ଚତୁର୍ଥ ସର୍ଗ — ଶିଶୁପାଳ ବଧ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ସର୍ବଦେବ ଅଗ୍ରପୂଜ୍ୟ ଶୈଳଜା-ଅଙ୍ଗଜହେ ସିଦ୍ଧି-ନିଧି ହେରମ୍ଭ ! ଘେନ ମୋ ପ୍ରଣତି,ଦେବେନ୍ଦ୍ର ମହୁଡ଼ମଣି ଅଟ ତୁମ୍ଭେ ଦେବ !ପୁଣି ଅଟ ବିଘ୍ନହାରୀ, ଏଣୁ ଯୁକ୍ତକରେଯାଚେ ଦାସ ଏହି ବର ତବ ସନ୍ନିଧାନେ-ହୋଇ ଦେବ ! ଅବତୀର୍ଣ୍ଣ, ଦାସେ କୃପା ବହିପ୍ରଦାନ ଅଭୟ ପଦ, ବିଘ୍ନ ନାଶ ପୁଣି,ସିଦ୍ଧିଲାଭ ଅର୍ଥେ, ମୁହିଁ ପୂଜିବି ସେ ପାଦ,ଭକ୍ତି-ବିଲ୍ୱ ଦଳେ ଆଉ ଆନନ୍ଦ-ମନ୍ଦାରେ ।ଗ୍ରହିଲ ଲେଖନ ଭାର ଯେ ମହାଗ୍ରନ୍ଥରତୁମ୍ଭେ, ମହାସିନ୍ଧୁ ସମ ବେଳାପ୍ରଦେଶରୁତାର, ଘେନି ପେଣ୍ଡୁଳାଏ ମୃର୍ତ୍ତିକା, ତହିଁରେନିର୍ମାଣିବି ଏକ କ୍ଷୁଦ୍ର ପ୍ରତିମୁର୍ତ୍ତି ମୁହିଁ,କିନ୍ତୁ ଦେବ, ଉପଯୁକ୍ତ ସାଧନା ଅଭାବେଦରିଦ୍ରର ସୁଖଲାଭ ଅଭିଳାଷ ପ୍ରାୟହେଉଛି ସେ ଆଶା ମୋର ଆଶା ମାତ୍ରେ ସାର,ତହୁଁ ଦେବ ! ତବ ପଦେ ମାଗୁଅଛି ମୁହିଁସାଧନାର ଉପଯୁକ୍ତ ଶକ୍ତି, ନ ଦେଲେ ତାତୁମ୍ଭେ, ପଙ୍ଗୁ ହୋଇ ଗିରି ଲଙ୍ଘିବ କିପରି ?କର ପ୍ରଭୁ, କୃପାମୟ କୃପା, ଅକିଞ୍ଚନେ ।ଶିଶୁପାଳ ଆଦେଶରେ ହସ୍ତିନା ନଗରୁକଞ୍ଚୁକି ପ୍ରଣଧି ଏକ, ଅନ୍ତଃପୁରଚାରୀ,ଆସିଥିଲା ଚେଦିରାଜ୍ୟେ ପ୍ରଚାରକରଣେରାଜ-ଆଗମନ ବାର୍ତ୍ତା ପୁରେ, ବହୁ ଦେଶ,ନଗର, ନବର, ନଦ, ନଦୀ, ବନ, ଗିରି,ଅତିକ୍ରମି ପଥେ, ଆସି ମିଳିଲା ତ୍ୱରିତେଚେଦିପୁରେ ଦୁତ, ଯହିଁ ହୈମ ସିଂହାସନେବସିଥିଲେ ଚେଦୀଶ୍ୱରୀ ସଙ୍ଗିନୀ ଗହଣେ,ହୋଇ ଉପସ୍ଥିତ ତହିଁ ସାଷ୍ଟାଙ୍ଗେ ପ୍ରଣମିଚାଦୀଶ୍ୱରୀ ପଦପ୍ରାନ୍ତେ, ନିବେଦିଲା ଦୁତଉଭା ହୋଇ ଖଣ୍ଡେ ଦୁରେ, ବିନୀତ ବଚନେଯୁକ୍ତକରେ- ମହାଦେବି ! କ୍ରୀତଦାସ ମୁହିଁତୁମ୍ଭର, ତୁମ୍ଭରି ଦତ୍ତ ଅନ୍ନରେ ପାଳିତ,ଆସିଲି ମୁଁ ରାଜାଦେଶେ ହସ୍ତିନା ନଗରୁରାଜ-ଆଗମନ ବାର୍ତ୍ତା ଦେବାକୁ ସତ୍ତ୍ୱରେସମ୍ବତ୍ସ ଅନ୍ତେ ଦେବି, ଦୁଇ ଦିନ ପରେବିଜେ ହେବେ ନୃପମଣି ପୁରେ ସର୍ବଶୁଭେ,ଆସିଲି ମୁଁ ଆଗେ ଦେବି ! ଦେବାକୁ ସମ୍ବାଦ,ଆସୁଛନ୍ତି ପଛେ ନୃପ ଘେନି ଯଜ୍ଞପୂଜା ।ଚେଦୀଶ୍ୱରୀ ଭଦ୍ରା, ସ୍ୱାମି-ବିରହ-ବିଧୁରାଶୁଣି ପତି-ଆଗମନ-ବାର୍ତ୍ତା ବାର୍ତ୍ତାହରମୁଖୁଁ, ସଖୀସହ ହେଲେ ପରମହର୍ଷିତା,ଯଥା ଦ୍ୱଷାମ୍ପତି-ଦୁତୀ ଉଷା ମୁଖୁଁ ଶୁଣିପତି-ଆଗମନ-ବାର୍ତ୍ତା ଫୁଲ-କୁଳେଶ୍ୱରୀ
କମଳିନୀ, ହୁଏ ହୃଷ୍ଟା ପ୍ରଭାତ ସମୟେ ।
ଦୁତେ ଚାହିଁ ଭଦ୍ରା ତହୁଁ ଆନନ୍ଦ-ବିହ୍ୱଳେ
ବୋଇଲେ, ରେ ଦୁତ ! ତୁହି ଢ଼ାଳିଲୁ ଯେ ସୁଧା
କଣ୍ଢେ, କର୍ଣ୍ଣ-ରସାୟନ, କି ଦେଇ ତୋଷିବ
ତୋତେ ? ଘେନ ଏହି ସକୁଣ୍ଡଳ ପାଟଯଥା ।
ସଂପ୍ରଦାନି ପୁରସ୍କାର ଦୂତେ ଭଦ୍ରା ସତୀ,
ଉଠି ଖରେ ସିଂହାସନୁ ସଙ୍ଗିନୀ ଗହଣେ,
ଆଦେଶିଲେ ଦାସଦାସୀଗଣେ ମଣ୍ଡିବାକୁ
ନଗର, ଚତ୍ୱର, ପୁର, ରାଜପଥ ଆଦି ।
ମହାଦେବୀ ଆଜ୍ଞା ପାଇ ସର୍ବ ପରିଜନେ,
ବିମଣ୍ଡିଲେ ରାଜପୁରୀ ମନୋମତ କରି,
ପୂର୍ବ ଉପଲକ୍ଷେ ଯଥା ଦେବ-ପରିକରେ
ବିମଣ୍ଡନ୍ତି ଦେବଗୃହ ନାନା ଉପଚାରେ ।
ଆଶାତୀତ ପୁରସ୍କାର ପାଇ ଅଯାଚିତେ
ଦୁତବର, ଶତ ଶତ ଭୂମିଷ୍ଠ ପ୍ରଣାମେ
ଜଣାଇଣ କୃତଜ୍ଞତା, ଘେନିଣ ମେଲାଣି
ଚେଦୀଶ୍ୱରୀ ଶ୍ରୀଛାମୁରୁ, ଗଲା ନିଜ ଗୃହେ
ଦେଖି ଦେଖି ବାଟେ ବାଟେ ମାତୃଭୂମି-ଶୋଭା ।
ସମ୍ବତ୍ସର ପରେ ଦେଖି ଜନ୍ମଭୂମି ମୁଖ
ଲଭିଲା ଯେ ମୁଖ, ତାହା ହେବ ନାହିଁ କହି,
ପରବାସୁଁ ପ୍ରତ୍ୟାଗତ ହୋଇ ବହୁଦିନେ
ନିରେଖିଲେ ସ୍ନେହମୟୀ ଜନନୀ ବଦନ,
କେ ନ କରେ ହର୍ଷ ଲାଭ ? ହେଉ ପଛେ ଆହା !
ମାତୃଭୂମି ପଙ୍କିଳା ବା ଆବର୍ଜ୍ଜନାମୟୀ,
କିନ୍ତୁ ତାହା ମାତୃଭକ୍ତ ସନ୍ତାନ ନୟନେ
ଆଭାସଇ ଆଭାମୟୀ ଅମରା ୧ ସମାନ ।
ଅତୀବ କୁରୂପା ସୁଦ୍ଧା ହେଲେ ନିଜ ମାତା,
ପୁତ୍ର କି ନ କରେ ତାକୁ ମାତୃ ସମ୍ବୋଧନ,
୧-ଇନ୍ଦ୍ରପୁରୀ
ଅଥବା ଗୌରବ ଭକ୍ତି ? ନୁହେଁ କଦାଚନେ
ସମ୍ଭବ ଏ କଥା, ସାଧୁ ସୁପୁତ୍ର ପକ୍ଷରେ
ସେହୁ ମହାପୂଜନୀୟା, ସ୍ୱର୍ଗୁ ଗରୀୟସୀ ।
ହେଉ ପଛେ କୀଟଯୁକ୍ତ ପୁଣ୍ୟ ତୀର୍ଥଜଳ,
କିଏ ନ କରଇ ତାର ଉଚିତ ସମ୍ମାନ ?
ଜନ୍ମଦାତ୍ରୀ ମାତା, ମାତୃଭୂମି, ମାତୃଭାଷା
ଏ ତିନିଙ୍କ ତହୁଁ ବଳି ଗୁରୁ, ତ୍ରିଭୁବନେ
ନାହିଁ, ଅଟେ ଏହା ଶାସ୍ତ୍ରସିଦ୍ଧ ମହାବାଣୀ,
ବିଜାତୀୟ-ଭାଷା-ପ୍ଲାବୀ ବିଦେଶେ ନିବସି
ବହୁଦିନ, ମାତୃଭାଷା ଶୁଣିଲେ ଶ୍ରବଣେ
ଅକସ୍ମାତ, ଶାନ୍ତିତୃପ୍ତିଦାତ୍ରୀ, ସେ ସମୟେ
ଆହା, ଉଠେ ଯେ ଅପୂର୍ବ ଆନନ୍ଦ-ଲହୁରୀ
ହୃଦୟ-ସାଗରେ, ତାହା ଭୁକ୍ତଭୋଗୀ ବିନା
ଜାଣିବ କେ ଆନ ! ଆହା ! ସେହି ସୁଧାବାଣୀ,
ବିଦେଶୀୟ ଭାଷାନଳ-ବିଦଗଧ-ଶ୍ରବଣେ
ଶମଇ, ବର୍ଣ୍ଣିବି କିବା ତାର ମଧୁରତା ?
ବିଜୟା ୨ ଭକ୍ଷଣ ଶେଷେ ସଲିଳ ପାନର
ମଧୁରତା, ନୁହେଁ ତାକୁ ତିଳେ ତୁଳନୀୟ ।
ମହାମହୋତ୍ସବେ ଆଜି ଚନ୍ଦେଳ ନଗରୀ
ନାଚୁଅଛି ହର୍ଷଭରେ ହୋଇ ବିମଣ୍ଡିତା,
୨-ହରିଡା ୩- ଚେଦିରାଜ୍ୟ
ମନୋମତ ଚାରୁ ନବ ଅଳଙ୍କାର ଘେନି
ସହର୍ଷେ ନାଚଇ ଯଥା ଅବଳା ବାଳିକା,
କିମ୍ବା ଯଥା ବାତାଘାତେ କାନନ-ସୁନ୍ଦରୀ,
ଅବା ପୁଷ୍ପସ୍ତବକିନୀ ନବୀନା ଲତିକା ।
ମହାବାହୁ ରାମଚନ୍ଦ୍ର ସଂହାରି ରାବଣେ
ସୀତା ସଙ୍ଗେ କଲେ ଯେବେ ବାହୁଡ଼ାବିଜୟ
ଆରୋହି ପୁଷ୍ପକ ଯାନେ ଅଯୋଧ୍ୟା ନଗରେ,
ସେ କାଳେ ଅଯୋଧ୍ୟା ଯଥା ଦିବ୍ୟ ଆଭରଣେ
ମଣ୍ଡି, ନିନ୍ଦୁଥିଲା ଧନୀ ସ୍ୱର୍ଗର ଅଳକା,
ଶିଶୁପାଳ ପ୍ରତ୍ୟାଗମ ବାର୍ତ୍ତା ପାଇ ଆଜି
ଖେଳୁଛି ବିବିଧ ଶୋଭା-ତରଙ୍ଗେ ତେସନ
ଚେଦି ରାଜଧାନୀ, ପୂରି ହର୍ଷ କୋଳାହଳେ ।
ସପଲ୍ଲବ ପୁଷ୍ପମାଳା ଝୁରେ ଦ୍ୱାରେ ଦ୍ୱାରେ,
ଜଳପୂର୍ଣ୍ଣ ସ୍ୱର୍ଣ୍ଣକୁମ୍ଭ, ମଙ୍ଗଳସୂଚକ,
ଶୋଭେ ପ୍ରତି ୪ ଅଳିନ୍ଦରେ, ସିନ୍ଦୁରେ ମଣ୍ଡଳ
କଟା ତହିଁ, ଉର୍ଦ୍ଧଦେଶେ ଶୋଭଇ ତାହାର
୪ ଅଳିନ୍ଦ-ପିଣ୍ଡା
ସମକୁଳ ଆମ୍ବଡ଼ାଳ ସହ ନାରିକେଳ,
ନିମ୍ନଦେଶେ ଶୁକ୍ଳଧାନ୍ୟ ହୋଇଅଛି କୁଢ଼ା ।
ଦ୍ୱାର ବେନିପାର୍ଶେ ପୋତା ହୋଇ ରମ୍ଭାତରୁ
ଦେବଦାରୁଦଳେ ମଣ୍ଡି ସୃଜିଛି ତୋରଣ
ମନୋହର, ଟଙ୍ଗା ତହିଁ ବିବିଧ କୁସୁମ ।
ଉଡ଼ଇ କେତନଶ୍ରେଣୀ ନିକେତନ ଚୂଡ଼େ,
ପଥ ବେନିପାର୍ଶ୍ୱେ, କମ୍ପି ପବନ-ଲହରେ,
ଚମକେ ସଘନେ ଯଥା ନଭେ ବିଦ୍ୟୁରାଜି
ବର୍ଷାକାଳେ, ଧୀରେ ପୁଚ୍ଛ ସଞ୍ଚାଳନ ଛଳେ
ଡ଼ାକଇ କି ଯାନ୍ଥେ ସେହୁ ଅଙ୍ଗୁଳି ସଙ୍କେତେ,
ଦେଖାଇବ ବେଲି ସ୍ୱୀୟ ଶୋଭାର ବଡିମା ।
ବିବିଧ ସୁବାସ ପୁଷ୍ପ ପ୍ରତି-ରାଜପଥେ
ହୋଇଅଛି ବିଞ୍ଚା, ସିଞ୍ଚା ତହିଁ ବାସଚୁଆ
ଚନ୍ଦନର ଛରା, ବୁଣା କର୍ପୁରକଣିକା,
ହୋଇଛି ରଚନା କେତେ ପ୍ରତି ଶୃଙ୍ଗାଟକେ *
ବିଚିତ୍ର ତୋରଣା, ତହିଁ ସୁବର୍ଣ୍ଣ ଅକ୍ଷରେ
* ଶୃଙ୍ଗାଟକ-ଛକିବାଟ
ହୋଇଛି ଅଙ୍କିତ କେତେ ରାଜସ୍ତୁତି-ଗୀତି ।
ଦେବାଳୟୁ ଉଠି ଝୁଣା ଗୁଗ୍ଗୁଳ ସୁବାସ
କରେ ଦିଗ ଆମୋଦିତ, ବାଜେ ବାଦ୍ୟ ନାନା,
ତୁରୀ, ଭେନି, ଝାମ୍ପ, ଢ଼ୋଲ, ଶଙ୍ଖ, ବୀଣା, ବେଣ୍ଠ,
ବାଜଇ ଦୁନ୍ଦୁଭି ବାଦ୍ୟ ପୃଥ୍ୱୀ ଦୁଲୁକାଇ ।
ପ୍ରଚଣ୍ଡ ପ୍ରତାପଶାଳୀ ଶିଶୁପାଳ ବୀର,
ବିଷ୍ଣୁଅଂଶୁ ଜନ୍ମି ତାର, ବିଷ୍ଣୁ ପରାକ୍ରମ,
ବାହୁବଳେ ଶାସି ଧରା, ନିଷ୍କଣ୍ଟକ ଭାବେ
କରେ ରାଜ୍ୟଭୋଗ, ରମ୍ୟ ନବର ତାହାର
ସୁବିସ୍ତୀର୍ଣ୍ଣ, ସୁକୌଶଳ ନିର୍ମିତେ ସେ ପୁରୀ ।
ସୁଧା-ଶୁକ୍ଳ ସୌଧମାଳା ମଣ୍ଡଳ ଆକାରେ
ବିରାଜେ, ବଢ଼ିଛି ତାକୁ ଉନ୍ନତ ପ୍ରାଚୀର,
ପ୍ରାଚୀରର ବହିର୍ଭାଗେ ବିସ୍ତୀର୍ଣ୍ଣ ପରିଖା,
ଆହା ! ସେ ନଗରୀ ଶୋଭେ ନୀଳ ନଭସ୍ଥଳେ
ଚନ୍ଦ୍ରର ପରିଧି ମଧ୍ୟେ ପୂର୍ଣ୍ଣଚନ୍ଦ୍ର ଯଥା ।
କେଉଁ ଗୃହ ଚତୁସ୍ତଳ, ପଞ୍ଚତଳ କେହି,
କେହି ସପ୍ତତଳ, ଶିର ତୋଳିଛି ଆକାଶେ
ମେଘମାର୍ଗେ, ମେଘମାନେ ଝୁଣ୍ଟନ୍ତି ତାହାକୁ
ଗତିପଥେ, ଶିରେ ଶୋଭେ ସୁବର୍ଣ୍ଣ କଳଶ ।
ନାଟ୍ୟଶାଳା, କ୍ରୀଡ଼ାଶାଳା, ସଭା, ବାସଗୃହ,
ସୁଗଠିତ ଯଥାଯୋଗ୍ୟ ସ୍ଥାନେ, ସୁମଣ୍ଡିତ
ନାନାରତ୍ନେ, ରତ୍ନହାଣ୍ଡି ମଧ୍ୟେ ରତ୍ନବତି
ଜଳୁଛି ଓହଳି ଘରେ ଘରେ, ରାଜମୋତି-
ଝାମ୍ପି ଝୁଲେ ଗୁନ୍ଥା ହୋଇ ରଙ୍ଗ ପାଟଡ଼ୋରେ ।
ରତ୍ନବେଦି ମଧ୍ୟେ ଶୋଭେ ରତ୍ନସିଂହାସନ,
ଦିବ୍ୟ ଆଭାମୟ, ଆହା ! ଇନ୍ଦ୍ର ଧନୁପ୍ରଭା ।
ପାଛୋଟି ଆଣିବେ ଯାଇ ପ୍ରଧାନ ସଚିବ
ନୃପବରେ, ଥୋକେ ଦୁରୁଁ, ସେଥିପାଇଁ ଆଜି
ଲାଗିଅଛି ସାଜସଜ୍ଜା ମହା ଆଡ଼ମ୍ବରେ,
ଗଜ, ବାଜୀ, ସ୍ୟନ୍ଦନାଦି ଅଗଣିତ ଯାନ
ହେଉଅଛି ଠୁଳ, ସେନାଦଳ ସୁସଜଜ୍ଜିତ
ହୋଇ ବହୁ ଅସ୍ତ୍ରେ ଶସ୍ତ୍ରେ ଉଭା ପଂକ୍ତି ଧରି,
ଅଶ୍ୱାରୋହୀ ସେନାପତି ପ୍ରଚଣ୍ଡ ମୂରତି,
ଧରି ଗଦାବର କରେ, (ଦଣ୍ଡ ହସ୍ତେ ଯଥା
ବିଭୀଷଣ ଯମରାଜ) ସୈନ୍ୟର ଶୃଙ୍ଖଳା
ଦେଉଛନ୍ତି ବାନ୍ଧି, କାହିଁ ଅବା ଖେଳବାଡ଼େ
ଖେଳୁଛନ୍ତି ଅସ୍ତ୍ରଖେଳ, ଚମକାଇ ଅସି
ବିଦ୍ୟୁଲ୍ଲତା ପ୍ରାୟେ, କାହିଁ ଭୀମକାୟ ମାଲେ
ଧରି ଭୀମଗଦା କରେ, ଆସ୍ଫାଳି ଭୀଷଣେ
ଛାଡ଼ନ୍ତି ଗର୍ଜ୍ଜନ ଘୋର ଯଥା ଗିରିବର-
ସମ କରିବାର ଦଳ ମାତି ମହାୟୁଦ୍ଧେ
ଆସ୍ଫାଳି ଭୀଷଣ ଶୁଣ୍ଢ ଗର୍ଜନ୍ତି ଗମ୍ଭୀରେ ।
ଏହିପରି କେତେ ସ୍ଥାନେ କେତେ ଆୟୋଜନ
ଲାଗିଛି ନଗରେ, ନାହିଁ କଳନା ତାହାର,
ଉତ୍ସବରେ ଉଛୁଳିଛି ଚେଦି-ରାଜଧାନୀ ।
ଅସ୍ତ ହେଲେ ଦିନମଣି ପ୍ରତୀକ-ଅଚଳେ,
ଦିଶିଲା ପଶ୍ଚିମ ଦିଗ ଲୋହିତେ ଛୁରିତ,
ସୁନ୍ଦରୀ ବାରୁଣୀ-ରାଣୀ ରକ୍ତ ଓଷ୍ଠାଧର
ବିସ୍ତାରି ହସିଲା ଯେହ୍ନେ ପୂର୍ବଦିଗେ ଚାହିଁ,
ଭାଷିଣ ଏସନ ବାଣୀ, ଲୋ ପ୍ରାଚୀ-ସୁନ୍ଦରୀ,
ହସୁଥିଲୁ ପରା ତୁହି ପ୍ରାତେ ମୋତେ ଚାହିଁ
ହୋଇ ପତି-ସୁହାଗିନୀ ? କି ଦଶା ତୋହର
ଏବେ ? ଲୁଚାଇଲୁ କାହିଁ ଆଲୋ ଗରବିଣି !
ଉପହାସ-ବ୍ୟଞ୍ଜୀ ହାସ୍ୟେ, କାନ୍ଦିଲୁ ତୁ ଏବେ
ଶିଶିର-ଶୋକାଶ୍ରୁ-ସିକ୍ତା ସରୋଜିନୀ ସହ ।
ଅଖଣ୍ଡ ସୁଖ ଏ ଭବେ ନାହିଁ ଲୋ ଭଉଣି,
ଚିରକାଳ ଭାଗ୍ୟେ କାର, ଯହିଁ ଦେଖ ତହିଁ
ସୁଖ ସଙ୍ଗେ ଅଛି ଦୁଃଖ ଜ୍ୟୋତ୍ସା ଛାୟା ପରି ।
ସୁଖ ବୋଲି ଯାକୁ ଭବେ ମଣନ୍ତି ସକଳେ,
ସେ ସିନା ଦୁଃଖର ଅଗ୍ରଦୁତ ? ଆସି ସୁଖ
ନିମିଷକ ପାଇଁ ହାତେ, ଦେଇଯାଏ ସେହୁ
ଆଜୀବନବ୍ୟାପୀ ଦୁଃଖ, ଭାଗ୍ୟ ଘୁରେ ସଦା
ଚକ୍ରନେତ୍ରକ୍ରମେ, କେବେ ଉର୍ଦ୍ଧେ, କେବେ ତଳେ,
ମୁଁ ବି ସ୍ୱାମୀ-ବିରହରେ କାନ୍ଦିବି ତୋପରି
ମୁହୁର୍ତ୍ତକ ପରେ ଆଉ, ଏହିପରି ଭବେ
ଲାଗିଅଛି ସଂଘର୍ଷଣ ହାସ୍ୟ କ୍ରନ୍ଦନର,
ଚିରକାଳ ସମସ୍ତଙ୍କ ଭାଗ୍ୟେ, ଜାଣୁ ଜାଣୁ
ଏହା, କ୍ଷଣସ୍ଥାୟୀ ସୁଖେ ହୋଇଣ ବିଭୋଳ
କିପରି କରୁ ତୁ ଭଲା ପରେ ପରିହାସ ?
ଅନ୍ଧକାର ଆଗମନ ଦେଖିଣ ପକ୍ଷୀଏ,
ଫେରି ଆସି ଦିଗନ୍ତରୁ, ବସିଲେ କୁଲାୟେ
ନୀରବେ, ନିସ୍ତବଧେ, ଯଥା ଘୋଟିଲେ କଳଙ୍କ
କୁଳେ, ପୋତି ଲଜ୍ଜାବଶେ ମସ୍ତକ ତଳକୁ,
ହୋଇ ନିରୁପାୟ, ଧୀର ଧାର୍ମିକ ସୁଜନେ
ହୁଅନ୍ତି ନୀରବ, ମଣି ମର୍ମେ ମହାକ୍ଳେଶ ।
ସନ୍ଧ୍ୟାଦୁତ ଶିବାଧ୍ୱନି ଶୁଭିଲା ଚୌଦିଗେ
ଆସିଲା ରଜନୀ-ରାଣୀ ତାରାହାରାବଳୀ
ପିନ୍ଧି ଗଳେ. ହେଲା କ୍ରମେ ଅନ୍ଧକାର ଘନ,
ଗୋଳାଇଲେ ତୈଳେ କାଳୀ ହୁଏ ଯଥା ଘନ ।
ଆରାତ୍ରିକ ଶଙ୍ଖ-ଘଣ୍ଟା ବାଜେ ଦେବାଳୟେ,
ଗୃହଲକ୍ଷ୍ମୀ ଗୃହିଣୀଏ ଜାଳି ସନ୍ଧ୍ୟାବତୀ
ତୁଳସୀ-ଚଉଁରା ପାଶେ କଲେ ସମର୍ପଣ ।
ଭୂ-ସୁରେ * ଗାୟିତ୍ରି ଜପି ଜପି ଶୁଦ୍ଧମନେ
କଲେ ସନ୍ଧ୍ୟା ଉପାସନା, ଆନ ଧର୍ମପ୍ରାଣ
*-ଭୁସୁଲ-ବ୍ରାହ୍ମଣ
ଜନେ, କଲେ ଯଥାବିଧି ସନ୍ଧ୍ୟାର ବନ୍ଦନା ।
କେହି କରେ ଗୀତାପାଠ, କେହି ଭାଗବତ
ଅଧ୍ୟୟନ, ପଢେ କାହି ଟୀକା-ରାମାୟଣ,
ବିଷ୍ଣୁଙ୍କ ସହସ୍ର ନାମ ପାଠ କରେ କେହୁ,
କେହୁ ଗୁଣେ ଚଣ୍ଡୀ, କେହି ଅବା ମାଳି ଧରି
ଜପେ ଇଷ୍ଟ ଦେବନାମ,: ତନ୍ମୟ ଚିତ୍ତରେ ।
ଭୂତଧାତ୍ରୀ ଧରିତ୍ରୀର ସ୍ୱରାଶି ଚକ୍ରରେ,
ଅନ୍ଧାରକୁ କୁଗ୍ରହର ଅଧିଷ୍ଠାନ ମଣି,
ଶାନ୍ତି ଅର୍ଥେ ତାର, ସର୍ବ ନାଗରିକଗଣେ
ସନ୍ଧ୍ୟାଛଳେ କରନ୍ତି କି ଦେବଦେବୀ ସ୍ତୁତି ?
ଅନ୍ଧାର-କାଳିମାରାଶି ଘୋଟି ଚଉଦିଗେ
କଲା ସୃଷ୍ଟି ଏକାକାର, କିନ୍ତୁ ରାଜପୁରେ
ପ୍ରବେଶର ଅଧିକାର ନାହିଁ ଆଜି ତାର
ଭାବୀ ରାଜ-ଆଗମନ ମହୋତ୍ସବେ ଆଜି
ଭାସୁଛି ଆଲୋକମାଳେ ଚନ୍ଦେକ ନଗରୀ,
(ଭାସଇ ଆଲୋକେ ଯଥା ସଷ୍ଟି ମହାଳୟେ)
ଅବହେଳେ ଅନ୍ଧକାରେ ଦେଇ ଦୁରେ ତଡି ।
ଫୁଟୁଅଛି ଗୁଳିହୀନ ନଳୀ, ବିସୃଜୁଛି
ବିନା ମେଘେ ନଭୋଦେଶେ ବିଜୁଳି, ହାବେଳୀ ।
କୃଷ୍ଣପକ୍ଷ ନିଶି, କେତେ କ୍ଷଣ ପରେ ନଭେ
ଉଇଁଲେ କୈରବ-ଶୁକ୍ଳ କୈରବ-ବାନ୍ଧବ,
ବିଧୁ-ବଧୁ କୁମୁଦିନୀ ହସିଲା ଉଜ୍ଜ୍ୱଳେ-
(ଦୁଃଖ ପରେ ସୁଖ ହାସ୍ୟ ଅତୁଳିତ ଭବେ)
ମୁଞ୍ଚି ଆନନ୍ଦାଶ୍ରୁ ରୁପ ଶିଶିର-କଣିକା ।
କେବଳ ଦୁଃଖର ଚିହ୍ନ ନୁହେଁ ଅଶ୍ରୁ-କଣା,
ମହାଦୁଃଖେ ଫିଟିଯାଏ ଯଥା ଝର ଚାର,
ଫିଟେ ତଥା ମହାସୁଖେ, ପ୍ରକୃତି ନିୟମେ ।
ଚନ୍ଦ୍ରିକା-ପୀୟୁଷ ପାୟୀ ଚକୋର ଦମ୍ପତି,
ଦେଖି ଚନ୍ଦ୍ରୋଦୟ ନଭେ ରଟିଲେ ହରଷେ,
ଭୁଲିଯାଇ ସୁଧାପାନେ ବିରହ ଯାତନା ।
ସୁଧାକର-କର-ନୀରେ ଅବଗାହି ସୌଧେ
ଦିଶିଲେ ଉଜ୍ଜ୍ୱଳ, ଜ୍ୟୋସ୍ନା । ତେଜେ ସୌଧତେଜ
ହୋଇ ମିଶାମିଶି ବହେ ରମଣୀୟ ଶୋଭା,
ସୌଧତେଜେଜ୍ୟୋତ୍ସାକିମ୍ବାଜ୍ୟୋତ୍ସାତେଜେସୌଧ
କାହାକୁ କେ ଉଜ୍ଜ୍ୱଳାଏ, ହେଲା ନାହିଁ ବାରି,
ଯେସନ ସୁନ୍ଦରୀ ନାରୀ ଅଙ୍ଗ ଅଳଙ୍କାର,
କାହା ଯୋଗେ କିଏ ଶୋଭେ ହୁଏ ନାହିଁ ଜାଣି ।
ଅନ୍ତଃପୁରେ ଭଦ୍ରାଦେବୀ ରତ୍ନପଲଙ୍କରେ
ଉପବିଷ୍ଟା, ଆଭାମୟ ଚାରୁ ଆଭରଣେ,
ଭାସ୍କର ବସନେ, ( ଗଢ଼ା ଦିବ୍ୟ ଉପାଦାନେ )
ଶୋଭେ ବରାଙ୍ଗ ତାଙ୍କର, ପ୍ରଭା-ପୁରେ ଗୃହ
ଉଦ୍ଭାସିତ, ଦେବୀ କିମ୍ବା ମାନବୀ ସେ ଧନୀ
ନ ଥିଲେ ପଲକ ଛାୟା ନ ହୁଅନ୍ତି ବାରି ।
ପ୍ରିୟମ୍ବଦା ସଖୀବୃନ୍ଦ, କମଳା, ବିମଳା,
ସୁଶୀଳା, ପ୍ରମୀଳା ଆଦି ଅନିନ୍ଦ୍ୟା ସୁନ୍ଦରୀ
ବସିଛନ୍ତି ଯୋଗ୍ୟାସନେ, ପରିବାରୀଦଳେ
୧-ଦେବତାମାନଙ୍କର ଛାୟା ନାହିଁ
ଏବଂ ଚକ୍ଷୁର ପଲକ ପଡ଼େ ନାହିଁ ।
ଧରି ଝରୀ, କରଙ୍କାଦି ହୋଇଛନ୍ତି ଉଭା,
କେହି ରତ ଚାମର ବା ବ୍ୟଜନୀ ବ୍ୟଜନେ ।
ବ୍ୟଜନୀ-ବ୍ୟଜନ ଛଳେ ସଜନୀନିକରେ
ଉଡ଼ାନ୍ତି କି ଜୟଧ୍ୱଜା ଚକ୍ରବର୍ତ୍ତୀପଣେ
ସୁନ୍ଦରୀସମାଜେ ? ଆହା ସେ କାଳେ ତାଙ୍କର
ସହାସ୍ୟ ଚୁଚିର ମୁଖ ହୁଏ ଆନ୍ଦୋଳିତ,
ମୃଦୁ ବତାଘାତେ ଯଥା ସରୋଜିନୀକୁଳ ।
ବାଜୁଛି ମଧୁର ବାଦ୍ୟ, ବୀଣାଜିଣା ସ୍ୱରେ
ବାସବ-ମୋହିନୀ ଦେବୀ ବାସବୀ ସମ୍ମୁଖେ
ନୃତ୍ୟଗୀତେ ରତ ଥାନ୍ତି ଅପସରାନିକର ।
ଶୁଣୁଛନ୍ତି ଗୀତ ରାଣୀ, ତଦ୍ଗତମାନସେ
ହୋଇ ଭାବେ ଭୋଳ, ଧନ୍ୟ ସଙ୍ଗୀତ ମହିମା !
ନୁହେଁ ବଶୀଭୂତ କିଏ ତହିଁ ? ଜାଙ୍ଗଳିକେ ୨
ଗାଇ ପଦ୍ମତୋଳା ଗୀତ କରନ୍ତି ବାହାର
ବିଲୁ ସର୍ପେ ଅବହେଳେ, ମୃଗୟୁମଣ୍ଡଳୀ,
ଆକର୍ଷନ୍ତି ମୃଗ ମନ ମୁରଲୀ ସ୍ୱପ୍ନରେ ।
୨-ସାପୁଆ କେଳା
ଏହିପରି ଆମୋଦରେ ହୋଇଲା ବିସ୍ତର
ରାତ୍ରି, ରାଣୀ ଖରେ ଉଠି ବଢ଼ାଇ ମଣୋହି
ପହୁଡିଲେ ରତ୍ନ-ଖଚୀ ଗଜଦନ୍ତ ଖଟେ ।
କିନ୍ତୁ ହେଲା ନାହିଁ ନିଦ୍ରା, ଗୁରୁ ଦୁଃଖେ ଅତି
କିମ୍ବା ଗୁରୁ ସୁଖେ ଅତି ହୁଏ ନାହିଁ ନିଦ ।
ଶର୍ଯ୍ୟାରେ ପଡିଣ ରାଣୀ କେତେବେଳେ ଯାଏଁ
ଦେଖିଲେ ଭବିଷ୍ୟ ସୁଖ ଜାଗ୍ରତ ସ୍ୱପନ
କେତେ, ଅଙ୍କିଗଲେ କେତେ ଶୁନ୍ୟ କଳ୍ପନାର-
ଚାରୁଚିତ୍ର, ସମ୍ବତ୍ସର ବିରହାନ୍ତେ କାଲି
ଅଥବା ପରଶ୍ୱ ହେବ ପୁନଃ ସମ୍ମିଳନ
ସ୍ୱାମିସହ-ଏ ଆନନ୍ଦ ଦେଇଅଛି ଆଜି
ଘଉଡ଼ାଇ ରାଣୀଙ୍କର ନେତ୍ରୁ ନିଦ୍ରା ଆହା !
ବିଚ୍ଛେଦାନ୍ତେ ମିଳନର ସୁଖ କି ମଧୁର ।
ସୁନ୍ଦରୀକିରୀଟ-ଭୁଷା ଶିଶୁପାଳ-ଯୋଷା
ଭଦ୍ରା, ନିଦ୍ରା ଅଭାବରୁ ଏକ ରଜନୀକୁ
ମଣିଲେ ସୁଦୀର୍ଘ ସାତ ରଜନୀ ସମାନ,
ସୁଖରାତ୍ରି ଦୁଃଖରାତ୍ରି ଦୁହେଁ ଅତି ବଡ଼,
ଦୁଃଖଠାରୁ ଗୁରୁତର ସୁଖର ଯନ୍ତ୍ରଣା ।
ହୋଇଲା ରଜନୀ ଆସି ତୃତୀୟ ପ୍ରହର,
କୃତ୍ତିକା-ତାରକାପୁଞ୍ଜ ପଡିଲେଣି ଗଡି
ମୁଣ୍ଡପରୁ, ସପ୍ତର୍ଷିଏ ଅରୁନ୍ଧତୀ ସହ
ହେଲେଣି ଉତ୍ତରମୁଖୀ, ଗାଢ଼ୁ ଗାଢ଼ତର
ହେଲା ନିଶି-ନୀରବତା, ଏମନ୍ତ ସମୟେ
ଘାରିଲା ରାଣୀଙ୍କ ନେତ୍ରେ, ବିରାମଦାୟିନୀ
ବାହ୍ୟଜ୍ଞାନବିଲୋପିନୀ ନିଦ୍ରା, ସଙ୍ଗେ ଘେନି
ସ୍ୱପ୍ନଦେବୀ-ଚିରପ୍ରିୟ ସହଚରୀ ତାର,
ଦେଖିଲେ ସ୍ୱପନ ରାଣୀ, ଅଦ୍ଭୁତ ଏସନ,
ଉପସ୍ଥିତ ହୋଇ ରାଜା, ହୋଇଛନ୍ତି ବିଜେ
ରମ୍ୟ ରତ୍ନସିଂହାସନେ, ରାଣୀଙ୍କ ସହିତେ,
ପରଷ୍ପର ସମ୍ଭାଷଣେ ପରଷ୍ପର ହୃଦୁ
ବିଚ୍ଛେଦ-ଅନଳ ଶାନ୍ତି ଲିଭିଲା ବହନ,
ଶମେ ଯଥା ଘନଜଳେ ବନେ ଦାବାନଳ ।
ଲାଗିଅଛି ବେନିଙ୍କର ନାନାବିଧ କଥା,
ସୁଖ, ଦୁଃଖ, ପରିହାସ, ନବ ପୁରାତନ
କଥା, ଯାର ଯେତେ ଥିଲା ବର୍ଷକଯାକର ।
ଏମନ୍ତ ସମୟେ ଏକ କୃଷ୍ଣାଙ୍ଗ ପୁରୁଷ
ଦୀର୍ଘକାୟ, ଭୟଙ୍କରବେଶୀ ଚଢ଼ ଏକ
ଗିରିଚୂଡ଼ାସମ ଦୀର୍ଘ-ବିଷାଣ ମହିଷେ,
ଆସୁଅଛି ତ୍ୱରା, ରାଜରାଣୀଙ୍କ ଆଡ଼କୁ ।
ଏକ ହସ୍ତେ ଭୀମ ଗଦା, ତାଳତରୁ ସମ,
ଭୀଷଣ ପ୍ରକାଣ୍ଡ ଅସି ଧୃତ ଆନ କରେ ।
ବିଶାଳ ମସ୍ତକୋପରି ବିଶାଳ ଉଷ୍ଣୀଷ
ରକ୍ତବର୍ଣ୍ଣ ଡ଼ୋଳା ତହୁଁ ଖରେ ଘୂରେ, ଯଥା
ଘୂରଇ ଚାଳନୀ, ଶସ୍ୟ ଚାଳନ ସମୟେ ।
ଗହ୍ୱର ସଦୃଶ ମୁଖେ ବିକଟ ଦଶନ
ତୀକ୍ଷ୍ମ ଲୌହବିଦା ପରି, ବହେ ଖରଶ୍ୱାସ
ନାସାରନ୍ଧ୍ର ପଥେ, ଯଥା ପ୍ରଖର ପବନ,
ସେ ପବନେ, ତାର ଗତିପଥବତ୍ତୀ ତରୁ-
ରାଜି, ଭାଙ୍ଗି ମଡ଼ମଡ଼େ, ଉଡ଼େ ନଭୋଦେଶେ,
ଭୀମ ପ୍ରଭଞ୍ଜନେ ଯଥା । ଆଜାନୁଲମ୍ୱିତ
ଶ୍ମଶ୍ରୂ, ଘନକୃଷ୍ଣବର୍ଣ୍ଣ, ମୁଖ ମେଲି ଯେବେ
ମାରେ ହାଇ, ଦିଶେ ଯଥା ଘନ ଅରଣ୍ୟାନୀ
ମଧ୍ୟେ ବାରିକୁଣ୍ଡ, ଜିହ୍ୱା କପାଟ ସମାନ ।
ଧାଇଁ ଆସି ସେ କରାଳ କୁତ୍ସିତ ପୁରୁଷ
ପବନୁ ପ୍ରଖରେ, ମିଳି ସିଂହାସନ ପାଶେ,
କରସ୍ଥ ପ୍ରକାଣ୍ଡ ଖଣ୍ଡା ପ୍ରଚଣ୍ଡ ଆଘାତେ
କାଟି ଶିଶୁପାଳ ମୁଣ୍ଡ, ଚାଣ୍ଡେ ଗଲା ଘେନି,
ମୁହୂର୍ତ୍ତ ମଧ୍ୟରେ କାହିଁଗଲା ସେ ଉଭେଇ ।
ମେଘାସନ-ଅଧିତ୍ୟକାଚାରୀ *ମୃଗମୃଗୀ
*ମୟୁରଭଞ୍ଜର ମେଘାସନ ପର୍ବତୋପରିସ୍ଥ ସମଭୂମିଚାରୀ
ବେନି ମଧ୍ୟୁଁ, ଅକସ୍ମାତ୍ଦୂର ଘୋର ବନୁ
କୁଦି ଆସି ମହାବଳ, ଘେନିଗଲେ ମୃଗେ,
ସେ କାଳେ ମୃଗୁଣୀ ଯଥା ଚିତ୍କାରେ କରୁଣେ,
ସେହିପରି ଚେଦୀଶ୍ୱରୀ ଉଠିଲେ ଚିତ୍କାରି
ଅସ୍ୱାଭାବୀ ସ୍ୱରେ ଭୟେ ଉଚ୍ଚେ, ଏହିକାଳେ
ଭାଙ୍ଗିଗଲା ନିଦ୍ରା, ରାଣୀ ଉଠିଣ ପ୍ରଖରେ
ବସିଗଲେ ଭେକା ହୋଇ କେତେ ବେଳଯାଏଁ,
ଘେରିଲେ ସାତ୍ତ୍ୱିକ ଭାବେ ତାଙ୍କୁ ଚାରିଆଡ଼ୁ,
ଥରିଲା ଶରୀର, ଗଲା ଶ୍ରମଝାଳ ବହି,
ଉଠିଲା ଟାଙ୍କୁରି ଲୋମ, ହଜିଗଲା ଜ୍ଞାନ,
କେତେ କ୍ଷଣେ ଭାଙ୍ଗିଯାନ୍ତେ ମୋହ, ସ୍ୱପ୍ନ ଜାଣି
ଦୀର୍ଘଶ୍ୱାସ ତେଜି, ରାଣୀ ବଞ୍ଚିଗଲେ ପ୍ରାଣେ ।
କିନ୍ତୁ ଦେଖି ଅମଙ୍ଗଳ ସ୍ୱପ୍ନ, ସନ୍ତରିଲେ
ମୁହୁର୍ମୁହୁଃ ନାନବିଧ ଆଶଙ୍କା-ସଲିଳେ,
ସ୍ନେହର ଲକ୍ଷଣ ତାହା, ଯାହା ପ୍ରତି ଯାର
ଯେତେ ସ୍ନେହ, ତାହା ପକ୍ଷେ ସେହୁ ପୋଷେ ତେତେ
ଆଶଙ୍କା ମନରେ, ଏହା ସ୍ୱାଭାବିକ କଥା ।
ଦୁଃସ୍ୱପ୍ନର ଶାନ୍ତି ହୁଏ ଗୋବିନ୍ଦ ସ୍ମରଣେ,
ତେଣୁ ରାଣୀ ସେହି ନାମ ଜପ କଲେ ବସି,
ବିପଦେ ଦେବତା-ଭକ୍ତ ହୁଅନ୍ତି ସକଳେ ।
ଦୁଗ୍ଧ-ଫେନନିଭଶଯ୍ୟା ଧବଳ କୋମଳ
ପ୍ରତେ ହେଲା ତାଙ୍କୁ ଯେହ୍ନେ ତୀକ୍ଷ୍ଣ କଣ୍ଟକିତ ।