସ୍ୱାମୀ ବୋଲାଉଛି, ଗରବ ଗଞ୍ଜନ ବାନାକୁ ବହିଛି । ଗୁପ୍ତରେ କାହିଁକି ଲୁଚୁଛ ? ଏ ଜଗତରେ ତୁମର ମହିମାକୁ ରଖ । ତିନି ଭୁବନରେ ଏହା ଖ୍ୟାତ ହେଉ । କଳିଯୁଗରେ ମୁଁ କ୍ଷୟ ଯାଉଛି । ହେ କ୍ଷମାସାଗର ପୁରୁଷ । ମୋତେ ଘଣ୍ଟ ଘୋଡ଼ାଇ ରଖ । ହେ ଶ୍ରୀଗୁରୁ, ଅଧିକ କ’ଣ ବା ତୁମକୁ ଜଣାଇବି ? ଜଗତ କରତାଙ୍କ ପଦ୍ମପାଦକୁ ଭୀମ ଅରକ୍ଷିତ ଧାନ କରୁଛି ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ