ଗୋପୀ ବିଳାପ — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିପ୍ରଥମ ବୋଲି
(ରାଗ-ଚକ୍ରକେଳି)ଜୟ କୃଷ୍ଣଚନ୍ଦ୍ର ରାଧା ନାୟକଜୟ ଅତସି କୁସୁମ କାୟକ ।୧।ଜୟ ଗୋପୀ ମନୋରଥ ଦାୟକଜୟ ଅଶେଷ ଲୀଳା ବିଧାୟକ ।୨।ଜୟ ମୋହନ ମୂରଲୀ ଧାରଣଜୟ ମୋହ ବିପତ୍ତି ନିବାରଣ ।୩।ଜୟ ପ୍ରଫୁଲ୍ଲ ପଙ୍କଜ ଚରଣଜୟ ଅଶରଣ ଜନ ଶରଣ ।୪।ଜୟ ବୃନ୍ଦା ବିପିନ ଶଶଧରଜୟ ତରୁଣ ଅରୁଣ ଅଧର ।୫।ଜୟ ଚନ୍ଦ୍ରକ ଚନ୍ଦ୍ରକ ମଣ୍ଡନଜୟ ଭବ ଭୟ ଚୟ ଖଣ୍ଡନ ।୬।ଜୟ କଂସ ଅସୁର ନାଶକରମୋତେ କିଞ୍ଚିତ ଚିତ୍ତେ ଦୟା କର ।୭।ପାପୀ ମୋହ ପରି ନାହିଁ ଜଗତୀଦିନେ କରି ନାହିଁ ତୁମ୍ଭ ଭଗତି ।୮।ଅତି ଅନିତ୍ୟ ସଂସାର ଦେଖୁଛିଦେଖୁ ଦେଖୁ ମୋହପଙ୍କେ ଲାଖୁଛି ।୯।ହୋଇ ଆସକତ ମାୟା ମୋହରେମନ ଦେଲି ନାହିଁ ତୁମ୍ଭ ପାଦରେ ।୧୦।ଯେଣୁ ମୋଚିତ୍ତ ଆୟତ୍ତ ନୁହଇଧର୍ମ କରିବା ସାମର୍ଥ ହିଁ ନାଇଁ ।୧୧।ଆଉ ଏବେ କଉଁ ବୁଦ୍ଧି କରିବିଦିନେ ଏଥର ଅବଶ୍ୟ ମରିବି ।୧୨।ନିଶ୍ଚେ ଜାଣୁଛି ପଡିବି ନରକେଆହା ବୋଲିବାକୁ ନାହିଁ ମୋର କେ ।୧୩।ଏକା ଏତିକି ଭରସା ଦିଶୁଛିତୁମ୍ଭେ ତାରିବ ମନକୁ ଆସୁଛି ।୧୪।ତୁମ୍ଭ ନାମ ଯେ ପତିତ ତାରଣଅଟ ପୁଣି ଅଶରଣ ଶରଣ ।୧୫।ମୋତେ ଏହି ଘେନି ଦୟା କରିବମହାପାପୀ ହେଲେହେଁ ତ ତାରିବ ।୧୬।ପ୍ରଭୁ ମୋହଠାରେ ନୁହ ନିର୍ଦ୍ଦୟଦିବ୍ୟ ଚିତ୍ତେ ଦୟାକର ଉଦୟ ।୧୭।କିଛି ବର୍ଣ୍ଣିବି ତୁମର ଚରିତନାଶ ଯିବ ମୋର ଘୋର ଦୁରିତ ।୧୮।ସାଧୁ ଜନମାନେ କର କରୁଣାତୁମ୍ଭ ପ୍ରସନ୍ନେ ହେବି ମୁଁ ଫୁରୁଣା ।୧୯।ମୋର ଦୋଷାଦୋଷ କିଛି ନ ଧରଘୋର ସଂସାର ସାଗରୁ ଉଦ୍ଧର ।୨୦।ମୋର କଥାରେ ବୋଲିବି ଏ ବୋଲିଦୋଷ ନ ଦେବ ଦେଶ ଭାଷା ବୋଲି ।୨୧।ଯେଣୁ କୃଷ୍ଣ ଚରିତ ଏ ଅଟଇଦୋଷ ଥିଲେହେଁ ଏଥି ନ ଘଟଇ ।୨୨।ତୁମ୍ଭେ ଯେବେ ଅନୁଗ୍ରହ କରିବତେବେ ଏ ଗୀତ ମୋର ପ୍ରସରିବ ।୨୩।ଖଳ ଜନମାନେ ଏଥି ଦୁଷିବେହେଲା ନୋହିଲା ବୋଲି ଯେ ଭାବିବେ ।୨୪।ସେ ତ ତାଙ୍କର ସହଜ ସ୍ୱଭାବ
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ବୃଥା କଥାରେ କରନ୍ତି ଅଭାବ ।୨୫।
କରି ଶରଣ ଯେ ତୁମ୍ଭମାନଙ୍କୁ
ଡରୁ ନାହିଁ ଦୁରୁଜନମାନଙ୍କୁ ।୨୬।
ଏବେ ଶୁଣ ନରେ ତୋଷ ଚିତ୍ତରେ
ଯେଉଁ କଥା କହୁଅଛି ଗୀତରେ ।୨୭।
କଂସ ମାରିବା ବିଚାରି ମନରେ
ହରି ଜନ୍ମିଲେ ମଧୂ ଭୁବନରେ ।୨୮।
ଆସି ବଢିଲେ ଯଶୋଦା କୋଳରେ
କେଳି କଲେ ଗୋପବାଳ ମେଳରେ ।୨୯।
ଷୋଳ ସହସ୍ର ଗୋପୀଙ୍କି ମୋହିଲେ
ସେ ତ ସରିବାର ନୋହେ କହିଲେ ।୩୦।
ଯାହା ଜାଣି ନାହାନ୍ତି ବ୍ରହ୍ମା ଶିବ
ମୋତେ କହିବାକୁ କି ସେ ଆସିବ ।୩୧।
ଦୂର କରି ତେଡ଼େ ବଡ଼ ପୀରତି
ଗଲେ ମଥୁରା ମଧୁର ମୂରତି ।୩୨।
କଂସ ନାସି ତେଣେ ଯାଇଁ ରହିଲେ
କାମ ଅନଳେ ଗୋପୀଙ୍କି ଦହିଲେ ।୩୩।
ମହାଦୁଃଖୀ ହେଲେ ବ୍ରଜ କିଶୋରୀ
ତାଙ୍କ ଗୁଣ ନ ପାରିଲେ ପାଶୋରି ।୩୪।
ଦିନୁ ଦିନ ଅତି ଖିନ୍ନ ହୁଅନ୍ତି
ମନ କୃଷ୍ଣଠାରେ ମାନ୍ତ୍ର ଦିଅନ୍ତି ।୩୫।
ଦିନେ ହୋଇଥିଲା ଚନ୍ଦ୍ର ରଜନୀ
ମେଳ ହୋଇଥିଲେ ଛଅ ସଜନୀ ।୩୬।
ଛୟେ ଚୁନ ପ୍ରାଙ୍ଗଣକୁ ଆସିଲେ
କୃଷ୍ଣ ଲୀଳାମାନ କହି ବସିଲେ ।୩୭।
ରସକଳା, ପ୍ରୀତିଶୀଳା, କମଳା,
ପ୍ରିୟବତୀ, ରସବତୀ, ଶ୍ୟାମଳା ।୩୮।
କଉଁ ସଜନୀ ତହିଁରେ ବୋଇଲା
ଆମ୍ଭ ମରଣ ଗୋ ଆସି ହୋଇଲା ।୩୯।
ତାକୁ ପାଶୋରି କି ଆଉ ପାରିବା
ପଛେ ଝୁରି ଝୁରି ସିନା ମରିବା ।୪୦।
କେତେ ସ୍ନେହ କରି ମନ ମଣ୍ଡନ
ଏବେ ଏକାବେଳେ କଲେ ଖଣ୍ଡନ ।୪୧।
ଦିନ ଦିନକ ଚରିତ କହିଲେ
ନ ସରିବ ଯୁଗକରେ ଲିହିଲେ ।୪୨।
ଶୁଣ କହଇ ପରାଣ ପୀରତି
ମତେ ଯାହା କଲେ ଚାରୁ ମୂରତି ।୪୩।
ସେ ତ ଚିତ୍ତର ମୋହନ ମନ୍ତର
ଦେଖି କାମେ କେ ନୋହିବ କାତର ।୪୪।
କେତେ ଜାତି ବେଶ ଥାଇ ବନାଇଁ
କେବା ନ ଭୁଲିବ ତାକୁ ଅନାଇଁ ।୪୫।
ଆହା କି ମୋହନ ବାଣୀ କହଇ
ସତୀ ଯୁବତୀଙ୍କ ମନ ମୋହଇ ।୪୬।
ସହି ଚାହିଁଲେ ମୁଁ ତାର ବଦନ
ମୋତେ କେତେ ଦଣ୍ଡ ଦିଏ ମଦନ ।୪୭।
ବେନି ବାହୁ ଘେନି ତାଙ୍କୁ ଭିଡିବି
ଜଡି ଯାଇଁ ନିବିଡେ ନ ଛାଡିବି ।୪୮।
ଚାରୁ ମୁଖେ ଦେବି ସରୁ ଚୁମ୍ବନ
ଏହି କଥା ହିଁ ଲୋଡୁଥାଇ ମନ ।୪୯।
ପୁଣି କୁଳ ବେଭାରକୁ ଡରଇ
ଶାଶୁ ନଣନ୍ଦଙ୍କୁ ଭୟ କରଇ ।୫୦।
ସେହି ମୋତେ ଭଲ ସୁଖ ପାଆନ୍ତି
ଅତି ସରାଗେ ଅନାଇଁ ଥାଆନ୍ତି ।୫୧।
ମୋର ପାଣି ଆଣିଯିବା କାଳରେ
ଜଗି ବସିଥାନ୍ତି ନଦୀ କୂଳରେ ।୫୨।
ଦିନେ ନ ଦେଖିଲେ ମୋର ମୁଖକୁ
ମନେ ଲଭୁଥାନ୍ତି ମହାଦୁଃଖକୁ ।୫୩।
ଯେବେ ଏକା କରି ଭେଟ ପାଆନ୍ତି
ଅତି ବିନତିରେ କହୁ ଥାଆନ୍ତି ।୫୪।
ଦିନେ ମୋ କଥା ନୋହିଲା ମନରେ
କରି ନିରାଶ କି ଦାସ ଜନରେ ।୫୫।
କାମ ନିଶ୍ଚୟେ କଲାଟି ମରଣ
ପ୍ରାରବନ୍ଧୁ ହେଉ ନାହୁଁ ଶରଣ ।୫୬।
ତାହାଙ୍କୁ ମୁଁ ବୋଇଲି ଆହେ ହରି
କେଉଁ ଆୟତ୍ତ ଅଛିଟି ମୋହରି ।୫୭।
ତୁମ୍ଭ ସଙ୍ଗ ସୁଖ ଭୋଗ ହୋଇବ
ଏହା କଲା କେଉଁଠାରେ ଦଇବ ।୫୮।
ମୋର ଅଛନ୍ତି ଭଗାରୀ ବହୁତ
ଦୋଷ ଦେଉଥାନ୍ତି ଚାହୁଁ ଚାହୁଁ ତ ।୫୯।
ଶାଶୁ ବୁଢୀ ହିଁ ଦେଖି ନପାରଇ
ମିଛେ ଦୋଷ ଦେଇ ଗଞ୍ଜି ମାରଇ ।୬୦।
ସହି ନୁହଇ ନଣନ୍ଦ ଗୁମାନ
ତାର ବଚନ ପାଷାଣ ସମାନ ।୬୧।
ମନ ମୋହନ ଏଥି କି କରିବି
କେହି ତୁମ୍ଭ ପ୍ରୀତି କରି ପାରିବି ।୬୨।
ଏହି ରୂପରେ ମୁହିଁ କହୁଥାଇ
ଯେଣୁ କିଛିହିଁ ଆୟତ୍ତ ନଥାଇ ।୬୩।
ଏହି ରୂପରେ ପରାଣ ମିତରେ
କେତେ ଦିନ ଗଲା ଏଥି ଭିତରେ ।୬୪।
ଶାଶୁ ଝିଆରୀର ବିଭା ପଡିଲା
ପୁଣି ଶାଶୁକୁ ତା ଭାଇ ଲୋଡିଲା ।୬୫।
ମୋର ଏକା ଝିଅ ବିଭା କରୁଛି
ଏହିଠାରୁ ତ ଦେଖିବା ସରୁଛି ।୬୬।
ତୁମ୍ଭେ ଯିବ ଝିଅକୁ ସଙ୍ଗେ ଘେନି
ମୁହିଁ ଆସିଛିଟି ମୂଳ ଏ ଘେନି ।୬୭।
ଘେନା ଘେନି କରି ବହୁ କହିଲେ
ମାଆ ଝିଅଟି ବାହାର ହୋଇଲେ ।୬୮।
ଝିଅ ଖୋଷା ଖୋଷି ଗଭା ବାନ୍ଧିଲା
କଳା ଘାଗଡା ଶାଢ଼ୀଏ ପିନ୍ଧିଲା ।୬୯।
ମୁଣ୍ଡେ ଦେଲା ତା ସିନ୍ଦୂର ଚିତାକୁ
ଦେଲି ମୋ ବଳା ପାହୁଡ଼ ହିଁ ତାକୁ ।୭୦।
ମନ ଅନୁରୂପେ ସଜ ହୋଇଲା
ମତେ ଚାହିଁ ଶାଶୁ ଏହା ବୋଇଲା ।୭୧।
ଘର ବୁଲି ନ ଯିବୁଟି କେଣିକି
ବେଳ ଥାଉ ଆଣ ଯାଇ ପାଣିକି ।୭୨।
ରାତି ନୋହୁ ଭାତ ରାନ୍ଧି ଖାଇବୁ
ଦ୍ୱାର କିଳି ଗମ୍ଭୀରିରେ ଶୋଇବୁ ।୭୩।
ମୋର ଅସହଣି ଲୋକେ ଅଛନ୍ତି
ତୁଚ୍ଛା କଥା ହେଲେହେଁ ତ ବାଛନ୍ତି ।୭୪।
ଦାଣ୍ଡେ ହାଟେ ନ ବାଢିବୁ ପୋଥାକୁ
ତୋତେ ତିଆରୁଛି ଏହି କଥାକୁ ।୭୫।
ଏତେ କହି ସେହୁ କଲେ ଗମନ
ଶୁଣ ଏ ଉତ୍ତାରୁ ହୋଇ ସୁମନ ।୭୬।
ଶାଶୁ ତିଆରିବା କଥା ଶୁଣିଲି
କୁଳ ବେଭାର ମନକୁ ଆଣିଲି ।୭୭।
ସେହିକ୍ଷଣି ପାଣି ଘେନି ଅଇଲି
ବେଗା ବେଗି ଭାତ ରାନ୍ଧି ଖାଇଲି ।୭୮।
ଦାଣ୍ଡ ବାଡି କବାଟହିଁ କିଳିଲି
ଯାଇ ଗମ୍ଭୀରି ଘରରେ ମିଳିଲି ।୭୯।
ପଲଙ୍କ ଉପରେ ଶେଯ ପାଢ଼ିଲି
ଦୀପ ଲିଭାଇ ଦେଇ ପହୁଡ଼ିଲି ।୮୦।
ସୁଖେ ନିଦ ଯାଇଛି ମୁଁ ସଜନୀ
ଆସି ଅର୍ଦ୍ଧ ହୋଇଲାନି ରଜନୀ ।୮୧।
ଏହି ସମୟରେ କାନ୍ତ ଅଇଲେ
ଦାଣ୍ଡ କବାଟ କି କରି ଫେଇଲେ ।୮୨।
ଘରେ ପଶି ସେ ଦ୍ୱାରକୁ କିଳିଲେ
ଆସି ଶୋଇବା ଠାବରେ ମିଳିଲେ ।୮୩।
ଖଟ ଉପରେ ବସି ମୋ କତିକି
କରୁଛନ୍ତି ନାନା ଗତାଗତିକି ।୮୪।
ମୋର କୁଚ ପରୁ ବାସ ଖସାଇ
ତହିଁ ଶ୍ରୀକର ଅଛନ୍ତି ବସାଇ ।୮୫।
ଚାରୁ ସରୁ ଚୁମ୍ବ ଦେଇ ମୁଖରେ
ନଖ ଭୁଷି ଦେଉଛନ୍ତି କକ୍ଷରେ ।୮୬।
ତେବେ ପାଉ ନାହିଁ ମୁହିଁ ଜ୍ଞାନକୁ
ପୁଣି ଫିଟାଇ ନୀବି ବନ୍ଧନକୁ ।୮୭।
କାମ ସଦନରେ ଚାଳି କରଜ
ଅଣ୍ଟେ ମର୍ଦ୍ଦନ କରିଣ ଉରଜ ।୮୮।
ତେତେବେଳେ ନିଦ୍ରା ମୋର ହଟିଲା
ବୁଜିଥିଲା ବେନି ନେନ୍ତ୍ର ଫିଟିଲା ।୮୯।
ଚକିତେ ମୁଁ ଦିଅନ୍ତେ ଅନାଇ
ପାଶେ ବସିଛନ୍ତି କଳାକହ୍ନାଇ ।୯୦।
କର୍ଣ୍ଣ କୁଣ୍ଡଳ ରତନ ତୋରା ଏ
ରାତି ଦିଶୁଛି ଦିବସ ପରାଏ ।୯୧।
ଦେଖି ଅତିହିଁ ତାଟକା ହୋଇଲି
କିଏ କାହିଁ ପକାଇଲ ବୋଇଲି ।୯୨।
ମୋର ଘରେ କେହି ଜଣେ ନାହାନ୍ତି
ଆସି ନିଶା ହୋଇଲାଣି ପାହାନ୍ତି ।୯୩।
ଏତେ ବେଳରେ କାହିଁକି ଅଇଲ
ନିଶ୍ଚେ କୁଳରୁ ମୋତେ ଛଡାଇଲ ।୯୪।
ଯେବେ କେହି କାହିଁ ଏହା ଜାଣିବ
ମୋତେ କୁଳଟା କୁଳରେ ଗଣିବ ।୯୫।
ଆଉ କାହା ମୁଖ ଦେଖି ପାରିବି
ନିଶ୍ଚେ ଗରଳ ଖାଇଣ ମରିବି ।୯୬।
ଏବେ ଘରକୁ ଯାଅ ହେ ବହନ
ଘେନ ମୋ ବିନୟ ମନ ମୋହନ ।୯୭।
ଶୁଣି ସେ ମୋର ନିରାଶ ଭାରତୀ
ବୋଇଲେ ରେ ଶୁଣ ପ୍ରାଣ ପୀରତି ।୯୮।
କାହିଁ ପାଇଁକି ନିରାଶ କରୁଛୁ
ମୋର ସବୁ ଆନନ୍ଦ ତ ସାରୁଛୁ ।୯୯।
ନାଶ ନ କରି ବନ୍ଧ ମୋର ଆଷ
ରତି ରସେ ବିହର ଆସ ଆଶ ।୧୦୦।
ଏତେ କହି ମୋ ଚରଣ ଧଇଲେ
ଅତିଶୟରେ ବିନତି ହୋଇଲେ ।୧୦୧।
ମୋର ମନହିଁ ସେ କାଳେ ମିଳିଲା
ରତି ରସରେ ଶରଧା ବଳିଲା ।୧୦୨।
ତାଙ୍କୁ ଲୋଡୁ ଥାଇ ରାତି ଦିବସେ
ତାର ସଙ୍ଗ ହୋଇଛି ବିଧିବଶେ ।୧୦୩।
ଆଉ କେଉଁରୂପେ ଛାଡି ପାରନ୍ତି
ପଛେ ଝୁରି ଝୁରି ସିନା ମରନ୍ତି ।୧୦୪।
ବିଚାରିଲି ଜୀବ ପଛେ ଯିବ ତ
କୃଷ୍ଣଚନ୍ଦ୍ରଙ୍କୁ ଭୋଗ କରିବି ତ ।୧୦୫।
ମିତ ଚିତ୍ତ ତାଙ୍କଠାରେ ରହିଲା
ଚାହୁଁ ଚାହୁଁ ଧୈର୍ଯ୍ୟଧରି ନୋହିଲା ।୧୦୬।
ବେଗେ ବସାଇଲି ଆଣି କୋଡ଼ରେ
ବେନି ଭୁଜେ ଭିଡ଼ିଲି ନିବିଡ଼ରେ ।୧୦୭।
ଶ୍ରୀଅଙ୍ଗରେ ଛାପ ଦେଲି ତାଡ଼ରେ
ଦେହ ଥରୁଥିଲା କାମ ଜଡ଼ରେ ।୧୦୮।
ପୂର୍ବ ମନୋରଥ ଫଳ ଧ୍ୟାଇଲି
ପଦ୍ମ ବଦନ ଚୂମ୍ବନେ ଛାଇଲି ।୧୦୯।
ବିମ୍ବାଧରୁ ସୁଧାରସ ପିଇଲି
କାମ ଜ୍ୱର ଅଙ୍ଗରୁ ଛଡ଼ାଇଲି ।୧୧୦।
ସହି ସେହି ତାଙ୍କ ପରି ନାଗର
ମିଛ ନୁହଇ ସେ ରସ ସାଗର ।୧୧୧।
ମୋତେ କେତେ ମତେ ଆହା ବୋଇଲେ
ସ୍ନେହବାଣୀ ପୁଣି କେତେ କହିଲେ ।୧୧୨।
କହୁ କହୁ ମୋ ଚେତନା ଦହିଲେ
ରସେ ମନମୀନ ଭିଡ଼ି ରହିଲେ ।୧୧୩।
କେତେ ଜାତି ରତିମାନ ବିହିଲେ
ସଖି ନ ସରିବ ସେତ କହିଲେ ।୧୧୪।
ପୁଣି ସୁରତି ଅନ୍ତରେ ଲାଗିଲେ
ବିପରୀତ ରତି ମୋତେ ମାଗିଲେ ।୧୧୫।
ତାଙ୍କ ବଚନ ଲଙ୍ଘି ନପାରିଲି
ବିପରୀତ ହିଁ ପୁଣି ଆଚରିଲି ।୧୧୬।
କାମ ରସରୁ ଆବେଶ ତୁଟିଲା
ଦୁହିଁଙ୍କର ନେତ୍ରେ ନିଦ୍ରା ଘୋଟିଲା ।୧୧୭।
ମୋତେ ଅନାଇ ବୋଇଲେ ସଜନୀ
ଆଉ ଅଛି ତ ପହଡ଼େ ରଜନୀ ।୧୧୮।
ଆସ ଟିକିଏ ମାନ୍ତ୍ରକ ଶୋଇବା
ନିଦ୍ରା ସୁଖହିଁ ଏକାଳେ ପାଇବା ।୧୧୯।
ମୁହିଁ ତାହା ଶୁଣି କଲି ସମ୍ମତି
ଛାଡ଼ିବାକୁ ନୋହିଲା ତାଙ୍କ ମତି ।୧୨୦।
ଦୁଇଜଣ ପଲଙ୍କରେ ଶୋଇଲୁ
ନିଦ୍ରାବଶରେ ଆବେଶ ହୋଇଲୁ ।୧୨୧।
ଏ ଉତ୍ତାରୁ ଶୁଣ ଯାହା ହୋଇଲା
ଶାଶୁ ଝିଆରୀର ବିଭା ସଇଲା ।୧୨୨।
ବରଜାତି ଖିଆପିଆ ସାଇଲେ
ଯେଝାମତେ ସେ ସମସ୍ତେ ଶୋଇଲେ ।୧୨୩।
ମୋର ଶାଶୁକୁ ନିଦ ନ ମାଡିଲା
ଘରେ ଆସିବାକୁ ମନ ଉଡିଲା ।୧୨୪।
ଆଜ ଯାଇ ବହୁ କଥା ଜାଣିବି
ସତୀ ଅସତୀ ଅବା ସେ ମଣିବି ।୧୨୫।
ଏହି ମନେ ବାହାରିଲା ରାନ୍ତ୍ରରେ
ଝିଅକୁହିଁ ଘେନିଣ ସଙ୍ଗତରେ ।୧୨୬।
ଜଣେ ଗୋ ପାଇକ ଘେନି ସଙ୍ଗରେ
ତୁନି ହୋଇ ଅଇଲେ ସେ ବେଗରେ ।୧୨୭।
ନିଶବଦ ହୋଇଛନ୍ତି ଗାଆଁ ରେ
ଆସି ତିନିହେଁ ମିଳିଲେ ଦୁଆରେ ।୧୨୮।
ଦେ ଲୋ କବାଟ ଫିଟାଇ ଡାକିଲେ
ଘର କବାଟ ବହୁତ ଠୁକିଲେ ।୧୨୯।
ମୁଁ ଗୋ ଥାଆନ୍ତିଟି ଯେବେ ଚିଆଇଁ
କି କି ବୁଦ୍ଧି ଅବା ଥାନ୍ତି ଭିଆଇ ।୧୩୦।
ଦେହ ହିଁ ତ ଆସକତ ହୋଇଛି
ଏଣୁ ଅଚେତନେ ନିଦ ଯାଇଛି ।୧୩୧।
ଡାକି ଡାକି ଶାଶୁ ଯେଣୁ ଫୁଟିଲା
ତେଣୁ ଗୁଆଳୀ ପିଢାକୁ ଉଠିଲା ।୧୩୨।
ଚାଳୁଁ ଅଗଣାକୁ ଡେଇଁ ପଡିଲା
ଯାଇ ଦୁଆର କବାଟ ଫେଡିଲା ।୧୩୩।
ଶାଶୁ ବୁଢ଼ୀ ମନ୍ଦିରକୁ ଅଇଲା
ଝିଅ ଦୀପ ଲଗାଅ ଲୋ ବୋଇଲା ।୧୩୪।
ଦୀପ ନୋହୁ ଭିତରକୁ ଚଳିଲା
ଖଟ ଉପରେ ଦରାଣ୍ଡି କଳିଲା ।୧୩୫।
ଆମ୍ଭେ ଶୋଇଛୁ ତ ଆସକତରେ
ଚେତା ନାହିଁ ନାହିଁ ଲବ ମାତରେ ।୧୩୬।
ବୁଢ଼ୀ ଜାଣି ତା ବଡ଼ କହରୁଛି
ଡାକ ଉପରେ ଡାକ ହିଁ ପାରୁଛି ।୧୩୭।
ଝିଅ ବହନ ଦୀପ ଲଗାଇଲା
ମାଆ ଡାକ ଶୁଣି ଧାଇଁ ଅଇଲା ।୧୩୮।
ଆମ୍ଭ ବେନି ଜଣଙ୍କୁ ଅନାଇଲେ
ଏତ ନନ୍ଦ ସୁତ ବୋଲି ବୋଇଲେ ।୧୩୯।
ଝିଅ ଦ୍ୱାରକୁ ଜଗିଲା ନିଠାଇ
ଶାଶୁ ପେଲି ଦେଲା ମୋତେ ଉଠାଇ ।୧୪୦।
ତେତେବେଳେ ମୋର ନିଦ୍ରା ଭାଜିଲା
ସେହି ସଙ୍ଗତେ ଚେତନା ହଜିଲା ।୧୪୧।
ମହା ଭଏ ମୋର ଦେହ ଥରୁଛି
କୃଷ୍ଣଚନ୍ଦ୍ରଙ୍କୁ ଚାହିଁ ବିଚାରୁଛି ।୧୪୨।
ମୁହିଁ ନାଶ ହୋଇଲିଣି ଦଇବେ
ମୋହ ଘେନି ଏହି ନାଶ ହୋଇବେ ।୧୪୩।
ଏହି କଥା ମାନ୍ତ୍ର ମନେ ପଡୁଛି
ଚେତନାକୁ ଘେନି ନାଡି ଛାଡୁଛି ।୧୪୪।
ଶାଶୁ ଚାହିଁ ବୋଲେ ଡରୁ କାହିଁକି
ତୋର ସତୀପଣ ଏବେ ନାହିଁକି ।୧୪୫।
କଉଁ ଭାଗ୍ୟେ ମୋ ପୁରକୁ ଅଇଲୁ
ମୋର କୁଳେ କଳଙ୍କ ଲଗାଇଲୁ ।୧୪୬।
ପୁଅ କେଉଁ ପାପ ମୋର କରିଛି
ଆହା ତୋ ହାତ ସେ ଯାହା ଧରିଛି ।୧୪୭।
ଏହିକ୍ଷଣି କିସ ହେବ କହିଲେ
ଦେବି ଡେଙ୍ଗୁରାତ ରାତି ପାହିଲେ ।୧୪୮।
ପୁଣି ଅନାଇ ବୋଇଲା ଝିଅକୁ
ବାନ୍ଧି ପକା ଲୋ ଏ ନନ୍ଦ ପୁଅକୁ ।୧୪୯।
କଥା କହୁ କହୁ କାହିଁ ଯିବଟି
ସବୁ କାର୍ଯ୍ୟ ବିଅର୍ଥ ହୋଇବଟି ।୧୫୦।
ଝିଅ ଦଉଡିଏ ଘେନି ଅଇଲା
ଘନଶ୍ୟାମକୁ ବାନ୍ଧି ପକାଇଲା ।୧୫୧।
ଯହୁଁ ଅସତୀଏ ହୁରି ପାରିଲେ
ସାଇ ପଡିଶାଏ ଆସି ପୂରିଲେ ।୧୫୨।
ପଚାରିଲେ ଏ କି ଗୋଳ କରୁଛୁ
ଏତେ ରାତିରେ କାହାକୁ ମାରୁଛ ।୧୫୩।
ଶୁଣି ଶାଶୁ ଶିରେ କର ମାଇଲା
ମୋର ବେଭାର ମହତ ସଇଲା ।୧୫୪।
ଦେଖ ଯାଇ ମୋହ ବୋହୁ ରୀତିକି
କଉଁ ବୁଦ୍ଧି କରିବି ଅସତୀକି ।୧୫୫।
ଏହା ଶୁଣି ସେ ସଭିଏଁ ଅଇଲେ
ଦୀପ ଜଳୁଅଛି ତ ଅନାଇଲେ ।୧୫୬।
କୃଷ୍ଣ ଛାଡି ଆପଣା ସ୍ୱରୂପକୁ
ଧରିଛନ୍ତି ମୋ ଭଣଞ୍ଜା ରୂପକୁ ।୧୫୭।
ବେନି ହାତ କ୍ରୋଧେ ମୁଣ୍ଡେ କୋଡୁଛି
ମଲି ମଲି ବୋଲି ଡକା ପାଡ଼ୁଛି ।୧୫୮।
ନୟନରୁ ଅଶ୍ରୁଜଳ ପଡ଼ୁଛି
ଅତି ଆକୁଳେ ମହୀରେ ଗଡ଼ୁଛି ।୧୫୯।
ସାଇ ପଡିଶାକୁ ଚାହିଁ ବୋଇଲା
ରାଜା ରାଇଜ ଅନ୍ୟାୟ ହୋଇଲା ।୧୬୦।
ମୋତେ ଶୋଇବାକୁ ଡାକି ଆଇଁଲେ
ଏବେ ଦେଖଛ ବାନ୍ଧି ତ ମାଇଲେ ।୧୬୧।
ମୋର ମାଆକୁ କେ ଯାଇଁ କହିବ
ସେ କି ଶୁଣିଲେ ଏମାନ ସହିବ ।୧୬୨।
ମୁଁ ଗୋ ତାଟକାରେ ତାକୁ ଚାହିଁଲି
ସାଇ ପଡିଶାକୁ ଚାହିଁ କହିଲି ।୧୬୩।
ଗଲେ ତ ଏ ଦୁହେଁ ବିଭାଘରକୁ
ମୋତେ ଜଗାଇ ନିଜ ମନ୍ଦିରକୁ ।୧୬୪।
ଏକା ହେବାରୁ ମୁଁ ଦକା ପାଇଲି
ଶୋଇବାକୁ ଭଣଞ୍ଜାକୁ ଆଇଁଲି ।୧୬୫।
ତାଙ୍କ ଘରୁ ଖାଇ ପିଇ ଅଇଲେ
ଏତ ବାଳକ ମୋ କୋଳେ ଶୋଇଲେ ।୧୬୬।
ରାତି ରାତି ମାଆ ଝିଅ ଅଇଲେ
ବାନ୍ଧି କଅଁଳ ପୁଅକୁ ମାଇଲେ ।୧୬୭।
କଉଁ ଧରମ ଏହାକୁ ସହିବ
ରାତି ପାହିଲେ ଡକା ତ ହୋଇବ ।୧୬୮।
ଏ ତ ଭଣଞ୍ଜାମାନଙ୍କୁ ଗଛନ୍ତି
ମୋତେ ସେହି ଦୋଷ ଦେଉଅଛନ୍ତି ।୧୬୯।
ଶୁଣି ସମସ୍ତେ ତାଟକା ହୋଇଲେ
ମାଆ ଝିଅଙ୍କୁ ଧିକାରୀ ବୋଇଲେ ।୧୭୦।
ଏତେ ରାତିରେ ଚହଳ କରୁଛ
ପର ପୁଅକୁ ଅଦୋଷେ ମାରୁଛ ।୧୭୧।
ଯେବେ ରାଜା ଛାମୁରେ ଏ ପଡ଼ିବ
ଘର ସମ୍ପଦ ଦଣ୍ଡକେ ବୁଡ଼ିବ ।୧୭୨।
ଶାଶୁ କହିବାକୁ କିଛି ନଇଲା
ମୁଁ ଗୋ ନ ଜାଣିଲି ବୋଲି ବୋଇଲା ।୧୭୩।
ଭଣଞ୍ଜାର ବନ୍ଧନ ଫିଟାଇଲା
ହାତ ଓଠ ଧରି ବୋଧି ବୋଇଲା ।୧୭୪।
ମାଆ ଆଗେ ନ କହିବୁ ବୋଇଲା
ମତେ ବହୁତ ବିନୟ ହୋଇଲା ।୧୭୫।
ଗଲେ ସମସ୍ତେ ଯେ ଯାହା ପୁରକୁ
କେହୁ ସରି ସେ ନନ୍ଦ କୁମରକୁ ।୧୭୬।
ଏତେ ପ୍ରକାରେ ତ ସ୍ନେହ କରିବ
କାହା ମନେ ଥିଲା ପୁଣି ମାରିବ ।୧୭୭।
ଦ୍ୱିତୀୟ ବୋଲି
ଏହା ଶୁଣି ବୋଲେ ଆର ଯୁବତୀମୋର କଥା ଶୁଣ ଗୋ ପ୍ରାଣବତୀ ।୧।ଦିନେ ଗୋଷ୍ଠେ ଛନ୍ତି ପତି ମୋହରବେଳ ହୋଇଲାଣି ଦେଢ଼ ପହର ।୨।ମୁଁ ଗୋ ଭାତ ତୁଣ ରାନ୍ଧି ସାରିଲିଖରାଦିନ ଗାଧୋଇ ବାହାରିଲି ।୩।ଆସି ହେଲିନି ନଈ ନିକଟରେଘନଶ୍ୟାମଙ୍କୁ ଭେଟିଲି ବାଟରେ ।୪।ଯଉଁ ବେଶେ ଆସୁଥିଲେ ବନରୁଏତେବେଳେ ଯାଇନାହିଁ ମନରୁ ।୫।ପଦ୍ମ ଚରଣେ କଠାଉ ମାଡ଼ିଛିରତ୍ନ ନପୁରହିଁ ପାଦେ ଜଡିଛି ।୬।କଟିତଟେ ଘଣ୍ଟିମାଳ ବାନ୍ଧିଛିପୀତାମ୍ବର କାଛି କଛି ପିନ୍ଧିଛି ।୭।ଦୁଇଭୁଜେ ସୁନାଖଡ଼ୁ ସାଜଇବାହେ ଅମୂଲ୍ୟ ତାଡ଼ ବିରାଜଇ ।୮।ହୃଦ ବିରାଜଇ ବାଘ ନଖରେଶ୍ୱେତ କାଇଁଚ ମାଳି ତା ପାଖରେ ।୯।କର୍ଣ୍ଣେ କୁଣ୍ଡଳ ଭୁବନ ମୋହନଶ୍ୟାମ ଅଙ୍ଗରେ ଚନ୍ଦନ ବହନ ।୧୦।ପୂରି ଉଠୁଛି ତାମ୍ବୁଳ କଳରେଚୂର୍ଣ୍ଣ କୁନ୍ତଳ ଶୋହେ କପୋଳରେ ।୧୧।ଦିଶେ ଶିରେ ଶୋଭା ଚାରୁ ଚୂଳରେଗୁଞ୍ଜି ମୁଣ୍ଡମାଳ ତାଳୁ ମୂଳରେ ।୧୨।ଭାଲ ପଟରେ ଚନ୍ଦନ ଟୋପିଏଯାହା ଚାହିଁ ମୋହି ହେବେ ଗୋପୀଏ ।୧୩।ତନୁସାଜେ ନାନା ସୁମନସରେବୃନ୍ଦାବନ ଭିତରୁ ଏ ବେଶରେ ।୧୪।କି କି ଗୀତ ଗାଇ ଗାଇ ଆସୁଛିପୁଣି ମୁରଲୀ ବଜାଇ ହସୁଛି ।୧୫।ଥରେ ଥରେ ନଚାଇଣ ଭ୍ରୁଲତାପକାଉଛି ଉପାଡି ଧୃତିଲତା ।୧୬।ଅଳ୍ପ ଅଳ୍ପ ଢାଳି ଢାଳି ଚାହୁଁଛିନାସା ବର୍ତ୍ତୁଳ ମୁକୁତା ମୋହୁଛି ।୧୭।ଧନମଣି କହି ବୋଲି ମୁଖରେଆସି ପ୍ରବେଶ ହେଲା ମୋ ପାଖରେ ।୧୮।ସାପ ଗାରଡ଼ି ମନ୍ତ୍ରରେ ଯେମନ୍ତତାକୁ ଦେଖି ମୁଁ ରହିଲି ତେମନ୍ତ ।୧୯।ଯେଉଁ ଅଙ୍ଗକୁ ଅନାଏ ସଖିରେସେହିଠାରେ ଆଖି ରହେ ଲାଖିରେ ।୨୦।ତାକୁ ଚାହୁଁ ଚାହୁଁ ଦେହ ଥରିଲାଝାଳ ବିନ୍ଦୁ ସର୍ବାଙ୍ଗରୁ ଝରିଲା ।୨୧।ରୋମ ଟାଙ୍କୁରି ରଖିଲା ଗଣ୍ଡରେଶୀତେଇଲା ଜାନୁଦେଶ ଚାଣ୍ଡରେ ।୨୨।ଶରେ ଶରୀର ଛାଇଲା ମଦନଉଲୁସିତ ହେଲା କାମ ସଦନ ।୨୩।ମାର ରସେ ମୋର ମନ ରସିଲାଧୃତି ଚେତନା ନାଜହିଁ ନାଶିଲା ।୨୪।ମୋତେ କହିଲା ଏମନ୍ତ ବାଣୀକିପ୍ରାଣବନ୍ଧୁ ଯାଉଅଛୁ କେଣିକି ।୨୫।ତୋର ଏକ ନ୍ତ ସମୟ ଜାଣିକିବିହି ଭେଟାଇଲା ମୋତେ ଆଣିକି ।୨୬।ମୋତେ ରଖିବୁ ତ ଆଜ କିଣିକିବୀଣାବାଣୀ ଆସ ଆସ ଏଣିକି ।୨୭।ଆହା ସୁହାସେ କି ହାସେ ଚାହିଁଲୁଧନ ମନ ତ ମୋହର ମୋହିଲୁ ।୨୮।ଅନା ଅନା କାମଦଣ୍ଡ ଦେଉଛିଦେହ ମୋର ଥରଥର ହେଉଛି ।୨୯।ମୋତେ ଭୁଜରେ ନିବିଡ଼େ ଭିଡ଼ରେଦାସଠାରେ ନିରାଶକୁ ଛାଡ଼ରେ ।୩୦।ଆସି ଦେଉକିନା ସରୁ ଚୁମ୍ବନବଡ଼ ଲୋଭ ହେଉଛି ମୋର ମନ ।୩୧।କେହୁ ଏଥି ଧୈର୍ଯ୍ୟ ଧରି ରହନ୍ତାକେଉଁ ଯୁବତୀ ବା ବଶ ନୁହନ୍ତା ।୩୨।ମୋର ମତି ରତି ରସେ ବଳିଲାଦୁହିଁଙ୍କର ମନ ସୁଖେ ମିଳିଲା ।୩୩।ଭାଷା ନ ଭାଙ୍ଗି କଲି ତାଙ୍କ ବୋଲତାଙ୍କୁ ବୋଇଲି କହ ହେ କି ବୋଲ ।୩୪।ଶୁଣି ବୋଇଲା ଆସ ଏ ବନକୁବୁଲି ଦେଖିବା କୁଞ୍ଜ ସଦନକୁ ।୩୫।ଦୁହେଁ ମହା ଆନନ୍ଦରେ ଚଳିଲୁଁଯାଇ ବୃନ୍ଦାବନ ମଧ୍ୟେ ମିଳିଲୁ ।୩୬।ଯାଉଁ ଯାଉଁ କର କରେ ଧଇଲାମୋର ନିବିଡ଼ ନୀବି ଫିଟାଇଲା ।୩୭।ଦେଲା ଚୁମ୍ବ ମୋତେ କେତେ ମତରେକହି ନୁହଇ ସେ ଅଛି ଚିତ୍ତରେ ।୩୮।କୁଞ୍ଜ ମଣ୍ଡପ ଉପରେ ଭୋଳରେମୋତେ ଘେନି ବସିକରି କୋଳରେ ।୩୯।ନାନା ବନ୍ଧେ ରତି ରସ ସାରିଲାଅନଙ୍ଗହିଁ ଅଙ୍ଗରୁ ପଳାଇଲା ।୪୦।କେତେ କହିବି ସେ ଦିନ ଭାବକୁସେ ତ କିଣି ନେଇଛି ଜୀବନକୁ ।୪୧।କେତେ ଜାତିରେ ଭୁଷିଛି କରଜକେତେ ମରଦନ କଲା ଉରଜ ।୪୨।କେତେ ରଙ୍ଗରେ ଗୋ ଅବା ଭିଡ଼ିଛିକେତେ ଅଧର ଦଶନେ ପିଡ଼ିଛି ।୪୩।କର୍ଣ୍ଣେ ରସନା ଚାଲିଛି କି ଆଶେମୋତେ ସଜନୀ ସେ କହି ନ ଆସେ ।୪୪।ବେଳ ଆସି ହେଲା ତିନି ପହରଘର ମନେ ନ ପଡ଼ିଲା ମୋହର ।୪୫।ତାଙ୍କ ଚରଣ କରରେ ଧରିଛିଯିବି ମେଲାଣି ମାଗି ବିଚାରୁଛି ।୪୬।ପିନ୍ଧି ପାରି ନାହିଁ ଭଲେ ବାସକୁଖୋଷି ଦେଇଛି ଅଳପ କେଶକୁ ।୪୭।ଦେହ ଅସ୍ତବ୍ୟସ୍ତ ହୋଇ ଦିଶୁଛିଖରତରେ ନିଶୁଆସ ଆସୁଛି ।୪୮।ଏହି କାଳେ ଶାଶୁ ହେଲା ପ୍ରବେଶକୃଷ୍ଣ ପାଶେ ଦେଖିଲା ମୋ ଏ ବେଶ ।୪୯।ଶୁଣ ରହସ୍ୟ ପରାଣ ମିତରେମୁଁ ଗୋ ବୃନ୍ଦାବନ ଥିବା ଭିତରେ ।୫୦।ଗୋଷ୍ଠେ ପତିକି ମୋ ସାପ ଖାଇଲାଗାଆଁ ଯାକ ତ ଚହଳ ହୋଇଲା ।୫୧।କନ୍ଧେ ବୋହି ଆଣିଲେ ସଦନକୁକଲେ ବହୁତ ଊପାୟମାନଙ୍କୁ ।୫୨।ଝାଡ଼ି ଝାଡ଼ି ଛାଡ଼ିଗଲେ ରାଉଳକେହୁ କେହୁ ଦେଖି ଦେଖି ଚାଉଳ ।୫୩।ଭଲ ନୋହିବ ବୋଲି ଏ ଛାଡ଼ିଲେନିଶ୍ଚେ ମଲା ମଲା ରାବ ଛାଡ଼ିଲେ ।୫୪।କେହୁ ପଢ଼ଇ ଉଡ଼ାଣ ମନ୍ତରକେତେ ଫୁଙ୍କି ଫୁଙ୍କି ହେଲେ ଅନ୍ତର ।୫୫।ପୁଅ ମଲା ବୋଲି ବୁଢ଼ୀ ବୋବାଇମୋତେ ଖୋଜି ଲାଗିଛି ହୋଇ ବାଇ ।୫୬।ଗ୍ରାମ ପାଟଣା ନଗର ହାଟରେଖୋଜି ମିଳିଲା ଆମ୍ଭ ନିକଟରେ ।୫୭।ଲୁହ ପାଦଯାଏ ବହି ଯାଉଛିପୋଛି ପୋଛି ନୟନ ଅନାଉଛି ।୫୮।କାନ୍ଦି କାନ୍ଦି ତଣ୍ଟି ବସି ଗଲାନିଧାଇଁ ଧାଇଁ ଆସକତ ହେଲାନି ।୫୯।ମୋତେ ଅନାଇ ଆସଲୋ ବୋଇଲାତୋତେ ସିନା ଲୋ ମହତୀ ହୋଇଲା ।୬୦।ମୋର ପୁଅକୁ ଯେ ସାପ ଖାଇଲାତୋର ମନକୁ ସେ କିଛି ନଇଲା ।୬୧।ଆସି ମାତି ଅଛୁ ବୃନ୍ଦାବନରେକିଲୋ କି ବିଚାରିଛୁ କି ମନରେ ।୬୨।ଦୁଇ ଚାରି ଆପଟ ଲୋ ଡକାଇବାନ୍ଧି ଜଳନ୍ତା ଜୁଇରେ ପକାଇ ।୬୩।ପୁଅ ସଙ୍ଗେ ଅସତୀକି ଦହିବିଦାଣ୍ଡେ ସତୀ ଗଲା ବୋଲି କହିବି ।୬୪।ଏହି ରୂପେ ଶାଶୁ ଯହିଁ ଚଜିଲାମୋର ଦେହରୁ ଚେତନା ହଜିଲା ।୬୫।ବେନି ନୟନରୁ ଲୁଅ ବହିଲାକ୍ରୋଧେ ଦେହଯାକ ଥରି ଅଇଲା ।୬୬।ମୋର ଏ ବେଶ ସେ କାଳେ ଅନାଇଁଚଳି ବୁଢ଼ୀକି ବୋଇଲେ କହ୍ନାଇ ।୬୭।ତୋର ପୁଅ ନ ମରିବ କାହିଁକିଚାରି ଯୁଗରେ ଧରମ ନାହିଁ କି ।୬୮।ଯେଣୁ ଅଦୋଷୀକି ଦୋଷ ଦେଉଛୁତେଣୁ ଏତେ ଦଶା ତୁ ଲୋ ପାଉଛୁ ।୬୯।ତୋର ପୁଅଟିଏ ସିନା ମରିଛିୟାର ସଂସାର ଏଠାରୁ ସରୁଛି ।୭୦।ତୁ କି ଜାଣୁଅଛୁ ୟାର ଆକୁଳଖୋଜି ଖୋଜିକା କେତେ ନଈକୂଳ ।୭୧।ମୋତେ ଏହିଠାରେ ଭେଟ ପାଇଲାଗୁରସ୍ତକୁ ଯାହା ସାପ ଖାଇଲା ।୭୨।ତାହା କହି ମାଗୁଅଛି ଗଦକୁଦେଗୁଛୁ ତ ଧରିଅଛି ପାଦକୁ ।୭୩।ମୋତେ କେତେହେଁ ବିନତି ହେଲାନିଏବେ ଆସି ତ ଦିଖୁରି ଗଲାନି ।୭୪।ଯେବେ ହାତ କାଚ ବଜ୍ର ଏହାରସାପ ଖାଇଲେ କି ଯିବ ତାହାର ? ।୭୫।ଅଟେ ଯେବେ ଏ ସତୀ ସୁଲକ୍ଷଣୀମଲା ପତି ଜୀଇବ ଏହିକ୍ଷଣୀ ।୭୬।ତୁ ଯା ଅଦୋଷୀକି ଦୋଷ ଦେଉଛୁସେହି ଫଳେଟି ଏମାନ ପାଉଛୁ ।୭୭।ଯାହା ବୋଇଲୁ ଏହାକୁ ଦୋଚାରୀଏବେ ଥାଅ ତୁ ମନରେ ବିଚାରି ।୭୮।ଗଦ ପଦରୁ କି କାର୍ଯ୍ୟ ହୋଇବଏହି ଛୁଇଁଲେ ପୁଅ ତୋ ଜୀଇବ ।୭୯।ତେତେବେଳେ ଯାଇ ମନେ ମଣିବୁସତୀ ଅସତୀ ଅବାତୁ ଜାଣିବୁ ।୮୦।ଶୁଣି ଶାଶୁ ଆଚମ୍ବିତ ହୋଇଲାବାବୁ ସତ କହୁଛୁରେ ବୋଇଲା ।୮୧।ମଝି ନଈରେ ମୋ ଭେଳା ବୁଡ଼ୁଛିବୃଦ୍ଧକାଳେ ପୁଅ ଆଶା ଛାଡ଼ୁଛି ।୮୨।ମଲା ଲୋକ ପୁଣି ଆଉ ଜୀଇବସତେ ତୋ ତୁଣ୍ଡ ସୁତୁଣ୍ଡ ହୋଇବ ।୮୩।ଦଶ ପଲ ଗାଇ ବଛା ନେବୁ କିମୋର ପୁଅକୁ ଜୀଆଇ ଦେବୁ କି ।୮୪।ଆଜଠାରୁ କିଣା ଆମ୍ଭେ ତୋହରଭାସିଗଲା କୁଳ ରଖ ମୋହର ।୮୫।ଏତେ ବୋଲି ପାଦ ଯାଇଁ ଧଇଲାଉଠ ଉଠ ବାବୁ ଯିବା ବୋଇଲା ।୮୬।ଶୁଣି ପୁଣିହିଁ ବୋଇଲେ ମୋହନଯାଅ ବୋହୁକୁ ତୁ ଘେନି ବହନ ।୮୭।ଲଗାଇଲା ମାନ୍ତ୍ରକେ ଏହା କରପୁଅ ଜୀଇବ ଶଂସଏ ନକର ।୮୮।ଦିନେ ଏହାକୁ ଚଳିବୁ ନାହିଁଟିତୋର ଘରେ ଶିରୀବନ୍ତ ଏହିଟି ।୮୯।ଏତେ ବୋଲି ପୁଣି ମୋତେ ଚାହିଁଲେଯାଅ ଧର୍ମକୁ ସୁମରି ବୋଇଲେ ।୯୦।ଶୁଣି ଶାଶୁ ମୋ ସନ୍ତୋଷ ହୋଇଲାହାତ ଧରି ମୋତେ ଘେନି ଅଇଲା ।୯୧।ଆସି ମନ୍ଦିରେ ହୋଇଲି ପ୍ରବେଶମରିଅଛି ଦେଖିଲି କାନ୍ତବେଶ ।୯୨।ମୁଖୁଁ ଗରଳ ଯେ ବହି ଯାଇଛିଦୁଇ ଆଖିତରାଟି ଅନାଇଛି ।୯୩।ଦଶ ଦ୍ୱାରଯାକ ନାହିଁ ପବନତୁଣ୍ଡବାଟେ ଛାଡ଼ିଅଛି ଜୀବନ ।୯୪।ସବୁଲୋକେ ଶୋକେ ଡ଼କା ପାଡ଼ନ୍ତିଖଟ ଦଉଡ଼ିମାନ ସଜାଡ଼ନ୍ତି ।୯୫।ଏହିକାଳେ ଶାଶୁ ଏହା କହିଲାକାହାରି ମନେ ପରତେ ନଇଲା ।୯୬।ମୁଁ ଗୋ କୃଷ୍ଣଚନ୍ଦ୍ର ରୂପ ଧ୍ୟାଇଲିକାନ୍ତ ଦେହରେ ହାତ ପକାଇଲି ।୯୭।ସେହିକ୍ଷଣି ପତି ଉଠି ବସିଲେଆଖି ମଳି ମୋତେ ଚାହିଁ ହସିଲେ ।୯୮।ଶୋଇଥିଲାଠାରୁ ଉଠି ଯେମନ୍ତମୋତେ ପରତେ ଲାଗିଲା ତେମନ୍ତ ।୯୯।ସବୁ କଥାମାନ ପତି ଶୁଣିଲେମୋର ସତୀ ପଣ ସର୍ବେ ଜାଣିଲେ ।୧୦୦।ତୁମ୍ଭେ ମାନ୍ତ୍ର କଥାଏ ଜାଣିଥିବଏତେ ରୂପେ କି ଆଉ ଜାଣିଥିବ ।୧୦୧।କୃଷ୍ଣ ପୀରତି କଲା ଭରସାଏକେହି ବୋଲି ନପାରିଲେ ଭାଷାଏ ।୧୦୨।ଏବେ ହୋଇଲାଠାରେ ସେ ଅନ୍ତରଆଉ କରିବା ଗୋ କେଉଁ ମନ୍ତର ।୧୦୩।
ତୃତୀୟ ବୋଲି
ଏହା ଶୁଣି ଆର ସଖୀ କହଇଶୁଣ ମୋ କଥା ସାମାନ୍ୟ ନୁହଇ ।୧।ମୋତେ କଲା କି କୁହୁକ ମନ୍ତରମନ ନୋହିଲା ତାଠାରୁ ଅନ୍ତର ।୨।ସଦା ଦେଖୁଥିବି ଚାରୁ ମୂରତିରଙ୍ଗେ କରିବି ତାସଙ୍ଗେ ସୁରତି ।୩।ଏହି କଥାରେ ଶରଧା ବଳିଲାକାମ ଅନଳହିଁ ଦେହେ ଜଳିଲା ।୪।ଯେଣେ ଚାହିଁଲେ ତା ରୂପ ଦିଶଇକଥା କହିଲେ ତା ନାମ ଆସଇ ।୫।ଆନ ନ ଦିଶିଲା ଆଉ ନୟନେସପନେହେଁ ଦିଶିଲା ସେ ଶୟନେ ।୬।ସ୍ୱାଦୁ ଅଶନ ହିଁ ପିତା ଲାଗିଲାଘର ପୀରତିରୁ ମନ ଭାଗିଲା ।୭।ଦର ସସ୍ମିତର ତାଙ୍କ ଚାହାଣୀଏକା ସୁମରି ମନ ହୁଏ ହାଣି ।୮।ମୋର ନାୟକ ତ ବଡ଼ ଦୁର୍ଜନଏଥି ଉତ୍ତାରେ ଶାଶୁର ତର୍ଜନ ।୯।ମୋର ଯହୁଁ ନଣନ୍ଦ କୁନ୍ଦ ବୋଲିତୁଚ୍ଛା କଥାରେ କରେ ବୋଲା ବୋଲି ।୧୦।ଛାଇ ଜଗି କରିଥାଇ ଆକଟଏଣୁ ହେଲା ମୋତେ ମହା ସଙ୍କଟ ।୧୧।ଥାଉ ଆଉ ଅଙ୍ଗ ସଙ୍ଗ ପୀରତିସ୍ୱପ୍ନ ହେଲା ଦେଖିବାକୁ ମୂରତି ।୧୨।ଦିନେ ଆଣି ଯାଉଥିଲି ପାଣିକିବାଟେ ଦେଖିଲି ମୁରଲୀପାଣିକି ।୧୩।କେଣେ କେହି ନାହାନ୍ତି ଅନାଇଲିତାର ନିକଟରେ ଯାଇ ହୋଇଲି ।୧୪।ମୋତେ ଦେଖି ମନ୍ଦେ ମନ୍ଦେ ହସିଲାଆଜ କି ଭାଗ୍ୟ ମୋହର ଭାଷିଲା ।୧୫।ରଙ୍କ ଆଗେ କେ ରତନ ରଖିଲାସ୍ୱାଦୁ ଅଶନ ତ ଭୋଖୀ ଦେଖିଲା ।୧୬।ଭଲ ଯୋଗେ ପାହିଥିଲା ରଜନୀତୋତେ ଭେଟିଲି ଯା ଆଜ ସଜନୀ ।୧୭।ଥରେ ନ ଦେଖାଉ ଚନ୍ଦ୍ରବଦନକେତେ ସହିବି ମଦନ କଦନ ।୧୮।ଯେବେ ନ ପାଇବି ତୋର ସୁରତିରତିପତି ପକାଇବ କରତି ।୧୯।ଏହିମତି ମୋତେ କେତେ କହିଲାପାଦ ନ ଚଳି ସ୍ଥକିତେ ରହିଲା ।୨୦।ଏଣେ ତନୁଟି ତରଳି ଗଲାନିବାମଦେବ-ପର ବାମ ହେଲାନି ।୨୧।ମହା ଆନନ୍ଦେ ପୁଲକ ହେଉଛିଭୁଜ ଭିଡ଼ିବା ଭଙ୍ଗିକି ଚାହୁଁଛି ।୨୨।ଚାରୁ ଚୁମ୍ବ ମଣ୍ଡିବାକୁ ମୁଖରେଓଷ୍ଠ ଉତ୍ସୁକ ହେଉଛି ସୁଖରେ ।୨୩।ଚାହୁଁ ଚାହୁଁ ଅତି ଛନ୍ନ ହୋଇଲିଦର ଦର ହସି ତାଙ୍କୁ ବୋଇଲି ।୨୪।କେହି କରିବିଟି ତୁମ୍ଭ ପୀରତିମୋତେ କହ ହେ ମୋହନ ମୂରତି ।୨୫।କହୁଁ କହୁଁ ମୁଁ ଏମନ୍ତ ବାଣୀକିସଖୀମାନେ ଯେ ଅଇଲେ ପାଣିକି ।୨୬।ତାଙ୍କ କଥା କୁହା କୁହି ଶବଦକିଛି ଦୂରେ ଶୁଣି ହେଲି ତବଦ ।୨୭।ଭଏ ଯିବାକୁ ବାହାର ହୋଇଲିମୁଁ ହେ ମେଲାଣି ହେଲିଟି ବୋଇଲି ।୨୮।କୁନ୍ଦ ମନ୍ଦା ଗୋଟିଏ ଶ୍ରୀକରରେଧରିଥିଲେ ସେ ସୁସ୍ନେହ ଭରରେ ।୨୯।ମୋତେ ଦେଇ ତା ବୋଇଲେ ମୁକୁନ୍ଦଆଜ ହେଲଇଁ ତୋର ମୋର କୁନ୍ଦ ।୩୦।ମୋତେ ସରାଗେ ଅନାଇଁ ଅନାଇଁଗଲେ ବୃନ୍ଦାବନ ଆଡ଼େ କହ୍ନାଇଁ ।୩୧।ମୁଁ ଗୋ ନଈତୁଠେ ଆସି ମିଳିଲିପାଣି ଘେନି ମନ୍ଦିରକୁ ଚଳିଲି ।୩୨।ସେହି ଦିନୁ ହେଲି ବାଇ ପରାଏଦଣ୍ଡେ ମନୁ ନ ଗଲେ ବ୍ରଜରାଏ ।୩୩।ବେଳୁ ବେଳ ଚିନ୍ତା ଜ୍ୱର ଘୋଟିଲାନାନା ସୁଖହିଁ ମନରୁ ତୁଟିଲା ।୩୪।ବିଷ ପରାଏ ହୋଇଲା ଆହାରଏଥି ଥିବ ଆଉ କଉଁ ବେହାର ।୩୫।କାମ ବେଦନା ହୋଇଲା ପ୍ରବଳଦିନୁ ଦିନୁ ତନୁ ହେଲା ଦୁର୍ବଳ ।୩୬।ସର୍ବେ ବ୍ୟାଧି ହେଲା ବୋଲି ବିଚାରିକରୁ ଥାଆନ୍ତି ଉପାୟ ପଚାରି ।୩୭।ଏଥି ଭିତରେ ଗଲା କେତେ ଦିନକାମ ଶରେ ମୁଁ ହୋଇବାରୁ ଦିନ ।୩୮।ଲେଖା ଲେଖିଲି କେତକୀ ପତରେକୃଷ୍ଣଠାକୁ ଦେଲି ଦୂତୀ ହାତରେ ।୩୯।କି କି କରି ତା ଲେଖିବା କାଳରେମୋର ପତି ଦେଖିଥିଲା ଡୋଳରେ ।୪୦।ତାହା ଗୁପତେ ଦେଲି ମୁଁ ଦୂତୀକିସବୁ ଗୋଚର ହେଲା ଯେ ପତିକି ।୪୧।ଆସି ମୋହର ନିକଟେ ହୋଇଲାତମ ତମ ହୋଇ ଚଳି ବୋଇଲା ।୪୨।କିଲୋ କି ହାଲ ମୋ ଘରେ କରୁଛୁମୁହିଁ ମଲି କି ମନେ ବିଚାରୁଛୁ ।୪୩।ଲାଜ ଭୟକୁ କିଛି ନ ବିଚାରିମୋର କୁଳରେ ହୋଇଲୁ ଦୋଚାରୀ ।୪୪।ଚାହୁଁ ଚାହୁଁ ପ୍ରାଣ ନେବି ମୁହିଁଟିସ୍ତିରୀ ହତ୍ୟାକୁ ବିଚାର ନାହିଁଟି ।୪୫।କାହାଠାକୁ ଲେଖିଅଛୁ ପତରମୋତେ ଭୟ ନାହିଁ ଲବେ ମାତର ।୪୬।ମୁଁ ଯେ ସବୁ ଏହା ମନେ ରଖିଛିଯାହା ହାତେ ଲେଖା ଦେଲୁ ଦେଖିଛି ।୪୭।ଶୁଣି ତା ବାଣୀ ତାଟକା ହୋଇଲିକି ଗୋ କି ମହାପାପ ଏ ବୋଇଲି ।୪୮।ମୁଁ ଶୋଇବାଠାରୁ ଉଠି ଆସିଛିଏହିଠାରେ ଆଶକତେ ବସିଛି ।୪୯।ତେଣୁ ଘର ପଡ଼ଶୁଣି ଅଇଲାଦେହ ଭଲ ହେଲା କି ଗୋ ବୋଇଲା ।୫୦।ସେ ଗୋ ଗଲା ବସି ମୋର ପାଶରେତୁଚ୍ଛା ଗଞ୍ଜି ମାରୁଛ ଅଦୋଷରେ ।୫୧।ଏହା ଶୁଣି ପରତେ ନ ପାଇଲାରହ ଜାଣିବା ଯେ ବୋଲି ବୋଇଲା ।୫୨।ମୋହ ପାଶରୁ ଚଳିଲା ବେଗରେଖୋଜି ଖୋଜି ହେଲା କୃଷ୍ଣ ଆଗରେ ।୫୩।ସେହିଠାରେ ସେ ଦେଖିଲା ଦୂତୀକିକୃଷ୍ଣ ପଢ଼ୁଛନ୍ତି ବସି ପନ୍ତ୍ରିକି ।୫୪।ଚଳି ଦୂତୀକି ବହୁତ ବୋଇଲାକୃଷ୍ଣଜନ୍ଦ୍ରଙ୍କୁହିଁ ଚଳି ହୋଇଲା ।୫୫।ତୁହି ଗୋପରେ ହୋଇଛୁ ନାଗରଆଜ ପଡ଼ୁ କଂସ ରାଜା ଆଗର ।୫୬।ଲେଖ ଭାଷା ଅର୍ଥ ଘେନି ମତିକିକୃଷ୍ଣ ଦେଲେ ସେ ଚିଟାଉ ପତିକି ।୫୭।ବୋଲେ ତୁନି ହୁଅ ଥାଉ ମହତକଥା ନ ବୁଝି ଗରଜି ହୁଅ ତ ।୫୮।ଯୁବା ଭଉଣୀ ସାଇତି ଘରରେଭଲା ଅଛ ତୁମ୍ଭେ ଦାଣ୍ଡ ଗାରରେ ।୫୯।ଏବେ ତୁନି ହୋଇ ଯାଅ ଲେଉଟିଘରେ ଯାଇ ପଢ଼ିବ ଚିଟାଉ ଟି ।୬୦।ଆମ୍ଭେ ହେଲାକୁ ରହିଲା ବେଭାରଏବେ ରଖ ଭଉଣୀ ଲାଜ ଭାର ।୬୧।ଶୁଣି ମୋ ପତି ଚକିତ ହୋଇଲେଲେଖ ଘେନି ଘରଠାକୁ ଅଇଲେ ।୬୨।ସତ ହୋଇ ଯାଇ ନାହିଁ ପରତେଆସି ହୋଇଲେ ମୋହର ପୁରତେ ।୬୩।ଲେଖ ଚିହ୍ନି ବୁଡ଼ିଲା ମୋ ଗିଆନଧର୍ମ ଦେବଙ୍କୁ କରୁଛି ଧିଆନ ।୬୪।ଦାଣ୍ଡୁ ନାଏକ ପୁଅକୁ ରାଇଲାମାଆ ଆସ ଲୋ ଏଠାକୁ ବୋଇଲା ।୬୫।ମାଆ ପୁଅ ତାକୁ ଘେନି ବସିଲେବାବୁ ପଢ଼ ଏ ପତର ଭାଷିଲେ ।୬୬।ଧରି ଜଉତିଷ ପୁଅ ପତରଶୁଣ ପଢ଼ିଲା ଗୋ ଯଉଁ ଉତ୍ତର ।୬୭।କୃଷ୍ଣ ଚରଣରେ ଚିତ୍ତ ରଖୁଛିଲେଖ ମୁକୁନ୍ଦ ଛାମୁକୁ ଲେଖୁଛି ।୬୮।ଆହେ ମାନସ ମୋହନ ସ୍ୱରୂପଆହେ ନୀଳ ଜଳଦ ଚାରୁ ରୂପ ।୬୯।ଆହେ ରସିକମାନଙ୍କ ମଣ୍ଡନଯୁବା ଯୁବତୀ ଧୃତି ବିଖଣ୍ଡନ ।୭୦।ଆହେ ପୀତ ବସନ ବେଣୁଧରଆହେ ତରୁଣ ଅରୁଣ ଅଧର ।୭୧।ଆହେ ବୃନ୍ଦାବନ କୁଞ୍ଜ ବିହାରୀଶୁଣ କିନା କିଣାଜନ ଗୁହାରି ।୭୨।କଉଁ ମନ୍ତରେ ମୋ ମନ ମୋହିଲନେନ୍ତ୍ର କୋଣେ କି କି କରି ଚାହିଁଲ ।୭୩।ମନ ମୋହନ ବଚନ କହିଲକାମ ଦହନରେ ଦେହ ଦହିଲ ।୭୪।ଆଉ କରୁଣା ଚିତ୍ତେ ନ ବହିଲଅତି ନିର୍ଦ୍ଦୟ ହୋଇଣ ରହିଲ ।୭୫।ବୁଦ୍ଧି କିଛି ତ ଦିଶୁନାହିଁ ମୋତେତୁମ୍ଭ ସଙ୍ଗ ସୁଖ ହେବ କେମନ୍ତେ ।୭୬।ମୋତେ ଘରେ ତ ବହୁ ଜଗୁଆଳୀପୁଣି ଜାଣି ପାରିବେ ସଙ୍ଗଆଳୀ ।୭୭।କହ ଏଥି କଉଁ ବୁଦ୍ଧି କରିବିତୁମ୍ଭ ସଙ୍ଗ ନ ପାଇଲେ ମରିବି ।୭୮।କିଛି ବୁଦ୍ଧି ଥିଲେ କହି ବିଚାରିନିଶ୍ଚେ ମଲାଟି ନିଜ ପରିଚାରୀ ।୭୯।ଅଳପକେ ଯେବେ ହେଳା କରିବକୁନ୍ଦ ପଦ ଏହିଠାରୁ ସରିବ ।୮୦।ତୁମ୍ଭେ କି ନ ଜାଣ ମୁଁ କି ଲେଖିବିନିକଟରେ ଚନ୍ଦ୍ରମୁଖ ଦେଖିବି ।୮୧।ମାଗୁଅଛି ଏହା ଧରି ଚରଣକାମ ଦଣ୍ଡକୁ ନାହିଁନା ଶରଣ ।୮୨।ଏଥି ଦୋଷ ଥିଲେ କିଛି ନ ଧରମାର ସାଗର ଭିତରୁ ଉଦ୍ଧର ।୮୩।ଏତେ ଲେଖ ଭାଷା ପଢ଼ି ସାଇଲାଶୁଣି ଶାଶୁ ଶିରେ କର ମାଇଲା ।୮୪।ଝିଅ କି ବୁଦ୍ଧି କଲାରେ ବୋଇଲାଲେଖ ନଖରେ ଚିରି ପକାଇଲା ।୮୫।ମୋର ପତିହିଁ ତାଟକା ହୋଇଲେମୋତେ ସଧୀର କରି ଅନାଇଲେ ।୮୬।ଖରତରେ ନିଶ୍ୱାସ ପକାଇଲାବୋଲେ ବେଭାର ଆମ୍ଭର ସଇଲା ।୮୭।ମୁଁ ଗୋ ଅତ୍ୟନ୍ତ ହରଷ ହୋଇଲିତାଙ୍କୁ କର୍କଶ କରିଣ ବୋଇଲି ।୮୮।ଏବେ ସବୁ କଥାହିଁତ ବୁଝିଲମୋର ସଙ୍ଗେ ଯେ ପହଡ଼େ ଯୁଝିଲ ।୮୯।ସବୁ ଶାଶୁକୁ ବୁଝାଇ କହିଲିସୁଖ ସେଦିନୁ ନିର୍ଭୟହୋଇଲି ।୯୦।ମୋତେ ଲବେ ହେଁ ନକରି ଆକଟବୁଢ଼ୀ ନ ଛାଡ଼ଇ ଝିଅ ନିକଟ ।୯୧।କୃଷ୍ଣ ଯାହା ଚଳିଥିଲେ ପତି କିସବୁ ପଚାରି ଜାଣିଲି ଦୂତୀକି ।୯୨।କଲି ପୀରତି ସେ ଦିନୁ ମନକୁଦଣ୍ଡେ ନ ଛାଡ଼ଇ ଦୁଃଖୀ ଧନକୁ ।୯୩।ତେବେ ମୁକୁନ୍ଦ ସକାଶୁଁ ଜୀଇଲିଏବେ ଜୀବ ଧନକୁ ହରାଇଲି ।୯୪।୧। କେହି = କିପରି, ୨। ତବଦ = ସ୍ତବ୍ଧ
ଚତୁର୍ଥ ବୋଲି
ଶୁଣି ଏହା ଆର ସଖୀ କହିଲାଶୁଣ ମତେ ଯେମନ୍ତ ବଞ୍ଚାଇଲା ।୧।ଦିନେ ରଜନୀ ଦୁଇ ପ୍ରହରରେଆସି ପଶିଲା ମୋହର ପୁରରେ ।୨।ଶାଶୁ ଶୋଇଥିଲା ଦାଣ୍ଡ ବାଟକୁକିଳି ଦେଇ ସେ ଦାଣ୍ଡ କବାଟକୁ ।୩।ନଣନ୍ଦହିଁ ତା ଖଞ୍ଜାରେ ଶୋଇଛିମୁଁ ଗୋ ମୋହ ଘରେ ନିଦ ଯାଇଛି ।୪।କି କି କରି କବାଟ ଫିଟାଇଲାଦ୍ୱାର ମେଲା କରି ଦେଇ ଆଇଲା ।୫।କଉଁରୂପେ ମନେ ଅବକଳିଲାମୋର ଶୋଇବା ଠାବରେ ମିଳିଲା ।୬।ପାଶେ ଆସି ବସିଲା ମୋ ଶେଯରେକର ଉଶ୍ୱାସି ଦେଲା ଉରଜରେ ।୭।ମୁଁ ଗୋ ସୁସୁପ୍ତିରେ ଶୋଇ ନ ଥିଲିକି କି ସ୍ୱପନ ମାନ ଦେଖୁଥିଲି ।୮।ମୋତେ ତ ବିଷମ ଡର ମାଡ଼ିଲାବେନି ନୟନୁ ନିଦ୍ରାହିଁ ଛାଡ଼ିଲା ।୯।ତାଙ୍କ କର ନେଇ କରେ ଧଇଲିକିଏ କହ କହ ବୋଲି କହିଲି ।୧୦।ଶୁଣି ବୋଇଲା ତୋହର ଦାସରେଚୋର ବୋଲି କି କରୁ ମାନସରେ ।୧୧।ତାର ବଚନରୁ ଚିହ୍ନି ପାରିଲିଶାଶୁ ନଣନ୍ଦଙ୍କୁ ବଡ଼ ଡରିଲି ।୧୨।ବୋଇଲି ହେ କାହିଁପାଇଁ ଅଇଲମୋତେ କି ଦଣ୍ଡେ ଆଣି ପକାଇଲ ।୧୩।ଶାଶୁ ବୁଢ଼ୀ ଯେବେ ଜାଣିପାରିବଏହିକ୍ଷଣି ଯେ ଚହଳ କରିବ ।୧୪।ମୋତେ ନାନାରୂପେ ଗଞ୍ଜି ମାରିବତୁମ୍ଭ ମହତ୍ତ୍ୱ ହିଁ ସବୁ ସାରିବ ।୧୫।ଏତେ ଦ୍ୱନ୍ଦ ନୋହୁଁ ମନମୋହନତୁନି ହୋଇକରି ଯାଅ ବହନ ।୧୬।ଶୁଣି ବୋଇଲା ପରାଣ ସଜନୀଏ ତ ହୋଇଛି ଅନ୍ଧର ରଜନୀ ।୧୭।ଶାଶୁ ବୁଢ଼ୀ ତେଣେ ଯାଇ ଶୋଇଛିନିଦେ ମଲା ପରା ଏକ ହୋଇଛି ।୧୮।ନଣନ୍ଦର ଦେହେ ନାହିଁ ଗିଆନକିମ୍ପା ମନରେ ଘେନୁଅଛୁ ଆନ ।୧୯।ମୋତେ ଜାଣିପାରି ନାହିଁ କିଛି ରେନାନା ବୁଦ୍ଧି ମୋହଠାରେ ଅଛି ରେ ।୨୦।ଆଉ ଲବେ ମାନ୍ତ୍ର ଭୟ କରନାମୋତେ ଦୟା କର ବରବରନା ।୨୧।ଏହା କହି ସହି ମୋତେ ବୋଧିଲାମନ ପକ୍ଷୀ ସ୍ନେହ ଫାଶେ ବାନ୍ଧିଲା ।୨୨।କାମ ଶରେ ମୋ ଚିତ୍ତ ତରାସିଲାଅନାୟତ୍ତେ ଶରୀର ଉଲୁସିଲା ।୨୩।ମୋତେ କୋଳ ପରେ ଘେନି ବସିଲାଶ୍ରୀକରରେ ଉରଜ ଆଉଁସିଲା ।୨୪।କି କି କରି ସ୍ନେହ ଭାଷା ଭାଷିଲାମୋର ଧଇର୍ଯ୍ୟ ଚେତନା ଦଂଶିଲା ।୨୫।କେତେ ମତେ ଚୁମ୍ବ ଦେଇ ବସିଲାତୀକ୍ଷ୍ଣ ନଖ ମୁନ ଉରେ ଭୁଷିଲା ।୨୬।ବିମ୍ବାଧରୁ ମୋର ସୁଧା ଶୋଷିଲାକୁନ୍ଦ ଦଶନ ତହିଁରେ ଦଂଶିଲା ।୨୭।କେତେ ଜାତି ସୁରତିରେ ରସିଲାବିପରୀତେ ପୁଣି ମୋତେ କଷିଲା ।୨୮।ଇନ୍ଦ୍ର ପଦହିଁ ତୁଚ୍ଛ ଆଭାଷିଲାରତି ବିହୁନେ ଆନେ ନ ରସିଲା ।୨୯।ମୁହିଁ ନିବିଡ଼ରେ ତାକୁ ଭିଡ଼ିଲିଏକ ଦେହ ପରା ହୋଇ ଜଡ଼ିଲି ।୩୦।କାମ ବିକାରରେ ବଳ ହୁଡ଼ିଲାମୃଦୁ ଶ୍ରୀଅଙ୍ଗ କର ଯେ ପୀଡ଼ିଲା ।୩୧।ମୋର ନାଗରୀପଣ ତ ଛାଡ଼ିଲାସେହି ବୃକ୍ଷୁଁ ଜ୍ଞାନଫଳ ଝାଡ଼ିଲା ।୩୨।ଦୁହିଁଙ୍କର ସୁଖ ହେଲା ସମାନକାମ ପଳାଇଲା ଛାଡ଼ି ଗୁମାନ ।୩୩।ଶୁଣ ଏବେ ଯେ କଥା ଉପୁଜିଲାମୋର ଶାଶୁ ବୁଢ଼ୀ ନିଦ ଭାଜିଲା ।୩୪।କି କି କରି ସେ ତରକି ଜାଣିଲାଘରେ ଅଛି କେ ମନକୁ ଆଣିଲା ।୩୫।ପୁଣି ଦେଖିଲା ଫିଟିଛି କବାଟବିଚାରିଲା ଏ ବୁଦ୍ଧ ବହୁ ବାଟ ।୩୬।ଘରେ ପୁରାଇଛି ଆଣି କାହାକୁକଉଁ ପରତେ ଯିବି ମୁଁ ଏହାକୁ ।୩୭।ଏତେ ଭାଳି ସେ କବାଟ କିଳିଲାତୁନି ହୋଇ ମୋହ ଘରେ ମିଳିଲା ।୩୮।ଆମ୍ଭେ ଜାଣିଛୁ କି ବୁଢ଼ୀ ଆସୁଛିଅନ୍ଧାରରେ ତ କିଛି ନ ଦିଶୁଛି ।୩୯।ରତି ରସରେ ତୋଷ କରି ମନତାଙ୍କ ମୁଖରେ ଦିଅନ୍ତେ ଚୁମ୍ବନ ।୪୦।ବୁଢ଼ୀ ଜାଣି ତା କତିରେ ହେଲାନିଧରି ପାରିବା ମନହିଁ କଲାନି ।୪୧।କାହୁଁ କାହୁଁ ତାହା କାହ୍ନୁ ଜାଣିଲେମୋତେ ତୁନି କରି ୟେତେ ଭଣିଲେ ।୪୨।ଶାଶୁ ତୋହର ପାଶରେ ହୋଇଲେମୋତେ ଛାଡ଼ି ସେ ପଳାଇ ଅଇଲେ ।୪୩।ବୁଢ଼ୀ ଯାଇଁ ମୋର କର ଧଇଲାଭଲା ଭଲା ଲୋ ଜାଣିବା ବୋଇଲା ।୪୪।ମୋତେ ଆଖି ଥାଉଁ କଲୁ ଜଳକୀଚାହୁଁ ଚାହୁଁ ଲଗାଉଛୁ ଭେଳିକି ।୪୫।ଦେବି ଡେଙ୍ଗୁରା ଯେ ନାକ କଟାଇଆଜି ପାରିବୁ କି ମୋତେ ଜଟାଇ ।୪୬।ତୋର ଦେହେ ଥିଲା ପୁଣି ଏ ରଙ୍ଗସିଂହ ଘରେ ନଚାଉଛୁ କୁରଙ୍ଗ ।୪୭।ଘରେ ପଶିଛୁ ରେ କଉଁ ନାଗରଆଜ ପଡ଼ିଛୁ ସିନା ମୋ ଆଗର ।୪୮।ହାତକରେ ଧରି ମୋର କରକୁଆର ହାତେ ଦରାଣ୍ଡୁଛି ଘରକୁ ।୪୯।ଏହା ଦେଖି ମୁଁ କାତର ହୋଇଲିମାଏ ବାଇ ହୋଇଲକି ବୋଇଲି ।୫୦।ଆଗ ବୁଝ କଉଁ ଦୋଷ ମୋହରତୁଚ୍ଛା କଥାରେ ନକର କହର ।୫୧।ମୁଁ ତ ଏହିଠାରେ ଶେଯେ ଶୋଇଛିଘରୁ ବାହାରକୁ ହିଁ ନ ଯାଇଛି ।୫୨।ମୂଷା ଦୁଇଟା ଚାଳୁ ବାହାରିଲେଦୁହେଁ କଳି ହୋଇକରି ମିଳିଲେ ।୫୩।ମୂଷଙ୍କର ଚୁଚୁକାର ଶବଦବସି ଶୁଣୁଛି ହୋଇ ନିଶବଦ ।୫୪।ମୋତେ ତୁଚ୍ଛା ସିନା ଦୋଷ ଦେଉଛବାଇ ପରାଏ କାହିଁକି ହେଉଛ ।୫୫।ପୁଣି ବୋଲେ ଲୋ ନାକକାନଖାଇକାହିଁ ନାଗରକୁ ଦିଅ ଦେଖାଇ ।୫୬।ମୋତେ କରୁଅଛୁ ବଟାବଟିକିକାହି ପଳାଇ ସେହୁ ଯିବଟିକି ।୫୭।କିଳି ଦେଇ ଆସିଛି ଯେ କବାଟଆଉ ଯିବାକୁ ଘରେ ନାହିଁ ବାଟ ।୫୮।ଏତେ କହି ଛାଡ଼ିଲା ମୋ କରକୁଚାଣ୍ଡେ ଗଲା ସେ ଉପର ଘରକୁ ।୫୯।କୋଠାଚୁଲିରେ କୁଟାପକାଇଲାନିଆଁ ଜାଳି ଚଇଠା ଲଗାଇଲା ।୬୦।ଘରେ ଦେଖିଲି ହୋଇଛି ଆଲୁଅମୋର ନୟନେ ପୂରିଗଲା ଲୁଅ ।୬୧।ନିଶ୍ଚେ କୃଷ୍ଣଚନ୍ଦ୍ର ଧରା ପଡ଼ିଲାଏହା ଚେତି ମୋ ଚେତନା ବୁଡ଼ିଲା ।୬୨।ସେ ଗୋ ଧରା ନ ପଡ଼ିବେ ବିଚାରିମନାସିଲି ମୁଁ ଓଷା ଦୁଇଚାରି ।୬୩।ଶୁଣ ଏ ଉତ୍ତାରୁ ଯାହା ହୋଇଲାଶାଶୁ ବୁଢ଼ୀ ଦୀପ ଘେନି ଅଇଲା ।୬୪।ଆଗ ଶୋଇବା ଘରେ ସେ ମିଳିଲାଖୋଜି ଆର ଗମ୍ଭୀରିକୁ ଚଳିଲା ।୬୫।ଚାହିଁଲା ଭାଡ଼ିତଳ ଉପରକୁପୁଣି ଗଲା ଆର ଖଞ୍ଜା ଘରକୁ ।୬୬।ମୁହିଁ ତାର ସଙ୍ଗେ ସଙ୍ଗେ ଯାଉଛିମୋତେ ଆଲୁଅ ଅନ୍ଧାର ଦିଶୁଛି ।୬୭।ଖୋଜି ନ ଦେଖିଲା ସବୁ ଘରକୁଗଲା ଝିଅ ଶୋଇଥିବା ପୁରକୁ ।୬୮।କଞ୍ଚି ଘେନି କବାଟ ଫିଟାଇଲାତାର ଶୋଇବା ଥାନରେ ହୋଇଲା ।୬୯।ମୁହିଁ ଲାଗିଛି ତା ପଛକତିରେସଭୟରେ ଛନ୍ନ ଛନ୍ନ ମତିରେ ।୭୦।ଶୁଣ ଏଥି ଉତ୍ତାରୁ ପ୍ରାଣମିତତିନିପୁରେ ଏକଥା ଆଚମ୍ବିତ ।୭୧।ଆମ୍ଭ ପଡ଼ିଶା ଗୁଆଳ ପୁଅକୁଘେନି ଶୋଇଛି ଦେଖିଲୁ ଝିଅକୁ ।୭୨।ନାହିଁ ବସନ ଦୁହିଁଙ୍କ ଅଙ୍ଗରେଲାଗିଅଛି ଉରଜ ଉରଜରେ ।୭୩।ଛନ୍ଦା ଛନ୍ଦି ଦୁହେଁ ପାଦ ପାଦକୁନିଶ୍ଚିନ୍ତରେ ଯାଇଛନ୍ତି ନିଦକୁ ।୭୪।ଶାଶୁ ବୁଢ଼ୀ ଯହୁଁ ଏହା ଦେଖିଲାଅତି କାତରେ ତା କଣ୍ଠ ଶୁଖିଲା ।୭୫।କର କପାଳରେ ଦେଇ ମାରଇତାଟକାରେ ତାର ତନୁ ଥରଇ ।୭୬।ଏହା ଦେଖି ମୁଁ ଭରସା ପାଇଲିଏବେ ଦେଖିଲ ତ ବୋଲି ବୋଇଲି ।୭୭।ମୋତେ ସିନା ବୋଲୁଥାଅ ଅସତୀଝିଅ ଠାକୁ ତ ନାଗର ଆସନ୍ତି ।୭୮।କେତେ କାହାକୁ ବାରତା ଦିଅଇନିତି ଏକୁଟିଆ ହୋଇ ଶୁଅଇ ।୭୯।ତୁମ୍ଭେ ଝିଅ କଥାତ ନ ବୁଝୁଛତୁଚ୍ଛା କଥାରେ ମୋ ସଙ୍ଗେ ଯୁଝୁଛ ।୮୦।କଉଁ ଦୋଷେ ଦିଅ ମୋତେ ଦକାକୁଝିଅ ଘେନି ଶୋଇଛି ଯେ ଟୋକାକୁ ।୮୧।ମୋତେ ଦଣ୍ଡିଲ ଯା ଅକାରଣରେଭୋଗ କରିବ ତା ଶତେ ଗୁଣରେ ।୮୨।ପୋଡ଼ି ଯାଉ କିନା ମୋର କରମକିରେ କେହି ସହୁଛୁରେ ଧରମ ।୮୩।ସତୀମାନଙ୍କୁ ଅସତୀ କରନ୍ତିମିଛେ ଦୋଷ ଦେଇ ମୋତେ ମାରନ୍ତି ।୮୪।ରାତି ପାହୁ ଯିବି ବାପଘରକୁଆଉ ନ ମାଡ଼ିବି ଏ ଦୁଆରକୁ ।୮୫।ଏହି ରୂପେ ବେଳୁ ବେଳ ଚଳିଲିଶାଶୁଠାରୁ ଶହେଗୁଣେ ବଳିଲି ।୮୬।ତାକୁ କହିବାକୁ କିଛି ନଇଲାମୋତେ କୋମଳରେ ଏହା ବୋଇଲା ।୮୭।ମାଆ ଦୋଷ ନ ଧର ଲୋ ମୋହିରହାତଧରି କହୁଅଛି ତୋହର ।୮୮।ଝିଅ କଥାହିଁ କାହିଁ ନ କହିବୁସେ ତ ଦୋଷ କଲା ତୁ ତା ସହିବୁ ।୮୯।ଯେଣୁ ବୋଧିଲା ବହୁତ ମତରେମୁଁ ଗୋ ତୁନିହେଲି ତୋଷଚିତ୍ତରେ ।୯୦।ସେହିଦିନୁ ମୁଁ ଛାଡ଼ିଲି ଡରକୁକଲି ଜୀବନ ନନ୍ଦକୁମରକୁ ।୯୧।ଏତେ ରୂପେ କରି ଅନୁରାଗରେଏବେ ମେଲି ଦେଲେ ଦୁଃଖ ସାଗରେ ।୯୨।ବାଟାବଟି = ଫୁସଲାଫୁସୁଲି, ଗୁଆଳ ପୁଅ = ଗାଈଆଳ, ଗାଇଚରା ପିଲା , କେହି = କିପରି , ଚଳିଲି = ଚିଡ଼ିଲି, ବିରକ୍ତି ହେଲି ।
ପଞ୍ଚମ ବୋଲି
ଶୁଣି ଆର ସଖୀ ତହୁଁ ଭାଷିଲାଶୁଣ ମୋ ଭୟ ଯେମନ୍ତ ନାଶିଲା ।୧।ମୁଁ ଗୋ ଏଣୁ ଖାଆ ପିଅ ସାଇଲିଭାତ ପଖାଳି ହାଣ୍ଡିହିଁ ଧୋଇଲି ।୨।ଦିନେ ଆମ୍ଭ ପାଟ ଗାଈ ନଇଲାକାହା ଗୋଠେ ପଶି ବଣା ହୋଇଲା ।୩।ପତି ତାକୁ ଖୋଜିବାକୁ ଅଇଲେଦୁଇ ପହରେ ଘରକୁ ନଇଲେ ।୪।କାଖେ ହାତେ ଘେନି କୁମ୍ଭ ଦୁଇକିପାଣି ଆଣିବାକୁ ଗଲି ନଈକି ।୫।ଯାଇ ଯମୁନା ନଈରେ ହୋଇଲିପାଣି ଦୁଇ କୁମ୍ଭରେ ପୁରାଇଲି ।୬।କାଖେ ମୁଣ୍ଡେ ବସାଇଲି ମାଠିଆଆସି କୁଳରେ ହୋଇଲିନି ଠିଆ ।୭।କାହ୍ନୁ କାହୁଁ କାହୁଁ ହେଲା ପ୍ରବେଶହୋଇଅଛି ଅପୂର୍ବ ଚାରୁବେଶ ।୮।ଚାରୁ ଚରଣେ ନୂପୁର ସାଜଇଚାଲିବାରେ ରୁଣୁ ଝୁଣୁ ବାଜଇ ।୯।କଟୀତଟେ ଶୋଭାପାଏ କିଙ୍କିଣୀକିଣେ ଚିତ୍ତ ସେ ବାଜି କିଣି କିଣି ।୧୦।ପିନ୍ଧିଅଛି ଦିବ୍ୟ ପୀତ ବାସକୁହେଳେ ମୋହୁଅଛି ସେ ମାନସକୁ ।୧୧।କରେ ଅମୂଲ୍ୟ କଙ୍କଣ ଶୋହଇଯାହା ଚାହିଁ ଚକ୍ଷୁଚାଳି ନୁହଇ ।୧୨।ହୃଦେ ପଡିଅଛି ରତ୍ନ ପଦକଯୁବା ଯୁବତୀଙ୍କ ଚିତ୍ତ ମାଦକ ।୧୩।କର୍ଣ୍ଣେ ସୁବର୍ଣ୍ଣ କୁଣ୍ଡଳ ବିରାଜେନିନ୍ଦା କରୁଥାଇ ଭାନୁ ତୋରା ଯେ ।୧୪।ନାସେ ଚାରୁ ସିନ୍ଧୁ ଫଳ ଲୁଳୁଛିନୀଳ ପଦ୍ମେ ଜଳ ବିନ୍ଦୁ ଢଳୁଛି ।୧୫।ଲଲାଟରେ ଗୋରଚନା ତିଳକଶ୍ରୀମୁଖକୁ ଶୋଭାପାଏ ଅଳକ ।୧୬।ନାନା ଫୁଲମାଳେ ତନୁ ସାଜଇନବଘନ ଜିଣି ରୂପ ରାଜଇ ।୧୭।ଧରି ମୋହନ ମୁରଲୀ କରରେଥରେ ଥରେ ବଜାନ୍ତି ସୁସ୍ୱରରେ ।୧୮।ଆସି ମୋହ ଆଗେ ଉଭା ହୋଇଲେଦର ଦର ହସି ମୋତେ ବୋଇଲେ ।୧୯।ଧନ କି ଯୋଗେ ଏକାଳେ ଅଇଲିତୋତେ ଏକାନ୍ତେ ଯା ଭେଟ ପାଇଲି ।୨୦।କରିଅଛି ମୁଁ ବହୁତ ଭରସାମୋତେ ରତି ରସରେ ଆଜି ରସା ।୨୧।ସଖି, ପାଇବାକୁ ତୋର ଚୁମ୍ବନବଡ଼ ଲୋଭୀ ହୋଇଛି ମୋର ମନ ।୨୨।ବିମ୍ବାଧରୁ ସୁଧାରସ ପିଆଅମୋତେ ମଦନ କଦନୁଁ ଜୀଆଅ ।୨୩।ଏହି ପ୍ରକାରେ ବିନତି ହୋଇଲେଯାଇଁ ଚରଣ ପୁଣିହିଁ ଧଇଲେ ।୨୪।ସଖୀ ସେକାଳେ ମୁଁ ତାଙ୍କୁ ଚାହିଁଲିଧୈର୍ଯ୍ୟ ଧରିବା ସାମର୍ଥ ନୋହିଲି ।୨୫।ମୋତେ କିଛିହିଁ ବୋଲି ନ ଆସିଲାରୋମ ଦେହରେ ଟାଙ୍କୋରି ଆସିଲା ।୨୬।ତାଙ୍କୁ ବୋଇଲି ଆହେ ବେଣୁପାଣିସଖୀମାନେ ଆସିବେ ନେଇ ପାଣି ।୨୭।ତୁମ୍ଭପାଖେ ଯେବେ ମୋତେ ଦେଖିବେକଉଁ କୁଳବତୀ ମେଳେ ରଖିବେ ।୨୮।ଗାଈ ଖୋଜି ଆସିଛନ୍ତି ମୋ ପତିଏହିବାଟେ ଆସିବେ ଶୀରିପତି ।୨୯।ଶୁଣି ବୋଇଲା କି ଘେନୁ ମନକୁଆସ ଆସ ଯିବା ବୃନ୍ଦାବନକୁ ।୩୦।ଏତେ ବୋଲି ଧଇଲେ ମୋ ବାସକୁଲଙ୍ଘି ନ ପାରି ତାହାଙ୍କ ଭାଷକୁ ।୩୧।ଘେନି କାଖେ ମୁଣ୍ଡେ ସେହି କୁମ୍ଭକୁତାଙ୍କ ସଙ୍ଗେ ଗଲି ହାରି ଦମ୍ଭକୁ ।୩୨।ଯାଇ ବୃନ୍ଦା ବିପିନରେ ହୋଇଲିପାଣି ମାଠିଆକୁ ତଳେ ଥୋଇଲି ।୩୩।ମୋତେ ନିବିଡ଼ରେ ଭିଡ଼ି ଭୁଜରେଚୁମ୍ବ ଦେଲା ବଦନ ସରୋଜରେ ।୩୪।ଭୁଷି ପ୍ରଖରତରେ କରଜରେଚିହ୍ନ ଦେଲା ମୋ ବେନି ଉରଜରେ ।୩୫।ଚାଳି ରସନାକୁ ପୁଣି କର୍ଣ୍ଣରେଓଷ୍ଠ ରସ ପାନ କରି ପୂର୍ଣ୍ଣରେ ।୩୬।ଚଉଷଠି ବନ୍ଧେ ରତି ସାଇଲାବିପରୀତହିଁ କେତେ ଭିଆଇଲା ।୩୭।ଶ୍ରମ ଭରେ ବସି ଆସକତରେବିଞ୍ଚି ଦେଲି ମୁଁ କାନି ପଣନ୍ତରେ ।୩୮।ସହି ସେହି ପୁଣି ଶ୍ରମ ଭାରରେଆସି ଆଉଜିଲେ ମୋର ଉରରେ ।୩୯।ଶ୍ରୀମୁଖରୁ ଝାଳ ପୋଛି ଦେଉଛିକହୁଅଛି ମୁଁ ମେଲାଣି ହେଉଛି ।୪୦।ଏହି କାଳେ ପତି ପାଶେ ହୋଇଲାଆମ୍ଭ ଦୁଇଜଣଙ୍କୁ ଅନାଇଲା ।୪୧।ଗାଈ ଖୋଜି ଖୋଜି ଦେହ ଚଳୁଛିଭୋକେ ପେଟ ଭିତରହିଁ ଜଳୁଛି ।୪୨।ଖରା ଲାଗି ଝାଳ ଦେହୁ ଗଳୁଛିଅତି ଦୁର୍ବଳେ ଶରୀର ଲୁଳୁଛି ।୪୩।ମୋତେ ଦେଖିବାରୁ କୃଷ୍ଣ ପାଶରେଦେହ ଥରିଲା ଦିଗୁଣ ରୋଷରେ ।୪୪।ଆଣ୍ଟେ କିଲୋ କି ରୀତି ଏ ବୋଇଲାଶୁଣି ଦେହ ଝିମି ମାରି ଅଇଲା ।୪୫।ପଣନ୍ତହିଁ ହାଥୁଁ ଝଡ଼ି ପଇଲାମତେ କହିବାକୁ କିଛି ନଇଲା ।୪୬।ଶୁଣି କୃଷ୍ଣ ଯଉଁ ବୁଦ୍ଧି ପାଞ୍ଚିଲାନୟନରୁ ଲୁହ ବେଗେ ମୁଞ୍ଚିଲା ।୪୭।ଖରତରେ ନିଶ୍ୱାସ ପକାଇଲାମାମୁଁ ଥରେ ଜୀଇଲିଟି ବୋଇଲା ।୪୮।ଆଉ ଦେଖିବି ମୁଁ ତୁମ୍ଭମାନଙ୍କୁଥିଲା ପରତେ କି ଏ ମୋ ମନକୁ ।୪୯।ବାପା ମାଆଙ୍କର ବଡ଼ କରମମତେ ବେଳେ ବଞ୍ଚାଇଲା ଧରମ ।୫୦।ଏଡ଼େ ବିପତ୍ତିରୁ ଜୀବ ରହିବଶୁଣା ନଥିଲା ଏବେ ହିଁ ନୋହିବ ।୫୧।ଶୁଝି ନ ପାରିବି ମାଇଁ ଗୁଣକୁମାମୁଁ ରଖିଲେ ଏ ମୋର ପ୍ରାଣକୁ ।୫୨।ଦେଖ କୋଳେ ଆଉଜାଇ ବସିଛିକେତେ କହିବି ଯେତେ ସେ ଘସିଛି ।୫୩।ମାଆ ଏତେ ହିତକାରୀ ନୁହଇଆନ କଥା ଆଉ ନିକି କହଇ ।୫୪।କହୁ କହୁ ଆସୁଅଛି କୋହରେଲୁହ ବହି ଯାଉଅଛି ଦେହରେ ।୫୫।ଶୁଣି ମୋ ପତି ତାଟକା ହୋଇଲେକିରେ କହ କହ ବାବୁ ବୋଇଲେ ।୫୬।ଆସି ବସିଲେ ତାହାର ପାଖକୁଦେଲେ ପଣନ୍ତରେ ପୋଛି ମୁକକୁ ।୫୭।ତାଙ୍କ ଚରଣ କରରେ ଧଇଲାଶୁଣ ମାମୁଁ ମୁଁ କହଇ ବୋଇଲା ।୫୮।ଦାମ ସୁଦାମ ମୁଁ ବନମାଳୀକିଘେନି ଖେଳୁଥିଲି ଲୁଚକାଳିକି ।୫୯।ଲୁଚି ପଶିବି ତ କଣ୍ଟା ଖୁଞ୍ଚରେଚିରିଯିବ ସିନା ଏହି ପାଞ୍ଚରେ ।୬୦।ମୋର ବେଢ଼ାଣ ପୀତ ଦୂକୁଳକୁକାଢ଼ି ଥୋଇଲି କଦମ୍ବ ମୂଳକୁ ।୬୧।ତାଙ୍କ ଚାରିଙ୍କି ଲୁଚିବା ପାଇଲାଏଣୁ ଖେଜିବା ପାଳି ମୋ ହୋଇଲା ।୬୨।ସେ ଯେ ଲୁଚିଲେ ମୁଁ ତାଙ୍କୁ ଖୋଜିଲିପାଶେ ଲୁଚି ଅଛନ୍ତି ନ ହେଜିଲି ।୬୩।ଖୋଜି ଖୋଜି ମୁଁ ଦୂରକୁ ଯାଉଛିଦେଖି ନ ପାଇ ବିରସ ହଉଛି ।୬୪।ଏହି ସମୟେ ଚାରିହେଁ ଅଇଲେମୋର ପୀତ ବେଢ଼ାଣକୁ ଧଇଲେ ।୬୫।ଚଢ଼ି ବାନ୍ଧିଲେ କଦମ୍ବ ଉପରେଘରମାନଙ୍କୁ ଗଲେ ତତପରେ ।୬୬।ମୁଁ ଯେ ବନଯାକ ବୁଲି ଅଇଲିକାହିଁ ତାହାଙ୍କ ଭେଟ ନ ପାଇଲି ।୬୭।ବୁଲି ବୁଲି ଏହିଠାରେ ହୋଇଲିପୀତବସନ ନାହିଁ ଅନାଇଲି ।୬୮।ମୋର ଚେତା ସେହିଲାଗେ ବୁଡିଲାମାଆ ମାରିବାକୁ ଡର ମାଡ଼ିଲା ।୬୯।ତାଙ୍କୁ ଡାକିଲି ଅତି ଆରତରେଡାକ ନ ଶୁଣିଲେ କଦାଚିତରେ ।୭୦।ବାସ ଦେଖିଲି କଦମ୍ବ ଅଗରେକେହି ନ ଥିଲେ ତ ବନ ଭାଗରେ ।୭୧।ଏଣୁ ଚଢ଼ିଲି ବୃକ୍ଷ ଉପରକୁଯାଇଁ ଫିଟାଇଲି ସେ ଅମ୍ବରକୁ ।୭୨।ଡାହି ଭାଙ୍ଗି ପଡ଼ିଲା ସେ କାଳରେପଡ଼ିଗଲି ମୁହିଁ ଏହି ତଳରେ ।୭୩।ଗଛୁଁ ପଡ଼ିବାର ଅଛି ମନରେସେହିଠାରୁ ପଡ଼ିଛି ଅଜ୍ଞାନରେ ।୭୪।ଏ ଉତ୍ତାରୁ ପୁଣି କେତେ ବେଳରେମୋର ପୂର୍ବ ଜନ୍ମ କର୍ମ ବଳରେ ।୭୫।ମାଇଁ ତୁମ୍ଭଙ୍କୁ ଯେ ଖୋଜି ଅଇଲେଆସି କି ଯୋଗେ ମୋ ପାଶେ ହୋଇଲେ ।୭୬।ଅଣ ଆୟତରେ ମୁଁ ଯେ ପଡ଼ିଛିଏଣୁ ଚିଆଁ ଚଇତନ ବୁଡ଼ିଛି ।୭୭।ମୋତେ ଦୁଇ ଭୁଜେ ଧରି ଟେକିଲେକୋଳେ ଧରି ନାକ କାନ ଫୁଙ୍କିଲେ ।୭୮।ପାଣି ସିଞ୍ଚି ପୁଣି ଦେଲେ ପିଆଇତେତେବେଳେ ମୁଁ ଉଠିଲି ଚିଆଁଇ ।୭୯।ମାମୁଁ ସେ କାଳୁଁ ଦେହ ମୋ ଥରୁଛିମାଇଁ କୋଳୁଁ ପଡ଼ିବାକୁ ଡରୁଛି ।୮୦।ଭାଙ୍ଗି ଯାଇଅଛି ହାଡ଼ଯାକ ତଶୋଇ ହେବାକୁ ହିଁ ନାହିଁ ଶକତ ।୮୧।ମାଇଁ ଓଟାରି ମୋ ହାତ ଗୋଡ଼କୁଦେଲେ ସଳଖି ଖସିଲା ହାଡ଼କୁ ।୮୨।କେତେ କେତେ ବେଳୁଁ ଅବା ଘସିଛିଏତେବେଳେ କୋଳେ ଘେନି ବସିଛି ।୮୩।ମାମୁଁ ନିଶ୍ଚେ ମୋ ପ୍ରାଣ ଯାଇଥାନ୍ତାମାଇଁ ଯେବେଟି ଆସି ନ ଥାଆନ୍ତା ।୮୪।ତୁମ୍ଭମାନଙ୍କ କଲ୍ୟାଣୁଁ ଜୀଇଲିଆଜୁଁ ମାଇଁଙ୍କର କିଣା ହୋଇଲି ।୮୫।ମାଇଁ ଯାହା କଲେ ମନ ଜାଣିଛିଯେତେ ଆହୁରି ମନକୁ ଆଣିଛି ।୮୬।ଏହା ଶୁଣି ପତି ଛନ୍ନ ହୋଇଲେବାବୁ କି କରିଥିଲୁ ରେ ବୋଇଲେ ।୮୭।ବୁଡ଼ି ଯାଇଥିଲା ନନ୍ଦ ସମ୍ପଦଥିଲା ଆଉ କି ତୋର କର ପଦ ।୮୮।ଏତେ କହି ମୋ କୋଳରୁ ତୋଳିଲେକି କି ମନ୍ତ୍ର ପଢ଼ି ଦେହ କିଳିଲେ ।୮୯।ଘରଠାରୁ ତାକୁ ଘେନି ଅଇଲେଦୁଧ ଭାତ ଏକା ସାଙ୍ଗେ ଖାଇଲେ ।୯୦।କୃଷ୍ଣଚନ୍ଦ୍ର ଗଲେ ତାଙ୍କ ଘରକୁଇଚ୍ଛା ବେଳେ ଆସନ୍ତି ମୋ ପୁରକୁ ।୯୧।ଏହିରୂପରେ ମୋ ସଙ୍ଗେ ପୀରତିକାହିଁ ଛାଡ଼ିଗଲେ ଚାରୁ ମୂରତି ।୯୨।
ଷଷ୍ଠ ବୋଲି
ଏହା ଶୁଣି ଆର ସଖୀ କହଇଶୁଣ ସଜନୀ ଯେ କଥା କହଇ ।୧।ତାର ଗୁଣ କି କହିଲେ ସରିବତୁମ୍ଭ ମନେ କେତେ କଳି ପାରିବ ।୨।ତାର ପୀରତି ସିନା ମୁଁ ଜାଣିଛିପ୍ରାଣୁ ଅଧିକ ମୋର ସେ ମଣିଛି ।୩।କହିଲେ କେହୁ ତା ସତ କରିବକହୁଁ କହୁଁ ନିଶ୍ଚେ ମତେ ମାରିବ ।୪।ଯଉଁ ଦିନ ସେ ଜନମ ହୋଇଛିଶୁଣ ଯଉଁ ଆସେ ସହି ଧାଇଁଛି ।୫।ନନ୍ଦ ରୀଜାର ତ ପୁଅ ନୋହିଲାବାଳ ପାଚିବା କାଳହିଁ ହୋଇଲା ।୬।ଯଶୋବନ୍ତୀ ତ ଦୁଃଖ କରୁଥାଇକାହିଁରେ ସୁଖ ଶରଧା ନଥାଇ ।୭।ଦଇବେ ଗର୍ଭ ତାହାର ଉଦୟଅତି ଆନନ୍ଦ ମୋହର ହୃଦୟ ।୮।ନ୍ତ୍ରମେ ଦିନ ଗଲା ବହି ଏଥିରେଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ।୯।ନନ୍ଦର ପୁଅ ହେଲା କେ ବୋଇଲାଏଣୁ ମୋର ବୁକୁ କୁଣ୍ଢେ ହୋଇଲା ।୧୦।ରାନ୍ତ୍ର ପହର ଅଢ଼ାଇ ହୋଇଛିଦଣ୍ଡେ ନ ଛାଡ଼ି ଝଡ଼ି ଲଗାଇଛି ।୧୧।ହୋଇଅଛି ତ ଅନ୍ଧାର ରଜନୀଚିହ୍ନ ବର୍ଣ୍ଣ ଦିଶୁ ନାହିଁ ସଜନୀ ।୧୨।ଅତି ପ୍ରବଳରେ ଜଳ ବରଷେମେଘ ଗରଜଇ ଉତୁକରଷେ ।୧୩।ଦଶ ଦିଶେ ବିଜୁଳି ଜଟକନ୍ତିଭେଟ କୁକୁଟ ଡାହୁକେ ରଟନ୍ତି ।୧୪।ଭୂମି ଦିଶୁ ନାହିଁ କୁଆପଥରେକେତେବେଳେ ବା ଯିବ କେ ପଥରେ ।୧୫।କାନ ପାଖେ ଶୁଭୁ ନାହିଁ ବଚନଥିଲେ ନ ଥିଲା ହୋଇଛି ଲୋଚନ ।୧୬।କାମୀ ଲୋକକୁ ଦେଉଛି ମୁକତିକେ ଛାଡ଼ିବ ସେ କାଳେ ପତି କତି ।୧୭।ଖାଇଅଛି ମୋ ନାୟକ ଅମଳଘାରି ହେଉଛି ନୟନ କମଳ ।୧୮।ମହା ଉନ୍ମତ୍ତରେ ମୋହ ସଙ୍ଗରେମାତି ଅଛନ୍ତି ଅନଙ୍ଗ ରଙ୍ଗରେ ।୧୯।କରି ଦୟିନୀ ଚାକର ପରାଇମୋତେ ବିପରୀତ ସେହି କରାଇ ।୨୦।ସେହି ବନ୍ଧରେ ଅଛନ୍ତି ବସାଇଉର ଉରଜ ରସରେ ମିଶାଇ ।୨୧।ଇନ୍ଦ୍ର ସୁଖ ମନକୁ ନ ପାଉଛିମୋର ମନ ଭାରି ଛନ୍ନ ହେଉଛି ।୨୨।ଯୋକ ନାଗିଥିଲେ ଅଣ ଆଦରେଫିଙ୍ଗିଦେଇ ଯେହ୍ନେ ଅଣଆଦରେ ।୨୩।ସେହିରୂପେ କର ପାଦ ସିଞ୍ଚାଡ଼ିଧରୁଁ ଧରୁଁ ଅଇଲି ତାଙ୍କୁ ଛାଡ଼ି ।୨୪।ଦେହେ ଲୁଗା ପୁରେ ମାନ୍ତ୍ର ବେଢ଼ାଇଧାଇଁଅଛି ପତି ଛନ୍ତି ଗୋଡ଼ାଇ ।୨୫।ପତି ଲେଉଟି ଅଇଲେ ଅନ୍ଧାରେପଶିଗଲି ମୁଁ ଯେମନ୍ତ ଅନ୍ଧାରେ ।୨୬।କଣ୍ଟା ଖୁଞ୍ଚ ଅବା ଯେତେ ମାଡ଼ିଛିଝୁଣ୍ଟି ପଡ଼ି ଆଣ୍ଠୁ ଗଣ୍ଠି ଛିଡ଼ିଛି ।୨୭।କିଛି ବାଧୁନାହିଁ ସେ ମୋ ମନକୁଧାଏଁ ଦେଖିବାକୁ ଦୁଖୀଧନକୁ ।୨୮।କଷ୍ଟେ ଯାଇ ନନ୍ଦପୁରେ ହୋଇଲିପଦ୍ମମୁଖ ଦରଶନ ପାଇଲି ।୨୯।ସେହି ଦିନ ଯେଉଁ ସୁଖ ହୋଇଲାସହି କହିବାକୁ ସେ ତ ନଇଲା ।୩୦।ମୋତେ ମୋହିଲା ଚାହିଁବା ମାତରେସେହିଦିନୁଁ ପଶିଲା ଯେ ଚିତ୍ତରେ ।୩୧।ବଢ଼ି ଅଇଲା ଯେ ଦିନୁ ଦିନକୁସେହିରୂପେ ମୋହିଲା ମୋ ମନକୁ ।୩୨।କହୁଁ କହୁଁ ଆସି ହେଲା ବରଷେମତେ ଠାରି ଅନାଇଲା ବିରସେ ।୩୩।କାଖ ହୋଇଥାଏ ମାଆ କାଖରେମୋତେ ଦେଖଇଟି ଯେବେ ପାଖରେ ।୩୪।ହସି ଉଠଇ ହୋଇ କର କରମୋତେ ବଢ଼ାଇ ଦିଏ ବେନି କର ।୩୫।ଦୁଖୀଧନକୁ ବସାଇ କାଖରେସେହିଲାଗେ ଚୁମ୍ବ ଦେଇ ମୁଖରେ ।୩୬।ତାଙ୍କ ଅଗଣାଯାକ ବୁଲୁଥାଇଲାଗି ତା ଦେହେ ଦେହ ଫୁଲୁଥାଇ ।୩୭।କେତେବେଳେ କାଖରେ ଝୁଲୁଥାଇମା ମା ଦରୁଟି କରି ବୋଲୁଥାଇ ।୩୮।ଥରେ ଥରେ ଶୁଣି ଛାଡ଼ି ଦିଅଇଯାଇ ଖଣ୍ଡଦୂରେ ଉଭା ହୁଅଇ ।୩୯।ଯାଏ ଗୁରୁଣ୍ଡି ମୋ ପାଦ ତଳକୁଘୁଞ୍ଚୁଥାଇ ମୁଁ ବେଳକୁ ବେଳକୁ ।୪୦।ସହି ସେହିଠାରୁ ତଳେ ପଡ଼ଇକାନ୍ଦି କରି ଚରଣ ସିଞ୍ଚାଡ଼ଇ ।୪୧।ଆହା କି କଲି ବୋଲି ମୁଁ ଦୁଃଖରେତୋଳି ବହନ ଧରଇ କାଖରେ ।୪୨।ମତେ କେତେ ରୂପେ ଦୁଃଖ କରଇକାନ୍ଦିବାରେ ବିମ୍ବାଧର ଥରଇ ।୪୩।କାଖେ ସିଞ୍ଚାଡ଼ୁ ଥାଇ ଯେ ଗୋଡ଼କୁଲୋଟିପଡ଼ି ଯେ ମୋ ପିଠି ଆଡ଼କୁ ।୪୪।ଶାନ୍ତି ନୁହଇ ସେ ବୋଧି କହିଲେକାନ୍ଦେ ଅଧିକ ମୁଖକୁ ଚାହିଁଲେ ।୪୫।ପୁଣି ବସାଏ ନେଇଣ କନ୍ଧରେବଟି କହଇ ଚାନ୍ଦରେ ଚାନ୍ଦରେ ।୪୬।ଏହି କଥାରେ ନେଉଥାଇ କାଳନ ଜାଣଇଁ ମୁଁ ସଞ୍ଜ କି ସକାଳ ।୪୭।ଛାଡ଼ି ଦେଲି ସବୁ ଘର ଜୀବିକାକେହୁ ଜାଣଇ ଦହି ଦୁଧ ବିକା ।୪୮।ସଖୀ ଖାଇବା ପିଇବା ଛାଡ଼ିଲିଏକା ତାହାରି ସ୍ନେହରେ ବୁଡ଼ିଲି ।୪୯।ଦଣ୍ଡେ ମାନ୍ତ୍ର ଯେବେ ହୁଡ଼ି ଆସଇମୋତେ ସଂସାର ଅନ୍ଧାର ଦିଶଇ ।୫୦।ସାତ ବରଷ ହେବାଯାଏ ତାକୁନ ଜାଣଇ ସେ ମାତା ପିତାକୁ ।୫୧।ତଳେ ନ ବସାଇ ପଦ୍ମ ମୁଖକୁଦେଖି ଝମିଯାଏ ଆସି ପାଖକୁ ।୫୨।ପାଞ୍ଚ ବରଷ ଦିନରୁ ଟାପରାଜାଣି କରଇ ନ ଜାଣିଲା ପରା ।୫୩।କେଉଁ ଦିନ ମୋ ମୁଖକୁ ଚାହଁଇଅଳ୍ପ ହସି ଗେଲେ କଥା କହଇ ।୫୪।କଉଁ ଦିନ କୁଚେ ଲଦି ବଦନହସି ଉଠୁଥାଇ ନନ୍ଦ ନନ୍ଦନ ।୫୫।ଦିନେ ମୋର କୁଚେ କର ଲଦିଲାହସି ଭାସିଲା ମନକୁ ଭେଦିଲା ।୫୬।ହାତ ବଢ଼ାଇ ଦେଇଣ ନୀବିକିପୁଣି ବୋଇଲା ଚୁମ୍ବନ ଦେବି କି ।୫୭।ଏହା ଶୁଣି ମୁଁ ଗୋ ଚଳି ହୋଇଲିକିରେ କି ପାଠ ତୋର ଏ ବୋଇଲି ।୫୮।ଦିନେ ବୋଇଲା କେମନ୍ତ ତୋହରହେଲା କି ଚିତ୍ତ ଲାଗିଲା ମୋହର ।୫୯।ଦିନେ କୁଚେ ହାତ ଦେଇ ବୋଇଲାକହ ତୋ ଠାକୁ କାହୁଁ ଏ ଅଇଲା ।୬୦।ମୋର ଦେହେ ତ ନାହିଁ ଏହୁ ପରାଏଥୁ ଗୋଟିଏ ମୋତେ ଦେବୁ ପରା ।୬୧।କହ କାହିଁ ସଖି ଲଭୁ ଏମାନଚଳି ବୋଇଲି ଆରେ ହୀନିମାନ ।୬୨।ଏତେ ପରପଞ୍ଚ ତୁରେ ହୋଇଲୁମାଆ ଆଗେ କହିବି କି ବୋଇଲୁ ।୬୩।ବୋଲେ ବୋଇଲାକୁ ଏହା କି ହେଲାମୋର ଦୁଃଖ ତୋ ମନରେ ନ ହେଲା ।୬୪।କାହିଁ ପାଇଁ ରହୁଛୁ ଅପସରିକହ କହ ରେ କେତେ ଯିବ ସରି ।୬୫।ଯେହୁ ମୋର କରିଥାଇ ଯାହାକୁତାର ସବୁ ଦୁଃଖ ଲାଗେ ତାହାକୁ ।୬୬।ଜାଣିଥିବୁ ଲୋକ ମୁହିଁ ତୋର ତିମୋତେ କେମନ୍ତେ ଶିଖାଅ ସୁରତି ।୬୭।ଏହା ଶୁଣି ମୁଁ ତାଟକା ହୋଇଲିକାଖୁ ଓହ୍ଲାଇ ତଳରେ ଥୋଇଲି ।୬୮।ସେହିଦିନୁଁ ଲୋକ ଅପଖ୍ୟାତିକିଡରି ନ ମାଡ଼ିଲି ତାର କତିକି ।୬୯।ଦଣ୍ଡେ ମରୁଛି ନ ଥିଲି ଯାହାକୁସପନେ ହେଁ ନ ଦେଖିଲି ତାହାକୁ ।୭୦।ଦିନେ ନଈକି ଗାଧୋଇ ଯାଉଛିବାଟେ ଦେଖିଲି ବତ୍ସା ଚରାଉଛି ।୭୧।ଆସି ମିଳିଲା ମୋହ ନିକଟରେଭାଙ୍ଗିଗଲି ମୁଁ ଅଲଗା ବାଟରେ ।୭୨।ଏହା ଦେଖି ତମ ତମ ହୋଇଲାରହ ଜାଣିବା ଯେ ବୋଲି ବୋଇଲା ।୭୩।ଏବେ ସହୁ ନାହୁଁ ମୋର ଟାପରାଏଡ଼େ ଟାଣ ରହିବ ନାହିଁ ପରା ।୭୪।ଚଳି ଏ ରୂପେ ବୁଲାଇ ଲଉଡ଼ିବନ ଆଡ଼େ ନେଲା ବତ୍ସା ଘଉଡ଼ି ।୭୫।ସ୍ନାନ କରି ଅଇଲି ସଦନକୁଭଏ ଲାଗିଲା ମୋହର ମନକୁ ।୭୬।ଶୁଣି ତାହାଠାରୁ ଏହି ପଦକହେଉ ଅଛି ମୋ ବୁକୁ ଦକଦକ ।୭୭।ମତେ କରିବ ଅବା କି ମନ୍ତରଏହା ଶୁଣି ହେଉଥାଇ କାତର ।୭୮।ଏକ ଦିନରେ ବସନ୍ତ କାଳରେପାଞ୍ଚ ସଖୀ ଆମ୍ଭେ ଏକ ମେଳରେ ।୭୯।ବୃନ୍ଦାବନକୁ ହୋଇଛୁ ବାହାରଫୁଲ ତୋଳି ସର୍ବେ କରିବୁ ହାର ।୮୦।ମନ ଅନୁରୂପେ ହୋଇ ସୁବେଶଯାଇ ବନରେ ହୋଇଲୁଁ ପ୍ରବେଶ ।୮୧।ମନ୍ଦ ଗନ୍ଧ ଶୀତ ବାତ ବହୁଛିକୁହୁ କୁହୁ ବାଣୀ ପିକ କହୁଛି ।୮୨।ଫୁଲେ ଚୁମ୍ବ ଦେଉଛନ୍ତି ଭ୍ରମରେପକ୍ଷୀମାନେ ମାତିଛନ୍ତି କାମରେ ।୮୩।ରତି କରୁଛନ୍ତି କଉଁ ଚଡ଼ାଇକେହୁ କାହାକୁ ଅଛନ୍ତି ଗୋଡ଼ାଇ ।୮୪।ଯୋଡ଼ି ଯୋଡ଼ି ହୋଇ ମୃଗ ହରିଣୀକାହିଁ ମାତିଛନ୍ତି କରି କରିଣୀ ।୮୫।ଆମ୍ବ ତରୁ ହୋଇଛନ୍ତି ମୁକୁଳଶୋଭାପାନ୍ତି ପଲ୍ଲବେ ଲତାକୁଳ ।୮୬।ମଲ୍ଳୀ, ମାଳତୀ, ମାଧବୀ ଫୁଟୁଛିବନଯାକ ସୁବାସ ଚହଟୁଛି ।୮୭।କୁରୁବଳ, ନିଆଳୀ, ଚମ୍ପା, କୁନ୍ଦକନିଅର ପାଟଳି ମୁଚୁକୁନ୍ଦ ।୮୮।ନାନା ଫୁଲମାନେ ଫୁଟି ଅଛନ୍ତିମଧୁକର ମଧୁରେ ଉଡ଼ୁଛନ୍ତି ।୮୯।ସ୍ୱର୍ଗ ସଂପଦ ପଡ଼ୁନାହିଁ ମନେପାଞ୍ଚେ ଫୁଲ ତୋଳୁ ଅଛୁଁ ସୁମନେ ।୯୦।ଯାର ଯହିଁରେ ଶରଧା ବଳୁଛିସେ ଯେ ସେହି ଫୁଲ ଗୋଟି ତୋଳୁଛି ।୯୧।ମୋର ସ୍ନେହ ଯେ ନିଆଳୀ ଫୁଲରେଖୋଜି ଖୋଜି ତୋଳୁଛି ତା ଗେଲରେ ।୯୨।କେତେ ଦୂରେ ଏକ ଥାନ ଦେଖିଲିଯାହା ଚାହିଁ ପଲକ ଉପେକ୍ଷିଲି ।୯୩।ଆହା ତାହା କେହି ବିହି ବିହିଲାସବୁ ଶୋଭାଯାକ ତହିଁ ରହିଲା ।୯୪।ନାହିଁ ତା ସୁଖ ନନ୍ଦନବନରେଥିବ ଅବା ବଇକୁଣ୍ଠ ଥାନରେ ।୯୫।ଚାରି ପାରୁଶେ ଲତା କୁଞ୍ଜ ବାଡ଼ମଧ୍ୟେ ରତନ ମଣ୍ଡପ ନିବାଡ଼ ।୯୬।ଠାବେ ଠାବେ ସୁବର୍ଣ୍ଣ ବେଦୀମାନକି ସେ ବନର ଦେବତା ସମାନ ।୯୭।ନାନା ଫୁଲମାନେ ଫୁଟି ହସନ୍ତିପିକ ଶୁକସାରୀମାନେ ଭାଷନ୍ତି ।୯୮।ଅଛି ପୋଖରୀଏ ତହିଁ ପାଶରେହଂସ ଡାହୁକ ଚାରି ପାରୁଶରେ ।୯୯।ଜଳ ସ୍ଫଟିକ ସମାନ ନିର୍ମଳଫୁଟିଛନ୍ତି ତହିଁ କଇଁ କମଳ ।୧୦୦।ଚନ୍ତ୍ରବାକ ହଂସରାଳୀ ସାରସକେଳି କରୁଛନ୍ତି ହୋଇ ହରଷ ।୧୦୧।ଲାଗୁଛି ସେ ଆହା ଯଉଁ ଶୀତଳସ୍ୱର୍ଗ ପୁରହିଁ ଅଟେ ତାକୁ ତଳ ।୧୦୨।ଯାଇଁ ଦେଖିଲି ସେହି ମଣ୍ଡପରେକୃଷ୍ଣ ବସିଛନ୍ତି ଦୋଳି ଉପରେ ।୧୦୩।ତନୁ ସୁନ୍ଦର କୁଙ୍କୁମ ବୋଳରେନେନ୍ତ୍ର କମଳ ଶୋହେ କଜ୍ଜ୍ୱଳରେ ।୧୦୪।ଦନ୍ତପନ୍ତି ପାଚିଛି ତାମ୍ବୁଳରେଶିର ଶୋଭା ଶିଖୀପୁଚ୍ଛ ଚୂଳରେ ।୧୦୫।ଅଙ୍ଗ ସାଜେ ନାନା ଫୁଲ ମାଳରେନାହିଁ ସେ ଶୋଭା ମହୀ ମଣ୍ଡଳରେ ।୧୦୬।ଗୋପୀ ଶ୍ରୀମୁଖେ ଚୁମ୍ବନ ଦିଅନ୍ତିବିମ୍ବାଧରୁ ସୁଧାରସ ପିଅନ୍ତି ।୧୦୭।ଏଣେ ନାମ ଧରି ଡାକେ ମୁରଲୀବେଳୁ ବେଳ ଦେହ ଗଲା ତରଳି ।୧୦୮।ବିଚାରିଲି ଲକ୍ଷେ ମୁଖ ହୁଅନ୍ତାକୃଷ୍ଣଚନ୍ଦ୍ରଙ୍କୁ ଚୁମ୍ବନ ଦିଅନ୍ତା ।୧୦୯।ଆଖି ହୁଅନ୍ତା ମୋ କୋଟି କୋଟିକିମନ ପ୍ରମୋଦେ ଦେଖନ୍ତି ମୁଁ ଟିକି ।୧୧୦।ଏହା ବିଚାରି ମିଳିଲି ପାଖରେବଳେ ଭିଡ଼ି ଚୁମ୍ବ ଦେଲି ମୁଖରେ ।୧୧୧।ଏ କି ଛାଡ଼ ଛାଡ଼ ବୋଲି ବୋଇଲେକରେ ପେଲିଦେଇ କରେ ଧଇଲେ ।୧୧୨।ତାଙ୍କୁ ବୋଇଲି ମୋ ଦୋଷ ନ ଧରଏବେ ମଦନ ଶାପରୁ ଉଦ୍ଧର ।୧୧୩।ଶୁଣି ବୋଇଲେ ଏବେ ତ ହୋଇଲାତୁ କି ମୋ ଦୋଷ ନ ଧରୁ ବୋଇଲା ।୧୧୪।ତୋତେ ମୋର ଆଶ ଯେତେ ରମଣୀକେତେ କହିବି ତାହା ପ୍ରାଣମଣି ।୧୧୫।ମନେ ହେଲା ଏ ଜନମ ସୁଫଳସ୍ୱର୍ଗ ପୁରରେ କେ ଦେବ ଏ ଫଳ ।୧୧୬।ନାନା ପରି କେଳିମାନ ସାରିଲେପୁଣି କୋଳ ଉପରେ ବସାଇଲେ ।୧୧୭।ତାଙ୍କୁ ବୋଇଲି ହେ ମନମୋହନଦିଅ ମେଲାଣି ମୁଁ ଯିବି ବହନ ।୧୧୮।ଏବେ ଦେଖିଲି ତ ସବୁ ଭାବନାଛଡ଼ା ଫୁଲ ପରାଏ କର ସିନା ।୧୧୯।ପୁଣି କୃଷ୍ଣ ବୋଇଲେ କି ବୋଇଲୁଆଜଠାରୁ ମୋ ଜୀବନ ହୋଇଲୁ ।୧୨୦।ଥିବ ସୁଖେ ବୋଲି ପାଦ ଧଇଲିଯିବି ମେଲାଣି ହେଉଛି ବୋଇଲି ।୧୨୧।ବୋଇଲି ହେ ଶୁଣ ନବ ନାଗରସଙ୍ଗ ସଖୀ ଛନ୍ତି ବନ ଭାଗର ।୧୨୨।ଏଣେ ଅଇଲେ ଦଇବ ଯୋଗରେମୋତେ ଦେଖିବେଟି ତୁମ୍ଭ ଆଗରେ ।୧୨୩।ଶୁଣି ବୋଇଲେ ରେ ଭୟ ନ କରଚାଲ ଦେଖିବା ରୀତି ତାହାଙ୍କର ।୧୨୪।ମୋର କର ଶ୍ରୀକରରେ ଧଇଲେଆସ ବୋଲି ଆଗୁସାର ହୋଇଲେ ।୧୨୫।ଖଣ୍ଡେ ଦୂରରେ ଅଶୋକ ବନରେଯାଇ ହେଲୁ ମନୋହର ସ୍ଥାନରେ ।୧୨୬।ତହିଁ ଏକ ଉଦରେ ନିବିଡ଼ିଛିରତ୍ନ ପଲଙ୍କ ଗୋଟିଏ ପଡ଼ିଛି ।୧୨୭।ତହିଁ ସଖୀ ଜଣେ ଧରି କୋଳରେକୃଷ୍ଣ ବସିଛନ୍ତି ନ୍ତ୍ରୀଡ଼ା ଭୋଳରେ ।୧୨୮।ତନୁ ସୁନ୍ଦର କୁଙ୍କୁମ ବୋଳରେଶିର ଶୋଭା ଶିଖୀ ପୁଚ୍ଛ ଚୂଳରେ ।୧୨୯।ଅଙ୍ଗ ସାଜେ ନାନା ଫୁଲ ମାଳରେନାହିଁ ସେ ଶୋଭା ମହୀମଣ୍ଡଳରେ ।୧୩୦।ଗୋପୀ ଶ୍ରୀମୁଖେ ଚୁମ୍ବନ ଦିଅନ୍ତିବିମ୍ବାଧରୁ ସୁଧାରସ ପିଅନ୍ତି ।୧୩୧।ଏହି ସମୟରେ ମନମୋହନହାତଧରି ମୋ ମିଳିଲେ ବହନ ।୧୩୨।ସଖୀ ଦେଖିଲି ଯହୁଁ ଏ ଚରିତମନେକଲି ଏ ଅତି ବିପରୀତ ।୧୩୩।ଦୁହେଁ ଅତ୍ୟନ୍ତ ତାଟକା ହୋଇଲୁଁକେହି କାହାକୁ କିଛି ନ ବୋଇଲୁଁ ।୧୩୪।ତାର ହାତ ସେ ମୋହନ ଧଇଲେପଲଙ୍କରୁ ବାହାର ସେ ହୋଇଲେ ।୧୩୫।ମୋତେ ଧରିଛନ୍ତି ମୋର ଜୀବନଚାରି ଜଣେ ପଶିଲୁ କୁଞ୍ଜବନ ।୧୩୬।ତହିଁ ଦେଖିଲୁଁ ଯେ କୁଞ୍ଜ ଭିତରେଆର ସଖୀ ସଙ୍ଗରେ ଏକାନ୍ତରେ ।୧୩୭।ପଶା ଖେଳୁଛନ୍ତି ନନ୍ଦନନ୍ଦନଶ୍ୟାମ ଅଙ୍ଗ ଗୋଟି ଯାକ ଚନ୍ଦନ ।୧୩୮।ତାମ୍ବୁଳରେ ବିମ୍ବାଧର ସୁରଙ୍ଗନେନ୍ତ୍ର ଗତି ନିନ୍ଦେ ବାଳ କୁରଙ୍ଗ ।୧୩୯।ବେଣୀ ଲମ୍ବି ପଡ଼ିଅଛି କଟିକିନାହିଁ ଉପମା ସେ ଛବି ଗୋଟିକି ।୧୪୦।ଯୁବା ବୟସ ଅତି ସୁକୁମାରକି ସେ ଅଟନ୍ତି ତନୁଧର ମାର ।୧୪୧।ଯହୁଁ ଆମ୍ଭକୁ ଦେଖିଲେ ଆଗରେଗୋପୀ କର ଧଇଲେ ସରାଗରେ ।୧୪୨।ତିନି ସଖୀଏ ତାଟକା ହେଉଛୁଁକେହି କିଛି ନ କହି ଅନାଉଛୁ ।୧୪୩।କେହି କାହାରି ପରି ଯେ ନୁହଇତିନିଙ୍କର ରୂପ ମନ ମୋହଇ ।୧୪୪।ତହୁଁ ଛଅଜଣ ହେଲୁଁ ବାହାରକର ଧରି ଅଛନ୍ତି ଯେ ଯାହାର ।୧୪୫।କେଳି କଦମ୍ବ ମୂଳକୁ ଚଳିଲୁଁଦିବ୍ୟ ମନୋହର ସ୍ଥାନେ ମିଳିଲୁଁ ।୧୪୬।ସବୁ ସ୍ଥାନରୁ ସେ ସ୍ଥାନ ଅଧିକତାକୁ ଦେଖିଲେ ସ୍ୱର୍ଗ କରି ଧିକ ।୧୪୭।ତହିଁ ଆର ଗୋପୀକାର ମେଳରେମାତିଛନ୍ତି କୃଷ୍ଣ ଫଗୁ ଖେଳରେ ।୧୪୮।ନୀଳମେଘେ ବାଳ ସୂର୍ଯ୍ୟ କିରଣପ୍ରାୟ ଫଗୁ ଦିଶେ ଶ୍ୟାମ ପରେଣ ।୧୪୯।ହୃଦ ପଦକରେ ଯେ ହୀରା ଏକଭ୍ରମ କରାଏ ମାଣିକ୍ୟ ପ୍ରାୟେକ ।୧୫୦।ଶିରେ ଶିଖୀପୁଚ୍ଛ ଚୁଳ ରଙ୍ଗରେମିଳିଛନ୍ତି ଜାମୁଡ଼ାଳି ସାଙ୍ଗରେ ।୧୫୧।କଟିତଟେ ହେମ ଘାଗୁଡ଼ି ମାନତମ୍ବା ପରି ଦିଶୁଛି ଅନୁମାନ ।୧୫୨।ଅନୁରାଗ ହେବାରୁ ଅଭାଗରେଉଛୁଳିଲେ କାନ୍ତ କାନ୍ତ ଆଗରେ ।୧୫୩।ଆମ୍ଭମାନଙ୍କୁ ପାଶରେ ଅନାଇଫଗୁ ମାଇଲେ ସେ ଗୋପ କହ୍ନାଇ ।୧୫୪।କର ଛାଡ଼ି ଆସୁ ମନମୋହନଫଗୁ ଖେଳରେ ମିଳିଲେ ବହନ ।୧୫୫।ନିଜ କୃଷ୍ଣ ମାନଙ୍କର ସଙ୍ଗରେଫଗୁ ଖେଳୁଛନ୍ତି ରସ ଭୋଗରେ ।୧୫୬।ତହୁଁ ହରସେ ସମସ୍ତେ ଚଳିଲୁଁଯାଇଁ ଯମୁନା କୂଳରେ ମିଳିଲୁଁ ।୧୫୭।ତହିଁ ଦେଖିଲୁଁ ଯେ ନବନାଗରନାବ ଖେଳୁଛନ୍ତି ଗୋପୀ ସଙ୍ଗର ।୧୫୮।ସଙ୍ଗେ ବସି କାତଧରି ବାହାନ୍ତିହସି ଗୋପିକା ମୁଖକୁ ଚାହାନ୍ତି ।୧୫୯।ଦେଖି ଆମ୍ଭଙ୍କୁ ନାବୁଁ ଉତୁରିଲେଜଳକ୍ରୀଡ଼ା କରିବା ସେ ଭାଷିଲେ ।୧୬୦।ସର୍ବେ ଜଳସ୍ରୋତେ ଯାଇ ପଶିଲୁଁସ୍ନାନ ସାରି ଦେହୁ ଶ୍ରମ ନାଶିଲୁଁ ।୧୬୧।ସର୍ବେ ଜଳ ମରାମରି ହୋଇଲେକୃଷ୍ଣ ଆମ୍ଭକୁ ଅନାଇଁ ବୋଇଲେ ।୧୬୨।ଦେଖ ଦେଖିବା କେ ବୁଡ଼ ବୁଡ଼ିବଆଗ କରି କେ ନିଶ୍ୱାସ ଛାଡ଼ିବ ।୧୬୩।ଯେହୁ ଆଗ ବାହାରିବ ହାରିବଜିଣିବ ସେ ଯେ ପଛେ ବାହାରିବ ।୧୬୪।ଆମ୍ଭମାନଙ୍କ ମନକୁ ଅଇଲାଜଳେ ବୁଡ଼ିଲୁଁ ସକଳ ଛଇଳା ।୧୬୫।ଘଡ଼ିକରେ ଯାଇଁ ହେଲୁଁ ବାହାରଜଳେ ବୁଡ଼ି କୃତ୍ୟ ନାହିଁ କାହାର ।୧୬୬।ଆଖି ପୋଛି କରି ଦେଲୁଁ ଅନାଇଁକାହିଁ ଗଲେଣି ସେ ପାଞ୍ଚ କହ୍ନାଇ ।୧୬୭।ପାଞ୍ଚ ସଜନୀ ହୋଇଲୁଁ ଚକିତଏହି ମତି ବା ରୀତି ଅଲୋକିତ ।୧୬୮।ସ୍ନାନ କରି ଅଇଲୁଁ ମନ୍ଦିରକୁକେହୁ ସରି ସେ ନନ୍ଦ କୁମରକୁ ।୧୬୯।କେତେ ପ୍ରକାରେ ମନକୁ ବଢ଼ାଇଛାଡ଼ିଗଲା ସବୁ ସୁଖ ଛଡ଼ାଇ ।୧୭୦।ଏହିରୂପେ କୁହା କୁହି ହୋଇଲେକାନ୍ଦି ଅଜ୍ଞାନେ ମହୀରେ ପଇଲେ ।୧୭୧।କେତେ ବେଳରେ ପୁଣି ପାଇ ଜ୍ଞାନସେହି କୃଷ୍ଣ ରୂପ କରନ୍ତି ଧ୍ୟାନ ।୧୭୨।ହା ହା ଘନଶ୍ୟାମ ନବ କିଶୋରଆମ୍ଭ ମନୁ ତ ନ ଯିବ ପାଶୋର ।୧୭୩।କାମ ବେଦନା କି କରି ସହିବୁଁପିଣ୍ଡେ ପରାଣ କିରୂପେ ବହିବୁଁ ।୧୭୪।ଏହିରୂପେ ଛଅ ସଖୀ ଶୋଚନାବୋଲି ଗୀତରେ କଲି ଯେ ରଚନା ।୧୭୫।ଅତି ଅଧମ ମୋ ଛାର କୃତ୍ୟରେବୋଲି ପାରନ୍ତି କି କଦାଚିତରେ ।୧୭୬।କୃପାବଧି କୃପା କଲେ କିଞ୍ଚିତରେଏହି ପଦ ସ୍ଫୁରିଲା ମୋ ଚିତ୍ତରେ ।୧୭୭।ଆନ ଗୀତ ଯେ ଏପରି ନୁହଇଏହା ଗାଇଲେ ପାତକ ଦହଇ ।୧୭୮।ଭକ୍ତ ଜନମାନଙ୍କ ଅଙ୍ଗୀକାରେଗୀତ କରିଛି ମୁଁ ନାନା ପ୍ରକାରେ ।୧୭୯।ନାନା ଜାତି ନିୟମ ନାନା ରସେକେତେ ଛାନ୍ଦମାନ କଲି ହରଷେ ।୧୮୦।ସେତ ସବୁରି ନୋହିଲା ବୋଧକପରମାର୍ଥରେ ନୋହିଲା ସାଧକ ।୧୮୧।ଏହି ଘେନି କୃତାର୍ଥ ହେବି ବୋଲିଦେଶ ଭାଷାରେ ବୋଇଲି ଏ ବୋଲି ।୧୮୨।ମୋର ଘର ଢେଙ୍କାନାଳ ନଗରେମୁକ୍ତାଦେଈଙ୍କ ଶାସନ ଆଗରେ ।୧୮୩।ପିତାଙ୍କର ନାମ ବାଲୁକେଶ୍ୱରପଟ୍ଟନାୟକ କଲେ ନରେଶ୍ୱର ।୧୮୪।ଶିଷ୍ଟ କରଣ ଯେ ଆମ୍ଭେ ଜାତିରେଚାରିଭାଇ କବି ନାନା ରୀତିରେ ।୧୮୫।ଜ୍ୟେଷ୍ଠ ଗୋପୀନାଥ ପଟ୍ଟନାୟକଇଷ୍ଟ ତାଙ୍କର ନୀଳାଦ୍ରି ନାୟକ ।୧୮୬।ମଧ୍ୟ ଜଗନ୍ନାଥ ପଟ୍ଟନାୟକକବି ଭୁଷଣ ପଦ ତ ନାୟକ ।୧୮୭।ସର୍ବ କନିଷ୍ଠ ନାମ ଲୋକନାଥରାଉତରାହିଁ କଲେ ନରନାଥ ।୧୮୮।ବ୍ରଜନାଥ ବୋଲିଣ ମୋର ଯେ ନାଁରାଜପଦ ଅଟଇ ବଡ଼ଜେନା ।୧୮୯।ଏହି ଗୀତ ପଦ ପ୍ରାନ୍ତ ପାଖରେଅଛି ନିୟମ ଏ ବେନି ଅକ୍ଷରେ ।୧୯୦।ଗୋପୀ ବିଳାପ ନାମ ଏ ବହଇବ୍ରଜନାଥ ବଡ଼ଜେନା କହଇ ।୧୯୧।
୧। କରି(ପାଠାନ୍ତର), ୨। ଯେ(ପାଠାନ୍ତର), ୩। ସିନା(ପାଠାନ୍ତର), ୪। ମୁହିଁ କହଇ ବହୁତ ବୁଝାଇ(ପାଠାନ୍ତର), ୫। ପୁରେ = ଏକ ପରସ୍ତ, ୬। କି ରସେ (ପାଠାନ୍ତର), ୭। ଝସିଯାଏ (ପାଠାନ୍ତର), ୮। ଏଣିକି ତେଣିକି (ପାଠାନ୍ତର), ୯। ଚଳି ବୋଇଲି ଆରେ ହୀନିମାନ କାହୁଁ ଶିଖିଲୁ ତୁ ଏ କଥାମାନ, ୧୦। ଜାଣିଥିବୁ ଲୋ ମଦନର ଗତି (ପାଠାନ୍ତର), ୧୧। ଚଜି (ପାଠାନ୍ତର), ୧୨। ହେଜି (ପାଠାନ୍ତର), ୧୩। ପାବଚ୍ଛ (ପାଠାନ୍ତର)
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ