ତୃତୀୟ ସର୍ଗ — କଳ୍ପଲତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ଦିନେ ପୁଷ୍ପାକର ଗିରୀନ୍ଦ୍ର ମହେନ୍ଦ୍ରଦର୍ଶନେ ବଳାଇ ମତି,ବିନୟେ ସ୍ୱାଭୀଷ୍ଟ ନିବେଦି ଘେନିଲେପିତୃପାଶୁଁ ଅନୁମତି ।ଗହଣେ ଗମିଲେ ସଖା-ପରିକରଅନୁଗତ ଆଦିକରି,ପୌରନ୍ଦରୀ ମୁଖେ ଚଳିଲେ ସକଳେଆରୋହି ସୁଚିତ୍ର ତରୀ ।ସ୍ରୋତ ଅନୁକୂଳେ ଧାଇଁଲା ତରଣୀଋଷିକୂଲ୍ୟା ବକ୍ଷସ୍ଥଳେ,ସମୟେ-ସ୍ରୋତରେ ଜୀବନ-ତରଣୀଯେସନେ ପ୍ରଖରେ ଚଳେ ।ଧାଇଁ ଧାଇଁ ଆସି ଉଭ ଚୀରବର୍ତ୍ତୀଫଳିତ ପୁଷ୍ପିତ ଗଛେ,ଯୁବରାଜଙ୍କର ବେନି ପାଶେ ଭେଟିଘୁଞ୍ଚି ଯାଉଥାନ୍ତି ପଛେ ।ଜୁଣ-ପଠାଚାରୀ ଗୋଯୁଥେ ନିରେଖିମତି-ଗତି ଜଳଯାନ,ହେଉଥାନ୍ତି ଭୟ ଉଦ୍ବେଗେ ଉତ୍ପୁଚ୍ଛେଇତସ୍ତତଃ ଧାବମାନ ।ଠାବେ ଠାବେ ନଦୀ ଗଣ୍ଡେ ମୀନଜୀବୀଟାଣୁଥାନ୍ତି ଟେକି ଜାଲ,ଊର୍ଦ୍ଧ୍ୱେ ଚିଲା ମାରି ଡେଇଁ ଯାଉଥାନ୍ତିରୋହିତ ବଦାଳକାଳ ।ତଲାରୀ ମୁଣ୍ଡାଇ ନଦୀ-ତୀରେ ବସିକାହିଁ ବା ବଡ଼ଶୀଧାରୀ,ଜୀବେ ଯମପ୍ରାୟ ଅଲକ୍ଷିତ ଭାବେମୀନାଳି ନିଏ ଓଟାରି ।ସୁଜିନ-ପ୍ରକ୍ଷିପ୍ତ ଶୂକ୍ତିପନ୍ତି ପରେପଡ଼ି କରମାଳୀ କର,ସ୍ରୋତସ୍ୱତୀ ସତୀ ଜ୍ୟୋତିର୍ମୟ ନେତ୍ରପରାଏ ଦିଶେ ସୁନ୍ଦର ।କାହିଁ ନଦୀତୀରେ ମୁଖରେ ତେଣ୍ଟୋଇନଦୀତୀର-ସହଚରୀ,କାହିଁ ଅବା ଚକି ମାରୁଥାନ୍ତି ଚିଲଗାଙ୍ଗେଇ ମତ୍ସ୍ୟମତ୍ସରୀ ।ବିମଳ ଧବଳ ସୈକତ-ଶଯ୍ୟାରେମାଡ଼ିଅଛି କେତେ ଲତା,ନବୀନ ସଂସାରୀ ନିର୍ମଳ ହୃଦୟେନବ ନବ ଚିନ୍ତା ଯଥା ।ଆନ କୂଳୁ ଉଠେ ପ୍ରତିଧ୍ୱନି, ଜାତହୁଅନ୍ତେ ଏ କୂଳୁ ସ୍ୱର,ବିବେକ ଆହ୍ୱାନେ ବୈରାଗ୍ୟ ଯେସନପ୍ରଦାନେ ପ୍ରତି-ଉତ୍ତର ।ନଗର ପ୍ରାନ୍ତର ଶସ୍ୟକ୍ଷେତ୍ର ଲଙ୍ଘିଗତି ପଥେ ନାନା ସ୍ଥାନେ,ପ୍ରଦୋଷ ସମୟେ ଉପସ୍ଥିତ ତରୀମଞ୍ଜୁଳ ଗଞ୍ଜା-ମୁହାଣେ ।ଯହିଁ ଋଷିକୂଲ୍ୟା ଶାଶ୍ୱତ ସମରରଚେ ମହାସିନ୍ଧୁ ସଙ୍ଗେ,ଅଜାତି ତରଙ୍ଗ ଗଭୀର ନିର୍ଘୋଷେ
ଉତ୍ତଙ୍ଗ ସିନ୍ଧୁ ତରଙ୍ଗେ ।
ବେନିଙ୍କ ସଂଘର୍ଷେ ଭୀଷଣ ଭଉଁରୀ
ଘୂରେ ସଦା ସେହିଠାରେ,
ଗୋଡ଼ାଇ ଅଛନ୍ତି ବେନିଏ ବେନିଙ୍କୁ
ଅବା ଖରେ ଚନ୍ତ୍ରାକାରେ ।
ଯୁବରାଜଙ୍କର ଆଜ୍ଞା ଅନୁସରି
ସେଠାରେ ତୀରେ ତରଣୀ,
ଖଟାଇଲେ ନେଇ ନାବିକନିକରେ
ଯାପନ ଆଶେ ରଜନୀ ।
କଳା ଧୂମରାଶି ପରାଏ ବହଳେ
ବ୍ୟାପିଲ ସାନ୍ଧ୍ୟ ଅନ୍ଧାର,
ଶ୍ମଶାନ-ଶଙ୍ଖୁଆ- ଶିବା ବଜାଇଲେ
କଣ୍ଠ-ଶଙ୍ଖ ବାରମ୍ବାର ।
କ୍ରମେ କ୍ରମେ ଉଇଁ ଅସଂଖ୍ୟ ତାରାଳି
ପ୍ରକାଶିଲେ ନଭେ ପ୍ରଭା,
ଗୋଟି ଗୋଟି ଆସି ବିମଣ୍ଡିଲେ କିବା
ଅମରେ ଅମର ସଭା ।
ଗଞ୍ଜା ଦୁର୍ଗୁ ଆସି ଅନ୍ଧାର-ବାନ୍ଧବୀ
ଚିମଣୀ ପକ୍ଷିନିକର,
ଝଡ଼ିକୀଟ ପରି ଉଡ଼ି କରୁଥିଲେ
ଅନ୍ଧକାରେ ଗାଡ଼ତର ।
କେତେ କ୍ଷଣ ପରେ ଉଦେ ହେଲେ ନଭେ
କୁମୁଦିନୀ ତାରାଗଣ,
ଚରାଚର ବିଶ୍ୱ କଲା ତହୁଁ ଦିବ୍ୟ
ସୁଷମା-ସଲିଳେ ସ୍ନାନ ।
ସହଯାତ୍ରୀ ସର୍ବେ ଯଥାକାଳେ ହେଲେ
ଆହାରାନ୍ତେ ନିଦ୍ରାଗତ,
ମାତ୍ର ଯୁବରାଜ ଦେଖୁଥିଲେ ସୃଷ୍ଟି-
ମାଧୁରୀ ରହି ଜାଗ୍ରତ ।
ସାରସ୍ୱତୋଦ୍ୟାନ ଶୋଭା ପାନେ ଯାର
ନୟନ ସଦା ଆତୁର,
ଶୟନ କି ଛାର କରିପାରେ ସେହୁ
ବୁଭୁକ୍ଷା ତୃଷ୍ଣା କତର ।
ନିଦ୍ରାଦାସ ସିନା ଯେହୁ ଚିନ୍ତାଶୂନ୍ୟ
ଅଳସ ଭୋଗ-ପ୍ରତ୍ୟାଶୀ,
ମାତ୍ର ଯେ ଭାବୁକ ସୃଷ୍ଟି-ଶୋଭାପାୟୀ
ନିଦ୍ରା ତାର କ୍ରୀତଦାସୀ ।
ଚାରୁ ଚନ୍ଦ୍ରିକିତ ଉତ୍ତୁଙ୍ଗ ଭଙ୍ଗୁର
ତରଙ୍ଗ ନୃତ୍ୟ ପୁଲକେ,
ଦେଖୁଥିଲେ ନାବେ ପୁଷ୍ପାକର ବସି
ଦ୍ୱିରଦ-ରଦ-ପଲଙ୍କେ ।
ଯେତେ ଉଠୁଥିଲେ ଊର୍ଦ୍ଧ୍ୱେ ଶଶଧର
ତେତିକି ସିନ୍ଧୁ ଗର୍ଜନ,
ତରଙ୍ଗ-ତାଣ୍ଡବ ବିଭୀଷିକା ଭାବ
ଲଭୁଥିଲା ବିବର୍ଦ୍ଧନ ।
ନିଶୀଥର ଘୋର ଗଭୀର ଗର୍ଜନ
ମନେ ଉପୁଜାଏ ତ୍ରାସ,
ରବି-ବିରହିଣୀ କମଳିନୀ ଧନୀ
ଛାଡ଼େ କି ଖର ପ୍ରଶ୍ୱାସ ।
ଚିର-ମୁଖରିତ ସେ ସ୍ଥାନ, ନିଶୀଥେ
ଅଧିକେ ହୁଏ ମୁଖର,
ସବୁକାଳେ ତହିଁ ପ୍ରବେଶ ନିଷିଦ୍ଧ
ନୀରବତା-ଦେବୀଙ୍କର ।
କୋଳାହଳ ମଧ୍ୟେ ବସି ପୃଷ୍ଠାକର
କରୁଥିଲେ କି କଳ୍ପନା,
କି ମହାଶିକ୍ଷାର ଘେନିଲେ ବା ସନ୍ଥ
ତାହାଙ୍କୁ ହିଁ ତାହା ଜଣା ।
ଏଥୁ ଅନନ୍ତରେ କ୍ରମେ କ୍ରମେ ପାହି
ଆସିଲାକ ସେ ରଜନୀ,
ବିଜେ ଉଷାରାଣୀ ନାସାରେ ବିମଣ୍ଡି
ଦୀପ୍ତ କୁଆଁତରା-ମଣି ।
ନଦୀ-ତୀରବନ, ଉକାଟେ ରଟିଲେ
କଉଶିକ କୁମ୍ଭାଟୂଆ,
ହେମବର୍ଣ୍ଣବନ୍ତ ହଳଦୀବସନ୍ତ
ପ୍ରଭାତ-ଡାକୁଆ କୁଆ ।
ସେ ଶବଦେ ଜାଗି ନଦୀ-କୁଦଶାୟୀ
ମହିଷାକେ ହର୍ଷଭରେ,
ମୁରଲୀ ବଜାଇ ଗ୍ରାମ୍ୟ ଗୀତମାନ
ଗାଇଲେ ଢମାଳୀ ସ୍ୱରେ ।
ଫେରିଗଲେ ବେଳା- ବିହାରୀ ହରିଣେ
ତରତରେ ବନଭାଗେ,
ଭୀତିବ୍ୟଞ୍ଜୀ ବ୍ୟଗ୍ର ଅନାଉଣି ଚାହିଁ
କେବେ ପଛେ କେବେ ଆଗେ ।
ଏ କାଳେ ନାବିକେ କ୍ଷେପଣୀ ଚାଳନେ
ବାହିଲେ ତରଣୀ ସୁଖେ,
ଚାଲିଲା ସେ ସିନ୍ଧୁ- ବୀଚି କାଟି କାଟି
ଯାମ୍ୟ ଦିଗ ଅଭିମୁଖେ ।
ଝାଉଁ-ଝଙ୍କାରିତ କେତକୀ-ସେବିତ
ସୁରମ୍ୟ ଗୋପାଳପୁରେ *
ଦକ୍ଷ ଭାଗେ ରଖି ଚଳିଲା ତରଣୀ
ସାଗରେ ତୀର ଅଦୂରେ ।
*ସମୁଦ୍ରକୁଳସ୍ଥ ସ୍ୱାସ୍ଥ୍ୟକର ସ୍ଥାନ
ଅଖିଳ ଗଞ୍ଜାମେ ଟେକ ସେ ନଗରୀ
ସ୍ୱାସ୍ଥ୍ୟ-ସୁଖ ଧନମାନେ,
ଯା ସୁଯଶ-ଗୀତ ଗାଏ ରତ୍ନାକର
ଉତ୍ତାଳ ତରଙ୍ଗ ତାନେ ।
କେତେ ଦୂରେ ଦିଶେ ସୁବର୍ଣ୍ଣ-ପ୍ରସବା
ସୁବର୍ଣ୍ଣପୁର ସୁନ୍ଦର,
ପୁରାକାଳେ ତାହା ଥିଲା ଗଞ୍ଜାମର
ସ୍ୱଦେଶୀ ପଣ୍ୟ ବନ୍ଦର ।
ଏଥୁ ଅନ୍ତେ ପୋତ ହେଲା ଉପଗତ
ବାହୁଦା ସିନ୍ଧୁ ସଙ୍ଗମେ,
ଯେ ପବିତ୍ର ତୀର୍ଥେ ସ୍ନାନମାତ୍ରେ ଦେହୁ
ରୋଗ ପାପ ଅପଗମେ ।
ତୀରରାତି ତରୀ ପହୁଞ୍ଚିଲା ଯାଇ
ଉଦ୍ୟାନର ସନ୍ନିଧାନେ,
କଳ୍ପତରୁ ପ୍ରାୟ ସଦା ଫଳବାନ
ଯାହାର ପାଦପମାନେ ।
ଥଣ୍ଟେ କାଠ ହାଣି ମଧ୍ୟାହ୍ନ ସମୟ
ପ୍ରଚାରିଲା କାଠହୁଣା,
ମଧ୍ୟାକାଶେ ଉଠି ଧରା ପରେ ରବି
ଝାଡ଼ିଲେ ଅନଳ-କଣା ।
ସିନ୍ଧୁବୀଚି-ବେଶୀ ଦିଶେ ଧପ ଧପ
ସ୍ପର୍ଶି ଖର ରଶ୍ମିଚୟ,
ସହସା କି ଅବା ବାଡ଼ବ ଅନଳ
ଘୋଟିଲା ସାଗରମୟ ।
ସମୁଦ୍ରସଞ୍ଚାରୀ ବିବିଧ ବିହଗେ
ତପ୍ତ ଜଳେ ବୁଡ଼ି ବୁଡ଼ି,
ଆଭପ ସନ୍ତାପୁ ଆତ୍ମରକ୍ଷା ପାଇଁ
ଉଦ୍ୟାନକୁ ଗଲେ ଉଡ଼ି ।
ଚିର-ଶୋକାକୁଳା କୁରରୀ ଝୁରିଲା
ମର୍ମଭେଦୀ ଶୋକ ସ୍ୱରେ,
ପାଦପ ଛାୟାରେ ଶୋଇଣ ଗୋଯୂଥେ
ରତ ହେଲେ ପ୍ରେମନ୍ଥରେ ।
ନିଛାଟ ବିରାଟ ବେଳାରେ ଖେଳିଲା
ମାୟାବିନୀ ମରୀଚିକା,
ଇନ୍ଦ୍ରନୀଳକାନ୍ତ ଦୂର ଶୈଳମାଳା
ସୁଷମା ଦିଶିଲା ଫିକା ।
ଭେଟିଲା ବୋଇତ ନିସର୍ଗ ସୁନ୍ଦର
ଏ ଅନ୍ତେ ବାରୁଆ ଗ୍ରାମ,
ଦାମୋଦର ଦେବ ପୁଣ୍ୟପୀଠ ଭୂମି
ନାରିକେଳେ ଅଭିରାମ ।
ସାୟାହ୍ନେ ନାବିକେ ଖଟାଇଲେ ନେଇ
ଯୁବରାଜ ଆଜ୍ଞା ବହି,
ସାଗର ତରଙ୍ଗେ ଅଙ୍ଗ ଢାଳିଦିଏ
ମହେନ୍ଦ୍ର-ତନୟା ଯହିଁ ।
ଯାମିନୀ ଅନ୍ତିମ ଯାମେ ପୁଣି ଦେଲେ
ବହିତ୍ର ଛାଡ଼ି ନାବିକେ,
ଚଳିଲା ସେ ତେଜି ମହାସିନ୍ଧୁ ବକ୍ଷ
ନଦୀରେ ପଶ୍ଚିମ ଦିକେ ।
ପ୍ରତ୍ୟୁଷେ ସକଳେ ପହୁଞ୍ଚିଲେ ଯାଇ
ମହେନ୍ଦ୍ର ଅଚଳ ପାଶେ,
ମହେନ୍ଦ୍ର-ବାଞ୍ଛିତ ମହେନ୍ଦ୍ର-ତନୟା
ନିସର୍ଗ ସୂତିକା-ବାସେ ।
ସ୍ୱଭାବେ ବସନ୍ତ ଦଇବେ ସେ ଦିନ
ଆଚ୍ଛାଦିଥିଲା କୁହୁଡ଼ି,
ଗିରିବନସୀମା ପ୍ରକୃତି ସୁଷମା
ରହିଥିଲା ସବୁ ବୁଡ଼ି ।
ଧୂଳିପୁଞ୍ଜ ପ୍ରାୟ ଉଡ଼ି ବୁଲୁଥାଏ
ନଭେ ରେଣୁ ଆକାଶରେ,
ଚନ୍ଦନ ଚୂର୍ଣ୍ଣରେ ଫଗୁ ରତି ଧାତା
ଫିଙ୍ଗେ କି ପ୍ରକୃତି ପରେ ।
କୁହେଳୀ କୋମଳ ଆବରଣ ଭେଦି
କଳକଣ୍ଠ କୁହୁ ସ୍ୱନ,
ଆଗନ୍ତୁକ କର୍ଣ୍ଣେ କରି ଦେଉଥିଲା
ବିଶୁଦ୍ଧ ସୁଧା ସେଚନ ।
ନେତ୍ର ଅନ୍ତରାଳେ ବସି ବୃକ୍ଷଡ଼ାଳେ
କଣ୍ଠ-ତାନପୂରା ତାର,
କଜ୍ଜ୍ୱଳ-କୁନ୍ତଳା କଜ୍ଜ୍ୱଳ ପତତ୍ରୀ
ଟଙ୍କାରୁଛି ବାରମ୍ବାର ।
ଘଡ଼ିକେ କୁକ୍କୁଟୀ ଅନ୍ତର୍ହିତ ହେଲା
ଉଦେ ଦେଖି ବିକର୍ତ୍ତନ,
ବୈରାଗ୍ୟ ଆଗରେ ଭବ-ବନ୍ଧନ ବା
ତିଷ୍ଠିପାରେ କେତେ କ୍ଷଣ ?
ଦିଶିଲା ଧରିଛି ଦେବରୂପୀ ଗିରି
ଦେବ-ବିମୋହନ ବେଶ,
ଦେଖି ପୁଷ୍ପାକର ମଧୁରିମା ତାର
ଲଭିଲେ ତୋଷ ବିଶେଷ ।
ପାରିଷଦବର୍ଗ ସହ ଓହ୍ଲାଇଣ
ତରୁଣୀରୁ ଯୁବରାଜ,
ଗିରି ଆରୋହଣ ମାନସେ ପିନ୍ଧିଲେ
କାନନ ଭ୍ରମଣ ସାଜ ।
ତୁଳିକା ପାଜାମା ତୂଳା ଅଙ୍ଗରଖା
ଚୁଳାଭରା ଶିରାସ୍ତ୍ରାଣ,
ତୀକ୍ଷ୍ମ ଅସିଗର୍ଭ ରୌପ୍ୟ ଅସିକୋଷ
କଟିତଟେ ଲମ୍ବମାନ ।
ବାମ କନ୍ଧେ ଧନୁ ବାମେତରେ ଧରି
ଶରପୂର୍ଣ୍ଣ ଶରଧାର,
ଗିରି ଆରୋହଣେ ସଖା ଅନୁଚର
ସଙ୍ଗରେ ହେଲେ ବାହାର ।
ଆଗେ ଯୁବରାଜ ମଧ୍ୟେ ପୌରୋଧେୟ
ପଶ୍ଚାତେ ମନ୍ତ୍ରୀ ନନ୍ଦନ,
ଯଶ ଧର୍ମ ବେନି କରୁଅଛନ୍ତି କି
ସତ୍କର୍ମ ଅନୁଗମନ ।
କୁମ୍ଭୀରାକୃତିରେ ଅଛି ଲମ୍ବମାନ
ବନ ମଧ୍ୟେ ଧରାଧର,
ପ୍ରଚେ ହୁଏ ଯେହ୍ନେ ଭାସି ଉଠିଅଛି
ସାଗରେ ରୁଦ୍ର ହାଙ୍ଗର ।
ଗିରି ଉପକଣ୍ଠ ବନେ କିଛି ଦୂରେ
ଯାଇ ଆରୋହିଲେ ଗିରି,
ଅଲକ୍ଷିତେ ପାନ୍ଥେ ଟାଣିନେଲାକ୍ରମେ
ସେ ଶୈଳ ଚଟୁଳଶିରୀ ।
ସ୍ୱଭାବ ସୁନ୍ଦର ମହେନ୍ଦ୍ର ଦ୍ୱିତୀୟେ
ଲଭିଛି ମଧୁ ସୁଷମା,
ସୁନ୍ଦରେ ସୁନ୍ଦର ମିଶିଲା ଉତ୍ତାରୁ
କି ଅଛି ତାର ଉପମା ।
କାହିଁ ମଧୁ-ବଧୁ ଅଶୋକ ଟାଣିଛି
ଓଢ଼ଣା ପୁଷ୍ପ-ସ୍ତବକେ,
କନକ-କନିକା- ଅଙ୍ଗୁଳି ଟେକିଣ
କାହିଁ ବା ଉଭା ଚମ୍ପକେ ।
ପାଟ ଲୁଗା ପିନ୍ଧି ପାଟ ଓତା ଘୋଡ଼ି
ପାଟପାଗ ବାନ୍ଧି ମାଥେ,
ମଣ୍ଡିଛନ୍ତି ନଗେ କାହୁଁ ବ୍ରହ୍ମତରୁ *
ଶୋଭାଙ୍ଗୀ ଶାଳ୍ମକୀ ସାଥେ ।
*ପଳାଶ ଗଛ
କାହିଁ ଅବା ବନ- ନାଗରୀ କବରୀ
ବିମଣ୍ଡିଛି ନାଗେଶ୍ୱର,
ବ୍ରହ୍ମଦର୍ଶୀ ଦ୍ୱିଜ ପରାଏ ଓଁକାର
ଝଙ୍କାରେ ତହିଁ ଭ୍ରମର ।
ବସନ୍ତର ପାଟ- ପତାକା ଉଡ଼ାଏ
ପଲ୍ଲବ ଛଳେ ମହୁଲ,
ଆକାଶେ କୃତ୍ତିକା ଉଦେ ପ୍ରାୟ କେତେ
ଫୁଟିଛି କୁଟଳ ଫୁଲ ।
କାହିଁ ଛୁରିଅନା ଗନ୍ଧେ ଆମୋଦିତ
ଅଚଳ-ମେଖଳା ବନ,
ପ୍ରତେ ହୁଏ ପାନ୍ଥେ କରୁଛି କି ସତେ
ନନ୍ଦନବନେ ଭ୍ରମଣ ?
ସଦ୍ୟ ବିକଶିତ ବକୁଳ କରୁଛି
ଆକୁଳ ଭ୍ରମରକୁଳ,
ନାସା ତୃପ୍ତିକାରୀ ଶୀତଳ ସୁରଭି
ବିଭରେ କାହିଁ ଆଙ୍କୁଲ ।
ପତ୍ରହୀନ ଶାଖା ପରେ ବସି ତାର
କୋକିଳ କାନନ-କବି,
ଦଣ୍ଡକେ ଘଡ଼ିକେ କରି ଦେଉଅଛି
କବିତାମୟ ଅଟବୀ !
ପାଳଧୁଆ ଫଲୁ ମଧୁ ପାନ କରି
କ୍ଷୁଦ୍ର କ୍ଷୁଦ୍ର ପକ୍ଷିଦକ,
ଭିଆଉଅଛନ୍ତି ପରସ୍ପର ମଧ୍ୟେ
କେଳି-କଳି-କୋଳାହଳ ।
ମିଶି ତହିଁ ଝର ଝର୍ଝର ଝଙ୍କାର
ହେଉଛି ପୃଥୁଳତର,
ବାଜୁଛି ଏକତ୍ରେ ଏକକାଳେ ଯଥା
ବିବିଧ ବାଦ୍ୟନିକର ।
ବାଳ-ରବିକର କଳେବରେ ବୋଳି-
ହୋଇ ପ୍ରଜାପତିମାନେ,
ଉଡ଼ି ଉଡ଼ି ନବ- ଶିଶୁ ଇନ୍ଦ୍ରଧନୁ
ସୁଜୁଥିଲେ ସ୍ଥାନେ ସ୍ଥାନେ ।
ଏହିପରି ଶୋଭା- ହଟ ଦେଖି ଦେଖି
ବେନି ପାରୁଶେ ପୁରତେ,
ଉଠୁଥିଲେ ଊର୍ଦ୍ଧ୍ୱେ କ୍ଲେଶ ଭୁଲି ପାନ୍ଥେ
ବନ୍ଧୁର ଦୁର୍ଗମ ପଥେ ।
କେଉଁଠାରେ ବସି କେଉଁଠାରେ ନଇଁ
କାହିଁ ଧରି ତରୁବର,
କୁତୁକିତ ମନେ ବ୍ୟଗ୍ରେ ଗୌଣେ ପଥ
ହେଉଥାନ୍ତି ଅଗ୍ରସର ।
ଶୃଙ୍ଗ ପରେ ଶୃଙ୍ଗ ଅତିକ୍ରମି କ୍ରମେ
ସର୍ବୋଚ୍ଚ ଶିଖରେ ଯାଇ,
ଦେଖିଲେ ସେ ସ୍ଥାନ ଅମର-ଦୁର୍ଲଭ
ମର୍ତ୍ତ୍ୟେ ତା ତୁଳନା ନାହିଁ ।
ଅତି ଉଚ୍ଚ ଚୂଡ଼ା ଭବ ଆର୍ତ୍ତନାଦ
ଶୁଭେ ନାହିଁ ତାର କତି,
ସ୍ୱର୍ଗର ବିଶୁଦ୍ଧ ଶାନ୍ତି ତହିଁ ସଦା
ବହିଆଣେ ସଦାଗତି ।
ପରଶ ମାତ୍ରେ ସେ ଶୂନ୍ୟେ ହରିନିଏ
ପାର୍ଥିବ ପ୍ରାକୃତ ଭାବ,
ପାପ-ଆତ୍ମା-ଲୌହ- ପରଶମଣି ସେ
ଭ୍ରମେ ନର ମଣେ ଗ୍ରାବ ।
ସୂକ୍ଷ୍ମ ଚୂର୍ଣ୍ଣ କରି ଉଡ଼ାଏ ସେ ସ୍ଥାନ
ଦାମ୍ଭିକ ଆତ୍ମପ୍ରାଧାନ୍ୟ,
ନାମ ଧରେ ସିନା ସ୍ଥାବର, ମାତ୍ର ତା
ମହିମା ନୁହେଁ ସାମାନ୍ୟ ।
ଉପକ-ବିତାନେ ତହିଁ ପୁଷ୍ପକର
କରିଣ ଉପବେଶନ
ଭାବିଲେ ସାର୍ଥକ ହେଲା ଏତେ ଦିନେ
ନିଶ୍ଚେ ମୋ ନର-ଜୀବନ ।
ଥିଲେ ଥିବ ସ୍ୱର୍ଗ ଅନୁଦ୍ଦେଶ୍ୟ ଦେଶେ
ଦେଖିଛି କିଏ ତା କାହିଁ,
ରିପୁ-ତାପ-ଦଗ୍ଧ ଭବ-ମରୁଭୂମେ
ଏ ସ୍ଥଳ ଶୀତଳ ଛାଇ ।
କର୍ମ ସାଧନର ଉପଯୁକ୍ତ ଧାମ
ମହାତୀର୍ଥ ସମ ଏହୁ,
ଏ ତୀର୍ଥେ ଭିତର ବାହାର କଲୁଷ
ଧୋଇ ହୋଇଯାଏ ଦେହୁ ।
ନରକୁ ଦେବତା କରିବାକୁ ଏକା
ଏ ସ୍ଥାନ ଭବେ ଭାଜନ,
ବିଷୟ-ବିଷମ- ବ୍ୟାଧି-ନିମୀଜିତ
ନେତ୍ରେ ଅବ୍ୟର୍ଥ ଅଞ୍ଜନ ।
ସେ ଚଟୁଳ ଚୂଡ଼େ ଭ୍ରମି ଯୁବରାଜ
ଲଭିଲେ ପ୍ରୀତି ଅମିତ,
ସଖାଦ୍ୱୟେ ନାନା ମଧୁର ସମ୍ଭାଷେ
ହରି ନେଉଥିଲେ ଚିତ୍ତ ।
ଠାବେ ଠାବେ ସ୍ଥିତ ମୁନି-ଅଧ୍ୟାସିତ
କେତେ ରମଣୀୟ ଦରୀ,
ଆଶ୍ରମେ ହରିଣେ ଶୋଇଛନ୍ତି ଦ୍ୱାରେ
ଚିନ୍ତାଭୟ ପରିହରି ।
ଉପଭୀମ ପ୍ରାୟ ତୋଳିଣ ମସ୍ତକ
ଭୀମସେନା ଦେବାଳୟ,
ଭୀମସେନ ବୀର ରୁଦ୍ର କ୍ଷମତାର
ଦେଉଅଛି ପରିଚୟ ।
ପାର୍ଶ୍ୱଭାଗେ ତାର ଧର୍ମଦ୍ୱାର ନାମେ
ଅଛି ଅପ୍ରଶସ୍ତ ହାର,
ଅକ୍ଲେଶେ ଧାର୍ମିକ ଭେଦେ ତାକୁ, ପାପୀ
ହୋଇପାରେ ନାହିଁ ପାର ।
ସେହି ଦ୍ୱାରପଥେ ଓହ୍ଲାଇଲେ ନିମ୍ନେ
ପୁଷ୍ପାକର ସଖା ସଙ୍ଗେ,
ମଞ୍ଜୁ ମଞ୍ଜୁଫଳା * ନିକୁଞ୍ଜ ସେ ଶୃଙ୍ଗେ
ଶାଖା ତୋଳି ଦୋଳେ ରଙ୍ଗେ ।
*କଦଳୀ ଗଛ
ସୂଦୁର ଅତୀତୁ ଅନ୍ୟ ପାଣ୍ଡବଙ୍କ
ମନ୍ଦିରେ ଅଛି ବିଦିତ,
ଅଦ୍ଭୁତ କୌଶଳେ ଦେଖି ତା ନିର୍ମାଣ
ବିସ୍ମୟେ ହେଲେ ସ୍ତମ୍ଭିତ ।
ସର୍ବନିମ୍ନ ଶୃଙ୍ଗେ ଅବତରି ପାନ୍ଥେ
ଭେଟିଲ ସୁରମ୍ୟ ସର,
ବିରାଜନ୍ତି ତହିଁ ଗୋବର୍ଣ୍ଣ ଆକୃତି
ମହେଶ ଗୋକର୍ଣ୍ଣେଶ୍ୱର ।
ପୃଥାଦେବୀଙ୍କର ପୃଥୁଳ ଦେଉଳ
ଅବସ୍ଥିତ ତହିଁ ପାଶେ,
ବସିଲେ ସକଳେ ଆନନ୍ଦେ ସେଠାରେ
ଶ୍ରମ ମିଟାଇବା ଆଶେ ।
ବନ୍ଧୁ ବନ୍ଧୁ ମଧ୍ୟେ ଦ୍ରଷ୍ଟବ୍ୟ ଦୃଶ୍ୟର
ଲାଗିଲା ସମାଲୋଚନା,
କଥା ପ୍ରସଙ୍ଗରେ ଚଳୁଥାଏ କେତେ
ତୁଳନା ପ୍ରତିତୁଳନା ।
ମନ୍ତ୍ରିଜେ ପୁଚ୍ଛିଲେ ପୁରୋହିତ-ସୂତ
ବୋଲିବଟି ବନ୍ଧୁକର,
କମକାଳଙ୍କୁତ ଏ ସରି ସହିତେ
ହେବ କିଏ ପଟାନ୍ତର ?
ସେ ବୋଲେ ଏ ସର ସରସ ଗଭୀର
ଶୀତଳ ଶାନ୍ତ ନିର୍ମଳ,
ତୁଳନା ଏହାର ଯୁବରାଜଙ୍କର
ଉନ୍ନତ ହୃଦ କେବଳ ।
ଯୁବରାଜ ହୃଦେ ଭାବରାଶି ପ୍ରାୟ
ଖେଳେ ଏଥି ଜଳଲତା,
ମଧୁର କବିତା ସଦୃଶ କମଳ
ଉଠିଛି ଫୁଟି ସର୍ବଥା ।
ଶୁଣି ସାଧି ସାଧୁ ପ୍ରଶଂସି କହିଲେ
ପୁରୋଧା ଜ୍ୟେଷ୍ଠ ଅଙ୍ଗଳ,
କେଉଁ କଥାରେ ବା ପରାଜୟ ତାର
ନାମ ଯାର ଜୟଧୁଜ ।
ବୋଲେ ଜୟଧ୍ୱଜ ରସରାଜ ବିନା
ଏ ରସ ଢାଳିବ କିଏ,
କାମ ନାମ ମଧ୍ୟେ ଅସାମ୍ୟ ତୁମ୍ଭର
ଦେଖୁ ତ ନାହିଁ ଟିକିଏ ।
ନ ଦେଇ ଏ ବାକ୍ୟେ ଲୟ ଯୁବରାଜ
ଗିରି ଊର୍ଦ୍ଧ୍ୱଚୂଡ଼ା ପ୍ରତି,
କବିନେତ୍ରେ ହେରି ଲୁଟୁଥିଲେ ତାର
ନିସର୍ଗ ଶୋଭା-ସମ୍ପତ୍ତି ।
ଏହିପରି ଭାବେ ନରେନ୍ଦ୍ର-ନନ୍ଦନ
ଅତିବାହି କାଳ ଦଣ୍ଡେ
ଲେଖିଲେ ଦେଉଳ କାନ୍ଥେ ଏହା ଘେନି
ଗୈରିକ ପ୍ରସ୍ତର ଖଣ୍ଡେ-
‘‘ସଂସାର-ଶ୍ମଶାନେ ବୈକୁଣ୍ଠ ବିମାନ
ତୁହି ରେ ମହେନ୍ଦ୍ର ଗିରି,
ଥରେ ଦେଖି ଆହା ତୃପ୍ତ ହେବ କିଏ
ତୋ ଶୋକ-ପାସୋରା ଶିରୀ ।
ବିହରନ୍ତି ଯେହୁ ତୋ ଶିଖେ ତୋ ଫଳ-
ଅଶନେ ତୋ ଜଳ ପାନେ,
ଭାଗ୍ୟବାନ ସିନା ଅଟନ୍ତି ସଂସାରେ
ନରକୁଳେ ସେହିମାନେ ।
ସଂସାର ତାହାଙ୍କୁ କରିପାରେ ନାହିଁ
ମାୟାମନ୍ତ୍ର ବଶଭକ୍ତ,
ରିପୁ-ଜଳୌକାଏ ଶୋଷି ନ ପାରନ୍ତି
ତାହାଙ୍କ ଚରିତ୍ର-ରକ୍ତ ।
ହେଉନ୍ତୁ ପଛକେ ଅଶିକ୍ଷିତ କିମ୍ବା
ହେଉନ୍ତୁ ପଛକେ ଦୀନ,
ରାଜପୁତ୍ର ହୋଇ ମୁହିଁ ତାଙ୍କଠାରୁ
କୋଟି ଅଂଶେ ଭାଗ୍ୟହୀନ ।
କରି ଦେଇଅଛୁ ସେମାନଙ୍କୁ ତୁହି
ଆଦର୍ଶ ନର ରଚନା,
ସେ ଭାଗ୍ୟ ପ୍ରତ୍ୟାଶା ମୋହ ପକ୍ଷେ ନିଶ୍ଚେ
ସ୍ୱପନେ ନତୁ କଳ୍ପନା ।’’
ଏମନ୍ତ ସମୟେ ମୃଗୁଣୀ ଗୋଟିଏ
ପଳାଇଲା ସେହି ବାଟେ,
ଜୀବନ ବିକଳେ ଶବଦ ଗତିରେ
ଧାଇଁଛି ଭୟ ଉଚ୍ଚାଟେ ।
ଗତି ଦେଖି ପ୍ରତେ ହୁଅଇ ଏସନ
ଜ୍ୱଳନ୍ତ ଅନଳ-ହ୍ରଦେ,
ଧାବିତ ହେଲେ ସେ ମୂଳୁ ନ ଲାଗିବ
ଉତ୍ତାପ ତାହାର ପଦେ ।
ଦେଖି ପୁଷ୍ପାକର ସଖାଙ୍କୁ ସମ୍ବୋଧି
ଭାଷିଲେ କୋମଳେ ଖରେ,
ଦେଖ ଦେଖ ମୃଗୀ ବିଦ୍ୟୁତ ବେଗରେ
ଧାଇଁଛି କାହା ଭୟରେ ।
ଏକାଳେ ଭୀଷଣ ଶାର୍ଦ୍ଦୂଳ ସେଠାରେ
ଉପସ୍ଥିତ ଆଚମ୍ବିତେ,
ତହୁଁ ଯୁବରାଜ ଧନୁଶର ଧରି
ଉଠିଲେ ନିର୍ଭୀକ ଚିତ୍ତେ ।
ଗତିପଥେ ତାର ଉଭା ହୋଇ ବୀର
ଓଗାଳିଣ ତାକୁ ବାଟ,
ଅଧିଜ୍ୟେ ଟଙ୍କାର ଦେଇ ବାରମ୍ବାର
ଛାଡ଼ିଲେ ଉଚ୍ଚେ କୁହାଟ ।
ନିରେଖି ସଶସ୍ତ୍ର ପୁଷ୍ପାବରେ ବ୍ୟାଘ୍ର
ନ କଲା ଆଗକୁ ଗତି,
ଦୃଢ଼ତର ବନ୍ଧ ଅଗ୍ରେ ଭେଟି ଯଥା
ସ୍ତବ୍ଧ ହୁଏ ସ୍ରତୋସ୍ୱତୀ ।
ମନୋରଥ ପଥେ ବାଧା ପାଇ ସେହୁ
ବିକଟେ କଲା ଗର୍ଜନ,
ଢାଲ ଅସି ଧରି ମନ୍ତ୍ରିସୁତ କଲେ
ପାର୍ଶ୍ୱଭାଗୁ ଆକ୍ରମଣ ।
ପଶୁ-କ୍ଷତ୍ରି ନର- କ୍ଷତ୍ରି ମଧ୍ୟେ ତହୁଁ
ଲାଗିଲା ଘୋର ସମର,
କୋପେ ଯୁବରାଜ ହାଣିଲେ ଶାର୍ଦ୍ଦୂଳେ
ଖରହସ୍ତେ ଖର ଶର ।
ବାଣ ପରେ ବାଣ ଗୁନ୍ଥି ଦେଇଗଲେ
ନୃପସୂନୁ ମହାରଥୀ,
ଗଳି ଯାଉଥାଏ ଦୀପିନ * ଦେହେ ତା
ବଲ୍ମୀକେ ଭୁଜଗ ଯଥା ।
*ବ୍ୟାଘ୍ର
ଶୈଳୁ ଝର ପ୍ରାୟେ ପ୍ରବଳେ ବହିଲା
ସର୍ବାଙ୍ଗୁ ତାର ରୁଧିର,
ତଥାପି ଭ୍ରୁକ୍ଷେପ ନାହିଁ ଅରି ପ୍ରତି
ନ ହେଲା ତିଳେ ଅଧୀର ।
ଥରେ ଥରେ ମାତ୍ର ଲାଙ୍ଗୁଡ଼ କଚାଡ଼ି
ଛାଡ଼ୁଥିଲା ଘୋର ରଡ଼ି,
ପ୍ରତେ ହେଉଥିଲା ଫାଟିଗଲା ଯଥା
ଗିରିବନ ଚଡ଼ଚଡ଼ି ।
ଆତଙ୍କେ ପକ୍ଷୀଏ ଉଡ଼ିଯାଇ ନଭେ
କଲେ ମହା-କୋଳାହଳ,
ଲମ୍ଫ ଝମ୍ପ ମାରି ମନ୍ଥି ପକାଇଲା
ବନସ୍ଥଳୀ ମହାବଳ ।
କ୍ଷୁରଧାର ତୀର ଗୁଣରେ ବସାଇ
ଆବର୍ଣ୍ଣ ଓଟାରି ବୀର,
ଛାଡ଼ିଦେଲେ ତାହା ଗ୍ରୀବାରେ ବାହାର
ହେଲା ଭେଦି ବ୍ୟାଘ୍ର ଶିର ।
ବାଣପାତ ମାତ୍ରେ ଛୁଟିଆସି ବ୍ୟାଘ୍ର
ହେଲା ଯୁବରାଜ ଆଗେ,
ଖରେ ବୀରବର ଆତ୍ମରକ୍ଷା କଲେ
ଘୁଞ୍ଚିଯାଇ ପାର୍ଶ୍ୱଭାଗେ ।
ଶାଣିତ ପାଣିତ ଅର୍ଦ୍ଧଚନ୍ଦ୍ର ବାଣ
ନିକ୍ଷେପିଲଷ ପୁନର୍ବାର,
ବାମକର୍ଣ୍ଣ ଭେଦି ହେଲା ସେ ଶାର୍ଦ୍ଦୂଳ
ଦକ୍ଷିଣ କର୍ଣ୍ଣେ ବାହାର ।
ପ୍ରାଣ ପରିହରି ପଡ଼ିଲା ସେ ତହିଁ
କରିଣ ମୁଖ-ବ୍ୟାଦାନ,
ସଖୀଦ୍ୱୟେ ଆସି ନରେନ୍ଦ୍ର-ନନ୍ଦନେ
କଲେ ସାଧୁବାନ ଦାନ ।
ବ୍ୟାଘ୍ର ଶିର ଚର୍ମ ନବରେ ନେବାକୁ
ଦେଇ ଭୃତ୍ୟେ ଅନୁମତି,
ସଦଳେ ଆରୋହି ନାବେ ଯୁବରାଜ
ଦୁର୍ଗମୁଖେ କଲେ ଗତି ।