ମୋର ଘର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୯
- ସ୍ଥିତି
- ସାର୍ବଜନୀନ (Public domain)
ମୁଁ ଯେଉଁ ଘରେ ବାସକରେ ସେ ଅତି ଆଶ୍ଚର୍ଯ୍ୟ ଘର । ସେ ଘରେ ମୁହିଁ ଏକା ବାସକରେଁ; ମୋ ଛଡ଼ା ଅନ୍ୟ କେହି ସେଥିରେ ରହେନାହିଁ । ଘରଟି ଦୋମହଲାଟି; କିନ୍ତୁ ତାହା ସାଢେତିନି ହାତରୁ ବେଶି ଉଚ୍ଚ ନୁହେଁ । ମୁଁ ଯେଉଁ ଆଡ଼େ ଯାଏଁ, ମୋ ସଙ୍ଗେ ସଙ୍ଗେ ସେ ଘରଟି ନେଇଯାଏ । ମୁଁ ତାହାକୁ ଛାଡ଼ିଗଲେ, ତାହା ନଷ୍ଟ ହୋଇଯାଏ ।
ସେ ଘରର ଯୋଡ଼ିଏ ଚଳନ୍ତି ଖମ୍ବ ଅଛି । ସେହି ହେତୁରୁ ମୋର ଇଚ୍ଛାନୁସାରେ ମୁଁ ସେ ଘରକୁ ନାନାସ୍ଥାନାକୁ ନେଇଯାଏ ପାରେ । ଉପର ମହଲାରେ ଯୋଡ଼ିଏ ଝରକା ଅଛି । ମୋ ଘରର ତଳ ମହଲାରେ କବାଟ ବା ଝରକା ନାହିଁ । ମୁଁ ଶୋଇ ପଡ଼ିଲାକ୍ଷଣି ସେ ଝରକା ବୁଜି ହୋଇଯାଏ; ମୁଁ ଜାଗିଲେ ସେ ଝରକା ଦୁଇଟା ଆପେ ଫିଟିଯାଏ । ଉପର ମହଲାରେ ସମ୍ମୁଖ ଭାଗରେ ଦୁଇଟି ଦ୍ୱାର ଅଛି । ସମ୍ମୁଖର ଦ୍ୱାରବାଟେ ମୁଁ ବାହାରକୁ ସମ୍ବାଦ ପଠାଏ । କେହି ଯଦି ମୋ ଘର ଭିତରକୁ କୌଣସି ସମ୍ବାଦ ପଠାଇବାକୁ ଇଚ୍ଛା କରେ ତା’ ହେଲେ ସେ ସମ୍ବାଦକୁ ପାଖର ଦ୍ୱାରବାଟେ ପଠାଇବାକୁ ହୁଏ । ଉପର ମହଲାର ତଳ ଭାଗରେ ହଳେ ଚକି ଅଛି, ସେଥିରେ ଖାଦ୍ୟଦ୍ରବ୍ୟ ପେଷାହୁଏ । ସେହି ମହଲାର ସମ୍ମୁଖ ଭାଗର ଦ୍ୱାରର ଉପରକୁ ଦୁଇଟା ଫୁକାର ଅଛି । ସେହି ବାଟେ ପବନ ଯାତୟାତ କରେ । ଉପର ମହାଲାର ଉପରିଭାଗରେ ତାରଅଫିସ ଅଛି । ସେହିଠାରୁ ତାରଦ୍ୱାରା ଘର ସବୁଆଡ଼କୁ ସମ୍ବାଦ ପଠାଯାଏ ।
ତଳ ମହଲାରେ ଗୋଟିଏ ରକ୍ତଜଳାଶ୍ରୟ ଅଛି । ସେଠାରୁ ଜଳ ଉପର ଓ ତଳ ଉଭୟ ମହଲାର ସବୁ ଆଡ଼କୁ ଯାଏ । ସେହି ଜଳାଶୟ ତଳକୁ ପାକଶାଳା ଅଛି । ପାକଶାଳାରେ ଖାଦ୍ୟଦ୍ରବ୍ୟ ସବୁ ପାକ କରାଯାଇ ସେଥିମଧ୍ୟରୁ ଯାହା ଅସାର ତାହା ଆପେ ବାହାରକୁ ନିର୍ଗତ ହୋଇଯାଏ ।
ଏ ଘରକୁ ସର୍ବଦା ନିର୍ମଳ ରଖି ତାହା ପାଇଁ ନିର୍ମଳ ବାୟୁ, ନିର୍ମଳ ଜଳ ଏବଂ ଭଲ ନିର୍ମଳ ଖାଦ୍ୟପଦାର୍ଥ ଯୋଗାଇବା ଆବଶ୍ୟକ । ଏପରି ବସାଇ ରଖିଲେ, ତାହା ଅଳ୍ପକାଳ ମଧ୍ୟରେ ନଷ୍ଟ ହୋଇଯାଏ ।
କୃଷକ
ଧନ୍ୟ ଧନ୍ୟ ଧନ୍ୟ ଚଷାର ଜୀବନ
ଧନ୍ୟ ଧନ୍ୟ ଚଷା ନାମ,
ଖରା-ବରଷାରେ କେତେ କଷ୍ଟ ସହି
କରଇ ସେ କ୍ଷେତକାମ ।
ଅକର୍ମା ଯେ ଜନ ଭୂମିକି ସେ ସିନା
ନିନ୍ଦଇ ଆଳସ୍ୟଭରେ,
ସେ ଭୂମିରୁ ଚାଷୀ ଘର ଓ ପୁରକୁ
ଅନ୍ନ ବସ୍ତ୍ର ଦାନ କରେ ।
ପରିଶ୍ରମ କରି ଚାଷୀ କରେ କେତେ
ଜଗତର ଉପକାର,
ତଥାପି ତାହାର ମନରେ ନ ଥାଏ
ବୃଥା ଗର୍ବ ଅହଙ୍କାର ।
ନାହିଁ ତାର କୋଠା ନାହିଁ ଦାସଦାସୀ
ଘୋଡ଼ା ଗାଡ଼ି ନାହିଁ ତାର,
ତଥାପି ତା ଘର ସୁଖର ଆଳୟ
ସୁଖୀ ତାର ପରିବାର ।
କ୍ଷେତରୁ ଲେଉଟି ଚାଷୀ ଯେତେବେଳେ
ଶ୍ରାନ୍ତ ହୋଇ ଆସେ ଘରେ,
ପାଶେ ବସି ପତ୍ନୀ କେତେ ଯତ୍ନ କରେ
ତୋଷେ ମିଷ୍ଟ ବଚନରେ ।
ପିତା ମାତା ପୁତ୍ର କନ୍ୟା ଭାଇ ଭଗ୍ନୀ
ପତି ପତ୍ନୀ ସେ ଗୃହରେ,
ଆହା କି ମଧୁର ସ୍ନେହରେ ସର୍ବଦା
ସେବନ୍ତି ସେ ପରସ୍ପରେ ।
ଧର୍ମେ-ପଥେ ରହି ଆନନ୍ଦରେ ନିତି
ପରିଶ୍ରମ କରେ ଚାଷୀ,
ତେଣୁ ସୁଖୀ ସେହି ନ ଥିଲେହେଁ ତାର
କୋଠାଗର ଦାସ-ଦାସୀ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ