ଲଭଇ ମୁଁ ସ୍ୱରଭର ଆନନ୍ଦ ସମ୍ପଦେ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୯୧
- ସ୍ଥିତି
- ସାର୍ବଜନୀନ (Public domain)
(୨) (କ) ନିସ୍ତରଙ୍ଗ ଇତ୍ୟାଦି – ଏଠାରେ କବି ଆକାଶକୁ ସମ୍ବୋଧନ କରି କହୁଅଛନ୍ତି, ହେ ଆକାଶ ! ଯେତେବେଳେ ଅନନ୍ତ ସମୟ ନିସ୍ତରଙ୍ଗ ଥିଲା, ଅର୍ଥାତ୍ ତରଙ୍ଗଶୂନ୍ୟ ଥିଲା ଏବଂ ଘୋର କାଳରୂପ ପାରାବାର (ସମୁଦ୍ର) ଘଟନାବିହୀନ ଥିଲା, ତେତେବେଳେ ମଧ୍ୟ ତୁମ୍ଭେ ଅନାଦିକାରଣ ଈଶ୍ୱରଙ୍କୁ ମହାମହିମାରେ ଅବଲମ୍ୱନ କରି ବିରାଜିତ ଥିଲ । ନିସ୍ତରଙ୍ଗ ଇତ୍ୟାଦି ପ୍ରଥମ ପଂକ୍ତିର ଅର୍ଥ ଦ୍ୱିତୀୟ ପଂକ୍ତିର ସମ୍ୟକ୍ ପ୍ରସ୍ଫୁଟିତ ହୋଇଅଛି । ସମୟକୁ ନିସ୍ତରଙ୍ଗ ବୋଲିବାର ତାତ୍ପର୍ଯ୍ୟ ଏହି କି, ସେ ସମୟରେ କୌଣସି ପ୍ରକାର ଘଟନା ଯଥା– ସୂର୍ଯ୍ୟ ଚନ୍ଦ୍ର ଓ ଗ୍ରହତାରାମାନଙ୍କର ସୃଷ୍ଟି ଅଥବା ଆଲୋକର ଉଦ୍ଭବ ଘଟି ନ ଥିଲା । ସମୟ କେଉଁଠାରେ ଆରମ୍ଭ ଏବଂ ଏହାର ଶେଷ ବା କେଉଁଠାରେ ଏହା ମାନବଧାରଣାର ଅତୀତ ଅଟେ । ଏଣୁ କରି ସମୟକୁ ଅନନ୍ତ ଆଖ୍ୟା ପ୍ରଦତ୍ତ ହୋଇଅଛି । ‘‘କାଳପାରାବାର’’ , ଏଠାରେ କାଳକୁ ଅର୍ଥାତ୍ ସମୟକୁ ସମୁଦ୍ର ସହିତ ତୁଳନା କରାଯାଇଅଛି ।
(ଖ) ପୁଷ୍ପର ପ୍ରଥମ ହାସ୍ୟ ଇତ୍ୟାଦି– କବି ଆକାଶକୁ କହୁଅଛନ୍ତି ଯେ ତୁମ୍ଭେ ଈଶ୍ୱରଙ୍କ ବିଧାନରୁ ସର୍ବଦର୍ଶୀ ଅଟେ । ଏହି ଜଗତ-ସଂସାର ମଧ୍ୟରେ ଯାହା କିଛି ସଂଘଟିତ ହେଉଅଛି ଏବଂ ହୋଇଅଛି ତାହା ତୁମ୍ଭର ଅବିତିତ ନାହିଁ । ପୁଷ୍ପର ପ୍ରସ୍ଫୁଟନ କେହି ନ ଦେଖିଲା ପୂର୍ବରୁ ତୁମ୍ଭେ ଦେଖିଅଛି । ଏହି ପୃଥିବୀର ପ୍ରଥମେ ଯେଉଁ ଜୀବର ସୃଷ୍ଟି ହୁଏ ତାହା ତୁମ୍ଭେ ଦେଖିଅଛ । ଆଦି ନରନାରୀ ମଧ୍ୟ ତୁମ୍ଭ ଅଗ୍ରତେ ସୃଷ୍ଟି ହୋଇଅଛନ୍ତି ।
ପୁଷ୍ପର ଶୋଭା ଏରୂପ ମନୋହର ଯେ ତାହା ଦେଖିଲା ମାତ୍ରକେ ହାସ୍ୟ କାରୁଥିବା ପ୍ରାୟ ବୋଧହୁଏ । ଏ ନିମନ୍ତେ କବି ପୁଷ୍ପର ପ୍ରସ୍ଫୁଟନକୁ ପୁଷ୍ପର ହାସ୍ୟ ବୋଲି ଉଲ୍ଲେଖ କରିଅଛନ୍ତି । ଆକାଶ ସର୍ବବ୍ୟାପୀ ହେଲାରୁ କି ଅରଣ୍ୟ, କି ଉଦ୍ୟାନ–ଯେଉଁଠାରେ ପୁଷ୍ପ ପ୍ରସ୍ଫୁଟିତ ହେଉନା କାହିଁକି ତାହା ଆକାଶର ଦୃଷ୍ଟିଗୋଚର ହୁଏ । ଏଣୁ କରି କବି କହୁଅଛନ୍ତି– ‘‘ପୁଷ୍ପର ପ୍ରଥମ ହାସ୍ୟ ତୋହର ଗୋଚର’’ । ଅନ୍ୟ କେହି ଦେଖିଲା ପୂର୍ବରୁ ପୁଷ୍ପର ପ୍ରସ୍ଫୁଟନ ଆକାଶ ଦେଖିବାକୁ ସମର୍ଥ ହୁଏ ବୋଲି...
(ଗ) ... ହେ ଆକାଶ ! ତୁମ୍ଭେ ନାନା ବେଶ ଧାରଣ କର । କେତେବେଳେ ତୁମ୍ଭ ଦେହରେ ମେଘର ଲବମାତ୍ର ନ ଥାଏ– ଚତୁର୍ଦ୍ଦିକ୍ ପରିଷ୍କାର ପରିଚ୍ଛନ୍ନ ଦେଖାଯାଏ । କେତେବେଳେ ଚନ୍ଦ୍ର ନକ୍ଷେତ୍ର ତୁମ୍ଭ ଶରୀରର ଶୋଭା ବର୍ଦ୍ଧନ କରନ୍ତି, ପୁଣି କେତେବେଳେ ଜଳଦମାଳା ତୁମ୍ଭଙ୍କୁ ଭୟଙ୍କର ସଜ୍ଜାରେ ସଜ୍ଜିତ କରିଥାନ୍ତି । ଆକାଶର ଅନ୍ୟ ଏକ ନାମ ‘ନୀଳମ୍ବର’ । ପରିଷ୍କାର ଆକାଶର ଦେହ ନୀଳବସନାବୃତ ପ୍ରାୟ ଦିଶଇ ବୋଲି ଏହାକୁ ନୀଳମ୍ବର ବୋଲିଯାଏ ।
‘‘ଦିଗମ୍ବର ତୁହି ନୀଳମ୍ବର’’– ହେ ନୀଳମ୍ବର (ଆକାଶ), ତୁହି କେତେବେଳେ (କୌଣସି କୌଣସି ସମୟରେ) ଦିଗମ୍ୱର (ଦିକ୍ ଅମ୍ବର, ବସ୍ତ୍ର ଯାହାର) ଅଟୁ । ଅର୍ଥାତ୍ ଦିକ୍ ବ୍ୟତୀତ ତୋହର ଅନ୍ୟ କୌଣସି ବସ୍ତ୍ର ନଥାଏ । ଏଣୁ କରି ସାଧାରଣଭାଷାରେ ଏହାହିଁ ବୋଲିବାକୁ ହେବ ଯେ ଆକାଶ ଦିଗନ୍ତ ପର୍ଯ୍ୟନ୍ତ କେବେ କେବେ ପରିଷ୍କାର ପରିଚ୍ଛନ୍ନ ଥାଏ ।
ଆଡ଼ମ୍ବରେ – ଅର୍ଥାତ୍ ଆଡ଼ମ୍ବର (ଘଟା) ହେତୁରୁ ।
(ଘ) ରଞ୍ଜଇ ଧରଣୀମୁଖ ଇତ୍ୟାଦି– ଏଠାରେ କବି ସୂର୍ଯ୍ୟୋଦୟର ଶୋଭା ମନେ ମନେ ନିରକ୍ଷଣ କରୁଅଛନ୍ତି । ସେ କହୁଅଛନ୍ତି ଯେ ଆକାଶର ଇଙ୍ଗିତମାତ୍ରକେ ଦୀପ୍ତିମନ୍ତ ସୂର୍ଯ୍ୟ ପୃଥିବୀର ଉପରିଭାଗକୁ ରଞ୍ଜିତ କରଇ, ଅର୍ଥାତ୍ ସୁଶୋଭିତ କରଇ ।
‘ଧରଣୀମୁଖ’ ଶବ୍ଦର ଅର୍ଥ ଧରଣୀର ଅର୍ଥାତ୍ ପୃଥିବୀର ଉପରିଭାଗ ।
(ଙ) ଦର୍ଶନେ ପବିତ୍ର ଇତ୍ୟାଦି– କବି ଚନ୍ଦ୍ରାଲୋକ ବିଭାସିତ ପ୍ରଶାନ୍ତ ଆକାଶର ରୂପ ଦେଖି...
(ଚ) ନାଚଇ ଅଗଣ୍ୟ ବିଶ୍ୱ ଇତ୍ୟାଦି– ଏଠାରେ କବି ପୃର୍ଥବୀ, ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ରମାଳା ଓ ଅପରାପର ଗ୍ରହମାନଙ୍କୁ ଲକ୍ଷ୍ୟ କରି କହୁଅଛନ୍ତି । ଏହି ସୁନୀଳ ଆକାଶର ବକ୍ଷରେ ବିଧିଙ୍କ ଶାସନରୁ ସଂଖ୍ୟାତୀତ ଗ୍ରହ ସ୍ୱଚ୍ଛନ୍ଦରେ ନାଚୁଅଛନ୍ତି ଅର୍ଥାତ୍ ଭ୍ରମଣ କରୁଅଛନ୍ତି । – କବି ସୁବିସ୍ତୃତ ଆକାଶକୁ ଆକାଶର ସୁବିଶାଳ ବକ୍ଷସ୍ଥଳ ବୋଲି ବର୍ଣ୍ଣନା କରିଅଛନ୍ତି । ‘ଶାସନ’ ଶବ୍ଦର ଅର୍ଥ ‘ନିୟମ’-।-‘ବିଧିର ଶାସନେ’ ଅର୍ଥାତ୍ ଈଶ୍ୱରଙ୍କ ନିୟମରେ ।
୩ । ସାକ୍ଷ୍ୟ ତୁହିରେ ଗଗନ ସୃଷ୍ଟିପ୍ରକ୍ରିୟାର– ଗଗନକୁ ସୃଷ୍ଟିକାର୍ଯ୍ୟର ସାକ୍ଷୀ ବୋଲିବାର କାରଣ ଏହି କି ଯେ ଗଗନ ଗ୍ରହ, ନକ୍ଷତ୍ର, ମନୁଷ୍ୟ, ଜୀବଜନ୍ତୁମାନଙ୍କ ସୃଷ୍ଟି ହେଲା ପୂର୍ବରୁ ବିଦ୍ୟମାନ ଥିଲା । ଏଣୁ କରି ଗ୍ରହମାନଙ୍କର ସୃଷ୍ଟି ଗଗନ ଅବଶ୍ୟ ପ୍ରତ୍ୟକ୍ଷ କରିଥିବ । କବି ଏହି ଧାରଣାର ବଶବର୍ତ୍ତୀ ହୋଇ କହୁଅଛନ୍ତି– ଗଗନ ! ତୁହି ସୃଷ୍ଟି ପ୍ରକ୍ରିୟାର ସାକ୍ଷୀ ଅଟୁ ।
ଅବଗାହି ଜ୍ୟୋତି ଜଳେ– ଜ୍ୟୋତିରୂପ ଜଳରେ ଅବଗାହନ ଅର୍ଥାତ୍ ସ୍ନାନ କରି (ତୋହର ରୂପ କିପରି ମନୋହର ହୋଇଅଛି) । କବି ପୂର୍ବେ କହିଅଛନ୍ତି ଯେ ଆକାଶ ପ୍ରଥମରେ କେବଳ ଅନ୍ଧକାରରେ ପରିପୂର୍ଣ୍ଣ ଥିଲା; ତଦନନ୍ତର ‘‘ସହସା ପ୍ରଥମ–ଉର୍ମି ମହାକାଳ ନୀରେ, ଖେଳିଲା ଅନନ୍ତ ମହାମହେଶ ଆଦେଶେ । ସହସା ପ୍ରକାଶେ ଜ୍ୟୋତିଧାରା ଯେ ଶରୀରେ, ଶୁଭ୍ର ମନ୍ଦାକିନୀ ଯଥା ବ୍ୟୋମକେଶ ବେଶେ ।’’ ଏବଂ କ୍ରମେ ଗଗନ ଜ୍ୟୋତିରେ ପରିପୂର୍ଣ୍ଣ ହୋଇଗଲା । କବି ଆକାଶ ଆଲୋକରୂପ ଜଳରେ ସ୍ନାନ କରୁଅଛି । ଆଲୋକ-ନନ୍ଦିନୀ– କବି ଉଷାକୁ ଆଲୋକନନ୍ଦିନୀ ଆଖ୍ୟା ଦେଇଅଛନ୍ତି । ଉଷା ଆଲୋକଜାତ ବୋଲି କବି ତାହାକୁ ଆଲୋକର କନ୍ୟାବୋଲି ବ୍ୟକ୍ତ କରିଅଛନ୍ତି । ‘ଆଲୋକ-ନନ୍ଦିନୀ’ ଶବ୍ଦର ଅର୍ଥ ଆଲୋକର କନ୍ୟା ।
କୌମୁଦୀ-ଚର୍ଚ୍ଚିତ– କବି ଆକାଶକୁ ସମ୍ବୋଧନ କରି କହୁଅଛନ୍ତି ଯେ ତୋହର କୌମୁଦୀଚର୍ଚ୍ଚିତ ନୀଳ କଳେବର ଓ ଗମ୍ଭୀର ପ୍ରଶାନ୍ତ ମୂର୍ତ୍ତି ମନର କଳୁଷ ନାଶ କରି ମନ ମଧ୍ୟରେ ପବିତ୍ରଭାବ ଆନୟନ କରଇ । କୌମୁଦୀଚର୍ଚ୍ଚିତ ଶବ୍ଦର ଅର୍ଥ ଜ୍ୟୋତ୍ସ୍ନାଲିପ୍ତ । କବି ଚନ୍ଦନଚର୍ଚ୍ଚିତ ଶବ୍ଦକୁ ଅବଲମ୍ବନ କରି କୌମୁଦୀଚର୍ଚ୍ଚିତ ଶବ୍ଦର ସ୍ମରଣ କରିଅଛନ୍ତି ।
ନୀରବବେଦ– କବି ନିଶୀଥ କାଳରେ ସଂସାରର ନୀରବ ଅଥଚ ଗମ୍ଭୀରଭାବକୁ ସ୍ମରଣ କରି ଆକାଶକୁ କହୁଅଛନ୍ତି–‘‘ନିସ୍ତବ୍ଧ ରାତ୍ରିକାଳରେ ତୁ କି ଆଶ୍ଚର୍ଯ୍ୟ ନୀରବ ବେଦ ପ୍ରଚାର କରୁ । ଏଣୁ ଏହି ନୀରବ ବିଶ୍ୱ ତାହା ଭୟଯୁକ୍ତ ହୃଦୟରେ ଶ୍ରବଣ କରଇ । କବି ଗମ୍ଭୀର ଭାବମୟ ନୀରବତାକୁ ଏଠାରେ ‘ବେଦ’ ବୋଲି ଉଲ୍ଲେଖ କରିଅଛନ୍ତି–ଯେହେତୁ ଆଜି ଧର୍ମଶାସ୍ତ୍ର ବେଦ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଟେ । ବେଦ ଗମ୍ଭୀର ଭାବରେ ପଠିତ ହେଲେ ହୃଦୟରେ ଯେପରି ଗମ୍ଭୀର ଭାବ ଜାତ ହୁଏ, ସେହିପରି ନୀରବତାର ଭାବରେ ମଗ୍ନ ହେଲେ ହୃଦୟ ଗମ୍ଭୀର ଓ ସ୍ତବ୍ଧ ହୋଇଯାଏ ।
କବିତାବଳୀ ଦ୍ୱିତୀୟ ଭାଗ :
ଜୀବନଚିନ୍ତା
ପ୍ରଶ୍ନ –
୧ । ଭାବରାଜି ବିଶ୍ଲେଷଣ କରି ଏହି କବିତାଟିକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କର ।
୨ । ଏହି କବିତାର ଦୋଷଗୁଣ ବିଚାର କର ।
୩ । ନିମ୍ନୋଦ୍ଧୃତ ବାକ୍ୟାଂଶମାନଙ୍କର ଉପଯୋଗୀତା ଦେଖାଇ ବ୍ୟାଖ୍ୟା ପ୍ରଦାନ କର । ଯେଉଁଠାରେ ଭାବର ବିଶେଷତ୍ୱ ଅଛି ତାହାକୁ ବିଶେଷରୂପେ ବ୍ୟାଖ୍ୟାରେ ଦେଖାଇଦିଅ ।
ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ; କାମନା ନିଚୟ, ବିଫଳ ସତତ; କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ; ନ ହୁଅଇ ବିକଶିତ ଜୀବତ୍ମାକୁସୁମ ଏଥି; ପାପର ଭୀଷଣାବର୍ତ୍ତ; ଦିବାକରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ଇତ୍ୟାଦି ।
ଉତ୍ତର –
୧ । (କ) କବି ଆତ୍ମାକୁ ନିଦ୍ରା ପରିତ୍ୟାଗକରି ଜୀବନସ୍ରୋତର ଗତି ନିରୀକ୍ଷଣ କରିବା ନିମନ୍ତେ ସମ୍ବୋଧନ କରୁଅଛନ୍ତି ।
(ଖ) ଜଗତରେ ଅନିତ୍ୟତା ଦର୍ଶାଇ ଅଛନ୍ତି । ୩-୮,୧୧ ।
(ଗ) ରିପୁର ତାଡ଼ନାଜିତ ମାନସିକ ଅପକର୍ଷ ଓ ଶାନ୍ତିର ଅଭାବ; ୯-୧୦, ୧୨-୧୩ ।
(ଘ) କାତର ଓ ଅସ୍ଥିର ହୃଦୟପ୍ରତି ଶାନ୍ତ୍ୱନା ଓ ପ୍ରାଣାରାମ ଧନଲାଭର ଉପାୟ ନିର୍ଦ୍ଦେଶ । ୧୪-୨୪ ।
(ଙ) ଇଶ୍ୱରଙ୍କଠାରେ ସୁମତି ପ୍ରାର୍ଥନା । ୨୫-୨୬ ।
୨ । ‘ଜୀବନଚିନ୍ତା’ ଶବ୍ଦଟି ଗଭୀରଭାବବ୍ୟଞ୍ଜକ । ବାସ୍ତବରେ ଅନନ୍ତ ପ୍ରହେଳିକାପୂର୍ଣ୍ଣ ଏହି ଅଦ୍ଭୁତଲବ୍ଧ ଜୀବନର କଥା ଥରେ ଚିନ୍ତାକରି ଦେଖି ସ୍ତବ୍ଧ ହେବାକୁ ହୁଏ । ସଂସାରକ୍ଷେତ୍ରରରେ ମାନବର ଅବସ୍ଥିତି ଓ ତାହାର କାର୍ଯ୍ୟକୌଶଳ, ବୁଦ୍ଧିର ପରିଚାଳନା ଓ ଜ୍ଞାନୋନ୍ନତି, ଆତ୍ମୋତ୍କର୍ଷ ଓ ପବିତ୍ରଭାବ ଇତ୍ୟାଦି ବିଷୟଗୁଡ଼ିକର ଆଲୋଚନା କଲେ ପ୍ରଭୂତ ଆନନ୍ଦ ଉପଲବ୍ଧି ହୋଇଥାଏ-। କବି ଜୀବନଚିନ୍ତା ରଚନାରେ ଗଭୀରତାର ପରାକାଷ୍ଠା ପ୍ରଦର୍ଶନ କରୀଅଛନ୍ତି । କବିତାଟିକୁ ଯେତେଥର ପାଠ କରାଯାଏ ତାହାର ନିଗୂଢ଼ତ୍ୱ–ଭାବର ବିଶେଷତ୍ୱ, ରଚନାର ଚାତୁର୍ଯ୍ୟ, ବିଷୟର ବିଶାଳତ୍ୱ ତେତେଗୁଣ ବୃଦ୍ଧିପ୍ରାପ୍ତ ହୁଅଇ । ଜୀବନ-ଚିନ୍ତାରେ ମଧୁରତାର ଅଭାବ ମଧ୍ୟ ନାହି–ରଚନାର ଲାଳିତ୍ୟ, ଶବ୍ଦବନ୍ୟାସ ଏବଂ ଉପମା ଅଳଙ୍କାରାଦି ପାଠକର ମନୋହରଣ କରଇ । ଏଇ କବିତାଟିରେ ଅଧ୍ୟାତ୍ମଭାବ ପ୍ରଧାନ । ସମାଲୋଚକ ମଧୁରତାର ଦୃଷ୍ଟାନ୍ତ ଜୀବନଚିନ୍ତାରୁ ସଂକଳନ କରିବାକୁ ଗଲେ ମହାବିପଦରେ ପଡ଼ିବେ, ହେତୁକି କେଉଁ ସ୍ଥଳଟି ଅମଧୁର ଏବଂ କେଉଁ ସ୍ଥାନ ସେ ପରିତ୍ୟାଗ କରିବେ ତାହା ସେ ସହଜରେ ଖୋଜିପାରିବେ ନାହିଁ । ହୃଦୟପ୍ରତି ଆଶ୍ୱାସବାକ୍ୟ ଏବଂ ୩,୭,୧୧ ଚିହ୍ନିତ ପଦଗୁଡ଼ିକ ଯେ କିରୂପ ଆଶାପ୍ରଦ, ଶିକ୍ଷାପ୍ରଦ ଓ ମନୋରମ ତାହା ପାଠକେ ଅବଶ୍ୟ ଅନୁଭବ କରିବେ । ୧୭-୧୯ କବିଙ୍କର କ୍ଷମତାର ବିଶେଷ ପରିଚୟ ସ୍ଥଳ । ଜୀବନଚିନ୍ତାରେ ଯେ ଦୋଷ ନାହିଁ ଏମନ୍ତ ନୁହେଁ, ସ୍ଥାନେ ସ୍ଥାନେ ସାମାନ୍ୟ ତ୍ରୁଟି ଥାଇ ଏହାକୁ କଳଙ୍କିତ କରିଅଛି । ଯଥାକ୍ରମେ ଦୋଷା ଉଲ୍ଲେଖ କରାଯାଉଅଛି ।
(କ) ଜଟିଳତା– କବିତାଟିର କେତେକ ସ୍ଥଳରେ ଭାଷା ଜଟିଳ ହୋଇଅଛି । ଦୃଷ୍ଟାନ୍ତ ସ୍ଥଳରେ ୧୫ ଶ୍ଳୋକ ଉଦ୍ଧୃତ କରାଯାଇପାରେ ।
ସେ ଅମୃତ ମହୌଷଧ–ଉଦ୍ଦୀପନା । ୧୫ । ଏଠାରେ ଦୁଇପ୍ରକାର ଅର୍ଥ (ଅବଶ୍ୟ ସେମାନଙ୍କର ପ୍ରଭେଦ କମ୍) ସମ୍ଭବ ।
ରିପୁଚୟ କୋଳାହଳେ ଏ ପିପାସା କେଭେ (କେବେହେଁ) ନିର୍ବାପିତ ନୋହେ (ହୁଅଇ ନାହିଁ)–ଅର୍ଥ ପରିଷ୍କାର ନୁହେଁ ।
(ଖ) କେତେକ ସ୍ଥଳରେ ଉପଯୁକ୍ତ ଶବ୍ଦ ବ୍ୟବହୃତ ହୋଇନାହିଁ । ଯଥା ଆତ୍ମା ସୁଧାମଲାଗି ପିପାସିତ ପରିବର୍ତ୍ତରେ ଉତ୍କଣ୍ଠିତ ବ୍ୟବହାର କରିଥିଲେ ଉପଯୁକ୍ତ ହୋଇଥାନ୍ତା । ସୁଧାମ ଅର୍ଥାତ୍ ସୁନ୍ଦର ଧାମ ବା ସ୍ଥାନ ।
ଅସାର ସଂସାର– ଜଳେ । ସଂସାରର ଜଳକୁ ଅସାର (ସାରହୀନ) ବୋଲିବାର ତାତ୍ପର୍ଯ୍ୟ କ’ଣ ? ଅସାର – ସଂସାର ଜଳେ ଏରୂପ ଥିଲେ ଅର୍ଥଲାଭ ହୁଅନ୍ତା ।
ଅମୃତ ଜୀବନଦାତା... । ୨୨ ।
ଅମୃତରୂପ ଜୀବନ ଅପ୍ରସିଦ୍ଧ । ‘ଅମରଜୀବନ’ ଲେଖା ହୋଇଥିଲେ ଉପଯୋଗୀ ହୋଇଥାନ୍ତା ।
(ଗ) ଦୁଇଏକ ସ୍ଥଳର ଭାବରେ ମଧ୍ୟ ଦୋଷ ପଡ଼ିଅଛି । ଦୃଷ୍ଟାନ୍ତ ସ୍ଥଳ ୫।୨୩ ।
ଭାବସିନ୍ଧୁ ମାୟାଶୌଳମୟ ଉତ୍ୟାଦି । ୫ ।
ମୃତ୍ୟୁକୁ ସିନ୍ଧୁ ସହିତରେ ତୁଳନା କରାଯାଇଅଛି । ପ୍ରଥମ ଚାରିପଦରେ ତାହା ଦ୍ରଷ୍ଟବ୍ୟ । ପୁଣି ୫ମ ପଦରେ ଭବସଂସାରକୁ ସିନ୍ଧୁବୋଲିବାରୁ ଭାବରେ ଦୋଷ ଘଟିଅଛି ।
କରରେ ହୃଦୟାକାଶ...ଇତ୍ୟାଦି । ୨୩ ।
୨୨ ଶ ପଦରେ ହୃଦୟକୁ ସମ୍ବୋଧନ କରାଯାଇଅଛି, ଫଳତଃ ଅନ୍ୟ କର୍ତ୍ତାର ଅବିଦ୍ୟମାନରେ ୨୩ ପଦରେ ମଧ୍ୟ ତାହାକୁ କର୍ତ୍ତାବୋଲି ଗ୍ରହଣ କରିବାକୁ ହେବ । ଏଣୁକରି ହୃଦୟକର୍ତ୍ତା ହେଲେ କରରେ ହୃଦୟାକାଶ ଇତ୍ୟାଦି ଥିବାର ଅସଙ୍ଗତ ।
(ଘ) ସ୍ଥାନଚ୍ୟୁତ ଦୋଷ ଏକସ୍ଥଳରେ ଲକ୍ଷିତ ହୁଅଇ– ଦୃଷ୍ଟାନ୍ତ ସ୍ଥଳ । ୧୧ ।
ମୁକୁଟମଣ୍ଡିତ ରାଜଶିର ଇତ୍ୟାଦି ୮ମ ପଦର ଅବ୍ୟବହିତ ପରେ ଆସିଥିଲେ ଉତ୍ତମ ହୋଇଥାନ୍ତା ।
୩ । ପ୍ରଶ୍ନର ଉତ୍ତର ମୃତ୍ୟୁସିନ୍ଧ-କରାଳ-ଲହରୀ–କରାଳ (ଭୟଙ୍କର) ଲହରୀପୂର୍ଣ୍ଣ ମୃତ୍ୟୁରୂପ ସିନ୍ଧୁ ଅର୍ଥାତ୍ ସାଗର । ମୃତ୍ୟୁ ମାନବାତ୍ମାର ଶେଷ ନ ହେଉ ମାନବ ଜୀବନର (ଜୀବିତ ଦଶାର) ଶେଷ ଅଟେ । ନଦୀର ସାଗରସଂଗମହିଁ ପ୍ରସିଦ୍ଧ ଏବଂ ଜୀବନକୁ ନଦୀ ସହିତରେ ତୁଳନା କରାଯାଇଥିବାରୁ ମୃତ୍ୟୁକୁ ସାଗର ବୋଲାଯାଇଅଛି । ଏଠାରେ କବି ଆତ୍ମାକୁ ସମ୍ବୋଧନ କରି କହୁଅଛନ୍ତି– ଆତ୍ମାନ୍, ଦେଖ ଜୀବନସ୍ରୋତ କିପରି ବେଗରେ ଭୀଷଣଲହରୀପୂର୍ଣ୍ଣ ମୃତ୍ୟୁରୂପ ସିନ୍ଧୁକୁ ଭେଟିବାକୁ ଯାଉଅଛି ।
କାମନାନିଚୟ ଇତ୍ୟାଦି– କବି ଭବସଂସାରକୁ ସିନ୍ଧୁସଦୃଶ ଜ୍ଞାନକରି ସଂସାରର ସ୍ୱାର୍ଥବିଜଡ଼ିତ ମାୟା ବନ୍ଧୁନକୁ ଶୌଳବୋଲି ବର୍ଣ୍ଣନ କରିଅଛନ୍ତି । ସମୁଦ୍ର ମଧ୍ୟରେ ପର୍ବତ ଥିଲେ ବିଚକ୍ଷଣ ନାବିକ ବ୍ୟତୀତ ଅନ୍ୟ କେହି ନିରାପଦରେ ତରୀ ବହିବାକୁ ସକ୍ଷମ ହୁଅନ୍ତି ନାହିଁ । ଭବସିନ୍ଧୁ ମାୟାଶୈଳମୟ ହୋଇଥିବାରୁ ଅନେକଙ୍କର ଆଶାରୂପ ତରଣୀ (ଭବସିନ୍ଧୁ ପାର ହେଲାବେଳେ) ଉକ୍ତ ଶୈଳରେ ବାଜି ଚୂର୍ଣ୍ଣ ହୋଇଯାଏ; ଫଳତଃ ସେମାନଙ୍କର କାମନାନିଚୟ ସର୍ବଦା ନିଷ୍ଫଳ ହୋଇଥାଏ ।
କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ– ସ୍ଥିର ଓ ଅଚଞ୍ଚଳ ଏକଅର୍ଥ ପ୍ରକାଶ କରୁଅଛି । କବି ଜଗତର ଅନିତ୍ୟତା ପ୍ରଦର୍ଶନ କରି ପ୍ରଶ୍ନ କରୁଅଛନ୍ତି ‘‘କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ।’’ ପ୍ରକାରାନ୍ତରରେ ସେ କହୁଅଛନ୍ତି ଯେ ଏ ଜଗତ ଅନିତ୍ୟ, ଏଠାରେ କୌଣସି ବସ୍ତୁ ସ୍ଥିର ଅଚଞ୍ଚଳ ଭାବରେ ନାହିଁ । ଯାହା ଆଜି ସମ୍ମୁଖରେ ଦେଖୁଅଛୁଁ ଦୁଇଦିନ ପରେ ତାହା ବିନଷ୍ଟ ହୋଇଯିବ; ତାହାର ଚିହ୍ନସୁଦ୍ଧା ଏଠାରେ ରହିବ ନାହିଁ । ନ ହୁଅଇ ବିକଶିତ ଉତ୍ୟାଦି– କବି କହୁଛନ୍ତି ଯେ ଏ ସଂସାର ଅନ୍ଧକାର ସ୍ଥାନ, ଏଠାରେ ଜୀବାତ୍ମାରୂପ କୁସୁମ ସହଜରେ ବିକଶିତ ହୁଅଇ ନାହିଁ (ସୂର୍ଯ୍ୟକିରଣବିରହିତ ଅନ୍ଧକାରମୟ ସ୍ଥାନରେ ପୃଷ୍ଠ ଫୁଟଇ ନାହିଁ । ପୁଷ୍ପର ପସ୍ଫୁଟନା ପକ୍ଷରେ ସୂର୍ଯ୍ୟାଲୋକର ବିଶେଷ ଆବଶ୍ୟକ) ପୁଣି ଏହି ସଂସାର ଯଦ୍ୟପି ଅନ୍ୟ କୌଣସି ଅନ୍ଧକାରରେ ଆଚ୍ଛନ୍ନ ହୁଏ (ଜଗତର ସ୍ଥାୟୀ ଅନ୍ଧକାର ଛଡ଼ା) ତାହା ହେଲେ ଜୀବାତ୍ମା କୁସୁମର ବିକାଶ ତେଣିକି ଥାଉ ତାହା ଶୁଷ୍କ ହୋଇଯାଏ । ‘‘ଏ ସଂସାର ଅନ୍ଧକାର ସ୍ଥାନ’’ ଏଠାରେ ଅନ୍ଧକାରର ଅର୍ଥ ସାଧାରଣ ଅର୍ଥରୁ କିଞ୍ଚିତ ବିଭିନ୍ନ । ସୂର୍ଯ୍ୟାଲୋକ ବିଭାସିତ ସଂସାରକୁ ଅନ୍ଧକାରାଚ୍ଛିନ୍ନ ବୋଲିବାର ଅର୍ଥ ଅଛି । ଏଠାରେ ଆଧ୍ୟାତ୍ମିକ ଉନ୍ନତିର ଅଭାବକୁ ଲକ୍ଷ୍ୟକରି କବି ଅନ୍ଧକାର ଶବ୍ଦ ବ୍ୟବହାର କରିଅଛନ୍ତି ।
‘‘ଅନ୍ଧାରେ ହେଲେ ଜଡ଼ିତ’’– ଏଠାରେ ବିଶ୍ୱାସ, କୁସଂସ୍କାର, ଶିକ୍ଷାର ଅଭାବ ଇତ୍ୟାଦିକୁ ଅନ୍ଧାରପଦବାଚ୍ୟ କରାଯାଇଅଛି । ପାପର ଭୀଷଣାବର୍ତ୍ତ– ‘ଆବର୍ତ୍ତ’ ଶବ୍ଦ ପ୍ରୟୋଗ କଲାବେଳେ କବିଙ୍କ ମନରେ ଅବଶ୍ୟ ସଲିଳର ଭାବ ଉଦୟ ହୋଇଥିବ । ପାପର ଭୀଷଣାବର୍ତ୍ତ ଅର୍ଥାତ୍ ପାପସଲିଳର ଉଭୟଙ୍କର ଆବର୍ତ୍ତନ ବା ଘୂର୍ଣ୍ଣନ (ଯାହାକୁ ଭାଷାରେ ଭଉଁରୀ କହନ୍ତି) । କବି କହୁଅଛନ୍ତି ଯେ ଅହଂକାରାଦି ରିପୁ ମନୁଷ୍ୟମାନଙ୍କୁ ପାପର ଭୟଙ୍କର ଆବର୍ତ୍ତ ମଧ୍ୟରେ ନିକ୍ଷେପ କରଇ, ଅର୍ଥାତ୍ ମନୁଷ୍ୟମାନେ ଅହଂକାରାଦି ରିପୁର ବଶବର୍ତ୍ତୀ ହୋଇ ନାନାପ୍ରକାର ଜଘନ୍ୟ କାର୍ଯ୍ୟ କରନ୍ତି । ଦିବାକରେ ନିରେଖି ଗଗନେ ଇତ୍ୟାଦି–ପଦ୍ମପୁଷ୍ପକୁ କବିମାନେ ସୂର୍ଯ୍ୟର ପ୍ରଣୟିନୀ ବୋଲି ବର୍ଣ୍ଣନା କରିଅଛନ୍ତି । ପଦ୍ମଫୁଲ ସୂର୍ଯ୍ୟୋଦୟ ହେଲା ଉତ୍ତାରୁ ପ୍ରସ୍ଫୁଟିତ ହୁଏ ବୋଲି ପ୍ରସିଦ୍ଧି ଅଛି । ଦିବାକର ଅର୍ଥରେ ସୂର୍ଯ୍ୟ ଏବଂ ନିରେଖି ଅର୍ଥ ନିରୀକ୍ଷଣ କରି । କବି ଏଠାରେ ଆତ୍ମାକୁ ପଦ୍ମସହିତ ତୁଳନା କରି କହୁଅଛନ୍ତି ଯେ ପଦ୍ମ ଯେରୂପ ସୂର୍ଯ୍ୟକୁ ଦେଖିଲାମାତ୍ରରେ ବିକଶିତ ହୁଏ, ଆତ୍ମା ମଧ୍ୟ ବିଭୁଙ୍କର ଦରଶନ ପ୍ରାପ୍ତ ହୋଇ ପ୍ରଫୁଲ୍ଲ ହୁଅଇ । ବିଭୁଙ୍କୁ ‘ପୁଣ୍ୟର ତପନ’ ବୋଲିବାର ଅର୍ଥ ଏହି ଯେ ସୂର୍ଯ୍ୟଙ୍କୁ ଦେଖିଲାକ୍ଷଣି ପୃଥିବୀର ଅନ୍ଧକାରରାଶି ଯେପରି ପଳାୟନ କରେ, ସେହିପରି ବିଭୁଙ୍କୁ ଦେଖିଲାକ୍ଷଣି ପାପରାଶି ଅନ୍ତରିତ ହୋଇଯାଏ ଏବଂ ପାପର ଭୂବନରେ ପୁଣ୍ୟର ଜ୍ୟୋତି ପ୍ରକାଶିତ ହୁଏ ।
ପୂର୍ଣ୍ଣଧର୍ମ
ଏକମାତ୍ର
ପୂର୍ଣ୍ଣଧର୍ମ
ସର୍ବାଙ୍ଗସୁନ୍ଦର
ଏକମାତ୍ର
ପୂର୍ଣ୍ଣଶାସ୍ତ୍ର
ବ୍ରହ୍ମାଣ୍ଡ ମଧ୍ୟର
ଏକମାତ୍ର
ଜ୍ଞାନଭକ୍ତି
ଯୋଗ କର୍ମବିଧି
ଏକମାତ୍ର
ସତ୍ୟପୁଣ୍ୟ
ପ୍ରେମ ଶାନ୍ତିନିଧି
ଏକମାତ୍ର
ସର୍ବଧର୍ମ
ସମନ୍ୱୟକାରୀ
ଏକମାତ୍ର
ଦେଶକାଳ
ବ୍ୟବଧାନହାରୀ
ଏକମାତ୍ର
ଜାତିଜାତି
ବିରୋଧବିନାଶୀ
ଏକମାତ୍ର
ନରନାରୀ
ମଙ୍ଗଳବିଳାସୀ
ଏକମାତ୍ର
ସତ୍ୟଧର୍ମ
ବ୍ରହ୍ମ ନିଃଶ୍ୱସିତ
ଏକମାତ୍ର
ବ୍ରହ୍ମବିଧି
ବ୍ରହ୍ମାଣ୍ଡରେ ବଡ଼ ।
ଏହି ପୃଥିବୀରେ ଯେତେ ଧର୍ମ ପ୍ରଚଳିତ ଅଛି, ତନ୍ମଧ୍ୟସ୍ଥ କୌଣସି ଧର୍ମକୁ ଆମ୍ଭେମାନେ ଅସତ୍ୟ ବୋଲି ଜ୍ଞାନକରୁନାହିଁ । ବ୍ରହ୍ମବଳ ଅର୍ଥାତ୍ ସତ୍ୟର ଜୀବନୀଶକ୍ତି ପ୍ରତ୍ୟେକ ଧର୍ମର ମୂଳରେ କାର୍ଯ୍ୟ କରୁଅଛି । ବୈଷ୍ଣବ, ଶାକ୍ତ, ଶୈବ, ଖ୍ରୀଷ୍ଟିଆନ, ବୌଦ୍ଧ, ମୁସଲମାନ ପ୍ରଭୃତି ସମସ୍ତ ଧର୍ମ ସତ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ । ଏହା ଆମ୍ଭେମାନେ ସ୍ୱୀକାର କରି ପ୍ରତ୍ୟେକ ଧର୍ମକୁ ଧର୍ମାବହ ପରମେଶ୍ୱରଙ୍କର ବିଶେଷ-ବିଶେଷ ବିଧାନ ବୋଲି ଜାଣି ପ୍ରତ୍ୟେକ ଧର୍ମର ଚରଣ ତଳରେ ପ୍ରଣତି ହେଉଅଛୁଁ । କିନ୍ତୁ ଆମ୍ଭେମାନେ ପ୍ରଚଳିତ ଧର୍ମମାନଙ୍କ ମଧ୍ୟରୁ କାହାରିକୁ ପୂର୍ଣ୍ଣାବୟବ ସର୍ବାଙ୍ଗସୁନ୍ଦର ଧର୍ମବୋଲି ସ୍ୱୀକାର କରି ନ ପାରୁଁ । ପ୍ରତ୍ୟେକ ଧର୍ମରେ ବିଶେଷ-ବିଶେଷ ସତ୍ୟର ପ୍ରକାଶ ହୋଇଅଛି । କିନ୍ତୁ ଜ୍ଞାନ ଓ ପବିତ୍ରତା, ଭକ୍ତି ଓ କର୍ମ, ଯୋଗ ଓ ବୈରାଗ୍ୟ, ଈଶ୍ୱରଙ୍କର ଅଦ୍ୱିତୀୟତା ଏବଂ ଲୀଳାସୌନ୍ଦର୍ଯ୍ୟ, ଆତ୍ମାର ସ୍ୱାଧୀନତା ଓ ଏକମାତ୍ର ସତ୍ୟଶାସ୍ତ୍ରର ଆଧିପତ୍ୟ, ଆତ୍ମାର ଅନନ୍ତ ଉନ୍ନତି ଓ ସର୍ବଦେଶୀୟ ସାଧୁଭକ୍ତ ଋଷିମାନଙ୍କର ନିର୍ବିରୋଧ ମିଳନ ଏ ସମସ୍ତ ଏକାଧାରରେ ଦେଖାଯାଏନାହିଁ । ତେଣୁ ଆମ୍ଭେମାନେ ପ୍ରଚଳିତ ଧର୍ମମାନଙ୍କୁ କୌଣସି ପ୍ରକାରେ ଅବଜ୍ଞା ନକରି ସୁଦ୍ଧା ସତ୍ୟର ଅନୁରୋଧରେ ଆଂଶିକ ଖଣ୍ଡଧର୍ମ ବୋଲି କହିବାକୁ ବାଧ୍ୟହେଲୁଁ ।
ଆମ୍ଭେମାନେ ପୂର୍ଣ୍ଣଧର୍ମର ପ୍ରୟାସୀ । ସେହି ସର୍ବାଙ୍ଗସୁନ୍ଦର ଅନନ୍ତ ପୂର୍ଣ୍ଣବ୍ରହ୍ମଙ୍କର ଧର୍ମ ମଧ୍ୟରେ ସତ୍ୟ ପୁଣ୍ୟ-ପ୍ରେମ-ମଙ୍ଗଳ- ଶାନ୍ତି–ଆନନ୍ଦ-ଯୋଗ-ବୈରାଗ୍ୟ-ଜ୍ଞାନ-କର୍ମ ପ୍ରଭୃତି ଆତ୍ମାର ଚିରବାଞ୍ଚିତ ସମସ୍ତ ସଂପଦ ଏକାଧାରରେ ସନ୍ନିବିଷ୍ଟ ହୋଇଅଛି । ପୃଥିବୀର ଏହି ପୂର୍ଣ୍ଣ ସତ୍ୟୋଜ୍ଜ୍ୱଳ ଧର୍ମର ଆଗମନ ପଥ ପରିଷ୍କାର କରିବା ନିମିତ୍ତ ଆଂଶିକ ଧର୍ମ ବିଧାନମାନଙ୍କର ଆବିର୍ଭାବ । ପୂର୍ଣ୍ଣଶକ୍ତି ଅନନ୍ତ ବିଧାତାଙ୍କର ସର୍ବ ବିଜୟିନୀ ଇଚ୍ଛାବଳରେ ପୃଥିବୀ ଏହି ପୂର୍ଣ୍ଣଧର୍ମ ଗ୍ରହଣ କରିବା ନିମିତ୍ତ ନିତ୍ୟ ନିତ୍ୟ ଅଗ୍ରସର ହେଉଅଛି । ହେ ମନୁଷ୍ୟ, ନିଜର ଓ ପୃଥିବୀର ଅତୀତ ଇତିହାସ ଆଲୋଚନା କରି, ଭବିଷ୍ୟତ୍ ପ୍ରତି ଆଶା ଓ ବିଶ୍ୱାସ ନୟନରେ ବାରେ ଅନାଇ ଏକମାତ୍ର ବ୍ରହ୍ମବିଧି ପୂର୍ଣ୍ଣଧର୍ମରୂପେ କଳ୍ପତରୁର ଶୀତଳ ଚରଣତଳରେ ଆତ୍ମା ସମର୍ପଣ କର ।
[ନବସମ୍ବାଦ, ପ୍ରଥମ ବର୍ଷ, ଚତୁର୍ଦ୍ଦଶ ସଂଖ୍ୟା
୨୮।୪।୧୮୮୬]
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ