ମାର୍ଜାରବଂଶ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୨
- ସ୍ଥିତି
- ସାର୍ବଜନୀନ (Public domain)
ବିରାଡ଼ିର ଦେହର ଗଠନ ଯେପରି, ବାଘର ମଧ୍ୟ ସେହିପରି; ଏହି ହେତୁରୁ ଆମ୍ଭମାନଙ୍କ ଦେଶର ବୃଦ୍ଧାମାନେ କାହାଣୀ କହିଲାବେଳେ ବିରାନିକୁ ବାଘର ମାଉସୀ ବୋଲି କହିଥାନ୍ତି । ବ୍ୟାଘ୍ରର ମୁଣ୍ଡ, ଚକ୍ଷୁ, କର୍ଣ୍ଣ, ମୁଖ, ଉଦର ଓ ଲାଙ୍ଗୁଳ ଯେପରି; ବିଡ଼ାଳର ମଧ୍ୟ ସେହିପରି । ଦୁହିଁଙ୍କର ଚକ୍ଷୁର ତାରା ଗୋଲାକାର, ହୁହିଁଙ୍କର ଲାଙ୍ଗୁଳ ଦୀର୍ଘ ଓ ଅଳ୍ପ ଲୋମଯୁକ୍ତ । ଦୁହିଁଙ୍କର ଦାଢ଼ି ଓ ନିଶ ଅଛି, ଦୁହିଁଙ୍କର ଅସ୍ଥିସଂସ୍ଥାନ ଏକପ୍ରକାର । ଉଭୟର ପାଦତଳରେ କୋମଳ ମାଂସପିଣ୍ଡ ଓ ବଙ୍କା ତୀକ୍ଷ୍ଣ ନଖ ଅଛି । କ୍ରୋଧର ଅବସ୍ଥାରେ ଦୁହିଁଙ୍କର ଆକୃତି ଏକପ୍ରକାର ଦେଖାଯାଏ, ଶରୀର ଫୁଲିଉଠେ ଓ ତୀକ୍ଷ୍ଣ ନଖଗୁଡ଼ିକ ପଞ୍ଝାଭିତରୁ ବାହାରିପଡ଼େ । ମାର୍ଜାର ପରି ଶାର୍ଦ୍ଦୂଳ ମଧ୍ୟ ପାଦର ପଞ୍ଝାକୁ ଭୂମିରେ ଆଘାତ କରି ଲାଙ୍ଗୁଳହଲାଇ ଲମ୍ପପ୍ରଦାନପୂର୍ବକ ଶିକାର କରେ । ଏମାନଙ୍କର ଆଗ ଗୋଡ଼ରେ ପାଞ୍ଚୋଟି ଓ ପଛ ଗୋଡ଼ରେ ଚାରୋଟି ନଖ ଥାଏ । ଏମାନଙ୍କ ତଳ ଉପର ଦୁଇ ପାଟିରେ ୩୦ ଗୋଟି ଦାନ୍ତ; ସେଥିମଧ୍ୟରୁ ସମ୍ମୁଖରେ ଛେଦନ କରିବାର ମୁନିଆ ଦାନ୍ତ ଛଅଟି ଳେଖାଏଁ ବାରଗୋଟି । ଉଭୟେ ଜିହ୍ୱାଦ୍ୱାରା ଚାରି ଚାଟି ଜଳ ପାନ କରନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଅନେକ ବାଘ ଦେଖିଥିବ । ଅତଏବ, ବାଘର ଶରୀରଗଠନ ବିରାଡ଼ିର ଶରୀର ଗଠନ ପରି, ଏହା ସୟଜରେ ବୁଝିପାରିବ; କିନ୍ତୁ ସିଂହ ମଧ୍ୟ ଯେ ବିଡ଼ାଳବଂଶୀୟ ଓ ବିରାଡ଼ିର ଦେହଗଠନ ଯେପରି, ତାହାର ମଧ୍ୟ ସେହିପରି, ଏ କଥା ଅନେକ ଜାଣନ୍ତି ନାହିଁ । ପରୀକ୍ଷା କରି ଦେଖିଲେ ଏହି ତିନିପ୍ରକାର ଜନ୍ତୁର ଶରୀରଗଠନ ଯେ ଏକପ୍ରକାର ଏବଂ ସେମାନେ ଯେ ମାର୍ଜାର ବଂଶୀୟ ତାହା ସହଜରେ ବୁଝିପାରିବେ ।
ମାର୍ଜାର ଜାତୀ ଜନ୍ତୁମାନେ ଦେଖିବାକୁ ସୁନ୍ଦର । ଦେହ କୋମଳ ଲୋମରେ ଆବୃତ । ଦିନବେଳେ ଆଲୁଅରେ ସେମାନଙ୍କର ଚକ୍ଷୁର ତାରା ଛୋଟ ହୋଇଯାଏ; ରାତ୍ରିକାଳରେ ଅନ୍ଧକାରରେ ଚକ୍ଷୁର ତାରା ବଡ଼ ହୋଇଯାଏ । ବିଡ଼ାଳଜାତୀୟ ପ୍ରାଣୀମାନେ ମାଂସପ୍ରିୟ ଓ ଶିକା କରିବାରେ ନିପୁଣ । ସେମାନଙ୍କ ମଧ୍ୟରୁ ଅଣ୍ଡିରାମାନେ ସମୟେ ସମୟେ ଛୁଆ ମାରି ପକାନ୍ତି ବୋଲି ମା’ମାନେ ଛୁଆଗୁଡ଼ିକ ଲୁଚାଇ ରଖନ୍ତି । ମାତାର ଅପତ୍ୟ ସ୍ନେହ ଅତ୍ୟନ୍ତ ପ୍ରବଳ ଥିବାର ଦେଖାଯାଏ । ସିଂହ, ବ୍ୟାଘ୍ର, ମାର୍ଜାର ଏମାନଙ୍କର ଶରୀରଗଠନାଦିର ସାଦୃଶ୍ୟ ଦେଖି ପଣ୍ଡିତମାନେ ସେମାନଙ୍କୁ ମାର୍ଜରବଂଶୀୟ ଜନ୍ତୁ ବୋଲି ସ୍ଥିର କରିଅଛନ୍ତି । ଏକଜାତୀୟ ହେଲେହଁ ଦେହର ପ୍ରମାଣ ଓ ବଳ ବିଷୟରେ ସମୋନଙ୍କର ଅନେକ ପାର୍ଥକ୍ୟ ଦେଖାଯାଏ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ