ସୈାନ୍ଦର୍ଯ୍ୟ ଏବଂ ରୁଚି
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୧୦୦୮
- ସ୍ଥିତି
- ସାର୍ବଜନୀନ (Public domain)
ସୈାନ୍ଦର୍ଯ୍ୟ ଅନୁଭବ କରିବା ଶକ୍ତି ମନୁଷ୍ୟଜାତିର ସାଧରଣ ସମ୍ପତ୍ତି । ଜଗତରେ ଏମନ୍ତ କେହି ବ୍ୟକ୍ତି ନାହିଁ ଯାହାର ମନ ଅନନ୍ତ ବ୍ରହ୍ମାଣ୍ଡ ମଧ୍ୟରେ କୈାଣସି ଶୋଭା ସନ୍ଦର୍ଶନ ନକରେ । ସଭ୍ୟ, ଅସଭ୍ୟ, ଧନୀ, ଦରିଦ୍ର, ପଣ୍ଡିତ, ମୁର୍ଖ, ସଂସାରୀ, ବୈରାଗୀ, ରାଜା, ପ୍ରଜା ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଶୋଭାନୁଭାବକତା ଶକ୍ତି ନିହିତ ଅଛି । ଆମ୍ଭମାନଙ୍କ ହୃଦୟ ସ୍ୱଭାବତଃ ସୈାନ୍ଦର୍ଯ୍ୟପିପାସୁ । ଏହି ସୈାନ୍ଦର୍ଯ୍ୟ ଦୁଇ ବିଭିନ୍ନ ରୂପ ଧାରଣକରି ମନୁଷ୍ୟର ମନକୁ ହରଣ କରେ । ଜଗତ ଦ୍ୱିବିଧ ; ଇନ୍ଦ୍ରିୟୋପଲବ୍ଧ ବହିର୍ଜଗତ ଏବଂ ମାନସୋପଲବ୍ଧ ଅନ୍ତର୍ଜଗତ । ଜଗତର ଏହି ଦ୍ୱିବିଧ ବିଭାଗ ଅନୁସାରେ, ସୌନ୍ଦର୍ଯ୍ୟ ଦୁଇପ୍ରକାର; ଯଥା– ବହିଃ- ସୌନ୍ଦର୍ଯ୍ୟ ଓ ଅନ୍ତଃସୌନ୍ଦର୍ଯ୍ୟ । ଏହି ଶୋଭବିଳାସିନୀ ମେଦିନୀ ମଧ୍ୟରେ ବହିଃ– ସୌନ୍ଦର୍ଯ୍ୟର ଅସଂଖ୍ୟ ନିଦର୍ଶନ ଲକ୍ଷିତ ହେଉଅଛି-। ନକ୍ଷତ୍ରମଣ୍ଡିତ ନଭୋମଣ୍ଡଳ, ସୌରରଶ୍ମିରଞ୍ଜିତ ମେଘମାଳା, ରଜତ– ଜ୍ୟେତ୍ସ୍ନାଯୂକ୍ତ ଚନ୍ଦ୍ରମା , ଅନନ୍ତ ସମୁଦ୍ରର ଲହରୀମାଳା ,ଗଗନସ୍ପର୍ଶୀ ଗିରିଶିଖର, ଦୂରବାହିନୀ ସ୍ରୋତସ୍ୱତୀ , ଶ୍ୟାମାୟମାନ ଅରଣ୍ୟାନୀ, ଶିଶିରସିକ୍ତ ନବବିକଶିତ ପୁଷ୍ପ, ଦେବଭାବପୂର୍ଣ୍ଣ ମନୁଷ୍ୟମୁଖ; ଏଗୁଡ଼ିକ ଚକ୍ଷୁରିନ୍ଦ୍ରିୟଗୋଚର ଶୋଭାର ଉଦାହରଣ । ବିହଙ୍ଗମର ମଧୁର କୂଜନ, ନଦୀର କଳ କଳ ନାଦ, ରମଣୀ- ମଣ୍ଠୋତ୍ଥିତ ମଧୁମୟ ସଙ୍ଗୀତ, ବୀଣା ପ୍ରଭୃତି ଯନ୍ତ୍ରର ମଧୁର ଝଙ୍କାର, ଏଗୁଡ଼ିକ କର୍ଣ୍ଣେନ୍ଦ୍ରିୟ ବିଷୟୀଭୂତ ସୌନ୍ଦର୍ଯ୍ୟର ଉଦାହରଣ । ଘ୍ରାଣେନ୍ଦ୍ରିୟ, ରସନେନ୍ଦ୍ରିୟ ଓ ସ୍ପର୍ଶେନ୍ଦିୟ ଦ୍ୱାରା ଯେଉଁ ମାଧୁର୍ଯ୍ୟ ଉପଲବ୍ଧ ହୁଏ, ତାହା ସେହି ଇନ୍ଦ୍ରିୟଗ୍ରାହ୍ୟ ସୌନ୍ଦର୍ଯ୍ୟର ଉଦାହରଣ ରୂପେ ନିର୍ଦ୍ଦିଷ୍ଟ ହୋଇପାରେ ; ମାତ୍ର ସୌରଭ, ସୁସ୍ୱାଦ ଏବଂ କୋମଳସ୍ପର୍ଶ ନିକୃଷ୍ଟ ପ୍ରକାର ସୌରଭ ମଧ୍ୟରେ ପରିଗଣନୀୟ– ସନ୍ଦେହ ନାହିଁ । ପୂର୍ବକଥିତ ସୌନ୍ଦର୍ଯ୍ୟ ଅପେକ୍ଷା ଆନ୍ତର ସୌନ୍ଦର୍ଯ୍ୟ ଆହୁରି ଅଧିକତର ମନୋହର । ଦୟା, ପ୍ରେମ, ଭକ୍ତି, ବାତ୍ସଲ୍ୟ, ସରଳତା, ବିନୟ, ପବିତ୍ରତା, ଆନନ୍ଦ, ବିରଭାବ ଏଗୁଡ଼ିକ ଆନ୍ତର– ସୌନ୍ଦର୍ଯ୍ୟର ଉଦାହରଣ ।
ସର୍ବପ୍ରକାର ସୌନ୍ଦର୍ଯ୍ୟ ତୁଳନା – ସାପେକ୍ଷ । ଯଦି ସମସ୍ତ ପଦାର୍ଥ ଏକପ୍ରକାର ଏବଂ ସର୍ବତୋଭାବରେ ପ୍ରଭେଦଶୂନ୍ୟ ହୋଇଥାନ୍ତା, ତାହାହେଲେ ଆମ୍ଭେମାନେ ଆଦୌ ସୌନ୍ଦର୍ଯ୍ୟାନୁଭବ କରି ପାରନ୍ତୁ ନାହିଁ । ପକ୍ଷାନ୍ତରେ ଯଦି ସମସ୍ତ ପଦାର୍ଥ ସମ୍ପୁର୍ଣ୍ଣ ରୂପେ ବିଭିନ୍ନ ପ୍ରକୃତିକ ହୋଇଥାନ୍ତି, ତାହାହେଲେ ପରସ୍ପର ତୁଳନାରେ କିଛି ମାତ୍ର ସମ୍ଭାବନା ନଥାନ୍ତା ; ସୁତରାଂ ସୌନ୍ଦର୍ଯ୍ୟୋପଲବ୍ଧି ସମ୍ଭବପର ହୁଅନ୍ତା ନାହିଁ । ଅତଏବ ଏଥିରୁ ବିଶଦରୂପେ ଅନୁମିତ ହେଉଅଛି ଯେ ସାମ୍ୟ ଏବଂ ବୈଷମ୍ୟ ଏହି ଉପକରଣଦ୍ୱୟର କାରଣ ଅଟେ । ମନେକର, ଚତୁଷ୍କୋଣ ଏବଂ ପଞ୍ଚକୋଣ ଦୁଇଗୋଟି କ୍ଷେତ୍ର ଅଛି । ସମସ୍ତେ ସ୍ୱୀକାର କରିବେ ଚତୁଷ୍କୋଣକ୍ଷେତ୍ର ପଞ୍ଚକୋଣକ୍ଷେତ୍ର ଅପେକ୍ଷା ସୁନ୍ଦରତର । କିନ୍ତୁ ଏହି ସୌନ୍ଦର୍ଯ୍ୟର କାରଣ କଣ ? ସୂକ୍ଷ୍ମଦର୍ଶୀ ବ୍ୟକ୍ତିମାନେ ଅବଶ୍ୟ ସ୍ୱୀକାର କରିବେ ଯେ ଚତୁଷ୍କୋଣକ୍ଷେତ୍ରର ବିଭିନ୍ନ ଅଂଶମାନଙ୍କରେ ପରସ୍ପର ସାମଞ୍ଜସ୍ୟ ଯେପରି କୌଶଳରେ ସଂରକ୍ଷିତ ହୋଇଅଛି, ପଞ୍ଚକୋଣକ୍ଷେତ୍ରର ସେପରି ହୋଇନାହିଁ । ଦର୍ଶନେନ୍ଦ୍ରୀୟ ବିଷୟୀଭୂତ ସୌନ୍ଦର୍ଯ୍ୟର ଆହୁରି କେତେଗୁଡ଼ିକ ଉପକରଣ ଅଛି । ତନ୍ମଧ୍ୟରୁ ବର୍ଣ୍ଣ, ଉଜ୍ଜ୍ୱଳତା ଏବଂ ବୈପରୀତ୍ୟ ପ୍ରଧାନ । ନୀଳ, ପୀତ, ଲୋହିତ ପ୍ରଭୃତି ବର୍ଣ୍ଣବିନ୍ୟାସ ଦ୍ୱାରା ସୌନ୍ଦର୍ଯ୍ୟ ବିଶେଷରୂପେ ପରିସ୍ଫୁଟ ହୁଏ । ସମସ୍ତ ଉଜ୍ଜ୍ୱଳ ପଦାର୍ଥ ସୁନ୍ଦର ବୋଲି ପ୍ରତୀୟମାନ ହୁଏ । ଅନନ୍ତ ନୀଳକାଶ ମଧ୍ୟରେ କ୍ଷୁଦ୍ର ତାରକା, ଗୌର ଶରୀରର କୃଷ୍ଣ ପରିଚ୍ଛଦ, ଏଗୁଡ଼ିକ ବୈପରୀତ୍ୟଜନିତ ସୌନ୍ଦର୍ଯ୍ୟର ଉଦାହରଣ । ଶବ୍ଦମାନଙ୍କର ସାମଞ୍ଜସ୍ୟ ଏବଂ ବିଚିତ୍ରତା ଶ୍ରବଣେନ୍ଦ୍ରିୟ ବିଷୟୀଭୂତ ସୌନ୍ଦର୍ଯ୍ୟର କାରଣ ଅଟେ । ଉଚ୍ଚ-ନୀଚ, ହ୍ରସ୍ୱ-ଦୀର୍ଘ, କର୍କଶ-ମଧୁର, ଗମ୍ଭୀର-ତୀକ୍ଷ୍ଣ ନାନାପ୍ରକାର ଶବ୍ଦବୈଷମ୍ୟର ସାମଞ୍ଜସ୍ୟ ସଂଘଟିତ ହେଲେ କର୍ଣ୍ଣ ସଙ୍ଗୀତର ମନୋହାରିତା ଅନୁଭବ କରେ । ଆନ୍ତର ସୌନ୍ଦର୍ଯ୍ୟର ମୂଳରେ ମଧ୍ୟ ସାମ୍ୟ ଓ ବୈଷମ୍ୟର ସାମଞ୍ଜସ୍ୟ ନିଗୂଢ କାରଣରୂପେ ବିଦ୍ୟମାନ ଅଛି । ପିତା ଓ ଭିନ୍ନ ବ୍ୟକ୍ତି; କିନ୍ତୁ ଏହି ଦୁହିଁଙ୍କ ମଧ୍ୟରେ ଯେଉଁପ୍ରକାର ସମ୍ବନ୍ଧ ଅଛି, ତାହା ବ୍ୟକ୍ତିଗତ ବୈଷମ୍ୟର ସାମଞ୍ଜସ୍ୟ ମାତ୍ର ।
ଯେଉଁ ସବୁ ସୁକୁମାର ଶିଳ୍ପବିଦ୍ୟା ଦ୍ୱାରା ମନୁଷ୍ୟସଂସାର ଏତାଦୃଶ ଶ୍ରୀସମ୍ପନ୍ନ ହୋଇଅଛି, ତତ୍ସମୁଦାୟ ସୌନ୍ଦର୍ଯ୍ୟ ଜ୍ଞାନରୁ ପ୍ରସୂତ । ଚକ୍ଷୁରିନ୍ଦ୍ରିୟ ଗ୍ରାହ୍ୟ ସୌନ୍ଦର୍ଯ୍ୟ ଚିତ୍ରବିଦ୍ୟା, ଗୃହନିର୍ମାଣ ବିଦ୍ୟା, ମୂର୍ତ୍ତିନିର୍ମାଣ ବିଦ୍ୟା, ଭାସ୍କରବିଦ୍ୟା ପ୍ରଭୃତିର କାରଣ । ଶ୍ରବଣେନ୍ଦିୟଗ୍ରାହ୍ୟ ସୌନ୍ଦର୍ଯ୍ୟ ସଙ୍ଗୀତ ବିଦ୍ୟାର ନିଦାନ ଅଟେ । କବିତାକୁ ଆନ୍ତର ସୌନ୍ଦର୍ଯ୍ୟର ବିଷୟୀଭୂତ ଶିଳ୍ପବୋଲି ନିର୍ଦ୍ଦେଶ କରାଯାଇପାରେ । ବାହ୍ୟ ସୌନ୍ଦର୍ଯ୍ୟ ସହିତ ଆନ୍ତର ସୌନ୍ଦର୍ଯ୍ୟର ସାମଞ୍ଜସ୍ୟ ହେଲେ ସୌନ୍ଦର୍ଯ୍ୟମୋହିତ ମନୁଷ୍ୟ ଯେଉଁ ଭାବନିଚୟ ପ୍ରକାଶ କରେ, ତାହାକୁ କବିତା ବୋଲାଯାଏ ।
ବର୍ତ୍ତମାନ ଆମ୍ଭେମାନେ ରୁଚି ବିଷୟ ଆଲୋଚନା କରିବା । ରୁଚି କ’ଣ ? ଏହା ଆଦୌ ବିଚାର କରିବା ଉଚିତ । ଜଣେ ପ୍ରସିଦ୍ଧ ଇଂରାଜ ଆଳଂକାରିକ ଲେଖିଅଛନ୍ତି ଯେ, ଯାଉଁ ବୃତ୍ତିଦ୍ୱାରା ମନୁଷ୍ୟ ବାହ୍ୟ ଏବଂ ଆନ୍ତର ସୌନ୍ଦର୍ଯ୍ୟର ସ୍ୱାଦ ଗ୍ରହଣ କରିପାରେ , ତାହା ରୁଚି ନାମରେ ଅଭିଧେୟ । କିନ୍ତୁ ସାଧାରଣତଃ ଲୋକେ ରୁଚି ଶବ୍ଦକୁ ଏହି ଅର୍ଥରେ ପ୍ରୟୋଗ କରନ୍ତି ନାହିଁ । କୌଣସି ପଦାର୍ଥ ଭଲଲାଗିଲେ ମନରେ ଯେଉଁ ପ୍ରୀତି ବା ଆନନ୍ଦ ହୁଏ , ଲୋକେ ତାହାକୁ ରୁଚି କହନ୍ତି । କାହାକୁ କୌଣସି ପଦାର୍ଥ ଭଲ ଲାଗେ କାହାକୁ ଅବା ଭଲ ଲାଗେନାହିଁ । ଜଣେ ଗୋଟିଏ ପଦ୍ମପୁଷ୍କ ଦର୍ଶନକରି ଏପରି ମୋହିତ ହୋଇଯାଏ ଯେ, ତାହାକୁ ବାରମ୍ବାର ନିରୀକ୍ଷଣ କରି ସୁଦ୍ଧା ପରିତୃପ୍ତ ହୁଏ ନାହିଁ ; ଆଉ ଜଣେ ସେହି ପୁଷ୍କରେ କିଛିମାତ୍ର ସୌନ୍ଦର୍ଯ୍ୟ ଦର୍ଶନ କରେନାହିଁ । ଜଣେ ବୀରରସାତ୍ମକ କବିତା ପାଠକରି ଅନିର୍ବଚନୀୟ ଆନନ୍ଦ ଉପଭୋଗ କରେ; ଆଉ ଜଣେ ସେପରି କବିତାକୁ ନୀରସ କାଷ୍ଠତୁଲ୍ୟ ମଣି ଅନ୍ୟ ରସୋଦ୍ଦୀପକ କବିତାକୁ ସମାଦର କରେ । ଗୋଟିଏ ସଙ୍ଗୀତ ଶ୍ରବଣ କରି ଜଣଙ୍କର ହୃଦୟ ଆନନ୍ଦରସରେ ଅଭିଷିକ୍ତ ହେଉଅଛି , ସେହି ସଙ୍ଗୀତ ଅନ୍ୟଜଣକର କର୍ଣ୍ଣରେ ବିଷଧାରା ବର୍ଷଣ କରୁଅଛି । ଆମ୍ଭମାନଙ୍କ ଦେଶରେ ‘‘ଭିନ୍ନ ରୁଚିର୍ହିଲୋକାଃ’’ ଏହି ଯେଉଁ ପ୍ରବାଦ ପ୍ରଚଳିତ ଅଛି , ଆମ୍ଭେମାନେ ତାହାର ଶତ ଶତ ଉଦାହରଣ ପ୍ରତିଦିନ ପ୍ରତ୍ୟକ୍ଷ କରୁଅଛିଁ ।
ସଂସାରରେ ଲୋକମାନଙ୍କ ମଧ୍ୟରେ ସକଳ ବିଷୟରେ ଯେଉଁ ବିଷମ ରୁଚିଭେଦ ପରିଲକ୍ଷିତ ହୁଏ , ତାହାର କାରଣ କଣ? ନିବିଷ୍ଟଚିତ୍ତରେ ଆଲୋଚନା କଲେ, ଏହା ବିଶଦରୂପେ ପ୍ରତିପନ୍ନ ହେବ ଯେ ଏକା ଏହି ରୁଚିବୈଷମ୍ୟର ମୂଳରେ ଶକ୍ତିଭେଦ , ଶିକ୍ଷାଭେଦ ଓ ପ୍ରବୃତ୍ତିଭେଦ ଏହି କାରଣମାନ ବିଦ୍ୟମାନ ଅଛି । ସମସ୍ତଙ୍କର ମାନସିକ ଶକ୍ତି ସମାନ ନୁହେଁ । ପ୍ରତିଭାଶାଳୀ ଲୋକେ ସୌନ୍ଦର୍ଯ୍ୟନିରୂପଣ ଏବଂ ତାହାର ସ୍ୱାଦଗ୍ରହଣ ବିଷୟରେ ଏପରି ନିପୁଣ ଯେ ସେମାନେ କୌଣସି ସୁନ୍ଦର ସାମଗ୍ରୀ ଦେଖିଲାକ୍ଷଣି ତାହାର ସମସ୍ତ ଦୋଷଗୁଣ ଅବଲୀଳାକ୍ରମେ ନିର୍ଦ୍ଦେଶକରି ସ୍ୱୀୟ ରୁଚି ପ୍ରକାଶ କରନ୍ତି । କିନ୍ତୁ ସାମାନ୍ୟ ଲୋକଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ସହକାରେ ସୌନ୍ଦର୍ଯ୍ୟ ଦେଖାଇଦେଲେ ସୁଦ୍ଧା ସେମାନେ ସୌନ୍ଦର୍ଯ୍ୟ ବୁଝିପାରନ୍ତି ନାହିଁ । କୌଣସି ମନୁଷ୍ୟ ସମସ୍ତ ଶକ୍ତିର ଆଧାର ହୋଇ ନ ପାରେ । ଶକ୍ତି ବହୁଧା ବିଭକ୍ତ । ଅତଏବ ପ୍ରତିଭାଶାଳୀ ବ୍ୟକ୍ତି ମାତ୍ର ଯେ ସର୍ବବିଧ ସୌନ୍ଦର୍ଯ୍ୟ ହୃଦୟଙ୍ଗମ କରିପାରିବେ ଏହା ଅସମ୍ଭବ । ଯେଉଁମାନଙ୍କର ସଙ୍ଗୀତବିଷୟିନୀ ବୁଦ୍ଧି ଅତିଶୟ ଉଚ୍ଚ ଅଟେ, ସେମାନେ କେବଳ ଗୀତ ଏବଂ ବାଦ୍ୟର ମାଧୁର୍ଯ୍ୟ ଅନୁଭବ କରିବା ବିଷୟରେ ବିଚକ୍ଷଣ ଅଟନ୍ତି । ନୟନର ବିଷୟୀଭୂତ ସୌନ୍ଦର୍ଯ୍ୟ ବିଷୟରେ ସେମାନେ ଅନ୍ଧତୁଲ୍ୟ ଅଥବା ଅତିଶୟ ଅରସିକ । ପୁଣି ଶକ୍ତିର ପରିମାଣଗତ ବୈଷମ୍ୟ ଅନୁସାରେ ମଧ୍ୟ ରୁଚିର ତାରତମ୍ୟ ହୋଇଥାଏ । କାବ୍ୟପ୍ରଣୟନ– ଶକ୍ତି ଅନେକ ବ୍ୟକ୍ତିଙ୍କର ଅଛି; କିନ୍ତୁ ସମସ୍ତେ ଏକପ୍ରକାର କାବ୍ୟ ରଚନା କରନ୍ତି ନାହିଁ । କେଉଁ କବି କେବଳ ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟ ଚିତ୍ରିତ କରି ସୁଖୀ ହୁଅନ୍ତି, କାହାର ଶକ୍ତି କେତେଗୁଡ଼ିଏ ସଦୁପଦେଶପୂର୍ଣ୍ଣ ବାକ୍ୟକୁ ଛନ୍ଦୋନିବନ୍ଧ କରିବାରେ ପର୍ଯ୍ୟବସିତ ହୁଏ । ଯେଉଁମାନେ ଉଚ୍ଚଶ୍ରେଣୀର କବି, କେବଳ ସେହିମାନେ ମନଚଷ୍ୟ ପ୍ରକୃତିର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରି ମହାକାବ୍ୟ, ଶ୍ରେଷ୍ଠ ନାଟକ ପ୍ରଣୟନ ଦ୍ୱାରା ପାଠକ– ସଂସାରକୁ ମୋହିତ କରନ୍ତି ।
ଶିକ୍ଷାଭେଦ ହେତୁରୁ ରୁଚି ସମ୍ବନ୍ଧରେ ଅତି ମହାନ୍ ପ୍ରଭେଦ ଲକ୍ଷିତ ହୁଏ । ସୁଶିକ୍ଷତମାନେ ଯେଉଁ କବିତାକୁ ସମାଦର କରନ୍ତି, ତହିଁରେ କଳ୍ପନାରେ ବୈଚିତ୍ର୍ୟ, ହୃସୟଭାବରେ ଉଚ୍ଛ୍ୱାସ, ରସମାଧୁର୍ଯ୍ୟ ଏବଂ ପବିତ୍ରତା ଜାଜ୍ୱଲ୍ୟମାନ ଥାଏ । ଅଶିକ୍ଷିତ ଅଥବା ଅର୍ଦ୍ଧଶିକ୍ଷିତ ଲୋକେ ଯେଉଁ କବିତାକୁଆଗ୍ରହପୂର୍ବକ ପାଠକରନ୍ତି, ତାହା କେବଳ ଶବ୍ଦାଡ଼ମ୍ବରପୂର୍ଣ୍ଣ ଅଥବା ଅତି ନିକୃଷ୍ଟ ପ୍ରବୃତ୍ତିର ଉଦ୍ଦୀପକ ।
ମନୁଷ୍ୟର ଶ୍ରେଷ୍ଠ ଏବଂ ନିକୃଷ୍ଟ ଉଭୟ ପ୍ରକାର ପ୍ରବୃତ୍ତି ଅଛି । ଶ୍ରେଷ୍ଠ ପ୍ରବୃତ୍ତିର ଅନୁସରଣ କରି ଲୋକେ ସୁରୁଚିମନ୍ତ ହୁଅନ୍ତି ଏବଂ ନିକୃଷ୍ଟ ପ୍ରବୃତ୍ତିର କର୍ତ୍ତୃତ୍ୱାଧୀନ ହେଲେ ଲୋକେ କୁରୁଚିଗ୍ରସ୍ତ ହୁଅନ୍ତି । ଯେଉଁମାନଙ୍କ ହୃଦୟରେ ପ୍ରୀତି, ଭକ୍ତି, ବିଶ୍ୱାସ, ଉତ୍ସାହ ପ୍ରଭୃତି ଶ୍ରେଷ୍ଠଭାବ ସ୍ୱଭାବତଃ ପ୍ରବଳ, ସେମାନେ ବୀର, ଶାନ୍ତ ଏବଂ କରୁଣରସର କାବ୍ୟ ଅଧ୍ୟୟନରେ କାଳଯାପନ କରନ୍ତି । ସେହିପରି ଯେଉଁମାନଙ୍କର ଶ୍ରେଷ୍ଠ ପ୍ରବୃତ୍ତିଚୟ ଦୁର୍ବଳ, ଅଥଚ ଯେଉଁମାନଙ୍କର କାମାଦି ନିକୃଷ୍ଟବୃତ୍ତି ଅତ୍ୟନ୍ତ ବଳବତୀ, ସେମାନେ କାମୋଦ୍ଦୀପକ ଆଦିରସଯୁକ୍ତ କବିତା ପାଠକରି ପରିତୃପ୍ତ ହୁଅନ୍ତି ।
ଜାତିବିଶେଷର ରୁଚି ସେହି ଜାତିର ନୈତିକ ଅବସ୍ଥାର ପରିଚୟ ପ୍ରଦାନ କରେ । ଯେଉଁ ଜାତୀୟ ଲୋକେ ପ୍ରତିଭାଶାଳୀ ବ୍ୟକ୍ତିର ସୁରୁଚିସମ୍ଭୂତ ଗ୍ରନ୍ଥମାନଙ୍କୁ ଶ୍ରଦ୍ଧା କରନ୍ତି, ସେମାନଙ୍କର ଧର୍ମନୀତି ଯେ ଉନ୍ନତ, ଏଥିରେ ସନ୍ଦେହ ନାହିଁ । ପକ୍ଷାନ୍ତରେ ଏହା ନିଃସଂଶୟ ଯେ ଯେଉଁ ଜାତୀୟ ଲୋକେ କୁରୁଚି– ପ୍ରଣୋଦିତ ହୋଇ ଅଶ୍ଳୀଳ ଅପକୃଷ୍ଟ ଗ୍ରନ୍ଥମାନଙ୍କୁ ଆଦର କରନ୍ତି , ସେମାନଙ୍କର ଧର୍ମନୀତି ଅତି ହୀନ ଅଟେ । ଦେଶର ରୁଚି ଏବଂ ଧର୍ମନୀତି ଉନ୍ନତକରିବା ଅତ୍ୟନ୍ତ ପବିତ୍ର କାର୍ଯ୍ୟ ଅଟେ । ଯେଉଁ ଗ୍ରନ୍ଥକାରମାନେ ଏହି କର୍ତ୍ତବ୍ୟର ଗୁରୁତ୍ୱ ହୃଦୟଙ୍ଗମ ନକରି କେବଳ ଲୋକମାନଙ୍କର ନୀଚ ଆମୋଦ ପ୍ରବୃତ୍ତି ପରିତୃପ୍ତ କରିବାପାଇଁ ଯତ୍ନବାନ ହୁଅନ୍ତି, ଯେଉଁମାନେ ଲୋକମାନଙ୍କର କଳ୍ପନା ସପକ୍ଷରେ କୁତ୍ସିତ ଚିତ୍ରମାନ ଉପସ୍ଥାପିତ କରି ଲୋକମାନଙ୍କର ବିକୃତ ଭାବମାନଙ୍କୁ ଉତ୍ତେଜିତ କରନ୍ତି , ସେମାନେ ସମାଜର ଶତ୍ରୁ ଅଟନ୍ତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ