ବିରାଟ ଗୀତା
ଭକ୍ତକବି · ପ୍ରାୟ ୧୪୭୨–୧୫୫୬
- ପଢ଼ିବା ସମୟ
- ୪୫ ମିନିଟ୍
- ଶବ୍ଦ
- ୭୨୧୬
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଅଧ୍ୟାୟ
ଅର୍ଜ୍ଜୁନ ଉବାଚନମସ୍ତେ ଗୁରୁଦେବ ସ୍ୱାମୀ ।ନମସ୍ତେ ଗୁରୁ ଅନ୍ତର୍ଯ୍ୟାମୀ ॥
ନମସ୍ତେ ଗୁରୁ ପରଂବ୍ରହ୍ମ ।ମହା ଶୂନ୍ୟରେ ତୋ ବିଶ୍ରାମ ॥
ଅର୍ଜୁନ ବୋଲଇ ଗୋସାଇଁ ।ନାମ ନିର୍ଣ୍ଣୟ କହ ଫେଇ ॥
ଅର୍ଜୁନ ବିନୟ ଭାବରେ ।ପଡ଼ଇ ଶ୍ରୀକୃଷ୍ଣ ପୟରେ ॥
ମୋତେ ତ ସଂଶୟ ଲାଗିଲା ।କାହୁଁ ସେ ନାମ ଜାତ ହେଲା ॥
ଯାହାର ରୂପ ରେଖ ନାହିଁ ।ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ ॥
ଯାହାର ଶୂନ୍ୟ ଅଟେ ଦେହୀ ।ଆବର ନାମ ଥିବ କାହିଁ ॥
ମାତାର ଗର୍ଭେ ଯେବେ ଥିଲୁ ।ସେଠାରେ ନାମ ନ କହିଲୁ ॥
ଆଦ୍ୟରେ ନାମ ନାହିଁ ଆଉ ।ପ୍ରାନ୍ତରେ ନାମ ଥିବ କାହୁଁ ॥
ମଧ୍ୟରେ କେତେ ନାମ ତୋର ।ଫେଡ଼ି କହିବା ମୋ ଆଗର ॥
ଗୋବିନ୍ଦ ନାମ କାହୁଁ ହେଲା ।କୃଷ୍ଣ କେମନ୍ତେ ବୋଲାଇଲା ॥
ମାଧବ ମୁରାରି ଅଚ୍ୟୁତ ।ରାମ ବୋଲିଣ କାହୁଁ ଜାତ ॥
ହରି କେଶବ ଜନାର୍ଦ୍ଦନ ।କିମ୍ପା ତୋ ନାମ ଭଗବାନ ॥
ନାରାୟଣଟି କାହୁଁ ହୋଇ ।କିପାଇଁ ନରହରି କହି ॥
ଜଗନ୍ନାଥ ଯେ ନାମ ତୋର ।କିପାଇଁ ହେଲା ଚକ୍ରଧର ॥
ଆରତ ଭଞ୍ଜନ କିପାଇଁ ।ହେଲା ତୋ ନାମ ଭାବଗ୍ରାହୀ ॥
କରୁଣା ସିନ୍ଧୁ ବୋଲାଇଲୁ ।ଦୟାସାଗର ନାମ ହେଲୁ ॥
ପତିତ ପାବନ ବୋଲାଉ ।ଜଗତନାଥ କିମ୍ପା ହେଉ ॥
କିମ୍ପା ବୋଲାଉ ଆଦିମୂଳ ।କୃପାଜଳଧି ଶ୍ରୀ ଗୋପାଳ ॥
କିମ୍ପା ତୋ ରାମଚନ୍ଦ୍ର ନାମ ।କିମ୍ପା ବୋଲାଉ ଦାରୁବ୍ରହ୍ମ ॥
କେମନ୍ତେ ନାମ ଦଇତ୍ୟାରି ।କିମ୍ପା ତୋ ନାମ ନୀଳଗିରି ॥
ଭକତବନ୍ଧୁ କିମ୍ପା ନାମ ।କିମ୍ପା ବୋଲାଉ ପରଂବ୍ରହ୍ମ ॥
ପୁରୁଷୋତ୍ତମ ତୁ ବୋଲାଉ ।ବନମାଳୀ ନାମକୁ ବହୁ ॥
କିମ୍ପା ତୋ ନାମ ଦୟାନିଧି ।ଶ୍ରୀବତ୍ସ ନାମ ଯେ ପ୍ରସିଦ୍ଧି ॥
ଅରୂପବ୍ରହ୍ମ ତୁ ବୋଲାଉ ।କିରୂପେ ଏତେ ନାମ ବହୁ ॥
ତୁ ପୁଣ୍ୟରୂପ ଶୂନ୍ୟ ଦେହି ।କିମର୍ଥେ ଏତେ ନାମବହୁ ॥
ରୂପ ଯେତେକ ନାମ ହୋଇ ।ଅରୂପ ନାମ ଆଉ ନାହିଁ ॥
ଅର୍ଜୁନ ଶିରେ ଦେଇ କର ।ବୋଲଇ କହି ତତ୍ତ୍ୱସାର ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ଭକ୍ତି ଶୁଣି କର୍ଣ୍ଣେ ।କହନ୍ତି କୋମଳ ବଚନେ ॥
ଶୁଣ ଅର୍ଜ୍ଜୁନ ମନ ଦେଇ ।କହିବା ନାମ ତତ୍ତ୍ୱ ଫେଇ ॥
ମହା ଶୂନ୍ୟରେ ଟି ବିଶ୍ରାମ ।ସେଠାରେ କାହିଁ ଅଛି ନାମ ॥
କହନ୍ତି ପ୍ରଭୁ ଭାବଗ୍ରାହୀ ।ଶୁଣ ଅର୍ଜ୍ଜୁନ ମନ ଦେଇ ॥
ଯେଣୁ ତୁ ଭକତ ମୋହର ।ତେଣୁ କହିବା ତତ୍ତ୍ୱସାର ॥
ବେଭାରେ ମୋର ନାମ ନାହିଁ ।ଏକା ମୁଁ ମହାଶୂନ୍ୟେ ଥାଇ ॥
ବିରାଟ ରୂପେ ଥିଲି ମୁହିଁ ।ମୋ ବିନୁ ଆନ କେହିଁ ନାହିଁ ॥
ମୋ ମନେ ହେତୁ ପ୍ରସରିଲା ।ନିଶ୍ଚେଁ ଏ ସୃଷ୍ଟି ନାଶ ଗଲା ॥
ଏମନ୍ତ ମନେ ବିଚାରିଲି ।ଶୂନ୍ୟରୁ ବିନ୍ଦୁ ଛାଡ଼ିଦେଲି ॥
ସେ ବିନ୍ଦୁ ଗଗନେ ଖସିଲା ।ତା ରୂପ ଧୁମ୍ର ବର୍ଣ୍ଣ ହେଲା ॥
ଧୂମ୍ର ବର୍ଣ୍ଣରୁ ହେଲା ଶକ୍ତି ।ଶକ୍ତିରୁ ଓ କାର ଜନ୍ମନ୍ତି ॥
ଓଁ କାରୁ ତ୍ରିବୀଜ ଜନ୍ମିଲା ।ତ୍ରିବୀଜୁ ନାମ ଜାତ ହେଲା ॥
ନାମରୁ ବ୍ରହ୍ମା-ବିଷ୍ଣୁ ଜାତ ।ନାମରୁ ଜଗତ ସମ୍ଭୁତ ॥
ଛପନ କୋଟି ଜୀବ ଯେତେ ।ନାମରେ ଅଛନ୍ତି ସମସ୍ତେ ॥
ରାମ ଅକ୍ଷର ଗୁରୁ ହୋଇ ।ହରି ଅକ୍ଷର ଶିଷ୍ୟ ତହିଁ ॥
କୃଷ୍ଣ ଅକ୍ଷର ଜଗନ୍ନାଥ ।ଏମନ୍ତେ ଗୁରୁ ଶିଷ୍ୟ ମତ ॥
ନାମ ସେ ଜଳ ସ୍ଥଳ ଚର ।ପାଷାଣ ମୃତ୍ତିକା ସ୍ଥାବର ॥
ନାମ ନ ଥିବା ଠାବ ନାହିଁ ।ନାମ ସେ ସର୍ବଠାରେ ଗ୍ରାହୀ ॥
ରାଉଛି ସର୍ବ ଘଟେ ନାମ ।ନାମ ଛାଡ଼ିଲେ ଦେହ ଶୂନ୍ୟ ॥
ନାମ ଛାଡ଼ିଲେ ପ୍ରାଣ ଗଲା ।ଏ ଦେହ ସ୍ଥକିତ ହୋଇଲା ॥
ଶୁଣ ଅର୍ଜୁନ ମନ ଦେଇ ।କହିଲି ନାମ ତତ୍ତ୍ୱ ଫେଇ ॥
ଏହା ତୁ ମନେ ହେତୁ କର ।ନାମକୁ ଘେନି ବେଗେ ତର ॥
ସୁଜନେ ନାମବ୍ରହ୍ମ ଜପ ।ଜପିଲେ ଯିବା ମହା ପାପ ॥
କହଇ ବଳରାମ ଦାସ ।ବିରାଟ ଗୀତା ମହା ରସ ॥
ଇତି ଶ୍ରୀ ବିରାଟ ଗୀତାୟାଂ ବ୍ରହ୍ମବିଦ୍ୟାୟାଂ ବୈୟାସିକ୍ୟାଂ ପରମହଂସ୍ୟାଙ୍ଗସଂହିତାୟାଂ ଶ୍ରୀହରି-ଅର୍ଜ୍ଜୁନ ସମ୍ୱାଦେ ନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।ନାମର ତତ୍ତ୍ୱ କହ ଫେଇ ॥
ଅରୂପ ବ୍ରହ୍ମ ତୁ ବୋଲାଉ ।ଏତେକ ନାମ କିମ୍ପା ବହୁ ॥
ଏମନ୍ତ ଆଜ୍ଞା ମୋତେ ହେଉ ।କେମନ୍ତେ ଏତେ ନାମ ବହୁ ॥
ଏ ଆଜ୍ଞା କିହ ଫେଡ଼ି କରି ।ନମସ୍ତେ ପ୍ରଭୁ ଦଇତ୍ୟାରି ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଭଗବାନ ।କହନ୍ତି ନାମ ତତ୍ତ୍ୱ ଜ୍ଞାନ ॥
ଅର୍ଜ୍ଜୁନ ନାମ ମୋର ଯେତେ ।ଭକତ ଦେଲେ ତୋଷଚିତ୍ତେ ॥
ଭକତ ମୋର ପିତା ହୋଇ ।ସକଳ ନାମ ଛନ୍ତି ଦେଇ ॥
ପିତା ମାତାଙ୍କ ଯୁଗ୍ମ କାଳେ ।ଭାବ କରନ୍ତି ସୁଖ ଭୋଳେ ॥
ଭାବରୁ ଜାତ ହେଲି ମୁହିଁ ।ଏଣୁ ବୋଲାଇ ଭାବଗ୍ରାହୀ ॥
ଯେଣୁ ଭାବରୁ ହେଲି ଜନ୍ମ ।ତେଣୁ ମୋ ଭାବଗ୍ରାହୀ ନାମ ॥
ମାତା ପଦ୍ମକୁ ସିନ୍ଧୁ କହି ।ସେ ସିନ୍ଧୁ ମୋର ବାସ ହୋଇ ॥
ସେ କୃପାସିନ୍ଧୁ ମୋର ସ୍ଥାନ ।ଏଣୁ ମୋ କୃପାସିନ୍ଧୁ ନାମ ॥
ଯେଣୁ ମୁ୍ଁ ନର କଳେବର ।ନାରାୟଣ ନାମ ମୋହର ॥
ମାତାର ପଦ୍ମେ ମୋର ବାସ ।ରଜରୁ ହୋଇଲି ପ୍ରକାଶ ॥
ରଜ ଯେ ମାତା ପଦ୍ମେ ଥାଇ ।ସେ ରଜେ ବୀର୍ଯ୍ୟ ଯେ ପଶଇ ॥
ସେ ରଜ ବନ୍ଧୁ ପ୍ରାୟ ହୋଇ ।ଅତି ଯତନେ ସମ୍ଭାଳଇ ॥
ଭକତ ବନ୍ଧୁ ମୋର ନାମ ।ତେଣୁ ହୋଇଲା ହେ ଅର୍ଜ୍ଜୁନ ॥
ମାତାର ପଦ୍ମ ଫୁଟିଥାଇ ।ତହୁଁ ପିତା ବୀର୍ଯ୍ୟ ପଡ଼ଇ ॥
ରଜ ବୀର୍ଯ୍ୟର ମଧ୍ୟେ ମୁହିଁ ।ପବନ ଅଗ୍ନି ରୂପେ ଥାଇ ॥
ଏମନ୍ତେ ପ୍ରକାଶଇ କାୟେ ।ଶରୀର ସର୍ବସଦ୍ଧି ହୋଏ ॥
ବିରାଟ ହୋଇ ପଡ଼ିଥାଇ ।ଅଧାର ତାଳୁକାରେ ଖାଇ ॥
ମାତା ପାତାଙ୍କ ଯୁକ୍ତ କାଳେ ।ବୀର୍ଯ୍ୟ ପଡ଼ଇ ତାଳୁକାରେ ॥
ସେ ମକରନ୍ଦ ପାନ କଲି ।ମୁକୁନ୍ଦ ନାମ ମୁଁ ବହିଲି ॥
ବିନ୍ଦୁରେ ଯହୁଁ ଆତଯାତ ।ଗୋବିନ୍ଦ ନାମ ମୋ ସମ୍ଭୁତ ॥
ଜଳ ବୋଲିଣ ଦେହ ପ୍ରାଣ ।ପବନ ବୋଲି ହୋ ଅର୍ଜ୍ଜୁନ ॥
ପବନେ ନାମ ଗୁନ୍ଥା ହୋଇ ।ଏଣୁ ବନମାଳୀ ବୋଲାଇ ॥
କ୍ଳୀଂ ଅକ୍ଷରୁ ଜାତ ହେଲି ।ଏଣୁ କୃଷ୍ଣ ମୁଁ ବୋଲାଇଲି ॥
ରଜ ରୂପରେ ଜାତ ହୋଇ ।ବୀର୍ଯ୍ୟ ରୂପରେ ଜନ୍ମ ହୋଇ ॥
ରଜରେ ବୀର୍ଯ୍ୟ ଜାତ ହେଲା ।ରାମ ନାମଟି ବୋଲାଇଲା ॥
ମାତାର ପଦ୍ମେ ରଜ ଥାଇ ।ବୀର୍ଯ୍ୟଟି ରାଧା ରୂପେ ଯାଇ ॥
ନିତ୍ୟ ଅଂଶଟି ମୋର ସେହି ।ରାଧିକା ନାମ ମୁଁ ବୋଲାଇ ॥
ମାତାର ଗର୍ଭ୍ୟେ ଗୋପ୍ୟ ହେଲି ।ବାଳୁତ ରୂପେ ମୁଁ ରହିଲି ॥
ଏଣୁ ଗୋପାଳ ମୋର ନାମ ।ଏହି ଗୁପତ କଥା ଜାଣ ॥
ଜ୍ୟୋତି ରୂପରେ ମୋର ଦେହି ।ଏଣୁ ଅନନ୍ତ ନାମ ବହି ॥
ଜଗତ ବୋଲିଟି ଶରୀର ।ଶରୀରୁ ଜଗତ ସଂସାର ॥
ଯୋନିରୁ ଯହୁଁ ଜାତ ହେଲି ।ବାଳୁତ ରୂପ ମୁଁ ବହିଲି ॥
ଜଗତ ଶରୀର ଅଟଇ ।ପବନ ପାତି ତହିଁ ଥାଇ ॥
ଏଣୁ ଜଗତପତି ନାମ ।ତୋ ଆଗେ କହିଲି ଅର୍ଜ୍ଜୁନ ॥
ପତିତ ରଜ ଭୋଗ ହେଲା ।ପବନ ତହିଁରେ ମିଶିଲା ॥
ପତିତ ପାବନ ସେ ନାମ ।ତେଣୁଟି ହୋଇଲା ଅର୍ଜ୍ଜୁନ ॥
ତ୍ରିକୁଟ କାଳିନ୍ଦୀର ହ୍ରଦ ।ମଧ୍ୟରେ ବହେ ଶିଶୁପାଦ ॥
ଶ୍ରୀବତ୍ସ ନାମଟି ମୋହର ।ଏଣୁ ହୋଇଲା ମୋ ବିହାର ॥
ଏରୂପେ ମୋର ନାମ ଯେତେ ।ଭକତ ଦେଲେ ତୋଷଚିତ୍ତେ ॥
କଳା ଡୋଳାଟି ଏ ରାଜାର ।ନୀଳ ଡୋଳାଟି ଏହି ଚାର ॥
ଗୁରୁ ମଧ୍ୟରେ ବିନ୍ଦୁ ଯେହି ।ସଅ ଅକ୍ଷର ଅଟେ ସେହି ॥
ନାମର ଯନ୍ତ୍ର ଏହି ସ୍ଥାନ ।ଅର୍ଜ୍ଜୁନ ଭଲ କରି ଚିହ୍ନ ॥
ଭକତ ମୋର ପିତା ହୋଇ ।ମୋ ନାମ ଜଗତ କହଇ ॥
ଭକତ ପିତା ମୋ ଅଟନ୍ତି ।ସେ ମୋତେ ନାମ ଦେଇଛନ୍ତି ॥
ନାମ ଥିଲାକୁ ଦେହି ଅଛି ।ନାମଟି ଜଗତେ ପରିଛି ॥
ନାମ ଛାଡ଼ିଲେ ପିଣ୍ଡ ଗଲା ।ନାମଟି ବିରାଟେ ମିଶିଲା ॥
ନାମଟି ସଂସାରର ସାର ।ନାମ ବ୍ୟତୀତ ନାହିଁ ପାର ॥
ନାମକୁ ହୃଦେ କରି ଦୃଢ଼ ।ଯୋନି ମାର୍ଗରେ ହେ ନ ବୁଡ଼ ॥
ଯୋନିକି ଭବଜଳ କହି ।ତହିଁ ବୁଡ଼ିଲେ ସ୍ଥଳ ନାହିଁ ॥
କହଇ ବଳରାମ ଦାସ ।ବିରାଟ ଗୀତା ମହାରସ ॥
ସୁଜନେ ଏହି ତତ୍ତ୍ୱ ଘେନ ।ତତ୍ତ୍ୱ ଚିହ୍ନିଲେ ମହା ପୂଣ୍ୟ ॥
ଇତି ଶ୍ରୀ ବିରାଟଗୀତାୟାଂ ବ୍ରହ୍ମବିଦ୍ୟାୟାଂ ବୈୟାସିକ୍ୟାଂହରି ଅର୍ଜ୍ଜୁନ ସମ୍ବାଦେ ନାମ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଅର୍ଜ୍ଜୁନ ଉବାଚପୁଣି ଅର୍ଜ୍ଜୁନ ପଚାରଇ ।ସଂଶୟ ମନରେ ତ ପାଇ ॥
ହେ କୃଷ୍ଣ ଭକତ ଦୟାଳୁ ।ଏମନ୍ତ ଆଜ୍ଞା କିମ୍ପା କଲୁ ॥
ବୋଇଲୁ ଯେ ନିମାର୍ଗେ ଗଲେ ।ଅଳ୍ପ ଆୟୁଷ ହୋନ୍ତି ଭଲେ ॥
ଯେବେ ନ ଯିବା ଯୋନି ମାର୍ଗେ ।ଜଗତ କେମନ୍ତେ ସୃଜିବେ ॥
ଚିତ୍ତେ ସଂଶୟ ମୋର କଲି ।ଏ କଥା କହି ବନମାଳୀ ॥
ଶ୍ରୀ ଭଗବାନୁବାଚଶୁଣ ଅର୍ଜ୍ଜୁନ ମନ ଦେଇ ।ଗୁପତ ଜ୍ଞାନ ଏ ବୋଲାଇ ॥
ଯେଣୁ ତୁ ମୋହର ବିଶ୍ୱାସ ।ତୋ ଆଗେ କରିବି ପ୍ରକାଶ ॥
ଆନକୁ ନ କହିବୁ ତୁହି ।ମୋ ପାଦ ପଦ୍ମ ଥାଅ ଛୁଇଁ ॥
ଘଟରେ ଜଳ ପୂରି ଥାଇ ।କିଞ୍ଚିତେ ଛିଦ୍ର ମାତ୍ର ହୋଇ ॥
ଶରୀର କୁମ୍ଭ ବୋଲି ଜାଣ ।ବୀଜଟି ଜଳ ପରିମାଣ ॥
ଶରୀରୁ ଜଳ ଗଳିଯାଇ ।ଶରୀର ନିର୍ବଳ ହୁଅଇ ॥
ଜଳ ବିହୀନେ ବ୍ୟାଧି ଗ୍ରାସେ ।ବ୍ୟାଧି ଗ୍ରାସିଲେ ଆତ୍ମା ନାଶେ ॥
ଏମନ୍ତେ ହୁଅଇ ସେ କ୍ଷୟେ ।ଏଣୁଟି ଅଳ୍ପ ବୁଦ୍ଧି କହେ ॥
ପୁଣି ଅର୍ଜ୍ଜୁନ ପଚାରଇ ।ମୋ ଚିତ୍ତେ ସଂଶୟ ରହଇ ॥
ସ୍ତିରୀ ପୁରୁଷ ବେନି ହୋଇ ।ସେ ପୁଣି ଜଗତ ସୁଜଇ ॥
ଏ କଥା ଯେବେ ନାସ୍ତି ହେବ ।ସଂସାର କେମନ୍ତେ ହୋଇବ ॥
ଏ କଥା କହ ଦଇତ୍ୟାରି ।ନମସ୍ତେ ମୁକୁନ୍ଦ ମୁରାରି ॥
ଶୁଣ ଅର୍ଜ୍ଜୁନ ତୋଷ ମନେ ।ତୋତେ କହିବା ଗୁପ୍ତଜ୍ଞାନେ ॥
ଛପନ କୋଟି ଜୀବ ଯେତେ ।ସର୍ଜନା ହୁଅନ୍ତି ଜଗତେ ॥
ପ୍ରତି ଦିନରେ ଯୁକ୍ତ ହେଲେ ।ଏ ଜୀବ ନାଶ ଯାଇ ଭଲେ ॥
ଏଥିକି ପୁଣ ପ୍ରତିକାର ।କହିବା ଶୁଣ ମହାବୀର ॥
ପତ୍ନୀର ପଦ୍ମ ଫୁଟିଥିବ ।ସେ ଦିନ ବୀର୍ଯ୍ୟ ଦାନ ଦେବ ॥
ସେ ବୀର୍ଯ୍ୟ ପଡ଼ିଲେ ପଦ୍ମରେ ।ମୁଦ୍ରିତ ହୁଅଇ ସତ୍ୱରେ ॥
ତହିଁରୁ ପୁରୁଷ ହୁଅଇ ।ଏମନ୍ତେ ଜଗତ ସୃଜଇ ॥
ଏଥିରେ ଅଛି ପୁଣ ଭେଦ ।କହିବା ଶୁଣ ତତ୍ତ୍ୱ ବୋଧ ॥
ପଦ୍ମ ମଧ୍ୟେ ଯେ ବିନ୍ଦୁ ପଡ଼େ ।ପୁରୁଷ ରୂପକୁ ସେ ଧରେ ॥
ଯେବେ ପଡ଼ଇ ପାଖୁଡ଼ାରେ ।ସ୍ତିରୀ ହୁଅଇ ତତକାଳେ ॥
ପାଖୁଡ଼ା ପଦ୍ମ ଦୁଇଠାରେ ।ବୀର୍ଯ୍ୟ ପଡ଼ିଲେ ସେ କାଳରେ ॥
ତହିଁରୁ ବେନି ଜାତ ହୋଇ ।ସ୍ତିରୀ ପୁରୁଷ ଯେ ବୋଲାଇ ॥
ଯେବେ ପଡ଼ଇ ପଦ୍ମେ ଏକ ।ସେ ହୁଏ ବେଣୀ ଯେ ଫୋଟକ ॥
ବେନି ପୁରୁଷ ବୋଲି ଜାଣ ।ନିର୍ଣ୍ଣୟ କହିଲି ଅର୍ଜ୍ଜୁନ ॥
ଯେତେକ ପୂରିକା ହୁଅଇ ।ପବନ ଯେତେ ଭାଗ ହୋଇ ॥
ଏତେକ ମୂର୍ତ୍ତି ସେହି ଧରେ ।ଦୁହିତା ହୁଏ ପାଖୁଡ଼ାରେ ॥
ଡାହାଣପୁଡ଼ା ବହୁଥିଲେ ।ଏମନ୍ତ ବେଳେ ରତି କଲେ ॥
ସେ ବୀର୍ଯ୍ୟ ଅଗ୍ନି ଜଳିଯାଇ ।ପଦ୍ମରେ ଆଉ ନ ରହଇ ॥
ବାମ ନାସିକା ବହୁଥିଲେ ।ଏମନ୍ତ ବେଳେ ରତି କଲେ ॥
ସେ ବୀର୍ଯ୍ୟ ହୁଅଇ ପୁରୁଷ ।ଅନ୍ୟ ବେଳରେ ଯାଇ ନାଶ ॥
ଅର୍ଜୁନ ବୋଲଇ ଗୋସାଇଁ ।ସଂଶୟ ମଣିଲଇଁ ମୁହିଁ ॥
ବାମ ଡାହାଣ ନାସା ବାଇ ।ଏଥିରେ ଭେଦ କହି ଫେଇ ॥
ଡାହାଣେ କିପାଁ ଜଳିଗଲା ।ବାମରେ ସମ୍ଭୁତ ହୋଇଲା ॥
ଏ ଅର୍ଥ କହି ଭଗବାନ ।ନମଇଁ ତୁମ୍ଭର ଚରଣ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଭଗବାନ ।କହନ୍ତି ଫେଡ଼ି ଗୁପ୍ତ ଜ୍ଞାନ ॥
ଛପନ କୋଟି ଜୀବ ଯେତେ ।କାମରେ ଜଡ଼ିତ ସମସ୍ତେ ॥
ଦିବସ ଷୋଳଘଡ଼ି ହୋଇ ।ବତ୍ରିଶ ରାତ୍ରମିଶି ହୋଇ ॥
ପୁରୁଷ ଆବର ଯୁବତୀ ।ସମସ୍ତେ ହୋନ୍ତି ରଜୋବତୀ ॥
ଘଡ଼ିକେ ନାମ ଯେ ଗୋଟିଏ ।ଉଦୟଠାରୁ ଅସ୍ତ ଯାଏ ॥
ଷୋଳ ଘଡ଼ିରେ ଷୋଳକ୍ଷର ।ବତ୍ରିଶ ମିଶି ରାତ୍ର ସାର ॥
ବତ୍ରିଶ ନାମ ଷୋଳାକ୍ଷର ।ରାତ୍ର ଦିବସ ନାମ ସାର ॥
ଏକ ଘଡ଼ିବେ ଏକ ନାମ ।ମହାମନ୍ତ୍ରଟି ଏହି ଜାଣ ॥
ରାଆ ଅକ୍ଷର ସ୍ତିରୀ କହି ।ମଅଟି ପୁରୁଷ ଅଟଇ ॥
କୃ ଅକ୍ଷର ଟି ପୁଂସ ହେଲା ।ଷ୍ଣଅ ଯେ ସ୍ତିରୀ ବୋଲାଇଲା ॥
ହ କ୍ଷର ସ୍ତିରୀ ବୋଲି କହି ।ରେ କ୍ଷର ପୁରୁଷ ବୋଲାଇ ॥
ପୁରୁଷ ଆବର ଯୁବତୀ ।ସମସ୍ତେ ହୋନ୍ତି ରଜୋବତୀ ॥
ଚତୁର୍ଥ ବେଳ ଦିବସର ।ଚତୁର୍ଥ ବେଳେ ଯେ ରାତ୍ରର ॥
ଏମନ୍ତ ଅଷ୍ଟ ବେଳ ଯାଏ ।ଏ ଜୀବ ରଜୋବତୀ ହୁଏ ॥
ସ୍ଥାବର କୀଟ ଯେ ପତଙ୍ଗ ।ଏମନ୍ତ ବେଳେ ହୋନ୍ତି ଯୋଗ ॥
ବାମ ନାସିକା ଯେବେ ବହି ।ରଜୋବତୀ ସେ ବୋଲି କହି ॥
ଏଥି କାରଣ ବୁଝି ଯେବେ ।ରତି କରନ୍ତି ସମଭାବେ ॥
ଯେ ଦିନେ ପଦ୍ମ ଫୁଟିଥିବ ।ତାହା ବୁଝିଣ ଯୁଗ୍ମ ହେବ ॥
ଏ ଭାବେ ରତି କଲେ ଯେବେ ।ବୃକ୍ଷ ଅଙ୍କୁରି ଉଠେ ତେବେ ॥
ଅନ୍ୟ ଦିଗରେ ନାଶ ଯାଇ ।ଏଣୁ ଅଳ୍ପ ଆୟୁଷ ହୋଇ ॥
ଅର୍ଜ୍ଜୁନ ବୋଇଲେ ଗୋସାଇଁ ।ମନ ମୋ ଭାନ୍ତି ଫିଟୁ ନାହିଁ ॥
ଏମନ୍ତ ଭାବେ ଯେତେ କଲେ ।ଆୟୁଷ ବୃଦ୍ଧି ହୁଏ ଭଲେ ॥
ଭୋଜନ ପାନେ କାର୍ଯ୍ୟ ନାହିଁ ।ସ୍ନାନ ଭୋଜନେ ଭେଦ କାହିଁ ॥
ସ୍ନାନ ମାର୍ଜନେ ଭେଦାଭେଦ ।ଏକଥା କହି ହେ ଗୋବିନ୍ଦ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟ ଶୁଣି କର୍ଣ୍ଣେ ।କହନ୍ତି କୋମଳ ବଚନେ ॥
ସାତ ବାରିଣୀ କହିଦେବା ।ତୋ ମନୁ ସଂଶୟ ଫେଡ଼ିବା ॥
ରବିବାରରେ ସ୍ନାନ କର ।ସୋମରେ ସ୍ନାନ ଯେ ନ କର ॥
ମଙ୍ଗଳବାରେ ସ୍ନାନ କର ।ବୁଧରେ ସ୍ନାନ ପରିହର ॥
ବୃହସ୍ପତିରେ କର ସ୍ନାନ ।ଶୁତ୍ରରେ ତା କର ବର୍ଜ୍ଜନ ॥
ଶନିରେ କର ନାସ୍ତି ଜଳ ।ଶରୀରେ ନ ପଶିବ କାଳ ॥
ବାମ ନାସିକା ବହୁଥିବ ।ସ୍ନାନ ଭୋଜନ ନ କରିବ ॥
ଡାହାଣ ପୁଡ଼ା ବହୁଥିଲେ ।ସ୍ନାନ ଭୋଜନ ତେତେବେଳେ ॥
ଶୟନ ମାର୍ଗ କହିଦେବା ।ତୋ ମନୁ ସଂଶୟ ଫେଡ଼ିବା ॥
ଆଦ୍ୟ ନିଶିରେ ନ ଶୋଇବ ।ମଧ୍ୟ ପ୍ରାନ୍ତରେ ଜାଗିଥିବ ॥
ଏମନ୍ତ ଶୟନ ଭୋଜନ ।ଏ ଭାବେ ରତି କରି ପୁଣ ॥
ଗୃହୀ ସ୍ୱଭାବ ଧର୍ମ ଏହି ।ଏ ମାର୍ଗେ ଚଳ ବୀର ତୁହି ॥
ଏ ଭାବେ ଥିଲେ ହେ ଅର୍ଜ୍ଜୁନ ।କାଳକୁ ଭୟ ନାହିଁ ପୁଣ ॥
ଭଣିଲେ ବଳରାମ ଦାସ ।ସୁଜନେ ଏହି ଭାବେ ରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି ଅର୍ଜ୍ଜୁନ ଗୁପ୍ତଜ୍ଞାନ କଥନେ ନାମ ତୃତୀୟୋଽଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବିନୟ ଭାବରେ ।ପଡ଼ଇ ଗୋବିନ୍ଦ ପୟରେ ॥
ହେ ବିଶ୍ୱେଶ୍ୱର ନାରାୟଣ ।ଅନାଦି ପରମ କାରଣ ॥
କଥା ଏ ପଡ଼ିଲା ମୋ ମନେ ।କହିବା ହେଉ ଦିବ୍ୟଜ୍ଞାନେ ॥
ବଡ଼ ଦେଉଳ କେ ଅଟଇ ।କାହାକୁ ନୀଳଚକ୍ର କହି ॥
ତିନିମୂର୍ତ୍ତି ଯେ ତହିଁଛନ୍ତି ।କେ କେଉଁଠାରେ ଯଦୁପତି ॥
ଅଠର ନଳା କା’କୁ କହି ।ବଡ଼ ଦାଣ୍ଡଟି କେ ବୋଲାଇ ॥
ଜଗମୋହନ ଘର କେହୁ ।କହିବା ହେଉ ମହାବାହୁ ॥
ମଣୋହି ସ୍ଥାନ ଯେ ଅଟଇ ।ରୋଷାଇଶାଳ କେ ବୋଲାଇ ॥
କାହାକୁ କହି ସିଂହାସନ ।ଚନ୍ଦନ ଅର୍ଗଳି କେ ପୁଣ ॥
କାହାକୁ ସିଂହଦ୍ୱାର କହି ।ଶ୍ରୀ ନନ୍ଦିଘୋଷ କେ ବୋଲାଇ ॥
ଷୋଳ ଚକଟି କେହୁ ପୁଣ ।ଚାରି ଦେବଙ୍କ କେଉଁ ସ୍ଥାନ ॥
ତୁଳସୀ ଚଉରାରେ ପୁଣ ।ଚାରି ଦେବଙ୍କ କେଉଁ ସ୍ଥାନ ॥
କାହାକୁ କହି ଚାରିବଟ ।କେବଣ ଠାରେ ଚାରି ମଠ ॥
ପାତାଳ ବୋଲାଏ କେ ପୁଣି ।କାହାକୁ ମର୍ତ୍ତ୍ୟ ବୋଲି ଜାଣି ॥
ସ୍ୱର୍ଗ ବୋଲିଣ ତାକୁ କହି ।ଏ କଥା କହି ଭାବଗ୍ରାହୀ ॥
କାହାକୁ କହି ଯାଜପୁର ।ବ୍ରହ୍ମାର କେବଣ ନଗର ॥
କପିଳାସଟି କେ ବୋଲାଇ ।ବୈକୁଣ୍ଠପୁର କା’କୁ କହି ॥
କାହାକୁ ବୋଲି ଗୋଲାହାଟ ।କେଉଁଠାରେ କଳାରାୟଟ ॥
କାଉଁରୀ ପାଟଣାଟି କେହୁ ।ଏ କଥା କହ ମହାବାହୁ ॥
ସାତବାରଙ୍କ ସ୍ଥାନ କାହିଁ ।ଚନ୍ଦ୍ର ସୂର୍ଯ୍ୟଟି କେ ବୋଲାଇ ॥
ପୂର୍ବ ଦିଗଟି କେହୁ ପୁଣ ।ପଶ୍ଚିମ କେହୁ ଯେ ପ୍ରମାଣ ॥
ଦକ୍ଷିଣ ଦିଗ କେ ହୋଇଲା ।ଉତ୍ତର କେହୁ ବୋଲାଇଲା ॥
ଏବେ ହୋ ଚାରିମେଘ କାହିଁ ।ଆଜ୍ଞା କର ହେ ଭାବଗ୍ରାହୀ ॥
ଦିବସ କାହାକୁଟି କହି ।ରାତ୍ର ବୋଲିଣ କେ ଅଟଇ ॥
ଗଙ୍ଗା ଯମୁନା ନଦୀ କାହିଁ ।ତ୍ରିବେଣୀ କେହୁ ଯେ ବୋଲାଇ ॥
ନିର୍ଣ୍ଣୟ କରି କହ ଫେଇ ।ଶୁଣିଲେ ନିସ୍ତରିବି ମୁହିଁ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଚକ୍ରଧର ।ବୋଲନ୍ତି ଶୁଣ ଭକ୍ତ ସାର ॥
ବଡ଼ ଦେଉଳ ବୋଲି ଯାହା ।ନିଶ୍ଚୟ ଏ ତୋହର କାୟା ॥
ନନ୍ଦି ଘୋଷଟି ଯାହା କହି ।ଅର୍ଜ୍ଜୁନ ଏ ତୋହର ଦେହୀ ॥
ଆଣ୍ଠୁରୁ କଟିଯାଏ ପୁଣ ।ଏ ତିନି ଚକ୍ର ହୋ ଅର୍ଜ୍ଜୁନ ॥
ନାଭି ହୃଦୟ କଣ୍ଠ ଘେନି ।ଏ ତିନି ଅଟଇ ଯେ ପୁଣି ॥
ହସ୍ତ ଅଙ୍ଗୁଷ୍ଠି ଖୁଆ ଯାଏ ।ଏ ପୁଣି ଅଷ୍ଟ ଚକ୍ର ହୁଏ ॥
ଆବର ଚକଟି କପାଳ ।ଏମନ୍ତ ହୋଇଲା ଏ ଷୋଳ ॥
ଷୋଳ ଚକଟି ଏ ପ୍ରମାଣ ।ତୋ ଆଗେ କହିଲି ଅର୍ଜ୍ଜୁନ ॥
ବଡ଼ଦାଣ୍ଡଟି ଯାହା କହି ।ଅର୍ଜ୍ଜୁନ ତୋର ମୁଖ ସେହି ॥
ବାଇଶ ପାବଚ୍ଛଟି ପୁଣ ।କଣ୍ଠ ତଳକୁ ହେ ଅର୍ଜ୍ଜୁନ ॥
ଅଠର ନଳା ଯାହା କହି ।ତୋହରି ଗଳା ସେ ଅଟଇ ॥
ତୁଳସୀ ଚଉରା ଯେ ପୁଣ ।କଣ୍ଠ ତଳକୁ ହୋ ଅର୍ଜ୍ଜୁନ ॥
ଗୃହ୍ୟକୁ ଯାଜପୁର କହି ।ନାଭିଟି ବ୍ରହ୍ମପୁର ହୋଇ ॥
ହୃଦୟ ଅଟେ ବିଷ୍ଣୁପୁର ।କଣ୍ଠ କପିଳାସ କନ୍ଦର ॥
ବୈକୁଣ୍ଠପୁର ମୁଖ ହୋଇ ।ତାଳୁକୁ ସ୍ୱର୍ଗଦ୍ୱାର କହି ॥
ତାଳୁକୁ କହି ନେତ୍ର ବାନା ।କପୋଳ କାଉଁରୀ ପାଟଣା ॥
କପୋଳ ଉପରଟି ଯେହୁ ।ଗୋଲାହାଟଟି ବୁଝ ସେହୁ ॥
ନାସିକା ବେନି ପୁଡ଼ା ଯେହି ।ବେନି ଆଲଟ ବୋଲି କହି ॥
ତିନି ଅକ୍ଷର ତିନି ମୂର୍ତ୍ତି ।ତୋହର ଚକ୍ଷୁରେ ଅଛନ୍ତି ॥
ଗରୁଡ଼ ସ୍ତମ୍ଭ ମନ ହୋଇ ।ମଣୋହି କୋଠା ନସା କହି ॥
ତାଳୁକୁ ପୂର୍ବଦିଗ କହି ।ନାସାଟି ପଶ୍ଚିମ ଅଟଇ ॥
ବାମକର୍ଣ୍ଣ ଉତ୍ତର ଜାଣ ।ଡାହାଣ କର୍ଣ୍ଣ ଯେ ଦକ୍ଷିଣ ॥
ଚାରି ମଠଙ୍କ ନାମ ଶୁଣ ।ଚତୁର୍ଥ ମଠ ମୁଖ ପୁଣ ॥
ଏମନ୍ତେ ହେଲା ମଠ ଚାରି ।ତୋ ଆଗେ କହିଲି ବିସ୍ତାରି ॥
ଚାରି ମେଘଙ୍କ ସ୍ଥାନମାନ ।ତୋ ଆଗେ କହିବା ଅର୍ଜୁନ ॥
ଆବର୍ତ୍ତ ମେଘ ତାଳୁ କହି ।ଚକ୍ଷୁଟି ସମ୍ୱର୍ତ୍ତ ବୋଲାଇ ॥
ପୁଷ୍କର ନାସା ତୋ ପ୍ରମାଣ ।ମୁଖ ତୋ ଅଟେ ଦ୍ରୋଣ ଜାଣ ॥
ଏହାକୁ ଚାରି ମେଘ କହି ।ଶୁଣ ଅର୍ଜ୍ଜୁନ ମନ ଦେଇ ॥
କହିବା ଏବେ ଚାରି ବଟ ।ଶୁଣ ତୁ ଯୁଧିଷ୍ଠି କନିଷ୍ଠ ॥
ତାଳୁକୁ କହି କଳ୍ପବଟ ।ବାଞ୍ଚାବଟଟି ଚକ୍ଷୁ ଶ୍ରେଷ୍ଠ ॥
ଦେବ ନାଶନ ବଟ ନାସା ।ବଂଶୀବଟର ମୁଖ ବସା ॥
ଏମନ୍ତେ ଚାରିବଟ ହେଲା ।ଶୁଣ ତୁ କୁନ୍ତୀଦେବୀ ବଳା ॥
ସାତବାରଙ୍କ ସ୍ଥାନମାନ ।ଫେଡ଼ି କହିବା ହୋ ଅର୍ଜ୍ଜୁନ ॥
ଡାହାଣ ନାସା ରବିବାର ।ବାମ ନାସିକା ସୋମବାର ॥
ମଙ୍ଗଳ ଡାହାଣଟି ଚକ୍ଷୁ ।ବୁଧବାର ଯେ ବାମଚକ୍ଷୁ ॥
ବାମ କର୍ଣ୍ଣଟି ଶୁକ୍ରବାର ।ଡାହାଣ କର୍ଣ୍ଣ ଶନିବାର ॥
ଗୁରୁବାରଟି ଜିହ୍ନା କହି ।ଏମନ୍ତେ ସାତବାର ଏହି ॥
ଗଙ୍ଗା ଯମୁନା ନଦୀ ଦୁଇ ।ତ୍ରିବେଣୀ ଆଦି ଦେବା କହି ॥
ଯମୁନା ବାମନାସା ବାୟି ।ଦକ୍ଷିଣ ପୁଡ଼ା ଗଙ୍ଗା ହୋଇ ॥
ଏଥି ମଧ୍ୟରେ ସରସ୍ୱତୀ ।ଏମନ୍ତେ ତ୍ରୟନଦୀ ସ୍ଥିତି ॥
ଚାରି ବେଦହିଁ କହିଦେବା ।ତୋ ମନୁ ସଂଶୟ ଫେଡ଼ିବା ॥
ମୁଖ ଯେ ଋକଦେବ ସ୍ଥାନ ।ନାସାଟି ସାମବେଦ ଜାଣ ॥
ଚକ୍ଷୁରେ ଯଜୁ ର୍ବେଦ ବସେ ।ଅର୍ଥବ ବେଦ କର୍ଣ୍ଣ ଦେଶେ ॥
ଶିଶୁ ବେଦଟି ଶୂନ୍ୟେ ଥାଇ ।ଏମନ୍ତେ ପାଞ୍ଚ ବେଦ କହି ॥
ବ୍ରହ୍ମାଣ୍ଡ ଯେତେ ବିଧିମତ ।ପିଣ୍ଡରେ ଅଛନ୍ତି ସମସ୍ତ ॥
ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ।ତୋ ଆଗେ କହିଦେଲି ତତ୍ତ୍ୱ ॥
ବ୍ରହ୍ମାଣ୍ଡେ ବୁଡ଼ିଣ ନ ମର ।ଏ ପିଣ୍ଡେ ସର୍ବ ହେତୁ କର ॥
ବିରାଟ ଗୀତାମାନ କହି ।ଗୁପତ ବ୍ରହ୍ମଜ୍ଞାନ ଏହି ॥
କହଇ ବଳରାମ ଦାସ ।ସୁଜନ ପାଦେ ମୋର ଆଶ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ ଶ୍ରୀ ହରି-ଅର୍ଜ୍ଜୁନ ସମ୍ୱାଦେ ପିଣ୍ଡବ୍ରହ୍ମଜ୍ଞାନ କଥନେ ନାମ ଚତୁର୍ଥୋଽଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।ଅକ୍ଷର ଭେଦ ଦିଅ କହି ॥
ଅକ୍ଷରମାନଙ୍କର ଭେଦ ।ଫେଡ଼ି କହିବ ହେ ଗୋବିନ୍ଦ ॥
ପ୍ରଥମେ ହେଲା କେତେ କ୍ଷର ।ତତ୍ତ୍ୱ ହୋଇଲା କେତେ କ୍ଷର ॥
ତହିଁ ଉତ୍ତାରୁ କେ ହୋଇଛି ।ଫେଡ଼ି କହିବ ହେ ଶ୍ରୀବତ୍ସି ॥
ଅକ୍ଷର ଭେଦ କହି ଦେବ ।ମୋ ମନୁ ସଂଶୟ ଫେଡ଼ିବ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଭଗବାନ ।ବୋଲନ୍ତି ଶୁଣ ହେ ଅର୍ଜ୍ଜୁନ ॥
ଶିରରୁ କ୍ଷରୁଛି ଜଗତ ।ଚୌବନ ଅକ୍ଷର ଯେ ଯୁକ୍ତ ॥
କହିବା ଚୌବନ ଶବଦ ।ମନରେ ନ କର ବିଷାଦ ॥
ସିଇ ଶବଦଟି ଶୂନ୍ୟ ହିଁ ।ଦ୍ଧି ଶବଦଟି ଧୀରେ କହି ॥
ରଅ ଶବଦ ନିତ୍ୟେ ଅଛି ।ସ୍ତୁଉ ଶବଦ ନେଉଅଛି ॥
ଅଣ ଶବଦ ନିତ୍ୟେ ଅଛି ।ଆ ଆ ଶବଦ ଆସୁଅଛି ॥
ଇ ଶବଦଟି ଘରେ ସାର ।ଈଟି ଯେ ଅଟଇ ଈଶ୍ୱର ॥
ଉଊ ଶବଦ ଉଇଁ ଅଛି ।ଉଲଟ ଶବଦ ବହୁଛି ॥
ଋଣ ଶବଦ ଏକ ବ୍ରହ୍ମ ।ଋଉ ଶବଦ ମହାଶୂନ୍ୟ ॥
ଉ ଶବଦୁଁ ଏ ସମ୍ଭୁତ ।ଉ ଶବଦୁଁ ସର୍ବଜାତ ॥
ଏ ଶବଦଟି କରୁଅଛି ।ଐ ଶବଦଟି ଖଟିଅଛି ॥
ଓ ଶବଦୁଁ ଏ ଓଁ କାରହିଁ ।ଔ ଶବଦୁଁ ଯେ କ୍ଷୟ ହୋଇ ॥
ଅଂ ଶବ୍ଦ ଯେ ଚଳୁଅଛି ।ଅଃ ଶବଦୁଁଟି ଘୋଟିଅଛି ॥
କଅ ଶବଦ କରୁଅଛି ।ଖଅ ଶବଦ ଖାଉଅଛି ॥
କଅ ଶବଦୁଁ ଏ ଓଁ କାର ।ଘଅ ଶବଦୁଁ ଘୋରୁ ପାର ॥
ଙଅ ଶବଦ ଉଇଁ ଅଛି ।ଚଅ ଶବଦ ଚଳୁଅଛି ॥
ଛଅରୁ କ୍ଷରନ୍ତି ଜଗତ ।ଜଅ ଶବଦୁ ଏ ସମ୍ଭୂତ ॥
ଝଅ ଶବଦୁଁ ଝରୁଅଛି ।(ଞ) ଶବଦ ନିତ୍ୟେ ଅଛି ॥
ଝଅ ଶବଦ ଟଳୁଅଛି ।ଠଅ ଶବଦ ଠୁଳେ ଅଛି ॥
ଡଅ ଶବଦ ଡାକୁଅଛି ।ଢଅ ଶବଦୁ ଢଳୁଅଛି ॥
ଣଅ ଶବଦ ମହାଶୂନ୍ୟ ।ତଅ ଶବଦୁଁ ତତ୍ତ୍ୱ ଜ୍ଞାନ ॥
ଥଅ ଶବଦ ସ୍ଥିତି ଅଛି ।ଦଅ ଶବଦ ଦହୁଅଛି ॥
ଧଅ ଶବଦ ଧୀରେ କହି ।ନଅ ଶବଦ ଲୀନ ହୋଇ ॥
ପଅ ଶବଦ ପୁରୁଅଛି ।ଫଅ ଶବଦ ଫେରୁଅଛି ॥
ବଅ ଶବଦ ଶୂନ୍ୟେ ବାଜେ ।ଭଅ ଶବଦ ଶୂନ୍ୟେ ଭଜେ ॥
ମଅ ଶବଦ ପୁରୁଅଛି ।ଯଅ ଶବଦ ଜାଣୁଅଛି ॥
ରଅ ଶବଦ ରହିଥିବ ।ଲଅ ଶବଦ ଲଗାଇବ ॥
ବଅ ଶବଦ ବାମେ ଛନ୍ତି ।ଶଅ ଶବଦ ଶୂନ୍ୟେ ସ୍ଥିତି ॥
ଷଅ ଶବଦ ଏ ଶରୀର ।ସଅ ଶବଦୁଁ ଚରାଚର ॥
ହଅ ଶବଦ ହରୁଅଛି ।କ୍ଷଅ ଶବଦ କ୍ଷରୁଅଛି ॥
ଏମନ୍ତେ ଚୌବନ ଶବଦ ।ଶୁଣ ଅର୍ଜ୍ଜୁନ ତତ୍ତ୍ୱ ଭେଦ ॥
ଏ ଜ୍ଞାନ ଗୁପତ ଅଟଇ ।କାହାକୁ ନ କହିବୁ ଫେଇ ॥
ଶୁଣି ଅର୍ଜ୍ଜୁନ ତୋଷମନ ।ଶ୍ରୀକୃଷ୍ଣ ପାଦେ କଲା ଧ୍ୟାନ ॥
ଅର୍ଜ୍ଜୁନ ଉବାଚଆନନ୍ଦେ ପାଦତଳେ ପଡ଼ି ।ପୁଣି ପଚାରେ କରଯୋଡ଼ି ॥
ଆଦ୍ୟରେ କେଉଁ କ୍ଷର ଥିଲା ।ଏତେ ଅକ୍ଷର କାହୁଁ ହେଲା ॥
ଏ କଥା କହ ନାରାୟଣ ।ନମଇଁ ତୁମର ଚରଣ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଭଗବାନ ।କହନ୍ତି ଶୁଣ ତତ୍ତ୍ୱ ଜ୍ଞାନ ॥
ଯେ କାଳେ ନ ଥିଲା ମଣ୍ଡଳ ।ନ ଥିଲେ ଚନ୍ଦ୍ର ହିଁ ଭାସ୍କର ॥
ସେ କାଳେ ମହାଶୂନ୍ୟେ ରହି ।ବିରାଟ ରୁପ ଥିଲି ମୁହିଁ ॥
କେହି ନ ଥିଲେ ହୋ ଅର୍ଜୁନ ।ବ୍ରହ୍ମାଣ୍ଡ ଦିଶେ ମହାଶୂନ୍ୟ ॥
ଶୁଣି ଅର୍ଜ୍ଜୁନ ତତ୍ତ୍ୱ ଜ୍ଞାନ ।ତୁ ମୋର ଅଟୁ ପଞ୍ଚପ୍ରାଣ ॥
ମହାଶୂନ୍ୟରୁ ଶୂନ୍ୟ ହେଲା ।ସେ ଶୂନ୍ୟ ଅର୍ଦ୍ଧମାତ୍ରା ହେଲା ॥
ଅର୍ଦ୍ଧମାତ୍ରାରୁ ସେ ଓଁ କାର ।ଓଁ କାରୁ ତ୍ରିବୀଜ ବାହାର ॥
ଏ ଷଡ଼ାକ୍ଷରୁ ହ କ୍ଷ ସାର ।ତ୍ରି କ୍ଷରୁ ନାମ ଷଡ଼କ୍ଷର ॥
ଏ ଷଡ଼ାକ୍ଷରୁ ଚାରିବେଦ ।ସିଦ୍ଧିରସ୍ତୁ ଯେ ଚାରି ଭେଦ ॥
ଧିଇରୁ ଷୋଳକ୍ଷର ହେଲା ।ଅଆଦି ନାମ ବୋଲାଇଲା ॥
ଆଆଦି ଅକ୍ଷରରୁ ଜାତ ।କଖଗଘ ଯେ ଏ ସମ୍ଭୂତ ॥
ଏ ବାରକ୍ଷରୁ ଦଶ ହେଲା ।ଡଢଣ ତଥ ବୋଲାଇଲା ॥
ଏ ଦଶାକ୍ଷରୁ ଷଡ଼ ଜାତ ।ବଭମ ଏ ଷଡ଼ ସମ୍ଭୂତ ॥
ଷଡ଼ରୁ ଚାରିକ୍ଷର ହେଲା ।ବଶ୍ରୀଅ ନାମ ବୋଲାଇଲା ॥
ଏମନ୍ତ ଚୌବନ ଅକ୍ଷର ।ଜାତ ହୋଇଲା ମହାବୀର ॥
ତୋ ଠାରେ ମୋର ମାୟା ନାହିଁ ।ତୁ ଜୀବ ମୁଁ ପରମ ହୋଇ ॥
ସାକ୍ଷାତେ ପରବ୍ରହ୍ମଂ ହୋଇ ।ଏ ମୋର ବିନୁ ଅନ୍ୟ ନାହିଁ ॥
ମୋଠାରେ ତିନିମୂର୍ତ୍ତି ଜାତ ।ତିନି ମୂର୍ତ୍ତିରୁ ବେଦ ତତ୍ତ୍ୱ ॥
ବେଦରୁ ହୋଇଲା ଅକ୍ଷର ।ଶୁଣ ଅର୍ଜ୍ଜୁନ ଗୀତାସାର ॥
ଅକ୍ଷର ଛନ୍ଦିଛି ସଂସାର ।ବେଦଟି ଅକ୍ଷରୁଁ ବାହାର ॥
ଶୁଣି ଅର୍ଜ୍ଜୁନ ହେଲା ତୋଷ ।ପାଇଲା ଜ୍ଞାନ ତତ୍ତ୍ୱରସ ॥
ଭଣିଲେ ବଳରାମ ଦାସ ।ମୋତେ ରଖିବେ ପୀତବାସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି ଅର୍ଜ୍ଜୁନ ସମ୍ବାଦେ ବ୍ରହ୍ମବେଦାଦି କଥନେ ନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ହୃଦୟ ବିକଳେ ।ପଡ଼ଇ କୃଷ୍ଣ ପାଦତଳେ ॥
ଆହେ ଗୋବିନ୍ଦ ଭଗବାନ ।ସଂଶୟ କର ବିମୋଚନ ॥
ପଞ୍ଚ ତତ୍ତ୍ୱର ଭେଦାଭେଦ ।ମୋତେ ନ କହିଲେ ଗୋବିନ୍ଦ ॥
ପଞ୍ଚ ତତ୍ତ୍ୱ କେ କେ ବୋଲାଇ ।ମୋତେ ତା କହ ଭାବଗ୍ରାହୀ ॥
ଭୋ ସ୍ୱାମୀ କହି ମୋ ଆଗର ।ନମଇଁ ଚରଣେ ତୁମ୍ଭର ॥
ଅର୍ଜ୍ଜୁନ ପାଦତଳେ ପଡ଼ି ।ବିନୟ ଭାବେ କରଯୋଡ଼ି ॥
ଏ ସର୍ବ କାହିଁ ରେ ଅଛନ୍ତି ।ଶୁଣିଲେ ଫିଟୁ ମନୋଭ୍ରାନ୍ତି ॥
ଯନ୍ତ୍ର କାଟିଣ ବସାଇବ ।ଏ ପ୍ରତି ଅଙ୍ଗେ କହିଦେବ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟେ ଚକ୍ରଧର ।କହନ୍ତି ଯନ୍ତ୍ର ଭେଦ ସାର ॥
ଅର୍ଜ୍ଜୁନ ଶୁଣ ଏହୁ କଥା ।ମୁନିଏ ନ ଜାଣନ୍ତି ଯଥା ॥
ତୋତେ ମୁଁ କହୁଅଛି ଫେଇ ।କେବଳ ନ କହିବୁ କାହିଁ ॥
ଅନନ୍ତ ଯନ୍ତ୍ର ଏହା ନାମ ।ଏ ନିତ୍ୟ ଫୁକାବନ୍ଧ ଧାମ ॥
ମୋତେ ପଚାରିଲୁ ଅର୍ଜ୍ଜୁନ ।ଏ ନିତ୍ୟେ ସର୍ବେ ଛନ୍ତି ପୁଣ ॥
ଯେତେକ ପଚାରିଲୁ ତୁହି ।ସକଳ ଦେବା ତୋତେ କହି ॥
ଦେହକୁ ପୃଥ୍ୱୀ ବୋଲି କହି ।ଆପେ ବୋଲନ୍ତି ଜଳ ସେହି ॥
ଅଗ୍ନିକି ତେଜ ବୋଲି କହି ।ପବନ ନାସାରେ ବସଇ ॥
ଆକାଶ ତାଳୁକା ଦୁଆର ।ଶୁଣ ଅର୍ଜ୍ଜୁନ ମହାବୀର ॥
ପୃଥ୍ୱୀର ସ୍ଥାନ ଇନ୍ଦ୍ରିଦ୍ୱାର ।ଆବର ସ୍ଥାନ ନୟନର ॥
ତେଜର ସ୍ଥାନ ଚକ୍ଷୁ ଦ୍ୱାର ।ନାଭିରେ ପବନର ଘର ॥
ଡାହାଣ ନାସା ସୂର୍ଯ୍ୟ ଜ୍ୟୋତି ।ବାମ ନାସିକା ଚନ୍ଦ୍ର କାନ୍ତି ॥
ବେନି ଚକ୍ଷୁକୁ ତାରା କହି ।ଧ୍ରୁବଚକ୍ରଟି ସେ ବୋଲାଇ ॥
ସ୍ୱଧମୀ ସଭାଟି କର୍ଣ୍ଣରେ ।ତପୀ ସଭାଟି ଲଲାଟରେ ॥
ଶରୀରେ ବାସ୍ତରୀ ଯେ ନାଡ଼ି ।ଅଷ୍ଟାଙ୍ଗ ଶରୀରକୁ ଭିଡ଼ ॥
ବେନିଚକ୍ଷୁଙ୍କ ମଧ୍ୟେ ସ୍ଥାନ ।ତ୍ରିକୁଟ ବୋଲି ତାର ନାମ ॥
ଦନ୍ତ ସନ୍ଧିରେ ସୁଷୂମୁନା ।ଗୁପତ ଧାରା ସେହୁ ସିନା ॥
ମୃଣାଳ ନାସା ବାୟୁ କହି ।କପୋଳ ବଙ୍କୁନାଳ ହୋଇ ॥
କାଳଟି ଚକ୍ଷୁରେ ବସଇ ।ସ୍ୱପନ କଣ୍ଠରେ ଦେଖଇ ॥
ମନର ଶୂନ୍ୟରେଟି ଘର ।ଜ୍ଞାନ ବସଇ ଚକ୍ଷୁ ଦ୍ୱାର ॥
ଧ୍ୟାନଟି ନାସା ଅଗ୍ରେ ଥାଇ ।ତତ୍ତ୍ୱ ଯେ ତାଳୁରେ ବସଇ ॥
ଚେତନା ଇନ୍ଦ୍ରିରେ ବସଇ ।ଚୈତନ୍ୟ କଣ୍ଠତଳେ ଥାଇ ॥
ତ୍ରିକୂଟ ହେତୁରେ ଯେ ସ୍ଥାନ ।ତ୍ରିକୂଟ ପରେ ସତ୍ତ୍ୱ ଜାଣ ॥
ନାଦ ଯେ ନାଭିରେ ବସଇ ।ବିନ୍ଦୁଟି ନାସା ଅଗ୍ରେ ଥାଇ ॥
ନାମର ଧ୍ୱନି ଚକ୍ଷୁ ସ୍ଥାନ ।ଚକ୍ଷୁ ଉପରେ ଜ୍ୟୋତି ଜାଣ ॥
ଜ୍ୟୋତି ସମ୍ଭାଇ ତାଳୁ ଦ୍ୱାରେ ।ନିଶବଦଟି ସେହିଠାରେ ॥
ସ୍ୱପନ କଣ୍ଠରେ ବସଇ ।ବିନ୍ଦୁର ଘର ତାଳୁ କହି ॥
ଦେବତା ସଭା ହୃଦୟରେ ।ଇନ୍ଦ୍ରଙ୍କ ସଭା କଣ୍ଠଦ୍ୱାରେ ॥
ବ୍ରହ୍ମାଙ୍କ ସଭା ନାଭି ସ୍ଥାନ ।ଇନ୍ଦ୍ରଙ୍କ ସଭା ଇନ୍ଦ୍ର ଜାଣ ॥
ବିଷ୍ଣୁ ଗଣଙ୍କ ସଭା ଚକ୍ଷୁ ।ପୁଣ ଅର୍ଜୁନ କେତେ ପୁଚ୍ଛୁ ॥
ଏ ଦଶଦ୍ୱାର ଦଶଦିଗ ।ଶୁଣ ଅର୍ଜ୍ଜୁନ ବ୍ରହ୍ମଭାଗ ॥
ଚଉଦ ବ୍ରହ୍ମାଣ୍ଡ କହିବା ।ତୋ ମନୁ ସଂଶୟ ଫେଡ଼ିବା ॥
ବ୍ରହ୍ମାଣ୍ଡ ହାଣ୍ଡି ତାଳୁ କହି ।ବେନି ବ୍ରହ୍ମାଣ୍ଡ କର୍ଣ୍ଣ କହି ॥
ବେନି ଚକ୍ଷୁ ବେନି ବ୍ରହ୍ମାଣ୍ଡ ।ବେନି ନାସା ବେନି ବ୍ରହ୍ମାଣ୍ଡ ॥
ମୁଖରେ ବେନି ଯେ ବ୍ରହ୍ମାଣ୍ଡ ।କଣ୍ଠରେ ଏକଇ ବ୍ରହ୍ମାଣ୍ଡ ॥
ହୃଦୟ ନାଭି ବେନି ହୋଇ ।ଇନ୍ଦ୍ର ଯେ ଗୁହ୍ୟ ବେନି ହୋଇ ॥
ଏମନ୍ତେ ଚଉଦ ବ୍ରହ୍ମାଣ୍ଡ ।କହିବା ପୃଥୀ ନବଖଣ୍ଡ ॥
ପ୍ରଥମ ଖଣ୍ଡ ପୃଥୀ ଯେହି ।
ତାଳୁକା ପୁର ସେ ଅଟଇ ॥
ଦ୍ୱିତୀୟ ଖଣ୍ଡ କର୍ଣ୍ଣ କହି ।
ତୃତୀୟ ଖଣ୍ଡ ଚକ୍ଷୁ ହୋଇ ॥
ଚତୁର୍ଥ ଖଣ୍ଡ ନାସା ଜାଣ ।
ପଞ୍ଚମ ଖଣ୍ଡ ମୁଖ ପୁଣ ॥
ଷଷ୍ଠ ଖଣ୍ଡ ହେ ତୋର କଣ୍ଠ ।
ସପ୍ତମ ଖଣ୍ଡ ହୃଦତଟ ॥
ଅଷ୍ଟମ ଖଣ୍ଡ ନାଭି କହି ।
ନବମ ଖଣ୍ଡ ଇନ୍ଦ୍ର ହୋଇ ॥
ଏମନ୍ତ ହେଲା ନବଖଣ୍ଡ ।ତୋତେ କହିଲି ଜ୍ଞାନ ଖଣ୍ଡ ॥
ସପତ ଦ୍ୱୀପ ଦେବା କହି ।ସପତ ସମୁଦ୍ର ଯେ ଫେଇ ॥
ତାଳୁକୁ କୁଶ ଦ୍ୱୀପ କହି ।ତା ମଧ୍ୟେ କ୍ଷୀର ସମୁଦ୍ରହିଁ ॥
କ୍ଷୀର ସମୁଦ୍ରେ ନିରାକାର ।କରିଛି ଅନନ୍ତ ବିହାର ॥
ନାଭିକି ଜମ୍ବୁଦ୍ୱୀପ କହି ।ତା ମଧ୍ୟେ ଲୁଣ ସମୁଦ୍ରହିଁ ॥
ପଲାଶଦ୍ୱୀପ ହୃଦ କହି ।ତା ମଧ୍ୟେ ଇକ୍ଷୁ ସମୁଦ୍ରହିଁ ॥
ରମ୍ୟକଦ୍ୱୀପ କଣ୍ଠଦ୍ୱାର ।ସୁରା ସମୁଦ୍ର ତା ମଧ୍ୟର ॥
କାଞ୍ଚନ ଦ୍ୱୀପ ମୁଖ କହି ।ଇକ୍ଷୁ ସମୁଦ୍ର ମଧ୍ୟେ ରହି ॥
ଏମନ୍ତ ସପତ ସମୁଦ୍ର ।ସପତ ଦ୍ୱୀପ ଏହି ମଧ୍ୟ ॥
କାଳଟି ନୟନେ ବସଇ ।ପ୍ରାଣିଙ୍କି ଅଜ୍ଞାନେ ନାଶଇ ॥
ଭ୍ରୁଲତା ମଧ୍ୟେ ଅର୍ଦ୍ଧମାତ୍ରା ।ତାଳୁ ସନ୍ଧିରେ ବୀଜଦାତା ॥
ତ୍ରିକୂଟ ଉପରେ ଓଁ କାର ।ତାଳୁ ସନ୍ଧିରେ ହେତୁକର ॥
ଦେହ ଛାଡ଼ିଲେ ପ୍ରାଣ ଯାଇ ।ଏ ଆତ୍ମା ମହାଶୂନ୍ୟେ ରହି ॥
ତାଳୁକୁ କହି ମହାଶୂନ୍ୟ ।ଚ଼କ୍ଷୁଟି ଅଟେ ତତ୍ତ୍ୱ ଶୂନ୍ୟ ॥
ନାସାଟି ପ୍ରେମଶୂନ୍ୟ କହି ।ଧ୍ୟାନ ଶୂନ୍ୟ କର୍ଣ୍ଣ ଅଟଇ ॥
ମୁଖକୁ କହି ଜ୍ଞାନ ଶୂନ୍ୟ ।ଏମନ୍ତେ ଜାଣ ପାଞ୍ଚ ଶୂନ୍ୟ ॥
ମହାଶୂନ୍ୟରେ କନ୍ୟା ଯେତେ ।ଶୁଣ ଅର୍ଜ୍ଜୁନ କହୁଁ ତୋତେ ॥
ବ୍ରାହ୍ମଣ କନ୍ୟା ଦଶସସ୍ର ।ଗୋପ କନ୍ୟାହିଁ ଦଶସସ୍ର ॥
ଦଶ ସହସ୍ର ଶୂଦ୍ରକନ୍ୟା ।ଦଶ ସହସ୍ର ବୈଶ୍ୟକନ୍ୟା ॥
କ୍ଷତ୍ରିୟ କନ୍ୟା ଦଶସସ୍ର ।ଏମନ୍ତେ ଚଉଷଠି ସସ୍ର ॥
ଉତ୍ପତ୍ତି ଦ୍ୱାରା ଇନ୍ଦ୍ରି କହି ।ପ୍ରଳୟ ଦ୍ୱାର ସେ ଅଟଇ ॥
ଉକାର ତହୁଁ ରାତ୍ର ହୋଇ ।ଓଁ କାର ଦିବସ ଜନ୍ମଇ ॥
ପ୍ରାଣ ଯେ ପବନ ଅଟଇ ।ଅପାନ ରଜ ଭାଗ କହି ॥
ରଜରୁ ରକ୍ତ ଜାତ ହେଲା ।ଏମନ୍ତେ ବ୍ୟାନ ବୋଲାଇଲା ॥
ଉଦାନ ମାଆ ପଦ୍ମ କହି ।ସମାନ ଯମଜ୍ୱାଳା ହୋଇ ॥
କାମ ରୂପଟି ମନ କହି ।ସୂନ୍ତ୍ର ମାର୍ଗରେ ଯୁଗ୍ମ ହୋଇ ॥
ଧାରଣ କରି ଛାଡ଼ି ଦେଲା ।ସେ ବିନ୍ଦୁ ପଦ୍ମରେ ପଡ଼ିଲା ॥
ଏମନ୍ତେ ହୋଇଲା ଶରୀର ।ଶୁଣ ଅର୍ଜ୍ଜୁନ ଗୀତାସାର ॥
ଭଣିଲେ ବଳରାମ ଦାସ ।ବିରାଟ ଗୀତା ଜ୍ଞାନରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି-ଅର୍ଜ୍ଜୁନ ସମ୍ୱାଦେ ତତ୍ତ୍ୱଜ୍ଞାନ କଥନେ ନାମ ଷଷ୍ଠୋଽଧ୍ୟାୟଃ
ସପ୍ତମ ଅଧ୍ୟାୟ
ଅର୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।ସଂଶୟ ଚିତ୍ତେ ପଚାରଇ ॥
ସପ୍ତବ୍ରହ୍ମାଣ୍ଡ କେତେ ନିତ୍ୟ ।ଫେଡ଼ି କହିବ ହେ ଅଚ୍ୟୁତ ॥
ଶ୍ରୀ ଭବବାନୁବାଚଶୁଣ ଅର୍ଜ୍ଜୁନ ମନ ଦେଇ ।କହିବା ପଞ୍ଚତତ୍ତ୍ୱ ଫେଇ ॥
ସୂର୍ଯ୍ୟମଣ୍ଡଳ ଏହି ଏକ ।ଚନ୍ଦ୍ର ମଣ୍ଡଳ ଦ୍ୱିତୀୟେକ ॥
ଶରୀର ଏକ ନିତ୍ୟ ଜାଣ ।ଏକ ନିତ୍ୟ ଯେ ମହାଶୂନ୍ୟ ॥
ମହାଶୂନ୍ୟରେ ଏକ ନିତ୍ୟ ।ଏହା ନ ଜାଣେ ଜ୍ଞାନବନ୍ତ ॥
ସୂର୍ଯ୍ୟମଣ୍ଡଳ ଯନ୍ତ୍ର ହୋଇ ।ଏହା ଚିହ୍ନିଲେ ବ୍ରହ୍ମ ପାଇ ॥
ଏହି ମଣ୍ଡଳ ଅର୍ଥ ଯେତେ ।ଶୁଣ କହିବା ବୀର ତୋତେ ॥
ଧ୍ରୁବ ମଣ୍ଡଳର ମହିମା ।ଏହା ନ ଜାଣେ ଶିବ ବ୍ରହ୍ମା ॥
ଯେ କାଳେ ନ ଥିଲା ସଂସାର ।ନ ଥିଲେ ଦେବାସୁର ନର ॥
ସେ କାଳେ ଥିଲେ ସୂର୍ଯ୍ୟ ରହି ।ବିରଞ୍ଚି ନାରାୟଣ ସେହି ॥
ମହା ନାରାୟଣ ବୋଲାଇ ।ଧୃବ ମଣ୍ଡଳେ ଏ ରହଇ ॥
ସପ୍ତ ବ୍ରହ୍ମାଣ୍ଡେ ଏ କରତା ।ଏହାଙ୍କୁ ବୋଲିଟି ବିଧାତା ॥
ଗଗନ ମାର୍ଗେ ଏ ରହନ୍ତି ।ସକଳ ଜୀବ ସର୍ଜୁଛନ୍ତି ॥
ଯେ କାଳେ ଜଳ ପ୍ରଳେ ହେଲା ।ଜଳେ ବ୍ରହ୍ମାଣ୍ଡ ନାଶ ଗଲା ॥
ଏକା ରହିଲା ଶୂନ୍ୟ ବ୍ରହ୍ମ ।ଆଶ୍ରମ କଲେ ମହାଶୂନ୍ୟ ॥
ଏମନ୍ତ କିଛି ଦିନ ଅନ୍ତେ ।ସୃଷ୍ଟି ରଚିଲେ ଜନହିତେ ॥
ମଧୁକୈଟଭ ଜାତ କରି ।ପୁଣି ସେ ତାହାଙ୍କୁ ସଂହାରି ॥
ତାହାର ମାଂସ ଜଳ ସଙ୍ଗେ ।ମେଦିନୀ କଲେ ନିଜ ଅଙ୍ଗେ ॥
ତେବେ ସେ ମେଦିନୀ ନ ହେଲା ।ଜଳରେ ମାଂସ ବୁଡ଼ିଗଲା ॥
ମନେ ଜାଣିଲେ ଭାବଗ୍ରାହୀ ।ସୃଷ୍ଟିତ ଏମନ୍ତେ ନୁହଇ ॥
ବିରଞ୍ଚି ନାରାୟଣ ହୋଇ ।ଆପଣେ ପ୍ରକାଶ ଗୋସାଇଁ ॥
ଦ୍ୱାଦଶ ସୂର୍ଯ୍ୟରୂପ ଧରି ।ତେଜ ବିକାଶିଲେ ମୁରାରି ॥
ଦ୍ୱାଦଶ ସୂର୍ଯ୍ୟତେଜ ଘାତେ ।ସେ ଜଳ ଶୁଖିଲା ତୁରିତେ ॥
ଜଳ ଶୁଖନ୍ତେ ହେଲା ସ୍ଥିର ।ଏମନ୍ତେ ହୋଇଲା ସଂସାର ॥
ଦ୍ୱାଦଶ ସୂର୍ଯ୍ୟ ସଂହାରିଲେ ।ଦ୍ୱାଦଶ କଳା ଏକ କଲେ ॥
ଆପଣେ ସୂର୍ଯ୍ୟରୂପ ହୋଇ ।ନିର୍ମଳ ବ୍ରହ୍ମ ପ୍ରକାଶଇ ॥
ଚକ୍ର ମଧ୍ୟରେ ବ୍ରହ୍ମ ଥାଇ ।ଅନାଦି ଶକ୍ତି ଅଛି ବୋହି ॥
ଦ୍ୱାଦଶ ସସ୍ର ସଖୀ ପୁଣି ।ସୂର୍ଯ୍ୟ ନିତ୍ୟରେ ସେବା ଘେନି ॥
ସୃଷ୍ଟି କି ସିଂହାସନ କରି ।ବିଜୟ ବ୍ରହ୍ମରୂପ ଧରି ॥
ଦ୍ୱାଦଶ ସସ୍ର ସଖୀ ରସେ ।ଖଟି ଅଛନ୍ତି ସୂର୍ଯ୍ୟ ପାଶେ ॥
ଏହିଟି ମୂଳ ନିଜ ସ୍ଥାନ ।ଏଥି ପବିତ୍ର ସର୍ବଜନ ॥
ଦ୍ୱାଦଶ କୋଣେ ବାର ସଖୀ ।ଚକ୍ର ମଧ୍ୟରେ ପଦ୍ମ ଆଖି ॥
ତାହାଙ୍କ ପାରୁଶରେ ଜାଣ ।ଦ୍ୱାଦଶ କିରଣହିଁ ପୁଣ ॥
ଦ୍ୱାଦଶ କିରଣ ଯେ ପୁଣ ।ଉଦୟ ଦିଶେ ଭିନ୍ନ ଭିନ୍ନ ॥
ରଥର ନାମ ଅଂଶ କେତୁ ।ଚକ୍ର ଗୋଟିଏ ବିଶେଷତୁ ॥
ଏଣୁଟି ଏକ ଚକ୍ର ହୋଇ ।ଆକାଶ ମାର୍ଗରେ ଭ୍ରମଇ ॥
ପଚିଶ ସସ୍ର ଅଖ ଜାଣ ।ଦଶ ସସ୍ର ଯେ ଅଶୀ ପୁଣ ॥
ଶତ ସହସ୍ର ଅଶ୍ୱ ତହିଁ ।ଅରୁଣ ସାରଥି ଯେ ହୋଇ ॥
ଉଲଟ ଚକ୍ର ମେରୁ ଦଣ୍ଡ ।ଆଦିତ୍ୟ ତେଜ ଯେ ବ୍ରହ୍ମାଣ୍ଡ ॥
ଚକ ଉଲଟେ ବିଜେ କରି ।ସୂର୍ଯ୍ୟ ସେ ଶୂନ୍ୟରେ ବିହରି ॥
ଚକ ଉହାଡ଼େ ହୁଏ ନିଶି ।ସେ ସୂର୍ଯ୍ୟ ମେରୁ ପୃଷ୍ଠେ ପଶି ॥
ରାତ୍ର ଦିବସ ଏହି ମତେ ।ସଖୀଙ୍କ ସେବା ଅନୁବ୍ରତେ ॥
ଛାୟା ମାୟା ସେ ସଖୀ ବେନି ।ସୂର୍ଯ୍ୟଙ୍କ ପ୍ରିୟବତୀ ପୁଣି ॥
ଏହି ନିତ୍ୟକୁ କର ଧ୍ୟାନ ।ଏହିଟି ମହା ନାରାୟଣ ॥
ଏହି ନିତ୍ୟରେ ଦିଅ ମନ ।ଲଭିବ ସ୍ୱୟଂ ପୂର୍ଣ୍ଣବ୍ରହ୍ମ ॥
ଉତ୍ପତ୍ତି କାଳେ ଏ କରତା ।ପ୍ରଳୟକାଳେକ ରଖନ୍ତା ॥
ଧ୍ରୁବ ଚକ୍ରଟି ଏ ବୋଲାଇ ।ଶୁଣ ଅର୍ଜ୍ଜୁନ ମନ ଦେଇ ॥
ଏହି ଚକ୍ରରେ ଦିଅ ଦୃଷ୍ଟି ।ପକାଅ ଯମଦଣ୍ଡ କାଟି ॥
ଭଣିଲେ ବଳରାମ ଦାସ ।ସୂର୍ଯ୍ୟମଣ୍ଡଳେ ମୋର ଆଶ ॥
ଇତି ଶ୍ରୀ ବିରାଟ ଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି-ଅର୍ଜ୍ଜୁନ ସମ୍ବାଦେ ସୂର୍ଯ୍ୟମଣ୍ଡଳ ଧ୍ରୁବଚକ୍ର ନିତ୍ୟକଥନେ ନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।କଥାଏ ପଚାରିବି ମୁହିଁ ॥
ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ।କହନା ମୋତେ ଚନ୍ଦ୍ର ନିତ୍ୟ ॥
କେତେ ଯେ ସଖିଛନ୍ତି ରହି ।କିରୂପେ ସେ ନିତ୍ୟ ବସଇ ॥
କେତେକ ଚକ ଘେନି ଉଭା ।କେତେ କରିଣ ତହିଁ ପ୍ରଭା ॥
କେମନ୍ତେ ଚନ୍ଦ୍ରଙ୍କର ବର୍ଣ୍ଣ ।କି ଅବା ଚନ୍ଦ୍ର କେତେ ନାମ ॥
ତା ମଧ୍ୟେ ବ୍ରହ୍ମାରୂପ କେହୁ ।ଏ କଥା କହ ମହାବାହୁ ॥
କେମନ୍ତେ ଭାବେ ସେ ଉଦାୟେ ।କାହିଁ କେମନ୍ତେ ରୂପ ହୁଏ ॥
ସାରଥି କେ ଅବା ହୋଇଛି ।କେମନ୍ତେ ରଥ ବାହୁଅଛି ॥
ରଥକୁ ବାହୁଅଛି କେହୁ ।ତା ନାମ କହି ମହାବାହୁ ॥
କହିଲେ ପ୍ରଭୁ ଚକ୍ରପାଣି ।ତରିବି ତବ ମୁଖୁ ଶୁଣି ॥
କେମନ୍ତ ଯନ୍ତ୍ର ଯେ ବସଇ ।କହି ହେ ପ୍ରଭୁ ଭାବଗ୍ରାହୀ ॥
ଚନ୍ଦ୍ର ମଣ୍ଡଳ କଥା କହି ।ମନରୁ ଫେଡ଼ ମୋ ସନ୍ଦେହ ॥
ଶ୍ରୀ ଭଗବାନୁବାଚଅର୍ଜ୍ଜୁନ ବାକ୍ୟ ଶୁଣି କର୍ଣ୍ଣେ ।କହନ୍ତି ପ୍ରଭୁ ଜନାର୍ଦ୍ଦନେ ॥
ଶୁଣ ଅର୍ଜ୍ଜୁନ ମହାବୀର ।କହିବା ଚନ୍ଦ୍ରଙ୍କ ବିଚାର ॥
ଅତି ଗୁପତ କଥା ଏହି ।ତୋତେ ମୁଁ କହୁଅଛି ଫେଇ ॥
ଆଦି ଚକ୍ରଟି ଏ ବୋଲାଇ ।ଏଥିରେ ସଂଶୟ ଯେ ନାହିଁ ॥
ନିରଞ୍ଜନ ଚକ୍ର ଏ ସାର ।ଏ ଯନ୍ତ୍ର ଜ୍ଞାନୀଙ୍କର ପର ॥
ଏବେ ମୁଁ ତୋତେ ଦେବି କହି ।ଶୁଣ ଅର୍ଜ୍ଜୁନ ମନ ଦେଇ ॥
ପ୍ରଥମେ ମହାଶୂନ୍ୟ ଅଛି ।ତା ତଳେ ଧର୍ମ ମାତ୍ର ଗଛି ॥
ତା ତଳେ ଓଁ କାର ପ୍ରମାଣ ।ଓଁ କାରୁ ତ୍ରିବୀଜ ଜନମ ॥
ତ୍ରୀବୀଜୁ ମହାମନ୍ତ୍ର ହେଲା ।ସେ ମନ୍ତ୍ର ଶୂନ୍ୟରେ ରହିଲା ॥
ଯେ କାଳେ ଅଗ୍ନି ତେଜ ବଳେ ।ବ୍ରହ୍ମାଣ୍ଡ ଜଳିଗଲା ହେଳେ ॥
ଚନ୍ଦ୍ର ଶୀତଳ ତେଜ ହୋଇ ।ଶୀତଳ ଜଗତ କରଇ ॥
କହିବା ଶୁଣ ହେ ଅର୍ଜ୍ଜୁନ ।ଯନ୍ତ୍ରରେ ଯେତେକ ବିଧାନ ॥
ପଚିଶ ସସ୍ର ସଖୀ ତହିଁ ।ସେବା ନିତ୍ୟରେ ଛନ୍ତି ରହି ॥
ଷଡ଼ ସହସ୍ର ଅଶ୍ୱ ସାଜି ।ଯୋଚା ହୋଇଛି ତହିଁ ବାଜୀ ॥
ସାରଥି ହୋଇଛି ପବନ ।ତେଜ ଜିଣଇ ଶୁକ୍ଳବର୍ଣ୍ଣ ॥
ଷୋଳ ସହସ୍ର ସଖୀ ଛନ୍ତି ।ସ୍ପଟିକ ବର୍ଣ୍ଣ ସେ ଦିଶନ୍ତି ॥
ନିତ୍ୟକୁ ଶିରେ ଛନ୍ତି ବହି ।ସେ ସଖୀମାନେ ଛନ୍ତି ରହି ॥
ଶଶାଙ୍କ ମଣ୍ଡଳେ ଆସନ ।ମହାଶୂନ୍ୟକୁ କରି ଧ୍ୟାନ ॥
କୋଟିଏ ବ୍ରହ୍ମା ଶିବ ଗଲେ ।ସଖୀଙ୍କ ଧ୍ୟାନହିଁ ନ ଟଳେ ॥
ଚନ୍ଦ୍ର ଲୋକକୁ ଏକ ଦିନ ।କୋଟିଏ ବ୍ରହ୍ମା ବିଷ୍ଣୁ ଜନ୍ମ ॥
ବତିଶ ସସ୍ର କୋଟି ହୋଇ ।ଚନ୍ଦ୍ର ମଣ୍ଡଳ ନିତ୍ୟେ ଯହିଁ ॥
ରାତ୍ର ଯେ ଷୋଳ ଘଡ଼ି ହୋଇ ।ଷୋଳ ସଖୀଙ୍କ ପ୍ରଭା ସେହି ॥
ରାଧିକା ମଣ୍ଡପ ତା ନାମ ।ଚନ୍ଦ୍ର ମଣ୍ଡଳ ନିତ୍ୟଧାମ ॥
ପ୍ରତିପ ଦିନ ଚନ୍ଦ୍ର ନାହିଁ ।କୃଷ୍ଣ କୋଳରେ ଗୋପ୍ୟ ହୋଇ ॥
ଦ୍ୱିତୀୟା ଦିନ ଲଲାଟରେ ।ତୃତୀୟା ଦିନ ଚକ୍ଷୁ ଦ୍ୱାରେ ॥
ଚତୁର୍ଥ ଦିନ ଚନ୍ଦ୍ର ପୁଣ ।ନାସାରେ କରଇ ଆସନ ॥
ପଞ୍ଚମ ଦିନ ଓଷ୍ଠେ ଥାଇ ।ଷଷ୍ଠରେ କର୍ଣ୍ଣରେ ବସଇ ॥
ସପ୍ତମୀ ଦିନ ହୃଦମଧ୍ୟେ ।ଅଷ୍ଟମୀ ଦିନ ନାଭି ପଦ୍ମେ ॥
ନବମୀ ଦିନ ଗୃହେ ଥାଇ ।ଦଶମୀ ଇନ୍ଦ୍ରରେ ବସଇ ॥
ଏକାଦଶୀରେ ଜାନୁ ମଧ୍ୟେ ।ଦ୍ୱାଦଶୀ ଦିନ ଆଣ୍ଠ ଭାଗେ ॥
ତ୍ରୟୋଦଶୀରେ ନଳେ ଥାଇ ।ଚତୁର୍ଦ୍ଦଶୀରେ ଗଣ୍ଡେ ରହି ॥
ଅମାସ୍ୟାଦିନ ପାଦେ ଥାଇ ।ବିଷ୍ଣୁ କୋଳରେ ଗୋପ୍ୟ ହୋଇ ॥
ସଖୀଙ୍କ ପଞ୍ଚଦଶ କଳା ।ସେ ବ୍ରହ୍ମରୂପେ ଏକ କଳା ॥
ଏମନ୍ତ ଷୋଳକଳା ହୋଇ ।ନିତ୍ୟକୁ ଶିରେ ଛନ୍ତି ବହି ॥
ଏଣୁ ସ୍ତିରୀଙ୍କ ଷୋଳକଳା ।ଚାଳିବ ଜାଣି ଚନ୍ଦ୍ର କଳା ॥
ଯେ ଦିନ ଯେଉଁ ତିଥି ହୋଇ ।ରତି କାଳରେ ତହିଁ ନେଇ ॥
ଅଙ୍ଗୁଷ୍ଠି ନଖରେ ଚାଲିବ ।ଅର୍ଜ୍ଜୁନେ କହିଲେ ମାଧବ ॥
ଚନ୍ଦ୍ରଙ୍କ ଷୋଳକଳା ଯେହି ।ବ୍ରହ୍ମାଣ୍ଡେ ତେଜ ପ୍ରକାଶଇ ॥
ଚନ୍ଦ୍ରକଳାକୁ ଜାଣିଥିବ ।ନ ହେଲେ କାଳ ମାରିନେବ ॥
ଚନ୍ଦ୍ରମା ବୋଲି ଯେ ଅଟଇ ।ଆଦି ଶକ୍ତିଟି ସେ ବୋଲାଇ ॥
କାଳ ରୂପଟି ସେ ହୋଇଛି ।ପ୍ରାଣକୁ ପିଣ୍ଡରେ ଗ୍ରାସିଛି ॥
ପିଣ୍ଡରେ ଜଳ ପ୍ରଳେ ହୋଇ ।ସେ ଦେବୀ ମୁଖୁ ଜାତ ହୋଇ ॥
ତା ମୁଖୁଁ ଜଳ ହୁଏ ଜାତ ।ପିଣ୍ଡକୁ କରଇ ସେ ହତ ॥
ଦିବସେ ବିଷ୍ଣୁ କଳା ହୋଇ ।ପ୍ରାଣୀ ସଂସାରେ କ୍ରୀଡ଼ୁ ଥାଇ ॥
ଯହୁଁ ହୁଅଇ ରାତ୍ରକାଳ ।ସେ ଚନ୍ଦ୍ର ହୁଅଇ ଉଜ୍ଜ୍ୱଳ ॥
ତାହାର ବଳେ ଯେହୁ ହୋଇ ।ପ୍ରାଣୀକୁ ମୋହିତ କରଇ ॥
ଏଣୁ ମୁନୀନ୍ଦ୍ର ଯୋଗୀଜନ ।କାଳରାତ୍ରିକି କରି ଧ୍ୟାନ ॥
ଚନ୍ଦ୍ର ମଣ୍ଡଳେ ଧ୍ୟାନ ରଖ ।ବ୍ରହ୍ମାଣ୍ଡେ ନ ପାଇବ ଦୁଃଖ ॥
ଚନ୍ଦ୍ର ମଣ୍ଡଳେ ଲୀଳାସାର ।ଶୁଣ ଅର୍ଜ୍ଜୁନ ମହାବୀର ॥
ଅର୍ଜ୍ଜୁନ ଶୁଣି କୃତ କୃତ୍ୟ ।କୃଷ୍ଣ ଚରଣେ ଦେଇ ଚିତ୍ତ ॥
ଭଣିଲେ ବଳରାମ ଦାସ ।ବିରାଟ ଗୀତା ମହାରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି-ଅର୍ଜ୍ଜୁନ ସମ୍ବଦେ ଚନ୍ଦ୍ରମଣ୍ଡଳ ନିତ୍ୟକଥନେ ନାମ ଅଷ୍ଟମୋଽଧ୍ୟାୟଃ ।
ନବମ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।କଥାଏ ପଚ଼ାରିବି ମୁହିଁ ॥
ବିରାଟ ବୋଲି ସେ କେମନ୍ତ ।ଏ ଜ୍ଞାନ କହି ଗୋପୀନାଥ ॥
ବିରାଟ ଜ୍ଞାନ ସ୍ଥିତି କହ ।ମନରୁ ଫେଡ଼ ମୋ ସନ୍ଦେହ ॥
ମହାଶୂନ୍ୟରେ ତୋର ସ୍ଥାନ ।କି ରୂପେ କରୁଛୁ ବିଶ୍ରାମ ॥
ଯେତେକ ତହିଁ ବାଳଖେଳା ।କି ରୂପେ କରୁଛନ୍ତି ଲୀଳା ॥
କେତେକ କୋଠ ନିତ୍ୟ ହୋଇ ।କେମନ୍ତେ ରୂପ ସେ କରଇ ॥
ବ୍ରାହ୍ମଣ କନ୍ୟାହିଁ କେତେ ଛନ୍ତି ।ଗୋପକନ୍ୟା କେତେ ବସନ୍ତି ॥
ମୁନି କନ୍ୟାହିଁ କେତେ ଛନ୍ତି ।କେତେହେଁ ଶୁଦ୍ରକନ୍ୟା ଛନ୍ତି ॥
ଏମନ୍ତ କେତେ ସଖିଗଣ ।କାହାକୁ କରନ୍ତି ସେ ଧ୍ୟାନ ॥
କେମନ୍ତ ପ୍ରକାରେ ସେ ନିତ୍ୟ ।ଫେଡ଼ କହ ହେ ଜଗନ୍ନାଥ ॥
ତ୍ରିକୋଣ ଷଷ୍ଠ କୋଣ କେହୁ ।ଅଷ୍ଟକୋଣ କେ ମହାବାହୁ ॥
ମହାଶୂନ୍ୟରେ ସ୍ଥାନମାନ ।କେମନ୍ତ ପ୍ରକାର ଭିଆଣ ॥
ଶେଷ ଦେବଟି କାହିଁ ଛନ୍ତି ।ସପତଫଣୀ ବହିଛନ୍ତି ॥
ବିରାଟ ଯେ ଭାବ ବୋଲଇ ।ସେ ଭାବ କହ ମୋତେ ତୁହି ॥
ଓଁ କାର ମକାରହିଁ ଥିବ ।ଏ ମହାମନ୍ତ୍ର ଜନ୍ମ ହେବ ॥
ଏହି ପ୍ରକାରେ କହ ମୋତେ ।ସୁଦୟା ଯେବେ ଅଛି ଚ଼ିତ୍ତେ ॥
ଷଡ଼ ଚକ୍ରହିଁ ବସିଥିବ ।ଓଁ କାର ଶୂନ୍ୟରେ ମିଶିବ ॥
ବିରାଟ କେମନ୍ତେ ମୂରତି ।କି ରୂପେ ମହା ଶୂନ୍ୟେ ଥାନ୍ତି ॥
ମହା ଶୂନ୍ୟରେ ଭେଦ କେତେ ।ନିର୍ଣ୍ଣୟ କରି କହ ମୋତେ ॥
ଶ୍ରୀ ଭଗବାନୁବାଚକହନ୍ତି ପ୍ରଭୁ ମହାବାହୁ ।ଶୁଣ ଅର୍ଜ୍ଜୁନ ତୋତେ କହୁ ॥
ଶୁଣ ଅର୍ଜ୍ଜୁନ ସାଧୁ ଚେତା ।କହିବା ମହାଶୂନ୍ୟ କଥା ॥
ସ୍ଫଟିକ ବର୍ଣ୍ଣ ସେ ଦିଶଇ ।ମହାଶୂନ୍ୟରେ ରୂପ ଏହି ॥
ତାରାଗଣଙ୍କ ରୂପ ଯେହି ।ସଖୀଗଣଙ୍କ ତେଜ ସେହି ॥
ମହାଶୂନ୍ୟରେ ରୂପ ସ୍ଥାନ ।ଯେସନେ ବ୍ରଜରାଜ ପୁଣ ॥
ବିରାଟ ଯନ୍ତ୍ର ବସାଇବା ।ତୋ ମନୁ ସଂଶୟ ଫେଡ଼ିବା ॥
ବିରାଟ ପୁରୁଷଟି ଯେହି ।ନିର୍ଣ୍ଣୟ କରି କହିବଇଁ ॥
ଏବେ କହିବା ବୀର ଶୁଣ ।ତହିଁର ଯେ ବିଧି ବିଧାନ ॥
ଷଷ୍ଠୀ ସହସ୍ର ବ୍ରହ୍ମସୁତେ ।ନୃତ୍ୟକୁ ବାନ୍ଧିଛନ୍ତି ହସ୍ତେ ॥
ମଣ୍ଡଳ ଆକୃତି ଯେ ହୋଇ ।ନୃତ୍ୟକୁ ଶିରେ ଛନ୍ତି ବହି ॥
ଷୋଳସହସ୍ର କନ୍ୟାଗଣ ।ପ୍ରଭୁ ସେବାରେ ଅନୁକ୍ଷଣ ॥
ଚାରି ସହସ୍ର ବ୍ରହ୍ମକନ୍ୟା ।ଚାରିସହସ୍ର ଗୋପକନ୍ୟା ॥
ସମସ୍ତେ ଷୋଳସସ୍ର ହୋଇ ।ତାହାକୁ ଶିରେ ଛନ୍ତି ବହି ॥
କ୍ରୟ କୋଣର କ୍ରୟ ଦେବା ।ଏଠାରେ କ୍ରୟସଖୀ ସେବା ॥
ତହିଁର ପାଶେ ଅଷ୍ଟକୋଣ ।ଷଷ୍ଠ ସଖୀହିଁ ଛନ୍ତି ପୁଣ ॥
ଷଷ୍ଠ କୋଣରେ ପାଶେ ପୁଣ ।ଅଷ୍ଟ କୋଣହିଁ ଅଛି ଜାଣ ॥
ବ୍ରହ୍ମା ସୁତଙ୍କ ଚଉପାଶେ ।ବାଳକ ଗଣ ହୋଇ ତୋଷେ ॥
ନିତ୍ୟ ଉପରେ ମହାଶୂନ୍ୟ ।ଶୂନ୍ୟ ଉପରେ ବ୍ରହ୍ମ ଜାଣ ॥
ବ୍ରହ୍ମ ଉପରେ ଆଦିଶକ୍ତି ।ତା ତଳେ ଷୋଳଶୂନ୍ୟ ଅଛି ॥
ପାଦରେ ଶୂନ୍ୟ ଯେ ବସଇ ।ତା ବର୍ଣ୍ଣ ଶୁକ୍ଳ ଜ୍ୟୋତି ହୋଇ ॥
ଗୁହ୍ୟରେ ଶୂନ୍ୟେକ ବସଇ ।ତା ବର୍ଣ୍ଣ ପଣ୍ଡୁର ଦିଶଇ ॥
ଇନ୍ଦ୍ରରେ ଶୂନ୍ୟେକ ବସଇ ।ତା ବର୍ଣ୍ଣ ଅରୁଣ ଦିଶଇ ॥
କଣ୍ଠରେ ଶୂନ୍ୟ ଅଛି ଜାଣ ।ଜଳ ସଦୃଶ ତାର ବର୍ଣ୍ଣ ॥
ନାଭିରେ ଶୂନ୍ୟେକ ବସଇ ।ପୀତ ବର୍ଣ୍ଣଟି ସେ ଦିଶଇ ॥
ହୃଦରେ ଶୂନ୍ୟେକ ବସଇ ।ସେ ଶୂନ୍ୟ ଶ୍ୱେତବର୍ଣ୍ଣ ହୋଇ ॥
ମୁଖରେ ଶୂନ୍ୟେକ ବସଇ ।ସେ ଶୂନ୍ୟ ଶ୍ୱେତବର୍ଣ୍ଣ ହୋଇ ॥
ତହିଁ ଉପରେ ସୁଷୁମୁନା ।ସେଠାରେ ଶୂନ୍ୟେକ ରଚନା ॥
ତାହାର ବର୍ଣ୍ଣ ଶୁକ୍ଳଜ୍ୟୋତି ।ନାସାରେ ଦୁଇଶୂନ୍ୟ ଛନ୍ତି ॥
ଗଉର ରୂପ ସେ ଦିଶଇ ।ଭ୍ରୁଲତା ସ୍ଥାନରେ ବସଇ ॥
ବେନି ଚକ୍ଷୁରେ ବେନି ଶୂନ୍ୟ ।ତାଳୁକା ମଧ୍ୟ ଏକଶୂନ୍ୟ ॥
ଏମନ୍ତେ ଷାଳ ଶୂନ୍ୟ ଜାଣ ।କନାଶ୍ରୀ ପୁଷ୍ପ ପ୍ରାୟ ବର୍ଣ୍ଣ ॥
ବେନି କର୍ଣ୍ଣରେ ବେନି ଶୂନ୍ୟ ।ତାହାଙ୍କ ଜ୍ୟୋତି ଧୁମ୍ ବର୍ଣ୍ଣ ॥
ତ୍ରିକୂଟ ମଧ୍ୟେ ଏକଶୂନ୍ୟ ।ତାହାଙ୍କ ଜ୍ୟୋତି ଧୁମ୍ ବର୍ଣ୍ଣ ॥
ଏମନ୍ତ ଷୋଳ ଶୂନ୍ୟ ହୋଇ ।ଷୋଳ ଓଁ କାର ସେ ଅଟଇ ॥
ଏକ ଓଁ କାର ମହାଶୂନ୍ୟ ।ଷୋଳ ଓଁ କାର ଏ ପ୍ରମାଣ ॥
ଏଥି ଉପରେ ବ୍ରହ୍ମ ଥାଇ ।ତା ରୂପ ଜ୍ଞାନୀ ସେ ଜାଣଇ ॥
ଅଷ୍ଟକୋଣରେ ସପ୍ତଫଣୀ ।ତା ତଳେ ସେବା ଦେବ ଜାଣି ॥
ଶେଷଦେବଙ୍କ ଷଡ଼ଚକ୍ର ।ଏମନ୍ତେ ବିରାଟର ଯନ୍ତ୍ର ॥
ଏମନ୍ତ ଚଉଦ ବ୍ରହ୍ମାଣ୍ଡ ।ବିରାଟ ଦେହେଁ ହୋନ୍ତି ରୁଣ୍ଡ ॥
ତୁଣ୍ଡେ ଯେ ବିରାଟ ବୋଲିବ ।କାଳଫାଶ ହିଁ ଫିଟିଯିବ ॥
ମହାମନ୍ତ୍ରହିଁ ବସିଅଛି ।ବିରାଟ ଜଗତ କରୁଛି ॥
ପରେ ନ କହିବୁଝି ଫେଇ ।ମୋ ପାଦପଦ୍ମ ଥାଅ ଛୁଇଁ ॥
ବିରାଟ ଚରିତ ବୋଲାଇ ।ଅନନ୍ତ ମହିମା ଅଟଇ ॥
ଅର୍ଜ୍ଜୁନ ଶୁଣି ହେଲା ତୋଷ ।ମହାଶୂନ୍ୟକୁ କଲା ଆଶ ॥
ଭଣଇ ବଳରାମ ଦାସ ।ବିରାଟ ଗୀତା ମହାରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପାରମହଂସ୍ୟା ସଂହିତାୟାଂହରିଅର୍ଜୁନସମ୍ବାଦେ ବ୍ରହ୍ମବିଦ୍ୟା ଚରିତକଥନେ ନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
ଅର୍ଜୁନ ଉବାଚଅର୍ଜ୍ଜୁନ ବୋଲଇ ଗୋସାଇଁ ।କଥାଏ ପଚାରଇ ମୁହିଁ ॥
ମହାଶୂନ୍ୟରେ ସେ ରହିଲା ।ଶରୀର କେମନ୍ତେ ଗଢ଼ିଲା ॥
କେମନ୍ତେ ହୋଇଲା ଶରୀର ।ଫେଡ଼ି କହିବ ମୋ ଆଗର ॥
ଶୂନ୍ୟରୁ ଖସିଲା ଯେ ବ୍ରହ୍ମ ।କାହିଁରେ କଲା ସେ ବିଶ୍ରାମ ॥
କି ଖାଇ କାହିଁ କଲା ବାସ ।କେମନ୍ତେ ଗଢ଼ିଲା ପୁରୁଷ ॥
ସେ ବୀଜ କେତେ ବର୍ଣ୍ଣ ହେଲା ।କେତେକ ରୂପ ସେ ଧଇଲା ॥
କେତେ ଦିନରେ କଲା କାୟା ।ସଂକ୍ଷେପି କରି କହ ତାହା ॥
ଶିରଟି କେତେ ଦିନେ ହେଲା ।କେତେକ ଦିନେ କର୍ଣ୍ଣ କଲା ॥
ଚକ୍ଷୁ ହୋଇଲା କେତେ ଦିନେ ।ନାସାଟି କଲା କେତେ ଦିନେ ॥
କେତେ ଦିନରେ ମୁଖ ହେଲା ।କେତେ ଦିନେ କଣ୍ଠ ଖଞ୍ଜିଲା ॥
ହୃଦୟ କେତେ ଦିନେ ହୋଇ ।ନାଭି କେତେ ଦିନେ ସର୍ଜ୍ଜଇ ॥
କେତେ ଦିନରେ ଇନ୍ଦ୍ର କଲା ।ଗୁହ୍ୟ ଏ କେତେ ଦିନେ ହେଲା ॥
କେତେ ଦିନରେ ହେଲା ପାଦ ।ଫେଡ଼ି କହିବା ହେ ଗୋବିନ୍ଦ ॥
ଶୁଣ ଅର୍ଜ୍ଜୁନ ବୀରମଣି ।କହିବା ପିଣ୍ଡ ନିର୍ଣ୍ଣୟ ବାଣୀ ॥
ମହା ଶୂନ୍ୟରୁ ଶୂନ୍ୟ କଲା ।ସେ ଶୂନ୍ୟୁ ପ୍ରଣବ ଜନ୍ମିଲା ॥
ଏମନ୍ତେ ହୋଇଲା ବେଦାନ୍ତ ।ପୁଣି ସର୍ଜିଲା ଏ ଜଗତ ॥
ଶୁଣ ଅର୍ଜୁନ ଦେଇ ମନ ।କହିବା ସୃଷ୍ଟିର ରଚନ ॥
ମହା ଶୂନ୍ୟରୁ ବୀର୍ଯ୍ୟ ଖସି ।ମାତା ପଦ୍ମରେ ଯାଇ ପଶି ॥
ସେଠାରୁ ପଞ୍ଚଭୁତ ହେଲା ।ମାତାର ପଦ୍ମେ ବିଶ୍ରମିଲା ॥
ପ୍ରଥମେ ଜଳ ପ୍ରାୟେ ଦିଶି ।ସ୍ଫୋଟକ ଗୋଟିଏ ପ୍ରକାଶି ॥
ସ୍ଫୋଟକ ଭିତରେ ପବନ ।ଏମନ୍ତେ ଗଢ଼ିଲା ଭୁବନ ॥
ପ୍ରଥମେ ଶଙ୍ଖବର୍ଣ୍ଣ ହୋଇ ।ମତ୍ସ୍ୟରୂପ ସେ ପ୍ରକାଶଇ ॥
ତହୁଁ ଦିଶଇ ନୀଳବର୍ଣ୍ଣ ।କଚ୍ଛପ ରୂପରେ ନିର୍ମାଣ ॥
କୃଷ୍ଣବର୍ଣ୍ଣ ଯେ ତାର ଜ୍ୟୋତି ।ସେଠାରୁ ବରାହ ମୂରତି ॥
ତହୁଁ ଦିଶିଲା କଳାବର୍ଣ୍ଣ ।ନୃସିଂହ ମୂର୍ତ୍ତି ଉତ୍ତପନ୍ନ ॥
ସେଠାରେ ପୀତବର୍ଣ୍ଣ ହେଲା ।ବାମନ ମୂରତି ଧଇଲା ॥
ତହୁଁ ଦିଶଇ ଶ୍ୱେତବର୍ଣ୍ଣ ।ସେଠାରେ ରୂପ ପର୍ଶୁରାମକନାଶ୍ରୀ ପୁଷ୍ପ ପ୍ରାୟ ଜ୍ୟୋତି ।ସେଠାରେ ରାମଚନ୍ଦ୍ର ମୂର୍ତ୍ତିସେ ବୀଜ ପୁଣି ଶୁକ୍ଳବର୍ଣ୍ଣ ।ସେଠାରେ ବଳଭଦ୍ର ନାମ ॥
ସେଠାରେ ସ୍ଫଟିକର ବର୍ଣ୍ଣ ।ବଉଦ୍ଧ ରୂପଟି ପ୍ରମାଣ ॥
ଲୋହିତ ବର୍ଣ୍ଣ ବୀଜ ହୋଇ ।କଳକି ରୂପ ସେ ବୋଲାଇ ॥
ସେ ବୀଜ ଦଶ ଅବତାର ।ପୁଣି କହିବା ତା ବିଚାର ॥
ପ୍ରଥମେ ତାଳୁ ନିର୍ଭା କଲା ।ନବମ ଦିନେ ସେ ହୋଇଲା ॥
ମହାଶୂନ୍ୟଟି ତାକୁ କହି ।ସେଠାରେ ଜ୍ୟୋତି ଅଛି ରହି ॥
ଅଠର ଦିନରେ ଲଲାଟ ।ସତାଇଶ ଦିନେ କବାଟ ॥
ପଞ୍ଚ ଚାଳିଶେ ନାସା ହେଲା ।ଚକ୍ଷୁ ଛତିଶ ଦିନେ କଲା ॥
ଚୌବନ ଦିନେ ମୁଖ ହୋଇ ।ତୋଷଠି ଦିନେ କର୍ଣ୍ଣ ହୋଇ ॥
ବାସ୍ତୁରୀ ଦିନେ ହୃଦ ହୋଇ ।ଏକାଶୀ ଦିନେ ନାଭି ହୋଇ ॥
ନବେ ଦିନରେ ଇନ୍ଦ୍ର କଲା ।ଶଏ ଦିନରେ ଗୁହ୍ୟ ହେଲା ॥
ବିଶାଶତରେ ହସ୍ତ ହୋଇ ।ଦୁଇଶତେ ମେରୁ ସର୍ଜ୍ଜଇ ॥
ଅର୍ଜ୍ଜୁନ ଉବାଚପୁଣି ଅର୍ଜ୍ଜୁନ ପଚାରଇ ।ଅକ୍ଷର ଭେଦ କହ ଫେଇ ॥
ଲଲାଟକ୍ଷର କେତେ ଦିନ ।କହି ହେ କମଳ ଲୋଚନ ॥
କଣ୍ଠରେ କେତେ ଯେ ଅକ୍ଷର ।କହିବା ହେଉ ଚକ୍ରଧର ॥
ହୃଦରେ କେତେକ୍ଷର ରହି ।କହ ହେ ପ୍ରଭୁ ଭାବଗ୍ରାହୀ ॥
ନାଭି ଅକ୍ଷର କେତେ ରହି ।କେତେ ଦିନରେ ସେ ବସଇ ॥
ଇନ୍ଦ୍ରରେ କେତେକ୍ଷର ପୁଣ ।କହିହେ ପ୍ରଭୁ ଭଗବାନ ॥
ଗୁହ୍ୟରେ କେତେ କ୍ଷର ବସେ ।କହ କେଶବ ମନ ଯୋଷେ ॥
ସଂଶୟ ଫେଡ଼ି ମୋତେ କହ ।ଯେବେ ଘେନିଲ ମୋ ବିନୟ ॥
ଶ୍ରୀ ଭଗବାନୁବାଚକହନ୍ତି କମଳା ରମଣ ।ଶୁଣ ଅର୍ଜ୍ଜୁନ ତତ୍ୱଜ୍ଞାନ ॥
ଲଲାଟେ ବେନିକ୍ଷର ରହି ।ଅଷ୍ଟ ଦିଗରେ ସେ ବସଇ ॥
ଷୋଳ ଅକ୍ଷର କଣ୍ଠେ ପୁଣ ।ବାସ୍ତରୀ ଦିନେ ହୋ ଅର୍ଜ୍ଜୁନ ॥
ହୃଦରେ ବାରକ୍ଷର ରହି ।ବିଶାଶଏରେ ନିର୍ଭା ହୋଇ ॥
ନାଭିରେ ଦଶକ୍ଷର ଜାଣ ।ଶଏ ଷାଠିରେ ସେ ନିର୍ମାଣ ॥
ମାତାର ପଦ୍ମେ କରି ବାସ ।ଏମନ୍ତେ ବିରାଟ ପୁରୁଷ ॥
ମାତା ଶୂନ୍ୟଟି ଯାହା କହି ।ବିରାଟ ପୁରୁଷଟି ସେହି ॥
ମୁରାଟ ଶରୀରେ ବସଇ ।ମାରାଟ ମାତା ପଦ୍ମ କହି ॥
ମାତାର ପଦ୍ମେ ଯେତେ ଦିନ ।ଆଧାର କରେ ରାମ ନାମ ॥
ଶୂନ୍ୟରେ କରିଣ ଆଶ୍ରମ ।ମାତା ଶୂନକୁ କରି ସ୍ଥାନ ॥
ଶୂନ୍ୟ ଶବଦେ ମନ ଦେଇ ।ମାତାର ଗର୍ଭେ ବିହରଇ ॥
ଏ ରୂପେ ପଦ୍ମ ମଧ୍ୟେ ଥାଇ ।ଆପକୁ ଆପେ ଚିହ୍ନୁ ଥାଇ ॥
ଯେ ଦିନେ ହୁଅଇ ବାହାର ।ସଂସାରେ ପଡ଼ି ଭ୍ରମତାର ॥
ପାସୋରେ ମାତା ଗର୍ଭଜ୍ଞାନ ।ଅକର୍ମେ କରଇ ଗମନ ॥
ଏଣୁଟି ଅଳ୍ପେ ନାଶ ଯାଇ ।ଶୁଣ ଅର୍ଜ୍ଜୁନ ଦେଲି କହି ॥
ଅତି କଠୋର ଏହୁ ଜ୍ଞାନ ।ବିଖ୍ୟାତ ନ କରିବୁ ପୁଣ ॥
ଶୁଣି ଅର୍ଜ୍ଜୁନ ହେଲେ ତୋଷ ।କୃଷ୍ଣ ଚରଣେ କରି ଆଶ ॥
ଭଣିଲେ ବଳରାମ ଦାସ ।ବିରାଟ ଗୀତା ମହାରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂଶ୍ରୀ ହରି-ଅର୍ଜ୍ଜୁନ ସମ୍ବାଦେ ମାତୃଗର୍ଭ ବ୍ରହ୍ମଜ୍ଞାନ କଥନେ ନାମ ଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟ
ଅର୍ଜ୍ଜୁନ ଉବାଚଅର୍ଜ୍ଜୁନ ମନରେ ବିଚାରି ।ଗୋବିନ୍ଦ ପାଦ କରେ ଧରି ॥
ବୋଲଇ ଯୋଡ଼ି ବେନି କର ।ମୋତେ ଉଦ୍ଧର ଦାମୋଦର ॥
ବିରାଟ ସୁରାଟ ମୁରାଟ ।ଶୁଣିଲେ ଫିଟିବ ସଂକଟ ॥
ବୃକ୍ଷ ଉତ୍ପତ୍ତି ଯେ କହିଲ ।ପ୍ରଳୟ କିପାଁ ଗୋପ୍ୟ କଲ ॥
ପ୍ରଳୟ ହୋଇଲା କେମନ୍ତେ ।ଏ କଥା କହି ଗୋପୀନାଥ ॥
ଚୌବନୀ ମଧ୍ୟେ ଚାରିବେଦ ।ସ୍ତିରୀ ପୁରୁଷ ତତ୍ତ୍ୱ ବୋଧ ॥
ଏମନ୍ତ ଅକ୍ଷୟ ପ୍ରବେଶ ।କେ ଅବ ସ୍ତିରୀ କେ ପୁରୁଷ ॥
ଏ ତତ୍ତ୍ୱଭେଦ ଫେଡ଼ି କହ ।ତେବେ ସେ ଫିଟିବ ସଂଶୟ ॥
ଶ୍ରୀ ଭଗବାନୁବାଚକହନ୍ତି ଶରଣ ସୋଦର ।ଶୁଣ ଅର୍ଜ୍ଜୁନ ତତ୍ତ୍ୱସାର ॥
ଆହେ ଅର୍ଜ୍ଜୁନ ମନ ଦେଇ ।ଅକ୍ଷର ଭେଦ ଦେବା କହି ॥
ମହାଶୂନ୍ୟରୁ ଶୂନ୍ୟ ହେଲା ।ସେ ଶୂନ୍ୟୁ ପ୍ରଣବ ଜନ୍ମିଲା ॥
ପ୍ରଣବୁ ଅକ୍ଷର ସମ୍ଭୁତ ।ଜୀବ ପରମ ଦୁଇ ମତ ॥
ଆଆଟି ଜୀବ ହୋଏ ହତ ।ପଛେ ସେ ପରମ ସମ୍ଭୁତ ॥
ସିଇଟି ପରମ ଅଟଇ ।ଧିଇଟି ସ୍ତିରୀ ବୋଲି କହି ॥
ଋଊଟି ଅଟଇ ଯେ ସ୍ତିରୀ ।ଌ ଌ ଟି ପୁରୁଷରେ ସରି ॥
ଏ ଟି ଅଟଇ ଜାଣ ସ୍ତିରୀ ।ଐ ଟି ପୁରୁଷରେ ସରି ॥
ଅଂଟି ଅଟଇ ଜାଣ ସ୍ତିରୀ ।ଅଃ ଟି ଯେ ପୁରୁଷରେ ସରି ॥
କଅ ଟି ବୋଲାଏ ପୁରୁଷ ।ଖ ଅ ଯେ ସ୍ତିରୀହିଁ ପ୍ରକାଶ ॥
ଗଅକୁ ପୁରୁଷ ଯେ କହି ।ଘଅଟି ସ୍ତିରୀ ଯେ ବୋଲାଇ ॥
ଙଅଟି ଓଁ କାର ପ୍ରମାଣ ।ସ୍ତିରୀ ପୁରୁଷ ଦୁଇଜଣ ॥
ଚଅକୁ ସ୍ତିରୀ ବୋଲି କହି ।ଛଅ ଯେ ପୁରୁଷ ଅଟଇ ॥
ଜଅକୁ ସ୍ତିରୀ ବୋଲି ଜାଣ ।ଝଅଟି ପୁରୁଷ ପ୍ରମାଣ ॥
ଞଟି ଅଟଇ ପୁରୁଷ ।ଟଅ ଯେ ସ୍ତିରୀଙ୍କ ସଦୃଶ ॥
ଠଅକୁ ସ୍ତିରୀ ବୋଲି କହି ।ଡଅ ଯେ ପୁରୁଷ ବୋଲାଇ ॥
ଢଅ ଯେ ସ୍ତିରୀ ବୋଲି ଜାଣ ।ଣଅଟି ପୁରୁଷ ପ୍ରମାଣ ॥
ତଅରୁ କ୍ଷଅ ପରିଯନ୍ତେ ।ସ୍ତିରୀ ପୁରୁଷ ଏ ଜଗତେ ॥
ପୁଣି ଅର୍ଜୁନ ପଚାରଇ ।ମୁଁ ତୁମ୍ଭ ସେବକ ଅଟଇ ॥
ସାତ ସମୁଦ୍ର ସାତଦ୍ୱୀପ ।ଏହାର କହ ଠାରି ମାପ ॥
ଦ୍ୱୀପକୁ ସମୁଦ୍ର ବେଢ଼ିଛି ।କେତେ କେତେ ସେ ଛଡ଼ା ଅଛି ॥
ଶ୍ରୀମୁଖେ ମୋତେ ଆଜ୍ଞାକର ।ସଂଶୟ ଫିଟିବ ମୋହର ॥
ଶ୍ରୀ ଭବବାନୁବାଚକହନ୍ତି ପ୍ରଭୁ ଭାବଗ୍ରାହୀ ।ଶୁଣ ଅର୍ଜୁନ ମନ ଦେଇ ॥
ନାଭିକିଜମ୍ବୁଦ୍ୱୀପ କହି ।ଲକ୍ଷେ ଯୋଜନ ସେ ଅଟଇ ॥
ଲବଣ ସମୁଦ୍ର ବଢ଼ିଛି ।ଦ୍ୱାଦଶ ସସ୍ତ ଲମ୍ବ ଅଛି ॥
ହୃଦୟ ପଳାଶ ଯେ ଦ୍ୱୀପ ।ଚାଳିଶ ସସ୍ତ ତାର ଧାପ ॥
ବେଢ଼ିଛି ଇକ୍ଷୁ ଯେ ସମୁଦ୍ର ।ଅତି ଗର୍ଜନ ଘୋରନାଦ ॥
ଅଠର ସହସ୍ର ଯୋଜନ ।ମୁଖେ କେ କହିବା ଭାଜନ ॥
ରମ୍ୟକଦ୍ୱୀପ କଣ୍ଠ କହି ।ପନ୍ଦରସସ୍ର ଯୋଜନହିଁ ॥
ସୁଗ୍ ସମୁଦ୍ର ବେଢ଼ିଅଛି ।ଗର୍ଜନେ ପୃଥିବୀ କମ୍ପୁଛି ॥
ଏଗାର ସହସ୍ର ଯୋଜନ ।ସେଠାକୁ ଲଗାଅ ଧିଆନ ॥
କଞ୍ଚନଦ୍ୱୀପ ମୁଖ କହି ।ପଚାଶସସ୍ର ଯୋଜନହିଁ ॥
ଦଧି ସମୁଦ୍ର ବେଢ଼ିଅଛି ।ଲହରୀ ଘାତେ କମ୍ପାଉଛି ॥
ଚକ୍ଷୁକୁ କୁଶ ଦ୍ୱୀପ କହି ।ଯୋଜନ ତେରସହସ୍ରହିଁ ॥
ତାଳୁ କ୍ଷୀର ସମୁଦ୍ର କହି ।ମଣ୍ଡଳ ଆକାରେ ରହଇ ॥
କୋଟିଏ ସହସ୍ର ଯୋଜନ ।ସେଠାରେ ଅନନ୍ତ ଶୟନ ॥
ନିଗ୍ କାରଙ୍କ ସେ ଭୁବନ ।ଅତି ଉଜ୍ଜ୍ୱଳ ସେହି ସ୍ଥାନ ॥
ଚକ୍ଷୁ ଲହରୀରେ ସେ ଦେଖା ।ସହା ଯୋଗିରେ ସେହୁ ଲେଖା ॥
ଏ ଦୁଇ ଲହରୀ ରଖନ୍ତା ।ସଂସାରେ ନାହିଁ ତାର ଚିନ୍ତା ॥
ଶୁଣି ଅର୍ଜୁନ ହେଲା ତୋଷ ।ଭଣିଲେ ବଳରାମ ଦାସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୟାସିକ୍ୟାଂ ପରମହଂସ ସଂହିତାୟଂ ।ହରି ଅର୍ଜୁନ ସମ୍ବାଦେ ବ୍ରହ୍ମଜ୍ଞାନ କଥନେ ନାମ ଏକାଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
ଅର୍ଜୁନ ଉବାଚଅର୍ଜୁନ ବେନି କର ଯୋଡ଼ି ।କୃଷ୍ଣ ଚରଣ ତଳେ ପଡ଼ି ॥
ବୋଲଇ ଶୋକ ଗଦଗଦେ ।ପ୍ରଣାମ କରି କୃଷ୍ଣ ପାଦେ ॥
ଭୋ ନାଥ ଆରତ ଭଞ୍ଜନ ।ଭକ୍ତ ଜନଙ୍କ ପ୍ରାଣଧନ ॥
କଥାଏ ପଚାରିବି ମୁହିଁ ।ନିର୍ମାୟା କରି କହ ଫେଇ ॥
ସୃଷ୍ଟି ଉତ୍ପନ ଯେ କହିଲ ।ପ୍ରଳୟ କିପାଁ ଗୋପ୍ୟ କଲ ॥
ସୃଷ୍ଟି ପ୍ରଳୟ ମୋତେ କହ ।ମନରୁ ପେଡ଼ି ମୋ ସନ୍ଦେହ ॥
ମୋହର ସଂଶୟ ରଖିବ ।ଏମନ୍ତେ ବୋଲି କଲା ଭାବ ॥
ପ୍ରତି ଦିନରେ କର୍ମ କରେ ।ଅଜ୍ଞାନ ଭାବରେ ବିହରେ ॥
ଏତେକ ସୁଖ ଦେହୁପାଇ ।ଅଳପେ କିପାଁ ନାଶ ଯାଇ ॥
କେତେକ ତପେ ହେଲା ଜାତ ।କିପାଁ ଅଳପେ ହେଲା ହତ ॥
କିବା ଅଳପାୟଶ ତାର ।ଫେଡ଼ି କହିବା ମୋ ଆଗର ॥
ଶ୍ରୀ ଭଗବାନୁବାଚଶୁଣ ଅର୍ଜୁନ ମନ ଦେଇ ।ଅତି କଠୋର ଜ୍ଞାନ ଏହି ॥
ବିଖ୍ୟାତ ନ କରିବୁ କାହିଁ ।ମୋ ପାଦପଦ୍ମ ଥାଅ ଛୁଇଁ ॥
ମାତା ପଦ୍ମରେ ଯେବେ ଥିଲା ।ଶୂନ୍ୟ ବ୍ରହ୍ମରେ ଚିତ୍ତ ଦେଲା ॥
ରାମ ଶବଦ କରି ଆଶ ।ମାତା ପଦ୍ମରେ କରି ବାସ ॥
ପୃଥ୍ୱୀରେ ପଡ଼ି ପାସୋରିଲା ।ମାୟା ଆବୋରି କର୍ମ କଲା ॥
ସୁକର୍ମ ମାର୍ଗ ଦେଲା ଛାଡ଼ି ।ସ୍ତିରୀ ସଙ୍ଗମେ ନିତ୍ୟେ ବଢ଼ି ॥
ବୋଲଇ ଅତି ସୁଖୀ ହୋଇ ।ପୁତ୍ର ଦୁହିତା ଜାତ ପାଇ ॥
ମୋହର ବଂଶ ଏ ରଖିବ ।ଏମନ୍ତ ବୋଲି କରେ ଭାବ ॥
ପ୍ରତି ଦିନରେ କର୍ମ କରେ ।ଅଜ୍ଞାନ ମତିରେ ବିହରେ ॥
ଅକର୍ମେ ହୋଇଥାଏ ରତ ।ଏମନ୍ତେ ପ୍ରାଣୀ ଯାଇ ହତ ॥
ସର୍ବଦା ଅକର୍ମେ ଗମନ ।ଏହା ନ ଜାଣେ ମୂଢ଼ ଜନ ॥
ଅକ୍ଷୟ ଏ ଜୀବ ଅଟଇ ।କର୍ମ କରଣେ କ୍ଷୟ ଯାଇଁ ॥
ଏମନ୍ତେ କାଳ ଆସି ଗ୍ରାସେ ।ଆଶାକୁ ଅନୁକ୍ଷଣେ ତ୍ରାସେ ॥
ମନୁଷ୍ୟ ମୁଣ୍ଡେ କାଳଥାଇ ।ଗଅ ଅକ୍ଷରେ ସେ ମିଶଇ ॥
କ୍ଷଅଟି ବଅରେ ମିଶଇ ।ଶ୍ରଅଟି ସିଇରେ ମିଶଇ ॥
ବ ଶ୍ରୀଅ ସେଠାରୁ ଚଳନ୍ତି ।ଇନ୍ଦ୍ର ଙକାରେ ସେ ମିଶନ୍ତି ॥
ବଅଟି ରଅରେ ମିଶଇ ।ଶ୍ରୀଅଟି ଳଅରେ ମିଶଇ ॥
ଯଅଟି ଜୀବର ଆଦେଶ ।ଲଅଟି ମଅରେ ପ୍ରବେଶ ॥
ଜଅଟି ରଅରେ ମିଶଇ ।ମଅ ଯେ ଦିଅରେ ପଶଇ ॥
ବ ଭ ଯେ ତହିଁରୁ ଚଳନ୍ତି ।ନାଭି ଚକ୍ରରେ ସେ ମିଶନ୍ତି ॥
ଭଅଟି ପଅରେ ପଶଇ ।ବଅଟି ଫଅରେ ମିଶଇ ॥
ଏମନ୍ତେ ଅକ୍ଷର ମିଶଇ ।ତୋ ଆଗେ କହଲଇଁ ଫେଇ ॥
ଜଳ ପ୍ରଳୟ ଯେବେ ହୋଇ ।ପାଦରୁ ଗୁହ୍ୟକୁ ଆସଇ ॥
ଗୁହ୍ୟେ ଗଣେଶ ସରସ୍ୱତି ।ମୂଷିକ ବାହାନେ ଚଳନ୍ତି ॥
ମିଳନ୍ତି ଇନ୍ଦ୍ର ଚକ୍ରେ ଯାଇଁ ।କାମେଶ୍ୱର ଯେ ତହିଁ ଥାଇ ॥
ପ୍ରଳୟ ନ ପାରନ୍ତି ସହି ।ଡହକ ଆସନେ ଚଳଇ ॥
ସମସ୍ତେ ବ୍ରହ୍ମପୁର ଯାନ୍ତି ।ସେଠାରେ ନିଶ୍ଚିନ୍ତେ ରହନ୍ତି ॥
ବ୍ରହ୍ମ ପ୍ରଳୟ ଯେତେବେଳେ ।ମିଳନ୍ତି ହୃଦୟ କମଳେ ॥
ହଂସ ଆରୋହି ପ୍ରଜାପତି ।ସମସ୍ତେ ଚଳନ୍ତି ଉପେକ୍ଷି ॥
ବିଷ୍ଣୁ ଯେ ଗରୁଡ଼ ଆରେହ ।ସମସ୍ତେ ଏକ ମୁଖ ହୋଇ ॥
ମିଳନ୍ତି କଣ୍ଠ ଚକ୍ରେ ଯାଇଁ ।ସେଠାରେ କାଳ ନ ପଶଇ ॥
ସେଠାରେ ଈଶ୍ୱରଙ୍କ ପୁର ।କାଳର ନାହିଁ ଅଧିକାର ॥
ସମସ୍ତେ ଏକମୁଖ ହୋଇ ।ଜୀବ ପରମ ବାସ ଯହିଁ ॥
ବ୍ରହ୍ମ ଯେତେକ ଏଥି ଥିଲେ ।ଜୀବ ପରମ ଲୀନ ହେଲେ ॥
ଜଅଟି ଶ୍ରୀ ଅକ୍ଷରେ ହୋଇ ।ହଅ ଯେ ଅକ୍ଷରେ ମିଶଇ ॥
ବ୍ରହ୍ମାଣ୍ଡେ ଯେତେକ ଭିଆଣ ।ଧର୍ମ ମାତ୍ରାରେ ସର୍ବ ଲୀନ ॥
ସେ ପୁଣି ବ୍ରହ୍ମରୂପ ହୋଇ ।ସେ ମାତା ପଦ୍ମରେ ପଶଇ ॥
ଏମନ୍ତେ ପୃଥ୍ୱୀ ଆତ ଯାତ ।କର୍ମରେ ହୋଇ ଥାନ୍ତି ଗ୍ରସ୍ତ ॥
ଅତି ଗୁପତି ଜ୍ଞାନ ଏହି ।ତୋତେ କହିଲି ବୀର ଫେଇ ॥
ଏ ବାକ୍ୟଧ୍ରୁବ ବୋଲି ଜାଣ ।କାହାକୁ ନ କହିବୁ ପୁଣ ॥
ମକାର ଚୌବନ ହୋଇ ।ଚୌବନ କାମରେ ମିଶଇ ॥
ଏକେତ ପିଣ୍ଡ ଆତ ଯାତ ।ତୋ ଆଗେ କହିଦେଲି ପାର୍ଥ ॥
ବ୍ରହ୍ମାଣ୍ଡେ ବୁଲି ତୁ ନ ମର ।ବେଳହୁଁ ମୋତେ ଆଶ୍ରେକର ॥
ଜ୍ଞାନରେ ମନ ଯେବେ ଥାଇ ।କାଳ ଛାରକୁ ଭୟନାହିଁ ॥
ଅର୍ଜୁନ ଶୁଣି ହେଲା ତୋଷ ।କୃଷ୍ଣ ଚରଣେ କରି ଆଶ ॥
ଭଣିଲେ ବଳରାମ ଦାସ ।ସୁଜନେ ଏହି ରସେ ରସ ॥
ଇତି ଶ୍ରୀ ବିରାଟଗୀତାୟାଂ ବୟାସିକ୍ୟାଂ ପରମହଂସ ସଂହିତାୟାଂଶ୍ରୀହରି ଅର୍ଜୁନ ସଂମ୍ବାଦେ ବ୍ରହ୍ମବିଦ୍ୟା ପ୍ରଳୟ କଥନେ ନାମ ଦ୍ୱାଦଶୋଽଧ୍ୟାୟଃ ।