ଯୁଦ୍ଧ ଖେଳ ଦେଖା ହେଲା
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୬
- ସ୍ଥିତି
- ସାର୍ବଜନୀନ (Public domain)
ଦ୍ରୋଣ ରଜାପୁଅମାନଙ୍କର ଗୁରୁ ହେବାରୁ ପିଲାଏ ଭାରି ଚାଲାକ ହେଲେ, ନାନା କଥା ଶିଖିଲେ । ନାନା ଦେଶରୁ ଆଉ କେତେ ରଜାପୁଅ ଆସି ତାଙ୍କ ପାଖେ ପଢ଼ା ଆରମ୍ଭ କଲେ । ସମସ୍ତଙ୍କଠାରୁ ଅର୍ଜୁନ ଧନୁ ବିଦ୍ୟା, ଭୀମ ଗଦା ଖେଳ ଭଲ ଶିଖିଲେ । ଦୁର୍ଯ୍ୟୋଧନ ଗଦା ଖେଳନ୍ତି; ହେଲେ, ଭୀମଙ୍କ ପରି ନୁହନ୍ତି ।
ଦ୍ରୋଣ ସବୁ ଶିଖାଇ ସାରିଲାରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ବିଚାରିଲେ । ଏଥିପାଇଁ ଏକ ବଡ଼ ପଡ଼ିଆ ସଜ୍ଜା ହେଲା । ପଡ଼ିଆ ଚାରିପାଖେ ଘର ତୋଳା ହେଲା । ଅନେକ ଆଡ଼ୁ ରଜା ପ୍ରଜା ଆସି ଖେଳ ଦେଖିବାକୁ ଜମା ହେଲେ । ପରୀକ୍ଷା ଦିନ ବାଇଦ ବାଜଣାରେ ଖେଳପଡ଼ିଆ ଉଛୁଳିଲା । ଚାରି ପାଖେ ଦେଖଣାହାରିଏ ଜମା ହୋଇ ଥାନ୍ତି, ବୁଢ଼ାଗୁରୁ ଦ୍ରୋଣ ପାଚିଲା ଦାଢ଼ି ଲମ୍ବାଇ, ଚିତା ପଇତା ଘେନି ଶିଷ୍ୟଙ୍କୁ ଧରି ଆସି ମଝିରେ ପହଞ୍ଚିଲେ । ଜଣକୁ ଜଣ ସେ ଆଗକୁ ଛାଡ଼ୁଥାନ୍ତି । ସମସ୍ତେ ନିଜ ନିଜର ବଳ କୌଶଳ ଦେଖାଉ ଥାନ୍ତି । ଲୋକେ କେତେବେଳେ ‘ସାବାସ୍’ ‘ସାବାସ୍’ କହୁଥାନ୍ତି ।
ମଝିରେ ଭୀମ ଆଉ ଦୁର୍ଯ୍ୟୋଧନଙ୍କ ଗଦା ଯୁଦ୍ଧ ଲାଗିଲା । ସେ ଖେଳ ଦେଖି ଲୋକଙ୍କର ଆଖି ବୁଜି ହୋଇଗଲା । ଆଷାଢ଼ ମାସର ମେଘ ଗର୍ଜ୍ଜନ ପରି ସେମାନେ ପାଟି କରୁଥାନ୍ତି, ଆଉ ବଜ୍ର ପଡ଼ିଲା ପରି ଗଦା ବାଡ଼ଉ ଥାନ୍ତି ।
ଶେଷକୁ ଅର୍ଜୁନ ଆସିଲେ । ସେ ନାନା ବାଣ ଖେଳ ଦେଖାଇଲେ । ବାଣ ମାରି ସେ ନିଆଁ ଜଳାଇଲେ, ମେଘ ବରଷାଇଲେ, ପବନ ବୁହାଇଲେ । ଲୋକେ ତା’ ଦେଖି ତାଟକା ହୋଇଗଲେ । କହିଲେ ‘‘ସାବାସ୍ ଅର୍ଜୁନ ସାବାସ୍ ।’’
ଅର୍ଜୁନଙ୍କ ପ୍ରଶଂସା ଶୁଣି କର୍ଣ୍ଣଙ୍କ ଦେହ ସହିଲା ନାହିଁ । ସେ ହେଉଚନ୍ତି ଧର୍ମରେ ପାଣ୍ଡବଙ୍କ ବଡ଼ ଭାଇ । କୁନ୍ତୀ ପିଲା ଥିଲାବେଳେ ସୂର୍ଯ୍ୟଙ୍କ ଅନୁଗ୍ରହରୁ ତାଙ୍କର ଗୋଟିଏ ପୁଅ ହୋଇଥିଲା । ସେ ତାକୁ ନଈରେ ଭସାଇ ଦେଇଥିଲେ । ଜଣେ ରଥ ଚଳାଇବା ଲୋକ ପିଲାଟିକୁ ପାଇ ଆପଣା ପୁଅ ପରି ପାଳିଲା । ସେଇ ପିଲାଟି ନାଁ କର୍ଣ୍ଣ ହେଲା । କର୍ଣ୍ଣ ଅର୍ଜୁନଙ୍କ ପରି ଭାରି ବଳୁଆ, ଆଉ ସୁନ୍ଦର । ଦ୍ରୋଣଙ୍କ ପାଖେ ସେ ପାଠ ପଢ଼ୁଥିଲେ । ମାତ୍ର ଦୁର୍ଯ୍ୟୋଧନଙ୍କ ସାଙ୍ଗ ହୋଇ ପାଣ୍ଡବଙ୍କ ଅହିତ ପାଞ୍ଚୁଥାନ୍ତି । କର୍ଣ୍ଣ ଜନ୍ମ ହେବା କଥା କୁନ୍ତୀଙ୍କ ଛଡ଼ା ଆଉ କିଏ ଜାଣି ନ ଥିଲେ ।
କର୍ଣ୍ଣ ଯେତେବେଳେ ଅର୍ଜୁନଙ୍କ ସଙ୍ଗେ ଲଢ଼ିବାକୁ ଉଠିଲେ, ସଭାଲୋକେ କହିଲେ, ‘‘କର୍ଣ୍ଣ ରଜା ନୁହନ୍ତି କି ରଜାପୁଅ ନୁହନ୍ତି । ତାଙ୍କ ବାପ ମା’ ଠିକ୍ ନାହିଁ । ସେ କିମିତି ରଜାପୁଅ ଅର୍ଜୁନ ସଙ୍ଗେ ଲଢ଼ିବେ ।’’
କର୍ଣ୍ଣଙ୍କ ମୁହଁ ରଙ୍ଗ ପଡ଼ିଗଲା । ସେ କିଛି କହିପାରିଲେ ନାହିଁ । ମାତ୍ର ତାଙ୍କ ମନରେ ଦୁଃଖ ଦେଖି ଦୁର୍ଯ୍ୟୋଧନ ସମ୍ଭାଳି ନ ପାରି କହିଲେ, ‘‘କର୍ଣ୍ଣ ପରା ରଜା ନୁହନ୍ତି ? ମୁଁ ଏଇକ୍ଷଣି ତାଙ୍କୁ ଅଙ୍ଗ ଦେଶର ରଜା କରୁଚି–ଆସୁ ଅର୍ଜୁନ ଲଢ଼ିବ ।’’ ଏହା କହି ସେ କର୍ଣ୍ଣଙ୍କ ମୁଣ୍ଡରେ ପାଟ ଶାଢ଼ି ବାନ୍ଧି ଦେଲେ ।
ବେଳ ବୁଡ଼ି ଯାଇଥିବାରୁ ସେ ଖେଳ ଆଉ ହେଲା ନାହିଁ । କର୍ଣ୍ଣଙ୍କର ଅର୍ଜୁନଙ୍କ ଉପରେ ବଡ଼ ରାଗ ରହିଲା ।
ପରେ ଗୁରୁଙ୍କୁ ଦକ୍ଷିଣା ଦେବା କଥା । ଦ୍ରୋଣ କହିଲେ, ‘‘ଦ୍ରୁପଦ ରଜାଙ୍କୁ ମୋ ପାଖକୁ ବାନ୍ଧି ଆଣିଲେ ମୁଁ ମୋ ଦକ୍ଷିଣା ପାଇଲି ।’’ ପ୍ରଥମେ କୌରବମାନେ ଯାଇ ହାରି ଫେରିଲେ, ତା’ପରେ ପାଣ୍ଡବମାନେ ଗଲେ । ଦ୍ରୁପଦଙ୍କୁ ବାନ୍ଧି ଆଣି ଦ୍ରୋଣଙ୍କ ପାଖେ ଠିଆ କରାଇଲେ । ଦ୍ରୋଣ ଦ୍ରୁପଦଙ୍କୁ ଗାଳି ଫଜିତ ନ କରି ଭଲ ଭାବରେ କହିଲେ, ‘‘ତୁମ ରାଜ୍ୟ ଏବେ ମୋର ହୋଇଚି । ମାତ୍ର ତୁମେ ମୋର ପିଲା ଦିନର ସାଙ୍ଗ । ସେଥିଲାଗି ମୁଁ ତୁମକୁ ଅଧେ ଫେରାଇ ଦେଲି-। ବାକି ଅଧକ ମୋର ।’’ ଏହା କହି ଛାଡ଼ି ଦେଲେ । ଦ୍ରୁପଦ ଲାଜରେ ମୁଣ୍ଡ ପୋତି ଅଧେ ରାଜ୍ୟ ହରାଇ ଗଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର