କଳିଯୁଗ ହେଉଛି ଶେଷ
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୫୯୩
- ସ୍ଥିତି
- ସାର୍ବଜନୀନ (Public domain)
କଳିଯୁଗ ହେଉଅଛି ଶେଷକିସ ଦେଖୁଛ ଶୂନ୍ୟ ପୁରୁଷ ।କଷଣ ପଡ଼ିଲା ଏତେବେଳେ ଆସିକାହିଁ କାହିଁ ନା ଆମ୍ଭରି ବାସ ହେ ଶ୍ରୀଗୁରୁ। ୧ ।କ୍ଷୀରସିନ୍ଧୁ ବିହାରୀ ଶକତିକ୍ଷିତି ମଧ୍ୟେ ତୁମ୍ଭ ନାମ ଖ୍ୟାତି ।କ୍ଷିତିମଣ୍ଡଳରେ ଜାତ କରିଅଛକ୍ଷମାକର ଏବେ ଦଣ୍ଡ ଶାସ୍ତି ହେ ଶ୍ରୀଗୁରୁ। ୨ ।ଗୁରୁଦେବ ସ୍ୱାମୀ ଅଟ ପରାଗାଢ଼େ ପଡ଼ିଅଛୁ ଆମ୍ଭେ ଧରା ।ଗତିମୁକ୍ତି ଦାତା ବୁଝିବ ଯେମନ୍ତଗୁରୁ କ୍ଷୟ କର ପାପଭରା ହେ ଶ୍ରୀଗୁରୁ। ୩ ।ଘୋଟି ତିନି ବ୍ରହ୍ମାଣ୍ଡ ଆବୋରିଘଟେ ଘଟେ ସ୍ୱାମୀ ଅଛ ପୂରି ।ଘୋର ବନେ ଆମ୍ଭେ ପଡ଼ିରହିଅଛୁଘୋର ଅବସ୍ଥା ଦେଖ ଆମ୍ଭରି ହେ ଶ୍ରୀଗୁରୁ। ୪ ।ଅନ୍ତର୍ଗତେ ଅନ୍ୟାୟ ଆଚରିଅଣବୁଝାମଣା ନାହିଁ କରି ।ଅସୁଖ ପାଇ ତଡ଼ୁଛନ୍ତି ଆମ୍ଭଙ୍କୁହାନିଲାଭ କିଛି ନ ବିଚାରି ହେ ଶ୍ରୀଗୁରୁ। ୫ ।ଚିତ୍ତେ ବିଚାରୁ ତାଇ ମନକୁଚଳି ନୋହୁଛି ଆଗ ପଛକୁ ।ଚାପି ଆସୁଛନ୍ତି କାଳଦଣ୍ଡ ପ୍ରାଏ,ଚାହୁଁ ଚାହୁଁ ଶିର ଉପରକୁ ହେ ଶ୍ରୀଗୁରୁ। ୬ ।
ଭାବାର୍ଥ- ( ୧-୬ ) କବି ଶ୍ରୀଗୁରୁଦେବଙ୍କୁ ନିବେଦନ ଜଣାଇଛନ୍ତି । ହେ ଶ୍ରୀଗୁରୁ, କଳିଯୁଗ ଶେଷ ହେଲାଣି । ହେ ଶୂନ୍ୟ ପୁରୁଷ କ’ଣ ବା ଆଉ ଦେଖୁଛ ? ମୋ ଉପରେ କଷଣ ପଡ଼ିଛି, କେଉଁଠି ଆମେ ଆଶ୍ରୟ ନେବୁ ? ହେ ପ୍ରଭୁ କ୍ଷୀରସିନ୍ଧୁ ବିହାରୀ, ଜଗତ ମଧ୍ୟରେ ତୁମ ନାମର ପ୍ରସାର ଘଟିଛି । ବିଶ୍ୱବ୍ରହ୍ମାଣ୍ଡକୁ ସୃଷ୍ଟି କରିଛି । ଆମେ ତୁମରି ସନ୍ତାନ । ଆମର ଅପରାଧ କ୍ଷମା କର । ପ୍ରଭୁ, ତୁମେ ଗୁରୁଦେବ ସ୍ୱାମୀ ପରା ? ପୃଥିବୀ ରୂପକ ଗାତରେ ପଡ଼ିଛୁ । ତୁମେ ଗତିମୁକ୍ତିଦାତା, ଆମ ପାପଭାରାକୁ କ୍ଷୟ କର ।
ହେ ଶ୍ରୀଗୁରୁ, ତୁମେ ତିନି ବ୍ରାହ୍ମାଣ୍ଡରେ ପରିବ୍ୟାପ୍ତ ହୋଇ ରହିଛି । ହେ ସ୍ୱାମୀ ସକଳ ଘଟରେ ତୁମେ ବିଦ୍ୟମାନ । ଘୋର ବନ ମଧ୍ୟରେ ଆମେ ପଡ଼ି ରହିଛୁ । ଆମର ଭୟଙ୍କର ଦୁଃଖ ଅବସ୍ଥାକୁ ଦୂର କର ।
ହେ ଶ୍ରୀଗୁରୁ, ଆମ ପ୍ରତି ଅନ୍ୟାୟ କରୁଛ । ଆମକୁ ଭଲ ପାଅ ନାହିଁ । ହାନଲାଭ କିଛି ନ ବୁଝି, ଅସୁଖ ହୋଇ ଆମକୁ ତଡ଼ି ଦେଉଛି । ଆମେ ଚଳପ୍ରଚଳ ଶୂନ୍ୟ ହୋଇ ଗଲୁଣି । ଚାହୁଁ ଚାହୁଁ ମୁଣ୍ଡ ଉପରକୁ କାଳଦଣ୍ଡ ପ୍ରାୟ ବିପଦ ସବୁ ମାଡ଼ି ଆସୁଛି ।
ଛତ୍ର ପରାଏ ଯାହାର ବାନାଛିଡ଼ାଅ ମନୁ ଚିନ୍ତା ବେଦନା ।ଛନ୍ଦ ନଟ କୂଟେ ପଡ଼ି ରହିଅଛୁଛାମୁ ଆଜ୍ଞା ନ ପଡ଼ୁଛି ଜଣା ହେ ଶ୍ରୀଗୁରୁ। ୭ ।ଜନ ଜଗତେ କଲେଣି ନିନ୍ଦାଯୁଗ ଘେନି ସର୍ବେ ନେତ୍ର ଅନ୍ଧା ।ଜାଣୁଅଛ ସବୁ ଅନ୍ତର୍ଯ୍ୟାମୀ ପ୍ରଭୁଜଣାଉଛି ସଦା ସରବଦା ହେ ଶ୍ରୀଗୁରୁ। ୮ ।ଝାଡ଼ ଭିତରେ ପଡ଼ିଛୁ ଆମ୍ଭେଝଟତିରେ ବୁଝ ପ୍ରଭୁ ତୁମ୍ଭେ ।ଝର ଝର ନେତ୍ରୁ ନୀର ବହୁଅଛିଝଞ୍ଜକାରୁ ତ୍ରାହିକର ବେଗେ ହେ ଶ୍ରୀଗୁରୁ। ୯ ।ନିତି ପ୍ରତି କରୁଛି ଜଣାଣନିଷ୍କାମରେ ଲଗାଇ ଭଜନ ।ନିରନ୍ତରେ ଶ୍ରୀଗୁରୁଙ୍କୁ ଧ୍ୟାୟିଅଛୁନିଶିଦିବସରେ ଅନୁକ୍ଷଣ ହେ ଶ୍ରୀଗୁରୁ। ୧୦ ।ଟାକିଅଛୁ ଯିଆ ପରିଯନ୍ତେଟାଣ ପ୍ରଭୁଙ୍କୁ ଚାହିଁ ସମସ୍ତେ ।ଟିକେ ହେଳା କଲେ ନାଶିଲୁ ଗୋସାଇଁ,ଟଳି ପଡ଼ୁଅଛୁ ମହୀଗତେ ହେ ଶ୍ରୀଗୁରୁ। ୧୧ ।ଠାକୁରଙ୍କ ପାଦପଦ୍ମ ଧ୍ୟାୟିଠାବ ନ ମିଳୁଛି ଶୂନ୍ୟଦେହୀ ।ଠଉରି ନୋହୁଛି ତିନି ବ୍ରହ୍ମାଣ୍ଡରେ !ଠିକେ ଜଣାଉଛି ଭୀମ ଭୋଇ ହେ ଶ୍ରୀଗୁରୁ। ୧୨ ।
ଭାବାର୍ଥ- ( ୭-୧୨ ) ଛତ୍ର ପ୍ରାୟ ଯାହାଙ୍କ ବାନା ଆଶ୍ରୟ ପ୍ରଦାନ କରୁଛି, ତାଙ୍କୁ ମନ ମଧ୍ୟରୁ ଚିନ୍ତାବେଦନା ଛାଡ଼ି ପ୍ରାର୍ଥନା କର । ଛନ୍ଦ, ନଟ କୂଟ ମଧ୍ୟରେ ତୁ ପଡ଼ି ରହିଛୁ । ହେ ଶ୍ରୀଗୁରୁ, ଛାମୁଙ୍କ ଆଜ୍ଞା କ’ଣ ଜଣାପଡୁନାହିଁ । ହେ ପ୍ରଭୁ, ତୁମର କାର୍ଯ୍ୟକଳାପ ଯାହା, ତାକୁ ଜଗତର ଲୋକମାନେ ନିନ୍ଦା କରୁଛନ୍ତି । ଯୁଗକୁ ନେଇ ସମସ୍ତେ ଅନ୍ଧପ୍ରାୟ ହୋଇଛନ୍ତି । ହେ ଅନ୍ତର୍ଯ୍ୟାମୀ ତୁମେ ସବୁ ଜାଣୁଛ । ହେ ପ୍ରଭୁ, ସର୍ବଦା ଏ ବିଷୟ ତୁମକୁ ଜଣାଉଛି । ଝାଡ଼ ( ବଣ ) ଭିତରେ ଆମେ ପଡ଼ିଛୁ । ପ୍ରଭୁ ଆମ ଦୁଃଖକୁ ତୁମେ ବୁଝ । ଝର ଝର ହୋଇ ଆଖିରୁ ଆମର ଲୁହ ଝରୁଛି । ଏ ଦୁଃଖରୁ ତ୍ରାହି କର ।
ପ୍ରଭୁ ପ୍ରତିଦିନ ମୁଁ ତୁମ ପାଦତଳେ ପ୍ରଣାମ ଜଣାଉଛି । ନିଷ୍କାମ ଅନ୍ତରରେ ପ୍ରାର୍ଥନା କରୁଛି । ନିରନ୍ତର ଭାବରେ ଦିନ ରାତି ଶ୍ରୀଗୁରୁଙ୍କୁ ଧ୍ୟାନ କରୁଛି । ହେ ଶ୍ରୀଗୁରୁ, ତୁମ ପ୍ରଭୁପଣକୁ ଆମେ ଚାହିଁ ରହିଛୁ । ଭରସା କରିଛୁ । ସାମାନ୍ୟ ହେଳା କଲେ ନାଶ ଯିବୁ । ମହାଗରତ (ମହାଗର୍ତ୍ତ-ବଡ଼ ଗଭୀର ଗାତ) ରେ ଆମେ ଟଳି ପଡୁଛୁ । ହେ ଗୋସାଇଁ ଏ ବିପତ୍ତିରୁ ଆମକୁ ଉଦ୍ଧାର କର । ଠାକୁରଙ୍କ ପାଦ ପଦ୍ମକୁ ଧାନ କରୁଛୁ । ସେ ଶୁନ୍ୟ ଦେହୀର ଠାବ ମିଳୁନାହିଁ । ତିନି ବ୍ରହ୍ମାଣ୍ଡରେ ତାଙ୍କୁ ଠଉରାଇ ପାରୁନାହୁଁ ।
ଦାଣ୍ଡ ପଡ଼ୁଅଛି ନିରିଘାତଦାଣ୍ଡ ବାଟେ ଗଲାଣି ମହତ ।ଡାକୁଅଛୁ ଆମ୍ଭେ ଦିବସ ରଜନୀଡାକ ନ ଶୁଣ ଅନାଦି କନ୍ଦ ହେ ଶ୍ରୀଗୁରୁ। ୧୩ ।ଢମ କହୁଅଛନ୍ତି ସମସ୍ତେଢାଳେ ସମ୍ଭାଳି ରହିବି କେତେ ।ଢାଙ୍କୁଣୀ ଭିତରୁ ଫିଟାଇ ନ ନେଲେଢୋକିଲାଣି ମରଣ ନିଶ୍ଚିନ୍ତେ ହେ ଶ୍ରୀଗୁରୁ। ୧୪ ।ଅଣାକାର ଶ୍ରୀଗୁରୁ ଅଲେଖଅନାସ୍ଥାରେ ପଡ଼ିଅଛୁ ଦେଖ ।ଅନ୍ତର୍ଯ୍ୟାମୀ ସ୍ୱାମୀ ବ୍ରହ୍ମାଣ୍ଡ କରତାଏଣେତେଣେ ନାହିଁ ଆମ୍ଭ ରକ୍ଷ ହେ ଶ୍ରୀଗୁରୁ। ୧୫ ।ତିନି ଭୁବନେ ଅଟ କରତାତଦନ୍ତରେ ବୁଝ ଆମ କଥା ।ତ୍ରାହିକର ସ୍ୱାମୀ ଘୋର ସଙ୍କଟରୁତୁମ୍ଭେ ଅଟ ପରା ପିତା ମାତା ହେ ଶ୍ରୀଗୁରୁ। ୧୬ ।ଥରିଗଲାଣି ପିଣ୍ଡ ପରାଣତିଥି ଦିଆଅ ଆଶା ବିଶ୍ରାମ ।ଥରକୁ ଥର ଦେବକୁଟ ପଡ଼ୁଛିଥାଉଁ ଥାଉଁ ମହାଶୂନ୍ୟ ବ୍ରହ୍ମ ହେ ଶ୍ରୀଗୁରୁ। ୧୭ ।ଦୁଃଖୀ ଦରିଦ୍ର ପରାଣୀ ଆମ୍ଭେଦୀନବନ୍ଧୁ ଅଟ ପରା ତୁମ୍ଭେ ।ଦରିଆରେ ପଡ଼ି ଭାସି ଯାଉଅଛୁଦୟାରେ ଉଧରି ଧର ବେଗେ ହେ ଶ୍ରୀଗୁରୁ। ୧୮ ।ଧର୍ମ ପରୀକ୍ଷା ଦିଅ ତୁରିତଧରଣୀରେ ରହୁ ସତ୍ୟକୁତ ।ଧ୍ୟାନ କରିଅଛୁ ଦିବସ ରଜନୀଧର୍ମ ହେଉ ତ୍ରିଭୁବନେ ଖ୍ୟାତ ହେ ଶ୍ରୀଗୁରୁ। ୧୯ ।
ଭାବାର୍ଥ- ( ୧୩-୧୯ ) ହେ ଅନାଦିକନ୍ଦ, ହେ ଶ୍ରୀଗୁରୁ ! ଆମ ଉପରେ ନିର୍ଘାତ ଅର୍ଥାତ୍ ଭୟଙ୍କର ଦଣ୍ଡ ପଡ଼ୁଛି । ଦାଣ୍ଡ, ବାଟରେ ମହତ ଗଲାଣି । ଆମେ ଦିବସ ରଜନୀ ତୁମକୁ ଡାକୁଛୁ । ତଥାପି ଆମ ଡାକକୁ ଶୁଣୁନାହିଁ । ସମସ୍ତେ ଏବେ ଅମୂଳକ ବଡ଼େଇ କଥା କହୁଛନ୍ତି । ଏ ସବୁକୁ ମୁଁ କେତେ ବା ସମ୍ଭାଳିବି ? ମୁଁ ଢଙ୍କୁଣି ଭିତରେ ପଡ଼ି କଷ୍ଟ ପାଉଛି । ମୃତ୍ୟୁ ମୋତେ ଗିଳି ପକାଉଛି । ଏ ଭିତରୁ ମୋତେ ପରିତ୍ରାଣ ନ କଲେ ମୋର ମରଣ ନିଶ୍ଚିତ । ହେ ଶ୍ରୀଗୁରୁ, ଅଣାକାର ଅଲେଖ, ମୁଁ କେତେ ବିପଦରେ ପଡ଼ିଛି ଦେଖ । ତୁମେ ଅନ୍ତର୍ଯ୍ୟାମୀ ସ୍ୱାମୀ, ବ୍ରହ୍ମାଣ୍ଡ କରତା । ତିନିଭୁବନରେ ତୁମେ ହିଁ ଶ୍ରେଷ୍ଠ । ତୁମ ବିନା ଆମକୁ କେହି ରକ୍ଷା କରି ପାରିବେ ନାହିଁ । ପ୍ରଭୁ, ମୋ ଦୁଃଖ ବୁଝ, ଏ ଘୋର ବିପଦରୁ ରକ୍ଷାକର । ହେ ଶ୍ରୀଗୁରୁ, ତୁମେ ଆମର ପିତାମାତା, ଆମର ପିଣ୍ଡପ୍ରାଣ ସବୁ ଥରିଗଲାଣି । ବାରମ୍ବାର ଦେବମାୟା ଆମକୁ ଭାରାକ୍ରାନ୍ତ କରି ପକାଉଛି । ଏଥିରୁ ମୁକ୍ତିଦିଅ ।
ହେ ଶ୍ରୀଗୁରୁ, ମହାଶୂନ୍ୟ, ବ୍ରହ୍ମ ଥାଉଁ ଥାଉଁ ସାଂସାରିକ ମାୟାରେ ପଡ଼ି ଆମେ ଭ୍ରମିତ ହେଉଛୁ ! ଦୀନଦୁଃଖୀ ପ୍ରାଣୀ ଆମ୍ଭେମାନେ । ସାଗରରେ ପଡ଼ି ଭାସୁଛୁ । ତୁମେ ତ ଦୀନବନ୍ଧୁ, ଦୟାର ସାଗର । ଏଇଥିରୁ ଆମକୁ ଉଦ୍ଧାର କର । ହେ ଶ୍ରୀଗୁରୁ, ସଂସାରରେ ଧର୍ମ, ସତ୍ୟର ପ୍ରତିଷ୍ଠା ହେଉ । ଦିବାରାତ୍ରି ଧାନ କରୁଛୁ, ସତ୍ୟଧର୍ମ ତିନିଭୁବନରେ ପ୍ରତିଷ୍ଠା ଲାଭ କରୁ ।
ନିଜରୂପେ ବିଜେ କରିଅଛନାନା ନିଷ୍କାମ ଦୀକ୍ଷା ଦେଇଛ ।ନାଶ ଯାଉଅଛୁ କଳିଯୁଗେ ଆମ୍ଭେନାରାୟଣ ସ୍ୱାମୀ ନ ବୁଝୁଛ ହେ ଶ୍ରୀଗୁରୁ। ୨୦ ।ପୂର୍ଣ୍ଣାନନ୍ଦ ପୂର୍ଣ୍ଣଚନ୍ଦ୍ର ରୂପୀପୂରି ସର୍ବଭୂତେ ଅଛ ବ୍ୟାପୀ ।ପରମ ପୁରୁଷ ବାଞ୍ଛା ପୂର୍ଣ୍ଣକରପୃଥ୍ୱୀ ମଧ୍ୟେ ସତ୍ୟ ଧର୍ମ ସ୍ଥାପି ହେ ଶ୍ରୀଗୁରୁ। ୨୧ ।ଫୁକା ବନ୍ଧ ଫଣି ମଣି ହୋଇଫିଙ୍ଗି ଦେଉଅଛ କାହିଁପାଇଁ ।ଫେଡ଼ି ଦିଅ ଶୂନ୍ୟ ପିଣ୍ଡ ବ୍ରହ୍ମାଣ୍ଡର,ଫେଡ଼ି ସଂଶୟ ସୁଦୟା ବହି ହେ ଶ୍ରୀଗୁରୁ। ୨୨ ।ବାଧିଗଲାଣି ପିଣ୍ଡେ ପ୍ରାଣକୁବିସୁଖ ମଣିଲେଣି ଧର୍ମକୁ ।ବାତୁଳ ପରାଏ ନିନ୍ଦା କରୁଛନ୍ତି,ବହି ହୃଦେ ଗର୍ବ ଗରିମାକୁ ହେ ଶ୍ରୀଗୁରୁ। ୨୩ ।ଭବସାଗରେ ଯାଉଛି ଭାସିଭାରା ଉଶ୍ୱାସ ହେ ଶୂନ୍ୟବାସୀ ।ଭଣେ ଭୀମ ହୀନ ପାମର ଅଜ୍ଞାନଭାଳି ମରୁଅଛି ଦିବା ନିଶି ହେ ଶ୍ରୀଗୁରୁ। ୨୪ ।ମହିମା ରଖ ମହୀମଣ୍ଡଳେମହାଯୁଗ ଘୋର କଳିକାଳେ ।ମହତ ପୁରୁଷ ବାଞ୍ଛା ପୂର୍ଣ୍ଣକରମହୀ ରକ୍ଷାକର ଏତେବେଳେ ହେ ଶ୍ରୀଗୁରୁ। ୨୫ ।ଜଗତରେ ନାହିଁ ଆମ୍ଭ ବାସଜାଣୁଅଛ ତ ଶୂନ୍ୟ ପୁରୁଷ ।ଜଗତର ସ୍ୱାମୀ ଉଦ୍ଧାର ନ କଲେଜୀବନକୁ ନାହିଁ ଆଉ ଆଶ ହେ ଶ୍ରୀଗୁରୁ। ୨୬ ।ରଖ ମେଦିନୀ ପାଦ ପକାଇରହି ନୋହୁଛି ଦମ୍ଭେ ଗୋସାଇଁ ।ରକ୍ଷାକର ସ୍ୱାମୀ ଘୋର ସଙ୍କଟରୁରାଜା ବ୍ରାହ୍ମଣେ ପରୀକ୍ଷା ଦେଇ ହେ ଶ୍ରୀଗୁରୁ। ୨୭ ।ଲଗ୍ନ କେତେ ଦିବସରେ ହେବଲାବଣ୍ୟ ମୂରତି ପ୍ରକାଶିବ ।ଲଘୁ ହେଉଛନ୍ତି କଳିଯୁଗେ ନରେ,ଲାଗିଛନ୍ତି ମନେ ରହି ଗର୍ବ ହେ ଶ୍ରୀଗୁରୁ। ୨୮ ।ବାସ ମନ୍ଦିରେ ପରୀକ୍ଷା ଉଠୁବିଷ ପରାଏ ମହିମା ଘୋଟୁ ।ବିଶ୍ୱ ବ୍ୟାପକ ପୁରୁଷ ତୁମ୍ଭେ ବୁଝବେଗେ ଘୋର କଳିକାଳ ତୁଟୁ ହେ ଶ୍ରୀଗୁରୁ। ୨୯ ।
ଭାବାର୍ଥ- ( ୨୦- ୨୯ ) ହେ ଶ୍ରୀଗୁରୁ, ତୁମେ ନିଜ ରୂପରେ ଏ ସଂସାରରେ ବିଜେ କରିଛି । ସଂସାରକୁ ନାନା ନିଷ୍କାମ ଦୀକ୍ଷା ଦେଇଛ । କଳିଯୁଗରେ ଆମ୍ଭେମାନେ ନାଶ ଯାଉଛୁ । ହେ ନାରାୟଣ ସ୍ୱାମୀ, ଆମ କଥା ବୁଝୁନାହିଁ । ହେ ପୂର୍ଣ୍ଣାନନ୍ଦ ପୂର୍ଣ୍ଣବ୍ରହ୍ମରୂପୀ, ତୁମେ ସର୍ବ ଭୂତରେ ବ୍ୟାପି ରହିଛ । ହେ ପରମ ପୁରୁଷ, ମୋ ବାଞ୍ଛା ପୂର୍ଣ୍ଣକର । ପୃଥିବୀ ମଧ୍ୟରେ ସତ୍ୟ, ଧର୍ମ ସ୍ଥାପନ କର । ହେ ଶ୍ରୀଗୁରୁ, ଫୁକାବନ୍ଧ ସର୍ବମଣି ହୋଇ ଆମକୁ କାହିଁକି ଫୋପାଡ଼ି ଦେଉଛ ? ଶୂନ୍ୟ ପିଣ୍ଡବ୍ରହ୍ମାଣ୍ଡରୁ ଆମକୁ ଖୋଲି ଦିଅ । ଆମେ ମୁକ୍ତି ପାଇଯିବୁ । ଦୟାବହି ଆମ ମନରୁ ସଂଶୟ ଦୂର କର । ହେ ଶ୍ରୀଗୁରୁ, ପିଣ୍ଡପ୍ରାଣକୁ ବହୁତ ବାଧିଲାଣି । ଧର୍ମକୁ ସମସ୍ତେ ଘୃଣା କଲେଣି । ମନ ମଧ୍ୟରେ ଗର୍ବ, ଗରିମାକୁ ଧରି ପାଗଳ ପ୍ରାୟ ସଭିଙ୍କୁ ନିନ୍ଦା କରୁଛନ୍ତି । ହେ ଶ୍ରୀଗୁରୁ, ସଂସାର-ସାଗରରେ ମୁଁ ଭାସି ଯାଉଛି । ହେ ଶୂନ୍ୟବାସୀ, ଧରଣୀର ଭାରାକୁ ଉଶ୍ୱାସ କର । କବି ଭୀମଭୋଇ କହୁଛନ୍ତି, ପ୍ରଭୁ, ହେ ଶ୍ରୀଗୁରୁ, ଦିବାନିଶି ତୁମକୁ ଚିନ୍ତାକରୁଛି । ହୀନ, ପାମର, ଅଜ୍ଞାନ ମୁଁ । ଏ ଗୀତ ଭଣତି କରିଛି । ମୋତେ କ୍ଷମା କର ।
ହେ ଶ୍ରୀଗୁରୁ, ଏ ସଂସାରରେ ତୁମ ମହିମାକୁ ରଖ । ଏ ଘୋର କଳିକାଳ । ମହତ ଜନଙ୍କ ବାଞ୍ଛା ପୂର୍ଣ୍ଣ କର । ଏତିକିବେଳେ ପୃଥିବୀକୁ ରକ୍ଷା କର । ହେ ଶ୍ରୀଗୁରୁ, ଶୂନ୍ୟପୁରୁଷ, ଜଗତରେ ଆମେ ନିରାଶ୍ରୟ ହୋଇ ପଡ଼ିଛୁ, ଜଗତର ସ୍ୱାମୀ ତୁମେ । ସବୁ କଥା ଜାଣୁଛ । ତୁମେ ଯଦି ଦୟା ନ କରିବ, ତେବେ ଏ ଜୀବନ ଗଲା ବୋଲି ଜାଣ । ଜୀବନକୁ ଆଉ ଆଶା ନାହିଁ ।
ହେ ସ୍ୱାମୀ, ହେ ଶ୍ରୀଗୁରୁ, ପୃଥିବୀ ଉପରେ ପାଦ ଥାପି ତା’ର ଭାରାକୁ ନିବାରଣ କର । ଦମ୍ଭ ଧରି ଆମେ ଆଉ ଏଠାରେ ରହିପାରୁନାହୁଁ । ଏ ଘୋର ସଙ୍କଟରୁ ଆମକୁ ଉଦ୍ଧାର କର । ଭଲ ଲଗ୍ନ କେବେ ଆସିବ ? ତୁମର ସୁନ୍ଦର ମୂର୍ତ୍ତି କେବେ ପ୍ରକାଶ ପାଇବ ? କଳିଯୁଗରେ ଲୋକମାନେ ମନରେ ଗର୍ବ ବହି କୌଣସି କଥାକୁ ଗୁରୁତ୍ୱ ଦେଉନାହାନ୍ତି । ହେ ଶ୍ରୀଗୁରୁ ତୁମେ ବିଶ୍ୱବ୍ୟାପି ରହିଛି-। ଚାରିଦିଗରେ ତୁମ ମହିମା ଘୋଟିଯାଉ । ଏ ଘୋର କଳିକାଳ ନାଶ ହେଉ ।
ଶରତ ଋତୁ ହୋଇଲା ଆସିସୋହତିରେ ଯାଉଅଛି ଭାସି ।ସର୍ବ ଅନ୍ତର୍ଯ୍ୟାମୀ ବ୍ରହ୍ମାଣ କରତା,ସାର କରି ବୁଝ ବ୍ରହ୍ମରାଶି ହେ ଶ୍ରୀଗୁରୁ। ୩୦ ।ସଦ୍ଗୁରୁ ଅଟ ପରା ତୁମ୍ଭେସୋହତିରେ ଭାସୁଅଛୁ ଆମ୍ଭେ ।ଶୂନ୍ୟ ପୁରୁଷ କରୁଣା କରି ବେଗେ,ସତ୍ୟ ପରକାଶ କର ଏବେ ହେ ଶ୍ରୀଗୁରୁ। ୩୧ ।ଶୟନେ ଭୋଜନେ ସୁସ୍ଥ ନାହିଁସ୍ୱାମୀ ଦେଖ ନୟନ ପୂରାଇ ।ସମ୍ଭାଳି ନୋହୁଛି ଅକାଳ ବିପତ୍ତି,ଶୂନ୍ୟ ପୁରୁଷଙ୍କୁ ଅଛୁ ଚାହିଁ ହେ ଶ୍ରୀଗୁରୁ। ୩୨ ।ହରେକ କତା କାରେଣୀ ସ୍ୱାମୀହେଉଅଛି ଯାହା ଅନ୍ତର୍ଯ୍ୟାମୀ ।ହତ ହେଉଅଛି ପିଣ୍ଡ ପ୍ରାଣ ମୋର,ହେଉଅଛି ଏବେ ପରିଣାମି ହେ ଶ୍ରୀଗୁରୁ। ୩୩ ।କ୍ଷମାସାଗର ଶୂନ୍ୟ ପୁରୁଷକ୍ଷଣକ୍ଷଣକେ ଭାରା ଉଶ୍ୱାସ ।ଖତମ କରିଦେବାକୁ ବସିଛନ୍ତି,କ୍ଷମେ ଭଣେ ଭୀମ ଭକ୍ତ ଦାସ ହେ ଶ୍ରୀଗୁରୁ। ୩୪ ।
ଭାବାର୍ଥ- ( ୩୦-୩୪ ) ହେ ସର୍ବ ଅନ୍ତର୍ଯ୍ୟାମି, ବ୍ରହ୍ମାଣ୍ଡ କରତା, ହେ ବ୍ରହ୍ମରୀଣୀ, ହେ ଶ୍ରୀଗୁରୁ, ଶରତ ଋତୁ ଆସିଗଲାଣି । ଦୁଃଖରେ ଭାସି ଯାଉଛି । ତୁମେ ପରା ସଦ୍ଗୁରୁ । ହେ ଶୂନ୍ୟ ପୁରୁଷ, ଦୟା ପରବଶ ହୋଇ ଶୀଘ୍ର ଏବେ ସତ୍ୟ ପ୍ରକାଶ କର । ହେ ଶ୍ରୀଗୁରୁ, ଶୟନ, ଭୋଜନରେ ଏବେ ଭଲ ଲାଗୁନାହିଁ । ହେ ସ୍ୱାମୀ, ଚକ୍ଷୁପୂରାଇ ଜଗତକୁ ଦେଖ, ଆମ ଉପରେ ଯେଉଁ ଅକାଳ ବିପତ୍ତି ପଡ଼ିଛି, ତାକୁ ସହି ହେଉନାହିଁ । ହେ ଶ୍ରୀଗୁରୁ, ଶୂନ୍ୟ ପୁରୁଷଙ୍କୁ ଆମେ ଭରସା କରିଛୁ ।
ହେ ଅନ୍ତର୍ଯ୍ୟାମୀ ପୁରୁଷ, ହେ ସ୍ୱାମୀ, ତୁମ ବିନା ନିର୍ଦ୍ଦେଶରେ ସମଗ୍ର ଜଗତ ପରିଚାଳିତ-। ମୋ ପିଣ୍ଡରୁ ପ୍ରାଣ ଚାଲିଯାଉଛି । ହେ କ୍ଷମାସାଗର ଶୂନ୍ୟ ପୁରୁଷ, ଦୁଷ୍ଟ ଶକ୍ତିଗୁଡ଼ିକ ଏ ଜଗତକୁ ଧ୍ୱଂସ କରି ଦେବାକୁ ବସିଛନ୍ତି । ହେ ସ୍ୱାମୀ, ପୃଥିବୀର ଭାରାକୁ କ୍ଷଣକ୍ଷଣକେ ଉଶ୍ୱାସ କର । ଶ୍ରୀଗୁରୁଙ୍କ ପାଦପଦ୍ମ ତଳେ ଭକ୍ତ ଭୀମ ଦାସ ଶରଣ ପଶିଛି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ