ପାରାବତ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୩
- ସ୍ଥିତି
- ସାର୍ବଜନୀନ (Public domain)
ଆମ୍ଭମାନଙ୍କ ଦେଶରେ ଅନେକ ପାରା ପୋଷନ୍ତି; କିନ୍ତୁ ପାରାର ଅଦ୍ଭୁତ ଗୁଣ ଅନେକ ଜାଣନ୍ତି ନାହିଁ । ପାରା ଯେଉଁ ସ୍ଥାନରେ ପ୍ରତିପାଳିତ ହୁଅନ୍ତି, ସେହି ସ୍ଥାନ ପ୍ରତି ସେମାନଙ୍କର ମମତା ଅଧିକ । ଅନ୍ୟ ସ୍ଥାନରେ ଛାଡ଼ିଦେଲେ ସେମାନେ ସ୍ୱ-ସ୍ଥାନକୁ ଫେରିଆସନ୍ତି । ତୁମ୍ଭମାନଙ୍କର ଯଦି ପୋଷା ପାରା ଥାଏ, ତାହାହେଲେ ଦୁଇ ତିନି ମାଇଲ ଦୂରରେ ଛାଡ଼ିଦେଇ ଏକଥା ପରୀକ୍ଷା କରିପାର ।
ପାରାର ଉଡ଼ିବା ଶକ୍ତି ଆଶ୍ଚର୍ଯ୍ୟ ଏବଂ ବୁଦ୍ଧି ଅତି ପ୍ରଖର । ବୁଦ୍ଧି ପ୍ରଭାବରେ ଏମାନେ ଆପଣା ଘର ଠିକ୍ କରି ନିଅନ୍ତି । ଅନେକ ପ୍ରକାର ପକ୍ଷୀ ଅଛନ୍ତି, ଯେଉଁମାନେ ଶୀତକାଳରେ ଏକ ଦେଶରେ ଏବଂ ଗ୍ରୀଷ୍ମକାଳରେ ଅନ୍ୟ ଦେଶରେ ବାସ କରନ୍ତି । ସେମାନେ ସହସ୍ର ସହସ୍ର ମାଇଲ ଦୂରକୁ ଯାଇ ପୁଣି ଫେରିଆସନ୍ତି; କିନ୍ତୁ ଏଥିରେ ପାରାପରି ବୁଦ୍ଧି ବ୍ୟୟ କରିବାକୁ ହୁଏ ନାହିଁ । ସମୋନେ ଦିବାରାତ୍ର ସିଧା ବାଟରେ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହୁଅନ୍ତି । ପାରାମାନେ କେବଳ ଦିନରେ ଚାଲନ୍ତି । ରାତ୍ରିରେ ସେମାନେ ଦେଖି ପାରନ୍ତି ନାହିଁ । ସିଧାବାଟ ହେଲେ ସୁଦ୍ଧା ପାରା ମରୂଭୂମି ଉପର ଦେଇ ଯାଏ ନାହିଁ । ନଗର, ଜନପଦ, ଗ୍ରାମ ଏବଂ ଯେଉଁଠାରେ ଖାଦ୍ୟ ଓ ପାନୀୟ ମିଳିବ, ସେହି ବାଟଦେଇ ଯିବାକୁ ଭଲପାଏ । ଘନ ମେଘୋଦୟ ହେଲେ ବାଟ ଭୁଲିଯିବା ଭୟରେ ଚାଲେ ନାହିଁ । ଆକାଶ ନିର୍ମଳ ଥିଲେ ପାରା ପ୍ରାୟ ୧୫୦ ମାଇଲ ପର୍ଯ୍ୟନ୍ତ ଉଡ଼ିଯାଇ ଅବିଳମ୍ବେ ଫେରିଆସିପାରେ ।
୧୮୭୦ ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ଯୁଦ୍ଧକ୍ଷେତ୍ରରେ ପାରାର ଡ଼ାକ ପ୍ରଚଳିତ ହୋଇଥିଲା-। ଉକ୍ତ ବର୍ଷ ଜର୍ମାନ ସୈନ୍ୟ ଫ୍ରାନ୍ସର ରାଜଧାନୀ ପାରିସ ନଗର ଅବରୋଧ କରିଥିଲେ; ସୁତରାଂ ନଗର ସହିତ ବାହାରର ସମ୍ବାଦ ବିନିମୟ ବନ୍ଦ ହୋଇଗଲା । ନଗରର ଅବସ୍ଥା ଏବଂ ତହିଁରେ ଅବରୁଦ୍ଧ ଆତ୍ମୀୟ ବନ୍ଧୁବାନ୍ଧବମାନଙ୍କର କୁଶଳ ଜାଣିବା ପାଇଁ ବାହାରର ଲୋକେ ବ୍ୟଗ୍ର ହେଲେ ।
ବିଶେଷତଃ ନଗରର ଉଦ୍ଧାର ପାଇଁ ସ୍ୱପକ୍ଷୀୟ ସେନାମାନଙ୍କର ସମସ୍ତ ସମ୍ବାଦ ଜାଣିବା ଏକାନ୍ତ ଆବଶ୍ୟକ ହେଲା । ସମ୍ବାଦପ୍ରେରଣର ଅନ୍ୟ ଉପାୟ ନ ଦେଖି ବେଲୁନ୍ରେ କେତେଗୁଡ଼ିଏ ପାରା ନଗରକୁ ପ୍ରେରିତ ହେଲା । ସେମାନଙ୍କ ପର ସଙ୍ଗେ ଚିଟାଉ ବାନ୍ଧିଦେଇ ଛାଡ଼ିଦେଲେ ସେମାନେ ପାରିସକୁ ଫେରିଆସନ୍ତି । ଏହିପରି ଅନ୍ୟସ୍ଥାନରୁ କେତେଗୁଡ଼ିଏ ପାରା ପାରିସକୁ ଆସିଲେ । ଏହି ପ୍ରକାରେ ସମ୍ବାଦପ୍ରେରଣର ବନ୍ଦୋବସ୍ତ ହେଲା ।
ସେହି ସମୟରୁ କୈାଣସି ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲେ ପାରାର ଡ଼ାକ ଚଳିବାର ନିୟମ ହୋଇଅଛି ଏବଂ ସେହି କାରଣରୁ ଅନେକ ଦେଶରେ ସାମରିକ ଡ଼ାକପାରା ପୋଷାହୁଏ । କେତେକ ବର୍ଷ ପରେ ବିଲାତରେ ଏହି ଉଦ୍ଦେଶ୍ୟରେ ପାରା ପୋଷା ହେଉଅଛି । ଜଳଯୁଦ୍ଧ ସମୟରେ କେତେଗୁଡ଼ିଏ ପାରା ଜାହାଜରେ ନୀତ ହୁଅନ୍ତି ଏବଂ ଚିଠି ବାନ୍ଧି ଛାଡ଼ିଦେଲେ ସେମାନେ ଦେଶକୁ ଫେରିଆସନ୍ତି । ସମୁଦ୍ର ମଧ୍ୟରୁ ଯୁଦ୍ଧର ସମ୍ବାଦ ଦେଶକୁ ପଠାଇବାର ଏହା ସର୍ବୋତ୍କୃଷ୍ଟ ଉପାୟ । ସୁବିଖ୍ୟାତ ନ୍ୟାନସେନ୍ ସାହେବ ଉତ୍ତରମେରୁ ଆବିଷ୍କାର କରିବାକୁ ଯାଇ ପାରା ଦ୍ୱାରା ସମ୍ବାଦ ପଠାଉଥିଲେ ।
ଯୁଦ୍ଧପାଇଁ ପୋଷା ପାରାମାନଙ୍କର ଦୁଇ ଗୋଡ଼ରେ ଦିଓଟି ମୁଦି ଦିଆଯାଇଥାଏ । ଗୋଟିଏ ଧାତୁନିର୍ମିତ ଓ ଅନ୍ୟଟି ରବରର । ଧାତୁନିର୍ମିତ ମୁଦିରେ ନମ୍ବର ଲେଖାଥାଏ ଏବଂ ରବର ମୁଦି ଚିଠି ବାନ୍ଧିବାପାଇଁ ବ୍ୟବହୃତ ହୁଏ । ପାରାର କି ଅଦ୍ଭୁତ ଗୁଣ !
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ