ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୫
- ସ୍ଥିତି
- ସାର୍ବଜନୀନ (Public domain)
[ଏଡ଼ିକି ନିର୍ଲଜ୍ଜ ଝଟି କପଟୀ ଲମ୍ପଟୀ - ବୃତ୍ତେ]
କିପାଁ ହଳୀ କର ହେ କଳି; ନ ବୁଝି ନ ଶୁଝି ତଥ୍ୟବଚନ । ବଳେ ବଳେ ପତିପଣେ ଗତରାତି ଆସି ମୋ କତିରେ କଲା ବରଣ ।ପଦ । ନାହିଁ ଲେଶ ମୋଠାରେ ଦୋଷ । ବେନି ବାର କଲି ନିରାଶ, କେଳା ପରି ଏବେ ଛଳାଇ ଭାଷୁଛ ପଳାଇଲେ କେହି ନ ନେବେ ଜାଣ ।୧। ରଣେ ଯଦି ମାରିବ ମୋତେ । ବଦି ବଦି କହିଲି ଏତେ । ଭଗ୍ନୀ ହୋଇ ରାଣ୍ଡ କୋଡ଼ୁଥିବ ମୁଣ୍ଡ ମିଳି ଦେଖୁଥିବେ ଯାଦବଗଣ ।୨। ନୀଳାମ୍ବର, ହାରିଲେ ଲଢ଼ି । ଲାଜେ ବୁଡ଼ି ମରିବ ସଢ଼ି । ଗୋଡ଼ାଇ ଭଗ୍ନିକୀ ଯାଚିବ ପଉରେ ରଣ କର ବଇଷ୍ଣବ ଜଣାଣ ।୩।
(ଯୁଦ୍ଧ)(ରାମ ପରାସ୍ତ ହୋଇ ଅର୍ଜୁନକୁ ନିଜ ମନ୍ଦିରେ ନେବାର; ଏଣେ ଦୁର୍ଯ୍ୟୋଧନବରବେଶ ହୋଇ ବାହାରିବା ଦେଖି ସହଦେବର ଉକ୍ତି)[ଆସି ପାହିଗଲା ରାତି - ବୃତ୍ତେ]
ରାଜା ଫେର ଫେର ହେ । ବଜାଇ ବାଜା ଯାଉଛ କେଉଁଆଡ଼େ କୁରୁବୀର ।ପଦ । ସାଜିଣ ବରବେଶ-। ହେଉଛ ହସରସ । ତେଣେ ସୁଭଦ୍ରା ଅର୍ଜ୍ଜୁନ ତୁଲେ ହେଲ ବିଭାଘର ।୧। ମିଛରେ ଦୁର୍ଯ୍ୟୋଧନ ! ପାଇବ ଅପମାନ । ନ ମାନିଲେ ମନ ଚାଲ ଦେଖିବ ନେତ୍ରଯୁଗର ।୨। ଚାଲ ଚାଲ ଫେରି ସରବ । ତେଜି ମନୁ ଗରବ । ଶୁଣ ହୁଳହୁଳି ନାଦେ କମ୍ପଇ ଦ୍ୱାରକାପୁର ।୩। ବଇଷ୍ଣବ ରଚନା । ମାନ ମନ୍ତ୍ରୀ-ରଚନା । କି ସୁଖ କାଳେ କି ଦୁଃଖ ଦିଅଇ ଦଇବ ଛାର ।୫।
ଦୁର୍ଯ୍ୟୋଧନ – ଚାଲ ରଣ କରି ନେବା ସୁଭଦ୍ରାକୁ ଅର୍ଜୁନଠାବରୁ ।ଭୀଷ୍ମ – କାହିଁପାଇଁ କୁରୁପତି ବୃଥା ଆଶା କରୁ ?ଦୁର୍ଯ୍ୟୋଧନ – ଏତେ ରଥୀ ଥାଉଁ କି ସେ ବଳାଇଣ ଯିବ ?ଭୀଷ୍ମ – ଜାଣିନାହୁଁ କେଡ଼େ ଶକ୍ତି ଧରେ ତୃତୀୟ ପାଣ୍ଡବ ?ଦୁର୍ଯ୍ୟୋଧନ – ତା ଯୋଗେ ଭୋଗିଲୁ ଆମ୍ଭେ ବାର ବାର ଲଜ୍ଜା ।ଭୀଷ୍ମ – ଭାନୁମତୀ ସ୍ୱୟମ୍ବରେ ଦେଖିନାହୁଁ ରାଜା ?ଦୁର୍ଯ୍ୟୋଧନ – କେବଳ ମୋର କପାଳେ ହଟହଟା ଅଛି ?ଭୀଷ୍ମ – ବିହି ବିଧାନ କେ ଏଡ଼ିବ ଗାନ୍ଧାରୀର ବତ୍ସି ?ଦୁର୍ଯ୍ୟୋଧନ – ଚାଲ ତେବେ ପଳାଇବା ହସ୍ତିନା ବାହୁଡ଼ି ।ଭୀଷ୍ମ – ଅକାରଣେ କିପାଁ ରଣେ ମରିବା ଦଉଡ଼ି ?(ସମସ୍ତଙ୍କର ପ୍ରସ୍ଥାନ; ଅର୍ଜୁନ ତୁଲେ ସୁଭଦ୍ରାର ବିଭାଘର)[ଯବନିକା ପତନ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର