ସୁକୁରିଆ ରାଉତ
୧୮୯୮–୧୯୬୫
- ସଂକଳନ: ଈଶ୍ୱରଙ୍କ ପାଖକୁ ଚିଠି
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୨୭
- ସ୍ଥିତି
- ସାର୍ବଜନୀନ (Public domain)
ସୁକୁରିଆ ଚିଠି ଖଣ୍ଡିକ ଲେଖି ସାରି ଦିଗଫାଣ୍ଡି ଡାକଘର ଦୁଆରେ ଯାଇ ପହଞ୍ଚିଲା । ସେଠାରେ ଡାକବାଲାକୁ ଦେଖି କହିଲା–‘‘ଏ ଚିଠିଟି ମୋର ନିଅ । ଈଶ୍ୱରଙ୍କର ପୂରା ଠିକଣା ମୋତେ ଜଣା ନାହିଁ । କିଏ କିଏ କହୁଛନ୍ତି ତାଙ୍କ ଠିକଣା–ମୁ । ସ୍ୱର୍ଗ, ପୋ:ଅ:ସ୍ୱର୍ଗ, ଜିଲ୍ଲା : ବୈକୁଣ୍ଠ-। ତୁମେ ଠିକ୍ ଜାଣିଥିଲେ କହ । ଡାକବାଲା ନା, ତୁମେ ଜାଣିଥିବ ।’’
ସୁକୁରିଆର ଏ କଥା ଶୁଣି ଦିଗଫାଣ୍ଡିର ଡାକବାଲା ଟିକିଏ ହସିଲା । କହିଲା - ‘‘ଆରେ ଓଲୁ, ଆମ ଏ ଆଡ଼ର ଚିଠି କ’ଣ ଈଶ୍ୱରଙ୍କ ପାଖକୁ ଯାଏ ? ତୁ ତାଙ୍କୁ ନିଜେ ଯାଇ କହ, ନ ହେଲେ ଆଉ କାହା ହାତରେ ପଠା’ । ଡାକରେ ଏ ଚିଠି ଯାଇ ପାରିବ ନାହିଁ ।’’
ଡାକବାଲାର ମୁହଁରୁ ଏ କଥା ଶୁଣି ସୁକୁରିଆ ଭାରି ରାଗିଯାଇ କହିଲା - ‘‘ତୁମେ ତ ଭାରି ଜାଲିଆ ଲୋକ ଦେଖୁଚି ! ତୁମେ କ’ଣ ରଜାଘର ଦରମାଖିଆ ଚାକର କି ? ଏ ଜମିଦାରି ଭିତରେ ତ କେହି ଭଲ ଲୋକ ନାହାନ୍ତି ବୋଲି ଚିଠି ମୁଁ ଖୋଦ ଈଶ୍ୱରଙ୍କ ପାଖକୁ ପଠାଉଚି; ଆଉ କହୁଚ କ’ଣ ନା, କାହା ହାତରେ ପଠାଅ ! ତୁମେ ବଡ଼ ଖରାପ ଲୋକ, ବୁଝୁଚି ।’’
ବାହାରେ ଡାକବାଲା ଓ ସୁକୁରିଆର ଏପରି କଥାବାର୍ତ୍ତା ଘର ଭିତରେ ଡାକମାଷ୍ଟର ବାବୁ ଶୁଣିପାରି ବାହାରକୁ ଆସିଲେ । ସେ ମନେ ମନେ ହସି, ଡାକବାଲାକୁ ଠାରି ଆଡ଼େଇ ଦେଇ ସୁକୁରିଆକୁ ଚାହିଁ କହିଲେ–
‘‘ଆଚ୍ଛା, ଶୁଣ ଶୁଣ । ସେ କିଛି ଜାଣେ ନାହିଁ । ମୁଁ ଠିକଣା ଲେଖି ଦେବି-। ତୁମ ଚିଠି ନିଶ୍ଚୟ ଈଶ୍ୱରଙ୍କ ପାଖକୁ ପଠାଯିବ ।’’
ସୁକୁରିଆ ଖୁବ୍ ଆଗ୍ରହପୂର୍ଣ୍ଣ ଦୃଷ୍ଟିରେ ଡାକମାଷ୍ଟରଙ୍କୁ ଚାହିଁ ପଚାରିଲା–
‘‘ଯିବ ? ପଠାଇ ଦେବ ! କ’ଣ ରେଜିଷ୍ଟ୍ରୀ କରିବ ନା ବେରିଂରେ ପଠାଇବ ?’’
ଡାକମାଷ୍ଟ୍ର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ–‘‘ରେଜିଷ୍ଟ୍ରୀ ହେବ । ରେଜିଷ୍ଟ୍ରୀ ନ କଲେ ତୁମ ଚିଠି କୁଆଡ଼େ ଭୁଲ୍ରେ ଯାଇପାରେ । ଦିଅ, ଚିଠି ଦିଅ ।’’
ସୁକୁରିଆର ଆନନ୍ଦର ସୀମା ରହିଲା ନାହିଁ । ସେ ଚିଠିଟି ଡାକମାଷ୍ଟ୍ରଙ୍କ ହାତକୁ ବଢ଼ାଇ ଦେଇ ପଚାରିଲା–‘‘ଆଚ୍ଛା, ଏଥିରେ କେତେ ପଇସା ଲାଗିବ ?’’
ଡାକମାଷ୍ଟ୍ର କହିଲେ–‘‘କେତେ ଲାଗିବ ? ସ୍ୱର୍ଗ ତ ଏଠାକୁ ଅନେକ ବାଟ । ଏତେ ବାଟକୁ ଡାକ ଟିକଟ ଅନେକ ଲାଗନ୍ତା । ମାତ୍ର ଈଶ୍ୱରଙ୍କ ପାଖକୁ ଯିବ ନା; ତାଙ୍କ ଚିଠିରେ ଟିକଟ ଲାଗେ ନାହିଁ, ବିନା ଟିକଟରେ ରେଜିଷ୍ଟ୍ରୀ ହୁଏ । ତେଣୁ ତୁମ ଚିଠିଟି ମାହାଳିଆ ଯିବ ।’’
ସୁକୁରିଆ ଏ କଥା ଶୁଣି ଭାରି ଖୁସି ହୋଇଗଲା । ଡାକବାଲା ଆଡ଼କୁ ମୁହଁ ବୁଲାଇ ଟିକିଏ ଥଟ୍ଟା କରି ହସିଦେଲା । ତା’ପରେ ଡାକମାଷ୍ଟ୍ରଙ୍କୁ ଏକ ଦଣ୍ଡବତ ହୋଇ ଖୁସିରେ ଗୀତ ଗାଇ ଗାଇ ଗାଁକୁ ଫେରିଗଲା ।
ଦିଗଫାଣ୍ଡି ଡାକମାଷ୍ଟ୍ର ବାବୁଟି ଭାରି ବୁଦ୍ଧିଆ ଲୋକ । ସେ ସୁକୁରିଆର ଚିଠିଖଣ୍ଡିକ ବଡ଼ଗଣ୍ଡ ରଜାଙ୍କ ପାଖକୁ ପଠାଇ ଦେଲେ । ରଜାଙ୍କ ଦରବାରରେ ଚିଠି ପଢ଼ାଗଲା । ସେଠାରେ ତାହା ଯେ ଶୁଣିଲା ସେ ହସିଲା । ବଡ଼ଗଣ୍ଡ ରଜା ବଡ଼ ଅତ୍ୟାଚାରୀ ରଜା । ଚାରିଆଡ଼େ ତାଙ୍କ ଦୁର୍ନାମ ଶୁଣାଯାଉଥିଲା । ସେଥିରୁ ସେ ରକ୍ଷା ପାଇବାକୁ ବାଟ ଖୋଜୁଥିଲେ । ଚିଠି ଶୁଣି କହିଲେ–‘‘ଲୋକଟା ଭାରି ସାଦାସିଧା, ସରଳ । ଆଚ୍ଛା, ତାକୁ ଆମ ଭଣ୍ଡାରରୁ କିଛି ଟଙ୍କା ଦେବା । ତାହା ହେଲେ ଆମେ ବଡ଼ ଦୟାଳୁ ରଜା ବୋଲି ଚାରିଆଡ଼େ ପ୍ରଚାର ହେବ ।’’ ଏହା କହି ସେ ଶହେଟି ଟଙ୍କା ମଞ୍ଜୁର କଲେ । ଏଥିରେ ମନ୍ତ୍ରୀ ଓ ପାଖ ଲୋକେ ଆପତ୍ତି ଉଠାଇ କହିଲେ–‘‘ଶହେ ଟଙ୍କା ବେଶୀ ହୋଇଗଲା ।’’ ରଜା ତହୁଁ ପଚାଶ ମଞ୍ଜୁର କଲେ । ବିଚାରିଲେ, ଶହେ ହେଉ ବା ପଚାଶ ହେଉ, ଗରିବ ପ୍ରଜାଙ୍କର ହଠାତ୍ ପ୍ରିୟ ହେବାପାଇଁ ଏ ଗୋଟାଏ ଭଲ ବାଟ ।
ଏହି ଘଟାଣାର ସାତଦିନ ପରେ ବଡ଼ଗଣ୍ଡ ରଜାଙ୍କ ପାଖେ ଆଉ ଖଣ୍ଡିଏ ଚିଠି ଆସି ପହଞ୍ଚିଲା । ସେହି ଚିଠି ଖଣ୍ଡିକ ସେହି ସୁକୁରିଆ ଈଶ୍ୱରଙ୍କ ପାଖକୁ ଲେଖିଥିଲା । ସେଥିରେ ଲେଖାଥିଲା–
ପ୍ରିୟ ଈଶ୍ୱର,
ତୁମେ ପଠାଇଥିବା ଟଙ୍କା ପାଇ ତୁମକୁ ଧନ୍ୟବାଦ ଦେଉଚି । ତୁମେ ମୋତେ ଏଣିକି କେବେ ସାହାଯ୍ୟ କଲେ ଟଙ୍କାଟାକୁ ସିଧା ସିଧା ମୋ ପାଖକୁ ପଠାଇବ । କାରଣ, ଆମର ରଜା ସବୁଥିରେ ଅଧେ ନିଜେ ରଖି ଅଧେ ରଇତଙ୍କୁ ଦିଅନ୍ତି । ଆମ ବିଲରେ ଧାନ ହେଲେ ସେ ନିଅନ୍ତି ଅଧେ, ଆମେ ନେଉ ଅଧେ । ଅଧେ ନ ନେଇ ସେ କେବେହେଲେ ଛାଡ଼ନ୍ତି ନାହିଁ । ଆଜି ମୁଁ ଯେଉଁ ପଚାଶ ଟଙ୍କା ପାଇଲି, ସେ ନିଶ୍ଚେ ଅଧେ ରଖି ଏତକ ପଠାଇଛନ୍ତି । ଆରଥର ଟଙ୍କା ପଠାଇଲା ବେଳକୁ ତୁମେ ଟିକିଏ ତଦନ୍ତ କରି ବୁଝିବ, ଆମେ ବଡ଼ଗଣ୍ଡ ଜମିଦାରୀର ପ୍ରଜାମାନେ ରଜାଙ୍କୁ ଅଧାକୁ ଅଧା ଭାଗ ଦେଇ କି ଦୁଃଖରେ ଅଛୁ । ଟଙ୍କା ପଠାଇଲେ ନିଜ ଲୋକ ଦେଇ ଟଙ୍କା ପଠାଇବ ସିନା, ଏ ଚାଲୁକାର କାହା ହାତରେ ହେଲେ ପଠାଇବ ନାହିଁ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ