ଜଉ ଘର ପୋଡ଼ା ହେଲା
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୩
- ସ୍ଥିତି
- ସାର୍ବଜନୀନ (Public domain)
ସେ ଦିନ ଖେଳରେ ସମସ୍ତେ ଭୀମ ଆଉ ଅର୍ଜୁନଙ୍କୁ ପ୍ରଶଂସା କଲେ । ଏ କଥା ଦୁର୍ଯ୍ୟୋଧନ ସହି ପାରିଲେ ନାହିଁ । ଏ ଭିତରେ ଆଉ ଗୋଟିଏ କଥା ହେଲା । ଯୁଧିଷ୍ଠିର ତ କୁଳକୁ ବଡ଼, ଆଉ ଗୁଣବନ୍ତ ପୁଅ । ରାଜ୍ୟର ସମସ୍ତଙ୍କର ତାଙ୍କଠି ବୋଧ ଥାଏ । ଭୀଷ୍ମ, ଧୃତରାଷ୍ଟ୍ର ପ୍ରଭୃତି ବିଚାର କରି ତାଙ୍କୁ ଯୁବରାଜ କରାଇ ଦେଲେ । ଏ କଥାରେ ଜଳନ୍ତା ନିଆଁରେ କୁଟା ପକାଇଲା ପରି ଖଳ ଦୁର୍ଯ୍ୟୋଧନଙ୍କ ମନ ଜଳି ଉଠିଲା । ତାଙ୍କରି କେତେ ଦୁଷ୍ଟ ସାଙ୍ଗ ଥାନ୍ତି । ତାଙ୍କ ମାମୁ ଶକୁନି ସେଥିରୁ ଜଣେ । ସେମାନେ ସମସ୍ତେ ବସି ବିଚାର କଲେ, ‘‘ଆଉ ସହି ହେବ ନାହିଁ । ଏ ପାଣ୍ଡବ ପଞ୍ଝାକୁ ବାରୁଣବନ୍ତ ନେଇ ସେଠାରେ ଗୋଟେ ଜଉ ଘର କରି ପୋଡ଼ି ମାରି ଦେବା ।’’
ଏହା ବିଚାର କରି ସେମାନେ ଆଗରୁ ପୁରୋଚନ ବୋଲି ଏକ ଦୁଷ୍ଟ ଲୋକ ହାତରେ ଏକ ଜଉ ଘର ତୋଳାଇ ରଖିଲେ । ଏଣେ ବାପାଙ୍କୁ କହି ସେଠାରେ ଗୋଟେ ମେଳା ଦେଖି ଯିବା ପାଇଁ କୁନ୍ତୀ ପାଣ୍ଡବମାନଙ୍କୁ ପଠାଇ ଦେଲେ । ଦୁର୍ଯ୍ୟୋଧନଙ୍କର ଏ ଖଳ ବୁଦ୍ଧି କେବଳ ବିଦୁର ଜାଣନ୍ତି । ପାଣ୍ଡବମାନେ ଗଲା ବେଳକୁ ସେ କୌଶଳରେ ଏ କଥାତକ ତାଙ୍କୁ ଜଣାଇ ଦେଇଥିଲେ । ସେମାନେ ଧର୍ମକୁ ସାକ୍ଷୀ ରଖି ବାରୁଣାବନ୍ତ ଗଲେ ।
ଯାଇ ନୂଆ ଜଉ ଘରେ ରହିଲେ । ଦୁର୍ଯ୍ୟୋଧନ ଯେ ତାଙ୍କୁ ମାରିବାକୁ ପାଞ୍ଚିଛନ୍ତି, ସେମାନେ ଜାଣିଗଲେ । ଏଣେ ବିଦୁର କ’ଣ କରିଥାନ୍ତି ନା, ପାଣ୍ଡବଙ୍କ ପ୍ରାଣ ରଖିବା ପାଇଁ ଲୋକ ପଠାଇ ସେ ଘର ବାହାର ପାଖକୁ ଗୋଟେ ସିନ୍ଦି ଗାତ ଖୋଳାଇ ଦେଇଥାନ୍ତି ।
ଦୈବ ଯୋଗକୁ ପୁରୋଚନ ଯେଉଁ ଦିନ ଘରେ ନିଆଁ ଲଗାଇବ, ସେ ଦିନ ଜଣେ ମାଇପି ତା’ ପାଞ୍ଚ ପୁଅକୁ ଧରି ସେ ପିଣ୍ଡାରେ ଶୋଇଥିଲା । ପାଣ୍ଡବମାନେ ଏହା ଜାଣନ୍ତି ନାହିଁ । ପୁରୋଚନ ଉଠିବା ଆଗରୁ ପାଣ୍ଡବମାନେ ସେ ଘରେ ନିଆଁ ଲଗାଇ ଘର ଗାତ ବାଟେ ପଳାଇଲେ-।
ସକାଳୁ ଦେଖିଲା ବେଳକୁ ପୁରୋଚନ ମରିଛି । ଆଉ ଛଅଟି ଶବ ପଡ଼ିଚି । ସମସ୍ତେ ଭାବିଲେ, ଏ ନିଶ୍ଚୟ ପାଣ୍ଡବ ଆଉ ତାଙ୍କ ମା’ । ରାଜ୍ୟର ସମସ୍ତେ ହାହାକାର କଲେ । ଦୁର୍ଯ୍ୟୋଧନ ମନେ ମନେ ଭାରି ଖୁସି ହେଲେ । ବିଚାରିଲେ, ‘‘ଖାଅରେ ପୁଏ, ଭାଗ ଖାଅ ।’’ ମାତ୍ର ବିଦୁର ସବୁ କଥା ଜାଣି ଚୁପ୍ ହୋଇ ଥାନ୍ତି ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର