ମୃତ ଶିଶୁ ପୁତ୍ର ମନୋମୋହନ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୭
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଆସିଥିଲା ଦେବଦୂତ ସ୍ୱର୍ଗରୁ ଓହ୍ଲାଇ,ପଳାଇଲା ଛାଡ଼ି ପୃଥିବୀର ଗନ୍ଧ ପାଇ ।ଅନ୍ଧାର ମାଣିକ ଆରେ ନୟନର ଜ୍ୟୋତି!ଜନନୀର ସାର ଧନ ହୃଦୟ ସମ୍ପତ୍ତି!କେତେ ଆଶା କରିଥିଲି ଆରେ ବାପଧନ,ହୁଅନ୍ତୁ ସ୍ଥବିର କାଳେ ଶେଷାବଲମ୍ବନ ।ଫୁଟିଥିଲୁ ହୃଦୟରେ ସ୍ୱର୍ଗୀୟ ସୁମନ,ଅକାଳରେ କାଳକୀଟ କରିଛି ଦଂଶନ ।ଅନ୍ଧର ଲଉଡ଼ି ମୋର ଜୀବନ ସଙ୍ଖାଳି,ଜୀବନଟା ସାରା ଯିବ ତୋହ ନାମ ଭାଳି ।ଚବିଶ ବରଷ କାଳ ଅଛି ବହି ଯାଇ,ନିରନ୍ତରେ କାନ୍ଦୁଥିବି ତୋହ ନାମ ଗାଇ ।ଆଶା ସ୍ନେହ ପ୍ରୀତି ଯାହା ସଂସାର ବନ୍ଧନ,ଘେନି ଯାଇଛୁ ତ ସର୍ବ ରେ ମନୋମୋହନ!ଯାଇଥିଲେ ବାପ ଆରେ ତେଜି ମୁଁ ଜୀବନ,କରନ୍ତୁ ପବିତ୍ରଭାବେ ମୋ ନାମେ ତର୍ପଣ ।ଚାଲିଗଲୁ ବାପଧନ ମୋ ହୃଦୟ-ଇନ୍ଦୁ,ଶୁଖି ତ ଯାଇଛି ମୋ ଦେହର ରକ୍ତ ବିନ୍ଦୁ ।ଜ୍ୟେଷ୍ଠ ପୁତ୍ର ଥିଲୁ ମୋର ପିଣ୍ଡ ଅଧିକାରୀ,ଆଶା ଥିଲା ତୋ ହସ୍ତରୁ ତର୍ପଣର ବାରି ।ନାହାନ୍ତି ତୋ ସତୀ ସାଧ୍ୱୀ ମାତା ଧରାତଳେ,ବର୍ତ୍ତମାନ ଅଛୁ କି ରେ ସ୍ୱର୍ଗେ ତାଙ୍କ କୋଳେ?ବିକଳରେ ତୋହପାଇଁ ରେ ମନୋମୋହନ,ଛାରଖାର ହୋଇ ଯାଇଥିଲା ତାଙ୍କ ମନ ।କଷ୍ଟ ପାଇ ଦେବେ ଧ୍ୟାୟି ପାଇଥିଲେ କୋଳେ,ଭସାଇ ତାହଙ୍କୁ ଚାଲିଗଲୁ ନେତ୍ରଜଳେ ।ତପସ୍ୟା ତ କରି ନାହିଁ ପାଇବାକୁ ତୋତେ,ପୁନର୍ବାର ଭେଟିବ କି ନିତ୍ୟଧାମେ ସତେ?କେତେ ପ୍ରେମେ ଡାକୁଥିଲି ରେ ମନୋମୋହନ!ଥିଲୁ ରେ ଲାବଣ୍ୟନିଧି ହୃଦୟରଞ୍ଜନ!ବାପ ଧନ ତୁହି ଯେବେ ଥାନ୍ତୁ ମୋର ପାଶେ,ସ୍ଥବିର ବୟସେ ମୁଁ କି ମରନ୍ତି ହତାଶେ!ବ୍ୟାଧିଗ୍ରସ୍ତ କ୍ଷୀଣହସ୍ତ ଶରୀର ଦୁର୍ବଳ,କାହାକୁ କରିବି ବାପ ଜୀବନସମ୍ବଳ?ଅନାୟତ୍ତେ ପଡ଼ିଥିଲେ ମୁଁ ରୋଗଯ୍ୟାରେ,ସାନ୍ତ୍ୱନା ଦିଅନ୍ତୁ ବାପ ବସି ମୋହଠାରେ!ବୁଲାଇଲେ ମୋହ ଦେହେ ହସ୍ତ ବାରବାର,ଶରୀରରେ ହୋଇଥାନ୍ତା ଅମିୟ ସଞ୍ଚାର ।ଆତ୍ମାରୂପେ ଜାତ ହୋଇଥିଲୁ ରେ ନନ୍ଦନଚାଲି ଯାଇଛୁ ତ କରି ଆତ୍ମାକୁ ଛେଦନ!ଏକମାତ୍ର ପୁତ୍ର ସିନା ସହାୟ ସମ୍ପତ୍ତି,ନ ବୁଝେ ଏ ସର୍ବ କଥା ଯେ ପୁତ୍ର ଦୁର୍ମତି!ମୋ ପାଶରେ ବସିଥିଲେ ରେ ମନୋମୋହନ!କେହି କି ପାରନ୍ତା କରି ମୋତେ ଆକ୍ରମଣ?ରୋଗେ କଷ୍ଟେ ମୁହିଁ କରୁଥିଲେ ହାହାକାର,ପାରନ୍ତା କି କେହି କରି ମୋତେ ତିରସ୍କାର?ସ୍ଥବିର ଶରୀର ଭୁଞ୍ଜେ ବିଷମ ଯନ୍ତ୍ରଣା,ପର କି ପାରିବ ବୁଝି ପରର ବେଦନା?ନିଦାନେ ନିର୍ଦୟ ଲୋକେ ସମୟକୁ କଳିଦିଅନ୍ତି ନିଷ୍ଠୁର ଭାବେ ପଦେ ହୃଦ ଦଳି ।କି ତପସ୍ୟା କରିଅଛି, କେଉଁ ପୁଣ୍ୟଫଳେଚିରଦିନ ବାପ ତୁହି ରହିଥିବୁ କୋଳେ?ଛିଡ଼ି ଯାଇଛି ତ ମୋର ହୃଦୟର ଗ୍ରନ୍ଥି,ଆସନ୍ତୁ ଦେଉନ୍ତୁ କଷ୍ଟ ମୋତେ ପରିପନ୍ଥୀ ।ବ୍ୟାଧିଗ୍ରସ୍ତ ହୋଇ ପଡ଼ିଥିଲେ ନିର୍ଜନରେ,ସେବା କରୁଥାନ୍ତୁ ବି ମୋ ଶଯ୍ୟାପାଶରେ ।ଯାଇଛୁ ସର୍ବସ୍ୱ ମୋର ଜୀବନସମ୍ବଳ,ଝୁରୁଥିବି ଝରୁଥିବ ନୟନରୁ ଜଳ!ଆସିଥିଲୁ ପୁତ୍ର ମୋର ଅତିଥି ବେଶରେ,ଯାଇଛୁତ ଚାଲି ଜଗନ୍ନାତା ଆହ୍ୱାନରେ ।ବିଧାତାଙ୍କ ଗନ୍ତାଘରେ କିବା ରତ୍ନ ନାହିଁ,ମୋ କ୍ଷୁଦ୍ର ରତ୍ନଟି ନେଲେ ଛଡ଼ାଇ କିପାଇଁ?ଗୋଟିଏ ନକ୍ଷତ୍ର ଊଣା ଥିଲା କି ଆକାଶେ,ମୋ ଜୀବନତାରା ଘେନି ଗଲେ ସେ ସକାଶେ?ଅବା କେଉଁ ଦେଶେ ଥିଲା ଅଭାବ ସୁମନ,ଘେନିଗଲେ ସେ ସ୍ଥାନକୁ ମୋ ମନୋମୋହନ!ଯାଆ ବାପା, ରହ ଯାଇ ସୁଖେ ମାତା ପାଶେ,ପଡ଼ିଥାଏଁ ପଛେ ମୁହିଁ ପୃଥ୍ୱୀରେ ନିରାଶେ!ଏବେ ମୁଁ ଦେଖୁଛି ବତ୍ସ ସର୍ବ ଅନ୍ଧକାର,ଯିବ ମୋ ଜୀବନ ଚାଲି କରି ହାହାକାର!ଶୂନ୍ୟମୟ ବର୍ତ୍ତମାନ ମୋହର ହୃଦୟ!ଶୂନ୍ୟମୟ! ଶୂନ୍ୟମୟ! ସର୍ବ ଶୂନ୍ୟମୟ!
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି