ବର୍ଷା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ, ଏ ବରଷାକାଳ ତୁମ୍ଭରି ବିଭୂତି,ଢ଼ାଳୁଛି ପ୍ରକୃତି ମୁଖେ ଅମୃତ ଆହୁତି ।ମହ୍ଲାର ରାଗିଣୀ ଗୀତ ଗାଉଛି ଚାତକ,ଯୁଗେ ଯୁଗେ ମେଘର ସେ ପ୍ରଣୟୀ ସ୍ତାବକ ।ତୁମ୍ଭରି କରୁଣାରାଶି ଜଳରୂପ ଧରି,ପଡ଼ୁଚି ଶୂନ୍ୟରୁ ଆହା ଅନର୍ଗଳ ଝରି ।ଆସାର ଆସାର ପଛେ, ତା ପଛେ ଆସାର,ତୁମ୍ଭ ମହାଦାତାପଣ କରୁଛି ପ୍ରଚାର ।କି ଉଦାର ଦାତା ତୁମ୍ଭେ, ଯେ ମାଗେ ସେ ପାଏ,ନ ମାଗେ ଯେ ସେ ବି ପାଏ, ଦିଅ ନିଜ ଛାଏଁ ।ନଦୀସ୍ରୋତରୂପେ ତୁମ୍ଭ ସ୍ନେହ ଆଶୀର୍ବାଦ,କୋଟିମୁଖେ ଧାଏଁ ତାର ନାହିଁ ଅବସାଦ ।ଗ୍ରୀଷ୍ମ ଶୁଷ୍କ ସୃଷ୍ଟିମୁଖେ ହାସ୍ୟ - ବିଦ୍ୟୁରେଖା,ତୁମ୍ଭରି ଆଜ୍ଞାରେ ସିନା ଦିଏ ଆସି ଦେଖା ।ଘଡ଼ଘଡ଼ି ଶବ୍ଦ ତବ ପ୍ରଣବ ଓଁ କାର,ହେ ଦୟାଳୁ, ପାଦେ ତବ କୋଟି ନମସ୍କାର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ