ରାଜା ଅତ୍ୟନ୍ତ କୌତୁହଳୀ ହୋଇ ଏକାନ୍ତ ଆଗ୍ରହରେ–‘‘ତମେ କିମିତି ଗଲ, ସୁନାଖଣି କିମିତି, ତମେ କି କାମ କର, ସେ ମୁଲକର ଲୋକେ କିମିତି କା, ସେମାନେ କଅଣ ଖାଆନ୍ତି ? ଏହିପରି ଅନେକ ପ୍ରଶ୍ନ ଏକ ନିଃଶ୍ୱାସରେ ପଚାରିଲେ । ଭଦ୍ରଲୋକଟି କହିଲା–‘‘ମୁଁ ପ୍ରଥମେ ରେଙ୍ଗୁନ ଗଲି । ସେଠି ଯେତେ ଓଡ଼ିଆ ଅଛନ୍ତି, ସେମାନଙ୍କର ଚିଠି ପତ୍ର ଲେଖିଦେଇ ବେଶ୍ ଚାରିପଇସା ଉପାର୍ଜନ କଲି । ସେଠି ଛ ମାସ ରହି ଜଣେ ସାହେବ ସଙ୍ଗରେ ଆଫ୍ରିକା ଚାଲିଗଲି । ସାହେବ ସେଠା ସୁନା ଖଣିର ଜଣେ ବଡ଼ କର୍ମଚାରୀ । ସେ ଅନେକ ସମୟରେ କଲିକତା, ବୋମ୍ୱାଇ, ରେଙ୍ଗୁନ ପ୍ରଭୃତି ସ୍ଥାନକୁ ଆସନ୍ତି । ସେ ସବୁସ୍ଥାନରେ ତାଙ୍କର କାରବାର ଅଛି-। ସାହେବଟି ବଡ଼ ଦୟାଳୁ; ସବୁବେଳେ ତାଙ୍କ ମୁହଁ ହସିଲା ପରି ଦିଶେ । କି ଶୁଭ ମାହେନ୍ଦ୍ର ଯୋଗବେଳେ ସେ ମୋତେ ଦେଖିଥିଲେ କେଜାଣି; ପହିଲୁ ଦେଖା ହେବା ଦିନ ସେ ମୋତେ ଆପଣାର କରିଦେଇ କିଣିନେଲେ । ଦିନେ ସେ ସଡ଼କରେ ଯାଉଁ ଯାଉଁ ତାଙ୍କର ସୁନାଚେନ୍ ଛଡ଼ାଟା ଖସିପଡ଼ିଲା । ସାହେବ ତାହା ଜାଣନ୍ତି ନାହିଁ । ମୁଁ ପଛରେ ଯାଉଥିଲି, ଚେନ୍ ଛଡ଼ାଟି ନେଇ ସାହେବଙ୍କୁ ଦେଲି । ଏତିକିରେ ସେ ମୋ ପ୍ରତି ମହା ସନ୍ତୁଷ୍ଟ ହୋଇ କହିଲେ, ତୁ କିଏ, କଅଣ କରୁ, ଘର କେଉଁଠି, ତୋର ଆଉ କିଏ ଅଛି ? ଏହିପରି କେତେ କଥା ପଚାରିଲେ । ମୁଁ ସବୁ କହିଲି; ତହୁଁ ବେଶି ଟଙ୍କା ଦେଲେ । ତାଙ୍କ ଦେଶକୁ ଯିବି କି ନାହିଁ ବୋଲି ପଚାରିଲେ ଏବଂ ତାଙ୍କ ଦେଶରେ ସୁନାଖଣି ଅଛି ବୋଲି କହିଲେ । ସୁନାଖଣି ଦେଖିବାକୁ ମୋର ଭାରି ଇଚ୍ଛା ହେଲା । ମୁଁ ହଁ ଭରିଲି, ସାହେବ ମୋତେ ସାଙ୍ଗରେ ନେଇଗଲେ, ସେ ଦେଶରେ ବନ୍ୟ ଜାତିଙ୍କୁ କାଫ୍ରି କହନ୍ତି । ସେମାନେ ସୁନାଖଣିରେ କାମ କରନ୍ତି । ଖଣିରୁ ବାହାରିଲାବେଳେ ସୁନା ମାଟି ସାଙ୍ଗରେ ମିଶିଥାଏ, ତାକୁ ଧୋଇ ଧୋଇ ସେଥିରୁ ସୁନାରେଣୁ ବାହାର କରନ୍ତି । ମୁଁ ସୁନାଖଣିର ପ୍ରହରୀ ଥିଲି । ଖୁବ୍ ବିଶ୍ୱାସୀ ଲୋକ ଛଡ଼ା ଆଉ କାହାକୁ ସେ କାମ ଦିଆଯାଏ ନାହିଁ । ସାହେବ ମୋତେ ସେହି କାମରେ ରଖାଇଦେଲେ । ମୁଁ ଯାହା ଦରମା ପାଏଁ, ତାହା ଏଠିକାର ଦେଢ଼ଶ ଟଙ୍କା ସାଙ୍ଗରେ ସମାନ ହେବ-। ସେ ଦେଶରେ ଢେର ମକା ଚାଷ ହୁଏ । ସାଧାରଣ ଲୋକେ ମକା ଖାଆନ୍ତି । ମୁଁ ବି ସେହି ମକା ଖାଉଥିଲି । ସାହେବ ମାସେ ହେଲା କଲିକତା ଆସିଅଛନ୍ତି । ମୁଁ ତାଙ୍କ ସାଙ୍ଗରେ ଆସିଥିଲି । ଠାକୁରଙ୍କୁ ମୁକୁଟଟି ଦେବା ସକାଶେ କାଲି ରେଲରେ ଆସିଲି । ଆଜି ସକାଳେ ଷ୍ଟେସନରେ ଓହ୍ଲାଇ ଛାମୁଙ୍କ ଦର୍ଶନକୁ ଆସିଅଛି ।’’ ରାଜା ଏହା ଶୁଣି ପଚାରିଲେ–‘‘ତମେ କିଏ ? ତମ ଘର କେଉଁଠି-? ବାବୁଟି ହସି ହସି କହିଲା–‘‘ମୁଁ ଛାମୁଙ୍କର ପ୍ରଜା’’ ଅନନ୍ତର ରାଜଗୁରୁ ଏବଂ ପୁରୋହିତଙ୍କ ଆଡ଼କୁ ଚାହିଁ କହିଲା–‘‘କି ରାଜଗୁରୁ ଆପଣେ ତମେ ମୋତେ ଚିହ୍ନି ପାରୁ ନାହଁ ?’’ ରାଜଗୁରୁ ଟିକିଏ ସଙ୍କୁଚିତ ହେଲାପରି ହୋଇ କହିଲେ ‘‘ଏଁ କଉଁଠି ଦେଖିଥିଲା ପରି ଲାଗୁଛି ।’’ ପୁରୋହିତେ କହିଲେ, ‘‘ମୁଁ ବି ଟିକିଏ ଦୁଚିହ୍ନା କରୁଛି ।’’ ତହୁଁ ଭଦ୍ରଲୋକଟି ମୃଦୁ ମୃଦୁ ହସି ଧୀର ସ୍ୱରରେ କହିଲା–‘‘ମୁଁ ବନମାଳୀ ପରା, ବୈଦ୍ୟଭୂଷଣଙ୍କ ସାନ ଜୁଇଁ ।’’ ରାଜଗୁରୁ ଆଶ୍ଚର୍ଯ୍ୟ ହୋଇ କହିଲେ–‘‘କେତେ ଭେଲିଙ୍ଗି ଜାଣ ହେ ତୁମେ, ଏ ବହୁରୂପୀ ନା କଅଣ ? ଆଜି ନିଶଦାଢ଼ୀ କାହୁଁ ଆସିଲା ? କାଲି ବାବାଜି, ଆଜି ଭଦ୍ରଲୋକ ।’’ ରାଜା ପ୍ରଭୃତି ସମସ୍ତେ ବନମାଳୀର ମୁହଁକୁ ଅନାଇ ରହିଲେ । ବନମାଳୀ କିଛି ବୁଝି ନପାରି ଅତି ଆଶ୍ଚର୍ଯ୍ୟ ହୋଇ କହିଲା–‘‘କଅଣ କହୁଛ ହେ ?’’ ଏଥର ପୁରୋହିତଙ୍କର ପାଳି, ସେ କହିଲେ–‘‘କହିବେ ଆଉ କଅଣ, ତମେ ପହରି ଦିନ ଶଶୁରଘରକୁ ଯିବାକୁ ମଙ୍ଗୁ ନଥିଲ ପରା ? କାହିଁ ଆସିବାବେଳେ ତ ନିଶ ଦାଢ଼ୀ ନଥିଲା ।’’ ରାଜା ତାହାର ନିଶ-ଦାଢ଼ିକୁ ନିରୀକ୍ଷଣ କରି ଦେଖିଲେ; ମାତ୍ର ତାହା ଖଞ୍ଜା ନୁହେ । ବନମାଳୀ ଅଧିକତର ଆଶ୍ଚର୍ଯ୍ୟ ହୋଇ କହିଲା–‘‘ମୁଁ ପହରିଦିନ ଆସିଥିଲି ? କେଉଁଠିକି ଆସିଥିଲି ? ସ୍ୱପ୍ନ ଦେଖୁଛ, ନା କଅଣ ?’’ ରାଜା କହିଲେ–‘‘ହଁ ହଁ, ବୈଦ୍ୟଭୂଷଣେ କହୁଥିଲେ–ତାଙ୍କ ଜୁଇଁ ବାବାଜିଙ୍କ ସାଙ୍ଗରେ ଚେଲା ହୋଇ ଆସିଥିଲା, ସେ ତାକୁ ଧରି ନେଇଯାଇଅଛନ୍ତି ।’’ ବନମାଳୀ କହିଲେ ‘‘ନା, ମହାରାଜ, ମୁଁ ତ ଆଜି ସକାଳେ ରେଲରୁ ଓହ୍ଲାଇ ବାହାରେ ବାହାରେ ଏଠିକି ଆସିଛି; ଆଉ ବାବାଜି ଚେଲା ହେବାକୁ ଯିବି ବା କି ଦୁଃଖରେ ?’’ ଏକଥା ଶୁଣି ସମସ୍ତଙ୍କର ସନ୍ଦେହ ହେଲା । ରାଜଗୁରୁ ପୁରୋହିତେ ଆଖି ଠରାଠରି ହେଲେ । ରାଜା ତାଟଙ୍କା ହୋଇ ରହିଲେ । ସମସ୍ତଙ୍କୁ ନୀରବ ଦେଖି ବନମାଳୀ ରାଜଗୁରୁଙ୍କ ଆଡ଼କୁ ଚାହିଁ ପଚାରିଲେ–‘‘ବ୍ୟାପାର କଅଣ ରାଜଗୁରୁ ? ତହୁଁ ରାଜଗୁରୁ ଗତ ଦିନର ଘଟଣା ଆମୂଳ ପଲ୍ଲବିତ କରି ବର୍ଣ୍ଣନା କଲେ । ସମସ୍ତ କଥାଶୁଣି କ୍ରୋଧ, ଘୃଣା ଏବଂ ଲଜ୍ଜାରେ ବନମାଳୀର ମୁହଁ ଲାଲ ପଡ଼ିଗଲା, ସେ କମ୍ପିତ କଣ୍ଠରେ କହିଲେ–‘‘ତେବେ ମୁଁ ବୋଲି ଭୁଲରେ ଆଉଜଣକୁ ଜୁଇଁ କରିଛନ୍ତି ? ଯାହା କରନ୍ତୁ ମୋର କଅଣ ଗଲା । ମୁଁ ତ ତାଙ୍କ ଘରେ ରହିବା ପାଇଁ ଆସିନାହିଁ; ଏହି ମୁକୁଟ ଟି ଦେବାକୁ ଆସିଥିଲି । ଦେବଋଣ ପରିଷୋଧ କଲି, ଏବେ ଚାଲିଯିବି । ଗୃହସ୍ଥାଶ୍ରମ ପରିତ୍ୟାଗ କରି ମୁଁ ସେବାବ୍ରତ ଧାରଣ କରିଛି; ଏଣିକି ଦେଶ ସେବାରେ ଜୀବନ ଯାପନ କରିବି । ଗୋଟାଏ ଅନୁଷ୍ଠାନରେ ମଧ୍ୟ ହାତ ଦେଇଛି । ମୁଁ ଦେଢ଼ଶହ ଟଙ୍କା ଦରମା ପାଏଁ, ମୋର ପଚାଶଟଙ୍କା ଖର୍ଚ୍ଚହୁଏ । ବାକି ଶହେଟଙ୍କା ମୁଁ ପ୍ରତିମାସ ଜାତୀୟ ପାଣ୍ଠିକୁ ଦିଏଁ । ସେଥିରେ ପାଞ୍ଚଜଣ ପ୍ରବୀଣ ଶିକ୍ଷକ ନିଯୁକ୍ତ ହୋଇ ଗ୍ରାମେ ଗ୍ରାମେ ବୁଲି ସୂତାକଟା ଶିକ୍ଷା ଦିଅନ୍ତି । ମୁଁ ମଧ୍ୟ ସୂତାକଟାରେ ଆତ୍ମନିୟୋଗ କରିଅଛି, ଅବସର ବେଳେ ସୂତା କାଟେ । ଟ୍ରାନ୍ସ ଭାଲରେ ଅନେକ ଭାରତବାସୀ ଅଛନ୍ତି, ସେମାନେ ମଧ୍ୟ ସୂତା କାଟନ୍ତି । ସେଠାରେ ଆମ୍ଭେମାନେ ଗୋଟିଏ ଜାତୀୟ ପାଣ୍ଠି ସ୍ଥାପନ କରିଅଛୁଁ, ସେଥିର ଧନ ଭାରତୀୟ ଜାତୀୟପାଣ୍ଠିକୁ ଆସେ । ମୁଁ ପ୍ରତିଜ୍ଞା କରିଛି, ଜୀବନରେ ଯାହା ଉପାର୍ଜନ କରିବି, ତାହା ଦେଶମାତାଙ୍କ ସେବାରେ ବ୍ୟୟ କରିବି ।’’ ଅନନ୍ତର ବନମାଳୀ ଉଠି ଠିଆହୋଇ ରାଜାଙ୍କୁ କହିଲେ–‘‘ମହାରାଜ ମୁଁ ଏବେ ଛାମୁରୁ ବିଦାୟ ନେଉଛି, ପୁଣି କେବେ ଆସିଲେ ସାକ୍ଷାତ କରିବି । ଏ ଗରିବ ପ୍ରତି ଛାମୁଙ୍କର ଦୟା ଥାଉ ।’’ ଏତିକି ମାତ୍ର କହି ରାଜା, ରାଜଗୁରୁ ଏବଂ ପୁରୋହିତଙ୍କୁ ପ୍ରଣାମ କରି କେହି କିଛି କହିବା ପୂର୍ବରୁ ଶୀଘ୍ରଗତିରେ ସେଠାରୁ ପ୍ରସ୍ଥାନ କଲେ । ରାଜା ଏବଂ ତାଙ୍କର ପାରିଷଦ ଦ୍ୱୟ ଚିତ୍ର ପୁତ୍ତଳୀ ପରି ଚାହିଁ ରହିଲେ । କାହାରି ମୁହଁରୁ ଭାଷା ବାହାରିଲା ନାହିଁ-।
ଦଣ୍ଡକ ମଧ୍ୟରେ ଏ କଥା ଗଡ଼ସାରା ରାଷ୍ଟ୍ରହୋଇଗଲା । ସମସ୍ତେ କୁହାକୁହି ହେଲେ ବୈଦ୍ୟଭୂଷଣେ ଯାହାକୁ ଧରିନେଇଯାଇଥିଲେ ସେ ତାଙ୍କ ଜୁଇଁ ନୁହେ । ଅସଲ ଜୁଇଁ ବନମାଳୀ ଆଜି ସକାଳେ ଆସିଥିଲା । ରାଜାଙ୍କୁ କେତେ ସୁନା ଗହଣା, ହୀରା, ନୀଳା, ମୋତି, ମାଣିକ୍ୟ ଭେଟିଦେଇ ରାଜାଙ୍କ ସାଙ୍ଗରେ କଥାବାର୍ତ୍ତା କଲା । ବୈଦ୍ୟଭୂଷଣଙ୍କ କରଣୀ ଶୁଣି ଆଉ ରହିଲା ନାହିଁ–ପଳାଇଲା, ସେ ଏବେ ମସ୍ତ ବଡ଼ଲୋକ; ଦେଢ଼ଶ ଟଙ୍କା ଦରମା ପାଏ । କଉଁ ସାଇବ ମୁଲୁକରେ ଯାଇ ସୁନାଖଣିରେ ଚାକିରୀ କରିଛି । ଅନେକେ ଏଘଟଣାକୁ ନେଇ ଆମୋଦ କରିବସିଲେ । କେହିକହିଲା ‘‘ଛି ଛି ଏ କି କଳଙ୍କ, କଅଣ ଚିହ୍ନିପାରିଲେ ନାହିଁ ?’’ କେହି କହିଲା,‘‘ମୁଁ ଏକା ମୂଳରୁ ଜାଣେ–ତାହାରି ପରି ଦିଶୁଛି, ହେଲେ ସେ କେବେ ନୁହେ ।’’ ଅନ୍ୟ କେ କହିଲା ‘‘ମୁଁ ବି ସେହି ଧୋକା କରିଥିଲି; ମାତ୍ର ବଡ଼ଘର କଥା କିଏକାଳେ କଅଣ ମନରେ କରିବ, ଏହି ଭୟରେ କହିଲି ନାହିଁ । ସ୍ତ୍ରୀ ସମାଜରେ ତ ଯାତ୍ରା ଲାଗିଗଲା । କିଏ କେତେ ଅଙ୍ଗଭଙ୍ଗୀ ଦେଖାଇଲା । କିଏ କେତେ ଛଟା ମେଲିଲା- କିଏ କେତେ ବିଦ୍ରୂପ କଲା, ଏହିପରି ନାନା ଲୀଳା ଲାଗିଲା–କେହି କହିଲା ‘‘ଆଉ କେହି ଜାଣି ଚିହ୍ନି ନ ପାରିଲା, ସେ କନକୁସୀ କାଳିମୁହୀଁଟା ବି ଆପଣା ଗେରସ୍ତକୁ ଚିହ୍ନିଥିଲା ନାହିଁ ନା ? ମରଣ ନାହିଁ ରାଣ୍ଡ ହଟହଟିକି ।’’ କେହି କହିଲା–‘‘ଯେସାକୁ ତେସା ଖୁବ୍ ହେଲା ଆଚ୍ଛାହେଲା ଘଇତାକୁ ଘଉଡ଼ୁ ।’’ ଏହିପରି ବାର ଲୋକେ ବାର କଥା କହିଲେ । କ୍ରମେ ସ୍ୱୟଂ ସସ୍ତ୍ରୀକ ବୈଦ୍ୟଭୂଷଣଙ୍କର ଏକଥା କର୍ଣ୍ଣଗୋଚର ହେଲା । ତାଙ୍କ ମୁଣ୍ଡରେ ଆକାଶ ଭାଙ୍ଗି କୁଢ଼େଇ ପଡ଼ିଲା; ତଥାପି ବୈଦଭୂଷଣେ ଅବିଶ୍ୱାସକରି ରାଜାଙ୍କ ସମୀପକୁ ଧାଇଁଲେ । ସେ କିଛି ନ କହୁଣୁ ରାଜା ତାଙ୍କୁ ଦେଖି କହିଲେ–‘‘କି ବୈଦ୍ୟଭୂଷଣେ ତମ ଆଖି କଣ ଫୁଟିଯାଇଥିଲା ଯେ ଜୁଇଁ ବୋଲି ଗୋଟାଏ ଭଣ୍ଡାରୀକି ଧରିନେଇଗଲ ?’’ ବୈଦ୍ୟଭୂଷଣେ ଆଉ କହିବେ କଅଣ ଲଜ୍ଜାରେ ମୁହଁପୋତି ଫେରି ଆସିଲେ । ଦୁଇ ହାତ ମୁଣ୍ଡରେ ଦେଇ ଘରେ ବସିପଡ଼ି ଗୃହିଣୀକୁ କହିଲେ–‘‘ସର୍ବନାଶ ଏ ଆମର ଜୁଇଁ ନୁହେ ।’’ ଗୃହିଣୀ ଧପ୍ କରି ବସିଗଲେ ତାଙ୍କ ତୁଣ୍ଡରେ ଭାଷା ନାହିଁ । ରଘୁନାଥ ଏହା ଶୁଣି ଆନନ୍ଦରେ କାନ୍ଦିପକାଇଲା । ବାଷ୍ପରୁଦ୍ଧ କଣ୍ଠରେ ଭକ୍ତିଗଦ୍ଗଦ ସ୍ୱରରେ କହିଲା–‘‘ଭଗବାନ୍ ତୁମ୍ଭର ଏ କି ଅଗ୍ନି ପରୀକ୍ଷା ? ହେଉ ପ୍ରଭୁ ହେଉ, ତୁମ୍ଭର ମଙ୍ଗଳ ଇଚ୍ଛା ପୂର୍ଣ୍ଣ ହେଉ, ମୋର ଆଉ ଯଦି କିଛି ପାପ ଥାଏ ତାହାର ବି ପ୍ରାୟଶ୍ଚିତ୍ତ ହେଉ ।’’ ଅନନ୍ତର ଭଗବାନଙ୍କ ଉଦ୍ଦେଶ୍ୟରେ ଅଷ୍ଟାଙ୍ଗ ଲୋଟାଇ ଦଣ୍ଡବତ କରି ବୈଦ୍ୟଭୂଷଣଙ୍କ ଘରୁ ବାହାରି ଚାହିଗଲା ।
ମଙ୍ଗଳା ଶୁଣିଲା କ୍ଷଣି ମୂର୍ଚ୍ଛିତ ହୋଇପଡ଼ିଲା । ବହୁ ଯତ୍ନରେ ବହୁକ୍ଷଣ ପରେ ସେ ଚେତନା ପାଇ ଭାବିଲା–‘‘ହାୟ ଯହିଁ କି ଡରୁଥିଲି ସେହିଥିରେ ପଡ଼ିଲି । ଉଃ ମୋର ଗତି କଅଣ ହବ ? ଆଉ ଲୋକଙ୍କୁ ମୁହଁ ଦେଖାଇବି କିମିତି ? ମୁଁ ଯେ ପରପୁରୁଷର ଅଙ୍ଗ ଛୁଇଁ ନାହିଁ ଏହା କି କେହି ବିଶ୍ୱାସ କରିବ । ପୃଥ୍ୱୀ ଫାଟିଯାଉ, ମୁଁ ତାହା ଗର୍ଭରେ ଲୁଚିଯାଏ । ଏପରି ରୋଜଗାରିଆ ସ୍ୱାମୀକୁ ମୁଁ ହତମାନ କଲି । ସେ ଯାହା କହିଥିଲା–‘‘ଭଗବାନ ତୋତେ ପ୍ରତିଫଳ ଦେବେ’’ ତାହା ସତ ହେଲା । ସେ ଦେବତା, ମୁଁ ରାକ୍ଷସୀ । ଠାକୁରେ ମୋର ଦର୍ପ ଚୂର୍ଣ୍ଣକଲେ । କେତେଲୋକ ମୋ ନାରେ କେତେ ହାଟ ବସେଇବେଣି । ହାୟ ! ମୋତେ ମରଣ ନହେଲା କାହିଁକି ?’’ ଏହିପରି କ୍ରନ୍ଦନ ଏବଂ ଅନୁତାପରେ ଦିନ କଟିଗଲା । ରାତିରେ ମଙ୍ଗଳାକୁ ଭୟଙ୍କର ଜ୍ୱର ହେଲା । ଜ୍ୱର କ୍ରମେ ପ୍ରବଳଭାବରେ ବଢ଼ିଲା, ବୈଦ୍ୟଭୂଷଣେ ପ୍ରାଣପଣରେ ଚେଷ୍ଟାକଲେ । ଚିକିତ୍ସାରେ ଅଣୁମାତ୍ର ତ୍ରୁଟି ହେଲାନାହିଁ; ମାତ୍ର କାହିଁ ରେ କିଛିହେଲା ନାହିଁ । ରୋଗୀ ପ୍ରଳାପ କରିବାକୁ ଲାଗିଲା, ଆଉ ବାରମ୍ୱାର କହିବାକୁ ଲାଗିଲା–‘‘ଉଃ; କି କଠୋର ପ୍ରତିଶୋଧ ।’’ ରାତି ଶେଷ ପ୍ରହରରେ ମଙ୍ଗଳାର ଅବସ୍ଥା ଶୋଚନୀୟ ହୋଇଉଠିଲା । ସେ ଆଉ କଥା କହିପାରିଲା ନାହିଁ । ପ୍ରଭାତ ସମୟରେ ତାହାର ପ୍ରାଣ-ପକ୍ଷୀ କେଉ ଅଜ୍ଞାତ ମହାରଣ୍ୟ ଉଦ୍ଦେଶ୍ୟରେ ଉଡ଼ିଗଲା । ଅନୁତାପ ମଧ୍ୟରେ ତାହାର ଦୃପ୍ତଜୀବନର ଅବସାନ ଘଟିଲା । ଲୋକେ କହିଲେ–‘‘ସାମାନ୍ୟ ଭୁଲରେ କେଡ଼େ ଗୋଟାଏ ପ୍ରକାଣ୍ଡ ଦୁର୍ଘଟଣା ଘଟିଗଲା ।’’ ଭଣ୍ଡାରୀକୁ ଜୁଇଁ ରୂପରେ ଘରେ ରଖି ତାହା ସାଙ୍ଗରେ ଖିଆପିଆ କରିଥିବା ହେତୁ ବୈଦ୍ୟଭୂଷଣେ ସମାଜରେ ପତିତ ହୋଇରହିଲେ ।