ଆଉ କେତେ ଦଣ୍ଡ ଜିଇଣ
ଗଣକବି · ୧୮୮୨–୧୯୫୬
- ସଂକଳନ: ଅଭିମନ୍ୟୁବଧ ସୁଆଙ୍ଗ
- ପଢ଼ିବା ସମୟ
- ୯ ମିନିଟ୍
- ଶବ୍ଦ
- ୧୪୩୫
- ସ୍ଥିତି
- ସାର୍ବଜନୀନ (Public domain)
ଦୁର୍ଦ୍ଦଣ୍ଡ ଦେଖାଇବ ଶତ ସିଂହର ଠାଣି ।୩।ଦ୍ୱାର ରଖୁ ସନ୍ଧୁ ନରଶେ,ନ ରଖିଣ ଜୀବନେ ଆଶ ।ବଇଷ୍ଣବ ଭାଷେ,ବ୍ୟୂହ ମଧ୍ୟଦେଶେ ନ ଛାଡ଼ିବ ପଣ୍ଡୁ ନାତିକି ପୁଣି ।୪।ଦୁର୍ଯ୍ୟୋଧନ – ଯମପୁର ଯିବାପାଇଁ ହୁଅ ରେ ପ୍ରସ୍ତୁତ ।ଅଭିମନ୍ୟୁ – ଜଣାଯିବ ବୀରପଣ ଆରେ ଅନ୍ଧସୁତ ॥
ଦୁର୍ଯ୍ୟୋଧନ – ଦେଖିବି ତୋ ଦେହେଁ ଦୁଷ୍ଟ ଅଛି କେତେ ଶକ୍ତି ।ଅଭିମନ୍ୟୁ – ଦେଖୁନାହିଁ ଜଣକୁ ବେଢ଼ିଛ ସପ୍ତରଥୀ ॥
ଦୁର୍ଯ୍ୟୋଧନ – ଅନଳରେ ଆସିକରି ପଡ଼ିଲୁ ପତଙ୍ଗ ।ଅଭିମନ୍ୟୁ – ଜଣାଯିବ ପଛେ ଆଗେ ହେଉ ରଣରଙ୍ଗ ॥
[ଯୁଦ୍ଧ - ସପ୍ତରଥୀଙ୍କ ପରାସ୍ତ ପୁଣି ପ୍ରବେଶ]ଦୁର୍ଯ୍ୟୋଧନ – ପ୍ରହାର ସକଳେ ଅସ୍ତ୍ର କରନାହିଁ ଡେରି ।ଅଭିମନ୍ୟୁ – ଅନନ୍ତ ନରକେ ଦୁଷ୍ଟେ ପଡ଼ି ଯାଇଁକରି ॥
[ସପ୍ତରଥୀଙ୍କର ପଳାୟନ - ପୁଣି ପ୍ରବେଶ]କର୍ଣ୍ଣ – କି ଦେଖୁଛ ସଖା ସର୍ବେ ଯାଅ ଶୀଘ୍ର ବେଢ଼ି ।ଅଭିମନ୍ୟୁ – ପୃଷ୍ଠଭଙ୍ଗ ଦେଇ ରଣୁ ପୁଣି ଆସ ଲଢ଼ି ॥
[ଯୁଦ୍ଧ - ପରାସ୍ତ - ପୁଣି ପ୍ରବେଶ]କର୍ଣ୍ଣ – ଏଥର ଆମ୍ଭର କରୁଁ ନାହିଁ ରେ ନିସ୍ତାର ।ଅଭିମନ୍ୟୁ – ସାରଥିର ସୁତ ନୁହେଁ, ହୋଇବି କାତର । (ଯୁଦ୍ଧ)[ସମସ୍ତଙ୍କର ପାଳୟନ](ଅଭିମନ୍ୟୁର ଗୀତ)[ଏତିକି ମାଗୁଛି ମାତର - ବୃତ୍ତେ]ଜଣାଗଲାଣି ସବୁ ରୀତି ।ମୋତେ ଆଉ ନାହିଁ ଭଲ ଗତି ।ପଦ ।ଏକା କେତେବେଳ ବାଳକ ହୋଇ ମୁଁ ରଣରଙ୍ଗେ ଥିବି ମାତି ।ବାର ବାର ହାରିଯାଉଛନ୍ତି ଘେରି ଆସି ଏ ସପତରଥୀ ।୧।କୌରବଙ୍କ ଶରେ ରଥ ଅଶ୍ୱ ଗଜ ନିହତ ହେଲା ସାରଥି ।ଗମଗମ ଝାଳ ଗଳିପଡ଼େ ଦେହୁ ଦମଦମ ହୁଏ ଛାତି ।୨।ନାହିଁ ଜୀବ ଆଶା ଉଡ଼ିଯାଏ ହିଂସା ଅଙ୍ଗ ମୋ ଅବଶ ଅତି ।ବହି ବୀରରକ୍ତ ଶତ୍ରୁବାଣେ ଭୀତ ନୋହିବ ବାସବନାତି ।୩।କରୁ କରୁ ରଣ ତାଜିଲେ ପରାଣ ଏ ଖ୍ୟାତି ଘୋଷିବ କ୍ଷତି ।ବଇଷ୍ଣବ ଭାଷି, କି ମନ୍ତ୍ରଣା ବସି କରୁଛନ୍ତି ପାପମତି ।୪।(ସପ୍ତରଥୀଙ୍କର ପୁଣି ପ୍ରବେଶ । ଦୁର୍ଯ୍ୟୋଧନର ଗୀତ)[ଆଜି ବନମାଳୀ ଯା ମୁଁ ପଡ଼ିଗଲି - ବୃତ୍ତେ]ସଜହୁଅ ବୀରମଣି, ଯିବୁ ଏହିକ୍ଷଣି ଯମପୁରକୁ ।କହି ଆହା ଆହା କାନ୍ଦୁଥିବ ମାଆ କଚାଡ଼ିଣ ତାର ମୁଣ୍ଡେ କରକୁ ।ପଦ ।ଆଜି ରାଣ୍ଡ ହେବ ବରିଟନନ୍ଦନୀ ନେତ୍ରୁ ଗଡ଼ାଇବ ନୀରଧାରକୁ ।କଳିପଡ଼ିଯିବ କନକ ବରନ କାଳକ ସହିବ କାମଜ୍ୱରକୁ ।୧।ସୁତ ସୁତ କହି କାନ୍ଦିବ ବିଜୟୀ ଯାଇଛି ଏକ୍ଷଣି ବହୁଦୂରକୁ ।ଅରଜିଲୁ ବଳେ ଝାସି କୁରୁବଳେ ନିଜେ ନିଜ ଗଳେ ଦେଲୁ ଖରକୁ ।୨।ତୋର ଧନୁର୍ଗୁଣ ଛିନ୍ନହୋଲା ଜାଣ କାହିଁରେ ମରିବୁ ଯୋଚି ଶରକୁ ।କିପାଁ ଅସି ଖଣ୍ଡ କରୁ ଲଣ୍ଡଭଣ୍ଡ ଫିଙ୍ଗିଦେଇ ଚିନ୍ତ ଇଷ୍ଟ ଗୁରୁକୁ ।ବିନ୍ଧି ବୀରେ ବାଣ କରିବା ନିଶାଣ ବେଗେ କାଟ ଏହି ଦୁଷ୍ଟ ଶିରକୁ ।ବଇଷ୍ଣବ କହି ଆଉ ବେଳ ନାହିଁ ମାରୁଅଛି କାଳ ଆଖିଠାରକୁ ।୫।
ଅଭିମନ୍ୟୁ – ଭୀରୁ ନୁହେ ଅର୍ଜୁନନନ୍ଦନ; ପଳାଇବ ପୃଷ୍ଠଭଙ୍ଗ ଦେଇ ରଣସ୍ଥଳୁ; ନୁହେଁ ଏହା କ୍ଷତ୍ରିୟଙ୍କ ଧର୍ମ । ଦେହେ ଏକ ବିନ୍ଦୁ ରକ୍ତ ଥିବାଯାଏ ପଳାଇ ନ ଯିବି ରଣ ତେଜି-। ଗଲେ ପ୍ରାଣ ରଣଭୁମେ କରିବି ଶୟନ, ସାର୍ଥକ ହେବ ଏ ଦେହ ଏ ଦେହ ମୋର ।
(ଯୁଦ୍ଧ - ଅସି ପତନ ଓ ଶୋକ)[ଆଜ୍ଞା ଦିଅ ଭୋଜରାଜ-ବୃତ୍ତେ]କେଣେ ଅଛି ଦିଅ ଦେଖା ପିତଃ ଆସି ସୁତେ ତୋର ।ଅନ୍ୟାୟ ଯୁଦ୍ଧେ ନାଶିଲେ କୁରୁକୁଳ କୁଳାଙ୍ଗାର ।ପଦ ।ଜ୍ୟେଷ୍ଠତାତ ଦେଖ ଆସି, ଆଜି ତବ ପୂର୍ଣ୍ଣଶଶୀ ।ଗ୍ରାସିଛନ୍ତି ସପ୍ତରଥୀ ହୋଇ ରାହୁ ଅବତାର ।୧।ଆହା ମାତ ଅଛି କାହିଁ, ଆସି ଥରେ ଯାଅ ଚାହିଁ ।ଆଝୁଁ ତବ କୋଳୁ ମୁହିଁ ଯାଉଛି ହୋଇ ଅନ୍ତର ।୨।ହା ମଧ୍ୟମତାତ ଭୀମ, ନିରଖେ ଦୁର୍ଗତି ମମ ।ରେ ପ୍ରାଣପ୍ରିୟା ଉତ୍ତରା ନ ହେବୁ କେଭେଁ କାତର ।୩।ଆସିବାର ବେଳେ କେତେ, ମନା କରୁଥିଲୁ ମୋତେ ।ଭୁଳି ରହିବୁ କେମନ୍ତେ ମନମୋହନ ମନ୍ତର ।୪।ହା ମାତୁଳ ରାଧାକାନ୍ତ, ତୁମ୍ଭେ ଥାଉ ହେଲି ହତ ।ବଇ ବୋଲେ, ଗୋପିନାଥ ଜାଣୁ ବାହାର ଭିତର ।୫।
ଅଭିମନ୍ୟୁ – କୁରୁପତି, ମୁଁ ପ୍ରାଣଭିକ୍ଷା କରୁ ନାହିଁ, ଖଣ୍ଡେ ଅସ୍ତ୍ରଭିକ୍ଷା କରୁଅଛି, ଖଣ୍ଡେ ମୋତେ ଅସ୍ତ୍ର ଦିଅ, ପରେ ମୋ ସଙ୍ଗେ ଯୁଦ୍ଧ କର, ଅନ୍ୟାୟ କରନା, ଅଧର୍ମ କରନା, ଏତେ ଅନ୍ୟାୟ ଧର୍ମ କେଭେ ସହିବ ନାହିଁ ।
ଦୁର୍ଯ୍ୟୋଧନ – ଶତ୍ରୁନାଶରେ ପୁଣି ଅନ୍ୟାୟ ନ୍ୟାୟ କଅଣ ? ଶତ୍ରୁକୁ ଯେପରି ହେଉ ବିନାଶ କରିବା କର୍ତ୍ତବ୍ୟ ।କର୍ଣ୍ଣ – ତୁ ମୋର ପରମଶତ୍ରୁ ଅର୍ଜୁନସୁତ ! ତୋତେ ଅସ୍ତ୍ର ଦେଇ ବିପଦର ମାତ୍ରା ବଢ଼ାଇବି ଏବେ ମରିବାକୁ ପ୍ରସ୍ତୁତ ହୁଅ ।
ଅଭିମନ୍ୟୁ – ହା ମାତ ! ହୋ ମା’ଗୋ; ଆସିଲାବେଳେ ତୁମ୍ଭେ ମୋତେ ମନାକରୁଥିଲ । ତୁମ୍ଭର କଥା ମାନିଲି ନାହିଁ; ତା’ର କଣ ଏହି ଫଳ ଫଳିଲା, ମା’ଗୋ ! ତୁମ୍ଭେ ତୁମ୍ଭର ସନ୍ତାନଟିକି ଆଉ ଦେଖିପାରିବ ନାହିଁ । ପିତଃ ! ତୁମ୍ଭେ ଏତେବେଳେ କେଉଁଠାରେ, ତୁମ୍ଭର ଅଭିମନ୍ୟୁର ଅବସ୍ଥା ଥରେ ନେତ୍ରପଥରେ ଆସି ଦେଖିଯାଅ । ହା ଜ୍ୟେଷ୍ଠତାତ; ହା ମଧ୍ୟମତାତ ଭୀମ, ତୁମ୍ଭର ଅଭିମନ୍ୟୁ ଅନ୍ୟାୟ ରଣରେ ଚକ୍ରବ୍ୟୂୟରେ କୌରବଙ୍କ ବାଣରେ ମରୁଛି; ଦେଖିଯାଅ । ହା ବାସୁଦେବ, ତୁମ୍ଭ ଭଣଜାର ଏହି ଶୋଚନୀୟ ଅବସ୍ଥା ଦେଖ । ହାୟ ପ୍ରାଣପ୍ରିୟା ଉତ୍ତରା, ଆଜିଠାରୁ ତୋର ଆଶା ଭରସା ବୁଡ଼ିଲା । ଆତ୍ମହତ୍ୟା କରିବୁ ନାହିଁ; ତୋର ଗର୍ଭରେ ସନ୍ତାନ ଅଛି । କୌରବମାନେ ଏ ପାପର ଫଳ ନିଶ୍ଚେ ପାଇବେ । ମୃତ୍ୟୁ କରାଳ ମୁଖ ବିସ୍ତାରି ଧାଇଁଛି, ଦେଖେଁ ଯେବେ ଏତେବେଳେ ଗୋଟିଏ ଶତ୍ରୁକୁ ପ୍ରାଣରେ ମାରିପାରେ । (ଉଠି ପୁଣି ପତନ) ନା, ଆଉ ଚେଷ୍ଟା କରିବା ବୃଥା । (ଗଦାହସ୍ତେ ଦୁଃଶାସନର ପ୍ରବେଶ)
ଦୁଃଶାସନ – ରେ ଅଭିମନ୍ୟୁ ! ଏହି ଗଦାରେ ଯମଭୁବନକୁ ଗମନ କର । (ଗଦା ପ୍ରହାର)ଅଭିମନ୍ୟୁ – ମା, ମା, ମା, କଣ୍ଠ ଶୁଖିଗଲା..... ପାଣି ପାଣି ପାଣି ପାଣି । (ମୃତ୍ୟୁ ଓ କୌରବଙ୍କ ଜୟନାଦ)(ଭୀମ ଓ ଯୁଧିଷ୍ଠିରର ପ୍ରବେଶ)[ଜୟ ଜନାର୍ଦ୍ଦନ ଜଗତଜୀବନ- ବୃତ୍ତେ]ବୀର ଜୟଦ୍ରଥ ଯୋଡ଼ୁଅଛି ହାତ ଛାଡ଼ ଦ୍ୱାର ଆଡ଼ ହୁଅ ।ଧାରୁଛି ଚରଣ ଆହେ ସିନ୍ଧୁରାଣ ଦେଖିବୁ ପୁଅର ମୁହଁ ।ଘୋଷା ।ପରିହର ରୋଷ ରଣେ ଆଶ ନ ବଳାଅ ।ଏ ଆମ୍ଭ ଗୁହାରି ଶୁଣ କର୍ଣ୍ଣ ଡେରି ଫେରି ଯା ବୋଲି ନ କହ ।୧।ସେ କି ଜାଣେ ରଣ କଳ କଉଶଳ ସହଜେ ବାଳକ ଦେହେ ।ଦ୍ରୋଣ ବାଣଜ୍ୱାଳା ସହିବ ସେ କାହୁଁ ହେବନି ପ୍ରାଣ-ସନ୍ଦେହ ।୨।କ୍ଷୁଧାନଳେ ଜଳି ପଡ଼ିଯିବ କାଳି ଆକୁଳେ ତେଜିବ ଲୁହ ।ଏତେମତେ ଚିତ୍ତେ ଦୟା ତୋ ନୋହିଲା ଏଡ଼େ ନିର୍ଦ୍ଦୟ ହୃଦୟ ।୩।ଦିଅ ପୁତ୍ରଦାନ ହେ ସିନ୍ଧୁନନ୍ଦନ ମାନୁଅଛୁ ପରାଜୟ ।ବଇଷ୍ଣବ ଭଣେ, କାର୍ଯ୍ୟ ନାହିଁ ରଣେ ଯାହା କହିବାର କହ ।୪।(ଜୟଦ୍ରଥର ଯୁଧିଷ୍ଠିରଙ୍କୁ ଧିକ୍କାର)[ତାଙ୍କୁ ଯା ଯା ବୋଲି କହି ଦେ-ବୃତ୍ତେ]ଯା ଯା ରେ ଜାରଜାତକା ।ଥାଉ ତୁମ୍ଭର ନେହୁରା ଆଉ ଏଣିକି ନ ତକା ।ପଦ ।ପୁଣି ରେ ଚାରିଭାଇ ଶୁଣି ଆସିଛ ଧାଇଁ;ଫେରାଇ ନେଇ ସୁତକୁ ବାନ୍ଧିବ ଜୟ-ପତାକା ।୧।ଏବେ ସେ ଆଶା ଛାଡ଼, ବାରୁଣାକୁ ବାହୁଡ଼;ପରଲୋକରେ ପାଇବ ଯାଇ ଅଭିମନ୍ୟୁ ଦେଖା ।୨।ରଣରୁ ଫେରି ପାର୍ଥ, ଶୁଣିଲେ ଏ ଚରିତ;ଗୁଣି ଗୁଣି ପୁତ୍ରମଣି ରହିଯିବ ହୋଇ ଥକା ।୩।ଉତ୍ତରାକରୁ ଚୁଡ଼ି, ଯାଇଁ ରେ ଦିଅ କାଢ଼ି;ଯୁଦ୍ଧ ଶେଷେ ଶୁଦ୍ଧ ହେବ ବଇଷ୍ଣବ ବୋଲେ ବକା ।୪।
ଯୁଧିଷ୍ଠିର – ହା ବତ୍ସ ! ମୁଁ ତୋତେ ହରାଇବସିଲି; ଆଉ କି ତୁ ପ୍ରାଣରେ ଥିବୁ ! ଏ ଯେ ଜୟଧ୍ୱନି ଏ ଆମ୍ଭର ବିପଦର କାରଣ । ଭାଇ ଭୀମ ! ମୁଁ କଣ କରୁ କରୁ କଣ କଲି ? ମୁଁ ସୁତକୁ ଜାଣୁ ଜାଣୁ ମରାଇଲି । ଜୟଦ୍ରଥର ଏ ପାପର ପ୍ରାୟଶ୍ଚିତ୍ତ ଦିନେ ନିଶ୍ଚୟ ହେବ । ଭାଇ ଅର୍ଜୁନ ଆସିଲେ ମୁଁ ତାକୁ କଣ କହିବି ? ସେ ଯେତେବେଳେ ଅଭିମନ୍ୟୁ କାହିଁ ବୋଲି ଖୋଜିବ; ହାୟ ମୁଁ ନ ମଲି କାହିଁକି ? ଚାଲ ଭାଇ, ବାରୁଣାକୁ ଫେରିଯିବା ଚାଲ ।
(ସମସ୍ତଙ୍କର ପ୍ରସ୍ଥାନ)(କୃଷ୍ଣ ଅର୍ଜୁନଙ୍କର ପ୍ରବେଶ । ଅର୍ଜୁନର କୃଷ୍ଣପ୍ରତି ଗୀତ)[ମନେପଡ଼ୁଛି ମୋ ସେହି ଚନ୍ଦ୍ରମୁଖ-ବୃତ୍ତେ]ଫେଡ଼ି କହ ସଖାଏତେ ଅମଙ୍ଗଳ କିପାଁ ଯାଏ ଦେଖ ।ପଦ ।ଦିବସେ କିପାଁ କୁହୁଡ଼ି ଚାହୁଁ ଚାହୁଁ ଆସେ ମାଡ଼ି ହେ ।ଗୃଧ୍ରପକ୍ଷୀ ଊର୍ଦ୍ଧ୍ୱଦେଶେ ଦେଉଅଛି ଚକା ।୧।କାଳଫଣୀ ଫଣା ଟେକି ଗରଜେ ପଥେ କାହିଁକି ହେ ।ବେନି ପାଶେ ରାବନ୍ତି ଶୃଗାଳ ମୁକା ମୁକା ।୨।ପୁଣି ବାମ ନେତ୍ରକୋଣ ସ୍ଫୁରେ କିପାଁ ନାରାୟଣ ହେ ।କ୍ଷଣେ କ୍ଷଣେ ନାଚିଉଠେ ମୋର ବାମପାଖ ।୩।ଏତେ ଅମଙ୍ଗଳ ଭାଇ, ଦିନେ ମୁହିଁ ଦେଖିନାହିଁ ହେ ।ବଇଷ୍ଣବ କହି ମୋତେ ଲାଗଇ ଆଶଙ୍କା ।୪।
କୃଷ୍ଣ – ଭାଇ ପାର୍ଥ, ଯଦି ବିଘ୍ନ ଘଟିଥିବ ପାଣ୍ଡବପକ୍ଷରେ, ଜଣାଯିବ ଏହିକ୍ଷଣି; ସବୁ ହେଲାଣି ତ ନଗର ତୋରଣେ; ଦେଖ ଭାଇମାନେ ତୋର ଅଶ୍ରୁପୂର୍ଣ୍ଣନେତ୍ରେ ଛାଡ଼ିହୋଇଅଛନ୍ତି କିପାଁ ? ପଚାର ଭାଇମାନଙ୍କୁ ଏହାର କାରଣ ।
(ଅର୍ଜୁନର ଗୀତ)[ଓ ହେ ପ୍ରାଣପତି କରି ଏଇ ବିନତି - ବୃତ୍ତେ]ହେ ଅଗ୍ରଜ ଆଜ କିପାଇଁ ରହିଅଛି ସର୍ବେ ମଉନ ହୋଇନୀରଜନୟନୁ ନୀରଧାର ଯାଉଅଛି ବହି ହେ ।ପଦ ।କୁରୁରାଜ ଦୁର୍ଯ୍ୟୋଧନ ଦେଲା କିସ ଅପମାନ ମୋତେ କହବହନ; ଚାହିଁଲେ ଭାଇମାନଙ୍କୁ ହୃଦୟ ହୁଅଇ ଦହି ।୨।କିପାଁ ନଅର ଭିତରେ ଅବଳାକୁଳ କାତରେ କରୁଛନ୍ତି କ୍ରନ୍ଦନ,ଭାଇ ବୃକୋଦର ମୋର ଅଭିମନ୍ୟୁ ଅଛି କାହିଁ ?ଡାକି ଡାକି ବାପା ବାପା ଧାଇଁ ଆସୁନାହିଁ କିପାଁ ।କିବା ଯାଇଛି ଖେଳି,ଅଳି କରନ୍ତା ପାଖରେ କାଖେ କାଖ ହେବାପାଇଁ ।୩।ଫିଟୁନାହିଁ କାହା ତୁଣ୍ଡ;କେଶବ ଏ କିସ କାଣ୍ଡ,ମୁଣ୍ଡ ଭ୍ରମିଯାଉଛି,ବଇଷ୍ଣବ ଭାଷେ ମୋତେ କିସ ବୁଦ୍ଧି ନ ଦିଶଇ ।୪।(ଭୀମର ଉତ୍ତର)[ଆଜି ଚାଣ୍ଡାଳ ଗାଳିଦେବ - ବୃତ୍ତେ]କି କହିବି ମୁହିଁ ତୋତେ ପାର୍ଥ ରେ; ସେ ଚରିତ ରେ ।ଯାହା କଲା ପାପିଷ୍ଠ ଜୟଦ୍ରଥ ରେ ।ଘୋଷା ।ପାଣ୍ଡବ ଆଶା-ତରଣି,ବୁଡ଼ାଇଲା ସିନ୍ଧୁମଣି ବୁହାଇଣ ନିର୍ଦ୍ଦୟ ମରୁତ ରେ ।୧।ଏଡ଼େ ପାଷାଣ ତା ହିଆ;ତିଳେନାହିଁ ଦୟାମାୟା, ଅଟେ କୁରୁକୁଳର କୃତାନ୍ତ ରେ ।୨।ମୂଳରୁ ହାଣିଲା ତରୁ, ସର୍ବେ ମନା କରୁ କରୁ,ରକ୍ଷା କରି ଚକ୍ରବ୍ୟୂହ ପଥ ରେ ।୩।ବଇଷ୍ଣବ ରସେ କହି, ଗଲୁ ଆମ୍ଭେ ଚାରିଭାଇ,ସମସ୍ତଙ୍କୁ କରିଲା ପରାସ୍ତ ରେ ।୪।ଅର୍ଜ୍ଜୁନ – ହା ପୁତ୍ର ଅଭିମନ୍ୟୁ ! (ପତନ)(କୃଷ୍ଣଙ୍କର ପ୍ରବୋଧନା)[ଆହା କୁମୁଦିନୀ କେଡ଼େ ସୁନ୍ଦରୀ- ବୃତ୍ତେ]ସଖା ଉଠ ଉଠ ଆଉ କାନ୍ଦନା ।ବୀରଧର୍ମ କର ପାଳନା ।ଆଉ ନିଜ କରମକୁ ନିନ୍ଦନା,ମର୍ତ୍ତ୍ୟେ କେ ନୋହି ଅମର ।ଘୋଷ ॥
ଧର ଗାଣ୍ଡୀବଧନୁ ଖାଣ୍ଡବଦାହି ପ୍ରଚଣ୍ଡ ତେଜେ ବିନାଶ ମୂଢେ ।ତାକୁ କେମନ୍ତେ ଦ୍ରୋଣ କରିବ ତ୍ରାଣ ତାର ସାହସ କେଡ଼େ ।କରି ପ୍ରତିଜ୍ଞା କୁରୁ ସମରେ ପଶ,ଦୁରାଚାର ଜୟଦ୍ରଥେ ପ୍ରାଣେ ନାଶ,ରଖ କ୍ଷତିରେ ଖ୍ୟାତି ଅଶେଷ,(ଆଉ) ନ ଫେରିବ କୁମର ତୋର ।୧।କେଡ଼େ ଦାରୁଣ ଶିଶୁ ପରାଣରହେ ନାଶିଲେ ଦୁଷ୍ଟ କୌରବ ବଳେ ।ତେଜି ମମତା ନିଜ କ୍ଷମତା ପରକାଶିଲେ ଏକାବେଳେ ।ଯେବେ କ୍ଷତ୍ରିୟ ରକତ ଥିବୁ ପାଇ;ପୁତ୍ରହନ୍ତା ପ୍ରତିଶୋଧ ନେବୁ ତୁହି,ଉଠ ବେଳ ଯାଉଅଛି ବହି, ବିପ୍ର ବଇଷ୍ଣବର ଗିର ।୨।(ଅର୍ଜୁନ ଚେତନା ପାଇ ପ୍ରତିଜ୍ଞା କରିବା)[ଯେଉଁ ହରି ହରି ପକାଉଛୁ ହୁରି-ବୃତ୍ତେ]ଆହା ଅଭିମନ୍ୟୁ ଭୁଲିବି କି ମନୁ ପିଣ୍ଡେ ପ୍ରାର ଥାଉଁ ତୋତେ ।ଆହା ବତ୍ସ ରେ ।ଦୁଷ୍ଟ ଜୟଦ୍ରଥ ଦେଲୁ ଏଡ଼େ କଷ୍ଟ ଅନ୍ୟାୟେ ବିନାଶି ସୁତେ ।ଆରେ ପାମର ।୧।ରେ ପାଷାଣ୍ଡ ତୋର ପରିତ୍ରାଣ ଅର୍ଜୁନ ବାଣମୁଖରୁ ।ଦୁଷ୍ଟ ଜାଣିଥା ।କାଲି କେଉଁଠାରେ ଲୁଚାଇବ ନେଇ ଦେଖିବି ସେ ଦ୍ରୋଣଗୁରୁ ।ଦୁଷ୍ଟ ଦେଖିବୁ ।୨।ଆହେ ପଦ୍ମଆକ୍ଷି ଥାଅ ତୁମ୍ଭେ ସାକ୍ଷୀ ଛୁଉଁଛି ଗାଣ୍ଡିବଧନୁ ।ହରି ଦେଖ ହେ ।କାଲି ଜୟଦ୍ରଥେ ଜୀବନେ ନାଶିବି ଅସ୍ତ ନହେଉଣୁ ଭାନୁ ।ହରି ଶୁଣ ହେ ।୩।ବ୍ରହ୍ମା, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ନର ନାଗକୁଳ ଯେତେ ।ସର୍ବେ ଶୁଣିଥାଅ ।୪।ଛୁଇଁ ତୋର ପାଦ କହୁଛି ଗୋବିନ୍ଦ ଜୟଦ୍ରଥ ପ୍ରାଣ ନେବି ।ନ ମାରିପାରିଲେ ସୂର୍ଯ୍ୟସ୍ତପୂର୍ବରୁ ନିଜେ ଅନଳେ ପଶିବି ।ହରି ଶୁଣ ହେ ।୫।ର୍ଭୂଭୂବଲୋକେ ସ୍ୱର୍ଗଲୋକେ ମହାଲୋକେ ଲୁଚିଲେ ଛାଡ଼ିବ ନାହିଁ ।ଆରେ ନାରକି ! ଜଳେ ସ୍ଥଳେ ଅନଳେ କି ଆଖଣ୍ଡଳେ ଠାବ ନ ପାଇବୁ କାହିଁ ।ଆରେ ନାରକି ।୬।ଛେଦିଲେ ତୋ ଶିର ପୁତ୍ରଶୋକ ମୋର ଦୂର ହୋଇଯିବ ଜାର !ଅଭିମନ୍ୟୁବଧ ପଦ ଶେଷ ଏଥୁ ଭଣେ ବୈଷ୍ଣବ ଚରଣ ।ଜନେ ଶୁଣିଥା ।୭।(ସମସ୍ତଙ୍କର ପ୍ରସ୍ଥାନ)
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ