ରାଘବ ବିଳାସର ବିଷୟବସ୍ତୁ
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୨୪ ମିନିଟ୍
- ଶବ୍ଦ
- ୩୭୮୮
- ସ୍ଥିତି
- ସାର୍ବଜନୀନ (Public domain)
ଏହି ଗ୍ରନ୍ଥ ସେ ତାଙ୍କର ଅତି ପ୍ରିୟତମ ରାଜା ବିନାୟକଙ୍କ ନାମ ପ୍ରଚାର କରିବା ଲକ୍ଷ୍ୟରେ ଲେଖିଥିବାର ପ୍ରଥମ ଛାନ୍ଦରେ ଜଣାଯାଏ -
ସୀତା ରାମ ଅଂଘ୍ରି, ଅବ୍ଳକୁ ହୃଦୟରେ ଧ୍ୟାୟିଣ
ରାଘବ ବିଳାସ ପ୍ରବନ୍ଧ ରଚନାକୁ କରିଣ
ନବୀନ ଦୁର୍ଗେଶ ପ୍ରତାପୀ ବିରାଧି ବୀରବର
ବିନାୟକ ସିଂହ ଶ୍ରୀ ମାନଧାତା ଗ୍ରନ୍ଥେ ପ୍ରଚାର ।
ଶ୍ରୀ ବିନାୟକ ସିଂହ ମାନଧାତାଙ୍କ ନାମକୁ ଏ ଗ୍ରନ୍ଥ ଜରିଆରେ ପ୍ରଚାର କରୁଛି ବୋଲି ସେ ଯେ ଲେଖିଛନ୍ତି, ଏହାଦ୍ୱାରା ତାଙ୍କର ପ୍ରିୟତମ ରାଜପୁରୁଷଙ୍କ ନାମ ଧନ୍ୟ ହୋଇଅଛି । ମିଳିଥିବା ଛାନ୍ଦମାନଙ୍କର ବିବରଣୀ -
ପ୍ରଥମ ଛାନ୍ଦ - ୧୨ଟି ପଦରେ ରାମକେରି ରାଗରେ ସମ୍ପୂର୍ଣ୍ଣ । ଏଥିରେ ରାମଚନ୍ଦ୍ରଙ୍କୁ ତାଙ୍କ ଜୀବନର ଆଖ୍ୟାୟିକାଦ୍ୱାରା ସାଧାରଣଭାବେ ବନ୍ଦନା କରାଯାଇଛି ।
ଦ୍ୱିତୀୟ ଛାନ୍ଦ - ଶଙ୍କରାଭରଣ ବୃତ୍ତରେ ୧୬ ପଦରେ ଏହା ସମ୍ପୂର୍ଣ୍ଣ । ଏହି ଛାନ୍ଦର ବିଷୟର ବର୍ଣ୍ଣନା ହେଲା ଯେ ରାବଣର ଜନ୍ମ, ବିବାହ, ତାର ବରପ୍ରାପ୍ତ ଏବଂ ଦିଗବିଜୟରେ ଦେବତାମାନଙ୍କର ଅଶାନ୍ତି ଇତ୍ୟାଦି ।
କବିତାରେ ଶବ୍ଦପାଣ୍ଡିତ୍ୟ ଏବଂ ଯତି ଯମକ, ସ୍ୱରଧରି ଗାଇବା ଲାଗି ମନୋହର ଭାବରେ ସଂଗୀତରୀତି ରଖାଯାଇଛି ମାତ୍ର ।
ବିଶ୍ରବାକ ବଂଶ ବାହା ଆମ୍ଭରେ କଣ୍ଟକ
ଅରି କର ! ଅରିଙ୍କର ଶ୍ରୀଘ୍ର ବିନାଶକ,
ଭଣୁ ଭଣିଲେ କୌସ୍ତ୍ୱଭୂ
ମିତ୍ର ବଂଶେ ନୃପକୁଳେ ଯାଇ ଜାତ ହେବୁ ।
ବିଶ୍ରବାଙ୍କ ବଂଶଧର ବିଂଶବାହୁ ରାବଣ ଆମର ଶତ୍ରୁ ହୋଇଅଛି । ହେ ଚକ୍ରଧାରୀ ! ଉକ୍ତ ବୈରୀକୁ ତୁମ୍ଭେ ଶୀଘ୍ର ବିନାଶ କର । ଏ କଥା କହନ୍ତେ କୌସ୍ତୁଭ−ଧାରୀ ନାରାୟଣ କହିଲେ, ସୂର୍ୟ୍ୟବଂଶୀୟ ନୃପକୁଳରେ ଆମ୍ଭେ ଯାଇ ଜନ୍ମ ହେବୁ ।
ଏହି ଛାନ୍ଦରେ ସେ ଛାନ୍ଦଲେଖା ଅବିଘ୍ନରେ ପୂର୍ଣ୍ଣ ହେଲା ବୋଲି ଲେଖିଥିବାରୁ ମନେ ହୁଏ ଗ୍ରନ୍ଥରେ ବିଘ୍ନର ଆଶଙ୍କା ସେ ପୋଷଣ କରିଥିଲେ । ତେଣୁ ତାହା ହିଁ ପରବର୍ତ୍ତୀ ସମୟରେ ସମ୍ଭବିଥିଲା ।
ତୃତୀୟ ଛାନ୍ଦ - କଳସା ବୃତ୍ତରେ ୩୭ ପଦରେ ଏ ଛାନ୍ଦଟି ସଂପୂର୍ଣ୍ଣ ।
କଥାବସ୍ତୁ - ଲୋମପାଦ ରାଜାଙ୍କ ରାଜ୍ୟର ଦ୍ୱାଦଶ ବର୍ଷ ଅନାବୃଷ୍ଟି ଏବଂ ଜରତା ବେଶ୍ୟାଦ୍ୱାରା ଋଷ୍ୟଶୃଙ୍ଗଙ୍କ ଆଗମନ ବିଷୟ ଏଥିରେ ବର୍ଣ୍ଣିତ ରହିଛି । ଏଥିରେ କବିଙ୍କର ସ୍ୱଭାବଘେନି ବର୍ଣ୍ଣନା ବିଶେଷତ୍ୱ କିଛି ନାହିଁ । ଚିରାଚରିତ ସମସ୍ୟା ହିଁ ଚିତ୍ରିତ ହୋଇଛି ମାତ୍ର ।
ଅଳଙ୍କାର - ସଂପୂର୍ଣ୍ଣ ଛାନ୍ଦଟିକୁ କବି ଆଦ୍ୟ ଯମକରେ ରଚନା କରିଅଛନ୍ତି ।
ଯେପରି -
ଜୀବନହୀନ ଦ୍ୱାଦଶ ସମ୍ୱତ୍ସର ହେଲା
ଜୀବନ ଯିବ ଏଣିକି କି କରିବ ଭଲା ।
ଦ୍ୱିଜକୁଳରେ ପୁଚ୍ଛନ୍ତି କରକ ସଂଯୁକ୍ତେ
ଦ୍ୱିଜୋକ୍ତି ବିଭାଣ୍ଡକକୁ ଅଣାଅ ତୁରିତେ ।
ବନଜ ପିତାଜ୍ଞା ପାଳି ତପେଛନ୍ତି ରହି
ବନଜ ପ୍ରଦତ୍ତ ହେବ ତାଙ୍କ ଆଜ୍ଞା ପାଇ ।
ଶଚିବର ପ୍ରାୟ ରାଜା ମନକୁ ଅଇଲା
ସଚୀବରେ ଆଜ୍ଞାଦତ୍ତ ଏହା କର ଭଲା ।
*ଶବ୍ଦାର୍ଥ । ବିଶ୍ରବାଜ - ବିଶ୍ରବାତନୟ । ଅରି - ଚକ୍ର । ଅରି - ବୈରୀ, ଶୀଘ୍ର ବିନାଶକ (ହୁଅ) । କୌସ୍ତ୍ୱଭୂ - କୌସ୍ତୁଭଧାରଣକାରୀ । ମିତ୍ର - ସୂର୍ଯ୍ୟ ।
ଶବ୍ଦ ପାଣ୍ଡିତ୍ୟ - ଉକ୍ତ ଯମକରେ ଅନ୍ୟ ପ୍ରକାର ମଧ୍ୟ କେତେ ପଦ ଦେଖାଯାଏ । ସେପରି -
ପାଦପରେ ପାଦପରେ ଦେଇ ଅପସର
ବାରାଙ୍ଗନା ବାରାଙ୍ଗନା ମିଳିଲେ ପାଖର ।
ଚତୁର୍ଥ ଛାନ୍ଦ - ରସକୁଲ୍ୟା ରାଗରେ ଛାନ୍ଦଟି ୧୯ପଦରେ ଲେଖା ଯାଇଅଛି ।
କଥାବସ୍ତୁ - ବିଭାଣ୍ଡକ ଋଷ୍ୟଶୃଙ୍ଗଙ୍କ ଅଙ୍ଗସ୍ପର୍ଶରେ ତପସ୍ୱୀଜନ ଅନୁଚିତ ବସ୍ତୁ ଲକ୍ଷ୍ୟ କରି ପୁତ୍ରକୁ ସେ ପ୍ରସଙ୍ଗରୁ ରହିତ ହେବା ବିଷୟରେ ଉପଦେଶ ଦେଇ ପ୍ରାତଃକାଳରେ ବନଗମନ କରନ୍ତେ, ଜରତା ୠଷ୍ୟଶୃଙ୍ଗଙ୍କୁ ନୌକାରେ ନେଇ ଚାଲିଆସିଛି ଏବଂ ଲୋମପାଦ ରାଜ୍ୟରେ ବର୍ଷା ହେବା ପରେ ଶାନ୍ତାର ବିବାହ ଏବଂ ଦଶରଥଙ୍କର ଆମନ୍ତ୍ରଣ ଏଥିରେ ସୂଚିତ କରାଯାଇଛି ।
ରଚନାରେ ପ୍ରଥମ ଦୁଇ ପଦ ପ୍ରାନ୍ତଯମକ ଓ ଅନ୍ୟାନ୍ୟ ୧୭ ପଦ ଆଦ୍ୟ ଯମକରେ ରଚନା କରାଯାଇଛି ।
ବିଭାକର ଅସ୍ତାଚଳ ଭଜୁତ
ବିଭାବରୀ ପବେଶନ୍ତେ ତୁରିତ
ବିଭାଣ୍ଡକ ତପସ୍ଥାନୁ ଆଗତ
ବିଭାବ ମଣି ପୁତ୍ରାଙ୍ଗ ସ୍ପର୍ଶେତ
ବିଭାତ କେମନ୍ତ
ବିରାଗ କଲେ କୋଳରେ ଘେନିତ ।
ପଞ୍ଚମ ଛାନ୍ଦ - ରାଗ କାମୋଦି ( ମତାନ୍ତରରେ ଚକ୍ରକେଳି ) । ୨୭ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ତୁ - ଦଶରଥ ଋଷ୍ୟଶୃଙ୍ଗଙ୍କଦ୍ୱାରା ଯଜ୍ଞ କରି ରାମ ଆଦି ପୁତ୍ରମାନଙ୍କୁ ଲାଭ କରିବା ବର୍ଣ୍ଣିତ ହୋଇଛି । ରଚନାରେ ଶବ୍ଦପାଣ୍ଡିତ୍ୟ ରହିଛି । ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ପଦ ଅନୁସରଣ କରି ଗାଇଛନ୍ତି - ‘‘ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ” ଏବଂ କାଳିଦାସଙ୍କ ‘‘ଦିନେ ଦିନେ ସା ପରିବର୍ଦ୍ଧମାନା”ଅନୁସରଣ କରି ‘‘ଦିନକୁ ଦିନ ସହ ନବ ବର୍ଦ୍ଧନ” ଅବା ରଚିତ ହୋଇଛି ବୋଲି ମନେ ହୁଏ ।
ଷଷ୍ଠ ଛାନ୍ଦ - ରାଗ ଆହାରୀ । ୨୩ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ - ସୀତାଙ୍କର ଜନ୍ମ ଏବଂ ସ୍ୱୟଂମ୍ବର ପ୍ରତିଜ୍ଞା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ବିଶ୍ୱାମିତ୍ରଙ୍କ ସହିତ ଯଜ୍ଞରକ୍ଷା ପାଇଁ ଗୃହତ୍ୟାଗ ଏଥିରେ ବର୍ଣ୍ଣିତ ହୋଇଛି । କବି ମହାସତୀ ଜନକନନ୍ଦିନୀଙ୍କର ଜନ୍ମ ଓ ଯୌବନ ବିବରଣୀ ପ୍ରଥମରୁ ପାଞ୍ଚଟି ପଦରେ ଅତି ବିଚକ୍ଷଣ ଭାବରେ ବର୍ଣ୍ଣନା କରିଅଛନ୍ତି । ବର୍ଣ୍ଣନାମାଧୁରୀ ପ୍ରତି ଆକୃଷ୍ଟ କରିବାକୁ ଉକ୍ତ ପାଞ୍ଚପଦ ଏଥିରେ ଉଦ୍ଧାର କରିବା ସଙ୍ଗତ ହେଉଛି -
‘‘ଶୁଣ ସୁବିଦୁଷ ସକଳ କଳ୍ବିଷ ଅଙ୍ଗରୁ ହୋଇବ ଦହନ
ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ
ସକାଳେ, ସଭିଶାପେ ଖରେ ଅପୁରା
ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା । ୧ ।
ନଗରୀନର୍ତ୍ତକୀ ବ୍ରହ୍ମଣ୍ୟ ଭକ୍ତିକି ଜାଣି ପ୍ରକାଶର ରଭସେ
ଧରଣୀ ସମ୍ଭୂତା ହେବ ତୁମ୍ଭ ସୁତା ପୂର୍ବୁ ନାଁ ପାର୍ଥବୀ ପ୍ରକାଶେ
ଗତାନ୍ତେ । ବେଧା ବିଧାନରେ ଉତ୍ପତ୍ତି
ସୁଫେଡ଼ା ଫଳାଗ୍ରେ ଦେଖି ଯତି ବ୍ୟଗ୍ରେ ବିଘ୍ନେ ଦୃଷ୍ଟିପାତ ଝଟତି । ୨ ।
କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି
ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି
ତତ୍କାଳେ, ପବିତ୍ରାଙ୍ଗି ଘେନି ସଦନେ
ସୀମନ୍ତିନୀ-ସୀମନ୍ତିନୀ ଭୂଷା ମମ୍ମେ ‘ହୃଦୟାନନ୍ଦ ସେ ତେସନେ । ୩ ।
ବନଜସମ୍ଭୂତା ପରାୟେ ବର୍ଦ୍ଧିତା ପଦ ନିଉଛାଇ ହୋଇକି
ନୟନ ଚକୋରୀ ସୁଧା ପାନକରି ବେରବେ ସର୍ବେ ଅଲକ୍ଷକି
ବାତରେ, ଲତାଗ୍ର ଚଳଚଳ ମତ
ସୁମନା ଅଙ୍ଗରେ ସୁଶୋଭା ରଙ୍ଗରେ ବେଳକୁ ବେଳ ସେ ବିଦୀପ୍ତ । ୪ ।
ଧାତ୍ରୀ ଶିରୀ ଧାତ୍ରୀ କୋଳେ ସୁଶୋଭନ୍ତି ଯତି ଯତି ନାରୀ ଆନନ୍ଦ
କୂଳ ପବିତ୍ରାଣୀ ସମ୍ଭୂତା ଏ ପୁଣି ସୁମନା ଦର୍ଶନେ ପ୍ରମୋଦ
ଅଦେହ, ଅଦେହ ନଗ୍ରେ ଯାଙ୍କ ବାସ
ବାସରେ ବାସରେ ମଣ୍ଡିତ ହେବାରେ ସୁବାସ ବାସରେ ପ୍ରକାଶ । ୫ ।
ଶଦ୍ଦାର୍ଥ । କକଶ କାଶ୍ୟପୀ - ଟାଣଭୂମି । ସଭ - ଇନ୍ଦ୍ର । ‘ଖ’ ରେ - ଶୀଘ୍ର, ଆକାଶରେ । ଯତି - ଜନକ ରାଜର୍ଷି । ନଗରୀନର୍ତ୍ତକୀ - ଅପ୍ସରା । ବ୍ରାହ୍ମଣ୍ୟ - ଋଷିଙ୍କ । ଭକ୍ତି - ସ୍ନେହ, ସମାଦର । ରଭସେ - ହର୍ଷରେ । ଚତାନ୍ତେ - ଯିବାପରେ । ବେଧା - ବେଦବିହିତ । ସୁଫେଡ଼ା−କାଠପେଡ଼ି । ଫଳାଗ୍ରେ - ଲଙ୍ଗଳିଲୁହା ମୁନରେ । ବିଘ୍ନେ - ଭାଙ୍ଗି, ଫିଟାଇ । ସୀମନ୍ତିନୀ - ସୀମନ୍ତିନୀ ଭୂଷା - ନାରୀ ଶିରୋମଣି । ବନଜସମ୍ଭୂତା - ଲକ୍ଷ୍ମୀ । ନିଉଛାଇ - ବନ୍ଦାଇ । ବେରବେ - ଅଙ୍କରେ । ଧାତ୍ରୀ ଶିରୀଧାତ୍ରୀ - ଧାଈମାନଙ୍କରେ ଅତି ସୁନ୍ଦରୀ ଧାଈ । ଯତି - ଋଷି, ଜନକ । ଯତିନାରୀ - ଋଷିପତ୍ନୀ, ଜନକରାଣୀ ସୁମନା - ଦେବତାମାନେ । ଅଦେହ - ବିଦେହ ସ୍ୱର୍ଗ । ଅଦେହ ନଗ୍ର - ବିଦେହ ନଗରୀ, ସ୍ୱର୍ଗପୁରୀ, ପାରିଜାତକ ।
ସପ୍ତମ ଛାନ୍ଦ - ରାଗ ରସକୂଲ୍ୟା, ୨୪ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ତୁ - ଏହି ଛାନ୍ଦରେ ବିଶ୍ୱାମିତ୍ରଙ୍କ ସହିତ ରାମଚନ୍ଦ୍ର ଅରଣ୍ୟକୁ ଆସି ତାଡ଼କୀ ବଧକରି ଅହଲ୍ୟାକୁ ମୁକ୍ତିଦାନ କରିଅଛନ୍ତି ।
ଅହଲ୍ୟାସ୍ତବକୁ ଧନୁବନ୍ଧରେ ରଚନା କରି କବି ଆଳଙ୍କାରିକ ବିଶେଷତ୍ୱ ଦେଇଅଛନ୍ତି ।
ସାଦରେ ବାରେ ହରିହର ଦର
ମୋହ ମୋହନ ମୋର ଦୂରକର
କଷ୍ଟ ନଷ୍ଟକ ଲୋକର ଭରସା
ଏଣୁ ଆଶା କରିଛି ସାରଦଶା ହେ
ଏ ଧନୁ ବନ୍ଧ ଛାୟାରେ ଯେ
ଅହଲ୍ୟା ରହିଣ ଶ୍ରୀରାମଚରଣ ସ୍ତବ କରନ୍ତି ଆଦରେ ସେ ।
ଧନୁ ଆକୃତିବିଶିଷ୍ଟ କ୍ଷେତ୍ର ଅଙ୍କନ କରି ଭିନ୍ନ ସ୍ଥାନରେ କୌଶଳପୂର୍ବକ ଗୀତ ଓ ବାକ୍ୟ ବିନ୍ୟାସ କଲେ ଚିତ୍ରକାବ୍ୟର ରୀତି ଅନୁସାରେ ଏହି ବନ୍ଧ ପରିଦୃଷ୍ଟ ହେବ ।
ଅଷ୍ଟମ ଛାନ୍ଦ - ରାଗ ଧନାଶ୍ରୀ । ୨୫ ପଦରେ ସମ୍ପୂର୍ଣ୍ଣ । ନୃତ୍ୟ ଓ ଲୀଳା ଗାନରେ ଏହି ବୃତ୍ତଟି ପାଳି ଧରି ଗାଇବାରେ ଏକାନ୍ତ ସୁଶ୍ରାବ୍ୟ ହୋଇଥାଏ । ଏଥିରେ ଭଞ୍ଜଙ୍କ ବର୍ଣ୍ଣିତ ବିଷୟ ହିଁ ଟିକିଏ ସ୍ୱତନ୍ତ୍ର ଭାବରେ ଚିତ୍ରିତ କରାଯାଇଛି ମାତ୍ର । ରାମଚନ୍ଦ୍ର ଗଙ୍ଗା ପାରି ହୋଇ ମିଥିଳା କଟକରେ ପହଞ୍ଚି ଜନକଙ୍କଦ୍ୱାରା ସମାଦୃତ ହେଲେ । କୈବର୍ତ୍ତ ଭାଗ୍ୟବଳରେ ତାରକ ବ୍ରହ୍ମ ଲାଭ କରିଛି ବୋଲି ସେ ଲେଖିଛନ୍ତି । ନଚେତ୍ ନୂତନତ୍ୱ କିଛି ନାହିଁ ।
ନବମ ଛାନ୍ଦ - କୁମ୍ଭ କାମୋଦି ବୃତ୍ତ । ୩୧ ପଦରେ ସମ୍ପୂର୍ଣ୍ଣ ।
କଥାବସ୍ଣ - ଏଥିରେ ସୀତାଙ୍କର ବେଶ ବର୍ଣ୍ଣିତ ହୋଇଛି ।
ସୀମନ୍ତିନୀ - ସୀମନ୍ତିନୀ ସୀମାନ୍ତରେ ସୀମନ୍ତ ଦେଖାନ୍ତେ ଜାହ୍ନବୀ ଅର୍କକା ଏକ ସ୍ଥାନେ ଦୁଜା ଗୋଚର ତେମନ୍ତେ ।
(ନାରୀଶ୍ରେଷ୍ଠା ସୀତାଙ୍କ କେଶରେ ସୁନ୍ଥା ଯାହା ଦେଖାଗଲା, ତାହା ଦେଖିଲେ ଜଣାଗଲା ଯେ ଗଙ୍ଗା ଯମୁନା ଦୁହେଁ ଏକ ସ୍ଥାନରେ ତେମନ୍ତ ଦେଖାଗଲା ।)
ଅନନ୍ତର ହରଧନୁକୂ ମଲ୍ଲମାନେ ସଭାରେ ସ୍ଥାପନ କରିଅଛନ୍ତି । ତାହାର ଏକ ମଞ୍ଜୁଳ ବର୍ଣ୍ଣନା କରାଯାଇଛି ।
ଦଶମ ଛାନ୍ଦ - ପଞ୍ଚମ ବରାଡି ବୃତ୍ତ । ଏହା ୩୩ ପଦରେ ସଂପୂର୍ଣ୍ଣ । ଭଞ୍ଜଙ୍କ ‘‘ବିଚାରଇ ମାଳ ଯମକରେ କବି ମନେ” ବୃତ୍ତରେ ରଚିତ ।
କଥାବସ୍ତୁ - ରାମଚନ୍ଦ୍ର ହରଧନୁ ଭଗ୍ନ କରିଅଛନ୍ତି । ଏ ଛାନ୍ଦରେ ଶବ୍ଦ-ପାଣ୍ଡିତ୍ୟ ଯଥାସମ୍ଭବ ଦେଖାଯାଇଛି ।
ଏକାଦଶ ଛାନ୍ଦ - ରାଗ ପଞ୍ଚମ ବରାଡ଼ି ବୃତ୍ତ ( ବିପ୍ରସିଂହାବାଣୀ) । ୧୮ ପଦରେ ସଂପୂର୍ଣ୍ଣ-।
କଥାବସ୍ତୁ - ଜନକ ନିଜ କନ୍ୟାର ବିବାହ ଲାଗି ଦଶରଥଙ୍କ ନିକଟକୁ ଦୂତ ପ୍ରେରଣ କରିଅଛନ୍ତି ଏବଂ ସେ ପୁତ୍ରମାନଙ୍କର ଧାତ୍ରୀ ଏବଂ ମାତାମାନଙ୍କ ସହିତ ଅନ୍ୟ ଦୁଇ ପୁତ୍ରଙ୍କୁ ସଙ୍ଗରେ ଧରି ସବିଧିରେ ଜନକାଳୟକୁ ବିଜେ କରିଛନ୍ତି ।
ରଚନାର ବୈଶିଷ୍ଟ୍ୟ ଏବଂ ପଦ ପ୍ରୟୋଗରେ ସ୍ୱାଧିକାର ଏଇ ଛାନ୍ଦରେ ବିଶେଷ ଲକ୍ଷ୍ୟ କରାଯାଏ ।
ଦ୍ୱାଦଶ ଛାନ୍ଦ - ମାଳବ ବୃତ୍ତ । ୧୬ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ - ଦଶରଥ କିଛିବାଟ ପଦଯାତ୍ରାରେ ମିଥିଳା ସୀମାଯାଏଁ ଯାଇଛନ୍ତି । ରାମ ଲକ୍ଷ୍ମଣଙ୍କ ସହିତ ପିତାମାତା ଓ ଅନ୍ୟ ଭାଇ ଦୁହେଁ ମିଳିତ ହୋଇଛନ୍ତି ।
ତ୍ରୟୋଦଶ ଛାନ୍ଦ - ରାଗ କାଳୀ । ୫୦ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ - ଦଶରଥ ସ୍ୱତନ୍ତ୍ର ସ୍ଥାନରେ ରହିଲେ ଏବଂ ଜନକ ତାଙ୍କୁ ଦେଖାକଲେ । ବିବାହବିଧ ଘେନି ମଣ୍ଡପାଦି ନିର୍ମ୍ମାଣ ଓ ଜନଗହଳ ଘେନି ଉତ୍ସବାଦି ବର୍ଣ୍ଣିତ ହୋଇଅଛି । ଏଥିରେ ଆଦ୍ୟଯମକ ଓ ଯୋଡ଼ିଯମକ ଅଳଙ୍କାର ଦେଖାଯାଏ ।
ଚତୁର୍ଦ୍ଦଶ ଛାନ୍ଦ - ରାଗ ମଙ୍ଗଳଗୁର୍ଜ୍ଜରୀ । ୫୦ ପଦରେ ସଂପୂର୍ଣ୍ଣ । ଏହି ଛାନ୍ଦରେ ବିବାହବିଧି ବର୍ଣ୍ଣିତ ହୋଇଛି ।
ପଞ୍ଚଦଶ ଛାନ୍ଦ - ରାଗ ଲଳିତ କାମୋଦି । ଏହି ଛାନ୍ଦ ୩୪ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ - ସ୍ୱତନ୍ତ୍ର ଶିବିରରେ ସୀତାଙ୍କର ମଧୁଶଯ୍ୟା ଏହି ଛାନ୍ଦରେ ବର୍ଣ୍ଣିତ ହୋଇଛି । ସୀତାଙ୍କର ବେଶ କବି ପୂର୍ବ ରାତିରେ ବର୍ଣ୍ଣନା କରିଅଛନ୍ତି । ଏଥିରେ ରାମଙ୍କ ରଚନାରେ ସୀତାଙ୍କ ପ୍ରତି ଏକ ଅନ୍ତର୍ଲିପି ଦିଆଯାଇଛି ଏବଂ ସୀତାଙ୍କ ରଚନାରେ ଏକ ଆଦ୍ୟପ୍ରାନ୍ତ ଲୋପ ମଧ୍ୟାକ୍ଷର ଲିପି ରହିଛି । ଏସବୁ ରଚନାରେ ଭାଷାର ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ, ବିଚିତ୍ରତା ଯଥାସମ୍ଭବ ରଖାଯାଇଛି-। ପୂର୍ବୋକ୍ତ ବିଭିନ୍ନ ଛାନ୍ଦରେ ମାଳଯମକ, ମହାଯମକ, ସର୍ବଯମକ, ମଧ୍ୟଯମକ ଆଦି ମଧ୍ୟ ରହିଛି ।
ଅନ୍ତର୍ଲିପି – ରଙ୍କ ହୋଇ
ଅଙ୍କରେ ମଣ୍ଡନ କରୁ ନେଇ
ପଙ୍କରୁହନେତ୍ରୀ ତ୍ରପା ବହି ଗୋ । ୧୭ ।
ରଙ୍କ ହୋଇ ସୀତାଙ୍କୁ ରାମ କୋଳରେ ବସାଇବାରୁ ସେ ଲଜ୍ଜିତ ହେଲେ ।
ତେଣୁ ରାମ କହିଲେ –
ଅଶ୍ୱର କି ନାମ ଅଛି ସହି
ବାଜି
ନୂତନା ବୟସୀ କି ବୋଲାଇ ?
ନବ
ସିଂହ କାହିଁ ବାସ ବୁଝ ନାରୀଈଶ
ବନ
ଟେକ ଚନ୍ଦ୍ରାନନ ତୋଷ ବହି ଗୋ ଯତିନାମ
ସିଦ୍ଧ
ପିକ ଧ୍ୱନି କି କି ବୋଲି ଜନ
ସ୍ୱନ
ଜାଗ୍ରତ ଲୋକେ ଶୁଣି କା ଗାନ ଗୋ ।୧୮।
କୁଆ
ରବିତାପ ନାମ ହୁଏ କିସ
ତେଜ
କୃଷକାନନ୍ଦ ପାଇକା ରସ
ଘନ
ମନ୍ଦେ କେ ପାଳିତ ଛନ୍ଦ ନ ଘେନତ
ପିକ
ହୃଦାନନ୍ଦେ ଘନ ହୋଇ ତୋଷ ଗୋ କାମଧର
ଶର
କି ନାମ ବୋଲାନ୍ତି ନାରୀବର
ରାମା
ତପୀ କି କରନ୍ତି ହୋଇ ସ୍ଥିର ଗୋ ।୧୯।
ଧ୍ୟାନ
ଏଥିରୁ ବାହାରିଲା ‘ଜୀବନ ଧନ, ଆଜ ନ କର ମାନ’ ଏହା ରାମ କହି ପ୍ରଦୀପ ଛୁଇଁ ନିୟମ କଲେ - ‘‘ମୋହର କାହାଠାରେ ଦୋଷ ନୋହି” ଅର୍ଥାତ୍ ମୁଁ କାହାଦ୍ୱାରା ଦୂଷିତ କେବେ ହେବିନି ।
ତହୁଁ ମୈଥିଳୀ ତା ପଢ଼ି ବୁଝି ତ୍ରିବର୍ଣ୍ଣରେ ମଧ୍ୟ−ଅକ୍ଷର ଲିପିରେ ଲେଖି ଜଣାଇଲେ । କିଶୋରୀ ଅବସ୍ଥାରୁ ଏପରି ଠାରରେ ନିଜର ସଖୀମାନଙ୍କ ମଧ୍ୟରେ ପ୍ରକାଶ କରିବା ବିଧି ସେକାଳୁ ଏକାଳ ଯାଏ ରହିଆସିଛି । ତଦ୍ଦ୍ୱାରା ଯେପରି ସଂଯମ ଓ ମାଧୁର୍ଯ୍ୟ ଜୀବନ ଘେନି ଦେଖାଯାଏ, ଫରଫର କଥାଭାଷାରେ ତାହା ହୁଏ ନାହିଁ । ଚିରନ୍ତନ ସୌହାର୍ଦ୍ଦ୍ୟର ଏହା ଏକ କୌଶଳ ଅଟେ ।
ଗ୍ରାମ୍ୟ ଗୀତିରେ ଅଛି - ’‘କଥା ନ କହିବୁ ଜେମା ମୁହଁକୁ ଚାହିଁ” । ସର୍ବଦା ବଲବଲ ଚାହିଁ କଥାଭାଷା କରିବାଦ୍ୱାରା କେବଳ ସୁନ୍ଦରୀ ନାରୀ ନୁହେଁ, ଯେ - କେହି ଅଶ୍ରଦ୍ଧାର ପାତ୍ର ହେବା ସ୍ୱାଭାବିକ । ତେଣୁ ଯଥାସମ୍ଭବ ସଂଯମ ମଧ୍ୟରେ ଚଳିବାକୁ ସବୁ କାଳ, ଧର୍ମ୍ମରେ ନିର୍ଦ୍ଦେଶ ରହିଛି ।
ବାର୍ତ୍ତା ଶ୍ରବଣାନ୍ତେ କି ବୋଲାନ୍ତି
ଉତ୍ତର
ଅନିଳର ନାମ କି ପ୍ରବର୍ତ୍ତୀ
ପବନ
ହୁରିଖେଳ ନାମ କିସ ବୋଲି ଜନ
ବର୍ଣ୍ଣନ୍ୟାସେ ଦେଇଥିବ ମତି ହେ
ଅବିର
ଜୀବ ହତେ
ବିନାଶ
ଅଦି ପକ୍ୱଶାଳୀ କେହୁ ମର୍ତ୍ତେ
ବିଆଳି
ମୃଗେନ୍ଦ୍ରକୁ ଜନେ କି ଭାଷନ୍ତେ ହେ ।୨୨।
ବନେଶ
ଅମାନିତା ନରେ କିସ ଭାଷ ?
ଘେନାଇ
ବଦାନ୍ୟରେ କେଉଁ କଥା ଘୋଷ ?
ଅହିଂସା
ସୁବାସରେ କିସ ହୁଅଇ ପ୍ରକାଶ
ଆମୋଦ
ବିରସ ନ ହୋଇ ଏଥି
ରସ ହେ
ବୀଣାଧାରୀ
ନାରଦ
ଅଦଭୁତର ନାମ କି ପ୍ରଚାରି
ବିଚିତ୍ର
ବିପଦାର୍ଥେ କେଉଁ ନାମ ସ୍ମରି ହେ ।୨୩।
କାତର
‘‘ତବ ବିନା ଆନେ ନାହିଁ ମୋର ଚିତ୍ତ” ସୀତାଙ୍କ ରଚନାରୁ ଜଣାଯାନ୍ତେ ରାମଚନ୍ଦ୍ର ଆନନ୍ଦିତ ହେଲେ ଏବଂ ତତ୍ପରେ ଉଭୟେ ପ୍ରେମାସକ୍ତ ହେବାର ବର୍ଣ୍ଣନା ଦିଆଯାଇଛି ।
ଷୋଡ଼ଶ ଛାନ୍ଦ - ଚିନ୍ତା ଭୈରବ ରାଗ । ୫୭ ପଦରେ ସଂପୂର୍ଣ୍ଣ ।
କଥାବସ୍ତୁ - ଦଶରଥ ନିଜର ଚାରିପୁତ୍ର ଏବଂ ବଧୂମାନଙ୍କ ସହିତ ନିଜ ଗୃହକୁ ଫେରିଲେ । ପଥରେ ରାମଚନ୍ଦ୍ର ପର୍ଶୁରାମଙ୍କର ଦର୍ପ ଦଳନ କରି ଅଯୋଧ୍ୟାରେ ପ୍ରବିଷ୍ଟ ହେଲେ ।
ଏହି ଷୋଳଛାନ୍ଦ ଖଣ୍ଡପଡ଼ାସ୍ଥ କୁମ୍ଭାରପଡ଼ାର ଜଣେ ବ୍ରାହ୍ମଣଙ୍କଠାରେ ରହିଥିଲା । ସେ ତାହା ବରପଲ୍ଲିର ଚିତ୍ରକାର ଜଣକୁ ବିକ୍ରୟ କରିଥିଲେ । ଏମନ୍ତ କି ପାଞ୍ଚଗଡ଼ର ଜଣେ ଓଡ଼ଚଷା ବୁଢ଼ା ତାହାର ଉତ୍ତରାକାରୀ ରହିଥିଲା । ସେ ତାହା କିପରି ପାଇଥିଲା, ତାର ଇତିହାସ ନାହିଁ । କିନ୍ତୁ ତାର ପୁଅର ପୋଥି ଖଟୁଳିରୁ ଦୁଇଟି ଖେଜା ଆକାରରେ ତାହା ମିଳିଥିଲା । ଯୋଗକୁ ଜଣେ ବ୍ରାହ୍ମଣ ତାହା କାଗଜରେ ଅଶୁଦ୍ଧ ଶୁଦ୍ଧ କରି ଉତୁରାଇଥିଲେ । କି ଦୁର୍ଯୋଗ, ମୂଳ ପୋଥି ଘର ପୋଡ଼ିରେ ମଧ୍ୟ ଦଗ୍ଧ ହୋଇଗଲା ।
କିନ୍ତୁ ହଠାତ୍ ଦେଖିଲି ରଣପୁରର ଜଣେ ପଣ୍ଡିତ ଗୋଟିଏ ବହି ଉକ୍ତ ଷୋଳ ଛାନ୍ଦରେ ପ୍ରକାଶ କରିଅଛନ୍ତି । ସାମାନ୍ୟ ସାମାନ୍ୟ ପ୍ରଭେଦ ଏ ସଂଗ୍ରହ ସହିତ ତାହାର ଦେଖାଯାଏ । ନରସିଂହପୁର ଘଣ୍ଟପଡ଼ାର ଏକ ପୁରାତନ ବୃଦ୍ଧ ପାଲାକାର କିନ୍ତୁ ଉକ୍ତ ଷୋଡ଼ଶ ଛାନ୍ଦ ମଧ୍ୟରୁ ଷଷ୍ଠ ଓ ସପ୍ତମ ଛାନ୍ଦର ପ୍ରାୟ ସମସ୍ତ ପଦ ମୁଖସ୍ଥ କରି ଗାଇପାରୁଥିବାର ଶୁଣି ତାହା ଜଣକଦ୍ୱାରା ମିଳାଇ ଦେଖିଲି କିଛି ଭେଦ ନାହିଁ । ଭିକାରୀ ନାମକ ନୂଆଗଡ଼ ଗଡ଼ର ଜଣେ ବ୍ୟକ୍ତି ମଧ୍ୟ କେତୋଟି ଛାନ୍ଦ ଛପାଇ ଅଶୁଦ୍ଧ ଭାବରେ ପ୍ରଚାର କରିବାର ଦେଖିଲି । ଏମନ୍ତ କି ଆଉ କେତୋଟି ଅଶୁଦ୍ଧ ଛାନ୍ଦ ଛପା ବହି ଥିବାର ମଧ୍ୟ ମୋ ଦୃଷ୍ଟିକୁ ଆସିଛି ।
ସଂପୂର୍ଣ୍ଣ ୫୨ ଛାନ୍ଦ କୌଣସିମତେ ସଂଗ୍ରହ କରି ହେଲା ନାହିଁ । ତେବେ ଏହା ପରେ ଯେଉଁ ଛାନ୍ଦଗୁଡ଼ିକ ମିଳିଅଛି ତନ୍ମଧ୍ୟରେ -
୧ - ସୀତାଙ୍କୁ ହରାଇବା ପରେ ରାମଚନ୍ଦ୍ରଙ୍କ ଶୋକ ଏବଂ ବାଳୀବଧ । ଏହାର ରାଗ କାମୋଦି । ଏହା ୨୦ ପଦରେ ସଂପୂର୍ଣ୍ଣ । ଏହାର ମୂଳପଦ ‘ସଲକ୍ଷଣ ଲକ୍ଷଣ’ ।
୨ - ସୁଗ୍ରୀବ ରାଜା ହୋଇ ମିତ୍ର ରାମଙ୍କୁ ଭୁଲିଯିବାରୁ ଲକ୍ଷ୍ମଣଙ୍କର କିସ୍କିନ୍ଧ୍ୟା ରାଜପୁରୀ ଗମନ । ଏହାର ରାଗ ଚୋଖୀ । ଏହା ୧୬ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ - ‘ବନଜଜିତ ବରନ’ ।
୩ - ଦୂତମାନଙ୍କ ସହିତ ହନୁମାନର ଲଙ୍କା ଯାତ୍ରା ବିବରଣ । ଏହାର ରାଗ ‘ରଣବିଜେ’ ହରି ଚଉତିଶା । ଏହା ୨୬ ପଦ ମାତ୍ର । ଏହାର ମୂଳ ପଦ ‘ମିତ୍ରକୁ ଏକାନ୍ତେ’ ।
୪ - ସୀତା ଭେଟ । ରାଗ ରଣବିଜେ ଚଉତିଶା । ପଦ ୧୭, ଅସଂପୂର୍ଣ୍ଣ ଛାନ୍ଦ ।
୫ - ହନୁମାନର ରାବଣକୁ କଟୂକ୍ତି । ରାଗ କାମୋଦି । ୧୦ ପଦରେ ଏ ଛାନ୍ଦ ସଂପୂର୍ଣ୍ଣ ହୋଇଅଛି । ଏହାର ମୂଳ ପଦ ‘ଦ୍ୟୁମଣିଙ୍କ ସମ୍ଭୂତ’ ।
୬ - ହନୁମାନଙ୍କର ଲଙ୍କା ଦଗ୍ଧ । ରାଗ କୁମ୍ଭ କାମୋଦି । ଏହା ୩୫ ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘ବୁଧ ଶୁଦ୍ଧ ବୋଧ ଚରିତ ପ୍ରସିଦ୍ଧ’ ଅଟେ ।
୭ - ରାମଙ୍କ ସୈନ୍ୟ ସିନ୍ଧୁ କୂଳରେ ପ୍ରବେଶ । ରାଗ ବଙ୍ଗଳାଶ୍ରୀ । ଏହା ୧୭ ପଦରେ ସଂପୂର୍ଣ୍ଣ । ମୂଳ ପଦ ‘ଦ୍ୱିଜବର ବରଚିତ୍ତ ସ୍ୱଭାବର’ ।
୮ - ବିଭୀଷଣ ଶରଣ ବିବରଣ । ଏହା ୩୨ ପଦରେ ସଂପୂର୍ଣ୍ଣ । ରାଗ ବସନ୍ତ ଆହାରି । ମୂଳ ପଦ ‘ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶ’ ।
୯ - ଲଙ୍କାରେ ପ୍ରାଥମିକ ଯୁଦ୍ଧ ବିବରଣ । ରାଗ ଚୋଖୀ । ୧୦ଟି ପଦରେ ସଂପୂର୍ଣ୍ଣ । ଏହାର ମୂଳ ପଦ ‘କପିବଳଙ୍କ ପ୍ରବଳ ଚହଳ ଶୁଣି ଚପଳ’ ।
ରାମଚନ୍ଦ୍ରଙ୍କର ଯୌବରାଜ୍ୟ ଏବଂ ବନବାସ ବିବରଣକୁ ଯେବେ ୧୮ ଟି ଛାନ୍ଦ ବୋଲି ଧରାଯାଏ, ଯହିଁରେ ସୀତା ଠାବ ଯାଏ ଥିବାର ଅନୁମାନ କରାଯାଇପାରେ, ତେବେ ଲଙ୍କାର ଯୁଦ୍ଧ ଏବଂ ରାବଣବଧ ସାରି ରାମ ଅଯୋଧ୍ୟା ପ୍ରବେଶ କରି ରାଜ୍ୟ ଲାଭ ଯାଏ ୧୮ ଛାନ୍ଦ ହେଲେ, ଗ୍ରନ୍ଥଟି ୫୨ ଛାନ୍ଦରେ ଶେଷ ହେବା ସମ୍ଭବ କରାଯାଏ । କିନ୍ତୁ ଦୁଃଖର ବିଷୟ ସେସବୁ ହଠାତ୍ ମିଳିପାରିଲା ନାହିଁ । ଅଥବା ମିଳିବା ମଧ୍ୟ ଅସମ୍ଭବ ହୋଇପାରେ । ଏହି ୮ଟି ଛାନ୍ଦ ମଧ୍ୟରୁ ପାଲାକାରମାନେ କେତୋଟିର ବହୁପଦ ନିରନ୍ତର ଗାଉଥିବାର ଶୁଣାଯାଏ । ତେଣୁ ‘‘ପୂର୍ବ ଦେବତା ଶର୍ବରୀଭର୍ତ୍ତା ଆଗେ ଦୁତ ବାର୍ତ୍ତା କଲା ପ୍ରକାଶ” ବା ‘ସଲକ୍ଷଣ ଲକ୍ଷଣ’ ଏ ପଦଗୁଡିକ ଏତେ ଲୋକପ୍ରିୟ ଏବଂ ପ୍ରଚାରିତ ଯେ ସାଧାରଣତଃ ସହସ୍ର ଜନ ତୁଣ୍ଡରୁ ସେସବୁ ଶୁଣା ଯାଇଥାଏ । ବାସ୍ତବିକ କବି ଯଦୁମଣିଙ୍କ ରାଘବ ବିଳାସର ବହୁ ଅଂଶ ନ ମିଳୁଥିଲେହେଁ ଏହି ଗୋଟେ ଦୁଇଟି ଛାନ୍ଦରେ ଯେ ସେ ଅମର ହୋଇ ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।
ଏହି ଗ୍ରନ୍ଥର ପ୍ରଥମାଂଶ ପ୍ରତି ଜନସମାଜର ଯେତେ ଆଗ୍ରହ ଥିବାର ଦେଖା ନ ଯାଏ ଶେଷାଂଶ ପ୍ରତି ତାର ଦଶଗୁଣ ଅଧିକ ଆଗ୍ରହ ଥିବାର ଆମେ ଜାଣିଥାଉଁ । ତେଣୁ ମନେ ହୁଏ କବିତ୍ୱର ଶେଷାଂଶ ଅତି ମୂଲ୍ୟବାନ ଏବଂ ଲୋକପ୍ରିୟ ଥିଲା ।
କବିଙ୍କର ଏ ଗ୍ରନ୍ଥଟିର ସମସ୍ତ ଅଂଶ ନ ମିଳିପାରିଲା ବୋଲି ଯେ ତାଙ୍କ ଜ୍ଞାନଗରିମାର ପରିଚୟ ଯେତିକି ମିଳିଛି ତହିଁରୁ ତାହା ବୋଧଗମ୍ୟ ହେଉନି, ସେପରି କେବେ ନୁହେଁ । କାରଣ ‘ପୂର୍ବ ଦେବତା’ ଆଦ୍ୟରେ ଲେଖାଥିବା ଛାନ୍ଦ ଗୋଟିକ ଥିଲେ ମଧ୍ୟ ଆମେ ତାଙ୍କର ଶାଶ୍ୱତ ପ୍ରତିଭା ସେଇଥିରୁ ପାଇଥାନ୍ତୁ ।
ଯେବେ ନ ମିଳୁଥିବା ଛାନ୍ଦଗୁଡିକ କେଉଁଠି କାହାଠି ଥାଏ, ଆଉ ଗୋପନ ନ କରି ପ୍ରକାଶ କରିଦେବା ବିଜ୍ଞତାର କାର୍ଯ୍ୟ ହେବ । କିନ୍ତୁ ଏକଥା ଶୁଣିବ କିଏ ? ଯେଉଁମାନଙ୍କଠାରେ ଏସବୁ ଥିବ ସେ ଘରପୋଡ଼ିରେ ନଷ୍ଟ କରି ଦେବେ ପଛକେ ଛୁଆଁଇ ଦେବେ ନାହିଁ । ଜଣେ ଭଦ୍ରବ୍ୟକ୍ତି ସ୍କୁଲ ମାଷ୍ଟର ନୟାଗଡ଼ର ଇତିହାସ ପାଖରେ ରଖିଅଛନ୍ତି । ମତେ ସାକ୍ଷାତରେ କହିଲେ - ‘‘ଯାହା ଆପଣ ପଚାରିବେ ମୁଁ ତାହା ଲେଖି ପଠାଇଦେବି” । ୧୦।୧୨ ଥର ଚେଷ୍ଟା କଲି - ନାନା ସୁତ୍ରରେ । ତା ସେ କେବେ ଦେଲେ ନାହିଁ । ଯେପରି ନୂଆଗଡ଼ ରାଜବଂଶର ଇତିହାସ ଘେନି ସେ କ’ଣ ଗୋଟାଏ କରି ପକାଇବେ । ଏଇ ତ ଆମ ଶିକ୍ଷିତଙ୍କ ମତିଗତି ।
ପଲ୍ଲୀ ଗାଆଁର ପାଲାକାର, ଛାନ୍ଦ ଗାୟକ, ଠୁଣୁଠୁଣୁକିଆ ପଣ୍ଡିତ ତାଙ୍କ ପାଣ୍ଠି କେବେ କାହାକୁ ଦେଖାଇଦେବେ ? ଏ ଦେଶର ଏପରି ବହୁ ଦୁର୍ମୂଲ୍ୟ ଗ୍ରନ୍ଥ ନଷ୍ଟ ହେଲାଣି । ଏପରି କି ଏବେ ମଧ୍ୟ ହେଉଛି । ସେମାନେ ଛୁଆଇଁଦେବା ଦୂରେ ଥାଉ ଦେଖାଇ ଦେବେନି । ଏପରି ପୋଥି ଲୁଚେଇ ରଖିଥିବା ବ୍ରାହ୍ମଣମାନଙ୍କୁ ଏ ଦିଗରେ ଅନେକେ ଗାଳି ଦେଇଥାନ୍ତି । ଏବେ ପଣ୍ଡିତ ବିନାୟକ ମିଶ୍ରଙ୍କ ସହିତ ଦିନେ ସାକ୍ଷାତ ହେଲା । ଶୁଣିଲି ପଣ୍ଡିତ ମହାଶୟ ରାଘବ ବିଳାସରୁ ୩୭ ଛାନ୍ଦ ପାଇଛନ୍ତି ଏବଂ ତାହା ପ୍ରକାଶିତ କରିବା ଇଛାରେ ଅଛନ୍ତି । ଏହା ଏକ ସୁସମ୍ବାଦ । ମୁଁ ଦେଖିଲି ଗାଁ ଗହଳର କି ବ୍ରାହ୍ମଣ, କି ପାଏକ, କି ଚଷା, କି କରଣ, କି ଗୋପାଳ ସମସ୍ତେ ଲୋପ କରିଦେବେ ପଛେ, ତାଙ୍କ ନିକଟରେ ଥିବା ପୋଥି, ଖେଜା କାହାକୁ ଦେଖାଇ ଦେବେ ନାହିଁ । ଅଶିକ୍ଷା, କୁସଂସ୍କାର ସମୁଦାୟ ଦେଶର ପ୍ରତି ସ୍ତର ମାଡ଼ିବସିଛି । କେତେକ ଅତି ଶିକ୍ଷିତ ଯେ ଏଥିରୁ ସ୍ୱତନ୍ତ୍ର, ତା ମଧ୍ୟ ବିଶ୍ୱାସ କରି ହୁଏନି । ସମ୍ବଲପୁରର ଏକ ପ୍ରାଚୀନ ଇତିହାସ ଜଣେ ଅତି ଉଚ୍ଚଶିକ୍ଷିତ ବ୍ୟକ୍ତି ନିଜେ ଲେଖିବେ ବୋଲି କାହାକୁ ଦେଖାଇ ଦେଲେନି କି ନିଜେ ଲେଖିଲେ ନାହିଁ-। ସେ ମଲେ, ତାଙ୍କ ସାଥିରେ ସେ ଇତିହାସ ମଧ୍ୟ ଲୁଚିଗଲା । ବହୁକଷ୍ଟରେ ରାତି ରାତି ମୁଁ କପି କରି ଆଣିଲି ।
ମୁଁ ନିଜେ ଦେଖିଛି ଖଣ୍ଡପଡ଼ାର ଜଣେ ପଣ୍ଡିତ ବାଣୀଭୂଷଣ ଯେ କି ସକାଳୁ ନିତ୍ୟକର୍ମ ସାରିଦେଇ ବିନା ଶୁଳ୍କରେ ବିଦ୍ୟା ଦାନ ଦେବାକୁ ଦୁଆର ଦୁଆର ତାଙ୍କ ଜୀବ ଥିବାଯାଏ ବୁଲନ୍ତି, ତାଙ୍କର ଏ ଅନୁକମ୍ପାକୁ ଲୋକେ ମୂର୍ଖତା ଦୋଷରୁ ପରିହାସ କରି ଆଜି ଏପରି ହୋଇ ପଡ଼ିଛନ୍ତି ଯେ, ଯେଉଁଠି ସଂସ୍କୃତ ବିଦ୍ୟାର କେନ୍ଦ୍ର ଥିଲା, ପାଞ୍ଚ ପଚିଶ ମହାନ ପଣ୍ଡିତଙ୍କୁ ଘେରି କରଣ, ମାଳୀ, ଚଷା ମଧ୍ୟ ବ୍ରାହ୍ମଣଙ୍କ ସହିତ ନ୍ୟାୟ, ତର୍କ, ଜ୍ୟୋତିଃଶାସ୍ତ୍ର ଚର୍ଚ୍ଚା କରୁଥିଲେ, ଆଜି ଖୋଜିଲେ ସେଠାରେ ଜଣେ ମଧ୍ୟ ମିଳିବେ ନାହିଁ । ଯେ ଜଣେ ଅଧେ ଅଛନ୍ତି ସେ ମଧ୍ୟ ଅବହେଳିତ ।
ସେ କାଳ ପଣ୍ଡିତ ଥିଲେ କ’ଣ ? ପୁଣି ଏବର ଐତିହାସିକ, ସାହିତ୍ୟକ, ପ୍ରତ୍ନତତ୍ତ୍ୱଜ୍ଞ, ଆଦି ପଣ୍ଡିତଙ୍କୁ ସଂଶୟ ମୋଚନ ଲାଗି ପାଞ୍ଚଖଣ୍ଡ ଚିଠି ଲେଖିଲେ, ନୂଆ ପାଞ୍ଚପଇସା ଖର୍ଚ୍ଚ କରିବାକୁ ସେ ଅପମାନ ମଣୁଛନ୍ତି । ଶାସ୍ତ୍ର, ଜ୍ଞାନ, ନୀତି, ଧର୍ମ ଏସବୁ ସହଜଲଭ୍ୟ ନ ହେଲେ ଆପେ ଆପେ ଲୁପ୍ତ ହୋଇଯାଏ । ଏଠାରେ ତାହା ହିଁ ହେଉଛି ।
ଯଦୁମଣିଙ୍କର ଚଉପଦୀ କେତେ ଥିଲା କହିହେବ ନାହିଁ । ଅଥଚ ମୁଁ ବହୁ କଷ୍ଟରେ ସେଥିରୁ ମୋଟେ ୩୦ ଗୋଟି ସଂଗ୍ରହ କରିପାରିଲି । ଓହୋ ! ସେ ସଂଗ୍ରହରେ ମୁଁ ଏପରି ଭାବରେ ଏକ ହୃଦୟହୀନ ଲୋକର ଦ୍ୱାରସ୍ଥ ଦଶ ପଚିଶ ଥର ହୋଇ ନିରସ୍ତ ହେଲି । ସେ ମୋଠୁ ମୁଁ ତାଙ୍କ ରାଜ୍ୟର ଦେବୋତ୍ତର ମାନେଜର ହେତୁ ଏକ ଉପକାର ଯାଚଞ୍ଜା କଲେ । ତାହା ମଧ୍ୟ ମୁଁ କରିଦେଲି-। ଦେଖିଲି ସେ ପୁଣି ମତେ ଠକିଲେ । ଇଚ୍ଛା କରିଥିଲେ ମୁଁ ତାଙ୍କୁ ଯେଉଁ ସୁବିଧା କରି ଦେଇଥିଲି, ତାହା ଖାରଜ କରିଦେଇ ପାରିଥାନ୍ତି । କିନ୍ତୁ ସେପରି ଅନୈତିକତା ମତେ କରି ଆସେନି-। ଲଜ୍ଜାରେ ମୁଣ୍ଡ ତଳକୁ ହେଲା । ପାଠକ ତାଙ୍କର ନାମଟି ଜାଣିବାକୁ ଇଚ୍ଛା କରି ପାରନ୍ତି । ସେ ନରସିଂହପୁର କୋକଳବା ଗ୍ରାମର ପ୍ରଖ୍ୟାତ ଗାୟକ ଜଣେ ଶାସନୀ । ସେ ତ ଦେଲେ ନାହିଁ, ଭାବିଲି ତେବେ ଏ ସଂଗ୍ରହରେ କ’ଣ ଚଉପଦୀ ବା ଖଣ୍ଡଗୀତି ଏକାବେଳେ ଅଭାବ ରହିଯିବ ? ଏପରି ଦୁଶ୍ଚିନ୍ତାରେ ଅଛି, ଗୋଟିଏ ତରୁଣ କୃଷକ ସନ୍ତାନ ମୋର ଏ ବୈକଲ୍ୟ ଅନୁଭବ କରି ଜଣେ ପ୍ରବୀଣ ପାଲାକାରଙ୍କଠାରୁ ସେ ଏପରି ନିଗୂଢ଼ ଚେଷ୍ଟାକଲା, ଯାହା ଫଳରେ ମୁଁ ଆଶାନୁରୂପ ଚଉପଦୀ ତାହାଠୁ ପାଇଗଲି । ଏଥିରେ ଜଣେ ମୂର୍ଖ ନାରୀ ପୋଥିଟିକୁ ସେ ତରୁଣକୁ ଗୋପନରେ ଦିଅନ୍ତି, ପୁଣି ତାହା ସୁବିଧା ଦେଖି ଫେରସ୍ତ ନିଅନ୍ତି । ଏପରି ତିନି ଦିନରେ ସେ ଶ୍ରଦ୍ଧାସ୍ପଦ ଯୁବାଟି କାଗଜରେ ଲେଖି ମତେ ଯେପରି ଏହା ଯୋଗାଇଛନ୍ତି, ତାହା ଭୁଲିବାର ନୁହେଁ । ବହିରେ ଚୌପଦୀ ଅଂଶ ଛପା ସରିବା ପରେ ଆଉ ୨୦ ଟି ଯାଏ ଗୋଟିଏ ସ୍ଥାନରେ ଥିବାର ମୁଁ ସନ୍ଧାନ ପାଇଲି । ସେ ସବୁ ଏହି ସଂସ୍କରଣରେ ଦିଆଯାଇ ପାରିଲା ନାହିଁ । ଦ୍ୱିତୀୟ ମୁଦ୍ରଣରେ ଯୋଗ କରାଯିବ ।
ଏଇ ହେଲା ସତ୍ୟ ସଂଗ୍ରହର ଇତିହାସ । ପ୍ରକୃତ ରଚନା ପ୍ରକାଶ କରିବା ଲାଗି ଚେଷ୍ଟା ନ କରି କେବଳ ଭୂମିକା ଲେଖି ଅଥବା ନିଜର ଶୁଷ୍କ ପ୍ରାଧାନ୍ୟଦ୍ୱାରା ଯାହା ଆମେ କରିଯିବା ତା ଦିନେ ନିଶ୍ଟୟ ଆମ ଯୋଗ୍ୟ ସନ୍ତାନଙ୍କଦ୍ୱାରା ଫିଙ୍ଗା ହେବ, ଏହା ମୋର ବିଶ୍ୱାସ । ଏପରି ଯେତେ ଠକେଇତି କାମ ହୋଇଛି, ସେସବୁ ମାଟିରେ ମିଶିଯାଇଛି । କିନ୍ତୁ ଯାହା ମଣି ପରି ସମୂଜ୍ଜ୍ୱଳ ତାହା ଯେତେ ଲୁଚିଥିଲେହେଁ ଦିନେ ନିଜ ଜ୍ୟୋତିରେ ପ୍ରକାଶିତ ହୋଇଯିବ । ଅଢ଼େଇ ହଜାର ବର୍ଷ ତଳର ବୁଦ୍ଧ ପୁଣି ଚେଇଁ ଉଠିଛନ୍ତି । ବିଶ୍ୱଜଗତ ଅଶୋକଙ୍କ ଅନୁଶାସନ ପଢ଼ି ବିସ୍ମିତ ହେଉଛି - ଓହୋ ! କି ମନସ୍ୱିତା ସେହି ମହାନ ବ୍ୟକ୍ତିଙ୍କଠାରେ ରହିଥିଲା । ଯେ ଏତେବଡ଼ ସଂଭ୍ରାନ୍ତ ଆସନରେ ବସି ଲେଖିଛନ୍ତି - ଲିପିକାର ପ୍ରମାଦରୁ ବା ରଚନା ଦୋଷରୁ ଏବଂ ଶୁଣିବା ବୁଝିବା ଗଲତିରୁ ମୋର ଏ ଅନୁଶାସନରେ ପ୍ରମାଦ ରହିପାରେ କିନ୍ତୁ ମୋର ନୁହେଁ । ବାସ୍ତବିକ ତାଙ୍କର କି ହୃଦୟବତ୍ତା, କି ଦୁରଦର୍ଶିତା ନ ଥିଲା ।
ସେ ଯାହାହେଉ - ରାଘବ ବିଳାସର ଯେଉଁ ୨୪ଟି ଛାନ୍ଦ ସଂଗୃହୀତ ହୋଇଛି ତାହା ଏପରି ଅସଂବଦ୍ଧ ଥିଲା ଯେ ତାହାକୁ ଶୃଙ୍ଖଳାକୁ ଆଣିବାକୁ ବହୁତ କଷ୍ଟ ସ୍ୱୀକାର କରିବାକୁ ହୋଇଛି-। ପୁନଶ୍ଚ ପାଠାନ୍ତର ଏତେ ଅଧିକ ଯେ କେଉଁଟି ଠିକ ଧରିବା ସହଜ ହୁଏ ନାହିଁ । ଧରାଯାଉ ଗୋଟିଏ ଗୋଟିଏ ପଦକୁ ପାଞ୍ଚ ପ୍ରକାର କରି ବିଭିନ୍ନ ସଂଗ୍ରହସ୍ଥଳୀରୁ ମିଳିଛି । ଗୋଟିଏ ସରଳ ପଦକୁ ନଜିରରୂପେ ଦେଲେ ତାହା ସହଜରେ ଜଣାଯିବ ।
‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ । ଏହାକୁ ବିଭିନ୍ନ ପାଲାକାର ତଳ ଲେଖାନୁସାରେ କିପରି ପଢ଼ନ୍ତି ଦେଖାଯାଉ -
ନାରୀ ବିହୀନେ ବାରିଧିନାଶେ ତନୁ ଝାସିବା ଇଚ୍ଛି ଆସିଥିବ,
ନାରୀ ବିହୀନେ ବାରିଧିନୀରେ ତନୁ ଝାସିବ ବୋଲି ଆସିଥିବ ।
ନାରୀ ବିହୀନେ ବାରିଧି ନାଶେ ତନୁ ଝାସିବା ଆଶେ ଆସିଥିବ,
ନାରୀ ବିହୀନେ ବାରିଧୀନୀରେ ତନୁ ନାଶିବା ଆଶେ ଆସିଥିବ ।
ଏଥିରୁ କେଉଁଟି ଯେ କବି ଲେଖିଥିଲେ ସ୍ଥିର କରିବା ମୁସ୍କିଲ୍ ।
ନାଶେ, ଝାସେ, ନୀରେ, ପୁନଶ୍ଚ ଝାସିବା ଇଚ୍ଛି, ନାଶିବ ବୋଲି, ଝାସିବ ବୋଲି, ଝାସିବା ଆଶେ, ନାଶିବା ଆଶେ ଇତ୍ୟାଦି ପ୍ରୟୋଗ ମଧ୍ୟରୁ - ‘ନାରୀ ବିହୀନେ ବାରିଧି ଝାସେ ତନୁ ନାଶିବ ବୋଲି ଆସିଥିବ’ ପ୍ରୟୋଗ ଯୁକ୍ତିଯୁକ୍ତ ବୋଲି ମନେ ହେଉଛି । ପଣ୍ଡିତ ବିନାୟକ ମିଶ୍ର ତାଙ୍କର ଏକ ପ୍ରବନ୍ଧରେ ଏହାହିଁ ଲିପିବଦ୍ଧ କରିଛନ୍ତି । ତା’ଛଡ଼ା ଏପରି ଲିପି ମଧ୍ୟ ଏକ ତାଳପତ୍ର ଖେଜାରୁ ମିଳିଅଛି ।
ଏହାଛଡ଼ା ତାଙ୍କ ବିଭିନ୍ନ ରଚନାରେ ପ୍ରମାଦ ଶତ ଶତ ଯେପରି ଥିଲା ତାହା ମଧ୍ୟରୁ ଗୋଟିଏ ମାତ୍ର ଉଦାହରଣ ଦେଲେ ଜଣାଯିବ ଯେ, ପ୍ରକୃତ ରଚନା କିପରି ଭାବରେ ଭ୍ରଷ୍ଟ ହୋଇ ଯାଇଥିଲା । ଗୋଟିଏ ଛପା ବହିରେ ଏ ଚଉପଦୀଟି ଥିଲା -
ଓଜଶୀଳ ଭୁଜ ଗଜ ଜୀବନ ହରଣେ ଗଜ
ଅର୍ପଣ କଲ କୃପଣ ନୋହି
ଜଳ ଗ୍ରହଣେ କୁମ୍ଭୀର ମଳଗ୍ରହଣେ କୁମ୍ଭୀର
ରକ୍ଷା କଲ ସିନା କକ୍ଷା ବହି ହେ ମହାପ୍ରଭୁ !
କିନ୍ତୁ ଏହାର ଅର୍ଥ କିପରି ଲୋକେ ସମଝିଲେ ମୁଁ ଜାଣେନି । ମୁଁ ଶତ-ଚେଷ୍ଟାରେ ବ୍ୟର୍ଥ ହୋଇଥିଲି । ହଠାତ୍ ପୋଥିରୁ ପଦ୍ୟଟି ପାଇଯିବାରୁ ସମଝିଲି ।
ଓଜଶୀଳ ଭୋଜଗଜ ଜୀବନ ହରଣେ ତେଜ
ଅର୍ପଣ କଲ କୃପଣ ନୋହି
ଗଭୀର ଜଳେ କୁମ୍ଭୀର ଗଳ ଗ୍ରହଣେ କୁମ୍ଭୀର
ଜୀବ ରକ୍ଷାକଲ କକ୍ଷା ବହି ହେ ।
ବିଶେଷରେ ଯଦୁମଣି ତାଙ୍କର କବିତାମାନ ଲେଖନ ତାଳପତ୍ରରେ ଲେଖିଥିଲେ । ସେ ଏକା କାହିଁକି ତାଙ୍କର ସମସାମୟିକ ଏମନ୍ତ କି ତାଙ୍କ ପୂର୍ବଜ ଭଞ୍ଜ, ଦୀନକୃଷ୍ଣ, ସାମନ୍ତସିଂହାର ଆଦି ସମସ୍ତଙ୍କର ତାଳପତ୍ର ଓ ଲେଖନ ହିଁ ଲେଖିବାର ଏକମାତ୍ର ଆଧାର ରହିଥିଲା । ଏବ କଥା - ୧୯୧୯ ଯାଏଁ ତାଳପତ୍ର ଓ ଲେଖନ ପାଠ ଲେଖି ଶିଖିବାକୁ ଗଡ଼ଜାତ ଅଞ୍ଚଳ ସ୍କୁଲରେ ମଧ୍ୟ ଚଳୁଥିଲା । ସେ ଅଭ୍ୟାସ ଶିଶୁମାନଙ୍କରଠାରେ ହସ୍ତକର୍ମ୍ମ ଭାବରେ ରଖାଯାଇଥିଲା । ଇଂରେଜ ଆସିବା ପୂର୍ବରୁ କାଗଜର ପ୍ରଚଳନ ହୋଇଥିଲେହେଁ, ତାହା ରାଜକୀୟ ଭାବରେ ସ୍ୱଳ୍ପ ମାତ୍ର ଥିଲା । ଯେଉଁ ଗଜପତି ହରେକୃଷ୍ଣ ଦେବ ହରେକୃଷ୍ଣପୁର ଶାସନ ବସାଇଥିଲେ (୧୭୨୫), ତାଙ୍କ ପୁତ୍ର ଗୋପୀନାଥ ଦେବ କାଗଜରେ ଯେଉଁ ସନନ୍ଦ ଲେଖିଥିଲେ ତାହା ମଧ୍ୟ ମୋଠାରେ ରହିଛି । ବୋଧ ହୁଏ ତା ପୂର୍ବରୁ ଓଡ଼ିଶାରେ ମଧ୍ୟ କାଗଜର ପ୍ରଚଳନ ରହିଥିଲା । କିନ୍ତୁ ସର୍ବତ୍ର ଲେଖନ ତାଳପତ୍ର ଥିଲା ପତ୍ର ଏବଂ ମସୀ । ବନ୍ଦୋବସ୍ତର ଭଉଁରିଅମାନ ୧୮୯୬ ବନ୍ଦୋବସ୍ତରେ ତାଳପତ୍ରରେ ଲେଖାଥିବାର ପ୍ରମାଣ ଏବେ ମଧ୍ୟ ଅଛି । ତେଣୁ କାଗଜ ସର୍ବବ୍ୟାପକ ହୋଇ ପାରି ନ ଥିଲା ।
ଯଦୁମଣି ମହାପାତ୍ର ୧୮୬୬ ମସିହାରେ ସ୍ୱର୍ଗାରୋହଣ କରିଥିଲେ । ସେ ବଞ୍ଚିଥିବା ଯାଏ କାଗଜ କଲମ ପ୍ରତି ଆଦର କରି ନଥିଲେ । କାରଣ ତାଙ୍କର ପରବର୍ତ୍ତୀ ରମନା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ତାଳପତ୍ର ପୋଥିରେ ଲେଖାହୋଇ ରହିଛି । ସେ ମଧ୍ୟ ସୁନ୍ଦର ଭାବେ ତାଳପତ୍ରରେ ଲେଖିପାରୁଥିଲେ । ଏହି ତାଳପତ୍ର ଲେଖିବା ବିଧି ମଧ୍ୟ ପ୍ରତି ଓଡ଼ିଆ ଘରେ ଦଶହରା ଦିନ ୧୦ ବର୍ଷ ତଳେ ହେଉଥିଲା । ଏବେ ଅନେକ ଅଛି ।
ଏବେ ସ୍ୱାଧୀନତା ପାଇବା ପରେ ତାଳପତ୍ର ଯାତକ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର, ଅଙ୍କ, ଶ୍ରୀ ଶୁଭମସ୍ତୁ, ନିମନ୍ତ୍ରଣ ପତ୍ରିକା, ଚିଟୋଉ, ଘଣ୍ଟାକର୍ଣ୍ଣ ରକ୍ଷାମନ୍ତ୍ର ଆଦିକୁ ଅସଭ୍ୟତାର ଦୃଷ୍ଟାନ୍ତ ବୋଲି ଲୋପ କରି ଦିଆଗଲାଣି । ସଭ୍ୟତା ତା ବଦଳରେ କ’ଣ ଆସିଲା ଜାଣି ହେଉନି । ଏଥିରୁ କେହି ତାର୍କିକ ନ ବୁଝନ୍ତୁ ଯେ ଲେଖକ ଏ ସ୍ଫୁଟ୍ନିକ୍ ବା ମନୁଷ୍ୟର ଶୂନ୍ୟମଣ୍ଡଳ ପରିକ୍ରମା ଯୁଗରେ ତାଳପତ୍ର କୁଡ଼ିଆକୁ ଫେରିଯିବାକୁ ସଭ୍ୟତା ମନେ କରୁଛନ୍ତି । ଉଦ୍ଦେଶ୍ୟ ଆମର ସମୂଜ୍ଜ୍ୱଳଅତୀତର ସେହି ସେହି ସୁନ୍ଦର କୃଷ୍ଟି ଓ ସଂସ୍କୃତିମାନ ଏପରି ଅବହେଳାରେ ଫିଙ୍ଗିଦେବା କାହିଁକି ?
ସେ ଯାହାହେଉ ଯଦୁମଣି ମହାପାତ୍ର ତାଳପତ୍ରରେ ତାଙ୍କ ଗ୍ରନ୍ଥ ଲେଖିଥିଲେ । ତାହା କିଏ କିମିତି ଶ୍ରଦ୍ଧାରେ ଛାନ୍ଦେ ଅଧେ ଲେଖି ନେଇଥିଲେ - ତାଳପତ୍ରରେ । ରାଜବାଟୀ ପୋଡ଼ିରେ ତାଳପତ୍ର ପୋଥି ପୋଡ଼ିଗଲା । ମହାପାତ୍ରଙ୍କ କୃତି ମଧ୍ୟ ଅଧା ତିନିପାଆ ପୋଡ଼ିଗଲା ।
ବଡ଼ ସୁଖର ବିଷୟ ଯେ - ପ୍ରଖ୍ୟାତ ଐତିହାସିକ ପଣ୍ଡିତ ବିନାୟକ ମିଶ୍ର ରାଘବ ବିଳାସ ସମ୍ବନ୍ଧରେ ତାଙ୍କର ମତାମତ ଦେବାକୁ ଯାଇ ଠାଏ ଲେଖିଛନ୍ତି -
‘‘ଶ୍ଲେଷାଳଙ୍କାରର ଆଡ଼ମ୍ବର ନ ରଖି ଦୈନନ୍ଦିନ ଭାଷା ବ୍ୟବହାର କଲେ ମଧ୍ୟ ପରିହାସ ପ୍ରଭୃତି କଥାରେ ଚାତୁରୀ, ରଚନାରେ କି ପ୍ରକାର ଫୁଟିପାରେ, ତାହା ମଧ୍ୟ ଯଦୁମଣି ଦେଖାଇଛନ୍ତି । ଯେତେବେଳେ ରାବଣ ପାରିଷଦଗହଣରେ ବସିଥିଲା ସେତେବେଳେ ରାମ ସାଗରକୂଳରେ ପହଞ୍ଚିବାର ସମ୍ବାଦ ଦୂତ ଦେଲା । ତାହା ଶୁଣି ରାବଣ ଯାହା କହିଲା ତହିଁର ପ୍ରତ୍ୟୁକ୍ତି ବିଭୀଷଣ ମୁଖରୁ ‘‘ରାଘବ ବିଳାସ” ରେ ଯଦୁମଣି ଶୁଣାଇଅଛନ୍ତି -
ପୂର୍ବ ଦେବତା ଶର୍ବରୀ ଭର୍ତ୍ତା ଆଗେ
ଦୂତ ବାତ୍ତା କଲା ପ୍ରବେଶ
ଅଶୋକ ବନେ ସଶୋକେ ଥିବା ବଧୂ−
ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ ।
ହାସ୍ୟ ରସରେ -
ଭାସି ବୋଲଇ ଦଶଗ୍ରୀବ
ନାରୀ ବିହୀନେ ବାରିଧି−ଝାସେ ତନୁ ନାଶିବ ବୋଲି ଆସିଥିବ ।
ବଦତି ଅନୁଜ ପବନ ତନୁଜ ଆଗମନୁ ଯାଇଛି ଦେଖା
ଟେକିଲା ଗାତ୍ର ସେ ଗୋତ୍ରାନ୍ତକ ଜିତ କୋପେ ପ୍ରଜ୍ୱଳି ଅଗ୍ନିଶିଖା ।
କମ୍ପି ଲଙ୍କେଶ
ତହି ଅନାଇଲା ନିନ୍ଦନେ
ପ୍ରଶସ୍ତ ମସ୍ତକେ ହସ୍ତେ ନ୍ୟସ୍ତ କରି ବିହିଲା ଏ ଭାଷା ଚନ୍ଦନେ ।
ଅଶୋକ ବନରେ ଶୋକରେ ଥିବା ବଧୂର ସ୍ୱାମୀ ସିନ୍ଧୁକୂଳରେ ପହଞ୍ଚିବାର ବାର୍ତ୍ତା ଦୁତ ପହଞ୍ଚାଇବାରୁ ଅସୁର କୁଳଚନ୍ଦ୍ର (ପୂର୍ବଦେବତା - ଶର୍ବରୀଭର୍ତ୍ତା) ରାବଣ କହିଲା, ‘ପତ୍ନୀ ବିଚ୍ଛେଦଜନିତ ଶୋକ ହେତୁରୁ ସମୁଦ୍ର ଗର୍ଭରେ ଝାସ ଦେବାକୁ ଆସିଥିବ ।’ ବିଭୀଷଣ (ରାବଣଅନୁଜ) କହିଲା ‘‘ହନୁମାନ ଆସିବା ଦିନରୁ ତାହା ଜଣା ପଡ଼ିଲାଣି ।”
ଯେ କାପୁରୁଷ, ସେ ଲାଞ୍ଛନା ସହି ନ ପାରି ଆତ୍ମହତ୍ୟା କରେ । ବୀର ପୁରୁଷ ଲାଞ୍ଛନାର ପ୍ରତିଶୋଧ ନେବାପାଇଁ ଅକ୍ଲାନ୍ତ ଭାବରେ କର୍ମ କରେ । ଛାର ମାଙ୍କଡ଼ଟାଏ ଯାହାର ଦୂତ ହୋଇ ଲଙ୍କା ଛାରଖାର କରିଦେଲା, ତାହାକୁ କାପୁରୁଷ ମଣି ସେ ସମୁଦ୍ରରେ ଝାସ ଦେବା ପାଇଁ ଆସିଥିବ ବୋଲି ଅନୁମାନ କରିବା ଅବିବେକିତାର ପରିଚୟ - ଏହା ବିଭୀଷଣ ରାବଣକୁ ଚେତାଇ ଦେଲା । ଏଥିରେ ରାବଣର କ୍ରୋଧ ଜାତ ହେଲା ।
ଭାଷା ଚାତୁରୀ କବି ପ୍ରତିଭାର ବଡ଼ ଲକ୍ଷଣ । ଏହାର ବିକାଶ ପାଇଁ ଆଳଙ୍କାରିକମାନେ ଏହାର ଶ୍ରେଣୀ ବିଭାଗ କରନ୍ତି । ଭାଷା ଚାତୁରୀକୁ କେହି ସୀମାବଦ୍ଧ କରି ନ ପାରେ । ବିଭୀଷଣ ଶରଣ ପଶିବା ଉତ୍ତାରୁ ରାବଣକୁ ମାରି ବିଭୀଷଣକୁ ଲଙ୍କାର ରାଜତ୍ୱ ଦେବେ ବୋଲି ରାମ ଶପଥ କରିବାରୁ ସୁଗ୍ରୀବ ଓ ରାମଙ୍କ ମଧ୍ୟରେ ଘଟିଥିବା ପ୍ରଶ୍ନୋତ୍ତର ଯଦୁମଣି ‘ରାଘବ ବିଳାସ’ରେ କିପରି ବର୍ଣ୍ଣନା କରି ଅଛନ୍ତି, ତାହାହିଁ ଭାଷା ଚାତୁରୀର ଅନ୍ୟ ଏକ ଉଦାହରଣ ।
କହେ ମିତ୍ର ପୁତ୍ର ହୋଇଲା ବିଚିତ୍ର
ଚିତ୍ରଭାନୁ କୁଳାମ୍ବ ଜକୁ
ସମର୍ପି ଜନକ−ତନୁଜା କନକ−
ମହୀନ୍ଦ୍ର ଚରଣାମ୍ବ ଜକୁ
କଲେ ଆଶ୍ରିତ
କି ହେବ ଶ୍ରବଣେ ରାଘବ,
ଭଣିଲେ ଜାଣିବା ବିହି ବିହି ନାହିଁ
ରାଜ୍ୟ ଭ୍ରଷ୍ଟ କଷ୍ଟ ଲାଘବ ।
ସୁଗ୍ରୀବ (ମିତ୍ରପୁତ୍ର - ସୂର୍ଯ୍ୟପୁତ୍ର) କହିଲେ - ‘‘ସୂର୍ଯ୍ୟବଂଶର ପଦ୍ମସ୍ୱରୁପ (ଚିତ୍ର ଭାନୁକୁଳ ମ୍ବୁଜ) ଆପଣଙ୍କ ପକ୍ଷରେ ଏ ଶପଥ ବଡ଼ ବିଚିତ୍ର ଅଟେ । କାରଣ ଆପଣ ଭାବି ଚିନ୍ତି ଏ ଶପଥ କରିନାହାନ୍ତି । ସ୍ୱର୍ଣ୍ଣଭୂମିର ରାଜା (ଜନକ ମହୀନ୍ଦ୍ର) ରାବଣ ସୀତଙ୍କୁ ଫେରାଇ ଆପଣଙ୍କ ପାଦପଦ୍ମରେ ଶରଣ ପଶିଲେ ଆପଣ ବିଭୀଷଣକୁ ରାଜତ୍ୱ ଦେଇ ନ ପାରି ସୂର୍ଯ୍ୟବଂଶରେ ଜାତ ହୋଇ ଶପଥ−ଭଙ୍ଗର କଳଙ୍କ ଅର୍ଜିବେ ।”ରାମ କହିଲେ, ‘‘ସେତେବେଳେ ମୁଁ ବୁଝିବି ଯେ, ବିଧାତା ମୋ ଭାଗ୍ୟରେ ରାଜ୍ୟଭ୍ରଷ୍ଟ−କଷ୍ଟ ଊଣା ହେବା ପାଇଁ ଲେଖିନାହିଁ । ଅର୍ଥାତ୍ ଅଯୋଧ୍ୟାର ରାଜତ୍ୱ ଦେଇ ମୁଁ ଆଜୀବନ ବନବାସୀ ହେବି ।”
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ