ପଣ୍ଡିତଙ୍କ ସିଦ୍ଧିଲାଭ
୧୮୯୮–୧୯୬୫
- ସଂକଳନ: ପଲ୍ଲୀଛାୟା
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୬୯୩
- ସ୍ଥିତି
- ସାର୍ବଜନୀନ (Public domain)
ଚତୁର୍ଥାବସ୍ଥା ପ୍ରାପ୍ତ ନହେଉଣୁ ପଣ୍ଡିତ ଶ୍ରୀରଘୁନାଥ ନନ୍ଦ ତର୍କବାଗୀଶଙ୍କର ସଂସାର ପ୍ରତି ଘୋର ବୈରାଗ୍ୟ ଆସିଲା । ତାଙ୍କୁ ସେତେବେଳକୁ ବୟସ ପ୍ରାୟ ତିରିଶି ତଳେ; ମାତ୍ର ଚେହେରାଟା ଯାଇ ପଚାଶ ଉପରେ ପଡ଼ିଥିଲା ।
ବିଚାରା ପଣ୍ଡିତଙ୍କୁ ଏତେ ଅଳ୍ପ ବୟସରେ ଏଡ଼େ ବଡ଼େ ଉପାଧି ଯେ କିପରି ଆକ୍ରମଣ କରିବସିଲା, ତାହା ସମସ୍ତେ ବୁଝିବା କଷ୍ଟ । ସେ କୈାଣସି ଟୋଲରେ ପଢ଼ି ନ ଥିଲେ । କୈାଣସି ଇସ୍କୁଲରେ ନାଁ ଲେଖାଇ ନ ଥିଲେ, କିମ୍ବା ରାଜାରାଜୁଡ଼ାର ସୀମା ମାଡ଼ି ନ ଥିଲେ । ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ଉପାଧିଗୁଡ଼ାକ ସେ ନିଜେ ଠିକ୍ କରି ନେଇଥିଲେ । ତାଙ୍କୁ ତର୍କରେ କିଏ ଜିଣୁ ନ ଥିଲେ । ଯଦି ବା ସେ କେବେ କେବେ ହାରୁଥିଲେ, ତେବେ ସେଥିପାଇଁ ଗାଲୁ ଭୁରୁଡ଼ୁ ମଧ୍ୟ କରିପାରୁଥିଲେ । ଲୋକର ବାଗ ଉଣ୍ଡି ସେ କଥା କହୁଥିଲେ । ତେଣୁ ସେ ନିଜ ନାଁଟି ବଡ଼ ଆଦରରେ ଦେଲେ ‘‘ଶ୍ରୀରଘୁନାଥତର୍କବାଗୀଶ ।’’ ବାକୀ ପଣ୍ଡିତ ଶବ୍ଦଟା ତାଙ୍କ ଉପରେ ଖଳେଲୋକଙ୍କର ଅତ୍ୟାଚାର ବୋଲିବାକୁ ହେବ ।
ନନ୍ଦେ ଏହି ଉପାଧିଗୁଡ଼ାକୁ କେତେ ଦିନ ଭାରି ଆଦର ଦେଖାଇଲେ; ମାତ୍ର ଶେଷକୁ ଚତୁର୍ଥପକ୍ଷ ସ୍ତ୍ରୀର ସ୍ୱାମୀଠାରେ ଆଦର ନ ଥିଲା ପରି ସେଥିରୁ ତାଙ୍କ ମନ କୋହଳ ପଡ଼ିଗଲା । କ୍ରମେ କ୍ରମେ ଲୋକେ ତାଙ୍କୁ ଡ଼ାକିଲେ ‘‘ରଘୁ ପଣ୍ଡିତେ ।’’
ରଘୁ ପଣ୍ଡିତଙ୍କର ଯେଉଁ ଦିନ ବୈରାଗ୍ୟ ଉଦୟ ହେଲା, ତାଙ୍କ ସ୍ତ୍ରୀ ପ୍ରଥମେ ଜାଣିଲେ । ଏକମାତ୍ର ଗୃହିଣୀ ଛଡ଼ା ସେ ଗୃହସଂସାରରେ ଆଉ କେହି ନ ଥିଲେ । ଦିନ ପନ୍ଦରଟା ମଧ୍ୟରେ ସାଇ ପଡ଼ିଶାଘର, ସେଠୁ ଗାଁ, ଗାଁରୁ ଆଖପାଖ ଦଶପନ୍ଦର ଖଣ୍ଡ ଗାଁରେ ଏକଥା ଚହଳ ପଡ଼ିଗଲା । ଦାଣ୍ଡରେ, ବାଟରେ, ଘାଟରେ ସମସ୍ତଙ୍କ ମୁହଁରୁ ଶୁଣାଗଲା ଯେ ମୁକୁନ୍ଦପୁରର ରଘୁ ପଣ୍ଡିତେ ସନ୍ନ୍ୟାସୀ ହୋଇ ଚାଲିଯିବେ ।
ପଣ୍ଡିତଙ୍କ ଘରଣୀ ଚମ୍ପାବତୀ ଆମ ତମ ଘରର ଝିଅ ନୁହନ୍ତି - ସେ ‘ପାରକଣା’ ବଂଶର-। ତାଙ୍କ ବାପା ରାଘବ ରାଜଗୁରୁ କଳାହାଣ୍ଡି ରଜାଙ୍କ ରାଜଗୁରୁ ଥିଲେ । ସେହି ଦିନୁ ସେହି ବଂଶଟାର ନାଁ ଖୋରଧା ଅଶୀକୋଶରେ ପଡ଼େ । ନଈ ସୁଅ ପରି କାଳ-ସୁଅ ବହିଯାଉଛି । ସେଥିରେ କେତେ ଓଲଟପାଲଟ ହୋଇ ପଡ଼ୁଛି । ଲୋକେ କହନ୍ତି, ରାଘବ ରାଜଗୁରୁ ନିଜେ ଭାରି ଗରିବ ଥିଲେ । ତାଙ୍କ ଦଶା ଲେଉଟିଲା । ବର୍ଷ ପାଞ୍ଚଟା ଭିତରେ ସେ ସଂସାର ଛାଡ଼ିବା ପୂର୍ବରୁ ଦଶବାଟୀ ଜମି କରିଗଲେ ।
ରାଘବ ରାଜଗୁରୁଙ୍କ ଏକମାତ୍ର ପୁଅ ଛକଡ଼ି ରାଜଗୁରୁଙ୍କର ଚମ୍ପାବତୀ ଏକମାତ୍ର କନ୍ୟାସନ୍ତାନ । ଝିଅକୁ ପାଞ୍ଚବର୍ଷ ଦିନୁ ଛକଡ଼ି ରାଜଗୁରୁଙ୍କୁ ବର ଖୋଜା ପଡ଼ିଲା । ଶେଷକୁ ସାତ ବର୍ଷ ପରେ ଏହି ରଘୁପଣ୍ଡିତଙ୍କ ଭାଗ୍ୟରେ ଷଠୀବୁଢ଼ୀ ଚମ୍ପାବତୀଙ୍କ ହାତ ଧରିବାକୁ ଲେଖିଥିଲେ ବୋଲି ଜଣାପଡ଼ିଲା । ରାଜଗୁରୁଙ୍କ ଇଚ୍ଛା ଥିଲା, ଝିଅଟିକୁ ଏପରି ଏକ ମାତ୍ର ହାତରେ ଦେବେ, ଯାହାର ଧନ ଥିବ, ବିଦ୍ୟା ଥିବ ଏବଂ ଆଉ ଗୁଣ ଥିବ; ମାତ୍ର ଦୁର୍ଯୋଗକୁ ରଘୁପଣ୍ଡିତଙ୍କର ପ୍ରଥମ ଦୁଇଟି ଗୁଣ ନ ଥିଲା । ତଥାପି ଷଠୀ କଥା ପୋଛି ଲିଭାଇବ କିଏ ?
ଏଣେ ରଘୁ ପଣ୍ଡିତଙ୍କ ବଂଶଟା ସେପରି କିଛି ଗହଳିଆ ନ ଥିଲା । ସାଧାରଣ ପ୍ରକାରର ଥିଲା । ପଣ୍ଡିତେ ସ୍ୱଦତ୍ତ ଉପାଧି ଲାଭ କରିବା ପୂର୍ବରୁ ମୁକୁନ୍ଦପୁରରେ ହଇଜା ଲାଗିଲା ଯେ ଖୋରଧା ଖାସମାହାଲ ଜଙ୍ଗଲରେ କୁପ୍ ଛାଡ଼ହେଲା ପରି ତାଙ୍କ ବଂଶଟା ମୂଳପୋଛ ହୋଇଗଲା । ତା’ ନ ହୋଇଥିଲେ ପଣ୍ଡିତେ ନିରଙ୍କୁଶ ଭାବରେ ଉପାଧି ସୃଷ୍ଟି କରିପାରି ନଥାନ୍ତେ । ସେ ତେଣିକି କୁପ୍ର ପରିତ୍ୟକ୍ତ ଖୁଣ୍ଟା ପରି କୁଳକୁ ରହିଲେ । ସଂପତ୍ତିପତ୍ର ଯାହା ଥିଲା ତାଙ୍କ ହାତରେ ଦୟାର ପାତ୍ର ହୋଇ ରହିଲା ।
ଚମ୍ପାବତୀ ଶାଶୁଘରକୁ ଆସିଲା ବେଳକୁ ପଣ୍ଡିତଙ୍କୁ ବୟସ ୨୧ ବର୍ଷ । ତା’ ପୂର୍ବରୁ ସେ ଘରେ ସବୁବେଳେ ରହୁ ନ ଥିଲେ । କେଉଁଠି ରହୁଥିଲେ ତାହା ମଧ୍ୟ କେହି ଜାଣୁନଥିଲେ । ବେଳେବେଳେ ମୁକୁନ୍ଦପୁରସ୍ଥ ତାଙ୍କ ପିତୃମାତୃପରିବାରହୀନ ଗୃହଟା ଖୁବ୍ଗହଳିଆ ହୋଇଉଠେ । ଗାଁର ଦଶପନ୍ଦରଜଣ ଯୁବକଙ୍କର ଏକ ମଜ୍ଲିସ୍ହୁଏ- ଗଞ୍ଜେଇ ଧୂଆଁରେ ମୁକୁନ୍ଦପୁର ମହକିଉଠେ । ଲୋକେ କହନ୍ତି, ଏହି ଦଳଙ୍କ ଆବିର୍ଭାବ ଯୋଗୁଁ ୧୯୦୨ ମସିହାରେ ପଞ୍ଚୁଗାଁର ରଘୁନାଥ ଶୁଣ୍ଢି ପକାଘର ତୋଳିଥିଲା । କଥାଟାକୁ ପରିଷ୍କାର ଦାଣ୍ଡରେ ପକାଇବାକୁ ଗଲେ ରଘୁପଣ୍ଡିତଙ୍କ ଦଳ କେତେଟା ବର୍ଷ ଭିତରେ ମଫସଲରେ ଏତେ ପ୍ରବଳ ହୋଇ ଉଠିଲେ ଯେ, ମଦ, ଗଞ୍ଜେଇ, ଅଫିମ ଦୋକାନମାନ ଶୂନ୍ୟ ହୋଇଗଲା ଏବଂ ଉତ୍କଳ ଦେଶର ସବୁ ଆଡ଼େ ଏହିପରି ଦଳ ବାହରିଥିଲେ ସରକାରଙ୍କ ଆୟ ଏତେ ବଢ଼ିଥାନ୍ତା ଯେ, ଲୋକଙ୍କ ଖଜଣା ଛାଡ଼ ହୋଇଯିବାର କେହି କେହି ଆଶଙ୍କା ମଧ୍ୟ କରିଥିଲେ ।
ଘରର ସକଳ ସମ୍ପତ୍ତି, ଦାଣ୍ଡ ଏବଂ ବାଡ଼ିଦୁଆରର ପଥରପାହାଚ ବିକା ସିଲା ପରେ, ପଣ୍ଡିତଙ୍କର ବୈରାଗ୍ୟୋଦୟ ହେଲା । ସେ ଅର୍ଦ୍ଧମୁଦ୍ରିତ ନେତ୍ରରେ ଘରକୋଣରେ ବସିରହିଲେ । ତାଙ୍କର ସେ ସମୟର ଅବସ୍ଥା ଦେଖିଲେ ଯେଡ଼େ ଛାତି-ଟାଣ ଲୋକର ମଧ୍ୟ ଭୟହୋଇଯିବ । ଆଖି ଖୋଳ, ଖୋଳ ବାଳ ଭୁତୁରୁ ଭୁତୁରୁ, ଥୋଡ଼ ଶୁଷ୍କ, ବୁକୁହାଡ଼ ଦଶହାତ ଦୂରରୁ ଗଣିହେଉଛି, ଶିରା ମାଳମାଳ ହୋଇ ଚମ ଫୁଟି ଦିଶୁଛି । ସେ ଏପରି ଭାବରେ କେବେହେଲେ ଘରେ ବସନ୍ତି ନାହିଁ । ତାଙ୍କର ଏ ଭାବାନ୍ତର ଦେଖି ପତ୍ନୀ ଆସି କହିଲେ - ‘‘ଆଜି କ’ଣ ପେଟ ପୋଡ଼ିବାକୁ କିଛି ମିଳିଲା ନାଇଁକି ? ଗୁଲିଆସାଙ୍ଗେ ତ ପାଣ ସାହିରେ ଚାହିଁଥିବେ, ଏଠି କାଇଁକି ଇମିତି ପୋଡ଼ାହେବାକୁ ହେଲା ?’’
ପଣ୍ଡିତେ ଆଖିପତାକୁ ଧୀରେ ଧୀରେ ଟେକି କହିଲେ, ‘‘ଜାଣିଲ, ଏ ସଂସାର କିଛି ନୁହେଁ-। ଏ ମୋହ-ମାୟା-’’
ଗୃହିଣୀ ମୁହଁରେ ଏକ ଅସ୍ୱାଭାବିକ ବିକାର ଦେଖାଇ ନାକ ଛିଞ୍ଚାଡ଼ି କହିଲେ; ‘‘ମୋ ମାଆ ଲୋ, କାଲି ସୂର୍ଯ୍ୟେ ପଶ୍ଚିମରୁ ଉଇଁବେ ପରା ! ଆଜି ଏ ଧରମ କଥା କୁଆଡ଼ୁ ଆସିଲା ମ !’’
‘‘ଏ ମୋହ-ମାୟା ସଂସାର, ଧନଜନ, ପତିପତ୍ନୀ କେହି କାହାର ନୁହନ୍ତି । ଖାଲି-’’
‘‘ଖାଲି ମଦ, ଗଞ୍ଜେଇ, ଗୁଲି ତମର । ଆଜି କ’ଣ ପେଟ ପୋଡ଼ିବାକୁ ମିଳିନାଇଁ ପରା ! ନଇଲେ କାହିଁକି ଧନଜନକୁ ଏତେ ନିନ୍ଦା ହୁଅନ୍ତା ?’’
ପଣ୍ଡିତେ ହାତରେ ଠାରି କହିଲେ-‘‘ଭଗବାନ ସବୁ କରୁଛନ୍ତି । ବଣ ପର୍ବତ, ବିଲ ପଡ଼ିଆ ତାଙ୍କର ଦୟାରୁ- ଏ ଘରସଂସାର ତାଙ୍କରି ଅନୁଗ୍ରହରୁ । ଏ ରଘୁ ପଣ୍ଡିତ ତାଙ୍କରି ସନ୍ତାନ-ତାଙ୍କରି ଆଦେଶରେ ଏ ଗଞ୍ଜେଇ ଖାଉଥିଲା, ମଦ ପିଉଥିଲା, ପୁଣି ତାଙ୍କରି ଦୟାରୁ ଆଜି ସବୁ ଛାଡ଼ିବାକୁ ଜିଦ୍ଧରି ବସିଛି । ଖାଲି ଛାଡ଼ିବାକୁ ବସି ନାହିଁ, ଏ ସଂସାର ମୋହ ତୁଟାଇ ସନ୍ନ୍ୟାସୀ ହୋଇ ଯିବାକୁ ବସିଛି । ଆଜି ରଘୁପଣ୍ଡିତଙ୍କ ଉପରେ କରୁଣାମୟ ଭଗବାନଙ୍କର ଶୁଭଦୃଷ୍ଟି ପଡ଼ିଛି । ଜୟ ଶମ୍ଭୋ ! ହର ହର ବଂବଂ ଭେଳାନାଥ !’’
ଏ ଧର୍ମତତ୍ତ୍ୱ ଏବଂ ଏ ଗର୍ଜନ ଶୁଣି ଚମ୍ପାବତୀ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ପାଟିକରି କହିଲେ, ‘‘ମଦ ଖାଇଲ କି ମାଟି ଖାଇଲ କି ଠୁଙ୍ଗା ଖାଇଲ; ଏ ଘରେ କାଇଁକି ଆଜି ନାଟ ଲାଗିଛି ? ଯା, ପୋଡ଼ିଯା, ଜଳି ଯା, ବାବାଜୀ ହୋଇ ଯା, ସନିଆସି ହୋଇ ଯା, ଏଠି ଏତେ ନାଟ କିଆଁ ?’’ -କହି ସେ ଦ୍ରୁତ ପଦବିକ୍ଷେପରେ ଅନ୍ୟ ଘରକୁ ଚାଲିଗଲେ ।
ଚମ୍ପାବତୀଙ୍କ ପରି ସୁଗୃହିଣୀ ମୁକୁନ୍ଦପୁର ଗୋଟାକଯାକରେ ନ ଥିବେ । ଦୁର୍ଦ୍ଦାନ୍ତ, ଅତ୍ୟାଚରୀ ‘ପତି-ଦେବତା’ଙ୍କ ପାଇଁ ଯେ ସେ କେତେ ଦୁଃଖକଷ୍ଟ ସହିଛନ୍ତି, ଲେଖିବସିଲେ ରାମାୟଣପୋଥି ହେବ । ତାଙ୍କରି ପାଇଁ ସେ କେତେ ରାତି ଅନିଦ୍ରାରେ କଟାଇଛନ୍ତି, କେତେ ଦିନ ଅନାହାରରେ ରହିଛନ୍ତି । ପତିଙ୍କ ମଦଖିଆ ଅତ୍ୟାଚାରରେ ବାଧ୍ୟହୋଇ ଦେହରୁ ଅଳଙ୍କାର କାଢ଼ି ଦେବାକୁ ପଡ଼ିଛି । ତଥାପି ସେ ଦିନେ ହେଲେ ପତି ଭଲହେବା ଆଶା ଛାଡ଼ି ନାହାନ୍ତି । ସାଇପଡ଼ିଶା ଲୋକେ ତାଙ୍କୁ ଶୁଣ୍ଢିଆଣୀ, ଚୋରଣୀ ବୋଲି ଦେଖେଇ ଦେଖେଇ କହନ୍ତି; ମାତ୍ର ସେଥିରେ ସେ ମନଦୁଃଖ କରନ୍ତି ନାହିଁ । ଭାବନ୍ତି, ଭଗବାନ ଦିନେ ହେଲେ ମୋ ପତିଙ୍କୁ ସୁପଥକୁ ଆଣିବେ ।
ଚମ୍ପାବତୀ ଅନ୍ୟଘରକୁ ଚାଲିଆସି ଭାବିଲେ, ‘‘କେବେ ତ ଏ କଥା ଶୁଣା ନାହିଁ, ସତେ କ’ଣ ଭଲ ବୁଦ୍ଧି ଆସିଲା ? ପ୍ରଭୁ ହେ ! ତାଙ୍କୁ ସନ୍ନ୍ୟାସୀ କରି ବାବାଜୀ କରି ଛାଡ଼ିଦିଅ; ମାତ୍ର ସେହି ରାକ୍ଷଷୀ ନିଶା ପାଖେ ପକାଇ ଘାଣ୍ଟ ନାହିଁ ।’’
ଚମ୍ପାବତୀ ଥିର୍ ଥିର୍ ଯାଇ ଦୁଆରକୋଣରେ ଚାହିଁ ଦେଖିଲେ, ପଣ୍ଡିତେ ସେହିପରି ବସିଛନ୍ତି । ତାଙ୍କ ଆଖି ଦୁଇଟି ଉଜ୍ଜ୍ୱଳ ଦେଖାଯାଉଛି । ସେ ଥରକୁ ଥର ଗମ୍ଭୀରୀଘର ଭିତରକୁ ଯେଉଁ ଘରେ ଦିଅଁ ଥା’ନ୍ତି - ସେହି ଘର ଭିତରକୁ ଚାହୁଁଛନ୍ତି ଏବଂ ବେଳେବେଳେ ଘର ବାହାରେ ଅନନ୍ତ ଆକାଶକୁ ଚାହୁଁଛନ୍ତି । ଚମ୍ପାବତୀ ଭାବିଲେ,‘‘ନା, ମା ବୁଢ଼ୀସା’ନ୍ତାଣୀ ମୋ ଗୁହାରୀ ଶୁଣିଛନ୍ତି-। ଏତେ ଦିନ ଚମ୍ପାଫୁଲେ ଚଢ଼େଇ, ଗଇଶଫୁଲ ଦେଇ ପୂଜାକରିଛି, ପ୍ରଭୁ ନୀଳକଣ୍ଠେଶ୍ୱରେ ଆଜି ଦୟା କଲେ ପରା !’’ ତାଙ୍କ ଆଖି ଦୁଇଟି ଆନନ୍ଦରେ ଛଳ ଛଳ ହୋଇଆସିଲା । ସେ ଲୁଚିକରି ରହିନପାରି ଘରଭିତରକୁ ପଶିଗଲେ । ପଚାରିଲେ, ‘‘ଆଜି କ’ଣ ଦେହ ଅସୁଖ ଲାଗୁଛି କି ? ଟିକିଏ ହେଲେ ଶୋଇପଡ଼ । ଇମିତି ବସିଚ କିଆଁ ?’’
ପଣ୍ଡିତେ ଏ ଦୀର୍ଘ ହାଇ ତୋଳି ମୁହଁଟାକୁ ଗମ୍ଭୀର କରି କହିଲେ ‘‘ହୁଁ. . . କିନ୍ତୁ ଆଉ ବେଶୀ ଦିନ ନୁହେ । ପତି ନାରୀର ଦେବତା- ସର୍ବସ୍ୱ, ଏହା ପୁରାଣରେ ଅଛି । ପଣ୍ଡିତଙ୍କ ଏହି ଉକ୍ତିରେ ଏତେ ଗାମ୍ଭୀର୍ଯ୍ୟ, ଏତେ ନୈରାଶ୍ୟ, ସଂସାର ପ୍ରତି ଏତେ ବିରକ୍ତି ପୂରିରହିଥିଲା ଯେ ଚମ୍ପାବତୀଙ୍କ ବୁକୁଟା ଧଡ଼୍କିନା ପଡ଼ିଗଲା । ସେ ଆହୁରି ବ୍ୟଗ୍ରଭାବରେ ତାଙ୍କୁ ଚାହିଁଲେ ।
ପଣ୍ଡିତେ ଧୀରେ ଧୀରେ ଆରମ୍ଭକଲେ- ‘‘ଏ ଦୁର୍ଗନ୍ଧ ସଂସାର ମାୟାରୁ ଅଲଗା ହୋଇ ରହିବି; ବୁଝିଲ ? ମାତ୍ର ତାହା ପୂର୍ବରୁ ମୋତେ କେତେଟା ଦିନ ସାଧନା କରି ସିଦ୍ଧିଲାଭ କରିବାକୁ ହେବ । ସେଥିପାଇଁ ନିରୋଳା ସ୍ଥାନଟିଏ ଦରକାର । ଏ ଆମ ଦିଅଁଙ୍କ ଘରଟା ହୁଅନ୍ତା; ମାତ୍ର ଦେଖୁଛି ଏହା ସେତେ ନିରାପଦ ନୁହେଁ । ସେଠିକି ତୁମ ପାଟି ନ ଶୁଭିଲେ ମଧ୍ୟ ପାଦ ଶବ୍ଦ ଶୁଭିପାରେ । ତାହାହେଲେ ସାଧନାରେ ବାଧା ପଡ଼ିବ । ତେଣୁ ମୁଁ ନୟାଗଡ଼ ମୁକ୍ତେଶ୍ୱରଙ୍କଠାରେ ସାଧନା କରିବାକୁ ଭାବୁଛି । କାଲି ସକାଳୁ ଯିବାକୁ ହେବ ।’’
ଚମ୍ପାବତୀଙ୍କ ମନଟା ଏକାସମୟରେ କେତେ ଗୁଡ଼ାଏ ଭାବନାରେ ଏଣେ ତେଣେ ଅଡ଼ୁଆ ହୋଇଗଲା । ସେ କିଛି ଉତ୍ତର ଦେଇ ପାରିଲେ ନାହିଁ । ଖାଲି ଏତିକି କହିଲେ, ‘‘ହେ ଜଟିଆବୁଢ଼ା ଶୁଭ ବରଷ । କିମିତି ସାଧନା ସାରି ଫେରିଆସିବେ ।’’
ଏତେଦିନ ପତି ଭଲେ ବାଟକୁ ଫେରିଛନ୍ତି, ଦିଅଁ ଦେବତାଙ୍କ କଥା ଭାବୁଛନ୍ତି, କାଲି ସକାଳୁ ମୁକ୍ତେଶ୍ୱର ଯିବେ- ଏହା ଛଡ଼ା ଚମ୍ପାବତୀଙ୍କ ମନରେ ଆଉ କିଛି ଭାବନା ନାହିଁ । ଘରେ ଯାହା ଥିଲା, ଶାଗ ଭାତ ରାନ୍ଧିଲେ, ପତିଙ୍କ ପାଖେ ବସି ନାନାକଥା ହେଲେ । ପଣ୍ଡିତେ କହିଲେ, ‘‘ଯାଉଛି ଯେ ଚାରିଦିନ ପରେ ଫେରିବି । ଦେଖୁଚ ତ ଗାଁରେ ଚୋରଗୋଳ । ଟିକିଏ ସାବଧାନରେ ଥିବ । ଘରେ କେଉଁଠି ଖଡ଼୍ଖାଡ଼୍ହେଲେ ତମେ ଆଗ ଦୁଆର ଫିଟାଇବ ନାହିଁ । ଶୁଣୁଛି, ଚୋରଗୁଡ଼ାକ ହାତରେ ହତିଆର ନେଇ ଆସୁଚନ୍ତି । ଆଉ ଗୋଟିଏ କଥା, ଦିଅଁଙ୍କ ଘରଟାକୁ ରାତିରେ ମେଲା କରିଥିବ । ମୁଁ ମୁକ୍ତେଶ୍ୱରଙ୍କଠାରେ କାଲି ରାତି ଦୁଇପହରକୁ କୁଳଦେବତାଙ୍କୁ ଆବାହନ କରିବି । ମନେ ରଖିଲ ?’’
ମଙ୍ଗଳ ରାତି ବୁଧ ପାହାନ୍ତି-ଶୁଭବେଳା ଦେଖି ପଣ୍ଡିତେ ସିଦ୍ଧିଲାଭ ପାଇଁ ଘରୁ ବାହାରିଲେ । ବାସ୍ତବିକ ସେ ସମୟଟାରେ ଚୋରଭୟ ଯୋଗୁଁ ବେଳ ବୁଡ଼ୁବୁଡ଼ୁ ମୁକୁନ୍ଦପୁର ଗାଁରେ ତାଟି କବାଟ ପଡ଼ିଯାଏ । ପୁଲିସ ଜଗି ଜଗି ହାଲିଆ । ଆଜି ପୁଞ୍ଜିବର ଦିଅଁଙ୍କ ଘରୁ ଚୋରି ଗଲା ତ, କାଲି ଗୋପାଳପୁର ନନ୍ଦଙ୍କ ଖଣିରେ ଧାନ ନାହିଁ; ପରଦିନ ବାଟଗାଁ ମହନ୍ତଙ୍କ ମାତାଙ୍କ ଉପରେ ନିର୍ଧୁମ ମାଡ଼; ତା’ ଆରଦିନ ଛତ୍ରପଡ଼ା ନାହାକାଣୀଙ୍କ ନୋଥ ଥିବା ନାକପୁଡ଼ାଟା ନାହିଁ । ଏହିପରି କେତେ କିସମର କେତେ କଥା ଶୁଣାଯାଏ ।
ଅମାବାସ୍ୟା ତିଥି- ରାତି ତିନି ଘଡ଼ି ହେବ । ମୁକୁନ୍ଦପୁର ଗାଁରେ ବୁଢ଼ୀମଙ୍ଗଳାଙ୍କ ବିଜେ ଘଣ୍ଟ ବାଜିଗଲା । ଗାଁ ଭିତରେ ନଡ଼ିଆଗଛ ଗହଳି, ନିଜକୁ ଚିହ୍ନିବା ସେ ଅନ୍ଧାରରେ ବଡ଼ କଷ୍ଟ । ହଠାତ୍ ଏହି ସମୟରେ ପଣ୍ଡିତଙ୍କ ଘରେ ଦୁମ୍କିନି ଗୋଟେ ଶବ୍ଦ ହେଲା । ତା’ ପରେ ଦୁମ୍ଦାମ୍, ଠକ୍ଠାକ୍ ଧଡ଼୍ଧାଡ଼୍ ହୋଇ ପାଞ୍ଚ ମିନିଟ୍ଚାଲିଗଲା । ତା’ ପରେ ପାଟି ଶୁଭିଲା-ଚୋର, ଚୋର, ଚୋର !’’
ଚୋର ଡ଼ାକ ଶୁଣି ସମସ୍ତେ ଧାଇଁଲେ ପଣ୍ଡିତଙ୍କ ଘର ଆଡ଼କୁ । ପଣ୍ଡିତେ ସିଦ୍ଧିଲାଭ କରିବା ପାଇଁ ଦିନକ ତଳୁ ଦୂରକୁ ଯିବା କଥା ସମସ୍ତେ ଜାଣିଥିଲେ ।
କିନ୍ତୁ, ଏ କି ବିପଦ ! ଗାଁଲୋକେ ପଣ୍ଡିତଙ୍କ ଘରେ ପଶି ଦେଖିଲେ, ତାଙ୍କ ଦିଅଁଙ୍କ ଘର ଦୁଆରେ ରକ୍ତ ସଲବଲ ହୋଇ ଜଣେ ଲୋକ ଶୋଇଛି । ତା’ ଉପରେ ଲୁଗା ଖଣ୍ଡେ ପଡ଼ିଛି । ଓଳିତଳେ ପନିକିଟାଏ, ମୁଣ୍ଡ ଉପରେ ଦୁଇ ଚାରିଟା ମୁଣ୍ଡା ଛୁଞ୍ଚୁଣୀ । ତାର ଟିକିଏ ଉପରକୁ ହାଣ୍ଡିଗୁଡ଼ାଏ ଭାଙ୍ଗି ଗୁଣ୍ଡା ହୋଇପଡ଼ିଛି । ଗୃହିଣୀ ଚମ୍ପାବତୀ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି ।
ଏ ରହସ୍ୟ ଭିତରେ କିଏ ପଶିବ ? କାହାକୁ ପଚାରିଲେ କିଏ କିଛି କୁହନାହାନ୍ତି । ଅଗଣାଟାଯାକ ଲୋକରେ ପୂର୍ଣ୍ଣ ହୋଇଗଲା । ତାହା ପରେ ବହୁ ଅନୁସନ୍ଧାନରେ ଯାହା ଜଣାପଡ଼ିଲା, ତାହା ହେଉଛି-
ପଣ୍ଡିତେ ମନ୍ତ୍ର ସାଧିବା ପାଇଁ ଘରୁ ଗଲାବେଳେ ଚମ୍ପାବତୀଙ୍କୁ କାନେ କାନେ କହିଯାଇଥିଲେ ଯେ ଦିଅଁଙ୍କ ଘର ଦୁଆର କିଳିବୁ ନାହିଁ । ମାତ୍ର ଚମ୍ପାବତୀ ମହାବିପଦରେ ପଡ଼ିଲେ । ସେହି ଘରଟି ତାଙ୍କର ନିବୁଜ ଘର । ନିଶାଖୋର ପତିଙ୍କ କବଳରୁ ଲୁଚାଇ ଲୁଚାଇ ସେ କେତୋଟି ଟଙ୍କା ଦିଅଁଙ୍କ ପିଣ୍ଡିତଳେ ପୋତିଥିଲେ । ଦିନେ ଗୁରୁବାରରେ ସେଠାରେ ଦୁଧଚାଉଳ ଫୁଲ ଚନ୍ଦନ ଦେଲାବେଳେ ପଣ୍ଡିତଙ୍କ ତୀକ୍ଷ୍ଣ ଦୃଷ୍ଟି ସେଠାରେ ପଡ଼ିଲା । ମାତ୍ର ଗୃହିଣୀ ସେକଥା ଜାଣନ୍ତି ନାହିଁ । ଘରେ ଯାହା କିଛି ବାସନ, ପନିକି, ମୁଣ୍ଡାଛାଞ୍ଚୁଣୀ, ଆଟିକା ଥିଲା, ପତି ଯିବା ପରେ ଚୋରଭୟ ଯୋଗୁଁ ସେ ଦିଅଁଙ୍କ ଘରେ ନେଇ ଜମାକଲେ ଏବଂ ରାତିରେ ଦୁଆରକୁ ଅଳ୍ପ ଫିଟାଇ ଦୁଆରମୁହଁରେ ଶୋଇଲେ । ସନ୍ଧ୍ୟାବେଳୁ ପଣ୍ଡିତେ ବାଡ଼ିପଟୁ ଆସି ଦିଅଁଙ୍କ ଘର ଚାଳରେ ହାଜର । ନଡ଼ା ଖସ୍ଖସ୍, ଚାଳ ମଡ଼ ମଡ଼ ଶବ୍ଦ ଶୁଣି ତେଣେ ଚମ୍ପାବତୀ ଉଠିଲେ । ମାଇକିନିଆ ଲୋକ, ତଥାପି ବୁକୁରେ ସାହାସ ବାନ୍ଧିଲେ । ଓଡ଼ିଆ-ଜାତିରୁ ବୀରାଙ୍ଗନା ଲୋପ ହେଲେଣି ବୋଲି କିଏ ସାହାସରେ କହିବ ? ଚମ୍ପାବତୀ ପନିକି ଧରି ସତର୍କ ହେଲେ । କିଟିକିଟି ଅନ୍ଧାର-ପଣ୍ଡିତଙ୍କ ଲମ୍ବାଲମ୍ବା ସରୁ ଗୋଡ଼ ଯୋଡ଼ାକ ଆସି ପ୍ରଥମେ ଦୁଇ ଚାରିଟା ହାଣ୍ଡି ଉପରେ ପଡ଼ିଲା । ହାଣ୍ଡି ଭାଜିବା ସଙ୍ଗେସଙ୍ଗେ ପଣ୍ଡିତେ ଚିତ୍ପଟାଙ୍ଗ ଦେଇ ଓଳିତଳକୁ ଯିମିତି ପଡ଼ିଲେ, ଚମ୍ପାବତୀ ଥାଇ ନିର୍ଘାତିଆ ପନିକି ପାହାର ଦେଲେ । ପନିକିରେ ଦୁଇଚାରି ପାହାର ପରେ ପଡ଼ିଲା ଛାଞ୍ଚୁଣିମୁଣ୍ଡା ହାତରେ । ଚମ୍ପାବତୀଙ୍କ ପାଟି ଶୁଭୁଥାଏ, ‘‘ରଇଜଳା, ଚୋରେଇ ଆସିଚି ! ଧାଇଁ ଆସ ହେ, ଚୋର, ଚୋର, ଚୋର !’’ ଲୋକେ ଧାଇଁଲେ । ଚମ୍ପାବତୀ ଚୁଲି ଫୁଙ୍କି ଦୀପ ଲଗାଇ ଦେଖନ୍ତି ତ ତାଙ୍କ ଆଖି ଉପରକୁ ଖୋସିହୋଇଗଲା । ଗୋଡ଼ହାତରୁ ରକତ ବୋହିଯାଉଛି, ପେଟ ପିଠିକି ଲାଗି ରହିଛି, ପଣ୍ଡିତେ ପଡ଼ିଛନ୍ତି ଓଳିତଳେ । ଚମ୍ପାବତୀ ଟେକିଆଣି, ପଟି ପକାଇ, ପିଣ୍ଡାରେ ଶୁଆଇ ଲୁଗାଟିଏ ଘୋଡ଼ାଇଦେଲେ ।
ପଣ୍ଡିତେ ଏଇ ସିଦ୍ଧିଲାଭରୁ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ସାତ ମାସ ଲାଗିଥିଲା । ତଥାପି ସିଦ୍ଧିଲାଭର ପନିକି ଚିହ୍ନ ଦେହରୁ ଲିଭିଲା ନାହିଁ । ସେହି ଭିତରେ ସେ ପତ୍ନୀଙ୍କ ସ୍ନେହ, ଆଦର, ପ୍ରେମଛାୟା ତଳେ ସୁସ୍ଥ, ସୁନ୍ଦର, ବଳିଷ୍ଠ ହୋଇଉଠିଲେ । ଏହା ପରେ ସେ ସିଦ୍ଧିଲାଭ ପାଇଁ ଆଉ ଚେଷ୍ଟା କରିଛନ୍ତି କି ନାହିଁ ଅନୁସନ୍ଧାନ କରି ପରେ କହିବୁଁ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍
ଗୋପାଳ ଚନ୍ଦ୍ର ପ୍ରହରାଜ
ଜୀବଜନ୍ତୁ
ମଧୁସୂଦନ ରାଓ
ଆକବର
ମଧୁସୂଦନ ରାଓ