ନଳଚରିତ
ମଧୁସୂଦନ ଦାସ · ଭାଗ ୩ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
ଦିଶ ବରାଡ଼ି-(ଆଷାଢଶୁକ୍ଳ ବାଣୀ)ଏବେ ଶୁଣିମା ଅତ୍ୟନ୍ତ ବିଚିତ୍ରରାମ ପଚାରନ୍ତି ନଳ ଚରିତ ।।୧।ବୋଇଲେ ଭୋ ଋଷି ନଳ କି କଲା ।ଦମନ୍ତୀକି ଛାଡ଼ି କେଣିକି ଗଲା ।।୨।ତା କହ ଗୋସାଇଁ ।ଅତି ରସକଥା ମୁହିଁ ଶୁଣଇ ।।୩।ଶୁଣ ଶ୍ରୀରାମ ମାରକଣ୍ଡ କହେ ।ଦମନ୍ତୀ ଶୟନ ଶର୍ଯ୍ୟାରେ ରହେ ।।୪।ନଳ ତା ଛାଡ଼ି ଅରଣ୍ୟକୁ ଗଲା ।ପଶ୍ଚିମ ମୂର୍ତ୍ତି ହୋଇ ବିଜେ କଲା ।।୫।ସେ କଳିର କୃତ୍ୟକେହୁଣି ନଳର ନୋନ୍ଦେ ଆୟତ୍ତ ।।୬।ଏମନ୍ତେ କେତେହେଁକ ଦିନ ଗଲା ।ୟେକମୁଖ ହୋଇ ଯାଉଣ ଥିଲା ।।୭।ଅରଣ୍ୟରେ ଦାବାନଳ ଲାଗିଛି ।ତଥିମଧ୍ୟରେ ଶବଦ ଶୁଭୁଛି ।।୮।ମତେ ରଖ ନଳ ।ଶୁଣିଲେ ରାୟେ ତାହାର ବିକଳ ।।୯।ଶବଦକୁ ହେଜି ବିଜୟେ କଲେ ।ଅଗ୍ନିର ଭିତରେ ଯାଇଁ ପଶିଲେ ।।୧୦।ଦେଖିଲେ ମହା ସର୍ପେକ ପଡ଼ିଛି ।ପର୍ବତ ଶୃଙ୍ଗ ପରାୟେ ଦିଶୁଛି ।।୧୧।ତାଙ୍କୁ ପଚାରିଲେ ।କିସ କଥା ତୋର କହ ବୋଇଲେ ।।୧୨।କହଇ ବଡ଼ ସେ ବିନୟ ହୋଇ ।ସର୍ବକଥା ମୁଁ ପଛେ କହିବଇଁ ।।୧୩।ଅଗ୍ନି ଭୟରୁ ମୋତେ ରକ୍ଷା କର ।ଏ ଦିନୁ ମୁହିଁ ଅଟଇ ତୁମ୍ଭର ।।୧୪।ତା ନଳ ଶୁଣିଲେ ।ମୁଁ ତୋତେ କେମନ୍ତେ ନେବି ବୋଇଲେ ।।୧୫।ରାଜା ବଚନେ ମହାସର୍ପ କହି ।ଆଜ୍ଞା ଦେଲେ ତୋର ହସ୍ତେ ସମ୍ଭାଇ ।।୧୬।ଶୁଣି ନଳ ସେ କର ପ୍ରସାରିଲେ ।କ୍ଷୁଦ୍ର ସର୍ପେକ ହୋଇଣ ପଶିଲେ ।।୧୭।ସେ ହସ୍ତରେ ଲାଇଁ ।ଅନଳ ଭିତରୁ ବାହାର ହୋଇ ।।୧୮।ସର୍ପରାୟେ ଯେ ପୁଣି ଆଜ୍ଞା ଦେଲେ ।ଦଶ ପହଣ୍ଡ ତୁ ଗଣ ବୋଇଲେ ।।୧୯।ସେଠାରେ ଭୂମିରେ ଛାଡ଼ିବୁ ମୋତେଉପକାର ମୁହିଁ କରିବି ତୋତେ ।।୨୦।ତା ଶୁଣି ରାଜନ ।ପହଣ୍ଡ ଗଣି ସେ କଲେ ଗମନ ।।୨୧।ନଳ ବୋଇଲେ ଏବେ ହେଲା ଦଶ ।କ୍ଷିତିରେ ଥୁଅନ୍ତେ ବରଷେ ବିଷ ।।୨୨।ଆପଣା ଅଙ୍ଗକୁ ନଳ ଚାହିଁଲେ ।ବିଷ ଜାଳାରେ ବିରୂପ ଦିଶିଲେ ।।୨୩।ଅତି ଅସୁନ୍ଦର ।ଚର୍ମ ଦିଶୁଅଛି ଯେହ୍ନେ ଅଙ୍ଗାର ।।୨୪।ନାସା ଦେଖିଲେ ବକ୍ର ହୋଇଗଲା ।ଚକ୍ଷୁ ଶ୍ରୋଣିତ ପରାୟେ ଦିଶିଲା ।।୨୫।ମନରେ ବଡ଼ ବିଷାଦ ପାଇଲେ ।କିପା ଏମନ୍ତ ତୁ କଲୁ ବୋଇଲେ ।।୨୬।ସତ୍ୟ କହ ମୋତେ ।କଉଁ ଅପରାଧ କଲି ମୁଁ ତୋତେ ।।୨୭।ନାମ ତୁମର ଯେ କିସ ଅଟଇ ।କଉଁ ଅପରାଧ ମୁହିଁ କଲଇଁ ।।୨୮।ଅମୋହ ଦଣ୍ଡ ବିହିଲୁ କିପାଁଇ ।ସବୁ ତା ବୁଝାଇ କହ ଗୋସାଇଁ ।।୨୯।ମହାନାଗ କହି ।କର୍କୋଟକ ମୋର ନାମ ଅଟଇ ।।୩୦।ଅଷ୍ଟକୁଳାଙ୍କର ମଧ୍ୟରେ ମୁହିଁ ।ଦେବତାଙ୍କ ସଙ୍ଗେ ସ୍ୱର୍ଗରେ ଥାଇ ।।୩୧।ଋଷିଶାପେ ମୁଁ ଯେ ଚୂତ ହୋଇଲି ।ଅନେକ ଦିନ ହୋଇଲା ରହିଲି ।।୩୨।ମୋକ୍ଷ ମାଗିଲଇଁ ।ଋଷି ଆଜ୍ଞା ଦେଲେ ପ୍ରସନ୍ନ ହୋଇ ।।୩୩।ବହୁତ ଦିନ ସେହିଠାରେ ଥିବୁ ।କ୍ଷୁଧା ତୃଷାରେ ତୁ କଷ୍ଟ ପାଇବୁ ।।୩୪।ପବନ ଆଉ ତୋତେ ନ ଲାଗିବ ।ତପନ କିରଣ ବଡ଼ ହୋଇବ ।।୩୫।ମୋହର ବଚନ ।ବିଧାତା ଆଉ ନ କରିବ ଆନ ।।୩୬।କଉଣସି କାଳେ ସତ୍ୟ ଯୁଗରେ ।ବୀରସେନ ସେ ତପନ ବଂଶରେ ।।୩୭।ତାର ସୁତ ନଳରାଜା ଛୁଇଁଲେ ।ଶାପରୁ ମୁକତ ହେବୁ ବୋଇଲେ ।।୩୮।ଶୁଣି ପଚାରିଲି ।କେମନ୍ତେ ତାଙ୍କୁ ଭେଟିବି ବୋଇଲି ।।୩୯।ଋଷି ଆଜ୍ଞା ଦେଲେ ଶୁଣ ବଚନ ।ଅରଣ୍ୟେ ଆସିବେ ନଳରାଜନ ।।୪୦।ବନପୋଡ଼ି ଯେତେବେଳେ ହୋଇବ ।ନିଶ୍ଚୟ ନଳ ପ୍ରବେଶ ହୋଇବ ।।୪୧।ତୁ ହାଙ୍କିବୁ ତେବେ ।ଶୁଣିବ ରାୟେ ବିଜୟେ କରିବେ ।।୪୨।ନଳ ଅଟନ୍ତି ବଡ଼ ଧର୍ମବନ୍ତ ।ତାଙ୍କୁ ଛୁଅଁନ୍ତେ ହୋଇବୁ ମୂକତ ।।୪୩।ଦେବଲୋକରେ ଆସି ତୁ ବସିବୁ ।ଯଥା ଅଧିକାରପଣ ପାଇବୁ ।।୪୪।ଏହା କହିଛନ୍ତି ।ତୋତେ ଭେଟିଲି ହୋଇଲି ମୂକତି ।।୪୫।ଭୋ ମହାରାଜା ! ମୋର ବୋଲ ଶୁଣ ।ତୁମ୍ଭଙ୍କୁ ବିପତ୍ତି ପଡ଼ିଛି ଜାଣ ।।୪୬।ଯେହୁ ସେ ତୋତେ ଏ ଦୁଃଖ ଦେଇଛି ।ତାର ଉପରେ ବିଷ ବରଷୁଛି ।।୪୭।ସେ କହଇ ସିନାପାଇବ ସେହୁ ଯେତେକ ବେଦନା ।।୪୮।ସ୍ୱରୂପ ତୁମ୍ଭର ବିରୂପ କଲି ।ବିପତ୍ତି ତୁମ୍ଭର ମୁହିଁ ଦେଖିଲି ।।୪୯।ଅରୂପ ହୋଇ କିଛିଦିନ ଥାଅ ।ବିପତ୍ତି ଗଲେ ନିଜରୁପ ହୋଅ ।।୫୦।ଯେହୁ ବସ୍ତ୍ର ଦୁଇନଖ ଭିତରେଣ ସବୁ ଲୁଚାଇ ।।୫୧।ୟେତେ ବୋଲି ପୀତପତନୀ ଦୁଇ ।ନଖ ଭିତରେଣ ଯାଇ ସମ୍ଭାଇ ।।୫୨।କର୍କୋଟ ନାଗ ବୁଝାଇ କହିଲେ ।ରୂପକୁ ତୋହର ଇଚ୍ଛା ହୋଇଲେ ।।୫୩।ୟେମନ୍ତ କରିବୁ ।ଏକ ଅଙ୍ଗେ ଏକ ଶିରେ ବାନ୍ଧିବୁ ।।୫୪।ନଳ ଯେ ମନେ ଚିନ୍ତା କରୁଥିଲେ ।ନାଗରଜାର ବଚନ ଶୁଣିଲେ ।।୫୫।ହରଷ ହୋଇ ପାୟେ ପଡ଼ି ଶୋଇ ।କର୍କୋଟ ବଡ଼ ପରସନ୍ନ ହୋଇ ।।୫୬।ଆଜ୍ଞା ଦେଲେ ପୁଣ ।ତୋ ନାମ ଯେହୁ କରିବ ସ୍ମରଣ ।।୫୭।ପ୍ରଚଣ୍ଡ ବିଷ ତାକୁ ନ ଲାଗିବ ।ସର୍ପଘାତ ତାକୁ କେବେ ନୋହିବ ।।୫୮।ତୋହୋର ମୋହୋର ସମ୍ପାଦ ୟେହୁଏକମନ ହୋଇ ଶୁଣିବ ଯେହୁ ।।୫୯।ୟେମନ୍ତ ହୋଇବ ।ମୋହୋର ସମାନ କଷ୍ଟ ଫିଟିବ ।।୬୦।ଆଉ ଅଧିକ ବରମାନ ଦେଲେ ।ସ୍ୱର୍ଗପୁରକୁ ସେ ବିଜୟେ କଲେ ।।୬୧।ନଳ ସେଠାରୁ କିଛିଦୂର ଗଲେ ।ଅଯୋଧ୍ୟା ନଗରେ ପ୍ରବେଶ ହେଲେ ।।୬୨।କଟକ ଭିତରେ ।ଯାଇଁ ସେ ହୋଇଲେ ସିଂହଦୁଆରେ ।।୬୩।ୠତୁପୂର୍ଣ୍ଣ ବୋଲି ତହିଁ ରାଜନ ।ସୂର୍ଯ୍ୟବଂଶେ ସେ ମହା ବିଦ୍ୟମାନ ।।୬୪।ଧର୍ମ ପାଳଇ ବିଧିମତ କରି ।ସତ୍ୱଗୁଣ ସେହୁ ଅଛି ଆବୋରି ।।୬୫।ବଡ଼ ଅବକାଶ ।ଛତିଶ ନିଯୋଗ ଅଛନ୍ତି ପାଶ ।।୬୬।ଏହି ସମୟେ ନଗ୍ରର ଭିତରେ ।ଯାଇ ହେଲେ ୠତୁପର୍ଣ୍ଣ ଛାମୁରେ ।।୬୭।ଆସ୍ଥାନ ଲୋକ ଦେଖି ପଚାରିଲେ ।କେବଣ ସ୍ଥାନକୁ ଯିବ ବୋଇଲେ ।।୬୮।ବଚନ କହନ୍ତି ।ନଳରାଜାର ସାରଥି ବୋଲନ୍ତି ।।୬୯।ତାହାଙ୍କର ମୁହିଁ ମିତ୍ର ଅଟଇ ।ମୋର ତାଙ୍କର ଭିନ୍ନାଭିନ୍ନ ନାହିଁ ।।୭୦।ନଳକୁ ଯହୁଁ ବିପତ୍ତି ପଡ଼ିଲା ।ତେଣୁ ବିଧାତା ଏତେସରି କଲା ।।୭୧।ତା ଶୁଣିଲେ ଯହୁ ।ରାଜା ଛାମୁରେ ଜଣାଇଲେ ତହୁ ।।୭୨।ରହୁ ବୋଲିଣ ସେହୁ ଆଜ୍ଞା ଦେଲେ ।କିସ ବରତନ ଦେବା ବୋଇଲେ ।।୭୩।କହିଲେ ବରଜନେ କାର୍ଯ୍ୟ ନାହିଁ ।ହବିଷ ଭୋଜନ କରିବି ମୁହିଁ ।।୭୪।ଉଦରକୁ ମାନ ।ଦିନକୁ ଦିନ ଦେବ ହେ ରାଜନ ।।୭୫।ଶୁଣି କରି ରାୟେ ହସି କହିଲେ ।ଅସବାବ ଘରୁ ନେବ ବୋଇଲେ ।।୭୬।ଚାରିଗୋଟି ଅଶ୍ୱ ଦୁର୍ବଳ କରି ।ଦଅଡ଼ ପରିଛା ତହୁଁ ଆବୋରି ।।୭୭।ଚାରୁଶାଳେ ରହି ।ଅଶ୍ୱ ଚାରିଗୋଟି ପ୍ରତିପାଳଇ ।।୭୮।ଯେତେବେଳେ ଅଶ୍ୱ ପାଣିକି ନେଇନଦୀର ଭିତରେ ସ୍ନାନ ବଢ଼ାଇ ।।୭୯।ସେହୁ ଠାବରେ ରନ୍ଧନ କରନ୍ତି ।ମଣୋହି ସାରିଣ ତହୁ ଆସନ୍ତି ।।୮୦।ରାତ୍ରେ ନିଦ୍ରା ନାହିଁ ।ଦମନ୍ତୀ କି କିଲା ବୋଲି ଭାଳଇ ।।୮୧।ଉଜାଗର ହୋଇ ନିତ୍ୟେ ବୋଲଇ ।ଏକା ହୋଇ ସେହୁ କିସ କରଇ ।।୮୨।ପୁରୁଷ ଅରଣ୍ୟେ ଛାଡ଼ି ଯେ ଗଲା ।ନାରୀ ତାହାର ଯେ କେମନ୍ତ କଲା ।।୮୩।ଶୁଣି ସଙ୍ଗ ଲୋକେ ।ବାତୁଳ ବୋଲିଣ ବୋଲନ୍ତି ଥୋକେ ।।୮୪।ଚାରୁଶାଳେ ଯେତେ ଲୋକ ଶୁଅନ୍ତି ।ସବୁଦିନେ ସେ ତାହାକୁ ବୋଲନ୍ତି ।।୮୫।କେହୁ ସେ କାହାକୁ ଛାଡ଼ି ଅଇଲା ।ତୋହର ତହିଁକି କିସ ହୋଇଲା ।।୮୬।ନିଦ୍ରା ତୁ ନ ଯାଉ ।ବାଇଙ୍କ ପରା କିମ୍ପା ହୋଉଥାଉ ।।୮୭।କାହାରି ବୋଲ ସେହୁ ନ ଶୁଣନ୍ତି ।ସମସ୍ତେହେ ତୁନି ହୋଇ ରହନ୍ତି ।।୮୮।ବୋଲନ୍ତି ହୋ ନିଦ୍ରା ଯାଅ ଆମ୍ଭର ।ଏମନ୍ତ ପ୍ରକୃତ ଅଟେ ତାହାର ।।୮୯।କିଛି ଦିନ ଗଲା ।ନଳ ରାୟେ ବଡ଼ ଦୁଃଖ ପାଇଲା ।।୯୦।ଏମନ୍ତେ ଶୁଣିମାକ ଏକ ରସ ।ଭୀମରାଜା ଚାର ହୋୟେ ପ୍ରବେଶ ।।୯୧।କଟକଯାକ ସବୁ ସେ ଖୋଜିଲା ।କେହୁଣି ଠାବରେ ଭେଟ ନୋହିଲା ।।୯୨।ଶ୍ରୀ ନବରେ ଯାଇ ।ଭିତରେ ସବୁ ସେ ବିପ୍ର ଖୋଜଇ ।।୯୩।ତହୁଁ ପୁଣ ସୂର୍ଯ୍ୟ ଅସ୍ତ ହୋଇଲା ।ପୂର୍ଣ୍ଣାନନ୍ଦ ଯେ ଖୋଜି ନ ପାଇଲା ।।୯୪।ରାତ୍ରରେ ଚାରୁଶାଳାରେ ଶୋଇଲା ।ନିଶାରେ ସେହୁ ସଙ୍କେତ ପାଇଲା ।।୯୫।ବ୍ରାହ୍ମଣ ପଚାରି ।କିସ ବୋଲଇ ଏ ବୁଝି ନ ପାରି ।।୯୬।ପାରୁଶ ଲୋକ ବୋଲନ୍ତି ଗୋସାଇଁ ।ସବୁଦିନେ ଏହିମତି ହୁଅଇ ।।୯୭।ବାଇ ବୋଲି ଆମ୍ଭେ ବୋଲୁଁ ଏହାକୁ ।ପଚାରିଲେ ସେ ନ କହେ ଆମ୍ଭଙ୍କୁ ।।୯୮।ବ୍ରାହ୍ମଣ ହରଷ ।ବିଧାତା ଅବା ମୋତେ ଦେଲା ଯଶ ।।୯୯।ଶୁଣିଲା ବେଳୁଁ ଉଜାଗର ହୋଇ ।ହରଷ ହୋଇ ବ୍ରାହ୍ମଣ ବସଇ ।।୧୦୦।ସୂର୍ଯ୍ୟ ଉଦୟ ଆସି ଯହୁଁ ହେଲା ।ବିପ୍ର ତାହାଙ୍କ ପାରୁଶେ ବସିଲା ।।୧୦୧।ନିରେଖି ଚାହିଁଲା ।ବିରୂପ ଦେଖିଣ ନୁହେ ବୋଇଲା ।।୧୦୨।ଅଯୋଧ୍ୟା ନଗର ସବୁ ଖୋଜିଲା ।ଆହୁରି ବହୁତ ରାଜ୍ୟେ ବୁଲିଲା ।।୧୦୩।ନେଉଟି କୁଣ୍ଡୀ ନଗ୍ରକୁ ଚଳିଲେ ।ସମସ୍ତ ଚାର ପ୍ରବେଶ ହୋଇଲେ ।।୧୦୪।ରାଜାଙ୍କ ଛାମୁରେ ।ଦର୍ଶନ କରି ଜଣାଇଲେ ଚାରେ ।।୧୦୫।ଶୁଣିମା କର୍ଣ୍ଣଟେଶ୍ୱର ଠାକୁର ।ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ।।୧୦୬।ସର୍ବ ରାଜ୍ୟରେ ଆମ୍ଭେ ସଙ୍ଖୋଳିଲୁ ।ନବର ପାଟଣା ସବୁ ବୁଲିଲୁଁ ।।୧୦୭।ନିର୍ଝରି ବନରୁ ।ଯାଇ ନ ପାରି ଅଇଲୁ ଦୂରରୁ ।।୧୦୮।ଚିହ୍ନ ବର୍ଣ୍ଣ ଯେ କିଛି ନ ଦେଖିଲୁ ।ବହୁଦ ବୁଲି ନେଉଟି ଅଇଲୁ ।।୧୦୯।ପୂର୍ଣ୍ଣାନନ୍ଦ ଅଯୋଧ୍ୟା ଯାଇଥିଲା ।ସବୁଙ୍କରିଠାରୁ ଆଗେ ଅଇଲା ।।୧୧୦।ଛାମୁରେ ଜଣାଇ ।ଏକ ଶଙ୍କୁନ ମୁହିଁ ଦେଖିଲଇଁ ।।୧୧୧।ଅନେକ ଦୁର ଯେ ମୁହିଁ ଖୋଜିଲି ।ଅଯୋଧ୍ୟା ନଗ୍ରରେ ଯାଇ ହୋଇଲି ।।୧୧୨।ସାରଥି ସେ ୠତୁପର୍ଣ୍ଣ ରାଜାର ।ରାତ୍ରକ ହୋଇଥାଇ ଉଜାଗର ।।୧୧୩।ସେଠାରେ ରହିଲି ।ତାହାର ତହୁଁ ଏମନ୍ତ ଶୁଣିଲି ।।୧୧୪।ନିଶାରେ ସେହୁ ନିତ୍ୟେ ବୁଲୁଥାଇ ।ପାରୁଶ ଲୋକଙ୍କୁ ପଚାରିଲଇଁ ।।୧୧୫।ସେହୁ ବୋଇଲେ ସ୍ୱଭାବ ଏହାର ।ଅଇଲା ଦିନୁ ଏ ନିଶାଭାଗର ।।୧୧୬।ଏମନ୍ତ ହୁଅଇ ।ପଚାରିଲେ ସେ କଥା ନ କହଇ ।।୧୧୭।ନିତି ଦିନରେ ଏମନ୍ତ ବୋଲଇ ।ସେହୁ ସ୍ତୀରୀକି ଛାଡ଼ି ସେ ଆସଇ ।।୧୧୮।ୟେକା ହୋଇ ସେ ଅରଣ୍ୟେ କି କଲା ।ମଣ୍ଡୋପଠାରୁ ସେ କେଣିକି ଗଲା ।।୧୧୯।ଏମନ୍ତ ଶୁଣିଲି ।ପ୍ରଭାତ ହୁଅନ୍ତେ ପାଶେ ହୋଇଲି ।୧୨୦ ।ଦେଖିଲି ସେହୁ ବଡ଼ ଅସୁନ୍ଦର ।ଚର୍ମ ଦିଶୁଅଛି ଯେହ୍ନେ ଅଙ୍ଗାର ।।୧୨୧।ନାସା ଯେ ତାହାର ବକ୍ର ହୋଇଛି ।ଚକ୍ଷୁ ଶ୍ରୋଣିତ ପ୍ରାୟେକ ଦିଶୁଛି ।।୧୨୨।ଦେଖିଲି ଏସନ ।ଜାଣିଲି ଏ ନୋହେ ନଳ ରାଜନ ।।୧୨୩।ନଳ ସଙ୍କେତ ତହୁଁ ସେ ନ ପାଇ ।ରାଜା ମନେ ଯେ ମହାତାପ ପାଇ ।।୧୨୪।ମହାଦେବ ସେ ସୁମରଣା କଲେ ।ନଳକୁ ମନେ ନିରାଶ ହୋଇଲେ ।।୧୨୫।ଦମନ୍ତୀକି ଯାଇ ।ବାରତା କହ ରାଜା ଆଜ୍ଞା ଦେଇ ।।୧୨୬।ସବୁ ବ୍ରାହ୍ମଣ ସେ ଶିରୀ ନବର ।ଯାଇ ହୋଇଲେ ଦମନ୍ତୀ ଛାମୁର ।।୧୨୭।ବାରତା ସବୁ ଚାରେ ଜଣାଇଲେ ।ଶୁଣି ସେ ମେଲାଣି ସବୁଙ୍କୁ ଦେଲେ ।।୧୨୮।ବେଗ ହୋଇ ଯାଅ ।ଅଯୋଧ୍ୟାପୁର ଦୂତ ଏକା ଥାଅ ।।୧୨୯।ବିପ୍ରଙ୍କୁ ପୁଣି କରି ନମସ୍କାର ।ବିନୟୀ ହୋଇ କହନ୍ତି ଉତ୍ତର ।।୧୩୦।ଐବ୍ରତେ ସୁବର୍ଣ୍ଣ ଦେବଇଁ ମୁହିଁ ।ଅଯୋଧ୍ୟା ନଗର ଯିବ ଗୋସାଇଁ ।।୧୩୧।ମିଛ ସେ କହିବ ।ଭୀମ ରାଜାର ଲେଖା ବୋଲି ଦେବ ।।୧୩୨।ଅଯୋଧ୍ୟାନବର ଯେତେକ ଦୂର ।ଯେତେ ଦିନେ ଯାଇ ହୋଇବ ଚାର ।।୧୩୩।ତହିଁକି ଦିନେ ଅଧିକ ଗଣିଲେ ।ସ୍ୱୟମ୍ବର କଣ୍ଟ ସେ ଦିନ କଲେ ।।୧୩୪।ଲେଖ ଭାଷା ଲିହି ।ଦମନ୍ତୀ ଦ୍ୱିତୀ ସ୍ୱୟମ୍ବର ହୋଇ ।।୧୩୫।ରୁପୁର୍ଣ୍ଣ ଯେବେ ବୋଲିବେ ତୁମ୍ଭଙ୍କୁ ।ଏତେଦିନ ଲେଖା ଦେଲ ଆମ୍ଭଙ୍କୁ ।।୧୩୬।ଲେଖରେ କଣ୍ଟ କାଲି ସ୍ୱୟମ୍ବର ।ବିଳମ୍ବ କିପାଇଁ କଲୁ ତୁ ଚାର ।।୧୩୭।ଏମନ୍ତ କହିବ ।ଅସୁସ୍ଥ ପଥେ ହୋଇଲି ବୋଲିବ ।।୧୩୮।ପୂର୍ଣ୍ଣାନନ୍ଦକୁ ଦେଲେ ପଠିଆଇ ।କପଟ କଥା କେହି ନ ଜାଣଇ ।।୧୩୯।ଦମନ୍ତୀ ପୀତା ନବରେ ରହିଲେ ।ହରଗଉରୀ ଆରଧନା କଲେ ।।୧୪୦।ନଳରାଜା ପାଇଁ ।ବିଚ୍ଛେଦ ଭେଟ କରାଅ ଗୋସାଇଁ ।।୧୪୧।ସୁଜ୍ଞଜନେ ଶୁଣ ନଳ ଚରିତ ।ଯାହା ଶୁଣନ୍ତେ ହୋଇବ ପବିତ୍ର ।।୧୪୨।ଶ୍ରୀରାମ ଆଗେ ମାରକଣ୍ଡ କହେ ।ଶୁଣନ୍ତେ ରାମ ବିପତ୍ତି ନ ରହେ ।।୧୪୩।ସୁଜ୍ଞଜନେ ଶୁଣ ।ଶ୍ରୋତା ହୋଇଲେ ବହୁତ କାରଣ ।।୧୪୪।ବିପତ୍ତି ତାର ବଡ଼ ବେଗେ ଯାଇ ।ଅକାଳ ମୃତ୍ୟୁ କେବେହେଁ ନୋହଇ ।।୧୪୫।ବହୁତ କୁଟୁମ୍ବ ବୃଦ୍ଧି ହୋଅଇ ।ଧର୍ମରେ ବୁଦ୍ଧି ଅହର୍ନିଶି ଥାଇ ।।୧୪୬।ଠାକୁର ସୁମର ।ବଡ଼ ମାୟାରୀ ପ୍ରଭୁ ଚକ୍ରଧର ।।୧୪୭।ବଇରିତ ପଣେ ଯେହୁ ଭଜନ୍ତି ।ନିଶ୍ଚୟେ ସାୟଯ୍ୟ ମୁକ୍ତି ଲଭନ୍ତି ।।୧୪୮।ଗଜରାଜ ମୋକ୍ଷ ତିନି ଜନ୍ମରେ ।ଗ୍ରାହା ବସିଲା ଯାଇଁ ସ୍ୱର୍ଗପୁରେ ।।୧୪୯।ସେହୁ ଚକ୍ରଧର ।କିସ ପୁଣ୍ୟ ଯେ କଲାକ କୁମ୍ଭୀର ।।୧୫୦।ବୈଷ୍ଣବ ଗଣେଟି ଯେହୁ ଭଜଇ ।ନିଶ୍ଚୟେ ପରମ ଗତି ସେ ପାଇ ।।୧୫୧।ପ୍ରହଲାଦ ଯେ କଲା ସୁମରଣ ।ସ୍ତମ୍ଭରୁ ବାହାର ହେଲେ ଆପଣ ।।୧୫୨।ଭୃତ୍ୟ ଅପମାନ ।ଡାକିଲେ ଟେକି ସେ ଥାନ୍ତି ଶ୍ରବଣ ।।୧୫୩।ଆରତେ ଗଜଇନ୍ଦ୍ର ଯେ ଡାକିଲା ।ଦ୍ରୌପଦୀ ସଭାତଳେ ସୁମରିଲା ।।୧୫୪।କାହିଁ ଥାଇ ତା ଶୁଣିଲେ ଗୋସାଇଁ ।ଭକ୍ତ ରକ୍ଷା ଯେଉଁ ପ୍ରକାରେ ହୋଇ ।।୧୫୫।ତାହା ତୁମ୍ଭେ କର ।ମଧୁସୂଧନ ସେ ପାଦେ କିଙ୍କର ।।୧୫୬।
ଷଷ୍ଠ ଛାନ୍ଦ
ରାଗ-ନଳିନୀ ଗଉଡ଼ା (ମୁନିବର ବାଣୀରେ ଗାଇବ)ରାମ ପଚାରନ୍ତି ପୁଣ ।ମାରକଣ୍ଡ କହେ ଶୁଣ ॥
ନଳ ସେ କଟକେ ଥିଲା ।କେମନ୍ତେ କଲା ଏ ॥
ଏକଦିନେ ୠତୁପନ୍ନ ।ବାରୁଶାଳାକୁ ଗମନ ॥
ବିଜୟେ ସେ ରାଜା କଲେ ।ଅଶ୍ୱ ଦେଖିଲେ ଏ ॥
ସମସ୍ତ ଅବଧାରିଲା ।ନଳଖନ୍ଦାରେ ପଶିଲା ॥
ଦେଖିଲା ସେ ଅଶ୍ୱ ଚାରି ।ପ୍ରଶଂସା କରି ଏ ॥
ଶ୍ରୀଅଙ୍ଗ ଲାଗି ପାଛୋଡ଼ି ।ଆପଣେ ଦିଅନ୍ତି ଶାଢ଼ୀ ॥
ରାଜା ସେ ଆସ ବୋଇଲେ ।ହସ୍ତ ଧଇଲେ ଏ ॥
ଶ୍ରୀବାରୁ ପାଶରେ ଯାଇ ।ରାଜା ସମର୍ପଣ ଦେଇ ॥
ଆଜ୍ଞାଦେଲେ ସେହୁ ରାଣ ।ବେହେରା ପଣ ଏ ॥
ସର୍ବ ବାହୁକଙ୍କୁ କହି ।ଏହୁ ସେ ଯାହା ବୋଲଇ ॥
ଆମ୍ଭର ବୋଇଲା ସେହୁ ।ତୁମ୍ଭଙ୍କୁ ହୋଉ ଏ ॥
ଯେତେକ ଅଶ୍ୱ ଆମ୍ଭର ।ଚରଚା ସବୁ ଏହାର ॥
ଆନ ଯେ ତାହା କରିବ ।ଦଣ୍ଡ ପାଇବ ଏ ॥
ଏତେ ଆଜ୍ଞା ଦେଇ ରାୟେ ।ନବରେ କଲେ ବିଜେୟ ॥
ସେ ଦିନୁଁ ନଳ ବଢ଼ିଲେ ।ଚରଚା କଲେ ଏ ॥
ଏମନ୍ତ ବହୁତ ଦିନ ।ରହିଲେ ନଳରାଜନ ॥
କେହୁ ତାହାଙ୍କୁ ନ ଜାଣି ।ଥିଲେ ସେ ପୁଣି ଏ ॥
ଅଯୋଧ୍ୟା ନବରେ ରାୟେ ।ଆସ୍ଥାନେ କରି ବିଜୟେ ॥
ସମସ୍ତେ ଛନ୍ତି ପାରୁଷେ ।ଏକ ଦିବସେ ଏ ॥
ମାୟା ଦୁତେକ ଅଇଲା ।ଛାମୁରେ ଦର୍ଶନ କଲା ॥
ନିମନ୍ତ୍ରଣ ଲେଖ ଦେଲା ।ରାଜା ଶୁଣିଲା ଏ ॥
ପୁନାନନ୍ଦ ମୁଖ ଚାହିଁ ।ୠତୁପର୍ଣ୍ଣ ଆଜ୍ଞା ଦେଇ ॥
କର୍ଣ୍ଣାଟ ଦେଶୁଁ ଅଇଲୁ ।ବିଳମ୍ବ କଲୁ ଏ ॥
ଭୀମ ରାଜା ପଠିଆଇ ।ଦ୍ୱିତୀ ସ୍ୱୟମ୍ବର ପାଇଁ ॥
ଦମନ୍ତୀ ବରିବେ ବର ।ଇଚ୍ଛାୟେ ତାର ଏ ॥
କାଲି ହେବ ସ୍ୱୟମ୍ବର ।ଲିହି ଅଛନ୍ତି ଲେଖର ॥
ତୁ ଆସି ଆଜ ହୋଇଲୁ ।କାହିଁ ରହିଲୁ ଏ ॥
ଭୟେଣ ଦୁତ ଜଣାଇ ।ବହୁତ ଅସୁସ୍ଥ ହୋଇ ॥
ଧର୍ମଣେ ଜୀଇ ଅଇଲି ।ଆସି କହିଲି ଏ ॥
ରାୟେ ଶୁଣି ଦୁଃଖ କଲେ ।ବହୁତ ଚିନ୍ତା ପାଇଲେ ॥
ବୋଇଲେ ଆଗୁଁ ଜାଣିଲେ ।ଯାଆନ୍ତୁ ଭଲେ ଏ ॥
ଛାମୁରେ ଯେ ଉଭା ହୋଇ ।ବାହୁକମାନ ଅଛଇ ॥
ନଳ ଯେ ମଧ୍ୟରେ ଥିଲେ ।ସର୍ବ ଶୁଣିଲେ ॥
ବହୁତ ମନ ବିରସ ।ଚାରର ଶୁଣି ସନ୍ଦେଶ ॥
ଯିବାକୁ ମନେ ବିଚାରି ।ରାଜା ପଚାରି ଏ ॥
ବାହୁକମାନେ ହୋ ଶୁଣ ।କର୍ଣ୍ଣାଟ ଦେଶ ତ ଜାଣ ॥
ରଥ କେ ପାରିବ ବାହି ।ଦିନହି ନାହିଁ ହେ ॥
ବାହୁକମାନେ ଜଣାଇ ।ଅସମ୍ଭବ ଆଜ୍ଞା ଏହୋଇ ॥
କୁଣ୍ଡୀକି ଅଯୋଧ୍ୟାପୁର ।ବହୁତ ଦୁର ଏ ॥
ସାତମାସ ଯେବେ ଯାଇ ।କୁଣ୍ଡୀ ନଗ୍ରରେ ହୋଅଇ ॥
ରଥ କେ ଦିନକେ ନେବ ।କେହୁ ପାରିବ ଏ ॥
ସାରଥିଙ୍କର ବଚନ ।ଶୁଣିଲେ ସେହୁ ରାଜନ ॥
ପ୍ରମାଣ କଥା ବୋଇଲେ ।ତୁନି ହୋଇଲେ ଏ ॥
ଏମନ୍ତେ ନଳ ଜଣାଇ ।ଶୁଣ ସାବଧାନ ହୋଇ ॥
କର୍ଣ୍ଣାଟ ଦେଶକୁ ବୋଲି ।ନେମଇଁ କଲି ଏ ॥
ଏକା ତୁ ବିଜେ କରିବୁ ।କୁଣ୍ଡୀ ନଗ୍ରକୁ ତୁ ଯିବୁ ॥
ରଥ ମୁଁ ଏକା ବାହିବି ।ନେଇ କରିବି ଏ ॥
ପ୍ରସନ୍ନ ଶୁଣି ହୋଇଲେ ।ଧନ୍ୟ ତୁ ବୋଲି ବୋଇଲେ ॥
କେତେକ ବେଳରେ ଯିବା ।ବିଜେ କରିବା ଏ ॥
ଆଜର ଦିବସ ଯାଉ ।ଶୁଭେଣ ଯେ ରାତ୍ର ପାହୁ ॥
କାଲିର ପ୍ରଭାତେ ରାୟେ ।କର ବିଜୟେ ଏ ॥
ଆସ୍ଥାନ ଭାଙ୍ଗି ଉଠିଲେ ।ରାଜନୀତିରେ ରହିଲେ ॥
ଶର୍ବରୀ ଶେଷ ହୋଇଲା ।ପ୍ରାତ ହୋଇଲା ଏ ॥
ପ୍ରଭାତୁଁ ଉଠି ରାଜନ ।ହକରା କଲେ ବହନ ॥
ଆଜ୍ଞା ସେହୁ ରାଜା ଦେଲେ ।ଯିବା ବୋଇଲେ ଏ ॥
ଜଣାଇ ପୁଣି ଛାମୁରେ ।ବିଜେ କରିବା ରଥରେ ॥
ୠତ୍ପର୍ଣ୍ଣ ବିଜୟ କଲେ ।ନଳ ବସିଲେ ସେ ॥
ବାଗଡ଼ୋର ସେ ଚାଳିଲେ ।କର୍ଣ୍ଣରେ ମନ୍ତ୍ର କହିଲେ ॥
ଉଠିଲେ ସେ ଅଶ୍ୱ ଚାରି ।ପବନ ସରି ଏ ॥
ବେଗେ ଚଳି ଯାଉଥିଲେ ।ରାଜା ନେଉଟି ଚାହିଁଲେ ॥
କନ୍ଧେ ଉତ୍ତରୀୟ ଥିଲା ।ଖସି ପଡ଼ିଲା ଏ ॥
ବାହୁକକୁ ଆଜ୍ଞା ଦେଲେ ।ରଥ ରୁହାଅ ବୋଇଲେ ॥
ଉତ୍ତରୀୟ ପଡ଼ିଗଲା ।ଘେନି ବୋଇଲା ଏ ॥
ସାରଥି କହେ ଛାମୁର ।ରହିଲା ବହୁତ ଦୂର ॥
ଏଠାରେ କିମ୍ପା ରହିବା ।କାହିଁ ପାଇବା ଏ ॥
ଶୁଣି ରାୟେ ଆଜ୍ଞା ଦେଲେ ।ରୁହାଅ ରଥ ବୋଇଲେ ॥
ଅଇଲୁଁ କେତେକ ଦୂର ।ଜାଣିମା ତୋର ଏ ॥
ରହୁବର ରୁହାଇଲେ ।ସେହୁ ରାଜ୍ୟେ ପଚାରିଲେ ॥
ଉତ୍ତରୀ ପଡ଼ିଲାଠାରେ ।ହୋଇଲେ ଖରେ ସେ ॥
ଉତ୍ତରୀ ତହୁଁ ଘେନିଲେ ।ଯେଉଁଠାରୁ ବାହୁଡ଼ିଲେ ॥
ଅଶୀ ଯେ ଯୁଣ ହୋଇଲା ।ଲୋକ କହିଲା ଏ ॥
ରାଜା ତହୁଁ ପଚାରିଲେ ।ସାରଥି ଶୁଣ ବୋଇଲେ ॥
ସତ ତ କହିବୁ ମୋତେ ।ନିୟମ ତୋତେ ଏ ॥
ଅଶ୍ୱହୃତ ବିଦ୍ୟା ତୁହି ।ଅଛୁ ତୁ ସେ ପୁଣ ପାଇ ॥
ନୋହିଲେ ଏତେକ ଖରେ ।ହୋୟେ କାହାରେ ଏ ॥
ସାରଥି ତାଙ୍କୁ କହିଲେ ।ଜାଣଇଁ ମୁହିଁ ବୋଇଲେ ॥
ୠତ୍ପର୍ଣ୍ଣ ଶୁଣି ହସିଲେ ।ଆଜ୍ଞା ସେ ଦେଲେ ଏ ॥
ଅଶ୍ୱହୃତ ବିଦ୍ୟା ମୁହିଁ ।ବହୁତ ଦିନୁ ଜାଣଇଁ ॥
ପାଲଟ ବିଦ୍ୟା କରିବା ।ମିତ୍ର ହୋଇବା ଏ ॥
ବାହୁକ ପୁଣି ପଚାରି ।ସେହୁ ବିଦ୍ୟା କିସ କରି ॥
ଆଜ୍ଞା ସେ ହୋଉ ରାଜନ ।ଜାଣଇ ପୁଣ ଏ ॥
କହନ୍ତି ତାଙ୍କୁ ରାଜନ ।ଏହୁ ବିଦ୍ୟା ଯେ ଏସନ ॥
କଳିଯୁଗ ବାଧା ନାହିଁ ।ଜୁତେ ଜିଣଇ ଯେ ॥
ପଶାରେ ଯେ ଦଶଦାନ ।ଖେଳରେ ସେ ପଡ଼େ ଜାଣ ॥
ଡାକିଲେ ଦାନ ପଡ଼ଇ ।ଅବଜ୍ଞା ନୋହି ଏ ॥
ଆରେକ କଥାଏ ଶୁଣ ।କଉତୁକ ଏହୁ ଜାଣ ॥
ବୃକ୍ଷେ ଯେତେ ପତ୍ର ଥାଇ ।ତାହା ଜାଣଇ ଏ ॥
ଶୁଣି ତା ନଲରାଜନ ।ହରଷ ହୋଇଲେ ମନ ॥
ପଶାରେ ଯେବେ ଜିଣଇ ।ଘେନିବି ମୁହିଁ ଏ ॥
ଏତେ ବିଚାର କହିଲେ ।ବିଦ୍ୟା ସେ ଦିଅ ବୋଇଲେ ॥
କେମନ୍ତ ସେହୁ ଅଟଇ ।ତାହା ବୁଝଇ ଏ ॥
ଏତେ ଶୁଣି ୠତୁପର୍ଣ୍ଣ ।ଉପଦେଶ ଦେଲେ କର୍ଣ୍ଣ ॥
ବିଦ୍ୟା ତୁ ପରୀକ୍ଷା କର ।ଏହି ବୃକ୍ଷର ଏ ॥
ନଳ ଯେ ଏହା ଶୁଣିଲେ ।ବାହାଡ଼ା ବୃକ୍ଷ ଦେଖିଲେ ॥
ଏକ ସେ ଡାଳକୁ ଚାହିଁ ।ଅଦୃଶ୍ୟ ହୋଇ ଏ ॥
ରଥରୁ ଓହ୍ଲାଇ ଯାଇ ।ବୃକ୍ଷର ତଳରେ ହୋଇ ॥
ପତ୍ର ସେ ମୂଳେ ଗଣିଲା ।ସରି ହୋଇଲା ଏ ॥
ସେହି ବୃକ୍ଷ ତଳେ ଥିଲା ।ନଳ ପ୍ରତକ୍ଷେ ଦେଖିଲା ॥
ଦେହରୁ ବାହାର ହୋଇ ।ପୁରୁଷେ ଯାଇ ଏ ॥
ନଳ ତା ଯହୁଁ ଦେଖିଲେ ।ବେଗେଣ କେଶ ଧଇଲେ ॥
ବଡ଼ ନିରାଶ ହୋଇଲା ।ପ୍ରାସ ପାଇଲା ଏ ॥
ବୋଲଇ ଛାଡ଼ ହେ ନଳ ।ବିଷରେ ଯେଉଁ ଅନଳ ॥
କର୍କୋଟ ତୋତେ ଦଂଶିଲା ।ମୋତେ ହୋଇଲା ଏ ॥
ତୋତେ ସେ ଯେ କହିଗଲା ।ପଛେ ଜାଣିମୁ ବୋଇଲା ॥
କହିଣ ତୁମ୍ଭଙ୍କୁ ଯିବ ।କଷ୍ଟ ପାଇବ ଏ ॥
ତୁମ୍ଭେ ତାହାଙ୍କ ବଚନ ।ଘେନିଣ ଅଛଇ ମନ ॥
ସେ ଦିନୁ ତାପ ପାଇଲି ।ଏବେ କହିଲି ଏ ॥
ଅଶ୍ୱହୃତ ବିଦ୍ୟା ଯହୁଁ ।ଘେନିଲ ୠତ୍ପର୍ଣ୍ଣ ତହୁଁ ॥
ତେଣୁ ମୁଁ ବେଗେ ବାହାର ।ମୋତେ ନ ଧର ଏ ॥
ନଳରାୟେ ତାହା ଶୁଣି ।ତାକୁ ଯେ ବୋଲନ୍ତି ବାଣୀ ॥
ଦେଲୁ ତୁ ଦୁଃଖ ଅପାର ।ଶତ୍ରୁ ମୋହର ଏ ॥
କିସ ଅଟଇ ତୋ ନାମ ।ମୋତେ ଜଣାଅ ବହନ ॥
କାଟିବି ଶିର ତୋହର ।ପ୍ରମାଣ ମୋର ଏ ॥
ଭୟ କରି ସେ କହଇ ।କଳିଯୁଗ ମୁଁ ଅଟଇ ॥
ଏତେକ ଦୁଃଖ ମୁଁ ଦେଲି ।ସତ୍ୟ କହିଲି ଏ ॥
ନଳ ଦମନ୍ତୀ ବିଚ୍ଛେଦ ।ହୋଇଲା ଯେତେ ପ୍ରମାଦ ॥
ମୁହିଁ ଯେ ଏସନ କଲି ।ଦଣ୍ଡ ପାଇଲି ଏ ॥
ବିଧାତା କହିଲା ମୋତେ ।ଦୁଃଖ ଦେଲି ଅପ୍ରମିତେ ॥
ତୁ ମୋତେ କରିବୁ କିସ ।ଗଲି ମୁଁ ନାଶ ଯେ ॥
ଛାଡ଼ି ଛାଡ଼ି ରାଜା ମୋତେ ।ବର ମୁଁ ଦେଉଛି ତୋତେ ॥
ଘେନ ମୋ ମନର ବାଞ୍ଛା ।କର ତୁ ରକ୍ଷା ଏ ॥
ଶୁଣିଣ ନଳ ରାଜନ ।ହୋଇଲେ ତାକୁ ପ୍ରସନ୍ନ ॥
ଛାଡ଼ିଲେ କେଶ ତାହାର ।ଦେଲେ ଉତ୍ତର ଏ ॥
ତୁମ୍ଭେ ଯାଅ ସ୍ୱର୍ଗପୁର ।ମୁହିଁ ରାଜା ପୃଥିବୀର ॥
କିସ ଅପରାଧ ମୁହିଁ ।। ତୋତେ କଲଇଁ ଏ ॥
କଳି ସମ୍ଭାଷ କହିଲା ।ରାଜନ ଶୁଣ ବୋଇଲା ॥
ଅପରାଧ ନାହିଁ ତୋର ।ଦୋଷ ମୋହୋର ଏ ॥
ଭୀମରାଜା କଟକର ।ଦମନ୍ତୀର ସ୍ୱୟମ୍ବର ॥
ସ୍ୱର୍ଗରେ ଆମ୍ଭେ ଶୁଣିଲୁଁ ।ବେଗେ ଅଇଲୁଁ ଏ ॥
ଆସନ୍ତେ ସ୍ୱର୍ଗ ପଥରେ ।ଭେଟିଲାଇଁ ସୁନାସୀରେ ॥
ବରୁଣ ଅଗ୍ନି କୁବେର ।ଥିଲେ ସଙ୍ଗର ଏ ॥
ସେଠାରେ ମୋତେ କହିଲେ ।ଦମନ୍ତୀ ନଳ ବରିଲେ ॥
ଆମ୍ଭେ ଯେ ଥିଲୁ ସଭାରେ ।ବରଣଠାରେ ଏ ॥
ତୋହୋର ଧାର୍ମିକ ପଣ ।କହିଲେ ସେ ସର୍ବ ପୁଣ ॥
ମୁହିଁ ତା ସର୍ବ ଶୁଣିଲି ।ଗର୍ବ ବହିଲି ଏ ॥
ବୋଇଲି ତୁମ୍ଭର ଥାଉଁ ।ତୁମ୍ଭଙ୍କୁ ନ ବର ସେହୁ ॥
ନଳକୁ କିମ୍ପା ବରିଲା ।ଅନ୍ୟାୟ କଲା ଏ ॥
ବିଚ୍ଛେଦ ତାକୁ କରିବି ।ଦୁଃଖହିଁ ବହୁତ ଦେବି ॥
ସଙ୍ଗରେ ଦ୍ୱାପର ଘେନି ।ଅଇଲୁ ବେନି ଏ ॥
ଇନ୍ଦ୍ର ମୋତେ ନାସ୍ତି କଲେ ।ଆସିବା ଯହୁଁ ଦେଖିଲେ ॥
ବୋଇଲେ ଦୁଃଖ ନ ଦେବୁ ।କଷ୍ଟ ପାଇବୁ ଏ ॥
ସେ ଦିନୁ ମୁହିଁ ଅଇଲି ।ବହୁତ ଦିନ ଜଗିଲି ॥
ଅନ୍ୟାୟେ ଯହୁଁ ଦେଖିଲି ।ଦେହେ ପଶିଲି ଏ ॥
ସେହି ଦିନୁ ତୋର ମନ ।କଲଇଁ ମୁହି ଉଚ୍ଛନ୍ନ ॥
ପୁଷ୍କର ହକରା କଲୁ ।ପଶା ଖେଳିଲୁ ଏ ॥
ଦ୍ୱାପର ସାର ହୋଇଲା ।ସିଂହାସନ ତଳେ ଥିଲା ॥
କପଟେ ଦାନ ପଡ଼ିଲା ।ସେହୁ ଜିଣିଲା ଏ ॥
ଯେତେ ବୋଲଇ ପୁଷ୍କର ।ଆୟତ୍ତ ନୋହେ ତୋହୋର ॥
ପଥରେ କପୋତ ହେଲା ।ବସ୍ତ୍ର ଯେ ନେଲା ଏ ॥
ଦାଣ୍ଡରେ ମଣ୍ଡୋପ ହୋଇ ।ଖଣ୍ଡା ହୋଇ ସେ ପଡ଼ଇ ॥
ଦ୍ୱାପର ସବୁ ହୋଇଲା ।କଳି କହିଲା ଏ ॥
ଶୁଣିଣ ଏହା ରାଜନ ।ବିଜୟେ କଲେ ବହନ ॥
ନଳ ବଚନ ଶୁଣିଲା ।ବର ସେ ଦେଲା ଏ ॥
ପ୍ରାତକାଳେ ନାମ ତୋର ।ସୁମରିବେ ଯେଉଁ ନର ॥
ମୋହୋର ବାଧା ନୋହିବ ।ସୁଖୀ ହୋଇବ ଏ ॥
ସମ୍ପାଦ ତୋର ମୋହୋର ।ଶୁଣିମ ଯେହୁ କର୍ଣ୍ଣର ॥
ପାତକ କ୍ଷୟ ହୋଇବ ।ସୁଖ ପାଇବ ଏ ॥
ନଳକୁ ବର ବହୁତ ।ଦେଲେ ସେ କଳି ତୁରିତ ॥
ଅନ୍ତର୍ଦ୍ଧାନ ସେ ହୋଇଲେ ।ନଳ ଅଇଲେ ଏ ॥
ବାହଡ଼ା ବୃକ୍ଷର ଛାଇ ।ସେହିଦିନୁ ଯେ ମାଡ଼ଇ ॥
କଳି ସେ ଯୁଗ ବାଧଇ ।ପାତକୀ ହୋଇ ଏ ॥
ବାହୁଡ଼ି ନଳ ଆସଇ ।ରଥରେ ବିଜେ କରଇ ॥
ସୁମନା ରାଜା ହୋଇଲା ।ଉଚ୍ଛନ୍ନ ଗଲା ଏ ॥
ୠତୁପର୍ଣ୍ଣ ଆଜ୍ଞା ଦେଲେ ।ବେଗେଣ ଯିବା ବୋଇଲେ ॥
ରଥ ସେ ପୁଣ ବାହିଲେ ।ବେଗେ ଚଳିଲେ ଏ ॥
ସମ୍ପୂର୍ଣ୍ଣ ବେଳ ପ୍ରହରେ ।ହେଲେ କର୍ଣ୍ଣାଟ ଦେଶରେ ॥
ପ୍ରବେଶ କୁଣ୍ଡୀ ନଗ୍ରରେ ।ଯାନ୍ତି ଦାଣ୍ଡରେ ଏ ॥
ନଳର ଏହୁ ଚରିତ ।ଯେ ଶୁଣେ ହୋୟେ ପବିତ୍ର ॥
ମହା ବିପତ୍ତିଫଟଇ ।ପଣ୍ଡିତେ କହି ଏ ॥
ଶ୍ରୀରାମ ଅରଣ୍ୟେ ଥିଲେ ।ମାରକଣ୍ଡ ଶୁଣାଇଲେ ॥
ରାବଣ ସେହୁ ଛେଦିଲେ ।ସୀତା ଆଣିଲେ ଏ ॥
ଶ୍ରୀ ଜଗନ୍ନାଥ ସୁମର ।ନାରାୟଣ ଚକ୍ରଧର ॥
ମୁକୁନ୍ଦ ବିଷ୍ଣୁ ବାମନ ।ମଧୁସୂଧନ ଏ ॥
ଅନନ୍ତ ବିଷ୍ଣୁ କେଶବ ।ଶାରଙ୍ଗଧର ମାଧବ ॥
ଗୋବିନ୍ଦ ଗୋପାଳ ରାମ ।ଶ୍ରୀପତି ଶ୍ୟାମ ଏ ॥
ନରହରି କୃପାସିନ୍ଧୁ ।ବାସୁଦେବ ଦୀନବନ୍ଧୁ ॥
ଭଗତଜନ ସୁମର ।ପାତକୁଁ ତର ଏ ॥
ଯୁଧିଷ୍ଠି ଦେବ ଚିନ୍ତିଲେ ।ମୋକ୍ଷଗତି ସେ ପାଇଲେ ॥
ଶ୍ରୀକୃଷ୍ଣ ଯେ ଦୟା କଲେ ।ସ୍ୱର୍ଗକୁ ଗଲେ ଏ ॥
ବଇଷ୍ଣବ ଯେ ବୋଲାନ୍ତି ।ନାମ କୀର୍ତ୍ତନ କରନ୍ତି ॥
ମଧୁସୂଧନ ତାଙ୍କର ।ପାଦତଳର ଏ ॥