ବେଣୁସ୍ୱନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ବଜାନା ବଜାନା ବେଣୁ ଆଉ ବେଣୁପାଣି,ଯମୁନା ସେ ଧ୍ୱନି ଶୁଣି ବହୁଛି ଉଜାଣି ।କି ଉଚ୍ଚାଟ ଉନ୍ମାଦନା ଅଛ ତହିଁ ଭରି,ଶୁଣି ତାହା କୁଞ୍ଜରାଣୀ ଫୁଲ ଉଠେ ଥରି ।ହସିଉଠେ ସମୀରଣ ହୋଇ କରକର,ଶାଖାଚ୍ୟୁତ ହୋଇ ପଡେ ଗଛରୁ ପତର ।ଜୀର୍ଣ୍ଣରୁକ୍ଷ ଅରଣ୍ୟାନୀ ପାଲଟେ ନନ୍ଦନେ,କଟୁ-କଣ୍ଠ କାକ ପିକେ, ବାଉଁଶ ଚନ୍ଦନେ ।ଅସମୟେ ଫୁଟେ ଫୁଲ, ଫଳ ଫଳେ ଗଛେ,ମଇଁଷି ପହ୍ନାରୁ ଦୁଧ ପିଅନ୍ତି ଗୋବତ୍ସେ ।ଜ୍ୟୋତ୍ସ୍ନାମୟୀ ହୋଇଯାଏ ଅନ୍ଧାର ଯାମିନୀ,କୃଷ୍ଣପ୍ରାଣା ରାଧା ହୁଏ ପ୍ରେମେ ପାଗଳିନୀ ।ବଜାନା ବଜାନା କାହ୍ନୁ ଆଉ ସେ ମୂରଲୀ,ଗୋପୀଏ ଛାଡ଼ନ୍ତି ଡକା ବୋଲି ମଲି ମଲି ।ବଜାଇବ ଯେବେ ତୁମ୍ଭେ ଲଗାଇଣ ହଟ,ମାନିବେ ନାହିଁ ସେ ଗୁରୁଜନଙ୍କ ଆକଟ ।ଲାଗିବ ହେ ରାଧାପ୍ରାଣ, ରାଧାପ୍ରାଣେ ବାଧା,ଚନ୍ଦ୍ରାବଳୀ ଚନ୍ଦ୍ରମୁଖ ପଡିଯିବ ସାଦା ।ବିରହ-ବେଦନା ତାର ଉଠିବ ଚହଲି,ବଜାନା ବଜାନା କାହ୍ନୁ ଆଉ ସେ ମୂରଲୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ