ଉଦାହରଣ ସ୍ୱରୂପ
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୮ ମିନିଟ୍
- ଶବ୍ଦ
- ୧୩୫୬
- ସ୍ଥିତି
- ସାର୍ବଜନୀନ (Public domain)
‘‘ଧରାଧର ପୟୋଧରା ଧୀରାବୃନ୍ଦ, ପର୍ବ ଶର୍ବରୀଶ ଗର୍ବ ବିମର୍ଦ୍ଦନ ହାସ, ସ୍ୱର୍ଗସରଣୀ ବିଳାସିନୀ ଗର୍ଭଳସୀ ରାଜହଂସୀ ଗମନ ଶୋଭା” ଇତ୍ୟାଦିକୁ ପାଠକ ପଢ଼ି ଜାଣିବେ । ତାଙ୍କର ଏହି ରଚନାରେ ଅଶ୍ଳୀଳ ବର୍ଣ୍ଣନା ଗୋଟିଏ ଧାଡ଼ି ହେଲେ ସେ ରଖିନାହାନ୍ତି । ଯାହା ବା ଆଦିରସାତ୍ମକ ବର୍ଣ୍ଣନା ରହିଛି, ଏପରି ଶ୍ଲେଷରେ ବ୍ୟଞ୍ଜିତ ଯେ ବରଂ ତା ପଢ଼ି ଜଣେ ଯୋଗୀମଧ୍ୟ ଆନନ୍ଦ ପ୍ରକାଶ କରିବ । ଦ୍ୱିତୀୟ କଳାର ୧୨, ୧୩, ୧୪ ପଦଟିମାନ ପାଠକଲେ ପାଠକ ତାହା ସମଝିବେ ।
ଏହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର କବି ନିଶ୍ଚୟ ଯେ ସଂସ୍କୃତରେ ପଣ୍ଡିତ ଥିଲେ ଏହା କହିବା ଅନାବଶ୍ୟକ । କିନ୍ତୁ ରଚନାକୁ ସେ ଏପରି ନିଜସ୍ୱ କରିଛନ୍ତି ଯେ, ତାହା ଧରି ଦେବାର ସୁବିଧା ହୁଏ ନାହିଁ । ତେବେ ବହୁ ଆଲୋଚନାର ପରେ ପଣ୍ଡିତମାନେ ତାହା ନିଶ୍ଚୟ ଜାଣିଯିବେ । ସେ ପାଣିନୀଙ୍କ ବ୍ୟାକରଣଠାରୁ ଆରମ୍ଭ କରି ଅଳଙ୍କାର ଶାସ୍ତ୍ର, ଭେଷଜ ଶାସ୍ତ୍ର, ଜ୍ୟୋତିଶାସ୍ତ୍ର, ଭକ୍ତିଶାସ୍ତ୍ର ଏବଂ ନିଗୂଢ଼ ଦର୍ଶନ ଆଦିର ବହୁ ଉଦାହରଣ ଦେଇଛନ୍ତି । ସେ ସବୁ ପାଠକ ତାଙ୍କ ଗ୍ରନ୍ଥ ପାଠ କରି ନିଶ୍ଚୟ ଜାଣିବେ । ଉଦାହରଣ ଦେବା ନିଷ୍ପ୍ରୟୋଜନ ।
କବିତ୍ୱ ଏବଂ ପ୍ରତିଭା ଏକତ୍ର ଘନିଷ୍ଟ ନ ହେଲେ ଏପରି ପ୍ରଜ୍ଞା ଏବଂ କବିତ୍ୱ ପ୍ରକଟିତ ହେବା ଅସମ୍ଭବ ମନେ ହୁଏ । ରୁକ୍ମିଣୀ ପରିଣୟ ବିବରଣ ଆମେ ଦଶଥର ବିଭିନ୍ନ କାବ୍ୟ ପୁରାଣାଦିରୁ ପାଠ କରି ସାରି, ଯେବେ ଯଦୁମଣିଙ୍କ ରଚନା ପାଠକରୁଁ ତେବେ ଆମେ ତାହା ନୂଆ ପଢ଼ିଲୁ ବୋଲି ନିଶ୍ଚୟ ମନେ ହେବ ।
କବି ତାଙ୍କ କାବ୍ୟରେ ଶୃଙ୍ଗାର, କରୁଣ, ଶାନ୍ତ, ରୌଦ୍ର ବୀର, ଅଦ୍ଭୂତ, ହାସ୍ୟ, ଭୟାନକ, ବୀଭତ୍ସ ରସମାନଙ୍କୁ ଯେପରି ଯଥାସ୍ଥାନରେ ଅବସ୍ଥାନ୍ତର ଭେଦରେ ଖଞ୍ଜିଛନ୍ତି ସେପରି ସ୍ଥାୟୀ ଭାବର ଲକ୍ଷଣମାନ ଯଥା ରତି, ଶୋକ, ନିର୍ବେଦ, କ୍ରୋଧ, ଉତ୍ସାହ, ବିସ୍ମୟ, ହାସ୍ୟ, ଭୟ, ଜୁଗୁପ୍ସା ଆଦିକୁ ମଧ୍ୟ ସୁନ୍ଦର ଭାବରେ ଥୋଇପାରିଛନ୍ତି । ତାଙ୍କର ଅପଟାନ୍ତର ବର୍ଣ୍ଣନାରେ ଅର୍ଥାତ ଶବ୍ଦଗୁଣ ମଧ୍ୟରେ - ଶ୍ଲେଷ, ପ୍ରସାଦ, ସମତା, ମାଧୁର୍ଯ୍ୟ, ସୁକୁମାରତା, ଅର୍ଥବ୍ୟକ୍ତି, ଉଦାରତା, ଓଜ, କାନ୍ତି, ସମାଧି ସର୍ବତ୍ର ପୂରି ରହିଛି । ଏମନ୍ତ କି ଭାବ ବର୍ଣ୍ଣନାରେ ହର୍ଷ, ସ୍ମୃତି, ବ୍ରୀଡ଼ା, ମୋହ, ଧୃତି, ଶଦ୍ଧା, ଗ୍ଲାନି, ଦୈନ୍ୟ, ଚିନ୍ତା, ମଦ, ଶ୍ରମ, ଗର୍ବ, ନିଦ୍ରା, ମତି, ବ୍ୟାଧି, ତ୍ରାସ, ସୁପ୍ରି, ବିବୋଧ, ଅମର୍ଷ, ଅବହିତ୍ଥ, ଉଗ୍ରତା, ଉନ୍ମାଦ, ମରଣ, ବିତର୍କ, ବିଷାଦ, ଔତ୍ସୁକ୍ୟ, ଆବେଗ, ଜଡ଼ତା, ଆଳସ୍ୟ, ଅସୁୟା, ଅପସ୍ମାର, ଚପଳତା, ନିର୍ବେଦ, ଦେବପ୍ରୀତି ଆଦି ଖଞ୍ଜିବାରେ ସେ ଅତ୍ୟନ୍ତ ନିପୂଣ ସାମର୍ଥ୍ୟ ପ୍ରକାଶିତ କରିପାରିଛନ୍ତି ।
ଏପରି ବିଚାରବନ୍ତ ଭାବରେ ସେ ନାୟିକାମାନଙ୍କୁ ବର୍ଣ୍ଣନା କରିଛନ୍ତି ଯେ ଜଣାଯାଏ କାମଶାସ୍ତ୍ରରେ ତାଙ୍କର ଅସୀମ ଦକ୍ଷତା ଜନ୍ମିଥିଲା । ଅବଶ୍ୟ ରାଜକୁମାରୀଙ୍କୁ ପଦ୍ମିନୀ ଭାବରେ ଏବଂ ସଖୀମାନଙ୍କ ମଧ୍ୟରେ ଅନ୍ୟାନ୍ୟମାନଙ୍କୁ ଚିତ୍ରିଣୀ, ଶଙ୍ଖିନୀ ଭାବରେ ସେ ଚିତ୍ରିତ କରିଛନ୍ତି ।
ବିଶେଷ ଭାବରେ ଦେଖିବାର କଥା ଯେ ରୁକ୍ମିଣୀ ଯେଉଁ ପତ୍ରଖଣ୍ଡି କୃଷ୍ଣଙ୍କୁ ଲେଖିଛନ୍ତି, ତାହା ସାତଟି ପଦରେ ସଂପୂର୍ଣ୍ଣ । ଏବଂ ଏତେ ପ୍ରଲୋଭନୀୟ ଯେ ବଡ଼ ବଡ଼ ଗ୍ରନ୍ଥକର୍ତ୍ତାମାନଙ୍କର ଯେପରି ଏକ ଏକ ଅଂଶ ତଦ୍ୱାରା ତୁଣ୍ଡେ ତୁଣ୍ଡେ ଜନସମାଜରେ ରହି ଆସିଛନ୍ତି । ଏ ସବୁ ଏବେ ମଧ୍ୟ ଗ୍ରାମେ ଗ୍ରାମେ ତୁଣ୍ଡେ ତୁଣ୍ଡେ ବୋଲା ହେଉଥିବାର ଶୁଣାଯାଏ ।
ରୁକ୍ମିଣୀ କୃଷ୍ଣଙ୍କ ରୂପ, ଗୁଣାଦି ଭାଟଠୁଁ ଶୁଣି ତାଙ୍କଠାରେ ଆତ୍ମାର୍ପଣ କରି ଦେଇଥିଲେ । ଅବଶ୍ୟ କଂସବଧ, ଯୋଗୁଁ ଜରାସନ୍ଧ ଦୌରାତ୍ମ୍ୟରେ ଦ୍ୱାରକାପୁରୀର ନିର୍ମ୍ମାଣ ଆଦି ସେତେବେଳେ ପ୍ରଚାରିତ ହୋଇଥିଲା । କୃଷ୍ଣ ଜଣେ ପରମପୁରୁଷ ଏ ସମ୍ବାଦ ମଧ୍ୟ ଲୁଚି ନଥିଲା । ଶିଶୁପାଳ ଜଣେ ଘୃଣ୍ୟ, ଅତ୍ୟଚାରୀ ନିଷ୍ଠୁର ବ୍ୟକ୍ତି ବୋଲି ରୁକ୍ମିଣୀଙ୍କୁ ମଧ୍ୟ ଜଣାଥିଲା । ତେଣୁ ସେ ନିଜର ଭାଗ୍ୟ ନିଜେ ଗଢ଼ିବାକୁ ଯେତେବେଳେ ଗଲେ, କଣ କରିବେ ନାରୀର ଯେଉଁ ଗର୍ବଟିକକ ତାହା ଜଣେ ଅପରିଚିତ ପୁରୁଷଠାରେ ସମର୍ପି ଦେବାକୁ ବାଧ୍ୟ ହୋଇଥିଲେ । ତେବେ ସେ ତାହା ଅପାତ୍ରରେ ଦାନ କରି ନଥିଲେ । ତାଙ୍କ ଚିଠି ରଚନା ଏହିପରି -
ପ୍ରଥମ ପଦ -
ନିଗମ ବନିତାର ଫୁଲଗବା ଶିଖର
ମଂଜୁ ବଞ୍ଜୁଳ କଳିଗୁଚ୍ଛ
ପଦାଙ୍ଗୁଳିରୁ ଢ଼ାଳି ବ୍ରହ୍ମସଲୀଳ ଶୂଳି
ଗରଳ ଜ୍ୱଳା କଲ ତୁଚ୍ଛ
ହେ ଯଦୁବତ୍ସ !
ଧାତା ଚିନ୍ତାକୁ ହେଲ ସତ୍ସ୍ୟ
ସିନ୍ଧୁ ସିନ୍ଧୁକ ହେଲା ପୁଚ୍ଛ
ଶକ୍ର ଆର୍ତ୍ତ କର୍ତ୍ତନ କର୍ତ୍ତରୀ କଲବନ
ନର୍ତ୍ତନକାରୀ ହରି ଅଚ୍ଛ ହେ । ୬।୬ ।
ଶେଷପଦ -
ବ୍ୟାଜ ନୁହେ ଏ ଗୀର ତ୍ୟାଗ କରି ନପାର
ପୟର ପୁରାଣରେ ସ୍ୱଚ୍ଛ
ମଥା ପୋତିଲେ ବ୍ୟଥା ଲଭିବଟି ସର୍ବଥା
ମିଥ୍ୟା ଏ ନୁହନ୍ତି ଶ୍ରୀବତ୍ସ
ହେ ! କେକୀ ପୁଚ୍ଛ -
ମୁକୁଟ ! ନ କରିବ ମିଛ
ସଂକଟକୁ ମୋ ନାହିଁ କଚ୍ଛ
ତୁମ୍ଭଙ୍କୁ ଦେଲି ବହ ବହିବା ପାଇଁ ସ୍ନେହ
ବହି ତ ହୋଇଥିଲ କଚ୍ଛା । ୬।୧୨ ।
ପତ୍ର ଲିଖିତ ୭ଟି ପଦର ସାରାଂଶ ହେଳା - ’‘ହେ ଯଦୁବର ! ତୁମ୍ଭେ ଦିନେ ସ୍ୱ ଅଙ୍ଗୁଳି ଘାତରେ ଜଗତତ୍ପାବିନୀ ଗଙ୍ଗାଙ୍କୁ ଜନ୍ମାଇ ସେଥିରେ ଶିବଙ୍କ ଗରଳ ଜ୍ୱାଳା ନିବାରଣ କରିଥିଲ । ଦିନେ ମତ୍ସ୍ୟ ରୂପରେ ବ୍ରହ୍ମାଙ୍କ ବେଦକୁ ଅପାର ସମୁଦ୍ରରୁ ଉଦ୍ଧାର କରିଥିଲ, ପୁଣି ଦିନେ ଭୀତ ଇନ୍ଦ୍ରଙ୍କ ଲାଗି ମର୍କଟ ଓ ଭଲ୍ଲୁକଙ୍କ ସଙ୍ଗରେ ରହି ରାବଣ ବଧ କରିଥିଲ ସତ କିନ୍ତୁ ଏ କାର୍ଯ୍ୟରେ ତୁମର ପ୍ରଶଂସା କଣ ହେବ ? କାରଣ ତୁମ୍ଭେ ହରିହର ଏକାତ୍ମା ହେତୁ ଏକତନୁ । ତୁମ୍ଭ ନାଭୀ କମଳରୁ ବ୍ରହ୍ମା ଜନ୍ମିବାରୁ ସେ ତୁମର ତନୁଜ । ଇନ୍ଦ୍ର ଉପେନ୍ଦ୍ର ତୁମ୍ଭେ ଦୁଇଭାଇ ହେତୁ ଇନ୍ଦ୍ର ତୁମାର ଭାଇ । ତା ଛଡ଼ା ପ୍ରଳୟ ଘୁଞ୍ଚାଇ ତୁମ୍ଭେ ମାର୍କଣ୍ଡେୟଙ୍କୁ ଯେ ରକ୍ଷା କରିଥିଲ ସେଥିରେ ମଧ୍ୟ ତମର ପ୍ରଶଂସା ନାହିଁ । କାରଣ ତାଙ୍କୁ ତ ତୁମ୍ଭେ ତୁମଠୁ ସ୍ୱତନ୍ତ୍ର ଜଣେ ବୋଲି କହ ନାହିଁ । ପୁନଶ୍ଚ ଗୋପୀନୀଙ୍କ ପ୍ରେମରେ ମତ୍ତ ଥିବାରୁ ଗୋବର୍ଦ୍ଧନ ଯାହା ଧରିଥିଲ, ଏଥିରେ ବା କି ପ୍ରଶଂସା ତୁମର ଅଛି ? ହସ୍ତୀକୁ ରକ୍ଷା କଲ ବୋଲି ଲୋକେ ପ୍ରଶଂସା କରିଥାନ୍ତି । ମୁଁ ଭାବୁଛି ତୁମ୍ଭେ କାନ୍ତା (ନାରୀ) ସ୍ନେହୀ ଥିବାରୁ ହସ୍ତୀଠାରେ ଧୀର ଗମନ ଦେଖି ତାକୁ ନିଶ୍ଚୟ ରକ୍ଷା କରିଚ । ଏଠି କିଏ କହିପାରେ, କୁବଳୟା ତ ପୁଣି ଏକ ଗଜ ଥିଲା । ତା’ର କ’ଣ ଧୀର ଗମନ ନ ଥିଲା କି ? ତାକୁ ତା ଦାନ୍ତ ଉପାଡ଼ି କିଆଁ ମାଇଲ ? ମନେ ହୁଏ ଯେଉଁ ଗଜକୁ ତୁମେ ରଖିଲ ସେ ରଖ ରଖ ବୋଲି କରୁଣ ଧ୍ୱନି କରିଥିଲା । ଏଥିରୁ ଜଣାଗଲା ତୁମ୍ଭଙ୍କୁ ଭକ୍ତିରେ ନ ଡାକିଲେ ତୁମ୍ଭେ ନାରୀ ସ୍ନେହୀ ଭାବରେ ନାରୀର ଲକ୍ଷଣ ଦେଖି ମଧ୍ୟ ଦୟାର୍ଦ୍ର ହୋଇ ନ ଥାଅ । ବସ୍ତୁତଃ ନାରୀ ପ୍ରତି ପୁରୁଷ ସର୍ବତ୍ର ଆକାଙ୍କ୍ଷୀ ହୋଇଥାଏ । କିନ୍ତୁ କଣ କରିବି ଏପରି ଅସୁବିଧାରେ ମୁଁ ପଡ଼ିଛି ଯେ ତୁମ୍ଭଙ୍କୁ ବୋଧହୁଏ ଭକ୍ତିରେ ନ ଡାକିଲେ ତୁମ୍ଭେ ମୋ ଡାକ ଶୁଣିବ ନାହିଁ । ତେବେ ଶୁଣ - ନାଦେ ସଫା ମତେ ଆଶୀର୍ବାଦ କଲେ ଯେ ମୁଁ ତୁମକୁ ଲଭିବି । ଭାବୁଛି, ସତରେ ତାଙ୍କ ପରି ଦେବର୍ଷିଙ୍କ ବଚନ କଣ ମିଥ୍ୟା ହେବ ? - ମୋ ଜୀବ ବୃକ୍ଷକୁ କଣ ଶିଶୁପାଳ ରୂପକ ଜ୍ୟେଷ୍ଠ ମାସର ଗ୍ରୀଷ୍ମରେ ପୋଡ଼ି ଦିଆଯିବ ? ମୋର ଆଶା, ତୁମ୍ଭେ ନିଶ୍ଚୟ ନବୀନ ମେଘ ହୋଇ ବର୍ଷାଦିନରେ ମୋତେ ବଞ୍ଚାଇବ । ମନେ ରଖ, ଗୋଟିଏ ଅନ୍ତଃପୁରଚାରିଣୀ ଯୁବତୀର ଏହା କେବେ କାପଟ୍ୟ ନୁହେଁ । ମୁଁ ତୁମର ପିଲା ଦିନର କଥା ସବୁ ବହୁତ ଶୁଣିଛି । ତେଣୁ ଜାଣିଛି ଯେ - ତୁମ୍ଭେ କେବେ ଜଣେ ଅସହାୟା ଯୁବତୀ ପ୍ରତି ନିର୍ଦ୍ଦୟ ହେବନି । ତେଣୁ ଗୋଟିଏ ସରଳା ବାଳିକାର ଭାର ତୁମ୍ଭେ ବହନ କର । କାରଣ ମହା ଭାର ବହନରେ ତୁମ୍ଭେ ଯେ ଦିନେ କଚ୍ଛପ ରୁପ ଧରିଥିଲ ? ନ ହେଲେ ମୋର ମୃତ୍ୟୁ ସୁନିଶ୍ଚିତ ଜାଣିବ ।
ରୂପ ଗର୍ବିଣୀ ରମଣୀ କେବେ କାହାକୁ ସ୍ୱାମୀ ରୂପେ ପାଇବା ଲାଗି ନିବେଦନ କରି ନ ଥାଏ । ଅବା ସାବିତ୍ରୀଙ୍କ ପରି ବରଣ କରିଥାଏ । କିନ୍ତୁ ଘଟଣା ଚକ୍ରରେ ମୃତ୍ୟୁ ବରଣ କରିବା ଅପେକ୍ଷା ଏପରି ନିବେଦନ କରିବାକୁ ରୁକ୍ମିଣୀ ସମୀଚୀନ ବୋଲି ମନେ କରିଛନ୍ତି ।
ଏହି କାବ୍ୟ ଗ୍ରନ୍ଥର ବିଭିନ୍ନ ପ୍ରୟୋଗରେ ଏକାକ୍ଷର, ସଡ଼ଷ୍ଠକ, ନିରୋଷ୍ଠକ, ଅବନା ପ୍ରଭୃତି ଶବ୍ଦାଳଙ୍କାରର ଉଦାହରଣ ନ ଥାଇପାରେ; କିନ୍ତୁ ଉପମା, ଅନୁପ୍ରାସ, ଯମକ, ଶ୍ଳେଷ, ଅଦଭୁତୋପମା, ଅନ୍ତର୍ଲିପି, ବହିର୍ଲିପି ଆଦି ଦେଇ ଗ୍ରନ୍ଥକର୍ତ୍ତା ନିଜ ଗ୍ରନ୍ଥରେ ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ ବୈଚିତ୍ର୍ୟ ସୃଷ୍ଟି କରି ପାଠିକା ପାଠକମାନଙ୍କୁ ମୁଗ୍ଧ ଓ ମୋହିତ କରି ପାରିଛନ୍ତି ।
ଏହି ଗ୍ରନ୍ଥରେ କବି ନିଜକୁ ଶୁଦ୍ର ବୋଲି ବର୍ଣ୍ଣିତ କରି ତାଙ୍କର ମୁଖୋଚ୍ଛିଷ୍ଟ ସ୍ୱରୂପ କବିତାମାନ ସର୍ବସାଧାରଣ ଗ୍ରହଣ କରିବାର ଯେଉଁ ଯୁକ୍ତି ଦେଇଛନ୍ତି ତାହା ଏ ଗ୍ରନ୍ଥରେ ବହୁ ସ୍ଥାନରେ ବର୍ଣ୍ଣିତ ହୋଇଅଛି । ସେଥିରୁ ତାଙ୍କର ମାହାତ୍ମ୍ୟ ପ୍ରତିପାଦିତ ହେବ ।
ପୁନଶ୍ଚ ଏହି କାବ୍ୟ ପ୍ରବନ୍ଧ-ପୂର୍ଣ୍ଣଚନ୍ଦ୍ର ଘେନି ସ୍ୱନାମଧନ୍ୟ ପଣ୍ଡିତ ବିନାୟକ ମିଶ୍ର ଯେପରି ଆଲୋଚନା କରିଛନ୍ତି, ପାଠ କଲେ ତାହା ପାଠିକା ଏବଂ ପାଠକମାନେ କବିଙ୍କର ଏକ ବିଶେଷ ମହତ୍ୱ ଉପଲବ୍ଧି କରିପାରିବେ । ତେଣୁ ଏଥିରେ ତାହା ଉଦ୍ଧାର କରାଗଲା ।
ସେ ଲେଖିଛନ୍ତି -
‘‘ଶ୍ଲେଷାଳଙ୍କାର, ଯଦୁମଣି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ବହୁଳ ପରିମାଣରେ ବ୍ୟବହାର କରିଅଛନ୍ତି । ବୃକ୍ଷ ଓ ଋଷି ଉଭୟ ନାମବାଚକ ଏକ ଏକ ଶବ୍ଦକୁ ରୈବତ ପର୍ବତର ବର୍ଣ୍ଣନାରେ ବ୍ୟବହାର କରିଅଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଏକ ଶବ୍ଦ ବୃକ୍ଷ ଓ ଋଷି ଉଭୟ ନାମବାଚକ ହେବାର କାରଣ କଣ ? ବୌଦ୍ଧ ସନ୍ନ୍ୟାସୀମାନଙ୍କୁ କେତେକ ବୃକ୍ଷ ମୂଳରେ ବାସ କରିବା ପାଇଁ ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଅଛି । ଏଣୁ ଅନୁମିତ ହୁଏ ଯେ ଯେଉଁ ଋଷି ଯେଉଁ ବୃକ୍ଷମୂଳରେ ବାସ କରୁଥିଲେ ସେହି ଋଷିଙ୍କ ନାମ ଅନୁସାରେ ସେହି ବୃକ୍ଷର ନାମକରଣ ହୋଇଅଛି । ଏହିପରି ଭକ୍ତ ସୂତ୍ର ପ୍ରଣେତା ଋଷିଙ୍କ ନାମ ଶାଣ୍ଡିଲ୍ୟ ଓ ବେଲଗଛର ନାମ ସାଣ୍ଡିଲ୍ୟ ।
ମାତଙ୍ଗ କୁମ୍ଭ ଅଗସ୍ତୀ ସଂସଗୀ
ଭୃଗୁ କଚିଳ ମରିଚ ସରାଗୀ
ଶାଣ୍ଡିଲ୍ୟେ କଉଶିକ ଡ଼ାକେ ବ୍ୟାସ
ଭରଦ୍ୱାଜ ଶୁକ ହାରିତ ବଂଶ ସେ
ବରାହ ରୋମାଞ୍ଚ ସଙ୍ଗ ଯେ
ରାମ ଶତାନନ୍ଦ ପବତ ବିଦିତ
ଜନକ ସଂସାର ଭଙ୍ଗ ଯେ ।
(ପଣ୍ଡିତ ମିଶ୍ର ତାଙ୍କ ଲେଖାରେ ଏହି ପଦଟି ଦେଇ ନାହାନ୍ତି କିନ୍ତୁ ଏହି ପଦ ଲକ୍ଷରେ ସେ ଲେଖିଥିବାରୁ ଏଠାରେ ଉଦ୍ଧାର କରାଯାଇଛି । ଏହାର ଟୀକା ଗ୍ରନ୍ଥରେ ଦ୍ରଷ୍ଟବ୍ୟ - ଛା ୧−୧୪ ପୃଷ୍ଠା)
‘ନାୟିକାର ବନବିହାର ପ୍ରସଙ୍ଗରେ ଯଦୁମଣି ଯେପରି ଶ୍ଳେଷାଳଙ୍କାର ବ୍ୟବହାର କରିଅଛନ୍ତି, ସେପରି ଅର୍ଥ - ବିଶିଷ୍ଟତାର ଶ୍ଲେଷ ଅନ୍ୟ କୌଣସି କାବ୍ୟରେ ବୋଧହୁଏ ନାହିଁ ।
କେ କହିଲା ନାଗେଶ୍ୱର ପଦ୍ମତୋଳା
ବିଦ୍ୟାରେ ନରେନ୍ଦ୍ର ମୁଁ ଅଟେ
ଶୁଣି ବେନି ଅଥ ମଣି ରମଣୀଏ
ବେନି ଅର୍ଥକୁ ରଖି ରଟେ
ତେବେ ଭୋଗୀର
ବିହାର ବିଧାନ କରିବୁ
ରଜନୀ କର ଚାଳିଲେ ସେ ନାଗର ଉଗ୍ର ପରିତାପ ହରିବୁ ।
‘‘ନାଗେଶ୍ୱର ଓ ପଦ୍ମଫୁଲ ତୋଳିବା ବିଦ୍ୟା ଏବଂ ନାଗେଶ୍ୱର ବଜାଇବା ଓ ପଦ୍ମତୋଳା ଗାଇବା ବିଦ୍ୟା । ଭୋଗୀ−ବିଳାସୀ ଓ ସର୍ପ, ବିଳାସୀର ଫୁଲ, ସର୍ପର ବାଜାଗୀତ ଲୋଡ଼ା । ରଜନୀକର ଚାଲିଲେ - ଚନ୍ଦ୍ର ଚାଳନା କଲେ ଓ ଧୂଳି ସମୂହ (ରଜନିକର) ମନ୍ତ୍ର ଫିଙ୍ଗିଲେ । ନାଗ−ରସିକର ଓ ସର୍ପର ।
‘‘ଅନ୍ୟାନ୍ୟ କବିଙ୍କ ପରି କେବଳ ଫୁଲ ଓ ଶିବ ଅର୍ଥରେ ଯଦୁମଣି ‘ନାଗେଶ୍ୱର’ ଶବ୍ଦ ବ୍ୟବହାର କରି ନାହାନ୍ତି । ଆହୁରି ଭିନ୍ନ ପ୍ରକାରର ଶ୍ଲେଷ ମଧ୍ୟ ତାଙ୍କ କାବ୍ୟରେ ଦେଖାଯାଏ ।
ଶଙ୍କର ପର−ଜରେ ପଡ଼ିରହିଲେ ଯୋଗ ଆଶାବରୀ ଗଉରୀ
ଲଳିତ ବସନ୍ତ ଭୈରବ ଦେବାରୁ ବହିବ କୋଳାହଳ ପୁରୀ
ମାଳବରେ ଯେ, ହୋଇବ ଶଙ୍କରାଭରଣ
ବିଷ ଆହାରି ହୋଇବୁ ନ ଭେଟିଲେ ମୋହନ ମଙ୍ଗଳ କଲ୍ୟାଣ !
ଶଙ୍କରପର−ଜରେ−କାମଜ୍ୱରରେ, କେବଳ ଆଶକୁ ବରଣ କରିବା ଘେନି (ଆଶାବରୀ) ଗୌରୀ ବା ପାର୍ବତୀ ପଡ଼ି ରହିଥିଲେ । (ସେପରି ପଡ଼ି ରହିଲେ ଏ ନାୟିକା ପାର୍ବତୀ ହେବ । କିନ୍ତୁ ଲଳିତ ବସନ୍ତ ଋତୁ ଭୈରବ (ଭୟ) ଦେବାରୁ ଏ ପୁରୀରେ କୋଳାହଳ ପଡ଼ିଛି । ମାଳ−ଶ୍ରେଷ୍ଠଦ୍ୱାରା ଶିବଙ୍କର ଅଳଙ୍କାର ହେବ । ମଙ୍ଗଳ କଲ୍ୟାଣ ମୋହନଙ୍କୁ ନ ଭେଟିରେ ବିଷାହାରୀ ହେବୁ ବା ବିଷ ଖାଇବୁଁ । ଏହି ସାଧାରଣ ଅର୍ଥ ଛଡ଼ା ଶଙ୍କର ପରଜ ରାଗରୁ କିପରି ଆଶାବରୀ ଓ ଗୌରୀ, ଲଳିତ ବସନ୍ତ ରାଗରୁ ଭୈରବ ପ୍ରଭୃତି ରାଗର ଉତ୍ପତ୍ତି ଘଟେ, ତହିଁର ସୂଚନା ମଧ୍ୟ ଅଛି । ସଙ୍ଗୀତଜ୍ଞମାନେ ଏହାକୁ ଆଲୋଚନା କରିବା ଉଚିତ ।”
(ଓଡ଼ିଆ ସାହିତ୍ୟର ଇତିହାସ ।)
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ