ତିନୋଟି ବାଳକ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୪
- ସ୍ଥିତି
- ସାର୍ବଜନୀନ (Public domain)
ଜୟପୁର ଗ୍ରାମର ତିନୋଟି ବାଳକ ମୌଦା ଗ୍ରାମର ସ୍କୁଲରେ ପଢ଼ୁଥିଲେ । ଜୟପୁର ମୌଦାଠାରୁ ଚାରି ପାଞ୍ଚ କୋଶ ଦୂର । ସେଥିପାଇଁ ସେହି ବାଳକମାନେ ସ୍କୁଲର ଛାତ୍ରାବାସରେ ବସା କରି ରହିଥିଲେ । ସେହି ବାଳକମାନଙ୍କର ନାମ ମାଧବ, ଗୋବିନ୍ଦ ଓ ଦୀନବନ୍ଧୁ । ଦିନେ ମାଧବ-ମା’ ତା ପାଇଁ କେତେଗୁଡ଼ିଏ ମଣ୍ଡାପିଠା ପଠାଇ ଦେଇଥିଲେ । ମାଧବ ତାହା ପାଇ ଲୋଭରେ ଗୋଟିଏ ଗୋଟିଏ କରି ଅଧଘଣ୍ଟା ମଧ୍ୟରେ ସବୁ ପିଠାଯାକ ଖାଇପକାଇଲା; କିନ୍ତୁ ଅଳ୍ପକ୍ଷଣ ପରେ ତା ଦେହ ଅସୁସ୍ଥ ହୋଇପଡ଼ିଲା । ପେଟ ଟାଣିଲା, ବାନ୍ତି ହେଲା ଓ କେତେଥର ଯାଏ ଝାଡ଼ାହେଲା । ତାହା ଦେଖି ଶିକ୍ଷକ ମହାଶୟ ବୈଦ୍ୟକୁ ଡକାଇ ଆଣିଲେ । ବୈଦ୍ୟକୁ ତିନି ଚାରି ଦିନଯାଏ ଔଷଧ ଦେବାରୁ ମାଧବର ଦେହ ସୁସ୍ଥ ହେଲା ।
ଆଉ ଦିନେ ଗୋବିନ୍ଦର ମା’ ମଧ୍ୟ ତା ପାଇଁ କେତେ ଗୁଡ଼ିଏ କାକରାପିଠା ପଠାଇଦେଲେ । ଗୋବିନ୍ଦ ବଡ଼ ସାବଧାନ । ସେ ମାଧବର ପୀଡ଼ା କଥା ଜାଣିଥିଲା । ସେଥିପାଇଁ ସେ ପିଠାଗୁଡ଼ିକ ଏକାବେଳକେ ନ ଖାଇ ସେଗୁଡ଼ିକ ପେଡ଼ିରେ ବନ୍ଦ କରି ରଖି ପ୍ରତିଦିନ ଗୋଟାଏ ଲେଖାଏଁ ଖାଇଲା । ସେହିପରି ପାଞ୍ଚ ଛଅ ଦିନ ଗଲା । ତହିଁ ଉତ୍ତାରେ ବାକି ପିଠାଗୁଡ଼ିକ ଗନ୍ଧେଇଯିବାରୁ ଗୋବିନ୍ଦ ଆଉ କ’ଣ କରିବ, ସେଗୁଡ଼ିକ ଫୋପାଡ଼ି ଦେଲା ।
ଆଉ ଦିନେ ଦିନବନ୍ଧୁର ମା’ ତା ପାଇଁ କେତେଗୁଡ଼ିଏ ଆରିଷାପିଠା ପଠାଇଦେଲେ । ଦୀନବନ୍ଧୁ ସଙ୍ଗୀ ବାଳକମାନଙ୍କୁ ଆଦରରେ ଡାକି ଅଧେ ପିଠା ସେମାନଙ୍କୁ ଖୁଆଇଲେ, ନିଜେ ମଧ୍ୟ ଖାଇଲେ । ବାକି ପିଠା ରଖିଦେଲା । କିଛିକ୍ଷଣ ପରେ ଗୋଟିଏ ବୁଢ଼ା ଅନ୍ଧ ଛାତ୍ରାବାସର ଦ୍ୱାରକୁ ଆସି ଗୀତ ଗାଇଲା । ବାଳକମାନେ ଘର ଭିତରୁ ଆସି ତାହାର ଗୀତ ଶୁଣିବାକୁ ଲାଗିଲେ । ଦୀନବନ୍ଧୁ ଦେଖିଲା, ଅନ୍ଧ ଲୋକଟି ଗୀତ ଗାଉଅଛି । ଏଣେ ପୁଣି ତା ଆଖିରୁ ଲୁହ ବୋହିଯାଉଛି । ଦୀନବନ୍ଧୁ ଅନ୍ଧକୁ ପଚାରିଲା, ତୁମେ କାହିଁକି କାନ୍ଦୁଚ ? ଅନ୍ଧ କହିଲା, ମୋର କେହି ନାହିଁ, ମୋର ଭେଣ୍ଡା ପୋଷିଲା ପୁଅ ଦୁଇମାସ ହେଲା ମରିଯାଇଅଛି, ମୁଁ ଦ୍ୱାର ଦ୍ୱାର ଭିକ ମାଗି ବୁଲୁଚି । କାଲିଠାରୁ କିଛି ଖାଇନାହିଁ । ଦୀନବନ୍ଧୁ ସେହିକ୍ଷଣି ଘର ଭିତରକୁ ଚାଲିଯାଇ ବାକି ପିଠାତକ ଆଣି ଅନ୍ଧକୁ ଦେଲା । ମହାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ବୋଲି କହି ଅନ୍ଧ ଆନନ୍ଦରେ ପିଠାଗୁଡ଼ିକ ଖାଇଲା-। ଦୀନବଦ୍ଧୁ ମଧ୍ୟ ବଡ଼ ଖୁସି ହେଲା । ସେ ଯେବେ ଆପେ ଖାଇଥାନ୍ତା, ତାହାର ଏତେ ଆନନ୍ଦ ହୁଅନ୍ତା ନାହିଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ