ତୃତୀୟ ସର୍ଗ — ମହେନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ଅହୋ କି ଆଶ୍ଚର୍ଯ୍ୟ, ରାଜେ ବନଗର୍ଭେ କୁଟୀ,ଯେସନ ସଶୋକା ସୀତା ଅଶୋକ କାନନେଉପବିଷ୍ଟା, ବେଢ଼ିଛନ୍ତି ଚଉକତି ହାୟଦୂରନ୍ତା ଦାନବୀ ଚେଟୀ-ତୁଙ୍ଗତରୁ ବ୍ୟାଜେ ।କେ ରଚିଲା ଏ ଅକୁଳ ବନ-ସିନ୍ଧୁ ବକ୍ଷେଆଶ୍ରୟ ଆଶ୍ରମ, ହେଉ ପଛେ ଭୀଷଣ ସେ,ମାତ୍ର ଶାନ୍ତି ଆନନ୍ଦର ମାଧୁରୀ ମଣ୍ଡିତ;ବ୍ରିଟିଶ-କେଶରୀ ଧନ୍ୟ, ଆଦର୍ଶ ତାଙ୍କରସୁଶାସନ ସୁପାଳନ ସୁରକ୍ଷଣ ନୀତି;ତାହାଙ୍କର ସମୁଦାର ଧର୍ମନୀତି ସିନାଆଣିଅଛି ବର୍ତ୍ତମାନେ ଫେରାଇ ଅତୀତେ,ଆଣିଅଛି ରାମରାଜ୍ୟ ଏ ଭାରତେ ପୁଣି,ନୁହଁନ୍ତି ସେ ଖାଲି ରାଜା, ଭାରତ ଭାଗ୍ୟରେବିଧିଦତ୍ତ ଅତିରିକ୍ତ କୃପା ମହାଦାନ,ଲଭି ସେହି କଳ୍ପଦ୍ରୁମ-ସ୍ନିଗ୍ଧ-ସୁଧା-ଛାୟାକରିଛି ଶୀତଳ ଚିତ୍ତ ସନ୍ତପ୍ତ ଭାରତ ।ଧର୍ମ ସିନା ମରୁସ୍ଥଳେ ପାଦପ ରୋପଣ,ଧର୍ମ ସିନା,- ନିର୍ଭର ସେ ଭରସା ପ୍ରଦାନ,ବିନିର୍ମାଣି ପାନ୍ଥାବାସ ଏ ହତାଶ ଦେଶେଅର୍ଜୁଛନ୍ତି ମହାପୁଣ୍ୟ, ଅକ୍ଷୟ ସୁକୀର୍ତ୍ତି,ତାଙ୍କରି ସୁକୃତି ତାଙ୍କୁ ଅର୍ପିଛି ଦେବତ୍ୱ ।ମହେନ୍ଦ୍ର ତୃତୀୟ ଶୃଙ୍ଗେ ଶୋଭେ ରାଜବସା,ନାହିଁ ଭବଜ୍ୱାଳା ତହିଁ, ଚିରଶୀତଳ ସେ,ଏକମାସୀ ସ୍ଥଳୀ, ଖାଲି ମାଘ ମାସ ବିନାନାହିଁ ତହିଁ ଅଧିକାର ଅପର ମାସର ।ହେଲା ନାହିଁ ରାତ୍ରେ ନିଦ୍ରା, ନିଦାରୁଣ ଶୀତଭେଦି ତୁଳି, ଚର୍ମ, ମାଂସ କମ୍ପାଇଲା ଅସ୍ଥି,ବସିଲି ଅଳିନ୍ଦେ ଆସି ପରିହରି ଶେଯଯାମିନୀ-ଯୌବନେ, ସ୍ତବ୍ଧ ନିଃଶବ୍ଦ ଚୌଦିଗ,କେବଳ ଉଠୁଛି ଥରି ମହା ଅରଣ୍ୟାନୀଥରେ ଥରେ କୃଷୀବଳ ବିକଟ କୁହାଟେ,ଅହୋ, କି ଶ୍ରବଣ-ଶୂଳ କଠୋର ଚିତ୍କାର,ଶୁଣିଣ ଚମକି ଉଠେ ନୀରନ୍ଧ୍ର ପାଷାଣ,ଥାଉ ଆନ, ସେ କୁହାଟେ ଦୁଷ୍ଟ ଶ୍ୱାପଦରହୋଇଯିବ ପ୍ଳୀହା ପାଣି- ଚିର ଭୟହୀନ ।ବେଳେବେଳେ ଠକଠକି ଠକା ୧ ଦିଏ ଭୀତିଶସ୍ୟଚୋର ମୃଗ ଶଶା ବରାହ ସମ୍ବରେ,
୧- ଦୁରସ୍ଥ ଶସ୍ୟକ୍ଷେତ୍ରରେ ଦୁଇଖଣ୍ଡ ବାଉଁଶ ଖୁଣ୍ଟିରେ ଖଣ୍ଡିଏ ଧାରଣାବାଉଁଶ ରଖି ତାହା ତଳେ ତେର୍ଚ୍ଛାଭାବରେ ଖଣ୍ଡିଏ ଲମ୍ବା ବାଉଁଶା ପୋତି ତାହା ଅଗରୁ ଲତା ବାନ୍ଧିନେଇ ଶଉରାମାନେ ଘରଠାରେ ବାନ୍ଧିଥାନ୍ତି । ରାତ୍ରିରେ ଘରେ ଶୋଇ ସେହି ଲତାକୁ ଟାଣିଲେ ବାଉଁଶରେ ବାଉଁଶ ବାଜି ଠକ୍ଠକ୍ ଶବ୍ଦ ହୁଏ । ସେହି ଶବ୍ଦରେ ବନ୍ୟ ଜନ୍ତୁମାନେ ପଳାଇଯାନ୍ତି । ଏହି ଯନ୍ତ୍ରକୁ ‘ଠକା’ କହନ୍ତି ।
ଅସଭ୍ୟ ବର୍ବର ହେୟ ସମାଜେ ଯେମାନେ,ଏ ଅଦ୍ଭୁତ ଉଦ୍ଭାବନ ତାଙ୍କରି କରଣୀ,
କେଡ଼େ ସୂକ୍ଷ୍ମ ସୁକୌଶଳ, କେଡ଼େ ତୀକ୍ଷ୍ଣ ମେଧା,
ଲତା-ତନ୍ତୁ ଆକର୍ଷଣେ ସୁଦୂର କେଦାରୁ
ଘଉଡ଼ାନ୍ତି ପଶୁ ପକ୍ଷୀ ପର୍ଣ୍ଣଶାଳେ ଶୋଇ ।
ଏଡ଼େ ଭଳି ବୈଜ୍ଞାନିକ ବୁଦ୍ଧି ଯେ ଜାତିର,
ସେ ଯଦ୍ୟପି ହୀନ, ତେବେ ନିଶ୍ଚେ ହୀନଦ୍ୱାରା
ହେଉଛି ସାଧିତ ବଡ଼ କାର୍ଯ୍ୟ ଏ ଶୟଳେ ।
ହୀନ ଜଳବିନ୍ଦୁ କରେ ପାଷାଣକୁ କ୍ଷୟ,
ହୀନ ଅଗ୍ନିକଣା ପାରେ ଜଗତେ ସଂଦହି,
ହୀନ କୃକଲାସ ନାଶେ ମତ୍ତ ମତଙ୍ଗଜେ । ୨
ଜଳୁଛି ପ୍ରାଙ୍ଗଣେ ଧୂନି-ଶବର-ସଜ୍ଜିତ,
୨- ଏଣ୍ଡୁକା ହାତୀ ଥୋଡ଼ ଭିତରେ ମୁଣ୍ଡକୁ ଉଠିଗଲେ ହାତୀ ପାଗଳ ହୋଇ ମରିଯିବାର ପ୍ରବାଦ ଅଛି ।
କ୍ଷୀଣ ତେଜେ, ଧୀରେ, ଯଥା ଦରିଦ୍ର ପ୍ରତିଭା,
କ୍ଷଣେ କ୍ଷଣେ ଅନ୍ଧକାର ଢାଙ୍କି ତା ଉପରେ
କୃଷ୍ଣ କର, ବୁଝାଉଛି ଆଲୋକର ମୂଲ୍ୟ,
ଆଲୋକର ମୁଲ୍ୟ ସିନା ବୁଝାଏ ଅନ୍ଧାର,
ନ ଥାନ୍ତା ଯଦ୍ୟପି ଦୁଃଖ, ଥାଆନ୍ତା କି ତେବେ
ସୁଖର ଗୌରବ ? କେବେ ଜଳି ଉଠି ଧୂନୀ
ଅନ୍ଧାରେ ଆଡ଼େଇ ଦେଇ କରୁଛି ବହୁଳ
ଅନ୍ଧାରେ ଆଲୋକ ନାଶେ, ଆଲୋକେ ଅନ୍ଧାର
ଲାଗିଛି ବେନିଙ୍କ ଖେଳ ରହସ୍ୟ ବିଷମ ।
ଦୁହେଁ ଦୁହିଙ୍କର ଯେହ୍ନେ କ୍ରୀଡ଼ାପୁତ୍ତଳିକା ।
ଉଡ଼ୁଛି ସ୍ଫୁଲିଙ୍ଗପୁଞ୍ଜ, ଆଲୋକ-ପୁଷ୍ପକି
ଫୁଟିବା ମାତ୍ରକେ ଝଡ଼ି ଯାଉଛି ମିଳାଇ,
ଯେସନ ମିଳାଇ ଯାଏ ଜୀବନ ସ୍ଫୁଲିଙ୍ଗ
ଲହମାକ ୧ ମଧ୍ୟେ ଉଇଁ, ଚାଣ୍ଡେ କେଉଁଆଡ଼େ,
ହେଉପଛେ ଜାତମୃତ ୨ ସେ ଆଲୋକ ଫୁଲ,
ମାତ୍ର ତାର ମହାଶୋଭା ମହାର୍ହ ସମ୍ପତ୍ତି,
୧- ମୂହୁର୍ତ୍ତ । ୨- ଜାତ ମାତ୍ରେ ଯେ ମୃତ ହୁଏ ।
ବଳେ ସେ ଶୋଭାର ମୂଲ୍ୟ କୋଟି କୋହିନୂରୁ ।
ଏକାଳେ ନୀରବ ସର୍ବେ, ଉଠୁଛି କେବଳ
ସାଏଁ ସାଏଁ ସ୍ୱନ, ଏ କି ନିଶାର ଗର୍ଜନ ?
ପ୍ରକୃତି ତାପସୀ ଅବା ବସି ନିକାଞ୍ଚନେ
ଉଚ୍ଚାରେ ଅନୁଚ୍ଚ ସ୍ୱରେ ପ୍ରଣବ ମନ୍ତର,
ସେ ଅମୃତ ପୂଣ୍ୟସ୍ୱର ଉଠି ଊର୍ଦ୍ଧ୍ୱଦେଶେ
ଖେଳିବୁଲେ ମହେନ୍ଦ୍ରର ଶୃଙ୍ଗେ ଶୃଙ୍ଗେ ଯାଇ ।
କେତେଜ୍ଞାନୀ, କବି, ଯୋଗୀ, ସନ୍ନ୍ୟାସୀ, ବୈରାଗୀ,
ପୂଜୁଥିଲେ ଏ ପର୍ବତେ ମହାତୀର୍ଥ ମଣି,
ହୋଇଣ ବଞ୍ଚିତ ସେହି ସାଧୁ ସହବାସୁ
ସ୍ମରି ଗତ ଗୌରବର ଶ୍ଲାଘ୍ୟତରା ସ୍ମୃତି
ଢାଳୁଛି କି ଖେଦେ ଗିରି ହତାଶ ପ୍ରଶ୍ୱାସ !
କିମ୍ବା ଏ ମହେନ୍ଦ୍ର ଯେଣୁ ଉତ୍କଳନନ୍ଦନ,
ତେଣୁ ମାତ-ବେଦନାରେ ଲଭି ଗୁରୁବ୍ୟଥା-
ନିଦାରୁଣ ମନକ୍ଷତ, ବାଷ୍ପରୁଦ୍ଧ କଣ୍ଠେ
କରୁଛି କି ହାହା ଧ୍ୱନି ଅସ୍ଫୁଟେ, କରୁଣେ,
ବିସର୍ଜି ଶୋକାଶ୍ରୁ କ୍ଷୋଭେ, ହିମବିନ୍ଦୁ ଛଳେ ।
ସର୍ବବିଧ ଉନ୍ନତିର ସମନ୍ୱୟ କେନ୍ଦ୍ର
ଥିଲା ଯେ ଉତ୍କଳ, ଏବେ ନଗଣ୍ୟା ସେ ହାୟ !
ସଂଗଠିତ ପିଣ୍ଡ, ପ୍ରାଣ ଯାର ଅନ୍ନଜଳେ,
ମାତୃମାତା ମହାମାତା ସେ ମାତୃମହୀର
ଦୁଃଖେ ନ ଝରାଏ ଅଶ୍ରୁ ଯେ ଅକୃତଜ୍ଞ ସୁତ,
ନାହିଁ ତାର ନେତ୍ର, ନୁହେଁ ଜନନୀ ତାହାର
ପୁତ୍ରବତୀ, ଭାଗ୍ୟହୀନା ଚୀରବନ୍ଧ୍ୟା ସେହୁ ।
ମହେନ୍ଦ୍ର, ନିର୍ଜନ ଭେଟ ଲଭିଛି ଏକ୍ଷଣି,
ଆଶ୍ରିଲେଣି ନିଦ୍ରା ଅଙ୍କ ସମସ୍ତ ସଙ୍ଗୀଏ,
ଆନ ସଙ୍ଗୀ-ସଂସାରର ଚିନ୍ତା ରହିଲାଣି
ତଳେ, ନୁହେଁ ସାଧ୍ୟ ତାର ଏତେ ଉଚ୍ଚେ ଉଠ
କଳୁଷିତ କରିବ ତୋ ଦେବସ୍ତୁତ ଦେହ,
ବନ୍ଧୁର ପିଚ୍ଛିଳ ତୋର କର୍କରିଳ ପଥେ
ହାବୁଡ଼ି, ପଡ଼ିଲା ଦୁଷ୍ଟ ନିର୍ଘାତେ କଚାଡ଼ି,
ପଙ୍ଗୁ ହୋଇ ସେହିଠାରେ ରହିଗଲା ତହୁଁ ।
ନାହାନ୍ତି ତ ଆଉ କେହି, ପଚାରିବି କିଛି
କହିବୁ କରୁଣା ବହି ଘେନି ମୋ ବିନୟ,
ତୁ ସର୍ବଜ୍ଞ, ସର୍ବଦର୍ଶୀ, ଘନଦୂତେ ତୋର
କାମଗତି, ନାହିଁ ସ୍ଥାନ ଅଗମ୍ୟ ତାଙ୍କର
ତ୍ରିଭୁବନେ, ଯେଉଁ ଗୁପ୍ତ ଅଜ୍ଞାତ ପ୍ରଦେଶେ
ହୁଏ ଭାଗ୍ୟ ଭଙ୍ଗାଗଢ଼ା, ସେ ଦେଶ ସମ୍ବାଦ
ଦିଅନ୍ତି ସେମାନେ ଆଣି ତୋତେ ପ୍ରତିଦିନ,
ଏଣୁ ତୁ ରେ ଗିରମଣି ଭାଜନ ସର୍ବଥା
ମୋର ଏ ପ୍ରଶ୍ନର ଯଥା ଉତ୍ତର ପ୍ରଦାନେ ।
କହ କେବେ କଳି ହେବ ସତ୍ୟ, ଧରା ହେବ
ସ୍ୱର୍ଗ, ନରେ ହେବେ ଦେବ, ସେ ଶୁଭ ଦିନର
ଶୁଭ ଆଗମନ ଆଉ ଅଛି କେତେ ଦୁରେ ?
ସୁପ୍ତି-ମୌନା ମାତୃମହୀ ଲଭିବ ଚେତନା
କେତେ କାଳେ, ମହାସତ୍ତ୍ୱ ମହାପ୍ରାଣ ତୁହି,
ଆବର ତୁ ପୂର୍ଣ୍ଣ, କହ କେତେ କାଳ ପରେ
ତୋହ ଗୁଣଧାରୀ, ପୂର୍ଣ୍ଣ, କଳାବନ୍ତ ନରେ
ମଣ୍ଡିବେ ଉତ୍କଳ-ଅଙ୍କ, ଉଠିବ ସେ ହସି ।
ଉତ୍କଳ-ବାଲ୍ମୀକି ବ୍ୟାସ-ଦାସ ବଳରାମ,
ଜଗନ୍ନାଥ, ଶୂଦ୍ରମୁନି ସାରଳା ପ୍ରଭୃତି
କେବେ ଫେରି ଆସି ପୁଣି ଜାଳିବେ ଉତ୍କଳେ
ଧର୍ମର ଆୟତ ବର୍ତ୍ତି, ଦେଖାଇବେ ପଥ
ବିଷୟ-ଅନ୍ଧାରବଣା ମାନବ ସମାଜେ ?
ଉତ୍କଳର କାଳିଦାସ-ଭଞ୍ଜ, ଭବଭୂତି-
ଦୀନକୃଷ୍ଣ-ସାରସ୍ୱତ ପ୍ରତିଭା-ପ୍ରତିଭୁ,
କେବେ ଆସି ବଜାଇବେ କାବ୍ୟ-କୁଞ୍ଜବନେ
ଉଚ୍ଚାଟ ମୁରଲୀ, ଶୁଣି ସେ ମୋହନ ଧ୍ୱନି
ଧାଇଁବେ ଭାରତୀଭକ୍ତ-ଗୋପାଳ ଗୋପିକା
ଜାତୀୟ-ସାହିତ୍ୟରୂପ ବୃନ୍ଦାବନ ଧାମେ,
କଳ୍ପନା-ଯମୁନା ସ୍ରୋତ ବହିବ ଉଜାଣି,
ଯାଇଥିଲେ ନିର୍ମାଣି ସେ ସାହିତ୍ୟକ୍ଷେତ୍ରରେ
ଯେ ବିରାଟ ମହାସୌଧ, ଜୀର୍ଣ୍ଣ ତାହା ଏବେ,
ସେହି ଉପାଦାନେ ଘେନି ଗଢ଼ିବେ ଆବର
ଉତ୍କଳ-ବାଣୀଙ୍କ ରମ୍ୟ ସୁବର୍ଣ୍ଣ ମନ୍ଦିର ।
କେତେ କାଳେ ପ୍ରତ୍ୟାବୃତ୍ତ ହେବେ ପୁନ ରପି
ଉତ୍କଳେ ମିହିର କଳ୍ପ ପଠାଣି ସାମନ୍ତ,
ଅଦ୍ଭୁତ ପ୍ରତିଭା-ଶିଖା ଉଠିବ ପ୍ରଜୁତି,
ଚାହିଁବ ତାଟଙ୍କା ନେତ୍ରେ ପାଶ୍ଚାତ୍ୟ ଭୁଖଣ୍ଡ
ସଭ୍ୟ, ସମୁନ୍ନତ, ସେହି ମହାଶିଖା ପ୍ରତି,
ନିରେଖନ୍ତି ଯଥା ହର୍ଷେ ଦର୍ଶକନିଖର
ଆକାଶେ ଉଡ୍ଡୀୟମାନ ପ୍ରଦୀପପଞ୍ଜରୀ । ୧
କେବେ ଖ୍ୟାତି-ବିହଙ୍ଗମ ଉତ୍କଳ ମାତାର
ଉଡ଼ିବ ସୁବର୍ଣ୍ଣ ପକ୍ଷ ବିସ୍ତାରି ଚୌଦିଗେ,
୧ - ଉଡ଼ା ଫାନସ
ଜଳିବ ପ୍ରଖରେ ପୁଣି ଗତ ଗୌରବର
ନିର୍ବାଣ ପ୍ରଦୀପ, କେବେ ଏ ଆତ୍ମବିସ୍ତୃତି
ଓଡ଼ିଆ ଜାତିର ଯିବ କ୍ଲୀବଜାତି ଆଖ୍ୟା,
କେବେ ବହି ସମୁନ୍ନତି-ବସନ୍ତ-ପବନ
ଉଡ଼ାଇବ ପ୍ରାଣାଗ୍ନିରୁ ନିରୁଦ୍ୟମ ଭସ୍ମ-
ଆବରଣ, ହେବେ କର୍ମେ ନିରତ ସରବେ ।
ଶ୍ରବଣେ ବ୍ୟାକୁଳ ମୁହିଁ, କହି ଧାତିକାରେ
ପୂର୍ଣ୍ଣ କର ମହେନ୍ଦ୍ର ମୋ ଉଦ୍ଭ୍ରାନ୍ତ ବାସନା ।
କି କହିଲୁ- ‘‘ଟଳମାନ ଭାଗ୍ୟ ସଦା ଭବେ,
ଯେସନ ବେତସ ଲତା ଅସ୍ଥିର ମୋ ଦେହେ,
ଦୃଶ୍ୟମାନ ବିଶ୍ୱେ ସର୍ବେ ଆବର୍ତ୍ତନଶୀଳ-
ଗ୍ରହତାରା ରବିଶଶୀ ଦିବାରାତ୍ରି ଆଦି,
ଖାଲି କି ଉତ୍କଳ ଭାଗ୍ୟ ସ୍ଥାଣୁ ନିଷ୍ପନ୍ଦନ ।
ଉତ୍ଥାନ ପତନ ପୁଣି ଧ୍ୱଂସ ବିସୃଜନ
ଗୁନ୍ଥା କ୍ରମେ ମାଳାକାରେ, ନିୟତି-ସୂତ୍ରରେ,
ଘୂରୁଛି ସଂସାର ଚକ୍ର ରଥପାଦ ୨ ପ୍ରାୟ,
୨ - ଚକ
ସେହି ଘୁର୍ଣ୍ଣାବର୍ତ୍ତ, ଦିନେ ଆଣିବ ନିଶ୍ଚୟ
ଉତ୍କଳ ଅତୀତ ଭାଗ୍ୟ-ଅତୀତ ଗୌରବ,
ପ୍ରସବିବ ଏ ଉତ୍କଳ ଶତ ଶତ ଭଞ୍ଜ,
ସହସ୍ର ସାରଳା, କବିସୂର୍ଯ୍ୟ କୋଟି କୋଟି,
ହେବ ସେ ଉନ୍ନତି ଗର୍ବେ ପୁଣି ଗରବିଣୀ ।’’
ପାହିଲା ରଜନୀ, ହେଲେ ନିଷ୍ପ୍ରଭ ତାରାଏ,
ନିଷ୍ପ୍ରଭ ଯେସନ ଶୋକି-ବଳାତ୍କାର-ହାସ,
ଅଥବା ବିଧବା ମୁଖ କିମ୍ବା ବୃଦ୍ଧ ନେତ୍ର ।
ରାବିଲା ବାୟସ ଉଚ୍ଚେ, ଶୁଣି ସେ ଆରାବ
ଲୁଚିଗଲେ ନିଶାଚର ଜନ୍ତୁଏ କେ କାହିଁ,
ଅବଧାନ ତୁଣ୍ଡ ଶୁଣି ଚାଟପିଲା ପ୍ରାୟ,
ଅଥବା ଖାତକ ଯଥା ସାହୁକାର ଡାକେ ।
ଗୁନ୍ଥିଲା ଲୋତକ-ହାର ବନସ୍ପତି ଜେମା-
କୁସୁମ-ସୁନ୍ଦରୀ, ସୌମ୍ୟ ସୁକୁମାରଅଙ୍ଗୀ
ମୋତିଜ୍ୟୋତିଃ ହିମବିନ୍ଦୁବ୍ୟାଜେ, ଉଦେ ହେଲେ
ଦିନମଣି, ବ୍ରହ୍ମଦର୍ଶୀ ସପ୍ତର୍ଷି ମଣ୍ଡଳୀ
ସମାପି ମାନସ ସ୍ନାନ, ତୋଳି ସ୍ୱର୍ଣ୍ଣପଦ୍ମ
କରନ୍ତି କି ବ୍ରହ୍ମପୂଜା, ପ୍ରାତ୍ୟହିକ କୃତ୍ୟ ।
ହିରଣ୍ମୟ-କର-ହାର ଫେଇ କଣ୍ଠୁ ରବି,
ଦେଲେ ସ୍ନେହେ ବିଲମ୍ବାଇ ଧରଣୀ ବକ୍ଷରେ,
ସେ ଶୋଭା ରଙ୍ଗାଇ ଦେଲା ସୁବର୍ଣ୍ଣ ରଙ୍ଗରେ
ଦର୍ଶକ-ଦିଦୃକ୍ଷା, କରି ପ୍ରାଣମୟୀ ତାକୁ ।
ଚିର ଶୋକଶିଷ୍ୟା ତ୍ରୌଞ୍ଚୀ ଗାଇଲା ସଜ୍ଞାନେ
କିବା ଅନ୍ତଃର୍ବେଦନାର କରୁଣ ସଙ୍ଗୀତ
ଆକୁଳ ଉଦାସ ସ୍ୱରେ, ଅଶ୍ରୁହୀନ ଶୋକେ,
ସେ ଅନନ୍ତ ଆର୍ତ୍ତନାଦେ ବ୍ୟଥିତ ପ୍ରାଣର
କି ସଂକ୍ଷିପ୍ତ ଇତିହାସ କଲା ପରିବ୍ୟକ୍ତ
କାହା ଆଗେ, କି ଆଶାରେ, କେ ବୁଝିବ ତାହା,
ନାହିଁ ହାୟ ନେତ୍ରେ ଅଶ୍ରୁ, ଆସିବ ବା କାହୁଁ;
ମହା ଦୁଃଖେ ଯାଇଛି ତା ବସି ଘନ ହୋଇ,
ଅଶ୍ରୁଶୂନ୍ୟ ଶୋକ ବଡ଼ ଅସହ୍ୟ, କଠୋର,
ଶୋକ ନୁହେଁ- ମୂର୍ତ୍ତିମନ୍ତ ଯମଦୂତ ତାହା ।
ବନ ମଧ୍ୟେ ଲୁଚକାଳି ଖେଳି ଖତମାଳ
କଲା ଗିରି ପ୍ରଦକ୍ଷିଣ ଧୁମାକାରେ ଉଡ଼ି,
ଜରତ ପର୍ବତଶିରେ କି ସେ ପକ୍ୱକେଶ,
କିମ୍ବା ଧୂମ୍ର ନଦୀ ବହେ ଧୂମ୍ର ସ୍ରୋତେ ପୂରି ।
ଶେଷେ କ୍ଷୁଦ୍ର ମୂର୍ତ୍ତି ଧରି ରହିଲା ଶିଖରେ,
ଦେଖି ତାହା ପ୍ରତେ ହେଲା ମାନସେ ଏସନ,
ଚାପୁଛନ୍ତି ବାମନ ବା ବଳିକି ପାତାଳେ !
ଦିବାଲୋକେ ରାଜବସା ଦିଶିଲା ସୁସ୍ପଷ୍ଟ,
ଅହୋ, କି ନିବିଡ଼ି ବନ, ଗଭୀର ଶ୍ୟାମଳ,
ଭୀମକାନ୍ତ, ଶାନ୍ତିଦେବୀ, ଧ୍ୟାନମଗ୍ନା ତହିଁ
ମୁଚୁକୁନ୍ଦ, ଉଲ୍ଲାତକ, ରିଠା, ମେରୁଶୃଙ୍ଗା,
ସୁନାରୀ, ତିନ୍ଦୁକ, ଆମ୍ର, ସଲପ, ତମାଳ,
କୁଟଳ, କରଞ୍ଜ, ଧଉ, ନଖୀ ୧, ବଂଶୀଧାରୀ ୨
ନିର୍ମଳା, ଟାଙ୍ଗିଣୀଚମ୍ପା, ଶିଆଳୀ, ପିପ୍ପଳୀ,
୧ - ଏକ ପ୍ରକାର ବୃକ୍ଷ । ଏହି ବୃକ୍ଷର କାଠ ତେଲରେ ପକାଇ ସିଦ୍ଧ କଲେ
ତେଲର ସ୍ୱାଭାବିକ ଗନ୍ଧ ନଷ୍ଟ ହୁଏ ।
୨ - ବକ୍ଷବିଶେଷ । ଏହାର ଫଳ ବଂଶୀପ୍ରାୟ ।
ଗିରିଗୁଡ଼କଙ୍କ, ମାଣ, କୁରୁବକ ଆଦି
ତରୁ ଲତା ଗୁଳ୍ମକାଳେ ହୋଇ ଖୁନ୍ଦାଖୁନ୍ଦି
ରୋଧୁଅଛି ଦୃଷ୍ଟିରେଖା, ଥାଉ ଆନ କଥା,
ନ ପାଇ ନିର୍ଗମ ପଥ ସମୀରଣ ତହିଁ
ଘୂରିବୁଲେ ଇତସ୍ତତଃ ସନସନ ସ୍ୱନେ,
ଘୂରିବୁଲେ ମଶା ଯଥା ମଶାରି ମଧ୍ୟରେ
ଘୁଣୁ ଘୁଣୁ ସ୍ୱରେ, ଖରେ ଜୀବନ ବ୍ୟାକୁଳେ ।
ଗିରିରାଜ ମହେନ୍ଦ୍ରର ରାଜଧାନୀ କି ସେ,
ନିର୍ଝର ସାଚିବ୍ୟ କରେ ଝର୍ଝର ନିନାଦେ,
ଶ୍ୱାପଦ ପିଆଦା ତହିଁ, ସ୍ୱଭାବେ ସେ ଖଳ,
ପୀଡ଼େ ଯେଣୁ ହରଣାଦି ନିରୀହ ପ୍ରଜାଙ୍କୁ
ବିନା ଦୋଷେ, କ୍ଷମେ ତାକୁ କ୍ଷମାମୟ ଗିରି,
ମାତ୍ର କି କ୍ଷମନ୍ତି କେବେ ଗିରି-ଅଧିକାରୀ
ଶ୍ରୀନିବାସ ରାଜମଣି, ବୀର ଜଗଜ୍ଜେଠୀ,
ଅମୋଘ ତାଙ୍କର ଲକ୍ଷ୍ୟ, ଅର୍ପନ୍ତି ସେ ଦଣ୍ଡ ।
ନ୍ୟାୟନ୍ୟାୟ-ଭେଦଶୂନ୍ୟ କ୍ଷମାର ସ୍ୱଭାବ,
ମାତ୍ର ନୁହେଁ ଧର୍ମର ସେ ଧାରା, ଧରି ସେହୁ
ନ୍ୟାୟ-ନିକ୍ତି, ଅର୍ପେ ଯୋଗ୍ୟ ଶାସ୍ତି ଦୋଷୀ ପ୍ରତି ।
ବାହାରିଲି ସମୁତ୍ସୁକେ କାନନ ଭ୍ରମଣେ,
ପାନବୁୟା ୩ ଆଗେ ଆଗେ କଢ଼ାଇଲା ବାଟ,
କୋଳି ବିକିବାକୁ ଯାଇ ପୁଳିନ୍ଦ ୪ ଯେସନ
ଦେଖି ଆସେ ରଥାଯାତ୍ରା, ଦେଖିଲି ତେସନ
୩ - ରାଜବସାର ରକ୍ଷକ ଜନୈକ ଶଉରା । ବୃୟା ସମ୍ଭବତଃ ତୁୟ । ଶବ୍ଦଳ ।
୪ - ଶବର ।
ମହାଦୃଶ୍ୟ-ସ୍ୱର୍ଣ୍ଣମୁଦ୍ରା ବିଚିତ୍ର ତେସନ
ଶିଳାସ୍ତୁପ ରନ୍ଧ୍ରୁ ଝରି ବହୁ ଜଳଧାରା
ଆସୁଅଛି କ୍ରମନିମ୍ନ ସୋପାନେ ଓହ୍ଲାଇ
ମଧୁର ଭୈରବ ରବେ, ବହୁଛି କି ଆହା
ଧୁର୍ଜଟି ଜଟିଳ ଜଟା ଭେଦି ଭାଗୀରଥୀ
ସହସ୍ର ପ୍ରବାହେ, ବେଗେ ଭୁଜଗ ଗତିରେ ।
ସ୍ୱଚ୍ଛ ଶୁଭ ଜଳ, ଯଥା ତରଳ ହୀରକ,
ଆକଣ୍ଠ ସଳିଳ ଭେଦି ଦିଶେ ଜକଜକ
ନିମ୍ନସ୍ଥ ଶୁକ୍ତିବା, ଶଙ୍ଖ, ଲୋହିତ କର୍କଟ,
ଖେଳୁଛନ୍ତି କ୍ଷୁଦ୍ର ମୀନେ ସୁଧୀରେ ସନ୍ତରି-
କେହି ଶୁକ୍ଳ କେହି କୃଷ୍ଣ କେହି ବା ଲୋହିତ,
ଅଙ୍ଗୁଳି ତାଡ଼ନେ ନାହିଁ ଭୀତି କି ଭ୍ରୁକ୍ଷେପ,
ନିର୍ଜନ ଅଗମ୍ୟ ସ୍ଥଳୀ, ଅଜ୍ଞାତ ଏଠାବେ
ମାନବ ପ୍ରଭାବ, ତେଣୁ ଏ ଗାରିମା ସିନା ।
ଆଗ୍ରହ ବ୍ୟାକୁଳ ନେତ୍ରେ ହେରି ସେ ମାଧୁରୀ
କଲି ନିମ୍ନେ ଗତି ମୁହିଁ ନିମ୍ନଗା ସହିବେ
ଦୁଷ୍କର୍ମୀ ପରାଏ; ବସିଛି କି ବେନି ତୀରେ
ଶାନ୍ତିବୋଳା ହୃଦହରା ସୁଷମା-ବିପଣୀ,
କାହିଁ ତୁଙ୍ଗ ଉଡ଼ୁମ୍ବର ଉଭା ଦୈତ୍ୟପ୍ରାୟ,
ବୀଜ ତା ସର୍ଷପୁ କ୍ଷୁଦ୍ର ଦେଖି ମାଡ଼େ ହସ,
କରିଛି କି ହିମାଳୟ ମୂଷିକ ପ୍ରସବ ।
ମଣ୍ଡିଛି କୋଚିଳା ଅଙ୍ଗେ ପ୍ରବାଳ ପଲ୍ଲବ,
ଲେଖିଛି ବା ବିଧି-କବି ଲୋହିତ ଅକ୍ଷରେ
ବାଛି ବନ-ମହାକାବ୍ୟୁ ଅଳଙ୍କାରମାଳା,
ମାଡ଼ିଛି ତମାଳ ଲତା-ଶ୍ୟାମଙ୍ଗୀ ତହିଁରେ,
ଦେଇଛି କି ସତୀ ନାରୀ ଅଗ୍ନିକୁଣ୍ଡେ ଝାସ,
ପ୍ରତିଫଳ ରକ୍ତପତ୍ର ତରଙ୍ଗିଣୀ ବକ୍ଷେ
ଆଭାସେ ଏସନ, ଆହା ତଟିନୀ ସୁନ୍ଦରୀ,
ଖୋଷିଛି ବେଣୀରେ ଅବା ମନ୍ଦାର କୁସୁମ ।
ପଡ଼ିଛି ବିଞ୍ଛୁଡ଼ି ହୋଇ କେତେ ଝିଙ୍କପକ୍ଷ
ସୂତାଗୁଡ଼ା କୃଷ୍ଣଲୌହ ତାକୁଡ଼ୀ ପରାୟେ । ୧
ବୁଲୁଛନ୍ତି ଦଳେ ଦଳେ ପଥର କଇଁଛ ୨
୧ - ଅରଟ ଯନ୍ତ୍ରର ଅଙ୍ଗବିଶେଷ ।
୨ - ସ୍ଥୁଳକରିମ ।
ରକ୍ତାକାନ୍ତ, କୃଷ୍ଣବର୍ଣ୍ଣ ପାଷାଣ ପୃଷ୍ଠରେ,
ବୁଲନ୍ତି ପ୍ରାବୃଟେ ଯଥା ଇନ୍ଦ୍ରଗୋପପୁଞ୍ଜ
ସୁଶ୍ୟାମଳ ଦୂର୍ବାକୀର୍ଣ୍ଣ ପ୍ରଶସ୍ତ ପ୍ରାନ୍ତରେ ।
ଶୋଇଅଛି ଗଡ଼ଘାଲି ୩ କାହିଁବା ସୁଆର
୩ - କଡ଼େଇ ହୋଇ ।
ବିଶାଳ ପିଆଳ ୪ ତଳେ, ପତି ପଦ ପ୍ରାନ୍ତେ
ସତୀରୂପେ । କାହିଁ ଅବା ପ୍ରକାଶ ବ୍ରତତୀ
ମଣ୍ଡିହୋଇ ଅଭ୍ର ଜ୍ୟୋତି ଦିଶେ ଜ୍ୟୋତିର୍ମୟୀ ୫
ଖେଳୁଛି କି ବ୍ୟୋମଲତା ୬ବନଲତା ସହ ?
୪ - ପିଆଶାଳ
୫ - ରାଜବସା ନିକଟରେ ଅଭ୍ର ଖଣି ଅଛି ।
ଅଭ୍ରପ୍ରଭାରେ ଲତାପଳାଶମାନ ଅଗ୍ନିଲତା ପ୍ରାୟ ଦେଖାଯାଏ ।
୬ - ବିଜୁଳି
ନ ଚଳିଲା ପଦ ଆଉ, ନ ଚଳିଲା ଦୃଷ୍ଟି,
ଅନ୍ଧକାରମୟ ସ୍ଥଳ, ପ୍ରତେ ହୁଏ ଯଥା
ଅରଣ୍ୟର ଅନ୍ତଃପୁର କିମ୍ବା ସନ୍ଧ୍ୟା ରାଜ୍ୟ ।
ଧରିଛି ତଡ଼ାଗାକାର ଶିଳାରୁଦ୍ଧ ସ୍ରୋତ,
ନିର୍ମଳ ସଲିଳରାଶି, କାକଚକ୍ଷୁ ଯଥା,
ସମ୍ଭାଳି ନ ପାରି ତହିଁ ଉଦ୍ବେଳ ଆକାଙ୍କ୍ଷା
ପଡ଼ିଲି ଉଲ୍ଲମ୍ଫି, ଯେହ୍ନେ ମାତୃକୋଳେ ଶିଶୁ,
ପାଇଲେ ଏ ଭଳି ମାତୃକ୍ରୋଡ଼ ପ୍ରକୃତିର,
କ୍ଲାନ୍ତିହର, ଶାନ୍ତିକର, ଶୀତଳ, କୋମଳ,
କେ ନ ଇଛେ ଅଶୈଶବେ ହେବା ପାଇଁ ଶିଶୁ ?
ବିକଟ ବିବିକ୍ତ ବନ, ଦୁଯେ ସେ ନିପାନ ୭
ଆର୍ଦ୍ର ପଥେ ପଡ଼ିଅଛି ପଶୁପଦ ଚିହ୍ନ,
୭ - ପଶୁମାନଙ୍କ ଜଳ ପିଇବା ଘାଟ ।
ମୃଗୟାର ଯୋଗ୍ୟ ସ୍ଥାନ ଜାଣି ମୃଗୟୁଏ
ଜଗନ୍ତି ଅଲକ୍ଷ୍ୟେ ତହିଁ ପ୍ରସ୍ତର ଉହାଡ଼େ,
ଧରି ହସ୍ତେ ମୃତ୍ୟୁବାଣ- ମୃତ୍ୟୁଉପରୂପୀ ।