ଦ୍ରୋଣାଚାର୍ଯ୍ୟଙ୍କ କଥା
୧୮୯୮–୧୯୬୫
- ସଂକଳନ: ଟିକି ମହାଭାରତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୬
- ସ୍ଥିତି
- ସାର୍ବଜନୀନ (Public domain)
ଭରଦ୍ୱାଜ ଋଷିଙ୍କର ଦ୍ରୋଣ ବୋଲି ଗୋଟିଏ ପୁଅ ହେଲା । ଦ୍ରୋଣ ପିଲାଦିନୁ ଭାରି ବୁଦ୍ଧିଆ । ସେ ବାପାଙ୍କ ପାଖରୁ ଅନେକ ପାଠ ପଢ଼ିଲେ, ଆଉ ପର୍ଶୁରାମଙ୍କଠାରୁ ଯାଇ ଧନୁର୍ବିଦ୍ୟା ଶିଖିଲେ । ପଞ୍ଚାଳ ଦେଶ ରାଜାଙ୍କ ପୁଅ ଦ୍ରୁପଦ ପିଲାଦିନେ ଦ୍ରୋଣଙ୍କ ସଙ୍ଗେ ପାଠ ପଢ଼ୁଥାନ୍ତି । ଥରେ ସେ ଦ୍ରୋଣଙ୍କୁ କହିଲେ, ‘‘ଜାଣିଲ ସାଙ୍ଗ, ମୁଁ ଯେତେବେଳେ ରଜା ହେବି ତୁମର ପଇସାପତ୍ରର କିଛି ଅଭାବ ରହିବ ନାହିଁ; ଗଲେ ଦେବି ।’’ ପିଲା ଦିନର ଏ କଥାଟି ଦ୍ରୋଣଙ୍କର ମନେଥାଏ ।
ଦ୍ରୋଣଙ୍କର ବୟସ ହେଲା । ସେ ବିଭା ହେଲେ, ମାତ୍ର ବଡ଼ ଗରିବ ହୋଇଗଲେ । ତାଙ୍କର ପୁଅଟିର ଜନ୍ମ ହେଲା । ସେହି ପୁଅଟି ନାଁ ଅଶ୍ୱତ୍ଥାମା । ଅଶ୍ୱତ୍ଥାମାଙ୍କୁ ଦୁଧ ଟିକିଏ ଦେବା ପାଇଁ ଘରେ ଗାଈଟିଏ ନଥାଏ । ସେତେବେଳେକୁ ଦ୍ରୁପଦ ରଜା ହୋଇଥାନ୍ତି । ଦ୍ରୋଣଙ୍କର ପିଲା ଦିନ କଥା ମନେପଡ଼ିଲା । ସେ ତହୁଁ ଦ୍ରୁପଦଙ୍କୁ ଗାଈଟିଏ ମାଗିବାପାଇଁ ପୁଅ ମାଇପଙ୍କୁ ଧରି ପଞ୍ଚାଳ ଗଲେ । ଗରିବ କପାଳରେ ତ ସବୁ ଦୁଃଖ ଲେଖା; ଏ ଯିମିତି ଯାଇ ଦ୍ରୁପଦଙ୍କୁ ‘‘ସାଙ୍ଗ’’ ବୋଲି ଡାକିଲେ, ଦ୍ରୁପଦ ରାଗିଯାଇ ଖତେଇ ହେଲା ପରି କହିଲେ, ‘‘ଆହେ ଦେଖ ହେ, କୁଆଡ଼ୁ ଗରିବ ବ୍ରାହ୍ମୁଣଟିଏ ଆସି କହୁଚି ରଜାଙ୍କ ସାଙ୍ଗ ।’’ ଦ୍ରୋଣ ସେଠୁ ଦୁଃଖରେ ପଳାଇ ଅଇଲେ । ଆସି ଜିଦ୍କଲେ, ‘‘ୟାକୁ ଶାସ୍ତି ନ ଦେଲେ ଏ ବ୍ରାହ୍ମଣ ଟୋକାର ରାଗ ଯିବ ନାହିଁ । ’’
ଏମିତି କେତେ ଦିନ ଗଲା । ଦ୍ରୋଣ ଦିନେ ହସ୍ତିନା ବାଟେ କୁଆଡ଼େ ଯାଉ ଯାଉ ଦେଖିଲେ, କୁରୁ ପାଣ୍ଡବ ଭାଇମାନେ ଗୋଟେ ଲୁହା ପେଣ୍ଡୁ କୁଅରେ ପକାଇ ଆଉ କାଢ଼ି ପାରୁ ନାହାନ୍ତି । ଏ ସେଠାକୁ ଯାଇ ପିଲାମାନେ କହିବାରୁ ଶର ଉପରେ ଶର ମାରି ମାରି ପେଣ୍ଡୁଟିକି ଉପରକୁ କାଢ଼ି ଆଣିଲେ । ପିଲାମାନେ ଦେଖି ଭାରି ଆଶ୍ଚର୍ଯ୍ୟ ହୋଇଗଲେ । ଏକଥା ଯାଇ ଭୀଷ୍ମଙ୍କୁ କହିଲେ । ଭୀଷ୍ମ ଜାଣିପାରିଲେ ଯେ ଏ ନିଶ୍ଚୟ ଦ୍ରୋଣଙ୍କ କାର୍ଯ୍ୟ । ସେ ଦ୍ରୋଣଙ୍କୁ ଉଆସକୁ ଡକାଇ ନେଲେ, କୁରୁ ପାଣ୍ଡବ ଭାଇମାନଙ୍କର ଗୁରୁ କରାଇ ରଖିଲେ । ସବୁ ପିଲେ ତାଙ୍କ ପାଖେ ପାଠ ପଢ଼ିଲେ, ଧନୁର୍ବିଦ୍ୟା ଶିଖିଲେ ।
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର
ବଡ଼ପୁଅ
ଗୋଦାବରୀଶ ମିଶ୍ର
ତୋଳା କନ୍ୟା
ଗୋଦାବରୀଶ ମିଶ୍ର