ରାଜାଭକ୍ତି — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିନୃପର ପ୍ରଜାଙ୍କର ପିତା ସମାନ,କର ତାହାଙ୍କୁ ଶିଶୁ ଭକ୍ତି ସମ୍ମାନ;ଭୁଞ୍ଜଇ ସୁଖ ପ୍ରଜା ତାଙ୍କ ସନ୍ତୋଷ,ଘୋର ଦୁର୍ଗତି ଲଭେ ଭୂପତି ରୋଷେ ।
୨
ନୁହନ୍ତି ନରପତି ସାମାନ୍ୟ ନର,ନର ରୂପରେ ଜାତ ସ୍ୱର୍ଗ ଅମର;କର ହେ ଏହା ଜାଣି ତାଙ୍କୁ ଅର୍ଚ୍ଚନା,ଗାଅ ବାଳକେ ତାଙ୍କ କୀର୍ତ୍ତବନ୍ଦନା ।
୩
ରାଜ୍ୟ-ତରୀର ରାଜା ସ୍ୱକର୍ଣ୍ଣଧାର,ରାଜା ବିହୁନେ ହୁଏ ତା ଛାରଖାରନୃପତି ଅରାଜକ ଉପଦ୍ରବରୁ,ନ ରଖିଲେ ସେ ରାଜ୍ୟ ହୋଇବ ମରୁ
୪
ମହାତରୁ, ଆଶ୍ରିତ ତରୁକୁ ଯଥା,ବଞ୍ଚାଇ ରଖିଥାଏ ସଦା ସର୍ବଥା;ତେସନ ଧରି ରାଜା କରୁଣାଧ୍ୱଜା,ଆପଦ ଉପଦ୍ରବୁ ରଖନ୍ତି ପ୍ରଜା ।
୫
ଶାସନ କରି ନୃପ ଖଣ୍ଟ ତସ୍କରେ,ଆବର ଅତ୍ୟାଚାରୀ ଦୁର୍ବୁତ୍ତ ନରେ;ପ୍ରବଳ ପୀଡ଼ନରୁ ଦୁର୍ବଳ ଜନେ,ବଞ୍ଚାଇ ରଖନ୍ତି ତା ଜୀବନେ, ଧନେ ।
୬
ନୃମଣି ସାକ୍ଷାତରେ ଧର୍ମ୍ମାବତାର,ସାଧନ୍ତି ପ୍ରଜାପୁଞ୍ଜ ସୁଉପକାର;ବିପୁଳ ଅର୍ଥବ୍ୟୟେ ନ କରି ଦ୍ୱିଧା,କରନ୍ତି ପ୍ରଜା ହିତେ ନାନା ସୁବିଧା ।
୭
ସଂସ୍ଥାପି ସ୍ଥାନେ ସ୍ଥାନେ ଶିକ୍ଷାଆଗାର,ଖୋଲି ଦିଅନ୍ତି ପ୍ରଜା ଉନ୍ନତି ଦ୍ୱାର;ଖର୍ଚ୍ଚ ଉନ୍ନତି ମୂଳ ଶିକ୍ଷା କେବଳ,ଜୀବନ ତା ଅଭାବେ ସିନା ବିଫଳ ।
୮
ପ୍ରଜା କୁଳର ରାଜା ମହଦାଶ୍ରୟ;ସ୍ଥାପନ୍ତି ପ୍ରଜାହିତେ ଔଷଧାଳୟ;ଦରିଦ୍ର ପ୍ରଜାପୁଞ୍ଜ ରୋଗ ସମୟେ,ପାଆନ୍ତି ସୁଔଷଧ ତହୁଁ ଅବ୍ୟୟେ ।
୯
ପ୍ରଜାଙ୍କ ଗତି ବିଧି ସୁବିଧାପାଇଁ,ନିର୍ମ୍ମାଣି ରାଜପଥ ରାଜ୍ୟେ ନୃସାଇଁ;ରୋପନ୍ତି ରଥ୍ୟାତରୁ ବେନି ପାଶରେ,ଛାୟାରେ ବିଶ୍ରାମନ୍ତି ପଥିକ ନରେ ।
୧୦
ବାଣିଜ୍ୟର ସୁବିଧା ହୁଏ ସେ ପଥେ,ଘେନି ବଣିକେ ପଣ୍ୟ ଦ୍ରବ୍ୟ ଗୋରଥେ;
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
୧୭
କରିଣ ବିକା କିଣା ଦେଶ ବିଦେଶେ,
କରନ୍ତି ଅର୍ଥାଗମ ଦେଶେ ବିଶେଷେ ।
୧୧
ରାଜ୍ୟରେ ଜଳାଶ୍ରୟ କରି ଖନନ,କରନ୍ତି ରାଏ ଜଳକଷ୍ଟ ମୋଚନ;ଅନାବୃଷ୍ଟିରେ ତହୁଁ ଘେନି ଜୀବନକରନ୍ତି ଶସ୍ୟ ରକ୍ଷା କୃଷକଗଣ ।
୧୨
ବହୁ ବୃଷ୍ଟିରୁ ଶସ୍ୟ ସୁରକ୍ଷା ହେତୁ,ବନ୍ଧାନ୍ତି ସ୍ଥାନେ ସ୍ଥାନେ ନୃପତି ସେତୁ;କାହିଁବା ହୁଏ ଖାତ ପୟଃ ପ୍ରଣାଳୀ,ନିର୍ବିଘ୍ନେ ବଢ଼େ ତହୁଁ କେଦାରେ ଶାଳି
୧୩
କାହିଁବା ଦେବାଳୟ ପାନ୍ଥ ଆଗାର,ପ୍ରସ୍ତୁତ ହୁଏ ବିଜ୍ଞ ନୃପ ଆଜ୍ଞାର;ବଢ଼ଇ ତହିଁ ପ୍ରଜା ଧର୍ମ ଆଶୟ,ରାଜାନୁଗତ ଧର୍ମ ଏହା ନିଶ୍ଚୟ ।
୧୪
କରନ୍ତି ଦୋଷେ ରାଜା ଦଣ୍ଡବିଧାନ,ଗୁଣରେ ପୁରସ୍କାର କରନ୍ତି ଦାନ;ଦୁଷ୍ଟଦଳନ ପୁଣି ଶିଷ୍ଟପାଳନ,ଏ ବ୍ରତ ଧରିଥାନ୍ତି ସଦା ରାଜନ ।
୧୫
ପ୍ରଜାର ଧନ, ଦାରା, ଜୀବନ, ଧର୍ମ,ସୁରକ୍ଷା ଅଟେ ସିନା ନୃପତି କର୍ମ;ଧରଣୀ ପାପକ୍ଷୟ କରନ୍ତି ରାଏ,ସତ୍ୱଧରମ ତହୁଁ ପ୍ରବୃଦ୍ଧି ପାଏ ।
୧୬
ବହୁ ଦେଶରୁ ଆଣି ବହୁ ପଦାର୍ଥ,ସଞ୍ଚି ରଖନ୍ତି ଭୂପ ପ୍ରଜା ଶିକ୍ଷାର୍ଥ;ଦେଖି ଶିଖନ୍ତି ଶିଳ୍ପ ପ୍ରଜା ସକଳ,ଦେଶ ଅବସ୍ଥା ତହୁଁ ହୁଏ ସ୍ୱଚ୍ଛଳ ।
୧୭
କୁଟୁମ୍ୱେ କର୍ତ୍ତା ଯଥା ଜଣେ ପ୍ରାଚୀନ,ସକଳେ ହୋଇଥାନ୍ତି ତାର ଅଧୀନ;ଚାଳକ ପାଳକ ସେ ସମସ୍ତଙ୍କର,ସମସ୍ତେ ରଖିଥାନ୍ତି ତା ପ୍ରତି ଡର ।
୧୮
ସେପରି ଧରାଗାରେ ପ୍ରଧାନ ରଜା,ତାଙ୍କର ପରିବାର ସକଳ ପ୍ରଜା;ପାଳନ୍ତି ସମସ୍ତଙ୍କୁ ସମେ ନରେଶ,ମାନସେ ନ ବିଚାରି କ୍ଷୁଦ୍ର ବିଶେଷ ।
୧୯
ଯୋଗ୍ୟ ପ୍ରଜାକୁ ଯୋଗ୍ୟ ବେତନ ଦେଇ,ରାଜକାର୍ଯ୍ୟରେ ରାଏ ଲଗାନ୍ତି ନେଇ;କାଳବଶେ ଭୁଞ୍ଜଇ ହେଲେ ସେ କୁତୀ,ଦୁର୍ବଳ ବସି ରାଜ ପ୍ରଦତ୍ତ ବୃତ୍ତି ।
୨୦
ମହୀରେ ମହୀପତି ସିନା ପ୍ରଧାନ,ମହୀ ତାହାଙ୍କୁ କରେ ରତ୍ନ ପ୍ରଦାନ;ଭୂଗର୍ଭେ ଅଛି ଯେତେ ରତନ ଖଣି,ସେ ସର୍ବ ଅଧିକାରୀ ଏକା ନୃମଣି ।
୨୧
ବର୍ଣ୍ଣିବି କେତେ ଆଉ ନୃପତି ଗୁଣ,ପ୍ରଜାହିତୈଷୀ ସର୍ବ-ଗୁଣ-ନିପୁଣ;ଲୋକ ପାଳନେ ତାଙ୍କୁ ସୃଜିଲେ ବିହି,ତାଙ୍କ କରେ ବିଶେଷ କ୍ଷମତା ନିହି ।
୨୨
ଯେସନ ପୂଜନୀୟ ଇନ୍ଦ୍ର ଅମରେ,ତେସନ ନରବର ସଂପୂଜ୍ୟ ନରେ;ନର ଦେବତା ହେତୁ ନୃଦେବ ନାମ,ପୂରାନ୍ତି ପ୍ରଜାଙ୍କର ସୁମନସ୍କାମ ।
୨୩
ଜନ-କଲ୍ୟାଣ-ବ୍ରତ-ପୂର୍ଣ୍ଣ-ସମ୍ପୂଟ-ଛଳେ ବହନ୍ତି ରାଏ ଶିରେ ମୁକୁଟ;ଯେ ସଞ୍ଚେ ଧନ ଏକା ତାହାରିପାଇଁ,ସଞ୍ଚନ୍ତି ଦେଶପାଇଁ ମାତ୍ର ନୃସାଇଁ ।
୨୪
ଦୂର୍ଭିକ୍ଷକାଳ ଅନ୍ନ କରି ବଣ୍ଟନ,କରନ୍ତି ପ୍ରଜାପତି ପ୍ରଜା ରକ୍ଷଣ;ଗତ ଦୁର୍ଭିକ୍ଷ ଶିଶୁ ସୁମର ଥରେ,ବଞ୍ଚିଲେ ପ୍ରଜା ରାଜ ଦତ୍ତ ଅନ୍ନରେ ।
୨୫
ଏତାଦୃଶ ହିତୈଷୀ ନୃପତି ପ୍ରତି,ଯେଉଁ ପାମର ନର ନ କରେ ଭକ୍ତି;ମାନବ ସମାଜରେ ସେ କୁଳାଙ୍ଗାର,ଅନ୍ତେ ନରକେ ଗତି ନିଶ୍ଚୟ ତାର ।
୨୬
ରାଜାଙ୍କ ନିନ୍ଦାବାଦ ଅକରଣୀୟ,ତା ଠାରୁ ମହାପାପ ନାହିଁ ଦ୍ୱିତୀୟ;ଆନ ପାପର ଅଛି ଯେ ପ୍ରତିକାର,ମାତ୍ର ପ୍ରାୟଶ୍ଚିତ୍ତ ନାହିଁ ରାଜନିନ୍ଦାର ।
୨୭
ପାଞ୍ଚିଲେ ଅମଙ୍ଗଳ ନୃପତିଙ୍କର,ତାହାଙ୍କ କ୍ରୋଧାନଳ ହେବ ପ୍ରଖର;ମିଳଇ ଜଳେ ଅଗ୍ନି କୋପରୁ ତ୍ରାହି,ରାଜ ରୋଷରୁ କିନ୍ତୁ ନିସ୍ତାର ନାହିଁ ।
୨୮
ନୃପତି ଦ୍ରୋହୀ ଦେବ ଧରମ ଦ୍ରୋହୀ,ଏ ତିନି ଊଣା କେହି କାହାକୁ ନୋହି;ଶାସ୍ତ୍ରୋକ୍ତି ଏହା, ନୋହେ କଳ୍ପନା କଥା,କର୍ତ୍ତବ୍ୟ ନୁହେ ରାଜ କୁତ୍ସା ସର୍ବଥା ।
୨୯
କେବଳ ରାଜଭକ୍ତି ଫଳରେ ଜନେ,ବସନ୍ତି ପୁଣ୍ୟବନ୍ତ ପବିତ୍ରାସନେ;ଏଥିର ସୁଦୃଷ୍ଟାନ୍ତ ହେ ଶିଶୁମାନେ,ଅଭାବ ନାହିଁ ପୂତ ଆର୍ଯ୍ୟ ପୁରାଣେ ।
୩୦
ଆନ କଥାରେ ଏବେ ଏ ଦେଶ ହୀନ,ରାଜଭକ୍ତିରେ ମାତ୍ର ନୁହେ ମଳିନ;ଏ ଦେଶ ରାଜଭକ୍ତି ଏ ରବିତଳେ-ଦୁର୍ଲ୍ଲଭ, ତାହା କବି ବଚନ ବଳେ ।
୩୧
ରାଜଭକ୍ତିରେ ଏକା ଅତୁଳନୀୟ,ଭାରତ ଆନ ଦେଶ ଗୁରୁସ୍ଥାନୀୟ;ଭାରତ ଗଲେ ଏହି ଗୌରବ ମାଳ,ଥିଲାକ, ଅଛି, ଥିବ ତାବତକାଳ ।
୩୨
ଭାରତ ରୁଗ୍ନ ଦେହ ଭଗ୍ନ ପଞ୍ଛାରେ,ଜୀବିତ ଅଛି ରାଜ-ଭକ୍ତି ବଳରେ;ତାହାର ଏ ସୁଯଶ ସ୍ନିଗ୍ଧ ସୌରଭ,ବ୍ୟାପିଛି ଯୁଗେ ଯୁଗେ ନିଖିଳ ଭବ ।
୩୩
କୋମଳମତି ଶିଶୁ ଏକାଗ୍ରେ ଶୁଣ,ଅପରିଶୋଧ୍ୟ ଅଟେ ରାଜାଙ୍କ ଋଣ;ସୁମରି ଏହା ତାଙ୍କୁ ସମର୍ପ ଭକ୍ତି,ଆକର୍ଷ ତାଙ୍କଠାରୁ ସ୍ୱଅନୁରକ୍ତି;
୩୪
ଦେଖି ଆମ୍ଭର ଏହା ଇ ରାଜ ରାଜା,ବାଜେ କ୍ଷିତିରେ ଯାଙ୍କ କୀରତି ବାଜା;ଆମ୍ଭମାନଙ୍କୁ ସେହୁ କେତେ ସୁଖରେ,ରଖିଅଛନ୍ତି ସଦା ସ୍ମର ଅନ୍ତରେ ।
୩୫
କହିଅଛନ୍ତି କବି ଶାଶ୍ୱତ ଗିରେ,ପାଳନେ ଶ୍ରୀପତି ସେ ସିନା ମହୀରେ;ଅଧିକ କି ଗାଇବି ଗୁଣ ଗୀତିକା,ସ୍ୱର୍ଗ ବିଜୁଳି ଯାଙ୍କ ପରିଚାରିକା ।
୩୬
ଆମ୍ଭ ସକାଶେ କରି କେତେ ସୁବିଧା,ସାର୍ଥକି ଛନ୍ତି ନିଜ ରାଜ ଅଭିଧା;ପଢ଼ୁଛି ଶିଶୁ ଯେଉଁ ଛପା ଅକ୍ଷର,ସେ ଅଟେ ଉଦ୍ଭାବନ ଇଁ ରାଜଙ୍କର ।
୩୭
ଆଣିବାରୁ ସେ ମୁଦ୍ରାଯନ୍ତ୍ର ଏ ଦେଶେ,ସୁଲଭେ ମିଳେ ବହୁ ଗ୍ରନ୍ଥ ବିଶେଷେ;ହେଉଛି ପୁଷ୍ଟ କ୍ରମେ ସାହିତ୍ୟାଗାର,ପିନ୍ଧୁଛି ମାତୃଭାଷା ନବୀନ ହାର ।
୩୮
ରୁଦ୍ର କ୍ଷମତା ତାଙ୍କ ଏ ଭୁମଣ୍ଡଳେ,ଅସାଧ୍ୟ ସାଧନ୍ତି ସେ ବିଜ୍ଞାନ ବଳେ;ନୁହନ୍ତି ଅସ୍ତ ତାଙ୍କ ରାଜ୍ୟୁ ମାର୍ତ୍ତଣ୍ଡ,ଜଳ ଅନଳ ସାଧେ କ୍ରିୟା ପ୍ରଚଣ୍ଡ ।
୩୯
ଘେନି କିରଣ ମାଳୀ କିରଣ ତୁଳି,କି ରଙ୍ଗେ ଚିତ୍ରେ ଚାରୁ ଚିତ୍ର ପିତୁଳି;ଦର୍ଶନେ ହେ ଆଲେଖ୍ୟ ହୁଏ ପରତେ,ଚିତ୍ରି ଅଛନ୍ତି ଅବା ବିଧାତା ସତେ
୪୦
ଭେଟେ ତାହାଙ୍କୁ ସିନ୍ଧୁ ମୁକ୍ତା ପ୍ରବାଳେ,ଭେଟନ୍ତି କରୀ ଦେଇ ଶିଖରୀମାଳେ;ପୁଷ୍ପ ଚନ୍ଦନ ଧୂପ କସ୍ତୂରୀଘେନି,ଭେଟନ୍ତି ଗନ୍ଧଦ୍ରବ୍ୟେ କାନନ ଶ୍ରେଣୀ ।
୪୧
ତାଙ୍କ ସାମ୍ୟ ନୀତିରେ ପିଅନ୍ତି ଜଳ,ଏକ ଘାଟରେ ଏବେ ବାଘ ଛାଗଳ;ତାଙ୍କ ଆଜ୍ଞାରେ ବାୟ ବନ୍ଧନ ଳଭେ,ପ୍ରବଳ ପ୍ରତାପୀ ସେ ଅଟନ୍ତି ଭବେ ।
୪୨
ଚଳାଇ ଏ ଦେଶରେ ରେଳ ଇଂରାଜ,କରିଅଛନ୍ତି କେଡ଼େ ମହତ କାର୍ଯ୍ୟ;ଦିନକ ବାଟ ସେହୁ ଚାଲେ ଘଡ଼ିକେ,ଗତିରେ ହାରେ ବାୟ ତାହା ଅନ୍ତିକେ ।
୪୩
ବାଣିଜ୍ୟ ଦେଶାଟନ ସୁବିଧା ବେନି,ଅଳପ ବ୍ୟୟେ ଶିଶୁ ହୁଏ ତା ଘେନି;ଜ୍ଞାନ ପ୍ରବୃଦ୍ଧି ଲଭେ ଦେଶ ଭ୍ରମଣେ,ଦେଶ ଦୁର୍ଦ୍ଦଶା ଘୁଞ୍ଚେ ବାଣିଜ୍ୟ ଧନେ ।
୪୪
ଗତ ଦୁର୍ଭିକ୍ଷ କାଳେ ରେଳ ସକାଶୁଁବଞ୍ଚିଲେ ସିନା ଲୋକେ ଦୁର୍ଭିକ୍ଷ ଗ୍ରାସୁ;ବହି ଆଣିଲା ଶସ୍ୟ ବିଦେଶୁ ଯାଇ,ଦୁର୍ଭିକ୍ଷ ବାଧା ତହୁଁ ବାଧିଲା ନାହିଁ ।
୪୫
ଆବର ତାର ଡାକ କରି ସର୍ଜନା,କେତେ ସୁବିଧା ଦେଲେ ନାହିଁ କଳନା;ତାରେ ବିଜୁଳି ବହି ଆଣେ ଛଟକେ,ମାସକ ପଥୁଁ ବାର୍ତ୍ତା ନେତ୍ର ପଲକେ ।
୪୬
ସ୍ୱଳ୍ପ ବ୍ୟୟରେ ଆସେ ଡାକରେ ଟଙ୍କା,ହଜି ଯିବାର ତହିଁ ନଥାଏ ଶଙ୍କା;ଆସେ ସମ୍ବାଦପତ୍ର ଭାରକୁ ଭାର,ଦେଶ ମଧ୍ୟରେ କରେ ଜ୍ଞାନ ପ୍ରଚାର ।
୪୭
ସଂସ୍ଥାପି ଦେଶେ ବିଶ୍ୱ-ବିଦ୍ୟା ଆଳୟ,କରାଉଛନ୍ତି ଦେଶେ ଆଲୋକ ମୟ;ବାହାରେ ସେ ଖଣିରୁ ଉଜ୍ଜ୍ୱଳ ମଣି,କେ ପାରେ ସଂଖ୍ୟା ତାର ତାର ସହଜେ ଗଣି ।
୪୮
ଆବର ସୃଜି ଯନ୍ତ୍ର ଦୂରବୀକ୍ଷଣ,କରନ୍ତି ତହିଁ ଦୂର-ଦୃଶ୍ୟ ଦର୍ଶନ;ଅଣୁବୀକ୍ଷଣେ କ୍ଷୁଦ୍ର ଦିଶେ ମହତ,ଅଦୃଶ୍ୟ ବସ୍ତୁ ଦିଶେ ଆକାରବନ୍ତ ।
୪୯
କମ୍ପାସ ନାମେ ଯନ୍ତ୍ର ନାବିକ ସଖା,ଦିଗଭ୍ରମରୁ ତାଙ୍କୁ କରେ ସୁରକ୍ଷା;ଅକୂଳ ମହାର୍ଣ୍ଣବେ ନୌ-କର୍ଣ୍ଣଧାର,ନିର୍ଣ୍ଣୟ କରେ ଦିଗ ସାହାଯ୍ୟ ଭାର ।
୫୦
ଦେଶେ ବିଦେଶେ ସ୍ଥାପି କଳ ନିକର,ସାଧନ୍ତି ସମୁନ୍ନତି ଶ୍ରମ ଶିଶୁର;ଜଣେ ମନୁଷ୍ୟ ପାଇ କଳ ସାହାଯ୍ୟ;ସାଧଇ ହେଳେ ଦଶ ଜଣର କାର୍ଯ୍ୟ ।
୫୧
ସସାଗରା ଧରାର ପତି ଇଂ ରାଜାଙ୍କର,ସର୍ବତ୍ର ଅଜେୟ ସେ ରାଜାଧିରାଜ;କ୍ଷମତା ଯେଉଁ ପରି କ୍ଷମା ସେପରି,ଉପମା ଦୟାଗଣେ ସେହି ତାଙ୍କରି ।
୫୨
ଅବିଦ୍ୟା-ମରୁଭୂମେ ତାଙ୍କ ଶିକ୍ଷାରେ,ବହୁଛି ଜ୍ଞାନ-ଗଙ୍ଗା ସହସ୍ରଧାରେ;ସ୍ୱାଧୀନତା ପ୍ରଦାନ ତାଙ୍କ ସୁବ୍ରତ,କରନ୍ତି ଦାସ୍ୟ ପାଶୁଁ ଜନେ ମୁକତ ।
୫୩
ଆଦର୍ଶ ଉଦାରତା ଅଟେ ତାଙ୍କର,ଆଦର୍ଶ ସେହୁ ନ୍ୟାୟେ ଧର୍ମ୍ମେ ଆବର;ପତିତ ଜାତି ପ୍ରତି ନ କରି ଘୃଣା,ତାହାଙ୍କୁ ଉଦ୍ଧାରନ୍ତି ବହି କରୁଣା ।
୫୪
ତାଙ୍କ ଆଶ୍ରୟ ଲଭି ପତିତୋତ୍କଳ,ଅପାର ମୁଦ-ନୀରେ ହୁଏ ଭ୍ରସଳ;ବାନ୍ଧଣ ମନେ ନାନା ଆଶା-ସୋପାନ,ନିଜକୁ ମଣୁଅଛି ସୌଭାଗ୍ୟବାନ ।
୫୫
ରାଜା ରୂପରେ ଏବେ ପାଇ ତାହାଙ୍କୁ,ଫୁଲାଇ ଏ ଉତ୍କଳ ନିଜ ବାହାକୁ;ଚାଲୁଛି ଭାବି ମନେ ଭାବୀ ମଙ୍ଗଳ,ନିଶ୍ଚେଁ ଏ ତାର ପୂର୍ବ ତପସ୍ୟାଫଳ ।
୫୬
ରାଜତ୍ୱ କଲେ କେତେ ରାଜା ଏ ଦେଶେମାତ୍ର ସୁବିଧା ଏତେ ଦେଲା କିଏସେ;କେ ଥିଲା ପ୍ରଜାହିତେ ଏଡ଼େ ତତ୍ପର,ଅଛି ବା ଏକାଳେ କେ ଆନ ଦେଶର ।
୫୭
ଇଂରାଜ ସ୍ନେହ-ମୌତ୍ରୀ-ରସେ ରସିକ,ମଣନ୍ତି ପ୍ରଜାଙ୍କୁ ସେ ପ୍ରାଣୁ ଅଧିକ;ପ୍ରଜାଙ୍କ ଦୁଃଖ ଦୈନ୍ୟ ବିନାଶକାରୀ,ଶୁଣନ୍ତି କାନଡ଼େରି ତାଙ୍କ ଗୁହାରି ।
୫୮
ସକଳ ଧର୍ମେ ତାଙ୍କ ସମାନୁରାଗ,ଧର୍ମ ପାଳନ ତାଙ୍କ ମହତ ଯାଗ;ସର୍ବ ଗୁଣରେ ଗୁଣୀ ବ୍ରିଟନବାସୀ,ଜ୍ଞାନେ ବ୍ରିଟନ ଆଜି ସୁତୀର୍ଥ କାଶୀ ।
୫୯
ବ୍ରିଟନ ଶୁଭଯୁଗ ଅମରାକ୍ଷରେ,ଖୋଦିତ ରହିଲା ଏ ଦେଶବକ୍ଷରେ;ଉଠୁଛି ଧନ୍ୟବାଦ ତା ନାମେ ଦେଶେ,ଉଠିବ ଚିରକାଳ ପୁଣି ବିଶେଷ୍ୟେ ।
୬୦
ଇଂରାଜ ରାଜଲକ୍ଷ୍ମୀ ଭବେ ଅଚଳା,ତଥା ବିଜୟ-ଲକ୍ଷ୍ମୀ ମହା ପ୍ରବଳା;କ୍ରୋଧେ ଇଂରାଜ ଦୀପ୍ତ ଅନୋଳପମ,ଶୀତଳତାରେ ପୁଣି ସଲିଳ ସମ ।
୬୧
ସୁସଭ୍ୟ ଜାତି ଯେତେ ମହୀରେ ଛନ୍ତି,ତହିଁ ମଧ୍ୟରେ ଟେକ ଇଂରାଜୀ ଛତି;ଅସଭ୍ୟ ଜାତି ପ୍ରତି ନ କରି ଘୃଣା,ଶିଖାନ୍ତି ସଭ୍ୟତା ସେ ବହି କରୁଣା ।
୬୨
ଇଂରାଜ ପ୍ରଚାରନ୍ତି ଏ ନୀତିସାର,ଅଦୃଷ୍ଟ ଠାରୁ ବଡ଼ ପୁରୁଷକାର;ଅଦୃଷ୍ଟ ପ୍ରତି ତେଣୁ ନ ଦେଇ ଭାରା,ରତ ସେ ନବୋଦ୍ୟମେ ଜୀବନ ସାରା ।
୬୩
ସେ ଜାତି ଶୁଦ୍ଧମନା ଶୁଦ୍ଧ ସ୍ୱଭାବ,ପୋଷିଣ ହୃଦେ ଆତ୍ମ-ନିର୍ଭର ଭାବ;ହୁଅନ୍ତି ଠିଆ ନିଜେ ନିଜ ପାଦରେ,ଶିଖାନ୍ତି ସୁଦ୍ଧା ତାହା ଆନେ ଆଦରେ ।
୬୪
ସାହସେ ଅଦ୍ୱିତୀୟ ଶ୍ୱେତ ପୁରୁଷେ,ଡରନ୍ତି ନାହିଁ ବିଘ୍ନ ବିପଦକୁ ସେ;ହେଉ ପଛକେ କାର୍ଯ୍ୟ ଯେଡ଼େ ଅସାଧ୍ୟ,ସାଧନେ କରନ୍ତି ତା ନିଜକୁ ବାଧ୍ୟ ।
୬୫
ଧନ୍ୟ ଇଂରାଜ ଜାତି ଅଧ୍ୟବସାୟ,ଲଗାନ୍ତି କାର୍ଯ୍ୟ ଧନ, ଜୀବନ, କାୟ;ଅକୃତ କାର୍ଯ୍ୟ ହେଲେ ନୋହି ହତାଶ,ସାଧନ୍ତି ବାରମ୍ୱାର କରି ପ୍ରୟାସ ।
୬୬
ଯେ ଗୁଣ ଯୋରେ ନର ହୁଏ ଅମର,ସେ ସର୍ବ ଗୁଣ ଅଛି ଇଂରାଜଙ୍କର;ତେଣୁ ସେ ପାଉଛନ୍ତି ପୂଜା ସଂସାରେ,ସୁଲଭ ଗୁଣ ପୂଜା ତାହାଙ୍କ ଠାରେ ।
୬୭
ତାହାଙ୍କ ଏ ସଦ୍ଗୁଣ ବାଳକଗୁଣ,ସତତ କର ତୁମ୍ଭେ ଅନୁକରଣ;ବହିବ ତେବେ ତୁମେ ମନୁଷ୍ୟ ନାମ,କୃତାର୍ଥ ହେବ ତହିଁ ଜନମଧାମ ।
୬୮
ପୂଜ ତାଙ୍କ ପ୍ରତିଭା ରଜନୀ ଦିବା,ଜୀବନେ ଲୋଡ଼ ଯଦି ପୂଜା ପ୍ରତିଭା;ଯେ କରେ ଗୁଣୀଗୁଣେ ଭକ୍ତି ଆଦର,ଆଶ୍ରନ୍ତି ତାକୁ ଶୁଭ ଗୁଣ ନିକର ।
୬୯
ଇଂରାଜ ଜାତି କେଡ଼େ ପ୍ରତିଭାଶାଳୀ,ଉଦ୍ଭାବି ବୈଜ୍ଞାନିକ କୃଷି ପ୍ରଣାଳୀ;ଦେଶ ମଧ୍ୟରେ ତାହା କରି ପ୍ରଚାର,କୃଷିବିଦ୍ୟାରେ କଲେ ଯୋଗ୍ୟ ସଂସ୍କାର ।
୭୦
ଶିଖି ସେ ଶୁଭବିଦ୍ୟା ପ୍ରଜାପଙ୍କତି,କରନ୍ତି କ୍ଷେତ୍ରୁ ବହୁ ଶସ୍ୟ ଉତ୍ପତ୍ତି;କୃଷି ଉନ୍ନତି ଆନ ଉନ୍ନତି ଦ୍ୱାର,ସର୍ବ ଉନ୍ନତି କରେ ଅପେକ୍ଷା ତାର ।
୭୧
ଏକାନ୍ତ ସତ୍ୱନିଷ୍ଠ ଇଂରାଜ ଜାତି,ବିରାଜେ ତାଙ୍କ ରାଜ୍ୟେ ବିଶୁଦ୍ଧ ଶାନ୍ତି;ସତ୍ୱ-ଧରମ ନ୍ୟାୟ-କ୍ଷେପଣୀ ଧରି,ଚଳାନ୍ତି ସୁକୌଶଳେ ସାମ୍ରାଜ୍ୟ-ତରୀ ।
୭୨
ଇଂରାଜ ରାଜନୀତି ଅତି ଉଦାର,ଆଦର୍ଶ ନୀତି ମଧ୍ୟେ ଅଟେ ସେ ସାର;ଗ୍ରଥିତ ସୁଶୃଙ୍ଖଳେ ସେ ରାଜନୀତି,ପ୍ରଜା ସୁବିଧା ସୁଖ ତା ମୂଳ ଭିତ୍ତି ।
୭୩
ଜନ ଗଣନା କରି ଦଶ ବରଷେ,ପ୍ରଜା ଅବସ୍ଥା ହୋନ୍ତି ପରିଜ୍ଞାତ ଯେ;ଦେଖନ୍ତି ତ୍ରୁଟି ଯେଉଁ ଦିଗରେ ତାର,କରନ୍ତି ଖରେ ତାହା ସୁପ୍ରତିକାର ।
୭୪
ଇଂରାଜ ଅପ୍ରତୁଳ ମେଧାବୀ ପଣେ,ବିଜ୍ଞାନ ବଳେ ଚଢ଼ି ବାୟୁ ବାହନେ;କରନ୍ତି ଗ୍ରହ ଗତି ସୁନିରୁପଣ,ଦୁରୂହ ସୃଷ୍ଟିତତ୍ତ୍ୱେ ନିବେଶି ମନ ।
୭୫
ଇଂରାଜ ପୁଣ୍ୟବୀର୍ତ୍ତ ଅମରଗୀତେ,ଗାଏ ଉତ୍କଳ ସଦା ପ୍ରହୃଷ୍ଟଚିତ୍ତେ,ଗାବନ୍ତି ଯେ ସ୍ଥାବର ଜଙ୍ଗମ ଦ୍ୱୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୭୬
ଯାମ୍ୟେତର ପରିଖା ସୁବର୍ଣ୍ଣରେଖା,ସୈକତେ ସ୍ୱର୍ଣ୍ଣରେଣୁ ଯାଏ ତା ଦେଖା;ଗାଏ ସେ ଉଚ୍ଚେତୋଲି ତରଙ୍ଗଦ୍ୱୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୭୭
ମେଘମେଦୁର ରୁଦ୍ର ଭୁଜ ସୁନ୍ଦରଗିରୀନ୍ଦ୍ର ମେଘାସନ ତୋଳି ଶିଖଡ଼;ଗାଉଛି ଗୁହା-ହର୍ଷେ ଅଥୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୭୮
ତରଙ୍ଗ-କରତାଳି ବଜାଇ ଘନେ,ଚରାଚର ବିତ୍ରାସୀ ଘୋର ଗର୍ଜନେ;ଗାଉଛି ପୂର୍ବେ ନୀଳ କରୁଣାଳୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୭୯
ଚିରକଲ୍ଲୋଳମୟୀ ଯାମ୍ୟେ ଚିଲିକା,ସୁଚାରୁ ଚକ୍ରବାକୀ ଚିତ୍ତ-ଚନ୍ଦ୍ରିକା;ଗାଏ ରାଜଭକ୍ତିରେ ହୋଇ ତନ୍ମୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୦
ଋଷିକୁଲ୍ୟା-ତଟନୀ ସେ ଋଷିକୁଲ୍ୟା,ତଟନୀ କୁଳରାଣୀ ମର୍ତ୍ତ୍ୟ ଅତୁଲ୍ୟା;ଗାଏ ସେ କଳକଳେ ଉଲ୍ଲୋଳି ପୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୧
ପାଣ୍ଡବ-ଅଧ୍ୟାସିତ ମହେନ୍ଦ୍ର ଗିରି,ମହେନ୍ଦ୍ର ପୁରୀ ତୁଲ୍ୟ ଯା ଦିବ୍ୟ ଶିରୀ;ଗାଏ ସେ ସୁରଗିରି, ସୁର-ନିଳୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୨
ପଶ୍ଚିମ ଦିଗେ ଯେତେ ଶିଖରୀମାଳଗଗନେ ତୋଳିଛନ୍ତି ଶିର ବିଶାଳ;ଗାବନ୍ତି ସର୍ବେ କରି ନିଶ୍ଚଳ ଲୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୩
ଉତ୍କଳ ମନ୍ଦାକିନୀ ଚିତ୍ରଉତ୍ପଳା,ପବିତ୍ର-ତୋୟା ଦେବୀ ଖଣ୍ଡଉପଳା;ଗାଉଛି କଳକଳ ଛଳେ ନିଶ୍ଚୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୪
ଉତ୍କଳ ହିମାଳୟ ମାଲ୍ୟଭୁଧର,ନିସର୍ଗ ଦୃଶ୍ୟ ଯାର ରୁଦ୍ର ସୁନ୍ଦର;ଗାଉଛି ମୁଖରି ସେ ଆଶା-ବଳୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୫
କଳି-କିଳ୍ୱିଷହରା ବଇତରଣୀ,ଚାରୁ ତରଙ୍ଗ ତାଳେ ଗାଉଛି ଧନୀ;ଘେନି ସାଳନ୍ଦୀ ଆଦି ସଖୀନିଚୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୬
ପୁରୀ ଭୁବନେଶ୍ୱର ମହା ଦେଉଳ,ଉତ୍କଳ ଶିଳ୍ପକଳା ଯହିଁରେ ଠୁଳ;ଅଶୀଷେ ଅସ୍ପଷ୍ଟେ ସେ ଦେଉଳ ଦ୍ୱୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୭
ଗାଉଛି ଖଣ୍ଡାଧାର ଝର୍ଝର ସ୍ୱରେ,ନୀରନ୍ଧ ସୁବିଶାଳ ଶାଳବନରେ;କରିଣ ବନଭୂମେ ସଙ୍ଗୀତମୟ,‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୮
ସମ୍ୱଲପୁରେ ଗାଏ ପ୍ରଧାନ ପାଟ,କଚାଡ଼ି ଶିଳାଶେଯେ ଛାଡ଼ି କୁହାଟ;(ବିକମ୍ପେ ଯେ କୁହାଟେ ପାନ୍ଥ ହୃଦୟ)‘‘ଜୟ ବ୍ରିଟନ ଶଶୀ ଇଂରାଜ ଜୟ ।’’
୮୯
ଯାବତ ପ୍ରାକୃତିକ ବସ୍ତୁ ସକଳ,ଗାଆନ୍ତି ଏହିପରି ନୃପମଙ୍ଗଳ;ରାଜଭକ୍ତିରେ ସର୍ବେ ନିମଜ୍ଜମାନ-ହୋଇ ଦେଖାନ୍ତି ରାଜ ପ୍ରୀତି ପ୍ରମାଣ
୯୦
ଏ ଦେଶ ଆଦରଣ ଏ ଅବନୀରେ,ଭେଦିଛି ରାଜଭକ୍ତି ତା ଧମନୀରେ;ରାଜଭକ୍ତି ଜାହାର ଅମୂଲ୍ୟ ଧନ,ଜାଣନ୍ତି ଏହା ସର୍ବ ଜଗତଜନ ।
୯୧
ନିର୍ଦ୍ଦୋଷ ଭ୍ରମବଶେ ଦଣ୍ଡିଲେ ରଜା,ଦୁଃଖିତ ନ ହୁଅନ୍ତି ଏ ଦେଶ ପ୍ରଜା;ଶୁଣ ବାଳକେ ତାର ଉଦାହରଣ,ଅଳୀକ ନୁହେଁ ତାହା,- ଶାସ୍ତ୍ରବଚନ ।
୯୨
ଅନ୍ଧକ ମୁନିପୁତ୍ର ସିନ୍ଧୁ ଅଖ୍ୟାତ,ପାଇଣ ଦଶରଥ ଶରେ ଆଘାତ;ତେଜିଲେ ପ୍ରାଣ ମୁନି କିନ୍ତୁ ତଥାପି,କ୍ଷମିଲେ ଦଶରଥ ନୃପେ ନ ଶାପି ।
୯୩
ଅଣିମାଣ୍ଡବ୍ୟ ଦ୍ୱିଜେ ଏକ ନୃସାଇଁ,ଶୂଳୀରେ ଚୋରଜ୍ଞାନେ ଦେଲେ ଚଢ଼ାଇ;ସେ ଋଷି ନ ଘେନିଲେ ରାଜାଙ୍କ ଦୋଷଅଜ୍ଞାନକୃତ ଜାଣି ଲଭିଲେ ତୋଷ ।
୯୪
ମୀକ ଋଷିଗଲେ ଶ୍ରୀ ପରୀକ୍ଷିତ,ଅଦୋଷେ କଲେ ମୃତ ସର୍ପ ଜଡ଼ିତ,ଏତେକ ଅପମାନେ ସେ ଋଷିବର,ବହିଲେ ନାହିଁ କୋପ ତିଳେ ମାତର ।
୯୫
ଯେ ଦେଶ ରାଜଭକ୍ତି ଗୁଣେ ପ୍ରଥମ,ଲଭିଛ ସେ ଦେଶେ ହେ ତୁମ୍ଭେ ଜନମ;ତୁମ୍ଭ ପୂର୍ବ ପୁରୁଷ ପାଳିତ ପ୍ରଥା,ପାଳ ବାଳକେ ମନେ ପ୍ରାଣେ ସର୍ବଥା ।
୯୬
ପୂର୍ବପୁରୁଷେ ଯଥା ରାଜଭକତଶ,ସେପରି ହୁଅ ଶିଶୁ ତୁମ୍ଭେ ସତତ;ରାଜଭକ୍ତିରେ ମିଳେ ପୁଣ୍ୟ ସୁଯଶ,ପିଅ ବାଳକେ ସେହି ଅମୃତ ରସ ।
୯୭
ସୁଶୀଳ ରାଜଭକ୍ତ ଅଟେ ଯେ ନର,ସମାଜେ କ୍ରମେ ତାର ବଢ଼େ ଆଦର;ମଣନ୍ତି ରାଜା ତାଙ୍କୁ ବିଶ୍ୱାସୀ ଅତି,ଦିଅନ୍ତି ଉଚ୍ଚକାର୍ଯ୍ୟ ଉଚ୍ଚ ପଦ୍ଧତି ।
୯୮
ରାଜଭକତି ରାଜସେବା ଫଳରେ,ମହାତ୍ମା ନର କେତେ ଏ ଉତ୍କଳରେ;ଲଭିଲେ ରାଜଦ୍ୱାରୁ ଗୌରବ ପଦ,ଦୁର୍ଲ୍ଲଭ ନରପ୍ରାଣେ ଯେଉଁ ସମ୍ପଦ ।
୯୯
ଇଂରାଜ ରାଜା ସର୍ବ ଗୁଣ-ନିପୁଣ,କି ଦେଇ ଶୁଝିବା ହେ ତାହାଙ୍କ ଋଣ;ଭକତି କୃତଜ୍ଞତା ଦାନ ବ୍ୟତୀତ,ସେ ଋଣ ପରିଶୋଧ୍ୟ ନୋହେ କିଞ୍ଚିତ;
୧୦୦
ଅତଏବ ବାଳକେ ଶୁଣ ମୋ କଥା,କର ଇଂରାଜରାଜେ ଭକ୍ତି ସର୍ବଥା;ଚିର ରାଜତ୍ୱ ତାଙ୍କ କରି କାମନା,ଶ୍ରୀହରି ପଦେ କର ସଦା ପ୍ରାର୍ଥନା ।ସମାପ୍ତ ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି