ଭକ୍ତବୀର ସୁଧନ୍ୱା
ବୈଷ୍ଣବ ପାଣି · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ –
ବିଦୂଷକର ଗୃହବିଦୂଷକର ସ୍ତ୍ରୀ ମହାମାୟା ପ୍ରବେଶ
ମହାମାୟା- ହା ତୋ ମରଦପଣିଆ ମୁଣ୍ଡରେ ନିଆଁ । ଦି’ଦିନି ହେଲା କୋଉ ଚୂଲି ନିଆଁ ଗାତକୁ ଯାଇଛି କେଜାଣି, ଦି ଟା ମଣିଷ ଆମେ ଘରେ ପଡ଼ିଚୁଁ, ଜିଇଚୁଁ କି ମରିଚୁଁ କିଛି ଖବର ନ ବୁଝି ଆପଣା ଗଉଣୀଟି ପୂରେଇ ସିଆଡ଼େ । ମରନ୍ତା ପଛକେ ଜାଣନ୍ତେ କେହି ନାହିଁ, ଛୁଆଟାକୁ ଘିନି ଚଳନ୍ତି, ଯାହା କରମରେ ଥାଆନ୍ତା ତା ହୁଅନ୍ତା । ମୋ ବଟୁ ତ ଜମା ସାତ ବରଷର ଛୁଆ, ପାଠଶାଳାକୁ ଧାଇଁ ଧାଇଁ ଖଡ଼ି, ଖାଡ଼ିପରି ରହି ଗଲାଣି । ଆସୁ ଚୁଲିଆ ଆଜି କଣ ଗିଳିବ ଦେଖିବି । ଆଜି ଯେବେ ତାହାରି ହାତରେ ରନ୍ଧେଇ ତାହାରି ହାତରେ ପାଣି ନ କଢ଼ାଏଁ, ମୁଁ ତାଆରିଠଉଁ ଜନମ । ଯାଉଚି ଥିର ହୋଇ ଶୋଇବି ।
(ଶୟନ)
ବିଦୂଷକ- (ପ୍ରବେଶି) ଏ କଣ ଦରଜା ଯେ ବନ୍ଦ, କଣ କେହି ନାହାନ୍ତି କି ? ଭିତର ଆଡ଼ୁ କବାଟ ଦିଆହୋଇଚି, ଘରେ ଶୋଇଚି ପରା ? ବଟୁ ବଟୁ, ବଟୁ ମା, ବଟୁମା, ଅଗଣି, ଅଗଣି, କ’ଣ । ଶୁଭୁନାହିଁ ନା ?
ମହାମାୟା- ଆସିଲାଣି ତ କଣ ଖାଇବ ଖାଉ, ଚୂଲି ମୁହଁକୁ ମୋ ମୁହଁ ନ ହେଲେ ଗଲା, ମରୁ ଉପାସରେ ।ବିଦୂଷକ- ମଲା, ଶୁଭୁନାହିଁ କି ? ବଟୁ ବଟୁ, ଅଗଣି !ମହାମାୟା- ଯାଏଁ କବାଟ ଫିଟାଇ ଦେଇ ଆସେ । (କବାଟ ଫିଟାଇ ଶୋଇବା)
ବିଦୂଷକ- ମଲା, କବାଟ ଫିଟାଇ ଦେଇ କେଉଁଠି ନଟେଇ ଗଲା କି ? ମଲା, ମଲା, ଏଇଠି ତ ଶୋଇଚି । କିଲୋ ଏ କଣ ଶୋଇଲା ବେଳ ? ଦିନ ପହରେ ହୋଇ ନାହିଁ, ଫେର୍ ତୁ ଶୋଇଲୁଣି, ଉଠୁ,ଉଠୁ । (ହାତ ଧରି ଉଠାନ୍ତେ)
ମହାମାୟା- (ହାତ ଫୋପାଡ଼ି ଦେଇ) ହେ ଜାଣୁଚୁ ନା ମୋ କଥା, ମୋ ହାତ ଧରୁଚୁ ?
ବିଦୂଷକ- ଆଲୋ,ତୋ ହାତ କ’ଣ ମୁଁ ଆଜି ଧଇଲି ? ରାମ ରାମ ବଡ଼ ଭୁଲ, ବଡ଼ ଭୁଲ, ତୋ ହାତ ଧରିବାର ମୋର ଅଧିକାର ଯେ ନାହିଁ, କାହିଁକି ନା ତଳ ଭାଗଟା ଧରି ଧରି ଯେ ଅଭ୍ୟାସ ପାଲଟି ଗଲାଣି । ଉଠ, ଉଠ, କଣ ଦିହ ଫିଅ ହୋଇଛି, ନା କଣ ? ଯେବେ ଦିହ କିଛି ହୋଇଛି କହ – ଏକ୍ଷଣି ପାଇଁ କବିରାଜ ଘ’ଟୁ ଜୀର୍ଣ୍ଣକାଦି ମୋଦକ ଆଣିବି, ନଇଲେ ନଗଦା କରକୁ ସୁଦର୍ଶନ ଚୂର୍ଣ୍ଣ ଆଣିବି, ଛାଗଳାଦି ଘୃତ, ଅଶ୍ୱଗନ୍ଧା ରସାୟନ, କୁମାରକଲ୍ୟାଣୀ ଘୃତ, ନାରାୟଣ କିବା ମଧ୍ୟନାରାୟଣ ତୈଳ ଆଣିବି, କି କର୍ପୂରାରିଷ୍ଟ ଆଣିବି କହ ?
ମହାମାୟା- ଚୁପ୍ ରହ ଖଣ୍ଡିଆ ।ଗୀତ–ମହାମାୟା ଓ ବିଦୂଷକର ଉକ୍ତି ପ୍ରତ୍ୟୁକ୍ତି-ଧାଇଁଆ ଧାଇଁଆ-ବୃତ୍ତେମହାମାୟା-ତୁ କିଛି କହନା କହନା କହନା ।ବିଦୂଷକ-ଆହା ଲୋ ମୋ ପଢ଼ା ମଇନା ।ମହାମାୟା-ତୋ ମୁଣ୍ଡକୁ ଆଜି ମୋଡ଼ିବି ।ବିଦୂଷକ-ତୁ ଯେତେ ମାଇଲେ କି ଛାଡ଼ିବି ।ମହାମାୟା-ତୁ ରଖିଦେ ଥଟା ଗୋଲାମ ବେଟା / ମୋ ମୁହଁକୁ ସଳଖି ଚାହାଁନା ।ବିଦୂଷକ-ହେ ମୁଁ ମରିଯିବି ।ମହାମାୟା- ମୁଁ ତ ତରିଯିବି ।ବିଦୂଷକ-ହେ ମୁଁ ପରା ତୋ ଅମକ ।ମହାମାୟା-ଥାଉ ଥାଉ ସେ ଧମକ ।ବିଦୂଷକ-ତୁ କି ଥଟା ହବୁ ମୋର ମନକୁ ପଚାର ନା ?ମହାମାୟା-ଥାଉ ଥାଉ ସେ ବାହାନା ।୧।ବିଦୂଷକ- ଏମନ୍ତ କି କହନ୍ତି ?ମହାମାୟା-ତୁ ଏଇକ୍ଷଣି ମଲେ ଆଉ ଘଡ଼ିକୁ ମୁଁ ଯାଆନ୍ତି ।ବିଦୂଷକ-ଆହା ମୋ ରାତିପାହାନ୍ତି କାଶ –ମହାମାୟା-ଆହାରେ ମୋ ସଖାଳ ପାଲଟା ବାସ ।ବିଦୂଷକ-ସେ ବାସର ଯେଉଁ ବାସ –ମହାମାୟା-ତାକୁ ତଳେ ଥୋଓନା ଥୋଓନା ।୨।କଥା-ହେ, ମତେ ପାଟି ଫିଟାନା । କହିଲୁ ଭଲା, ତିନଦିନ ହେଲା ଯାଇଁ କେଉଁ ଗାତରେ ପଶିଥିଲୁଁ । ଆମେ ମା ପୁଅ ଦୁଇଟାଖାଉଁ କଣ ?
ବିଦୂଷକ- ହେ, ଆଗେ କଥାଟା ବୁଝ । ରଜାଘର ଗୋଟାଏ ଭାରି ଯୋଗାଡ଼ ହଉଛି, ମତେ କଣ ରଜା ଜମା ପାଖରୁ ଛାଡ଼ୁଥିଲେ କି ? ଗୋଟାଏ ତେଲ କଢ଼େଇରେ ଖସାତେଲ ନିଆଁରେ ବସି ଫୁଟୁଛି । କଥା ହୋଇଛି ଯେ ସେ କଢ଼େଇରେ ପକେଇବାକୁ ଯେ ସାତବରଷର ପିଲାଟିଏ ଦବ, ସେ ଅନେକ ଟଙ୍କା ପାଇବ । ମୁଁ ତ ଆମ ବଟୁକୁ ଦବାକୁ ଯବାବ କରି ଆସିଚି ।
ମହାମାୟା- ପୋଡ଼ିଯାଉ ସେ ଟଙ୍କା, ଗୋଟିଏ ବୋଲି ପୁଅ, ତାକୁ ତମ ଆକ୍ଷି ସହୁନାହିଁ । କିଏ ନବ ନେଉ ତ ମୋ ବଟୁକୁ !
ବିଦୂଷକ- ମୁଁ କଣ କରିବି, ଯବାବ ଦେଲାଠଉଁ କଥା ସଇଲା । ସେ କ’ଣ ଗରିବ ଘର କଥା ଯେ ଫାଙ୍କିଫୁଙ୍କି ଦବ, ସେ ତ ଯବରାନ ନେଇଯିବେ, ସେଠି ତୋ କଥା ରହିବ ନା ମୋ କଥା ରହିବ ।
ମହାମାୟା- ହେ ସତ କହୁଛ ?ଗୀତ- (ମହାମାୟା ବାହୁନା)ଦଶ ମାସ ତୋତେ ଗରଭେ ଧରି, ମୋ ବଟୁଆରେ,ବଢ଼ାଇଲେ ତତେ ଜନମ କରି, ମୋ ବଟୁଆରେ ।ଛେଳି ମେଣ୍ଢାପରି ବିକିବି ତତେ, ମୋ ବଟୁଆରେ,କେମନ୍ତେ ଧରମ ସହିବ ମୋତେ, ମୋ ବଟୁଆରେ ।ପାଠପଢ଼ି ହୋଇଥାନ୍ତୁ ଓକିଲ, ମୋ ବଟୁଆରେ,ଲୋକକୁ ଶିଖାଇଥାନ୍ତୁ ଅକଲ, ମୋ ବଟୁଆରେ ।କଚେରୀରୁ ଆସିଗଲେ ଲେଉଟି, ମୋ ବଟୁଆରେ ।ଟଙ୍କାରେ ପକେଟ ଯାଆନ୍ତା ଫାଟି, ମୋ ବଟୁଆରେ ।ବିଦୂଷକ- ଥାଉ ଥାଉ, ନୟନରୁ ଆଉ ନୀର ବୁହାଇ ବାସ ତିନ୍ତାନା, ବଟୁଆକୁ ନବ କିଏ ? ତୋ ମନ କସିବାକୁ ସେମନ୍ତେ କହିଥିଲିନା ?ମହାମାୟା- ମୁଁ କଣ କରିବି ହେ, ଛାଏ ଛାଏ ଥପ ଥପ ନୁହ ବୋହିପଢ଼ୁଛି ।ବଟୁର ଗୀତ ଗାଇ ଗାଇ ପ୍ରବେଶ-ମରିବି ସିନା କଲବଲେ-ବୃତ୍ତେ କିଏ କଲା ଗୋଟା ପାଠପଢ଼,ଦିହ ଶୁଖି ହେଲା ଛଣବିଡ଼ା । ପଦ ।ଦିହଯାକ ପଡ଼ି ଖଡ଼ି ଧୂଳି,ଧଳା ତନୁ ହୋଇଯାଏ କାଳି ।ଘୋଳି ହେଉଥାଏ, ଅଣ୍ଟା ପିଠି ଗଣ୍ଠି,ଘଣ୍ଟା ଘଣ୍ଟା ପୁଣି କାନମୋଡ଼ା ।ଚରାଉ ଥାଆନ୍ତି ମେଣ୍ଢା ଛେଳି,ତୋଳି ଖାଉଥାନ୍ତି ବରକୋଳି,ପାଣିରେ ବୁଡ଼ନ୍ତି, ଗଛରେ ଚଢ଼ନ୍ତି,ସାଙ୍ଗ ପିଲା ସଙ୍ଗେ ଗଡ଼ାପଡ଼ା ।ମରନ୍ତା କି ପାଜି ଅବଧାନ,(ମୋତେ ) ନିତି ନିତି କଲା ସାବଧାନ,ଟେରି ଭାଙ୍ଗିଗଲେ, ଭାରି ରାଗିଯାଏଗୋଟେ ଗୋଡ଼େ କରିଦିଏ ଛିଡ଼ା ।
ବିଦୂଷକ- ବାଃ, ବାଃ, ବାହାରେ ବଟୁ ଆମର, କେଉଁଦିନ, ଗୁଣସବୁ ପାନ ଗୁଆ ଗୁଣ୍ଡିପରି ବଟୁଆରେ ପୂରେଇଲୁ ? ଏ ଗୀତ କିଏ ଶିଖେଇଚି ? ଜାଣିଚି ମାଆଙ୍କର ଏ ତାଲିମ, ପାଠ ତ ପଢ଼ୁ ଏଗୁଡ଼ିକ ମୁଖସ୍ତ କେତେବେଳେ କରୁ ରେ ? ଆଉ ପଢ଼ାପଢ଼ି କରୁନାହୁଁ ପରା ?
ବଟୁ– ବାପା ! ପଢ଼ା ଛାଡ଼ିନାହିଁ, ଏ ଯେଉଁ ବିଦ୍ୟା, ଗନ୍ଧର୍ବକଳା ନଥିଲେ ବାପ ସହଜରେ ନହୁଏ ! ଦଶଜଣ ଏକାବେଳେ ଗୋଟାଏ ଅକ୍ଷରକୁ କହିବା କମ୍ କଥା ନୁହେଁ ବାପା, ପୁଣି ଏକାଠେଇ ସମସ୍ତଙ୍କର ଠକ୍ ରହିଯିବ ।
ବିଦୂଷକ- ତେବେ ବଟୁ ଏ ଗୁଣ କୁଠୁ ଶିଖିଲୁ ?
ବଟୁ- ବାପା ! ଆଜିକାଲି କର ସାହିରେ ନାଟଦଳ ଅଭାବ ଅଛି ? ଏ ଗୁରୁ ଗୁରା ପରା ଘରଘର ଗୋରୁପରି ବୁଲୁଛନ୍ତି, ପେଟେ ଖାଇ ଗଡ଼ୁଛନ୍ତି, ଘର ପିଛା ନାଟ ଆଖଡ଼ା । ଆମ ପ୍ରଧାନ ସାହିକି ଗୋଟିଏ ଗୁରୁ ଆସିଛନ୍ତି ଯେ, ସେ ଭଲ ଶିଖାଉଚନ୍ତି
ବିଦୂଷକ- କ’ଣ କଣ ଶିଖାଉଚନ୍ତି, କହିଲୁ ମୁଁ ଶୁଣେ ?ବଟୁ – ବାପା ! ଶୁଣିବ, ଗୀତ ପଛେ; ଆଗେ ବଚନିକା ଶୁଣ ।ଗୀତ- ବିଦୂଷକ ପ୍ରତି ବଟୁ –ଆସ ଭାଇ ଲୁଚକାଳି – ବୃତ୍ତେବାପ ! ନାଟ ପାଠଠାରୁ ସରସ ।ବାଛି ଖଣ୍ଡେ ନାଚି ଦେଲେ ମନ ହରଷ । ପଦ ।ହଜାର ଲୋକରେ ବସି ରଜା ହୋଇବି,ମୁଣ୍ଡ ଝାଡ଼ି ମଜା କରି ଗୀତ ଗାଇବି ।ସଖାଳୁ ଦିହଯାକ ହବ ପରାଶ ।୧।ପାଠ ଭୁଲିଗଲେ ମାଷ୍ଟର ମାରିବ ବେତରୋଳ ଧରି ମେଜରେ ଥୋଇ ଛେଚିବ ହାତଗଣି ଦବୁ ଦରମା ବାପା ମାସକୁ ମାସ ।୨।ବିଦୂଷକ- ବାଃ ବାଃ, ବଟୁ ଆମର ବେଶ୍ ଜାଣିଗଲାଣି ।
ବଟୁ-ବାପା ! ବୋଉ କାହିଁକି ସେଠି ମୁହଁଶୁଖେଇ ବସିଚି ? ତୁମେ ତ କ’ଣ ବୋଉକୁ କହିଲ, ଦେଖି ଏଇକ୍ଷଣି ? ତମ ବାପାପଣିଆ ଛଡ଼େଇଦେବି- (ଭିଡ଼ାଭିଡ଼ି ହେବା) ନଇଲେ ଯାଉଚି, ରାଜାଘଟି ଫେରାଦ ହୋଇ ତମ ମଜାଟା ଦେଖି ନେବି ।
ମହାମାୟା-କେଉଁଠିକି ଯାଉଚୁ ବାପ ? ରାଜଘଟିକି ଯାଆନା, ସେ ପରା ପିଲାଙ୍କୁ ନେଇ ତତଲା ତେଲରେ ପକଉଚି, ଆ ବାପ!ବଟୁ-ସତେ ମା ! ମତେ କଣ ନେଇଯିବ ? (କାନ୍ଦିବା)ମହାମାୟା-ତୁନି ହୋ ବାପ, ମୋ ଧନ, ମୁଣ୍ଡ ବଦଳେ ମା ଦୁର୍ଗା ମୁଣ୍ଡ ଦେବି ପଛକେ, ମୋ ବଟୁକୁ ଯେମନ୍ତେ ରକ୍ଷାକରିବୁ ।
ବିଦୂଷକ-ଆହା ! କି ମାନସିକ, ଫି ବରଷକୁ ବରଷ ଯେତେ ଛେଳି ମେଣ୍ଢା ଭୋଗରାଗ ଠାକୁରାଣୀଙ୍କି ଯଚା ଯାଉଚି ହିମାଳୟଠାରୁ ଗୋଟାଏ ଉଚ୍ଚ ପାହାଡ଼ ହେବ ।
ମହାମାୟା- ଅସଲ ତମେ ଶୁଣ୍ଠିଆ ପେଟୁ, ବାରିରେ କଦଳୀ କାନ୍ଦିଏ ପାଚିଲେ ଆଗେ ଆଣି ଗଣିବ । ଛେଳି ବୋଦାଟିଏ ପାଳିଲେ ତାକୁ ବିକିଦବ ।ବଟୁ- ଠିକ୍ କଥା, ମା ! ସବୁ ବାପା ବିଗାଡୁଚି, ଏଥର ବାପାକୁ ପଚେଇ ଭୋଗ ଦବା, ବାପା ତ ଭୋଗ କଦଳୀ ଖାଇଚି, ତାକୁ ତ ମା ଖାଇଲେ ଯିବ ।ଚପରାସୀ- ଚୂଡ଼ାରତ୍ନେ, ହୋ ରତ୍ନେ ! ଘରେ ଅଛ ?ବିଦୂଷକ- ହଁ, ହଁ, ଯାଉଚି, ରାଜାଘର ଚପରାସୀ ଡାକିଲାଣି, କବାଟ ଦିଅ । (ପ୍ରସ୍ଥାନ)ମହାମାୟା-ବାପ ବଟୁରେ, ଚାଲ ମୁଁ ତତେ ଲୁଚେଇ ଦିଏଁ, କାଳେ ଚପରାସୀ ଧରିନବ । (ପୁଅକୁ ନେଇ ପ୍ରସ୍ଥାନ)
ତୃତୀୟ ଅଙ୍କ
ପ୍ରଥମ ଦୃଶ୍ୟ- ରଣକ୍ଷେତ୍ର ଶିବିର
ପୁରୋହିତ, ରାଜା ହଂସଧ୍ୱଜ ଓ ମନ୍ତ୍ରୀ ଦଣ୍ଡାୟମାନ, ଅଗ୍ରେ ଅନଳକୁଣ୍ଡପରେ ତପ୍ତ ତୈଳ ଦ୍ରୋଣି ସ୍ଥାପନ
ରାଜା-କହ ମନ୍ତ୍ରୀ ! ଦେଖୁଛି ସମସ୍ତେ , ସ୍ଥଳେ ଉପଗତ, ମୋର ପୁତ୍ରମଣି ସୁଧନ୍ୱାକୁ ତ ଆଗରେ ଦେଖୁନାହିଁ ! ତାର କି ଆସିବାର ସମୟ ହୋଇନାହିଁ ? ନା, ନାରାୟଣ, ଅର୍ଜୁନ ସମର ଜାଣି ଭୟରେ କେଣେ ପଳାଇଗଲା । କିଛି ତ ଭାବି ଠିକ୍ କରିପାରୁନାହିଁ ?
ମନ୍ତ୍ରୀ- ମହାରାଜ ! ଜଣାଯାଏ କୁମାର କୌଣସି କାର୍ଯ୍ୟ ହେତୁ ରହିଯାଇଛନ୍ତି, ସେ ତ ଭୀରୁ ନୁହନ୍ତି, ଯେ ବୀରପୁଙ୍ଗବ ଶିର ହୀରକ, ସେ କି ସମରକୁ ଭୟ କରିବ ? ବୀର କେବେ ମୃତ୍ୟୁକୁ ଭୟ କରେ ନାହିଁ, କ୍ଷତ୍ରିୟର ମରଣ ନିତ୍ୟ ସହଚର ।
ରାଜା- ପୁରୋହିତେ ! କି କରିବ କହ କହ ?ମୋର ପୁତ୍ର ହୋଇଲା ଏଡ଼େ ନୀଚମନା,କଲା ମୋର ଆଦେଶ ଲଙ୍ଘନ,ଆଉ ତାର ରକ୍ଷା ନାହିଁ ପୁରୋଧା ମୋ କରୁ,ନିଶ୍ଚୟ ନିଶ୍ଚୟ ଦଣ୍ଡ ଭୋଗିବ ଦୁର୍ମତି,କେ ଅଛରେ, ଦେଖ ଯାଇଁ ଶୀଘ୍ର,କେଣେ ଗଲା ସେ ନର ପିଶାଚ ।ମନ୍ତ୍ରୀ – ଏହି ଯେ ଆସୁ ଅଛନ୍ତି କୁମାର,ଅସ୍ତ୍ର ଶସ୍ତ୍ରେ ହୋଇ ସୁସଜ୍ଜିତ,ଗିରି ଗୌହର ନିଃସୃତ ହରି ଯକ୍ଷ ସମାନ ।ସୁଧନ୍ୱା- (ପ୍ରବେଶି ପ୍ରଣାମ କରି )ପିତଃ ପିତଃ ! ଉପଗତ ପୁତ୍ର ତବ ପାଶେ,ଶୁଣିଛି ସମସ୍ତ ଶ୍ରୁତି ମୋର,ଧୃତିହୀନ ନୁହେଁ ସୁତ ତବ,ଯେ ତରୁ ଯେମନ୍ତ ତାର ଅଙ୍କୁର ତେମନ୍ତ,ବିଳମ୍ବ ଅପରାଧକୁ ବିହିବେ କି ଦଣ୍ଡ,କରନ୍ତୁ ଆଦେଶ ଏହି ଦାସେ ?ହଂସଧ୍ୱଜ-ରେ ଅବୋଧ ଅବାଧ୍ୟ କୁମାର,ଅଛନ୍ତି ଅନେକ ବ୍ୟକ୍ତି ଏହି ଭାରତରେ,କହନ୍ତି ଯେ କଥା ଦିଅନ୍ତି ଉପଦେଶ,ନିଜେ ସେ କତାରୁ ପଦେ କାର୍ଯ୍ୟ ପରିଣତ,କରିବାଟା, ତାଙ୍କ ପକ୍ଷେ ଅସାଧ୍ୟ ଅଟଇ ।ତୁହି ମୂର୍ଖ ଅଟୁ ସେହିପରି,ଆଦେଶ ଦେଇଛି କାଲିଠାରୁ,ଆସିବେ ସରବେ ନର ନାରାୟଣେ ଦେଖି,ଯେ ବୈକୁଣ୍ଠପତି ବିପତ୍ତି ନାଶନ,ଯା ନାମେ ବିପତ୍ତି ଭୟ କରେ,ଯା ଦେଖା ପାଇବା ପାଇଁ ଲୁବ୍ଧ ଅଷ୍ଟ କ୍ଷିତି,ଶିବ ବାସବାଦି ଦେବେ ଆଜ୍ଞାକାରୀ ଯାର,ସେହି ନାରାୟଣ ଯେତେବେଳେ ସଖା ସହଉପଗତ ମୋ ତପ ପ୍ରଭାବେ ମୋର ରାଜ୍ୟେ,ତାଙ୍କ ଦରଶନେ ତୋର ଏତେ ଅବହେଳା?ସୁଦନ୍ୱା- ପିତଃ ! ପୁତ୍ର ତବ ଶ୍ରୀହରି ଦର୍ଶନେଅବହେଳା କରିନାହିଁ ତିଳେ,ଆସୁଥିଲି ନିରୂପିତ ସମୟେ ଏଠାବେଆସି ବଧୂ ତବ ଉଗାଳିଲେ ପଥ,କରିଥିଲେ ଯେ ବ୍ରତ ପାଳନଅନ୍ତ୍ୟ ସପ୍ତ ଦିନ ସମାପ୍ତ,କଲି ତାଙ୍କ କାମନା ପୂରଣ,ଉଦ୍ଯାପନ କରି ସେହି ବ୍ରତେ ଆସିଲି ଏ କ୍ଷେତ୍ରେ,ତେଣୁ ଅଯଥା ବିଳମ୍ବ ହେଲା କାଳ,ସତ୍ୟ କଥା କରିଛି ପ୍ରକାଶ,ଦୋଷ କ୍ଷମ ଅଧମ ପୁତ୍ରର ।ହଂସଧ୍ୱଜ- ରେ ଅବୋଧ ! କି କହିବି ତୋତେ,ଯାଗ ଯଜ୍ଞ ତପ ବ୍ରତ ଉପାସନା,ବାସନା ଯା ପାଇ, ଜୀବ କରେ ଇହଲୋକ,ମନଯୋଗ ଧ୍ୟାନଯୋଗ ଜ୍ଞାନଯୋଗ,କର୍ମଯୋଗ ଆଦି, ଏହାର ଯେ ଫଳଦାତା ହରି,ସେହି ଆସି ଉପଗତ ପାଶରେ ମୋହର,ଆଉ କି ବ୍ରତ ପାଳିଲୁ ରମଣୀ ନିକଟେ ?ରେ ବର୍ବର ! ଶୁଣ ତୋତେ ଦେଉଛି ବୁଝାଇ ।ଗୀତ- ସୁଧନ୍ୱା ପ୍ରତି ରାଜାପ୍ରାଣ ସଙ୍ଗିନୀ ନ ଯିବି- ବୃତ୍ତେ ହରି ନାରୀ ପଣତରେ ନାହିଁ ତ,ଚାରି ଯୁଗଧରି ବସିଲେ କିଏ ପାଇଛି କେଉଁଠି କହ ତ ?ମୂଢ଼ ନ ବୁଝିଲୁ ହିତ ଅହିତ । ପଦ ।ସେ ତ ହଟିଆ ବ୍ରଜବଟିଆ, ନନ୍ଦଚାଟିଆ ବଟିଆଲଗା ବଡ଼ସେ ଯେ ଠଣାରେ ଠେଲି କରାଏ, ଜାଣିଲୁ ନାହିଁ ମୂଢ଼ ।କାର ଗରିମା ନ ରଖେ ଅଣାକର,ଜାଣ ଅଟେ ସେ ସରବ ଗୁଣାକର ।ବୀଣାକର ଯା ବାମା, ଲୋଡ଼ିଣ ବ୍ରହ୍ମା,ନ ପାଇଲା ପାଦ ଧୋଇ ତ ।୧।ପଳା ପଳାରେ, ଜଳଜଳା ରେ,ଲୀଳା ଲଗାନା, ଏଥି ରହି,ଆଉ ଦେଖାନା ମୁଖ, ଆସି ମୋ ପାଖ,କୁଳ ଅଙ୍ଗାର ତୁହି ।ମେଳା ମେଳା ହେଉଛନ୍ତି ବୀରେ ଆସି,ନିରେଖନ୍ତି ଚକାଡୋଳା ମୁଖ ଶଶି ।ତୋର ତୀରର ଫଳା, ଧନୁର ହୁଳା,ସାରିଲୁଣି ତାର ମହତ ।୨।
ପୁରୋହିତ –ମହାରାଜ ! ଏ ବଡ଼ ଅନ୍ୟାୟ କଥା । ନିଜ ପାଇଁକି ପଣ ବିସ୍ମରଣ ଘଟିଲା, ଏପରି ତ ପର ହୋଇ ନାହିଁ ଯେ ବିଳମ୍ବ କରିବ ସେ ନିର୍ବାସ ହେବ, ସତ୍ୟ କରିଛନ୍ତି, ଯେ ପ୍ରଭାତେ ରଣସ୍ଥଳରେ ଉପସ୍ଥିତ ନ ହେବେ, ତାକୁ ତପ୍ତତୈଳ କଟାହରେ ଫିଙ୍ଗିବାକୁ ହେବ । ପୁତ୍ର ବୋଲି ଜଣାଯାଏ ଦୟାହେଉଛି, ଅପର କେହି ଏପରି ଆଦେଶ ପାଳନରେ ତ୍ରୁଟି କରିଥିଲେ ଏତେବେଳକୁ ତାର ଜୀବନ ଲୀଳାର ଯବନିକା ପତନ ଘଟିସାରନ୍ତାଣି । ଏ ପରା ପୁତ୍ର ! ପ୍ରତିଜ୍ଞା ପୁତ୍ର ମିତ୍ର ଶତ୍ରୁ ମାନେନାହିଁ, ସତ୍ୟ ପାଳି କର୍ଣ୍ଣ ନିଜ ପୁତ୍ରର ଶିର ନିଜେ କାଟିଛନ୍ତି । ସତ୍ୟ ପାଳି ଦଶରଥ ରାମ ପରା ପୁତ୍ରକୁ ବନକୁ ପଠାଇଛନ୍ତି, ଏ କଥା ମିଥ୍ୟା ? ଯେ ପିତ୍ରାଦେଶ ପାଳନ ନକରି ଭାର୍ଯ୍ୟାଦେଶ ପାଳନ କରେ, ସେ କେଉଁ ପୁତ୍ର ସଙ୍ଗେ ସମାନ ?
ହଂସଧ୍ୱଜ-ପୁରୋହିତ ! କି କରିବି, ମୁଁ ଯେ ଉପାୟବିହୀନ । ଘୂରିଲା ମସ୍ତକ, କଣ୍ଠ ତାଳୁ ଶୁଷ୍କ, ନେତ୍ରରୁ ସ୍ଫୁଲିଙ୍ଗ ବାହାରୁଛି, କି କରିବି, କି କରିବି, କେହି କିଛି ଏହାର ପତ୍ରିକାର ଜାଣିଥିଲେ ଶୀଘ୍ର ମୋତେ ବତାଇଦିଅ । ଯଦି ଏ ପ୍ରାଣ ପରିବର୍ତ୍ତେ ନିଜର ପ୍ରାଣ ଦେଲେ କୁମାରର ଜୀବନ ରକ୍ଷା ହୁଏ, ଏହିକ୍ଷଣି ତାହା ପାଳନ କରିବି, ହୃତପିଣ୍ଡ ଚିରିବାକୁ ହେଲେ ଚିରିବି, ସର୍ପ ବ୍ୟାଘ୍ର ମୁଖରେ ପଶିବାକୁ ହେଲେ ନିଜେ ପଶିବି, କିନ୍ତୁ ସୁକୁମାର ଲବଣୀପିତୁଳାକୁ କିଏ ଜାଣୁ ଜାଣୁ ଅଗ୍ନିରେ ପକାଇବ ! ମଲେ ମରିବି, କିନ୍ତୁ ପବିତ୍ର ସୂର୍ଯ୍ୟବଂଶରେ ଜନ୍ମ ଗ୍ରହଣ କରି ଏ ଘୃଣ୍ୟ ଦସ୍ୟୁବୃତ୍ତ କରିବି ନାହିଁ ।
ସୁଧନ୍ୱା-ପିତଃ ! ହୁଅନା ଚିନ୍ତିତ ଏତେ,ପଣ ରକ୍ଷା କରିବାକୁ ସୁତ ତବ ରହିଛି ପ୍ରସ୍ତୁତ ।ଗୀତ-ରାଜା ପ୍ରତି ସୁଧନ୍ୱା - ବାନ୍ଧି ଦେ ମା ଶିରେ – ବୃତ୍ତେପଦରଜ ଦିଅ ତାତ ମୋ ଶିରେ ହେ,ଚାରିମାଥ ଲେଖାରେ କେ ଦେବ ହାତକଳଙ୍କ ଦେଇଛି ସେ ତ ଶଶିରେ ହେ ।ପଦ ।ରାତ୍ର ଶେଷେ ମଣ୍ଡି କରେ ରାଜଦଣ୍ଡ,ଭୋଗ କରିଥାନ୍ତେ ଅଯୋଧ୍ୟା ଭୂଖଣ୍ଡ,ସାବତ ମାତାଙ୍କ ବିଧି କୂଟଚକ୍ରେଗଲେ ରଘୁନାଥ ବନବାସରେ ହେ ।୧।ବସନ୍ତପଞ୍ଚମୀ ଉତ୍ସବର ଦିନ,ହରିଶ୍ଚନ୍ଦ୍ର ଦଶା ଭୋଗିଲେ କେଶନ ?ଦାନେ ବିଶ୍ୱାମିତ୍ର ନେଲେ ରାଜଛତ୍ରଭିକ୍ଷା ପାତ୍ର ସେ ଧରିଲେ ଖୁସିରେ ହେ ।୨।ପୁଣି ତୁମ୍ଭେ ଯାଙ୍କ ଅଶ୍ୱ ଅଛ ବାନ୍ଧି,କି ନ କଲେ ତାଙ୍କୁ କୁରୁ ହୋଇ ବାଦୀ ?ବନେ ସହି ଦୁଃଖ ନୋହିଲେ ବିମୁଖଦ୍ରୌପଦୀ ଗଣନା ରାଣୀ ଦାସୀରେ ହେ ।୩।
ହଂସଧ୍ୱଜ- ପୁତ୍ର ! ପୁତ୍ର !! ସୁଧନ୍ୱା । ମୋର କୁଳର ପ୍ରଦୀପ ମୋର, କଣ୍ଠର ଉଜ୍ୱଳ ମଣି, ଆହା ଆହା ନ ବୁଜି କି କଠୋର ପ୍ରତିଜ୍ଞା କରିଛି ! ନିଜର କୁଠାର ନିଜ ପାଦରେ ମାରିଛି ! ଗୁରୁଦେବ ଗୁରୁଦେବ, ରକ୍ଷାକର, କ୍ଷମାଭିକ୍ଷା, କ୍ଷମାଭିକ୍ଷା ।
ପୁରୋହିତ-ରେ ବର୍ବର ସତ୍ୟ ଭଙ୍ଗକାରୀ ! ତୁ ରାଜା ନୋହୁ ରାକ୍ଷସ, ପିଶାଚ, ପର ପ୍ରାଣହନ୍ତା ଦସ୍ୟୁ । ତୋ’ ପରା ସ୍ୱାର୍ଥପର ଜଗତରେ ବିରଳ । ଯେବେ ଭଲ ଚାହୁଁ, ପୁତ୍ର ହସ୍ତ ପଦ ବନ୍ଧନ କରି ତୈଳ ଦ୍ରୋଣିରେ ଶୀଘ୍ର ପକାଅ ।
ସୁଧନ୍ୱା- ନିଶ୍ଚୟ, ମୋତେ କେହି ପକାଇବେ ନାହିଁ, ଗୁରୁଦେବଙ୍କ ତାତ୍ସଲ୍ୟ ଭାବ ପକାଇବ, ପିତାଙ୍କର ସ୍ନେହ ମୋତେ ପକାଇବ । ସେହି ସତ୍ୟ ଧର୍ମର କରତା ଯେବେ ପ୍ରକୃତରେ ସେହି ହରି, ଅବଶ୍ୟ ଏ ଦାସ ପିତୃସତ୍ୟ ପାଳି ସମସ୍ତଙ୍କ ଆଗରେ ହସି ହସି ଅନଳସ୍ଥିତ ତୈଳ କୁଣ୍ଡକୁ ଡେଇଁ ପଡ଼ିବ ।
ହଂସଧ୍ୱଜ-ସୁଧନ୍ୱା ! ସୁଧନ୍ୱା !! କୁମାର, ଓଃ (ନୀରବରେ ପୁତ୍ରକୁ ଧରି ତଳକୁ ମୁଖ କରି ରହିଯିବା) ।ପୁରୋହିତ-ଏ କି ଭାବ ରାଜ ! ନୀରବ ଯେ ମୁଖରେ ଉତ୍ତର ନାହିଁ ?ହଂସଧ୍ୱଜ-ଏତେ ନୃଶସଂ, ଗୁରୁଦେବ ! ଶିରିଷ ଫୁଲରେ ବଜ୍ରାଘାତ କରିବ କେଉଁ ରାକ୍ଷସ?ପୁରୋହିତ-ଆମ୍ଭେ ରାକ୍ଷସ ? ତୁ ମାନବ ? ନା ଦେବ ? ତୋର ଏ ପବିତ୍ର ବଂଶରେ ସ୍ଥାନ ଅଭାବ, ତୁ କପଟୀ, ଧାର୍ମିକ, ଖଣ୍ଟ ।
ସୁଧନ୍ୱା- କ୍ଷମାକର ଗୁରୋ ! ପିତା ଏକ୍ଷଣି ବିକୃତମସ୍ତିଷ୍କ, ତାଙ୍କର ମତି ଗତି ସ୍ଥିର ନାହିଁ, ତାଙ୍କର ଚିତ୍ତ ପୁତ୍ରଶୋକାକୁଳ, ଏ ଅବସ୍ଥାରେ ପିତାଙ୍କୁ କିଛି କଟୁ ଭାଷା କୁହନ୍ତୁ ନାହିଁ । ପାଦ ଧରି ବିନତି କରୁଛି, ଏ ଦାସ ପିତୃ ସତ୍ୟ ପାଳନକୁ ପ୍ରସ୍ତୁତ ପିତା ! ଚିନ୍ତା ତ୍ୟାଗ କରି, ମୁଖ ଟେକି ଅଧମ ପୁତ୍ରକୁ ଥରେ ଅନାଅ, ପୁତ୍ର ତବ ପଦରଜ ନେଇ ପ୍ରତିଜ୍ଞା ପାଳନ କରୁ ହଂସଧ୍ୱଜ-ନା, ନା, ନା, ତା ହେବ ନାହିଁ, ମୁଁ ଥାଉଁ ଥାଉଁ ତୋତେ କିଏ ମାରିବ ? କିଏ ମୂର୍ଖ ଜାଣୁ ଜାଣୁ ସିଂହ ମୁଖରେ ହସ୍ତ କ୍ଷେପଣ କରିବ ? ଚାଲ ପୁତ୍ର, ସେହି ବଂଶୀଧାରୀ ବନମାଳା ବିଭୂଷିତ ଚରଣକୁ ଧ୍ୟାନ କରି ଏ ରାଜ୍ୟ ଧନ ମସ୍ତକରେ ପତାଘାତ କରି ତୋତେ ଏଠାରୁ ନେଇ ବିଜନବାସୀ ହେବି ।(ପୁତ୍ରକୁ ନେଇ ପ୍ରସ୍ଥାନ) ପୁରୋହିତ- ମନ୍ତ୍ରୀ ! ଏ କି କାଣ୍ଡ, ଏତ ଭଲ କଥା ହେଲା ନାହିଁ, ରାଜା ରାଜା ! ତୁ ରାଜା ହୋଇ ବାକ୍ୟଭ୍ରଷ୍ଟ ହେଲୁ ?
ଗୀତ- ପୁରୋହିତ-ବା ପଠପଢ଼ାକଥା- ବୃତ୍ତେଜାଣିବୁରେ ରାଜା କେତେ ମଜା ଆରଜାଣିବୁ ଜାଣିବୁ ଜାଣିବୁ,ଯେତେବେଳେ ସଜା ପାଇ ରେ ଅବୁଝାସତ୍ୟଭଙ୍ଗ ଧ୍ୱଜା ଟାଣିବୁ ।ପଦ ।ମଣୁଛୁ ଯାହାକୁ ଭଲ, ସେ ଶେଷେ ହେବ ରେ ଶଲକାଲିପରି ତୁହି ବଲ ବଲ ଚାହିଁନିନ୍ଦା ଅପଯଶ ଶୁଣିବୁ ।୧।ପଣ କଲାବେଳେ ତୁହି,ଆଗ ପଛ ବିଚାରିଲୁ ନାହିଁ,ବୋହିଗଲା ପାଣି କହି ଦେଲା ବାଣୀଆଉ କି ଲୋଡ଼ିଲେ ଆଣିବୁ ।
ମନ୍ତ୍ରୀ-ଚାଲ ପୁରୋହିତ ! ସୁରଥକୁ ନେଇ, ରାଜା ତେଣେ ସୁଧନ୍ୱାକୁ ଘେନି ଗଲେ । ଦେଖିବା, ଏଣେ ଯେ ପାଣ୍ଡବ ସେନା ଏ କାଣ୍ଡ ଦେଖି ନାକରେ ହାତ ଦେଇ ହସୁଥିବେ ।
ପୁରୋହିତ-ଆରେ ବାବା ଆମେ କଣ ମନା କଲୁ ? ଚାଲ ଖୋଜ କଳି ଖୁଣ୍ଟରୁ ଛେଳି ଫିଟି ପଳେଇଲେ, ତାଙ୍କୁ ଯେମନ୍ତେ ଗୋଡ଼େଇ ହାଣିଲା କଥାପରି କଥାଟା ହେଲା ? (ସମସ୍ତଙ୍କ ପ୍ରସ୍ଥାନ)