ଈଶ୍ୱରଚନ୍ଦ୍ର ବିଦ୍ୟାସାଗର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୫୮
- ସ୍ଥିତି
- ସାର୍ବଜନୀନ (Public domain)
ଲୋକ ମନେ କରନ୍ତି ଯେ, ସେହି ବଡ଼ଲୋକ, ଯାହାର ବହୁଧନ, କୋଠାବାଡ଼ି, ଯାନବାହନ ଏବଂ ବହୁ ଆଜ୍ଞାକାରୀ ଭୃତ୍ୟ ଅଛନ୍ତି; କିନ୍ତୁ ପ୍ରକୃତ ବଡ଼ଲୋକ ସେହି, ଯେ ନିଜର ଜ୍ଞାନ, ସାଧୁଚରିତ୍ର ଓ ସଦ୍ଗୁଣଦ୍ୱାରା ପୃଥିବୀର ହିତସାଧନ କରେ । ତାହାର ଟଙ୍କା–କଉଡ଼ି, କୋଠାବାଡ଼ି, ଗାଡ଼ି-ଘୋଡ଼ା ଏବଂ ଦାସଦାସୀ ନଥିଲେ ସୁଦ୍ଧା, ସେ ଅତି ଦରିଦ୍ର ହୋଇଥିଲେହଁ ସେ ପ୍ରକୃତ ବଡ଼ଲୋକ । ସେ ପୃଥିବୀର ଅଳଙ୍କାର ସ୍ୱରୂପ, ସେ ମନୁଷ୍ୟ ହୋଇ ସୁଦ୍ଧା ଦେବତାତୁଲ୍ୟ ଭକ୍ତିଭଜନ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେହିଭଳି ବଡ଼ଲୋକ । ଈଶ୍ୱରଚନ୍ଦ୍ର ଜଣେ ଦରିଦ୍ର ବ୍ରାହ୍ମଣର ଗୃହରେ ଗୋଟିଏ କ୍ଷୁଦ୍ର କୁଟୀରରେ ଜନ୍ମଗ୍ରହଣ କରିଥିଲେ । ମେଦିନୀପୁର ଜିଲ୍ଲାରେ ଅନ୍ତର୍ଗତ ବୀରସିଂହ ଗ୍ରାବରେ ଖ୍ରୀଷ୍ଟାବ୍ଦ ୧୮୨୦ ସାଲରେ ତାହାଙ୍କର ଜନ୍ମ ହୋଇଥିଲେ । ଶୈଶବକାଳରେ ସେ ବଡ଼ ଚଞ୍ଚଳ ଓ ଅମାନିଆ ଥିଲେ; କିନ୍ତୁ ତାଙ୍କର ବୁଦ୍ଧି ଓ ସ୍ମରଣଶକ୍ତି ଯେ ଅସାଧାରଣ ଥିଲା ତାହା ସେହି ସମୟରୁ ଜଣାପଡ଼ିଥିଲେ । ସେ ପାଞ୍ଚବର୍ଷ ବୟସରେ ବିଦ୍ୟାରମ୍ଭ କରି, ଦୁଇ-ତିନି ବର୍ଷ ମଧ୍ୟରେ ପାଠଶାଳାରେ ଯେଉଁସବୁ ବିଷୟର ଶିକ୍ଷା ହୁଏ, ସେସବୁ ଶିଖି ପକାଇଲେ । ଏହି ସମୟରେ ତାଙ୍କ ପିତା ଠାକୁର ଦାସ ବନ୍ଦୋପାଧ୍ୟାୟ କଲିକତା ନଗରୀରେ ଦଶ ଟଙ୍କା ବେତନରେ କାର୍ଯ୍ୟ କରୁଥିଲେ । ଗ୍ରାମ୍ୟ ପାଠଶାଳାର ଶିକ୍ଷକ ତାଙ୍କୁ ଦିନେ କହିଲେ, ‘‘ଆପଣଙ୍କ ପୁତ୍ରର ପାଠଶାଳା ଶିକ୍ଷା ଶେଷ ହୋଇଅଛି । ସେ ବଡ଼ ବୁଦ୍ଧିମାନ୍ ଓ ମେଧାବୀ । ତାହାକୁ କଲିକତାରେ ଇଂରାଜୀ ଶିଖାଉନ୍ତୁ ।’’ ଠାକୁରଦାସ ତାଙ୍କର ଆୟ ୧୦ଟଙ୍କା ମଧ୍ୟରୁ ୫ଟଙ୍କା ଗ୍ରାମକୁ ଘାରଖରଚ ପାଇଁ ପଠାଇ ଅବଶିଷ୍ଟ ୫ ଟଙ୍କାରେ ପିତା ପୁତ୍ର ଉଭୟେ ଚଳିବେ, ଏହା ବିଚାର କରି ପୁତ୍ରକୁ ସଂଗରେ ନେଇ କଲିକତା ଯାତ୍ରା କଲେ ।
ସେତେବେଳେ ଈଶ୍ୱରଚନ୍ଦ୍ରଙ୍କ ବୟସ ପ୍ରାୟ ୯ବର୍ଷ । ପିତା ତାଙ୍କୁ କଲିକତା ସଂସ୍କୃତ କଲେଜ ନାମକ ସଂସ୍କୃତ ଶିକ୍ଷାର ବଡ଼ ବିଦ୍ୟାଳୟରେ ସଂସ୍କୃତ ବ୍ୟାକରଣ ଶିକ୍ଷାର ତଳ ଶ୍ରେଣୀରେ ବସାଇ ଦେଇ ଆସିଲେ । ଈଶ୍ୱରଚନ୍ଦ୍ର ଅଳ୍ପକେଳ ମଧ୍ୟରେ ପରୀକ୍ଷାରେ ପ୍ରଥମ ସ୍ଥାନ ଲାଭକରି ୫ ଟଙ୍କାର ମାସିକ ବୃତ୍ତି ପାଇଲେ । କଲିକତାରେ ସେ ଯେଉଁ ଘରେ ଥିଲେ ତାହା ଗୋଟିଏ ଅତି କ୍ଷୁଦ୍ର କୁଟୀର । ବିଦ୍ୟାଶିକ୍ଷା କରିବାକୁ ଆସି ସେହିଠାରେ ନାନା ଦୁଃଖକ୍ଳେଶ ମଧ୍ୟରେ ତାହାଙ୍କୁ ବାଲ୍ୟକାଳ ଯାପନ କରିବାକୁ ହୋଇଥିଲା । ନବମ ବର୍ଷ ଦିନୁ ତାହାଙ୍କୁ ରାନ୍ଧିବା, ବାସନ ଧୋଇବା, ପରିବା କାଟିବା, ଘର ଝାଡ଼ିବା ପ୍ରଭୃତି ସମସ୍ତ କାର୍ଯ୍ୟ କରିବାକୁ ହେଉଥିଲା । ତାଙ୍କ ପଢାଶୁଣା ପ୍ରତି ପିତାଙ୍କର ବିଶେଷ ଦୃଷ୍ଟି ଥିଲା । ସେ ପ୍ରତିଦିନ ଏକ ପ୍ରହର ରାତ୍ର ସମୟରେ କାର୍ଯ୍ୟ ସ୍ଥାନରୁ ଫେରିଆସି ପୁତ୍ରଠାରୁ ସେ ଦିନର ସମଗ୍ର ପଢା ନେଉଥିଲେ । ସମୁଦାୟ ପାଠ ଘୋଷି ଓ ପଇଟାଇ ପିତାଙ୍କ ନିକଟରେ ପ୍ରତିଦିନ ପୁତ୍ରକୁ ପାଠର ଆବୃତ୍ତି କରିବାକୁ ହେଉଥିଲା । ଆବୃତ୍ତି କରିବାରେ ଟିକିଏ ଭୁଲ ହେଲେ, କିମ୍ବା ପଢୁ ପଢୁ ଶୋଇ ପଡ଼ିଲେ ପିତା ପୁତ୍ରକୁ ପ୍ରହାର ଦ୍ୱାରା ଶାସନ କରୁଥିଲେ ଏବଂ ପାହାନ୍ତି ରାତ୍ରି ସମୟରେ ପୁତ୍ରକୁ ଉଠାଇ ସଂସ୍କୃତ ଶ୍ଲୋକ ଶିଖାଉଥିଲେ । ଏହିପରି କଠୋର ଶାସନରେ ଈଶ୍ୱରଚନ୍ଦ୍ର କ୍ରମେ କ୍ରମେ ବିଦ୍ୟାର୍ଜ୍ଜନ କରିବାକୁ ଲାଗିଲେ । ବ୍ୟାକରଣ ଶ୍ରେଣୀରୁ କାବ୍ୟ ଶ୍ରେଣୀକୁ, କାବ୍ୟ ଶ୍ରେଣୀରୁ ଅଳଂକାର ଶାସ୍ତ୍ରର ଶ୍ରେଣୀକୁ, ଅଳଂକାର ଶ୍ରେଣୀରୁ ସ୍ମୃତି, ନ୍ୟାୟ, ବେଦାନ୍ତ ପ୍ରଭୃତି କଠିନ ଶାସ୍ତ୍ରଶିକ୍ଷାର ଶ୍ରେଣୀକୁ ଉତ୍ତୀର୍ଣ୍ଣହୋଇ ସେ ସବୁ ଶ୍ରେଣରେ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚତର ବୃତ୍ତି ଓ ପୁରସ୍କାରମାନ ପାଇବାକୁ ଲାଗିଲେ । ପିତା ପୁତ୍ର ଦ୍ୱୟଙ୍କର ବିବାହ ଯୋଗୁଁ ଋଣଗ୍ରସ୍ତ ହୋଇଥିବାରୁ ଈଶ୍ୱରଚନ୍ଦ୍ରଙ୍କ ଅର୍ଜ୍ଜିତ ବୃତ୍ତି ଓ ପୁରସ୍କାର ଟଙ୍କା ଋଣ ପରିଶୋଧ କରିବାରେ ବ୍ୟୟିତ ହୋଇ ଯାଉଥିଲା । ତେଣୁ ତାଙ୍କ ଖାଇବାର ବ୍ୟବସ୍ଥା ପୂର୍ବପରି କଷ୍ଟକର ରହିଥିଲା । ଈଶ୍ୱରଚନ୍ଦ୍ର ଏହିପରି ବାଲ୍ୟ ଓ ଯୌବନରେ ବହୁ ଦୁଃଖକ୍ଳେଶ ସହି ପ୍ରଫୁଲ୍ଲ ଚିତ୍ତରେ ବାସଗୃହର ସବୁ କାର୍ଯ୍ୟ ନିଜ ହସ୍ତରେ କରି ଏବଂ ପ୍ରଗାଢ ପରିଶ୍ରମ ସହକାରେ କଠିନ ଶାସ୍ତ୍ରମାନ ଆୟତ୍ତ ଏବଂ ବ୍ୟାକରଣ କାବ୍ୟ ପ୍ରଭୃତି ସବୁ ବିଷୟରେ ଅସାଧାରଣ ପାଣ୍ଡିତ୍ୟ ଲାଭକରି କଲେଜର ଶେଷ ପରୀକ୍ଷାରେ ବହୁ ପ୍ରଶଂସା ସହିତ ଉତ୍ତୀର୍ଣ୍ଣ ହୋଇ ‘ବିଦ୍ୟାସାଗର’ ଉପାଧିରେ ଭୂଷିତ ହେଲେ ଏବଂ‘ ଫୋର୍ଟ ଉଇଲିୟମ୍ କଲେଜ ’ ର ପ୍ରଧାନ ପଣ୍ଡିତ ପଦରେ ନିଯୁକ୍ତ ହେଲେ । ସେତେବେଳେ ତାହାଙ୍କର ବୟସ ୨୧ ବର୍ଷ । ଶେଷୋକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିବା ସମୟରେ ସେ ବୁଝିପାରିଲେ ଯେ, ତାଙ୍କର ଇଂରାଜୀଶିକ୍ଷା କରିବା ଆବଶ୍ୟକ । ସେ ବେଶି ବୟସରେ ଇଂରାଜୀଶିକ୍ଷା ଆରମ୍ଭ କରିତ ଏପରି ମନୋଯୋଗ ଓ ଯତ୍ନ ସହିତ ଇଂରାଜୀ ଅଧ୍ୟୟନ କରିବାକୁ ଲାଗିଲେ ଯେ, ଦୁଇ ତିନିବର୍ଷ ବଧ୍ୟରେ ସେ ଇଂରାଜୀ ଭାଷାରେ ନିପୁଣତା ଲାଭ କରିପାରିଥିଲେ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନିଜ କର୍ତ୍ତବ୍ୟ ସାଧନରେ ଯେପରି ନିପୁଣ, ସେହିପରି ପରିଶ୍ରମୀ ଥିଲେ । ସମସ୍ତେ ତାହାଙ୍କର କାର୍ଯ୍ୟର ପ୍ରଶଂସା କରିବାକୁ ଲାଗିଲେ ଏବଂ ସେ କ୍ରମେ କ୍ରମେ ଉଚ୍ଚିର ପଦମାନଙ୍କରେ ପ୍ରତିଷ୍ଠିତ ହେବାକୁ ଲାଗିଲେ । ସେ ଶେଷରେ ସଂସ୍କୃତ କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇ ସେହି ବିଦ୍ୟାଳୟର ବିବିଧ ଉନ୍ନତି ସାଧନ କଲେ ଏବଂ କେତେକ ଜିଲ୍ଳାର ବିଦ୍ୟାଳୟମାନ ପରିଦର୍ଶନ କରିବାର ଭାରପ୍ରାପ୍ତ ହୋଇ ବାଳକ ଓ ବାଳିକାମାନଙ୍କ ଶିକ୍ଷା ନିମିତ୍ତ ଅନେକ ନୂତନ ବିଦ୍ୟାଳୟ ସ୍ଥାପନ କରାଇଲେ । ୧୮୫୮ ସାଲରେ ସହକାରୀ ଶିକ୍ଷାବିଭାଗର ଡିରେକ୍ଟର ସାହେବଙ୍କ ସଙ୍ଗେ ବିଦ୍ୟସାଗରଙ୍କର ମତବିରୋଧ ଘଟିଥିଲା । ବିଦ୍ୟାସାଗର ଅଧୀନ କର୍ମଚାରୀ ଥିବାରୁ ସାହେବ ତାଙ୍କୁ ନାନା ଆଦେଶ ଦେଉଥିଲେ; କିନ୍ତୁ ସେ କେତେକ ଆଦେଶକୁ ଅସମ୍ମତ ହେଲେ ଏବଂ ତାଙ୍କ ପଦର ସମ୍ମାନ ରକ୍ଷା କରିବା ଉଚିତ ମଣି ପାଞ୍ଚଶତ ଟଙ୍କା ବେତନର ଉଚ୍ଚପଦ ତ୍ୟାଗ କଲେ । ଅନେକ ସେହେବ ଓ ପ୍ରସିଦ୍ଧ ଦେଶୀୟ ଲୋକ ତାହାଙ୍କୁ ଏପରି ଉଚ୍ଚପଦ ପରିତ୍ୟାଗ କରିବାକୁ ନିଷେଧ କରିଥିଲେ; କିନ୍ତୁ ସେ ଉତ୍ତର କଲେ, ‘‘ମୁଁ ପବିତ୍ର ଆତ୍ମମର୍ଯ୍ୟାଦାକୁ ଧନ ଓ ସାଂସାରିକ ମାନ ମର୍ଯ୍ୟାଦା ଅପେକ୍ଷା ଅଧିକ ମଣେ ।’’
ବିଦ୍ୟାସାଗର ସଂସ୍କୃତ ଶିକ୍ଷାର ପଥକୁ ସୁଗମ କରିବ ନିମିତ୍ତ ଏବଂ ବଙ୍ଗଳା ଭାଷାର ସାହିତ୍ୟର ଉନ୍ନତି ନିମିତ୍ତ ଅନେକଗୁଡ଼ିଏ ଗ୍ରନ୍ଥ ପ୍ରଣୟନ କରିଥିଲେ । ଉପକ୍ରମଣିକା ବ୍ୟାକରଣ, ବ୍ୟାକରଣ କୌମୁଦୀ, ଶକୁନ୍ତଳା ଉପାଖ୍ୟାନ, ସୀତାର ବନବାସ, ବେତାଳ ପଞ୍ଚବିଂଶତି, ବୋଧୋଦୟ, ବର୍ଣ୍ଣପରିଚୟ ପ୍ରଭୃତି ଅନେକ ଗ୍ରନ୍ଥ ସାଦରେ ଲୋକସମାଜରେ ଗୃହୀତ ଓ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ହୋଇଥିଲା ଏବଂ ଏହି ସବୁ ପୁସ୍ତକରୁ ତାଙ୍କର ପ୍ରାୟ ୫୦,୦୦୦ ଟଙ୍କା ବାର୍ଷିକ ଆୟ ହେଉଥିଲା ।
ବିଦ୍ୟାସାଗର ମହାପଣ୍ଡିତ, ମହାକର୍ମୀ ଏବଂ ସଦା ପରୋପକାରୀ ମହାତ୍ମା ଥିଲେ । ପର ଦୁଃଖ ମୋଚନ ତାଙ୍କ ଜୀବନର ପରମବ୍ରତ ଥିଲା । ଶତ ଶତ ଦରିଦ୍ର ପରିବାରକୁ ଅନ୍ନ ବସ୍ତ୍ର ଦାନ ଓ ଅର୍ଥଦାନ, ଦୁର୍ଭିକ୍ଷପୀଡ଼ିତ ଅସହାୟ ଲୋକମାନଙ୍କ ପାଇଁ ଅନ୍ନଚ୍ଛତ୍ର ପ୍ରତିଷ୍ଠା, ଶତ ଶତ ଦରିଦ୍ର ଛାତ୍ରମାନଙ୍କୁ ସାହାର୍ଯ୍ୟ ଦାନ, ରୋଗୀର ସେବା, ବିପନ୍ନ ଲୋକର ଉଦ୍ଧାର, ଏହିପ୍ରକାର ଅଜସ୍ର ଦାନ ଦ୍ୱାରା ବିଦ୍ୟାସାଗର ଦୟାର ଅବତାର ଓ ଦୟାର ସାଗର ବୋଲି ବିଖ୍ୟାତ ହୋଇଥିଲେ । ପରର ଦୁଃଖ ଦେଖିଲାକ୍ଷଣି ତାଙ୍କର ହୃଦୟ ବିଗଳିତ ହେଉଥିଲା ଏବଂ ତାଙ୍କ ନୟନରୁ ଅଶ୍ରୁଧାରା ପ୍ରବାହିତ ହେଉଥିଲା । ହିନ୍ଦୁ ବାଳ-ବିଧବାମାନଙ୍କର ଦୁଃଖରେ ତାହାଙ୍କର ପ୍ରାଣ ଗଭୀର ବେଦନାରେ ବ୍ୟଥିତ ହୋଇଥିଲା ଏବଂ ସେମାନଙ୍କ ଦୁଃଖ ନିବାରଣ କରିବା ପାଇଁ ସେ ହିନ୍ଦୁ ଶାସ୍ତ୍ରର ବିଧାନ ଅନୁସାରେ ବାଳ-ବିଧବାର ପୁନର୍ବିବାହ ହୋଇପାରେ, ଏହା ପ୍ରମାଣ କରି ସମଗ୍ର ଭାରତବର୍ଷରେ ମହାକୀର୍ତ୍ତି ରଖିଯାଇଛନ୍ତି । ବିଧବା-ବିବାହ ପ୍ରଚଳିତ କରାଇ ସେ ଯେ କେତେ କଷ୍ଟ, ଅପମାନ ଓ ଲୋକନିନ୍ଦା ସହିଥିଲେ ତାହା କହି ହେବ ନାହିଁ । କିନ୍ତୁ ସବୁ କ୍ଲେଶ ଓ ଭୟ ମଧ୍ୟରେ ସେ ବୀରୋଚିତ ଧୌର୍ଯ୍ୟ ସହକାରେ ନିଜର କର୍ତ୍ତବ୍ୟ ସାଧନ କରିଥିଲେ ।
ବିଦ୍ୟାସାଗର ଯେପରି ମହାଦୟାଳୁ ମହାତ୍ମା ଥିଲେ, ସେହିପରି ସେ ପ୍ରକୃତ ସ୍ୱଦେଶହିତୈଷୀ ଓ ସ୍ୱଦେଶ ହିତସାଧକ ଥିଲେ । ଦେଶୀୟମାନଙ୍କ ମଧ୍ୟରେ ସେ ସର୍ବପ୍ରଥମେ କଲିକତା ମହାନଗରୀରେ ନିଜ ଯତ୍ନରେ ଇଂରାଜୀ କଲେଜ ସ୍ଥାପନ କରିଥିଲେ । ପରେ ତାଙ୍କର ଦୃଷ୍ଟାନ୍ତ ଅନୁସରଣ କରି କେତେକ ଦେଶହିତୈଷୀ ଦେଶୀୟ କଲେଜ ସ୍ଥାପନ କରିଅଛନ୍ତି । ଏହାଛଡ଼ା ବିଦ୍ୟାସାଗର ଅନେକ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା କରାଇଥିଲେ ଏବଂ ନିଜ ଜନ୍ମ ଗ୍ରାମରେ ଦାତବ୍ୟ-ଚିକିତ୍ସାଳୟ ସ୍ଥାପନ କରିଥିଲେ ।
ଈଶ୍ୱରଚନ୍ଦ୍ରଙ୍କର ପିତାମହ ଓ ପିତା ଦରିଦ୍ର ଥିଲେହେଁ, ସେମାନେ ସଚ୍ଚରିତ୍ର ଓ ତେଜସ୍ୱୀ ପୁରୁଷ ଥିଲେ । ତାଙ୍କର ଜନନୀ ଜନନୀ ଭଗବତୀ ଦେବୀ ଯେପରି ପୁଣ୍ୟବତୀ ଓ ତେଜସ୍ୱିନୀ, ସେହିପରି ଦୟାବତୀ ଓ ପରୋପକାରିଣୀ ଥିଲେ । କାହାରି ଦୁଃଖ କ୍ଳେଶ ଦେଖିଲେ ତାଙ୍କର ହୃଦୟ ଦ୍ରବୀଭୂତ ହେଉଥିଲା । ତାଙ୍କରି ଆଦେଶ ଅନୁସାରେ ବିଦ୍ୟାସାଗର ବାଳବିଧବାମାନଙ୍କର ବିବାହ ନିମିତ୍ତ ଏତେ ଯତ୍ନ କରିଥିଲେ । ଈଶ୍ୱରଚନ୍ଦ୍ର ପିତାମାତାଙ୍କର ପରମ ଭକ୍ତ ଥିଲେ । ସେ ବାରମ୍ବାର କହିଅଛନ୍ତି, ମୁଁ ଜନକ ଜନନୀ ରୂପ ଦେବଦେବୀଙ୍କର ଭକ୍ତ ଓ ସେବକ । ସେମାନଙ୍କର ଚରଣପୂଜା ମୋର ପରମ ଧର୍ମ ।
ବିଦ୍ୟାସାଗର ୭୦ ବର୍ଷ ବୟସରେ ୧୮୯୧ ଖ୍ରୀଷ୍ଟାବ୍ଦ, ଜୁଲାଇ ମାସ ୨୯ ତାରିଖରେ ପରଲୋକ ଗମନ କଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ