ପ୍ରଥମ ପଟ
୧୯୦୦–୧୯୩୮
- ସଂକଳନ: ଚିତ୍ରପଟ
- ପଢ଼ିବା ସମୟ
- ୧୩ ମିନିଟ୍
- ଶବ୍ଦ
- ୨୦୦୧
- ସ୍ଥିତି
- ସାର୍ବଜନୀନ (Public domain)
କାହୁଁ କହ, ମର୍ତ୍ତ୍ୟପ୍ରାଣେ ଧର୍ମର ପିପାସା ଜାଗିଲା; ବିକଳପ୍ରାଣେ ଖୋଜିବୁଲେ ସେହି ଧର୍ମନୀର କେଉଁ ସରେଃ ବୃଥା ମରୀଚିକା ଭୁଲାଏ ବିଭ୍ରାନ୍ତ ପାନ୍ଥେ ଘୋର ମରୁଦେଶେ ।
ବଜାର ଦାଣ୍ଡ ସାମନାକୁ ଘରଟା କୁଡ଼ିଆ ନୁହେଁ, ଚାଳିଆ ନୁହେଁ, କଫଲା ନୁହେଁ, କୋଠା ମଧ୍ୟ ନୁହେଁ । ଘରଟା ମଧ୍ୟବିତ୍ତ ଶ୍ରେଣୀୟ ଲୋକର ବାସେ ପଯୋଗୀ । ସେକାଳିଆ ମରହଟ୍ଟୀ ଫେସନର ଘର । ଅବଶ୍ୟ ଆମର ପାଠକ ପାଠିକ ଙ୍କର ମନୋମତ ନୋହିପାରେ; କିନ୍ତୁ ସେଥିପାଇଁ ମୁଁ ନାଚାର । ଘରଟିର ସାମନାରେ ପିଣ୍ଡା । ଉଚ୍ଚ ମାଟି ପିଣ୍ଡା । ଗୃହ ମଧ୍ୟରେ ହଠାତ୍ ପ୍ରବେଶ କଲାମାତ୍ରେ ଦର୍ଶକ ଏଣେ ଗୋବର, ତେଣେ ଗୋରୁମୂତ୍ର ଦେଖିବାକୁ ପାଇବେ । ଗୃହର ସମ୍ମୁଖ ବଖରାଟି ଗୁହାଳ । ଗୁହାଳରେ ଗୁହାଳେ ଗୋରୁ । ଦୁଇହଳ ବଳଦ, ଚାରିଟା ଗାଈ, ଦୁଗ୍ଧବତୀ କାମଧେନୁ ଏବଂ ତାଙ୍କର ବଂଶଧର-ମାନେ; ପୁତ୍ର କନ୍ୟା, ନାତି, ନାତୁଣୀ ଇତ୍ୟାଦି । କାହାର ନାମ ମଙ୍ଗୁଳିୟା, କାହାର ନାମ ସଁବାରିଆ, କାହାର ନାମ ଗୁରୁବାରିଆ ଇତ୍ୟାଦି ଇତ୍ୟାଦି । ତା’ ପଛକୁ ବାସଉପଯୋଗୀ ଗୃହ, ମଧ୍ୟରେ ପ୍ରାଙ୍ଗଣ । ବେଶ୍ ବିସ୍ତୃତ । ଏକଦିଗରେ କୂପ ଏବଂ ଅନ୍ୟ ଦିଗରେ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତାରାଜି । କୂପର ଚତୁର୍ଦ୍ଦିଗ ସୁନ୍ଦର ସୁନ୍ଦର ପୁଷ୍ପବୃକ୍ଷ ସୁଶୋଭିତ । ଏଠି ଦଉଡ଼ିଟା, ସେଠି ମାଠିଆଟା - ଏହିପରି ଛିନିଛତ୍ର ହୋଇ ପଡ଼ିଥାଏ । ଗୃହଟିରେ ଦୀନା ପାଟରାର ବାସ । ତା’ର ଜାତି ପାଟରା, ବ୍ୟବସାୟ ମଧ୍ୟ ତାହା । ସେ ବେଶ୍ ଚଳେ । ଲୋକଟି ନିରୀହ । କାହାକୁ ପଦେ ତୁଟି କହିବାର କେହି କେବେ ଶୁଣିନାହିଁ । ସରଳ, ଭଦ୍ର ଏବଂ ବିନୟୀ । ଗ୍ରାମର ଲୋକେ ତା’କୁ ବେଶ୍ ଭଲ ପାଆନ୍ତି । ଦୀନାକୁ ଆମ୍ଭେମାନେ ବାବୁ ପଦବାଚ୍ୟ କରି ନ ପାରୁ; କିନ୍ତୁ ଏକ ହିସାବରେ ସେ ବାବୁ । କଥାରେ ଲୋକେ କୁହନ୍ତି ଯାହାର ନାହିଁ ଚାଷ, ତାହାର ନାହିଁ ବାସ । ଦୀନାର ଚାଷଜମି ପ୍ରାୟ ବାରମାଣ ଥିଲା । ସେଥିପାଇଁ ଆପଣା ଅନ୍ନ ଆପେ ଭୁଞ୍ଜ ସେ ଘରେ ପୁତ୍ରକଳତ୍ର ସହିତ
ସୁଖରେ ଥାଏ । ଦୀନାର ସ୍ତ୍ରୀର ନାମ ଗେହ୍ଲେଇ । ସେକାଳର ପାଟରାଣୀ । ସେଥିପାଇଁ ତାହାର ନାମକରଣ ସମୟରେ କିଛି ବିଚାର ବିଧି ଇତ୍ୟାଦିର ଯୋଗାଡ଼ ହୋଇ ନ ଥିଲା । ସାହିତ୍ୟ ଏବଂ ସଭ୍ୟତାର ଏ ନାମ ରୁଚି ବିରୁଦ୍ଧ ହେବ କି ନାହିଁ, କେହି ଭାବିବାକୁ ଅବସର ପାଇ ନ ଥିଲା । ଯଦିଚ ପାଟରାଣୀ ପରି ତାହାର ସୁବର୍ଣ୍ଣ ଉଜ୍ଜ୍ୱଳ କିରୀଟ ନ ଥିଲା; ତଥାପି ତାହାର ‘ସୁନୀଚ’ ଶାନ୍ତି-କୁଟୀରର ସେ ପାଟରାଣୀ । ଗଣ୍ଡେଇ, କଉଶୁଲୀ ସଖୀଦ୍ୱୟ, ପୁତ୍ର ନାଥିଆ ଓ ଭୋବନା ଏବଂ କନ୍ୟା ଏକୋଇର ବଳା ଗେଲବସର ଲଖୀ ସହିତ ଗେହ୍ଲେଇ ପାଟରାଣୀ ଢେର୍ ସୁଖରେ ବାସକରୁଥିଲା ବୋଲି ଆମ୍ଭେମାନେ ବିଶ୍ୱସ୍ତସୂତ୍ରରୁ ଅବଗତ ହୋଇଅଛୁ ।
ଗେହ୍ଲେଇର ବାଡ଼ି ବଗିଚା ବେଶ୍ । ଫଳ-ପନିପରିବା ପାଇଁ ନିତି ହାଟକୁ ତାମ୍ରମୁଦ୍ରା ପ୍ରେରଣର ଆବଶ୍ୟକତା ନ ଥିଲା । ଯଥାକାଳେ ଆମ୍ୱଟି, କଦଳୀଟି, ପଣସଟି ଛାଡ଼ି, ପିଢ଼ାରେ କଖାରୁ, ଭାଡ଼ିରେ କାକୁଡ଼ି, ପଟାଳିରେ ଶାଗ, ରନ୍ଧାଘର ସାମନାକୁ ବାଇଗଣ, ଲଙ୍କା ଇତ୍ୟାଦିର ଆମଦାନି ସମୟଗତ ଏବଂ ମନୋମତ ହେଉଥିଲା ।
ଦୀନାର ପରିବାରରେ ଏମାନଙ୍କୁ ଛାଡ଼ି ବୁଦ୍ଧା ପିଉସୀ ମଣି ଏବଂ ବୃଦ୍ଧ ହଳିଆଟିଏ । ବାହାରେ ଥାଏ, ଘରର ପାଞ୍ଚ ପାଇଟି କରେ, ଦଶକୋଶ କହିଲେ ଦଉଡ଼ିଯାଏ । ମଧ୍ୟବୟସ, ବଡ଼ ବିଶ୍ୱସ୍ତ । ନାମ ଲଇକ୍ଷଣା ।
ଆଜିକାଲିକାର ଦିନ ନୁହେଁ, ସେକାଳର କଥା । ସେତେବେଳେ ଦେଶରେ ବିଦ୍ୟାର ପ୍ରସାର ଅଳ୍ପ ଥିଲା । ସ୍କୁଲ କଲେଜର ସଂଖ୍ୟା ମଧ୍ୟ ତଥୈବଚ । ଲୋକଙ୍କ ମନରେ ବିଦେଶୀୟ ଭାଷା ଶିକ୍ଷାର ସ୍ପୃହା ମଧ୍ୟ ଅଳ୍ପ ଥିଲା । ସଂସାର ଅଳ୍ପ ବ୍ୟୟରେ ଏବଂ ସୁଖସ୍ୱଚ୍ଛଳରେ ନିର୍ବାହିତ ହେଉଥିଲା । ଯେ ପାଞ୍ଚଟଙ୍କା ପାଉଥିଲା, ସେ ବଡ଼ ବାବୁ ବୋଲାଉଥିଲା । ମାଇନର୍ ପଛେ ଖଣ୍ଡେ ପାଶ୍ ନଥିବ, ଅଥଚ ତରିଘରେ ଧାନ ଅମାର - ତା’ର ଗୃହିଣୀ ହସ୍ତରେ ରୂପା କାମ, ଭୁଜାମୁଢ଼ି ଗଣ୍ଡାକ ପ୍ରଧାନ ଜଳଖିଆ । ପାଉଁରୁଟି କେକ୍ ଇତ୍ୟାଦିର ସ୍ୱପ୍ନ ପ୍ରାୟ କେହି ଦେଖି ନ ଥିଲେ, କୋଟ୍ପ୍ୟାଣ୍ଟ୍ ପିନ୍ଧା ତ ଦୂରର କଥା । କାନ୍ଧରେ ଗାମୁଛା, ଗୋଡ଼ରେ କଠଉ, ମରହଟ୍ଟୀ ଧୋତି ଚାଦର ।
ଦୀନାର ଜ୍ୟେଷ୍ଠପୁତ୍ର ନାଥିଆ ବାଲ୍ୟକାଳରୁ ବଡ଼ ବୁଦ୍ଧିମାନ୍, ଚତୁର, କର୍ମକୁଶଳ; ଅଥଚ ଶାନ୍ତ-ସ୍ୱଭାବବିଶିଷ୍ଟ ବୋଲି ଗ୍ରାମରେ ଲୋକମାନେ ଆଦର କରୁଥିଲେ । ରୂପରେ କାର୍ତ୍ତିକ ନ ହୋଇଥିଲେ ସୁଦ୍ଧା ଶ୍ରୀସମ୍ପନ୍ନ ଏବଂ ପ୍ରଫୁଲ୍ଲବଦନ । ପାଞ୍ଚବର୍ଷ ବୟସରେ ତାହାର ପିତା ତାହାର ସ୍ୱଳ୍ପ ଓଡ଼ିଶା ଶିକ୍ଷା ନିମନ୍ତେ ଗ୍ରାମର ଅବଧାନ ଶ୍ରୀ କହ୍ନେଇ ନାହାକଙ୍କର ଶ୍ରୀଚରଣ ତଳେ ପୁତ୍ରକୁ ସମର୍ପଣ କଲେ । କହ୍ନେଇ ନାହାକ ରୁକ୍ଷପ୍ରକୃତି; ଅଥଚ ବିଚକ୍ଷଣ ପଣ୍ଡିତ ଥିଲେ । କିନ୍ତୁ ଦୋଷ କୁହ, ଗୁଣ କୁହ ସମୟଗତ ସେରେ ଚାଉଳ, କଦଳୀଟିଏ, ବାଇଗଣଟିଏ, ପଇସା ଦି’ଗଣ୍ଡା ଇତ୍ୟାଦି କହ୍ନେଇଙ୍କର ସିଧା ଦକ୍ଷିଣା ଦେଲେ ବୃଦ୍ଧ ତାଙ୍କର ଅଶୀର୍ବାଦ ଭଣ୍ଡାର ମୁକ୍ତ ରଖିବାରେ କେଭେ ତ୍ରୁଟି କରୁ ନ ଥିଲେ । ତାହାଙ୍କର ପ୍ରଧାନଗୁଣ, ସେ ବୁଦ୍ଧିମାନ୍ ଏବଂ ବିଦ୍ୟାନୁରାଗୀ ଛାତ୍ରଙ୍କୁ ବଡ଼ ସ୍ନେହ କରୁଥିଲେ ।
ନାଥିଆର ସୌଭାଗ୍ୟ ଅବଧାନଙ୍କର ଦୁଇ ଗୁଣର ସାର୍ଥକତା ସେ କରି ପାରୁଥିଲା । ଗେହ୍ଲେଇ ମଧ୍ୟ ସମୟଗତ ପୁତ୍ରଦ୍ୱୟର ଗୁରୁଦେବଙ୍କ ପାଇଁ ଫଳ ପୁଷ୍ପ-ସମ୍ଭାର ସାଜି ରଖୁଥିଲା । ଲାଭ ମଧ୍ୟରେ ନିଜର ଭାଗ୍ୟ-ଗଣନାଟି ମଧ୍ୟ ସ୍ୱଚ୍ଛନ୍ଦରେ ନିର୍ବାହିତ ହେଉଥିଲା । କ୍ରମେ କ୍ରମେ କହ୍ନେଇ ନାଥିଆର ବିଦ୍ୟାବୁଦ୍ଧିର ପରିଚୟ ପାଇବାକୁ ଲାଗିଲେ । ତାହାଙ୍କର ମନ ସ୍ୱତଃ ତାହା-ପ୍ରତି ଆକୃଷ୍ଟ ହେବାକୁ ଲାଗିଲା । ତିନିବର୍ଷ ତାହାଙ୍କ ନିକଟରେ ଅଧ୍ୟୟନ କରି ନାଥିଆ ଓଡ଼ିଆ ଏବଂ ଅର୍ଥ-ଶାସ୍ତ୍ରରେ ବ୍ୟୁତ୍ପନ୍ନ ହୋଇ ଉଠିଲାଣି । ଅବଧାନଙ୍କର ମୁଖରେ ପ୍ରଶଂସାର ସୀମା ନାହିଁ । ଦୀନା ଏବଂ ଗେହ୍ଲେଇ ଶୁଣି ଶୁଣି ଆନନ୍ଦରେ ପୂରି ଉଠୁଥାନ୍ତି ।
ଅବଧାନଙ୍କର ମତ ହେଲା - ଏପରି ବୁଦ୍ଧିମାନ ପୁତ୍ରକୁ କଟକ ପ୍ରେରଣ କରି ଶିକ୍ଷା ଦେଲେ ଭଲ ହୁଅନ୍ତା । ଦୀନାର ମଧ୍ୟ ସେଥିରେ ଆପତ୍ତି ଦେଖାଗଲା ନାହିଁ । ଗେହ୍ଲେଇ ପ୍ରଥମେ ଅନେକ କନ୍ଦାକଟା କଲା; କିନ୍ତୁ ସ୍ୱାମୀର ଇଚ୍ଛା ନାସ୍ତି କରିପାରିଲା ନାହିଁ । ତହୁଁ ନବମ ବର୍ଷ ବୟସ୍କ ନାଥିଆ ନିଜର ମାତୁଳ ଗୌରାଙ୍ଗ ପାତ୍ର ନିକଟକୁ ପ୍ରେରିତ ହେଲା ।
ସେତେବେଳେ ମିଶନାରୀମାନେ ଆସି ଅନାଥାଶ୍ରମ ସ୍କୁଲ ଇତ୍ୟାଦି ସ୍ଥାପନ କଲେଣି । ଗେହ୍ଲେଇର ନାନାଦି ଆପତ୍ତି ସତ୍ତ୍ୱେ ଦୀନା ସ୍ୱପୁତ୍ରକୁ ‘ମିଶନ୍ ସ୍କୁଲରେ’ ଛାତ୍ରରୂପେ ଭର୍ତ୍ତି କରାଇ ଦେଇ ଆସିଲା । ଗେହ୍ଲେଇ କାନ୍ଦି କାନ୍ଦି ଅସ୍ଥିର । କାଳେ ତାହାର ପୁଅ ଖ୍ରୀଷ୍ଟାନ୍ ହୋଇଯିବ । କିନ୍ତୁ ଦୀନା ଭାବିଲା ତାର ପୁତ୍ର ଇଂରାଜୀ ପଢ଼ିବ । ବାବୁ ହେବ । ଶହେ ଲୋକ ତାକୁ ଓଳଗି ହେବେ । ହାୟ ରେ ଦୀନା, ତୋର ଆଶାର ଆକାଶକୁସୁମ ଫୁଟିବ ଟିକି ? କାଠଯୋଡ଼ୀ ନଦୀକୂଳରେ ସନ୍ଧ୍ୟା ସମୟରେ ଅନେକ ଲୋକ ସାନ୍ଧ୍ୟସମୀର ସେବନାର୍ଥେ ଆସିଥାନ୍ତି । ନାନାପ୍ରକାରର ଲୋକ ଆସନ୍ତି । ବାଳକ, ଯୁବକ, ବୁଦ୍ଧ, ବାବୁ, କୁଲି ଓ ବେହେରା ଇତ୍ୟାଦି ଇତ୍ୟାଦି । ଆଜି ସନ୍ଧ୍ୟା ସମୟରେ କାଠଯୋଡୀ କୂଳରେ ପ୍ରସ୍ତରାସନରେ ବସି ଦୁଇଜଣ ଯୁବକ କଥାବାର୍ତ୍ତା କରୁଛନ୍ତି । ଯୁବକଦ୍ୱୟ ମଧ୍ୟରେ ଜଣେ ଶ୍ୟାମଳକାୟ, ବେଶ୍ ସୁଶ୍ରୀ । ବୟସ ଅନ୍ୟୂନ ସତର ହେବ । ଅପର- ଜଣକ କୃଷ୍ଣକାୟ । ଅବଶ୍ୟ ହାଣ୍ଡିକଳା ନୁହେଁ, ଦେଖିବାକୁ ମଧ୍ୟ ମନ୍ଦ ନୁହେଁ । ମୁଖଟି ତେଜପ୍ରଭାବାନ୍ୱିତ । ତାହାର ବୟସ ପ୍ରାୟ ବିଂଶତିର ସୀମା ପାର ହେବାକୁ ବସିଲାଣି ବୋଲି ବୋଧ ହେଉଥିଲା । ଯୁବକଦ୍ୱୟ ଏକାନ୍ତରେ କଥାବାର୍ତ୍ତାରେ ମଗ୍ନ । ଯଦିଚ ଅପରର କଥା ଶୁଣିବା ଦୋଷାବହ; ତଥାପି ଲେଖକଙ୍କୁ ସାତଖୁଣ ମାଫ ଥିବାରୁ ଆମ୍ଭେମାନେ ଶୁଣିବାରେ ସାହସୀ ହେଲୁଁ । ପ୍ରଥମ ଯୁବକ ମସ୍ତକ ନତ କରି କହିଲେ, “ବୀରବାବୁ, ମାନବର ସ୍ୱାଧୀନତା ଉପର ପରିବାରର ଆଧୁପତ୍ୟ ଭୟାନକ ବେଶି । ଆଜିକି ଦୁଇବର୍ଷ ହେବ ଯ କଥା ମୋ ମନରେ ଉଦୟ ହୋଇଛି, ମୋର ମା କଥା ମନେ ପଡ଼ିବାରୁ ମୁଁ ନିଜକୁ ବାଧା ଦେଉଛି । ଆହା ମୋ ମା । ସେ ମୋତେ କେତେ ସୁଖ ନ ପାଏ । ଯଦି ସେ ଜାଣିବ ଯେ, ମୁଁ ଏପରି ଅଭିପ୍ରାୟ କରିଛି, କେ ଜାଣି ସେ ପ୍ରାୟ ମରିଯିବ ।” ଏହା କହି ଏକ ଦୀର୍ଘନିଃଶ୍ୱାସ ତ୍ୟାଗକଲେ । କିଛିକ୍ଷଣ ନୀରବ ରହି ପୁଣି କହିଲେ - “ମନୁଷ୍ୟ ତ ଏକା ଆସେ, ଏକା ଯାଏ । ଜଗତର ଏତେ ବନ୍ଧନ ତାକୁ ବାନ୍ଧରଖେ କିଆଁ ? ଆମ୍ଭେମାନେ ଧର୍ମ ବିଷୟରେ ସ୍ୱାଧୀନ ହେବା ଦରକାର । ଜାତି-ବିଚାର ଦୂର କରିବା ଦରକାର । ନୋହିଲେ ଉଚ୍ଚ-ଜାତିର ବିଦ୍ରୂପ ଛଡ଼ା ନୀଚ ଜାତିର ଭାଗ୍ୟରେ ଜଣ ଅଛି ? ହେଲେ ପିତାମାତା ଗୃହସଂସାର ପରିତ୍ୟାଗ ବଡ଼ ଦୁଃଖର ବିଷୟ ।” ତାହାଙ୍କ କଥା ସମାପ୍ତ ହେବାପରେ ବୀରବାବୁ କହିଲେ - “କିନ୍ତୁ ସେ କହିଛନ୍ତି ଯେ, କେହି ଆମ୍ଭ ନିମନ୍ତେ ପିତାମାତା, ସ୍ତ୍ରୀସନ୍ତାନ ଇତ୍ୟାଦି ତ୍ୟାଗ କରେ ସେ ଇହକାଳରେ ତାହାର ଶହେଗୁଣ ଓ ପରକାଳରେ ଅନନ୍ତ ଜୀବନ ପାଇବ ।” ବାସ୍ତବିକ୍ ତୁମ୍ଭର ପରୀକ୍ଷା କଠିଣ । କିନ୍ତୁ ସେ ସେହିପରି ଅଗ୍ନି ପରୀକ୍ଷାରେ ସୁବର୍ଣ୍ଣକୁ ପରିଷ୍କାର କରନ୍ତି । ତୁମ୍ଭଙ୍କୁ ଜଗତରେ ସବୁ ଛାଡ଼ିବାକୁ ହେବ । ଠିଆ ହେବାକୁ ପାଦେ ଭୂଇଁ ନ ଥିବ । ଚାରିଆଡ଼େ ନିନ୍ଦା ଅପମାନ ଇତ୍ୟାଦି ସହି ତାଙ୍କୁ ଲାଭ କରାଯାଏ । ଆମ୍ଭେମାନେ ତ ଆଉ ନିଜର ନୋହୁଁ । ବିଶେଷ ମୂଲ୍ୟରେ କ୍ରୀତ ହୋଇଛୁଁ ।”
ପ୍ରଥମ ଯୁବକ କିଛିକ୍ଷଣ ଚିନ୍ତାକରି କହିଲେ - “ବୀରବାବୁ ଯେ ଖ୍ରୀଷ୍ଟିୟାନ୍ ଘରେ ଜନ୍ମ, ତାଙ୍କର କଷ୍ଟ କ’ଣ ? ଯେ ସ୍ୱଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ଯାଏ, ତାହାରି ସିନା କଷ୍ଟ । ତୁମ୍ଭେ ଖ୍ରୀଷ୍ଟିୟାନ, ସେଥିପାଇଁ ମୋତେ ଉପଦେଶ ଦେଇପାର । କିନ୍ତୁ ମୋର ଅବସ୍ଥାର କଷ୍ଟଟା ଜାଣିବ କିପରି ? ମୋର ମନ ଏପର୍ଯ୍ୟନ୍ତ ଅଠିକ୍ । କେଉଁ ଦିଗରେ କ’ଣ କରିବି ଜାଣିପାରୁ ନାହିଁ । ମାନିଲି, ଧର୍ମ ସତ୍ୟ; କିନ୍ତୁ ଗ୍ରହଣ କରିବା ସହଜ ନୁହେଁ । ସର୍ବସ୍ୱ ତ୍ୟାଗ ! ଖ୍ରୀଷ୍ଟଧର୍ମ ଏପରି ହେଲା କାହିଁକି ବୀରବାବୁ ?”
“ବରଂ କୁହେ - ହିନ୍ଦୁଧର୍ମ ଏପରି ହେଲା କାହିଁକି ? ତୁମ୍ଭମାନଙ୍କର ଧର୍ମର ଶ୍ରେଷ୍ଠ ବନ୍ଧନ ଜାତି । ତୁମ୍ଭେମାନେ ସବୁ କରିପାର - କିନ୍ତୁ ଜାତିର ଗଣ୍ଡି-ଭିତରେ ରହି । କିନ୍ତୁ ଜାତିରୁ ବାହାର ହେଲେ, ତୁମ୍ଭେ ଯେଡ଼େ ଧାର୍ମିକ ହୁଅପଛେ, ସବୁ ଗଲା । ତୁମ୍ଭେ ଜାତିର ଲୌହପ୍ରାଚୀର ଭିତରେ ଥାଅ, ତୁମ୍ଭେ ଚୋରୀ- କର, ମିଛ କହ, ବ୍ୟଭିଚାର କର - କିଛି ନାହିଁ । କିନ୍ତୁ ପ୍ରକାଶ୍ୟରେ ପଠାଣ କିମ୍ୱା ଖ୍ରୀଷ୍ଟିୟାନ ଘରେ ପାଣି ଛୁଇଁଲେ ଜାତି ଗଲା । ସେଥିପାଇଁ, ବରଂ କୁହ, ହିନ୍ଦୁ- ଧର୍ମ କାହିଁକି ଏପରି ହେଲା ?”
ବୀରବାବୁଙ୍କ କଥାରେ ପ୍ରଥମ ଯୁବକ ହୃଦୟରେ ଆଘାତ ଆସିଲା । ସେ ଉତ୍ତେଜିତ ହୋଇ କହିଲେ - “ଅସହ୍ୟ । ହିନ୍ଦୁଧର୍ମ ସନାତନ ଧର୍ମ । ବହୁ ପ୍ରାଚୀନ ଏବଂ ସେଥିରେ ଅନେକ ଅମୂଲ୍ୟ ସତ୍ୟ ରହିଛି । ମୁଁ ହିନ୍ଦୁର ସନ୍ତାନ । ଆଜିସୁଦ୍ଧା ହିନ୍ଦୁ; କିନ୍ତୁ ଜାତିଭେଦ ଏବଂ କେତେକ ସାମାଜିକ ରୀତିନୀତିର ପକ୍ଷପାତୀ । ସେଥିପାଇଁ ଖ୍ରୀଷ୍ଟଧର୍ମକୁ ଉଚ୍ଚ ସ୍ଥାନ ଦେଇଛି । ନୋହିଲେ ହିନ୍ଦୁ ଧର୍ମର ମର୍ଯ୍ୟାଦା ଯଥେଷ୍ଟ । ମୁଁ ଖ୍ରୀଷ୍ଟଧର୍ମକୁ ଭଲ- ପାଏ; କିନ୍ତୁ ତା ବୋଲି ହିନ୍ଦୁଧର୍ମର ନିନ୍ଦା ସହିପାରିବି ନାହିଁ ।” ବୀରବାବୁ ଈଷତ୍ ଅପ୍ରତିଭ ହୋଇ କହିଲେ - “ଜଗନ୍ନାଥ, ମୁଁ ହିନ୍ଦୁଧର୍ମର ନିନ୍ଦା କରୁନାହିଁ ।
ଜାତିଭେଦର ନିନ୍ଦା କରୁଅଛି । ଆଜି ଜାତିଭେଦ ତୁମ୍ଭ ଆମ୍ଭ ଭିତରେ ଯେ ଅତି ଉଚ୍ଚ ପ୍ରାଚୀର ପରି ଠିଆ ହୋଇଅଛି ତାକୁ ଡେଇଁଯିବା ଦୁଃସାଧ୍ୟ; ନୋହିଲେ ଆମ୍ଭେମାନେ ସମସ୍ତେ ମନୁଷ୍ୟ । ତୁମ୍ଭେ ଓ ମୁଁ ଭାଇ ଭାଇ ହୋଇ ପାରିଥାନ୍ତୁ; କିନ୍ତୁ ଆଜି ତା’ ଅସମ୍ଭବ । ସେ ମିଳନ ହିନ୍ଦୁର ଦେଶରେ ହେବ ନାହିଁ । ଆମ୍ଭେମାନେ ଏକାସନରେ ବସି ଖାଇବା ସୁଦ୍ଧା ଅସମ୍ଭବ । ଏଥିପାଇଁ ଆମ୍ଭେମାନେ ଚିରକାଳ ଭିନ୍ନ । ଆମ୍ଭମାନଙ୍କ ମଧ୍ୟରେ ମିଳନ ଅସମ୍ଭବ । ଭାଇ ଭଉଣୀ, ଭାଇ ଭାଇ ମିତ୍ରତା ସ୍ଥାପନ, ମନୁଷ୍ୟ ହୃଦୟକୁ ପ୍ରେମରେ ଏକ କରିବା ଧର୍ମ । ହିନ୍ଦୁଧର୍ମର ସେତକ ନାହିଁ ।”
“ନାଁ ବୀରବାବୁ, ଭୁଲ କହିଲ । ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଯେଉଁ ଭୋଜନ ହୁଏ, ସେଠି ସବୁ ଜାତି ଏକାଠି ବସି ଖାଆନ୍ତି । ଶ୍ରୀକ୍ଷେତ୍ରରେ ଜାତିଭେଦ ନାହିଁ ।”
“ସେ କାହିଁକି ଆସେ ? ଜାତିନେଇ ହିନ୍ଦୁର ଗର୍ବ । ସେହି ଜାତିଭେଦ ଥିବାରୁ ଆଜି କୋଟି କୋଟି ଶାଖାରେ ବିଭକ୍ତ ହେବାରୁ ହିନ୍ଦୁଜାତି ଦୁର୍ବଳ, ଶକ୍ତିହୀନ, ସାମ୍ୟଭାବ ନାହିଁ । କିନ୍ତୁ ଅଦାବେପାରୀର ଜାହାଜ ଖବର କାହିଁକି ? ଜାତିଭେଦର ଅକଲ୍ୟାଣ ଆଖି ଆଗରେ; କିନ୍ତୁ ବୃଥା । ମୁଁ ସେ ସବୁ ଯୁକ୍ତିତର୍କ ଚାହୁଁ ନାହିଁ । ଯାହାର ମନ ମାନିଲା ସତ୍ୟକୁ ବୁଝିଲା - ସେ ସତ୍ୟ ସଂଗ୍ରହ କରିବ । ଢେଙ୍କି ଗିଳାଇବା କଥା ନାହିଁ । ଆମ୍ଭେ ସତ୍ୟ ପ୍ରଚାର କରିବୁ ମାତ୍ର ଫଳଦାତା ଈଶ୍ୱର । ଆମ୍ଭେ ବିଲର ମୂଲିଆ । ଜମିଚଷି ଧାନ ବୁଣିବୁ । ବରଷା ଦେବା କର୍ତ୍ତା ସେ, ଖରା ଦେବା କର୍ତ୍ତା ସେ-। ଦେଖ ଜଗନ୍ନାଥ, ମୁଁ ହିନ୍ଦୁଧର୍ମର କିଛି ନିନ୍ଦା କରୁନାହିଁ । କିନ୍ତୁ ତିନୋଟି ବିଷୟ ମୋ ମନକୁ ପାଇନାହିଁ । ପ୍ରଥମରେ ଜାତିଭେଦ, ଦ୍ୱିତୀୟ ପ୍ରତିମା ପୂଜା, ତୃତୀୟ ବାଲ୍ୟବିବାହ । ଏ ତିନୋଟି ଥିବାରୁ” - ବାଧାଦେଇ ଜଗନ୍ନାଥ କହିଲେ, “ଏ ତିନୋଟି ନଥିଲେ ହିନ୍ଦୁ ଖ୍ରୀଷ୍ଟିୟାନ୍ର ଭେଦ ନ ଥାନ୍ତା । ଆଜି ପ୍ରତ୍ୟେକ ହିନ୍ଦୁ ଖ୍ରୀଷ୍ଟିୟାନ୍ ହୋଇପାରନ୍ତେ ।”
ଦୁଃଖିତ ହୋଇ ବୀରବାବୁ କହିଲେ, “ତା କି ସମ୍ଭବ ? ଖ୍ରୀଷ୍ଟିୟାନ୍ କେତେ କଣ ? କ୍ରୁଶ ବହିବା ସହଜ ନୁହେଁ ଭାଇ; ଡୁବନ ହେବା ସହଜ । ମଣ୍ଡଳୀରେ ନାମ ଲେଖାଇବା ସହଜ । ହେଲେ ଖ୍ରୀଷ୍ଟଙ୍କୁ ଧାରଣ କରିବା ବହୁ ସାଧନାର ବିଷୟ । ମାନବ ଅନ୍ତରରେ ଜୀବନ୍ତ ଈଶ୍ୱର ମୂର୍ତ୍ତିମାନ ହେବା ଯେ ବଡ଼ କଷ୍ଟକର ବିଷୟ । ଜୀବନବ୍ୟାପୀ ସଂଗ୍ରାମ । ଓ...” - ଏହା କହି ବୀରବାବୁ ଆସନ ତ୍ୟାଗ କରି ଉଠିଗଲେ । ଅନ୍ଧକାର କ୍ରମେ ଘନୀଭୂତ ହୋଇ ଆସୁଥିଲା-। ସମ୍ମୁଖରେ ସ୍ଫୀତବକ୍ଷା କାଠଯୋଡ଼ୀ ପୁଣ୍ୟତୋୟା । ପାଣି ସର ସର ବହିଯାଉଛି, ପବନ ସର ସର ବହିଯାଉଛି-। ପାଣି ପବନର ସତେ ଅଭେଦ ପ୍ରୀତି ।
ସେ ପାଣିସ୍ତର ଉପରେ ଥାକକୁ ଥାକ ଅନ୍ଧକାର ସଜ୍ଜିତ ହେଲାଣି । ଆକାଶର ବିସ୍ତୃତ ନୀଳିମାରେ କ୍ଷୁଦ୍ର ତାରା ଗୋଟିଏ ଯୋଡ଼ିଏ ମିଟି ମିଟି ହେଲେଣି । ବୃକ୍ଷଲତା ପବନ ପ୍ରବାହରେ କମ୍ପି ଉଠୁଥିଲେ-। ପବନ-ଶୀତଳ ପବନ । ଫୁଲବାସଭରା ନ ଥିଲା; କିନ୍ତୁ ପ୍ରାଣାରାମ- ଦାୟୀ ସୁଶୀତଳ ପବନ ।
ବୀରବାବୁ ନଦୀ ବକ୍ଷପ୍ରତି ଦୃଷ୍ଟିପାତ କଲେ । ବିଶାଳବକ୍ଷା ସଲିଳସ୍ଫୀତା ତଟିନୀ ବହିଯାଉଛି । ଅନ୍ଧକାର ତାହାର ସେହି ବିଶାଳ ବକ୍ଷ ଆଲିଙ୍ଗନ କରିବାକୁ ଆକାଶରୁ ଓହ୍ଲାଇ ଆସୁଅଛି ପରା । ତାରା ଦିଓଟି ଆନନ୍ଦରେ ହସି ଉଠୁଛନ୍ତି । ବୀରବାବୁ ନୀରବ ଦୃଷ୍ଟିପାତ ପୂର୍ବକ ଧ୍ୟାନମଗ୍ନ ହୋଇ କହିଲେ - “ଜଗନ୍ନାଥ, ମାନବର ହୃଦୟ ସମୟେ ସମୟେ ଏହିପରି ଅନ୍ଧାର ହୋଇଉଠେ । କିନ୍ତୁ ତା’ ମଧ୍ୟରେ ପ୍ରେମର ଆଲୋକ ତାରାପରି ସାନ୍ତ୍ୱନା ଦେଇ ଫୁଟିଉଠେ ସତେ ! ମୋର ସେହି ସାନଭଉଣୀ ପଦ୍ମାବତୀର ମୃତ୍ୟୁଶଯ୍ୟା ମୋର ଜୀବନର ଗୋଟିଏ ବଡ଼ ଦୁଃଖର ସ୍ମୃତି-। ଯେତେ- ବେଳେ ମନେପଡ଼େ, ଭାବେ ସେହି ଶାନ୍ତିମୟ ସୁନ୍ଦର ଦେବୀମୂର୍ତ୍ତି ଆକାଶରେ, ପୃଥିବୀରେ ସବୁଆଡେ ବୁଲୁଛି । ତାର ସେହି ଛୋଟ ମୁହଁର ... ମୋତେ ଲାଗେ ଜଗତରେ ମୁଁ କେଉଁଠି ଦେଖିନାହିଁ । ଆହା, ମନୁଷ୍ୟ କ’ଣ ପ୍ରେମ କରିବାକୁ ଜନ୍ମେ ?”
ସହସା ଜଣେ ପଶ୍ଚାତରୁ ତାଙ୍କ ପୃଷ୍ଠରେ କରାଘାତ କରି କହିଲା - “ବୀର, ଆଜି ଏତେ ରାତିରେ ଏଠେଇଁ; ତୋ ସାଙ୍ଗରେ କିଏ ଅଛି ପରା ?” ସ୍ୱରରୁ ଆଗନ୍ତୁକଙ୍କୁ ଚିହ୍ନିପାରି ବୀର ସହାସ୍ୟ ବଦନରେ କହିଲେ - “କିରେ ଗୋପାଳ, ତୁ ଏଇଠି ବୁଲୁଛୁ, ଆଜି ଦେଖା ହେଉଛି ।”
ଗୋପାଳ ବଡ଼ ରହସ୍ୟପ୍ରିୟ । ସେ ସହାସ୍ୟ ବଦନରେ କହିଲା - “ତୁ ପରା ଲେକ୍ଚର୍ ଦେଉଥିଲୁ । ତୋ ସଙ୍ଗୀ କିଏ ? ତୁ କ’ଣ ଶ୍ରୋତା ଏବଂ ବକ୍ତା - ଉଭୟ ?”
କିଞ୍ଚିତ୍ ପଛକୁ ଦୃଷ୍ଟିକରି ଜଗନ୍ନାଥଙ୍କୁ ଦେଖି କହିଲା - “ଆରେ ସତେ ଜଣେ ଅଛି ତ ?” ଜଗନ୍ନାଥ ଗୋପାଳର କଥା ଶୁଣି କହିଲେ - “ଗୋପାଳ, ବୀରର ଲେକ୍ଚର୍ ଆଟେଣ୍ଡ୍ କରିବାର ଭାଗ୍ୟ ତୋର ନାହିଁ ।”
ସତେ, ମୋ ଭାଗ୍ୟଟା ବଡ଼ ଦୁର୍ଭାଗ୍ୟ । ଯାହା-ହେଉ ଖୀରସ୍ତାନ ହେଲୁ । ଜାତିକୁଳ ନେଲୁ-। ଏଥର ଗୋରୁମାଂସ ଓ ମଦ ଖାଇବାକୁ ସୁବିଧା । ନାହିଁକି ରେ ଜଗନ୍ନାଥ ? ସାହେବ ହେବୁ, ଭାବନା କ’ଣ ? କୋଟ୍ ପ୍ୟାଣ୍ଟ୍ ପିନ୍ଧିବୁ । ବବର୍ଚ୍ଚି ଖାନ୍ସମା ହାତରେ କୁକୁଡ଼ା ରୋଷ୍ଟ୍ ବଡ଼ ସୁଆଦ, ନାହିଁ କିରେ?” “ତୁ ଖାଇଥିବୁ - ଜାଣିଛୁ ।”
“କିନ୍ତୁ ମୁଁ ବୀରବାବୁର ଲେକ୍ଚର୍ ଆଟେଣ୍ଡ୍ କରିନାହିଁ । ଆଜି ତୁମ୍ଭେମାନେ ବଡ଼ ଧର୍ମ ବକ୍ତୃତା କରୁଥିଲ, ମୁଁ ସବୁ ଶୁଣିଛି ।”
ବୀର ଅସହିଷ୍ଣୁ ବୋଧ କଲେ । ସେ ଉତ୍ତେଜିତ ଭାବରେ କହିଲେ - “ଦେଖ୍ ଗୋପାଳ, ତୁ ଭାବୁ ଖ୍ରୀଷ୍ଟିୟାନ୍ ହେଲେ ଖାଲି ମଦମାଂସ ଖାଆନ୍ତି ।”
ଗୋପାଳ ହସିହସି କହିଲା - “ମୋ ଧାରଣା ସେଇଆ । ନୋହିଲେ ବାପ ମା’ ଛାଡ଼ି, ଘରଦ୍ୱାର ଛାଡ଼ି ତୁଚ୍ଛାଟାକୁ ଖୀରସ୍ତାନ ମୁଁ ହୁଅନ୍ତି କାହିଁକି ?” “ଧର୍ମ ପିପାସା ?”
“ଓଃ ଧର୍ମପିପାସା ! ବାସ୍ତବିକ୍ ଧବେଳେଶ୍ୱରଙ୍କ ରାଣ, ମୋର ସେମିତି ଧର୍ମପିପାସା ଆଜି କିଛି ନାହିଁ । ଏତେ ଶୋଷ ଥିଲେ ଗୋପାଳ ଆଉ ‘ଗୋପାଳ’ ନଥାନ୍ତା । ବୋଧହୁଏ ନାଥିଆର କିଛି ବେଶି ରକମର ତୃଷ୍ଣା । ସେଥିପାଇଁ ତୁ ତାକୁ ସେହି ଅମୃତ ନଦୀର ଜଳରୁ ପାଣି ପିଆଉଛୁ । ବେଶ୍ କରି ପିଉଥା ନାଥିଆ । ତେଣେ ବାପ ମା’ ଶୁଣି ଇହଧାମ ଛାଡ଼ନ୍ତୁ ।”
ନାଥିଆ ଅପ୍ରତିଭ ହୋଇ କିଛି କହି ପାରିଲା-ନାହିଁ । ଲଜ୍ଜାରେ ମୌନ ହୋଇ ରହିଲା । ସେ ଜାଣେ ସେ ଖ୍ରୀଷ୍ଟ ଧର୍ମ ଭଲ ପାଏ । ଏକଥା ତା’ର ସାଙ୍ଗମାନେ ଜାଣିପାରିଲେ ତାକୁ ପ୍ରତିମୁହୂର୍ତ୍ତରେ ଅଶେଷ ବିଦ୍ରୂପ କରି କରି ପ୍ରାଣାନ୍ତ କରିବେ । ଆଉ ସେଥିରୁ ରକ୍ଷା ନାହିଁ ।
କିଛିକ୍ଷଣ ଭାବି କହିଲେ - “ଗୋପାଳ, କଥା ଶୁଣିଲେ ଦୋଷ କ’ଣ ? ଧର୍ମସବୁ ଏକା । ବୀରବାବୁ ଧର୍ମପ୍ରିୟ । ମୁଁ ତ ଖ୍ରୀଷ୍ଟିୟାନ୍ ହୋଇ ପଡ଼ୁନାହିଁ ।” କଥା ଶୁଣି ବୀରବାବୁ ଭାବିଲେ-“ହାୟ”
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ
ଆକବର
ମଧୁସୂଦନ ରାଓ