ରାମତନୁ ଲାହିଡ଼ୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୧
- ସ୍ଥିତି
- ସାର୍ବଜନୀନ (Public domain)
ନଦୀୟା ଜିଲ୍ଲା ଅନ୍ତର୍ଗତ କୃଷ୍ଣନଗର ମହାତ୍ମା ରାମତନୁ ଲାହିଡ଼ୀଙ୍କର ଜନ୍ମସ୍ଥନ । ବହୁ ପୂର୍ବକାଳରୁ ଏହି ନଗର ନବଦ୍ୱୀପ ରାଜାଙ୍କର ରାଜଧାନୀ ଥିବାରୁ, ଅନେକ ଗୁଣୀ ଲୋକ ସେଥିରେ ବାସ କରୁଥିଲେ । ରାଜକାର୍ଯ୍ୟରେ ନିଯୁକ୍ତି ହେବା ନିମିତ୍ତ ଅନେକେ ଯତ୍ନପୂର୍ବକ ବିଦ୍ୟାଶିକ୍ଷା କରୁଥିଲେ । ଲାହିଡ଼ୀଙ୍କର ପୂର୍ବପୁରୁଷମାନେ ମଧ୍ୟ ରାଜକାର୍ଯ୍ୟ କରୁଥିଲେ । ରାମତନୁ ଏହି ରାଜସେବକ ବ୍ରାହ୍ମଣକୁଳରେ ୧୮୧୩ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରେ ସେ ବିଦ୍ୟାଶିକ୍ଷା ନିମିତ୍ତ ତାହାଙ୍କ ଜୋଷ୍ଠ ସହୋଦରଙ୍କ ସହିତ କଲିକତାକୁ ଆସିଥିଲେ । ଏହିଠାରେ ଶିକ୍ଷାପ୍ରତି ବିଶେଷ ଆଗ୍ରହ ଥିବାରୁ ସେ କଲିକତର ପ୍ରସିଦ୍ଧ ହେୟାର ସ୍କୁଲ ପ୍ରତିଷ୍ଠାତା ଡେଭିଡ୍ ହେୟାର ସାହେବଙ୍କ ସୁଦୃଷ୍ଟିରେ ପଡ଼ିଥିଲେ ଏବଂ ତାହାଙ୍କ ଅନୁଗ୍ରହରୁ ବିନାବେତନରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଅନୁମତି ପାଇଥିଲେ । ପ୍ରାୟ ୧୭ ବର୍ଷ ବୟସରେ ରାମତନୁ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ନିମିତ୍ତ ତଦାନୀନ୍ତନ ହିନ୍ଦୁ କଲେଜରେ ପ୍ରବେଶ ଲାଭ କଲେ । ତେତେବେଳେ ଏହି କଲେଜରେ ଡିରୋଜିଓ ନାମକ ଜଣେ ଛାତ୍ରବତ୍ସଳ ସୁଚରିତ୍ର ଅଧ୍ୟାପକ ଥିଲେ । ତାଙ୍କ ନିକଟରେ ଯେଉଁମାନେ ଅଧ୍ୟୟନ କରିଥିଲେ, ସେମାନେ ଧର୍ମନୀତି ଏବଂ ବିଶୁଦ୍ଧ ଜ୍ଞାନରେ ବିଶିଷ୍ଟ ଥିଲେ । ରାମତନୁ ଲାହିଡ଼ୀ ଉକ୍ତ ମହାଶୟଙ୍କର ଜଣେ ପ୍ରଧାନ ଶିଷ୍ୟ ଥିଲେ ।
କଲେଜର ଶିକ୍ଷା ସମାପ୍ତ କରି ରାମତନୁ ପ୍ରଥମେ ହିନ୍ଦୁସ୍କୁଲର ଜଣେ ଶିକ୍ଷକର କାର୍ଯ୍ୟରେ ନିଯୁକ୍ତ ହେଲେ । ତାହାଙ୍କ କର୍ମଜୀବନର ଅଧିକାଂଶ ସମୟ ଏହି ଶିକ୍ଷକତା କାର୍ଯ୍ୟରେ ଅତିବାହିତ ହୋଇଥିଲେ । ସେ ବର୍ଦ୍ଧମାନ, ଉତ୍ତରପଡ଼ା, ବରିଶାଲ, କୃଷ୍ଣନଗର ପ୍ରଭୃତି ବିଭିନ୍ନ ଜିଲ୍ଲାର ସ୍କୁଲମାନଙ୍କରେ ପ୍ରଶଂସିତ ଭାବରେ ଶିକ୍ଷକର କାର୍ଯ୍ୟ ପରିଚାଳନା କରିଥିଲେ । ତାଙ୍କର ସାଧୁ ବ୍ୟବହାରରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ସର୍ବଶ୍ରେଣୀର ଲୋକ ସନ୍ତୁଷ୍ଟ ଥିଲେ । ବର୍ଦ୍ଧମାନ ସ୍କୁଲରେ ହେଡ଼ମାଷ୍ଟର ଥିବା ସମୟରେ ଏକଦା ବିଦ୍ୟାଳୟର ଖଣ୍ଡିଏ ମାନଚିତ୍ର ହଜିଯାଇଥିଲା । ଖୋଜି ଖୋଜି ନ ମିଳିବାକୁ ସେ ଭୃତ୍ୟ ଉପରେ ସନ୍ଦେହ କରିଥିଲେ; କିନ୍ତୁ ତାହାକୁ କିଛି କହିନଥିଲେ । ଅଳ୍ପଦିନ ପରେ ଦେଖାଗଲା ଉକ୍ତ ମାନଚିତ୍ର ଖଣ୍ଡିକ ଆଲମାରିର ଗୋଟଏ ପାଖରେ ପଡ଼ିଅଛି । ରାମତନୁ ଏହା ଦେଖି ଅକାରଣରେ ଭୃତ୍ୟକୁ ମନେ ମନେ ଦୋଷୀ କରିଥିବାରୁ ବଡ଼ କଷ୍ଟ ଅନୁଭବ କଲେ ଏବଂ ସେ ଭୃତ୍ୟକୁ ଡାକି କହିଲେ, ‘‘ତୁମ୍ଭେ ନିର୍ଦୋଷ, ମୁଁ ଅକାରଣରେ ତୁମ୍ଭ ଉପରେ ସନ୍ଦେହ କରିଥିଲି; ବର୍ତ୍ତମାନ ମୋତେ ତୁମ୍ଭେ କ୍ଷମା କର ।’’ ଭୃତ୍ୟ ହେଡ଼ମାଷ୍ଟରଙ୍କଠାରୁ ଏ ପ୍ରକାର କଥା ଶୁଣି ଅବାକ୍ । ଏ ପ୍ରକାର ଦୃଷ୍ଟାନ୍ତରୁ ଜଣାଯାଉଅଛି ସେ କିପରି ସରଳ ପ୍ରକୃତିର ଲୋକ ଥିଲେ । ସେ ଯେଉଁଠାକୁ ଯାଉଥିଲେ ଛାତ୍ରମାନଙ୍କର ଚରିତ୍ର ଏବଂ ଧର୍ମନୀତି ପ୍ରତି ବିଶେଷ ଦୃଷ୍ଟି ରଖୁଥିଲେ । ଛାତ୍ରମାନେ କିପରି ସତ୍ୟବାଦୀ ଏବଂ ପରୋପକାରୀ ହେବେ, ଏହା ଭଲକରି ଦେଖୁଥିଲେ ।
ବୃଦ୍ଧାବସ୍ଥାରେ ସେ ପେନ୍ସନ ପ୍ରାପ୍ତ ହୋଇ ନାନା ସ୍ଥାନରେ କିଛି କିଛି କାଳ ଅବସ୍ଥାନ କରିଥିଲେ । ସେ ସମସ୍ତ ସ୍ଥାନର ଲୋକେ ତାହାଙ୍କ ସଂସର୍ଗରେ ଆପଣାକୁ ଉପକୃତ ମଣୁଥିଲେ । ରାମତନୁଙ୍କ ପ୍ରାୟ ସାଧୁ, ସୁଶୀଳ ଏବଂ ବିନୀତ ବ୍ୟକ୍ତି ବିରଳ ଦେଖାଯାନ୍ତି । ଶୁଦ୍ଧଚରିତ୍ର ଯୋଗୁଁ ସେ ଦୀର୍ଘାୟୁ ହୋଇ ୯୫ ବର୍ଷ ବୟସରେ ସ୍ୱର୍ଗାରୋହଣ କରିଥିଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ