କାଳିଜାଇ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପି“ଭଲ କରି ନାଆ ବୁହା, ରେ ନାଉରି,ଝିଅକୁ ମାଡ଼ୁଛି ଡର;ଗଡ଼େ ଗଡ଼ଲୋକେ ଚାହିଁ ବସିଥିବେ,ଝିଅ ଯିବ ଶାଶୁଘର ।”ଭଲ କରି ନାଆ ବୋହୁଛି ନାଉରି,ତଲେଇ କରିଛି ଠିଆ;ମାମୁଭଣଜାର କୋଣରୁ ଆସେ ଲୋବୋହି ସୁଲୁ ସୁଲୁ ବାଆ ।ଦିନ ଦଶ ଘଡ଼ି ହେଲାଣି ଟି ଆସି,ଖରା ମାରେ ଚାଇଁ ଚାଇଁ;ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ ,ବେଳ ତ ପାଇବ ନାହିଁ ।ନାଉରି ବାପୁଡ଼ା କାତ ମାରୁଅଛି,ଉଦାସେ ଗାଉଛି ଗୀତ;ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,ଜଣା ନ ପଡ଼ଇ ବାଟ ।ମାଆ ଭଉଣୀଙ୍କି ସାଥୀ ସଙ୍ଗାତଙ୍କୁଝିଅ ଯେ ଆସିଛି ଛାଡ଼ି;ନାଆରେ ବସି ସେ ତାଙ୍କରି କଥା ଲୋହୁଏ ନିରନ୍ତର ଭାଳି ।ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେରହିଲେ ଦୂରସ୍ଥେ କାହିଁ;ପରତେ ନୋହୁଛି, ଆଉ କି ଦିନେ ଲୋଫେରି ସେ ଦେଖିବ ଯାଇ ।ନାଆ ଚାଲିଅଛି ପବନ ସମାନେ,ମୁହୂର୍ତ୍ତେ ନ ହୁଏ ଥୟ;ଚିହ୍ନା ଯେତେ ତାର ବଣ ପାହାଡ଼ ଲୋଅନାଇ ଦେଖନ୍ତା ଝିଅ ।ଘଣ୍ଟଶିଳା-ଶିଖେ ଚାହିଁ ସେ କହନ୍ତା,“ଦିଅ ରେ ମେଲାଣି ମୋତେ;ଭେଟ ଆଉ ଦିନେ ନୋହିବ ଜୀବନେ,ଯାଉଛି ଘୋର ବନସ୍ଥେ ।”ସାଳିଆ ନଈ ତା ନିତିଦିନ ସାଥୀ ,ସୁଖେ ସେ ବୁଲଇ କୂଳେ;ବେଳେ ସୁଏ ତାର ସ୍ନାହାନ ସାରି ଲୋ,ହସି ଲେଉଟଇ ଘରେ ।କାଳିଅନ୍ଧାରୁ ସେ ଚାଲି ଯେ ଅଇଲା,ଦେଖି ତ ନାହିଁଛି ତାକୁ;ଭାରି ଖ୍ୟାତ ନଈ, ନାଆଁଟି ତାର ଲୋନିତି କୋଡ଼ି କୋଶେ ଡାକୁ ।ମାଆ ଭଗବତୀ- ପୀଠ କୂଳେ ତାର,‘ଜଗତ୍ରତାରିଣୀ’ ନାଆଁ ;ଡାକି କହିଥାନ୍ତା, ନୋହିଲା ଆଉ ଲୋ,“ସାହା ମୋ ଥିବୁଟି, ମାଆ ।”ନାଆ ଆସି ହେଲା ପ୍ରବେଶ ଦଣ୍ଡକେଚଢ଼େଇହଗା ପାହାଡ଼େ;ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋରହିଲା ସାଳିଆ ଦୂରେ ।ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆଗଣ୍ଡତଡ଼ କଳାପାଣି;ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,ତିନ୍ତି ପିନ୍ଧା ଛିଟକାନି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
“ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଚ୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବାପାଇଁ ?
ବର ବୋଲି ଯାର ଧରାଇଲ ହାତ
କି ତାର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି ।
ମହୀମଣ୍ଡଳେ ତ ନ ଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହା ସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ ?
ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଅନ୍ତୁଡ଼ିଶାଳେ ଟି କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ ?
ଝିଅକୁ ନିଶ୍ଚିନ୍ତେ ଦେଇଛୁ ପଠାଇ
ବନସ୍ଥକୁ ଜାଣୁ ଜାଣୁ ;
କପାଳ ଆଦରି ଯାଉଛି, ବୋଉ ଲୋ ,
ପାସୋରି ନ ଦେବୁ ମନୁ ।”
ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ ।
“ନାଆ ଚାଲିଅଛି ପବନ ସମାନେ,
ନ ମାନେ ପାଣି ପଥର;
ତୁନି ହୁଅ, ଜାଇ ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼ ।”
ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି;
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ।
“ଭଲ କରି ନାଆ ବୁହା, ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସୁଛି
ଯିବ ବୋଲି ଶାଶୁଘର ।”
ଭଲ କରି ନାଆ ବୋହୁଛି ନାଉରି,
ଭିଡ଼ି ମାରୁଅଛି କାତ,
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ ।
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ ।
ଭାଲେରି-ଶିଖରୁ ଚଲା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟଦେବତା ଲୋ,
ଖରା ନ ପଡ଼ଇ ଆଉ ।
ମାଡ଼ି ଆସୁଅଛି ଅତି ବେଗେ ମେଘ
ଜଟିଆ-ନାସିକି ଧରି;
ବରଷା ବତାସି ଗରଜୁଅଛି ଲୋ,
ଦିନ ଦିଶେ ରାତି ପରି ।
ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ-ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ।
“ଭଲ କରି ବେଗେ ବୁହା, ରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାସି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର ।”
ବରଷା ବତାସି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ
ପିଟି ହୋଇଗଲା ଚୂରି ।
ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳ ହୋଇ ଲୋ,
ପାଣି ହୁଏ କଳକଳ ।
ବାପା ପଚାରନ୍ତି ଖୋଜି ନାଉରିରେ,
“ଝିଅ ମୋର ଗଲା କାହିଁ ?”
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା ଫିଟଇ ନାହିଁ ।
ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଢଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ ।
ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା ଧୋକା ?
ପାଣିତଳେ ଛାଇ ବୁଲି ଯାଇଛି ଲୋ,
ଜାଇଟି ନାହିଁଛି ଏକା ।
ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ
ନାଆ ସେହି ବାଟେ ବାହି ।
କେତେ ଶ ବରଷ ହେଲାଣି ସେ ଦିନୁଁ
ଗଣି କି କହିବ କିଏ ?
ନାହିଁ ଅଛି ଆଉ ସେକାଳ କଥା ଲୋ,
ଜାଇ ରହିଅଛି ଜୀଏ ।
ବାଲୁଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ
ନ ଶୁଣାଯାଏ କାହାକୁ ?
ବରଷା ବତାସି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି;
ଆପଦେ ବିପଦେ ଜଣା ପଡ଼ଇ ଲୋ
ସାହା କିଏ ଥିଲା ପରି ।
ନାଉରି ବାପୁଡ଼ା ପାହାଡ଼ ବାଟେ ତା
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ
ଜୁହାର କରଇ ଥରେ ।
ତୋଳିଲେ ପାହାଡ଼- ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ଲୁଣି ସମୁଦ୍ରେ ସତେ ଲୋ
ରହିବ ଦେବତା କିଏ ?
ସୂର୍ଯ୍ୟ ବୁଡ଼ିଗଲେ ନିଶବଦ ଯେବେ
ହୁଏ ସବୁ ସଞ୍ଜବେଳେ,
ଏକା ହୋଇ ଜାଇ, ଲୋକେ କହନ୍ତି ଲୋ
ବୁଲୁ ଯେ ଥାଏ ପାହାଡ଼େ ।
ନେତ୍ରୁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖିଯାଇଥାଏ ମୁହଁ;
ହେଲେ, ଠାରି ହାତ କାନ୍ଦି, କାହାକୁ ଲୋ
ନିବର୍ତ୍ତାଇ କରେ ଥୟ ।
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ
‘କାଳିଜାଇ ପରବତ’ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ