କାଶ୍ମୀରର ପ୍ରାକୃତିକ ଶୋଭା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୬୦
- ସ୍ଥିତି
- ସାର୍ବଜନୀନ (Public domain)
ଭାରତବର୍ଷର ଉତ୍ତର-ପଶ୍ଚିମ କୋଣରେ କାଶ୍ମୀର ରାଜ୍ୟ ଅବସ୍ଥିତ । ଏହାର ଉତ୍ତରରେ ହିମାଳୟ,ଦକ୍ଷିଣରେ ପଞ୍ଜବ, ପଶ୍ଚିମରେ ରାଉଲପିଣ୍ଡି, ପୂର୍ବରେ ତିବ୍ବତ । ଏହି ପ୍ରଦେଶର ମଧ୍ୟସ୍ଥଳରେ ବିତସ୍ତା ନଦୀ ଶାଖାପ୍ରାଶାଖା ବିସ୍ତାର କରି ବରାହମୂଲ ଗିରିପଥ ଦେଇ ପଞ୍ଜାବ ପ୍ରଦେଶରେ ପ୍ରବେଶ କରିଅଛି । କାଶ୍ମୀରର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର । ଏଥିପାଇଁ ଏହା ଭୂସ୍ୱର୍ଗ ନାମରେ ଖ୍ୟାତ । ଏପରି ମନୋହର ପ୍ରାକୃତିକ ଦୃଶ୍ୟ ପୃଥିବୀରେ ବିରଳ । କାଶ୍ମୀରର ଦକ୍ଷିଣାଂଶରେ ଅଧିକ ସଂଖ୍ୟକଲୋକଙ୍କର ବାସ । ଉକ୍ତ ପ୍ରଦେଶର ପର୍ବତମାଳା ଦେବଦାରୁ ବନରେ ଆଚ୍ଛାଦିତ । ତହିଁ ମଧ୍ୟରେ ସ୍ଥାନେ ସ୍ଥାନେ କୃଷିକାର୍ଯ୍ୟର ଉପଯୁକ୍ତ ଭୂମିର ମଧ୍ୟ ଅଭାବ ନାହିଁ-। ନଦୀ ତୀର ଶ୍ୟାମଳ ଶସ୍ୟକ୍ଷେତ୍ରରେ ପରିପୂର୍ଣ୍ଣ । ପ୍ରତ୍ୟେକ ଗ୍ରାମରେ ସୁନ୍ଦର ସୁନ୍ଦର ରାଜପଥ ବିଦ୍ୟମାନ । କାଶ୍ମୀରର ଚତୁର୍ଦ୍ଦିଗରେ ଯେଉଁ ପର୍ବତମାଳା ବିରାଜିତ, ସେଗୁଡ଼ିକର ଉପରିଭାଗ ବର୍ଷବଧ୍ୟରେ ଆଠମାସକାଳ ତୁଷାର ମଣ୍ଡିତ ଥାଏ । ଦକ୍ଷିଣ ଦିଗରେ ଶୈଳମାଳା କ୍ରମନିମ୍ନ ବୋଲି ସେହି ଦିଗର ଦୃଶ୍ୟ ଅଧିକ ମନୋହର । ଉତ୍ତର ଦିଗର ଅଧିକାଂଶ ଅରଣ୍ୟ-ପ୍ରଦେଶ ହେଲେହେଁ ଏହି ଦିଗରେ ଅତ୍ୟୁଚ୍ଚ ଗିରିମାଳା, ବିସ୍ତୃତ କୃଷିକ୍ଷେତ୍ର, ନଦୀସମୂହ ଏବଂ ଜଳପ୍ରପାତସମୂହ ପ୍ରକୃତିକୁ ଅପୂର୍ବ ବେଶରେ ସୁଶୋଭିତ କରି ରଖିଅଛି ।
ଶ୍ରୀନଗର କାଶ୍ମୀରର ରାଜଧାନୀ । ଏହାର ଉତ୍ତର-ପୂର୍ବ କୋଣର ଅର୍ଦ୍ଧକୋଣ ଦୂରରେ ଉଲ୍ ନାମକ ଗୋଟିଏ ହ୍ରଦ ଅବସ୍ଥିତ । ଗୋଟିଏ ଖାଲଦ୍ୱାରା ଏହା ବିତସ୍ତା ସହିତ ସଂଯୁକ୍ତ । ଶ୍ରୀନଗର ରାଜପ୍ରାସାଦର ଠିକ୍ ସମ୍ମୁଖରେ ଉକ୍ତ ଖାଲ ଆସି ହ୍ରଦ ସହିତ ମିଶିଅଛି ।
କାଶ୍ମୀରର ଋତୁପରିବର୍ତ୍ତନ ଅତି ସୁନ୍ଦର । ବସନ୍ତପୂର୍ବରୁ ଯେତେବେଳେ ବରଫ ବା ଘନ ତୁଷାରର ଦ୍ରବ ଆରମ୍ଭ ହୁଏ, ସେତେବେଳେ ତୁଷାରମଣ୍ଡିତ ବୃକ୍ଷଲତା ତୁଷାରାବରଣ ଛାଡ଼ି ପୁଷ୍ପମୁକୁଳରେ ବିଭୂଷିତ ହୁଅନ୍ତି । କାଶ୍ମୀରର ଗଛରେ ଆଗ ଫୁଲ ଫୁଟେ; ଫୁଲ ଶୁଖିଲେ ପତ୍ର ଅଙ୍କୁରିତ ହୁଏ । ଏଠାରେ ବୈଶାଖଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ବସନ୍ତର ଅଧିକାର ସାତ ମାସ ଥାଏ ।
କାଶ୍ମୀରରେ ନାନାବର୍ଣ୍ଣର ମନୋହର ସୁଗନ୍ଧ ପୁଷ୍ପ ଯଥେଷ୍ଟ । ସର୍ବପ୍ରଥମେ ଈଷ୍ତ ହରିଦ୍ରାଭ ଶ୍ୱେତବର୍ଣ୍ଣ ବେଦମୁସ୍କ ଫୁଲ୍ ଫୁଟେ । ଯେଉଁ ଆଡ଼କୁ ଚାହିଁଲେ ବୋଧହୁଏ, ଯେପରି ପୁଷ୍ପଶଯ୍ୟା ରଚିତ ହୋଇଅଛି । ବୈଶାଖର ମଧ୍ୟଭାଗରେ ବାଦାମଫୁଲ ଫୁଟିଲେ ଆଉ ଏକ ନୂତନ ଶୋଭା ନୟନଗୋଚର ହୁଏ । ଜ୍ୟେଷ୍ଠମାସରେ ଏକପ୍ରକାର ବୃହତ୍ ମଲ୍ଲିକା ଫୁଲ ଫୁଟେ । ଆଷାଢ ମାସରେ ନାନାବିଧ ଫଳ ଜନ୍ମେ । ଶ୍ରାବଣ ମାସରେ ଖରା ଟିକିଏ ଟାଣ ହୁଏ । କାଶ୍ମୀରରେ ଗୋଟିଏ ଆଶ୍ଚର୍ଯ୍ୟ ନିୟମ ଏହି କି ଯେ, ଟିକିଏ ଅଧିକ ଗ୍ରୀଷ୍ମ ଉପସ୍ଥିତ ହେଲେ ଅଳ୍ପ ବୃଷ୍ଟି ହୋଇ ପର୍ବତାଦି ଶୀଘ୍ର ଶୀତଳ ହୋଇଯାଏ; କିନ୍ତୁ ଧାରା ଶ୍ରାବଣ ନାହିଁ । ଆଶ୍ୱିନରେ ଫଳ ପାଚେ । କାର୍ତ୍ତିକରେ ଶୀତ ଆରମ୍ଭ ହୁଏ । ଶୀତକାଳରେ କୁଙ୍କୁମ କ୍ଷେତ୍ରରେ ରକ୍ତବର୍ଣ୍ଣ କୁଙ୍କୁମ ଜନ୍ମି ତାହାର ସୈାରଭ ଓ ସୁଷମାରେ ନୟନମନ ହରଣ କରେ ।
କାଶ୍ମୀର ସମୁଦ୍ରପୃଷ୍ଠ ଉପରୁ ପ୍ରାୟ କୋଡ଼ିଏ ହଜାର ଫୁଟ ଉଚ୍ଚ । କାର୍ତ୍ତିକ ମାସ ପ୍ରଥମରୁ ପର୍ବତରେ ତୁଷାରପତନ ଆରମ୍ଭ ହୁଏ । ବରଫ ପଡ଼ିବାର କିଛିଦିନ ପୂର୍ବରୁ ଶିଶିର ପଡ଼େ । ଏହି ସମୟରେ ପ୍ରାତଃକାଳରେ ବୋଧହୁଏ, ଯେପରି କେହି ରାସ୍ତାରେ ଚାରିଆଡ଼େ ଚୂନ ଛିଞ୍ଚିଦେଇଅଛି । କିଛି ଦିନପରେ କୋରା ନଡ଼ିଆ ଛିଞ୍ଚା ପରି ବୋଧହୁଏ । ତୁଷାର ପଡ଼ିଲେ ପ୍ରଭାତରେ ଚଉଦିଗ ରୂପାପତରରେ ଆଚ୍ଛାଦିତ ହେଲା ପ୍ରାୟ ଦିଶେ । ପର୍ବତ, ନିଷ୍ପତ୍ର ବୃକ୍ଷ, ଲତା, ଗୁଳ୍ମ, ଗୃହଛାତ, ନୈାକା, ଉଚ୍ଚନୀଚ ଭୂମି, ପଥ ସବୁ ରୈାପ୍ୟମଣ୍ଡିତ । ଗୃହଛାତରୁ କାଚନଳ ପରି ବରଫନଳ ଝୁଲୁଥାଏ । ଶୀତ ସମୟରେ ଏଠାରେ କାମ କରିବା କଷ୍ଟକର । ତହିଁରେ ପୁଣି ସମୟେ ସମୟେ ପ୍ରବଳ ଝଡ଼, ମୂଷଳଧାରାରେ ବୃଷ୍ଟି ଓ ଭୟଙ୍କର ଶିଳାପାତ ହୁଏ । କେତେବେଳେ ବା ଏକାଦିକ୍ରମେ ଏକମାସ ଯାଏ ସୂର୍ଯ୍ୟ ଦେଖାଯାଏ ନାହିଁ; ନଦୀ ଓ ହ୍ରଦର ଜଳ ବରଫ ହୋଇଯାଏ । ସୁତରାଂ ଅନେକ ସମୟରେ ପାନୀୟ ଜଳର ଅଭାବ ହୁଏ । ଏହି ସମୟରେ କାଶ୍ମୀରବାସୀମାନେ ଗୃହରେ ଦିବାରାତ୍ର ଅଗ୍ନି ଜାଳି ରଖନ୍ତି ।
ପୃଥିବୀରେ କାଶ୍ମୀର ତୁଲ୍ୟ ଆଉ ସ୍ୱାସ୍ଥ୍ୟକର ସ୍ଥାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ନଦୀର ଜଳ, ହ୍ରଦର ଜଳ ଏତେ ସ୍ୱଚ୍ଛ ଯେ ଦଶ ହାତ ତଳେ ମତ୍ସ୍ୟର କ୍ରୀଡ଼ା ଦେଖାଯାଏ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ